ମୁଁ ଏକ ବୁଲା କୁକୁର । ସାଧାରଣତଃ ବୁଲା କୁକୁରର କିଛି ନାଁ ନଥାଏ । ହେଲେ ମୋର ଅଛି । ମୋ ନାଁ ରଜନୀକାନ୍ତ । ବୁଲା କୁକୁରର ଏମିତି ସାହିତ୍ୟ-ଛୁଙ୍କର ନାଁ କେମିତିହେଲା ବୋଲି ଯଦି ଆପଣମାନେ ଭାବୁଥିବେ- ତେବେ ଆପଣଙ୍କୁ କହିଦିଏ- ଏ ନାଁ ମୋତେ ଦେଇଛନ୍ତି ଭରତପୁର ଗାଁର ଏକନମ୍ବର କବି ଭରତ ମଲ୍ଲିକ । ସେ ହେଲା କ’ଣ ନା- ମୁଁ ସେତେବେଳେ ଟିକିଟିଏ ହୋଇଥିଲି । କଳା ମୁସ୍ମୁସ୍ ଚେହେରା ଥିଲା ମୋର । କବି ଭରତ ମଲ୍ଲିକ ସଂଜବେଳେ ଭାଟିରେ ବସି ଦେଶୀ ପାନ କରୁଥିଲେ, ତାଙ୍କ ସହିତ ଆଉ ଚାରି ପାଞ୍ଚ କବି ସାହିତି୍ୟକ ବି ଥିଲେ । ମୁଁ ତାଙ୍କ ପାଦତଳେ ନସର ପସର ହେଲି । ଭାଟିରେ ମଦ ପିଉଥିବା ଲୋକମାନେ ଘରକୁ ଯାଇ କ’ଣ କରୁଥିବେ ସେ ଭିନ୍ନ କଥା, ହେଲେ ଭାଟିରେ ଥିଲାବେଳେ ସେମାନେ ବଡ଼ ଦୟାଳୁ । ସେମାନେ ତାଙ୍କ ଚାଟ୍ରୁ ଆମକୁ ଦିଅନ୍ତି । ସହରର ଦାମିକିଆ ବାର୍ରେ କେହି ବୁଲା କୁକୁରକୁ କିଛି ଦିଏ! ସେଠି ତ ବୁଲାକୁକୁରଙ୍କୁ ପଶିବାକୁ ବି ଦିଅନ୍ତିନି । ହେଟ୍ ହେଟ୍ କରି ଦରୁୱାନ ତଡ଼ିଦିଏ ଦୁଆର ମୁହଁରୁ । ଦେଶୀ ଭାଟିରେ ସେ ସବୁ କଟକଣା କିଛି ନାହିଁ । ସେଠି ଆମର ଅବାଧ ପ୍ରବେଶ । …ତ ମୋତେ ଦେଖି କିଏ ଜଣେ କହିଲା- ହେଇ ବ୍ଲକି…! ତାକୁ ଶୁଣି ଭରତ ମଲ୍ଲିକ ବିଗିଡ଼ି ଯାଇ କହିଲେ- ଆବେ ବିଦେଶୀ କୁକୁରର ଯାହା ବିଦେଶୀ ନାଁ ଦଉଛ- ଦେଶୀ କୁକୁରର ବିଦେଶୀ ନାଁ କାହିଁକି ହେବ? ଆମ ଓଡ଼ିଆ ଭାଷା ସାହିତ୍ୟର ବାରଟା ବଜେଇ ଦଉଛ ଶଳେ । ବ୍ଲାକି ଫ୍ଲାକି ନୁହେଁ । ଏ କୁକୁର ନାଁ ହେବ ରଜନୀକାନ୍ତ । ରଜନୀ ଭଳି କଳା, ତେଣୁ ରଜନୀକାନ୍ତ ।
ଏ ନାଁଟା ଭାଟିରେ ଉପସ୍ଥିତ ସମସ୍ତଙ୍କର ଭାରି ପସନ୍ଦ ହେଲା । ସମସ୍ତେ ମୋତେ ସେଇ ନାଁରେ ଡାକିବାକୁ ଲାଗିଲେ । ଯୋଗକୁ ସେଇବର୍ଷ ଲିଭରରେ ରୋଗ ହୋଇ କବି ଭରତ ମଲ୍ଲିକ ଈଶ୍ୱରଙ୍କ ପାଖକୁ ଚାଲିଗଲେ । ହେଲେ ସେ ଯିବା ପୂର୍ବରୁ ତାଙ୍କ ପାଦତଳେ ଥାଇ ଦେଶଦୁନିଆର ବହୁ କଥା ଜାଣିପାରିଛି ମୁଁ । ତାଙ୍କ ଶୋକସଭାରେ ଏ ନାମକରଣ ଘଟଣା କଥାଟି କହିଲେ ତାଙ୍କ ବନ୍ଧୁ ପ୍ରୀତିମୟ । ସେ ଦିନ ପ୍ରୀତିମୟ ଭରତ ମଲ୍ଲିକଙ୍କ ସହିତ ଭାଟିରେ ଥିଲେ । ଅବଶ୍ୟ ଭାଷଣ ବେଳେ ସେ ଭାଟିରେ ଥିବା କଥାଟି କହିନଥିଲେ । କହିଲେ- ଦିନେ ଗୋଟେ ଜାଗାରେ ବସିଥିଲାବେଳେ… । ତେବେ ସେ ଯାହା ହେଉ, ତା’ପରଠୁଁ ବହୁ ଶୋକସଭାରେ, ବହୁ ସାହିତ୍ୟ ସଭାରେ ଭରତ ମଲ୍ଲିକଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରୀତି ବିଷୟରେ ଲୋକେ ଉଦାହରଣ ଦେବାକୁ ମୋ କଥା କହନ୍ତି । ଏମନ୍ତେ ମୋ ନାଁଟା ଭାରି ଫେମସ୍ ହୋଇଗଲା ।
