ନେତ ଭାଉଜ ପାଣି ଢାଳେ ଦେଲା । ମୁହଁ ଧୋଇଲି । ଚା କପ୍ଟେ ଧରି ତରବରରେ ଚାବି ଧରାଇ ଦେଲା ମୋ ହାତକୁ । ସେ ଝୁଙ୍କାଇ ଆଣିଲା ମୁହଁଟା ମୋ ମୁହଁ ପାଖକୁ କହିଲା- ପଖାଳ ଭେଣ୍ଡି ପୋଡ଼ା ବନେଇ ଦେବି ଖାଇନେବୁ । ମନ ଦୁଃଖ କରୁଚୁ କିରେ? ଝିଅ ବୋହୂ ଆଉ କେଉଁ ଘରେ ରହିବା ଯୁଗ ଅଛିକି! ଯାଆନ୍ତୁ ମା’ ଝିଅ ଖୁସିରେ ରହିଲେ ହେଲା । ସେ ପଟକୁ ଢଳି ଯାଉଥିଲା ପୂନେଇ ପକ୍ଷର ଜହ୍ନ ଆଉ ଏପଟେ ସିନ୍ଦୂର ବୋଳା ନାଲି ହୋଇ ଚେନାଏ ଆକାଶ । ନେତ ଭାଉଜର ମୁହଁଟା ଅବିକଳ ମୋ ମା’ ମୁହଁ ପରି ପ୍ରତେ ହେଉଥିଲା । ତା’ ଭଲପାଇବା ପାଖରେ ମୁଁ କ୍ରମଶଃ ବତୁରି ଯାଉଥିଲି । ମୋତେ ଲାଗୁଥିଲା କେହି କୁଆଡ଼େ ଯାଇ ନାହିଁ! ମୋ ପରି ଗୋଟେ ଗୋଟେ ହେଇ ପ୍ରତ୍ୟେକ ଚରିତ୍ର ପୁଣି ଯେମିତି ଗାଁ ମୁହାଁ ଫେରି ଆସୁଛନ୍ତି!
ବାର୍ର ସବୁ ଲାଇଟ୍ ଲିଭାଇ ଦେଇ ଗୋଟେ ଜିରୋ ପାୱାର ବଲ୍ବର ସାହାରାରେ ପ୍ଲେଟ୍ ତଳେ ଜାକି ମୋ ପାଇଁ ଛାଡ଼ି ଯାଉଥିବା ସେଇ ଉଚ୍ଛିଷ୍ଟ ଟଙ୍କା ଗଣିବାରେ ବ୍ୟସ୍ତଥିଲି ମୁଁ । ଆଜି କିଛି ଊଣା ନଥିଲା କମାଇର । ସହରର ମାହୋଲ ଏବେ ତାତି ରହିଚି ରାଜନୀତିର ପାଣିପାଗରେ । ମୋ ପରି ୱେଟର ମାନଙ୍କ ପାଇଁ ଗୋଟେ ଭଲ ମୌକା ବୋଲି ମୁଁ ଭାବେ । ସବୁଦିନ ସେଇ ଜହ୍ନିଫୁଲିଆ ସ୍ୱପ୍ନ ଫୁଟେ, ଆଉ ମଉଳି ଯାଏ । ବୋଉ ବିରକ୍ତ ହୋଇଥିଲା- “କି କାମ କିରେ, ଶେଷରେ ମଦ ଢାଳୁଚୁ ଗ୍ଲାସ୍ରେ” । ବୋଉର ସେକଥାରେ ମୁଁ ମାତ୍ର ଥକି ଯାଏ ନାହିଁ । ମୋ ପାଇଁ ଉଦ୍ଦିଷ୍ଟ ଚାରିଖଣ୍ଡ ଟେବୁଲ ଉପରେ ମୋର ଭାରି ନିଘା । ଟିପ୍ସ ପଇସା ଗଣିନେଲା ବେଳେ କୁତ୍କୁତ୍ ଭାବଟିଏ ସିର୍ସିର୍ କରେ ଦେହମୁଣ୍ଡ । ତରାଫୁଲିଆ ଗୀତ ଗାଏ, ତିନିମହଲା ଉପର ଝରକା ଖୋଲି ଉଆଁସରାତିରେ ଜହ୍ନ ଖୋଜେ । ବୋଉ କହୁଥିଲା ସଚ୍ଚିଦାନନ୍ଦ ଗଣନାଟ୍ୟରେ କୁଆଡ଼େ ଝୁମାକୁ ହିରୋଇନ୍ କରିନେବାକୁ ବାବୁରଥ ଆଇଥିଲା ଘରଆଡ଼େ । ମୁଁ କିଛି ବୁଟଭଜା ପାଟିକୁ ପକେଇଲି । ଏଇ ଶେଷ ଗ୍ରାହକଟା ଛାଡ଼ି ଯାଇଥିଲା ପ୍ଲେଟ୍ରେ । ମଦପିଆପିଇ ଆଉ ଚାଖ୍ନା ପ୍ଲେଟ୍ରେ କେଉଁଠି ଅଇଁଠା ନଥାଏ ବୋଲି ସୁରଞ୍ଜନ କହିଥିଲା ମୋତେ । ସୁରଞ୍ଜନ କହିଥିଲା- ଦେଖ୍ ତୁ କହିବୁତ ବିନା ଯୌତୁକରେ ଝୁମାକୁ ବାହାହେବି! ମୁଁ ରଡ଼ନିଆଁ ପରି ଚାହିଁଥିଲି ତାକୁ । କହିଥିଲି