ସହରର ମଧ୍ୟଭାଗରେ ଥିବା ମାର୍କେଟ ବିଲ୍ଡିଂ ସାମ୍ନାରେ ଥିବା ତିନିକୋଣିଆ ପାର୍କଟାକୁ ପୁନରୁଦ୍ଧାର କରାଯାଇ ତା’ ଭିତରେ ସ୍ଥାପନ କରାଯାଇଥିଲା ଏକ ବିରାଟ ବ୍ରୋଞ୍ଚ ମୂର୍ତ୍ତି । ଧଳାକନା ଓ ଜରିରେ ସଂପୂର୍ଣ୍ଣ ମୂର୍ତ୍ତିଟାକୁ ଢଙ୍କା ଯାଇ ରଖାଯାଇଥିଲା ।
କାରଣ…….
ହାଇକୋର୍ଟର ରହିତାଦେଶ ଯୋଗୁଁ ପ୍ରତିମୂର୍ତ୍ତିଟି ଉନ୍ମୋଚନ କରିପାରିନଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ।
ଭାଗ୍ୟର ବିଡମ୍ବନା କହିବାକୁ ହେବ, ନଚେତ୍ ଖରାପ ଗ୍ରହର ପ୍ରଭାବ ପଡିଥିବ ନିଶ୍ଚିତ । ନହେଲେ ରାଜ୍ୟ ଭିତରେ ନିଜର ଏତେ ଗୁଡିଏ ପ୍ରତିମୂର୍ତ୍ତି ଉନ୍ମୋଚନ କରିସାରିଲା ପରେ ଏଇ ଗୋଟିକ କେମିତି ବାଦ୍ ପଡି ରହିଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ହାତରୁ ? ବିରୋଧୀ ଦଳଙ୍କ ଚକ୍ରାନ୍ତ ବୋଲି ପଞ୍ଝାଏ ଚାମ୍ଚା କହୁଛନ୍ତି । ତେବେ ସେ ଯାହାହେଉ, ସହରର ସବୁଲୋକ ଊଣା ଅଧିକେ ଜାଣି ସାରିଲେଣି ଯେ ଆବରଣ ଭିତରେ ଥିବା ମୂର୍ତ୍ତିଟି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କର ।
ସାମାଜିକ ପ୍ରହସନ କୁହନ୍ତୁ ବା ନେତାଙ୍କ ଜିଦ୍ଖୋର ମନୋଭାବ କୁହନ୍ତୁ ଖାଲି ଏ ପ୍ରତିମୂର୍ତ୍ତି ସ୍ଥାପନା ପ୍ରତିଯୋଗିତା କେବଳ ଏ ରାଜ୍ୟ ନୁହେଁ, ବରଂ ଅନ୍ୟ କେତେ ରାଜ୍ୟରେ ମଧ୍ୟ ଦେଖାଦେଇଛି । କିଏ କହୁଛି ଏହା ଏକ ଡିଆଁ ରୋଗ ।
କେଉଁ ଏକ ପ୍ରଦେଶର ମହିଳା ମୁଖ୍ୟମନ୍ତ୍ରୀ କାଳେ ନିଜର ହଜାର ହଜାର ମୂର୍ତ୍ତି ତିଆରି କରାଇଛନ୍ତି । ଖବରଟା କେତେ ସତ୍ୟ ତାହା ଭଗବାନ ଜାଣନ୍ତି । କିନ୍ତୁ ନେତାମାନଙ୍କର ଆତ୍ମପ୍ରୀତି ଏବଂ ନିଜକୁ ଅମର କରିବାର ଦୁର୍ବାର ଇଚ୍ଛା ଯେ ନିଚ୍ଛକ ସତ୍ୟ, ଏହାର ଦ୍ୱିରୁକ୍ତି ନାହିଁ ।
କିଏ ଜାଣେ କ୍ଷମତା କେତେବେଳେ ହାତରୁ ଖସିଯିବ ! ତା’ ଆଗରୁ ନିଜର ମୂର୍ତ୍ତିଗୁଡାକ ସ୍ଥାପନ କରିଦେଲେ, ଯୁଗ ଯୁଗକୁ ନିଜର ନାଁ ରହିଯିବ ଏବଂ ପୁରୀ, କୋଣାର୍କ ମନ୍ଦିର ପରି ଭବିଷ୍ୟତରେ ଏଗୁଡାକ ବି ଦର୍ଶନୀୟ ଜିନିଷରେ ପରିଣତ ହୋଇଯାଇପାରନ୍ତି । ତା’ଛଡା ହାତରୁ ଅବା କ’ଣ ଯାଉଛି? ଜନତା ଜନାର୍ଦ୍ଦନଙ୍କ ପଇସା ଗଲେ ଯାଉ ।
ନେତାଙ୍କର କ’ଣ ଅସୁବିଧା ?
