ଜାଣିଚନ୍ତି ଧର୍ମଦେବତା ମୁଁ କ’ଣ ତୁଚ୍ଛାଟାରେ ତା’ ମା’ କଥାରେ ଭାସିଯାଉଥିଲି । ଆମ ଘରକୁ ଥରେ ଜ୍ୟୋତିଷ ଆସିଥିଲେ । ଝୁଅର ହାତ ଦେଖି କ’ଣ କହିଲେ ଜାଣିଚନ୍ତି- ଝୁଅଟା ଭାରି ଲକ୍ଷ୍ମୀବନ୍ତ ହବ । ଯଉଠି ରହିବ ସେଠି ଧନଧାନ୍ୟରେ ପୂରିଉଠିବ । ଆଉ ତା’ ହାତର ବୁଢ଼ାଆଙ୍ଗୁଠି ଦେଖି କହିଲେ ପିଲାର ଭାଗ୍ୟ ବହୁତ ଉଜ୍ଜ୍ୱଳ । ଲକ୍ଷ୍ମୀ ସରସ୍ୱତୀଙ୍କ ବିରଳ ଅବସ୍ଥାନ ତା’ ହାତରେ, ବହୁତ ପାଠ ପଢ଼ିବ । ଦେଖିବୁ ଥା ବିରଜୁରେ ଏ ଝୁଅ ଦିନେ ରାଇଜ ଚମକେଇ ଦବ । ଆଖି ଛୁଉଁଚି ହଜୁର ଇସ୍କୁଲରେ ଖାଲି ପାଠରେ ଫାଷ୍ଟ ହୁଏନାହିଁ ସବୁଥିରେ । ଗୀତ ପଦେ ଗାଇବ ମୋ ମାଆ ତ ଦାଣ୍ଡ ଗଲା ଲୋକ ଦଣ୍ଡେ ଅଟକିଯିବ ।
ଠକ୍ ଠକ୍ ଠକ୍
ଜଜ୍ ସାହେବଙ୍କ ଘର ପଛପଟ ବାରଣ୍ଡାର ଲାଇଟ ଜଳିଲା । ଗୋଟେ ଯାନ୍ତ୍ରିକ ସ୍ୱରରେ ଧୀରେ ଧୀରେ କବାଟ ଖୋଲିଲା । ବାଡ଼ିପଟ କବାଟ ଖୋଲି ବୀରମିତ୍ର ସାମ୍ନାରେ ଯାହାକୁ ଦେଖିଲେ ସିଏ ବିରଜୁ । ଚିହ୍ନିବାରେ ଯଦିଓ ସାମାନ୍ୟ ବିଳମ୍ବ ହେଲା । ରାତି ଦି’ଟା ପାଖାପାଖି ଏ ସମୟରେ ଲୋକଟାକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ହେଲେ ସେତିକି ଅବାକ୍ । ତାଙ୍କର ଧାରଣା ଥିଲା ଲୋକଟା ଖୁବ୍ ନିରୀହ, ନିରକ୍ଷର ଆଉ ଗରିବ । କିନ୍ତୁ ଏମିତି ଏକ ସମୟରେ ତାକୁ ଦେଖିବା ପରେ ମୁହୂର୍ତ୍ତକ ପାଇଁ ତାଙ୍କ ମନରୁ ସେସବୁ ପଛ ହେଇଗଲା । ଯେଉଁ ଲୋକଟା ପଛପଟ ପାଚେରି ଡେଇଁ ଏଯାଏ ଆସିଚି… ।
ହେଲେ କାହିଁକି??
