ମୂଳ ଊର୍ଦ୍ଦୁ – ଅଜରା ଅସ୍ଗର
“ଏଇଟା କ’ଣ?”? ଆଶ୍ଚର୍ଯ୍ୟ ହୋଇ ସେ ପଚାରିଲା । ‘ନିଜେ ଦେଖ । ଲମ୍ବା ଲମ୍ବା ପାଦ ପକେଇ ଘର ଭିତରକୁ ଆସି, ଅଧୈର୍ଯ୍ୟ ହୋଇ ସେ କାଗଜ ଚିରି ପକାଇଲା- ମଖମଲି ଡବା ଦେଖି ତା’ ମନ ପୁଣି ଥରେ ଖୁସିରେ ନାଚି ଉଠିଲା ଏବଂ ଆଖି ଝଲସେଇ ଦେବା ପରି ସୁନା ଏବଂ ହୀରାର ସେଟ୍ ଏବଂ ହାତ ଭର୍ତ୍ତି ହେବା ପରି ସୁନ୍ଦର ଚକମକିଆ ଚୁଡି ଦେଖି କେତେ ବର୍ଷ ପୂର୍ବର ୱାସିମର କଥା ତା’ କାନରେ ଗୁଞ୍ଜରି ଉଠିଲ- ‘କେତେ ଚୁଡି ତୁମର ଦରକାର?’
ସକାଳୁ ସଞ୍ଜ ହେବା ଯାକେ ବହୁତ ବ୍ୟସ୍ତ ଲାଗେ…
ବେଳେବେଳେ ତ ଘରର ଜଞ୍ଜାଳରେ ବ୍ୟସ୍ତ ରହି ସାରାଦିନଟା ଏମିତି କଟିଯାଏ ଯେ, ଆଖିର ପଲକ ପଡ଼ିଚି କି ନାହିଁ, ଆଖି ଖୋଲିଯାଏ । କିନ୍ତୁ ଏ କଥା ହେଉଥିବା ବେଳେ ଶିରା-ପ୍ରଶିରାରେ ଯୌବନର ରକ୍ତ ଦଉଡ଼ି ବୁଲୁଥିଲା ଏବଂ ସେ ନିଜେ ବି ପରିଶ୍ରମ କରି ହାଲିଆ ହେଉ ନଥିଲା । ମାସକୁ ପଚାଶ, ଷାଠିଏ ଟଙ୍କା ଦେଇ ଚାକରଟିଏ ରଖି ପାରିବାର କ୍ଷମତା ତା’ର ନିଶ୍ଚୟ ଥିଲା, କିନ୍ତୁ ଚାକର ରଖିବା କଥା ସେ ବରାବର ଗଡେଇ ଦେଉଥିଲା । ଚାକର ରଖିବା ପ୍ରଶ୍ନ ଉଠିଲେ ତା’ ଆଖି ଆଗରେ ରୋମାନ ସମୟ ଆସି ଠିଆ ହୋଇଯାଉଥିଲା ଏବଂ ଇତିହାସ ପୃଷ୍ଠାରେ ମାନବିକତାର ଅସହାୟତା ଛଟପଟ ହେଉଥିବାର ଦେଖା ଦେଉଥିଲା । ଶରୀରରେ ଜୀବନ ଥିଲେ, ସାହସ ଚେଙ୍ଗା ଥିଲେ ସିଦ୍ଧାନ୍ତ ଗୃହପାଳିତ ପଶୁ ପରି ମଣିଷର ସେବା କରେ । ତା’ର ସିଦ୍ଧାନ୍ତ ଥିଲା ଦୃଢ଼ ଏବଂ ଅବିଚଳିତ ।
ଟିକେ ଆରାମ କରିବା ପାଇଁ କାହାକୁ ଗୋଲାମ କରିବା କି ପ୍ରକାରର ନ୍ୟାୟ? ଏ କଥା ସେ ବରାବର ଚିନ୍ତା କରୁଥିଲା ଏବଂ କାର୍ଯ୍ୟରେ ପରିଣତ କରୁଥିଲା । ସେତେବେଳକାର ସମୟ ଭଲ ଥିଲା । ମଜଦୁରମାନଙ୍କୁ ଦୁବାଇକୁ ସ୍ମଗଲ କରାଯାଉ ନଥିଲା । ପ୍ରତ୍ୟେକ ଘର ସଫା କରିବା ଥିଲା ମେହେନ୍ତରର ଦାୟିତ୍ୱ । ରାସ୍ତା ଏବଂ ପାର୍କରେ ମଧ୍ୟ କାଠମୁଠାରେ ଲାଗିଥିବା ଲମ୍ବା ଲମ୍ବା ଖଡ଼ିକାର ଝାଡୁ ନେଇ ସଫା କରିବା ପାଇଁ ସକାଳୁ ସକାଳୁ ମଜଦୁର ମୁତୟନ ହୋଇଥିବାର ନଜରରେ ପଡୁଥିଲା । ବାସ୍, ଏତିକି ସେବା ଗ୍ରହଣ କରିବା ବ୍ୟତୀତ ଛୋଟବଡ଼ ସବୁ କାମ ସେ ନିଜେ କରୁଥିଲା । ଓଦା କନାରେ ଘଷି ଘଷି ଘରର ଚଟାଣ ଚକ୍ଚକ୍ କରୁଥିଲା । ପୋଡ଼ା ଇଟାର ଅଗଣା ଧୋଇ ଧୋଇ ସେ ଲାଲ କରି ଦେଇଥିଲା । ଆଉ, ଏମିତିରେ ତ ଦିନ କେତେବେଳେ ବଢ଼ି ବଢ଼ି ବେଳ ଗଡ଼ି ଯାଉଥିଲା, ତାକୁ ଜଣାପଡୁନଥିଲା । ୱାସିମ ସକାଳୁ ଯାଇ ସନ୍ଧ୍ୟା ପରେ ଫେରୁଥିଲା । କିନ୍ତୁ କାର୍ଯ୍ୟବ୍ୟସ୍ତତାର ସିଡିରେ ଚଢ଼ି, ଓହ୍ଲେଇ ଅପେକ୍ଷାର କଷ୍ଟ ବୁଝି ହେଉନଥିଲା ।
ତା’ପରେ ତା’ର ଘରସଂସାର ପ୍ରସାରିତ ହେବାରେ ଲାଗିଲା । ଏକ, ଦୁଇ, ତିନୋଟି ସନ୍ତାନଙ୍କୁ ନେଇ ଘର ପୂରି ଉଠିଲା । ନଣନ୍ଦ ଏବଂ ଦିଅରଙ୍କର ବଡ଼ କ୍ଲାସ୍ ହୋଇଗଲା । ଶାଶୂ, ନଣନ୍ଦମାନେ ଏମିତିରେ ତ ବହୁତ କାମ ଉଠେଇ ଦେଉଥିଲେ । କିନ୍ତୁ ନଣନ୍ଦମାନେ କଲେଜ ଛାଡ଼ି ୟୁନିଭରସିଟିରେ ପହଞ୍ଚିବାବେଳକୁ ଘର କାମ ପାଇଁ ସେମାନଙ୍କୁ ଆଉ ସମୟ ମିଳିଲା ନାହିଁ । ନଖର ପଲିଶ ଖରାପ ହେଇଗଲା । ଅଟା ଚକଟିବା ବେଳେ ଲମ୍ବା ନଖ ଭାଙ୍ଗିଗଲା । ଶାଶୂ ବିଚାରୀ ବୁଢ଼ୀ ହୋଇଯାଇ ସମୟ ସହିତ ତାଳ ଦେଇପାରୁନଥିଲେ । ତା’ କାନ୍ଧରେ କାମର ବୋଝ ବଢ଼ିବାରୁ ସେ ହାଲିଆ ହେବାରେ ଲାଗିଲା ଏବଂ ତା’ର ଦୃଷ୍ଟିକୋଣ ବାହୁନିବାରେ ଲାଗିଲା । ସାହାଯ୍ୟ କରିବା ପାଇଁ ଛୋଟ ପିଲାଟିଏର ଆବଶ୍ୟକତା ଅବଶ୍ୟମ୍ଭାବୀ ହୋଇପଡ଼ିଲା । ଖର୍ଚ୍ଚ ବଢ଼ିବାରୁ ବେଶି ପଇସା ପାଇଁ ୱାସିମକୁ ବେଶି ଖଟିବାକୁ ପଡ଼ିଲା । ସେଥିପାଇଁ ଟୁ୍ୟସନ କରି ଘର ଖର୍ଚ୍ଚରେ ସାହାଯ୍ୟ କରିବାକୁ ସେ ଇଚ୍ଛା ପ୍ରକାଶ କଲା । କିନ୍ତୁ ତା’ ହାତରେ ସମୟ ନଥିଲା ଏବଂ ମନରେ ସାହସ ବି ନଥିଲା । ୱାସିମ ସେ କଥା ଜାଣିଥିଲା । ସେଥିପାଇଁ ସେ କହିଲା- ତୁମେ ଘର ସମ୍ଭାଳୁଚ, ସବୁ କାମ ନିଜେ କରୁଚ । କେତେ ପଇସା ବଞ୍ଚେଇ ପାରୁଚ, ହିସାବ କର । ସେ ଚୁପ୍ ହୋଇଗଲା । ଗୋଟିଏ କାମିଜ୍ ସିଲେଇ କଲେ ହିସାବ କରେ ଯେ, ଦର୍ଜୀ ସିଲେଇ କଲେ କେତେ ପଇସା ନେଇଥାନ୍ତା- କେତେ ପଇସା ବଞ୍ଚିଗଲା?
ସଞ୍ଚୟ ଏବଂ କାମ ଥିଲା ତା’ ଜୀବନର ପରମ ଲକ୍ଷ୍ୟ । ବେଳେବେଳେ ସେ ଭାବେ ଯେ, ମୁଁ ତ ଏମିତି ଗୋଟେ ଜୀବନର ସ୍ୱପ୍ନ କେବେ ଦେଖି ନଥିଲି ! ଜୀବନ ତ ଏସବୁ ସମସ୍ୟାରୁ ଅଲଗା ଆଉ କିଛି ।
କିନ୍ତୁ ସମୟ ଏପରି ନିର୍ଦ୍ଦୟତା ଦେଖାଇଲା ଯେ, ସ୍ୱପ୍ନକୁ ସାକାର କରିବାକୁ ଯାଇ ସେ ଅଧିକରୁ ଅଧିକ ପରିଶ୍ରମ ହିଁ କେବଳ କଲା । ଗୋଟିଏ ସନ୍ତୁଷ୍ଟ ଏବଂ ଆନନ୍ଦଦାୟକ ଜୀବନର ସ୍ୱପ୍ନ । ଭଲ ଖାଇବା, ଭଲ ଘର- ଥିଲା ତା’ର ଆକାଂକ୍ଷା । କିନ୍ତୁ ସେସବୁ ଅସମ୍ଭବ ହୋଇଗଲା । ମହଙ୍ଗା ସମୟ ଯୋଗୁ ଖର୍ଚ୍ଚରେ କାଟ୍ଛାଣ୍ଟ କରିବା ମୁସ୍କିଲ୍ ହୋଇପଡ଼ିଲା । ଖର୍ଚ୍ଚର ଡୋର୍କୁ ଯେତେ ଭିଡେ, ଚେତା ବୁଡେଇ ଦେବା ମହରଗ ସେତିକି କିଳା ଉପାଡି ଦିଏ ଏବଂ ସେ ଷ୍ଟାଟସର ଭ୍ରମର ଧଳା ଚାଦରକୁ ତା’ ଛୋଟିଆ ହାତରେ ଝାଡି ଶୁଖେଇବାର ଚେଷ୍ଟାରେ ଲାଗିଯାଏ ।
ନଣନ୍ଦ ଏବଂ ଦିଅରମାନଙ୍କର ଲୁଗାପଟାର ଚିନ୍ତା । ପଢ଼ିବା ପାଇଁ ୟୁନିଭରସିଟି ଯାଉଚନ୍ତି । ସେମାନଙ୍କ ପାଇଁ ଭଲ ଲୁଗାପଟା ଦରକାର । ଜଣେ ବଡ଼ ସଚ୍ଚୋଟ ସରକାରୀ ଅଫିସରଙ୍କ ଭଉଣୀ, ଭାଇ ଆଉ ସ୍ୱୟଂ ୱାସିମ୍ର ପୋଷାକପତ୍ର ପାଇଁ ତା’ର ନଜର ବେଶି । ୟୁନିଭରସିଟିର ଫେସନ, ବହିପତ୍ରର ଖର୍ଚ୍ଚ ଏବଂ ତା’ପରେ ତା’ ନିଜର ପିଲାମାନେ ବି ସ୍କୁଲ୍ ଯିବା ଆରମ୍ଭ କରିଦେଲେ । ବହି, ଫିସ୍, ଜାମାପଟା, ଅତି ବେଶିରେ ସେ ନିଜର ଖର୍ଚ୍ଚ କମେଇ ପାରିବ । ଅତି କମ୍ ଲୁଗାପଟା, ସିଏ ବି ପୁଣି ଶସ୍ତା । ବଳି ପଡ଼ିଥିବା ଖାଦ୍ୟ ଖାଇଦେବା । ଆଉ ମା’ ଯୋଉ ଥିଲେ, ତାଙ୍କର ଯାହା ଆବଶ୍ୟକତା, ସେ କିଛି ନଥିଲା ପରି । ସମୟର ଚାପ ତଳେ ମୋଡି ମକଚି ହୋଇଯାଉଥିବା ଦୁଇଟି ସ୍ତ୍ରୀଲୋକ- ଜଣେ, ଯିଏ ଜୀବନର ଲମ୍ବା ରାସ୍ତା ପାର କରି ଅନୁଭୂତିର ପେଡ଼ି ପୂରେଇ ବସିଚି, ଆଉ ଜଣେ ଛେଚାକୁଟା ଖାଇବା ପାଇଁ ଅବସ୍ଥାର ଭାଟିରେ ଉତ୍ତପ୍ତ ହେଉଛି, ଦୁଃଖର, କାମନାର ଏବଂ ଉଚ୍ଚ ଆଦର୍ଶର ଖାଲି ମୁଣି କାନ୍ଧରେ ପକେଇ ଆଗାମୀ ଶୁଭଦିନର ପ୍ରତୀକ୍ଷା କରୁଛି ।
ସମୟ ବୋହି ଯାଉଥିଲା । ବୋହିଯିବା, ଆଗେଇଯିବା ତ ତା’ର କାମ । ସମୟ ହେଉଛି ଏକ ନିର୍ଦ୍ଦୟ ବନ୍ଧୁ, ଅବିଶ୍ୱାସୀ ପ୍ରେମିକା, ନିହାତି ନିର୍ଲଜ ସାଥୀ । ସମୟ ସହିତ ତାଳ ଦେବା ପାଇଁ ସେ ଚେଷ୍ଟା କରିଛି । ସେ ଯେତେ ସଞ୍ଚୟ କଲେ ମଧ୍ୟ, କିଛି ନା କିଛି ଖର୍ଚ୍ଚର ସମୟ ପହଞ୍ଚି ଯାଇଛି । ତା’ପରେ ଏମିତି ଅବସ୍ଥା ହୋଇଛି ଯେ, ସଂଚୟ ବୋଲି ଆଉ କିଛି ରହିନାହିଁ । ଖର୍ଚ୍ଚ ଏବଂ ମହରଗ ଅଜଗର ପରି ସବୁ କିଛି ଗିଳି ପକେଇଛି । ବାପା-ମା’ଙ୍କ ପାଖରୁ ଯୌତୁକରେ ଏବଂ ଶାଶୂଘରେ ମୁହଁ ଦେଖାରେ ମିଳିଥିବା ଗହଣାସବୁ ମଧ୍ୟ ଧୀରେ ଧୀରେ ବିକ୍ରି ହେବାକୁ ଆରମ୍ଭ ହୋଇଛି । ପ୍ରଥମେ ଗହଣା ବିକିବାକୁ ଗଲାବେଳକୁ ୱାସିମ୍ ହାରର ଡବାଟି ଧରି ଗୁମ୍ ହୋଇ ବସିଗଲା । ସାନ୍ତ୍ୱନା ଦେବା ପାଇଁ ସେ କହିଲା “ତୁମେ ମନ ଖରାପ କରୁଛ କାହିଁକି? ଏମିତି ସମୟରେ କାମରେ ଲାଗିବା ପାଇଁ ତ ଗହଣା ଥାଏ । ପୁଣି ତିଆରି ହେବ । ଏମିତିରେ ସେଇ ଏକା ଗହଣା ପିନ୍ଧି ପିନ୍ଧି ମତେ ଚିଟା ଲାଗିଲାଣି । ଭଲ ହେଲା, ଏଇ ବାହାନାରେ ଡିଜାଇନ ବଦଳିଯିବ । ନୂଆ କିଣିବି ।”
