ଶୁଭ ପରିଣୟ ପରେ ନରବାହନ ଦତ୍ତ ଏବଂ ମଦନ ମଂଚୁକାର ଜୀବନ, ସୁଖ ସ୍ୱାଚ୍ଛନ୍ଦ୍ୟରେ ଅତିବାହିତ ହେବାରେ ଲାଗିଲା । ରାଜକୁମାର ନିଜ ରାଜକାର୍ଯ୍ୟକୁ ଅଧିକ କୁଶଳତାର ସହ ସମ୍ପାଦନ କରିବାରେ ଲାଗିଥିଲେ । ବତ୍ସରାଜ ଉଦୟନଙ୍କୁ ଏହା ଦ୍ୱାରା ଅଧିକ ସହାୟତା ଏବଂ ସାନ୍ତ୍ୱନା ମଧ୍ୟ ମିଳିଥିଲା । ପ୍ରଜାଗଣ ମଧ୍ୟ ରାଜକୁମାରଙ୍କ କର୍ମ-ଆଚରଣରେ ପ୍ରସନ୍ନ ଥିଲେ ।
ଏମିତି ଦିନ ବିତିଯାଉଥାଏ । ଅକସ୍ମାତ ଏକ ଘଟଣା ଘଟିଲା । ରାଜକୁମାର ନିଜ ବନ୍ଧୁମାନଙ୍କ ସହିତ ଉଦ୍ୟାନ ବିହାର ଉଦେ୍ଦଶ୍ୟରେ ସୁଦୂରର ଉଦ୍ୟାନକୁ ଯାଇଥାନ୍ତି । ସେଠି ଜଣେ ଅନୁପମ ରୂପସୀ କନ୍ୟା ତାଙ୍କର ଦୃଷ୍ଟି ପଥାରୂଢ଼ ହେଲା । ତା’ ସହିତ ସଖୀ ସହଚରୀ ମଧ୍ୟ ଥିଲେ । ସେହି କନ୍ୟା ଏତେ ରୂପବତୀ, କାନ୍ତିମତୀ ଥିଲା ଯେ, ତଦ୍ଦ୍ୱାରା ଚାରିପାଖ ଦୀପ୍ତ-ପ୍ରକାଶିତ ହୋଇଉଠୁଥିଲା ।
ରାଜକୁମାର ତା’ ପରିଚୟ ଜିଜ୍ଞାସା କରିବାରୁ ସେ କହିଲା ଯେ, ସେ ରାଜା ହେମପ୍ରଭଙ୍କ କନ୍ୟା ରତ୍ନପ୍ରଭା… ଏହା କହି ସେ ନିଜର ସମଗ୍ର ଇତିହାସ, ରାଜକୁମାରଙ୍କୁ କହିଲା ।
ତାଙ୍କୁ ଏ କଥା ବି କହିଲା ଯେ, ଦେବୀ ପାର୍ବତୀଙ୍କଠାରୁ ପ୍ରାପ୍ତ ବରଦାନ କାରଣରୁ ସେ ରାଜକୁମାର ନରବାହନ ଦତ୍ତଙ୍କୁ ପତି ରୂପେ ପ୍ରାପ୍ତ ହେବା ପାଇଁ ହିଁ ପୃଥ୍ୱୀଲୋକକୁ ଆସିଛି… । ତା’ ପିତା ମଧ୍ୟ ନିଜର ଚତୁରଙ୍ଗ ସେନାବାହିନୀ ସହିତ ସମୀପରେ ହିଁ ଶିବିର ପକାଇ ରହିଛନ୍ତି ।
ରାଜକୁମାର ଅସମଞ୍ଜସରେ ପଡ଼ିଗଲେ ।
ବତ୍ସରାଜ ଉଦୟନଙ୍କୁ ଏସୂଚନା ମିଳିଗଲା । ସେ ମନ୍ତ୍ରୀ ଯୌଗନ୍ଧ-ନାରାୟଣଙ୍କ ସହିତ ସେଠାରେ ଉପସ୍ଥିତ ହେଲେ । ସେତେବେଳକୁ ରାଜା ହେମପ୍ରଭ ସ୍ୱୟଂ ମଧ୍ୟ ସେହି ଉଦ୍ୟାନକୁ ଚାଲିଆସିଥିଲେ, ଯେଉଁଠିକି ବିହାର କରିବା ପାଇଁ ନରବାହନ ଦତ୍ତ ଯାଇଥିଲେ । ଏତେବେଳେ ରତ୍ନପ୍ରଭା, ନିଜର ସଖୀ-ସହଚରୀ ତଥା ନିଜ ପିତା ଆଦିଙ୍କ ସହିତ ଘେରିରହିଥିଲା ।