ବି- କାଇଁ ଝୁମାଟା କ’ଣ କାଣୀ ନା ଅସୁନ୍ଦରୀ! ମୁଁ ଜାଣେ ଝୁମା ସୁରଞ୍ଜନକୁ ଗାଁ ପିଲା ହିସାବରେ ପସନ୍ଦ କରେ ନାହିଁ । ବୋଉ କେଇଥର କଥା ଓଗାଳିଥିଲା ସୁରଞ୍ଜନ ସପକ୍ଷରେ । ମୁଁ ରାଗିଥିଲି ମୋ ସୁନ୍ଦରୀ ଭଉଣୀଟାକୁ କାଳିଆ ସୁର ପୁହାଣକୁ ସାଜିବ ନାହିଁ ବୋଲି ଯୁକ୍ତିକରି ଖାଇବା ପ୍ଲେଟ୍ଟାକୁ ଫୋପାଡ଼ିଥିଲି, ସେଇଦିନଠୁ ବୋଉ ଚୁପ୍ ।
ସେଦିନ ରାଗରେ ବୋଉ କହିଥିଲା ମଦ ପିଇପିଇ ବୋପାଟା ତୋର୍ ମଲା, ଆଉ ତୁ ନିକମ୍ମା, ଲୋକଙ୍କ ଗ୍ଲାସ୍ରେ ମଦଢଳା କାମ କରୁଚୁ । ତୋତେ ଲଜ୍ଜା ଲାଗେନି । ବାପାଙ୍କର ଶେଷ ସନ୍ତକ ସେଇ ଶିଶୁକାଠର ମଜବୁତ୍ ପଲଙ୍କଟା ବିକିଦେଲା ବେଳେ ଉଲୁଗୁଣା ଦେଇଥିଲା ବାପାଙ୍କୁ । ମୁଁ ଖୁଣ୍ଟକୁ ଆଉଜି ଠିଆହେଇ ଖୋଜିଥିଲି ବାପାଙ୍କ ମଲାମୁହଁକୁ, କେମ୍ତି ନିଥର ଆଉ ଆକୁଳପଣଟିଏ ଉକୁଟି ଆସିଥିଲା ବଞ୍ଚିବା ପାଇଁ ବାପାଙ୍କ ମଲା ଚେହେରାରୁ । ବୋଉ ବି ଝୁଣି ପକାଇଥିଲା ବାପାଙ୍କ ମଲା ଦେହକୁ । ଗାଳିକରି କମ୍ପାଇଥିଲା ଘର, ଶେଷରେ ଚୁପ୍ ହେଇ ବୁହାଇ ଦେଇଥିଲା କେତେ ନାଇଁ କେତେ ଲୁହ! ବୋଉ ହାତରେ ଏବେ ଚେପାହେଇ ପିତ୍ତଳର ଦୁଇଟା ଚୁଡ଼ି ।
ଟ୍ରକ ଚଳାଇ ବାପା ଭଲ ନାଁ କରା ଡ୍ରାଇଭର ଥିଲେ । ସୁକା ଡ୍ରାଇଭର କହେ- “ଗୁରୁ ପୂରା ମାତାଲ୍ ଥିଲେବି ଆଜିଯାଏଁ କେଉଁଠି ଠୋକ୍କର ଲାଗିନି” । ଏ ତାରିଫ୍ ବୋଉକୁ ଭଲଲାଗେ କି ନା ଜଣାନାହିଁ, ମୋତେ ମାତ୍ର ବାପାଙ୍କ ଏ ପାରିଲା ପଣକୁ ନେଇ ଖୁବ୍ ଅହଂକାର! ବାପା କହୁଥିଲେ ପାଠପଢ଼ ମୋ ପରି ତୁ ଖଟିପାରିବୁ ନାହିଁ, ଚେଷ୍ଟାକର ମାଷ୍ଟ୍ର ଫାଷ୍ଟ୍ରଟାଏ ହେଇଯା, ଖୁସିହେବି । ବାପା କ’ଣ ଜାଣିଥିଲେ ତାଙ୍କ ଅନ୍ତେ ମୁଁ ମଦ ଢାଳୁଚି ଗ୍ଲାସରେ! ସୁରଞ୍ଜନ ଟାହି କରେ- ଶଳା ମଦୁଆର ପିଲା ତୋ ଭଉଣୀକୁ ବା’ ହେବ କିଏବେ? ମୁଁ ଉତ୍କ୍ଷିପ୍ତ ହୁଏନାହିଁ, ରାଗଟା ଚହଟି ଯାଏ ନାହିଁ ଦେହ ମୁଣ୍ଡ । ଅଧିକ ନିରୀହ ହୋଇଯାଏ ମୁଁ । ଖୁବ୍ ମନେପଡ଼େ ବାପାଙ୍କ ସ୍ନେହବୋଳା ମୁହଁ । ନା କେବେତ ହାତଟାକୁ ମୋ ଉପରକୁ ଉଠାଇ ନଥିଲେ । ଏତେ ସ୍ନେହକୁ ଭୁଲି ହୁଏନାହିଁ ମଣିଷଟେ ମରିଗଲା ପରେବି । ମୋଟା ନିଶକୁ ଧାରେ ସରୁହସ, ମା’ର ସବୁ ରାଗକୁ ଫୁ’କି ଉଡ଼େଇ ଦେଇପାରେ । ମା ସୁକ୍ସୁକ୍ ହୁଏ- ସେ ମଦଗୁଡ଼ା ନପିଇଲେ ହୁଅନ୍ତା ନି!