ସହରରେ ରାସ୍ତା ସାରା ଆଲୁଅ । ମୁଖ୍ୟ ରାସ୍ତା ଛାଡ଼ି ରାତି ଅନ୍ଧାରରେ ଏମିତି ଚୋର ପରି ଆସି ବାଡ଼ି କବାଟ ବାଡେଇବା ପଛରେ କିଛି ଭଲ ଉଦେ୍ଦଶ୍ୟ ଥିବା ପରି ମନେ ହେଲାନାହିଁ । ତେବେ ଉଦେ୍ଦଶ୍ୟଟା କ’ଣ ହେଇପାରେ? ବୀରମିତ୍ରଙ୍କର ଆପାଦ ମସ୍ତକ ଶିହରଣ ଖେଳିଗଲା ।
ଆଜି ହିଁ ବିରଜୁର କେସ୍ ଫଇସଲା କରିଛନ୍ତି ସିଏ । ରାୟ ଶୁଣେଇ ସାରିଛନ୍ତି । ଯଦିଓ ଲୋକଟା ଚାହିଁବା ପରି ନୁହଁ, ଆଇନ୍ କାନୁନ୍, ଓକିଲ ଯୁକ୍ତି, ସାକ୍ଷ୍ୟପ୍ରମାଣ ଆଉ ଡାକ୍ତର ରିପୋର୍ଟ ଆଧାରରେ ତା’ ଝିଅ କେସ୍ର ରାୟ ଦିଆସରିଛି । ଏମିତିତ ଲୋକଟା ନ୍ୟାୟାଳୟ ଭିତରେ ବାହାରେ ପାଟି କମ୍ପେଇ କ’ଣ ସବୁ କହୁଥିଲା, ମୋ ଝିଅ ମରିନାହିଁ, ମରି ପାରେନା, ତାକୁ ମାରି ଦିଆଯାଇଚି । ତା’ ସହ ଅବିବେକୀ ଆଚରଣ ହେଇଚି । ଏଠି ନ୍ୟାୟ ନାହିଁ । ଆମପରି ଗରିବମାନଙ୍କ ପାଇଁ… ଇତ୍ୟାଦି ଇତ୍ୟାଦି । କିନ୍ତୁ ବିଚାରପତି ଆସନରେ ବସିବା ପରେ ବୀରମିତ୍ର କେବଳ ସେଇକଥା ଶୁଣିଛନ୍ତି ଯାହା ସାକ୍ଷୀ, ପ୍ରମାଣ କହେ । ରାୟରେ ମଧ୍ୟ ଏ କଥା ଉଲ୍ଲେଖ କରିଛନ୍ତି ଯେ ଲୋକଟା ଚାହିଁଲେ ଉପରକୋର୍ଟର ଆଶ୍ରୟ ନେଇପାରିବ । ଯଦି ସେପରି କିଛି କରିବାର ଥାଏ ତ ତାଙ୍କ ପାଖକୁ ଆସିବାର କୌଣସି ପ୍ରୟୋଜନ ନାହିଁ?
ପୁଣି କାହିଁକି ଏ ଅସମୟରେ…?
ହେଇପାରେ କିଛି ପେଶ୍ କରାଯାଇ ପାରିନଥିବା ପ୍ରମାଣ ଲୋକଟା ହାତରେ ଲାଗିଯାଇଚି କି? ନ ହୁଏ ତ ରାୟରେ ଅସନ୍ତୁଷ୍ଟ ଲୋକଟା ତାଙ୍କ ଉପରେ ଆଉ ପ୍ରତିଶୋଧ … ।
ବୀରମିତ୍ର ଆଉ କିଛି ଭାବିବା ପୂର୍ବରୁ ବିରଜୁ ଚଟାପଟ କପଡ଼ାରେ ଗୁଡା ହେଇଥିବା କ’ଣ ଗୋଟେ ଖୋଲିବାକୁ ଲାଗିଲା । ତା’ର କପଡ଼ା ଖୋଲିବାର ବ୍ୟଗ୍ରତା ସୂଚେଇ ଦଉଚି ନିଶ୍ଚୟ କିଛି ଗୋଟାଏ ବଡ଼ ସୁରାକ ସିଏ ସାଙ୍ଗରେ ନେଇ ଆସିଚି । ଯାହାକୁ ନେଇ ସମୁଦାୟ କେସ୍ର ରାୟକୁ ବିପରୀତ ଢଙ୍ଗରେ ବଦଳାଇ ଦିଆଯାଇପାରେ । କିନ୍ତୁ ଏ
କ’ଣ…? ଇଏ ଯେ ଗୋଟେ କଟା ହାତର ପାପୁଲି?
ଦି’ପାଦ ପଛକୁ ଘୁଞ୍ଚି ଆସିଲେ ବୀରମିତ୍ର । ଲୋକଟା ତାଙ୍କୁ ସେଇ ପାପୁଲିକୁ ଦେଖେଇ କହୁଚି- ଦେଖନ୍ତୁ ଦେଖନ୍ତୁ ଧର୍ମାବତାର ଭଲ କରି ଥରେ ଅଭାଗିନୀଟାର ହାତକୁ ଦେଖନ୍ତୁ । ହାତର ରେଖାସବୁକୁ ଦେଖନ୍ତୁ, ଆପଣତ ଭଉତୁ ପାଠ ପଢ଼ିଛନ୍ତି…
ଯଦିଓ ଲୋକଟାର କହିବାର ଭଙ୍ଗୀରେ, ଭାବରେ କିଛି ମନ୍ଦ ଉଦେ୍ଦଶ୍ୟ ଥିବା ପରି ଜଣାପଡୁନାହିଁ ତଥାପି ମଧ୍ୟ ବୀରମିତ୍ରଙ୍କର ଇଚ୍ଛା ହେଲା ନାହିଁ ସେ ପାପୁଲି ଆଡକୁ ଚାହିଁବାକୁ । କିନ୍ତୁ ଲୋକଟା ଯେତିକି ଯତ୍ନରେ ଆଦରରେ ସେଇଟାକୁ ଧରିଚି ଯିଏ ଦେଖିବ ସିଏ କହିବ ତା’ର ଅତିପ୍ରିୟ ବସ୍ତୁଟିଏ ।
ବୀରମିତ୍ର ଭାବିବାକୁ ଲାଗିଲେ ଏମିତି ଗୋଟାଏ ମଣିଷକୁ ସାମ୍ନାରୁ ଚାଲିଯିବାକୁ କହି କବାଟ ବନ୍ଦ କରିଦେବେ କି? ପୁଣି ମନକୁ ଆସୁଚି ସହରରେ ଅନେକ ଲୋକ ଥାଉଁ ଥାଉଁ ଲୋକଟା ଯେତେବେଳେ ତାଙ୍କ ପାଖକୁ ରାତି ଅନ୍ଧାରକୁ ଖାତିର ନକରି ଚାଲି ଆସିଚି… ବୋଧହୁଏ ସେପରି ବ୍ୟବହାର ତାଙ୍କ ପଦ ମର୍ଯ୍ୟାଦାର ଅନୁକୂଳ ହେବ ନାହିଁ, ତେବେ ଏ ପାପୁଲିଟା କାହାର? ଏ ପାପୁଲିକୁ ଦେଖେଇ ଲୋକଟା କ’ଣ କହିବାକୁ ଚାହୁଚି?
