ମୁଁ ଗାଡ଼ି ପାଖକୁ ଫେରିଲି । ଅସିତ୍ ମତେ ଦେଖି କାନ୍ଦକାନ୍ଦ ହେଇଗଲା, ପଚାରିଲା, ମାର୍କସ୍ ? ସେ କୁଆଡ଼େ ଗଲା? ମୁଁ ତାକୁ କହିଲି, ଆମ ଦୁଇଜଣଙ୍କୁ ଛାଡ଼ିଦବା ପାଇଁ ନକ୍ସାଲାଇଟ୍ମାନେ ସଉଦା କରିବା ଭଳି ମାର୍କସ୍କୁ ଅପହରଣ କରି ନେଲେ । ଅସିତ୍ର ଆଖି ବିସ୍ଫାରିତ ହେଇଗଲା,- ମାନେ? ସେମାନେ ତାକୁ ମାରିଦେବେ ?
ଅସିତ୍ ମୋ ମୁହଁକୁ ଚାହିଁ ପଚାରିଲା, ଏ ଘୁଷୁରିକୁ ସାଙ୍ଗରେ ଆଣିବା କଅଣ ଜରୁରୀ ଥିଲା? କାହିଁକି ଆଣିଲୁ ଏଇଟାକୁ?
ମୁଁ ଗାଡ଼ି ଚଲାଉଥିଲି, ପଛକୁ ମୁହଁ ଫେରେଇ ଚାହିଁଲି, ମୋର କଲେଜ ବେଳର ସାଙ୍ଗ ମାର୍କସ୍ ପଛ ସିଟ୍ରେ ଗୋଡ଼ହାତ ମେଲେଇ ଆରାମରେ ବସି ଘୁଙ୍ଗୁଡ଼ି ମାରୁଥିଲା, ସବୁଦିନ ଭଳି ତା’ ଦେହରୁ ଶସ୍ତା ମଦର ଗନ୍ଧ ମାଡ଼ି ଆସୁଥିଲା ଗୋଟିଏ ଅବାରିତ ହାୱାର ସଙ୍କେତ ଭଳି । ତା’ ପ୍ରତି ମୋର ଦୟା ଆସିଲା, ମଦୁଆ ହଉ, ଅଳସୁଆ ହଉ, ସାଙ୍ଗ ସାଙ୍ଗ ତ, ତାକୁ କଅଣ ଛାଡ଼ି ହୁଏ ।
ମୁଁ ଅସିତ୍ ଆଡକୁ ଚାହିଁ ମୃଦୁ ହସିଲି ।
– ସାଙ୍ଗ ତ ସାଙ୍ଗ, ଏ କଥା ତୋ ଛଡ଼ା ଆଉ କିଏ ଅଧିକା ଜାଣେ?
ଅସିତ୍ର ମୁହଁ ଟିକେ ଆମ୍ବିଳା ହେଇଗଲା । ବିକଟାଳ ଦୃଷ୍ଟିରେ ମୋ’ ଆଡକୁ ଚାହିଁ କହିଲା,
– ହଉ, କେତେଥର ଏମିତି ଛୁଞ୍ଚି ଫୋଡୁଥିବୁ? ଦି ଲକ୍ଷ ଟଙ୍କା ତ? ଶୁଝିଦେବି ବହୁତ ଶୀଘ୍ର । ମୁଁ ଗାଡ଼ି ନ ଚଳାଉଥିଲେ ହୁଏତ ହସି ହସି ଗଡ଼ିଯାଇଥା’ନ୍ତି । ଦୁଇବର୍ଷ ତଳେ ଅସିତ୍ ମୋ ପାଖରୁ ପନ୍ଦର ଦିନ ପାଇଁ ଦୁଇ ଲକ୍ଷ ଟଙ୍କା ଧାର ନେଇଥିଲା, ଦୁଇବର୍ଷ ଟପିଗଲାଣି । ଗୋଟିଏ ଟଙ୍କା ଫେରେଇବାର ନାଁ ଧରୁନି ।
ମୁହଁଟାକୁ କଇଁଥା ବାଇଗଣ ଭଳି ଫୁଲେଇ ସେ ସାମ୍ନାକୁ ଚାହିଁ ବସିରହିଲା । ଗତ ତିନିବର୍ଷର ବନ୍ଧୁତ୍ୱ ଆମର । ମୁଁ ଯେତେବେଳେ ନୟାଗଡ଼କୁ ଜିଲ୍ଲା ଅବକାରୀ ଅଫିସର ହେଇ ବଦଳି ହେଲି, ନୂଆ ଜାଗାରେ ସାଙ୍ଗ ଖୋଜୁଥାଏ । ସେବେଠୁ ଅସିତ୍ ମୋ’ର ସାଙ୍ଗ । ମୁଁ ଟିକେ ସୌଖିନ୍ ଲୋକ, ପୁରୁଣା ଗୀତର ଭକ୍ତ, ସନ୍ଧ୍ୟାବେଳେ ଦୁଇ ପେଗ୍ ହୁଇସ୍କି ସାଙ୍ଗରେ କଲ୍ୟାଣୀଙ୍କ ହାତ ତିଆରି ଚିକେନ୍ ଟିକ୍କା ଆଉ ଚିଙ୍ଗୁଡ଼ି ଚପ୍ର ସ୍ୱାଦରେ ମନକୁ ମନ ପୁରୁଣା ଗୀତ ସବୁ ସମୁଦ୍ରର ଢେଉ ଭଳିଆ କୂଳରେ ପିଟି ହୁଅନ୍ତି । ଅଧିକାଂଶ ଦିନ ନୟାଗଡ଼ କଲେଜର ଅଧ୍ୟାପକ ଅସିତ୍ ବି ଆସରରେ ବସିଲେ ଆହୁରି ଜମିଯାଏ ସନ୍ଧ୍ୟାଟା । ସିଏ ମୋ’ଠୁ ବି ଆହୁରି ପାଗଳ ପୁରୁଣା ଗୀତ ପାଇଁ- ମୁଁ ନୌଶାଦ୍, ମହମ୍ମଦ ରଫିରୁ ଓ ଦୁନିଆକେ ରଖୱାଲେ ଆରମ୍ଭ କଲେ ସେ ଚାଲିଯାଏ ସାଇଗଲ୍, ପଙ୍କଜ ମଲ୍ଲିକ ଆଡକୁ- ମୈ କ୍ୟା ଜାନୁ, କ୍ୟା, ଯାଦୁ ହୈରୁ ଜବ ଦିଲ୍ହି ଟୁଟ୍ ଗୟା ପର୍ଯ୍ୟନ୍ତ । ତା’ ସ୍ୱରଟା ବି ଭାରି ଦରଦୀ- ଦିନେ ଦିନେ ହୁଇସ୍କି ଚାରି ପେଗ୍ ପଡ଼ିଗଲେ ମୁକେଶର ଗୀତ ଗୋଟାକ ପରେ ଗୋଟାଏ କୁଆପଥର ଭଳି ଅଜାଡ଼ି ହେଇପଡ଼ନ୍ତି- ଦିଲ୍ ଜଲ୍ତା ହୈ ତୋ ଜଲ୍ନେ ଦେ ଠୁଁ ଆରମ୍ଭ କରି ଝୁମ୍ତି ଚଲି ହାୱା ପର୍ଯ୍ୟନ୍ତ ।
ଆଉ ମାର୍କସ୍? ମାର୍କସ୍ର କଥା ନିଆରା । ମୋର ରେଭେନ୍ସା ବେଳର ସାଙ୍ଗ ସିଏ । କଲେଜ ବାହାରେ ରହୁଥିଲେ ବି ତା’ର ଅଧିକାଂଶ ସମୟ ଆମ ହଷ୍ଟେଲ୍ରେ କଟୁଥିଲା- ଭୟଙ୍କର ଆଦର୍ଶବାଦୀ ପିଲାଟିଏ ଥିଲା, ଆଉ ପୂରା ନିର୍ମାୟା ବି- କଥା କଥାରେ ଶୋଷଣ, ନିଷ୍ପେଷଣ, ଶ୍ରମିକ, ଇନ୍କିଲାବ, ବିପ୍ଳବ ଭଳି ନିଅାଁଗିଳା କଥାରେ ସମସ୍ତଙ୍କୁ ଚକିତ କରି ଦେଉଥିଲା । କଲେଜ ରେଜିଷ୍ଟର୍ରେ ତା’ର ନାଁ କଅଣ ଥିଲା ଆମେ କାଳ କ୍ରମେ ଭୁଲିଯାଇଥିଲୁ । ଥରେ କିଏ ଗୋଟାଏ ବାଳୁଙ୍ଗା ସାଙ୍ଗ ପାଟି କରି କହିଲା, ଆବେ ଏଇଟା ତ ପୂରା କାର୍ଲ ମାର୍କସ୍! ସେଇଦିନଠୁ ଆମ ସାଙ୍ଗର ନାଁ ମାର୍କସ୍ ହେଇଗଲା, ଏମିତିକି ତା’ର ପ୍ରକୃତ ନାଁ ବି ଆମେ ଭୁଲିଗଲୁ । ସେ ବି କୋଉଠୁ ଗୋଟାଏ ଧୂସର ରଙ୍ଗର କୋଟ୍, ଟୋପି ଓ ଜୋତା ଆଣି ପିନ୍ଧି ପକେଇଲା, ବିପ୍ଳବ ଓ ବୁର୍ଜୁଆ- ପ୍ରୋଲିଟାରିଆଟ୍ ବିଷୟରେ ବେଶୀ ଭାଷଣ ଦେଲା- ସବୁଠୁ ମଜା କଥା ହେଲା, କୋଉ ନୂଆ ପିଲାକୁ ଦେଖିଲେ ସେ ହାତ ବଢ଼େଇ ହ୍ୟାଣ୍ଡସେକ୍ କରିବା ଠାଣିରେ ନିଜର ପରିଚୟ- ଦଉଥିଲା ମାର୍କସ୍ । କାର୍ଲ ମାର୍କସ୍- ସତେ ବଣ୍ଡ୍, ଜେମ୍ସ୍ ବଣ୍ଡ୍ ।
ବି.ଏ. ପରେ ମୁଁ ଭୁବନେଶ୍ୱର ଆସିଲି ଏମ୍.ଏ. ପଢ଼ିବା ପାଇଁ, ବାକି ସାଙ୍ଗ ବି କିଏ କୁଆଡ଼େ ଗଲେ । ଇତିହାସ ଅନର୍ସରେ ସେକେଣ୍ଡ ଡିଭିଜନ ପାଇ ମାର୍କସ୍ ହୁଏତ ଏମ୍.ଏ. ପଢ଼ି ପାରିଥା’ନ୍ତା କିନ୍ତୁ କେମିତି କେଜାଣି କୁଆଡ଼େ ଉଭାନ୍ ହେଇଗଲା । ମୁଁ ଏମ୍.ଏ. ସରିବା ପରେ ବିଭିନ୍ନ ଚାକିରି ପାଇଁ ଚେଷ୍ଟା କରି ଶେଷରେ ଏକ୍ସସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ହେଲି, କୋଡିଏ ବର୍ଷ ପରେ ନୟାଗଡ଼ରେ ପୋଷ୍ଟିଂ, ଯେତେବେଳେ ନୟାଗଡ଼ ନୂଆ ଜିଲ୍ଲାର ରୂପ ନେଲା । ଚାକିରି ଆରମ୍ଭରେ କଲ୍ୟାଣୀଙ୍କ ସହିତ ବାହାଘର, ବର୍ଷକ ପରେ ପୁଅଟିଏ, ଏବେ ସେ ଭୁବନେଶ୍ୱରରେ ଇଞ୍ଜିନିୟରିଂ ପଢ଼ୁଛି ।
ଦୁଇମାସ ତଳେ ମାର୍କସ୍ ସହ ଅକସ୍ମାତ ଦେଖା, ସେ ବି ନାଟକୀୟ ପରିସ୍ଥିତିରେ । ସବୁଦିନ ସକାଳୁ ନିଜ ସରକାରୀ କ୍ୱାର୍ଟର୍ସରୁ ବାହାରି ମୁଁ ଚାଲି ଚାଲି ଯାଏ ଦଶପଲ୍ଲା ରାସ୍ତାରେ ମୋର ମର୍ଣ୍ଣିଂ ୱାକ୍ ପାଇଁ । ହଠାତ୍ ଦିନେ ଗୋଟିଏ ଅକ୍ଟୋବର ସକାଳରେ ଦେଖିଲି ନର୍ଦ୍ଦମାର ସିମେଣ୍ଟ ଘୋଡ଼ଣି ଉପରେ ଲୋକଟାଏ ଚାରିକାତ ମେଲେଇ ପଡ଼ିଛି । ପାହାଡ଼ିଆ ଗଡ଼ଜାତ ଅଞ୍ଚଳରେ ଲୋକମାନେ ମଦ ପିଇ ରାସ୍ତାକଡ଼ରେ ପଡ଼ିଥିବା କିଛି ବିଚିତ୍ର ନୁହେଁ, ତଥାପି ପାଦ ମୋର ଅଟକି ଗଲା । ଇଏ ତ ସ୍ଥାନୀୟ ଲୋକ ଭଳି ଜଣାପଡୁନି, କିଏ ଏ? ଦେହରେ ଧୂସର ରଙ୍ଗର କୋଟ୍, ମୁଣ୍ଡରେ ଟୋପି, ଗୋଡ଼ରେ ଜୋତା । ମୁଁ ଟିକେ ନିରେଖି ଚାହିଁଲି । ହଠାତ୍ ମୋର ଛାତିର ସ୍ପନ୍ଦନ ବଢ଼ିଗଲା । ଦାଢ଼ି ଘେରା ମୁହଁରୁ ମୁଁ ଅନୁମାନ କଲି ହୁଏତ ଇଏ ମାର୍କସ୍ । ମାର୍କସ୍! ଏତେ ବର୍ଷ ପରେ? ହଠାତ୍, ସେ ପୁଣି ରାସ୍ତାକଡ଼ ନର୍ଦ୍ଦମା ଉପରେ?
ମୋର ଯାହା ବି ଟିକେ ସନେ୍ଦହ ଥା’ନ୍ତା ତା’ର କୋଟ୍ ଦେଖି ଜାଣିଲି ଇଏ ମାର୍କସ୍ ଛଡ଼ା ଆଉ କେହି ନୁହେଁ ।
ପାଖକୁ ଯାଇ ଧୀର ସ୍ୱରରେ ଡାକିଲି, ମାର୍କସ୍ । ଦେହରୁ ତା’ର ଉକ୍ରଟ ମଦଗନ୍ଧ ବାହାରୁଥାଏ । ସେ ସେମିତି ପଥର ଭଳି ପଡ଼ିରହିଲା । ଆଉ ଟିକେ ତା’ ମୁହଁ ପାଖକୁ ଯାଇ ମୁଁ ପୁଣି କହିଲି, ମାର୍କସ୍ । ସେ ଟିକେ ହଲଚଲ ହେଲା, ପୁଣି ଶୋଇଗଲା । ମୁଁ ଯାଇ ପାଖ ନଳରୁ ମୋ ପାଣି ବୋତଲରେ ପାଣି ଆଣି ତା’ ମୁହଁରେ ଛାଟିଲି, ତଥାପି ସେ ନ ଉଠିବାରୁ ପୂରା ବୋତଲେ ପାଣି ତା’ ମୁହଁରେ ଢାଳି ଦେଲି । ସେ ଆଖି ଖୋଲିଲା, ବିଚଳିତ ଭାବରେ ଚାରି ଆଡ଼କୁ ଚାହିଁଲା, ହଠାତ୍ ବୋଧହୁଏ ବୁଝିପାରିଲାନି କୋଉଠି ଅଛି, ତା’ ପରେ ମୋ’ ମୁହଁକୁ ଜୁଳୁଜୁଳୁ କରି ଚାହିଁଲା, ମୁଁ ଏଥର ଟିକେ ଦୃଢ଼ ସ୍ୱରରେ କହଲି, ମାର୍କସ୍? ତୁ ମାର୍କସ୍ଟି? ସେ ତୀକ୍ଷ୍ଣ ଦୃଷ୍ଟିରେ ମତେ ଚାହିଁଲା, ମନେ ପକେଇବାକୁ ଚେଷ୍ଟା କଲା ମୁଁ କିଏ । ଛୋଟ ହସଟିଏ ତା’ ମୁହଁରେ ଖେଳିଗଲା, ‘ଅନୁପମ୍! ତୁ ଏଠି!’
