ଏଭିତରେ କିଛି ଦିନ ବିତିଯାଇଥିଲା । ଦିନେ କଲେଜରୁ ଫେରିବା ବେଳେ କଇଁ କଇଁ କାନ୍ଦୁଥିଲା ଉର୍ବଶୀ । ହାତରେ ଥିଲା ସେଦିନ ପାର୍ସଲରେ ଆସିଥିବା ରବିପ୍ରିୟର ବହି ‘ଉର୍ବଶୀର ଗାଁ’ । ବହିକୁ ଛାତିରେ ଜାକି ନେଇ ସାରାରାତି ଲୁହ ଢ଼ାଳିଥିଲା ଉର୍ବଶୀ । ଲୁହର ପ୍ରତି ଟୋପାରେ ଭିଜୁଥିଲା ଜୀବନ ଯନ୍ତ୍ରଣାର ଶବ୍ଦ । ହାତରେ ରବିପ୍ରିୟର ଠିକଣା ଲେଖାଥିବା ପାର୍ସଲ ପ୍ୟାକେଟ ଧରି ଭୋରୁ ବସ୍ ଧରିଲା ଉର୍ବଶୀ ।
ଧୀରେ ଧୀରେ ଅପସରି ଆସୁଥିଲା ଅନ୍ଧାର । ପକ୍ଷୀମାନେ ଉଡ଼ିବା ଆରମ୍ଭ କରି ଦେଇଥିଲେ । ଝାପସା ଦିଶୁଥିଲା ବିଲ, ବଣ, ନଈ, ପାହାଡ଼ ଓ ମେଘର ଦେହ । କାନଭାସ ଉପରେ ଜୀବନ୍ତ ଚିତ୍ର ପରି ମନେ ହେଉଥିଲା ଆକାଶକୁ କୋଳେଇ ନେଇ ବୋକ ଦେଉଥିବା ଦୂର ଦିଗବଳୟର ମୁହଁ । ଦେହରେ ପିଟି ହେଉଥିଲା ଟ୍ରେନ ଭିତରକୁ ଜବରଦସ୍ତ ପଶି ଆସୁଥିବା କୋହଲା ପବନ । ଭିଡ଼ ଭିତରେ ଟିକେ ଆଶ୍ୱସ୍ତି ଲାଗୁଥିଲା । ସାରା ରାତି ପଲକ ପଡ଼ିନଥିବା ଆଖିକୁ ଜାବୁଡ଼ି ଧରିଥିଲା କିଛି ସ୍ପପ୍ନ । ଟ୍ରେନ ଭିତରୁ ଦେଖାଗଲା ପରିଚିତ ରାସ୍ତା । ଉଠି ଛିଡା ହେଲା ରବିପ୍ରିୟ । ମନେ ମନେ ଅନେକ କିଛି ଚିନ୍ତାକଲା । ହଠାତ ନିଷ୍ପତ୍ତି ନେଲା । ତାକୁ ଆଉ ଆଗକୁ ନଯାଇ ଏଇଠି ଓହ୍ଲେଇବାକୁ ହେବ । ଏଇଠୁ ଖୋଜିବା ଆରମ୍ଭ କରିବ ଉର୍ବଶୀ ରହୁଥିବା ଗାଁର ଠିକଣା ।
ଟ୍ରେନରୁ ଓହ୍ଲେଇ ପାଦ ଚଲା ରାସ୍ତାରେ କିଛି ବାଟ ଆସିଲା ରବିପ୍ରିୟ । ତଣ୍ଟି ଶୁଖି ଯାଉଥିଲା । ରାସ୍ତାକଡ଼ ନଳକୂଅରୁ ପେଟେ ପାଣି ପିଇଲା । ଆକାଶକୁ ଚାହିଁଲା । ଭସା ମେଘ ଭିତରେ ଜୀବନ ଚିତ୍ରକୁ ଭଲ ଭାବେ ନିରେଖି ଦେଖିବା ପରେ ଆଗକୁ ପାଦ ବଢ଼େଇଲା । ପିଲାବେଳେ ରଫ ଖାତାରେ ଆଙ୍କିଥିବା ପାହାଡ଼, ସୂର୍ଯ୍ୟ, ଚାଳଘର ଭର୍ତ୍ତି ଗାଁ, ତାଳ ଗଛର ଚିତ୍ର ତାକୁ ନିଜର ନିଜର ଲାଗୁଥିଲା । ସେସବୁ ଏ ଭିତରେ ଜୀବନ୍ୟାସ ପାଇଥିବା