ସତ୍ୟଯୁଗର ଏ କାହାଣୀକୁ ଆମେ ବର୍ତ୍ତମାନ ପରିପ୍ରେକ୍ଷୀରେ ଉପହାସ କରିପାରୁ । ତଥାପି ସାବିତ୍ରୀ ପରି ଜଣେ ଅସାମାନ୍ୟା ନାରୀଙ୍କର ଏ ଯେଉଁ ନିଷ୍ଠା, ତ୍ୟାଗ, ସତ୍ୟାନୁରାଗ ଓ ପାତିବ୍ରତ୍ୟ ଆମର ଏ ଯୁଗ କାହିଁକି, ଆଗାମୀ ଅନିଶ୍ଚିତ ଦିନଗୁହିକ ପାଇଁ ଏକ ଆଦର୍ଶ ହୋଇ ରହିବା ସଂଗେ ସଂଗେ ଭାରତୀୟ ନାରୀ ସମାଜର ହୃଦୟ-ତନ୍ତ୍ରୀରେ ତାଙ୍କ ବାଣୀ ଅନୁରଣିତ ହେବ ।
ପଞ୍ଚକନ୍ୟା : ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ ଓ ମନେ୍ଦାଦରୀ ପ୍ରଭୃତି ପୁରାଣ-ପ୍ରସିଦ୍ଧା ନାରୀମାନଙ୍କର ‘ସତୀ’ ତାଲିକାରେ ନାମ ସଂରକ୍ଷିତ । ଏମାନଙ୍କୁ ‘ପଞ୍ଚକନ୍ୟା’ କୁହାଯାଏ ଓ ଏ ପଞ୍ଚକନ୍ୟାଙ୍କ ନାମ ସ୍ମରଣ କଲେ ମହାପାତକ ଧ୍ୱଂସ ହୁଏ ବୋଲି ଅନେକଙ୍କର ଧାରଣା । ଆଉ କେତେକ ଏମାନଙ୍କୁ “ପଞ୍ଚକ” ବୋଲି ଅର୍ଥ କରି ‘ନା’ (ନର) ସ୍ମରଣ କଲେ ମହାପାତକ ନଷ୍ଟ ହୁଏ ବୋଲି ଅର୍ଥକରି ଥାଆନ୍ତି । ସେହିପରି ସତୀରାଜ୍ୟର ମଉଡମଣି ଭାରତୀୟ ସ୍ତ୍ରୀ ସମାଜର ଶିରୋଭୂଷା ‘ସତୀ’ ସାବିତ୍ରୀ, ସତ୍ୟଯୁଗର ଆଲୋକ ବର୍ତ୍ତିକା ହେଲେ ମଧ୍ୟ ସେ ତାଲିକାଭୁକ୍ତା’ ହୋଇ ପାରିନାହାନ୍ତି । ସମ୍ଭବତଃ ‘ଚିହ୍ନା ବ୍ରାହ୍ମଣର ପଇତା ଦରକାର ନାହିଁ’ ନ୍ୟାୟରେ ଓ ପୁରାଣକାରମାନେ ଉପର ବର୍ଣ୍ଣିତ ୫ ଜଣଙ୍କୁ ସାମାଜିକ ମର୍ଯ୍ୟାଦା ପ୍ରଦାନ କରିବା ଉଦେ୍ଦଶ୍ୟରେ ଏପରି କହିଛନ୍ତି । ‘ସାବିତ୍ରୀ’ କିନ୍ତୁ ଆଜି ଭାରତୀୟ ପ୍ରତ୍ୟେକ ନାରୀ ହୃଦୟର ଅଧିଷ୍ଠାତ୍ରୀ ଦେବୀ, ନମସ୍ୟା ଓ ଚିର ବନ୍ଦନୀୟା ହୋଇ ରହି ଆସିଛନ୍ତି ଓ ରହି ଆସୁଥିବେ । ତାଙ୍କର ଗୁରୁ ଦେବତାଭକ୍ତି । ପିତାମାତାଙ୍କ ପ୍ରତି ଅନୁରାଗ ଓ ସର୍ବୋପରି ସତ୍ୟପ୍ରତି ନିଷ୍ଠା ଓ ପତିବ୍ରତା ତାଙ୍କୁ ମାନବୀ ସ୍ତରରୁ ନେଇ ‘ଦେବୀ’ ସ୍ତରରେ ସୁପ୍ରତିଷ୍ଠିତ କରାଇ ପାରିଛି ।
