ଡେବିରି ହାତରେ ଧରିଲା ବିଶୁଦ୍ଧ ପାଣି ବୋତଲ । ଭୋଜନି ହାତରେ ଧରିଥିଲା ଛୋଟ ଚବିଶ ଇଞ୍ଚର ବ୍ରିଫକେଶ । ପକେଟରେ ଥିଲା ଶୀତତାପ ନିୟନ୍ତ୍ରିତ ବଗିରେ ବସିବା ପାଇଁ ଟିକେଟ୍ । ୱେଟିଙ୍ଗ୍ ଲିଷ୍ଟ ସତର । ବାରମ୍ବାର କଣ୍ଡକ୍ଟରକୁ ପଚାରିଲା ପରେ ତାକୁ ଲାଗିଲା ଜଗନ୍ନାଥରୁ ସୋମନାଥ ଯାଉଥିବା ଗାଡ଼ିରେ ସେ କେବଳ ବସିପାରିବ ସାଧାରଣ ସ୍ଲିପର ବଗିରେ । କଣ୍ଡକ୍ଟର ମାନେ ସେତେବେଳେ ପାଲଟି ଯାଆନ୍ତି ଦରବାରୀ ଅମାତ୍ୟ । ହାତରେ ସୁରାର ପିଆଲା ନଥିଲେ ବି ସେମାନଙ୍କ ଚାଲିଚଳନ, ହାବଭାବ ଓ କଥାବାର୍ତ୍ତାରୁ ବାରି ହୋଇଯାଏ ଯେ ଆଭିଜାତ୍ୟର ସମ୍ରାଟଟିଏ ବୀରଦର୍ପରେ ଠିଆ ହୋଇ ପ୍ଲାଟଫର୍ମରେ ମନା କରି ଚାଲିଛି ୱେଟ ଲିଷ୍ଟେଡ୍ମାନଙ୍କୁ ବସିବା ପାଇଁ । କିଛି ସମୟ ନୁହେଁ କିନ୍ତୁ ସମଗ୍ର ଯାତ୍ରା ସମୟ ପର୍ଯ୍ୟନ୍ତ ଏଇ ଆଭିଜାତ୍ୟ ପୁରୁଷମାନେ ଭାରତୀୟ ରେଳବାଇର ନିୟମକୁ ବାଟି ପିଇ ଦେଇଥାଆନ୍ତି ଓ ଭରପୂର ମସଗୁଲ ଥାଆନ୍ତି । ଶେଷରେ ନିରାଶ ହୋଇ ରୁଦ୍ର ବସି ପଡ଼ିଲା ସାଧାରଣ ସ୍ଲିପର ବଗିରେ ଓ ବାହାରକୁ ଚାହିଁଲା ବେଳକୁ ଗାଡ଼ି ଜଗନ୍ନାଥ ଷ୍ଟେସନ ଗଡ଼ିଗଲାଣି । ମୁହଁରେ ବ୍ୟସ୍ତତା । ମନ ଚଳଚଞ୍ଚଳ । ତଥାପି ଆଶାର କିରଣ ଉଙ୍କି ମାରିପାରେ କେଉଁ ମୁହୂର୍ତ୍ତରେ, କେଉଁ ଷ୍ଟେସନରେ, ଦିନରେ ଅଥବା ରାତିରେ ।
ସେଇ ବଗିରେ ଥିଲେ ବିଜୟପୁରମ୍ର ରାମା ରାଓ ଦମ୍ପତି । ରାମାରାଓର ପତ୍ନୀ ସୁୟୋମାକୁ ପ୍ରଚୁର ନିଦ । ଯେମିତି ଏଇ ମାତ୍ର ବାସର ରାତି କାଟି ଆସିଛି ଓ ରାତିଯାକ ସ୍ୱାମୀ ସୁଖ ପାଇ ପାଇ ଅନିଦ୍ରା ରହିଛି । ବିଚରା ରୁଦ୍ର ଘୁଞ୍ଚିଆସିଲା ଆପାତତଃ ନିଜ ବର୍ଥ ବୋଲି ମନେ ହେଉଥିବା ଝରକା କଡ଼କୁ । ସୁୟୋମାର ଗଭାରେ ଗୋଲାପି, ନାଲି ଓ ଧଳା ଫୁଲ ସଜା ହୋଇଥିଲା । ରୁଦ୍ର ଆଡକୁ ମୁଣ୍ଡ ରଖି ରାମାରାଓ ଆଡକୁ ଆଣ୍ଠୁ ପାଖରେ ଗୋଡ଼ ଜାକି ଦେଇ ସେ ଶୋଇପଡ଼ିଲା । ରୁଦ୍ରକୁ ବୋଧେ କ’ଣ କହିଲା ଓ ରୁଦ୍ର ବୁଝିନପାରି ରାମାରାଓ ଆଡକୁ ଚାହିଁଲା । ରାମାରାଓ ଖଣ୍ଡି ଇଂରାଜୀରେ କହିଲା- ଆଗ ଷ୍ଟେସନରେ ଓହ୍ଲେଇ ପଡ଼ିବୁ ।
କଣ୍ଡକ୍ଟର ରୁଦ୍ରକୁ ପାଖକୁ ଡାକିଲା । ବର୍ଥଟି ନ ଦେଇ କହିଲା- ୱେଟଲିଷ୍ଟ କ୍ଲିୟର ନହେବା ପର୍ଯ୍ୟନ୍ତ ବସିବା ପାଇଁ । ଦେଖ ଯେ ରୁଦ୍ର ବସିଛି । ଷ୍ଟେସନରୁ ଷ୍ଟେସନ ଗାଡ଼ି ଆଗକୁ ଯାଉଛି ହେଲେ ରୁଦ୍ରର ବର୍ଥ କନ୍ଫର୍ମ ହୋଇପାରୁନି । ତଥାପି ସୁୟୋମା ରୁଦ୍ର ଆଡକୁ ମୁହଁ ଲଗେଇ ଶୋଇଛି । ବୋଧେ ଓହ୍ଲେଇବାର ନାହିଁ । ରୁଦ୍ର ଗୋଡ଼ ଲମ୍ବେଇ ଦେଲା ଓ ପାଦ ଦୁଇଟି ଘଷି ହୋଇଗଲା ସୁୟୋମାର ପିଠି ଓ ପିଚା ମଝିରେ । କଣେଇ ଚାହିଁଲା ସୁୟୋମା । ଉଠିପଡ଼ିଲା । ରାମାରାଓ କୋଳରେ ମୁଣ୍ଡ ରଖି ଘୁଞ୍ଚିଗଲା ଅତିକମ୍ରେ ଦେଢ଼ଫୁଟ । ରୁଦ୍ର ଏଥର ଆରାମରେ ଗୋଡ଼ ଲମ୍ବାଇଦେଲା ଓ ଶୋଇ ଶୋଇ ଭାବୁଥିଲା ଟ୍ରେନ୍ ଏମିତି ଗଡ଼ି ଚାଲିବ । ଆହୁରି ଜୋର୍ରେ । ସ୍ପିଡ୍ ଲିମିଟ ମାନିବନି ଓ ପଶିଯିବ ଆରବସାଗର ଭିତରେ । ସୁଲତାନ ମାମୁଦର ରଣତରୀ ବୁଡ଼ିଯାଇଥିବା ଗଭୀର ନୀଳ ଜଳରାଶିରେ ।
ଟିଟିଲାଗଡ଼ ଷ୍ଟେସନ ହେଲା ପରେ ରୁଦ୍ର ସାମ୍ନା ବର୍ଥରେ ବସିବାକୁ ରିଜର୍ଭ କରିଥିବା ଶିକ୍ଷିତା ନରୀଟିଏ ଉଠିଲେ । ତା’ ସାଙ୍ଗରେ ମିଲିଟାରୀ ଚାକିରି କରିଥିବା ଯୁବସ୍ୱାମୀ । ସେମାନେ ଯିବେ ନାଗପୁର । ସେମାନଙ୍କ କଥାବାର୍ତ୍ତାରୁ ଜାଣିହେଲା ଯେ ତାଙ୍କ ନାଁ ସୁନୀଲ ଓ ମମତା । ମମତା ହାତରେ ଚିତା କୁଟିଥିଲା ଓ ଅନର୍ଗଳ ଇଂରେଜୀ, ହିନ୍ଦୀ ଓ ସମ୍ବଲପୁରୀ ଭାଷାରେ କଥା ହେଉଥିଲା । ମମତା ପିନ୍ଧିଥିଲା ଢିଲା ସାଲୁଆର ପଞ୍ଜାବି । ଗୋରୀ । ଗୋଲମୁହଁ ଓ କାନରେ ଦି’ହଳ ରଙ୍ଗବତୀ ଝୁମ୍ପା ସାଙ୍ଗକୁ, ନାକରେ ନାକଚଣା । ସୁନୀଲ ଥିଲା ଛଅଫୁଟ ଉଚ୍ଚତାର ଗୋରା ଡେଙ୍ଗା ମଣିଷଟିଏ । ସଦ୍ୟ ବିଶ୍ୱବିଦ୍ୟାଳୟରୁ ପାସ୍ କରି ଠିକ୍ ସମୟରେ ଚାକିରି ପାଇଯାଇଥିବା ଯୁବକର ମନ ଯେପରି ଉଲ୍ଲଂଘିତ କରିଯାଏ ସମଗ୍ର ଭାବନା ରାଜ୍ୟକୁ, ସେଇପରି ଲାଗୁଥାଏ ସୁନୀଲର ମନ । ସୁନୀଲ ମମତାର ହାତ ଧରି ବର୍ଥରେ ବସାଇ ଦେଲା ପରେ, ବେଡିଂ, ଦସ୍ତା ଟ୍ରଙ୍କ, ଦୁଇଟି ଅଠେଇଶ ଇଞ୍ଚର ଆଟାଚି, ଗୋଟେ ବଡ଼ କେନ୍ ତିଆରି ବ୍ୟାଗ୍ ବର୍ଥ ପାଖରେ ରଖିଦେଇ ରାମାରାଓକୁ ପଚାରିଲା ବର୍ଥ ନମ୍ବର । ପୁଣି କଣ୍ଡକ୍ଟର ପାଖକୁ ଗଲା । କଣ୍ଡକ୍ଟର ଓ ସୁନୀଲ ଫେରିଆସିଲେ ରାମାରାଓ ପାଖକୁ । ବିନା ସଂରକ୍ଷଣରେ ଯାଉଛନ୍ତି ବୋଲି କଣ୍ଡକ୍ଟର ରାମାରାଓ ଦମ୍ପତିକୁ ଡାକିନେଲା ଟଏଲେଟ୍ ପାଖକୁ । ରାମାରାଓର ପତ୍ନୀ ସୁୟୋମାର ଗଭାରୁ କିଛି ମଉଳା ଫୁଲ ଖସିପଡ଼ିଲା ରୁଦ୍ର ଲମ୍ବାଇଥିବା ଗୋଡ଼ ଉପରେ । ଯିବା ପୂର୍ବରୁ ସୁୟୋମାର ଆଖି ଏକ ତୀର୍ଯ୍ୟକ୍ କୋଣ ସୃଷ୍ଟି କଲା ରୁଦ୍ରର ମୁହଁ ସାମ୍ନାରେ । ଯାହାକୁ କେବଳ ଲକ୍ଷ୍ୟ କରିପାରିଥିଲା ମମତା, ସୁନୀଲର ସଦ୍ୟ ବିବାହିତା ପତ୍ନୀ । ସଦ୍ୟ ବିବାହିତା ପତ୍ନୀମାନଙ୍କୁ ରେଳଷ୍ଟେସନରେ, ବସ୍ଷ୍ଟାଣ୍ଡରେ, ସିନେମା ହଲ୍ରେ, ମାର୍କେଟ ବିଲ୍ଡିଂରେ, ପ୍ରଦର୍ଶନୀରେ, ପୁସ୍ତକ ମେଳାରେ କିମ୍ବା ହସ୍ପିଟାଲର ଆଉଟଡୋରରେ ଦେଖିଲେ ରୁଦ୍ର ନିଜକୁ ବହୁତ ଅସହାୟ ଭାବେ । ସେ ଅନୁଭବ କରେ ପଛରେ ଅନେକ ଘଟଣା ସେ ଘଟେଇ ନପାରି ଆଗକୁ ଚାଲିଆସିଛି । ଏଇ ଅସହାୟତ୍ୱ ଜମାରୁ ସଞ୍ଚରି ନଥାନ୍ତା ତା’ ହୃଦୟରେ ଯଦି ଠିକ୍ ସମୟରେ ନିଜ ବୈବାହିକ ସମୟର ସଦ୍ୟ ସଫେଦ ପ୍ରାରମ୍ଭିକ ଋତୁକୁ ବିନିଯୋଗ କରିପାରିଥାଆନ୍ତା ।