ହେମପ୍ରଭା, ବତ୍ସରାଜ ଉଦୟନଙ୍କୁ କହିଲେ- ମହାରାଜ ! ଯାହା ଘଟିବାକୁ ଅଛି, ତାକୁ କେହି ରୋକିପାରିବ ନାହିଁ । ତା’ପରେ ନା ରାଜା କିମ୍ବା ରାଜକୁମାରଙ୍କର ସର୍ବଦା ଏକ ପତ୍ନୀ ରହିଛି । ସୁନ୍ଦରୀ କନ୍ୟାଙ୍କ ପାଇଁ ତ ରାଜାମାନେ, ନିଜ ରାଜ୍ୟକୁ ସୁଦ୍ଧା ବାଜିପଣରେ ଲଗେଇଛନ୍ତି । ଅଥଚ ମୋ’ କନ୍ୟା ତ ସ୍ୱୟଂ ଆପଣଙ୍କ ପୁତ୍ରଙ୍କୁ ବରଣ କରିବା ପାଇଁ ଏଠିକି ଚାଲିଆସିଛି । ମୁଁ ତା’ ସୁରକ୍ଷା ହେତୁ ଆସିଛି । ଏବେ ସ୍ୱୟଂ ଉପସ୍ଥିତ ହୋଇ ନିଜ କନ୍ୟା ସହ ଆପଣଙ୍କ ପୁତ୍ରଙ୍କ ପାଣିଗ୍ରହଣ ପାଇଁ ଯାଚନା କରୁଛି ।
କିନ୍ତୁ ଏହା କି ପ୍ରକାର ସମ୍ଭବ ହେବ? ଅସମଞ୍ଜସରେ ପଡ଼ି ଉଦୟନ କହିଲେ : ଏବେ ତ ୟାର ବିବାହ ହୋଇଛି । ମଞ୍ଚୁକା ସ୍ୱୟଂ ଅନନ୍ୟ ସୁନ୍ଦରୀ ରୂପବତୀ କନ୍ୟା । ଏବେ ସେ ରାଜକାର୍ଯ୍ୟ ସମ୍ପାଦନ କରିବା ଆରମ୍ଭ କରିଛି ।
ଏସବୁ ତ ଆପଣ ଠିକ୍ କହୁଛନ୍ତି । କିନ୍ତୁ ଯାହା କି ମୁଁ କହିଛି- ହେବାକୁ ଥିବା ଘଟଣାକୁ ଟାଳିବା କାହାରି ବଶରେ ନାହିଁ । ରତ୍ନପ୍ରଭାର ଜନ୍ମ ହିଁ କାମଦେବଙ୍କ ଅବତାରର ନରବାହନ ଦତ୍ତଙ୍କ ପାଇଁ ହୋଇଛି…
ମୋ’ କନ୍ୟାକୁ ପାର୍ବତୀଙ୍କ ବରଦାନ ପ୍ରାପ୍ତ ହୋଇଛି । ଏ ବିବାହ ଏଠି ନୁହେଁ । ମୋ’ ଦେଶରେ ହିଁ ହେବ । ଦେବଲୋକର ଏ ଘୋଷଣା ହୋଇଛି- ନରବାହନ ଦତ୍ତ, ବିଦ୍ୟାଧରଗଣଙ୍କ ଚକ୍ରବର୍ତ୍ତୀ ରାଜା ହେବେ… ଦେବଲୋକର ସମସ୍ତ ବୈଭବ ତାଙ୍କୁ ପ୍ରାପ୍ତ ହେବ । କିଛି ସମୟ ପାଇଁ ଆପଣମାନଙ୍କୁ ନିଜ ରାଜକୁମାରଙ୍କ ବିୟୋଗ ଅବଶ୍ୟ ସହ୍ୟ କରିବାକୁ ପଡ଼ିବ । କିନ୍ତୁ ସେ ଶୀଘ୍ର ରତ୍ନପ୍ରଭା ସହିତ ଏଠାକୁ ଚାଲିଆସିବେ । ଅନ୍ୟଥା ଦୈବୀଶକ୍ତି, ନିଜର କର୍ମ ତ ପୂର୍ଣ୍ଣ କରିବ ହିଁ କରିବ ।
