ବସ୍ର ପଛପଟୁ ସମ୍ମିଳିତ ହାତ ସବୁ ଉଠି ଆସିଲା । କୌଣସି ମୁଖ ଦୃଶ୍ୟମାନ ହେଉନଥିଲା । କିନ୍ତୁ ସେମାନଙ୍କ ହାତରେ ନୀତା ଥିଲା । ଯୁବତୀ ସୁନ୍ଦରୀ ତନୁପାତଳୀ ନୀତାର ଶରୀର ଶୂନ୍ୟେଶୂନ୍ୟେ ପଛସିଟ୍ ଆଡ଼କୁ ଚାଲିଲା । ଅନେକଙ୍କ ହାତରେ ନୀତାର ଚିତ୍କାର ଶୁଣା ଯାଉନଥିଲା । ସ୍ୱାତୀ ଚିତ୍କାର କରୁଥିଲେ ହେଲେ ତାଙ୍କ ଗଳାରୁ ଶବ୍ଦ ସବୁ ବାହାରକୁ ଆସୁନଥିଲା । ଶୂନ୍ୟରେ ପବନରେ ଶବ୍ଦ ସବୁ ମିଳାଇ ଯାଉଥିଲା । ସେ ଭଗବାନଙ୍କୁ ଡାକୁଥିଲେ । ଆଗରେ ବସିଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଆର୍ତ୍ତଚିତ୍କାର କରୁଥିଲେ । ହେଲେ ଆଗରେ କେହି ନଥିଲେ କାହାର ଶରୀରର ସତ୍ତା ନଥିଲା । ଖାଲି ଆତତାୟୀ ହସ୍ତଗୁଡ଼ିଏ ପବନରେ ଦୋହଲୁଥିଲେ । ନୀତାର ଶରୀର ଏ ହାତରୁ ସେ ହାତ ହେଇ ଚାଲିଥିଲା । ଧୀରେଧୀରେ ସିଟ୍ର ପଛକୁ ସ୍ଥାନାନ୍ତରିତ ହେଉଥିଲା । ପଛସିଟ୍ରେ ଅନ୍ଧାର ଥିଲା । କ’ଣ ଘଟୁଥିଲା କିଛି ଦୃଶ୍ୟ ହେଉନଥିଲା । ହେଲେ ନିର୍ଭୟା ପରି ସ୍ୱାତୀ କ୍ଷତବିକ୍ଷତ, ଦଳିତ ମଥିତ ହେଉଥିବାର ସେ ଅନୁଭବ କରୁଥିଲେ ।
ଚିତ୍ରକୋଣ୍ଡାରୁ କଟକ ।ଏସି ବସ୍ । ଖଚାଖଚ୍ ଲୋକ ଭରା । ଥଣ୍ଡା ଆରମ୍ଭ ହେଇଯାଇଥିଲା । ଏ ବସ୍ରେ ଆଗରୁ ଟିକେଟ୍ କରିବାକୁ ପଡ଼େ ।
ସ୍ୱାତୀ କୁଡୁମୁଲ୍ଲୁଗୁମ୍ମାରୁ ଉଠିଲେ ବସ୍ରେ । ପୁଅ ଏଠିକା ଡାକ୍ତରଖାନାରେ ଡାକ୍ତର ଅଛି । ପିଲାଦିନୁ ସହରରେ ବଢ଼ିଥିବା ପୁଅ ପୁଣି କଟକ ଏସ୍ସିବିରୁ ସ୍ନାତକ । ପ୍ରଥମ ପୋଷ୍ଟିଂ ମାଲକାନଗିରି ଜିଲ୍ଲାର ଏଇ ଆଦିବାସୀ ଅଧ୍ୟୁଷିତ କୁଡୁମୁଲ୍ଲୁଗୁମ୍ମାରେ । ପ୍ରଥମେ ସ୍ଥାନଟିର ନାମକୁ ଉଚ୍ଚାରଣ କରିବା ପାଇଁ କିଛି ସମୟ ଲାଗିଲା । ଏଠା ଲୋକେ ସଂକ୍ଷିପ୍ତରେ କହୁଥିଲେ ଗୁମ୍ମା । ସମସ୍ତେ ବୁଝିଯାଉଥିଲେ । ତେଣୁ ସେ ମଧ୍ୟ ଗୁମ୍ମା କହିବା ଅଭ୍ୟାସ କଲେ । ଗୁମ୍ମାରୁ ବାରତେର କିଲୋମିଟର ପରେ ଖଇରପୁଟ ପଡ଼େ । ତାଙ୍କ ପୁଅ ଅଭୟର ସାଙ୍ଗ ଡାକ୍ତର ସୁରେଶ ମିଶ୍ର ଖଇରପୁଟରେ ଡାକ୍ତର ।
ସ୍ୱାତୀ ସୁରେଶଙ୍କୁ ପୁଅର କ୍ୱାର୍ଟର୍ସରେ ଦେଖିଥିଲେ । ଚିହ୍ନା ପରିଚୟ ହେଇଥିଲା । ଗୁମ୍ମା ଓ ଖଇରପୁଟର ଡାକ୍ତରମାନେ ପରସ୍ପର ଖୁବ୍ ଜଣାଶୁଣା ଏବଂ ମେଳାପୀ । ପରିବାର ସହିତ ଭଲ ସମ୍ପର୍କ । ଖଇରପୁଟରେ ହେଉଥିବା ଦାମ୍ଲଦେଇ ଯାତ୍ରା ଦେଖିବାକୁ ସେମାନେ ନିଶ୍ଚୟ ଆସୁଥିଲେ । ତିନି ଚାରିଦିନ ଖୁବ୍ ଯାକଯମକରେ ଯାତ୍ରା ହେଉଥିଲା । ଆଖପାଖର ସମସ୍ତ ଲୋକ, ଆଦିବାସୀ ସଂପ୍ରଦାୟ ସମସ୍ତେ ଯାତ୍ରାକୁ ପୂର୍ଣ୍ଣ ରୂପେ ଉପଭୋଗ କରୁଥିଲେ ।
ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରୁ ଆସିଥିବା ଡାକ୍ତରଙ୍କ ପରିବାର ଏ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୋଳାହଳ, ଦୋକାନ ବଜାର, ସିନେମା ହଲ୍ ପାଇଁ ସବୁବେଳେ ମନମାରି ରହୁଥିଲେ । ଏଠିକା ଗୁପ୍ଚୁପ୍, ଦହିବରା, ବରା ସିଙ୍ଗଡ଼ା ସବୁଠି ଫରକ୍ । କଟକ-ଭୁବନେଶ୍ୱରର ସୁଆଦ ଏଠାରେ ମିଳେନାହିଁ । ସୀମିତ ଦୋକାନ ବଜାର, ପୋଷାକପତ୍ର ଏଠାରେ । ଗୋଟାଏ ଦୁଇଟାରୁ ତୃତୀୟ ଦୋକାନ ନଥିଲା । ଭଲ ଜିନିଷ ମାର୍କେଟିଂ ପାଇଁ ମାଲକାନଗିରି, ଜୟପୁର ଯାଉଥିଲେ । ତେଣୁ ସେମାନେ ଭୁବନେଶ୍ୱରର ମାର୍କେଟ୍, କଟକର ଗୌରୀଶଙ୍କର ପାର୍କରେ ବୁଲିବୁଲି ଖାଇଖାଇ ମାର୍କେଟିଂ କରିବାର ମଜା ଏଠାରେ ପାଉନଥିଲେ ।