ମିଃ ଶର୍ମା ଓ ତାଙ୍କ ପୃଥୁଳକାୟା ପତ୍ନୀ ବହୁତ ଉଚ୍ଚ ବିଚାରର ଆଦ୍ମୀ । ସେମାନେ କାହାକୁ କିଛି ନ କହି ମମତାର ବର୍ଥରେ ବସିପଡ଼ିଲେ । ସୁନୀଲର ସେମାନେ ଚିହ୍ନା ଥିଲେ ବା କଥାବାର୍ତ୍ତାରୁ ଜଣାପଡୁଥିଲା ଯେ ମିସେସ୍ ଶର୍ମା ବୋଧେ ମମତାର ହିନ୍ଦୀ ଅଧ୍ୟାପିକା ଥିଲେ । ଦୁଇଟି ବର୍ଥକୁ ସେମାନେ ଏମିତି ବାଣ୍ଟିଦେଲେ । ଉପର ବର୍ଥରେ ସୁନୀଲ ଓ ମିଃ ଶର୍ମା । ତଳ ବର୍ଥରେ ମମତା ଓ ରୁଦ୍ର । ଦୁଇଜଣଙ୍କ ବର୍ଥ ମଝିରେ ଥିବା ଖାଲି ଜାଗାରେ ବେଡିଂ ପକାଇ ମିସେସ ଶର୍ମା । ରୁଦ୍ରକୁ ରାତିଯାକ ନିଦ ହେଲାନି । ମିସେସ ଶର୍ମା ମମତା ସାଥିରେ ହିନ୍ଦୀ ଭାଷାରେ ବକର ବକର ହେଲେ ରାତି ଦଶରୁ ରାତି ବାର । ପୁଣି ସୁନୀଲ ଓହ୍ଲେଇ ଆସି ସେମାନଙ୍କ ସହ ଯୋଗଦେଲା । ସୁନୀଲ ଓ ମମତା ସମ୍ବଲପୁରୀ ଭାଷାରେ ଫୁସୁରୁ ଫାସର ହେଲେ ନିଜ ନିଜ ଶାଶୂ, ନଣନ୍ଦ ଓ ଶାଳୀମାନଙ୍କ ମମତ୍ୱବୋଧକୁ ନେଇ, ବ୍ୟବହାର ଓ ଚାଲିଚଳନକୁ ନେଇ । ପୁଣି ସୁନୀଲ ଗଲା ପରେ, ମମତା ଓ ମିସେସ ଶର୍ମା ଆହୁରି ଦୁଇ ଘଣ୍ଟା ଗପିଲେ । ରୁଦ୍ର ଅପେକ୍ଷା କଲା, ନାଗପୁର ହେଲାବେଳକୁ ଦିନ ଦଶ । ନାଗପୁରରେ ଓହ୍ଲାଇଗଲେ ମମତା ଓ ସୁନୀଲ । ମିଃ ଶର୍ମା ଓ ମିସେସ୍ ଶର୍ମା । ରାମାରାଓ ଓ ପତ୍ନୀ ସୁୟୋମା । ଓହ୍ଲାଇଲା ବେଳେ ମଧ୍ୟ ସୁୟୋମା ରୁଦ୍ରର ମୁହଁ ଆଡକୁ ଚାହିଁଲା ନିରିଖେଇ । ନିଜ ଗଭାରେ ବାକିଥିବା ଦି’ଟା ଫୁଲ ପଡ଼ିଗଲା ପ୍ଲାଟଫର୍ମର ଚଟାଣରେ । କମ୍ପାର୍ଟମେଣ୍ଟରେ ତାକୁ ବର୍ଥ ମିଳିଲା କି ନ ମିଳିଲା, କଣ୍ଡକ୍ଟର ତାଙ୍କ ଠୁଁ କେତେ ଟଙ୍କା ଉକ୍ରୋଚ ନେଲା, ରାତିଯାକ ରାମାରାଓ ତା’ ପାଖରେ ଥିଲା କି ନଥିଲା ଏସବୁ ଚିନ୍ତା କରିବା ପୂର୍ବରୁ ରୁଦ୍ର ପୁଣିଥରେ ଦେଖିପାରୁଥିଲା ସୁୟୋମାର ନିଦୁଆ ନିଦୁଆ ଆଖିକୁ, ଚାହାଁଣିକୁ, ଈଶାରାକୁ । ବହୁତ ସମୟ ଟ୍ରେନ୍ ରହିଲା ନାଗପୁରରେ । କଣ୍ଡକ୍ଟରକୁ ଏକଶହ ପଚାଶ ଟଙ୍କା ଦେଇ ବହୁତ ବୁଝାଇଲା ପରେ ରୁଦ୍ର ପାଇଁ ପ୍ରଚୁର ଆଶ୍ୱାସନା ଜମାଟବାନ୍ଧି ତାକୁ ଶୀତତାପ ନିୟନ୍ତ୍ରିତ ବର୍ଥଟିଏ ମିଳିଗଲା । ରୁଦ୍ର ନିଜ ଛୋଟ ଆଟାଚିଟି ଧରି ଦ୍ୱିତୀୟ ଶ୍ରେଣୀ ଶୀତତାପ ନିୟନ୍ତ୍ରିତ ବର୍ଥକୁ ଆସିଲା ବେଳେ ଦେଖିଲା ପ୍ଲାଟଫର୍ମର ସିମେଣ୍ଟ ବେଞ୍ଚରେ ରାମାରାଓ କୋଳରେ ସୁୟୋମା ଶୋଇଛି । ସେମାନେ ଅପେକ୍ଷା କରିଛନ୍ତି ବୋଧେ ବିଜୟପୁରମ୍ ଫେରିଯିବାକୁ । ରୁଦ୍ର ନିଜ ବର୍ଥରେ ବସିପଡ଼ିଲା । ସାମ୍ନା ବର୍ଥରେ ବସିଥିଲେ ମରାଠା ଦମ୍ପତି । ସେମାନେ ନାଗପୁରରୁ ଯିବେ କର୍ଣ୍ଣାବତୀ । ତାଙ୍କ ଉପର ବର୍ଥରେ ଗୁଜରାଟି ଦମ୍ପତି । ସେମାନେ ନାଗପୁରରୁ ଯିବେ ବରୋଦା । ରୁଦ୍ରର ଠିକ୍ ଉପର ବର୍ଥରେ ଅପର୍ଣ୍ଣା ରେଡ୍ଡୀ ଓ ସାଇଡ୍ ଉପର ବର୍ଥରେ ତାଙ୍କ ସ୍ୱାମୀ ନାଗା ରେଡ୍ଡି ଓ ତିନିବର୍ଷର ଝିଅ । ସାଇଡ୍ ତଳବର୍ଥରେ ପାରାଦୀପରେ ଚାକିରି କରୁଥିବା ଉମର ଅଲ୍ଲି । ଉମର ଅଲ୍ଲି ପାଖରେ ବସିଥିଲା କସ୍ତୁରୀ ମାତୋଣ୍ଡକର । ଆର୍ଏସି ଟିକେଟ ଦୁଇଜଣଙ୍କ ପାଖରେ । ସିଟ୍ ନ ପାଇ ଠିଆ ହୋଇଥିଲା ହୃଷ୍ଟପୁଷ୍ଠ ବଳିଷ୍ଠ ଯୁବକ ବାଜିରାଓ ।
ନାଗପୁରରୁ ଟ୍ରେନ୍ ଛାଡ଼ି ଦେଲା । ଲଞ୍ଚ ଖାଇସାରିଲା ପରେ ନାଗା ରେଡ୍ଡି ନଶୋଇ ଅପର୍ଣ୍ଣା କୋଳରେ ଝିଅକୁ ଦେଇ ଆସି ରୁଦ୍ର ପାଖରେ ବସିପଡ଼ିଲା । ରୁଦ୍ର ସହଯାତ୍ରୀ ହିସାବରେ ପଚାରି ଦେଲା, ନାଗା ରେଡ୍ଡି କ’ଣ କରନ୍ତି । ନାଗା ରେଡ୍ଡୀ ସହ ପନ୍ଦର ମିନିଟ୍ କଥାବାର୍ତ୍ତା ପରେ ସେ ଜାଣିପାରିଲା । ତା’ ବର୍ଥ ଉପରେ ଶୋଇଥିବା ଓ କିଛି ସମୟ ତଳ ବର୍ଥରେ ବସିଥିବା ତନୁପାତଳୀ ହଳଦୀ ବର୍ଣ୍ଣର ମଡେଲିଂ ଚେହେରା ରଖିଥିବା ଗୋରୀ ଅପର୍ଣ୍ଣା ରେଡ୍ଡିର ଜନ୍ମ ୧୯୭୭ ମସିହା ଫେବୃଆରୀ ୨ ତାରିଖରେ । ଘର ନଂ- ବି-୮୧, ସେକ୍ଟର-୨ ଇସ୍ପାତ ନଗରୀ ରାଉରକେଲାରେ । ବାପା ତାଙ୍କର ଇସ୍ପାତ କାରଖାନାର ଜଣେ ପଦସ୍ଥ ଇଂଜିନିୟର । ହମିରପୁର କନଭେଣ୍ଟରୁ ପାଠପଢ଼ା ସାରି ଇନ୍ଦିରା ପାର୍କ ନିକଟରେ ଥିବା ମହିଳା କଲେଜରୁ ସ୍ନାତକ ହୋଇସାରିଲା ପରେ ଜ୍ୟୋତିବିହାରରୁ ସମାଜବିଜ୍ଞାନରେ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ପାଇଥିଲେ । ଭଞ୍ଜ କଳାମଣ୍ଡପରେ ହୋଇଥିବା ପ୍ରତିଯୋଗିତାରେ ସେ ଇସ୍ପାତ ସୁନ୍ଦରୀ ଆଖ୍ୟା ପାଇଥିଲେ । ରୁଦ୍ରର ମନେପଡ଼ିଲା ଗୋଟେ ଦରିଦ୍ର ରାଜ୍ୟରେ କାଳକାଟୁ ଥିବା ଓ ଆନ୍ତର୍ଜାତିକ ସ୍ତରର କବିତା ଲେଖନ୍ତି ବୋଲି ବାହାସ୍ଫୋଟ ମାରୁଥିବା ଜନୈକ କବିଙ୍କ କବିତା ପଙ୍କ୍ତିରେ ଥିଲା- ସୁନ୍ଦରୀମାନଙ୍କ ଭିତରୁ ଯିଏ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ସେଇ ସୁନ୍ଦରୀ ଦେହର ପ୍ରତ୍ୟେକ ଆକର୍ଷଣୀୟ ଅଙ୍ଗର ଜ୍ୟାମିତିକ ଚାପ କାମାସକ୍ତ କେନ୍ଦ୍ରବିନ୍ଦୁରେ ହିଁ ସମାହିତ ।
ଅପର୍ଣ୍ଣାକୁ ଦେଖିଲେ ଲାଗେ, ଅସମ୍ଭବ । ରାଉରକେଲାରେ ସମୟ କାଟିଥିବା ଅନିନ୍ଦ୍ୟ ତରୁଣୀ ଏବେ ବାହା ହୋଇଛି । ଭାଇଜାଗର ନାଗା ରେଡ୍ଡୀକୁ । ଏକ ଧତଡ଼ା, କଳା ଦାନ୍ତୁରା ଡେଙ୍ଗା ଯୁବକକୁ । ଗୋଟେ ପ୍ରାଇଭେଟ୍ ଇଂଜିନିୟରିଂ କଲେଜରୁ ଡୋଲିଏ ଡୋନେସନ ଦେଇ ଟେବୁଲ୍ ଉପରେ ବହି ପକାଇ ଉତାରିଥିବା ଓ ତଥାପି ଅର୍ଦ୍ଧାଧିକ ପେପରରେ ବ୍ୟାକ୍ ରଖିଥିବା, ଚାରିବର୍ଷର ପାଠକୁ ଛଅ ବର୍ଷରେ ଶେଷ କରିଥିବା ନାଗା ରେଡ୍ଡୀ ଗୋଟେ କେମିକାଲ ଇଂଜିନିୟର । ତା’ ରାଜ୍ୟର ଗୋଟେ ମୂର୍ଖ ଖଣିମନ୍ତ୍ରୀକୁ କହି ଏକ ସିମେଣ୍ଟ କମ୍ପାନୀରେ ଚାକିରି ପାଇଛି । ଡୋନେସନ ଟଙ୍କା ସୁଧମୂଳ ସହ ଟାଣି ଆଣିଛି ଶ୍ୱଶୁରଙ୍କ ଇସ୍ପାତ ଚାକରିରୁ ସଂଚିତ ଥିବା କଷ୍ଟୋପାର୍ଜିତ ଧନରୁ । ତା’ ସହ ଏମିତି ସୁନ୍ଦରୀ ଅପର୍ଣ୍ଣା ଯେ ପତ୍ନୀ ହୋଇଯିବ, ତା’ର ମହାଭାଗ୍ୟ । ସୁନ୍ଦରୀ ଗୋରୀ ବୋହୂଟେ ପାଇ ନାଗା ରେଡ୍ଡୀର ମା’ ପ୍ରତିବର୍ଷ ନିଜ ବାପଘର ରାୟଗଡ଼ାକୁ ଯାଉଥିଲେ ଝଞ୍ଜାବତୀ ନଦୀ କୂଳରେ ଆସ୍ଥାନ ଜମେଇଥିବା ମଝି ଘରିଆଣୀଙ୍କୁ ପୂଜା କରିବା ପାଇଁ । ଅପର୍ଣ୍ଣାକୁ ବୋହୂ କରି ଆଣିଲା ପରେ ଏବେ ଖାଲି ପୂଜା ପାଇଁ ଟଙ୍କା ପଠେଇ ଦିଆ ହେଉଛି ବାପଘରକୁ । ନାଗା ରେଡ୍ଡୀକୁ ରୁଦ୍ର ପାଖରେ ଯେତିକି ସମୟ ବସିବାର ଥିଲା, ତା’ଠାରୁ ଅଧିକ ସମୟ ବସିପଡ଼ିଲା କାରଣ ରୁଦ୍ର ରାଉରକେଲା କଥା ଗପୁଥିବାରୁ, ଅପର୍ଣ୍ଣା ଆଗ୍ରହରେ ଶୁଣୁଥିଲା ଓ ଆଲୋଚନାରେ ବେଳେବେଳେ ଭାଗ ନେଉଥିଲା । ବହୁତ ବର୍ଷ ହେଲା ରାଉରକେଲାକୁ ଦେଖିନଥିବାରୁ ଅପର୍ଣ୍ଣାର ବର୍ଣ୍ଣନା ରୁଦ୍ରକୁ ନୂଆ ନୂଆ ଲାଗୁଥିଲା । ରୁଦ୍ର ମନରେ ରାଉରକେଲା ଦେଖିବାର ପ୍ରବଳ ଇଚ୍ଛା ଥିଲେ ବି ସେ ଯାଇ ପାରିବନି କାରଣ ସେ ହୁଏତ ରାଉରକେଲାକୁ ଦେଖିସାରିଲା ପରେ, ବିଶ୍ୱାସ କରିପାରିବନି ଯେଉଁ ରାଉରକେଲା ତା’ ସ୍ମୃତିରେ ସବୁ ସମୟରେ ପ୍ରବହମାନ, ସେଇ ରାଉରକେଲାକୁ ସେ ଦେଖିପାରୁନି । ଦେଖା ବି ଯାଇପାରେନା । ତେବେ ରୁଦ୍ର ଅପର୍ଣ୍ଣାର ମୁହଁକୁ ଚାହିଁଥିଲା ଓ ରାଉରକେଲାକୁ ଦେଖୁଥିଲା । ଅପର୍ଣ୍ଣା ନାଗାରେଡ୍ଡୀକୁ କହିଲା, ଝିଅକୁ ଧରି ଉପର ବର୍ଥରେ ଶୋଇବାକୁ । ନାଗା ରେଡ୍ଡୀ ବାଧ୍ୟ ପିଲାଟି ଭଳି ଶୋଇବାକୁ ଗଲା । ଅପର୍ଣ୍ଣା ରୁଦ୍ର ମୁହଁକୁ ଚାହିଁଲା ଓ ତା’ ଜନ୍ମ ପୂର୍ବର ରାଉରକେଲାକୁ ଦେଖିପାରିଲା ରୁଦ୍ର ମୁହଁରେ । ରୁଦ୍ରର ବୟସ ଅପର୍ଣ୍ଣାର ମାମୁ, କକା କିମ୍ବା ପିଇସାଙ୍କ ବୟସ ସହ ମେଳ ଖାଉଥିବ । ରୁଦ୍ର ଅପର୍ଣ୍ଣାର ଜନ୍ମବର୍ଷରୁ ହିଁ ଏପର୍ଯ୍ୟନ୍ତ ରାଉରକେଲାକୁ ଛାଡ଼ି ଆସିଛି । ଆଉ ଯାଇନି ।
ଟ୍ରେନ୍ ହଲିଗଲା । ତଳୁ ଯେପରି ଭୂଇଁ ଦବିଯିବା ପରି ଲାଗୁଛି ।
ଭୂଷାୱାଲ ଷ୍ଟେସନରେ ରୁଦ୍ର ମିନେରାଲ ପାଣି ପିଇଲା । ଏବେ ଅପର୍ଣ୍ଣା ତା ବର୍ଥରେ ଓ ସାମ୍ନାରେ ବସିଥିବା ମରାଠା ଦମ୍ପତି କେଶବ ଓ କାଦମ୍ବିନୀ ହେଗ୍ଡେ ତା’ ସହ କଥାବାର୍ତ୍ତା ଆଳରେ ତାକୁ ଜଳଖିଆ ଖାଇବାକୁ ଯାଚୁଛନ୍ତି । ସେ ମନାକଲେ ବି ସେମାନେ ଅନୁରୋଧ କରୁଛନ୍ତି । ତେଣୁ ସେ ହାତରେ କିଛି ନେବାକୁ ବାଧ୍ୟ ହୋଇ ପଡୁଛି । କାଦମ୍ବିନୀ ମରାଠି ଭାଷାରେ କେଶବଙ୍କୁ କହୁଛି, ଭାଇ ଜଗନ୍ନାଥ ଧାମରୁ ଆସିଛନ୍ତି । ଯିବେ ସୋମନାଥ ଧାମକୁ । ବହୁତ ଲମ୍ବା ବାଟ । ରୁଦ୍ର ଆଡେ ଚାହିଁ କହିଲା ବେଳେ, ସେ କଥାକୁ ସମର୍ଥନ କରିଥିଲା ।
ତାଙ୍କ ପାଖରେ ବସିଛନ୍ତି ଉପର ବର୍ଥରେ ଗୁଜରାଟୀ ଦମ୍ପତି ହିରଣ୍ୟ ଓ ହିମାନି ପଟେଲ । ହିରଣ୍ୟ ପଟେଲ ଗୁଜରାଟର ଜଣେ ବଡ଼ ଚାଷୀ ପରିବାରର ସନ୍ତାନ । ସେ ଜଣେ କୃଷି ଇଂଜିନିୟର ଓ କିଛିବର୍ଷ ଚାକିରି କରିସାରି ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ବାଟିବାଟି ଜମିରେ ଧାନ, ଗହମ ଓ ପନିପରିବା ଚାଷ ସେମାନଙ୍କର ଅଛି । ନର୍ମଦା ସରୋବରରୁ ଅଧିକାଂଶ ଜମି ସେଚିତ ହେଉଛି । ସେ ଉନ୍ନତ ପ୍ରଣାଳୀରେ ଚାଷକାର୍ଯ୍ୟ କରନ୍ତି ଓ ରାଜ୍ୟ କୃଷକ ସଂଗଠନର ଜଣେ ଆଗଧାଡ଼ିଆ ନେତା । ହିରଣ୍ୟ ବହୁତ କମ୍ କହିଲା ବେଳେ ହିମାନି ବହୁତ ଅନାବଶ୍ୟକ କଥା କୁହନ୍ତି । ଭୁଷାୱାଲରୁ ଜଲଗାଓଁ ପର୍ଯ୍ୟନ୍ତ ହିମାନି ଗପୁଥିଲେ କାଦମ୍ବିନୀ ସହିତ କେନ୍ଦ୍ରୀୟ ବିଦ୍ୟାଳୟର ନିମ୍ନମାନର ପାଠପଢ଼ା, ପରୀକ୍ଷା ଫଳରେ ତ୍ରୁଟି, ସ୍କୁଲ୍ର ବାର୍ଷିକ ଉତ୍ସବ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ କର୍ତ୍ତବ୍ୟରେ ଅବହେଳା ଓ ବିଦ୍ୟାଳୟ ପରିଚାଳନା ସଂପର୍କିତ ଦୁର୍ନୀତି ବିଷୟରେ । କେଶବର ଘର ନାଗପୁରରେ । ସେ କର୍ଣ୍ଣାବତୀରେ ବ୍ୟାଙ୍କ ଅଫିସର ଅଛନ୍ତି । ପୋସ୍ ଲୋକାଲିଟିର ଗୋଟେ ଆପାର୍ଟମେଣ୍ଟରେ ତିନି ବେଡ୍ରୁମ୍ର ଏକ ଲକ୍ଜୁରି ଫ୍ଲାଟ୍ କିଣିଛନ୍ତି । କେଶବର ଗୋଟେ ପୁଅ ଗୋଟେ ଝିଅ । ଝିଅ ଦଶମ ଷ୍ଟାଣ୍ଡାର୍ଡ ଓ ପୁଅ ଷଷ୍ଠ ଷ୍ଟାଣ୍ଡାର୍ଡରେ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ନ୍ତି । କାଦମ୍ବିନୀ କିଛିବର୍ଷ ଶିକ୍ଷୟିତ୍ରୀ ଚାକିରି କରୁଥିଲେ ବି ଏବେ ଛାଡ଼ି ଦେଇଛନ୍ତି । ସଂପ୍ରତି ଏକ ସେବା ସଂଗଠନରେ ଦିନକୁ ଚାରିଘଣ୍ଟା କାମ କରନ୍ତି ଓ ବାକି ସମୟ ତକ ପୁଅଝିଅଙ୍କ ପାଠପଢ଼ା ବିଷୟ ବୁଝନ୍ତି ଓ ଘରର କାମଦାମ କରନ୍ତି । କେଶବଙ୍କ ଅପେକ୍ଷା କାଦମ୍ବିନୀ ଲାଗନ୍ତି ଆହୁରି କଲଚରଡ, ସିଷ୍ଟମାଟିକ୍, ରିଭିଲିଂ ପର୍ସନାଲିଟି ଓ ଲିଡରସିପ୍ କ୍ୱାଲିଟିର । କେଶବ ଅତିଶୟ ଭାବେ ପତ୍ନୀଭକ୍ତା ପୁରୁଷ ଭଳି ଜଣାପଡନ୍ତି ।
