ବେଳେବେଳେ ଏକଥା ବିଶ୍ୱାସ କରିବାକୁ ପଡେ- ଈଶ୍ୱର ବି ମଣିଷମାନଙ୍କ ପରି । ଯିଏ କିଛି କହିପାରେନି, ଅଭିଯୋଗ ନକରି ସହିଚାଲେ- ତାକୁ ହିଁ ସେ ସର୍ବାଧିକ ଦୁଃଖ ଦିଅନ୍ତି । କିଛି ତ କହୁନି, ମୋ’ ବିରୁଦ୍ଧରେ ଅଭିଯୋଗ ବି ନାହିଁ ତା’ର ଯେ କାହିଁକି ତା’ ଉପରେ ମୁଁ ଦୁଃଖ, ସମସ୍ୟା, ବିବଶତା ସବୁ ଲଦିଚାଲିଛି- ତେଣୁ ତାକୁ ବା ମୁଁ କାହିଁକି ରିହାତି ଦେବି??
ହଁ, ଏୟା ହିଁ ସମ୍ଭବତଃ ଈଶ୍ୱରଙ୍କର ଭାବନା । ତାଙ୍କ ସୃଷ୍ଟିରେ ଚିରଦୁଃଖୀ ମଣିଷମାନେ ସବୁଠୁ ଭଲ ହୋଇଥା’ନ୍ତି ନା ଦୁଃଖରେ ରହିଲେ ମଣିଷ ଛାଏଁ ଭଲ ହୋଇଯାଏ! ଏକଥା ତ ପରେ ଆସିବ । ପ୍ରଥମ କଥା ହେଲା ଅନ୍ୟାୟରେ, ଅନୀତିରେ ଆଉ କପଟାଚାରରେ ନିଜ ଅବସ୍ଥିତିର ଆକାର ବଢ଼େଇ ଚାଲୁଥିବା ମଣିଷ ମୁଣ୍ଡରେ ସେ ଢାଳିଚାଲନ୍ତି ଆହୁରି ତେଲ ସରସର ସୁଖ ।
ଆଜି ଏ ପ୍ରଶ୍ନଟି ମୋତେ ସନ୍ତୁଳି ଚାଲିଛି । ଅଥଚ ମୁଁ ଭଗବାନଙ୍କ ବିରୁଦ୍ଧରେ ବିଦ୍ରୋହ କରିପାରୁନି । ଆପଣମାନଙ୍କୁ ଶୁଣାଇନି- ଯଦି ଆପଣମାନଙ୍କ ହୃଦୟର କେଉଁ କୋଣରେ ବି ସେହି ମଣିଷଟି ପାଇଁ ଭଗବାନଙ୍କ ଉଦେ୍ଦଶ୍ୟରେ ସ୍ୱରଟିଏ ଉଠେ, ଭାବିବି ଲେଖା ସାର୍ଥକ ହେଲା ।
ମୁଁ ଚିହ୍ନିଥିବା ମଣିଷମାନଙ୍କ ଭିତରେ ସେ ସବୁଠୁ ବେଶୀ ଭଲ । ନା କିଛି ପ୍ରତ୍ୟାଶା ଅଛି କାହାଠାରୁ, ନା ଅଭିଯୋଗ ଅଛି ଭାଗ୍ୟ ଓ ଭଗବାନଙ୍କ ବିରୁଦ୍ଧରେ । ତାଙ୍କ ପାଇଁ ଜୀବନର ଅର୍ଥ ହେଲା ପ୍ରତିଟି ମୁହୂର୍ତ୍ତରେ ଯେଉଁଠି ବି ସେ ଥାଆନ୍ତୁ ସେଠି ତାଙ୍କ ଦ୍ୱାରା ଯାହା ଭଲ ଓ କଲ୍ୟାଣ ସାଧିତ ହୋଇପାରିବ, ସେ କରିବେ । କେବେ, ଗୋଟିଏ ମୁହୂର୍ତ୍ତ ପାଇଁ ବି ନିଜ ପାଇଁ ଭାବିବାର କି ନିଜ ପାଇଁ ବ୍ୟସ୍ତ ହେବାର ତାଙ୍କୁ ଦେଖିନି । ମୁଁ ଚାକିରି କରିଥିବା ସରକାରୀ ଆବାସିକ ସଂସ୍ଥାନରେ ସେ ଜଣେ ବେସରକାରୀ ସାମୟିକ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଜଣେ । ବାଳିକା ସଦନର ଜଣେ ମେଟ୍ରୋନ୍ ବା କେୟାର୍ ଟେକର୍ ।
ସକାଳ ପାଞ୍ଚଟାରୁ ରାତି ଦଶଟା ଯାଏ ସେ ବ୍ୟସ୍ତ ଥିବେ । ପାଞ୍ଚଟାରୁ ତ ତାଙ୍କ ଡୁ୍ୟଟି ଆରମ୍ଭ । ସେ ସେଥିପାଇଁ ଉଠନ୍ତି ରାତି ଚାରିଟାରୁ । ନିତ୍ୟକର୍ମାଦି ସାରି ଗାଧୋଇପାଧୋଇ ତାଙ୍କ କ୍ୱାର୍ଟର ଆଗ ଛୋଟ ତୁଳସୀ ଚଉରା ମୂଳକୁ ଲିପାପୋଛା କରି ଛୋଟ ଝୋଟିଟେ, ଆଉ ଲକ୍ଷ୍ମୀ ପାଦ ଯୋଡ଼େ ଆଙ୍କିଥିବେ । ମାଟିର କୁନି ଦୀପଟେ ଜଳେଇଥିବେ । ଆଉ ଏସବୁ ଭିତରେ ସବୁ ମାଡାମ୍ମାନଙ୍କ ନିଦ୍ରିତ କ୍ୱାର୍ଟର୍ସ ବନ୍ଦ ଦୁଆରରେ ଟାଙ୍ଗି ଦେଇଥିବେ ଗୋଟିଏ ଗୋଟିଏ ଫୁଲର ଜରିବ୍ୟାଗ୍ । ନିଜେ ମନ୍ଦିର ଯିବେ ବୋଲି ଫୁଲ ଚାଙ୍ଗୁଡ଼ି ସଜାଡ଼ିଥିବେ । ସେଥିରେ ଫୁଲ, ଦୂବ, ବରକୋଳି ପତ୍ର ସହିତ ଥିବ ଦୀପ ଓ ଧୂପ ଆଉ ଯାହା ହେଲେ କିଛି ଭୋଗ ପାଇଁ- ଗୋଟାଏ ପାଚିଲା କଦଳୀ, ପିଜୁଳି, ନହେଲେ କାକୁଡ଼ି କି ସେଉ । କିଛି ନହେଲେ କଞ୍ଚାକ୍ଷୀର ଓ ମହୁ । ହଷ୍ଟେଲ୍ର ଝିଅମାନଙ୍କ ପାଇଁ ସେ ଆଣ୍ଟି ଆଉ ସବୁ କର୍ମଚାରୀମାନଙ୍କ ପାଇଁ ସେ ନିନିଦି’ ।
ଯାହାର ଯେତେବେଳେ ଉଠିବାକୁ ଥିବ ସେ ଆସି କବାଟ ଖଡ଼ଖଡ଼ କରି ଉଠାଇଦେବେ । କାହାର ଏକ୍ସଟ୍ରା କ୍ଲାସ୍ ଥିବ କିଏ ଏମ୍ଓଡି ସ୍ପେଶିଆଲ୍ ଡ୍ୟୁଟି ଥିବ ଅଥବା କାହାର ଅଫିସିଆଲ୍ ଟୁର୍ରେ ଯିବାର ଥିବ । ସମସ୍ତେ ନିନିଦି’ଙ୍କୁ କହିଦେଇଥିବେ ଅମୁକ ସମୟରେ ଡାକିଦେବ । ଖାଲି ସେତିକି ନୁହେଁ- ମୁଁ ତ ଦେଖିଛି କେବେ ମେସ୍ରେ ରାତିରେ ପିଲାମାନଙ୍କୁ ଦିଆଯାଉଥିବା କ୍ଷୀର ବଳିଥିବ ତ ସେ ଗ୍ଲାସ୍ରେ ଆଣି ରଖିଥିବେ । ସେଥିରେ ଚା’ ନହେଲେ କଫି ବନେଇଆଣି ଦେବେ । ଭୋର୍ ଭୋର୍ରୁ ନିଦ ଭାଙ୍ଗି ଦଉଛ ନିନିଦି’ ମୁଁ ଚିଡିଚିଡ଼ି ସ୍ୱରରେ କହି ଉଠି ଆସିଲା ବେଳକୁ ହାତରେ ଧରାଇଦେବେ ବାମ୍ଫ ଉଠା କପ୍, ନିଅନ୍ତୁ ମାଡାମ୍ । ପିଇଦିଅନ୍ତୁ ଟିକେ ଭଲ ଲାଗିବ । ତା’ପରେ ସେ ଘର ଲୋକ ପରି ଯାଇ ଠାକୁରଙ୍କ ଫଟୋ ଆଗରେ ଫୁଲ ରଖିଦେବେ । ଗିଜର୍ ଅନ୍ କରିଦେବେ, ‘ଗାଧେଇ ପଡ଼ିବେ ମାଡାମ୍ । କାଲି ଭଳି ନହେଲେ ଆସେମ୍ବ୍ଲି ବିଳମ୍ବ ହେଇଯିବ ।’
