ସେ ଜାଣିନଥିଲା, ଏ ଭିତରେ ଦେବଦେବୀମାନେ ପଥର ହୋଇଗଲେଣି ବୋଲି । ଆଇନ୍କାନୁନ୍ର ଧ୍ୱଜାଧାରୀମାନେ ମଧ୍ୟ ଅର୍ଥ ପାଖରେ କେବେଠୁ ବନ୍ଧା ପଡ଼ିସାରିଛନ୍ତି ବୋଲି ? ଏ ଘଟଣା, ଏ ବ୍ୟବସାୟ ଆଜି ନୁହେଁ, କେତେ ଶତାବ୍ଦୀରୁ ଚାଲିଆସିଛି । କେତେ ମଧୁମତ୍ତା, ଆମ୍ବ୍ରାପାଲୀ ସୃଷ୍ଟି ହୋଇଛନ୍ତି । କେତେ ସଂସାର ଉଜୁଡ଼ିଛି, କେତେ ବରବଧୂ ବାରବଧୂ ସାଜିଛନ୍ତି, କେତେ ଅନୂଢ଼ା କନ୍ୟା ଦେହଜୀବୀ ହୋଇଛନ୍ତି । ନାରୀ ଦେହକୁ ବ୍ୟବସାୟ କରି, ବିକି ଭାଙ୍ଗି ଚଳିବାର ଜଘନ୍ୟ ପ୍ରଥା କିଏ ଆରମ୍ଭ କରିଥିଲା କେଜାଣି? ପରିତାପର କଥା ହେଲା ଯାହାବି କଲେ ପୁରୁଷ ଅପବିତ୍ର ହୁଏନା, କେବଳ ଅହଲ୍ୟାମାନେ ହିଁ ଅସତୀର ଅଭିଶାପ ପାଇ ପଥର ପାଲଟି ଯାଆନ୍ତି ଆଉ ତ୍ରାଣକର୍ତ୍ତା ସାଜନ୍ତି ରାମଚନ୍ଦ୍ର ।
କୁଢ଼କୁଢ଼ ଜୀବନ ଶୋଇଥିଲା ମରଣ ଶେଯରେ । କାଲି ଯେଉଁ ସମୁଦ୍ର ଅମୃତ ସାଗର ବିନ୍ଦୁ ଥିଲା ଓ ହଜାର ହଜାର ମଣିଷଙ୍କ ଜୀବିକାର ମାଧ୍ୟମ ଥିଲା, ଯେଉଁ ସମୁଦ୍ର ସ୍ନେହ, ସୌନ୍ଦର୍ଯ୍ୟ ଆଉ ରୋମାଞ୍ଚର ପ୍ରତୀକ ଥିଲା, ଶହ ଶହ ବର୍ଷ ଧରି କେତେ ନୋଳିଆ, ଦର୍ଶକଙ୍କ ଆଶ୍ରୟ, ପ୍ରତ୍ୟୟ, ପ୍ରେରଣା ସାଜିଥିଲା, ଗୋଟାଏ ରାତି ଭିତରେ ସେ କରାଳ ରୂପ ଧରି ବିଷାକ୍ତ ସାପ ସାଜି ଫଁ ଫଁ ଫଣାଟେକି ନିମିଷକେ ମାଡ଼ି ଆସିଲା ଆଉ ଚାଟି ନେଲା ହଜାର ହଜାର ଜୀବନବିନ୍ଦୁ । ଉଜାଡ଼ିଗଲା କେତେ ସଂସାର, ଧୋଇଗଲା କେତେ ସ୍ୱପ୍ନ । ହଜିଗଲା ନିଦ, ଆଶ୍ରୟ, ଚ୍ଛିନ୍ନ ହୋଇଗଲା ସାହାରା । ସାରା ପୃଥିବୀ ସ୍ତବ୍ଧ । ଶସ୍ୟ ଶ୍ୟାମଳ କିଆରି ବାଲିଚର ହୋଇଗଲା । ହଜାର ହଜାର ବୃକ୍ଷ ମାଟିରେ ଶୋଇଗଲେ । କୁଢ଼କୁଢ଼ ଗାଈଗୋରୁ, ମଣିଷ, ଛେଳିମେଣ୍ଢାଙ୍କ ଶବ ଗଦା ଭିତରେ ବଞ୍ଚି ଯାଇଥିବା ଆତ୍ମୀୟ ଖୋଜି ପାଇଲା ନାହିଁ କେଉଁଟା ତା’ ନିଜ ଲୋକ । ଲୁହ ଗଡ଼ାଇବାକୁ ବି ଗୋଟିଏ ଗୋଟିଏ ପରିବାରରେ କେହି ରହିଲେ ନାହିଁ । ଜଣେ ଅଧେ କେହି ଯଦି ବଞ୍ଚିଲା ତେବେ ବାଘ ଖାଇଲାଠୁ ଘୋଷଡ଼ା ବଳିଗଲା । ତାରି ଭିତରେ ଥିଲା ଦରମଲା ଅବସ୍ଥାରେ ରେବତୀ ।
ଏ ରେବତୀର ଭାଗ୍ୟ ଫକୀରମୋହନଙ୍କ ରେବତୀଠାରୁ ଥିଲା ଆହୁରି ବିଡ଼ମ୍ବିତ । ଶହେ ବର୍ଷରୁ ଊଦ୍ଧ୍ୱର୍ ହେବ ମରିଥିଲା ଦିନେ ସେ ସନ୍ନିପାତରେ । ହେଲେ ଏ ରେବ ମରିତ ପାରିଲା ନାହିଁ, କେଉଁଥି ପାଇଁ ଭଗବାନ ତାକୁ ବଞ୍ଚାଇ ରଖିଲେ ବୁଝିପାରିଲା ନାହିଁ । ଗୋଟାଏ ଲା‚ିତ ଜୀବନ ଧରି ବଞ୍ଚିବା ବୋଧହୁଏ ବିଧିନିର୍ଦ୍ଦିଷ୍ଟ ଥିଲା ।