ଅନ୍ୟ କୌଣସି ମାର୍ଗ ନଦେଖି ବତ୍ସରାଜ ଉଦୟନଙ୍କୁ ଏସବୁ କଥା ସ୍ୱୀକାର କରିବାକୁ ପଡ଼ିଲା । ଏ ସମୟରେ ଯୌଗନ୍ଧନାରାୟଣଙ୍କ ଦଣ୍ଡନୀତି ମଧ୍ୟ କୌଣସି କାମରେ ଆସିଲା ନାହିଁ । ହଁ, ତାଙ୍କର ସ୍ମରଣ ହେଲା- ମଞ୍ଚୁକାର ବିବାହ ସମୟରେ ଜ୍ୟୋତିଷୀଙ୍କ ଭବିଷ୍ୟବାଣୀ- ରାଜକୁମାରଙ୍କୁ କିଛି କାଳ ପାଇଁ ନିଜ ପତ୍ନୀଙ୍କ ବିୟୋଗ ସହ୍ୟ କରିବାକୁ ପଡ଼ିବ ।
ଏହି ଭ୍ରମଣ ଯାତ୍ରାରେ ରାଜକୁମାରଙ୍କ ସମସ୍ତ ମିତ୍ରବନ୍ଧୁ ଏବଂ ଯୌଗନ୍ଧନାରାୟଣ ମଧ୍ୟ ତାଙ୍କ ସହ ଗମନ କରିଥିଲେ । ରାଜା ହେମପ୍ରଭଙ୍କୁ ଏଥିରେ ପ୍ରସନ୍ନତା ମିଳିଲା । ନିଜ ନଗରୀରେ ପହଞ୍ଚି ରାଜା ହେମପ୍ରଭ, ଶାସ୍ତ୍ରବିଧି ଅନୁସାରେ ନରବାହନ ଦତ୍ତଙ୍କୁ ନିଜ କନ୍ୟା ସେହିପ୍ରକାରେ ସମର୍ପଣ କଲେ ଯେମିତିକି ସାଗର, ଲକ୍ଷ୍ମୀଙ୍କୁ ବିଷ୍ଣୁଙ୍କୁ ସମର୍ପଣ କରିଥିଲେ । କନ୍ୟା ସହିତ ସେ ଏତେ ପରିମାଣରେ ଧନ, ସ୍ୱର୍ଣ୍ଣ-ହୀରକ ରତ୍ନ ଆଭୂଷଣ ଆଦି ପ୍ରଦାନ କଲେ, ଯାହା ଗଣନା କରିବା ଅସମ୍ଭବ ମନେହେଲା ।
କାଞ୍ଚନପୁର ନଗରୀର ସର୍ବତ୍ର, ବିବାହୋତ୍ସବ ଅବସରରେ ସୁସଜ୍ଜିତ ହୋଇଥିଲା । ନାନାବିଧ ସୁବାସିତ ପୁଷ୍ପମାଳାରେ ଚତୁଃପାଶ୍ୱର୍ ସୁଶୋଭିତ ଥିଲା । ତାହା ଏତେ ସୁନ୍ଦର ମନେହେଉଥିଲା ଯେ, ଖାଲି କୁବେରଙ୍କ ଅଳକାପୁରୀ କାହିଁକି ବରଂ ଇନ୍ଦ୍ରଙ୍କ ଅପ୍ସରାଲୋକ ମଧ୍ୟ ତା’ସ ମ୍ମୁଖରେ ଫିକା ପଡ଼ିଯାଉଥିଲା ।
ନରବାହନ ଦତ୍ତ ନିଜ ପ୍ରିୟା ରତ୍ନପ୍ରଭାଙ୍କ ସହିତ ଦିବ୍ୟ ସୁଖସମ୍ଭୋଗ ଯାପନ କରି ସେଠାରେ ଅବସ୍ଥାନ କରିବାରେ ଲାଗିଲେ । କିଛିଦିନ ବିଦ୍ୟାଧରଙ୍କ ନଗରୀ କାଞ୍ଚନପୁରରେ ବାସକରି, ନରବାହନ ଦତ୍ତ ନିଜ ନଗରୀକୁ ଲେଉଟିବା ପାଇଁ ଯୌଗନ୍ଧନାରାୟଣଙ୍କ ସହ ପରାମର୍ଶ କଲେ ।