ଯେଉଁ ପିଲାର ଦେହ ଅସୁସ୍ଥ ହେବ ସେ ବସିଥିବେ ତା’ ପାଖରେ ଘଣ୍ଟା ଘଣ୍ଟା ଧରି । ତା’ ସହିତ ସ୍କୁଲ୍ ଭ୍ୟାନ୍ରେ ବସି ଡାକ୍ତରଖାନା ଯିବେ? ସେ ପିଲାର ଘରକୁ ଫୋନ୍ କରି ତାକୁ ଘରକୁ ପଠାଇବା ଦାୟିତ୍ୱ ତାଙ୍କର । ହଷ୍ଟେଲ୍ରେ ଝିଅମାନଙ୍କ ବ୍ୟବହାର ପାଇଁ ଦୁଇଟା ମୋବାଇଲ୍ ଫୋନ୍ ଅଛି । ତେବେ ନିନି ଦି’ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାହା ହୁଏ । ସାରା ଦ୍ୱିପହର ପିଲାମାନେ ଫୋନ୍ କରୁଥିବେ । ସେ ଟିକେ ବି ବିରକ୍ତି ପ୍ରକାଶ କରନ୍ତିନାହିଁ । ରାଗିଲେ ବି ଘରଲୋକ ପରି ହିଁ ରାଗି କହିବେ, “ମାଡାମ୍ଙ୍କୁ କହିବି ନା! ଫୋନ୍ରେ କାନ୍ଦିକାନ୍ଦି ମା’ ବାପାଙ୍କୁ ଟେନ୍ସନ୍ ଦେଉଛୁ । ସେମାନେ ପରା ଗଲା ସପ୍ତାହରେ ଆସିଥିଲେ । ପୁଣି କ’ଣ ଦୌଡ଼ି ଆସିବେ ତୋ’ ପାଇଁ? ଯାଃ ।”
ପ୍ରକୃତରେ କିନ୍ତୁ ଖର୍ଚ୍ଚ ଚିନ୍ତା ସେମାନଙ୍କ ପାଇଁ ପ୍ରଥମ ନଥିଲା । ଯାହା ଦୁଇ ମାଣ ଜମି ନହେଲେ ବିକି ଦିଅନ୍ତେ । କିନ୍ତୁ, କିଡ୍ନୀ କିଏ ଦେବ । ମୁଁ ଏକଥା ତାଙ୍କ ସାନଭଉଣୀ ଠାରୁ ଶୁଣି କହିଲି, ‘ବଡ଼ ଝିଅ ଦଉ ।’ ସେ ସଙ୍ଗେ ସଙ୍ଗେ କହିଲେ, ‘ନା ସେମାନେ ଏବେ ବାହାସାହା ହେଇନାହାନ୍ତି । କାଲିକୁ ସଂସାର କରିବେ, ପିଲାଛୁଆ ହେବ । ତା’ଛଡ଼ା ଏ ରୋଗ ଜେନେଟିକ୍ । ତେଣୁ- ‘ସିଏ ପରା କ’ଣ ବାହା ହେବନି କହୁଛି’- ମୋର ଏ କଥା କହିବା ଶତଧା ଅନୁଚିତ ଜାଣି ସୁଦ୍ଧା କହିପକାଇଲି । ସେ ଆଦୌ ଗୁରୁତ୍ୱ ଦେଲାନି । ‘ନା ମାଡାମ୍! ସେମିତି କ’ଣ ହୁଏ ।’ ମୁଁ ନିରବ ରହିଲି ।
ମେସ୍ରେ ଜଳଖିଆ, ଦ୍ୱିପହର ଖାଇବା, ସନ୍ଧ୍ୟାକାଳୀନ ଟିଫିନ୍ ଓ ରାତି ଖାଇବା ସମୟରେ ପିଲାମାନେ ପ୍ରଥମେ ପ୍ରାର୍ଥନା କରିବେ । ଖାଇବା ସମୟରେ କୋଉ ପିଲା କମ୍ ଖାଇଲା, କିଏ କାହିଁକି ପରିବା ଖାଉନି, ସବୁ ସେ ବୁଝିବେ । ମାଡାମ୍ମାନଙ୍କୁ ଖାଇବା ବାଢ଼ିଦେବେ । କାହାର କଞ୍ଚା ଲଙ୍କା ଦରକାର, କାହାର ଆଚାର କି କାହାର କଞ୍ଚା ପିଆଜ । କିଏ ଉପବାସ କରିଛି ତ ମେସ୍ ପୂଜାରୀକୁ କହି ସେ ଅଲଗା ଅରୁଆ ଖାଦ୍ୟ ରନ୍ଧା କରାଇଥିବେ । ବେଳେବେଳେ ଡ୍ୟୁଟି ସମୟରୁ କିଛି ସମୟ ବଳିଲେ ସେ ବଢ଼ିଆ ଚାରୁ, ଚଟଣି, ଭଜା ଆଦି କରି ରଖିଥାନ୍ତି ।
ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ, ସେ ନଥିଲେ ଏ ମିଲିଟାରୀ ଶାସନ ଚଳଣି ପ୍ରାୟ ବିଦ୍ୟାଳୟ ପରିସର କେତେ ବିରକ୍ତିକର ଲାଗିଥାନ୍ତା ସତରେ! ତେବେ, ମୁଁ ଯେବେ ୨୦୦୯ ମସିହାରେ ଏଇ ଜାଗାକୁ ବଦଳି ହୋଇ ଆସିଲି, ସେତେବେଳେ ସେ ନଥିଲେ । ତାଙ୍କର ପରିବାରର ଏକ ଆଭିଜାତ୍ୟ ରହିଛି । ସେ ଯୋଉଠି ସେଇଠି ଯାଇ ରହିଯିବା ଘରର ଲୋକ ନୁହେଁ । ଯଦିଓ ତାଙ୍କର ଆର୍ଥିକ ଅବସ୍ଥା ବହୁତ ଦୁର୍ବଳ । ସେ କିପରି ଓ କାହିଁକି ଏଠି ଆସି ରହିଲେ ତା’ ପଛରେ ଗୋଟିଏ ବିଶେଷ କାରଣ ଅଛି । ତାଙ୍କ ଝିଅ ସାତ ବର୍ଷ ତଳେ- ଆମ ସ୍କୁଲ୍ରେ ପଢ଼ୁଥାଏ । ଖୁବ୍ ଶାନ୍ତ ସୁଧାର ଝିଅଟିଏ । ଯେଉଁ ବର୍ଷ ସେ ଦଶମ ଶ୍ରେଣୀରେ ପଢ଼ୁଥାଏ, ସେତେବେଳେ ହିଁ ଠିକ୍ ତା’ର ବୋର୍ଡ ପରୀକ୍ଷା ଚାଲୁଥିବା ସମୟରେ ଘରେ ନିନି ଦି’ର ବ୍ରେନ୍ ଷ୍ଟ୍ରୋକ୍ ହେଲା । ମୋ’ ପାଖକୁ ତାଙ୍କ ବଡ଼ ଭଉଣୀ ଫୋନ୍ କରି ବହୁତ ବ୍ୟସ୍ତ ହେଲେ । ଯେମିତି ହେଉ “ଝିଅକୁ ପଠାଇବା ବ୍ୟବସ୍ଥା କରନ୍ତୁ । ନିନି ତ ଅଚେତ ହୋଇ ଦୁଇଦିନ ହେଲାଣି ପଡ଼ିଛି । ତାକୁ ଆମେ ଭାଇଜାଗ୍ ନେଇଯିବୁ । ଝିଅ ଯିବା ନିହାତି ଦରକାର । କାରଣ ନିନିର ସର୍ଜରୀ ହେବ । କେଜାଣି ସେ ବଞ୍ଚିବ କି ନା । ଡାକ୍ତର ତ କହୁଛନ୍ତି ଦଶ ପ୍ରତିଶତ ଆଶା! ଆଉ ଦୈବାତ୍ ବଞ୍ଚିଯିବ ଯଦି ବି କଥା ନ କହିପାରେ କିମ୍ବା ପାଗଳୀ ହେଇଯାଇପାରେ ।” ସେ ଭୋ ଭୋ ହୋଇ କାନ୍ଦି ପକାଇଲେ ।