ମୁଁ ହାତଧରି ତାକୁ ଉଠେଇଲି । ଯଦିଓ ଗତ ଚବିଶ ବର୍ଷରେ ତା’ର ମୁହଁ ବହୁତ ବଦଳିଯାଇଥିଲା, ତା’ର ଚକ୍ଚକ୍ ଆଖି ଆଉ ଧୂସର କୋଟ୍ ତଳେ ଲୁଚିଥିବା କାଉଁରୀ କାଠି ପରି ପତଳା ଦେହକୁ ଦେଖିଲେ ସ୍ପଷ୍ଟ ଜାଣି ହେଉଥିଲା, ଇଏ ମୋର କଲେଜ ବେଳର ବନ୍ଧୁ ମାର୍କସ୍ ବୋଲି । ଏତେ ବର୍ଷ ପରେ ତାକୁ ଦେଖି ମୋ ମନରେ ଖୁସିର ଜୁଆର ଉଠିଥିଲା, ଅନେକ ପ୍ରଶ୍ନ ଉଙ୍କି ମାରୁଥିଲେ, ମୁଁ କହିଲି,
– ଆ ମୋ’ ସାଙ୍ଗରେ ମୋ’ ଘରକୁ, ଏବେବି ନଅଙ୍କିଆଟିଏ ଭଳିଆ ଦିଶୁଛୁ । ଆଗେ ପେଟପୂରା ଖାଇବାକୁ ଦିଏ ତତେ ।
ମାର୍କସ୍ ହସିଲା,
– ମୁଁ ତ ସବୁବେଳେ ସେମିତି ଥିଲି, କିନ୍ତୁ ତୋ’ ଘର? ତୁ ନୟାଗଡ଼ରେ କାହିଁକି ଘର ତୋଳିଛୁ? ମୋ’ର ଯାହା ମନେପଡୁଛି ତୁ ତ ବଡ଼ମ୍ବାର ଲୋକ ।
– ଆରେ, ମୋ’ର ସରକାରୀ କ୍ୱାର୍ଟର୍ସ । ମୁଁ ଏଠି ଜିଲ୍ଲା ଏକ୍ସାଇଜ୍ ଅଫିସର୍ ।
– ଏକ୍ସାଇଜ୍? ମାନେ ସବୁ ମଦଭାଟିର ମାଲିକ? ସେଇଥିପାଇଁ ମଦ ଶୁଙ୍ଘି ମୋ ପାଖକୁ ଚାଲିଆସିଲୁ । ଭଲ ହେଲା, କିନ୍ତୁ ମତେ ଘରକୁ ଡାକୁଛୁ ଯେ ମୋ ଭଳିଆ ଗୋଟାଏ ବାତରା ଲୋକକୁ ଘରକୁ ନେଲେ ତୋ’ ସ୍ତ୍ରୀ ଆଉ ପିଲାମାନେ କଅଣ କହିବେ?
ମୁଁ ହସିଲି,
– କେହି କିଛି କହିବେ ନାହିଁ – ଆମର ଗୋଟିଏ ବୋଲି ପୁଅ, ଭୁବନେଶ୍ୱରରେ ହଷ୍ଟେଲ୍ରେ ରହି ଇଞ୍ଜିନିୟରିଂ ପଢ଼ୁଛି । ଆଉ ମୋ’ ସ୍ତ୍ରୀ କଲ୍ୟାଣୀ ବହୁତ ଭଲ ଲୋକ । ମୋର ସାଙ୍ଗ ତାଙ୍କର ବି ସାଙ୍ଗ । ସେ ତତେ ଦେଖିଲେ ଖୁସି ହେବେ । କେତେବେଳେ କଲେଜ କଥା ଗପିଲା ବେଳେ ମୁଁ ତୋ କଥା ତାଙ୍କୁ କହିଥିବି । ତୁ ଏତେ ବର୍ଷ କୋଉଠି ହଜିଗଲୁ? ବି.ଏ. ପରେ କୁଆଡ଼େ ଚାଲିଗଲୁ ଯେ ଆମେ କେହି ତୋର ଖୋଜଖବର ପାଇଲୁନି- କଅଣ କରୁଥିଲୁ ତୁ?
ହସିଲା ମାର୍କସ୍- ରହସ୍ୟମୟ ହସ ।
– କେତେଆଡ଼େ ବୁଲିଛି ମୁଁ ! ଆଉ କି କି କାମ ନ କରିଛି, ଘାସ କାଟିବାଠୁଁ ଆରମ୍ଭ କରି ମାଟି ଖୋଳିବା ପର୍ଯ୍ୟନ୍ତ । ମଝିରେ ଦୁଇଟା ଗାଁ ସ୍କୁଲରେ ଛୋଟଛୋଟ ପିଲାଙ୍କୁ ବି ପାଠ ପଢ଼ାଉଥିଲି ।
– ଛାଡ଼ିଦେଲୁ କାହିଁକି?
– ଅସ୍ଥିର ମନ, କୋଉଠି ସ୍ଥିର ହେଇ ରହିବା ଅସମ୍ଭବ । ଆଉ କେତେ ବାଟ ତୋ ଘର? ହେ, ଅନୁପମ, ବୁଲିବୁଲି ଥକି ଗଲିଣି, ତୋ’ ଘରେ କୋଉଠି ଗୋଟାଏ କଣରେ ଛୋଟିଆ ରୁମ୍ଟିଏ ଅଛି? ମାସେ ଖଣ୍ଡେ କୋଉଠି ରହି ବିଶ୍ରାମ ନବାକୁ ଇଚ୍ଛା । ରଖିବୁ ମତେ ମାସଟିଏ? ଅବଶ୍ୟ ଯୋଉଦିନ ତତେ ଅଡୁଆ ଲାଗିବ ମତେ କହିଦବୁ, ମୁଁ ପଳେଇବି ।
ମୁଁ ହସି ହସି କହିଲି-
– ଏମିତି କଅଣ ପରମିସନ୍ ମାଗୁଛୁ? ସାଙ୍ଗ ତ ସାଙ୍ଗ । ତତେ କଅଣ ମୁଁ ମନା କରିବି? ତୋର ଯେତେଦିନ ଇଚ୍ଛା ରହ । ଭଲ, ଆମକୁ ବି ଗପିବା ପାଇଁ ସାଙ୍ଗ ମିଳିଯିବ ।
ଏମିତି ଦେଖୁଦେଖୁ ମାର୍କସ୍ ମୋ ଘରେ ଦୁଇମାସ ପାଖାପାଖି ରହିଗଲା । ଦୁନିଆର ସବୁଠୁ ଶାନ୍ତ, ସୁଧାର ଗୃହ ଅତିଥି କିଏ ପଚାରିଲେ ମୁଁ ନିର୍ବିବାଦରେ କହିବି ମାର୍କସ୍ । ସକାଳୁ ଉଠି ବ୍ରେକ୍ଫାଷ୍ଟ ଖାଇ କୁଆଡ଼େ ବାହାରି ଯାଏ ଯେ ଫେରେ ଅଧରାତି ପରେ । ମୋ ଅଫିସ୍ କ୍ୱାର୍ଟର୍ସର ବାହାରେ ଗୋଟିଏ ଛୋଟ ରୁମ୍ଟିଏ ଅଛି, କ୍ୟାମ୍ପ ଅଫିସ୍ ପାଇଁ । ସେହି ରୁମ୍ରେ ସେ କେତେବେଳେ ଶୁଏ, କେତେବେଳେ ଉଠେ ଆମେ ଜାଣୁନାହିଁ- ତା’ର ବି ଗୋଟାଏ କାରଣ ଅଛି, ପ୍ରଥମଦିନ ଯେତେବେଳେ ସେ ମୋ’ ସାଙ୍ଗରେ, କଲ୍ୟାଣୀଙ୍କ ସାଙ୍ଗରେ ବସି ଜଳଖିଆ ଖାଉଥିଲା, ଖାଇସାରିଲା ପରେ ହଠାତ୍ ତା’ ପାଟିରୁ ନକଲି ଦାନ୍ତ ଗୋଟାଏ ସେଟ୍ ବାହାର କରି ଟେବୁଲ୍ ଉପରେ ରଖିଦେଲା । କଲ୍ୟାଣୀଙ୍କୁ ଏତେ ଅସନା ଲାଗିଲା ଯେ ସେ ଉଠିପଡ଼ି ବାଥ୍ରୁମ୍ରେ ଯାଇ ବାନ୍ତି କରିପକେଇଲେ । ସେଇ ଦିନଠୁ ସେ କେବେ ଆମ ସାଙ୍ଗରେ ଜଳଖିଆ ଖାଇବାକୁ ବସିନାହାନ୍ତି । ମତେ ତାଗିଦ୍ କଲେ ଖାଇବା ବେଳେ ତାଙ୍କୁ ଡାକିବି ନାହିଁ । ରାତିରେ ମାର୍କସ୍ର ଖାଇବା ଗୋଟିଏ ଟିଫିନ୍ କ୍ୟାରିଅର୍ରେ ତା’ ରୁମ୍ ବାହାରେ ରଖିଦିଆଯାଉଥିଲା । ମାର୍କସ୍ କେବେ ବି ଏଥିପାଇଁ ଖରାପ ଭାବିନି କି ଅଭିଯୋଗ କରିନି ।