ଭରତପୁର ବଜାରର ତଳ ସାହିର ଦକ୍ଷିଣ ପଟରେ ମୁଁ ମୋର ପରିବାର ନେଇ ରହେ । ପରିବାର କହିଲେ ମୋ ମା’, ମୋର ଦୁଇ ସ୍ତ୍ରୀ ଆଉ ଛ’ ସନ୍ତାନ । ବମ୍ବେ ହେୟାର କଟିଂ ସେଲୁନ୍ ତଳେ ଆମେ ରାତିରେ ଶୋଉ । ବର୍ଷା ଫର୍ଷା ହେଲେ ଭରତପୁର ଉଚ୍ଚ ପ୍ରାଥମିକ ସ୍କୁଲ ବାରଣ୍ଡାକୁ ଉଠିଯାଉ । ସେଠି ଦିଚାରିଟା ବୁଲା ଗାଈ ବି ରହନ୍ତି । ସେମାନଙ୍କର ଭାରି କଷ୍ଟ । ଦିନସାରା ରାସ୍ତାରେ ବଜାରରେ ବୁଲନ୍ତି । ଏଠି ସେଠି ମୁହଁ ମାରି ଖାଆନ୍ତି । ସଂଜ ବେଳେ ମାଲିକ କ୍ଷୀର ଦେବା ପାଇଁ ଘରକୁ ଡାକିନିଏ । କ୍ଷୀର ନେଇ ସାରିଲା ପରେ ଘରୁ ବାହାର କରିଦିଏ । ସେମାନଙ୍କ ଖାଇବା କଥା ବି ବୁଝେନି । ଭୋକିଲା ପେଟରେ ଗାଈଗୁଡାକ ଭାରି କଷ୍ଟ ପାଆନ୍ତି । ଇଏ କେମିତି କଥା ମୁଁ ବୁଝିପାରେନି । ଗାଈକୁ ସେମାନେ ମା’ ବୋଲି କହନ୍ତି । ମା’ ସହିତ କ’ଣ କେହି ଏମିତି ବ୍ୟବହାର କରେ? ଆମ କୁକୁର ସମାଜରେ ତ କେହି ଏମିତି କରନ୍ତିନି । ଆମ ସମାଜରେ କିନ୍ତୁ ବାପାମାନେ ପୁଅମାନଙ୍କ ସହିତ ବଡ଼ ଖରାପ ବ୍ୟବହାର କରନ୍ତି ।
ଏଇ ଯେମିତି ମୋର ବାପା କିଏ, ମୁଁ ଜାଣିନି । ମୁଁ କେମିତି ବଡ଼ ହେଲି ତାହା ବି ମୋତେ ଠିକ୍ ମାଲୁମ୍ ନାହିଁ । ମୋ ମା’ କହେ, ମୋ ବାପା କୁଆଡ଼େ ବିଦେଶୀ । ବଡ଼ ବଡ଼ ଲୋମ ବାଲା ଉଚ୍ଚା ଚେହେରା । ଉଜ୍ଜ୍ୱଳ ନୀଳ ଆଖି । ବଡ଼ ବଡ଼ କାନ । ଦିନେ ସେ ସନ୍ଧ୍ୟାବେଳେ ବୁଲି ବାହାରିଥିଲା ବେଳେ ମୋ ମା’ର ସୌନ୍ଦର୍ଯ୍ୟରେ ଆସକ୍ତ ହୋଇପଡ଼ିଥିଲେ । ଆଉ ଯୋଗକୁ ସେଇ ସମୟରେ ତାଙ୍କୁ ଯିଏ ବୁଲେଇବାକୁ ଆଣିଥିଲା, ସେ ଆଉ କେଉଁ କାମରେ ବ୍ୟସ୍ତ ହୋଇପଡ଼ିଥିଲା । କୁକୁର ସମାଜରେ ସହବାସ ପାଇଁ ବେଶି ସମୟ ଲାଗେନି । ସହବାସ ପରେ ସେ ତାଙ୍କ ଘରକୁ ଚାଲିଯାଇଥିଲେ । ଥରେ ବି ବୁଲି ଚାହିଁନଥିଲେ ।
ମୁଁ ଜନ୍ମ ହେଲା ପରେ ଦିନେ ମୋ ବାପାଙ୍କୁ ଦେଖିଛି । ସନ୍ଧ୍ୟାବେଳେ ବୁଲି ବାହାରିଥିଲେ । କି ଚାଲି! କି ଚାହାଣି! କି ସମ୍ଭ୍ରାନ୍ତ କଣ୍ଠସ୍ୱର! ମୋ ମା’ ମୋତେ ଦେଖେଇ ଦେଇଥିଲା- ହେଇ ଦେଖ ତୋ ବାପା । ମୁଁ ତାଙ୍କ ପାଖକୁ ଯିବାକୁ ଚାହୁଁଥିଲି । ତାଙ୍କ ସାନ୍ନିଧ୍ୟ ପାଇବାକୁ ଚାହୁଁଥିଲି । ହେଲେ ବାପା ମୋତେ ଚିହ୍ନି ପାରିଲେନି । ତାଙ୍କୁ ନେଇ ଆସିଥିଲା ଯେଉଁ ଲୋକଟି ସେ ମୋତେ ମାରି ଗୋଡେଇଲା । ମୋ ମା’ କହିଲା, କାହିଁକି ଯାଉଛୁ ତାଙ୍କ ପାଖକୁ । ସେ ତ ମୋତେ ଚିହ୍ନି ପାରୁନାହାନ୍ତି, ତୋତେ କ’ଣ ଚିହ୍ନିବେ! ମା’ ଆଖିରେ ଲୁହ ଟୋପା ଚିକ୍ ଚିକ୍ କରୁଥିଲା । ତା’ ପରଠୁଁ ମୁଁ କେବେ ବାପାଙ୍କ ପାଖକୁ ଯିବାର ଚେଷ୍ଟା କରିନି । ସେ ଯଦି ଆମକୁ ଚିହ୍ନୁନାହାନ୍ତି, ଆମେ କାହିଁକି ତାଙ୍କ ପାଖକୁ ଯିବୁ । ରାସ୍ତାରେ ଅଛୁ ବୋଲି କ’ଣ ଆମର ସ୍ୱାଭିମାନ ନାହିଁ!