ମୋ’ ଆଖି ଛଳ ଛଳ ହୋଇଗଲା । ଝିଅ ଅଛି ପରୀକ୍ଷା ହଲ୍ରେ ସେତେବେଳକୁ । ତା’ର ଗଣିତ ଅଛି ଆଜି । ବିଚାରୀର ଗଣିତ ଭଲ ହୁଏ ନାହିଁ । ତାକୁ ଆମେ ବୁଝାଇଥାଉ ଅନ୍ୟ ବିଷୟରେ ଭଲ କରୁ । ଯୁକ୍ତ ଦୁଇ ବାଣିଜ୍ୟ ପଢ଼ିବ, ଏଇଠି । ତା’ପରେ ଦେଖାଯିବ । ତାକୁ ପରୀକ୍ଷା ଦେବାକୁ କ୍ଷାନ୍ତ କରାଇ ଏବେ ମା’ ପାଖକୁ ପଠାଇବାକୁ ପଡ଼ିବ । କ’ଣ କରିବି । ପରୀକ୍ଷା ହଲ୍ରୁ ବାହାରି ଆସି ସେ ଦୌଡ଼ି ଦୌଡ଼ି ଆଗେ ମୋ’ ପାଖକୁ ଚାଲିଆସିଲା, ହସି ହସି । ‘ମାଡାମ୍! ବହୁତ ଭଲ ହୋଇଛି ମୋର । ଆପଣଙ୍କ କଥା ମାନି ଆଗ ବେଶି ନମ୍ବର ଥିବା ପ୍ରଶ୍ନ ସବୁ ଉତ୍ତର ଦେଲି । ଅତିକମ୍ରେ ସତୁରି ତ ରହିଯିବ । ସତୁରି ରଖିଲେ ମୋତେ ବାଣିଜ୍ୟରେ ମିଳିଯିବ ନା! ଆପଣ ବାଣିଜ୍ୟ ବିଭାଗରେ ଅଛନ୍ତି ବୋଲି କେବଳ ମୁଁ ଏଇଠି ପଢ଼ିବି ।’
ତାକୁ କହିବି କହିବି ହୋଇ ଦୁଇଘଣ୍ଟା ଚାଲିଗଲା । ତା’ର ନିରୀହ ବାଇଚଢ଼େଇ ପରି ମୁହଁକୁ ଚାହିଁ ଦେଇ ମୁଁ ମୂକ ପାଲଟି ଯାଉଥାଏ । ସନ୍ଧ୍ୟାବେଳେ ପୁଣି ତାଙ୍କ ଘରୁ ଫୋନ୍ ଆସିଲା । ଝିଅର ମାଉସୀ ହେବେ ସେ । ଅନୁନୟଭରା ସ୍ୱରରେ କହିଲି, ‘ଦେଖନ୍ତୁ ଆପଣମାନେ ସମସ୍ତେ ଅଛନ୍ତି । ନେଇଯା’ନ୍ତୁ ତାଙ୍କୁ, ଅପରେସନ୍ କରାନ୍ତୁ । ଝିଅକୁ ଏବେ ଜଣାଇ ଲାଭ କ’ଣ? ବିଚାରୀର ଦଶମ ବୋର୍ଡ ପରୀକ୍ଷା । ଅପରେସନ୍ ପରେ ବରଂ ସେ ମା’ ପାଖରେ ରହି ତାଙ୍କ ସେବା କରିବ । ସେତିକି ଦିନ ଆପଣମାନେ ଚଳାଇନିଅନ୍ତୁ ।
ସେ ବି ବୁଝିଲେ । ଅସୁବିଧା ଏହା ଥିଲା ଯେ ସାନଝିଅଟି ଯିଏ ବଡ଼ ଠାରୁ ବର୍ଷେ ସାନ, ସେ ବି ଦଶମ ବୋର୍ଡ ଦେଉଛି ଅନ୍ୟ ଏକ ସ୍କୁଲ୍ରେ, ସେ ବି ବୋର୍ଡିଂ ସ୍କୁଲ୍ରେ ରହେ । ଯାହାବି ହେଉ କେବଳ ଏହି ଫୋନ୍ ମାଧ୍ୟମରେ ଯୋଗାଯୋଗ ରଖି ଜାଣିଥିଲି, ଅପରେସନ୍ର ଊଣେଇଶ ଦିନ ପରେ କୁଆଡ଼େ ତାଙ୍କର ଚେତା ଆସିଥିଲା । ସମସ୍ତେ ତାଙ୍କୁ ଘେରି ଛିଡ଼ା ହୋଇଥା’ନ୍ତି । ଡାକ୍ତର ଜଣେ ବହୁତ ଦକ୍ଷ ନୁ୍ୟରୋସର୍ଜନ୍ । ସେ କହିଥାନ୍ତି, ଅପରେସନ୍ର ପ୍ରଭାବରେ ତାଙ୍କର କଥା କହିବା ଶକ୍ତି କିମ୍ବା ମାନସିକ ସୁସ୍ଥତା ଦୁଇଟା ଭିତରୁ ଗୋଟିଏ ହଜିଯିବାର ଯଥେଷ୍ଟ ସମ୍ଭାବନା ଅଛି ।
ଘର ଲୋକେ ତ୍ରସ୍ତ । ଘର କହିଲେ ତାଙ୍କର ଦୁଇ ଝିଅ ଆଉ ଯାହା ଭାଇ, ଭଉଣୀ । କାରଣ ମାତ୍ର ଊଣେଇଶ ବର୍ଷ ବୟସରେ ବିବାହିତ ନିନି ଦି’ ବାଇଶ ବର୍ଷ ବୟସରେ ବିଧବା ହୋଇଯାଇଥିଲେ । ଶାଶୂଘରେ ତାଙ୍କ ପାଇଁ ଆଉ ସ୍ଥାନ ନଥିଲା । ସାନବେଳୁ ସେ ବଢ଼ିଥିଲେ ସାବତ ମା’ର କପଟାଚାର ଛାୟା ତଳେ । ବାପାଙ୍କର ଅଚଳାଚଳ ସମ୍ପତ୍ତି ଥାଇ ବି ସବୁ ସାବତ ମା’ର ପିଲାମାନେ ହିଁ ପାଇଲେ । ତେଣୁ ବିଧବା ହେବା ପରେ ନିନି ଦି’ ପୂରା ଅନାଥ- ମାତ୍ର ବାଇଶ ବର୍ଷ ବୟସରେ । ଜମା ଦୁଇମାଣ ଜମି ଓ ଛୋଟ ଚାଳିଆ ଘରଟିକୁ ଭରସା କରି ଦୁଇ ଝିଅଙ୍କୁ ନେଇ ଚଳିବା ପାଇଁ ସେ ତନ୍ତବୁଣା କାମ ଆରମ୍ଭ କରିଥିଲେ । ସେତିକି ବା କେତେ? ଖାଲି ସେତିକି ନୁହେଁ, ସେହି ସମୟରେ ଥରେ ଗର୍ଭାଶୟରେ ଟୁ୍ୟମର୍ ହୋଇଛି ଜଣାପଡ଼ିବା ପରେ ତାଙ୍କ ଗର୍ଭାଶୟ ସର୍ଜରୀ ଦ୍ୱାରା ବାହାର କରିଦିଆଯାଇଥାଏ । ଦୁଇ ଝିଅଙ୍କୁ ପଢ଼ାଇବା ପାଇଁ ସେ ନିଜେ ବାଡ଼ି ହାଣି ଫସଲ ଉପୁଜାନ୍ତି । ଯଦିଓ ଅସ୍ତ୍ରୋପଚାର ପରେ ଭାରି ପରିଶ୍ରମ କରିବା ମନା ଥାଏ ତାଙ୍କୁ । ଭାଗ୍ୟକୁ ଦୁଇ ଝିଅ କେନ୍ଦ୍ର ସରକାରଙ୍କ ଆବାସିକ ସଂସ୍ଥାରେ ନିଃଶୁଳ୍କ ଶିକ୍ଷା ଓ ରହିବା ବ୍ୟବସ୍ଥାରେ ନିର୍ବାଚିତ ହୋଇଥିଲେ ।
ସେମାନେ ସମସ୍ତେ ତାଙ୍କୁ ବ୍ୟଗ୍ର ହୋଇ ବେଢ଼ି ରହିଥାନ୍ତି । ଊଣେଇଶ ଦିନର ଦୀର୍ଘ ଶଙ୍କାଗ୍ରସ୍ତ ପ୍ରତୀକ୍ଷା । ସେ ଆଖି ଖୋଲିଲେ- ମ୍ଳାନ ହସିବାକୁ ଓଠ ଥରାଇଲେ । ଡାକ୍ତର ଭଗବାନଙ୍କ ନାଁ ନେଲେ, “ହେ ଭଗବାନ୍! ମୋ’ ପ୍ରାର୍ଥନାର ମୂଲ୍ୟ ଦିଅ”- ତାଙ୍କ ମୁହଁରୁ ସ୍ୱତଃ ବାହାରିଆସିଲା । ସେ ଭାଇଙ୍କ ଆଡ଼କୁ ଦେଖାଇ ପଚାରିଲେ, ‘ନିନି! କୁହ ତ’ ଏ କିଏ?”