ବାପା ଚାଲିଗଲା ପରେ ମୁଁ ଆଉ କଲେଜ ଗଲିନି । କେଇମାସ ତାସ୍ ପିଟିଲି ଘର ବାରଣ୍ଡାରେ ଗାଁ ଟୋକାଙ୍କ ସହ । ବୋଉ ଅଭାଷାରେ ଶୋଧିଲା- “ଶଳା ବଢ଼ିଲା ଭଉଣୀଟା ଘରେ ବସିଚି, ଟୋକାଙ୍କୁ ଆଣି ଘରେ ପୂରଉଚୁ” । ମୁଁ ତା’ ଆରଦିନ ସବୁ ଗାଁ’ମୋହ ତୁଟେଇ ଝୁଲା ବ୍ୟାଗଟାଏ ଧରି ଟ୍ରେନର ଶେଷ ବଗିରେ ବିନା ଟିକେଟ୍ରେ ଚାଲିଆସିଥିଲି ସହର । ଗାଁଠୁ ପୂରା ଦୁଇଶ କି.ମି. ଦୂର । ବୋଉ କହିନଥିଲା କିଛି । ଭଉଣୀ ତିନିଶ ଟଙ୍କା ବଢ଼ାଇଦେଇ ମନଦୁଃଖରେ ଖୁଣ୍ଟ ପାଖରେ ଆଁଟେ କରି ଚାହିଁଥିଲା । ଏବେ ବି ତ ଢେର ମନେପଡ଼େ ଗାଁ ପଦୁଅଁ ପୋଖରୀ ପାଣିକୁ, ମାଇ ସଂଜରେ ଟେକା ପକାଇ ଭଉଁରୀ ଗଣିବା । ନେତ ଭାଉଜର ଢେମାଢେମା ଆଖିରେ ସଂଜସବୁ ରାତିହୁଏ ଆଉ ରାତିସବୁ ଉଲଗ୍ନ ହୁଏ ନଡ଼ିଆ ବାହୁଙ୍ଗାର ଛାଇରେ । ନେତ ଭାଉଜର ବରଟା ବମ୍ବେ ଯାଇ ଫେରିନି ଆଠ ବର୍ଷହେଲା । ଏବେବି ଖୁଦୁରୁକୁଣୀରେ ନେତ ଭାଉଜର ହୁଳହୁଳିଟା ଖୁବ୍ ଗହଳ ଶୁଭେ ଆଉ ବୋଉ ତାକୁ ଛୋପରି କୁହେ । ସେଦିନ ସଂଜରେ ନେତ ଭାଉଜ ପଚାରି ଦେଇଥିଲା ଯାଉଚୁ କିରେ ବାଇନ… ଝୁମାଟା ଏକୁଟିଆ ହେଇଯିବ! ଏଡ଼େଟେ ଭଉଣୀକୁ ଏକା ଛାଡ଼ିଯିବାଟା କ’ଣ ଠିକ? ନେତ ଭାଉଜକୁ ଓଲଟା ପଚାରି ପାରି ନଥିଲି- ତମେତ ଭାଉଜ ଏବେ ଏକୁଟିଆ ବୁଢ଼ୀମା’ ସହ… ନା?
ଗାଁରୁ କିଏ ମରିଯାଏ, କିଏ ରୋଜଗାର ପାଇଁ ସହର ଯାଏ ସବୁ ସତ୍ତ୍ୱେ ବି ଗାଁରେ ସଂଜ ଆସେ ଆଉ ଚଉରା ମୂଳେ ସଳିତା ଜଳେ । ସେଇ ସଳିତା ନିଆଁରେ କିଏ ଜଳେ? ନେତ ଭାଉଜ, ମୋ ବୋଉ ନା ଝୁମା ପରି ବଢ଼ିଲା ଝିଅମାନେ?
