ବିସ୍ତୃତ କାଶ ଫୁଲର ଲହରୀରେ
ସବୁଜ ଧାନ କ୍ଷେତର ମିଠା ବାସ୍ନାରେ
ଶିରିଶିରି ଆଶିଣ ପବନରେ
ଯିଏ ଆସେ, ସିଏ କ’ଣ ମା!
ଝରା ଗଙ୍ଗଶିଉଳୀରେ
ସକାଳର ଟୋପିଟୋପି କାକରରେ
ଗହନ ରାତିର ତରଳ ଜ୍ୟୋତ୍ସ୍ନାରେ
ଯିଏ ଆସେ, ସିଏ କ’ଣ ମା!
ପବନରେ ଥାଏ ଚମକ
ଆକାଶରେ କାଚମେଘ
ନଈରେ ଛଳଛଳ ପାଣି
ଏ ସବୁରେ ଯିଏ ଥାଏ, ସିଏ କଣ ମା!
ନାଭି କେନ୍ଦ୍ରରୁ ମନ୍ତ୍ରର ଗହଗହ ନାଦ
ମେଦିନୀର ଅଭ୍ୟନ୍ତରରୁ ଶୁଭିଯାଏ
ମନ୍ଦ୍ର, ମଧୁର, ଗଭୀର ଓ ଗମ୍ଭୀର ସେ ଶବ୍ଦ
ସବୁଠି… ସବୁରି ଭିତରେ ଯିଏ ଥାନ୍ତି, ସେ କଣ ମା?
ଇଏ କି ଅଦ୍ଭୁତ ଉଚ୍ଚାରଣ
କୋଉ ମନ୍ତ୍ରରେ ଏତେ ଶିହରଣ
ସାରା ଶରୀରରେ ଇଏ କି କମ୍ପନ
ୟେ କି ଶକ୍ତି? କି ସମ୍ମୋହନ!
ଯା ଦେବୀ ସର୍ବ ଭୂତେଷ……
ୟେ କଣ ସେଇ ମା’ର ଆଦ୍ୟ ଆବାହନ!!