ୱାସିମ ଟିକିଏ ଆଶ୍ୱସ୍ତ ହେଲା । ବହୁତ ଶୀଘ୍ର ମୁଁ ତୁମ ପାଇଁ ନୂଆ ହାର ତିଆରି କରେଇ ଦେବି । ମୋର କିଛି ଏରିଅର ମିଳିବାର ଅଛି । ସରଳ ଭାବରେ ୱାସିମ ଏ କଥା କହିବାରୁ ସେ ତାକୁ ପ୍ରେମପୂର୍ଣ୍ଣ, କୃତଜ୍ଞତାର ଚାହାଣିରେ ଚାହିଁଲା ।
“ତୁମେ ବଡ଼ ବିଚିତ୍ର ଲୋକ ତ, ଏଇ ସାଧାରଣ କଥା ପାଇଁ ମନ ଖରାପ କରୁଚ?” ହାଲୁକା ଭାବରେ ସେ କହିଲା, ‘ତୁମର ପଇସା ହେଲେ ମୋ ପାଇଁ ନୂଆ ଚୁଡି ତିଆରି କରେଇ ଦେବ ।’ କାଚ ଚୁଡିରେ ଭର୍ତ୍ତି ସୁଢ଼ଳ ହାତଟି ୱାସିମ ସାମ୍ନାରେ ନଚେଇ ନଚେଇ ସେ କହିଲା । ତା’ ହାତ ଧରି ପକେଇ ତାକୁ ନିଜ ଆଡକୁ ଟାଣି ନେଉ ନେଉ ୱାସିମ୍ ପଚାରିଲା- “ତୁମର କେତେ ଚୁଡି ଦରକାର?”
‘ହାତ ଯେମିତି ପୂରିଯିବ, ଏଇଠୁ ଏଇ ପର୍ଯ୍ୟନ୍ତ’… ସମର୍ପଣ ଭାବରେ ଗୋଟିଏ ହାତ ଦ୍ୱାରା ଆର ହାତରେ ସେ ଚିହ୍ନ ଦେଲା । ପ୍ରତ୍ୟେକ ଗହଣା ବିକ୍ରି କରିବା ସମୟରେ ଭୟଙ୍କର ଭାବରେ ଚୁଡି ପିନ୍ଧିବାର ଆଶା ହେଉଥିଲା, କାରଣ ଗହଣା ଭିତରୁ ସେ ସୁନାଚୁଡିକୁ ବହୁତ ପସନ୍ଦ କରୁଥିଲା । କିନ୍ତୁ ତା’ର ମା’ ନିଜ ପସନ୍ଦରେ ଯେମିତି ଜୋଇଁ ଖୋଜିଲା, ଗହଣା ଗଢ଼େଇବା ସମୟରେ ସେମିତି ତା’ର ପସନ୍ଦ ବିଷୟରେ ପଚାରିଲା ମଧ୍ୟ ନାହିଁ । ମା’ ବାଛିଥିବା ଜୋଇଁକୁ ସେ କୌଣସି ପ୍ରକାରେ ଗ୍ରହଣ ତ କରିନେଲା, କିନ୍ତୁ ସୁନାଚୁଡିର କାମନା ତା’ ମନ ଭିତରେ ବରାବର ରହିଗଲା ।
ଛୋଟ ଇଚ୍ଛାଟି ମନ ଭିତରେ ଧୀରେ ଧୀରେ ବଡ଼ ହେଲା ଏବଂ ଘା’ ପାଚିବା ପରି ଭିତରେ ଭିତରେ ଫାଟିଯାଇ ବୋହିଗଲା । ତା’ର ତଫାତ୍ଟା କାହା ଆଖିରେ ପଡ଼ିଲା ଆଉ? ମନ ଭିତରେ ଜମି ରହିଥିବା ଆଘାତକୁ ସେ ସବୁବେଳେ ଯତ୍ନରେ ସାଇତି ଥିଲା ଏବଂ ବର୍ତ୍ତମାନ ବାକ୍ସରେ ରଖାଯାଇଥିବା ଗହଣା କମିକମି ଯେତେବେଳେ ପୂରା ଶେଷ ହୋଇଗଲା, ନଣନ୍ଦ, ଦିଅର