: ଆଜ୍ଞା ଆପଣ ଆମର ପ୍ରଭୁ ! ମହାପୁରୁ, ଧର୍ମଦେବତା, ଆପଣଙ୍କୁ ସବୁ ଜଣା । ଥରେ ମୋ ନିରିମାଖୀ ଝିଅଟାର ହାତରେଖାକୁ ଦେଖନ୍ତୁ ।
: କ’ଣ କହୁଚ ତମେ… ଇଏ… ତ…ମ ଝିଅର ପାପୁଲି??
: ମହାପୁରୁ ଏତିକ ପ୍ରମାଣ ମୁଁ ତାକୁ ଜୁଇରେ ଶୁଆଇ ଦେବା ପୂର୍ବରୁ ତା’ ମା’କୁ ନୁଚେଇ ରଖିଚି ।
ବୀରମିତ୍ରଙ୍କର ନିଦୁଆ ସ୍ନାୟୁଗୁଡାକ ସତେଜ ହେଇଗଲା । ଭାବନାଶକ୍ତି ଲୋପ । ଲୋକଟା କହିଲା- ଧର୍ମଦେବତା ଏଇ ମୋର ଗୋଟିଏ ବୋଲି ଝୁଅ । ଭାଆରି ଅଲିଅଳୀ । ଭାଆରି ନାକ କାନ୍ଦୁରିଟା । ଝୁଅଟା ଚାଲିଗଲା ପରଠୁ ତା’ ମାଆ ଭାତପାଣି ଛାଡିଦେଲାଣି । ଆଉ ଦିନ ଦି’ଟା ବଞ୍ଚିବ କି ନା, ପଦେ ମାତ୍ର ପଦୁଟିଏ ଆପଣଙ୍କ ମୁହଁରୁ ନିଆଇ ଶୁଣିଦେଲେ ସିଏ ହସି ହସି ସବୁ ସହିଯିବ ଆଜ୍ଞା । ମୁଁ ବି ତା ଦାୟରୁ ମୁକ୍ତି ପାଇଯିବି ।
ବୀରମିତ୍ର ମନେ ମନେ ଭାବିଲେ- ଆଉ କି ନ୍ୟାୟ ସିଏ ଶୁଣେଇବେ? ଯାହା ଶୁଣେଇବା କଥା ସିଏତ କୋର୍ଟରେ ଶୁଣେଇ ସାରିଛନ୍ତି?
: ତା’ ମାଆର ମନ ମାନୁନି ଆଜ୍ଞା । କ’ଣ ଜାଣେ ଅବା ସିଏ ମୁରୁଖ ମାଇପି ନୋକ । ତା’ କହିବା କଥା…
: କିଏ କ’ଣ କହିବ, ସେ ସବୁ କଥାରେ ଅଦାଲତ ଚଳେନା, କେବଳ ସାକ୍ଷୀ, ପ୍ରମାଣ ଆଧାରରେ ଯାହା ହୁଏ । ବିରକ୍ତିମିଶା ସ୍ୱରରେ କହିଲେ ବୀରମିତ୍ର ।
: ମୁଁ ଆପଣଙ୍କୁ ଧର୍ମଦେବତା ମାନିଚି ଆଜ୍ଞା, ହେଲେ…
: ଆଚ୍ଛା ତମ ସ୍ତ୍ରୀ କ’ଣ କହୁଚି?