ନାଗା ରେଡ୍ଡୀ ଓ ଅପର୍ଣ୍ଣା ନିଜ ଝିଅକୁ ଧରି ଭୁଜରେ ଓହ୍ଲାଇବେ । ତା’ ପୂର୍ବରୁ କେଶବ ଓ କାଦମ୍ବିନୀ କର୍ଣ୍ଣାବତୀରେ ଓହ୍ଲାଇ ପଡ଼ିବେ । ହରିଣ୍ୟ ଓ ହିମାନି ଓହ୍ଲାଇବେ ଅନ୍ଜାରରେ । ରାତି ଦୁଇଟାରେ ବରୋଦାରେ ଟ୍ରେନ୍ ରହିଲା । ଅବଶ୍ୟ ରୁଦ୍ରର କାମ ଥିଲା । ବରୋଦାରେ ଅଳ୍ପ ସମୟ । ସେ ମଧ୍ୟ ମିଃ ବର୍ତ୍ତେଙ୍କୁ ଫୋନ୍ରେ କହିଥିଲା ଯଦି ସମୟ ହୁଏ ତେବେ ସେ ବରୋଦାରେ ଓହ୍ଲାଇପାରେ ଓ ସିଧା ବର୍ତ୍ତେ ଘରକୁ ଯାଇ ତା’ ଛଅ ମାସର ପୁଅକୁ ଗେଲ କରିପାରେ ଓ କିଛି ଡଲ୍ସ ଦେଇପାରେ ତା’ ପୁଅ ହାତରେ । ରୁଦ୍ର କର୍ଣ୍ଣାବତୀରେ ସ୍ଥାୟୀ ଭାବେ ରହୁଥିଲା । ତେବେ ରୁଦ୍ର ପାଖରେ ସୋମନାଥ ପର୍ଯ୍ୟନ୍ତ ଟିକେଟ ଥିଲା ଓ ସେ ବରୋଦାରେ ବ୍ରେକ୍ ଜର୍ଣ୍ଣି କରିବ କି ନକରିବ ସ୍ଥିର କରିନଥିଲା । ଯଦି ରୁଦ୍ରର ଡେରି ହୁଏ ନିର୍ଦ୍ଦିଷ୍ଟ ତାରିଖରେ ଘରେ ପହଞ୍ଚିବାରେ ତେବେ ରୁଦ୍ରର ପତ୍ନୀ ରୂପା ମୋବାଇଲକୁ ଫୋନ୍ କରିବ ଓ ପଚାରିବ । ରୁଦ୍ର ଅଫିସ୍ କାମ ଦେଖାଇ ଭୂତେଇବାକୁ ଚେଷ୍ଟା କଲେ ରୂପା ଛିଗୁଲେଇବ ଅଫିସ୍ ତମକୁ ସ୍ୱର୍ଗକୁ ନେବ । ଇନ୍ଦ୍ରପଦ ଦେବ । ରୁଦ୍ର ପାଖେ କିଛି ଉତ୍ତର ନଥିବ । ରୂପାର ଧମକରେ ରୁଦ୍ର ଟ୍ରେନ୍ରେ ନ ଆସି ଜେଟ୍ ଏୟାର ୱେଜ୍ର ବୋଇଂରେ ବରୋଦାରୁ କର୍ଣ୍ଣାବତୀ ଆସି ରାଓପୁରାର ନିଉ ସୋସାଇଟି ଡୁପ୍ଲେକ୍ସରେ ପହଞ୍ଚିଯିବ ରାତି ଦଶଟା ସୁଦ୍ଧା ଓ ଡିନର ଖାଇବ ରୂପା ସାଥିରେ । ରୂପା ପାଖରେ ବସିଥିବ କନ୍ୟା ରୁଚିକା ଓ ପୁଅ ଋତିକ କେତେବେଳୁ ଖାଇସାରି ଇଣ୍ଟରନେଟ୍ରେ ସର୍ଫଙ୍ଗ୍ କରୁଥିବ । ମାଳମାଳ ଡବ୍ଲୁଡବ୍ଲୁଡବ୍ଲୁ.କମ୍ ମାନଙ୍କୁ ଧରି । ଏହା ଋତିକର ନିତିଦିନିଆ ଅଭ୍ୟାସ । ହୋମ୍ୱାର୍କ ସରିଲା ପରେ ଅନ୍ତତଃ ଚାରିଘଣ୍ଟା ସେ ୱେବ୍ସାଇଟ୍ ଭିତରେ ପଶି ଫେଭୋରାଇଟ୍ ଭିତରକୁ ଡ୍ରାଗ୍ ଆଣ୍ଡ ଡ୍ରପ୍ କରୁଥିବ । ଖାଇ ସାରିଲା ପରେ ରୂପା ଓ ଋଚିକା ସୋଫାରେ ବସି ଫୁଲ ସ୍ପିଡ୍ରେ ଏସି ଅନ୍ କରି ଏଚ୍ଡି ଟିଭିରେ କୁସୁମ, କୁଟୁମ୍ବ କିମ୍ବା କୁମୁଦ ସିରିଏଲ୍ ଦେଖୁଥିବେ । କେବଳ ରୁଦ୍ର କ’ଣ ଖାଇସାରି ଶୋଇପାରୁଥିବ ନା ସେ ଶୋଇ ଶୋଇ ନିଜ ଲାପଟପ୍ରେ ଆସନ୍ତାକାଲିର ମିଟିଙ୍ଗ୍ ପାଇଁ ଏଜେଣ୍ଡା ତିଆରି କରୁଥିବ କିମ୍ବା ଗତ ମିଟିଂର ମିନିଟ୍ସ ପ୍ରସ୍ତୁତ କରୁଥିବ ବୋର୍ଡ ଅଫ୍ ଡିରେକ୍ଟର୍ସର ଆପ୍ରୋଭାଲ୍ ପାଇଁ ।
ସାଇଡ୍ ବର୍ଥରେ ବସିଥିବା ଉମର ଅଲ୍ଲି ଜଲଗାଓଁ ଷ୍ଟେସନ ପରେ ରୁଦ୍ର ଆଡକୁ ଚାହିଁଲେ । ତାଙ୍କର ଥିଲା ମସ୍ତ ଦାଢ଼ି କିନ୍ତୁ ଦାଢ଼ିର ଅଦେ୍ର୍ଧକ କ୍ଷେତ୍ରଫଳ ପକ୍ୱ ହୋଇଆସିଛି । ବଡ଼ ବଡ଼ ଆଖି । ମୁଣ୍ଡରେ ଚାରମିନାର ବଜାରର ମଖମଲି ଟୋପି । କୁର୍ତ୍ତା ସେରୱାନୀ । ଟ୍ରାନ୍ସପୋର୍ଟ ବିଜିନେସ୍ ଅଛି ଭାରତସାରା । ସେ କର୍ଣ୍ଣାବତୀରୁ ହିଁ ନିଜ ବିଜିନେସ୍ ଏମ୍ପାୟାର୍ ନିୟନ୍ତ୍ରଣ କରନ୍ତି । ଉମର ଅଲିଙ୍କ ସହ ଅଳ୍ପ ସମୟର କଥାବାର୍ତ୍ତାରେ ସାରା ଭାରତବର୍ଷର ଗୋଟେ ସଦ୍ୟ ଚିତ୍ର ଆଙ୍କି ହୋଇ ଗଲା ରୁଦ୍ର ସାମ୍ନାରେ । ହେଲେ ଅଲି ମିଅାଁ ଧର୍ମ ଓ ରାଜନୀତି ବିଷୟରେ ପଦେ ହେଲେ କହିନଥିଲେ । ବରଂ ରୁଦ୍ର ନିଜ ଆଡୁ ମନ୍ତବ୍ୟ ଦେଇଥିଲା ଧର୍ମ ଓ ରାଜନୀତିର ସମନ୍ୱୟରେ ହିଁ ଭାରତବର୍ଷର ଭାଗ୍ୟ ନିର୍ଦ୍ଧାରଣ କରାଯାଉଛି ।
ସୁରତ ପାଖରେ କିଛିଲୋକ ଓହ୍ଲାଇଗଲେ । ଅପର୍ଣ୍ଣା ଉଠିପଡ଼ିଲେ ନିଜ ବର୍ଥରୁ ଓ ସ୍ପଞ୍ଜ ହଳକ ଗୋଡ଼ରେ ମଡ଼ାଇ ବାଥରୁମ୍ ଆଡକୁ ଗଲେ ।
ଏବେ ରେଳ ପହଞ୍ଚି ସାରିଛି ଭାଦୋଦରାରେ । ରୁଦ୍ରର ମୋବାଇଲ୍କୁ ଏସ୍ଏମ୍ଏସ୍ ଆସିଛି । ତାକୁ କର୍ଣ୍ଣାବତୀରେ ନ ଓହ୍ଲାଇ ପୋରବନ୍ଦର ଯିବାକୁ ପଡ଼ିବ । ଅର୍ଜେଣ୍ଟ ଅଫିସ୍ କାମ ଓ କ୍ଲାଣ୍ଟ ମିଟିଙ୍ଗ ଅଛି ପୋରବନ୍ଦରରେ । ଟିକେଟ କଣ୍ଡକ୍ଟରକୁ ଖୋଜିଲା ରୁଦ୍ର ଏକ୍ସଟେନ୍ସନ ପାଇଁ । ପୋରବନ୍ଦର ପର୍ଯ୍ୟନ୍ତ ।
କର୍ଣ୍ଣାବତୀ ଷ୍ଟେସନ ପୂର୍ବରୁ ଜିନିଷପତ୍ର ଡୋର ପାଖକୁ ଆଣୁଥିଲେ ଓ ପ୍ଲାଟ୍ଫର୍ମରେ ଗାଡ଼ି ରହିବା କ୍ଷଣି ଓହ୍ଲେଇ ପଡ଼ିଲେ କେଶବ ଓ କାଦମ୍ବିନୀ ହେଗ୍ଡେ ।
ପୁଣି ରେଳ ଚାଲିଲା । କର୍ଣ୍ଣାବତୀରୁ ଭୁଜ । କର୍ଣ୍ଣାବତୀ ଷ୍ଟେସନ୍ ପାର ହେଉ ହେଉ ଆକାଶ ନାଲିବର୍ଣ୍ଣ ଧାରଣ କରିଛି । ସାବରମତୀ ନଦୀର ବ୍ରିଜ୍ ଉପର ଦେଇ ରେଳ ଧୀରେ ଧୀରେ ଗଡୁଛି । ତଳେ ଠା କୁ ଠା ପାଣି ଆଉ ପ୍ରାନ୍ତର ପ୍ରାନ୍ତର ବାଲି । ଏଇ ଚାହିଁଲେ ଏସି କୋଚ୍ର କାଚ ବାଟେ ଦେଖାଯାଉଛି ଆକାଶ ଧୂମାଳ । କଳା କଳା ମେଘର ଆସ୍ତରଣ । ତା’ ସହିତ ଲୋହିତ ରଙ୍ଗର ଆକାଶ ଘନୀଭୂତ ହେଉଛି । ହଠାତ୍ ରେଳ ଟିକିଏ ସାମାନ୍ୟ ଦୋହଲିଗଲା । ଯାତ୍ରୀମାନେ ଭୀତତ୍ରସ୍ତ ହେଲେ । କାହିଁକି ଏମିତି ହେଲା । ନା, ଏମିତି ବେଳେ ବେଳେ ହୁଏ । କିଏ ବେସିନ୍ ପାଖରେ ଦାନ୍ତ ଘଷୁଥିଲା ତ କିଏ ଲ୍ୟାଟ୍ରିନ୍କୁ ଯାଇ ନିତ୍ୟକର୍ମ ସାରୁଥିଲା । କିଛି ଯାତ୍ରୀ ଅତର୍ଚ୍ଛ ମୁଦ୍ରାରେ ଠିଆ ହୋଇଥିଲେ ଲ୍ୟାଟ୍ରିନ୍ ପାଖରେ ଧାଡ଼ି ବାନ୍ଧି । ନାଗା ରେଡ୍ଡୀ ବର୍ଥ ତଳୁ ମୁହଁ ଗଳାଇ ଚପଲ ଖୋଜୁଥିଲା । ଅପର୍ଣ୍ଣା ବର୍ଥ ଉପରେ ବସି ଅସଜଡ଼ା କେଶ ସଜାଡୁଥିଲା । ବାଜି ରାଓ ଓ ଉମର ଅଲ୍ଲି ଚା’ ପିଉ ଥିଲେ । କସ୍ତୁରୀ ପିଠି ପଛପଟେ ଛୋଟ ତକିଆକୁ ଦେଇ ବର୍ଥରେ ପୂରା ଦୁଇଗୋଡ଼କୁ ଲମ୍ବାଇ କ’ଣ କିଛି ଭାବୁଥିଲା । ସେ ଭାବୁଥିବା ବେଳେ ସାବରମତୀ ନଦୀର ଧୂଳିବାଲି ବାୟୁମଣ୍ଡଳରେ ଭଉଁରି କାଟୁଥିଲେ । ବାହାରେ ବୋଧେ ସାମାନ୍ୟ ଧୂଳିଝଡ଼ ହେଉଛି । ପୁଣିଥରେ ରେଳ ଥରି ଉଠିଲା । ଏଇଥର ଯାତ୍ରୀମାନେ ଚିକ୍ରାର କରି ଉଠିଲେ । ରୁଦ୍ର ଚିକ୍ରାର କଲା କମ୍ପାର୍ଟମେଣ୍ଟର ରଡ଼କୁ ଧରି ।
ଭୂକମ୍ପ । ଭୂକମ୍ପ । ରୁଦ୍ର ସାମାନ୍ୟ ଇତସ୍ତତଃ ହୋଇ ଠିଆ ହେଲା । ଏଥର ରେଳ ଅସମମ୍ଭ ଭାବରେ ଥରିବାକୁ ଲାଗିଲା । ଆଟାଚି, ବାକ୍ସ, ବ୍ୟାଗ୍, କାଗଜପେଟି କୋଚ୍ ଭିତରେ ଘୂରିବାକୁ ଲାଗିଲେ । ଅନେକ ଯାତ୍ରୀ ବର୍ଥ ଉପରୁ ତଳକୁ ଖସି ଖଣ୍ଡିଆଖାବରା ହୋଇଗଲେ । ଅପର୍ଣ୍ଣା ନିଜ ଛୋଟଝିଅକୁ ଧରି ଠିକ୍ ଖସିପଡ଼ିଲା ରୁଦ୍ରର ପିଠି ଉପରେ । ରୁଦ୍ର ନଇଁ ପଡି ବାଜି ରାଓର ବୁଢ଼ୀମା’କୁ ତଳୁ ଉଠାଉଥିଲା । ଚାରିଆଡ଼େ ଆର୍ତ୍ତନାଦ ଚିକ୍ରାର । ରକ୍ଷା କର । ରକ୍ଷାକର । ଏଇ ଦୁଃସହ ସମୟ ଥିଲା ଆହୁରି କଠୋର । ହଠାତ୍ ସାବରମତୀର ବ୍ରିଜ୍ ଦୁଇଖଣ୍ଡ ହୋଇ ତଳକୁ ଖସିବାକୁ ଲାଗିଲା ଓ ରେଳଟି ଧୀରେ ଧୀରେ ଥରି ଥରି ପ୍ରଚଣ୍ଡ ଶବ୍ଦ କରି ଓହଳି ପଡ଼ିଲା ବ୍ରିଜ୍ର ଚ୍ୟାନେଲ ଓ ବଡ଼ ବଡ଼ ଆଙ୍ଗଲ ଓ ବିମ୍କୁ ଧରି ସାବରମତୀର ଗର୍ଭକୁ । ରୁଦ୍ର ଅନୁଭବକଲା କର୍ଣ୍ଣାବତୀରୁ ଭୁଜ ପର୍ଯ୍ୟନ୍ତ ପ୍ରଶସ୍ତ ଭୂମି ଯେପରି ଖଣ୍ଡ ଖଣ୍ଡ ହୋଇ ଫାଟି ଯାଉଛି । ଆଈ କୋଳରେ ବସି ଗଲାବେଳେ ରୁଦ୍ର ଶୁଣିଥିଲା ଭୂକମ୍ପ ଉତ୍ପନ୍ନ ହୁଏ ହଲିଗଲେ ବାସୁକିର ଫଣା । ଉଜ୍ଜ୍ୱଳ ଦୁଇମେରୁର ସମସ୍ତ ବିଷୁବ ରେଖା ସହ ସୁପ୍ତ ମହାସାଗର ଓ ପଞ୍ଚ ମହାଦେଶକୁ ମୁଣ୍ଡାଇଥିବା ବାସୁକି ଆଉ ପାରୁନି । କେତେକାଳ ଆଉ ମୁଣ୍ଡାଇଥିବ ମଣିଷ ମନର ପାପ, ସମାଜର ବ୍ୟଭିଚାର, ଅକ୍ଷୌହିଣି ଦୁର୍ନୀତି, ଭ୍ରଷ୍ଟାଚାର କୋଟି କୋଟି ସ୍କାମ୍ ସହ ଦେଶଦ୍ରୋହୀମାନଙ୍କ ଦୁର୍ଗନ୍ଧ ଶବକୁ । ଦୋହଲି ଯାଇଛି ଭୁଜରୁ କଚ୍ଛ ଓ ଅନ୍ଧାର ଦେଇ କର୍ଣ୍ଣାବତୀ । ପୃଥିବୀ ଅଭ୍ୟନ୍ତରରେ ଥିବା ବିଶାଳକାୟ ଟେକ୍ଟୋନିକ୍ ପ୍ଲେଟ୍ ଦ୍ୱୟରେ ସଂଘର୍ଷ ହୋଇଛି । ଗୋଟେ ଆଉ ଗୋଟେ ପ୍ଲେଟ୍ ଉପରେ ଚଢିଯାଇଛି । ସେଇ ଘର୍ଷଣର କେନ୍ଦ୍ରବିନ୍ଦୁରୁ ଉତ୍ପନ୍ନ ହୋଇଛି ଦୁର୍ନୀତିର କମ୍ପନ । ଧ୍ୱଂସର ଆବାହନୀ ସଂଗୀତ । ରିକ୍ଟର ସ୍କେଲରେ ସମ୍ଭବତଃ ଆଠରୁ ବେଶି ହୋଇଥିବ । ରେଳର ଗୋଟେ ରଡ଼ ଧରି ଓହଳି ରହିଛି ରୁଦ୍ର । ସଂଜ୍ଞା ହରାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଅପର୍ଣ୍ଣାର ନିସ୍ତେଜ ଦେହକୁ ଅଟକାଇ ରଖିଛି ନିଜ ଦୁଇ ଗୋଡ଼ରେ । ନାଗା ରେଡ୍ଡୀ ନିଜ ସୁନ୍ଦର ଝିଅକୁ କୋଳରେ ଜାକି କାନ୍ଦୁଛି ଓ ଧୀରେ ଧୀରେ ଖସୁଛି ସାବରମତୀର ଗର୍ଭକୁ । ଉମର ଅଲ୍ଲୀ କିଛି ଯାତ୍ରୀଙ୍କୁ ଉଦ୍ଧାର କରିବାରେ ଲାଗିଛି । ବାଜି ରାଓ ତାକୁ ସାହାଯ୍ୟ କରୁଛି କିନ୍ତୁ ଯେତେ ଯେତେ ସାହାଯ୍ୟ କଲେ ବି ଖରାଦିନିଆ ଆମ୍ବଗଛରୁ ପାଚେଲା ଆମ୍ବ ଖସି ପଡ଼ିଲା ଭଳି ଜଣକ ଜଣକ ପରେ ଆହତ ରକ୍ତାକ୍ତ ସଂଜ୍ଞାହୀନ ଯାତ୍ରୀ ଖସିପଡୁଛନ୍ତି ସାବରମତୀର ଗର୍ଭକୁ ବି୍ରଜ୍ ଓ ଟ୍ରେନ୍ର ଶକ୍ତ ଲୁହା ପିଞ୍ଜରାରେ ନିର୍ମମ ଭାବରେ ପିଟି ହୋଇ ଛିନ୍ଛତ୍ର ହୋଇ, ଖଣ୍ଡ ଖଣ୍ଡ ହୋଇ, ମାଂସ ପିଣ୍ଡୁଳା ହୋଇ ।
ଥରି ଉଠୁଛି ସମଗ୍ର ସାବରମତୀର ଗର୍ଭ, ରେଳ ଓ ବ୍ରିଜ୍ର ଟୁକୁରା ଅଂଶ ସହ, ପୁଣି ଖସି ପଡୁଛନ୍ତି କିଛି ଯାତ୍ରୀ ଲଗେଜ ସହ ତଳକୁ । ଏଥର ସାବରମତୀର ନଦୀ ଗର୍ଭ ଶହେ ଫୁଟ ଅନ୍ତରରେ ଫାଟିଗଲା । କିଛି ଧୁଅାଁ, ପାଣି ଓ ଅାଁ କରିଥିବା ଧର୍ତ୍ତନୀର ଅଭ୍ୟନ୍ତର ଦୃଶ୍ୟମାନ ହେଲା ।
ହିରଣ୍ୟ ଖୋଜୁଛି ହିମାନୀକୁ । ପାଉନି । କସ୍ତୁରୀ ଉପର ବର୍ଥରୁ ତଳକୁ ଆସୁଥିବା ବେଳେ ସିଡିକୁ ଧରି ଲଟକି ଯାଇଛି । କିଛି କମ୍ପାର୍ଟମେଣ୍ଟ ନଦୀଗର୍ଭକୁ ଖସିପଡ଼ିଲାଣି ଧର୍ତ୍ତନୀର ଶହେ ଫୁଟିଆ ଅାଁ ଭିତରେ । କିଛି କମ୍ପାର୍ଟମେଣ୍ଟ ଏବେବି ଥରୁଛି । କିଛି ଯାତ୍ରୀ ଦୁଲଦାଲ ହୋଇ ତଳେ ପଡୁଛନ୍ତି । ଆଉ କିଛି ଚିକ୍ରାର କରୁଛନ୍ତି, ରକ୍ଷା କର, ରକ୍ଷାକର । କେହି କାହାର ଖବର ନେଇପାରୁନି । ସ୍ୱାମୀ ସ୍ତ୍ରୀର, ବାପା ଝିଅର, ପୁଅ ମା’ର । ସମସ୍ତଙ୍କୁ ମୃତୁ୍ୟର ଅଜଗର ପାଟିରେ ଆହାର ହେବା ପାଇଁ ନିଷ୍ଠୁର ନିୟତି ବାଟ କଢ଼େଇ ନେଉଛି । କିଏ କାହାକୁ ଉଦ୍ଧାର କରିବ । କିଏ କାହାକୁ ବଞ୍ଚାଇବ । ସମସ୍ତେ ଆର୍ତ୍ତ ଚିକ୍ରାର କରି ମା’ ଅମ୍ବେକୁ ଡାକୁଛନ୍ତି ।
ଥରି ଯାଇଛି କର୍ଣ୍ଣାବତୀରୁ କଚ୍ଛ ପର୍ଯ୍ୟନ୍ତ ଭୁଜ ଓ ଅଂଜାରର ମାଟି ସମଗ୍ର । ସେଇ ମାଟି ଉପରେ ଠିଆ ହୋଇଥିବା ଘୁଣଖିଆ ଓରା, ଶେଣି ଚୁମିଯାଇଛି ପୃଥିବୀର ମାଟିକୁ । କଂକ୍ରିଟ୍ ଜଙ୍ଗଲ ସବୁ ଚୁରମାର ହୋଇ ବାଲିସ୍ତୂପ ହୋଇଛି । ସାବରମତୀର ଗତିପଥ ବଦଳି ଯାଇଛି । ଦେଶକୁ ସ୍ୱାଧୀନତା ଆଣିଥିବା ମହାତ୍ମାଙ୍କ ଆଶ୍ରମରେ ଥିବା ଶହ ଶହ ବର୍ଷର କଳ୍ପବୃକ୍ଷର ମୁର୍ଦ୍ଧନା ଫାଟି ଯାଇଛି । ମା’ ଅମ୍ବେ, ପ୍ରଭୁ ସିଦେ୍ଧଶ୍ୱର, ସୋମନାଥ ମନ୍ଦିର ଫାଟି ଯାଇଛି । କେଉଁଠି ରାସ୍ତା ଫାଟିଛି ତ କେଉଁଠି ସ୍କୁଲ୍ର ପ୍ରାର୍ଥନା ଚାଲିଥିବା ବେଳେ ସ୍କୁଲ୍ ବିଲ୍ଡିଂ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଦରୋଟି ଭାଷା କହୁଥିବା କୋମଳ ଛାତ୍ରଛାତ୍ରୀଙ୍କ ଜୀବନ ସିମେଣ୍ଟ ବିମ୍, ଛାତ, ଇଟାକାନ୍ଥ ତଳେ ଚାପି ହୋଇ ନିର୍ବାପିତ ହୋଇଯାଇଛି । ସହର, ବଜାର, ସଂକୀର୍ତ୍ତନ ସ୍ଥଳ, ଧର୍ମାଧୀଶ ପୀଠ, ଗାଁ, ଡାକ୍ତରଖାନା, ଅଫିସ୍ ସବୁ ଧ୍ୱଂସ ପାଇଛି । କିଛି ବଞ୍ଚିବା ପାଇଁ ସେଇ ଧ୍ୱଂସ ସ୍ତୂପରୁ ଆର୍ତ୍ତ ଚିକ୍ରାର କରୁଛନ୍ତି । ଟୋପେ ପାଣି ପାଇଁ । ବୁନେ୍ଦ ରକ୍ତ ପାଇଁ । ଔଷଧ ଓ ଇଂଜେକସନ ପାଇଁ । ରୁଦ୍ର ନିଜକୁ ଆବିଷ୍କାର କଲା ହସ୍ପିଟାଲର ବେଡ୍ରେ । ପାଖ ବେଡରେ ଶୋଇଛି ଉମର ଅଲ୍ଲୀ । ତା’ ଶିରାରୁ ରକ୍ତ ଯାଇ ପଶୁଛି ଅପର୍ଣ୍ଣାର ଶରୀରରେ । ଅପର୍ଣ୍ଣାର ସଂଜ୍ଞା ଫେରିନି ।