ତାଙ୍କ ଅଭିଳାଷକୁ ଯୌଗନ୍ଧନାରାୟଣ, ରାଜା ହେମପ୍ରଭଙ୍କୁ ଜଣାଇଥିଲେ । ଏହା ଶୁଣି ରାଜା, ନିଜ କନ୍ୟାର ବିଦା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ସ୍ୱୟଂ ରାଜା ହେମପ୍ରଭ ନିଜ ପୁତ୍ର ସହିତ ତାକୁ ବିମାନରେ ବସାଇ କୌଶାମ୍ବୀ ଦିଗରେ ପ୍ରସ୍ଥାନ କଲେ । ଏହି ପ୍ରକାର ନରବାହନ ଦତ୍ତ ସଦଳବଳେ ନିଜ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ ।
ବତ୍ସରାଜ ଉଦୟନ, ନିଜ ପୁତ୍ର ଏବଂ ପୁତ୍ରବଧୂକୁ ଆଶୀର୍ବାଦ ଦେଇ ରାଜା ହେମପ୍ରଭ ତଥା ତାଙ୍କ ପୁତ୍ର ବଜ୍ରପ୍ରଭକୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଲେ ।
ନିଜ କନ୍ୟାକୁ ସୁରକ୍ଷିତ ତା’ ଶ୍ୱଶୁର ଗୃହରେ ପହଞ୍ଚାଇ ହେମପ୍ରଭ ନିଜ ପୁତ୍ର ସହିତ କାଞ୍ଚନପୁରୀ ନଗରୀକୁ ଲେଉଟି ଆସିଲେ । କୌଶାମ୍ବୀ ନଗରୀରେ ବସନ୍ତର ହିଲ୍ଲୋଳ ସତେ ଯେମିତି ପ୍ରବାହିତ ହେଉଥିଲା । ନରବାହନ ଦତ୍ତ ନିଜର ଦୁଇ ପତ୍ନୀଙ୍କ ସାଥିରେ ସୁଖାନନ୍ଦରେ ସମୟ ଅତିବାହିତ କରିବାରେ ଲାଗିଲେ ।
ରାଜକୁମାର ନରବାହନ ଦତ୍ତ, ରାଜକାର୍ଯ୍ୟ ପରିଚାଳନା କରି ନିଜ ମିତ୍ରବନ୍ଧୁଙ୍କ ସହ ଆମୋଦ ପ୍ରମୋଦରେ ଦିନ ବ୍ୟତୀତ କରୁଥାନ୍ତି । କେବେ ଯଦି ତାଙ୍କ ମନ୍ତ୍ରୀଗଣ ପରସ୍ପର ବିଳାସ ବିନୋଦରେ ମାତି ବାଦ ବିବାଦରେ ଫସିଯାଉଥିଲେ, ତେବେ ନରବାହନ ଦତ୍ତ ଅଥବା ତାଙ୍କ ରାଣୀ, ସେଥିରେ ଅଂଶଗ୍ରହଣ କରି ବିବାଦକୁ ଶାନ୍ତ କରିଦେଉଥିଲେ ।
ଏକଦା ପିତା-ପୁତ୍ର ନିଜର ସୈନ୍ୟ ଏବଂ ଦଳବଳ ସହିତ ଶିକାର କରିିବାକୁ ବଣକୁ ଗଲେ । ବଣ ମଧ୍ୟରେ ଯାଉ ଯାଉ କଥାଭାଷା ହୋଇ ଗୋମୁଖ ଏବଂ ନରବାହନ ଦତ୍ତ, ନିଜ ଦଳଠାରୁ ଆଗକୁ ଯାଇ ସଘନ ଅରଣ୍ୟ ଆଡକୁ ଚାଲିଗଲେ । ବନ୍ୟ କୁସୁମର ବାସ୍ନାରେ ଚତୁଃପାଶ୍ୱର୍ ଅମୋଦିତ ହେଉଥାଏ ।