କିନ୍ତୁ ଯେତେ ସାବଧାନରେ ଚାଲିଲେ ସୁଦ୍ଧା, ମଣିଷ ଝୁଣ୍ଟିପଡି ଆଘାତପାଏ, ଠିକ୍ ସେମିତି ଆଖି ବୁଜି କ୍ଷୀର ପିଇବାରେ ଅଭ୍ୟସ୍ତ ଥିବା ବିଲେଇ ଗରମ ଦୁଧରେ ମୁହଁ ବୁଡାଇ ଅସୁବିଧାର ସମ୍ମୁଖୀନ ହୁଏ, ଠିକ୍ ସେମିତି ସହରର ନାଗରିକ ସୁରକ୍ଷା ମଞ୍ଚ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଦେଇଥିବାରୁ ଶାସକ ଦଳଙ୍କ ଅବସ୍ଥା ସେଭଳି ହୋଇଥିଲା ।
ବାସ୍, ଏଇ ବଡ ମୂର୍ତ୍ତିଟାର ମୁହଁ ଆଉ ଖୋଲା ହୋଇପାରିଲାନି । ସରକାର କେଉଁଠୁ ପଇସା ଆଣି ମୂର୍ତ୍ତିଗୁଡାକ ତିଆରି କରୁଛନ୍ତି ତା’ ପାଇଁ ଏକ ଯାଞ୍ଚ କମିଶନ ବସାଗଲା, କୋର୍ଟର ନିଦେ୍ର୍ଦଶ ଅନୁସାରେ ।
ସରକାରୀ ନେତାମାନେ ବାହାସ୍ଫୋଟ ମାରୁଥିଲେ, କେତେ କମିଶନ୍ ଆସିଲେଣି ଓ ଗଲେଣି । ଯେଉଁ କଥାକୁ ସେଇ କଥା । ମୁଖ୍ୟମନ୍ତ୍ରୀଙ୍କର ଯେତେ ପଇସା ସେଥିରେ ରାଜ୍ୟସାରା ମୂର୍ତ୍ତି ବସାଇ ଦେଇପାରିବେ ।
ଜନସାଧାରଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉନଥିଲେ । କାରଣ ଯେଉଁ ପରିମାଣର ଖଣିଜ ପଦାର୍ଥ ବାହାର ଦେଶକୁ ଚୋରାରେ ପଠାଇ ଦିଆଯାଉଛି । କେଉଁଦିନ ଏ ସମଗ୍ର ରାଜ୍ୟ ପାତାଳଗାମୀ ହୋଇଯିବ ସେକଥା କିଏ କହିପାରିବ ? କିନ୍ତୁ ନେତାଙ୍କ ବ୍ୟାଙ୍କ ଓ ସୁଇସ୍ବ୍ୟାଙ୍କ ଆକାଉଣ୍ଟ ଖାଲି ବଢୁଛି । ନେତାଙ୍କର କ’ଣ ଯାଏ ? ବାୟା ଚଢେଇର କି ଯାଏ, ବା’ କରିଥାଏ ବସା ଦୋହଲୁଥାଏ ।
କିନ୍ତୁ ହଠାତ୍ ଏକ ଦୁଃସମ୍ବାଦ ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କର ଅକାଳମୃତୁ୍ୟ… ସମଗ୍ର ରାଜ୍ୟ ଦୁଃଖରେ ମି୍ରୟମାଣ ହୋଇପଡିଥିଲା । ତେବେ ମାତ୍ର କିଛିଦିନ ପାଇଁ ।
ପୁଣି ସବୁ ସ୍ୱାଭାବିକ ହୋଇଯାଇଥିଲା ଏବଂ କ୍ଷମତା କନ୍ଦଳ ପୁଣି ଏକ ଭିନ୍ନ ମୋଡ ନେଇଥିଲା ।
ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ? ସ୍ୱର୍ଗତ ମୁଖ୍ୟମନ୍ତ୍ରୀଙ୍କ ପୁଅ ନା ରାଜ୍ୟର ପୁରୁଣା ନେତା? ସମବେଦନାର ଢେଉ ମୁଖ୍ୟମନ୍ତ୍ରୀଙ୍କ ପୁଅ ଆଡକୁ ହିଁ ଇସାରା କରୁଥିଲା । ହେଲେ ରାଜନୀତିରେ ସେ ହେଲେ ପୂରା ନୂଆ ଖେଳାଳି । ଦେଶ, ବିଦେଶରେ ବେପାର ସିନା ମେଲାଇ ବସିଛନ୍ତି, ବାପା ସିନା ଟାଣୁଆ ନେତା ଥିଲେ ବୋଲି ଦଳର ଭିତିରି ଗୁମର ସବୁ ଦବାଇ ରଖିଥିଲେ । ଏବେ ଦଳର ଫାଟ ସର୍ବସାଧାରଣ ହୋଇଯାଇଥିଲା ।
ଲୋକେ ଫୁସୁରୁଫାସର ହେଉଥିଲେ ।
ବାପର ଅନ୍ତିମ କି୍ରୟା ଛାଡି ପୁଅ ଯାଇ ଦିଲ୍ଲୀରେ?
ଅନ୍ତେଷ୍ଟିକ୍ରିୟା କର୍ମ ଅପେକ୍ଷା କରିପାରେ, କିନ୍ତୁ ମୁଖ୍ୟମନ୍ତ୍ରୀ ପଦବୀ ବୋଧେ ନୁହେଁ ।
ସବୁ ମନ୍ତ୍ରଣା ଯନ୍ତ୍ରଣା, କଳ୍ପନାକୁ ପଛରେ ପକାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଗୃହମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ ଦଳର ହାଇକମାଣ୍ଡ ଏବଂ ଦଳୀୟ ନେତାମାନେ । କାରଣ ଆଗକୁ ନିର୍ବାଚନ ଆସୁଛି ।
ଏ କଷିନେତା କ’ଣ ନିର୍ବାଚନ ମଙ୍ଗ ସଜାଡି ପାରିବ? ଦଳକୁ ଜିତାଇ ପାରିବ? ଭିତରେ ଭିତରେ ଦଳ ବିଭାଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ଯୁବନେତାଙ୍କ ଆଶା ଧୂଳିସାତ୍ ହୋଇଥିଲା । ଆରମ୍ଭ କରିଦେଇଥିଲେ ଜନସଚେତନା ଯାତ୍ରା ଓ ଶାନ୍ତି ପଦଯାତ୍ରା । ପଥପ୍ରାନ୍ତ ଭାଷଣ ସାଙ୍ଗକୁ ସ୍ୱର୍ଗତ ପିତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରିବାରେ ଲାଗି ପଡିଥିଲେ । କିନ୍ତୁ ସହରର ମଝିରେ ଥିବା ସେଇ ବିରାଟ ବଡ ମୂର୍ତ୍ତିଟା ସେମିତି ଠିଆ ହୋଇଥିଲା ଖରା, ବର୍ଷା, କାକର ଖାଇ, ରାସ୍ତାକଡ ଗଛଟା ଭଳି ।
ପବନରେ ମୂର୍ତ୍ତି ଉପରେ ଘୋଡା ହୋଇଥିବା କନା ଓ ପଲିଥିନ୍ ଜରି ଫର୍ଫର୍ ହୋଇ ଉଡି ଏକ ଅଦ୍ଭୁତ ଗୁଞ୍ଜରଣ ସୃଷ୍ଟି କରୁଥିଲା ବାତାବରଣରେ । ଦୂରରୁ ଲାଗେ ସତେ ଯେମିତି ପାଳଭୂତଟାଏ ଠିଆ ହୋଇଛି ବିଲ ମଝିରେ ।
ଦଳୀୟ କନ୍ଦଳ ଏକ ନାଟକୀୟ ମୋଡନେଲା, ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁତ୍ରଙ୍କୁ ସିବିଆଇ ଆରେଷ୍ଟ କରି ଜେଲରେ ଭର୍ତ୍ତିକଲା ।