ମୁଁ ରାଜରାସ୍ତାରେ ବଢ଼ିଛି । ତେବେ ବାପାଙ୍କ ରକ୍ତ ମୋ ଭିତରେ । ତେଣୁ ମୋ’ ଚେହେରାଟା ଟିକେ ଅଲଗା । ମୁଁ ପିଲା ଥିଲାବେଳେ ମୋତେ ଜଣେ ଘରକୁ ରଖିବା ପାଇଁ ନେଇଯାଇଥିଲେ । ବେଶି ଦିନ ସେଠି ମୋତେ ଭଲ ଲାଗିଲାନି । ଖାଇବାକୁ ଦେଉଥିଲେ ଭଲ । ହେଲେ ସେ ଘରର କିଶୋରୀ ଝିଅଟି ମୋତେ ଛାତିରେ ଚାପି ଧରି ଗେଲ କରୁଥିଲା । ମୋତେ ଅଣନିଃଶ୍ୱାସୀ ଲାଗୁଥିଲା । ଦିନେ ସେଠୁ ପଳେଇ ଆସିଲି ଯେ ରାସ୍ତାରେ ହିଁ ରହିଛି । ଏବେ ବେଳେବେଳେ ମୋର ମନେ ହୁଏ, ସେଠି ରହିଯାଇଥିଲେ ବୋଧହୁଏ ଭଲ ହୋଇଥାନ୍ତା । କମସେ କମ୍ ନିୟମିତ ଖାଇବାକୁ ତ ମିଳୁଥାନ୍ତା ।
ଆମେ ବୁଲା କୁକୁରମାନଙ୍କୁ ଖାଇବାକୁ ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । କେତେବେଳେ ବହୁତ ମିଳିଯାଏ, କେତେବେଳେ ମିଳେନି । ବାହାଘର ସିଜନ୍ରେ ବହୁତ ମିଳେ । ଏ ଦେଶରେ ଲୋକେ ବହୁତ ଖାଦ୍ୟ ନଷ୍ଟ କରନ୍ତି । ଗୋଟେ ଦୃଷ୍ଟିରୁ ଦେଖିଲେ ଭଲ କରନ୍ତି । ନହେଲେ ଆମେ କେମିତି ଖାଆନ୍ତୁ । ସେଦିନ ଦେଖିଲା ବେଳକୁ ଦି’ଚାରିଟା ମଣିଷ ପିଲା ବି ଆମ ସହିତ ଅଳିଆ ଗଦାରେ । ସେମାନେ ଆମଠୁଁ ଛଡେଇ ନେଉଥାନ୍ତି । ଗୋଟାକୁ ଦେଲି ପୁଳେ କାମୁଡ଼ି । ଶଳେ, ତମେ ମଣିଷ ହୋଇ ଆମ ଖାଦ୍ୟ କାହିଁକି ଖାଇବ? ତମେ ମଣିଷ ପିଲା । ମଣିଷ ସମାଜରେ ଯାଇ ରୁହ । ଆମ ଖାଦ୍ୟରେ କାହିଁକି ଭାଗ ବସେଇବାକୁ ଚାଲିଆସୁଛ?