ନିନି ଦି’ ଖୁବ୍ ସାମାନ୍ୟ ଓଠ ବଢ଼େଇ ହସିଲେ । କହିଲେ ଆନା! ଆ…ନା । ମାନେ ଭାଇ । ସେମାନେ ତେଲୁଗୁ ।
ସେମାନେ ତେଲୁଗୁ କିନ୍ତୁ ଓଡ଼ିଆ ଜାତିର ମାଣବସାଠୁଁ ଆରମ୍ଭ କରି ପ୍ରତି ସଂକ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣମୀ, ଏକାଦଶୀ ସବୁକିଛି ମାନନ୍ତି ସେ । ସବୁଦିନ ମନ୍ଦିର ଯାଆନ୍ତି- ଜଗନ୍ନାଥଙ୍କୁ ଫୁଲମାଳ, ଶିବଙ୍କୁ ଦୁଦୁରା ଫୁଲ, ଚମ୍ପା ଫୁଲ ଓ ହନୁମାନଙ୍କୁ ମନ୍ଦାର ଚଢ଼ାନ୍ତି ।
ଡାକ୍ତର ଖୁସିରେ ବିହ୍ୱଳ ହୋଇପଡ଼ିଥିଲେ ଯେ ଅପରେସନ୍ ଶହେ ପ୍ରତିଶତ ସଫଳ । ସେ ମାନସିକ ଭାବରେ ସୁସ୍ଥ ଆଉ କହିବା ଓ ଶୁଣିବା ଶକ୍ତି ମଧ୍ୟ ଅତୁଟ ରହିଛି । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ପୂରା ଦେଢ଼ବର୍ଷ ଲାଗିଥିଲା । ତା’ପରେ ମଧ୍ୟ ନିୟମିତ ଔଷଧ ସେବନ ଓ ଡାକ୍ତରୀ ପରାମର୍ଶ ଆଜୀବନ ରହିବ ।
ଆମେମାନେ ମିଶି ତାଙ୍କୁ ଗୋଟିଏ ଅନୌପଚାରିକ ଚାକିରିରେ ରଖାଇଦେଇଥିଲୁ ଯେ ସେ ବିଶ୍ରାମ ନେବା ସହିତ ଧୀରେ ସୁସ୍ଥେ କାମ କରିବେ । ଝିଅ ଦୁଇଜଣ ତ ଆହୁରି ଦୁଇବର୍ଷ ମାନେ ଯୁକ୍ତ ଦୁଇ ନିଃଶୁଳ୍କ ପଢ଼ିପାରିବେ । ତା’ପରେ ଦେଖାଯିବ ।
ବଡ଼ଝିଅକୁ ବୋଧେ ତାଙ୍କର ଏପରି ସେ ପଢ଼ୁଥିବା ବିଦ୍ୟାଳୟରେ ଜଣେ ପରିଚାରିକା ସାଜି ରହିବା କଥାଟି ପସନ୍ଦ ଆସିଲା ନାହିଁ । ସେ କହିଲା “ସେ କଟକ ଜିଲ୍ଲାର ବୈଷୟିକ ଶିକ୍ଷାର ସୁବିଧା ଥିବା ବିଦ୍ୟାଳୟରେ ପଢ଼ିବ । ସେପରି ସୁବିଧା ଅଛି । ଏହି ବିଦ୍ୟାଳୟଗୁଡ଼ିକ ପ୍ରତି ଜିଲ୍ଲାରେ ଅଛି ସର୍ବଭାରତୀୟ ଆଧାରରେ ଏବଂ ଯେଉଁ ଛାତ୍ର ଯେଉଁଠି ବି ଚାହିଁବ ପଢ଼ିପାରିବ । ତା’ଠାରୁ ମୋର ଏପରି ଆଶା ନଥିଲା । ହେଲେ, ବୟସସଂଧି ସମୟରେ ପିଲାମାନଙ୍କ ମନରେ କେଜାଣି କ’ଣ କେତେବେଳେ ଭାବନା ଆସେ, ତାହା ସେମାନଙ୍କ ଛଡ଼ା ଆଉ କେହି ବି ଜାଣନ୍ତି ନାହିଁ । ମାତ୍ର ତିନିମାସ ଅନ୍ତରରେ ଯେତେବେଳେ ତା’ ସହ ଦେଖା ହୁଏ ପ୍ରଣାମ ଜାଗାରେ ଗୁଡ୍ ମର୍ଣ୍ଣିଂ, କି ଗୁଡ୍ ଆଫ୍ଟର୍ ନୁନ୍ ଶୁଣେ । କ୍ରମେ ଯେବେ ସେ ଯୁକ୍ତ ଦୁଇ ପାସ୍ କରି ହୋଟେଲ୍ ମ୍ୟାନେଜମେଣ୍ଟ ପଢ଼େ ତା’ର ଉଚ୍ଚାରଣରେ ଅନେକ ଇଂରାଜୀ ମିଶା ଓଡ଼ିଆ ଶବ୍ଦ, ମାପ୍ଚୁପ୍ କଥାବାର୍ତ୍ତା, ହସିବାରେ କୁଣ୍ଠାବୋଧ ଏସବୁ ଦେଖି ମୁଁ ଭାବେ ମୁଁ ଯେମିତି ଅପରାଧୀ । ଦିନେ ମୋତେ ଗୋଟିଏ ଦିନ ନ ଦେଖି ବାୟାଣୀ ପ୍ରାୟ ହୋଇଯାଉଥିବା ଝିଅଟିର ମାତ୍ର ଦୁଇ ତିନି ବର୍ଷରେ ଏ କି ପରିବର୍ତ୍ତନ! ବେଶପୋଷାକରେ ବି ଆଧୁନିକତା । ଏସବୁ କ’ଣ ଗୋଟିଏ କମ୍ପ୍ଲେକ୍ସରୁ ହୋଇଥିବ ନା ସେଠିକାର ଆଧୁନିକ ଡେମୋନ୍ଷ୍ଟ୍ରେସନ୍ ଇଫେକ୍ଟ ଇୟେ! ହେଲେ ଏସବୁକୁ ମୁଁ ଆଡନଜର କରି ଆଗଭଳି ତାକୁ ସ୍ନେହ ହିଁ କରେ । ତା’ର ସମୟ ନଥାଏ । କେବଳ ପଦେ, ଦୁଇପଦ କଥା ହୋଇ ସେ ଚାଲିଯାଏ । ଯୁକ୍ତ ଦୁଇ ପାସ୍ କଲା ପରେ ମାତ୍ର ଦୁଇ ବର୍ଷ ଟ୍ରେନିଂ ନେବା ପରେ ଗୋଟିଏ ବଡ଼ ହୋଟେଲ୍ରେ ରାଜଧାନୀରେ ଚାକିରି ପାଇଲା ସେ । ଅଳ୍ପ ସ୍ୱଳ୍ପ ଦରମା ହେଲେ ବି ରହିବା ଓ ଖାଇବାର ସୁବିଧା ଅଛି । ସେ ହେତୁ ନିନି ଦି’ ଆଶ୍ୱସ୍ତ ହେଲେ ବି କେବେ କେମିତି ଅସୁରକ୍ଷାର ଛାଇଟିଏ ତାଙ୍କ ମୁହଁରେ ଦେଖାଦିଏ ।
ସାନ ଝିଅ ବି ବିବିଏ କରି ସେହି ତିନି ବର୍ଷ ମଧ୍ୟରେ ଗୋଟିଏ ପ୍ରୋଗ୍ରାମ୍ର ହିସାବରେ ସେଇ ରାଜଧାନୀରେ ଚାକିରି ପାଇଛି । ଦୁଇଝିଅ ଏକାଠି ରହୁଛନ୍ତି । ଯଦିଓ ନିନି ଦି’ କିଛି କହନ୍ତି ନାହିଁ, ତଥା ଏମିତି ତ ସ୍ପଷ୍ଟତଃ ଜଣାପଡ଼େ ଯେ ଦୁଇ ଝିଅ ସ୍ୱଚ୍ଛନ୍ଦତା ପ୍ରିୟ । ସେମାନେ ମା’ ପାଖକୁ ଦେଖା କରିବା ପାଇଁ ଆସନ୍ତିନି ବରଂ ନିନି ଦି’ ନିଜେ ଯାଇ ସେମାନଙ୍କୁ ମାସକୁ ଥରେ ଦେଖା କରନ୍ତି ।
