ଈଶ୍ୱର ହୁଏତ ନାରୀ ଜାତିକୁ ସୃଷ୍ଟି କରିଛନ୍ତି । ଅଥଚ ବୁଝିପାରିନାହାନ୍ତି ନାରୀର ମନସ୍ତତ୍ୱ ଓ ଚରିତ୍ର ଶବ୍ଦ ବ୍ୟବହାର କରି ଆମେ ନାରୀ ଜାତିର ଅବମାନନା କରିବା ପାଇଁ ଦୁଃସାହସ କରିବୁ ନାହିଁ । ଚରିତ୍ର ଶବ୍ଦକୁ ଆମେ ତା’ର ବିପୁଳ ଅବିଶ୍ୱସନୀୟ ସମ୍ଭାବନାକୁ ନେଇ ବ୍ୟବହାର କରିବା ପାଇଁ ପ୍ରୟାସ କରିବୁ । ଗୋଟିଏ ଅଣୁବିକ୍ଷଣ ଯନ୍ତ୍ରରେ କେବଳ ଦୃଶ୍ୟମାନ ପୁରୁଷର ଶୁକ୍ରାଣୁକୁ ଗ୍ରହଣ କରି ଯେପରି ଜଣେ ନାରୀ ବିଶ୍ୱକୁ ଭେଟି ଦେଇପାରେ ଏକ ଶିଶୁ ସନ୍ତାନ ସେପରି ଦୁର୍ଗା ରୂପରେ ମହିଷାସୁରକୁ ମଧ୍ୟ ସଂହାର କରିବାକୁ ସମର୍ଥ । ସମଗ୍ର ବିଶ୍ୱର ନାରୀଙ୍କ ଉପରେ ଅନେକ ଅବିଶ୍ୱସନୀୟ, ଚକିତ କଲା ପରି ଖବର ବିଭିନ୍ନ ସମୟରେ ଆମକୁ ଚକିତ କରିଛି । ବିବିଧତାର ବର୍ଣ୍ଣାଳୀରୁ କିଛି ଜଣା ଅଳ୍ପ ଜଣା ଓ ଅଜଣା ନାରୀ ସମ୍ବନ୍ଧିତ ପ୍ରସଙ୍ଗ ଏଥର ଆମେ ଆଲୋଚନା କରିବାର ଦୁଃସାହସ କରୁଛୁ । ଏଥିରେ କୌଣସି ବାଦ, ବିବାଦ, ବିସମ୍ବାଦ, ଆରୋପ ଓ ପ୍ରତ୍ୟାରୋପ ନକରିବା ପାଇଁ ଆମର ବିନୀତ ନିବେଦନ । ଏହି ଆଲେଖ୍ୟଟିକୁ ଲଘୁ ରଚନା ଭାବେ ଗ୍ରହଣ କରି ଏଥିରୁ ତଥ୍ୟ ଆହରଣ ପ୍ରଚେଷ୍ଟା କରିବାକୁ ନିବେଦନ ।
୧. ପ୍ରତି ଦେଢ଼ ମିନିଟ୍ରେ ପ୍ରସବଜନିତ ମୃତ୍ୟୁର ଶିକାର
ଗର୍ଭଧାରଣ ଏବଂ ସନ୍ତାନ ପ୍ରସବ ଜନିତ କାରଣରୁ ପ୍ରତ୍ୟେକ ଦିନ ପ୍ରାୟ ୮୩୦ ଜଣ ମହିଳା ମୃତ୍ୟୁବରଣ କରନ୍ତି । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ପ୍ରାୟ ୯୯ ପ୍ରତିଶତ ମହିଳା ଅର୍ଥାତ୍ ୭୪୭ଜଣ ଜୀବନ ହରାନ୍ତି । ଏମାନେ ପ୍ରାୟତଃ ଗରିବ ଓ ଗ୍ରାମାଞ୍ଚଳବାସୀ । କମ୍ ବୟସର ଯୁବତୀଙ୍କର ମୃତ୍ୟୁହାର ବେଶ୍ ଅଧିକ । କେବଳ କୁଶଳୀ, ତାଲିମପ୍ରାପ୍ତ ଧାଈଙ୍କ ତତ୍ତ୍ୱାବଧାନରେ ଗର୍ଭଧାରଣ ଓ ପରବର୍ତ୍ତୀ ଯତ୍ନ ମିଳିଥିଲେ ହୁଏତ ଏମାନଙ୍କ ଅମୂଲ୍ୟ ଜୀବନ ବଞ୍ଚାଇ ଦିଆଯାଇପାରିଥାନ୍ତା । ୨୦୩୦ ମସିହା ସୁଦ୍ଧା ଏକଲକ୍ଷ ଅନ୍ତଃସତ୍ତ୍ୱା ମହିଳାଙ୍କର ଉଭୟ ଗର୍ଭଧାରଣ ଓ ପ୍ରସବ ଜନିତ ସମସ୍ୟା କାରଣରୁ ମୃତ୍ୟୁହାରକୁ ମାତ୍ର ୭୦କୁ କମାଇବାକୁ ବିଶ୍ୱବ୍ୟାପୀ ପ୍ରୟାସ ଆରମ୍ଭ ହୋଇଛି ।
୨. ଦୈନିକ ୨୦ହଜାର ଶବ୍ଦ ଉଚ୍ଚାରଣ
ଅସମ୍ଭବ ଲାଗୁଛି ନିଶ୍ଚୟ । ଅଥଚ ତଥ୍ୟଟି ପୂରା ଠିକ୍ । ହାରାହାରି ହିସାବରୁ ଏମିତି ଏକ ଅବିଶ୍ୱସନୀୟ ତଥ୍ୟ ଜଣାପଡ଼ିଛି । ଏଣୁ ଯଦି କେହି ପୁରୁଷ ଆପଣଙ୍କୁ ‘ବେଶି ଗପୁଛ’ ବୋଲି ଆକ୍ଷେପ କରନ୍ତି ବୈଜ୍ଞାନିକ କାରଣଟିଏ ଦେଖାଇ ଆପଣ ତାଙ୍କର ମୁହଁ ବନ୍ଦ କରିଦେଇ ପାରିବେ ।
ସତ କଥାଟି ହେଲା ନାରୀ ଦୈନିକ ୨୦,୦୦୦ ଶବ୍ଦ ଉଚ୍ଚାରଣ କରୁଥିଲା ବେଳେ ପୁରୁଷ ପ୍ରାୟ ୭,୦୦୦ ଶବ୍ଦ ଉଚ୍ଚାରଣ କରନ୍ତି । ଏଥିପାଇଁ ନାରୀ ନୁହନ୍ତି; ଦାୟୀ ନାରୀ ଶରୀରରେ ଥିବା ଫକ୍ସପି-୨ ନାମକ ଏକ ପ୍ରୋଟିନ୍ । ଏହି ପ୍ରୋଟିନ୍ ହେଲା ଭାଷା ସୃଷ୍ଟିକାରୀ ପ୍ରୋଟିନ୍ । ମଣିଷଙ୍କ କ୍ଷେତ୍ରରେ ନାରୀ ଓ ମୂଷାଙ୍କ କ୍ଷେତ୍ରରେ ପୁରୁଷ ଏହି ପ୍ରୋଟିନ୍ ଅଧିକ ଥିବାରୁ ଉଭୟେ ଅଧିକ ଗପୁଡ଼ି । ଏହି ବିଜ୍ଞାନ ନଜାଣି ନାରୀଙ୍କୁ ଦୋଷ ଦେବା ଠିକ୍ ନୁହେଁ ।
୩. ବିଶ୍ୱର ସର୍ବାଧିକ ଧନୀ ମହିଳା କେମିତି ଏତେ ସମୃଦ୍ଧ?