ବର୍ଷା ଚାରି ମାସ ଆମେ ଭାରି ହଇରାଣ । ଖାଇବାକୁ ହଇରାଣ । ରହିବାକୁ ହଇରାଣ । ଆଉ କିଛି କିଛି ସମୟରେ ବି ଆମକୁ ଭାରି ତକ୍ଲିଫ୍ ହୁଏ । ଯେମିତି ଧର ଧର୍ମଘଟ, ହରତାଳରେ ବଜାର ହାଟ ବନ୍ଦ ହେଲେ ଆମର ଭାରି ପ୍ରବଲେମ୍ । ଘରେ ପୋଷା କୁକୁରର ତ କିଛି ସମସ୍ୟା ନାହିଁ । ବନ୍ଦ ହେଉ କି ଯାହା ହେଉ- ତାଙ୍କର ହୋଲେ ନା ଢୋଲେ । ହେଲେ ରାସ୍ତାର କୁକୁରମାନେ ତ ବଜାରର ହୋଟେଲ୍ ଉପରେ ନିର୍ଭର ନା! ବନ୍ଦରେ ହୋଟେଲ୍ ବନ୍ଦ । ହୋଟେଲ୍ର କର୍ମଚାରୀମାନେ ଯାହା ଯେମିତି ଭାତ ଡାଲମା କରି ଖାଇବେ- ହେଲେ କୁକୁରମାନେ ଖାଇବେ କ’ଣ? ସେଦିନ ଖାଡ଼ା ଓପାସ । ଯେଉଁମାନେ ବନ୍ଦ କରୁଛନ୍ତି- ସେମାନେ କ’ଣ କୁକୁରମାନଙ୍କ କଥା ବୁଝନ୍ତି । ଦିନରେ ବନ୍ଦ କରି ରାତିରେ ଶଳେ ଚିକେନ୍ ଫଡ଼ିଆ ଟାଣିବେ । ମାଲ୍ ପିଇବେ ।
ଆଉ ଗୋଟେ ସମସ୍ୟା ହେଲା ପୂଜା ପାର୍ବଣରେ । ହୋଲି ହେଉ ବା ଦୀପାବଳୀ- ଲୋକେ ରାସ୍ତାର ବୁଲା କୁକୁର ଆଉ ଗାଈଗୋରୁମାନଙ୍କ ଉପରେ କାହିଁକି ଏତେ ଦାଉ ସାଧନ୍ତି କେଜାଣି! ଏଥର ଦୀପାବଳିରେ ଗୋଟେ ବାତରା ଟୋକା ଆମ ରୂପାର ଲାଞ୍ଜରେ ଗୋଟେ ଝର୍ଝରି ବାଣ ବାନ୍ଧି ଜଳେଇ ଦେଲା ଯେ ରୂପା ଆମର ଧାଇଁ ଧାଇଁ, କାନ୍ଦି କାନ୍ଦି ନୟାନ୍ତ । ଇଆଡ଼େ ନିଅାଁ ଝୁଲ ପଡୁଛି ଉପରେ । ଆଉ ସେ ବାତରା ଟୋକା- ହେଁ ହେଁ ହୋଇ ହସୁଛି । ମୋ ମୁଣ୍ଡକୁ ତ ପିତ୍ତ ଚଢ଼ିଗଲା । ଦେଲି ଶଳାକୁ ପୁଳେ କାମୁଡ଼ି । ମୋ ଜିଭରେ ତା’ର ଲୁଣିଆ ରକ୍ତର ସ୍ୱାଦ ଏବେବି ଲାଗି ରହିଛି । ଶଳାଟା କେଁ କେଁ ହୋଇ ଧାଇଁ ପଳେଇଲା । ନେଇଥିବ ଶଳା ନାହି ମୂଳରେ ଚଉଦ ଇଞ୍ଜେକ୍ସନ । ଆଉ କେବେ କେଉଁ କୁକୁର ଲାଞ୍ଜରେ ଝର୍ଝରି ବାନ୍ଧିବନି । ବେଳେବେଳେ ପ୍ରତିବାଦ ଦରକାର ।
ସେମିତି ହୋଲିରେ ଦଳେ ଟୋକା ମଦ ଭାଙ୍ଗ ପିଇ ଆମକୁ ରଙ୍ଗ ଲଗେଇବାକୁ ଭାରି ଆତୁର ହୋଇ ପଡ଼ନ୍ତି । ରଙ୍ଗର ଉତ୍ସବ ତ- ଗାଈଗୋରୁ କୁକୁର ଛେଳି ସମସ୍ତଙ୍କୁ ରଙ୍ଗିନ କରିଦେବେ । ଆମେ ହେଲୁ କୁକୁର ଜାତି । ଆମେ କ’ଣ ମଣିଷ! ଆମର କ’ଣ ଗାଧୁଆ ଘର ଅଛି? ସାବୁନ ଲଗେଇ ଗାଧୋଇ ପଡ଼ିବୁ ଆଉ ରଙ୍ଗ ଛାଡ଼ିଯିବ! ଆଜିକାଲିକାର ରଙ୍ଗରେ ସବୁ କେମିକାଲ୍ । ସେଗୁଡ଼ାକ ଲାଗି ରହି ଆମ ଦେହ ସାରା ଘା’ ହୋଇଯାଏ । ତାକୁ କିଏ ବୁଝିବ? ଇଏ ଶଳା କ’ଣ ବୁଝନ୍ତି- ଆମର କେତେ କଷ୍ଟ ହୁଏ! ନିଜର ଟିକିଏ ଟିକିଏ ଖୁସି ପାଇଁ ଆମ ଉପରେ କେତେ ଅତ୍ୟାଚାର କରନ୍ତି ଏ ମଣିଷମାନେ!