ଏବେ ଖାଲି ଆମାଜନ ଅଛି ବୋଲି ଟିକେ ଗୃହିଣୀମାନେ ଶାନ୍ତ ଅଛନ୍ତି । ଘରେ ବସିବସି ବୋର୍ ହୋଇଗଲେ ଆମାଜନରୁ ଜିନିଷ ମଗାଇ ଦଉଥିଲେ । ହେଲେ ବେଳେବେଳେ ପୋଷାକପତ୍ର ପିଲାଙ୍କର ଛୋଟ ବଡ଼ ହେଇଯାଉଥିଲା । ଅବିବାହିତମାନଙ୍କର କିଛି ଚିନ୍ତା ନଥିଲା । ଯାହାର ପରିବାର ସାଥିରେ ଥିଲେ ସେମାନେ ବେଶିଦିନ ସେଠାରେ ରହିପାରୁନଥିଲେ । ହେଲେ ଏବେ ଡାକ୍ତରମାନେ ପ୍ରାୟତଃ ଡାକ୍ତରଙ୍କୁ ଜୀବନସାଥୀ ରୂପେ ବାଛୁଥିଲେ । ପୁଣି କାହାର ସ୍ତ୍ରୀ ଅନ୍ୟ କିଛି ସଂସ୍ଥାରେ କାର୍ଯ୍ୟ କରୁଥିଲେ । ତେଣୁ ଅଳ୍ପ ସଂଖ୍ୟକ ଡାକ୍ତର ପରିବାର ନେଇ ରହୁଥିଲେ ।
ଏକୁଟିଆ, ବ୍ୟାଚଲର୍ମାନଙ୍କ ପାଇଁ ଏପଟ ସବୁ ସ୍ଥାନ ସ୍ୱର୍ଗ । ବାପମା’ ଆତ୍ମୀୟସ୍ୱଜନଙ୍କ ଗୁଇନ୍ଦା ଚକ୍ଷୁରୁ ରକ୍ଷା ମିଳେ । କିଏ ଦେଖୁଛି? ଏଠି କିଏ ଅଛନ୍ତି ନିଜର? ଯାହା କିଛି ଉପଭୋଗ କରିବା କଥା କରିଯାଅ । ସନ୍ଧ୍ୟାରେ ଆସର ବସୁଥିଲା । କଣ୍ଠାଗ୍ରତ ହେଲେ ଯେଝା କ୍ୱାର୍ଟରକୁ ଫେରୁଥିଲେ । ଆହୁରି ଅନେକଙ୍କ ପରିବାର ରାଜଧାନୀରେ ରହୁଥିଲେ ପିଲାଙ୍କ ଶିକ୍ଷା ପାଇଁ । ଡାକ୍ତରମାନେ ପ୍ରତି ପନ୍ଦର ଦିନରେ ରାଜଧାନୀରେ ହାଜର ହେଉଥିଲେ । କେବେ କିଛି କନ୍ଫରେନ୍ସ, କେବେ ଟ୍ରେନିଂ । ଏମିତି ଅନେକ ଆଳରେ ଆସି ଘରେ ପହଞ୍ଚୁଥିଲେ ।
ଅନ୍ୟ ସହକର୍ମୀ ଡାକ୍ତର ସମ୍ଭାଳୁଥିଲେ ରୋଗୀସେବା । ଏମିତି ସହଯୋଗରେ ତାଙ୍କ କାର୍ଯ୍ୟାଳୟ ଚାଲୁଥିଲା । ସ୍ୱାତୀ ଗୁମ୍ମା ଆସିଥିଲେ ପୁଅ-ବୋହୂଙ୍କ ପାଖକୁ । ନାତୁଣୀର ମାୟାରେ ପ୍ରତି ଦୁଇତିନିମାସରେ ଆସି ଆଠ-ଦଶଦିନ ରହିଯାଉଥିଲେ । ସମ୍ଭାଳି ପାରନ୍ତି ନାହିଁ ରକ୍ତର ଆକର୍ଷଣକୁ । ଏଠାରୁ କିଛି ଜୀବନିକା ନେଇ ଯାଉଥିଲେ ଆଉ ଦୁଇ ତିନିମାସ ପାଇଁ ।
ସୁରେଶ ମିଶ୍ରଙ୍କ ସ୍ତ୍ରୀ ଓ ପିଲା ଦୁଇଟି ଘରକୁ ଆସିବାର ଥିଲା । ପୁଅର ଛୁଟି ହେଇଥିଲା । କିଛିଦିନ ଶାଶୂଘର, ବାପଘର ଆଡ଼େ ବୁଲିଯିବାକୁ ମିଶ୍ରବାବୁଙ୍କ ସ୍ତ୍ରୀ ନୀତା ମନସ୍ଥ କରିଥିଲେ । ସ୍ୱାତୀ ଭୁବନେଶ୍ୱର ଯାଉଥିବାରୁ ତାଙ୍କ ପରିବାରର ସେଇ ଏକା ବସ୍ରେ ଟିକେଟ୍ କରିଥିଲେ । ନୀତା ଓ ତାଙ୍କ ପୁଅଝିଅ ତିନିହେଁ ଖଇରପୁଟରେ ଚଢ଼ିଲେ ବସ୍ରେ । ସୁରେଶ ବାବୁ ଗାଡ଼ିରେ ବସେଇ ଦେଇ ସେମାନଙ୍କୁ ସ୍ୱାତୀଙ୍କ ଜିମା ଦେଇଦେଲେ । ସ୍ୱାତୀ ମୁଣ୍ଡ ହଲାଇ ଗ୍ରହଣ କଲେ ଦାୟିତ୍ୱ ।
ସୁରେଶ ବାବୁଙ୍କ ପୁଅଟି ପ୍ରଥମରେ ପଢ଼ୁଥିଲା । ଝିଅଟି ଦୁଇବର୍ଷର । ଝିଅଟି ସୁନ୍ଦର, ଗୋଟିଏ ଚାଉଳରେ ଗଢ଼ା । ଛୁଟିରେ ଘରକୁ ଯାଉଥିଲେ । ସୁରେଶ ବାବୁଙ୍କର ଡାକ୍ତରଖାନାରେ ଜରୁରୀ କାମ ଥିବାରୁ ଏମାନଙ୍କୁ ସ୍ୱାତୀଙ୍କର ସହ ପଠାଇବାକୁ ସ୍ଥିର କରିଥିଲେ । ଆଗରୁ ସ୍ୱାତୀଙ୍କ ନୀତା ଓ ତା’ର ଦୁଇ ପିଲାଙ୍କ ସହିତ ସାକ୍ଷାତ ହୋଇଥିଲା । ସ୍ୱାତୀ ଓ ନୀତାଙ୍କ ଘର ପାଖାପାଖି ଥିଲା ଗୋଟିଏ ଜିଲ୍ଲାରେ । ତେଣୁ ଖୁବ୍ଶୀଘ୍ର ମିଳିମିଶି ଯାଇଥିଲେ । ଏକା ଜିଲ୍ଲା କେନ୍ଦ୍ରାପଡ଼ାର ସେମାନେ ଥିଲେ ।