ନରବାହନ ଦତ୍ତ ଏବଂ ଗୋମୁଖ ଯେତେବେଳେ କ୍ଲାନ୍ତ ହୋଇଗଲେ ସେତେବେଳେ ବିଶ୍ରାମ ନେବା ଲକ୍ଷ୍ୟରେ ଏକ ସ୍ଥାନରେ ଅଶ୍ୱପୃଷ୍ଠରୁ ଓହ୍ଲାଇ ବିଶ୍ରାମ ନେଲେ । ଏମିତି ବସି ବସି ସେମାନେ, ସୁଦୂରସ୍ଥିତ ବୃକ୍ଷମାନଙ୍କ ଉପରକୁ ଲକ୍ଷ୍ୟ ସାଧନ କଲାବେଳେ, ନରବାହନ ଦତ୍ତଙ୍କ ପଥର ଟେକାଟି କୌଣସି ଜଣେ ତପସ୍ୱିନୀଙ୍କ ଉପରେ ପଡ଼ିଲା… । ସେ ତପସ୍ୱିନୀ ଅନୁମାନ କରିଆସି ନରବାହଦନ ଦତ୍ତଙ୍କୁ କହିଲା : ତୁମଠାରେ ତ ଏବେ ଏତେ ମସ୍ତି-ଅହଙ୍କାର ରହିଛି । କିନ୍ତୁ ଯେତେବେଳେ ତୁମେ କର୍ପୂରିକାକୁ ନିଜ ପତ୍ନୀ ରୂପେ ଗ୍ରହଣ କରିନେବ, ସେତେବେଳେ ଜଣାନାଇଁ ତୁମଠାରେ କେତେ ବେଶି ମଦ-ଉଚ୍ଛୃଙ୍ଖଳତା ବଢ଼ିଯିବ ।
ନରବାହନ ଦତ୍ତ, ତପସ୍ୱିନୀଙ୍କୁ ଦେଖି ଉଠିପଡ଼ି ତାଙ୍କୁ ପ୍ରଣାମ କଲେ । ତା’ପରେ କ୍ଷମା ଯାଚନା କରି କହିଲେ : ମାତାଜୀ! ମୁଁ ଆପଣଙ୍କୁ ଦେଖିପାରିଲି ନାହିଁ । ଦୁର୍ଯୋଗକୁ ପଥରଟେକାଟି ଆପଣଙ୍କ ଦେହରେ ବାଜିଗଲା । ମୁଁ କ୍ଷମା ଚାହୁଁଛି ମାତାଜୀ! ମୋତେ କ୍ଷମା କରି ଦିଅନ୍ତୁ । ମୋ ଦ୍ୱାରା ଅଜାଣତରେ ଏ ଉଦ୍ଦଣ୍ଡତା ହୋଇଯାଇଛି ।
ତପସ୍ୱିନୀ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ- ପୁତ୍ର! ମୋର ତୁମ ଉପରେ କୌଣସି ପ୍ରକାରର କ୍ରୋଧ-ଅସନ୍ତୋଷ ନାହିଁ ।
ତପସ୍ୱିନୀ ଏଭଳି କହିବାରୁ ନରବାହନ ଦତ୍ତ ଆଶ୍ୱସ୍ତ ହେଲେ । ତାଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ବୃଦ୍ଧି ପାଇଲା । ସେ ବିନମ୍ରତାର ସହ ପଚାରିଲେ- ଭଗବତୀ! ଆପଣ ଯେଉଁ କର୍ପୂରିକାର ନାମ ଉଚ୍ଚାରଣ କଲେ ସେ କିଏ?