କେଉଁଠି ପହଞ୍ଚିଯାଏ କାଳ ଓ ସମୟ ସୁଅରେ ମଣିଷ? ରେବତୀ ଆଖିରେ ଲୁହ ନଥିଲା । ସମୟ ଓ ପରିସ୍ଥିତି ତାକୁ ମୂକ, ପଥର କରି ଦେଇଥିଲା । ସେ ଖାଲି ଜଳଜଳ ଚାହିଁ ରହିଥିଲା । କ’ଣ ଦେଖୁଥିଲା ଜାଣିପାରୁ ନଥିଲା । କେମିତି ରାତିକ ଭିତରେ ସବୁ କିଛି ଓଲଟପାଲଟ ହୋଇଗଲା । ମହାପ୍ରଳୟ ପୋଛିପାଛି ଚାଟି ନେଇଗଲା ବହୁ ସଂସାରକୁ, ଅସଂଖ୍ୟ ଜୀବନକୁ । ତା’ ସହିତ ତା’ ବାପା ମାଆ, ଭାଇଭଉଣୀ, ଜେଜିମା, ସାଇପଡ଼ିଶା, ଗାଁ, ଭିଟାମାଟି କୁଆଡ଼େ ଭାସିଗଲେ । ଚେତା ପାଇଲା ବେଳକୁ ସେ ଥିଲା ଏକ ଅଜଣା ଜାଗାରେ ।
ତାକୁ ଦିଶୁଛି ସମୟ ରୂପକ ଭଉଁରୀ ମଧ୍ୟରେ ଘୂରି ବୁଲୁଛନ୍ତି ଆତ୍ମୀୟମାନେ । ଅଗଣାରେ ତୁଳସୀ ଚଉଁରା, ଗୁହାଳରେ ଦୁହାଁଳ ଗାଈ, ବିଲରେ ପାଚି ଆସୁଥିବା ଧାନ, ପୋଖରୀରେ ଛଡ଼ା ଯାଇଥିବା ମାଛ ଯାଅାଁଳ, ଶଗଡ଼, ଧାନଅମାର, ଦ୍ୱିଚାଳିଆ ଆଟୁଘର, ବାଡ଼ିରେ ନଡ଼ିଆ, ସଜନା, ଅମୃତଭଣ୍ଡା, ଆମ୍ବ ଏମିତି କେତେକ’ଣ ଫଳନ୍ତି ଗଛ । ପୋଖରୀ ଚାରିପଟେ ଖଜୁରି ଆଉ କଦଳୀ ବଣ । ତା’ ସେପଟେ ଛୋଟଛୋଟ ମନ୍ଦିର ଭଳି ପୂର୍ବପୁରୁଷଙ୍କ ସମାଧି ।
ବି.ଏ. ପାସ୍ କରିଥିବା ରେବର ପ୍ରସ୍ତାବ ପଡ଼ିଥିଲା ଭୁବନେଶ୍ୱରରେ । ଏ.ଜି. ଅଫିସ୍ରେ ଅଡ଼ିଟର ଅଛି ପିଲାଟି । ଗୋଟିଏ ବୋଲି ଝିଅ ରେବତୀର ମାଆ କେଉଁ ବର୍ଷରୁ ଝିଅ ବଡ଼ ହେଲା ପରେ ବାହାଘରର ସ୍ୱପ୍ନ ଦେଖୁଛନ୍ତି । ଗୋଟିଏ ଗୋଟିଏ କରି ଗହଣା, ଜିନିଷପତ୍ର ସୁବିଧା ଦେଖି କିଣି ସାଇତିଛନ୍ତି । ହଠାତ୍ ଯଦି ବାହାଘର ଠିକ୍ ହୋଇଯାଏ, ଏକାଠି ସବୁ କିଣିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ଏ ଭିତରେ କଥାବାର୍ତ୍ତା ସରିଛି । ପାତ୍ର ଦେଖି ଯାଇଛି । ପସନ୍ଦ କରିଛି । ରେବତୀ ଗାଁ ସ୍କୁଲ୍ରେ ମାଷ୍ଟ୍ରାଣୀ ଅଛି । ପୁଷ ମାସ ଗଲେ ଲଗ୍ନ ଧରାଯିବ ।
ବାହାଘର ଠିକ୍ ହେଲା ପରେ ସେ ନିଜର ଭାବିସ୍ୱାମୀ ଆଉ ଆଗାମୀ ତେଲ ଲୁଣର ସଂସାରକୁ ନେଇ ବିଭୋର ହୋଇଯାଏ । ତାକୁ ନେଇ ସେ କେତେକେତେ ଯୋଜନା କରେ । ମଧୁର ଅବିରବୋଳା ସ୍ୱପ୍ନରେ ମସ୍ଗୁଲ ହୁଏ । ବହି, ପତ୍ରିପତ୍ରିକା ଭିତରେ ରହି ସେ କିନ୍ତୁ ଦେଖୁଥାଏ ଆଉ ଏକ ପୃଥିବୀର ଦୃଶ୍ୟ । ଜେଜିମା’ ବେଳେବେଳେ କହେ, ଏଥର ଟିକେ ସଣ୍ଠଣା, ଘରକରଣା ଶିଖ୍ ରେବ । ଆଉ ଦିନ କେତୁଟାରେ ବିଦାୟ ହେବୁ । ଘର ପାଇଟିରେ ମନ ଦେ । ଟି.ଭି. ଦେଖାଛାଡ଼ । ସ୍କୁଲ୍ପିଲାଙ୍କୁ ବିନା ବେତନରେ କେତେଦିନ ପଢ଼ାଇବୁ? କେତେ ଆଉ ଖଟିବୁ? କେତେ ଟଙ୍କା ପଇସା ଓଜାଡ଼ି ଦେଉଛନ୍ତି ଯେ ଏତେ ମେହେନତ କରୁଛୁ?