ସବୁଦିନ ସକାଳୁ ମାର୍କସ୍ ଜଳଖିଆ ଖାଇସାରି କୁଆଡ଼େ ବାହାରିଯାଏ, କହେ ସ୍ଥାନୀୟ ଗସ୍ତରେ ଯାଉଛି, ଆଖପାଖର ଗାଁ ଗଣ୍ଡାରେ ବୁଲେ, ମତେ କେତେସବୁ ଖବର ଦିଏ କୋଉଠି ଚୋରା ମଦ ତିଆରି ହଉଛି, କୋଉଠି ଏ ବର୍ଷ ଫସଲ ଖରାପ ହବାର ସମ୍ଭାବନା ଅଛି, କୋଉଠି କୃଷି ଶ୍ରମିକମାନଙ୍କୁ କମ୍ ମଜୁରି ମିଳୁଛି, ମହିଳା ଶ୍ରମିକମାନେ ବିନା ଚପଲରେ କ୍ଷେତରେ କାମ କରୁଛନ୍ତି, ଏମିତି କେତେ କଥା । କେତେ ଥର ମୁଁ ଦେଖିଥିଲି ସେ ବସ୍ରେ ବସି ଆଉ କୋଉ ସହରକୁ ଯାଉଛି । ସବୁଦିନ ସକାଳେ କିନ୍ତୁ ଜଳଖିଆ ଖାଇବା ବେଳେ ଆମେ ବହୁତ ଗପୁ, କଲେଜ ବେଳର କଥା, ସାଙ୍ଗମାନଙ୍କ କଥା, ଅବଶ୍ୟ ବହୁତ କମ୍ ସାଙ୍ଗଙ୍କ ଖବର ମୋ’ ପାଖରେ ଥିଲା । ମାର୍କସ୍ ବି ବହୁତ ସାଙ୍ଗଙ୍କୁ ଭୁଲିଯାଇଥିଲା ।
ଆଜି ଯେତେବେଳେ ଅସିତ୍ କହିଲା, ଏ ଘୁଷୁରିଟାକୁ କାହିିଁ ସାଙ୍ଗରେ ଆଣିଲୁ, ମତେ ହସ ଲାଗିଲା, ମାର୍କସ୍କୁ କଅଣ କିଏ କିଛି ମନା କରିପାରେ? ସାଙ୍ଗ ତ ସାଙ୍ଗ ନା । ସେ ନିଜେ କହିଲା, ସୋନପୁର ଯାଉଛୁ? ଚାଲ୍ ମୁଁ ବି ଟିକେ ବୁଲିଆସିବି, ନୂଆ ଜିଲ୍ଲା ହେଲା ପରେ ମୁଁ ସେ ସହରକୁ ଯାଇନି । ମୋର ଏଇଟା ସରକାରୀ ଗସ୍ତ ଥିଲା, ରାଜ୍ୟର ଏକ୍ସାଇଜ୍ କମିଶନର ମିଟିଂ ରଖିଥିଲେ ସେଠି । ମୋ ଭଳି ଦଶଜଣ ଜିଲ୍ଲା ଏକ୍ସାଇଜ୍ ଅଫିସର୍ ଆସିବେ । ଅସିତ୍କୁ ଯେତେବେଳେ ଡାକିଲି ସାଙ୍ଗରେ ଯିବା ପାଇଁ ସେ ସାଙ୍ଗେ ସାଙ୍ଗେ ରାଜି ହେଇଗଲା । ମୋ ନିଜ ଗାଡ଼ି, ମୁଁ ଚଲେଇବି, ଅସିତ୍ ଜଙ୍ଗଲର ଶାନ୍ତ ବାତାବରଣରେ ଗୀତ ଶୁଣେଇଶୁଣେଇ ଯିବ । ୟାଠୁ ବଳି ଆନନ୍ଦ ଆଉ କଅଣ ଅଛି?
ଆଉ ମାର୍କସ୍? ସିଏ ତ କାର୍ର ପଛସିଟ୍ରେ ଶୋଇଶୋଇ ଯିବ, ଆମେ ଗୀତ ଗାଇଲେ କେତେ, ଗାଡ଼ିରୁ ଓହ୍ଲେଇ ନାଚିଲେ କେତେ, ବି ଫରକ୍ ପଡ଼ିବ ତାକୁ? ଅସିତ୍ ଯେତେବେଳେ ପୁଣି କହିଲା ଏଇଟା ଆସିଲେ ଅଯଥା ରସଭଙ୍ଗ ହବ, ମୁଁ ତାକୁ ଚାହିଁ ଆଉଥରେ ହସିଲି,
– ତା’ ଛଡ଼ା ଭାବିଲୁ, ତାକୁ ଆମ ଘରେ ଦୁଇଦିନ ପାଇଁ ଛାଡ଼ି ଆସିଥିଲେ, କଲ୍ୟାଣୀର କି ଅବସ୍ଥା ହେଇଥା’ନ୍ତା- ଏଇଟା ତ ବିଶୁଦ୍ଧ ମାତାଲ୍ଟିଏ- ଡରିଡରି କଲ୍ୟାଣୀର ପ୍ରାଣ ଯାଇଥାନ୍ତା ।
ଅସିତ୍ ଟିକେ ବାହାରକୁ ଚାହିଁଲା,
– ସତ କଥା, କଲ୍ୟାଣୀ ଭଳି ଜଣେ ସରଳ, କୋମଳ ନାରୀ ପାଖରେ ଏ ଘୁଷୁରିକୁ ଛାଡ଼ିବା ମାନେ ବିଉଟି ପାଖରେ ବିଷ୍ଟ୍କୁ ରଖିବା ସାଙ୍ଗରେ ସମାନ ।
ଯଦିଓ ମାର୍କସ୍ ଦୁଇ ମାସ କାଳ ମୋ’ ଘରେ ଥିଲା, ଅସିତ୍ ସାଙ୍ଗରେ ତା’ର କେବେ ଦେଖା ହେଇନଥିଲା, ଉଭୟ ମୋଠୁ ପରସ୍ପର ବିଷୟରେ ଶୁଣିଥିଲେ କିନ୍ତୁ କେବେ ଭେଟ ହୋଇନଥିଲେ । ଆଜି ଯେତେବେଳେ ନୟାଗଡ଼ରୁ ଆମେ ସାଙ୍ଗ ହେଇ ବାହାରିଲୁ, ସେମାନେ ପ୍ରଥମଥର ପାଇଁ ପରସ୍ପରକୁ ଭେଟିଲେ । ମାର୍କସ୍ ତା’ର ଚିରାଚରିତ ଭଙ୍ଗୀରେ ହାତ ବଢ଼େଇ କହିଲା, ଆଇ ଆମ୍ ମାର୍କସ୍ । ଅସିତ୍ ନ ଦେଖିଲା ଭଳି ମୁଣ୍ଡ ଟୁଙ୍ଗାରିଲା ଏବଂ କାର୍ର ସାମ୍ନା ସିଟ୍ରେ ବସିଗଲା । ମାର୍କସ୍ ଗୋଟିଏ ମୁହୂର୍ତ୍ତ ପାଇଁ ଟିକେ ଆଶ୍ଚର୍ଯ୍ୟ ହେଲା, ତା’ପରେ ପଛ ସିଟ୍ରେ ଗୋଡ଼ ହାତ ଲମ୍ବେଇ ଶୋଇଲା ଭଳି ପଡ଼ିରହିଲା ।
ଅଳ୍ପ ସମୟ ଭିତରେ ଅସିତ୍ର ମୁଡ୍ ଠିକ୍ ହେଇଗଲା, ଆରମ୍ଭ କଲା ଗୋଟାକ ପରେ ଗୋଟାଏ ପୁରୁଣା ଗୀତ ସବୁ, ରାହ ବନି ଖୁଦ୍ ମଞ୍ଜିଲ୍, ପିଛେ ରେହ ଗୟି ମୁସ୍କିଲ୍, ସାଥ୍ ଯୋ ଆଏ ତୁମ୍… ଜଙ୍ଗଲ ଧୀରେଧୀରେ ଘଞ୍ଚ ହେଇଆସୁଥିଲା, ଉପରର ଗଛର ଆଢ଼ୁଆଳରୁ ସୂର୍ଯ୍ୟଙ୍କୁ ଦେଖିବା ମୁସ୍କିଲ୍ ହେଇପଡ଼ୁଥିଲା । ପ୍ରାୟ ଘଣ୍ଟାଏ ଖଣ୍ଡେ ଅସିତ୍ର ଗୀତ ଶୁଣିଶୁଣି ମୁଁ ଗାଡ଼ି ଚଲାଉଥିଲି, ମଝିରେ ମଝିରେ ମୁଁ ବି ଗୋଟେ ଦୁଇଟା ଗୀତ ଛାଡ଼ି ଦଉଥିଲି । ମୋର ପ୍ରିୟ ଗୀତମାନଙ୍କ ଭିତରୁ ଜଲ୍ତେ ହୈଁ ଜିସ୍କେ ଲିଏ, ହେ ଫଗୁଣ ତୁମେ ଗଲା ପରେ ପରେ, ସ୍ମୃତି ତୁମେ ପାଉଁଶ ତଳର ନିଅାଁ, ଏମିତି ସବୁ । ବହୁତ ସମୟ ହେଲା ଆଉ ଗୋଟିଏ ବି ଗାଡ଼ି ଆମେ ଦେଖିନଥିଲୁ । ରାସ୍ତା ପୂରା ଶୂନ୍ଶାନ୍ ଥିଲା ।