ପୁରୁଣା ମୂର୍ତ୍ତିଗୁଡାକ ଭିତରେ ରହିଥିଲା ପୁରୁଣା ଲେଖକ, ଜାତୀୟ ସଂଗ୍ରାମରେ ଝାସ ଦେଇଥିବା ପୁରୁଖା ଜନନାୟକ ଏବଂ ଦେଶର ଅତି କିଛି ପରିଚିତ ମୁଁହ । କିନ୍ତୁ ଏମାନଙ୍କ ମୂର୍ତ୍ତି ସ୍ଥାପନ କଲେ କ’ଣ ଲାଭ ମିଳିବ? କ୍ଷମତାରେ ଥିବା ନେତାଙ୍କ ମୂର୍ତ୍ତି ସ୍ଥାପନ କଲେ ବରଂ ଲାଭ ମିଳିବ ? କ୍ଷମତାରେ ଥିବା ନେତାଙ୍କ ମୂର୍ତ୍ତିସ୍ଥାପନ କରି ବାବୁମାନଙ୍କ ପକେଟ୍ ଗରମ୍, ପଦୋନ୍ନତି, ଭିଜିଲାନ୍ସ କେସ୍ରୁ ମୁକ୍ତି… ଇତ୍ୟାଦି ଇତ୍ୟାଦି । ଏ ପୁରୁଣା ଦେଶନାୟକମାନଙ୍କୁ କିଏ ପଚାରେ ? ସେଇଥିପାଇଁ ଏ ମୂର୍ତ୍ତିଗୁଡାକ ଅଲୋଡା ହୋଇପଡିଛନ୍ତି ।
ଆୟଠାରୁ ଅଧିକ ସମ୍ପତ୍ତି, ପ୍ରଚୁର କଳାଧନ ଠୁଳ ଅଭିଯୋଗ ତଥା ବିନା ଲାଇସେନ୍ସରେ ପ୍ରଚୁର ପରିମାଣରେ ଖଣିଜ ପଦାର୍ଥ ରପ୍ତାନି ଇତ୍ୟାଦି ଅଭିଯୋଗରେ । ରାଜ୍ୟବାସୀ କୁହାକୁହି ହେଉଥିଲେ, ଯଦି ଏମିତି ଚାଲେ, ତେବେ ଅସାଧୁ ନେତାମାନଙ୍କୁ ରଖିବା ପାଇବା ପାଇଁ ସରକାରଙ୍କୁ ଲକ୍ଷ ଲକ୍ଷ ନୂଆ ଜେଲ୍ ତିଆରି କରିବାକୁ ପଡିବ ।
ହାଇକୋର୍ଟ ରାୟ ଦେଇ ଦେଇଥିଲେ । ଆସନ୍ତା ୩୦ ଦିନ ଭିତରେ ସହର ମଝିରେ ଥିବା ମୂର୍ତ୍ତିଟିକୁ ଉନ୍ମୋଚନ କରିଦେବା ପାଇଁ ।
କିନ୍ତୁ ବିଲେଇ ବେକରେ ଘଣ୍ଟି କିଏ ବାନ୍ଧିବ? ପୂର୍ବତନ ସ୍ୱର୍ଗତ ମୁଖ୍ୟମନ୍ତ୍ରୀଙ୍କ ମୂର୍ତ୍ତି? ସମସ୍ତେ ଜାଣନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ, ତାଙ୍କ ସ୍ୱର୍ଗତ ନେତାଙ୍କ ଗୁଣମଣି ପୁତ୍ରଙ୍କ ଉପରେ ଖପ୍ପା । ତା’ଛଡା ଆଗରୁ ମଧ୍ୟ ତାଙ୍କର ସଂପର୍କ ଭଲ ନଥିଲା । ଦଳ ଭିତରେ ସେ ହିଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧୀ ଭାବେ ଜଣାଶୁଣା ଥିଲେ ।
ତେଣୁ ସ୍ଥାନୀୟ ନେତାମାନେ ସେହି ମୂର୍ତ୍ତିକୁ ଉନ୍ମୋଚନ କରିବା ପାଇଁ ସାହସ କରୁନଥିଲେ । କିଏ ଅପ୍ରିୟ ହେବ ମୁଖ୍ୟମନ୍ତ୍ରୀଙ୍କର !