ବିଶ୍ୱର ଶ୍ରେଷ୍ଠ ଧନୀ କିଏ ବୋଲି ପ୍ରଶ୍ନ ହେଲେ ଆମେ ତୁରନ୍ତ କହିପାରିବା ଯେ, ବିଲ୍ ଗେଟ୍ସ, ୱାରେନ୍ ବଫେଟ୍ ଇତ୍ୟାଦିଙ୍କ ନାମ । ବିଶ୍ୱର ଧନୀ ମହିଳାଙ୍କ ନାମ କହିବାକୁ ଆମେ ଦଶଥର ଚିନ୍ତା କରିବା । କାରଣଟି ସରଳ । ବିଶ୍ୱର ସର୍ବାଧିକ ଧନୀ ମହିଳା ନିଜର ସମ୍ପତ୍ତିକୁ ନେଇ ପ୍ରଦର୍ଶିତ ହେବାକୁ କୁଣ୍ଠା ପ୍ରକାଶ କରନ୍ତି । ଜଣାଯାଇଛି ଯେ, ବିଶ୍ୱର ୨୦ଜଣ ସବୁଠୁ ଧନୀ ମହିଳାଙ୍କ ମଧ୍ୟରୁ ପ୍ରାୟ ୧୭ଜଣ ନିଜର ସ୍ୱାମୀ କିମ୍ବା ପିତାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ରୂପେ ଧନୀ ହେବାର ସୌଭାଗ୍ୟ ମଣ୍ଡିତା ହୋଇଛନ୍ତି । ଅଥଚ କ୍ଷମତାଶାଳୀ ମହିଳାଙ୍କ ତାଲିକାରେ ନିଜର ଶ୍ରମ, ନିଷ୍ଠା ଓ ବୁଦ୍ଧି ବଳରେ ଯେଉଁ ନାରୀମାନେ ସ୍ଥାନ ପାଇଛନ୍ତି, ସେଥିରେ ଉତ୍ତରାଧିକାରର ସ୍ଥାନ ଗୌଣ ।
୪. ପ୍ରାଚୀନ ରୋମର ନାରୀଙ୍କ ସୌନ୍ଦର୍ଯ୍ୟ ତଥା ରୂପଚର୍ଯ୍ୟା
ପ୍ରାଚୀନ ରୋମ ସାମ୍ରାଜ୍ୟର ବ୍ୟାପ୍ତି ଥିଲା ସମଗ୍ର ୟୁରୋପ, ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟକୁ ନେଇ ଏକ ବିରାଟ ଭୂଖଣ୍ଡ ଯାଏଁ । ଏଣୁ ରୋମାନ୍ ନାରୀଙ୍କର ପ୍ରସାଧନ ସାମଗ୍ରୀ ଓ କଳାକୌଶଳ ମଧ୍ୟ ଥିଲା ବ୍ୟାପକ । ରୋମର ପ୍ରଶାସନିକ ଅଧିକାରୀଙ୍କ ସହିତ ସେମାନଙ୍କର ଧର୍ମପତ୍ନୀ ମଧ୍ୟ ଦେଶ ବିଦେଶ ଭ୍ରମଣ କରୁଥିଲେ । ବିଶ୍ୱର କୋଣ ଅନୁକୋଣରେ ପ୍ରଚଳିତ ପ୍ରସାଧନ ସାମଗ୍ରୀ, ଅତର ଆଦିକୁ ଆପଣେଇ ସୌନ୍ଦର୍ଯ୍ୟଶାଳୀ ହୋଇପାରୁଥିଲେ । ରୂପଚର୍ଯ୍ୟା ପାଇଁ ବିଭିନ୍ନ ଦେଶ, ସଂସ୍କୃତିରେ ପ୍ରଚଳିତ ଶ୍ରେଷ୍ଠ କୌଶଳଗୁଡ଼ିକୁ ନିଜର କରିପାରୁଥିଲେ । ବିଭିନ୍ନ ଦେଶ ଓ ଭୂଖଣ୍ଡରେ ସୃଷ୍ଟ ବିଭିନ୍ନ ସୁଗନ୍ଧିତ ପୁଷ୍ପ, ମସଲା ଓ ଜଡ଼ିବୁଟିରୁ ପ୍ରସ୍ତୁତ ସୌନ୍ଦର୍ଯ୍ୟବର୍ଦ୍ଧକ ତୈଳ, ଲେପନ ଓ ସୁବାସିତ ଲୋସନ୍ ବ୍ୟବହାର କରୁଥିଲେ । ମଧ୍ୟପ୍ରାଚ୍ୟରୁ ଅଣାଯାଉଥିବା ଖୁବ୍ ଦାମୀ ଅତର ବ୍ୟବହାର କରିପାରୁଥିଲେ ସବୁଠାରୁ ଧନୀ ଓ ସଂଭ୍ରାନ୍ତ ମହିଳା । ରୂପରଙ୍ଗ, ତ୍ୱଚାର ଚମକ ପାଇଁ ଯୋଦ୍ଧାମାନଙ୍କର ଶ୍ରମଝାଳ, ଏପରିକି ରକ୍ତ ମଧ୍ୟ ପ୍ରସାଧନ ସାମଗ୍ରୀ ରୂପେ ବ୍ୟବହାର କରୁଥିଲେ ରୋମାନ୍ ନାରୀ ।
୫. ଋଷିଆରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ
ବିଶ୍ୱ ଜନସଂଖ୍ୟାର ଅର୍ଦ୍ଧାଧିକ ପୁରୁଷ । ୨୦୧୫ ଜନଗଣନା ଭିତ୍ତିରେ ମିଳିତ ଜାତିସଂଘ ହିସାବ ଦେଇଛି ଯେ ୧୦୦ ନାରୀ ଥିଲା ବେଳେ ପୁରୁଷଙ୍କ ସଂଖ୍ୟା ୧୦୧.୮ । ୧୯୬୦ ମସିହାଠାରୁ ପୁରୁଷଙ୍କ ସଂଖ୍ୟା ଆନୁପାତିତ ହାରରେ ବଢ଼ି ଚାଲିଥିଲା ବେଳେ ରୁଷିଆ ଏକ ବ୍ୟତିକ୍ରମ । ରୁଷିଆରେ ଜନ୍ମିତ ଶିଶୁମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ଅଧିକ ହୋଇଥିଲେ ହେଁ, ଏମାନେ ୩୨ ବର୍ଷ ହେଲାବେଳକୁ ପୁଅଙ୍କ ସଂଖ୍ୟା କମିଯାଉଛି । ବିଭିନ୍ନ କାରଣରୁ ଏଠାରେ ପୁରୁଷ ମୃତ୍ୟୁହାର ଅଧିକ ହେଉଥିବାରୁ ୩୨ବର୍ଷ ଓ ତା’ଠାରୁ ଅଧିକ ବୟସର ନାରୀଙ୍କ ସଂଖ୍ୟା ଆନୁପାତିକ ଦୃଷ୍ଟିରେ ଅଧିକ । ପୁରୁଷଙ୍କ ଅପେକ୍ଷା ନାରୀଙ୍କ ସଂଖ୍ୟା ୯୦ଲକ୍ଷ ଅଧିକ ।
୬. ନାରୀମାନଙ୍କ ବଡ଼ ଚିନ୍ତା- ପରିଧାନ