ସତୀ ସାବିତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭାରତରେ ପ୍ରତିବର୍ଷ ଜ୍ୟେଷ୍ଠ କୃଷ୍ଣ ଅମାବାସ୍ୟା ତିଥି ‘ସାବିତ୍ରୀ ଅମାବାସ୍ୟା ରୂପେ ସମ୍ମାନ ପାଇ ଆସୁଅଛି ।’ ସେ କେବଳ ଅଶ୍ୱପତିଙ୍କ କନ୍ୟା, ସତ୍ୟବାନଙ୍କ ପ୍ରିୟତମା ବା ଦୁ୍ୟମତ୍ସେନଙ୍କ ପୁତ୍ର ବଧୂ ନୁହନ୍ତି, ସେ ଆଜି ଭାରତର ପ୍ରତି ଗୃହେ ସତୀତ୍ୱର ଏକ ଉଜ୍ଜଳ ସ୍ତମ୍ଭ ଓ ଆଦର୍ଶ ରୂପେ ବନ୍ଦନୀୟା ହୋଇ ପାରିଛନ୍ତି ।
ସାବିତ୍ରୀ ଶବ୍ଦ :- ‘ଚରିତ ଚିନ୍ତାମଣି’ରୁ ଜଣାଯାଏ ‘ସାବିତ୍ରୀ’ ଶବ୍ଦ ବଡ ତାପ୍ତର୍ଯ୍ୟପୂର୍ଣ୍ଣ ଓ ବହୁ ଅର୍ଥଜ୍ଞାପକ । ସାବିତ୍ରୀ’ ହେଉଛନ୍ତି ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବତା ବେଦମାତା, ଗାୟତ୍ରୀ ମନ୍ତ୍ରାଧିଷ୍ଠାତ୍ରୀ ଦେବୀଙ୍କର ଦ୍ୱିପ୍ରହର କାଳୀନ ଧ୍ୟେୟ ରୂପ । ବ୍ରାହ୍ମଣମାନେ ମଧ୍ୟାହ୍ନ ସଂଧ୍ୟା ସମୟରେ ଗାୟତ୍ରୀ ଜପିବା ପୂର୍ବରୁ ଏହାଙ୍କୁ ଧ୍ୟାନ କରନ୍ତି । ଦ୍ୱିତୀୟତଃ ‘ସାବିତ୍ରୀ’ ବ୍ରହ୍ମାଙ୍କ ପତ୍ନୀ । ଏହାଙ୍କ ଅନ୍ୟନାମ ‘ଶତରୂପା’, ଗାୟତ୍ରୀ, ସରସ୍ୱତୀ, ବ୍ରହ୍ମାଣୀ, ତୃତୀୟତଃ ସାବିତ୍ରୀ ଧର୍ମଙ୍କ ପତ୍ନୀ ଓ ଦକ୍ଷଙ୍କ କନ୍ୟା, କଶ୍ୟପଙ୍କ ସ୍ତ୍ରୀ । ଚତୁର୍ଥରେ ଅଷ୍ଟବକ୍ରଙ୍କ କନ୍ୟା ମଧ୍ୟ ‘ସାବିତ୍ରୀ’ ଏବଂ ପଞ୍ଚମରେ ଉପର ବର୍ଣ୍ଣିତ ଅଶ୍ୱପତିଙ୍କ କନ୍ୟା । ଏ ପାଞ୍ଚ ସାବିତ୍ରୀ ସମସ୍ତେ ଶକ୍ତିଶାଳିନୀ ଓ ସ୍ୱ ସ୍ୱ ମହିମାରେ ମହିମାନ୍ୱିତା ।
ଆଲୋଚ୍ୟ ସତୀ ସାବିତ୍ରୀଙ୍କୁ କେନ୍ଦ୍ରକରି ‘ସାବିତ୍ରୀ ବ୍ରତ’ ନାରୀ ସମାଜରେ ବହୁକାଳରୁ ପ୍ରଚଳିତ ହୋଇ ଆସୁଅଛି । ଏ ସାବିତ୍ରୀ ନିଜ ଅଳ୍ପାୟୁ ସ୍ୱାମୀଙ୍କର ପୁନର୍ଜୀବନ ଲାଭ ନିମନ୍ତେ ଯେତେ ତତ୍ପରା ନୁହଁନ୍ତି, ବେଶି ତତ୍ପରା ହୋଇଛନ୍ତି ‘ସତ୍ୟ’ ର ପାଳନ ନିମନ୍ତେ । ସାବିତ୍ରୀ ସତ୍ୟରକ୍ଷା ନିମନ୍ତେ ‘ଯମ’ଙ୍କୁ ଏକ ଅଡୁଆ ସୂତା ଭିତରେ ପକାଇ ଦେଇଛନ୍ତି ।
ଧର୍ମରାଜ’ଙ୍କର ମତିଭ୍ରମ :- ମୁନିନାଂଚ ମତିଭ୍ରମଃ – ଅର୍ଥାତ୍ ମୁନି ବା ପଣ୍ଡିତମାନଙ୍କର ମଧ୍ୟ ମତିଭ୍ରମ ହୋଇଥାଏ । ବେଦ, ପୁରାଣ, କାବ୍ୟରେ ହେମହରିଣୀର ନାମ ଉଲ୍ଲେଖ ନଥିଲେ ମଧ୍ୟ ତଥାପି ରଘୁନନ୍ଦନ ତାହା ଦ୍ୱାରା ଆକୃଷ୍ଟ ହେଲେ ଓ କାଳକାଳକୁ କଥା ରହିଗଲା “ବିନାଶକାଳେ ବିପରୀତ ବୁଦ୍ଧିଃ” । ‘ଯମ’ ମଧ୍ୟ ସେହିପରି ଏକ ଭୁଲକରି ବସିଲେ । ତାଙ୍କ ପାଟିରୁ ବାହାରି ପଡିଲା – “ସତ୍ୟବାନଙ୍କ ପରି ତୁମର ଶହେ ପୁଅ ହେଉ” । ମାତ୍ର ପତିବ୍ରତା ନାରୀ ସ୍ୱାମୀ ବିହୁନେ ଶତପୁତ୍ରର ଜନନୀ ହେବ କିପରି? ଲୋକେ ତାକୁ କଣ କହିବେ? ‘ସାବିତ୍ରୀ’ ଏହିଭଳି ପଦେ କଥାକୁ ଅପେକ୍ଷା କରିଥିଲେ । ଭୋଳମାନସରେ ‘ଯମ’ କହିଥିବା ବାଣୀ ସାବିତ୍ରୀଙ୍କୁ ଚନ୍ଦନ ଲେପିବା ପରି ହେଲା । ସାବିତ୍ରୀ ଜାଣନ୍ତି – ଜନ୍ତୁପତିଙ୍କର ଯେଉଁ ୧୪ ଟି ନାମ ଅମରକୋଷରେ ଅଛି, ତନ୍ମଧ୍ୟରୁ ତାଙ୍କର ପ୍ରଥମ ନାମ ହେଉଛି ‘ଧର୍ମରାଜ’ ସେ ପୁଣି ‘ଦଣ୍ଡଧର’ ଓ ‘ଯମ’ ଏଣୁ ‘ଧର୍ମରାଜ’ କେବେ ଅଧର୍ମ କଥା କହିବେ ନାହିଁ । ତେଣୁ, ସାବିତ୍ରୀ କହିଛନ୍ତି – ‘ମହତଙ୍କ କଥା ଆନନହୁଇ, ଆପଣ ଯେଉଁ ବର ଦେଲେ ତାହା କିପରି ଫଳିବ । ସତ୍ୟବାନଙ୍କୁ ତୁମେ ଘେନି ଯାଉଅଛ । ମୋର ଶତେ ପୁତ୍ର ହେବ କିପରି?