ସେଥିପାଇଁ ଆମେ ବି ଏଣିକି କିଛିଟା ତେଢ଼ା ହୋଇଛୁ । ନିଛାଟିଆ ରାସ୍ତାରେ ସାଇକଲ ମଟରସାଇକଲ୍ ବାଲାକୁ ଦେଖିଲା ମାତ୍ରେ ଆମେ ତା’ ପଛରେ ଭାଉ ଭାଉ ହୋଇ ଖଣ୍ଡେ ବାଟ ଖେଦିଯାଉ । ସେମାନେ ଇଲୋ ବୋଉଲୋ ବାପାଲୋ ବୋଲି ଧାଇଁ ପଳାନ୍ତି । ମୋତେ ବହୁତ ମଜା ଲାଗେ । କେତେ ମଟରସାଇକଲ୍ବାଲାକୁ ଆମେ ରାସ୍ତାରେ ଗଡେଇ ପକେଇଛୁ । ମଟରସାଇକଲ୍ ପଛରେ ଦି’ଜଣ ଭାଉ ଭାଉ କରି ଧାଇଁଯିବୁ । ଆଉ ଜଣେ ତା’ ସାମ୍ନାରୁ ଚାଲିଆସିବୁ କି ଚକ ଭିତରେ ପଶିଯିବୁ । ଆମ ପାଇଁ ଏବେ ଏଟା ଗୋଟେ ଆଡ୍ଭେଞ୍ଚର ଖେଳ ହୋଇଛି । ମଟରସାଇକଲ୍ ବାଲା ଦୁଲ୍ଦାଲ୍ କଚାଡ଼ି ହୋଇପଡ଼ନ୍ତି । ପଡନ୍ତୁ ଶଳେ । ମରନ୍ତୁ । ଆମକୁ ସେମାନେ ଯେମିତି ହଇରାଣ କରନ୍ତି- ଏଇବାଟେ ଆମେ ତା’ର ପ୍ରତିଶୋଧ ନେଉଛୁ । ଆଉ ଗୋଟେ କଥା ବି ଅଛି ।
ଏଇ ଯେଉଁ କାର୍ ଗୋଟେ ଚାଲିଗଲେ ତା’ ପଛରେ ଆମେ ଭାଉ ଭାଉ ହୋଇ ଦଉଡ଼ିଯାଉ- କାହିଁକି ଯାଉ କହିଲେ? ଆମେ ଜାଣୁ କାର୍ ସହିତ ରେସ୍ରେ ଆମେ ପାରିବୁନି । ହେଲେ ଆମ ଉପସ୍ଥିତିଟା ଜାହିର କରିବାକୁ ଆମେ କାର୍ ପଛରେ ଦଉଡୁ । କାର୍ ବାଲା ଜାଣୁ ଆମେ ଅଛୁ । ଆଉ ଆମେ ଜୋରରେ ଦଉଡ଼ି ପାରୁ । କାମୁଡ଼ି ପାରୁ । କାର୍ ବାଲା ଜାଣୁ ସେ ଜାଗା ଛାଡ଼ି ବାହାରକୁ ଆସିଲେ ଆମ ହାବୁଡ଼ରେ ପଡ଼ିପାରେ । ତା’ ଭିତରେ ଆମ ପ୍ରତି ଗୋଟେ ଭୟ ଥାଉ । ଭୟ ନଥିଲେ ମଣିଷ ଆମକୁ ତୁଚ୍ଛ ବୋଲି ଜ୍ଞାନ କରିବ । ମଣିଷ ବଡ଼ ଇତର ପ୍ରାଣୀ । ଭଲ ପାଇବା ବୁଝେନି । କ୍ଷମତାକୁ ବୁଝେ । ଶକ୍ତିଶାଳୀ ଆଗରେ ମୁଣ୍ଡ ନୁଆଏଁ । ଦୁର୍ବଳ ଉପରେ ହାକିମାତି କରେ । ଭାରି ସ୍ୱାର୍ଥପର । ମଣିଷ ସମାଜରେ ଅନ୍ୟ ଜୀବଜନ୍ତୁ କଥା ବୁଝିବା, ସେମାନଙ୍କୁ ଭଲ ପାଇବା ଲୋକ ବହୁତ କମ୍ ।
ଆଚ୍ଛା, ସମାଜ କଥାରୁ ମନେ ପଡ଼ିଲା, ମଣିଷ ଭଳିଆ ଆମେ ବି ସାମାଜିକ ପ୍ରାଣୀ । ଆମେ ଦଳ ବାନ୍ଧି ରହୁ । ମଣିଷର ଯେମିତି ନିଜ ନିଜର ଗାଁ ଅଛି, ପ୍ରଦେଶ ଅଛି, ଦେଶ ଅଛି ଆମର ବି ନିଜ ନିଜ ଏରିଆ ଅଛି । ଆମ ଏରିଆ ଭିତରେ ଅନ୍ୟ କୁକୁର ପଶିଆସିଲେ ଆମେ ତାତି ଉଠୁ । ଧୁମ୍ ଲଢ଼େଇ ହୁଏ । କାମୁଡ଼ା କାମୁଡ଼ି ହୁଏ । ସେଦିନ ରାତିରେ ଭୋଳୁ ଦଳର କିଛି କୁକୁର ଆମ ଏରିଆର କଲ୍ୟାଣ ମଣ୍ଡପ ପାଖକୁ ଚାଲିଆସିଥିଲେ । ଆମେ ଖେଦିଗଲୁ- ଆମ ଏରିଆର କଲ୍ୟାଣ ମଣ୍ଡପର ମାଲ୍ ତମେ ଖାଇବାକୁ କିଏ! ଏମିତି ଲଢ଼େଇ ଚାଲିଲା ଯେ କିଛି ଲୋକ ଆମକୁ ହେଇ ହୁଇ କଲେ, ଗାଳିଗୁଲଜ କଲେ, ଆମ ଉପରକୁ ଟେକା ପଥର ମାରିଲେ । ଆବେ, ତମେ ଯେତେବେଳେ ଲଢ଼ାଲଢ଼ି ହେଉଛ- ଆମେ କିଛି କହୁଛୁ? ଆମେ ତ ତମଭଳି ହାତ ହତିଆର୍, ଅସ୍ତ୍ରଶସ୍ତ୍ର କିଛି ବ୍ୟବହାର କରୁନା । ନିଜେ ଯାହା କାମୁଡ଼ାକାମୁଡ଼ି ହେଉ । ଆମ ଲଢ଼େଇରେ କିଛି ଖଣ୍ଡିଆଖାବରା ହୁଅନ୍ତି, ତମ ଲଢ଼େଇରେ ତ ଶହ ଶହ ମଣିଷ ମରିଯାଆନ୍ତି ।