ହଠାତ୍ ମୁଁ ଗାଡ଼ିରେ ଜୋର୍ରେ ବ୍ରେକ୍ ମାରିଲି । ସାମ୍ନାରେ କେତୋଟି ଗଛର ଗଣ୍ଡି ପଡ଼ି ରାସ୍ତା ବନ୍ଦ କରିଦିଆଯାଇଥିଲା । କାର୍ ଅଟକିବା କ୍ଷଣି ଆଖି ପିଛୁଳାକେ ଗଛ ଆଢ଼ୁଆଳରୁ ଚାରିଟି ଲୋକ ହାତରେ ବନ୍ଧୁକ ଧରି ଆମ ଗାଡ଼ି ପାଖକୁ ଆସିଲେ, ଜଣେ ଖୋଲା ଦୁଆର ବାଟେ ବନ୍ଧୁକକୁ ଅସିତ୍ର ଛାତି ପାଖରେ ଲଗେଇ ଦେଲା, ଆଉ ଜଣେ ମୋ ପାଖକୁ ଆସି କବାଟ ଖୋଲିବାକୁ ଚେଷ୍ଟା କରୁଥିଲା, ବନ୍ଧୁକଟି କିନ୍ତୁ ମୋ’ ଆଡକୁ ଲକ୍ଷ୍ୟ କରି ରଖିଥାଏ । ଆଉ ଦୁଇଜଣ କାର୍ର ପଛ ଦରଜା ପାଖରେ ଠିଆ ହୋଇ ଦେଖୁଥିଲେ । ମାର୍କସ୍ ଯଦି କିଛି କାରସାଦି କରିଥା’ନ୍ତା, ତାକୁ ଗୁଳିରେ ଉଡେଇ ଦେଇଥା’ନ୍ତେ ।
ଅସିତ୍ ପ୍ରଥମରୁ ହିଁ ହାଉଳି ଖାଇ ଚିକ୍ରାର କରିବା ଆରମ୍ଭ କରିଦେଇଥିଲା, ହଠାତ୍ ଛୋଟ ପିଲାଙ୍କ ଭଳି କାନ୍ଦିବା ଆରମ୍ଭ କଲା, ମୁଁ ଜାଣିଥିଲି ବନ୍ଧୁକଧାରୀ ଲୋକମାନେ କିଏ, ଗତ ବର୍ଷେ ଖଣ୍ଡେ ହବ ଏ ଜଙ୍ଗଲ ନକ୍ସଲାଇଟ୍ମାନଙ୍କର କବ୍ଜାକୁ ଆସିସାରିଥିଲା, ସାଧାରଣତଃ ଦିନବେଳା ଗାଡ଼ିକୁ ସେମାନେ ଅଟକୋଉ ନଥିଲେ । ଆଜି ୟାର ବ୍ୟତିକ୍ରମ ହେଲା । ଅସିତ୍ ମୋ ଆଡକୁ ବିକଳ ହେଇ ଚାହିଁ ରହିଲା, ମୁଁ ଟିକେ ମୁଣ୍ଡ ହଲେଇଲି, ଆମର ଯେ କିଛି କରିବାର ଉପାୟ ନାହିଁ ସେଥିରେ ମୋର ସନେ୍ଦହ ନଥିଲା । ହୁଏତ ଏମାନେ ଆମକୁ ହତ୍ୟା କରି ମୋ’ ଗାଡ଼ିଟିକୁ ନେଇଯିବେ, ବା ଆମକୁ ଅପହରଣ କରି ସରକାରଙ୍କଠୁଁ ମୋଟା ପଇସା ଆଦାୟ କରିବେ ।
ଅସିତ୍ର ବିକଟାଳ ଚିକ୍ରାର ଓ କାନ୍ଦିବାର ଶବ୍ଦରେ ମାର୍କସ୍ର ବୋଧହୁଏ ନିଦ ଭାଙ୍ଗିଯାଇଥିଲା । ମୁଁ କାର୍ର ଦର୍ପଣରେ ଦେଖୁଥିଲି ସେ ହଠାତ୍ ଉଠି କି କାଣ୍ଡ କରିବ, ହୁଏତ ଓହ୍ଲେଇ ପଡ଼ି ନକ୍ସାଲାଇଟ୍ମାନଙ୍କ ସାଙ୍ଗରେ ଲଢ଼ିବା ପାଇଁ ତୟାର ହେଇଯିବ, ମୁଁ ଖାଲି ଭଗବାନଙ୍କୁ ଡାକୁଥାଏ କିଛି ଅଘଟଣ ନ ଘଟୁ, ଆମର ଜୀବନଟା ବଞ୍ଚିଯାଉ ।
ମାର୍କସ୍ର ମୁହଁରେ ଟିକେ ଅଦ୍ଭୁତ ବିସ୍ମୟର ଛାଇଟିଏ ଖେଳିଗଲା । ସେ ସିଧା ହେଇ ବସିଲା ଓ ହଠାତ୍ ବଡ଼ ପାଟିରେ ଗୋଟିଏ ଅଦ୍ଭୁତ ଭାଷାରେ ସେ ବନ୍ଧୁକଧାରୀମାନଙ୍କୁ କଅଣ କହିଲା । ତା’ କଥା ଶୁଣିବା ପରେ ନକ୍ସଲାଇଟ୍ମାନେ ହଠାତ୍ ସିଧା ଠିଆ ହେଇଗଲେ, ବନ୍ଧୁକର ନଳୀ ଦୁଇଟି ଅବଶ୍ୟ ଆମ ଆଡକୁ ରହିଲା । ମାର୍କସ୍ ତଳକୁ ଓହ୍ଲେଇ ଆଗେ ଆଗେ ଚାଲିଲା, ଯୋଉ ଦୁଇଜଣ ତା’ ଆଡକୁ ବନ୍ଧୁକ ଧରି ପଛରେ ଠିଆ ହେଇଥିଲେ ସେମାନେ ତାକୁ ଅନୁସରଣ କଲେ । ଡରରେ ମୋ’ ଛାତି ଥରିଲା, ଏମାନେ ମାର୍କସ୍କୁ ହତ୍ୟା କରିବେ ନାହିଁ ତ?
ଦୁଇ ମିନିଟ୍ ପରେ ମାର୍କସ୍ନି ମୋ ଦରଜା ପାଖକୁ ଆସିଲା ଓ ମତେ ବାହାରକୁ ଆସିବା ପାଇଁ କହିଲା । ଅସିତ୍ ଏକୁଟିଆ ଗାଡ଼ିରେ ବସିବା ପାଇଁ ଅନିଚ୍ଛୁକ ଥିଲା, ମାର୍କସ୍ ତାକୁ ହାତଠାରି ବସି ରହିବା ପାଇଁ ଇଙ୍ଗିତ ଦେଲା ।
ମୋ’ ଦେହ ବରଡ଼ାପତ୍ର ଭଳି ଥରୁଥାଏ । ଦୁଇଜଣ ବନ୍ଧୁକଧାରୀ ମତେ ଓ ମାର୍କସ୍କୁ ପୁଣି ଅନୁସରଣ କଲେ । କିଛି ବାଟ ପରେ ମାର୍କସ୍ ଅଟକିଲା, ମୁଁ ଥରିଲା କଣ୍ଠରେ ପଚାରିଲି,
– କୁଆଡ଼େ ଆଣିଲୁ ମତେ? ଏମାନେ କିଏ? ଏମାନଙ୍କ ଭାଷା ତୁ କେମିତି ଜାଣିଲୁ? କି ଭାଷା ଇଏ? ଏମାନେ କଅଣ ଆମକୁ ଜୀବନରୁ ମାରିଦେବେ ନା କିଡ୍ନାପ୍ କରିବେ?
ମାର୍କସ୍ ହସିଲା,
– ରିଲାକ୍ସ ଅନୁପମ୍, କିଛି ଅନିଷ୍ଟ ହବନି ତୁମ ଦୁଇଜଣଙ୍କର । ଗୋଟାଏ କିଛି ଭୁଲ୍ ବୁଝାମଣା ହେଇଗଲା କୋଉଠି ନହେଲେ ତୁମ ଦି’ଜଣଙ୍କୁ ଏ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିନଥାନ୍ତା । ମୁଁ ଏମାନଙ୍କ ସାଙ୍ଗରେ କଥା ହେଇସାରିଛି, ଏମାନଙ୍କ ଭାଷା ହଉଛି ତେଲୁଗୁ ଓ ସ୍ଥାନୀୟ ଆଦିବାସୀ ଭଷାର ମିଶ୍ରଣ । ମୁଁ ବୁଝିପାରେ ଓ କହିପାରେ କାରଣ ଏମାନଙ୍କ ସାଙ୍ଗରେ କୋଡ଼ିଏ ବର୍ଷରୁ ଊଦ୍ଧ୍ୱର୍ ମୁଁ କଟେଇଛି, ମୁଁ ଏ ଏରିଆର ସବ୍କମାଣ୍ଡର । ମୁଁ ଥାଉଁ ଥାଉଁ ତୋ’ର ଡର କଅଣ? ସାଙ୍ଗ ତ ସାଙ୍ଗ ନା!
ମୋର ସତେ ଯେମିତି ପାଦତଳୁ ଭୂଇଁ ଖସିପଡ଼ିବା ଭଳି ଲାଗିଲା- ମାର୍କସ୍? ନକ୍ସାଲାଇଟ୍ମାନଙ୍କର ଏରିଆ ସବ୍କମାଣ୍ଡର୍? ମୁଁ ପୁଣି ୟାକୁ ମୋ’ର ସରକାରୀ କ୍ୱାର୍ଟର୍ସରେ ଦୁଇମାସ କାଳ ରଖିଛି? ହେ ଭଗବାନ, କି ଭୁଲ୍ କଲି ମୁଁ? ସେଦିନ ସକାଳେ ଭଲା ୟା ସାଙ୍ଗରେ ମୋର ଭେଟ ହେଇ ନଥା’ନ୍ତା!
ମୋ’ ମୁହଁରେ କଳାଛାଇର ବାଦଲ ଦେଖି ମାର୍କସ୍ ବୋଧହୁଏ ବୁଝିପାରିଲା, ମୋ’ ମନରେ କି ଭାବନା ଝଡ଼ ଭଳି ବୋହି ଚାଲିଛି । ସେ ମୋ’ କାନ୍ଧରେ ହାତ ରଖିଲା, ଆଶ୍ୱାସନା ଦେଲା ଭଳି କହିଲା,
– ଡରନା ଅନୁପମ, ମୁଁ ଆଉ ତୋ’ ସାଙ୍ଗରେ ନୟାଗଡ଼ ଫେରିବିନି, ମୋର ଯୋଜନା ଥିଲା ସୋନପୁରରୁ ହିଁ ମୁଁ ଉଭାନ ହେଇଯାଇଥାନ୍ତି- ନୟାଗଡ଼ ବିଷୟରେ ଯାହା ସବୁ ଇନ୍ଫର୍ମେସନ ଆମର ଦରକାର ଥିଲା, ମୁଁ ଏ ଦୁଇମାସ ଭିତରେ ସଂଗ୍ରହ କରିସାରିଛି । ଯେବେଠୁଁ ନୟାଗଡ଼ ନୂଆ ଜିଲ୍ଲା ହୋଇଯାଇଛି, ଏଠିକାର ଡିଷ୍ଟ୍ରିକ୍ଟ ଟ୍ରେଜେରୀ ଉପରେ ଆମର ଆଖି । ଆସନ୍ତା ମାସ ତିରିଶ ତାରିଖ ଦିନ ଆମେ ଚଢ଼ଉ କରି ଦରମା ଟଙ୍କା ତକ ଲୁଟିଥାନ୍ତୁ । କିନ୍ତୁ ଏ ମୂର୍ଖମାନେ ଆଜି ଏ ରାସ୍ତାରେ ଏମିତି ଗୋଟେ କାଣ୍ଡ କରି ସବୁ ଭଣ୍ଡୁରା କରିଦେଲେ । ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମର ନୟାଗଡ଼ ଯୋଜନା ଘୁଞ୍ଚିଯିବା ଭଲ ହେଲା, ମୁଁ ବି ଚାହୁଁନି ତୋ ଘର ଛାଡ଼ି ମୁଁ ଯିବାର କିଛିଦିନ ପରେ ପୋଲିସ ତତେ ଆସି ପଚରାଉଚରା କରୁ । ସାଙ୍ଗ ତ ସାଙ୍ଗ ନା, କ’ଣ କହୁଛୁ?
ମୁଁ ଟିକେ ଶୁଖିଲା ହସ ହସିଲି । ମାର୍କସ୍ ମୋ ପିଠି ଥାପୁଡେଇ କହିଲା,
– ଡରନା, ପୋଲିସ୍ ପାଖରେ କେବଳ ମୋର କଲେଜ ବେଳର ଗୋଟିଏ ପୁରୁଣା ଫଟୋ ଅଛି, ମୋର ଏବେକାର ଚେହେରା ଦେଖିଲେ କେହି ଜାଣିପାରିବେ ନାହିଁ ମୁଁ ତୋର ପୁରୁଣା ସାଙ୍ଗ କଲେଜ ବେଳର ମାର୍କସ୍ ବୋଲି । ଆଉ ମତେ ଘରକୁ ଡାକି ନେଇଥିଲୁ ବୋଲି ନିଜକୁ ଦୋଷ ଦେ’ ନା । ଭାବନା, ତୁ ମତେ ହଠାତ୍ ରାସ୍ତାକଡ଼ରେ ପାଇଲୁ ବୋଲି । ସତ କହିବାକୁ ଗଲେ ମୁଁ ହିଁ ନିଜେ ନିଜେ ଯୋଜନା କରି ତୋ ଘରକୁ ଆସିଥିଲି । ନୟାଗଡ଼ ବିଷୟରେ ଖବର ସଂଗ୍ରହ କରିବା ପାଇଁ ମୋର ଗୋଟିଏ ନିରାପଦ ଘରେ ରହିବାର ଥିଲା । ତୋର ସରକାରୀ କ୍ୱାର୍ଟର୍ସଠୁ ନିରାପଦ ଜାଗା ଆଉ କ’ଣ ଅଛି? ମୁଁ ଆଗରୁ ଖବର ସଂଗ୍ରହ କରିଥିଲି ତୁ ଏଇଠି ଅଛୁ, ଏଣୁ ସେଦିନ ସକାଳେ ରାସ୍ତାରେ ପଡ଼ି ତତେ ଅପେକ୍ଷା କରିଥିଲି, ମୁଁ ଜାଣିଥିଲି ତୁ ସବୁଦିନ ଭଳି ସକାଳୁ ୱାକିଂରେ ଗଲାବେଳେ ଆସିବୁ ଆଉ ମତେ ଦେଖି ଘରକୁ ଡାକିନବୁ । ମୁଁ ସେଇ ଅପେକ୍ଷାରେ ଥିଲି । ମୁଁ ତଟସ୍ଥ ମାର୍କସ୍କୁ ଚାହିଁ ରହିଥିଲି । ଏତେ ଯୋଜନାର ଜାଲରେ ବାନ୍ଧି ହେଇଯାଇଥିବାରୁ ନିଜକୁ ଧିକାରିବା ଆରମ୍ଭ କରିଦେଇଥିଲି । ମାର୍କସ୍ ମତେ ଅନୁରୋଧ କଲା ଭଳି କହିଲା,
– ଗୋଟିଏ ଅନୁରୋଧ କରୁଛି ରଖିବୁ, ତୋର ଏଇ ଖଳ ସାଙ୍ଗ ଅସିତ୍କୁ ମୋର ଅସଲ ପରିଚୟ ଜଣେଇବୁ ନାହିଁ । ମୋ ମୁଣ୍ଡ ଉପରେ ସରକାର ଲକ୍ଷେ ଟଙ୍କାର ପୁରସ୍କାର ରଖିଛନ୍ତି, ଏ ଧୂର୍ତ୍ତ ଲକ୍ଷେ ଟଙ୍କା ପାଇଁ ନିଜ ମା’କୁ ବି ବିକିଦବା ପାଇଁ ପଛେଇବନି, ମୁଁ ବା ତୁ ତା’ ପାଖରେ କିଛି ନୁହେଁ । ଇଏ ଗୋଟାଏ ଭଣ୍ଡ ଓ ବିଷାକ୍ତ ସାପ ବୋଲି ତୁ ଜାଣିନାହୁଁ ବୋଧହୁଏ ।
ଆଶ୍ଚର୍ଯ୍ୟରେ ମୋ’ର ମୁଣ୍ଡ ଘୂରେଇଗଲା,
– ଭଣ୍ଡ? ବିଷାକ୍ତ ସାପ? କଅଣ କହୁଛୁ ତୁ?
– ଭଣ୍ଡ ନୁହେଁ ତ ଆଉ କଅଣ । ତୋ’ର ଦୁଇ ଲକ୍ଷ ଟଙ୍କା ଇଏ ଫେରେଇବ ବୋଲି ତୁ ଭାବୁଛୁ? ଗୋଟିଏ ପଇସା ବି ତତେ ଦବନି, ଏମିତି ଠକି ଠକି ଚାଲିଥିବ, ତୋ’ ଘରେ ବସି ତୋ’ର ମଦ, ଚିକେନ୍ ଟିକ୍କା ଖାଇ, ପୁରୁଣା ଗୀତ ଗାଇ ତତେ ଭଣ୍ଡାଉଥିବ । ତୁ ଜାଣୁ, ତା’ ଶ୍ୱଶୁର ତାକୁ ଯୌତୁକରେ ଭୁବନେଶ୍ୱର ଜେଡ୍ ଆପାର୍ଟମେଣ୍ଟସ୍ରେ ତିନିବେଡ୍ରୁମ୍ର ଫ୍ଲାଟ ଦେଇଛନ୍ତି, ସେଥିରୁ ସିଏ ମାସକୁ ଚବିଶ ହଜାର ଟଙ୍କା ଭଡ଼ା ପାଏ, ଆଉ ତୋର ଦି’ ଲକ୍ଷ ଟଙ୍କା ଶୁଝି ଦେବାରେ ଅସୁବିଧା କୋଉଠି?
ମୁଁ ଏ କଥା ବିଶ୍ୱାସ କରିପାରୁନଥିଲି । ମାର୍କସ୍ ଆଡକୁ ବୋକାଙ୍କ ଭଳି ଚାହିଁ ପଚାରିଲି,
– ତୁ ଏ କଥା କେମିତି ଜାଣିଲୁ?