ବୋଉର କଥାରେ ମୁଁ ଅଟକି ଗଲି ନିଜ ପାଖରେ । ନା ନିଦ ନଥିଲା ଆଖିରେ । ବାବୁ ରଥ ଆସିଥିଲା! ଝୁମାକୁ ହିରୋଇନ କରିନେବ । ମାସକୁ ମାସ ମୋଟା ଟଙ୍କାର ଲୋଭରେ ମା’ ସ୍ୱପ୍ନ ସାଉଁଟୁ ନାହିଁ ତ? ମୁଁ ତ କହି ଆସିଥିଲି ମା’କୁ ଝୁମା ବାହାଘର ଦାୟିତ୍ୱ ମୋର । ସେଇ ଅଇଁଠା ପ୍ଲେଟତଳେ ମରି ପଡ଼ିଥିବା ଟଙ୍କାକୁ ସାଇତି ଚାଲିଚି ଏ ଯାଏଁ । ନିଜ କଥାତ ଭାବିନି କି ସ୍ୱାର୍ଥପର ତ ହୋଇ ଯାଇନାହିଁ । ରାତିରେ ବାର୍ର ଟେବୁଲ ଯୋଡ଼ି ଶୋଇଯାଇଚି ରାତି ରାତି । ବଳକା ଖାଦ୍ୟ ନାଇଁତ ବାସି ଖାଇବାରେ ଚଳାଇ ନେଇଚି ପେଟ ପାଖର ଭୋକର ଦାଉ । ବାପାଙ୍କ ପରି ମୋ ଉପରେବି ବୋଉର ବୋଧେ ଭରସା ଆସୁନାହିଁ । ମୁଁ କଡ଼ ଲେଉଟାଇଲି । ଯାତ୍ରା ସଚ୍ଚିଦାନନ୍ଦର ପେଣ୍ଡାଲ ଉପରେ ଡ୍ରେସ୍ ଫୋପାଡ଼ି ଆଖି ନଚାଉଥିବା ସେଇ କମ୍ ବୟସର ତରୁଣୀ କେତେ ଅସହାୟ ସତେ? ହୁଏତ ମରିଯାଇଥିବ ତା’ ବାପା, ଆଉ ଭାଇ ହୁଏତ ଅପାରଗ ଥିବ କୁଟୁମ୍ବଟେ ଚଲାଇ ନେବାକୁ । ଜମି ନଥାଇପାରେ ତାଙ୍କର । ମା’ର କାନଫୁଲ, ନାକଫୁଲ ବିକା ସରିଥିବ । ମରିଯାଇଥିବ ବି ତା’ ମା’ ଆଖି କୋଣର ଲୁଣି ଲୁହ । ସେଇଠୁ ତୁଚ୍ଛା ଦେହଟାକୁ ନେଇ ଆଉ କେଉଁ ସ୍ୱାଭିମାନଟେ ରହିଯାଇଥିବ ବିଚାରିର । ଡ଼୍ରେସ୍ ଫିଙ୍ଗି ମୁକୁଳା ନାଚିବା ଆଗ ଆଗ ସହଜ ହୋଇ ନଥିବ ନିଶ୍ଚୟ! ମାସର ଶେଷ ଆଡ଼କୁ କେଇଟା ଟଙ୍କାରେ ପୁଣି ଫୁଲି ଉଠୁଥିବ ମା’ର ଆଖିକୋଣରେ ଲୁହ! ମା’ ଦେହମୁଣ୍ଡ ଆଉଁସି ଆଣି ପଚାରୁଥିବ- “ସବୁ ଭଲତ ମା” । ଏଇ ଦେହଟାକୁ ତା’ ପଣତରେ ତ ସାଇତି ଆଣିଥିଲା କୋଡ଼ିଏ ବର୍ଷ । କେଉଁ ଦାଗଟାଏ ଲଗାଇଦେଇ ନଥିଲା କେଉଁଠି । ତା’ ପଣତ ବିନା ସେ ସୁରକ୍ଷିତ ତ?
ସୁରଞ୍ଜନ ଫୋନ କରିଥିଲା, ତା’ର ଚାକିରି ହୋଇ ଯାଇଚି । ହଁ, ହୋମଗାର୍ଡ଼ରେ ସେ ଏଇ ମାସଠୁ ଡୁ୍ୟଟି ସମ୍ଭାଳୁଚି । ଏବେ କୁଆଡ଼େ ବାର ହଜାର ନା ତେର କ’ଣ ପାଉଚି । ତା’ ମା’ ଜିଲାପି ଲଡୁ ଆଣି ଆମଘର ଆଡ଼େ ଆଇଥିଲା । ଏବେ ମାତ୍ର ବୋଉ ସୁର ପୁହାଣ ସପକ୍ଷରେ ଆଉ ନାହିଁ ବୋଲି ଝୁମା କହୁଥିଲା । ବୋଉ ତାହେଲେ କ’ଣ ସେଇ ଯାତ୍ରା ପେଣ୍ଡାଲରେ ତା’ଝିଅ ହିରୋଇନ ହେବାର ସ୍ୱପ୍ନ ଦେଖୁଚି? ମଦ ଢାଳିଲା ବେଳେ ମୁଁ ଦେଖିଲି ଟି.