ପୁଅଝିଅ ଦୁହେଁ ସ୍ୱାତୀଙ୍କୁ ଆଈ ସମ୍ବୋଧନ କରୁଥିଲେ । ସ୍ୱାତୀଙ୍କୁ ବସ୍ରେ ଦେଖି ଦୁହେଁ ଖୁସି ହେଇଗଲେ ।
ନୀତା ବି ଖୁସି ହେଲେ । ଜାଣିଥିଲେ ସ୍ୱାତୀଙ୍କ ସହିତ ଆଜି ଯାଉଛନ୍ତି । ଛୁଆ ଦୁହେଁ ନିଜ ସିଟ୍ ଛାଡ଼ି ସ୍ୱାତୀଙ୍କ ପାଖରେ ବସିଲେ । ନାନା ଆଡୁ ଆସର ଜମେଇ ଦେଲେ । ତାଙ୍କୁ ଗୋଟିଏ ଚିହ୍ନା ଲୋକ ମିଳିଯାଇଥିଲା ।
ଦିନ ସାଢ଼େ ତିନିଟାରୁ ବସ୍ରେ ବସିବାକୁ ପଡ଼ିଥିଲା । ସକାଳ ସାତଟାରେ ପ୍ରାୟ ପହଞ୍ଚୁଥିଲା କଟକରେ । ବେଳେବେଳେ ବିଳମ୍ବ ହୁଏ । ଏତେ ସମୟ ବସ୍ରେ ବସି ଅଣ୍ଟାପିଠି କାଟେ । ତା’ ସହିତ ଛୋଟ ଛୁଆଙ୍କୁ ସମ୍ଭାଳିବା କାଠିକର ପାଠ ।
ସୁରେଶ ବାବୁଙ୍କ ଛୁଆ ଦି’ଟା ଓ ସ୍ତ୍ରୀଙ୍କୁ ଏତେବାଟ ଏକୁଟିଆ ପଠେଇବା ଠିକ୍ ନଥିଲା । ପିଲାମାନେ ବାଟସାରା ନୂଆନୂଆ ଫର୍ମାଇସ୍ କରନ୍ତି । ଖାଇବା ପାଇଁ ଭଳିକି ଭଳି ଜିନିଷ ଦରକାର ହୁଏ । ଗୋବିନ୍ଦପାଲ୍ଲୀରେ ପହଞ୍ଚିଲା ବେଳକୁ ଚାରିଟା ବାଜିସାରିଥିଲା ।
ସ୍ୱାତୀଙ୍କୁ ବସ୍ ଜର୍ଣ୍ଣିଂ ବାଧେନା ବିଶେଷ । ତାଙ୍କର ମାୟା ପ୍ରକୃତି ପ୍ରତି । ମାଲକାନଗିରିର ବଣ ଜଙ୍ଗଲ ତାଙ୍କ ଆଖିରେ ସମ୍ମୋହନର ନିଶା ଜଗାଇଦିଏ । ମାଲକାନଗିରିର ଜଙ୍ଗଲ ପାଣିପବନ ସବୁ ତାଙ୍କୁ ଆପଣାର ଲାଗେ । ବନବାସୀମାନେ ଖୁବ୍ ନିଜର ଲାଗନ୍ତି । ଥରେ ବସ୍ରେ ବସିଗଲେ ସେ ସମ୍ମୋହିତ ହୋଇ ଯାଆନ୍ତି, ବଣ ଜଙ୍ଗଲର ଗହଳରେ । ଝରଣାର କୂଳୁକୂଳୁ ସ୍ୱରରେ ତାଙ୍କୁ କେଉଁ ମଧୁର ସଙ୍ଗୀତ ଶୁଣାଯାଏ । ଗୋବିନ୍ଦପାଲ୍ଲୀରୁ ବୈପାରୀଗୁଡ଼ା ଘାଟିରାସ୍ତା ଅଙ୍କାବଙ୍କା । ସାପପରି ମୋଡ଼ିମୋଡ଼ି ହେଇ ରାସ୍ତା ଚାଲିଛି । ବର୍ଷାଦିନେ ଚାରିଆଡ଼େ ପାଣିକାଦୁଅ ପଚପଚ । ବସ୍ ଧୀରେଧୀରେ ଘୁଁ ଘୁଁ ଗର୍ଜନ କରି ଚାଲେ । ଆଗରୁ ରାସ୍ତା ଖରାପ ଥିଲା । ଏବେ ପକ୍କା ରାସ୍ତା ହେଇଯାଇଛି । ସେ ଘାଟିରେ ମୋବାଇଲ୍ ଲାଗେନି । ସେଇ ଘାଟିର ଅଙ୍କାବଙ୍କା ଉଠାଣି ଗଡ଼ାଣିରେ ବସ୍ ସତର୍କତାର ସହିତ ପାଦ ଚିପିଚିପି କୁଳ ଭୁଆସୁଣୀ ପରି ଚାଲେ । ପ୍ରତିଟି ମୋଡ଼ରେ ବିପଦ ଲୁଚି ରହିଥାଏ । ଚାଳକର ବାହାଦୁରୀ, ତୀକ୍ଷ୍ଣ ଦୃଷ୍ଟି ଓ ଅଦମ୍ୟ ସାହସର ସହିତ ସେ ବସ୍ ଚଲାଏ । ଏତେ ଗୁଡାଏ ଲୋକଙ୍କୁ ଧରି ନିରାପଦରେ ପହଞ୍ଚାଇବା ଦାୟିତ୍ୱ ତା’ ଉପରେ ନ୍ୟସ୍ତ ଥାଏ । ତା’ର ବାଜଦୃଷ୍ଟି ରାସ୍ତା ଉପରେ ହିଁ ଥାଏ । ଦୁଇପଟରେ ଘଞ୍ଚ ଜଙ୍ଗଲ । ରାସ୍ତା ସହିତ ଝରଣା କିଛି ବାଟ ଚାଲିଥାଏ ବୈପାରୀଗୁଡ଼ା ଯିବା ପଥରେ । ବଡ଼ ଝରଣା । ସବୁବେଳେ ତା’ ଗର୍ଭରେ ପାଣି ଥାଏ । ଖରାଦିନେ ବି ଶୁଖେନା । ଝରଣାର ଶଯ୍ୟାରେ ବଡ଼ ବଡ଼ ପଥର ଦେଖାଯାଏ । ବର୍ଷା ଦିନେ ଜଳସ୍ରୋତରେ ପଥରର ଆକାର ଜଣାପଡ଼େନି । ଦୁଇପଟରେ ଆମ୍ବ, ମହୁଲ, ଶାଳ, ପିଆଶାଳ, ଶାଗୁଆନ୍ ଗଛ ଭରା ।
ବସ୍ରେ ଯାତ୍ରୀ ଭରା । ଦେଶିଆ, ଆଦିବାସୀ ସ୍ତ୍ରୀ-ପୁରୁଷ ଛିଡ଼ା ହୋଇଥିଲେ । ଏଇ ବୈପାରିଗୁଡ଼ା କି କୋରାପୁଟ, ଜୟପୁରରେ ଓହ୍ଲାଇଯିବେ ।
ସ୍ୱାତୀ ଜଙ୍ଗଲ ଦେଖୁ ଦେଖୁ, ସ୍ୱାମୀଙ୍କୁ ନିଜ ମାଆଙ୍କୁ ତାଙ୍କ ଆଗମନର ସୂଚନା ଦେଇଦେଲେ । ବୋହୂ ସହିତ କଥା ହେଲେ । କିଛି ଜଙ୍ଗଲର ଗଛଲତାର ଫଟୋ ଉଠାଇବାକୁ ଚେଷ୍ଟା କଲେ । ହେଲେ ମୋଟା କାଚର ଆବରଣ ଭେଦ କରି ଫଟୋ ଭଲ ଆସୁନଥିଲା । ସାମ୍ନା ପଟୁ କବାଟ ବନ୍ଦ ଥିଲା । ତେଣୁ ମୋବାଇଲ୍ ରଖିଦେଲେ । ଏସି ବସ୍ ତାଙ୍କର ପସନ୍ଦ ନୁହେଁ । ଖୋଲା ଝରକାରେ ପ୍ରକୃତିର ଦୃଶ୍ୟ ଯେତେ ରମଣୀୟ ତା’ର କଳନା ନଥିଲା । ଏସି ବସ୍ରେ ଚାରିଆଡ଼ୁ ବାନ୍ଧିହେଲା ପରି ଲାଗୁଥିଲା । ହେଲେ ଉପାୟ ନଥିଲା । ବାଧ୍ୟ ହେଇ ଫୋନ୍ରେ ଫେସ୍ବୁକ୍ରେ ବ୍ୟସ୍ତ ରହିଗଲେ କିଛି ସମୟ । ଧୀରେଧୀରେ କେତେବେଳେ ଠିଆ ହୋଇଥିବା ଯାତ୍ରୀ କମି ଆସିଲେ । ସବୁ ଷ୍ଟପେଜରେ ଲୋକ ଓହ୍ଲାଉଥିଲେ । ଏହା ଭିତରେ ସନ୍ଧ୍ୟା ହେଇଯାଇଥିଲା ।
ତାଙ୍କ ସମାନ୍ତରାଳ ସିଟ୍ରେ ମିଶ୍ରବାବୁଙ୍କ ପରିବାର ବସିଥିଲେ । ପିଲାଦୁହେଁ କେତେବେଳେ ସ୍ୱାତୀଙ୍କ ପାଖରେ ତ କେତେବେଳେ ନୀତା ପାଖରେ ଏପଟସେପଟ ହେଉଥିଲେ । ଏହା ଭିତରେ ବିସ୍କୁଟ୍, ଚିପ୍ସ, ଚକୋଲେଟ୍, କଦଳୀ ଏମିତି କେତେ କ’ଣ ଖିଆ ସରିଯାଇଥିଲା ।
ଧୀରେଧୀରେ ସମୟ ଆଗକୁ ବଢ଼ୁଥିଲା । ଜୟପୁର, କୋରାପୁଟ, ସୁନାବେଡ଼ା ଅତିକ୍ରମ କରି ବସ୍ ଚାଲିଥିଲା । କୁନ୍ଦୁଲି ଆସିଗଲା । ବସ୍ ଅଟକି ରହିଲା । ଏଠାରେ ପ୍ରାୟ ବସ୍ରେ ଅଦା ଲୋଡିଂ ହୁଏ । ଲୋଡିଂ ହେଲା । କିଛି ବାଟ ଯାଇ ବସ୍ଟା ଅଟକି ରହିଲା । କ’ଣ ଅସୁବିଧା ହେଲା ବୋଧେ ।
ବୁଝୁବୁଝୁ ଗାଡ଼ି ଖରାପ, ସଜଡ଼ା ଚାଲିଛି ।
ପିଲା ଦୁହେଁ ଏଣୁ ତେଣୁ ଖାଇ ସାରିବା ପରେ ଆରମ୍ଭ ହେଲା ସେମାନଙ୍କ ବାନ୍ତି । ଆଣିଥିବା ପଲିଥିନ୍ରେ ବାନ୍ତି କଲେ । ନୀତା ନିଜେ ମଧ୍ୟ ବାନ୍ତି କଲା । କୁନ୍ଦୁଲି ପହଞ୍ଚିବା ପୂର୍ବରୁ ସେମାନେ ବାନ୍ତି କରି ଚୁପ୍ଚାପ୍ ବସିଥିଲେ । ଝିଅଟା ଖାଲି ପଛସିଟ୍ ଆଡକୁ ଚାଲିଯାଉଥିଲା । ଅନ୍ୟ ଯାତ୍ରୀମାନଙ୍କୁ ଅଙ୍କଲ୍ କାହାକୁ ଆଣ୍ଟି କହୁଥିଲା । ବାଟସାରା ଦୁଇ ଭାଇଭଉଣୀଙ୍କ ମାଡ଼ଗୋଳ କନ୍ଦାକଟା ଜାରି ଥିଲା । ଜଣେ ଆସି ସ୍ୱାତୀ ପାଖରେ ବସିଲେ ଅନ୍ୟଜଣକ ଆସି ଜବରଦସ୍ତ ବସୁଥିଲା । ପୁଣି ମାଡ଼ଗୋଳ ହଉଥିଲେ । ନୀତା ବ୍ୟସ୍ତ ହେଇ ସ୍ୱାମୀଙ୍କୁ ଗାଳି ଦଉଥିଲା । ପିଲାମାନଙ୍କୁ ଗାଳି ଦଉ ଥିଲା । ଗୋଟିଏ ଫୋନ୍ ପାଇଁ ଦୁଇଜଣ ମାଡ଼ଗୋଳ ଲାଗୁଥିଲେ । ଫୋନ୍ରୁ ଗୀତ ଶୁଣିବା ପାଇଁ ଦୁଇଜଣ ଅଳି କରୁଥିଲେ । ନୀତା ବ୍ୟସ୍ତ ହେଇ ତାଙ୍କୁ ଗାଳି ଦଉଥିଲା । ଗାଳି ଦେଲେ ଝିଅଟା ମୁହଁ ଫୁଲେଇ ବାବା ବାବା ଡାକି କାନ୍ଦୁଥିଲା । ସ୍ୱାତୀ ଆଣି ବୁଝେଇଲେ । ପିଲାଙ୍କୁ, ସ୍ୱାତୀଙ୍କୁ ଭୋକ ଲାଗିଲା ।
