୧. ବୁଧିରାମ ଓ ଡଲି
ଝକାସ୍ ଗୋଟେ ମୋବାଇଲ୍ କିଣିଛି ବୁଧିରାମ । କଥା ହେଉଛି । ସିନେମା ଦିଶୁଛି । ଫଟୋ ଉଠୁଛି । ଭିଡିଓ ବି ଉଠୁଛି । ଡଲିକୁ କହିଲା ବୁଧିରାମ, ତୋର ଫଟୋ ଉଠେଇବି । ଡଲି କହିଲା, ଉଠା । ବୁଧିରାମ ଉଠେଇଲା ଫଟୋ । ଡଲିକୁ କହିଲା, ଦେଖ ତୋ ଦେହ । କେମିତି ଦିଶୁଛି । ଆରେ ତା’ ଦେହ ଏତେ ସୁନ୍ଦର ଦିଶେ ବୋଲି ଡଲିର ଧାରଣା ନଥିଲା । ବୁଧିରାମ କହିଲା, ଆଉ ଦେଖିବୁ ନିଜ ଦେହ? ଡଲି କହିଲା, ହଁ । କହିଲା ଆଉ ନିଜ ଦେହକୁ ଖୋଲି ବିଛେଇ ଦେଲା ବୁଧିରାମ ସାମ୍ନାରେ । ଦେଖୁ । ସେ ତ ଦେଖିବ । ବାହା ହେବ ବୋଲି କହିଛି । କାଲି ଦେଖିଥାନ୍ତା, ନହେଲେ ଆଜି ଦେଖିବ । ବୁଧିରାମ ଉଠେଇ ଚାଲିଲା ଫଟୋ । ଭିଡିଓ ।
ପରଦିନ ସାରା ସହର ଦେଖିଲା ଡଉଲ ଡାଉଲ ଦେହ ।
ଆଉ ତିନିଦିନ ପରେ ଡଲିର ଦେହ ଆଉ ଦେଖିବା ଅବସ୍ଥାରେ ନଥିଲା । ପାଉଁଶ ହୋଇ ମାଟିରେ ମିଶି ସାରିଥିଲା ଲୋକଲଜ୍ୟାରେ ଡଲି ଆତ୍ମହତ୍ୟା କରିଦେଲା ।
୨. ମହାଦେବ ବାବୁ
ମହାଦେବ ବାବୁଙ୍କ ମୋବାଇଲ୍ରେ କେହି ହାତ ଦେବା ମନା । ସେ ମୋବାଇଲ୍ଟିକୁ ବଡ଼ ପୁଅ- ଯିଏ ଆମେରିକାରେ ରହେ ସେ ଆଣି ଦେଇଛି । ମୋବାଇଲ୍ଟି ଆମେରିକାରୁ ଆସିଛି ବୋଲି କିମ୍ବା ଆମେରିକାରରେ ଥିବା ବଡ଼ପୁଅ ଆଣି ଦେଇଛି ବୋଲି କହି ହେବନି- ତେବେ ତାହା ମହାଦେବବାବୁଙ୍କ ଭାରି ପ୍ରିୟ । ସେଥିରେ ସେ କାହାକୁ ହାତ ମରେଇ ଦିଅନ୍ତିନି । ମୋବାଇଲ୍ଟି ତାଙ୍କ ଖଟ ପାଖରେ, ଠଣା ଭିତରେ ଗୋଟେ ଛୋଟ ତଉଲିଆ ଉପରେ ରଖାହୋଇଥାଏ । ତାଙ୍କ ସାନ ବୋହୂ କହେ, ସଂଜବେଳେ ତା’ ଆଗରେ ଟିକେ ଧୂପ ଜାଳି ଦେବା ଦରକାର ।
ମହାଦେବ ବାବୁ ଅପେକ୍ଷା କରିଛନ୍ତି କେବେ ଆମେରିକାରୁ ପୁଅ ତାଙ୍କ ପାଖକୁ ଫୋନ୍ କରିବ । କେବେ ସେ ମୋବାଇଲ୍ରେ କଥା ହେବେ ।
୩. ସମରୁ
ସମରୁର ମୋବାଇଲ୍ଟାକୁ ସେ ଝୁଲାମୁଣି ଭିତରେ ରଖେ । ବାହାରେ ରଖିଲେ ଲୋକେ ବାର କଥା କହୁଛନ୍ତି । କହୁଛନ୍ତି; ଦେଖ କି ଜମାନା ହେଲା- ଭିକାରି ପାଖରେ ବି ମୋବାଇଲ୍! ଯେମିତି ଭିକାରି ମୋବାଇଲ୍ ରଖିବା ମନା ।