ଏ ସମୁଦ୍ର ସେପାରି କର୍ପୂର ସମ୍ଭବ ନାମକ ଏକ ଦ୍ୱୀପ ରହିଛି, ସେହି ଦ୍ୱୀପରେ ସର୍ବଗୁଣ ସମ୍ପନ୍ନ କର୍ପୂରକଙ୍କ ରାଜ୍ୟ ଅଛି । ତାଙ୍କ ରାଜକୁମାରୀଙ୍କ ହିଁ ନାମ କର୍ପୂରିକା ।
ସେହି କନ୍ୟା ଏତେ ସୁନ୍ଦର, କାନ୍ତିମୟୀ ଯେ, ସମୁଦ୍ରଙ୍କର ପ୍ରଥମ କନ୍ୟା ଲକ୍ଷ୍ମୀଙ୍କୁ ଦେବତାଙ୍କ ଦ୍ୱାରା ଗ୍ରହଣ କରିନେବା କାରଣରୁ ସମୁଦ୍ର, ତାଙ୍କର ଏ ଦ୍ୱିତୀୟ ଭଉଣୀକୁ ଯେମିତି କି ନିଜ କୋଳରେ ଲୁଚେଇ ରଖିଛନ୍ତି ।
କିନ୍ତୁ ସେହି କନ୍ୟାର ମଧ୍ୟ ଏକ ବିଶେଷତ୍ୱ ରହିଛି । ସେ ପୁରୁଷଙ୍କୁ ଘୃଣା କରେ । ଏଥିଯୋଗୁଁ ସେ ବିବାହ କରିବାକୁ ମଧ୍ୟ ଚାହୁଁନାହିଁ । କିନ୍ତୁ ତୁମେ ଯଦି ସେଠାକୁ ଚାଲିଯାଅ ଆଉ ବିବାହ କରିବାକୁ ଇଚ୍ଛାବ୍ୟକ୍ତ କରିବ ତେବେ ସେ ତୁମ କାମନାକୁ ଅବଶ୍ୟ ପୂର୍ଣ୍ଣ କରିବ… ଏ ପ୍ରକାର ଅନ୍ତତଃ ମୁଁ ବିଶ୍ୱାସ କରୁଛି ।
ତେଣୁ ମୁଁ ତୁମକୁ ପରାମର୍ଶ ଦେଉଛି- ତୁମେ ସେଠିକି ଯାଅ ଏବଂ ସେହି କନ୍ୟାରତ୍ନକୁ ପ୍ରାପ୍ତ ହୁଅ… କିନ୍ତୁ ମନେରଖିବ- ସେଠାକୁ ଯିବା ଏତେଟା ସରଳ ନୁହେଁ । ସେଥିପାଇଁ ମାର୍ଗରେ ତୁମକୁ ବହୁ ଅସହ୍ୟ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିବ ।
ଯଦି ତୁମେ ସେ ଅସୁବିଧା, ଯନ୍ତ୍ରଣାରେ ଘାବରେଇବ ନାହିଁ ଏବଂ ନିଜ ଗନ୍ତବ୍ୟ ସ୍ଥଳକୁ ଗମନ କରିବ, ତେବେ ତଦ୍ଦ୍ୱାରା ତୁମର ହିଁ ଲାଭ ହେବ । ଏତିକି କହିସାରି ସେହି ତପସ୍ୱିନୀ ସେଠାରୁ ଅଦୃଶ୍ୟ ହୋଇଗଲା ।
ନରବାହନ ଦତ୍ତ କିଛିକ୍ଷଣ ପାଇଁ ହତପ୍ରଭ ହୋଇଗଲେ । କିନ୍ତୁ ଯାହା ହେଲେବି ସେ ତ ଥିଲେ କାମଦେବଙ୍କ ଅବତାର… ମଦନ ଗେରେ ପ୍ରଭାବିତ ହୋଇ ସେ ନିଜ ମିତ୍ର ଗୋମୁଖକୁ କହିଲେ- ଆବେ ବନ୍ଧୁ! ଚାଲ । କର୍ପୂର ନଗରୀକୁ ଯାଇ ସେହି ଅନନ୍ୟ ସୁନ୍ଦରୀ କର୍ପୂରିକାକୁ ସାକ୍ଷାତ କରିବା । ଏବେ ତ ମୁଁ ତାକୁ ନ ଦେଖି ଗୋଟେ କ୍ଷଣ ମଧ୍ୟ ଅଯଥାରେ ନଷ୍ଟ କରିବାକୁ ଚାହୁଁନାହିଁ ।