ଭି. ପର୍ଦ୍ଦାରେ ଯାତ୍ରାରେ ସେଇ ଛାତିଥରା ଧର୍ଷଣ ଦୃଶ୍ୟର କିଛି ଅଶ୍ଳୀଳ ମନ୍ତବ୍ୟ ଓଗାଳୁଚି ମୋଟା ନିଶୁଆ ଭିଲିଆନ୍ଟା । ଓଠ ପାଖରେ ମଦଗ୍ଲାସ ଅଟକି ଯାଉଚି କିଛି ଗ୍ରାହକଙ୍କର, ଏବେ ଉକ୍ରଣ୍ଠା ବଢୁଚି । ଖସି ପଡୁଚି ଗୋଟେ ପରେ ଗୋଟେ ଡ୍ରେସ ହିରୋଇନ୍ର ଦେହରୁ । ଇସ୍… ମୁଁ ଆଖି ବୁଜିଦେଲି । ସେଇଠି ବୋଧେ ମୁଁ ଝୁମାକୁ ଦେଖିଲି ନାଇତ ଅନ୍ୟ ଝିଅ ବୋହୂର ଇଜ୍ଜତ୍ ଦେଖିବାରେ ଆମ ପୁରୁଷ ମାନସିକତା କେତେ ବ୍ୟଗ୍ର ତା’ ମୁଁ ଜାଣେ! ମୋ ଆଖିବୁଜି ଦେବାଟାକୁ ବେଗୁନିଆରୁ ଆସି ମୋ ପରି ୱେଟର ଥିବା ଟିମା ମହାଳିକ ବ୍ୟଙ୍ଗ କଲା- “ଶଳା ମାଇଚ୍ୟାଟା କିରେ?” ମୁଁ ବୁଝାଇ ପାରିଲି ନାହିଁ ଟିମା ମହାଳିକକୁ, ମୁଁ କେମ୍ତି ମଦ ପରି ସରିସରି ଯାଉଚି ଗ୍ଲାସରୁ ନିଜ ଭିତରେ ନିଜେ । ମୁଁ ବୁଝିବାକୁ ବି ଚାହିଁଲି ନାହିଁ ଟିମା ମହାଳିକର ଗୋଟେ ବଢ଼ିଲା ଭଉଣୀ ଅଛି କି ନାହିଁ? ପଇଁଚାଳିଶରୁ ବିଧବା ହୋଇ ପିଲାଙ୍କ ପାଇଁ ଏବେବି ପାଣି ଦେଇ ଅଗଣାରେ ରଙ୍ଗଣୀ ଆଉ ମଲ୍ଲୀ ଫୁଟାଉଥିବା ଅନ୍ୟମନସ୍କା ମା’ଟେ ଅଛି କି ନାହିଁ? ଓଢ଼ଣି ଖୋଲା ଛାତି ପାଖରେ ଏବେ ଭିଲିଆନର ମୋଟା ନିଶୁଆ ଚେହେରା, ଠୋ ଠୋ ହସ! ଗ୍ରାହକଟିଏ ଖୁସିହେଇ ପଚାଶ ଟଙ୍କା ଫୋପାଡ଼ିଲାଣି ଟିଭି ପର୍ଦ୍ଦା ଉପରକୁ । ମୁଁ ସନ୍ତର୍ପଣରେ ଗୋଟାଇ ନେଉଥିଲି ସେଇ ଉକ୍ରଣ୍ଠାର ନୋଟ ଖଣ୍ଡକୁ ଯିଏ ଖୁସିରେ ଉଡ଼ି ଯାଇପାରେ ଆଉ ଦୁଃଖରେ ଚାପି ହୋଇ ରହି ଯାଇପାରେ ମୋ ପରି ମଣିଷର କେଉଁ ଅନାଥ ବହିର ପୃଷ୍ଠାଭିତରେ ସ୍ୱପ୍ନଟେ ହୋଇ ।
ମୋ ବ୍ୟାଗଟାକୁ ମୁଣ୍ଡ ପାଖକୁ ତକିଆପରି ଦେଇ ଶୋଇଯିବାକୁ ଚେଷ୍ଟାକଲି । ଏଇ ବ୍ୟାଗ ଯେମ୍ତି ଝୁମା ବାହାଘରର ସବୁତକ ଟଙ୍କା ଜମା ହୋଇ ମୋତେ ସାନ୍ତ୍ୱନା ଦେଉଚି । ରୁମ୍ ଭିତରେ କେହି ନଥିଲେ । ମୁଁ ଉଠିବସି ସାଇତିରଖିଥିବା ଟଙ୍କାସବୁର ହିସାବ କଲି, ମୋଟ ଅଠର ହଜାର ପଇଁତ୍ରିଶ ଟଙ୍କା । ସ୍ୱପ୍ନ ପରି, ଥାକ ଥାକ କରି ଆଉଥରେ ସଜେଇ ରଖିଲି ବହି ଭିତରେ । ଏବେ ଗୋଟେ ଉଡ଼ାଣ ଉଡ଼ିଲି ଆକାଶ ଆଡ଼କୁ । ଝୁମା ବାହାଘରର ରୋଶଣି ଯେମ୍ତି ଜହ୍ନଠୁ ବି ସୁନ୍ଦର ଲାଗିଲା ତରାଫୁଲଠୁଁ ବି ବେଶୀ ଚକ୍ମକ୍ ଲାଗିଲା । ବୋଉ କେମ୍ତି ଘର ବାହାର ହେଇ ଖୁସିରେ କାନ୍ଦି ପକଉଚି । ବେଦୀ ପାଖରେ ଶୁଭୁଚି ମିଠା କୋଳାହଳ । ନା ବୋଉକୁ କାଲି ଫୋନ୍ କରି ମନାକରିଥିଲି, ଦମ୍ଭ ଦେଇଥିଲି ଆସନ୍ତା ବର୍ଷକୁ ଝୁମା ବାହାଘର ପକ୍କା କରାଇ ନେବି । ମା’ ସେଇ ଚିରାଚରିତ ଢଙ୍ଗରେ ବାପାଙ୍କୁ ଶୋଧିଲା ପରି ମତେ ଶୋଧିଲା, କହିଥିଲା- “ସେଇ ମଦ ପିଇ ପିଇ ବୋପା ମଲା, ତୁ ଅଲାଜୁକ ସେଇ ମଦ ଢାଳିବା ଚାକିରି କରି ଭଉଣୀ ବାହାଘର କରିବୁ ନା ତାକୁ ବୁଢ଼ୀ କରିବୁ”! ମୁଁ ବତୁରି ଯାଉଥିଲି ଅସହାୟ ହୋଇ ମାଟି ବତୁରିଲା ପରି । ଶେଷରେ ଯେମ୍ତି ମୁଁ ଭାସି ଯାଉଚି ଦଲକାଏ ବର୍ଷାରେ ବାରଣ୍ଡାର କେଉଁ ମାଟି ଟେଳାଟାଏ ବତୁରି ଭାସିଗଲା ପରି । ନିଦ ନଥିଲା ଆଉ । ଝର୍କା ଖୋଲି ଦେଖିଲି ସହରର ଚଉଡ଼ା ଛାତିରେ ଏବେ ଶୋଇଯାଇଚି ଗୋଟେ ଲଙ୍ଗଳା ରାତି । ମୋତେ ଲାଗିଲା ଝୁମା ଯେମ୍ତି ଯାତ୍ରା ସରିଗଲା ପରେ ଅସହାୟ ହୋଇ ଏଇ ରାତି ପରି କାହା ଛାତି ଉପରେ ଶୋଇଯାଇଥିବ । ଉଦ୍ଭ୍ରାନ୍ତ ସହର ପରି ସେଇ ପୁରୁଷ ପୁଙ୍ଗବ କେଉଁ ବୁଝିବକି ସେ କା’ର ଭଉଣୀଟାଏ କା’ର ଝିଅଟିଏ, ସ୍ୱପ୍ନ ମାଖି ପେଣ୍ଡାଲ ଉପରେ କେବଳ ଅଭିନୟ କରି ଜାଣେ । ନିଜ ଇଚ୍ଛାରେ ଗୋଟେ ଜୀବନ ଜୀଇଁ ଜାଣିବା କେଉଁ ଥାଏକି ତା’ ଭିତରେ? ମୋତେ ଲାଗିଲା ଆ’ଠୁଁ ତ ସୁରଞ୍ଜନଟା ଢେର ଭଲ । ଯାହିତାହି ହେଇ ଖାକି ବର୍ଦ୍ଦିଟେ ପାଇଚି, ବାରହଜାର ଖଣ୍ଡେ ଦରମାତ ପାଉଚି! ଦରଭଙ୍ଗା ହେଉ ବରଂ ଘରଟେ ଥିବ ଆଉ ସ୍ୱପ୍ନଟେ ତ ଥିବ, ବାରି ଅଗଣାରେ ଜହ୍ନଟେ ବି ଖେଳେଇ ହେଇ ପଡୁଥିବ । ଏ ଯାତ୍ରା ପେଣ୍ଡାଲରେ ଚିତ୍ରଅଙ୍କା ମହଲର ପରମାୟୁ କେତେ? ହାଇମାକ୍ସ ଲାଇଟ୍ରେ କେଉଁ ସ୍ୱପ୍ନଟାଏ ଉତୁରି ଆସିବକି? ଅଭିନୟଟା କେଉଁ ଗୋଟେ ଖୋଲା ଫର୍ଚ୍ଚା ଜୀବନ କି? ବାଧ୍ୟ ବାଧ୍ୟକତାରେ ଓହଳାଇ ଦିଆ ଯାଏ ଗୋଟେ ଚରିତ୍ର… ବାସ…! ନା, ଝୁମା ବଂଚି ପାରିବ ନାହିଁ ଏମ୍ତି ଗୋଟେ ଜୀବନଟେ… ଜମା ନୁହେଁ । ଝୁମାକୁ ଫୋନ୍ କଲି, ମୋବାଇଲ ରିଂଗ୍ ହେଇ କଟିଲା । ହଁ ଶୋଇ ଯାଇଥିବ କେଉଁ ସ୍ୱପ୍ନ ନେଇ କେଜାଣି? ନ ଦେଖୁ ଏମ୍ତି ଶାପଗ୍ରସ୍ତ ସ୍ୱପ୍ନଟେ ଯେଉଁଠି ଅଭିନୟ ପରେ ପର୍ଦ୍ଦାପଛରେ ଶବଟେ ପରି ଜୀବନଟେ ନଥାଏ । ସେଠି କ’ଣ ନିଜ ଇଚ୍ଛାରେ କିଛି ଘଟେ କି… କେଜାଣି?