ସତୀଙ୍କ ସଂକଳ୍ପ :- ନାରୀ ଜୀବନର ପତି ଏକମାତ୍ର ଧ୍ୟେୟ । ପତି ସେବାରେ ତାହାର ଅର୍ଦ୍ଧାଂଶ ଫଳ ପାଏ । ଯେଉଁ ସ୍ତ୍ରୀ ପିତା, ପତି ବା ପୁତ୍ରଠାରୁ ଅନୁମତି ନ ପାଇ ବ୍ରତ କରେ, ତାହାର ସେ ବ୍ରତ ନିଷ୍ଫଳ, କିନ୍ତୁ ପତି ପ୍ରଭୃତିଙ୍କ ଠାରୁ ଅନୁମତି ପାଇ ସ୍ତ୍ରୀ ସବୁ ବ୍ରତ କରିପାରେ । ସାବିତ୍ରୀ ଏ ନିୟମର ଉଲ୍ଲଙ୍ଘନ କରି ନାହାନ୍ତି । ସତ୍ୟବାନଙ୍କ ମୃତୁ୍ୟ ନିଶ୍ଚିତ ଜାଣି ସେ ପୂର୍ବରୁ ସମସ୍ତଙ୍କଠାରୁ ସମୟୋଚିତ ଅନୁମତି ନେଇ ଏକ କଠୋରବ୍ରତ କରିଛନ୍ତି ।
ସାବିତ୍ରୀ ଥିଲେ ଗୁଣର ପୂଜାରିଣୀ ଓ ସତ୍ୟର ମୂର୍ତ୍ତିମନ୍ତ ବିଗ୍ରହ । ‘କନ୍ୟା ବରୟତେ ରୂପ’ର ସେ ଥିଲେ ଏକ ବ୍ୟତିକ୍ରମ । ସତ୍ୟବାନଙ୍କ ରୂପ ଅପେକ୍ଷା ତାଙ୍କର ‘ଗୁଣ’ ସାବିତ୍ରୀଙ୍କୁ ବେଶି ମୁଗ୍ଧ କରିଛି କାରଣ ସତ୍ୟବାନ ଘନ ଅରଣ୍ୟରେ ପିତାଙ୍କ ଆଜ୍ଞାରେ କାଷ୍ଠ କାଟନ୍ତି, ସେ କାଷ୍ଠଜୀବୀ, ସେ ପିତୃମାତୃ ଆଜ୍ଞା ପାଳନକାରୀ । ତାଙ୍କ ଭାବୀ ସ୍ୱାମୀ ଅଳ୍ପାୟୁ ଜାଣି ମଧ୍ୟ ସେ ତାଙ୍କୁ ମନେ ମନେ ସ୍ୱାମୀ ରୂପେ ବରଣ କରି ପିତାଙ୍କ ବହୁ ତାଡନା, ପ୍ରଲୋଭନ ଓ ନିଦେ୍ର୍ଦଶ ଓ ନାରଦଙ୍କ ଭବିଷ୍ୟବାଣୀ ସତ୍ୱେ ସେ ତାଙ୍କ ସତ୍ୟ ବଚନରେ ନିଶ୍ଚଳା ଥିଲେ । ହେ ପିତା! ମନେ ମନେ ଯାହାକୁ ସତ୍ୟ କଲି, ଅନ୍ୟକୁ ବରିବି ପୁଣି କିପରି? ଓଡ଼ିଆ ସାବିତ୍ରୀ ବ୍ରତ କଥାରେ ମଧ୍ୟ ଲେଖାଅଛି – “ହେ ପିତା! ତାଙ୍କ ଛଡା ଅନ୍ୟ ପୁରୁଷ ବରିବି ନାହିଁ । ଅନ୍ୟ ପୁରୁଷ ବରିଲେ ମୁଁ ଅସତୀ ଦ୍ୱିଚାରିଣୀ ହେବି । ଅତଏବ ମୋ ଭାଲେ ଯାହା ଅଛି, ତାହା ଫଳିବ ।”
ନିଃସ୍ୱାର୍ଥପରା ସାବିତ୍ରୀ :– ସାବିତ୍ରୀ ଥଲେ ହିତାଭିଳାଷିଣୀ । ଅନ୍ୟ ନାରୀ ପରି ସେ ସ୍ୱାର୍ଥବଶା ନଥିଲେ । ଯମଂକ ପ୍ରଥମ ବରଦାନ ବେଳେ ସେ ମାଗିଛନ୍ତି ‘ ଆମ ଶ୍ୱଶୁର ଅନ୍ଧ ଓ ରାଜ୍ୟହୀନ, ସେ ଚକ୍ଷୁଷ୍ମାନ ଓ ରାଜ୍ୟ ପ୍ରାପ୍ତ ହୁଅନ୍ତୁ । ତାଙ୍କର