ଇୟାଡେ ସହରର ମେୟର, ଜିଲ୍ଲାପାଳଙ୍କର ଭାଳେଣି ପଡିଲାଣି । ମନ୍ଦିରରେ ଠାକୁରଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବା ସହଜ, ନେତାଙ୍କର ନୁହେଁ ।
ଏକ ବୈଠକରେ ସିଦ୍ଧାନ୍ତ ନିଆଗଲା ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ । ସମସ୍ତେ ସମ୍ମତ୍ତି ଦେଲେ । ମୂର୍ତ୍ତିକାରଙ୍କୁ ଡକାଯାଇ ବିଚାର ଶୁଣାଇ ଦିଆଗଲା । କିନ୍ତୁ ଏତେ କମ୍ ଦିନରେ ଏହା ସମ୍ଭବ ନୁହେଁ ବୋଲି ମୂର୍ତ୍ତିକାର ରୋକ୍ଠୋକ୍ ଶୁଣାଇ ଦେଲେ । ତା’ଛଡା ନୂଆ ମୁଖ୍ୟମନ୍ତ୍ରୀଙ୍କ ଆଗରୁ କୌଣସି ପ୍ରତିମୂର୍ତ୍ତି ସେ ତିଆରି କରିନାହାନ୍ତି । ମୂର୍ତ୍ତିକାର ପ୍ରସ୍ତାବ ଦେଲେ ବରଂ ତାଙ୍କ ପାଖରେ ଥିବା ରେଡିମେଡ୍ ମୂର୍ତ୍ତି ଭିତରୁ ଗୋଟାକୁ ବଛାଯାଇ ସ୍ଥାପନ କରାଯାଉ ।
ପୁରୁଣା ମୂର୍ତ୍ତିଗୁଡାକ ଭିତରେ ରହିଥିଲା ପୁରୁଣା ଲେଖକ, ଜାତୀୟ ସଂଗ୍ରାମରେ ଝାସ ଦେଇଥିବା ପୁରୁଖା ଜନନାୟକ ଏବଂ ଦେଶର ଅତି କିଛି ପରିଚିତ ମୁହଁ । କିନ୍ତୁ ଏମାନଙ୍କ ମୂର୍ତ୍ତି ସ୍ଥାପନ କଲେ କ’ଣ ଲାଭ ମିଳିବ ? କ୍ଷମତାରେ ଥିବା ନେତାଙ୍କ ମୂର୍ତ୍ତି ସ୍ଥାପନ କଲେ ବରଂ ଲାଭ ମିଳିବ? କ୍ଷମତାରେ ଥିବା ନେତାଙ୍କ ମୂର୍ତ୍ତି ସ୍ଥାପନ କରି ବାବୁମାନଙ୍କ ପକେଟ୍ ଗରମ୍, ପଦୋନ୍ନତି, ଭିଜିଲାନ୍ସ କେସ୍ରୁ ମୁକ୍ତି… ଇତ୍ୟାଦି ଇତ୍ୟାଦି । ଏ ପୁରୁଣା ଦେଶନାୟକମାନଙ୍କୁ କିଏ ପଚାରେ ? ସେଇଥିପାଇଁ ଏ ମୂର୍ତ୍ତିଗୁଡାକ ଅଲୋଡା ହୋଇପଡିଛନ୍ତି । ଘର ଭିତରେ ଅଦରକାରୀ ରଦି କାଗଜ ପରି ।
ଭିତିରି ଖବର ଆସିଲା ମୁଖ୍ୟମନ୍ତ୍ରୀ ନିଜ ପ୍ରତିମୂର୍ତ୍ତି ଉନ୍ମୋଚନ କରି ରାଜନୈତିକ କନ୍ଦଳରେ ଫଶିବାକୁ ଚାହୁଁନାହାନ୍ତି । ବରଂ ସେହି ଜାଗାରେ ତାଙ୍କ ବାପାଙ୍କ ମୂର୍ତ୍ତି ସ୍ଥାପନ କରାଯାଉ ।
ବାସ୍, ସବୁଜ ସଂକେତ ମିଳିଯାଇଥିଲା । ମୂର୍ତ୍ତିକାରଙ୍କୁ ବରାଦ ଦିଆଗଲା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କର ଗୋଟିଏ ପ୍ରତିମୂର୍ତ୍ତି ଶୀଘ୍ର ତିଆରି କରିବା ପାଇଁ । କିନ୍ତୁ ଆଗ ମୂର୍ତ୍ତିର ପାଉଣା ପାଇନାହାନ୍ତି ମୂର୍ତ୍ତିକାର । ତେଣୁ ସେ ଜିଦି ଧରିଲେ ଯେ ପ୍ରଥମେ ତାଙ୍କ ପୂର୍ବ ପାଉଣା ଦିଆଯାଉ, ତା’ପରେ ନୂଆ ମୂର୍ତ୍ତି କଥା ସେ ଚିନ୍ତା କରିବେ ।