ଆଚ୍ଛା, ସେଦିନର ଘଟଣା ପରେ କିଏ ଯାଇ ମୁ୍ୟନିସିପାଲିଟିରେ କମପ୍ଲେନ୍ କଲା ଯେ ମୁ୍ୟନିସିପାଲିଟି ବାଲାଏ ମଝିରେ ଆମକୁ ଧରିବାକୁ ଚେଷ୍ଟା କଲେ । ଏ ସହରରେ କିଛି ପଶୁପ୍ରେମୀ ଅଛନ୍ତି । ସେମାନେ ବେଳେବେଳେ ଆମକୁ ବିସ୍କୁଟ୍ ଫିସ୍କୁଟ୍ ଦିଅନ୍ତି । ଆମକୁ ସାଙ୍ଗରେ ଧରି ଫଟୋ ଉଠାନ୍ତି । ସେମାନେ ଏଥିକୁ ପାଟିତୁଣ୍ଡ କଲେ । ଈଶ୍ୱର ସେ ସ୍ତ୍ରୀଲୋକର ଭଲ କରନ୍ତୁ- କ’ଣ ନାଁ… ହଁ ମେନକା ଗାନ୍ଧି- ଈଶ୍ୱର ତା’ର ଭଲ କରନ୍ତୁ ସେ କ’ଣ ସବୁ ନିୟମ ଫିୟମ କରିଥିଲେ, ସେ କଥା କହି ମୁ୍ୟନିସିପାଲିଟି ବାଲାଙ୍କୁ ଡରେଇଲେ । ସେଠୁ ଆମକୁ ଆଉ କେହି ଧରିଲେନି । ଆମେ ବଡ଼ ଆନନ୍ଦରେ ଥିଲୁ । ଏବେ ଶୁଣୁଛି ଆମର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯିବ । କାହିଁକି? ନା, ସହରରେ ଆମ ସଂଖ୍ୟା କୁଆଡ଼େ ବହୁତ ବଢ଼ିଗଲାଣି । ଆମ ଯୋଗୁଁ ମଣିଷମାନଙ୍କର ବହୁତ ସମସ୍ୟା ହେଉଛି । ଆମ ଯୋଗୁଁ ସହରର ପରିମଳ ବ୍ୟବସ୍ଥା ଖରାପ ହେଉଛି, ଦୁର୍ଘଟଣା ହେଉଛି । ଆରେ ଶଳା, ତମେ ଭଲରେ ଚଳିବ ବୋଲି କ’ଣ ଆମେ ଛୁଆପିଲା ବି ଜନ୍ମ କରିବୁନି? ଏ ପୃଥିବୀକୁ ତୁମେ ପ୍ରଥମେ ଆସିଛ ନା ଆମେ? ଏ ପୃଥିବୀ ଉପରେ ତମର ବେଶି ଅଧିକାର ନା ଆମର?
ଆମ ଏରିଆ ଭିତରକୁ ପୋଷା କୁକୁର ପଶିଆସିଲେ ଆଗେ ଆମେ ଭାରି ଭାଉଭାଉ କରୁଥିଲୁ । ଏବକୁ ଭରତପୁରରେ ପୋଷା କୁକୁର ସଂଖ୍ୟା ଟିକେ ବଢ଼ିଯାଇଛି । ତା’ର ବି ଗୋଟେ କାରଣ ଅଛି । କହୁଛି ।
ପାଞ୍ଚ ସାତ ବର୍ଷ ତଳ କଥା । ଭୋଟ ବେଳ ଆଗତ ହେବାକୁ ଆମ ଅଞ୍ଚଳରେ ଜଣେ ପ୍ରାର୍ଥୀ ଆସି ପହଞ୍ଚିଲେ । ପ୍ରାର୍ଥୀଙ୍କ ମୁହଁରେ ଅମାୟିକ ହସ । କଥାରେ ମହୁ । ଆଖିରେ ଦରଦ । ଲୋକମାନଙ୍କୁ ଦେଖି କହିଲେ, ଆହା, ଆହା, ଆପଣମାନେ କେତେ କଷ୍ଟରେ ଅଛନ୍ତି ସତେ! ଆପଣମାନଙ୍କ ଅବସ୍ଥା ଦେଖି ମୋ ଛାତି ମନ୍ଥି ହୋଇଯାଉଛି । ହୃଦ ଦୁହିଁ ହୋଇଯାଉଛି । ହେଇ ଦେଖନ୍ତୁ ମୋ ଆଖିରେ ଲୁହର ବନ୍ୟା । ଖାସ୍ ଆପଣମାନଙ୍କ ଦୁଃଖ ଦୂର କରିବା ପାଇଁ, ଏ ଅବସ୍ଥା ବଦଳେଇବା ପାଇଁ, ସମାଜକୁ ସୁଧାରିବା ପାଇଁ, ପୃଥିବୀରେ ଏକ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡ଼ିଛି ମୁଁ । ଆପଣମାନଙ୍କ ଶୁଭେଚ୍ଛାକୁ ବାଟର କଉଡ଼ି କରି ନିର୍ବାଚନ ବୈତରଣୀ କୂଳରେ ଆସି ଠିଆ ହୋଇଛି । ମା’ ମାଉସୀ, ବାପା ଭାଇମାନେ ଏଇ ଘାଟଟା ମୋତେ ପାରେଇ ଦିଅନ୍ତୁ । ତା’ପରେ ଦେଖନ୍ତୁ ମୁଁ ଆପଣମାନଙ୍କ ପାଇଁ କ’ଣ କରୁଛି । ଦେଖନ୍ତୁ ଆପଣମାନେ କେମିତି ଘିଅମହୁରେ ଭାସିବେ । ଏ ନିର୍ବାଚନ ମଣ୍ଡଳୀର ତମାମ ଚାଳଘରକୁ ମୁଁ ପଞ୍ଚତାରକା ହୋଟେଲ୍ର କକ୍ଷ କରିଦେବି । ସବୁ ଟୁବି ଗଡ଼ିଆ ହେବ ସୁଇମିଂ ପୁଲ୍ । ପିଇବା ପାଣି ଭାବରେ ଆପଣଙ୍କ ପାଇଁ ମିନେରାଲ ୱାଟରର ବ୍ୟବସ୍ଥା କରିଦେବି ଦୁଇ ଟଙ୍କା କିଲୋରେ ମିଳିବ ଏକ ନମ୍ବର ବାସୁମତୀ ଚାଉଳ, କୋଡିଏ ଟଙ୍କାରେ ସମ୍ବଲପୁରୀ ପାଟ । ଆପଣମାନଙ୍କ ପୁଅଝିଅମାନେ ମୋ ପୁଅଝିଅ ପରି ଇଂଲିସ୍ ମିଡିଅମ୍ ସ୍କୁଲ୍ରେ ପାଠ ପଢ଼ିବେ । ଗ୍ୟାଟ୍ମ୍ୟାଟ୍କ୍ୟାଟ୍ ଶବ୍ଦରେ ମୁଖରିତ ହେବ ଆପଣଙ୍କ ଘର । ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ହନୁଲୁଲୁରୁ ଆସିବେ ବିଜ୍ଞ ଅଧ୍ୟାପକ ମଣ୍ଡଳୀ । ସବୁ ବେକାରଙ୍କୁ ଚାକିର ମିଳିଯିବ, ପୁଣି ଏମିତି ଚାକିରି ଯେଉଁଥିରେ ବିନା କାମରେ ମିଳିବ ମୋଟା ଦରମା । ସବୁ ବାଡୁଅ ଝିଅଙ୍କ ମନଲାଖି ବର ମିଳିଯିବ । ସବୁ ଅପୁତ୍ରିକ ପୁତ୍ରଲାଭ କରିବେ ।
… ମୋତେ ଭୋଟ ଦେଇ ଜିତେଇବାର ପାଞ୍ଚ ବର୍ଷ ଭିତରେ ଏସବୁ କରିବାର ଦୃଢ଼ ପ୍ରତିଶ୍ରୁତି ଦେଉଛି ମୁଁ । ଏସବୁ ଯଦି ମୁଁ ନ କରିପାରେ, ତେବେ ପାଞ୍ଚବର୍ଷ ପରେ ମୋ ନାଁରେ ଆପଣମାନେ ଗୋଟେ କୁକୁର ପାଳିବେ ।
ପାଞ୍ଚ ବର୍ଷ ପରେ ଦେଖାଗଲା ଭରତପୁର ଅଞ୍ଚଳରେ ଲୋକମାନଙ୍କର କୁକୁର ପାଳିବା ସଉକ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ପ୍ରତ୍ୟେକ ଘରେ ଗୋଟେ ଗୋଟେ କୁକୁର ।
ଏ କୁକୁରମାନଙ୍କ ଭିତରୁ ଅଧିକାଂଶ ହେଲେ ବିଦେଶୀ ଜାତିର । ଲୋକେ କାହିଁକି କେଜାଣି ବିଦେଶୀ ଜାତିର କୁକୁର ପୋଷିବାକୁ ବେଶି ଭଲ ପାଆନ୍ତି । ଏଠି ତାଙ୍କର ସ୍ୱଦେଶ ପ୍ରୀତି କୁଆଡ଼େ ଗାଧୋଇବାକୁ ଚାଲିଯାଏ । ଏମାନେ ତ ପୁଣି ଝାଡ଼ାଝପଟ ଯିବେ । ବାହାର ପବନରେ ଟିକେ ବୁଲିବେ! ତେଣୁ ସେମାନଙ୍କୁ ନେଇ ମାଲିକମାନେ ବାହାରକୁ ଆସନ୍ତି । ଆଗରୁ ଆମେ ଏମାନଙ୍କୁ ଦେଖିଲାମାତ୍ରେ ବହୁତ ଭାଉ ଭାଉ କରୁଥିଲୁ । ଏବେ କମ କରୁଛୁ । କାରଣ ଦୁଇଟି । ଏକରେ ତ ଏମାନଙ୍କର ସଂଖ୍ୟା ବହୁତ ବଢ଼ିଲାଣି । କେତେ ଆଉ ଭାଉ ଭାଉ ତଣ୍ଟି ଫଟେଇବୁ । ଆଉ ଦ୍ୱିତୀୟ କାରଣଟା ହେଲା ସେମାନେ ଆସିଲେ ଆମର କିଛି ଲାଭ ହେଉଛି । ଏହାକୁ ଆପଣ କୁକୁର ସମାଜର ବିଶ୍ୱାୟନ ବା ଗ୍ଲୋବାଲାଇଜେସନ୍ ବୋଲି କହିପାରନ୍ତି । ସେମାନେ ଆସିଲେ ଆମେ ପାଞ୍ଚଟା ଦେଶର କୁକୁର-ସଂସ୍କୃତି ବିଷୟରେ ଜାଣୁଛୁ । ବାହାରର