: ଆଜ୍ଞା ସିଏ କହୁଚି ଏ ନିଆଇ ମିଛ, ଆଇନି ପଇଣ୍ଟି କଥା ସବୁ ମିଛ, ଦରବାର ମିଛ, ବୀରମିତ୍ରଙ୍କର ପାଦଠୁ ମଥାଯାଏ ଥରିଉଠିଲା । ଲୋକଟା ପାଠଶାଠ ପଢ଼ିଲା ପରି ଜଣାପଡୁନି ଯେତେବେଳେ ତା’ ସ୍ତ୍ରୀ ବି ସେମିତି ହେଇଥିବ । ତା’ ନହେଲେ ଜଣେ ଜଜ୍ଙ୍କ ସାମ୍ନାରେ ଆଇନ୍ କାନୁନ୍, ସାକ୍ଷ୍ୟପ୍ରମାଣ, ରାୟକୁ ନିଃସଂକୋଚରେ ମିଛ-ମିଛ-ମିଛ ବୋଲି କହିବାକୁ ସାହସ କରିପାରନ୍ତା? କଥାଟାକୁ ଆଦୌ ହଜମ କରିପାରିଲେନି ସିଏ । ତାଙ୍କ ଜୀବନସାରା କେବେବି ଅନ୍ୟାୟର ପକ୍ଷପାତିତା କରିନାହାନ୍ତି । ଏସବୁକୁ ନେଇ ଅଦାଲତରେ ତାଙ୍କର ଗୋଟେ ସ୍ୱତନ୍ତ୍ର ଭାବମୂର୍ତ୍ତି ଅଛି ।
ବୀରମିତ୍ର ନିଜ ଉପରେ କାବୁ ପାଇବାକୁ ଚେଷ୍ଟା କଲେ । ଲୋକଟା କ’ଣ କହିବାକୁ ଚାହୁଁଚି ଆଗ ଶୁଣାଯାଉ ।
: ମୋ କଥା ମିଛ ଭାବୁଚନ୍ତି ନା ହଜୁର । ଥରେ ତ ଏ ହାତରେଖାକୁ ଦେଖନ୍ତୁ । ବଳେ ଆପଣ ଜାଣିଯିବେ ନି କି, ଝୁଅଟା ସିନା କପାଳମନ୍ଦକୁ ମୋପରି ଗରିବ ଘରେ ଜନ୍ମ ହେଇଥିଲା, ହେଲେ କଉ ଗୁଣରେ କିଏ ବାଛି ଦବ? ଇସ୍କୁଲରେ ସବୁ ମାଷ୍ଟ୍ରେ କହୁଥିଲେ ସିଏ ବଢ଼ିଆ ପଢ଼ୁଚି । ମାଷ୍ଟ୍ରଙ୍କ ପାଟିରୁ ପାଠ ବାହାରିବା ମାତ୍ରେ ଝୁଅଟା ଚଟ୍କିନା ଗିଳି ଦଉଥିଲା । ଇସ୍କୁଲରେ ସମସ୍ତଙ୍କଠାରୁ ଅଧିକ ନମ୍ବର ରଖୁଥିଲା । ମୋ କଥା ପରତେ ଯାଉନ ଯଦି ମାଷ୍ଟ୍ରେଙ୍କୁ ପଚାରୁନ । ଏଇ ବର୍ଷ ମେଧାବୃତ୍ତି ପରୀକ୍ଷା ଦେଇଥାନ୍ତା, ତା’ ସାଙ୍ଗମାନେ ତ ତାକୁ ଦେଖି ସହି ପାରୁନଥିଲେ । ତା’ ମାଆ ତ କହୁଥିଲା- ମାଲୋ ତୁ ପରୀକ୍ଷାରେ ବୃତ୍ତି ପାଇଲେ ନା ଅଇରିସିଆଙ୍କ ମୁହଁ ବନ୍ଦ ହେଇଯିବ ।
ଝିଅ କଥା କହୁ କହୁ ଭାବପ୍ରବଣ ହେଇପଡୁଚି ବିରଜୁ । ଅନ୍ୟମନସ୍କ ବି । ତା’ ଆଖି ସ୍ୱପ୍ନିଳ, ଛଳ ଛଳ । ପାଟିରୁ ଯାହା ବାହାରୁଚି ସତେ ଯେମିତି ସିଏ ଦେଖିପାରୁଚି ସେଇ ଗଲାଦିନମାନଙ୍କୁ ।