ଫିକ୍କିନା ହସିଦିଏ ରେବ । ଏ ବୁଢ଼ୀଟାକୁ କେମିତି ସେ ବୁଝାଇବ ଟଙ୍କା, ପଇସା ରୋଜଗାର କରିବାଟା କେବେଳ ଜୀବନ ନୁହେଁ । ପାଠ ପଢ଼ାଇବାରେ ଯେଉଁ ଆନନ୍ଦ ଆଉ ଆତ୍ମତୃପ୍ତି ତାକୁ କେତୁଟା ଟଙ୍କା ଭିତରେ ମପା ଯାଇପାରେ? ପଢ଼ା ସରିଲା ପରେ ଘରେ ବସିବାକୁ ଭଲ ଲାଗିଲାନି । ଗାଁ ସ୍କୁଲ୍ର ପରିଚାଳନା କମିଟିରେ ଦେଖା କରି କିଛି ଘଣ୍ଟା ବିନା ବେତନରେ ପଢ଼ାଇବାର ପ୍ରସ୍ତାବ ସେ ନିଜେ ହିଁ ଦେଇଥିଲା । ତା’ର କିଛିଟା ଅଭିଜ୍ଞତା ହେବ, ସମୟ କଟିବ ଆଉ ଶିକ୍ଷକ ମରୁଡ଼ି ଥିବା ସ୍କୁଲ୍ଟାରେ ପିଲାମାନେ ବି ଉପକୃତ ହେବେ । କୁନିକୁନି ପିଲାମାନଙ୍କୁ ପାଠ ପଢ଼ାଇବା, ସେମାନଙ୍କ ସହ ଖେଳିବା, ଛବି ଆଙ୍କିବା, ଷ୍ଟାଫ୍ମାନଙ୍କ ଗହଣରେ ତା’ର ସମୟ କଟିଯାଏ । ଘରେ ରହିଲେ ଜେଜିମା’ର ବକର ବକର ଶୁଣିବ, ଏଣୁତେଣୁ ଚିନ୍ତା ମୁଣ୍ଡରେ ପଶିବ ।
ଏମିତି ଚାଲିଥିଲା ସଂସାର । ହେଲେ ଗୋଟାଏ କରାଳ ରାତି ଯେ ତାଙ୍କ ହସ ଖୁସିର ପରିବାର ସମେତ ହଜାର ହଜାର ପରିବାରକୁ ଚାଟିନେବ କିଏ ଜାଣିଥିଲା? ସୁ’ସୁ’ ପବନ ମାଡ଼ି ଆସିଲା ଅନ୍ଧାର ରାତିରେ । ତୁଳାଭଳି ଘରର ଚାଳ, ମଣିଷ, ଗାଈଗୋରୁ ଉଡ଼ିଲେ ଆଉ ତା’ ପରେପରେ ମାଡ଼ି ଆସିଲା ସାପଫଣା ଭଳି ସମୁଦ୍ର । କିଏ କୁଆଡ଼େ ଗଲେ, ମଲେ, ହଜିଲେ ଠିକଣା ନାହିଁ । ଆପଣା ଜୀବନକୁ ବଞ୍ଚାଇବା ପାଇଁ ଯିଏ ଯୁଆଡ଼େ ପାରିଲେ ବିକଳରେ ଧାଉଁଥିଲେ । ଖାଲି ଶୁଭୁଥିଲା ଚିକ୍ରାର, ପାଣିର କଳକଳ, ସୁ’ସୁ’ ଶବ୍ଦ । ମୁହୂର୍ତ୍ତକରେ ସବୁକିଛି ଶେଷ ହୋଇଗଲା ।
ରେବର ମନେଅଛି ସାନ ଦୁଇଭାଇର ହାତ ଦୁଇପଟେ ଧରି ସେ ଜୀବନ ବିକଳରେ ଗୋଟିଏ ନଡ଼ିଆ ଗଛକୁ ଧାଉଁଥିବା ଅବସ୍ଥାରେ ଜାବୁଡ଼ି ଧରିଥିଲା । ବାପା ମା’, ଜେଜିମା’, କକା-ଖୁଡ଼ୀ ଅନ୍ୟମାନେ କୁଆଡ଼େ ଗଲେ କେଜାଣି ? ନଡ଼ିଆ ଗଛ ଉଡୁଥାଏ, ପଡୁଥାଏ । ସେମାନେ ଅଧାଚଢ଼ା ଅବସ୍ଥାରେ ଭିଡ଼ି ଧରିଥିଲେ ଗଛଟାକୁ । ତାରି ଭିତରେ ହାତର ଜାବ କାଲୁଆ ପଡ଼ିଗଲା । ଗଛରୁ ବରକୋଳି ଖସିଲା ଭଳି ଖସି ପଡ଼ିଲେ ଭାଇ ଦିଓଟି । କେବଳ ବିକଳ ଚିକ୍ରାର ଆଉ ଝପାସ୍ ଶବ୍ଦ ତା’ କାନରେ ପଡ଼ିଥିଲା । ବୋଉଲୋ ଡାକିବାକୁ ବି ସମୟ ମିଳିଲାନି ସେମାନଙ୍କୁ । ସେ ତା’ ଅଲାଜୁକି ଜୀବନ ମୋହରେ ନିଜର ସମସ୍ତ ଶକ୍ତି ସଂଗ୍ରହ କରି ନଡ଼ିଆ ଗଛକୁ ଭିଡ଼ି ଧରିଥିଲା । ତା’ପରେ କେତେବେଳେ ଚେତା ବୁଡ଼ିଛି, କ’ଣ ହୋଇଛି ତାକୁ ଜଣାନାହିଁ ।