ଖୁସିରେ ବିଭୋର ହୋଇ ପଡ଼ିଥିଲା ରବିପ୍ରିୟ । ପକେଟରେ ହାତ ଭର୍ତ୍ତି କଲା । ବାହାରି ଆସିଲା କିଛି ଲୋଚା କୋଚା କାଗଜ । ତା’ ଭିତରେ ସେ ଆଉଥରେ ଖୋଜିଥିଲା ଉର୍ବଶୀର ଚିଠି । ନିର୍ଦ୍ଦିଷ୍ଟ ସେଇ ଗାଁର ଠିକଣା । କାଗଜଗୁଡ଼ାକୁ ଅନେକ ଥର ଏପାଖ ସେପାଖ କରି ଦେଖିଲା । ମିଳିିଲାନି । ଅନ୍ୟମନସ୍କ ହୋଇ ପଡ଼ିଥିଲା । ପ୍ରଚଣ୍ଡ ଖରାରେ ଗମ୍ ଗମ୍ ଝାଳ ତାକୁ ଭିଜେଇ ଦେଇଥିଲା । ଆଉ ଆଗକୁ ପାଦ ବଢ଼େଇବାକୁ ଇଚ୍ଛା ହେଲାନି । ଚାରିଆଡ଼କୁ ଚାହିଁଲା । ପାଖରେ ଗୋଟେ ଜାମୁକୋଳି ଗଛ ଦେଖାଗଲା । ସେଇଠି ଥକା ମେଣ୍ଟାଇବା ପାଇଁ ଶୂନଶାନ ରାସ୍ତାକଡ଼ ଗଛ ଛାଇରେ ବସି ପଡ଼ିଲା । କେତେବେଳେ ଶୋଇପଡ଼ିଛି ତା’ର ମନେନାହିଁ । ଆଖି ଖୋଲିବା ବେଳକୁ ସୂର୍ଯ୍ୟ ଅସ୍ତ ଯାଉଥିଲେ । ଚିହିଁକି ଉଠିଲା । ତରବରରେ ଛିଡ଼ା ହୋଇ ଆଗକୁ ପାଦ ବଢ଼େଇଲା । ଅନ୍ଧାରରେ ଅନେକ ବାଟ ଚାଲିବା ପରେ ଦୂରରୁ ମିଞ୍ଜି ମିଞ୍ଜି ଜଳୁଥିବା ଆଲୁଅ ଦେଖାଗଲା । ପାଖରେ ପହଞ୍ଚିଲା । ବୁଝିଲା ଅଳ୍ପ କେଇଟି ଘର ଥିବା ଏକ ଛୋଟ ଗାଁରେ ସେ ପହଞ୍ଚି ସାରିଛି । ଭାବିଲା ଏଇଠୁ କିଛି ସୁରାକ ମିଳିପାରେ ।
ସାହସ କରି ଆଲୁଅ ଦେଖାଯାଉଥିବା ଘର କବାଟକୁ ଖଡ଼ଖଡ଼ କଲା । କିଛି ଉତ୍ତର ଆସିଲାନି । ଲୋକମାନେ ଶୋଇ ଗଲେଣି ଭାବି ଚାରି ଆଡ଼କୁ ଚାହିଁଲା । ଜନବସତି ଭିତରେ ରାତିଟା ରହି ପୁଣି ସକାଳୁ ଖୋଜିବା ଆରମ୍ଭ କରିବ ଭାବିଲା । ସାମ୍ନାରେ ଥୁଆ ହେଇଥିବା ଶଗଡ଼କୁ ଚାହିଁଲା । ଶଗଡ଼ ଉପରକୁ ଉଠି ବସି ପଡ଼ିଲା । ଆରାମ ଲାଗୁଥିଲା । ଭାବିଲା ରାତିଟା ଶଗଡ଼ ଉପରେ କଟେଇ ହେବ । ରାତି ପାହିଲେ ଗାଁ ଲୋକଙ୍କୁ ଉର୍ବଶୀ ଗାଁର ଠିକଣା ପଚାରି ଆଗକୁ ବଢ଼ିବ ।