ବାର୍ରେ ଆଜି ଖୁବ୍ ଭିଡ଼ । ବାହାରେ ସଂଜକୁ ଘାଣ୍ଟି ପକଉଚି ବର୍ଷା । ପବନର ବେଗ ବଢ଼ୁଚି । ଶୀତତାପ ନିୟନ୍ତ୍ରିତ ବାର୍ର କୋଠରିରେ ଏବେ ଜଳୁଚି କେଇଟା ଭିନ୍ନ ରଙ୍ଗର ଜିରୋ ବଲ୍ବ । ଟି.ଭି. ପର୍ଦ୍ଦାରେ ଅର୍ଦ୍ଧଉଲଗ୍ନ ନୃତ୍ୟ ଯେମ୍ତି ଫେଣ୍ଟି ହୋଇଯାଉଚି ମଦଗ୍ଲାସରେ ଆଉ ଶୋଷ ବଢ଼ଉଚି ବେହୋସ ଗ୍ରାହକଙ୍କର । ମଦଢଳା ଚାଲିଚି । ମୋତେ ଆଶ୍ଚର୍ଯ୍ୟ କରି ଗ୍ଲାସ୍ଟା ଯିଏ ଉପରକୁ ଟେକି ମଦକୁ ପ୍ରେମିକା ବୋଲି କହି ଚୁମା ଦେଲା ସିଏ ଆମ ଗାଁ ସନ୍ତୋଷ ସାମଲ । ଇଂରାଜିରେ ପି.ଜି. କରି ଏବେ କେଉଁଠି ଗୋଟେ ଅଧ୍ୟାପକ । କବିତା ଲେଖୁଥିବା ସନ୍ତୋଷ ସାମଲ ଯେମ୍ତି ଏଇ ଗ୍ଲାସ୍ ଭିତରେ ଉଣ୍ଡାଳୁଚି ଜୀବନ! ମୁଁ ଆଡ଼ ହୋଇ ଫେରି ପଡ଼ିଲି ପଛକୁ ହେଲେ ସେ ଧରିନେଲା ମୋ ହାତ । ମୁଁ ଅଟକି ଗଲି । ସେ ଆଶ୍ଚର୍ଯ୍ୟରେ ପଚାରି ଦେଲା- “ଆରେ ତୁ ଏଠି?” ନିଶାରେ ଚୁର୍ ସନ୍ତୋଷ ସାମଲର ହାତ ଖସାଇ ନେଇ ମୁଁ ଗମ୍ଭୀର ହୋଇଗଲି । ସେ ଉଠି ଠିଆହେଲା, ପଚାରିଲା- “ଭଉଣୀର ବାହାଘରଟା ସାରିନୁ କିରେ”? ମୁଁ ଛେପ ଢୋକିଲି । ସେ ମୋ ସାର୍ଟ ପକେଟ୍ରେ ଶହେଟଙ୍କାଟେ ଗୁଞ୍ଜି ଦେଇ ବାହାରିଗଲା ବାର୍ରୁ । ବର୍ଷାରେ ବୋଧେ ଭିଜିପାରେ ସନ୍ତୋଷ ସାମଲ, କବିତାଟେ ଲେଖି ଦେଇପାରେ ମୋ ନାଁରେ ନାଇତ ଝୁମାକୁ ନେଇ, ଗରିବିକୁ ନେଇ ନାଇଁତ କେଉଁ ପ୍ରେମ କାହାଣୀକୁ ନେଇ । କବିତାର ପୃଷ୍ଠାରେ ପୃଷ୍ଠାରେ ସନ୍ତୋଷ ସାମଲ ତିଆରି କରିପାରେ ତାଜ୍ । ପାଠକେ କୁହନ୍ତି ସନ୍ତୋଷ ସାମଲ୍ର କବିତାରେ ଦୁଃଖ ଠୁ ବେଶୀ ପ୍ରେମ ଅଛି । ମୋତେ ଲାଗିଲା ନାହିଁ ସେମ୍ତି । ଚାକିରି ପରେ ବି ସେମ୍ତି ଅଭିଆଡ଼ା ବୁଲୁଚି ବେଫିକର । ସେ କ’ଣ ଜାଣିଶୁଣି ଝୁମା କଥା ପଚାରିଲାକି! କେଜାଣି?
ବୋଉର ଫୋନ୍ ଆସିଥିଲା, ବାବୁ ରଥ ଅଗ୍ରୀମ ଦେଇ ଚୁକ୍ତି କରି ଝୁମାକୁ ଯାତ୍ରା ପାଇଁ ରିହଲ୍ସାଲ କରିବାକୁ ନେଇଯିବ କହୁଚି । ଝୁମାବି ରାଜି ଅଛି । ମୁଁ ବୋଉକୁ ବୁଝାଇବା ସପକ୍ଷରେ ରହିଲି ନାହିଁ । ହୁଏତ ସେ କହିପାରେ- ତୁ ନିକମ୍ମା କେଇଟା ଟଙ୍କା ପଠାଉଚୁ ଯେ ସେଥିରେ ଆମେ ଖାଇପିନ୍ଧି ଚଳିଯିବୁ! ଝୁମାର ତ ସମାଜକୁ ବୁଝିବାର ବୟସ ହୋଇ ସାରିଚି । ଯେଉଁଠି ମୁଁ ନା ତା’ର ବାହାଘର କରି ପାରୁଚି ନା ତା’ ପସନ୍ଦର କିଛି ଯୋଗାଇ ପାରୁଚି, ତେଣୁ ବୋଧେ ଏ ଅପାରଗ ଭାଇ ଉପରେ ବୋଝ ହେବାଠୁ ବେଶ୍ ଭଲ ଯାତ୍ରାରେ ଗୋଟେ ମୋଟା ଅଙ୍କର କମାଇରେ ମା’କୁ ପୋଷି ପାରିବା । ମୋତେ ଲାଗିଲା ଝୁମା ଭିତରେ ଗୋଟେ ଅହଂକାର