: ଆଜ୍ଞା ଯଉଦିନ ମାଷ୍ଟେ କହିଲେ ତମ କାକଳି ମେଧାବୃତ୍ତି ପରୀକ୍ଷା ଦବ । ସବୁ ବିଷୟରେ ଭଲ କରୁଚି ଅଙ୍କ ପାଠରେ ଆଉ ଟିକେ… । ସେବେଠାରୁ ଅଙ୍କ ସାର୍ଙ୍କ ଘରକୁ ନିତି ସକାଳେ ସଂଜେ ଟିଉସନ ଯାଏ । ଖାସେ ଏଇ ଟିଉସନ ପଇସା ଦବାକୁ ତା’ ମା’ ପାଞ୍ଚବର୍ଷରୁ ଘରେ ରଖିଥିବା ଗୋଟେ କୁମ୍ପିକି ଭାଙ୍ଗିଦେଲା । କହିଲା ଏ ପଇସା ରହି କ’ଣ ହବକି, ଆମ ଝୁଅ ପାଠପଢ଼ି ବଡ଼ ଅଫିସର ହେଲେ କ’ଣ ଆମ ଦୁଃଖ ଯିବନି କି? ତା’ ମା’କୁ ମୁଁ’ ମନା କରିନି ।
କିଛି ସମୟ ଭାବନାର ଆବେଗରୁ ହଠାତ୍ ଫେରିପଡ଼ି ବିରଜୁ କହିଲା- ଜାଣିଚନ୍ତି ଧର୍ମଦେବତା ମୁଁ କ’ଣ ତୁଚ୍ଛାଟାରେ ତା’ ମା’ କଥାରେ ଭାସିଯାଉଥିଲି । ଆମ ଘରକୁ ଥରେ ଜ୍ୟୋତିଷ ଆସିଥିଲେ । ଝୁଅର ହାତ ଦେଖି କ’ଣ କହିଲେ ଜାଣିଚନ୍ତି- ଝୁଅଟା ଭାରି ଲକ୍ଷ୍ମୀବନ୍ତ ହବ । ଯଉଠି ରହିବ ସେଠି ଧନଧାନ୍ୟରେ ପୂରିଉଠିବ । ଆଉ ତା’ ହାତର ବୁଢ଼ାଆଙ୍ଗୁଠି ଦେଖି କହିଲେ ପିଲାର ଭାଗ୍ୟ ବହୁତ ଉଜ୍ଜ୍ୱଳ । ଲକ୍ଷ୍ମୀ ସରସ୍ୱତୀଙ୍କ ବିରଳ ଅବସ୍ଥାନ ତା’ ହାତରେ, ବହୁତ ପାଠ ପଢ଼ିବ । ଦେଖିବୁ ଥା ବିରଜୁରେ ଏ ଝୁଅ ଦିନେ ରାଇଜ ଚମକେଇ ଦବ । ଆଖି ଛୁଉଁଚି ହଜୁର ଇସ୍କୁଲରେ ଖାଲି ପାଠରେ ଫାଷ୍ଟ ହୁଏନାହିଁ । ସବୁଥିରେ । ଗୀତ ପଦେ ଗାଇବ ମୋ ମାଆ ତ ଦାଣ୍ଡ ଗଲା ଲୋକ ଦଣ୍ଡେ ଅଟକିଯିବ । ଚାନ୍ଦଓଷା, ଭାଲୁକୁଣୀରେ ତା’ରି ଗୀତ ଶୁଣିବାକୁ ସମସ୍ତେ ଚାହିଁଥିବେ ।
ବୀରମିତ୍ର କେବଳ ଚାହିଁ ରହିଛନ୍ତି ବିରଜୁର ନିରୀହ ଚେହେରା, ନିର୍ବୋଧ ମଣିଷପଣିଆ ଆଡେ । କାନରେ ବାଜୁଚି ନିର୍ବୁଦ୍ଧିଆ ଲୋକଟାର କଥା । ଭାଗ୍ୟ, ଭଗବାନ, ଜ୍ୟୋତିଷଗଣନା ଏସବୁ ଉପରେ ତାଙ୍କର ବିଶ୍ୱାସ ନଥିଲେ ବି କେଜାଣି କାହିଁକି ସେଇ ମୁହୂର୍ତ୍ତରେ ମନେ ହେଲା ଲୋକ ସତ କହୁଚି । ତା’ ନିର୍ବୋଧପଣିଆ, ସରଳ ବିଶ୍ୱାସ ଭିତରେ ଏମିତି ଏକ ନିଷ୍ଠୁର ବାସ୍ତବତାର ସ୍ଥାନ କେଉଁଠି ଥିବ? ନିଜକୁ ନିଜେ କହିହେଲେ- ବିରଜୁ ପରି ମଣିଷମାନେ ଗୋଟେ ଅନିଶ୍ଚିତ, ଆଶଙ୍କିତ ଜୀବନଯୁଦ୍ଧରେ କେବଳ ଜିଇଁ ରହିବା ପାଇଁ ଲଢ଼ୁଥିବେ, ଭାଗ୍ୟ ଭଗବାନଙ୍କ ଆଶା ଆଶ୍ୱାସନା କେବଳ ସମ୍ବଳ ହେଇରହିଥିବ ଏମାନଙ୍କ ପାଇଁ ।