ଆଖି ଖୋଲିଲା ବେଳକୁ ସେ ଶୋଇଥିଲା ଗୋଟିଏ ସନ୍ତସନ୍ତିଆ ଚଟାଣରେ । ଚାରିପଟେ ଚିତ୍ ହୋଇ ପଡ଼ିଥିଲେ ଶବ ପାଲଟି ଯାଇଥିବା ମଣିଷ ସମେତ କେତେକେତେ ଗୋରୁଗାଈ । ସେ ହଲଚଲ୍ ହେବା ଦେଖି ଦୁଇ ଚାରିଜଣ ଘୂରି ବୁଲୁଥିବା ଲୋକେ ଚିକ୍ରାର କଲେ, ଏଇଟା ବଞ୍ଚିଛିରେ । ତା’ର ପାଟି ପଡ଼ିଯାଇଥିଲା । ସେ କିଛି କହିପାରୁନଥିଲା । ଗୋରା ଦେହ ଲୁଣି ନେଳିଆ ପାଣିରେ କଳା ପଡ଼ିଯାଇଥିଲା । ସେ ପୁଣି ଚେତା ହରାଇଥିଲା । ତାକୁ କିଏ ଟେକି ଆଣି ଏଠି ପହଞ୍ଚାଇଲା ଜଣାନଥିଲା । ହୋସ୍ ପାଇଲା ବେଳକୁ ସେ ଥିଲା ରିଲିଫ୍ କ୍ୟାମ୍ପରେ ।
ଆଖପାଖରେ ତାରି ଭଳି ଯେଉଁମାନଙ୍କୁ ଚାହିଁଲା ସମସ୍ତେ ଥିଲେ ଅଚିହ୍ନା । କାନ୍ଦିବାର ଶକ୍ତି ବି ସେ ଜୁଟାଇ ପାରିନଥିଲା । ସମୁଦ୍ରର ଲୁଣିପାଣି ତା’ ଆଖିର ଲୁଣି ଲୁହ ଟିକକୁ ବି ତା’ ବାପାମାଆ, ଭାଇ ଭଉଣୀଙ୍କୁ ସଫା କଲା ଭଳି ସଫା କରିଦେଇଥିଲା । ସେ ହୋଇଯାଇଥିଲା ମୂକ, ଜଡ଼, ସନ୍ତ୍ରସ୍ତ । ଆଗରେ ପାହାଡ଼ ଭଳି ଅନିଶ୍ଚିତ ଅନ୍ଧକାର ଭରା ଜୀବନ । ଏକୁଟିଆ ଅସହାୟ ଝିଅଟେ । ଜଣାନଥିଲା ବାଟ ଅବାଟ । ଜଣା ବି ନଥିଲା ଦୁନିଆର ରୀତିନୀତି । ଜୀବନ ଯେ ଏଡେ ଆକସ୍ମିକ, ପାଣି ଫୋଟକା, ପୋକମାଛି ଭଳି ଏକଥା ବି ସେ ଜାଣିନଥିଲା । ସେ କେମିତି ବଞ୍ଚିଗଲା ତାହା ତାକୁ ଆଶ୍ଚର୍ଯ୍ୟ କରୁଥିଲା । ତା’ପରେ କାହିଁକି ବଞ୍ଚିଲା ତା’ ଭିତରେ ପ୍ରଶ୍ନ ଉଠିଥିଲା ।
ରିଲିଫ୍ କ୍ୟାମ୍ପରେ ଦୁଇଦିନ ଭିତରେ ମିଳିଥିଲା ଗଣ୍ଡାଏ ଚୁଡ଼ା, ଗୁଡ଼, ପାଉଁରୁଟି ପ୍ୟାକେଟ୍ । କେଉଁଠୁ କେଜାଣି ସ୍ୱେଚ୍ଛାସେବୀମାନେ ଆଣି ଶୁଖିଲା ଲୁଗାପଟା ବାଣ୍ଟିଥିଲେ । ଆତ୍ମୀୟ ସ୍ୱଜନଙ୍କୁ ହରାଇବା ଦୁଃଖଠାରୁ ତା’ପରେ ଭୋକିଲା ପେଟର ଜ୍ୱାଳା ବଡ଼ ହୋଇଗଲା । ବାଟ ଅବାଟ ଦିଶିଲା ନାହିଁ । ଗାଉଁ ଗାଉଁ କରି ପାଉଁରୁଟି ବାସି ହୋଇଯାଇଥିଲେ ବି ସେ ଖାଇ ପକାଇଥିଲା । ହଠାତ୍ କାହାରି ‘ଆହା’ ପଦ ଆଉ ତା’ର ମଥା ସାଉଁଳାଇ ଦେବା ସ୍ପର୍ଶରେ ସେ ଚମକି ପଡ଼ିଥିଲା । ‘ଦେବୀ’ ଭଳି ଠିଆ ହୋଇଥିଲେ ଜଣେ ବୟସ୍କା ସ୍ତ୍ରୀ ଲୋକ । ତାଙ୍କ ପାଖରେ ଆଉଜଣେ ସ୍ତ୍ରୀ, ଦୁଇ ଚାରିଜଣ ସ୍ୱେଚ୍ଛାସେବୀ । ଆଣ୍ଠେଇ ପଡ଼ି ତାକୁ କୋଳେଇ ନେଇ କହିଲେ ଅତି ମଧୁର କଣ୍ଠରେ, ଚିନ୍ତା କରନି ଝିଅ । ମୁଁ ତୋ ମାଆ ବୟସର, ଆମେ ସବୁ ସ୍ୱେଚ୍ଛାସେବୀ ଅନାଥ ଆଶ୍ରମରୁ ଆସିଛୁ । ତୋର କିଛି ହେବନାହିଁ । ମୁଁ ଥାଉ ଥାଉ କ’ଣ ତୁ ଦୁନିଆ ଦାଣ୍ଡରେ ଠକ୍କର ଖାଇବୁ?