ଥରେ, ମୁଁ ମୋ’ ଝିଅର ଅସୁସ୍ଥତା ନେଇ ବ୍ୟସ୍ତ ଥାଏ । ସବୁଥର ପରି ନିନିଦି’ ମୋତେ ସାହାଯ୍ୟ କରିବାକୁ ପ୍ରସ୍ତୁତ । କେବଳ ତାଙ୍କ ଭରସାରେ ହିଁ ମୁଁ ପିଲାମାନଙ୍କୁ କ୍ୱାର୍ଟର୍ସରେ ଛାଡ଼ି ଟୁର୍ରେ ଯାଇପାରେ । ଯଦିଓ କ୍ୟାମ୍ପସ୍ରେ କଡ଼ା ସୁରକ୍ଷା ତଥାପି ଭୟ ତ ଲାଗନ୍ତା । ମୁଁ ପିଲାଙ୍କୁ ଛାଡ଼ି ଯିବାର ସାହସ କେବଳ କରେ ନିନି ଦି’ଙ୍କ ପାଇଁ । ମୁଁ ଫୋନ୍ କରିବା ପୂର୍ବରୁ ସେ ମଝିରେ ମଝିରେ ଫୋନ୍ କରି ଜଣାନ୍ତି, ଭଲ ଅଛନ୍ତି ପିଲାମାନେ, ଆପଣ ବ୍ୟସ୍ତ ହେବେନି । ମେସ୍କୁ ବ୍ରେକ୍ଫାଷ୍ଟ ପାଇଁ ଗଲେନି ଯେ ମୁଁ ନୁଡୁଲ୍ସ ଆଉ ବର୍ଣ୍ଣଭିଟା କରି ଦେଇଦେଇଛି, କ୍ଷୀର ଫୁଟେଇ ଦେଇଛି, ଆଉ ଠାକୁରଙ୍କ ଆଗରେ ଦୀପ ଜଳେଇ ଦେଇଛି ।’ ମୁଁ ଆଶ୍ୱସ୍ତିର ନିଃଶ୍ୱାସ ନିଏ । କେବଳ ମୁଁ ନୁହେଁ ଯେ କେହି କେଉଁଠାକୁ ଗଲେ ବି ସେ ତାଙ୍କର ସବୁ କଥା ଏମିତି ବୁଝିଦିଅନ୍ତି ।
ଯାହାବି ହେଉ ଝିଅର ଜ୍ୱର ଛାଡୁନଥାଏ । ପୁଅ ସେବକୁ ଯୁକ୍ତ ଦୁଇ ପାସ୍ କରି ବିଟେକ୍ କଲାଣି ବାହାରେ । ତେଣୁ ଝିଅ ଆଉ ମୁଁ ହିଁ ରହୁଥାଉ । ଅନୀଲ ତ ଏକା ରହନ୍ତି ଘରେ, ଦୂରରେ । ତା’ର ରକ୍ତ ପରୀକ୍ଷା କରାଗଲା । ଲୋକଟିଏ ରହେ ସେହି ପାଖରେ, ପାଥୋ ଲାବ୍ ଥାଏ ତା’ର । ସେ ଆସି ସବୁଥର ପରି ରକ୍ତ ନେଇଗଲା, ରିପୋର୍ଟ ଆଣିବା ପାଇଁ ଆଉ ଯାଇପାରିନଥାଏ । ଫୋନ୍ରେ ତ ଶୁଣିଲି ମ୍ୟାଲେରିଆ ନାହିଁ ବୋଲି ।
ଭାବିଥିଲି କ୍ଲାସ୍ ପରେ ସନ୍ଧ୍ୟାବେଳେ ଯାଇ ରିପୋର୍ଟଟା ନେଇଆସିବି ଯେ ଆଉ ଯାଇପାରିଲିନି । ସନ୍ଧ୍ୟାବେଳେ ଝିଅକୁ ଯା’ ହେଉ ଆଉ ଜ୍ୱର ନଥାଏ, ଖାଲି କାଶୁଥାଏ । ମୁଁ ତା’ ପାଖରେ ବସିଥାଏ । ସେ ଖଟ ଉପରେ ପେଟେଇ ଶୋଇ ଟିଭି ଦେଖୁଥାଏ । ନିନିଦି’ ଆସିଲେ । ହାତରେ ମୋ’ ଲାଗି କଫି, କପ୍, ଝିଅର ରିପୋର୍ଟ ଧରିଥାନ୍ତି ଓ ହାତରେ ଝିଅ ପାଇଁ ଲେ’ସ୍ର ଚିପ୍ସ ପ୍ୟାକେଟ୍ ।
‘ତମେ ଆଉ ହବନି । ମୁଁ ତ କଫି ବନେଇଥା’ନ୍ତି । ମିଶି କରି ପିଇଥାନ୍ତେ । କାହିଁକି ବନେଇ ଆଣୁଥିଲ । ପୁଣି ଏଇଟା କ’ଣ ଯେ!’
ତାଙ୍କ ହାତରେ ଚିପ୍ସ ଦେଖି ମୁଁ ସାମାନ୍ୟ ବିବ୍ରତ ଥିଲି । ଝିଅକୁ ଏପରି ଖାଇବା ଦବାକୁ ମୁଁ ପସନ୍ଦ କରେନି । କିନ୍ତୁ ଝିଅ ତାଙ୍କ ହାତରୁ ନେଇ ଖୁବ୍ ଖୁସିରେ ଖାଇବା ଆରମ୍ଭ କଲା । ମୁଁ ପୁଣି ଫେରିଲି ମୋର ସ୍ୱାର୍ଥକୈନ୍ଦ୍ରିକ ଚିନ୍ତାକୁ ।
“ତା’ର ତ ମେଲେରିଆ ନାହିଁ ମୁଁ ଜାଣିଛି । ହେଲେ ମୋତେ କାହିଁକି ଜରଜର ଲାଗୁଛି ସକାଳୁ । ମୁଣ୍ଡ ବିନ୍ଧୁଛି ଆଉ ଟିକେ ହଳଦିଆ ପରିସ୍ରା ବି ହେଉଛି ।”
‘ଓହୋ! ପେଟ ଗରମ ହୋଇଯାଇଥିବ ପରା! ମିଶିରି ପାଣି ଦୁଇ ତିନିଦିନ ପିଇଦେଲେ ଭଲ ହେବ ଯେ ।’
‘ନା – ନିନିଦି’ । ମୁଁ ସେପରି ରିକ୍ସ ନବାକୁ ଚାହେଁନି । ଏଇ ଜାଗାଟା ମେଲେରିଆ ବେଲ୍ଟ । ସବୁବେଳେ ତ କାହାକୁ ନା କାହାକୁ ହେଉଛି । କାଳେ ହେଇଥିବ…’ ଏମିତି କହି ମୁଁ ଚିନ୍ତିତ ଦିଶିଲି ।
ସେ ସବୁଥର ପରି ଶାନ୍ତ୍ୱନା ଦେଲେ, ‘ଆପଣ ଖାଲିଟାରେ ଚିନ୍ତା କରୁଛନ୍ତି । କାଲି ସକାଳେ ରକ୍ତ ଆଉ ପରିସ୍ରା ପରୀକ୍ଷା କରିବା ପାଇଁ ଦେଇଦେବେ । ଦେଖିବେ କିଛି ହେଇନଥିବ ।’ ପରଦିନ ସକାଳୁ ଗୋଟିଏ ଅତି ଜରୁରୀ କାମରେ ବ୍ୟସ୍ତ ରହିଲି ପୂରା ସନ୍ଧ୍ୟା ଯାଏ । ଅବଶ୍ୟ ବ୍ରେକ୍ଫାଷ୍ଟ ବ୍ରେକ୍ରେ ରକ୍ତ ଓ ପରିସ୍ରା ସାମ୍ପଲ୍ ସେହି ଲୋକ ଆସି ନେଇଯାଇଥିଲା ।
ସନ୍ଧ୍ୟାରେ ସେ ମୋତେ ଆଣି ହସି ହସି ରିପୋର୍ଟ ଦେଲେ, ‘ଦେଖନ୍ତୁ ମାଡାମ୍! କିଛି ନାହିଁ । ମୁଁ କହୁନଥିଲି ପେଟ ଗରମ ହେଇଯାଇଛି ବୋଲି । ଆପଣ ତ ଖାଲି ବ୍ୟସ୍ତ ।’
ସେ କ୍ଷୀର ଦୁଇ ପ୍ୟାକେଟ୍ ବି ଦେଲେ, ‘ନିଅନ୍ତୁ ଆପଣ ନଥିଲେ ବୋଲି କ୍ଷୀରବାଲା ପଲିଥିନ୍କୁ କବାଟରେ ଝୁଲାଇ ଚାଲିଯାଇଥିଲା । ମୁଁ ନେଇ ଫି୍ରଜ୍ରେ ରଖିଦେଇଥିଲି ।’
‘ଆରେ ସତ ତ! ମୁଁ କ୍ଷୀର କଥା ଭୁଲିଯାଇଥିଲି… । ବସ ମୁଁ ଚା’ ବନେଇ ଆଣେ ।’
ନା ମାଡାମ୍ ଯାଉଛି ଯେ- କିନ୍ତୁ ଏଇଟା ଟିକେ ଦେଖିଲେ । କହି ସେ ଗୋଟିଏ ରିପୋର୍ଟ ମୋ’ ଆଡକୁ ବଢ଼େଇଦେଲେ ।
ଏଇଟା ପୁଣି କ’ଣ ? ମୁଁ ପଚାରିଲି ।
ସେ କହିଲେ ମୋର ମାଡାମ୍! ଲାଲ୍ ପରିସ୍ରା ହେଉଛି ବୋଲି ଟେଷ୍ଟ ପାଇଁ ଦେଇଦେଇଥିଲି ।
କ’ଣ କହିଲ? ଲାଲ ପରିସ୍ରା? ପନ୍ଦର ଦିନ ହେଲାଣି? ଆରେ! ଦେଖି ରିପୋର୍ଟ… କହି ତାଙ୍କ ହାତରୁ ଆଣି ମୁଁ ରିପୋର୍ଟ ଦେଖିଲି ।