ସକାଳ ହେଲା । ଶଗଡ଼ରୁ ଓହ୍ଲେଇ ଗାଁ ଦାଣ୍ଡରେ ଚାଲିବାକୁ ଲାଗିଲା । ଲୋକମାନେ କାନ୍ଧରେ ଝୁଡ଼ି ଫାଉଡ଼ା, କୋଦାଳ ଧରି ଚାଲିଥିଲେ । ରବିପ୍ରିୟ ତାଙ୍କୁ ଯାହା ପଚାରିଲା ସେମାନେ ବୁଝିପାରି ନଥିଲେ । ସକାଳୁ ଚାଲିଥିଲା ଯେ ସଞ୍ଜ ଯାଇ ଅନ୍ଧାର ହେବା ପର୍ଯ୍ୟନ୍ତ କୋଉଠି ବିଶ୍ରାମ ନେଇନଥିଲା । ଆଗରେ କିଛି ଯାନବାହାନ ଚଳାଚଳ କରୁଥିବା ଦୃଶ୍ୟ ହେଲା । ସେଇଠି ପହଞ୍ଚିଲା ରବିପ୍ରିୟ । ଭାବିଲା ହୁଏତ ଏଇଠୁ ମିଳିଯାଇପାରେ ସେ ଖୋଜୁଥିବା ଗାଁର ଠିକଣା । ସାମ୍ନା ଦିଗରୁ କିଛି ବସଯାତ୍ରୀ ଆସୁଥିଲେ । ସାହାସ କରି ପଚାରିବ ଭାବିଲା । ହଠାତ ପଚାରିବାକୁ ଯିବା ବେଳେ ଅଟକି ଗଲା । ଭାବିଲା କ’ଣ ପଚାରିବ ସେ । କୋଉ ଗାଁର ଠିକଣା ପଚାରିବ । ସେ ତ ଗାଁ ନାଁ ମନେ ରଖିନି । ଏଇମିତି ଭାବୁ ଭାବୁ ବାଟୋଇ ସବୁ ତାକୁ ଅତିକ୍ରମ କରି ଚାଲି ଯାଇଥିଲେ । ଦୀର୍ଘଶ୍ୱାସ ଛାଡ଼ିଲା ରିବିପ୍ରିୟ । ବ୍ୟତିବ୍ୟସ୍ତ ଲାଗୁଥିଲା । କୁଆଡେ ଯିବ, କାହାକୁ ପଚାରିବ ଭାବି ଭାବି କିଛି ସମୟ ସେଇଠି ଥମ ହୋଇ ଛିଡା ହୋଇପଡ଼ିଲା । ଆଗରୁ କେହି ଜଣେ ଆସୁଥିବା ଦେଖିଲା । ନିଶ୍ଚୟ ଆଖପାଖ ଗାଁର କେହି ହୋଇଥିବେ ଭାବି ତା ସହ କଥା ହେବାକୁ ନିଷ୍ପତ୍ତି କଲା ।
ଲୋକଟି ପାଖେଇ ଆସିବା ମାତ୍ରେ ତା ସାମ୍ନାକୁ ଚାଲି ଯାଇଥିଲା ରବିପ୍ରିୟ । ସହରରୁ ଆସିଥିବା କହି କଥା ଜମେଇ ଥିଲା । ଲୋକଟି ସେ ଅଞ୍ଚଳ ସମ୍ପର୍କରେ ଅଳ୍ପ କିଛି ସୂଚନା ଦେଇଥିଲା । ରବିପ୍ରିୟ କହିଥିଲା, ସେ ଯେଉଁ ଗାଁକୁ ଯିବା କଥା ସେ ଗାଁର ନା ଭୁଲି ଯାଇଛି । ଏ ଅଞ୍ଚଳରେ କେଉଁ କେଉଁ ଗାଁ ଅଛି ଜାଣିଲେ ସେ ଖୋଜୁଥିବା ଗାଁରେ ପହଞ୍ଚିବା ସହଜ ହେବ । ଲୋକଟି ରବିପ୍ରିୟର ମୁହଁକୁ ଚାହିଁଲା । କଣ ଭାବିଲା କେଜାଣି ପ୍ରାୟ ୨୦/୨୨ଟା ଗାଁର ନା କହି ପକେଇଲା । ଉତ୍ସୁକତାର ସହ ଲୋକଟିର ମୁହଁକୁ ଚାହିଁ ରହିଥିବା ରବିପ୍ରିୟ ନିରାଶରେ ଛନ୍ଦି ହୋଇପଡ଼ିଲା । ନା ସମ୍ଭବ ନୁହେଁ, ଏମିତି ଖୋଜିଲେ କିଛି ଲାଭ ମିଳିବନି । ମିଳିବନି ଉର୍ବଶୀ ରହୁଥିବା ଗାଁର ଠିକଣା । ବରଂ କିଛି ସମୟ ନିରୋଳାରେ ମନେ ପକେଇଲେ ହୁଏତ ମିଳିଯାଇପାରେ ।