ନାରୀ ନିଶ୍ଚୟ ପରିଧାନ ସଚେତନ । କିଛି ପୁରୁଷ ଯଦିଓ ନିଜର ବେଶ ଓ ପୋଷାକକୁ ନେଇ ବେଶ୍ ସତର୍କ, ଏମାନଙ୍କୁ ମାତ୍ ଦେବାକୁ ନାରୀ ଜାତିର ତୁଳନା ନାହିଁ । ଆଜି କ’ଣ ପିନ୍ଧିବେ, ଏହି ଚିନ୍ତାରେ ଅନେକ ନାରୀ ଆଲମିରାକୁ ପୂରା ଘାଣ୍ଟି ଚକଟି ପୁଣି ସଜାଇ ରଖିପାରିବାରେ ପାରଙ୍ଗମ । କୌଣସି ସାମାଜିକ ଅନୁଷ୍ଠାନ, ବିବାହ ଉତ୍ସବ, ପାର୍ଟି ଥିଲେ ତ କଥା ସରିଲା । ଆଗୁଆ ସୂଚନା ଥିଲେ ପ୍ରତ୍ୟେକ ଅନୁଷ୍ଠାନ ପାଇଁ ମନଲୋଭା ଦାମୀ, ମ୍ୟାଚିଙ୍ଗ କଲା ଭଳି ପୋଷାକ ଅଲଗା ପ୍ରସ୍ତୁତ କରି ନେଇଥିବେ, ଯେପରି ଗତ ବର୍ଷ ପିନ୍ଧିଥିବା ଶାଢ଼ି ଏ ବର୍ଷ ଭୁଲ୍ରେ ପିନ୍ଧି ନପକାନ୍ତି । ଏଥିପାଇଁ ଘଣ୍ଟାଘଣ୍ଟା ଗବେଷଣା ଚାଲେ । ସମୁଦାୟ ଜୀବନକାଳ ମଧ୍ୟରେ ଏଥିପାଇଁ ବିନିଯୋଗ ଘଣ୍ଟା-ମିନିଟ୍କୁ ହିସାବ କରାଯାଏ, ତାହା ୩୬୫ ଦିନରୁ କମ୍ ନୁହେଁ । ଅର୍ଥାତ୍ ଗୋଟିଏ ବର୍ଷ ।
୭. ନାରୀମାନେ ବାର୍ଷିକ ୩୦ରୁ ୬୪ଥର କାନ୍ଦନ୍ତି
କୁହାଯାଏ ଯେ ନାରୀ ଆଖିରୁ ଲୁହ ଝରିଲେ ପ୍ରଳୟ ହୁଏ । ପ୍ରଳୟ ପରି ଏକ ବିଧ୍ୱଂସକାରୀ ଘଟଣା ଘଟୁନଥିବାରୁ ଏହା ସତ ବୋଲି ଆମର ମନେହୁଏନା । ପ୍ରତିମାସରେ ହାରାହାରି ୪ଥର ଆଖିରୁ ଲୁହ ଝରାଉଥିବା ନାରୀର ଲୁହରେ ପ୍ରଳୟ ଆସୁଥିଲେ ପୃଥିବୀ ପ୍ରତିଦିନ ଯେ କେତେଥର ଧ୍ୱଂସ ହୋଇଚାଲିଥାଆନ୍ତା କଳ୍ପନା କରି ହେଉନି ।
ଗୋଟିଏ ବିଶ୍ୱସନୀୟ ଜର୍ମାନ ଗବେଷଣାର ଫଳାଫଳରୁ ଜଣାଯାଇଛି ଯେ, ପୁରୁଷମାନେ ବାର୍ଷିକ ହାରାହାରି ୬-୧୭ ଥର କାନ୍ଦୁଥିବାବେଳେ ନାରୀମାନେ ବାର୍ଷିକ ହାରାହାରି ୩୦ରୁ ୬୪ ଥର କାନ୍ଦିଥାଆନ୍ତି । ପୁରୁଷର କାଳର ଅବଧି ଦୁଇ ଚାରିମିନିଟ୍, ମାତ୍ର ନାରୀ ପ୍ରାୟ ୬ ମିନିଟ୍ ପାଇଁ କାନ୍ଦନ୍ତି । ଥରେ ଆଖିଓଦା କରିବା ଆରମ୍ଭ କଲେ ୬୫ ପ୍ରତିଶତ ନାରୀଙ୍କ କ୍ଷେତ୍ରରେ ଏହା ଶୋକୋଚ୍ଛ୍ୱାସରେ ପରିଣତ ହୋଇଯାଏ, ଯାହାକି ପୁରୁଷଙ୍କ କ୍ଷେତ୍ରରେ ମାତ୍ର ୬ ପ୍ରତିଶତ । ୪୩ ବର୍ଷ ବୟସ ଯାଏଁ ପୁଅଝିଅଙ୍କ କାନ୍ଦ ମଧ୍ୟରେ ପ୍ରାୟତଃ କିଛିବି ପ୍ରଭେଦ ନଥାଏ । ତେବେ ଏହାପରେ ପଛେ ଝିଅଙ୍କ କ୍ଷେତ୍ରରେ ସାମାନ୍ୟ ଅଭାବବୋଧ ଅସୁବିଧାଜନକ ପରିସ୍ଥିତି କିମ୍ବା ଅତୀତର ଦୁଃଖଦ ଘଟଣା ମନେପଡ଼ିଗଲେ ନାରୀ ଆଖିରୁ ଝରିଯାଏ ଲୋତକର ଧାରା । ଏହି ଲୋତକର ଧାରା ସିନା ପ୍ରଳୟ କରେନା, ମାତ୍ର ପୁରୁଷର କଠିଣ ହୃଦୟକୁ ଯେ ତରଳାଇବାର କ୍ଷମତା ରଖେ, ଅନୁଭବ କରିଥିବେ ଅନେକେ ।
୮. ନାରୀ ମିଛେଇ ନୁହେଁ, ବରଂ ପୁରୁଷ ହିଁ ମିଛ କହେ
ଶୀର୍ଷକ ଦେଖି, ନାରୀ ସବୁବେଳେ ସତ କହେ ବୋଲି ଧରି ନିଅନ୍ତୁନି । ହଁ, ପୁରୁଷମାନେ ସପ୍ତାହକୁ ୪୨ଥର ମିଛ କହୁଥିଲାବେଳେ ନାରୀମାନଙ୍କ କ୍ଷେତ୍ରରେ ଏହା ଦୈନିକ ୩ଥର, ଅର୍ଥାତ୍ ସପ୍ତାହକୁ ପ୍ରାୟ ୨୧ଥର । ପୁରୁଷମାନେ ନିଜର ଗର୍ଲଫ୍ରେଣ୍ଡ, ପତ୍ନୀ, ଅଫିସର ହାକିମ ଓ ସହକର୍ମୀଙ୍କୁ ମିଛ କହୁଥିଲା ବେଳେ ନାରୀ ପୋଷାକ ପରିଧାନକୁ ନେଇ ମିଛ କହନ୍ତି ବୋଲି ଜଣାଯାଇଛି ।
ଏକ ହାରାହାରି ହିସାବ ଅନୁଯାୟୀ, ପୁରୁଷ ବାର୍ଷିକ ୨୧୮୪ଥର ଅର୍ଥାତ୍ ସମଗ୍ର ଜୀବନକାଳ ମଧ୍ୟରେ ୧,୨୬,୬୭୨ଥର ମିଛ କହୁଥିଲା ବେଳେ ନାରୀମାନଙ୍କ କ୍ଷେତ୍ରରେ ଏହା ବାର୍ଷିକ ୧,୦୯୨ଥର ଓ ଜୀବନକାଳରେ ମାତ୍ର ୬୮,୭୯୬ଥର । ଏବେ ଜଣାପଡ଼ିଲା ତ! ପୁରୁଷମାନେ ଅଳ୍ପ କଥା ଭିତରେ ଏତେ ମିଛ କହୁଥିବାର ଆପଣ ଜାଣିପାରିଲା ପରେ କ’ଣ ଅନୁଭବ କରୁଛନ୍ତି?