ନିଜ ପାଖରେ ନିଜେ ନିରୁପାୟ ଅସହାୟ ବୀରମିତ୍ର । ଏମିତି ଗୋଟେ ପରିସ୍ଥିତିରେ ଲୋକଟାକୁ ଦୁଆରୁ ତଡ଼ି ଦେଇ ଅନ୍ତତଃ ତା’ ଚିନ୍ତାରୁ ମୁକ୍ତି ପାଇଯିବେ ସିନା ନିଜକୁ ବୁଝେଇ ପାରିବେତ ! ମନର ବିଚଳିତ ଭାବକୁ ଯଥା ସମ୍ଭବ ଚାପି ରଖିବାକୁ ଚେଷ୍ଟା କରି ମଧ୍ୟ ବିଫଳ ।
ବିରଜୁ ବୋଧହୁଏ ପଢ଼ିପାରୁଚି ତାଙ୍କ ମନୋଭାବକୁ । ତା’ର ଏତେ ସବୁ ପ୍ରମାଣ, ଏତେ ଆକୁଳ ମିନତି ବୋଧହୁଏ ଝୁଅ କାକଳିକୁ ନ୍ୟାୟ ଦେବା ପାଇଁ ଯଥେଷ୍ଟ ହେଉନାହିଁ । ନଇଲେ ଜଜ୍ ସାହେବ ଏମିତି ଚୁପ୍ କାହିଁକି? ରାତି ଅନ୍ଧାରରେ ସିଏ ବାହାରି ଆସିଲା । ପୁଣି ଫେରି ସାହେବଙ୍କ ସାମ୍ନାରେ ଠିଆ ହେବା ବେଳକୁ ହାତରେ ଗୋଟେ ଛୋଟ ଗଣ୍ଠିଲି ।
: ଏଇ ଦେଖନ୍ତୁ ଆଜ୍ଞା, ତା’ ମା’ ଏଗୁଡାକୁ ସବୁ ନିଆଁ ରେ ପୋଡ଼ିଦେବାକୁ ବସିଥିଲା । କହୁଚି ଏସବୁ ଆଉ କି କାମରେ ଲାଗିବ । ଝୁଅତ ଗଲା । ତା’ ଜୁଇନିଅାଁରେ ଏସବୁ ବି ପାଉଁଶ ହେଇଯାଉ । ମୁଁ ତା’ଠୁ ଏଇ କାଗଜଗୁଡା ଛଡେଇ ଆଣିଚି ।
କି କାଗଜ, କ’ଣ ସେଥିରେ ଅଛି ଜାଣିବାକୁ ଆଗ୍ରହ ନାହିଁ ବୀରମିତ୍ରଙ୍କର କେବଳ କରୁଣାରେ ଭରା ଆଖି ଚାହିଁରହିଚି ସେ ଆଡ଼େ ।
ଗଣ୍ଠିଲି ଖୋଲି ଲୋକଟା ଯେଉଁ ମୋଡ଼ାମକଚା କାଗଜ ଧରିଚି, ତାକୁ ମାନବିକତା ଦୃଷ୍ଟିକୋଣରୁ ହାତରେ ଧରିଲେ ବୀରମିତ୍ର । ସ୍କୁଲ ଏବଂ କେତେକ ଅନୁଷ୍ଠାନରୁ ପାଇଥିବା କୃତିତ୍ୱର ସାର୍ଟିଫିକେଟ । ଛୋଟ ଛୋଟ କପ୍ ସିଲ୍ଡ ।
ପ୍ରଶସ୍ତିପତ୍ରରେ ଲେଖା ଯାଇଚି କାକଳି ନାମ୍ନୀ ଝିଅର ବିଦ୍ୟାର ଧୂରୀଣତା, କଣ୍ଠର ଲାଳିତ୍ୟ, ଏମିତିକି ଶୃଙ୍ଖଳିତ ଆଚରଣକୁ ନେଇ ପ୍ରଶଂସା, ତା’ ଜୀବନକୁ କୁସୁମିତ କରିବାର ଆଶୀର୍ବାଦ, କାମନା । ନିମିଷକ ପାଇଁ ସିଏ ଭୁଲିଗଲେ ତାଙ୍କ ପଦମର୍ଯ୍ୟାଦା, ବ୍ୟକ୍ତିସତ୍ତା ବିଷୟରେ । ଅନୁଭବ ହେଲା ସେ ଜଜ୍ସାହେବ କି ଧର୍ମଦେବତା ନୁହନ୍ତି ବରଂ ରୂପାନ୍ତରିତ ହେଇଯାଉଛନ୍ତି କାତର ମୁଦ୍ରାରେ । ତାଙ୍କ ଆଗରେ ଠିଆ ହୋଇଥିଲା ବିରଜୁ । ଯୁକ୍ତି କରୁଚନ୍ତି ଏତେ ଗୁଡାଏ ପ୍ରମାଣ ପତ୍ର କ’ଣ ଭୁଲ? କାହିଁକି ଏସବୁକୁ ମିଛ ବୋଲି କୁହାଯିବ । ଜଣେ ମଣିଷକୁ ଚିହ୍ନେଇବାରେ ଏସବୁ କ’ଣ ଏତେ ଅକ୍ଷମ? କାହିଁକି? କାହିଁକି?