ସବୁ ମହୁ ଚୋଷିନେଇ ଫେଣାକୁ ଖାଲି କରିଦେଇ ଯିବା ପରେ ତା’ର ଏବଂ ୱାସିମର ସନ୍ତାନମାନେ ପରମ୍ପରାକୁ ଦୋହରାଉଥିଲେ । ସେ ଦୁଇଜଣ ପୁଣି ଲାଗିପଡ଼ି ଫେଣାରେ ବୁନ୍ଦାଏ ବୁନ୍ଦାଏ କରି ମହୁ ସଞ୍ଚୁଥିଲେ । ପୁଣି ୟୁନିଭରସିଟିର ଖର୍ଚ୍ଚ ଆସିଗଲା । ଭଲ ଲୁଗାପଟାର ଦରକାର ହେଲା । ବହୁତ ବଡ଼ ଷ୍ଟାଟସ୍ର ଭ୍ରମ ରହିଲା । କାନି ଅନୁଭୂତିରେ ଭର୍ତ୍ତି ହୋଇଯାଇଥିଲା । ଆଖିରେ ଥିଲା ଆନନ୍ଦମୟ ସମୟର ପ୍ରତୀକ୍ଷା ଏବଂ ସମୟ ଦଉଡିର ଗୋଟେ ପାଖ ହାତରୁ ଖସି ଖସିଯାଉଥିଲା । ଗୋଟିଏ ଗୋଟିଏ କରି ତିନୋଟି ଝିଅଙ୍କର ବାହାଘର କରିବାର ଥିଲା । ବହୁତ ବଡ଼ ସ୍ୱପ୍ନ ଥିଲା- ମଧୁମୟ ଏବଂ ଲୋଭନୀୟ । ଆଶାର ବିରାଟ ଘେରା ଖେଳାଇ ସେ ଜୀବନ ବିତାଉଥିଲା । ଗୋଟିଏ ଗୋଟିଏ କରି ପଇସା ସଞ୍ଚି ସେ ନୂଆ ଗହଣା ତିଆରି କରେଇଲା । ହାତ ଭର୍ତ୍ତି କରି ନହେଲେ ବି ତିନି ଝିଅଙ୍କ ପାଇଁ ହାତର ଅଧା ଭର୍ତ୍ତି ହେବାପରି ଚୁଡ଼ି ସେ ଗଢ଼େଇ ପାରିଲା ।
ଯୌତୁକରେ ତା’ର ମା’ ତାକୁ ଛ’ପଟ ଚୁଡି ଯଦି ଦେଇଥାନ୍ତେ, ତେବେ ତାର ଆଶା ଅପୂର୍ଣ୍ଣ ରହି ନଥାନ୍ତା । ତା’ ହାତର ରଙ୍ଗବେରଙ୍ଗର କାଚଚୁଡି ଝୁମ୍ଝୁମ୍ କରି ସେ ଭାବୁଥିଲା ବର୍ତ୍ତମାନ ତ ତା’ର ସୁଢ଼ଳ ଗୋରା ହାତ କେବେଠୁ ଝାଉଁଳି ପଡ଼ିଲାଣି ଏବଂ ସମୟ ମଧ୍ୟ ସେ ହାତକୁ ସୁନାଚୁଡି ବିନା ରଖିଦେଇଥିଲା । ସୁନାଚୁଡିର ସ୍ୱପ୍ନ ଦେଖିବାକୁ ତାକୁ ଲାଜ ଲାଗୁଥିଲା ।
ସୁବିଧା ଅସୁବିଧା ଏବଂ କର୍ତ୍ତବ୍ୟର ଘନ ଜଙ୍ଗଲ ଭିତରୁ ସେ ଦୁହେଁ ବାହାରିବା ବେଳକୁ ଜୀବନର ମଧ୍ୟାହ୍ନ ଢଳି ଯାଇଥିଲା । କିନ୍ତୁ ଢଳି ଯାଇଥିବା ମଧ୍ୟାହ୍ନରେ ସନ୍ଧ୍ୟାର ହୃଦୟଗ୍ରାହୀ ଛଟା ବଦଳରେ ରାତିର ଅନ୍ଧାରର ଭୟ ଛାଇ ଯାଇଥିଲା । ପରିପୂର୍ଣ୍ଣ ଘର ବର୍ତ୍ତମାନ ସେ ଦୁଇଟି ଲୋକଙ୍କୁ ନିଜ ଭିତରେ ପୂରେଇ ଏକଲା ହୋଇ ଠିଆ ହୋଇଥିଲା । ରାତିକ ପାଇଁ ବାସ କରିବା ପରେ ଦାନାର ଅନ୍ୱେଷଣରେ ପକ୍ଷୀମାନେ ବସା ଛାଡି ଉଡିଗଲା ପରି ତା’ ବସାରୁ ବି ସବୁ ବାସିନ୍ଦା ଉଡିଯାଇ ଦାନାର ଅନ୍ୱେଷଣରେ କୁଆଡେ କୁଆଡେ ବାହାରି ଯାଇଥିଲେ । ଝିଅମାନେ ନିଜ ନିଜ ଘରର ଦାୟିତ୍ୱ ସମ୍ଭାଳୁଥିଲେ ଏବଂ ପୁଅ ନିଜ ପରିବାର ସହ ବିଦେଶରେ । ଏତେ ଜଲ୍ଦି ଏପରି ଟଣାଓଟରା ଏଇ ଦିନ ପାଇଁ ଥିଲା?
ଅପେକ୍ଷାର ଗୁରୁଭାର ବହନ କରି ସେ ପ୍ରତ୍ୟେକଟି ଶବ୍ଦରେ ୱାସିମକୁ ଅପେକ୍ଷା କରୁଥିଲା । ଅଣାୟତ୍ତ ମନ ବହିରୁ ଆଖି ଉଠେଇ ଗାଡ଼ିର ହର୍ଣ୍ଣକୁ କାନ ଡେରୁଥିଲା । ସମୟ ବିତୁ ନଥିଲା ଯେମିତି ! କେବେ ଦିନେ ବହି ଖଣ୍ଡେ ପଢ଼ିବା ପାଇଁ ସେ ସମୟ ଖୋଜୁଥିଲା ଏବଂ ଆଜି ବହି ତା’ ସାମ୍ନାରେ ମୁହଁ ମେଲାକରି ପଡ଼ିରହିଛି । ତା’ର ମନ ଉଚ୍ଚାଟ ହେଉଥିଲା । ରିଟାୟାରମେଣ୍ଟ ପଇସାରେ ଚେକ୍ ଆଣିବା ପାଇଁ ୱାସିମ୍ ସକାଳେ ଅଫିସ୍ ଯାଇଥିଲେ । ୱାସିମଙ୍କର ଅଫିସ୍କୁ ସେ କେତେଥର ଫୋନ୍ କରି ସାରିଲାଣି । ପ୍ରତ୍ୟେକ ଥର ଏକା ଉତ୍ତର ପାଉଥିଲା- “ସେ ତ ଆଜ୍ଞା ଚାଲିଗଲେଣି ।” ଏଇ ଉତ୍ତର ଶୁଣି ଶୁଣି ମନରେ ହଜାର ରକମ ଖରାପ ଚିନ୍ତା ଦେଖା ଦେଉଥିଲା ।
ସନ୍ଧ୍ୟା ଗଡ଼ିଯିବାରୁ ଆହୁରି ବେଶି ଡର ଲାଗିଲା । ବହିରେ ଲେଖା ହୋଇଥିବା ଶବ୍ଦର ଅର୍ଥ ବୁଝି ହେଲା ନାହିଁ । ମୁଣ୍ଡ ବୁଲେଇଲା । ସେ ଉଠିଯାଇ ଲନରେ ଚାଲବୁଲ କଲା । ନରମ, ଥଣ୍ଡା ଘାସ ପାଦକୁ କୁତୁକୁତୁ କଲା ପରି ଲାଗୁଥିଲା । କିନ୍ତୁ ଭୟଭୀତ ଚଢ଼େଇଟିଏ ପରି ତା’ର ମନ ଜାକିଜୁକି ହୋଇଯାଇଥିଲା । ହଠାତ୍ ହର୍ଣ୍ଣର ଶବ୍ଦ ଶୁଣି ସେ ନିଜେ ଗେଟ ଖୋଲିବାକୁ ଦଉଡି ଗଲା । ୱାସିମ ଠିକ୍ ଥିବାର ଦେଖି, ନିଜର ଭୟଗ୍ରସ୍ତ ମନକୁ ଆକଟ କରି ସେ ପଚାରିଲା- ‘ଏତେ ବେଳଯାଏଁ କୋଉଠି ଥିଲ?’