ଦ୍ୱିତୀୟ ବରଭିକ୍ଷା ନିଜ ପିତାଙ୍କ ସପକ୍ଷରେ – “ମୋ ପିତାଙ୍କର ପୁତ୍ର ନାହିଁ, ତାଙ୍କୁ ପୁତ୍ର ଦାନ କର ।” ଶେଷରେ ସେ ନିଜକଥା ସୂଚାଇ ‘ଶତପୁତ୍ର ଜନୀ’ ଭିକ୍ଷା କରି ‘ଯମ’ଙ୍କୁ ବାକ୍ଚାତୁରୀରେ ପରାସ୍ତ କରି ନିଜ ଆୟୁରୁ ଅଦେ୍ର୍ଧକ ଦେଇ ସ୍ୱାମୀଙ୍କୁ ପୁର୍ନଜୀବନ ଦେଇଛନ୍ତି । ସତ୍ୟର ଅବତାର, ଧର୍ମରାଜଙ୍କ ମୁଣ୍ଡ ସ୍ୱତଃ ନତ ହୋଇଯାଇଛି ।
ବ୍ରତପାଳନ ଫଳ :– ପ୍ରଶ୍ନ ଉଠେ – ସାବିତ୍ରୀ ବ୍ରତପରି ଅନ୍ୟାନ୍ୟ ବ୍ରତ ସବୁ ପାଳନ କରିବାର ତାତ୍ପର୍ଯ୍ୟ କ’ଣ? କୋଣ୍ଡିନ୍ୟ ବ୍ରାହ୍ମଣ ପୁଣି ଅନନ୍ତ ବ୍ରତ ପାଳନ କରି ଏବେ ପୁନର୍ବସୁ ନକ୍ଷତ୍ର ରୂପେ ରହିଅଛନ୍ତି । ହନୁମାନ ବିନାୟକ ବ୍ରତ ବଳରେ ସମୁଦ୍ର ଲଙ୍ଘନ କରି ଓ ଭାଗୀରଥ ସ୍ୱର୍ଗରୁ ଗଂଗାଙ୍କୁ ଆଣି ଯଶସ୍ୱୀ ହୋଇଅଛନ୍ତି । କୁଷ୍ଠ ରୋଗାକ୍ରାନ୍ତ ଶାମ୍ବ ରବିବାର ବ୍ରତ ଦ୍ୱାରା ରୋଗମୁକ୍ତ ଓ ସୁକେଶ ଦାନବ ସୂର୍ଯ୍ୟମଣ୍ଡଳ ଭିତରେ ରହିପାରିଛନ୍ତି । ଋଷିପଞ୍ଚମୀ ବ୍ରତ କରିବା ଫଳରେ ‘ସୁମତି’ ସୂର୍ଯ୍ୟଙ୍କ ପରି ତେଜିୟାନ ରଥରେ ବସି ସ୍ୱର୍ଗକୁ ଯାଇଛନ୍ତି (ବ୍ରତ ବିଧାନ ପଦ୍ଧତି) ଏଣୁ ଏ ‘ବ୍ରତ’ ର ଫଳ ନାହିଁ କାହିଁକି? କେବଳ ନିଷ୍ଠା ବା ଆନ୍ତରିକତାର ଆବଶ୍ୟକତା ରହିଛି । ଆଜିର ଏ ବସ୍ତୁବାଦର ମାୟା-ଜାଲ ମଧ୍ୟରେ ଆମ୍ଭେମାନେ ଓଷା, ବ୍ରତ ଓ ପର୍ବପର୍ବାଣି ଗୁଡିକ ମୂଳରେ ଥିବା ପ୍ରଚ୍ଛନ୍ନ ବୈଜ୍ଞାନିକ ଭିତ୍ତିଭୂମି ଗୁଡିକୁ ଭୁଲିଯାଉଛୁ ।
ସତ୍ୟଯୁଗର ଏ କାହାଣୀକୁ ଆମେ ବର୍ତ୍ତମାନ ପରିପ୍ରେକ୍ଷୀରେ ଉପହାସ କରିପାରୁ । ତଥାପି ସାବିତ୍ରୀ ପରି ଜଣେ ଅସାମାନ୍ୟା ନାରୀଙ୍କର ଏ ଯେଉଁ ନିଷ୍ଠା, ତ୍ୟାଗ, ସତ୍ୟାନୁରାଗ ଓ ପାତିବ୍ରତ୍ୟ ଆମର ଏ ଯୁଗ କାହିଁକି, ଆଗାମୀ ଅନିଶ୍ଚିତ ଦିନଗୁହିକ ପାଇଁ ଏକ ଆଦର୍ଶ ହୋଇ ରହିବା ସଂଗେ ସଂଗେ ଭାରତୀୟ ନାରୀ ସମାଜର ହୃଦୟ-ତନ୍ତ୍ରୀରେ ତାଙ୍କ ବାଣୀ ଅନୁରଣିତ ହେବ ।