ବୋହୂ ସ୍ୱାତୀଙ୍କୁ ଆଳୁପରଟା କରି ବାଟରେ ଖାଇବା ପାଇଁ ଦେଇଥିଲା । ସ୍ୱାତୀ ଟିଫିନ୍ ଖୋଲି ଦେଖିଲେ । ଟିଫିନ୍ରେ ପରଟା ଭର୍ତ୍ତି ଥିଲା । ତା’ ସହିତ ଛୋଟ ଡବାରେ ସସ୍ ଥିଲା । କାଗଜ ପ୍ଲେଟ୍ ଥିଲା । ନିଜ ପାଇଁ ଗୋଟିଏ ପରଟା ରଖି ସ୍ୱାତୀ ନୀତାକୁ ଟିଫିନ୍ ଓ ପ୍ଲେଟ୍ ବଢ଼ାଇ ଦେଲେ । ମାଆ ଛୁଆ ବସି ଖୁସିରେ ଖାଇଲେ । ନୀତା ବ୍ୟସ୍ତତା ଭିତରେ କିଛି ଖାଦ୍ୟ ଆଣି ପାରିନଥିଲେ । ଖାଇସାରିବା ପରେ ପିଲାମାନେ ଢୁଳେଇବା ଆରମ୍ଭ କଲେ । ସିଟ୍ରେ ଝିଅକୁ ଶୁଆଇ ଦେଲା ନୀତା ।
ବସ୍ଟା ଛିଡ଼ା ହେଇଥିଲା । ଲୋକମାନେ ଜଣେ ଅଧେ ତଳକୁ ଯାଉଥିଲେ ଦେଖିବା ପାଇଁ । ଝିଅଟାକୁ ଶୁଆଇ ନୀତା ଆସିଲା ସ୍ୱାତୀଙ୍କ ପାଖକୁ । ପ୍ରଥମେ ଛିଡ଼ା ହେଇ ବସ୍କୁ ନିରେଖି ଦେଖିଲା ।
“ମାଉସୀ, ପଛରେ କ’ଣ କେହି ଯାତ୍ରୀ ନାହାନ୍ତି ବେଶି । ଛଅ ସାତଜଣ ଲୋକ ଅଛନ୍ତି ସାରା ବସ୍ରେ । ଆମ ପଛରେ ଗୋଟିଏ ଭୀମକାୟ ଗୁଣ୍ଡାଟିଏ ବସିଛି । ସ୍ତ୍ରୀଲୋକ କେହି ଦିଶୁନାହାନ୍ତି । ଥିଲେ ତ ଦେଖାଯାଇଥାନ୍ତେ ।”
ହଠାତ୍ ସ୍ୱାତୀଙ୍କୁ କିଏ ଉଚ୍ଚ ଛାତରୁ ପଛରୁ ଧକ୍କା ଦେଲା ପରି ଲାଗିଲା । ସକ୍ ଲାଗିଲା ପରି ଲାଗିଲା । ଡରିଡରି ପଛକୁ ଚାହିଁଲେ ପାସେଞ୍ଜର ବେଶି ଦେଖାଯାଉନଥିଲେ । ସ୍ୱାତୀଙ୍କ ପଛସିଟ୍ରେ ଗୋଟିଏ ବପୁବନ୍ତ ଦାଢ଼ୀନିଶ ରଖିଥିବା ଯୁବକ ବସିଥିଲା । ତାକୁ ଦେଖିଲେ ସତକୁ ସତ ମନରେ ଭୟର ଉଦ୍ରେକ ହେଉଥିଲା । ଦଶ ପନ୍ଦର ଲୋକଙ୍କୁ ଅଟକାଇଦବା ପରି ତା’ର ଚେହେରା ଥିଲା । ସେଇ ବ୍ୟକ୍ତିକୁ ଦେଖି ନୀତା ଭୟଭୀତା ହେଉଥିଲା । ହେଲେ ବିଚରାଟି ନିଦରେ ଶୋଇଯାଇଥିଲା ।
ଏତେବେଳ ଯାଏ ସ୍ୱାତୀ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସବୁଜିମାରେ ବିଭୋର ଥିଲେ । ବାଟରେ କେତେ ମାଙ୍କଡ଼, ବଣକୁକୁଡ଼ା ଦେଖିଦେଖି ଆସିଥିଲେ । ନୀତାର ଭୟ ତାଙ୍କ ଭିତରକୁ ସଞ୍ଚରିଗଲା । ସତେତ, ବସ୍ରେ କ’ଣ କେହି ବେଶି ଯାତ୍ରୀ ନଥିଲେ । କୁନ୍ଦୁଲି ଛାଡ଼ି ନଥିଲା ବସ୍ । ତଥାପି ସଜଡ଼ା ଚାଲିଥିଲା । ସ୍ୱାତୀ ଡରିଡରି ଝରକା ଆଡ଼େ ଚାହିଁଲେ । ଆରେ ଏଇଠିତ କୁନ୍ଦୁଲି ପୀଡ଼ିତା ସସ୍ମିତାର ଘର । ନାବାଳିକାଟି ଧର୍ଷଣର ଶିକାର ହେଇଥିଲା । କେତେକ କହୁଥିଲେ ଯେଉଁମାନେ ଲୋକଙ୍କ ସୁରକ୍ଷା ପାଇଁ ସଜାଗ ରହି ରାତିଦିନ ଜଗୁଥିଲେ, ସେଇମାନେ ଏଥିରେ ସଂପୃକ୍ତ ଥିଲେ । କେତେ କହୁଥିଲେ ମାଓବାଦୀ ଓ କେତେ କହୁଥିଲେ ସୁରକ୍ଷାକର୍ମୀ । ହେଲେ କିଛି ଟେର୍ ମିଳିଲାନି । ଧର୍ଷିତା ନାବାଳିକାକୁ ଉପଯୁକ୍ତ ନ୍ୟାୟ ମିଳିଲା ନାହିଁ । ଡାକ୍ତରଖାନା ଓ ଥାନା ଦଉଡ଼ି ଦଉଡ଼ି ଉପାୟଶୂନ୍ୟା ହୋଇ ଆତ୍ମହତ୍ୟା କଲା । କେତେଜଣଙ୍କୁ ନିର୍ଭୟା ପରି ନ୍ୟାୟ ମିଳିପାରିଲା? ହେଲେ ଏ ଘଟଣା ଦିନ ଯାଏ ନିର୍ଭୟା ଦୋଷୀଙ୍କୁ ଦଣ୍ଡ ମିଳିନଥିଲା । ତେଣୁ ସ୍ୱାତୀଙ୍କୁ ଝରକା ସେପଟେ ସସ୍ମିତାର କରୁଣ ମୁଖ ଦେଖାଗଲା । ଏଇଠି କେଉଁଠି ତା’ର ଘର ହେଇଥିବ ? ଏଇ ରାସ୍ତାରେ ଯିବା ଆସିବା କରିଥିବ । ତା’ର ଆତ୍ମା ଡହଳବିକଳ ହେଉଥିବ ନ୍ୟାୟ ପାଇବା ପାଇଁ । ନିର୍ଭୟା ଦୋଷୀ ଧରାପଡ଼ି ଜେଲ୍ ଗଲେ ହେଲେ ସସ୍ମିତାର ଦୋଷୀ କୁଆଡ଼େ ଗଲେ । ବନ୍ଦ ଝରକା ସେପଟୁ ସସ୍ମିତା ଯେପରି ହାତ ବଢ଼ାଉଥିଲା । କେବେ ଦେଖିନଥିବା ଅଦୃଶ୍ୟ ଚେହେରାର କଳ୍ପନା କରୁଥିଲେ । ଅନୁଭବ କରୁଥିଲେ ତା’ର ସତ୍ତାକୁ ।