ଡାକ୍ତର ତା’ ପାଖକୁ ଆସିଲେ । ରୁଦ୍ର କିଛି କହିବାକୁ ଯାଉଥିଲା । ଡାକ୍ତରଙ୍କ ନିଦେ୍ର୍ଦଶରେ ଚୁପ୍ ରହିଲା । ଡାକ୍ତର ପଚାରିଲେ, ତୁମକୁ ଏସିକୋଚ୍ରୁ ଉଦ୍ଧାର କରା ହୋଇଥିଲା । ତୁମେ ରୁଦ୍ର ଦେଶାଇ ନୁହଁ ତ । ତୁମର ଗୋଟେ ହାତ, ଭାଙ୍ଗି ଯାଇଛି । ଆଣ୍ଠୁ ମଝିରେ ଗୋଟେ ଲୁହା ରଡ଼ ପଶିଯାଇଥିଲା । ଷ୍ଟିଚ୍ ପଡ଼ି ବ୍ୟାଣ୍ଡେଜ୍ ହୋଇଛି । ରୁଦ୍ର କହିଲା- ହଁ, ମୁଁ ରୁଦ୍ର ଦେଶାଇ । ତୁମ ସାଥିରେ ହସ୍ପିଟାଲକୁ ଆସିଥିଲେ ଏଇ ମହିଳା ଯାହାଙ୍କୁ ରକ୍ତ ଦିଆଚାଲିଛି । ତାଙ୍କର ପରିଚୟ ପାଇଁ ତୁମକୁ ଖୋଜା ପଡ଼ିପାରେ ।
ସାବରମତୀ ବ୍ରିଜ୍ରୁ ଓହଳି ପଡ଼ିଥିବା ସୋମନାଥ ଏକ୍ସପ୍ରେସ୍ର ଏସିକୋଚ୍ର ରଡକୁ ଧରି ଜୀବନ ରକ୍ଷା କରୁଥିବା ଓ ଅପର୍ଣ୍ଣାର ସଂଜ୍ଞାହୀନ ରକ୍ତାକ୍ତ ଅସାଡ଼ ଦେହଟା ଟ୍ରେନ୍ରୁ ନଦୀଗର୍ଭକୁ ଗଡ଼ିଯାଉଥିବା ବେଳେ ଦୁଇଗୋଡ଼ ସନ୍ଧିରେ ଚାପି ଧରି ଏତେ ସମୟ ସେ କେମିତି ରହିପାରିଥିଲା । କିଛି କମ୍ପାର୍ଟମେଣ୍ଟ ଯାତ୍ରୀ ଓ ଲଗେଜ ସହ ନଦୀ ଗର୍ଭରେ ସୃଷ୍ଟି ହୋଇଥିବା ଶହେ ଫୁଟିଆ ଧର୍ତ୍ତନୀର ଅାଁ ଭିତରେ ସଲିଳ ସମାଧି ନେଇଥିବେ । ରୁଦ୍ରର କିଛି ମନେ ନଥିଲା । ତା’ପରେ କ’ଣ ହେଲା । ସଂଜ୍ଞା ହରାଇ ଆସୁଥିବା ରୁଦ୍ରକୁ ଉଦ୍ଧାର କରିଥିଲେ ବିପର୍ଯ୍ୟୟ ପ୍ରଶମନର ସାହସୀ ସୈନିକମାନେ ।
ଏବେ କ’ଣ କେଶବ ଖୋଜୁଥିବ ନିଜ ଯୁବତୀ ପତ୍ନୀକୁ । ଆପାର୍ଟମେଣ୍ଟର ଭଗ୍ନସ୍ତୂପରୁ କାଦମ୍ବିନୀ ଖୋଜୁଥିବ ନିଜ ବୃଦ୍ଧ ବାପ ମାଆଙ୍କୁ, ଅନୁଢ଼ା ଭଉଣୀମାନଙ୍କୁ । ବିଦ୍ୟାଳୟ ଛାତର ନିର୍ମମ ଲୁହା ସିମେଣ୍ଟର ଚାଦର ତଳେ ପେଷି ହୋଇଯାଇଥିବା ନିଜ ପୁଅଝିଅଙ୍କ କୋମଳ ଶରୀରର ଟୁକୁଡ଼ାମାନଙ୍କୁ । ମିଳୁ କି ନ ମିଳୁ କେଶବର ପତ୍ନୀ କାନ୍ଦି କାନ୍ଦି ଖୋଜି ଚାଲିଥିବ । ଟିକେ ଟିକେ କଥାରେ ହସୁଥିବା କାଦମ୍ବିନୀର ଅଧରରେ ଆଉ ଖେଳୁନଥିବ ନର୍ମଦାର ଢେଉ । କାଦମ୍ବିନୀ ଆଖିରୁ ଲୁହ ଗଡ଼ାଇ ଭାବୁଥିବ, ଭୂକମ୍ପ ହେବାର ଥିଲା । ବିଧିନିର୍ଦ୍ଦିଷ୍ଟ । ମଣିଷର ବିଜ୍ଞାନୀ ଆଖି ସହ ଲୁଚକାଳି ଖେଳି ଜିତିଗଲା ଭୂକମ୍ପ । କର୍ଣ୍ଣାବତୀର ସମସ୍ତ ମନ୍ଦିରରେ ଦେବଦେବୀ ଥିଲେ ଅସନ୍ତୁଷ୍ଟ । ସାଇବର କ୍ରାଇମ୍ ବଣ ରାଜ୍ୟର ମନ୍ତ୍ରୀ ବୁଝି ପାରୁନଥିଲେ । ରାଜରାସ୍ତାରେ କୁଢ଼ କୁଢ଼ ସ୍କାମ୍ ଗୁଡାକୁ ପରିଷ୍କାର କରିବା ପୂର୍ବରୁ ଚୋକ୍ ହୋଇଥିବା ସ୍କାମ୍ ନର୍ଦ୍ଦମାର ଦୁର୍ଗନ୍ଧ କଳା କଳା ତରଳ ପଦାର୍ଥ ଭଳି ଉବୁକି ଉଠି ଆସୁଥିଲା ପୁଣି ନୂଆ ନୂଆ ଆଶ୍ଚର୍ଯ୍ୟାନ୍ୱିତ ସ୍କାମ୍ର ପରିବର୍ଦ୍ଧିତ ସଂସ୍କରଣ ନେଇ । ଏଠି ବଜରଙ୍ଗ, ମା’ ଅମ୍ବେ, ସୋମନାଥ, ରଘୁପତି କିମ୍ବା ଜାରାଶବରର ଶରାଘାତରେ ଆହତ ଶ୍ରୀକୃଷ୍ଣ ସମସ୍ତଙ୍କୁ ଚକ୍ମା ଦେଇ ଭୂକମ୍ପ କିଛିକ୍ଷଣ ପାଇଁ ଘନୀଭୂତ ହୋଇ ବିସ୍ତାରି ଯାଇଥିଲା । ଖଣ୍ଡ ମଣ୍ଡଳ ଥରିଥିଲା, କୋଠାବାଡ଼ି, ସ୍କୁଲ୍, ଅଫିସ୍, ମନ୍ଦିର ମୁଖଶାଳା, ମସ୍ଜିଦର ଚଟାଣ ଓ ଗୀର୍ଜାର ଗବାକ୍ଷ ।
ଏଠି କିଏ କାହାକୁ ଖୋଜୁଛି । ଖୋଜିଲେ ବି ମା’ ପାଉନି ପୁଅକୁ । ପୁଅ ପାଉନି ବାପାକୁ । ବାପା ପାଉନି ଝିଅକୁ । ଝିଅ ପାଉନି ମା’କୁ । କୁଢ଼ କୁଢ଼ ଶବର ସ୍ତୂପୀକୃତ ଥାକରେ ଖାଲି ଖୋଜା ଚାଲିଛି ସମ୍ପର୍କୀୟମାନଙ୍କୁ । ଜେସିବି ଲଗାଇ କଢ଼ା ଚାଲିଛି ଧ୍ୱଂସସ୍ତୂପରୁ ଇଟା, ସିମେଣ୍ଟ ଓ ଲୁହାର ଭଗ୍ନ ଛାତ, ଅଧାଭଙ୍ଗା କାନ୍ଥ । ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପାଉଛନ୍ତି କିଛି ଆହତ ମଣିଷ । ହସ୍ପିଟାଲରେ ବେଡର ଅଭାବ ରହୁଛି । ସୈନ୍ୟ ବିଭାଗର ହେଲିକପ୍ଟର ଆକାଶରେ, ସହରର ରାସ୍ତା ଓ ଗଳିରେ ଦମକଳ ଗାଡ଼ି, ଆମ୍ବୁଲାନ୍ସ, ପୋଲିସ ଭ୍ୟାନ୍ ଓ ଖଦଡ଼ ପିନ୍ଧା ନେତାଙ୍କ ଅସରନ୍ତି ଭିଡ଼ । ବଜରଙ୍ଗ ସେବାଶ୍ରମ ଓ ଶ୍ରୀରାମ ବାହିନୀର ଛୋଟ ଛୋଟ ଡାଲା ଟ୍ରକ୍ରେ ଖାଦ୍ୟ ପୁଡ଼ିଆ, ପ୍ରାଥମିକ ସେବା ପାଇଁ ଔଷଧ ଇଂଜେକସନ୍, ପାଣିବୋତଲ, କିଛି ନର୍ସ ଡାକ୍ତର ଦିନରାତି ଚବିଶ ଘଣ୍ଟା ସହର ସାରା ବୁଲି ବୁଲି ଗଳିକୁ ଗଳି ଅନୁଧ୍ୟାନ କରୁଛନ୍ତି ଘରକୁ ଘର ଖୋଜିଖୋଜି ମୃତାହତ ମଣିଷମାନଙ୍କୁ ଉଠାଉଛନ୍ତି ଓ ବୋହି ନେଉଛନ୍ତି ହସ୍ପିଟାଲ ପର୍ଯ୍ୟନ୍ତ । ପରିଚୟପତ୍ର ଖୋଜୁଛନ୍ତି । ମର୍ଗ ଗୃହରେ ଆଉ ଜାଗା ନାହିଁ । ତଳେ ଶୁଆଇ ଦେଇଛନ୍ତି ଶବମାନଙ୍କୁ ଧଳା ଲୁଗା ଘୋଡ଼ାଇ ଦେଇ । ଦଳ ଦଳ ହୋଇ କୋହର ଲୁହର ଦୁଃଖର ଚାଦର ଘୋଡ଼ି ହୋଇ ଖୋଜି ଚାଲିଛନ୍ତି । କାହାକୁ ପାଉଛନ୍ତି ତ କାହାକୁ ପାଉନାହାନ୍ତି । ହସ୍ପିଟାଲରୁ ହସ୍ପିଟାଲ ବୁଲୁଛନ୍ତି । କେଉଁଠି ଖୋଜିବେ । ସବୁଠି ଧ୍ୱଂସଲୀଳା । ଭାଦୋଦ୍ରାର କର୍ଣ୍ଣାବତୀ, କର୍ଣ୍ଣାବତୀର ଅଂଜାର, କଚ୍ଛ, ଭୁଜ ଓ ସୋମନାଥରୁ ପୋରବନ୍ଦର । ସବୁଠି ଶୋକାକୁଳ ପରିବେଶ ।
ଭୂକମ୍ପ ସମୟରେ ରୂପା, ଋତିକ ଓ ରୁଚିକା ଡୁପ୍ଲେକ୍ସରୁ ତଳ ଲନ୍କୁ ଚାଲିଆସିଥିଲେ । ତାଙ୍କ ସାମ୍ନାରେ ଡୁପ୍ଲେକ୍ସର ବାଲ୍କୋନି ଫାଟି ଯାଇ ତଳେ ଖସିପଡ଼ିଥିଲା । ସେମାନେ ଗୋଟେ ବଜରଙ୍ଗ ବାହିନୀ ଗାଡ଼ିରେ ପହଞ୍ଚିଥିଲେ ହସ୍ପିଟାଲରେ । ଦୁଇ ତିନୋଟି ହସ୍ପିଟାଲ ଖୋଜିବା ପରେ ରୁଦ୍ରକୁ ପାଇଥିଲେ । ରୁଦ୍ର ଶଯ୍ୟାଶାୟୀ । ପାଖରେ ରୂପା ଆଉ ପୁଅଝିଅ । ରୂପା ଆଖିରୁ ଲୁହ ଶୁଖୁ ନଥିଲା । କିନ୍ତୁ ଧ୍ୱଂସାବଶେଷର ପାଉଁଶ ତଳୁ ସେ ଖୋଜି ପାଇଛି ନିଜ ସ୍ୱାମୀକୁ । ରୁଦ୍ର ଦେଶାଇକୁ ।