୯. ତଲାକ୍ ପାଇଥିବା, ସର୍ବକନିଷ୍ଠା ନାରୀର ବୟସ ମାତ୍ର ୧୦ ବର୍ଷ
ନୁଜୂଦ୍ ଆଲ୍ଲୀ ୟେମେନ୍ ଝିଅ । ୧୯୯୮ରେ ଜନ୍ମିତା ଆଲ୍ଲୀ ଆଜି ବାଧ୍ୟବାଧକ କରାଯାଉଥିବା ବିବାହ ଓ ବାଳିକା ବିବାହ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଚର୍ଚ୍ଚିତ । ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ମାତ୍ର ୧୦ ବର୍ଷ ବୟସରେ । ଜନବାସୀଙ୍କ ନିୟମ ବିରୁଦ୍ଦାରଚରଣ କରାଯାଇ ତାଙ୍କର ବୈବାହିକ ସଂପର୍କରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ । ଆଜି ନୁଜୂଦ୍ ଆଲ୍ଲୀଙ୍କ ବୟସ ମାତ୍ର ୧୯ବର୍ଷ । ଅଥଚ ମାତ୍ର ୧୦ବର୍ଷ ବୟସ ବେଳକୁ ସେ ପାଲଟି ଯାଇଥିଲେ ପତ୍ନୀ ଓ ପରେ ପରେ ତାଙ୍କର ବିବାହ ବିଚ୍ଛେଦ । ଆମେରିକାର ପ୍ରସିଦ୍ଧ ମହିଳା ପତ୍ରିକା ‘ଗ୍ଲାମର’ ଆଲ୍ଲୀ ଓ ତାଙ୍କର ମହିଳା ଓକିଲ ସାଦା ନାଶେର୍ଙ୍କୁ ମିଳିତ ଭାବେ ୨୦୦୮ ବର୍ଷ ପାଇଁ ସର୍ବଶ୍ରେଷ୍ଠ ମହିଳା ରୂପେ ବାଛିଥିଲେ । ଆଲ୍ଲୀଙ୍କ ସାହସକୁ ହିଲାରୀ କ୍ଲିଣ୍ଟନ ଓ କଣ୍ଡୋଲୀଜା ରାଇସ୍ଙ୍କ ପରି ପ୍ରଖ୍ୟାତ ତଥା ବିଶ୍ୱ ପରିଚିତ ମହିଳା ବହୁ ପ୍ରଶଂସା କରିଛନ୍ତି । ଆଲ୍ଲୀ ଓ ଫ୍ରାନ୍ସର ସାମ୍ବାଦିକ ଡେଲ୍ଫିନ୍ ମିନୋଇଙ୍କ ମିଳିତ ଉଦ୍ୟମରେ ଲିଖିତ ପୁସ୍ତକ ‘ଆଇ ଆମ୍ ନୁଜୂଦ୍, ଏଜ୍ ୧୦ ଏଣ୍ଡ ଡାଇଭୋର୍ସଡ୍’ ଏକ ଚର୍ଚ୍ଚିତ ପୁସ୍ତକ ।
୧୦. ନାରୀଙ୍କର ହୃଦ୍ଘାତ ହେବାର ଲକ୍ଷଣ : ମୁଣ୍ଡ ବୁଲା, ବଦ୍ହଜମି ଓ କାନ୍ଧରେ ଯନ୍ତ୍ରଣା
ହୃଦ୍ଘାତ ଉଭୟ ନାରୀ ଓ ପୁରୁଷଙ୍କ ପାଇଁ ଚିନ୍ତାଜନକ ହୋଇଥିଲେ ହେଁ ନାରୀଙ୍କ କ୍ଷେତ୍ରରେ ହୃଦ୍ଘାତର ଲକ୍ଷଣ ସ୍ୱତନ୍ତ୍ର । ହୃଦ୍ଘାତ ହେବା ପୂର୍ବରୁ ଏହି ଲକ୍ଷଣ ସବୁ ପ୍ରକାଶ ପାଏ । ଏଣୁ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିନେଲେ ହୃଦ୍ଘାତର ଆଗୁଆ ପ୍ରତିକାର କରିପାରିବା । ଏଣୁ ଆସନ୍ତୁ ଜାଣିନେବା ହୃଦ୍ଘାତର କିଛି ଲକ୍ଷଣ- ଅଶ୍ୱସ୍ତିକର ଚାପ, ଚିପୁଡ଼ି ଦେଲା ପରି ଅନୁଭବ, ଛାତିର ଠିକ୍ କେନ୍ଦ୍ରସ୍ଥଳରେ ଅଖାଡୁଆ ଲାଗିବା, ପିଠି-ବେକ-ମାଢ଼ି ଏବଂ ପେଟରେ ଯନ୍ତ୍ରଣା ହୁଏ । ଛାତି ଯନ୍ତ୍ରଣା ନଥାଇ ବି ନିଃଶ୍ୱାସ, ପ୍ରଶ୍ୱାସ ଦ୍ରୁତ ହୁଏ । ମୁଣ୍ଡ ହାଲୁକା ଲାଗେ, ଥଣ୍ଡାରେ ବି ଝାଳ ବୁହେ, ମୁଣ୍ଡ ବୁଲାଏ । ତେବେ ନାରୀ ଓ ପୁରୁଷଙ୍କ କ୍ଷେତ୍ରରେ ହୃଦ୍ଘାତ ହେବା ପୂର୍ବର ଲକ୍ଷଣ ପ୍ରାୟତଃ ଏକାପରି ହୋଇଥିଲେ ହେଁ, ଖର ନିଃଶ୍ୱାସ ପ୍ରଶ୍ୱାସ, ମୁଣ୍ଡ ବୁଲା ଓ ବାନ୍ତି ଉଠାଇବା ସହ ପିଠି ଓ ଦାନ୍ତ ମାଢ଼ିରେ ଯନ୍ତ୍ରଣା ନାରୀଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ।
୧୧. ନାରୀଙ୍କ ହୃଦୟ ପୁରୁଷଙ୍କ ଅପେକ୍ଷା ଅଧିକ ଧକ୍ ଧକ୍ କରେ
ଆମେ ଏଠାରେ ହୃଦୟ ଲେଖି ହୃତ୍ପିଣ୍ଡ କଥା ହିଁ କହୁଛୁ । ଜଣେ ପ୍ରାପ୍ତ ବୟସ୍କା ନାରୀଙ୍କର ହୃତ୍ପିଣ୍ଡ ପ୍ରତି ମିନିଟ୍ରେ ୭୮ଥର ଧକ୍ ଧକ୍ କରିବା କଥା, ଯେତେବେଳେ କି ଜଣେ ପ୍ରାପ୍ତ ବୟସ୍କ ସୁସ୍ଥ ପୁରୁଷ କ୍ଷେତ୍ରରେ ୭୦ । ଆମ ହୃତ୍ପିଣ୍ଡର ନିଜସ୍ୱ ବିଦୁ୍ୟତ୍ ବ୍ୟବସ୍ଥା ରହିଥିବାରୁ, ଶରୀରରୁ ହୃତ୍ପିଣ୍ଡକୁ ଅଲଗା କରାଯିବାର କିଛି ସମୟ ଯାଏଁ ମଧ୍ୟ ଧକ୍ ଧକ୍ ହେବା ଚାଲୁ ରହିଥାଏ । ନାରୀମାନଙ୍କର ହୃତ୍ପିଣ୍ଡର ହାରାହାରି ଓଜନ ୮ ଆଉନ୍ସ ହୋଇଥିଲା ବେଳେ ପୁରୁଷଙ୍କ ହୃତ୍ପିଣ୍ଡର ଓଜନ ୧୦ ଆଉନ୍ସ୍ । ଡାକ୍ତରଙ୍କ କହିବା କଥା ଯେ, ଯାହାର ହୃତ୍ପିଣ୍ଡ ଯେତେ ହାଲୁକା, ତାଙ୍କର ଧକ୍ଧକ୍ ସେତେ ଅଧିକ । ଆମର ଗୋଟିଏ କଥା ମନେ ପଡୁଛି- ପୁରୁଷ ପ୍ରେମରେ ବିଫଳ ହେଲେ ନାରୀକୁ କୁହେ ହୃଦୟହୀନା, ନିଜକୁ କହେ ହେଭି ହାର୍ଟ । କଥାଟି ଭୁଲ୍, ନାରୀର ହୃତ୍ପିଣ୍ଡ ହୁଏତ ସାନ, ହୃଦୟ କିନ୍ତୁ ବିଶାଳ ।
୧୨. ନାରୀ ଜୀବନର ଚାରିବର୍ଷ ଋତୁସ୍ରାବରେ ଚାଲିଯାଏ
ନାରୀ ରଜସ୍ୱାଳା ହେବା ପରେ ମାନସିକ ଅବସାଦ ଓ ଯନ୍ତ୍ରଣାର ଶିକାର ହେବା ଏକ ସଚରାଚର ଘଟଣା । ଏହା ଏକ ପ୍ରତିମାସର ଘଟଣା, ଯାହାର ପରିସମାପ୍ତି ଘଟେ ପ୍ରାୟ ପ୍ରୌଢ଼ାବସ୍ଥାରେ । ୧୩ବର୍ଷରୁ ୫୧ ବର୍ଷ ଯାଏଁ ନାରୀମାନଙ୍କର ମାସିକ ଋତୁସ୍ରାବ ହୁଏ ଏବଂ ପ୍ରାୟ ୩-୭ ଦିନ ଧରି ଚାଲେ ।
ହାରାହାରି ହିସାବରୁ ଜଣାଯାଇଛି ଯେ, ୩୮ ବର୍ଷର ପ୍ରଜନନଶୀଳ ଜୀବନରେ ଜଣେ ନାରୀ ପ୍ରାୟ ୪୫୬ଥର ଋତୁସ୍ରାବ କରନ୍ତି, ଯାହାର ଅବଧି ୨,୨୩୦ଦିନ । ଅର୍ଥାତ୍ ନିଜ ଜୀବନକାଳ ମଧ୍ୟରୁ ପ୍ରାୟ ୬ବର୍ଷ ୩ମାସ କେବଳ ଋତୁସ୍ରାବରେ ଚାଲିଯାଏ ମହିଳାମାନଙ୍କର । ହାରାହାରି ହିସାବ କଲେ ଅନ୍ତତଃ ୪ବର୍ଷ । ଅବିଶ୍ୱସନୀୟ ହେଲେ ହେଁ, ଏହା ସତ୍ୟ । ମଣିଷ ସମାଜର ସୃଷ୍ଟି ଓ ବିକାଶ ପାଇଁ ନାରୀର ଏହା ଏକ ତ୍ୟାଗ ନୁହେଁ କି?