ଗୋମୁଖ କହିଲା : ଆପଣ ତ ଠିକ୍ କହୁଛନ୍ତି । କନ୍ତୁ ଆମ ପାଇଁ ଏହା ଏକ ଦୁଃସାହସିକ କାର୍ଯ୍ୟ ହେବ । କାହିଁ ଏଡେ ବିଶାଳ ସାଗର ଆଉ କାହିଁ ସେ କର୍ପୂର ଦ୍ୱୀପ ଏବଂ ତା’ ରାଜଧାନୀ… ଏଡେ ଦୀର୍ଘ ରାସ୍ତା ଅତିକ୍ରମ କରିବା ତ ବଡ଼ କଠିନ । ତା’ପରେ ସେଠାକୁ ଯିବା ପରେ ସେହି କନ୍ୟା ମିଳିବ କି ନାହିଁ, ତାହାର କୌଣସି ନିଶ୍ଚିତତା ନାହିଁ । ବାସ୍, କେହି ଜଣେ କହିଦେଲା ଆଉ ତାକୁ ଶୁଣି ନିଜର ଏତେ ସୁନ୍ଦରୀ ଦୁଇ ପତ୍ନୀଙ୍କୁ ତ୍ୟାଗ କରି ତୁମେ, ସେହି ସନ୍ଦିଗ୍ଧ କନ୍ୟା ପାଇଁ ଲାଳାୟିତ ହେବାରେ ଲାଗିଛ!
ନରବାହନ ଦତ୍ତଙ୍କୁ କାମାବେଗ ପ୍ରଭାବିତ କରିସାରିଥିଲା । ସେ କହିଲା- ଗୋମୁଖ! ତୁମେ ଯାହାବି କହୁଛ ସେସବୁ ଠିକ୍ ହୋଇପାରେ । କିନ୍ତୁ ସେହି ତପସ୍ୱିନୀ ଯାହାକିଛି କହିଛନ୍ତି, ସେସବୁ ବି ତ ଠିକ୍ ହେବ, ଏଥିରେ ସନେ୍ଦହ କରିବାର କିଛି ନାହିଁ । ମୁଁ ତ ଯେକୌଣସି ମତେ ସେଠାକୁ ଯିବି । ଏତିକି କହି ସେ ନିଜ ଅଶ୍ୱପୃଷ୍ଠରେ ଆରୋହରଣ କରି ଆଗକୁ ଅଗ୍ରସର ହେବାରେ ଲାଗିଲେ ।
ଗୋମୁଖ, ଯଦିଚ ଯିବାକୁ ଚାହୁଁନଥିଲା, କିନ୍ତୁ ନରବାହନ ଦତ୍ତଙ୍କ ସହ ତା’ର ଏତେ ନିବିଡତା ଥିଲା ଯେ, ନଚାହିଲେ ବି କଷ୍ଟ-କଣ୍ଟକ ଆଦି ପ୍ରତି ଧ୍ୟାନ ରହିଥିଲେ ବି, ସେ ତାଙ୍କ ପଛେ ପଛେ ନିଜ ଅଶ୍ୱ ଉପରେ ଆରୋହଣ କରି ଆଗେଇ ଗଲା ।
ବତ୍ସରାଜ ଉଦୟନଙ୍କ ଦଳ, ସଂଧ୍ୟା ଉପଗତ ହେବାରୁ ନିଜ ଭବନକୁ ପ୍ରତ୍ୟାବର୍ତ୍ତନ କରି ଜାଣିବାକୁ ପାଇଲେ ଯେ, ରାଜକୁମାର ଏବଂ ଗୋମୁଖ, ଏଯାବତ ଲେଉଟି ନାହାନ୍ତି ।
ଏଥିପାଇଁ ଚିନ୍ତା କରିବାରେ ଲାଗିଲେ, ରତ୍ନପ୍ରଭା ଏବେ ନୂଆ ନୂଆ ଆସିଛି । ତେଣୁ ତାକୁ ପ୍ରଥମେ ପଚାରିଲେ- ସେ କ’ଣ ଏ ବିଷୟରେ କିଛି ଜାଣିଛି କି, ନରବାହନ ଦତ୍ତ ଅନ୍ୟତ୍ର କେଉଁଠାକୁ ଯିବା ପାଇଁ କହୁଥିଲା କି!