ଡାକ୍ତର ଆସିଥିଲେ ଓ କହିଥିଲେ ସେଇ ସ୍ତ୍ରୀ ଲୋକଟିକୁ ରକ୍ତ ଦେଲା ପରେ ତା’ର ସଂଜ୍ଞା ଫେରିଆସିଛି । ତମେ ହ୍ୱିଲ୍ ଚେୟାରରେ ବସି ତାଙ୍କ ବେଡ୍ ପାଖକୁ ଯିବାକୁ ହେବ । ସେ ତମକୁ କିଛି କହିବାକୁ ଚାହୁଁଛନ୍ତି । ରୁଦ୍ରର ଦୃଢ଼ ମାନସିକତା ନଥିଲା ଅପର୍ଣ୍ଣା ପାଖକୁ ଯିବାକୁ ତଥାପି ବଜରଙ୍ଗ ସଦସ୍ୟଙ୍କ ସହାୟତାରେ ସେ ଅପର୍ଣ୍ଣା ପାଖକୁ ଗଲା । ଅପର୍ଣ୍ଣାକୁ ଚାହିଁଲା । ପାଖରେ ଶୋଇଥିଲା ଉମର ଅଲ୍ଲୀ ଯିଏ ନିଜ ଦେହର ଅଧାରୁ ଅଧିକ ରକ୍ତ ଦେଇ ବଞ୍ଚାଇ ଦେଇଛି ଅପର୍ଣ୍ଣାକୁ । ଅପର୍ଣ୍ଣା ଆଖିରେ ଲୁହ । ରୁଦ୍ରକୁ ପଚାରିଲା : ସିଏ କୁଆଡ଼େ ଗଲେ ଆଉ ମୋ ଝିଅ ।
ରୁଦ୍ର ଜାଣିନି ବା ଦେଖିନି ବୋଲି କହିପାରିଲାନି । ଉମର ଅଲ୍ଲୀ ରୁଦ୍ରକୁ ପାଖକୁ ଡାକି କାନ ପାଖରେ ଫିସ୍ଫିସ୍ କରି କହିଲେ : ଜାଣିଥିଲେ ବି ଏବେ କୁହନି । ତୁମର ଯଦି କେହି ଆତ୍ମୀୟ ଆସିଛନ୍ତି ତେବେ ତାଙ୍କ ସାଥିରେ ଯାଇ ହସ୍ପିଟାଲରେ ଖୋଜ ।
ହଁ, ମୋର ପତ୍ନୀ ରୂପା ପାଖରେ ଅଛି । ମୁଁ ଅପର୍ଣ୍ଣା ପାଖରେ ରୂପାକୁ ଛାଡ଼ି ଦେଇଯାଉଛି । ପୁଅର ସାହାରାରେ ହ୍ୱିଲ ଚେୟାରରେ ବସି ଖୋଜିବି ନାଗା ରେଡ୍ଡୀକୁ ଓ ତା’ର କୁନି ଝିଅକୁ ।
ହଲ୍ ଯାକ ପଡ଼ିଛି ବେଡ୍ । ହଲ୍ ଅଧାରେ ସେ ଦେଖିପାରିଲା ବାଜିରାଓକୁ । ବାଜି ରାଓ ମୁଣ୍ଡରେ ମଲ୍ଟିଷ୍ଟିଚ୍ ହୋଇ ଖାଲି ଆଖି ଦୁଇଟି ଦେଖାଯାଉଛି । ତଥାପି ବାଜି ରାଓ ତାକୁ ଚିହ୍ନି ପାରିଲା ଓ କହିଲା : ବୁଢ଼ୀ ମାଆକୁ ପାଇଲିନି । ଶବର ଟୁକୁଡ଼ା ଅଂଶଟିଏ ବି ପାଇଲିନି । ଆଖି ଜକେଇବା ପାଇଁ ଆଉ ଲୁହ ନଥିଲା । ସେ ପୁଣି ଦେଖେଇଦେଲା ଆଉ ଗୋଟେ ବେଡ୍କୁ ଯେଉଁଠି ଆର୍ଏସି ଟିକେଟର ଯାତ୍ରୀ କସ୍ତୁରୀ ମାତୋଣ୍ଡକର ଶୋଇଥିଲା । ଭେଣ୍ଟିଲେଟର, ଅକ୍ସିଜେନ୍, ସାଲାଇନ୍, ବ୍ଲଡ୍ ସବୁ ଦିଆଚାଲିଛି । କସ୍ତୁରୀକୁ ଉଦ୍ଧାର କରା ହୋଇଥିଲା କମ୍ପାର୍ଟମେଣ୍ଟକୁ ଗ୍ୟାସ୍ କଟରରେ କାଟି କାଟି । ସେତେବେଳେ ବିପର୍ଯ୍ୟସ୍ତ ପ୍ରଶମନ ସଦସ୍ୟମାନେ ଭାବିନେଇଥିଲେ କସ୍ତୁରୀ ଆଉ ନାହିଁ । ତଥାପି ହସପିଟାଲରେ ପହଞ୍ଚାଇସାରିଲା ପରେ ଡାକ୍ତର ପରୀକ୍ଷା କରିଥିଲେ ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିଦେଇଥିଲେ । କସ୍ତୁରୀର ଭ୍ୟାନିଟ୍ ବ୍ୟାଗ୍ରୁ ତା’ର ପରିଚୟ ମିଳିଥିଲା । ସେ ଅଂଜାରରେ ରହୁଥିଲା ଓ ପ୍ରାୟ ମୁମ୍ବାଇ କିମ୍ବା ଭାଦୋଦ୍ରା ଯାଉଥିଲା ମଡେଲିଂ କରିବାକୁ, ର୍ୟାମ୍ପ ସୋ’ରେ ଯୋଗଦେବାକୁ କିମ୍ବା ଫିଲ୍ମ ପାଇଁ ଫଟୋ ସେସନ ଦେବାକୁ କିମ୍ବା ଛୋଟ ମୋଟ ଲିପ୍ଷ୍ଟିକ୍, ସାବୁନ ଓ ଅତରର ପ୍ରଚାର ପାଇଁ ଟିଭି କ୍ଲିପିଂ ଦେବାକୁ ।
ରୁଦ୍ର ହସ୍ପିଟାଲ ବାରଣ୍ଡାକୁ ଆସିଲା । ସାଙ୍ଗରେ ପୁଅ ଋତିକ । ଅଂଜାରରେ ଓହ୍ଲାଇବାର ଥିଲା ହିରଣ୍ୟ ଓ ହିମାନିର । ହସ୍ପିଟାଲ ବାରଣ୍ଡାରେ ମୁହଁ ତଳକୁ ପୋତି ବସିଛି ହିରଣ୍ୟ । ରୁଦ୍ର ହିରଣ୍ୟର କାନ୍ଧରେ ହାତ ରଖିଲା । ହିରଣ୍ୟ ରୁଦ୍ରକୁ ଚାହିଁଲା । ରୁଦ୍ରର ଦୁଇ ହାତ ପାପୁଲି ମଝିରେ ମୁହଁ ରଖି ପିଲାଙ୍କ ଭଳି କାନ୍ଦିଲା । ଆଖିରେ ଆଉ ତା’ର ଲୁହ ନଥିଲା । କହୁଥିଲା : କର୍ଣ୍ଣାବତୀରେ ସମ୍ପର୍କୀୟମାନଙ୍କୁ ଖବର ପଠାଇଛି । ସେମାନେ ଆସିଲେ ହିମାନିର ଶବ ସଂସ୍କାର କରିବି ଏଇ ସାବରମତୀ ନଈର କୂଳେ । ହିରଣ୍ୟର ହାତରେ ଓ ମୁଣ୍ଡରେ ବ୍ୟାଣ୍ଡେଜ୍ । ହିମାନୀର ଶବକୁ ଦେଖିବାକୁ ଇଚ୍ଛା ହେଲା ରୁଦ୍ରର । ତେବେ ସେ ହିରଣ୍ୟକୁ ଦୁଃଖଲୋତକ ଭରା ମୁହଁରେ ଚାହିଁଲା । ହିରଣ୍ୟ ଦେଖାଇଦେଲା ଧଳା ଲୁଗା ଘୋଡ଼ାଇ ହୋଇ ହସ୍ପିଟାଲର ସବୁଜ ଘାସ ଲନ୍ରେ ଥୁଆ ହୋଇଥିବା ବସ୍ତୁ ଆଡ଼କୁ । ରୁଦ୍ର ସାହସ କରିପାରିଲାନି ଯିବାକୁ । ଶେଷଥର ପାଇଁ ଟ୍ରେନ୍ର ସହଯାତ୍ରୀ ହିମାନୀକୁ ଦେଖିବାକୁ । ତା’ର ଆତ୍ମାର ସଦ୍ଗତି ପାଇଁ ସେ ସେଇଠି ପ୍ରଣାମ ଜଣାଇଲା ଓ ହିରଣ୍ୟର ପିଠିକୁ ଟିକେ ଆଉଁଶି ଦେଇ ଆଗେଇ ଚାଲିଲା ପୁଅ ସାଥିରେ । ମର୍ଗଗୃହରେ ପହଞ୍ଚିଲା ପରେ ଆଟେଣ୍ଡାଣ୍ଟ ଖୋଲି ଚାଲିଥାଏ ଆୟତାକାର ବକ୍ସ ଓ ତା’ ମୁହଁକୁ ଚାହୁଁଥାଏ । ରୁଦ୍ର ନ ପାଇ ଫେରିଆସିଲା ଉମର ଅଲ୍ଲୀ ପାଖକୁ । ଆସିବା ବାଟରେ ଦେଖିଲା କସ୍ତୁରୀକୁ ବେଡ୍ ଉପରୁ ଓହ୍ଲାଇ ତଳେ ଶୁଆଇ ଦିଆ ହୋଇଛି ଓ ଧଳା ଲୁଗାଟିଏ ତା’ ଉପରେ ଘୋଡ଼ାଇ ଦେବା ପାଇଁ ଆଟେଣ୍ଡାଣ୍ଟ ହାତରେ ଧରିଛି । ସିଏ ବାଟରେ ବାଜି ରାଓ ଆଡେ ଚାହିଁଲା ଓ ପାଖକୁ ଯାଇକହିଲା : ପାଇଲିନି, ନାଗା ରେଡ୍ଡୀ ଓ ତା’ ଝିଅକୁ । ହିରଣ୍ୟ କାନ୍ଦୁଥିଲା । ହିମାନୀ ତାକୁ ଛାଡ଼ି ଚାଲିଗଲା । ଏଇ ଆସୁ ଆସୁ ଦେଖିଲି କସ୍ତୁରୀକୁ ଧଳା ଲୁଗାରେ ଢାଙ୍କି ଦିଆ ହେଉଛି । ବାଜି ରାଓ ରୁଦ୍ରର ହାତ ପାପୁଲିକୁ ଧରିଲା ଓ କଇଁ କଇଁ ହୋଇ କାନ୍ଦିଲା । ହେଲେ କାନ୍ଦିବାକୁ ତା’ ଆଖିରୁ ଜମାରୁ ଲୁହ ନଥିଲା ।
ଉମର ଅଲ୍ଲୀ ଆଡେ ଚାହିଁଲେ ରୁଦ୍ର । ରୁଦ୍ର କିଛି କହିପାରୁନି । କ’ଣ କହିବ ସେ ଅପର୍ଣ୍ଣାକୁ । ଅପର୍ଣ୍ଣାକୁ କହିବ, ନା ପାଇଲିନି । ଆହୁରି ଖୋଜିଲେ ହୁଏତ ମିଳିପାରନ୍ତା । ଅନ୍ୟ କେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥାଇପାରନ୍ତି । ମିସିଂ ସ୍କ୍ୱାଡ୍କୁ କହିବାକୁ ପଡ଼ିବ । ନାଗା ରେଡ୍ଡୀ, କେମିକାଲ ଇଂଜିନିୟର, ସିମେଣ୍ଟ କମ୍ପାନୀ, କଚ୍ଛ, ଗୁଜରାଟ । ରୂପା ଅପର୍ଣ୍ଣା ପାଖରେ ବସିଛି । ତା’ର ମୁଣ୍ଡକୁ ଆଉଁଶି ଦେଉଛି । ଆଖିରୁ ଲୁହ ପୋଛି ଦେଉଛି । ଯେମିତି କୋଉ କାଳର ନିବିଡ଼ତାରେ ସେ ବାନ୍ଧି ହୋଇଯାଇଛି । ଦୁଇଦିନ ପରେ ହସ୍ପିଟାଲରୁ ସିଏ ଅପର୍ଣ୍ଣାକୁ ବୁଝାଇସୁଝାଇ ନିଜ ଘରକୁ ଆଣିଥିଲା । ରୂପା ବି ବୁଝାଇଥିଲା ଅପର୍ଣ୍ଣାକୁ । ଘର ଲୋକକୁ ଖବର ଦିଆ ହୋଇଛି । ସେମାନେ ପହଞ୍ଚିଯିବେ । ଆଉ ତାକୁ ଏକୁଟିଆ ଲାଗିବନି । ସେମାନେ ସୁରସାଗର ହ୍ରଦର ଚନ୍ଦନ ତାଲାବକୁ ଲାଗିଥିବା ଡୁପ୍ଲେକ୍ସକୁ ଚାଲିଯାଇଥିଲେ ଅପର୍ଣ୍ଣାକୁ ସାଥିରେ ଧରି । ରୂପା ଅପର୍ଣ୍ଣାକୁ ନେଇ ହସ୍ପିଟାଲରୁ ହସ୍ପିଟାଲ, ଆଶ୍ରୟସ୍ଥଳୀରୁ ଆଶ୍ରୟସ୍ଥଳୀ, ମିସିଙ୍ଗ୍ ସ୍କ୍ୱାଡ୍ ୟୁନିଟ୍, ପୋଲିସ ଷ୍ଟେସନ ସବୁ ଖୋଜିଲା ପରେ ଫେସ୍ବୁକ୍ରେ ନାଗା ରେଡ୍ଡୀ ଓ ତା କୁନି ଝିଅର ଫଟୋ ସ୍କାନିଙ୍ଗ୍ କରି ଅପଲୋଡ୍ କରାହେଲା । ଟିଭି ନିଉଜ୍ ଚାନେଲ୍, ରେଡିଓ, ସମସ୍ତ ବଡ଼ ବଡ଼ ଖବରକାଗଜକୁ ଦିଆଗଲା । କୋଉଠୁ କିଛି ଫିଡ୍ବ୍ୟାକ୍ ଆସିଲାନି ।
ଅପର୍ଣ୍ଣାର ପରିବାର ରାଉରକେଲାରୁ ଆସିଥିଲେ । ସମସ୍ତ ଚେଷ୍ଟା କଲା ପରେ ସ୍ୱାମୀର କି ଝିଅର କିଛି ଖବର ମିଳୁନି ।
ରୁଦ୍ର ହସ୍ପିଟାଲକୁ ପୁଅ ସାଥିରେ ବ୍ୟାଣ୍ଡେଜ୍ ଖୋଲିବାକୁ ଯାଇଥିଲା, ସେଠି ଭେଟହେଲେ କେଶବ ଓ କାଦମ୍ବିନୀ ହେଗ୍ଡେ । ରୁଦ୍ର ସବୁ ଦୁଃଖ କଥା ସେମାନଙ୍କୁ କହିଲା । କାଦମ୍ବିନୀ ଭ୍ୟାନିଟ୍ ବ୍ୟାଗ୍ରୁ କେତେଖଣ୍ଡ କାଗଜ ବାହାର କରି ରୁଦ୍ର ଆଡକୁ ବଢ଼ାଇଦେଲା । କେଶବ ରୁଦ୍ର ହାତରୁ ସେଇ କାଗଜତକ କାଦମ୍ବିନୀର ଭ୍ୟାନିଟ୍ ବ୍ୟାଗ୍ରେ ପୁଣି ରଖିଦେଲା । ଏଇ ଭୂକମ୍ପ ପରେ କାଦମ୍ବିନୀ ମୂକ ହୋଇଯାଇଛି । ସ୍ଥବିର ହୋଇଯାଇଛି । ତା’ ପାଟିରୁ ଆଉ କଥା ବାହାରୁନି । ଓଠରେ ଲହଡ଼ି ଭାଙ୍ଗୁନି ନର୍ମଦାର ଢ଼େଉ କେବଳ ଅଛି ହୋୟାଂହୋର ଶୋକାତୁର । ଦୁଃଖ । ହେବନି କି? ହରେଇ ଦେଇଛି ପୁଅ ଝିଅ ବାପା ମାଆ ଭାଇଭଉଣୀ ସମସ୍ତଙ୍କୁ । ସମସ୍ତଙ୍କ ଡେଥ୍ ସାର୍ଟିଫିକେଟ୍ ତକ ତା’ ଭ୍ୟାନିଟ୍ ବ୍ୟାଗ୍ରେ । କେଶବ ମୁହଁ ଶୁଖେଇ କାଦମ୍ବିନୀର ହାତ ଧରି ଚାଲିଗଲା । ଉମର ଅଲ୍ଲୀ କ’ଣ କହିବାକୁ ଚାହୁଁଥିଲା ତାକୁ ହେଲେ ଅପର୍ଣ୍ଣା ସାମ୍ନାରେ କହିପାରିନଥିଲା । ତେବେ ଉମର ଅଲ୍ଲୀ କ’ଣ ଏପର୍ଯ୍ୟନ୍ତ ହସ୍ପିଟାଲରେ ଥିବ । ତଥାପି ରୁଦ୍ର ସେଇ ହସ୍ପିଟାଲକୁ ଗଲା । ସତରେ ବଜରଙ୍ଗ ସେବାଶ୍ରମକୁ ଲାଗି ଆଉ ଗୋଟେ କୁଟୀର ତମ୍ବୁରେ ବନା ହୋଇଥିଲା । ଉମର ଅଲ୍ଲୀ ଗୋଟେ ଟିଣ ଚେୟାରରେ ବସି ନାଲି ଚା’ ପିଉଥିଲା । ରୁଦ୍ରକୁ ଦେଖି ଉଠିଆସିଲା ଓ କୁଣ୍ଢାଇ ପକାଇଲା ଭଳି କହିପକାଇଲା : ଆରେ ଦୋସ୍ତ, ମେରା ଭୈୟା, କୈସେ ହୋ । ଉମର ଅଲ୍ଲୀ ନିଜ କର୍ମଚାରୀଙ୍କୁ ଲଗାଇ ଦେଇଛି ଭୂକମ୍ପ ପ୍ରପୀଡ଼ିତ ଲୋକଙ୍କ ସେବାରେ, ଚିକିତ୍ସାରେ, ଘର ତୋଳିବାରେ, ତମ୍ବୁ ବନାଇ ଆଶ୍ରୟ ଦେବାର, ଖାଦ୍ୟ ରାନ୍ଧି ଘର ଘର ବୁଲି ବାଣ୍ଟିବାରେ । ରୁଦ୍ର ଉମର ଅଲ୍ଲୀ ଆଡ଼େ ବିନୟ ଦୃଷ୍ଟିରେ ଚାହିଁଲା : କେତେ ସ୍ୱପ୍ନ ଦେଖିଥିଲା ଅପର୍ଣ୍ଣା ନିଜ ସ୍ୱାମୀ ଓ କୁନିଝିଅକୁ ନେଇ । ଯଦି ଜାଣିଚ, ତେବେ କୁହ । ଉମର ଅଲ୍ଲୀ ରୁଦ୍ରର ହାତଧରି ଆଲ୍ଲା କୁଟୀର ପଛ ଆଡକୁ ନେଇଗଲା : ଦେଖିଛ ଭୂକମ୍ପରେ କେମିତି ବ୍ରିଜ୍ ଥରୁଥିଲା ଓ ଗୋଟେ ନିଷ୍ପ୍ରାଣ ଟ୍ରେନ୍ରୁ ଖସିପଡ଼ୁଥିଲେ ଜିଅଁନ୍ତା ମଣିଷଗୁଡ଼ା । କାହାର ପୁଅ କି ଝିଅ କି ନାତି କି ନାତୁଣୀ କିି ବାପା କି ମା’ କି ସ୍ୱାମୀ କି ସ୍ତ୍ରୀ । କିଏ ଜାଣିଛି । ଏମିତି ଟପ୍ଟାପ୍ ଖସିପଡ଼ୁଥିଲେ ଭୂକମ୍ପର ମୁନିଆ ଦାନ୍ତରେ ବିଦାରିତ ହୋଇଥିବା ସାବରମତୀ ନଦୀ ଗର୍ଭର ଶହେ ଫୁଟିଆ ଓସାରର ଅାଁ ଭିତରକୁ । ଅାଁ ଭିତରେ ଖୋଲି ଧୂଅାଁ, ନିଅାଁ, ପାଣି । ସେଇ ଅାଁ ଭିତରକୁ ସିଧା ଖସିପଡ଼ିଲା ନିଜ କୁନିଝିଅକୁ ଧରି ନାଗା ରେଡ୍ଡୀ । ଖସିବା ପୂର୍ବରୁ ଡାକିଥିଲା, ଅପର୍ଣ୍ଣା, ଅପର୍ଣ୍ଣା ।
ରୁଦ୍ର ଉମର ଅଲ୍ଲୀକୁ କୁଣ୍ଢାଇ ପକାଇ କହିଲା ତମେ ଦେଖିଛ । ସତରେ ଦେଖିଛ ।
ଉମର ଅଲ୍ଲୀ ଆଖି ଛୁଇଁଲା । ମକା ମଦିନା ଆଡକୁ ଚାହିଁ ଆଲ୍ଲାଙ୍କ ଶପଥ ନେଲା : ମୋରି ଆଖି ଆଗରେ । ହେ ଆଲ୍ଲା ।
ଅପର୍ଣ୍ଣାର ଜୀବନ ବଞ୍ଚାଇବାକୁ ମୋ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ କରିଗଲା । ସେଇ ଖୁସିରେ ମୁଁ ଆତ୍ମହରା । ଯାହାର ହେଉ ଜଣକ ଜୀବନ ତ ବଞ୍ଚାଇ ପାରିଲି । ରୁଦ୍ର ଘରକୁ ଫେରିଆସିଲା । ଅନୁରୋଧ କଲା କର୍ଣ୍ଣାବତୀ ଛାଡ଼ିବା ପୂର୍ବରୁ ଉମର ଭାଇ ମୋ ଘରକୁ ଥରେ ଆସିବ । ଅପର୍ଣ୍ଣା ଫେରିନଥିଲେ ତାକୁ ଦେଖି କରି ଯିବ । ଏବେ ଅପର୍ଣ୍ଣା ମୋ ପାଖରେ ଅଛି । ତା’ ପରିବାର ଲୋକ ରାଉରକେଲାରୁ ପହଞ୍ଚିଗଲେଣି ତାକୁ ନେଇଯିବା ପାଇଁ । ହେଲେ ସେମାନେ ଏବେ ବି ନାଗା ରେଡ୍ଡି ଓ କୁନି ଝିଅକୁ ଖୋଜୁଛନ୍ତି । ସେମାନଙ୍କୁ ପାଇଲା ପରେ ଫେରିଯିବେ ।
ଅପର୍ଣ୍ଣାକୁ କହି ହେଉନି ଏଇ ନିର୍ମମ ସତ୍ୟ । ଯାହା ସଦାବେଳେ ସଂପୂର୍ଣ୍ଣ ସତ୍ୟ । ଅପର୍ଣ୍ଣା ପଚାରୁଛି ସଦାବେଳେ । ସବୁ ମୁହୂର୍ତ୍ତରେ କିଛି ଉତ୍ତର ପାଇଁ ରୁଦ୍ର ମୁହଁକୁ ଚାହୁଁଛି । ଅପର୍ଣ୍ଣାକୁ ଦେଖିଲେ ରୁଦ୍ର ଅସହାୟ ହୋଇଯାଉଛି । କିଛି କହିପାରୁନି ।
ଉମର ଅଲ୍ଲୀ ଆସିଥିଲେ ରୁଦ୍ର ପାଖକୁ । ଅପର୍ଣ୍ଣାକୁ ଦେଖିଲେ । ପଚାରିଲେ : ବେଟି, ସବୁ ଦୁଃଖ ଭୁଲିଯା ।
ଅପର୍ଣ୍ଣା ହତାଶ ସ୍ୱରରେ କହିଲା : ନାଗାରେଡ୍ଡି ଆଉ କୁନି ଝିଅକୁ ପାଇଲା ପରେ କର୍ଣ୍ଣାବତୀରୁ କଚ୍ଛ ଯିବି ଓ ସେଠୁ ଫେରିଯିବି ରାଉରକେଲା ।
ଉମର ଅଲ୍ଲୀ ରୁଦ୍ର ଆଡକୁ ପ୍ରଶ୍ନିଳ ଦୃଷ୍ଟିରେ ସେମିତି ଚାହିଁ ରହିଥିଲେ ।