ପାଞ୍ଚ କଥା ଜାଣିପାରୁଛୁ । ଯେମିତି ଧରନ୍ତୁ ଆମେ ଆଗରୁ କୁକୁରମାନଙ୍କ ପାଇଁ ଅଲଗା ବିସ୍କୁଟ୍, ଅଲଗା ପାଉଡର, ଅଲଗା ଶ୍ୟାମ୍ପୁ ଅଛି ବୋଲି ଜାଣିନଥିଲୁ । ଏବେ ଜାଣିଲୁ । ସେ ବିସ୍କୁଟ କି ସାବୁନ କି ଶ୍ୟାମ୍ପୁ ଆମେ ପାଇବୁ କି ନ ପାଇବୁ ସେଟା ଅଲଗା କଥା । ଏମିତି ଅଛି ବୋଲି ତ ଜାଣିଲୁ । ଜାଣିଲା ପରେ ସେମିତି କିଛି ଗୋଟେ ପାଇବା ପାଇଁ ଆମର ଇଚ୍ଛା ହବ । ତା’ପରେ ହୁଏତ ଆମେ ତାକୁ ପାଇବାକୁ ଚେଷ୍ଟା କରିବୁ । ସେ ଚେଷ୍ଟାରେ ଦୁଇଟା କଥା ହୋଇପାରେ । ସମଗ୍ର କୁକୁର ସମାଜର ଭଲ ହୋଇପାରେ । ଆମେ ସମସ୍ତେ ତାହା ପାଇପାରୁ କିମ୍ବା କେତୋଟି ନିର୍ଦ୍ଦିଷ୍ଟ କୁକୁର ତାହା ପାଇଚାଲିବେ । ଅନ୍ୟମାନେ ତାକୁ ଈର୍ଷା କରିବେ । କୁକୁର ସମାଜରେ ସାମ୍ୟ ପାଇଁ ଏକ ଆନେ୍ଦାଳନ ହେବ । ପ୍ରତ୍ୟେକ ଆନେ୍ଦାଳନ ଏକ ମନ୍ଥନ । ଏ ମନ୍ଥନ ହୁଏତ କୁକୁର ସମାଜ ପାଇଁ ସାମଗ୍ରିକ ଭାବେ ଶୁଭଙ୍କର ହେବ । ହୁଏତ ବୁଲା କୁକୁରର ଜୀବନର ସ୍ତର ବି ବଢ଼ିବ ।
ସେଦିନ ଜଣେ କହୁଥିଲେ, ବୁଲା କୁକୁର ଜୀବନର କ’ଣ ମାନେ ଅଛି? ରାସ୍ତାରେ ଜନ୍ମ, ରାସ୍ତାରେ ଜୀବନ, ରାସ୍ତାରେ ହିଁ ସହବାସ- ପରବର୍ତ୍ତୀ ଜୀବନର ଆରମ୍ଭ, ପୁଣି ରାସ୍ତାରେ ହିଁ ଗାଡ଼ିତଳେ ଚାପା ପଡ଼ି କେଉଁଦିନ ମୃତୁ୍ୟ । କଥାଟା ସେ ଖୁବ୍ ମିଛ କହିନି । ବୁଲାକୁକୁରର ଜୀବନର, ମୋ ଜୀବନର କିଛି ମାନେ ଅଛି, କହୁନାହାନ୍ତି! ତଥାପି ମୁଁ ବଞ୍ଚିଛି । ବଞ୍ଚିଛି, କାରଣ ମୋତେ ବଞ୍ଚିବାକୁ ଭଲ ଲାଗୁଛି । ବଞ୍ଚିବାରେ ଗୋଟେ ମଜା ଅଛି । ଏଇ ଯେ ମୁଁ ପ୍ରଶ୍ୱାସ ନେଉଛି, ଚାରିପଟର ଦୃଶ୍ୟ ଦେଖିପାରୁଛି, ନାନା ପ୍ରକାର ଖାଦ୍ୟ ଖାଇପାରୁଛି, ବାସ୍ନା ନେଇପାରୁଛି, ଶବ୍ଦ ଶୁଣିପାରୁଛି, ସହବାସ କରିପାରୁଛି- ଏସବୁଥିରେ ଗୋଟେ ମଜା ଅଛି । ମୋର ଗୋଟେ ଦଳ ଅଛି । ମୁଁ ସେମାନଙ୍କର ନେତା । ମୁଁ ଯାହା କହିବି ସେମାନେ କରିବେ । ମୋ ସମାଜରେ ମୋର ଗୋଟେ ମାନ୍ୟତା ଅଛି । ସମ୍ମାନ ଅଛି । ଶକ୍ତି ଅଛି । ଯେଉଁ ସ୍ତରର ହେଉ ନା କାହିଁକି- ଶକ୍ତି, ସମ୍ମାନର ଗୋଟେ ନିଶା ଅଛି । ମିଳିଲେ ଭଲ ଲାଗେ । ନିଜକୁ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ଜୀବନର ଗୋଟେ ମାନେ ଅଛି ବୋଲି ମନେ ହୁଏ ବା କୁହନ୍ତୁ ମାନେ ଗୋଟେ ତିଆରି କରି ନେଇ ହୁଏ । ଏସବୁ ଛାଡ଼ି ଯିବାକୁ ମୋର ଜମା ଇଚ୍ଛା ନାହିଁ । ମଣିଷ ତୁଳନାରେ କୁକୁରର ଜୀବନ ବହୁତ ଛୋଟ । ରାସ୍ତାର କୁକୁର ଜୀବନ ତ ମୋଟେ ୧୨-୧୩ ବର୍ଷ । ଏତିକି ଜୀବନକୁ ଭରପୂର ଭାବେ ଜୀଇଁବାକୁ ଇଚ୍ଛା ମୋର ।