କେତେ ସମୟ ପରେ ବସ୍ ସଜଡ଼ା ସରିଗଲା । ଗାଡ଼ି ଚାଲିଲା । ଗାଡ଼ି ଯାଇ ସୁଙ୍କିରେ ରହିଲା ଏଇଠି ସମସ୍ତେ ଖାଆନ୍ତି । କେତେ ବସ୍ ଲାଗିଥିଲା । ରାତି ବହୁତ ହେଇଯାଇଥିଲା । ତଥାପି କେତେଜଣ ଯାତ୍ରୀ ଡ୍ରାଇଭର, କଣ୍ଡକ୍ଟର ଗଲେ ଖାଇବାକୁ । ଯାତ୍ରୀମାନଙ୍କୁ ଖାଇବା ପାଇଁ ମନେପକାଇଦେଲେ ।
ସ୍ୱାତୀ ଓ ନୀତା ତ ଖାଇସାରିଥିଲେ । ପିଲା ଦୁଇଟା ଘୁମେଇ ପଡ଼ିଥିଲେ । ସେ ଭୟଙ୍କର ବ୍ୟକ୍ତିଟି ମଧ୍ୟ ଉଠିଲା ଭୋଜନ କରିବା ପାଇଁ । ସମସ୍ତେ ଆସିଲା ପରେ ବସ୍ ଚାଲିଲା । ତଥାପି ବସ୍ରେ ପନ୍ଦର ହେବ ଯାତ୍ରୀ ଥିଲେ । କିନ୍ତୁ ମହିଳା ଏ ଦୁଇଜଣଙ୍କୁ ଛାଡ଼ି କେହି ନଥିଲେ ।
“ମାଉସୀ, କେହି ସ୍ତ୍ରୀଲୋକ ନାହାନ୍ତି ଆମକୁ ଛାଡ଼ି । କେତେ ଅବିବେକୀ ମିଶ୍ରବାବୁ । ଏମିତି କିଏ ପିଲାମାନଙ୍କୁ ଏକୁଟିଆ ଛାଡ଼େ । ଯୋଗକୁ ଆପଣ ଅଛନ୍ତି । ହେଲେ ଆମେ କ’ଣ କରିପାରିବା କିଛି ଅଘଟଣକୁ?”
ନୀତା ଡର, ଆଶଙ୍କାରେ ଥରୁଥିଲା ଥରଥର ହେଇ । ହାତଧରି ପକାଉଥିଲା ସ୍ୱାତୀଙ୍କର ।
ଆଖିର ଇସାରାରେ ଅଭୟ ପ୍ରଦାନ କରି ତାକୁ ସିଟ୍ରେ ବସିବାକୁ କହିଲେ ସ୍ୱାତୀ । ନିଜର ସବୁ ଡର, ଅସହାୟତା, ଆଶଙ୍କାର ବୋଝକୁ ସ୍ୱାତୀଙ୍କ ଉପରେ ଲଦି ନେଇ ନୀତା ନିଜ ସିଟ୍ରେ ବସିଲା ।
ସ୍ୱାତୀ ନୀତାର ପୁଅକୁ କୋଳେଇ ବସିଥିଲେ ସିଟ୍ରେ । ଛୁଆଟାର ମୁଣ୍ଡ ବାଡ଼େଇ ହେଇଯିବ ସିଟ୍ରେ । ଆରାମରେ ସେ ଶୋଇଥିଲା । ଏବେ ସାଲୁର୍ ଘାଟିରେ ବସ୍ ଚାଲିଥିଲା । ସମସ୍ତେ ଚୁପ୍ଚାପ୍ ସ୍ଥିର । ପ୍ରାୟ ଘାଟିରେ ସବୁବେଳେ ପ୍ରତିଥର ସ୍ୱାତୀ ଦେଖନ୍ତି ସମସ୍ତେ ଚୁପ୍ଚାପ୍ ବସିଥା’ନ୍ତି ସାବଧାନ ମୁଦ୍ରାରେ ।
ସ୍ୱାତୀ ଭଗବାନଙ୍କୁ ସ୍ମରଣ କଲେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି । ବିପଦଶଙ୍କୁଳ ରାସ୍ତାକୁ ନିରାପଦରେ ଅତିକ୍ରମିବାକୁ ନା ବସ୍ରେ ଅନ୍ୟ କେହି ମହିଳା ଯାତ୍ରୀ ନଥିବାରୁ ଅନାଗତ ଆଶଙ୍କାରୁ ରକ୍ଷା ପାଇବାକୁ ସେ ଭଗବାନଙ୍କୁ ଡାକୁଥିଲେ ସେ ନିଜେ ମଧ୍ୟ ଜାଣିପାରୁନଥିଲେ । ନିଦ ତାଙ୍କ ଆଖିରୁ କୋଶେ ଦୂରରେ ଥିଲା । ଆଗ ସିଟ୍ରେ ବସିଥିବାରୁ ରାସ୍ତା ଦେଖାଯାଉଥିଲା । ପ୍ରତିଟି ମୋଡ଼, ତୀଖ ବାଙ୍କ, ପାହାଡ଼ କଟା ରାସ୍ତା, ରାସ୍ତା ପାଶ୍ୱର୍ରେ ଥିବା ପଥର ପାରାପେଟ, ବିପଦପୂର୍ଣ୍ଣ ବୁଲାଣି ସବୁ ଗୋଟିଗୋଟି ଦେଖାଯାଉଥିଲା । ବିପରୀତ ଦିଗରୁ ଆସୁଥିବା ପ୍ରତିଟି ଗାଡ଼ିକୁ ଅତିକ୍ରମ କଲାବେଳର ଦୃଶ୍ୟ ମନରେ ଛନକା ଆଣୁଥିଲା । ସାଏଁ ସାଏଁ ଗାଡ଼ି ମଟର ଅତିକ୍ରମ କରୁଥିଲା । କେତେ କେତେ ଟ୍ରକ୍, କାର୍, ବସ୍ ଯାଉଥିଲା । କେଉଁଠି କେଉଁଠି ପଥର ବ୍ୟାରିକେଡ୍ ଭାଙ୍ଗିଯାଇ ଗଡ଼ାଣିଆ ନିମ୍ନଦେଶ ଦେଖାଯାଉଥିଲା । ଟିକେ ଅସାବଧାନତା ହେଲେ ଶହଶହ ଫୁଟ ତଳେ ଗାଡ଼ି ସହ ଯାତ୍ରୀମାନେ ନିଶ୍ଚିହ୍ନ ହେଇଯିବେ । ଜୀବନକୁ ପଦ୍ମପତ୍ରରେ ରଖି ଏସବୁ ରାସ୍ତାରେ ଗତି କରିବା କଥା । ଡ୍ରାଇଭର ଉପରେ ଯାତ୍ରୀମାନଙ୍କ ଅମୂଲ୍ୟ ଜୀବନ ନ୍ୟସ୍ତ ଥାଏ । ରାତି ଅନିଦ୍ରା ରହି ସେ ଗାଡ଼ି ଚଳାଏ ସମସ୍ତଙ୍କ ଦାୟିତ୍ୱ ନେଇ । ଯେଉଁ ଯାତ୍ରୀ ଶୋଇପଡ଼ୁଥିଲେ ସେମାନଙ୍କ ଚିନ୍ତା ନଥିଲା । ହେଲେ ଅଧିକାଂଶ ଘାଟି ଆସିଲେ ଚେଇଁ ଉଠନ୍ତି । ଘାଟି ପାଇଁ ମନରେ କୋକୁଆଭୟ । ପାହାଡ଼ କଟା ହେଇ ରାସ୍ତା ବୁଲିବୁଲି ଉପରକୁ ଯାଇଛି ତ କେଉଁଠି, ଆଉ ତା’ପରେ ପୁଣି ବୁଲି ବୁଲି ତଳକୁ ଆସିଛି । ଅଧିକାଂଶ ଘାଟି ରାସ୍ତା ସରିଲେ ଭଗବାନଙ୍କୁ ହାତ ଯୋଡ଼ନ୍ତି ।
ନୀତା ଶୋଇନଥିଲେ, ସ୍ୱାତୀ ଶୋଇନଥିଲେ । ଘାଟି ପାର୍ ହେବା ପରେ ସମସ୍ତେ ଟିକେ ଆଶ୍ୱସ୍ତ ହେଲେ । ବସ୍ରେ ଲାଇଟ୍ ଅଫ୍ ହେଇଥିଲା, ହେଲେ ଏତେ ଅନ୍ଧାର ନଥିଲା । ନୀତା ହାତଯୋଡ଼ି ହନୁମାନ ଚାଳିଶା ଜପୁଥିଲେ । ନୀତାଠାରୁ ଡରଟା କ୍ରମେ ସଂକ୍ରମିତ ହେଇ ସ୍ୱାତୀପାଖକୁ ଆସିଲା । ଛୋଟ ପୁଅଟି ତାଙ୍କ କୋଳରେ ମୁଣ୍ଡ ଦେଇ ଶୋଇପଡ଼ିଥିଲା ।
ବସ୍ରେ ଉପସ୍ଥିତ ଥିବା ଅଳ୍ପ ସଂଖ୍ୟକ ବ୍ୟକ୍ତିମାନେ ନିର୍ଭୟା କେସ୍ର ଚରିତ୍ର ପରି ଲାଗୁଥିଲେ । ଟିଭିରେ ଦେଖିଥିବା ସେଇ ଚରିତ୍ରଗୁଡ଼ିକ ମୁଖାପିନ୍ଧି ବସ୍ରେ ଥିବା ଲୋକଙ୍କ ଆତ୍ମାରେ ଜୀବନ୍ତ ହେଇଯାଇଥିଲେ ।
ବସ୍ର ପଛପଟୁ ସମ୍ମିଳିତ ହାତ ସବୁ ଉଠି ଆସିଲା । କୌଣସି ମୁଖ ଦୃଶ୍ୟମାନ ହେଉନଥିଲା । କିନ୍ତୁ ସେମାନଙ୍କ ହାତରେ ନୀତା ଥିଲା । ଯୁବତୀ ସୁନ୍ଦରୀ ତନୁପାତଳୀ ନୀତାର ଶରୀର ଶୂନ୍ୟେଶୂନ୍ୟେ ପଛସିଟ୍ ଆଡ଼କୁ ଚାଲିଲା । ଅନେକଙ୍କ ହାତରେ ନୀତାର ଚିକ୍ରାର ଶୁଣା ଯାଉନଥିଲା । ସ୍ୱାତୀ ଚିକ୍ରାର କରୁଥିଲେ ହେଲେ ତାଙ୍କ ଗଳାରୁ ଶବ୍ଦ ସବୁ ବାହାରକୁ ଆସୁନଥିଲା । ଶୂନ୍ୟରେ ପବନରେ ଶବ୍ଦ ସବୁ ମିଳାଇ ଯାଉଥିଲା । ସେ ଭଗବାନଙ୍କୁ ଡାକୁଥିଲେ । ଆଗରେ ବସିଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଆର୍ତ୍ତଚିତ୍କାର କରୁଥିଲେ । ହେଲେ ଆଗରେ କେହି ନଥିଲେ କାହାର ଶରୀରର ସତ୍ତା ନଥିଲା । ଖାଲି ଆତତାୟୀ ହସ୍ତଗୁଡ଼ିଏ ପବନରେ ଦୋହଲୁଥିଲେ । ନୀତାର ଶରୀର ଏ ହାତରୁ ସେ ହାତ ହେଇ ଚାଲିଥିଲା । ଧୀରେଧୀରେ ସିଟ୍ର ପଛକୁ ସ୍ଥାନାନ୍ତରିତ ହେଉଥିଲା । ପଛସିଟ୍ରେ ଅନ୍ଧାର ଥିଲା । କ’ଣ ଘଟୁଥିଲା କିଛି ଦୃଶ୍ୟ ହେଉନଥିଲା । ହେଲେ ନିର୍ଭୟା ପରି ସ୍ୱାତୀ କ୍ଷତବିକ୍ଷତ, ଦଳିତ ମଥିତ ହେଉଥିବାର ସେ ଅନୁଭବ କରୁଥିଲେ । ସେ ଖୁବ୍ ପାଟି କରି କାନ୍ଦୁଥିଲେ, ତାଙ୍କ ହାତଗୋଡ଼ରୁ ଚଳତ୍ଶକ୍ତି ଲୋପ ପାଇଯାଇଥିଲା । ସେ ଆତତାୟୀ ହସ୍ତଗୁଡ଼ିକରୁ ନୀତାକୁ ରକ୍ଷା କରିପାରୁନଥିଲେ । କାନ୍ଦିକାନ୍ଦି ଚିତ୍କାର କରି ସେ ନିରବ ହେଇଯାଉଥିଲେ । ହଠାତ୍ ହାତଗୁଡ଼ିକ ନାଚିନାଚି ତାଙ୍କ ଆଡକୁ ଆସୁଥିଲା । ତାଙ୍କ ଚାରିପାଖରେ ଅନେକ ହାତର ସଣ୍ଢୁଆସୀ ଉଦ୍ୟତ ହେଇ ଆକ୍ରମଣ ମୁଦ୍ରାରେ ବୁଲୁଥିଲେ । ସେ ଚକାଭଉଁରୀ ପରି ବୁଲିବୁଲି ସେ ହାତରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଥିଲେ । ଉଡ଼ନ୍ତା ବିରୁଡ଼ି ଠାରୁ ରକ୍ଷା ପାଇବା ପାଇଁ ହାତଗୋଡ଼ ଚଳାଇ ସେ ନିଜକୁ ରକ୍ଷା କରୁଥିଲେ । ହେଲେ ଶହଶହ ବିରୁଡ଼ି ଶୁଣ୍ଢରେ ଆକ୍ରମଣ କଲା ପରି ଅନେକଗୁଡ଼ିଏ ହାତର କବଳରେ ପଡ଼ିଯାଇଥିଲେ । ଫର୍ଦ୍ଦଫର୍ଦ୍ଦ କାଗଜ ପରି ସବୁ ଉଡ଼ିଯାଉଥିଲା ଆକାଶରେ । ଶରୀରର ସବୁ ଆବରଣ ଭୂଲୁଣ୍ଠିତ ହେଉଥିଲା ଆପେଆପେ । ଅନେକ ହାତର ଅନେକ ବାସନା, ଅନେକ କାମନା ପାଖରେ ବଳି ପଡୁଥିଲେ ସେ । ସ୍ୱାତୀଙ୍କ ଚିତ୍କାର କ୍ରନ୍ଦନ ସବୁ ପବନରେ ମିଳେଇ ଯାଇଥିଲା । ପାଖରେ ନୀତାର କ୍ଷତବିକ୍ଷତ ରକ୍ତାକ୍ତ ମୂର୍ଚ୍ଛିତ ଶରୀର । ନିଜର ସମସ୍ତ ବଳ ଖଟାଇ ତଳୁ ଉଠି ନୀତାର ଶରୀର ତୋଳି ଧରି ଠିଆ ହେଇଥିଲେ ସେ ବସ୍ ମଝିରେ । ବସ୍ ଭିତରେ କେହି ନଥିଲେ । ହାତଗୁଡ଼ିକର ଚିହ୍ନବର୍ଣ୍ଣ ନଥିଲା । ବସ୍ ଚାଲୁଥିଲା କି ଅଟକି ଥିଲା କିଛି ଜଣାପଡୁନଥିଲା ।
ଗୋଟିଏ ଝାଙ୍କରେ ସ୍ୱାତୀଙ୍କ ମୁଣ୍ଡ ସିଟ୍ରେ ବାଡେଇ ହେଇଗଲା । ଆଖି ଖୋଲି ମୁଣ୍ଡ ଆଉଁଶିଲେ । ଦେଖିଲେ ଗୋଟିଏ ସ୍ଥାନରେ ବସ୍ ଅଟକି ଥିଲା । ଛୁଆଟାର ମୁଣ୍ଡ କୋଳରୁ ଖସୁଖସୁ ଧରି ପକେଇଲେ ସେ । ସେ ଉଠି ପଡ଼ିଲା । ନୀତା ସ୍ୱଶରୀରରେ ତାଙ୍କୁ ହଲାଇ ହଲାଇ ଡାକୁଥିଲା । କିଛି ବୁଝିପାରିଲେ ନାହିଁ ହଠାତ୍….
ନୀତା ତ ଠିକ୍ଠାକ୍ ଦେଖାଯାଉଥିଲା । ତା’ ପୁଅ ଡଗଡଗ ଓହ୍ଲାଇଲା ବସ୍ରୁ ।
“ମାଉସୀ ବାହାରକୁ ଯିବା ଆସ ।” ସ୍ୱାତୀ ଯନ୍ତ୍ରଚାଳିତ ପରି ତଳକୁ ଓହ୍ଲାଇଲେ । ବସ୍ର ପ୍ରାୟ ସବୁ ପୁରୁଷ ଯାତ୍ରୀ ହାଲୁକା ହେବା ପାଇଁ ଓହ୍ଲାଇଥିଲେ । ଟିକେ ବସ୍ର ପଛପଟକୁ ଯାଇ ଫ୍ରେସ୍ ହେଇ ଆସିଲେ । ଜଣକ ପରେ ଜଣେ ବସ୍ରେ ଚଢ଼ିଲେ । ଏମାନଙ୍କୁ ମିଶାଇଲେ ପନ୍ଦରଜଣ ହେବେ ବୋଧେ । ସବୁ ବସ୍ରେ ଚାଳିଶଟା ସିଟ୍ ଥାଏ । ତେଣୁ ଫାଙ୍କାଫାଙ୍କା ଲାଗୁଥିଲା । ବସ୍ ଆନ୍ଧ୍ରରେ ଚାଲିଥିଲା । ସବୁ ଯାତ୍ରୀମାନଙ୍କ ଭିତରେ ସେଇ ଭୟଙ୍କର ଦୁର୍ବୃତ୍ତ ପରି ଦେଖାଯାଉଥିବା ପିଲାଟା ସାଧାରଣ ପିଲା ପରି ଶାନ୍ତ ସରଳ ଭାବେ ବସ୍ର ପାଖରେ ଦଣ୍ଡାୟମାନ ହୋଇଥିଲା । ସମସ୍ତେ ସାଧାରଣ ଯାତ୍ରୀ ଥିଲେ ।
କଣ୍ଡକ୍ଟର ଦେଖୁଥିଲା ତନ୍ନତନ୍ନ କରି ସମସ୍ତେ ଆସିଲେଣି କି ନାହିଁ । ଚାରିଆଡ଼େ ଆଖି ପହଁରେଇ ସେ ଲାଇଟ୍ ଲିଭାଇଲା ।
ସ୍ୱାତୀ ଦେଖିଲେ ନୀତା ଆଖିରେ ସନ୍ଧ୍ୟା ପରର ଭୟ ଆଶଙ୍କା ଉଭେଇ ଯାଇଥିଲା । ଝିଅକୁ କୋଳେଇ ନେଇ ବେଫିକର ବେଧଡକ୍ ଭାବେ ନିଜ ଆସନରେ ନିଜକୁ ହଜାଇ ଦେଇ ଆଖି ବନ୍ଦ କରି ଶୋଇବାର ଉପକ୍ରମ କରୁଥିଲା । ସ୍ୱାତୀ ଆଶ୍ଚର୍ଯ୍ୟ ହେଇ ଚାହିଁଥିଲେ ତା’ ଆଡ଼େ । ଏଇ ଅଳ୍ପ ସମୟ ପରର ଦୃଶ୍ୟକୁ ଭୁଲିପାରୁନଥିଲେ ।
ସେସବୁ କ’ଣ ଥିଲା…
ନୀତା ଶୋଇଯାଇଥିଲା ତା’ ସିଟ୍ରେ ଛୋଟ ଝିଅକୁ ଧରି, ତାଙ୍କ ଉପରେ ନିଜର ଭାର ଲଦି ଦେଇ । ସ୍ୱାତୀ ବସି ରହିଲେ ବସ୍ରେ ସକାଳ ଯାଏ ପଲକ ନପକେଇ । ରାସ୍ତା, ଗାଁଗଣ୍ଡା, ପାହାଡ଼ ପର୍ବତ ଗଛଲତା ସବୁ ଚାଲୁଥିଲେ ତାଙ୍କ ସହିତ ।
ଗାଡ଼ି ଭୁବନେଶ୍ୱରରେ ପହଞ୍ଚିବା ପହଞ୍ଚିବା ହେଉଥିଲା…