ବଡ ବିଷମ ପରିସ୍ଥିତି । ଫଟୋ ହୋଇଥିଲେ ଅବା କ୍ୟାମେରାରେ ଉଠାଇଦେବ । କିନ୍ତୁ ମୂର୍ତ୍ତି ତ ଯିଏ ନାହିଁ ସିଏ ବନାଇ ପାରିବ ନାହିଁ । ପୁଣି ମିଟିଂ ବସିଲା ।
ଜିଲ୍ଲାପାଳ ପଚାରିଲେ, ସାର୍ଙ୍କ ବାପା କ’ଣ ସ୍ୱାଧୀନତା ସଂଗ୍ରାମୀ ଥିଲେ ?
ମେୟର କହିଲେ, ନେତା ଓ ଧନୀ ବ୍ୟବସାୟୀ ଇତ୍ୟାଦି ଲୋକଙ୍କ ବାପା ଓ ମା’ମାନେ ସବୁବେଳେ ଧର୍ମପରାୟଣ, ମେଳାପୀ ଓ ନୀତିବାନ୍ ପୁରୁଷ ଓ ମହିଳା ଭାବେ ଗଣା ଯାଆନ୍ତି । ସେମାନଙ୍କ ମୃତୁ୍ୟପରେ ଖବରକାଗଜରେ ଏହା ଲେଖା ହୁଏ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବାପା ନିଶ୍ଚୟ ଜଣେ ସୁପୁରୁଷ ଥିବେ, ଯେହେତୁ ସେ ଏବେ ସ୍ୱର୍ଗବାସୀ ।
ଉପଜିଲ୍ଲାପାଳ କହିଲେ, ଦେଖନ୍ତୁ ସାର୍, ୧୯୪୭ ମସିହା ପୂର୍ବରୁ ଜନ୍ମ ନେଇଥିବା ସମସ୍ତ ଲୋକେ ସ୍ୱାଧୀନତା ସଂଗ୍ରାମୀ ଭାବେ ଗଣା ଯାଆନ୍ତି । ଆମ ଅଫିସ୍ ପରା ସେମିତିକା । ଲୋକଙ୍କ ଜନ୍ମ ତାରିଖ ଯାଞ୍ଚ କରି ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପ୍ରଦାନ କରୁଛି । ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ବାପା ନିଶ୍ଚୟ ୧୯୪୭ ପୂର୍ବରୁ ଜନ୍ମ ନେଇଥିବେ ।
ଆଲୋଚନା ଚାଲିଲା କିପରି ପୁଣି ଗୋଟେ ନୂଆ ମୂର୍ତ୍ତି ପାଇଁ ବଜେଟ୍ ଆସିବ? ଯଦି କଣ୍ଟ୍ରାକ୍ଟର ମାନଙ୍କଠାରୁ ଚାନ୍ଦା ଆଣି ମୂର୍ତ୍ତି ତିଆରି କରାଯାଏ, ତେବେ ହୁଏତ ଭିଜିଲାନ୍ସ ଖବର ପାଇଯିବ । ମୂର୍ତ୍ତିକାରଙ୍କୁ ଫୁସୁଲାଫୁସୁଲି କରି ଆଗ ମୂର୍ତ୍ତିର ମୁଣ୍ଡଟା ବଦଳାଇ ତିଆରି ହୋଇଥିବା ନୂଆ ମୁଖ୍ୟମନ୍ତ୍ରୀଙ୍କ ବାପାଙ୍କ ମୁଣ୍ଡର ପ୍ରତିମୂର୍ତ୍ତିକୁ ଝଳାଇକରି ଯୋଡେଇ ଦିଆଗଲା । ରାତାରାତି ପ୍ରତିମୂର୍ତ୍ତିର ପରିଚୟ ବଦଳିଯାଇଥିଲା ।