ଆଗକୁ ଜୋରରେ ପାଦ ପକେଇ ଚାଲି ଯାଉଥିବା ବାଟୋଇକୁ ଡାକିଥିଲା ରିବିପ୍ରିୟ । କହିଲା, ଏଠି ସେ କାହାକୁ ଚିହ୍ନେନି । ରାତିବି ଅନେକ ହେଲାଣି । ଭୋର ପର୍ଯ୍ୟନ୍ତ କେଉଁଠି ଟିକେ ବିଶ୍ରାମ ନେଇ ପୁଣି ଠିକଣା ଖୋଜିବା ଆରମ୍ଭ କରିବ । ଆଗରେ ଥିବା ମନ୍ଦିର ଆଡ଼କୁ ଆଙ୍ଗୁଳି ଦେଖେଇ ବାଟୋଇ ଜଣକ ଚାଲି ଯାଇଥିଲା । ମନ୍ଦିର ପାଖରେ ପହଞ୍ଚି ଯାଇଥିଲା ରବିପ୍ରିୟ । ସାମ୍ନା ଚଉତରାରେ ବସି ପଡ଼ିଲା । ତାକୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ହେବ । ଠିକଣା ମନେ ପକେଇବାକୁ ଚେଷ୍ଟା କଲା ।
ଆଖି ବୁଜି ପୃଥିବୀର ମାନଚିତ୍ରକୁ ଗୋଟିଏ ପଟୁ ଗଡ଼େଇ ଚାଲିଥିଲା । ସମ୍ନାକୁ ଆସିଲା କିଛି ପରିଚିତ ଅଞ୍ଚଳର ନକ୍ସା । ପାହାଳ, କଟକ, କେନ୍ଦ୍ରାପଡ଼ା ଏଇମିତି କିଛି ଜାଗାର ନାଁ ମନେପଡ଼ୁଥିଲା । ହେଲେ ଆଗରୁ କେବେ ଦେଖିନଥିବା ଗାଁର ନକ୍ସା ଖୋଜି ବାହାର କରିବା ସମ୍ଭବ ନଥିଲା । ଦି ହାତରେ ମୁଣ୍ଡକୁ ଚାପି ଧରି ଅନେକ ସମୟ ଭାବିବାକୁ ଲାଗିଲା । ଏମିତି ବର୍ଷ ବର୍ଷ ଧରି ଚିନ୍ତା କଲେ କିଛି ଲାଭ ହେବନି ଭାବି ଚାଲିବାକୁ ଆରମ୍ଭ କଲା ।
ଏଇମିତି ଚାଲିବା ଓ ଖୋଜିବା ଭିତରେ ଗୋଟିଏ କି ଦୁଇଟି ବର୍ଷ ନୁହେଁ ୩୩ ବର୍ଷ ବିତି ଯାଇଥିଲା । ସେଦିନ ସେ ବିଶ୍ରାମ ନ ନେଇ ଏକା ଝୁଙ୍କରେ ସାରାଦିନ ଚାଲିଥିଲା । ସନ୍ଧ୍ୟା ହେଇ ଆସୁଥିଲା । ରାସ୍ତାରେ ବର୍ଷା ହେଲା । ସମ୍ପୂର୍ଣ୍ଣ ଭିଜି ଯାଇଥିଲା ରବିପ୍ରିୟ । ରାସ୍ତା ପାର ହେବାବେଳେ କେହି ତାକୁ ଡାକୁଥିବା ଶୁଣି ପାରିଲା । ପଛକୁ ବୁଲି ଚାହିଁଲା । ତାକୁ ଅତିକ୍ରମ କରି ଯାଇଥିବା ଲୋକଟି ବାଇକ ବୁଲେଇ ଫେରିଥିଲା ଓ ତା ପାଖରେ ପହଞ୍ଚିଥିଲା । ନମସ୍କାର କଲା । ଚିହ୍ନା ଚିହ୍ନା ଲାଗୁଥିଲେ ବି କେଉଁଠି ଦେଖିଛି ସେ ସବୁ ଠିକ୍ ଭାବେ ମନେ ପକେଇ ପାରୁନଥିଲା ରବିପ୍ରିୟ । ଲୋକଟା ତା ହାତକୁ ଜାବୁଡ଼ି ଧରି ପଚାରିଥିଲା, କଣ ଚିହ୍ନି ପାରୁନାହାନ୍ତି । ଲୋକଟିର ମୁହଁକୁ ବାରମ୍ବାର ଚାହିଁଲା ରବିପ୍ରିୟ । ଶେଷରେ ମନେ ପଡ଼ୁନଥିବା କହି ଚୁପ ରହିଲା ।