ମାର୍କସ୍ ଜବାବରେ ତାଚ୍ଛଲ୍ୟର ହସ ହସିଲା,
– ବୋକା ନା କଅଣ ତୁ? ଇନ୍ଫର୍ମେସନ୍ ସଂଗ୍ରହ କରିବାରେ ପରା ମୁଁ ଆମ ଦଳରେ ନେତା, ଆମ ହାତରେ ଇନ୍ଫର୍ମେସନ୍ ନଥିଲେ ଆମେ ବଞ୍ଚିପାରନ୍ତୁ?
ଗୋଟିଏ ମୁହୂର୍ତ୍ତ ରହି ସେ ମତେ ପଚାରିଲା,
– ତୁ କହିବୁ ଯଦି ତୋର ଦୁଇଲକ୍ଷ ଟଙ୍କା ମୋର ଲୋକମାନେ ଏ ଭଣ୍ଡ ପାଖରୁ ଆଦାୟ କରି ତତେ ଦେଇଦେବେ, ଆମ ପାଖରେ ଡଜନେରୁ ଅଧିକା ଉପାୟ ଅଛି । ତୋ ସାଙ୍ଗକୁ ଅବଶ୍ୟ ଗୋଟେ ଦୁଇଟା ଆଙ୍ଗୁଠି ବା ହଳେ କାନରୁ ଗୋଟିଏ ହରାଇବାକୁ ପଡ଼ିପାରେ ।
ଭୟରେ ମୋର ଦେହ ଶିହରି ଉଠିଲା,
– ନାହିଁ, ନାହିଁ କିଛି ଦରକାର ନାହିଁ, ମୁଁ ତାକୁ କହିବି ଭଡ଼ା ଟଙ୍କାରୁ ଶୁଝିଦବ, କିନ୍ତୁ ତାକୁ ତୁ ବିଷାକ୍ତ ସାପ ବୋଲି କାହିଁକି କହୁଛୁ?
ମାର୍କସ୍ ଏଥର ଗମ୍ଭୀର ହେଇଗଲା,
– ଅନୁପମ, ତୁ ଗୋଟାଏ ନିତାନ୍ତ ବୋକା । ନ ହେଲେ ତୋରି ଘରେ, ତୋ ସ୍ତ୍ରୀ ଉପରେ ଜଣେ ବିଷାକ୍ତ ନଜର ପକେଇବ ଆଉ ତୁ ଜାଣିପାରିବୁ ନାହିଁ? ଅସିତ୍ ମନରେ ପାପ ଅଛି, ସେ ବେଳେବେଳେ ତୋ ଅଜାଣତରେ କଲ୍ୟାଣୀକୁ ଏମିତି ଭୋକିଲା ଆଖିରେ ଚାହେଁ ଯେ ସେ ଅସଂଜତ ହେଇପଡ଼େ । ସେ ଅନୁଭବ କରିଛି ଅସିତ୍ ମନରେ ପାପ ଅଛି ଏବଂ ସେଇଥିପାଇଁ ସେ ଗୀତ ଗାଇବା ବାହାନାରେ ସପ୍ତାହକୁ ଦୁଇଥର ତୋ ଘରେ ପହଞ୍ଚିଯାଏ, ତତେ ତ ସେ ଥରଟିଏ ବି ତା’ ଘରକୁ ଡାକିନାହିଁ? କାହିଁକି ଜାଣୁ? ସେ କଲ୍ୟାଣୀକୁ ଦେଖିବା ପାଇଁ, ଖରାପ କଥା ଚିନ୍ତା କରିବା ପାଇଁ ଆସେ । କଲ୍ୟାଣୀ ବିଚାରା ତୋ’ର ମଦ ପିଇବାକୁ, ଗୀତ ଗାଇବାକୁ ସାଙ୍ଗ ଦରକାର ବୋଲି ତତେ କିଛି କହିପାରୁନି, ତୁ କିନ୍ତୁ ୟାକୁ ଜଲ୍ଦି ଘରକୁ ଡାକିବା ବନ୍ଦ କର, ନହେଲେ କୋଉଦିନ ଗୋଟିଏ ଦୁର୍ବଳ ମୁହୂର୍ତ୍ତରେ ଏ ସାପର ଦଂଶନରେ ତୋର ସୁଖୀ ପରିବାର ଛାରଖାର ହେଇଯିବ । ତା’ଛଡ଼ା କଲ୍ୟାଣୀ ନିଜେ ବି ତ ବହୁତ ସୁନ୍ଦର ଗୀତ ଗାଏ, ଖରା ବେଳେ ତୁ ଅଫିସ୍ରେ ଥିଲାବେଳେ ସେ ବହୁତ ସୁନ୍ଦର ଗୀତ ସବୁ ଗୁଣୁଗୁଣୁ ହେଇ ଗାଉଥାଏ । ଥରଟେ ତା’ର ଓ ସଜନା, ବରଖା ବାହାର ଆଇ ବା ଯା’ରେ ଉଡ଼ିଯାରେ ପନ୍ଛି ଗୀତ ଶୁଣିଲେ ତୁ କାବା ହେଇଯିବୁ!
ମୁଁ ମାର୍କସ୍ର କଥା କାଟି ପଚାରିଲି,
– ତୁ କେମିତି ଜାଣିଲୁ? ତୁ ତ ଦିନସାରା ବାହାରେ ରହୁ, ରାତି ଅଧରେ ଘରକୁ ଫେରୁ । ତା’ଛଡ଼ା ତୁ ତ ଚବିଶ ଘଣ୍ଟା ମଦ ପିଇ ମାତାଲ ରହୁ, ଏତେ କଥା ଜାଣିପାରୁ କେମିତି?
ମାର୍କସ୍ ହସିଲା, ସତେ ଯେମିତି ଏ ଗମ୍ଭୀର ପରିବେଶ ନ ହେଇଥିଲେ, ବନ୍ଧୁକ ଧରି ତା’ର ଦୁଇଜଣ କମ୍ରେଡ ଠିଆ ହେଇନଥିଲେ, ଆଉ ଅସିତ୍ ପ୍ରାୟ ମୂର୍ଚ୍ଛା ହେବା ଅବସ୍ଥାରେ କାର୍ରେ ବସି ନଥିଲେ, ସେ ହସି ହସି ଗଡ଼ିଯାଇଥାନ୍ତା ।
– ଆରେ ବୋକା, ମୁଁ ସିନା ଦିନେ ଦିନେ କୁଆଡ଼େ ଚାଲିଯାଉଥିଲି, ଅଧିକାଂଶ ଦିନ ତୁ ଅଫିସ୍ ଗଲା ପରେ ତୁମ ବିରାଟ ବଗିଚାର ପୂର୍ବ କୋଣର ଭଙ୍ଗା ପାଚେରିବାଟେ ଫେରି ମୁଁ ରୁମ୍ର ପଛ କବାଟ ବାଟେ ଭିତରେ ପଶି କବାଟ କିଳି ବସେ, ମୋ’ କାମ କରେ, ଫୋନ୍ରେ ମୋ’ ଦଳର ଲୋକଙ୍କ ସାଙ୍ଗରେ କଥା ହୁଏ, ସେତିକିବେଳେ ଶୁଣେ କଲ୍ୟାଣୀର ସୁନ୍ଦର ଗୀତ ସବୁ, ଯୋଉଦିନ ରାତିରେ ତୁ ଏ ଭଣ୍ଡ ଅସିତ୍ ସାଙ୍ଗରେ ବସି ମଦ ପିଉ, ଗୀତ ଗାଉ, ମୁଁ ବେଳେବେଳେ ଝରକା ବାଟେ ଦେଖେ, ଜାଣିପାରେ ଅସିତ୍ କେମିତି ଭୋକିଲା କୁକୁର ଭଳି ନିରୀହ କଲ୍ୟାଣୀ ଆଡ଼କୁ ଚାହେଁ । ଏବେ ପଚାର ମୁଁ କାହିଁକି ମଦ ପିଇବା ପାଇଁ ତୁମ ଦୁଇଜଣଙ୍କ ପାଖକୁ ଆସେନି? ମୁଁ ତା ଆଡକୁ ପ୍ରଶ୍ନ ପଚାରିବା ଭଳି ଚାହିଁ ରହିଲି,
– କାହିଁକି ନା ମୁଁ ମଦ ପିଏନି, କେବେବି ପିଏନି ।
ମୁଁ ରାଗିଲା ଭଳି ତାକୁ ଚାହିଁଲି,
– ଠକୁଛୁ ମତେ? ତୋ ଦେହରୁ ତ ସବୁବେଳେ ମଦ ଗନ୍ଧ ବାହାରେ, ଶସ୍ତା ମଦର ଉକ୍ରଟ ଗନ୍ଧ । ଆଉ ତୁ କହୁଛୁ ତୁ ପିଉନି?