୧୩. ପୁରୁଷଙ୍କ ଅପେକ୍ଷା ନାରୀମାନଙ୍କର ଚଖାଗୁଣ ଅଧିକ
ଚଖାଗୁଣ କଥା କହି ଆମେ ଏକାସଙ୍ଗରେ ପୁରୀର ବୋଲିବାଣୀ ସହିତ ନାରୀଙ୍କର ଅପମାନ କଲୁ ବୋଲି ମନେ କରିବେନି । ପ୍ରକୃତରେ ପୁରୁଷଙ୍କ ଅପେକ୍ଷା ନାରୀଙ୍କ ପାଖରେ ଭଗବାନ ଅନେକ ଗୁଣ ଭରି ଦେଇଛନ୍ତି, ଯାହା ସାହାଯ୍ୟରେ ସେମାନେ ସ୍ୱାଦ, ଗନ୍ଧ, ରଙ୍ଗ ଠାରୁ ଆରମ୍ଭ କରି ଅନନ୍ୟ ଅନୁଭବ କରିବା ଶକ୍ତି ସମୃଦ୍ଧା ହୋଇପାରିଛନ୍ତି ।
ବୈଜ୍ଞାନିକମାନେ, ଏପରି ଗୁଣ ସବୁ ଯେ କାହିଁକି ନାରୀଙ୍କ ପାଖରେ ଠୁଳ ହୋଇଛି ତାହାର ଗବେଷଣା କରିଚାଲିଛନ୍ତି । ତେବେ ନାରୀମାନେ ମୁଖ୍ୟତଃ ଘରୋଇ କାମରେ ନିମଗ୍ନ ରହୁଥିବାରୁ, ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ଶିଶୁଙ୍କ ଲାଳନପାଳନ କରୁଥିବାରୁ ରଙ୍ଗ, ରୂପ, ବାସ୍ନା ଇତ୍ୟାଦି ଚିହ୍ନିବାରେ ଅଭିଜ୍ଞ ହୋଇଉଠନ୍ତି । ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଶଂସା ପାଇବା କାରଣରୁ ସ୍ୱାଦ ଉପରେ ନାରୀ ଅଧିକ ସଚେତନ । ଗର୍ଭଧାରଣ କରିଥିବା ଅବସ୍ଥାରେ ଯେକୌଣସି ନାରୀର ସମସ୍ତ ଇନ୍ଦ୍ରିୟ ବେଶ୍ ସତେଜ ଓ ଅଧିକ କାର୍ଯ୍ୟକ୍ଷମ ରହୁଥିବାର ଜଣାଯାଏ । ନିଜ ସନ୍ତାନର ସୁରକ୍ଷା ପାଇଁ ମା’ର ତୁଳନା ନାହିଁ ସତରେ ।
୧୪. କିଛି ନାରୀଙ୍କ ଆଖିରେ ଲକ୍ଷ ଲକ୍ଷ ରଙ୍ଗ ଚିହ୍ନିବାର ଶକ୍ତି
ବିଶ୍ୱ ରଙ୍ଗମୟ । ଆମେ ଦେଖୁଥିବା ଏତେ ରଙ୍ଗ, ଏତେ ବିବିଧତା ମୂଳତଃ ସାତରଙ୍ଗର ସମାହାର । ଆମେ ଯେତେ ରଙ୍ଗ ଦେଖୁ ଓ ବର୍ଣ୍ଣନା କରୁ, ତାହାର ସଂଖ୍ୟା ଶହେରୁ କମ୍ ନିଶ୍ଚୟ । କିନ୍ତୁ କିଛି ବ୍ୟକ୍ତି କୋଟି କୋଟି ନୂଆରଙ୍ଗକୁ ଦେଖିପାରନ୍ତି ଓ ଚିହ୍ନିପାରନ୍ତି । ଅଥଚ ଏମାନେ ଅତିମାନବ ନୁହନ୍ତି । ଏମାନେ ଦେଖୁଥିବା ଇନ୍ଦ୍ରଧନୁରେ ରଙ୍ଗର ବିବିଧତା ‘ବାଘନିସହନାଲା’ ମଧ୍ୟରେ ସୀମାବଦ୍ଧ ନୁହେଁ- ଅସୀମ । ଅଧିକାଂଶ ପ୍ରାଣୀଙ୍କ ଆଖିରେ ଥାଏ ଦୁଇ ପ୍ରକାର କୋନ୍ସେଲ୍, କିନ୍ତୁ ମଣିଷ ଚକ୍ଷୁରେ ଥାଏ ତିନିପ୍ରକାର । ପ୍ରତିଟି କୋନ୍ସେଲ୍ ବା କାହାଳୀ ଆକାରର କୋଷ ୧୦୦ ପ୍ରକାର ରଙ୍ଗ ଚିହ୍ନଟ ପାଇଁ ସକ୍ଷମ । ଅର୍ଥାତ୍ ଜଣେ ମଣିଷ ପକ୍ଷରେ ଏକଲକ୍ଷ ରଙ୍ଗ ଦେଖିବା ସମ୍ଭବ ।
କିନ୍ତୁ କିଛି ନାରୀଙ୍କ ସୃଷ୍ଟି ଅତି ବିଚିତ୍ର । ଜିନ୍ ଗତ ମୁ୍ୟଟେସନ କାରଣରୁ କିଛି ନାରୀ ଲକ୍ଷ ଲକ୍ଷ ରଙ୍ଗ ଦେଖିବା ପାଇଁ ସକ୍ଷମ । ଏମାନଙ୍କର କୋନ୍ ସେଲର୍ ପ୍ରକାର ଭେଦ ତିନିରୁ ଅଧିକ । ଯଦିଓ ଏହା ଏକ ବ୍ୟତିକ୍ରମ, ଏହା ନାରୀଙ୍କ କ୍ଷେତ୍ରରେ କାହିଁକି ହୁଏ, ଏହା ଗବେଷଣାର ବିଷୟ ।
୧୫. ଡେଙ୍ଗୀ ନାରୀଙ୍କୁ କର୍କଟ ରୋଗ ସମ୍ଭାବନା ଅଧିକ
ଗୋଟିଏ କର୍କଟ ରୋଗ ସମ୍ବନ୍ଧିତ ଗବେଷଣାରୁ ତଥ୍ୟ ମିଳିଛି ଯେ, ଗେଡୀଙ୍କ ଅପେକ୍ଷା ଡେଙ୍ଗୀଙ୍କର ନାନାଦି କର୍କଟ ରୋଗ ହେବାର ସମ୍ଭାବନା ଅଧିକ । ତଥ୍ୟ ଅନୁସାରେ ପ୍ରତି ୪ଇଞ୍ଚ ଉଚ୍ଚତା ବୃଦ୍ଧି ପାଇଁ ପ୍ରାୟ ୧୬ ପ୍ରତିଶତ ଆଶଙ୍କା ବଢ଼ିଥାଏ । ନାରୀଙ୍କର କର୍କଟ ରୋଗ ବିବିଧ । ସ୍ତନ, ଭ୍ରୂଣାଶୟ, ଗର୍ଭାଶୟ, ବୃହଦନ୍ତ୍ର ବା ମଳ ଦ୍ୱାର କର୍କଟ ଠାରୁ ଆରମ୍ଭ କରି ରକ୍ତକର୍କଟ ଯଥା- ଲୁ୍ୟକୋମିଆ, ମେଲାନୋମା ଏବଂ ଏପରିକି ଚର୍ମକର୍କଟ ମଧ୍ୟ ଦେଖାଦେଇଥାଏ ।