ଲୋକଟି ରାସ୍ତାକଡ଼କୁ ଗାଡ଼ି ଗଡ଼େଇ ଗଡ଼େଇ ନେଇ ରଖିଲା । ରବିପ୍ରିୟ ତା ପଛେପଛେ ଗଲା । ବୁଲିପଡ଼ି ଲୋକଟି ନିଜ ପରିଚୟ ଦେଲା । କହିଲା, ମୁଁ ପ୍ରଭାତ । ବାପା ଚାକିରି କରୁଥିଲେ । ଆପଣ ପଢୁଥିବା ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିଲି । ସେତେବେଳକୁ ଆପଣ ସ୍କୁଲ, କଲେଜ ପଢା ସାରି ଟ୍ରେନରେ ଭୁବନେଶ୍ୱର ଯିବା ଆସିବା କରୁଥିଲେ । ରାଧାମୋହନ ସାରଙ୍କ ନିକଟରେ ଟିଉସନ ହେଉଥିଲି । ଷ୍ଟେସନ ପାଖ ଗାଁରେ ରହୁଥିଲି । ମନେ ପକେଇବାକୁ ଚେଷ୍ଟା କଲା ରବିପ୍ରିୟ । ସବୁ ଝାପ୍ସା ଲାଗୁଥିଲା । ପ୍ରଭାତ କହିଲା, ଆସନ୍ତୁ ଆଗରେ · ଟିକେ ପିଇ କଥାହେବା । ପାଖ ଚା ଦୋକାନରେ ପହଞ୍ଚିଲୁ । ଚା ଦୋକାନୀ କହିଲା, ବସନ୍ତୁ ମୁଁ ସ୍ପେଶାଲ · ତିଆରି କରିଦେଉଛି । ରବିପ୍ରିୟ ମନା କଲା । କହିଲା, ନାଇଁ ଆମେ ଏଇଠି ଛିଡ଼ା ହେଇଛୁ ।
ପ୍ରଭାତ ପୁଣି ଆରମ୍ଭ କଲା । ସବୁଦିନ ଲେଭଲ କ୍ରସିଂ ଦେଇ ଯା’ ଆସ କରେ । ଟିଉସନରୁ ଫେରିବା ବେଳେ ଅନେକ ସମୟରେ ଆପଣଙ୍କୁ ହଜାରୀ ଚା ଦୋକାନରେ ବସିଥିବା ଦେଖେ । ଦିନେ ସ୍କୁଲରୁ ଫେରି ଦେଖିଲି ଆମ ଘରେ ଗହଳି ଚହଳି ଜମିଛି । ପାଟିଶୁଣି ଜାଣିଲି ମୋ ମାଉସୀ ଝିଅ ଉର୍ବଶୀ ଅପା ଆସିଛି । ଅପା ଭାରି ମେଳାପୀ । ସେ ଆସିଲେ ଆମ ଘରେ ସମସ୍ତେ ଭାରି ଖୁସି ହୁଅନ୍ତି । ମୋ ପଢ଼ା ଟେବୁଲ ଉପରେ ସେ ତା ଭ୍ୟାନିଟି ଓ କିଛି ବହି ରଖିଥିଲା । ମୋ ବହି ଖାତା ରଖିବାକୁ ଗଲା ବେଳେ ଦେଖିଲି ଉପରେ ଥିବା ବହିରେ ଆପଣଙ୍କ ନାଁ ଲେଖାଥିଲା । ଆପଣ ଲେଖାଲେଖି କରନ୍ତି ଜାଣିଥିଲି । ତେବେ ବହିଟି