– ସତରେ ଅନୁପମ, କଲେଜ ଛାଡ଼ିଲା ପରେ ଯେତେବେଳେ ମୁଁ ବିପ୍ଳବ ବାହିନୀରେ ଯୋଗ ଦେଲି, ପ୍ରତିଜ୍ଞା କରିଥିଲି କେବେ ମଦ ପିଇବିନି ବା କୌଣସି ନାରୀକୁ ଛୁଇଁବି ନାହିଁ । ଆଜି ଯାଏଁ ଏ ପ୍ରତିଜ୍ଞା ଭାଙ୍ଗିନି । ମୁଁ ଜାଣି ଜାଣି ମୋ ପୋଷାକରେ ଶସ୍ତା ମଦରୁ ଦୁଇ ଠିପି ଢ଼ାଳିଦିଏ, ଲୋକ ମତେ ଭାବନ୍ତି ନିପଟ ମଦୁଆ, ମାତାଲ୍ ବୋଲି । ମୁଁ ପାଖରେ ବସିଥିଲେ ବି ଖୋଲାଖୋଲି କଥା ହୁଅନ୍ତି । ତୁ ବିଶ୍ୱାସ କରିବୁନି, ଅଧାରୁ ବେଶୀ ଇନ୍ଫର୍ମେସନ୍ ମୁଁ ଏମିତି ପାଇଛି ।
ମୁଁ ସତରେ କାବା ହେଇ ମାର୍କସ୍ ଆଡକୁ ଚାହିଁ ରହିଥିଲି । ସେ ଯେ ମଦ ପିଏନା, ଏକଥା ବିଶ୍ୱାସ କରିବାକୁ ଇଚ୍ଛା ହଉନଥିଲା । ମାର୍କସ୍ ମୋ ପାଇଁ ଧୀରେଧୀରେ ଗୋଟିଏ କୁହେଳିକାରେ ପରିଣତ ହୋଇଆସୁଥିଲା ।
ମାର୍କସ୍ ଟିକେ ସବୁ ଆଡ଼କୁ ଚାହିଁଲା । ପୁଣି ମୋର କାନ୍ଧରେ ହାତ ରଖି କହିଲା,
– ଅନୁପମ, ସାଙ୍ଗ ମୋର, ସମୟ ଆସିଲା ତୋ’ଠୁ ବିଦାୟ ନବା ପାଇଁ, ଆଉ କେବେ ଦେଖା ହବ କିଏ ଜାଣେ? ଦେଖା ହବକି ନାହିଁ କହିବା ବି ସମ୍ଭବ ନୁହେଁ । ସାତବର୍ଷ ତଳେ ପୋଲିସ୍ ସହିତ ଏନ୍କାଉଣ୍ଟରରେ ଗୁଳି ବାଜି ମୋର ସାମ୍ନା ଦାନ୍ତ ସବୁ ହରେଇଥିଲି । ମନେନାହିଁ ପ୍ରଥମଦିନ ତୋ ସାଙ୍ଗରେ ଜଳଖିଆ ଖାଇବା ବେଳେ ନକଲି ଦାନ୍ତ କାଢ଼ି ଟେବୁଲ୍ ଉପରେ ରଖି ଦେଇଥିଲି ବୋଲି କଲ୍ୟାଣୀ ଉଠି ପଳେଇଥିଲା? ୟା’ପରେ ଆଉ ଥରେ ଏନ୍କାଉଣ୍ଟର ହେଲେ କେବଳ ଦାନ୍ତ ଯିବ କି ଜୀବନ ଯିବ କହିବା କଷ୍ଟ । ଯେତେଦିନ ବଞ୍ଚିଥିବି, ଗତ ଦୁଇମାସର ସୁନ୍ଦର, ସହଜ, ସରଳ ସମୟର ସ୍ମୃତିକୁ ଝୁରି ହଉଥିବି । ତତେ ତୋର ଏଇ ବଦାନ୍ୟତା ବଦଳରେ କଅଣ ବା ଦେଇପାରିବି? ଖାଲି ଟିକେ ଉପଦେଶ ମନେ ରଖିଥା, ଏ ରାସ୍ତାରେ କେବେ ରାତିରେ ଯିବୁନି । ଭଗବାନ ନ କରନ୍ତୁ, ଯଦି କେବେ ନକ୍ସଲାଇଟ୍ଙ୍କ ହାତରେ ପଡ଼ିବୁ, ମୋର ମାଓବାଦୀ ନାଁ ସେମାନଙ୍କୁ କହିବୁ, ମୋର ସାଙ୍ଗ ବୋଲି ପରିଚୟ ଦବୁ, କିନ୍ତୁ ସେତିକିରେ ଚଳିବ ନାହିଁ- ପ୍ରତି ନାଁ ସାଙ୍ଗରେ ଗୋଟିଏ କୋଡ୍ ଥାଏ, ସେଇ କୋଡ୍ଟି ମଧ୍ୟ କହିବାକୁ ପଡ଼ିବ । ଏବେ ଶୁଣ ମୋ’ ନା ଆଉ ସେ ସିକ୍ରେଟ୍ କୋଡ୍ ।
ବହୁତ ଧୀର ସ୍ୱରରେ ମାର୍କସ୍ ମତେ ତା’ର ବିପ୍ଳବୀ ନାଁ, ଆଉ ସିକ୍ରେଟ୍ କୋଡ୍ କହିଲା । ମୁଁ ଚମକି ଦୁଇପାଦ ପଛକୁ ଫେରିଆସିଲି । ଏ ନାଁଟି କେତେଥର ସମ୍ବାଦପତ୍ରରେ ମୁଁ ପଢ଼ିଥିଲି । ନକ୍ସଲମାନଙ୍କ ଭିତରେ ବହୁତ ବଡ଼ ନାଁଟିଏ ଇଏ- ସେଇଥିପାଇଁ ଲକ୍ଷେ ଟଙ୍କାର ପୁରସ୍କାର ୟା ମୁଣ୍ଡରେ!
ମାର୍କସ୍ ମୋଠାରୁ ବିଦାୟ ନେଲାନି- ହାତ ମିଳେଇଲାନି, କି ବାଏ ବି କହିଲାନି- ତା’ ମୁହଁରେ କ୍ଷୀଣ, କରୁଣ ହସର ଧାରଟିଏ ଖେଳିଗଲା, ମତେ ଲାଗିଲା ହୁଏତ ଆଖିରେ ସାମାନ୍ୟ ଲୁହ ଜକେଇ ଆସିଲା, କିନ୍ତୁ ସେଇଟା ମୋ’ର ଭୁଲ୍ ଧାରଣା ବି ହେଇଥାଇପାରେ । ଯୋଉ ଦୁଇଜଣ ବନ୍ଧୁକଧାରୀ ଗାଡ଼ି ପାଖରେ ଠିଆ ହେଇଥିଲେ ସେମାନେ ଆସିଗଲେ ଓ ଚାରିଜଣଙ୍କ ଘେରରେ ମାର୍କସ୍ ଘଞ୍ଚ ଜଙ୍ଗଲର ଅନ୍ଧକାର ଆଡ଼କୁ ଚାଲିବା ଆରମ୍ଭ କଲା ।
ମୁଁ ଗାଡ଼ି ପାଖକୁ ଫେରିଲି । ଅସିତ୍ ମତେ ଦେଖି କାନ୍ଦ କାନ୍ଦ ହେଇଗଲା, ପଚାରିଲା, ମାର୍କସ୍ ? ସେ କୁଆଡ଼େ ଗଲା? ମୁଁ ତାକୁ କହିଲି, ଆମ ଦୁଇଜଣଙ୍କୁ ଛାଡ଼ିଦବା ପାଇଁ ନକ୍ସାଲାଇଟ୍ମାନେ ସଉଦା କରିବା ଭଳି ମାର୍କ୍ସ୍କୁ ଅପହରଣ କରି ନେଲେ । ଅସିତ୍ର ଆଖି ବିସ୍ଫାରିତ ହେଇଗଲା,- ମାନେ? ସେମାନେ ତାକୁ ମାରିଦେବେ?
ଏ ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା । ମୁଁ ଆଉଥରେ ମୋ ସାଙ୍ଗ ମାର୍କସ୍ର ଅପସୃୟମାନ ଚେହେରାକୁ ଦୂରରୁ ଦେଖିଲି । ଧୂସର କୋଟ୍, ଟୋପି ପିନ୍ଧି ମୋ ସାଙ୍ଗ ଚାରିଜଣ କମ୍ରେଡ୍ଙ୍କ ସାଙ୍ଗରେ ଯାଉଥିବାର ଦୃଶ୍ୟ ହୁଏତ ଜୀବନସାରା ମୋର ଆଖି ଆଗରେ ନାଚୁଥିବ, ପଥରର ଅଲିଭା ଗାର ଭଳି ମୁଁ ଚାହିଁଲେ ବି ତାକୁ କେବେ ଲିଭେଇ ପାରିବିନି ।
ଏନ୍ ୨/୩୧, ନୂଆପଲ୍ଲୀ, ଭୁବନେଶ୍ୱର
ମୋବାଇଲ୍- ୯୯୩୦୭୩୯୫୩୭