ନାରୀ ଡେଙ୍ଗୀ ହେବେ କି ଗେଡୀ, ଏହା ତାଙ୍କର ବଂଶଗୁଣ ଉପରେ ନିର୍ଭର କଲେ ମଧ୍ୟ ଶରୀର ମଧ୍ୟରେ ସୃଷ୍ଟ ହରମୋନ୍ ମଧ୍ୟ ଉଚ୍ଚତା ବୃଦ୍ଧି କାରକ । ହରମୋନ୍ ପ୍ରଭାବରେ ଶରୀର ମଧ୍ୟରେ ଉଚ୍ଚତା ବୃଦ୍ଧି ସହ କର୍କଟ ରୋଗ ସମ୍ଭାବନା ମଧ୍ୟ ବୃଦ୍ଧି ପାଇଚାଲେ ।
୧୬. ୬୯ ଛୁଆର ମା’
ପ୍ରତିଟି ନାରୀର ଏକ ଟିଏଫ୍ଆର୍ (ଟୋଟାଲ୍ ଫର୍ଟିଲିଟି ରେଟ) ବା ସନ୍ତାନ ସମ୍ଭାବନା ମାପ କରିବା ପାଇଁ ଜନ୍ମଠାରୁ ଋତୁବନ୍ଦ ଯାଏଁ ଅବଧି ମଧ୍ୟରେ କେତୋଟି ସନ୍ତାନ ସେ ଜନ୍ମ ଦେଇପାରନ୍ତି । ଏହି ମାପ ଅନୁଯାୟୀ ଦେଖାଦେଇଛି ଯେ ୧୯୫୦ଠାରୁ ଆଜିଯାଏଁ ସନ୍ତାନ ପ୍ରସବ ସମ୍ଭାବନା କମିଚାଲିଛି । ଏତେସବୁ ହିସାବକୁ ଫୁକରି ଉଡାଇ ଦେଇଛନ୍ତି କିଛି ନାରୀ । ସନ୍ତାନ ସୃଷ୍ଟି କରିବାର ଅତ୍ୟାଧୁନିକ ବିଜ୍ଞାନର ସାହାଯ୍ୟ ନନେଇ ଏମିତି କିଛି ଅବିଶ୍ୱସନୀୟ ତଥ୍ୟ ଆଧୁନିକ ନାରୀକୁ ଚକିତ କରିବା ପାଇଁ ଯଥେଷ୍ଟ ।
ଋଷିଆର ଶୂୟା ଗାଁର ଜଣେ କୃଷକ ଫିଡର ଭାସିଲେଭଙ୍କର ପତ୍ନୀ ତାଙ୍କର ଜୀବନ କାଳରେ ମୋଟ ୬୯ ସନ୍ତାନ ଜନ୍ମ ଦେଇଥିଲେ । ସେଥି ମଧ୍ୟରୁ ୪ଥର ଚାରୋଟି ଲେଖାଏଁ, ସାତଥର ୩ଟି ଲେଖାଏଁ, ୧୬ଥର ଦୁଇଟି ଲେଖାଏଁ ଜନ୍ମ ଦେଇଥିଲେ ଏବଂ ମାତ୍ର ୨ଟି ଶିଶୁ ସନ୍ତାନ ଶୈଶବରେ ହିଁ ମୃତୁ୍ୟବରଣ କରିଥିଲେ । ମଜାର କଥା ଯେ, ପତିଦେବ ଦ୍ୱିତୀୟ ଦାର ଗ୍ରହଣ କରି ପୁନର୍ବାର ୮ଟି ପ୍ରସବ ମାଧ୍ୟମରେ ୧୮ ସନ୍ତାନର ଜନକ ହୋଇଥିଲେ । ତେବେ ପ୍ରଥମ ପତ୍ନୀଙ୍କର ନାମ ଗିନିସ ବୁକ୍ରେ ବିଶ୍ୱ ରେକର୍ଡ ଭାବେ ଲିପିବଦ୍ଧ ହୋଇଛି ସିନା, ଏହି ବିଶ୍ୱମାତାଙ୍କର ନାଁ କିନ୍ତୁ ନାହିଁ । ସେ ଫିଡରଙ୍କର ପତ୍ନୀ ରୂପେ ପରିଚିତି ହାସଲ କରିଛନ୍ତି । ଅଷ୍ଟାଦଶ ଶତାବ୍ଦୀରେ ମହିଳାଙ୍କ ନାମ ଲିପିବଦ୍ଧ କରାଯାଉ ନଥିଲା ତ, ସେଥିପାଇଁ ।
୧୭. ଖସିବା ବାଟ ଜାଣିଥିଲେ ସଂପର୍କ ମଧ୍ୟ ରଖିବାକୁ ଚାହାନ୍ତେ ନାରୀ
ପ୍ରେମ ପଥ ଖସଡ଼ା । ସତୀ ନାରୀ ବି ପଥ ହୁଡେ । ପ୍ରେମରେ ପଡ଼ିଗଲେ ସେଥିରୁ ନିସ୍ତାର ପାଇବା ଏତେ ସହଜ ନୁହେଁ । ପ୍ରେମର ନାଗଫାଶରୁ ମୁକ୍ତି ପାଇ ସବୁକିଛି ଭୁଲିଯିବା ଓ କଳଙ୍କମୁକ୍ତ ଜୀବନଟିଏ ଜିଇଁବା ପ୍ରାୟତଃ ଅସମ୍ଭବ ବୋଲି ଜାଣି ଅନେକେ ସଂପର୍କ ବଢ଼ାନ୍ତିନି ଏବଂ ଏହାକୁ ପାପ ମନେ କରି ଆଜୀବନ ସତୀ ନାରୀର ମୁକୁଟ ପିନ୍ଧି, ପ୍ରେମାନନ୍ଦରେ ସନ୍ତୁଳି ହୁଅନ୍ତି ।
ଅନେକେ ଏହାକୁ ଦିଲ୍ଲୀକା ଲଡୁ ଭାବନ୍ତି । ଖାଇଲେ ପସ୍ତାନ୍ତି, ନଖାଇ ପାରିଲେ ବି । ଏଣୁ କିଛି ଲୋକ ଖାଇକି ପସ୍ତାଇବାକୁ ଚାହାନ୍ତି । ଦିଲ୍ଲୀକା ଲଡୁ ବେଶ୍ ମିଠା ଲାଗିବ ନିଶ୍ଚୟ । ତେବେ ଦିଲ୍ଲୀକା ଲଡୁ ନ ଖାଇଲେ ଭଲ ବୋଲି ଆମେ ନିଶ୍ଚୟ କହିବୁ । ତଥାପି ଲଡୁ ଖାଇସାରି ପସ୍ତେଇବା ଅପେକ୍ଷା ଏଥିରୁ ଖସିଯିବାର ବାଟ ଆପଣାନ୍ତୁ ।
ଏଥିପାଇଁ ଦରକାର ଦୁଇଟି ମାନସିକତା । ପ୍ରଥମଟି ହେଲା ଦୃଢ଼ ନିଷ୍ପତ୍ତି ନେବା ଓ ଦ୍ୱିତୀୟଟି ହେଲା ଏହାକୁ ଶକ୍ତି ଲଗାଇ ପାଳନ କରିବା ।
୧୮. ହୃଦ୍ରୋଗ : ନାରୀ ସମାଜର ପ୍ରଥମ ଶିକାରୀ