ଦେଖି ବହୁତ ଖୁସି ହୋଇଥିଲି । ଉର୍ବଶୀ ନା ଶୁଣି ରବିପ୍ରିୟର ମରି ଯାଇଥିବା ମନରେ ଆଶା ସଞ୍ଚାର ହେଇଥିଲା । ଉର୍ବଶୀ ସମ୍ପର୍କରେ ପଚାରିବାକୁ ଯାଉଥିଲା । ରହିଗଲା । ହଠାତ୍ ପଚାରିଲେ ପ୍ରଭାତ କିଛି ଭାବିପାରେ ମନେକରି ଚୁପ ରହିଲା । ପ୍ରଭାତ କ’ଣ କହୁଛି ଶୁଣିବା ପରେ ସେ ପଚାରିବ ଚିନ୍ତା କରି ଅପେକ୍ଷା କଲା ।
ପ୍ରଭାତ କହିଥିଲା । ସେଦିନ ଶନିବାର ଥିଲା । ଖରା ବି ଜୋର ହେଉଥିଲା । ସକାଳୁଆ ସ୍କୁଲରୁ ଫେରି ବାପାଙ୍କ ସହ କିଛି ଖାତା କିଣିବାକୁ ବଜାରକୁ ଯାଇଥିଲି । ଘରକୁ ଆସି ଖାଇବା ପରେ ନିଦ ଲାଗିଯାଇଥିଲା । ଶୋଇ ପଡ଼ିଲି । ସେଦିନ ଉର୍ବଶୀ ଅପା ବି ଆମ ଘରେ ଥିଲା । ଉଠିବା ବେଳକୁ ଟିଉସନ ସମୟ ହେଲାଣି । ଟିଉସନରେ ପହଞ୍ଚିବା ଡେରି ହେବ । ସାର୍ ବିରକ୍ତ ହେଇପାରନ୍ତି । ଲେଭଲ କ୍ରସିଂ ବାଟେ ଗଲେ ଆହୁରି ୧୦ ମିନିଟ ଡେରି ହେବ ଭାବି ରେଳ ଧାରଣା ଡେଇଁ ଚାଲି ଯିବାକୁ ଚିନ୍ତା କଲି । ଟିଉସନରେ ପହଞ୍ଚିବା ଲକ୍ଷ୍ୟ ଥିବାରୁ ଆଉ କୁଆଡ଼େ ନଜର ନଥିଲା । ଦକ୍ଷିଣ ଦିଗରୁ ଟ୍ରେନ ଆସୁଥିବା ଜାଣିପାରିନଥିଲି । ଆଉ କିଛି ମନେ ନଥିଲା । ଆଖି ଖୋଲିବା ବେଳକୁ ଆପଣ ମୋ ସାମ୍ନାରେ ଥିଲେ । ପାଖରେ ଆଉ କିଛି ଲୋକ । ଆପଣ ପଚାରିଥିଲେ ଭଲ ଲାଗୁଛି? ହଁ କରିଥିଲି । ମତେ ସାଙ୍ଗରେ ନେଇ ଆପଣ ଆମ ଘରେ ଛାଡିଥିଲେ । ଉର୍ବଶୀ ଅପା ମୋ ଅବସ୍ଥା ଦେଖି କାନ୍ଦି ପକେଇଥିଲା । ପାପୁଲିରେ ଲୁହ ପୋଛୁ ପୋଛୁ ଆପଣଙ୍କୁ ଧନ୍ୟବାଦ ଦେଇଥିଲା । ଚା ପିଇ ଯିବାକୁ ଆମ ଘରେ ସମସ୍ତେ ଆପଣଙ୍କୁ ଅନୁରୋଧ କରିଥିଲେ । ଆପଣ ମନା କରୁଥିଲେ । ଉର୍ବଶୀ ଅପା ବାଧ୍ୟ କଲା । ଆପଣ ବସିଲେ । ସେ ନିଜେ ଯାଇ ଚା ତିଆରି କରି ଆଣିଲା । ବୋଉ ଏବଂ ସେ ଦୁଇ କପ ଚା ଆଣି ଆସିଲେ । ଗୋଟେ କପ ବୋଉ ଧରିଥିଲା । ଉର୍ବଶୀ ଅପା ଧରିଥିବା ଚା କପ ଆପଣଙ୍କୁ ବଢ଼େଇ ଦେଲା । ଉର୍ବଶୀ ଅପା