ପ୍ଲେଣ୍ଟି ଅଫ୍ ରେଡ୍ ବ୍ଲଡ୍ ସେଲ୍ସ ପ୍ରେଜେଣ୍ଟ । ଲାଲ୍ ଅକ୍ଷରରେ ଲେଖା ହୋଇଥିଲା । ମୋର ହାତ ଥରିଉଠିଲା । ସେ କିନ୍ତୁ ଟିଭି ଦେଖୁଦେଖୁ କହୁଥିଲେ କେମିତି ଏଇ ଯେଉଁ ପଟ୍ଟଚିତ୍ର ବିଷୟରେ ଦେଖାଉଛି ତାଙ୍କୁ ବହୁତ ଭଲ ଲାଗେ ପଟ୍ଟଚିତ୍ର ।
ମୁଁ ତାଙ୍କୁ ବିଳଚିତ ସ୍ୱରରେ କହିଲି ‘ତୁମକୁ ତ ଅତି ଶୀଘ୍ର ଯାଇ ଡାକ୍ତରଙ୍କୁ ଦେଖାଇବାକୁ ପଡ଼ିବ ।’
ଭାବିଲି ସେ ହୁଏତ ଜାଣିନାହାନ୍ତି ରିପୋର୍ଟ ବିଷୟରେ । କିନ୍ତୁ, ନା- ସେ ସେହି ପାଥୋ ଲାବ୍ରୁ ହିଁ ସବୁ ଶୁଣି ଆସିଥିଲେ ।
‘ହଁ କ’ଣ? ବହୁତ ଅସୁବିଧା ଅଛି ପରା । ଶନିବାର ଡାକ୍ତରଙ୍କ ପାଖକୁ ଯିବି ।’
“କାହିଁକି ଶନିବାର? କାଲି ହିଁ ଯାଅ ।’
‘ନା ମାଡାମ୍! କାଲି ସେ ଯେଉଁ ଝିଅଟାକୁ ମାଙ୍କଡ଼ ରାଞ୍ଚୁଡ଼ି ଦେଇଥିଲା ତା’ର ଇଂଜେକସନ୍ ପାଳି । ତାକୁ ହେଲ୍ଥ ସେଣ୍ଟର ନେବାକୁ ପଡ଼ିବ । ପୁଣି, କାଲି ଟକ୍ ସପ୍ର ସବୁ ସାମାନ୍ ଆସିବ । ମୁଁ ସେଇ ଶନିବାର ଯିବି । ଭଉଣୀ ଘରେ ରହି ଡାକ୍ତରଙ୍କୁ ଦେଖାଇ ରବିବାର ଫେରିବି ।’
ତାଙ୍କ ଜାଗାରେ ଆଉ କେହି ଥିଲେ ହୁଏତ ହଜାରେ ପ୍ରଶ୍ନ ପଚାରିଥାଆନ୍ତା । ବ୍ୟସ୍ତ ବିବ୍ରତ ହୋଇ ଯେ ତା’ର କ’ଣ ହୋଇଛି ବୋଲି ଅଥଚ, ଆମେ କେତେ ଛୋଟ ଛୋଟ ଅସୁସ୍ଥତାରେ ବ୍ୟସ୍ତ ହୋଇପଡୁଛୁ ।
ଯେବେ ସେ ଭଉଣୀଙ୍କ ଘରକୁ ଗଲେ, ତାଙ୍କ ପାଖକୁ ରାତିରେ ଫୋନ୍ କରି ଜାଣିଲି ଯେ ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି ଦୁଇଟା ଯାକ କିଡ୍ନୀ ଖରାପ ହେଇସାରିଲାଣି ।
ଔଷଧ, ଇଂଜେକ୍ସନ୍ରେ ଗୋଟେ ଦୁଇଟା ବର୍ଷ, ତା’ପରେ ଆଉ ଡାଏଲିସିସ୍ ଯେତେ ଦିନ ହୋଇପାରିବ । କିନ୍ତୁ ଏପରି ମଲ୍ଟି ସିସ୍ଟ୍ କେସରେ ଡାଏଲିସିସ୍ ବି କାମ ଦିଏନି ।
ବଡ଼ ଭଉଣୀ କାନ୍ଦି କାନ୍ଦି କହୁଥିଲେ, ଗୁଡାଏ ଔଷଧ ଇଂଜେକ୍ସନ୍ରେ ମାସକୁ ଏବେ କୋଡିଏ ହଜାର ଖର୍ଚ୍ଚ । ଦୁଇ ଦୁଇଟା ବଢ଼ିଲା ଝିଅ, ତାଙ୍କର କ’ଣ ହେବ । ଗୋଟିଏ ମୁହୂର୍ତ୍ତ ପାଇଁ ମୋତେ ଲାଗିଲା, ସେ ଯେତେ ଦୁଃଖ ଭଉଣୀ ରୋଗ ପାଇଁ କରୁନାହାନ୍ତି ତାଠୁ ବେଶି ତାଙ୍କୁ ବୋଝ ମନେକରି କରୁଛନ୍ତି ।
ଔଷଧ, ଇଂଜେକ୍ସନ୍ ଧରି ସେ ବସ୍ରେ ଦୁଇ ଘଣ୍ଟା ବସି ଆସି ଚାରିଦିନ ପରେ ପହଞ୍ଚିଲେ । ଅଫିସ୍ ତରଫରୁ ନହେଲେ ଦରମା କିଛି ବଢ଼େଇ ଦିଆଯିବ କି ମଝି ମଝିରେ ସାହାଯ୍ୟ କରାଯାଇପାରିବ । ହେଲେ, ଆମ ସମସ୍ତଙ୍କ ମନରେ ପ୍ରଶ୍ନଟିଏ ଉଠୁଥିଲା, କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ତ କରିହେବ ।
ତାଙ୍କୁ ଦେଖିଲେ କିନ୍ତୁ ତାଙ୍କ ମନର ଶଙ୍କା ଏତେ ଟିକେ ବି ଜଣାପଡୁନଥାଏ । ଆଗପରି ସେ ଶାନ୍ତ ଓ ନିର୍ଲିପ୍ତ ଭାବରେ ନିଜର ଦୈନନ୍ଦିନ କାମ କରିଚାଲୁଛନ୍ତି । କର୍ତ୍ତବ୍ୟରେ ବି ହେଳା ନାହିଁ କି ରିହାତି ନେବାର ସୁବିଧାବାଦ ଏତେ ଟିକେ ବି ନାହିଁ । ସମସ୍ତଙ୍କର ଯତ୍ନ ନିଅନ୍ତି ବୋଲି ଆଉ ଅକୁଣ୍ଠରେ ସମସ୍ତଙ୍କୁ ସାହାଯ୍ୟ କରନ୍ତି ବୋଲି ବଡ଼ ସାନ ନିର୍ବିଶେଷରେ ସମସ୍ତେ ତାଙ୍କୁ ନିନିଦି’ ବୋଲି ଡାକନ୍ତି । ଚାଳିଶ ଉପ୍ରାନ୍ତ ହେଲେ ବି ଜୀବନ ଭିତରେ ଦୁଇ ଦୁଇଟା ବଡ଼ ଅସ୍ତ୍ରୋପଚାର ସହିଛନ୍ତି ସେ । ମୃତୁ୍ୟ ସହିତ ଲଢ଼ି ଜୀବନ ଜିଇଁଛନ୍ତି କେବଳ ଦୁଇ ଝିଅ ପାଇଁ ।
ଦିନକୁ ଦୁଇଟା ଇଂଜେକ୍ସନ୍, ସାତ ଆଠଟା ଔଷଧ ଖାଇବା ସହିତ ଖାଦ୍ୟରେ ଅନେକ ବାରଣ- ଯେମିତି ପାଣି ଦିନକୁ ଅତି ବେଶିରେ ଅଧଲିଟର୍, ରାଗ, ତେଲ ମସଲା, ଖଟା ଓ ଆମିଷ ମନା । ଏତେ ସବୁ ଭିତରେ ବି ସେ ସେହିପରି ସକାଳୁ ନିତି ମନ୍ଦିର ଯାଆନ୍ତି । ସମସ୍ତଙ୍କ ଘରେ ଫୁଲ ତୋଳି ଦେଇ ଦିଅନ୍ତି; କାହାକୁ ଚା’/କଫି ତ କାହାକୁ ଓପାସ ବାସରେ ଅରୁଆ ରାନ୍ଧି ଖୁଆନ୍ତି । କେଜାଣି ତାଙ୍କ ଭିତରର କଷ୍ଟକୁ ସେ ଭଗବାନଙ୍କୁ ବି ଜଣାନ୍ତି କି ନାହିଁ ।
ଏମିତି ନିସର୍ତ୍ତରେ ଓ ବିନା ପ୍ରତିବାଦରେ ଯିଏ ସବୁ ସହିଯାଏ ଭଗବାନ ବି ତାକୁ ସୁବିଧା ଦେଖି ନେଇ ଶୋଷଣ କରନ୍ତି । ନିତିଦିନ ସକାଳ ଓ ସନ୍ଧ୍ୟାରେ ମନ୍ଦିର ଯାଇ ଦୀପ ଜାଳିବା, ନିଜ ଅନ୍ତରର ନିଷ୍ପାପତମ ନିରୀହ ଚାହାଣିରେ ବନେ୍ଦଇବାର ମୂଲ୍ୟ କ’ଣ ଏଇୟା?