ଦୁଇଦିନ ଧରି ସମସ୍ତଙ୍କୁ ହରାଇ ଜଡ଼ ପାଲଟି ଯାଇଥିବା ରେବ ଏଇ ‘ଆହା’ ପଦରେ ତରଳି ଗଲା । କଇଁ କଇଁ କାନ୍ଦିପକାଇଲା । ତା’ର ଦୁଃଖ, ପୀଡ଼ା, ହରାଇବା ଗ୍ଲାନି, ଦୁର୍ଦ୍ଦଶା ଯାହା ଦେହମନକୁ ପଥର କରି ଦେଇଥିଲା, ଆଶ୍ୱାସନାର ‘ଆହା’ ପଦରେ ଏମିତି ତରଳି ଗଲା ଯେ ଆଉ ସେଠି ପଡ଼ି ରହିବାକୁ ଇଚ୍ଛା କରୁନଥିଲା । ଦେବୀ ଭଳି ସେହି ମାତୃମୂର୍ତ୍ତି ତାକୁ ଛାତିରେ ଆଉଜାଇ କହିଚାଲିଥିଲେ, ଚାଲ ମା’ ମୋ’ ସାଥିରେ । ଏମିତି ବି ମୋର ଝିଅ ନାହିଁ । ଇଚ୍ଛା କଲେ ଆଶ୍ରମରେ ନରହି ମୋ ଘରେ ରହିବୁ । ତା’ପରେ ଖୋଜିବା ତୋ ଘର ଲୋକଙ୍କୁ କିଏ ବଞ୍ଚିଛନ୍ତି କି ନା ବା କେଉଁ ରିଲିଫ୍ କ୍ୟାମ୍ପରେ ଥିବେ । ରେବ ତରଳି ବୋହିଗଲା । ନାରୀ ନୁହଁନ୍ତି ଦେବୀଟିଏ ଭାବି ତାଙ୍କ ଗୋଡ଼ତଳେ ପଡ଼ିଗଲା । ତାଙ୍କ ବଦାନ୍ୟତା ଦେଖି ଆଖପାଖରେ ଥିବା କିଛି କ୍ୟାମ୍ପ ଲୋକେ ଧନ୍ୟ ଧନ୍ୟ କଲେ । ନିଆଶ୍ରୀ ଝିଅଟାର ଭାଗ୍ୟ ଭଲ ବୋଲି କୁହାକୁହି ହେଲେ । ସେ ମୁରୁକି ହସିଲେ । ସେ ହସର ବାତ୍ସଲ୍ୟରେ ରେବତୀ ଦେଖିଲା ଆଶ୍ୱାସନା, ନିଜ ପାଇଁ ଅଭୟ ଆଶ୍ରୟ ଆଉ ବିଶ୍ୱାସ । କୁଟାଖିଅ ଭଳି ପ୍ରତିକୂଳ ସୁଅରେ ଭାସି ଯାଉଥିବା ରେବ ସତେ କି କୂଳ ପାଇଲା । ଆଗପଛ ଭାବିବାକୁ ସମୟ ନଥିଲା । ତାଙ୍କର ସ୍ନେହପଣ, ଆପଣାପଣ ଭିତରେ ସେ ଟାଣି ହୋଇ ଅପେକ୍ଷା କରିଥିବା ଗାଡ଼ିରେ ବସିଲା । ପଛରେ ଛାଡ଼ି ଆସିଲା ମହାକାଳର ଏକ ବିଭୀଷିକାମୟ କାଳରାତ୍ରିକୁ । ଆଗାମୀ ଜୀବନରେ ଏକ ନୂଆ ସକାଳ ତାକୁ ହାତଠାରି ଡାକୁଥିଲା ।
କେତୁଟା ଦିନ ପରେ ପ୍ରକୃତ ସତ୍ୟ ଜାଣି ରେବ ଖାଲି ଆଶ୍ଚର୍ଯ୍ୟ ହେଲା ନାହିଁ, ସତେ କି ଆକାଶ ତା’ ଉପରେ ଛିଣ୍ଡି ପଡ଼ିଲା । ମଣିଷର ଚରମ ଦୁର୍ଦ୍ଦଶା, ମହାବିପଦ ବେଳେ ବି ଯେ ଜଣେ ଅର୍ଥପାଗଳ ନାରୀ ଏମିତି ଦଲାଲ ସାଜେ ଏକଥା କେମିତି କିଏ ଭାବିପାରିବ? ଯାହାକୁ ସେ ମାଆ ଭଳି, ନାରୀ ନୁହେଁ ଦେବୀ ବୋଲି ଭାବିଥିଲା ସେ ଥିଲେ ବାହାରକୁ ଝିଅ ଚାଲାଣ କରୁଥିବା ର୍ୟାକେଟ୍ର ରାଣୀ ମହୁମାଛି । ଆଶ୍ରମ ନାଁରେ ଦେହବ୍ୟବସାୟ, ଝିଅ ବିକ୍ରି ଚାଲୁଥିଲା । ସମାଜରେ ସେ ଜଣେ ମାନ୍ୟଗଣ୍ୟ ପ୍ରଭାବଶାଳୀ, ସମାଜସେବିକା । ଭଦ୍ର ପୋଷାକ ଓ ମଧୁର ମାତୃସୁଲଭ କଥା କହି ସେ କେତେ ପ୍ରକାରେ ପ୍ରଭାବିତ କରି ଝିଅମାନଙ୍କୁ ସଂଗ୍ରହ କରନ୍ତି । କାହାକୁ ଭୁଲାଇ ଆଣନ୍ତି ତ କେହି ରାଜି ନହେଲେ ପୋଷାଗୁଣ୍ଡାଙ୍କ ଦ୍ୱାରା ସୁଯୋଗ ଦେଖି ଜୋର ଜବରଦସ୍ତି ଉଠାଇ ଆଣନ୍ତି । ନାରୀସେବା ସଦନ ନାଁରେ ଆଶ୍ରମ ଗଢ଼ି ବିଭିନ୍ନ ସଂସ୍ଥାରୁ ମୋଟା ଅଙ୍କରେ ଚାନ୍ଦା ପାଆନ୍ତି । ସରକାରୀ ଅନୁଦାନ ବି ମିଳେ । ବହୁ କଲ୍ୟାଣକାରୀ ନାରୀ ଅନୁଷ୍ଠାନ ସହିତ ସେ ଜଡ଼ିତ । ବଡ଼ ବଡ଼ ନେତା, ମନ୍ତ୍ରୀ, ଶିଳ୍ପପତି, ସମାଜର ପ୍ରାଶାସନିକ ଅଧିକାରୀ, ଉଚ୍ଚବର୍ଗର କ୍ଷମତାଧାରୀ ଲୋକଙ୍କ ସହ ୟା’ଙ୍କର ସମ୍ପର୍କ । ସମାଜସେବା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ହୋଇଛନ୍ତି ସମ୍ମାନିତା । ମିଡ଼ିଆରୁ ଆରମ୍ଭ କରି ଖବରକାଗଜରେ ତାଙ୍କ ସମ୍ପର୍କରେ ଖବର ଛପାଯାଏ । ଭୁରିଭୁରି ପ୍ରଶଂସା, ଭାଷଣ, ଫୁଲମାଳରେ ସେ ପୋତି ହୋଇଥାନ୍ତି । ସିନେମା ଭଳି ଚାଲେ ଆଢ଼ୁଆଳରେ ତାଙ୍କର ପାପର ସାମ୍ରାଜ୍ୟ । କୋଟିକୋଟି ଟଙ୍କାର କାରବାର । ରେବ ଜାଣିବାକୁ ପାଇଥିଲା ମହାବାତ୍ୟାର କରାଳ ଦୁର୍ଦ୍ଦଶା ଭିତରୁ ସେ ନିଜର ଆକର୍ଷଣୀୟ ବ୍ୟକ୍ତିତ୍ୱ, ମଧୁର ମିଠା କଥା ବଳରେ ମାଗଣାରେ, ବିନା ସନେ୍ଦହରେ ତାରି ଭଳି ସଂଗ୍ରହ କରିଥିଲେ ଅସହାୟା ପଚିଶ ଜଣ ଝିଅ । ବାପାମାଆ, ଆତ୍ମୀୟ ସ୍ୱଜନଙ୍କୁ ହରାଇ ନିଆଶ୍ରୀ ଝିଅମାନେ ତାଙ୍କର ମିଠାକଥାରେ ଢଳି ତାରି ଭଳି ଆଶ୍ରୟ ପାଇବାର ଭରସାରେ ଆଗପଛ ନଭାବି ଚାଲିଆସିଥିଲେ ।
ରେବ ଥମ୍କି ବସିପଡ଼ିଥିଲା । ଜଣେ ମାଆ ଭଳି ନାରୀର ଏମିତି ବି ରାକ୍ଷସୀ ରୂପ ଥାଇପାରେ? ଭଗବାନ ଏଇଭଳି ଏକ ନର୍କର ଜୀବନ ଜୀଅାଁଇବା ପାଇଁ ତାକୁ ବଞ୍ଚାଇ ରଖିଥିଲେ? କେମିତି ସେ ମୁକୁଳିବ ଏଠୁ? କିଏ, କାହିଁକି ତାକୁ ମୁକ୍ତି ଦେବ? ମୁକ୍ତି ପାଇ ପୁଣି ସେ ଆଉ କେଉଁ ନର୍କରେ ପଶିବ? ଭାବି ପାରିଲାନି ସେ ।
କେତୋଟି ଦିନ ପରେ ଦଳେ ଲୋକ ଆସିଲେ । ଗୋରାଗୋରା, ସମ୍ଭ୍ରାନ୍ତ ଓ ବେଶ ପୋଷାକରୁ କୋଟିପତି ଜଣାପଡୁଥିଲେ । ମାଛ ବଜାରରେ ମାଛ ଦେଖିଲା ଭଳି ସେମାନଙ୍କର ଲୋଭାତୁର ଆଖି ନିରୀହ ମାଛମାନଙ୍କ ଉପରେ ପହଁରିଗଲା । ଗାଈଗୋରୁ ଭଳି ସେମାନଙ୍କ ଓଜନ, ଶରୀରର ମାପ, ଗଢ଼ଣ, ମୁଣ୍ଡବାଳ ସବୁକିଛି ଦେଖାଗଲା । କେତେଜଣ ଝିଅଙ୍କ ସହ ରେବକୁ ବି ସେମାନେ ବାଛିଲେ । ରାତିରେ ସେ ଶୁଣିବାକୁ ପାଇଲା ଦୁବାଇର କେଉଁ ଏକ ବଡ଼ ଦଲାଲ ହାତରେ ସେମାନଙ୍କୁ ବିକ୍ରି କରିଦିଆଯାଇଛି । ନିକଟରେ କୌଣସି ଏକ ରାତିରେ ସେମାନେ ଦୁବାଇକୁ ଚାଲାଣ ହେବେ । ଆର୍ତ୍ତ ଚିକ୍ରାର କରି କଚାଡ଼ି ପଡ଼ିଲା ରେବ ।