କହିଲା, ଆପଣଙ୍କ ବହି ବହୁତ ଭଲ ହେଇଛି । ଆପଣ ଟିକେ ହସିଦେଲେ ଓ ଚୁପ ରହିଲେ । ଏବେ ବି ଏସବୁ ମୋର ମନେ ଅଛି । ପରେ ଜାଣିଲି ଟ୍ରେନ ମୁହଁରୁ ଆପଣ ମତେ ବଞ୍ଚେଇଥିଲେ । ସ୍କୁଲ ଯିବା ବେଳେ ସବୁ ଦିନ ଖୋଜିଛି କିନ୍ତୁ ଆପଣଙ୍କୁ ପାଇନି । ତାର କିିଛି ଦିନ ପରେ ବାପାଙ୍କ ବଦଳି ହେଲା । ଆମେ ଚାଲି ଆସିଲୁ । ଆପଣଙ୍କ ସହ ଦେଖା ହୋଇପାରି ନଥିଲା । ଉର୍ବଶୀ ଅପା ସହ ଯେତେବେଳେ ଦେଖା ହୁଏ ସେ ଆପଣଙ୍କ କଥା କୁହେ । ଆପଣଙ୍କୁ ପ୍ରଶଂସା କରେ । ମୋର ସୌଭାଗ୍ୟ ଆଜି ମୁଁ ଆପଣଙ୍କୁ ପାଇଲି । ମୁଁ ଏଇ ପାଖ ଗାଁ ସ୍କୁଲରେ ଅଛି । ଆଗରେ ଘର ଭଡ଼ା ନେଇ ରହୁଛି । ବହୁତ ବର୍ଷ ପରେ ଆପଣଙ୍କ ସହ ଦେଖା ହେଲା । ଆପଣ ମୋ ଜୀବନ ବଞ୍ଚେଇ ଥିଲେ । ମୁଁ ଆପଣଙ୍କ ଋଣ ଶୁଝି ପାରିବିନି କହୁ କହୁ ଲୁହ ଛଳ ଛଳ ହୋଇ ଉଠିଥିଲା ପ୍ରଭାତର ଆଖି ।
ଚା ଦୋକନୀ ଚା ବଢ଼େଇ ଦେଇଥିଲା । ଚା ପିଇ ସାରିବା ପରେ ଯିବାକୁ ଉଦ୍ୟତ ହେଲା ରବିପ୍ରିୟ । କୁଆଡ଼େ ଯିବେ ପଚାରିଲା ପ୍ରଭାତ । ନାଇଁ ଗୋଟେ ଗାଁରେ କାମ ଅଛି, ଯାଉଛି କହିଥିଲା ରବିପ୍ରିୟ । ପ୍ରଭାତ ପଚାରିଥିଲା, ଏଇ ପାଖରେ । ଚୁପ ରହିଲା ରବିପ୍ରିୟ । ପ୍ରଭାତ କହିଲା, ଆଜି ଆପଣ ଆମ ଘରେ ରହି ଯାଆନ୍ତୁ । ସକାଳୁ ମୁଁ ନେଇ ଛାଡ଼ି ଆସିବି । ନାଇଁ ମୁଁ ଚାଲିଯିବି କହିଲା ରବିପ୍ରିୟ । ଡେରି ନକରି ପଚାରିଲା, ପ୍ରଭାତ ତୁମେ ଉର୍ବଶୀ କଥା କହୁଥିଲ । ସେ ଏବେ କେଉଁଠି? ଅପା ଚାକିରି କରିଛି । ତାଙ୍କ ଗାଁ ପାଖ ଗୋଟେ କଲେଜରେ । ଗାଁରୁ ଯିବା ଆସିବା କରୁଛି । ୬/୭ବର୍ଷ ହେଲା ମୁଁ ଏଠିକି ଆସିବା ପରଠୁ ଅପା ସହ ଦେଖା ହେଇନି । ଏଠୁ ଚାରି କିମି ଗଲା ପରେ ଗୋଟେ ଛୋଟ ସହର ପଡ଼ିବ । ସେଠୁ ସକାଳେ କଟକକୁ ଗୋଟେ ବସ ଅଛି । କଟକରେ ଓହ୍ଲେଇ ୨/୩ କିମି ଗଲେ ଅମରନାଥ କଲେଜ । କଲେଜରେ ପଚାରିଦେଲେ ଅପା ଘର ଗାଁକୁ ରାସ୍ତା କହିଦେବେ । ଗାଁ ଶେଷରେ ତା ଘର । ଏକା ନିଃଶ୍ୱାସରେ ସବୁ କହି ଦେଇଥିଲା ପ୍ରଭାତ । ଭାବି ନଥିଲା ସେ ଏତେ କଥା କାହିଁକି ଆଉ କାହାକୁ କହୁଛି । ନିଜର ଭାବି ରବିପ୍ରିୟକୁ ସବୁ କଥା କହି ପକେଇଥିଲା ।