ମୋବାଇଲ୍ ଫୋନ୍ ଯେ ଜଣେ ଭିକାରି ପାଇଁ କେତେ ଦରକାରୀ ତାହା ସମରୁକୁ ପଚାର । ଏଇଥିରେ ସେ ବୁଝିଦିଏ ଲକ୍ଷ୍ମୀମନ୍ଦିର ପାଖରେ ଆଜି ଭିଡ଼ କେତେ? ଲକ୍ଷ୍ମୀ ମନ୍ଦିର ଜାଗାଟା ସେ ପଲ୍ଟୁକୁ ଭଡ଼ାରେ ଦେଇଛି । ସେଠି କେତେ ଭିଡ଼ ହେଉଛି ଜାଣିବା ଦରକାର । ସେ ଜାଗାଟାରେ ଏବକୁ ଭିଡ଼ ବେଶି ହେଉଛି । ସେ ଏରିଆରେ ବଡ଼ ବଡ଼ ଘର ହେଉଛି । ଧନୀଲୋକମାନେ ରହୁଛନ୍ତି । ଏବକୁ ସେଠି ଆମଦାନୀ ବେଶି ହେଉଛି । ତେଣୁ ସମରୁ ଭାବୁଛି ଆରବର୍ଷ ବେଳକୁ ସେଠିକି ଲାଗିଯିବ । ବର୍ତ୍ତମାନ ଚଣ୍ଡୀମନ୍ଦିର
ସାମ୍ନାରେ ଯେଉଁ ଜାଗାରେ ସେ ବସୁଛି- ଏଇ ଜାଗାଟାକୁ ଭଡ଼ା ଦେଇଦେବ ।
ସମରୁ ମୋବାଇଲ୍ରେ ଗୀତ ବି ଶୁଣେ । ତୁଝକୋ ରଖ ରାମ ତୁଝକୋ ଆଲ୍ଲା ରଖେ । ଆଗରୁ ସେ ଗୀତ ଗାଇ ଭିକ ମାଗୁଥିଲା । ଏବେ ଦେଖୁଛି ଏସବୁ ପୁରୁଣା କାଳିଆ ଗୀତ କେହି ଶୁଣୁନାହାନ୍ତି । ତେଣୁ ସେ ଖାଲି ଏ ମା, ଏ ବାବୁ ବୋଲି ମାଗେ । ହେଲେ ଗୀତ ପଦେ ଦି’ପଦ ଶୁଣିବାକୁ ଭଲ ଲାଗେ । ବେଳେବେଳେ ଜଣାଣ ଶୁଣେ, ବେଳେବେଳେ ଛାନ୍ଦ ଚଉପଦି । ତା’ ମୋବାଇଲ୍ରେ ହିନ୍ଦୀ ହିଟ୍ ଗୀତ ବି ଅଛି । ତା’ର ସାନ ନାତିଟା ଏଇ ମୋବାଇଲ୍ରେ ଗୀତ ଶୁଣି ଶୁଣି ଶିଖୁଛି । ମିଛ କହିବନି ସମରୁ, ସାନ ନାତିଟା ଏବେଠୁଁ ଟ୍ରେନ୍ରେ ହିନ୍ଦୀ ଗୀତ ଶୁଣେଇ ଭଲ ପଇସା କମଉଛି ।
ଦେଖିଲ, କେତେ କାମରେ ଆସୁଛିରେ ଏ ମୁଠି- ଫୋନ୍ । ତେବେ ହଁ, ମୋବାଇଲ୍ ପାଇଁ ଖର୍ଚ୍ଚ ଅଛି । ଏବେ ସମରୁ ଗୋଟେ ବୁଦ୍ଧି ପାଞ୍ଚିଛି- ଏ ମା’, ଏ ବାବୁ ଟଙ୍କାଏ ଦେ ନ କହି ସେ କହିବ ଏ ମା’, ଏ ବାବୁ- ଦଶ ଟଙ୍କାର ଟପ୍ ଅପ୍ ଦେ । ଏ ମା’, ଏ ବାବୁ ।
୪. କୁନୁ ମୁନୁ ଦୁଇଭାଇ
କୁନୁ ମୁନୁ ଦୁଇ ଭାଇ । ଭାଇ ଭାଇ ଭିତରେ ଭାରି ସ୍ନେହ । ଭାରି ଭାବ । ଦୁଇ ଭାଇ ଦୁଇ ସହରରେ ଚାକିରି ପାଇଲେ । ଦୁହେଁ ଦୁହିଁଙ୍କୁ ବହୁତ ଚିଠି ଲେଖିଲେ । ସେତେବେଳେ ତାଙ୍କ ଘରେ ଟେଲିଫୋନ୍ ନଥିଲା । ଦୁହେଁ ଭାବୁଥିଲେ ଟେଲିଫୋନ୍ଟିଏ ଥିଲେ କେତେ ଭଲ ହୋଇଥାନ୍ତା, କେତେ କଥା ହୋଇଥାନ୍ତେ ସେମାନେ!