ଅନେକେ ଭାବନ୍ତି ଯେ ସ୍ତନକର୍କଟ ହିଁ ନାରୀ ସମାଜର ପ୍ରଥମ ହତ୍ୟାକାରୀ । ଏଣୁ ସ୍ତନକର୍କଟର ବିଭୀଷିକା ଚିନ୍ତା କରି ଅନେକେ ଶିହରି ଉଠନ୍ତି । ତେବେ ପ୍ରତ୍ୟେକ ୮ଜଣ ନାରୀଙ୍କ ମଧ୍ୟରୁ ଜଣେ ସ୍ତନକର୍କଟର ଶିକାର ହେଉଥିଲା ବେଳେ ପ୍ରତି ୩ଜଣ ନାରୀଙ୍କ ମଧ୍ୟରୁ ଜଣେ ହୃଦ୍ରୋଗର ଶିକାର ହୁଅନ୍ତି ବୋଲି ଆମେ ସଚେତନ ନୋହୁଁ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତ୍ୟେକ ବର୍ଷ ପ୍ରାୟ ୫ଲକ୍ଷ ମହିଳା ହୃଦ୍ଘାତ ଓ ଧମନୀ ସଂପର୍କିତ ରୋଗରେ ମୃତ୍ୟୁବରଣ କରୁଥିଲା ବେଳେ ସ୍ତନକର୍କଟ କାରଣରୁ ମୃତ୍ୟୁସଂଖ୍ୟା ମାତ୍ର ୪୦ହଜାର! ଏଣୁ କୌଣସି ବି ନାରୀ ହୃତ୍ପିଣ୍ଡ ଓ ଧମନୀ ସଂପର୍କିତ ଅସୁସ୍ଥତାକୁ ସାଧାରଣ ମନେ ନକରିବା ଉଚିତ୍ ।
୧୯. ମାତ୍ର ୨ ପ୍ରତିଶତ ନାରୀ ନିଜକୁ ସୁନ୍ଦରୀ ମନେକରନ୍ତି
ପ୍ରତି ନାରୀ ଲାସ୍ୟମୟୀ, ହାସ୍ୟମୟୀ, ଅପରୂପା । ତଥାପି ମାତ୍ର ୨ ପ୍ରତିଶତ ନାରୀ ମନେକରନ୍ତି ଯେ, ସେମାନେ ବାସ୍ତବରେ ସୁନ୍ଦରୀ । ତେବେ କ’ଣ ବାକି ୯୮ ପ୍ରତିଶତ ନାରୀ ନିଜର ସୁନ୍ଦରତାକୁ ନେଇ ଅସନ୍ତୁଷ୍ଟ? ସତ କଥାଟି ହେଲା ଯେ ସୌନ୍ଦର୍ଯ୍ୟ ଚାଲିଯାଏନା ଏବଂ ଏହାର ଅମାପ ଶକ୍ତି ମଧ୍ୟ ଥାଏ । କୁହାଯାଏ ଯେ ନାରୀର ସୌନ୍ଦର୍ଯ୍ୟ ନାରୀ ପାଖରେ ନୁହେଁ, ବରଂ ତାଙ୍କୁ ଦେଖୁଥିବା ବ୍ୟକ୍ତିର ଆଖିରେ ହିଁ ଥାଏ । କେହିବି ସୌନ୍ଦର୍ଯ୍ୟର ପରିଭାଷା କହିପାରିବେ ନାହିଁ, କିନ୍ତୁ ପ୍ରତ୍ୟେକଙ୍କର ଦୃଷ୍ଟିଭଙ୍ଗୀରେ ନାରୀର ସୌନ୍ଦର୍ଯ୍ୟ ଓ ରୂପବର୍ଣ୍ଣନା ଅଲଗା । କିଏ କହେ ଯେ ନାରୀ ହସିଦେଲେ ମୁକ୍ତା ଝରେ ତ ଆଉ କିଏ କହେ ଚାଲିଗଲେ ପଦ୍ମଫୁଟେ । ବାସ୍ତବରେ ପ୍ରତିଟି ନାରୀ ସୁନ୍ଦର, ଈଶ୍ୱରଙ୍କ ସୃଷ୍ଟିର ଶ୍ରେଷ୍ଠତମ ଅବଦାନ ବୋଲି । ତେବେ ମାତ୍ର ଦୁଇ ପ୍ରତିଶତ ନାରୀ ନିଜକୁ ସୁନ୍ଦର ବୋଲି ଭାବିବା କଥାରୁ କୁହାଯାଇପାରେ ଯେ, ସତରେ ନାରୀ କେତେ ସରଳ ।
୨୦. ନାରୀ ଆଖିପତା ମିନିଟ୍କୁ ୧୯ଥର, ପୁରୁଷଙ୍କର ୧୧ଥର ପଡ଼େ
ଆଖିପତା ପଡ଼ିବା ଓ ଖୋଲିଯିବା ଏକ ପ୍ରାକୃତିକ ପ୍ରକ୍ରିୟା । ଏପରି ହେବା ଯୋଗୁଁ ଆଖିର ଲୁହ ଖେଳାଇ ହୋଇ ବାୟୁମଣ୍ଡଳରୁ ଆସିଥିବା ମଇଳା ଆଦିକୁ ଅଡେଇ ହେବା ସହ ଆଖି ଓଦା ରହେ । ଆଖି ପ୍ରତି ବିପଦ ଆସିଲେ ମନକୁ ମନ ଆଖିପତା ମୁଦି ହୋଇଯାଏ । ଆମ ମସ୍ତିଷ୍କର ଏକ ଅଂଶରୁ ଆସୁଥିବା ନିଦେ୍ର୍ଦଶ ଅନୁସାରେ ଆଖିପତା ବାରମ୍ବାର ପଡେ ଓ ଖୋଲେ । ଥରେ ଆଖିପତା ପଡ଼ିବା ଠାରୁ ଖୋଲିବା ମଧ୍ୟରେ ସମୟ ବ୍ୟବଧାନ ମୋଟାପଣ, ଆଖିର ଆଘାତ, ରୋଗ ଓ ଔଷଧର ପ୍ରଭାବ ଅନୁସାରେ ଅଲଗା । ତେବେ ପୁରୁଷମାନଙ୍କ କ୍ଷେତ୍ରରେ ଆଖିପତା ମିନିଟ୍କୁ ହାରାହାରି ୧୧ଥର ପକାଉଠା ହେଉଥିଲା ବେଳେ ନାରୀଙ୍କ କ୍ଷେତ୍ରରେ ଏହା ୧୯ଥର ହୋଇଥାଏ ।
୨୧. ନାଇଜେରୀୟ ନାରୀଙ୍କ ସନ୍ତାନ ସନ୍ତତି ସଂଖ୍ୟା ହାରହାରି ୭ ବିଶ୍ୱରେ ପ୍ରଥମ
ଇଂରେଜ ଶାସନରୁ ମୁକ୍ତ ହୋଇଥିବା ଆଫି୍ରକୀୟ ରାଷ୍ଟ୍ର ନାଇଜେରିଆର ନାରୀମାନେ ଆଜି ବିଶ୍ୱରେ ସର୍ବାଧିକ ଜନ୍ମଦାତ୍ରୀର ମାନ୍ୟତା ପାଇପାରିଛନ୍ତି । ମାରାତ୍ମକ ଏଡ୍ସର କବଳରେ ଥିବା ଏହି ରାଷ୍ଟ୍ରରେ ମୃତୁ୍ୟହାର ସର୍ବାଧିକ । ତଥାପି ଏଠାକାର ନାରୀଙ୍କର ସନ୍ତାନ ପ୍ରସବ ହାର ମଧ୍ୟ ସର୍ବାଧିକ । ପ୍ରତ୍ୟେକ ବିବାହିତା ନାଇଜେରୀୟ ନାରୀ ହାରାହାରି ୭ଟି ସନ୍ତାନଙ୍କୁ ଜନ୍ମ ଦେଉଥିବାରୁ ଏହି ଦେଶର ଜନସଂଖ୍ୟା ବଢ଼ିଚାଲିଛି । ଏଠାରେ ଆମେ ଦୁଇ, ଆମର ଦୁଇ ସ୍ଲୋଗାନ ଅର୍ଥହୀନ ହୋଇପଡିଛି ।