ରତ୍ନପ୍ରଭା ନିଜର ଅନଭିଜ୍ଞତା ପ୍ରକାଶ କଲା । ତା’ପରେ ମଦନ ମଞ୍ଚୁକାକୁ ପଚରାଗଲା । ତାକୁ ମଧ୍ୟ କିଛି ମାଲୁମ ନଥିଲା । ନରବାହନ ଦତ୍ତଙ୍କ ଦୁଇ ପତ୍ନୀ ନିରାଶା ଜର୍ଜରିତ ହୋଇପଡ଼ିଲେ । ସ୍ୱୟଂ ମହାରାଜା ଚିନ୍ତାଚ୍ଛନ୍ନ ଥିଲେ ।
ସେ ସମୟରେ ରତ୍ନପ୍ରଭା, ନିଜର ବିଦ୍ୟାଧରୀ ବିଦ୍ୟାବଳରେ ରାଜକୁମାରଙ୍କ ସ୍ଥିତି ବିଷୟରେ ବିଦିତ ହେଲା । ସେ ମହାରାଜାଙ୍କୁ କହିଲା- ପିତା! ବନ ମଧ୍ୟରେ ରାଜକୁମାର ଜଣେ ତପସ୍ୱିନୀଙ୍କୁ ଭେଟିଛନ୍ତି । ସେ କର୍ପୂର ଦ୍ୱୀପର ରାଜକୁମାରୀ କର୍ପୂରିକା ବିଷୟରେ ତାଙ୍କୁ କହିବାରୁ, ସେ ତାକୁ ପ୍ରାପ୍ତ ହେବା ପାଇଁ କର୍ପୂର ସମ୍ଭବ ଦ୍ୱୀପକୁ ଚାଲିଯାଇଛନ୍ତି ।
ସେ ସକୁଶଳ ଅଛନ୍ତି । ଆପଣମାନେ ଚିନ୍ତା ପରିହାର କରନ୍ତୁ । ମୁଁ ନିଜ ବିଦ୍ୟା ବଳରେ ସମୟ ସମୟରେ ତାଙ୍କ ସମାଚାର ମାଲୁମ ହୋଇ ଆପଣଙ୍କୁ ଜଣାଉ ଥିବି ।
ରତ୍ନପ୍ରଭାକୁ ଯେତେବେଳେ ଜଣାପଡ଼ିଗଲା ଯେ, ତା’ ପତି ପରଦେଶକୁ ଗମନ କରିଛନ୍ତି, ତେଣୁ ମାର୍ଗରେ ସେ କୌଣସି କଷ୍ଟ, ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ, ସେଥିପାଇଁ ସେ ନିଜର ଦ୍ୱିତୀୟ ବିଦ୍ୟାକୁ ପ୍ରୟୋଗ କଲା । ଯଦ୍ୟପି ରତ୍ନପ୍ରଭା ପାଇଁ ଏହା ଦୁଃଖ ଏବଂ ଈର୍ଷାର କାରଣ ଥିଲା ଯେ, ତା’ ପତି ତା’ ପାଇଁ ସଉତୁଣୀର ବ୍ୟବସ୍ଥା କରିବାକୁ ଯାଉଛନ୍ତି… କିନ୍ତୁ ଯେ ପତି ପରାୟଣା ସ୍ତ୍ରୀ ହୋଇଥାଏ, ସେ କେବେହେଲେ ନିଜ ପତିଙ୍କର ଅନିଷ୍ଟ ଚାହିଁନଥାଏ ।