୧୫ବର୍ଷ ପରେ । ଏବେ କୁନୁ ପାଖରେ ଦୁଇ ମୋବାଇଲ୍ । ମୁନୁ ପାଖରେ ତିନି । ସେମାନଙ୍କ ପୁଅ ପାଖରେ ମୋବାଇଲ୍ । ସ୍ତ୍ରୀ ପାଖରେ ମୋବାଇଲ୍ । ଡ୍ରାଇଭର, ଚାକର ପାଖରେ ବି ମୋବାଇଲ୍ ।
ହେଲେ ଛ’ ମାସ ହେଲା ସେମାନଙ୍କ ଭିତରେ ଥରୁଟିଏ ବି କଥା ହୋଇନି । କୁନୁ ମୁନୁ ଦୁଇ ଭାଇ ଆଉ କଥା ହୁଅନ୍ତିନି । ସେମାନଙ୍କ ଭିତରେ ଭାବ ଆଉ ନାହିଁ ।
୫. ମଲ୍ଲିକା
ମଲ୍ଲିକା ଭ୍ୟାନିଟି ବ୍ୟାଗ୍ ଭିତରେ ଗୋଟେ ସ୍ମାର୍ଟଫୋନ୍ ଶୋଇ ରହିଛି । ସ୍ମାର୍ଟଫୋନ୍ରେ ପଚାଶ ଫିଚର୍ । ସେଥିରେ ଇ-ମେଲ୍ ଆସିପାରେ । ମେଲ୍ କି ମେସେଜ ଆସିଲେ ଟିଂ ଟଂ ବୋଲି ଶବ୍ଦ ହୁଏ- ଆଉ ଯିଏ ମେସେଜ୍ ପଠେଇଲା, ତା’ ନମ୍ବର ଫିଡ୍ ହୋଇଥିଲେ ଫଟୋ ଦିଶେ ।
ମଲ୍ଲିକା ଗତ ପନ୍ଦର ମିନିଟ୍ ହେଲା ଅପେକ୍ଷା କରିଛି ସେ ଶବ୍ଦ ଶୁଣିବାକୁ । ଆସୁନି । ବାହାରେ ସୁନ୍ଦର ସନ୍ଧ୍ୟାଟା ଫାଲ୍ତୁରେ ବିତି ଯାଉଛି ।
ଏବେ କ’ଣ କରେ ମଲ୍ଲିକା? ସନ୍ଧ୍ୟାଟା କେମିତି ବିତେଇବ?
ମଲ୍ଲିକା ଭ୍ୟାନିଟି ବ୍ୟାଗ୍ ଖୋଲି ଫୋନ୍ଟିକୁ ହାତକୁ ନେଲା । ତା’ ମସୃଣ ଦେହ ଉପରେ ନିଜର ଚମ୍ପା କଢ଼ି ଆଙ୍ଗୁଳି ବୁଲେଇ ଆଣିଲା । ଫୁଟି ଉଠିଲା ସମୟ । ପନ୍ଦର ମିନିଟ୍ ବିତିଗଲାଣି । ଆଉ ଥରେ ଆଙ୍ଗୁଳି ବୁଲେଇ ଆଣିଲା ଫୋନ୍ର ଛାତିରେ । ଏବେ ଫୋନ୍ ଛାତିରେ ଫୁଟି ଉଠିଲା ତଳକୁ ତଳ ନାଁ ଆଉ ତା’ ପାଖରେ ଫଟୋ । ମଲ୍ଲିକା ଗୋଟାକ ପରେ ଗୋଟେ ଫଟୋ ଦେଖି ଚାଲିଲା । ଗୋଟେ ଫଟୋ ପାଖରେ ଅଟକିଲା ଆଉ ତା’ ଉପରେ ଆଙ୍ଗୁଳିରେ ହାଲ୍କା ଭାବେ ସ୍ପର୍ଶ କଲା । ସେପଟୁ ଶୁଭିଲା ହ୍ୟାଲୋ ।
ତା’ପରେ କ’ଣ ହେଲା- ସେଟା ଆଉ ଗୋଟେ ଗଳ୍ପ ।
୬. ଈଶ୍ୱର ଫେରିଗଲେ
ପୂଜାରେ ବସିଥିଲେ ମୁଟୁରୁ । ଯଜମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ । ଯଜମାନ ଭଲ ଦକ୍ଷିଣା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ପ୍ରାର୍ଥନାରେ ଜୋର ଥିଲା ଅଧିକ । ତାଙ୍କ ପ୍ରାର୍ଥନା ଓ ଧ୍ୟାନରେ ସନ୍ତୁଷ୍ଟ ହୋଇ ଭଗବାନ ତାଙ୍କୁ ଦେଖାଦେବେ ଦେବେ ହେଉଥିଲେ କି ଢିଙ୍କା ଚିକା, ଢିଙ୍କା ଚିକା ଶବ୍ଦ କରି ମୁଟୁରୁ ନନାଙ୍କ ମୋବାଇଲ୍ଟି ବାଜି ଉଠିଲା ।
ମୋବାଇଲ୍ ରିଂ ଟୋନ୍ ଶବ୍ଦରେ ଧ୍ୟାନସ୍ଥ ଅବସ୍ଥାରୁ ଫେରି ଆସିଲେ ମୁଟୁରୁ ନନା । ଫୋନ୍ ଉଠାଇ କହିଲେ : ହ୍ୟାଲୋ…
ଇଆଡେ ଭଗବାନ ମଧ୍ୟ ଫେରିଗଲେ ତାଙ୍କ ଜାଗାକୁ । ଆଉ ଫେରିଲେନି ।