୨୨. ୮୦ ପ୍ରତିଶତରୁ ଅଧିକ ନାରୀ ପିନ୍ଧୁଥିବା ‘ବ୍ରା’ର ମାପ ଭୁଲ୍
ଗୋଟିଏ ସର୍ବେକ୍ଷଣରୁ ଜଣାଯାଇଛି ଯେ ଦଶଜଣ ବ୍ରା ବ୍ୟବହାର କରୁଥିବା ନାରୀଙ୍କ ମଧ୍ୟରୁ ମାତ୍ର ଦୁଇଜଣ ନିଜ ଶରୀର ପାଇଁ ଉପଯୁକ୍ତ ମାପର ଅନ୍ତର୍ବାସ ବ୍ୟବହାର କରୁଥିଲା ବେଳେ ଆଠଜଣଙ୍କ ଅନ୍ତର୍ବାସର ମାପ ଭୁଲ୍ । ଅନୁମାନ ଅନୁସାରେ ଅନେକେ ମାପ ଚୟନ କରିଥାଆନ୍ତି । ଜୀବନର ପ୍ରଥମଥର ବ୍ୟବହାର କରାଯାଇଥିବା ବ୍ରାର ମାପକୁ ନେଇ ସେମାନଙ୍କର ଅନୁମାନ ପରିବର୍ତ୍ତିତ ହୋଇଚାଲେ ସିନା, ଅନେକେ ସଠିକ୍ ସାଇଜର ବ୍ରା ପାଇଁ ନିର୍ଦ୍ଦେଶମୁତାବକ ସାଇଜ ଚୟନ କରିବାରେ କୁଣ୍ଠା ପ୍ରକାଶ କରିଥାଆନ୍ତି । କିନ୍ତୁ ମନେରଖନ୍ତୁ ଯେ, ସଠିକ୍ ମାପର ବ୍ରା ଆପଣଙ୍କ ପାଇଁ କେବଳ ସ୍ୱାସ୍ଥ୍ୟକର ନୁହେଁ, ବରଂ ଆପଣଙ୍କୁ ସୌନ୍ଦର୍ଯ୍ୟମୟୀ, ସ୍ମାର୍ଟ କରିବାକୁ ସକ୍ଷମ ।
୨୩. ନାରୀମାନେ ଅଧିକ ଦୁଃଖଦ ତଥା ଭାବାତ୍ମକ ସ୍ୱପ୍ନ ଦେଖନ୍ତି
ଶୋଇଗଲା ପରେ ସମସ୍ତେ ସ୍ୱପ୍ନ ଦେଖନ୍ତି । ତେବେ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ଦେଖୁଥିବା ସ୍ୱପ୍ନରେ ଅନେକ ଦୁଃଖଦ, କରୁଣ ତଥା ଭାବବିହ୍ୱଳ କଲାପରି ଦୃଶ୍ୟର ଆଧିକ୍ୟ ରହେ । ପୁରୁଷମାନେ ଏପରି ଦୃଶ୍ୟ ଦେଖିବା ମାତ୍ର ୧୧ ପ୍ରତିଶତ ଥିଲାବେଳେ ନାରୀଙ୍କ କ୍ଷେତ୍ରରେ ଏହା ୧୯ ପ୍ରତିଶତ । ଉଭୟ ନାରୀ ଓ ପୁରୁଷଙ୍କ ମଧ୍ୟରେ ସଂଖ୍ୟାଗତ ଦୃଷ୍ଟିରୁ ସ୍ୱପ୍ନଦେଖା ସମାନ ହୋଇଥିଲେ ହେଁ ଦୃଶ୍ୟଗତ ଭିନ୍ନତା ପଛର କାରଣ ସମ୍ବନ୍ଧରେ ବୈଜ୍ଞାନିକମାନେ ଯେଉଁସବୁ କାରଣ ଦର୍ଶାନ୍ତି, ତାହା ହେଲା- ନାରୀମାନଙ୍କର ନିଦ୍ରାରେ ବ୍ୟାଘାତ, ମାସିକ ଋତୁସ୍ରାବ ପୂର୍ବରୁ ଅସ୍ଥିରତା ଏବଂ ସାମାଜିକ ସୁରକ୍ଷାର ଅଭାବ ।
୨୪. ନାରୀଙ୍କ ବାୟୁତ୍ୟାଗ ଦୁର୍ଗନ୍ଧ ପୁରୁଷଙ୍କ ଅପେକ୍ଷା ତୀବ୍ର
ପୁରୁଷମାନେ ଦୈନିକ ହାରାହାରି ୧୨ଥର ବାୟୁ ତ୍ୟାଗ କରୁଥିଲା ବେଳେ ନାରୀମାନେ ମାତ୍ର ୭ଥରରେ ବାୟୁତ୍ୟାଗକୁ ସୀମିତ ରଖନ୍ତି । ଏହା ଏକ ଜୈବିକ ପ୍ରକ୍ରିୟା ତଥା ସଭ୍ୟ ସମାଜରେ ସାଧାରଣ ଚର୍ଚ୍ଚାଯୋଗ୍ୟ ପ୍ରସଙ୍ଗ ନହୋଇଥିଲେ ବି ଅବାସ୍ତବ ହୋଇନଥିବାରୁ ଆମେ ଆଲୋଚନା କରୁଛୁ । ନିଷ୍କାସିତ ବାୟୁ ପ୍ରାୟତଃ ତିନୋଟି ଶ୍ରେଣୀର । ପ୍ରଥମଟି ହେଲା ସହନୀୟ, (ଡାଇମିଥାଇଲ୍ ସଲ୍ଫାଇଡ୍), ଦ୍ୱିତୀୟଟି ଚଳନୀୟ ପଚାପରିବା ଗନ୍ଧ (ମିଥେନଥିଲ୍) ଏବଂ ଶେଷଟି ପଚା ଅଣ୍ଡା (ହାଇଡ୍ରୋଜେନ୍ ସଲ୍ଫାଇଡ୍) ପରି ଦୁର୍ଗନ୍ଧ । ନାରୀମାନଙ୍କ କ୍ଷେତ୍ରରେ ଏହା ପ୍ରାଥମିକ ଭାବେ ତୃତୀୟ ଶ୍ରେଣୀୟ । ପୁରୁଷଙ୍କ ବାୟୁତ୍ୟାଗର ସମୟ ଦୀର୍ଘ କିନ୍ତୁ ନାରୀଙ୍କ କ୍ଷେତ୍ରରେ ଏହା କ୍ଷଣସ୍ଥାୟୀ । ଏଣୁ ସ୍ୱଳ୍ପ ଏବଂ କ୍ଷଣସ୍ଥାୟୀ ବାୟୁତ୍ୟାଗରେ ଅଧିକ ତୀବ୍ରତା ରହିବା ଅସ୍ୱାଭାବିକ ନୁହେଁ । ତେବେ ଅନ୍ତସତ୍ତ୍ୱା ଓ ପ୍ରୌଢ଼ ନାରୀଙ୍କ କ୍ଷେତ୍ରରେ ଏପରି ବାୟୁତ୍ୟାଗ ଅଧିକ ହେବା ଈଶ୍ୱର କୃତ ନିଶ୍ଚୟ ।
ଶେଷରେ କୁହାଯାଇପାରେ ଯେ, ନାରୀର ଅନେକ ରୂପ, ଅନେକ ରଙ୍ଗ ଓ ବୈଚିତ୍ର୍ୟ । ସେଇଥିପାଇଁ ସେ ଅନନ୍ୟା ।