କିଛିଦିନ ପରେ ତାଙ୍କ ଦେହ ଖୁବ୍ ଅସୁସ୍ଥ ହେବାରେ ଲାଗିଲା । ପରିସ୍ରାରେ ରକ୍ତ ଯିବା ସହିତ ମୁଣ୍ଡବିନ୍ଧା, ବାନ୍ତି, ଛାତିରେ ଯନ୍ତ୍ରଣା ଏସବୁ ଲାଗିରହିଲା । ସେ ତା’ପରେ ଭଉଣୀଙ୍କ ଘରେ ଯାଇ ରହିଲେ । ତାଙ୍କ ଘର ପାଖରେ ସରକାରୀ ଡାକ୍ତରଖାନା । ଦରକାର ପଡ଼ିଲେ ସେଠାରେ ଆଡ୍ମିଟ୍ କରିଦେଇହେବ । ତାଙ୍କ ସାନ ଭଉଣୀ ଯିଏ କି ଏକାକୀ ଗାଁରେ ରହୁଥାନ୍ତି, ସେ ଆସି ନିନି ଦି’ଙ୍କ ଚାକିରି ସ୍ଥାନରେ କିଛିଦିନ କାମ ଚଳେଇବା ପାଇଁ ଔପଚାରିକ ଅନୁମତି ମିଳିଲା । ତା’ଠାରୁ ଆମେ ତାଙ୍କ ବିଷୟରେ ଶୁଣୁ । ସେ ନିଜେ ମଧ୍ୟ ଫୋନ୍ କରି କଥା ହୁଅନ୍ତି । ତାଙ୍କୁ ପ୍ରତ୍ୟକ୍ଷରେ ଦେହ କଥା ପଚାରିବାକୁ ଖରାପ ଲାଗେ । ସେ ହିଁ ନିଜ ତରଫରୁ ଆମ ସମସ୍ତଙ୍କ କଥା ପଚାରି ବୁଝନ୍ତି । ଥରେ ମାତ୍ର ସେ ବ୍ୟସ୍ତ ହୋଇ କହିଥିଲେ ଦୁଇ ଝିଅଙ୍କ ପାଇଁ ଚାକିରି ବୁଝିଦବା ପାଇଁ । କଣ୍ଟ୍ରାକ୍ଟରେ ଚାକିରି କରିଛନ୍ତି, ସେଥିରେ କି ଭରସା । ‘କେଜାଣି ମୋର ଆଉ କେତେଦିନ? କିଛି ହେଲେ କରିପାରିଲିନି ସେମାନଙ୍କ ପାଇଁ । ହେଲେ ମୋ’ ନିଜ କଥା ପାଇଁ ମୋର କିଛି ଦୁଃଖ ନାହିଁ । ଦିନେ ନା ଦିନେ ତ ମରିବା କଥା । ତାଙ୍କ ସ୍ୱରର ଆର୍ଦ୍ରତା ମୋ’ ଆଖିକୁ ଫୋନ୍ ମାଧ୍ୟମରେ ସଂକ୍ରମି ଆସିଲା । କହିଲି- ‘ବ୍ୟସ୍ତ ହୁଅନି, ସେମାନେ ଭଲରେ ରହିବେ । ଆଉ ତମର ବି କିଛି ହେବନି । ଭଗବାନ ଅଛନ୍ତି ।’ ଶେଷ ବାକ୍ୟଟି କହିଲା ବେଳକୁ ମୋ’ କଥା ମୋ’ କାନକୁ ଅସ୍ୱାଭାବିକ ଶୁଭିଲା । ଭଗବାନ ତାଙ୍କ ପାଇଁ ତ ଅନ୍ତତଃ ନାହାନ୍ତି- ସେ ଖାଲି ଅଛନ୍ତି ସୁଖୀର ସୁଖ ବଢ଼ାଇବା ପାଇଁ । ଏ ଦୁନିଆରେ ଯେତେ ଦୁଃଖୀ, ଅଭାବୀ ଓ ରୋଗୀ ସେମାନେ ପରା ଈଶ୍ୱରଙ୍କର ନୁହନ୍ତି ।
ଶୁଣିଥିଲି ବଡ଼ ଝିଅ ବାହା ହେବନି ବୋଲି ଜିଦ୍ ଧରୁଛି । ସେ ଏୟାର ହୋଷ୍ଟେସ୍ ହବାକୁ ଚାହୁଁଛି । ତା’ର ଉଚ୍ଚା ଉଚ୍ଚା ସ୍ୱପ୍ନ ସତ ହେଇଯାଉ ହେଲେ । ପୁଣି କେବେ କାହାଠାରୁ ଶୁଣିଥିଲି ସେ ବାହା ହେବାକୁ ରାଜି ହେଲାଣି । ଏମିତି କଥା ।
ଖରା ଛୁଟିରେ ଘରକୁ ଆସିଥାଏ । ମଝି ମଝିରେ ମୁଁ ତାଙ୍କୁ ଫୋନ୍ କରେ । ଘରୁ ଡାକ୍ତରଖାନା, ଡାକ୍ତରଖାନାରୁ ଘର ଏପରି ହୋଇ ସେ ଦହଗଞ୍ଜ ହେଉଥାନ୍ତି । ବଡ଼ କଷ୍ଟ ଲାଗେ ଶୁଣିଲେ । ତରେ ତାଙ୍କ ବଡ଼ ଭଉଣୀ ଫୋନ୍ରେ କହିଲେ, ତା’ ଦୁଃଖ ଆଉ ଆମେ ଦେଖିପାରୁନୁ । ବେଳେବେଳେ ତ ଲାଗୁଛି ଭଗବାନ ତାକୁ ନେଇଯା’ନ୍ତେ ହେଲେ । ମୋ ପାଟିରୁ ବାହାରି ପଡ଼ିଲା, ‘ନା- ସେମିତି କୁହନ୍ତୁନି, ପ୍ଲିଜ୍, କିଡ୍ନୀ ତ ପ୍ରତିରୋପଣ ହୋଇପାରୁଛି । ଆପଣ ଟ୍ରାନ୍ସପ୍ଲାଣ୍ଟ କରିବା କଥା ବୁଝାବୁଝି କରନ୍ତୁ । ଆମେ ସବୁ ଅଛୁ । ଖର୍ଚ୍ଚ ଚିନ୍ତା କରନ୍ତୁନି ।’
ପ୍ରକୃତରେ କିନ୍ତୁ ଖର୍ଚ୍ଚ ଚିନ୍ତା ସେମାନଙ୍କ ପାଇଁ ପ୍ରଥମ ନଥିଲା । ଯାହା ଦୁଇ ମାଣ ଜମି ନହେଲେ ବିକି ଦିଅନ୍ତେ । କିନ୍ତୁ, କିଡ୍ନୀ କିଏ ଦେବ । ମୁଁ ଏକଥା ତାଙ୍କ ସାନଭଉଣୀ ଠାରୁ ଶୁଣି କହିଲି, ‘ବଡ଼ ଝିଅ ଦଉ ।’ ସେ ସଙ୍ଗେ ସଙ୍ଗେ କହିଲେ, ‘ନା ସେମାନେ ଏବେ ବାହାସାହା ହେଇନାହାନ୍ତି । କାଲିକୁ ସଂସାର କରିବେ, ପିଲାଛୁଆ ହେବ । ତା’ଛଡ଼ା ଏ ରୋଗ ଜେନେଟିକ୍ । ତେଣୁ- ‘ସିଏ ପରା କ’ଣ ବାହା ହେବନି କହୁଛି’- ମୋର ଏ କଥା କହିବା ଶତଧା ଅନୁଚିତ ଜାଣି ସୁଦ୍ଧା କହିପକାଇଲି । ସେ ଆଦୌ ଗୁରୁତ୍ୱ ଦେଲାନି ।
‘ନା ମାଡାମ୍! ସେମିତି କ’ଣ ହୁଏ ।’ ମୁଁ ନିରବ ରହିଲି ।
ଭାବିଲି, କ’ଣ ହୁଏ ନହୁଏ ଅଲଗା କଥା । ଜଣେ ମରଣ ମୁହଁରେ ଅଛି ଏବେ କ’ଣ ଆମେ ନିଜ ନିଜର ଲମ୍ବା ଚଉଡ଼ା ଭବିଷ୍ୟତ କଥା ଚିନ୍ତା କରି ତାଙ୍କୁ ଛାଡ଼ିଦବା?