ଚେତା ଫେରିଲା ପରେ ଆଖି ଆଗରେ ଭାସିଉଠିଲା ତା’ର ଅତୀତର ଜୀବନ । ତା’ର ଭାବିସ୍ୱାମୀ ଆଉ ତେଲଲୁଣ ସଂସାର ଗଢ଼ିବାର ସବୁଜ ସ୍ୱପ୍ନ । ସେଦିନର ମଧୁର ଅବିରବୋଳା ସ୍ୱପ୍ନର ଏ କି କରୁଣ ନିଷ୍ଠୁର ପରିଣତି? ଜେଜିମା’ର ଛବି ଆସି ଠିଆ ହେଲା । ସଣ୍ଠଣା ଶିଖିବା ପାଇଁ ଗାଳି ଦେଉଥିବା ବୁଢ଼ୀଟା ଉପରେ କେତେ ସେ ରାଗୁଥିଲା, ଚିଡ଼ୁଥିଲା । ଆହା! ରାଉରାଉ କରୁଥିବା ଜେଜିମା’ର ପାଟି ସବୁଦିନ ପାଇଁ ବନ୍ଦ କରିଦେଲା ସମୁଦ୍ର । ପୁଣି ମନେପଡ଼ିଲା ଦୁଇଭାଇଙ୍କୁ ଧରି ଝଡ଼ ରାତିରେ ଧାଉଁଥିବା ସେ ଦୃଶ୍ୟ । ଜୀବନ ବିକଳରେ ନଡ଼ିଆ ଗଛକୁ ଚଢ଼ି କୁଣ୍ଢାଇ ଧରିବା । ହାତରେ ଜାବ ଢ଼ିଲା ପଡ଼ିଯିବାରୁ ନଡ଼ିଆ ଖସିପଡ଼ିଲା ଭଳି ସମୁଦ୍ର ପାଣିରେ ଦୁଇଭାଇ ଟପ୍ଟାପ୍ ଖସିପଡ଼ିଥିଲେ । ଶେଷଥର କେବଳ କାନରେ ବାଜିଥିଲା ବିକଳ ଛାତିଥରା ଚିକ୍ରାର ଓ ଝାପ୍ସା ଶବ୍ଦ । ସେତେବେଳେ ସେ କେମିତି ସମୁଦ୍ରରେ ଝାସ ଦେଲା ନାହିଁ? ଏଇ ଜୀବନ ଜୀଇଁବା ପାଇଁ କ’ଣ ନଡ଼ିଆ ଗଛକୁ ସେ ଜାବୋଡ଼ି ଧରିଥିଲା?
ମହାବାତ୍ୟା ଆଜି ରେବତୀମାନଙ୍କୁ କେଉଁଠି ନେଇ ପହଞ୍ଚାଇ ଦେଇଛି? ଏ ସମ୍ପର୍କରେ ସେ ଯେତେବେଳେ ଚିନ୍ତା କଲା, ସେତେବେଳେ ଆଖିରୁ ଶ୍ରାବଣର ଧାରା ଝରିବାକୁ ଲାଗିଲା । ଏ ଦୁର୍ଦ୍ଦିନରେ ସେ ଯିବ କୁଆଡ଼େ? କିଏ ବତାଇବ ମୁକ୍ତିର ବାଟ? ଆଗାମୀ ଜୀବନ କଥା ଭାବି ଭୟ, ଆତଙ୍କରେ ଆଖି ତା’ର ବୁଜି ହୋଇଗଲା । ପିଞ୍ଜରାବଦ୍ଧ ପକ୍ଷୀ ଭଳି ସେ ମୁକ୍ତି ପାଇଁ ଚିକ୍ରାର କଲା, ମୁଣ୍ଡ ବାଡ଼େଇଲା । ବହୁ ଅଭିଜ୍ଞ, ଏ ସଂସ୍ଥାର ମାଲିକାଣୀ ନକଲି ସମାଜସେବିକା ତା’ର ବାଚାଳାମିରେ ହସୁଥିଲେ । ଏମିତି ଅନେକ ସେ ଦେଖିଛନ୍ତି । ନୂଆନୂଆ ଫଡ୍ଫାଡ୍ ହେଉଥିବା ଏ ପକ୍ଷୀମାନେ ଦିନ କେତୁଟାରେ ପୋଷା ମାନିଯିବେ । ଉଡ଼ିବା ଭୁଲିଯିବେ । ସେହିମାନେ ହିଁ ପୁରୁଣା ହେଇ ତାଙ୍କ ବ୍ୟବସାୟ ବଢ଼ାଇବା ପାଇଁ ହାତ ବଢ଼ାଇବେ । ହସି ହସି ନୂଆ ଝିଅକୁ ସ୍ୱାଗତ କରିବେ । ସଜାଇବେ ।
ରେବ ଲୁହ ବଲ୍ବଲ୍ ଆଖିରେ ମୁରୁକି ହସୁଥିବା ସେହି ଦେବୀ ଭଳି ପ୍ରତ୍ୟୟ ହେଉଥିବା ଦାନବୀଙ୍କୁ ଚାହିଁ ରହିଥିଲା । ଭାବୁଥିଲା ସଂସାରରେ ଧର୍ମ ବୋଲି କିଛି ନାହିଁ । ଅର୍ଥର ମୋହ ପାଖରେ ମାନବିକତା ଟିକକ ବିକ୍ରି ହୋଇଯାଇଛି । ମାଆଟିଏ ଝିଅକୁ ବିକ୍ରି କଲା ବେଳେ ତା’ର ବିବେକ ତାକୁ ରୋକିପାରୁନାହିଁ । ଇଚ୍ଛା ହେଉଥିଲା ବନ୍ଧୁକ ଥିଲେ ସେ ତାକୁ ଗୁଳି କରିଦିଅନ୍ତା, ଛୁରୀ ଥିଲେ ଭୁଷି ପକାନ୍ତା । ହେଲେ ବିଡ଼ମ୍ବନାର କଥା ହେଲା ହତ୍ୟା କିମ୍ବା ଆତ୍ମହତ୍ୟା କରିବା ପାଇଁ ତା’ ପାଖରେ ବନ୍ଧୁକ କି ଛୁରୀ ନଥିଲା ।