ରବିପ୍ରିୟ ଯିବାକୁ ବାହାରିଲା । ତାର ଲକ୍ଷ୍ୟ ଥିଲା ଉର୍ବଶୀ ଗାଁରେ ପହଞ୍ଚିବ । ପ୍ରଭାତ ଯେତେ ବାଧ୍ୟ କଲା ରହିଲାନି ରବିପ୍ରିୟ । ବସ୍ଷ୍ଟାଣ୍ଡ୍ରେ ପହଞ୍ଚିଲା । ସେଇଠି ରହିଲା । ସକାଳେ ବସ୍ରେ ଉଠିଲା । ପ୍ରଭାତ କହିଥିବା କଲେଜ ତା ପରେ ଉର୍ବଶୀର ଘର ପାଖରେ ପହଞ୍ଚି ସାରିଥିଲା ।
ପାଖାପାଖି ୫ଟା ବାଜିଲାଣି । ଡାକିବ ଡାକିବନି ଚିନ୍ତା କରି ଗେଟ୍ର କଲିଂ ବେଲ ଚିପିଲା । ଭିତରୁ ଚାଲି ଆସୁଥିବା ମହିଳାଙ୍କୁ ଦେଖି ଆନନ୍ଦରେ ବିଭୋର ହୋଇ ପଡ଼ିଥିଲା । ଇଏ ଥିଲା ଉର୍ବଶୀ । ଗେଟ ଖୋଲିଲା ଉର୍ବଶୀ । ରବିପ୍ରିୟ ଲାଜୁଆ ଆଖିରେ ଦେଖୁଥିଲା ଉର୍ବଶୀର ମୁହଁକୁ । କିଛି ବଦଳି ନଥିଲା । କାହାକୁ ଖୋଜୁଛନ୍ତି ଶବ୍ଦରେ ପ୍ରକୃତିସ୍ଥ ହେଲା ରବିପ୍ରିୟ । ଖୁବ ପାଖରେ ଥିଲେ ବି ଉର୍ବଶୀ ତାକୁ ଚିହ୍ନି ପାରୁନଥିବା ବୁଝି ପାରିଲା । କଥା ବଦଳେଇ କହିଲା, ଏଠି ଅଜୟ ବାବୁ ରହନ୍ତି? ନାଁ, ଏଇଟା ଅଜୟ ବାବୁଙ୍କ ଘର ନୁହେଁ । ଆଗରେ ପଚାରନ୍ତୁ । ବିନମ୍ର ଭାବେ ସରି କହି ଏକ ମୁହାଁ ଫେରିଥିଲା ରବିପ୍ରିୟ । ସେଇଠୁ ଫେରିଲା ଯେ ଆଉ ପଛକୁ ଚାହିଁନଥିଲା ।
ଏ ଭିତରେ କିଛି ଦିନ ବିତିଯାଇଥିଲା । ଦିନେ କଲେଜରୁ ଫେରିବା ବେଳେ କଇଁ କଇଁ କାନ୍ଦୁଥିଲା ଉର୍ବଶୀ । ହାତରେ ଥିଲା ସେଦିନ ପାର୍ସଲରେ ଆସିଥିବା ରବିପ୍ରିୟର ବହି ‘ଉର୍ବଶୀର ଗାଁ’ । ବହିକୁ ଛାତିରେ ଜାକି ନେଇ ସାରାରାତି ଲୁହ ଢ଼ାଳିଥିଲା ଉର୍ବଶୀ । ଲୁହର ପ୍ରତି ଟୋପାରେ ଭିଜୁଥିଲା ଜୀବନ ଯନ୍ତ୍ରଣାର ଶବ୍ଦ । ହାତରେ ରବିପ୍ରିୟର ଠିକଣା ଲେଖାଥିବା ପାର୍ସଲ ପ୍ୟାକେଟ ଧରି ଭୋରୁ ବସ୍ ଧରିଲା ଉର୍ବଶୀ ।