ତାଙ୍କର ମନହେଲା ଯେମିତି ନିଜେ ଜଣେ ନ୍ୟାୟରୁ ବଞ୍ଚିତ ଅନୁଗୃହୀତ ମଣିଷ । ଜଣେ ନିପୀଡିତା ଝିଅର ଅସହାୟ ବାପା । ଆହୁରି ଲାଗିଲା, ଏ ସମୁଦାୟ ନ୍ୟାୟ ପ୍ରକ୍ରିୟା ଭୁଲ୍, ଏମିତିକି ଏ ସଂସାରଟା ସ୍ୱେଚ୍ଛାଚାରୀମାନଙ୍କ ଅନୁଶାସନରେ ଚାଲିଚି । କୋଟ କଚେରି, ମୋଟା କୋଟ ତଳେ ଧର୍ମାବତାର ବୋଲାଉ ଥିବା ମଣିଷ ମଧ୍ୟ ଭୁଲ୍ । ତାଙ୍କୁ ଲାଗିଲା ତାଙ୍କ ମନର କଥାକୁ ସିଏ ଖୁବ୍ ବଡ଼ପାଟିରେ ଚିକ୍ରାର କରି କହୁଛନ୍ତି । ତାଙ୍କ ଶବ୍ଦଗୁଡା ପ୍ରତିଧ୍ୱନିତ ହେଉଚି ଚାରିଆଡେ । ଅଥଚ କେହି କିଛି ବି ଉତ୍ତର ଫେରାଉ ନାହାନ୍ତି ସମସ୍ତେ ନୀରବ, ନିଥର, ନିରୁତ୍ତର ।
ହାଃ… ହାଃ… ହାଃ ।
ରାତିର ନିରବତାକୁ ଭାଙ୍ଗି ହସର ଯେଉଁ ଉତ୍ତାଳ ଲହର ସୃଷ୍ଟି ହେଲା ନିଜେ ଚମକି ପଡ଼ିଲେ ବୀରମିତ୍ର । ନିଜ ଥରିଲା ନିଶ୍ୱାସ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କଲେ । ମନେ ପକାଇଲେ ସେ ହସର ଲହରକୁ । କେଉଁଠୁ ଆସିଲା ସେ ହସ । ହସଟା କୌଣସି ଉଦ୍ଧତ ଅଟହାସ୍ୟ ନୁହଁ । ବରଂ ମର୍ମାନ୍ତିକ, କରୁଣ, କିଏ ହସିଲା, କାହାର ଏ ହସ?
ଓଃ ।
ପ୍ରକୃତିସ୍ତ ହେଲେ ବୀରମିତ୍ର । ସଚେତନ ଭାବରେ ଲକ୍ଷ୍ୟ କଲେ ମୁଣ୍ଡପୋତି ଠିଆ ହୋଇଥିବା ବିରଜୁକୁ । ନା- ଏ ଲୋକଟା କେବେବି ସେମିତି ହସିନପାରେ । ନ୍ୟାୟ ମାଗିବାକୁ ଆସିଥିବା ଗୋଟେ ଅପାଠୁଆ, ନିର୍ବୁଦ୍ଧିଆ ସରଳ ମଣିଷ ପାଖରେ ଏ ହସ ଆସିବ କୁଆଡୁ? ତେବେ ଯାହାବି ହେଉ ଆଉ ଅଧିକ ସମୟ ଲୋକଟାକୁ ତାଙ୍କ ଆଗରେ ରହିବାକୁ ଦେବା ଉଚିତ୍ ହବ ନାହିଁ । ପାହାନ୍ତି ପ୍ରହରର ସୂଚନା ଦଉଚି ପ୍ରାଚୀ ଆକାଶ, ଆଉ ଟିକକ ପରେ ନୂଆ ସକାଳର ଆଲୁଅ ଆଶାର କିରଣ ବୁଣି ଜଗତକୁ ବିମୋହିତ କରିବ, ପକ୍ଷୀମାନେ ଉଡି ଉଡି ଜୀବନ ସଂଗୀତଗାନ କରିବେ । ରକ୍ଷା ଅଛି ଏଯାଏ ତାଙ୍କ ଦୁଆର ମୁହଁରେ ନ୍ୟାୟ ଆଶାୟୀ ଜଣେ ମଣିଷକୁ ଠିଆହେବା କେହି ଦେଖିନାହିଁ । ସିଏ ନ୍ୟାୟ ପକ୍ଷର ମଣିଷ । ଯାହା କହନ୍ତି ଯାହାବି କରନ୍ତି ନ୍ୟାୟ ହିଁ କରନ୍ତି, ଯାହାବି କରିଛନ୍ତି ଠିକ୍ କରିଛନ୍ତି । ତାଙ୍କର