କିଛି ନକହି କବାଟ ଖୋଲି ୱାସିମ ଗାଡ଼ିରୁ ବାହାରିଲା ଏବଂ ସେହିପରି ଭାବରେ ପଛ କବାଟ ଖୋଲି, କାଗଜରେ ଗୁଡ଼ା ହୋଇଥିବା ଗୋଟିଏ ପୁଡ଼ିଆ ତା’ ହାତରେ ଧରେଇ ଦେଇ କହିଲା, “ହଜୁର୍… ମୋ ଡେରିର କାରଣ ।”
“ଏଇଟା କ’ଣ?”? ଆଶ୍ଚର୍ଯ୍ୟ ହୋଇ ସେ ପଚାରିଲା ।
‘ନିଜେ ଦେଖ ।
ଲମ୍ବା ଲମ୍ବା ପାଦ ପକେଇ ଘର ଭିତରକୁ ଆସି, ଅଧୈର୍ଯ୍ୟ ହୋଇ ସେ କାଗଜ ଚିରି ପକାଇଲା- ମଖମଲି ଡବା ଦେଖି ତା’ ମନ ପୁଣି ଥରେ ଖୁସିରେ ନାଚି ଉଠିଲା ଏବଂ ଆଖି ଝଲସେଇ ଦେବା ପରି ସୁନା ଏବଂ ହୀରାର ସେଟ୍ ଏବଂ ହାତ ଭର୍ତ୍ତି ହେବା ପରି ସୁନ୍ଦର ଚକମକିଆ ଚୁଡି ଦେଖି କେତେ ବର୍ଷ ପୂର୍ବର ୱାସିମର କଥା ତା’ କାନରେ ଗୁଞ୍ଜରି ଉଠିଲ- ‘କେତେ ଚୁଡି ତୁମର ଦରକାର?’
ତା’ ଓଠରେ ହସ ଖେଳିଗଲା । ସେ କିଛି କହିବା ପୂର୍ବରୁ, କିଛି ପଚାରିବା ପୂର୍ବରୁ ଶୁଣି ପାରିଲା- ‘ଶାହୀଦର ଝିଅର ବାହାଘର ଠିକ୍ ହୋଇଗଲା । ସେ ମତେ ଫୋନ୍ରେ କହିଲା ଯେ, ଭାଇ ଭୋଜିଭାତ ଦେବା ବଦଳରେ ତୁମେ ଝିଅ ପାଇଁ ଗହଣା ଆଣିବ । ବାକିସବୁ ମୁଁ କରି ସାରିଛି… ଟାଇର ଗଣ୍ଠି ଢିଲା କରୁକରୁ ୱାସିମ ସାଧାରଣ ଭାବେ କହିଲା- ‘ମୁଁ ଭାବିଲି, ହାତକୁ ପଇସା ଆସିବା ସଙ୍ଗେ ସଙ୍ଗେ ଏ କାମଟା ସାରିଦେବି । ସେଥିପାଇଁ ଡେରି ହୋଇଗଲା ।’
ଏ କଥା ଶୁଣି ତା’ ପାଟିରୁ କଥା ବାହାରିଲା ନାହିଁ । ସେ କ’ଣ କହିବ, କ’ଣ ଶୁଣିବ ବୋଲି ବୁଝିପାରୁନଥିଲା…