କାରଣ ସାନଭଉଣୀଠାରୁ ବି ଶୁଣିଲି ଯେ ବଡ଼ ଭଉଣୀଙ୍କ ଉଚ୍ଚ ରକ୍ତଚାପ ରୋଗ, ସେ ଦେଇପାରିବେନି; ଭାଇଙ୍କର ଡାଇବେଟିସ୍, ମଝିଆ ଭଉଣୀର ବଡ଼ ପରିବାର, ବହୁତ କାମ, ସେ ଦେଇପାରିବନି । ଆଉ ସବା ସାନମାନେ ସେ ନିଜେ ଏମିତି ଏକ ବ୍ଲଡ୍ ଗ୍ରୁପ୍ର ଯାହାଠାରୁ କିଡ୍ନୀ ନେବା କଥା ଡାକ୍ତର ନିଜେ ମନା କରିଲେ । ସାନ ଭଉଣୀ ସଙ୍ଗେ ଟିକେ ଅନ୍ତରଙ୍ଗ ହୋଇ କଥା ହେଲି । ସମ୍ପର୍କୀୟମାନଙ୍କ ସଙ୍ଗେ ଏ ବିଷୟରେ କଥା ହୁଅ, କାଳେ ସେମାନେ ସାହାଯ୍ୟ କରିବେ । ସେ ହଁ, ନା ଏମିତି କହି ବିଶେଷ ଆଗ୍ରହ ଦେଖାଉ ନଥିଲେ । ତେବେ କହୁ ନକହୁ ତା’ ପାଟିରୁ କଥାଟିଏ ଖସିପଡ଼ିଲା । କାହା ଜରିଆରେ ଏ ବିଷୟରେ ଶୁଣି ଜଣେ ଧନୀ ଲୋକ କାଳେ ଆସି ପହଞ୍ଚିଥିଲେ । ସର୍ତ୍ତ ଥିଲା, ତାଙ୍କର ଏକମାତ୍ର ପୁଅକୁ ନିନି ଦି’ଙ୍କ ଝିଅ ବାହା ହେଉ । ସେ ଦଶଲକ୍ଷ ଟଙ୍କା ଦେବେ । ସେତିକିରେ କିଡ୍ନୀ ସଂଗ୍ରହ କରାଯାଇପାରିବ । ଡାକ୍ତର ବି ଆଗରୁ ସେତିକି ଟଙ୍କାରେ କିଡ୍ନୀ ମିଳିବା କଥା କହିଥିଲେ । ଏ କଥା ଶୁଣି ମୁଁ ସତରେ ବହୁତ ଖୁସି ହେଇଗଲି । ତା’ହେଲେ ଅସୁବିଧା କ’ଣ? ହେଇଗଲା ତ? “ନା- ସେ ନିଃସ୍ପୃହ ସ୍ୱରରେ କହିଲେ । ଝିଅ ରାଜି ହେଉନି । କହୁଛି ଟଙ୍କା ସମ୍ପର୍କରୁ କ’ଣ ମିଳିବ । ପିଲାଟା ଶିକ୍ଷିତ ହେଲେ କ’ଣ ହେବ! ଛୋଟ ଆଉ ତ୍ରିପଣ୍ଡ କାଳିଆ । ବୟସ୍କ ବି ।”
… କିଛି ସମୟର ନିରବତା ଉତ୍ତାରେ ମୁଁ ମନକୁ ମନ କହିହେଲି ଟଙ୍କା ସମ୍ପତ୍ତିରୁ କ’ଣ ମିଳିବ ମାନେ? ମା’ ତ ଫେରି ଆସିପାରିବ ମୃତୁ୍ୟ ମୁହଁରୁ?
ସେ ବୋଧେ ମୋତେ ଶୁଣିପାରିଲା । କହିଲା- ଝିଅ କହୁଛି ସେ ଯେଉଁ କଣ୍ଟ୍ରାକ୍ଟ ଚାକିରି କରିଛି ସେଥିରୁ କିଛି କିଛି ପଇସା ସଞ୍ଚି ଶୁଝିଦବ ପଛକେ କେଉଁ ବଣ ଜଙ୍ଗଲ କି ମାଳ ଅଞ୍ଚଳରେ ଅଭାବୀ ଲୋକଟେ ଖୋଜ । କିଡ୍ନୀ ମିଳିଯାଇପାରେ । କାଳେ କେଉଁଠି ଏମିତି ଗୋଟିଏ କେସ୍ ସେ ଶୁଣିଛି । ଅଭାବୀ ଏକାକିନୀ ନାରୀଟିଏ ଆସି କାହାକୁ କିଡ୍ନୀ ଦେଇଥିଲା ଆଉ ବଦଳରେ ଭରଣପୋଷଣ ନେଇଥିଲା ।
ସେ ଫୋନ୍ ରଖିଦେଲା । ଆଜିକାଲି ତାଙ୍କ ଘରର ଲୋକ ଫୋନ୍ ପ୍ରାୟ ଧରନ୍ତି ନାହିଁ । କେବଳ ଏଇ ସାନ ଭଉଣୀଟି ଧରେ । କହୁଥିଲା ସେମାନେ ସବୁ ଭଗବାନଙ୍କ ଉପରେ ଛାଡ଼ିଦେଇଛନ୍ତି ।
ଭଗବାନ୍! ମୋତେ ହସ ଲାଗିଥିଲା । ଭଗବାନ ନିନି ଦି’ଙ୍କୁ ଚିହ୍ନିନାହାନ୍ତି । କେଜାଣି କେତେ ଜନ୍ମ ତପସ୍ୟା କଲେ ନିଜେ ଭଗବାନ ନିନିଦି’ଙ୍କ ପରି ମଣିଷକୁ ଚିହ୍ନିବାରେ ସଫଳ ହେବେ ।
ଡାକ୍ତରଖାନାରେ ତାଙ୍କ ବିଛଣା ପାଖରେ ଛିଡ଼ା ହେଇଥିଲି ମୁଁ । ତାଙ୍କର ଗୋଟିଏ ହାତରେ ରକ୍ତ ଦିଆ ଚାଲିଥିଲା ଆର ହାତଟିରେ ଇଂଜେକସନ୍ ଦୁଇ ଘଣ୍ଟାକୁ ଥରେ ସେ ନେଉଥାନ୍ତି । ମୋତେ ଦେଖି ଗୋଟିଏ ହାତ ଉଠାଇ ନମସ୍କାର କରିଲେ । ସମସ୍ତଙ୍କ କଥା ପଚାରିବୁଝିଲେ । ମୁଁ, ସତକଥା, ପଦଟିଏ ବି ଉଚ୍ଚାରଣ କରିପାରୁନଥିଲି । ଯାହା ଚାଲିଥିଲା ମୋ’ ମନ ଭିତରେ ହିଁ- ତମେ ଚାଲିଯାଅ ନିନିଦି’! ତମେ ଆଉ ଗୋଟିଏ ପୃଥିବୀ ପାଇଁ ଗଢ଼ା ହେଇଛ? ଏ ପୃଥିବୀର ଯୋଗ୍ୟତା ନାହିଁ ତାକୁ ମାଟି, ପାଣି, ଅମ୍ଳଜାନ ଓ ଜହ୍ନରାତି ଯୋଗାଇଦବା ପାଇଁ । ଦେଖୁନ ସମସ୍ତଙ୍କ ଆଖିରେ ବ୍ୟଗ୍ରତା ତୁମେ ଯିବାକୁ ନେଇ । ଯେତେଶୀଘ୍ର ଚାଲିଯିବ ସେତେ ଶୀଘ୍ର ସେମାନେ ଆଶ୍ୱସ୍ତ ହେବେ । କାଳେ କେହି ତାଙ୍କୁ କିଡ୍ନୀ ମାଗିନେବ? ମୁଁ ଆସିଲାବେଳକୁ ସେ ମୋ’ ହାତ ଧରି କହିଲେ, ‘ମାଡାମ୍! କେଜାଣି ଆଉ ଦେଖା ହେବ କି ନାଇଁ! ମୋ ଝିଅମାନଙ୍କ କଥା ବୁଝିବେ ଟିକେ । କିଛି ହେଲେ ଚାକିରି ବାକିରି ଥିଲେ ଅନ୍ତତଃ ଆଉ ଚିନ୍ତା ନଥିବ । ନହେଲେ, ବାହା ହେଲେ ବି କେତେବେଳେ କେଉଁ କଥା ।’
ଇଚ୍ଛା ହେଉଥିଲା ତାଙ୍କୁ ଜୋର୍ରେ ଚିଲେଇ କରି କହିବି, କେଉଁ ଝିଅମାନଙ୍କ ଚାକିରି ପାଇଁ ଏତେ ବ୍ୟସ୍ତ ତମେ! ତମ ଝିଅ ବେଶ୍ ବଡ଼ ଚାକିରି କଲାଣି । ଏମିତି କି ତା’ ପଇସାରେ କେଉଁଠୁ ଝିଅ ଖୋଜିଆଣିବା କହୁଛି ଯିଏ ତମକୁ କିଡ୍ନୀ ଦେଇ ତାକୁ ଦାୟମୁକ୍ତ କରାଇବ ।
ମୁଁ ବାହାରକୁ ଆସିସାରିଥିଲି ।