କି ଯାଏ ଆସେ ନ୍ୟାୟାଳୟ ବାହାରେ, କାହା ଜୀବନମରଣକୁ ନେଇ ଅସହାୟତା ପ୍ରକାଶ କରିବା ! ଏମିତିରେ ବିରଜୁ ପରି ମଣିଷମାନଙ୍କୁ ଭାଗ୍ୟ, ଭଗବାନ, କୋଷ୍ଠି, କପାଳ, ଜ୍ୟୋତିଷ କେତେଯେ ବହଲେଇଚି ତା’ର ଠିକଣା ନାହିଁ । ମିଛ ସ୍ୱପ୍ନ ମରୀଚିକାଟିଏ ହୋଇ କେତେ ଯେ ନ ଦଉଡାଇଚି । ଆଜି ସେମିତି ଆଉ ଗୋଟିଏ ଘଟଣା ଘଟିଲେ କ୍ଷତି କ’ଣ? ସକାଳ ହେବା ପୂର୍ବରୁ ଲୋକଟା ଏଠୁ ବିଦା ହେବା ନିହାତି ଆବଶ୍ୟକ ବୋଲି ବୀରମିତ୍ର ମନେ ମନେ ସ୍ଥିର କଲେ ।
ନିଜ କଣ୍ଠକୁ ଯଥାସମ୍ଭବ ଆଶ୍ୱାସନାମୟ କରିବାକୁ ଚେଷ୍ଟା କଲେ ବୀରମିତ୍ର । ସାମ୍ନାରେ ବିରଜୁ ସେମିତି ଆକୁଳ ନୟନରେ ତାଙ୍କୁ ଚାହିଁରହିଚି । ତାଙ୍କ ମୁହଁର ପଦେ କଥା ଯେମିତି ତା’ ଅଭାବୀ ଆତ୍ମାକୁ ଶାନ୍ତି ଦବ । ଜଣେ ଜଜ୍ ସାହେବଙ୍କ ଠାଣି, ଗମ୍ଭୀର ସ୍ୱରରେ କହିଲେ- ବୁଝିଲୁ ବିରଜୁ । ମୁଁ ତୋ ଝିଅର ସବୁ ପ୍ରମାଣପତ୍ର ଏବଂ ହାତପାପୁଲିର ରେଖା ପଢ଼ିବା ପରେ ହୃଦ୍ବୋଧ ହେଇଚି ଯେ ଏ କେସ୍ରେ ନ୍ୟାୟ ମାଗିବାରେ ତୋର ଆଦୌ ଭୁଲ ନାହିଁ ।
ବିରଜୁର ବିକଳ ମୁହଁ ଉପରୁ କେହି ଯେମିତି ମେଘଢଙ୍କା ଚାଦରଟା ହଟେଇ ଦେଲା । ସେ ନିଜ ଭିତରେ ଉତ୍ସାହିତ ପରି ବ୍ୟଗ୍ର ଦିଶିଲା ।
ବୀରମିତ୍ର ନିଜ ସ୍ୱଭାବ ସୁଲଭ ଢଙ୍ଗରେ କହିଚାଲୁଥିଲେ- ମୁଁ ଏଇ ସିଦ୍ଧାନ୍ତରେ ଉପନୀତ ହେଲି ଯେ, ତୋ ସ୍ତ୍ରୀର ଅଭିମାନ ମଧ୍ୟ ସ୍ୱାଭାବିକ୍ ଏବଂ ଆହୁରି ମଧ୍ୟ ତୁ ତୋ ଜାଗାରେ, ସ୍ତ୍ରୀ ତାଙ୍କ ଜାଗାରେ, ନ୍ୟାୟାଳୟ ମଧ୍ୟ ତାଙ୍କ ଜାଗାରେ ଠିକ୍ ଅଛନ୍ତି । କିନ୍ତୁ ମୁଁ ଏ କଥା ଜୋର ଦେଇ କହିବି ଯେ ତୋ ଝିଅକୁ ଗଢ଼ିଥିବା ଈଶ୍ୱର ଖୁବ୍ ସୁନ୍ଦର କରି ତିଆରି କରିସାରି କେଜାଣି କେମିତି ଭୁଲ୍କ୍ରମେ ଆଉ କାହାର ହାତ ତୋ’ ଝିଅଠି ଯୋଡ଼ି ଦେଇଛନ୍ତି । ତେଣୁ ତୁ ଏ ପାପୁଲି ପାପୁଲିର ରେଖା କଥା ସବୁ ଭୁଲିଯା । ଏ କଥା ତୋ ସ୍ତ୍ରୀକୁ ମଧ୍ୟ ବୁଝେଇଦେ ।
ବିରଜୁ କେବଳ ହାଁ ଟା କରି ଚାହିଁ ରହିଥିଲା ଜଜ୍ସାହେବଙ୍କ ମୁହଁକୁ । ସବୁ ବୁଝିବା ପରି ତା’ ମଥାଟି ସମ୍ମତି ମୁଦ୍ରାରେ ହଲୁଥିଲା ।