କାହାଣୀରେ ପୁଣି ଟ୍ୱିଷ୍ଟ । କଳା ସଂପତ୍ତିର ତଦନ୍ତ କରୁଥିବା ସିବିଆଇକୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତିର ଖୋଳତାଡ କରିବା ପାଇଁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଜନସାଧାରଣ ଖୁସି ହୋଇଥିଲେ ।
କିନ୍ତୁ କିଛି ଗୁଣ୍ଡା ଜାତୀୟ ବିରୋଧୀ କର୍ମକର୍ତ୍ତାମାନେ ରାତିଅଧିଆ ପାର୍କ ଭିତରେ ଥିବା ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଦେଇଥିଲେ । ମୂର୍ତ୍ତିର ଦୁଇହାତ ଓ ମୁଣ୍ଡଟା ଭାଙ୍ଗିଯାଇଥିଲା । ମୂର୍ତ୍ତିର ମୁହଁଟା ବି ଚିହ୍ନି ହେଉନଥିଲା । ବେଲାଳସେନ ପରି ଦିଶୁଥିଲା ମୂର୍ତ୍ତିଟା । ଜାଣି ହେଉନଥିଲା ଏଇଟା କାହାର ପ୍ରତିମୂର୍ତ୍ତି ବୋଲି ।
ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ରାଜ୍ୟପାଳ ପରାମର୍ଶ ଦେଇଥିଲେ ଆଉ ଦୁଇଦିନ ଭିତରେ ଜଣେ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ମୂର୍ତ୍ତିଟି ଉନ୍ମୋଚନ କରିଦେବା ପାଇଁ । ପ୍ରତିମୂର୍ତ୍ତିଟି ଆଉ ସଜାଡିବା ଯୋଗ୍ୟ ନଥିଲା । ଚଡକ ପଡିଥିଲା ପ୍ରଶାସନ ବିଭାଗ ଉପରେ । ହାଇକୋର୍ଟର ଅବମାନନା କରି କିଏ ଭୋଗିବ ମାନହାନି
ମହଦ୍ଦମା ! କିନ୍ତୁ ଏହି ଭଗ୍ନ ମୂର୍ତ୍ତିଟା ଏବେ କ’ଣ ହେବ!
ଜିଲ୍ଲାପାଳ ଏକ ଚମକ୍ରାର ଉପାୟ ଦେଲେ । ସମସ୍ତେ ମାନିନେଲେ । ଜଣେ ୮୫ ବର୍ଷ ବୟସ୍କ ସାଧାରଣ ବ୍ୟକ୍ତିଙ୍କ ଦ୍ୱାରା ତରବରିଆ ଭାବେ ମୂର୍ତ୍ତିଟି ଉନ୍ମୋଚନ କରାଗଲା । ଭଙ୍ଗା ମୂର୍ତ୍ତିଟାକୁ ସଫା କରାଯାଇ ରଙ୍ଗ ଓ ପଲିସ୍ ମରାଯାଇଥିଲା ଯାହା ।
ମୂର୍ତ୍ତି ତଳେ ଧଳା ରଙ୍ଗର ବଡ ମାର୍ବଲ ଫଳକରେ କଳାରଙ୍ଗରେ ଖୋଦେଇ ହୋଇଥିଲା, “ରାଜ୍ୟର ସ୍ୱତନ୍ତ୍ରତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ଅନେକ ସ୍ୱର୍ଗତ ନାମହୀନ, ଅପରିଚିତ ସଂଗ୍ରାମୀ ବୀରମାନଙ୍କ ଉଦେ୍ଦଶ୍ୟରେ ଉସôର୍ଗୀକୃତ ଏହି ମୂର୍ତ୍ତି ।”
ଲ୍ୟାମ୍ପ ପୋଷ୍ଟପରି ଚୁପ୍ ଚାପ୍ ଠିଆ ହୋଇଥିଲା ପାର୍କ ମଧ୍ୟରେ ସେହି ହାତ, ମୁଣ୍ଡବିହୀନ ମୂର୍ତ୍ତିଟା ।