ସେ ଜାଣିନଥିଲା, ଏ ଭିତରେ ଦେବଦେବୀମାନେ ପଥର ହୋଇଗଲେଣି ବୋଲି । ଆଇନ୍କାନୁନ୍ର ଧ୍ୱଜାଧାରୀମାନେ ମଧ୍ୟ ଅର୍ଥ ପାଖରେ କେବେଠୁ ବନ୍ଧା ପଡ଼ିସାରିଛନ୍ତି ବୋଲି ? ଏ ଘଟଣା, ଏ ବ୍ୟବସାୟ ଆଜି ନୁହେଁ, କେତେ ଶତାବ୍ଦୀରୁ ଚାଲିଆସିଛି । କେତେ ମଧୁମତ୍ତା, ଆମ୍ବ୍ରାପାଲୀ ସୃଷ୍ଟି ହୋଇଛନ୍ତି । କେତେ ସଂସାର ଉଜୁଡ଼ିଛି, କେତେ ବରବଧୂ ବାରବଧୂ ସାଜିଛନ୍ତି, କେତେ ଅନୂଢ଼ା କନ୍ୟା ଦେହଜୀବୀ ହୋଇଛନ୍ତି । ନାରୀ ଦେହକୁ ବ୍ୟବସାୟ କରି, ବିକି ଭାଙ୍ଗି ଚଳିବାର ଜଘନ୍ୟ ପ୍ରଥା କିଏ ଆରମ୍ଭ କରିଥିଲା କେଜାଣି? ପରିତାପର କଥା ହେଲା ଯାହାବି କଲେ ପୁରୁଷ ଅପବିତ୍ର ହୁଏନା, କେବଳ ଅହଲ୍ୟାମାନେ ହିଁ ଅସତୀର ଅଭିଶାପ ପାଇ ପଥର ପାଲଟି ଯାଆନ୍ତି ଆଉ ତ୍ରାଣକର୍ତ୍ତା ସାଜନ୍ତି ରାମଚନ୍ଦ୍ର । ଯିଏ ଜଣେ ପୁରୁଷ । ଦ୍ରୌପଦୀ ଙ୍କୁ ଲଙ୍ଗଳା କରିବାର ଜଘନ୍ୟ ପ୍ରୟାସ କରିଥିଲା ଜଣେ ପୁରୁଷ । ବସ୍ତ୍ର ଯୋଗାଇଥିବା ଶ୍ରୀକୃଷ୍ଣ, ସେ ମଧ୍ୟ ଥିଲେ ଜଣେ ପୁରୁଷ । ଅଦ୍ଭୁତ ଆଉ ବିପରୀତର କେତେ କେତେ ରୂପ ପୁରୁଷଙ୍କର । ସେମିତି ନାରୀକୁ ନାରୀ କେବେ ନର୍କପୁରୀରୁ ଉଦ୍ଧାର କରେ ତ କେବେ ଜଣେ ନାରୀ ଆଉ ଜଣେ ନାରୀକୁ ନର୍କ ଭିତରକୁ ଠେଲିଦିଏ ।
ରେବତୀ ତା’ଭଳି ଦୁବାଇ ଚାଲାଣ ପାଇଁ ବଛାଯାଇଥିବା ଓ ଜୀବନ ନର୍କ ପାଲଟିବା ଅପେକ୍ଷାରେ ଥିବା ଝିଅମାନଙ୍କୁ ଅନାଇଲା । ସମସ୍ତେ ଥିଲେ ସନ୍ତ୍ରସ୍ତ, ଭୟଭୀତା, ଆତଙ୍କିତା, ନିରୁପାୟା । ସମସ୍ତଙ୍କ ମୁକ୍ତିର ଦ୍ୱାର ବନ୍ଦ ଥିଲା । ଭାବୁଥିଲେ ଅଦ୍ଭୁତ କିଛି ଘଟନ୍ତା କି? ଏ କୋଠା ଭୁଷୁଡ଼ି ଯାଆନ୍ତା, ପୋଲିସ୍ ରେଡ୍ କରନ୍ତା ଅଥବା ସେମାନେ ଖସିଯାଇ ମିଡ଼ିଆ ପାଖରେ ପହଞ୍ଚନ୍ତେ । ପ୍ରଭୁ! କିଛି ଚମକ୍ରାରିତା ହେଇ ଯାଉ କହି ଆଣ୍ଠେଇ ଆଖିବୁଜି ଉପରକୁ ହାତ ଟେକି ରେବତୀମାନେ ନିଜକୁ ସମର୍ପଣ କରିଦେଇଥିଲେ ସେହି ବିଶ୍ୱନିୟନ୍ତାଙ୍କ ପାଖରେ, ଯିଏ ସେମାନଙ୍କୁ ଏ ସଂସାରକୁ ପଠାଇଥିଲେ । ଯିଏ ଦିନେ ଦ୍ରୌପଦୀର ମହତ ରଖିଥିଲେ ।
ନିମଗ୍ନା, ଗଣେଶ୍ୱରପୁର
ତେନ୍ତୁଳା ଠାକୁରାଣୀ ମନ୍ଦିର ପଛ,
ଜାନୁଗଞ୍ଜ, ବାଲେଶ୍ୱର