ଯେମ୍ତି ଦାଉଦାଉ ଜଳୁଚି । ସେ ଯେମ୍ତି ଆଙ୍ଗୁଠି ଦେଖାଇ ମୋତେ ବିଦ୍ରୁପ କରୁଚି- ହେଇ ଦେଖ୍ ତୁ ପୁଅହେଇ ହାରିଗଲୁ ଆଉ ମୋ ପାଦ ତଳକୁ ଟଙ୍କା…. ହାଃ… ହାଃ! ମୁଁ ଯେମ୍ତି କାନ୍ଦି ପକାଇବି ମୋ ଅସହାୟତାକୁ ନେଇ । ହଁ ଝୁମା ବୋଉ ପରି ସୁନ୍ଦରୀ ଦେଖାଯାଏ ତେଣୁ ବୋଧେ ଅହଂକାରିଣୀ! ବଜାରର ହାଉଜାଉ ଗହଳି ଭିତରେ ମୁଁ କିଛି ଗୋଟେ ଖୋଜିଲି ବୋଧେ! ଏମ୍ତି କିଛି ଗୋଟେ ଉପାୟ ଯା’କୁ ନେଇ ମୁଁ ବୋଉକୁ ବୁଝାଇ ପାରିବି ଯାତ୍ରାଦୁନିଆଟା ସେ ଯାହା ଦେଖିଚି ତା’ ନୁହେଁ । ଗୋଟେ ହୋର୍ଡିଂରେ ଯାତ୍ରାର ପୋଷ୍ଟର । ହିରୋଇନର ଦେହ ଦେଉଳର ଚିତ୍ର କୋଣାର୍କର ନଟୀ ପରି ସ୍ପଷ୍ଟ । କେହି ଜଣେ ଅଭଦ୍ର ଭାଷାରେ କିଛି ଟିପ୍ପଣୀ ଲେଖିଚି ନାଲି କାଳିରେ । ସତରେ କ’ଣ କେଉଁ ମା’ କି ଭାଇ ସହି ପାରିବ ଏମ୍ତି ଦୃଶ୍ୟଟେ? ମୁଁ ବାଟ ଭାଙ୍ଗିଲି ।
ଆଜି ବର୍ଷା ନାହିଁ, ସଫା ହେଇଗଲାଣି ଆକାଶ । ବାପାଙ୍କ ମୁହଁ ବେଶି ମନେପଡ଼େ ଏମ୍ତି ମେଲା ମୁକୁଳା ସଫା ଆକାଶଟେ ଦେଖିଲେ । ଆଗରେ କେଇଟା ଗଛରେ ଖୁନ୍ଦି ହେଇ ଯାଇଚି ଶାଗୁଆ ପତ୍ର । ଏଇ ଏଇ ଆରମ୍ଭ ହେଇଚି ବର୍ଷାଋତୁ । ଏଇ ଋତୁ କଅଁଳିବାର ଋତୁ କଅଁଳେଇବାର ଋତୁ । ବାବୁ ରଥ କହିଥିଲା, କୁଆଡ଼େ ଏଇ ବର୍ଷାରେ ହିଁ ଉତୁରାଇ ଅଣାଯାଏ କଳାକାରଙ୍କୁ । ସେମାନଙ୍କୁ ଫୁଟେଇବାକୁ ଉଦ୍ୟମ କରାଯାଏ ଯେମ୍ତି ସେମାନେ ପେଣ୍ଡାଲ ଉପରେ ନିଖୁଣ ହେଇ ଚରିତ୍ରଟେ ହୋଇଯିବେ । ଏଇ ଯେମ୍ତି ଝୁମା ଭୁଲିଯିବ ତା’ର ବାପା ମରିଯାଇଚି, ବିଧବା ମା’ଟେ ଅଛି ଆଉ ନାଚାର ଭାଇଟିଏ ମଦଢାଳୁଚି କେଉଁ ବାର୍ରେ । ସେ ହିରୋଇନ୍ ହେବ ଏଇ ବର୍ଷ ରାଧୁ ବିଶ୍ୱାଳର ଯାତ୍ରା ବହି ‘ହାରାମ ଖୋର’ରେ । ସେ ହେବ ହୀରାଚାନ୍ଦ ଅଗ୍ରୱାଲ, ହୀରା ବ୍ୟବସାୟୀର ଏକମାତ୍ର ଅଲିଅଳି ଝିଅ! ହାଃ… ମୁଁ ଦୀର୍ଘଶ୍ୱାସ ନେଲି । ଝୁମାକୁ ଉଡ଼େଇ ଦିଆଯିବ ହଳେ ଡେଣା ଦେଇ, ମୁହଁରେ ଫୁଟେଇ ଦିଆଯିବ ଗାମ୍ଭୀର୍ଯ୍ୟ ପୁଳେ ଅହଂକାର ଦେଇ । ଯେଉଁଠି ସକାଳୁ ଗାଈ ଗୋବର ସଫାକରି କ୍ଷୀର ଦୁହିଁଲେ ମା’ ଝିଅ ଚଳୁଥିଲେ, ବାରି ଅଗଣାରେ ନେଉଟିଆ କାଟି ବିକ୍ରିକଲେ ଚାଉଳ ଫୁଟେ ଡେକ୍ଚିରେ, ସେଇ ଝିଅ ଝୁମା କ’ଣ ଅହଂକାରିଣୀ ଝିଅଟେ ହେଇ କମ୍ପାଇ ପାରିବ ପେଣ୍ଡାଲ!
ନେତ ଭାଉଜ ଫୋନ କରିଥିଲା, କହିଥିଲା- ଆରେ ବାଇନ ତୁ ଜାଣିନୁକି ମା’-ଝିଅ ଘରେ ତାଲା ପକାଇ ଗଲେଣି ଆଠଦିନ ହେଲା । ଝୁମା କୁଆଡ଼େ ଯାତ୍ରାରେ ହିରୋଇନ ହେବ! ଖାଉଥିବା ବିସ୍କୁଟ୍ଟା ଖସିପଡ଼ିଲା ମୋ ହାତରୁ । ମୁଁ ହଁ ହଁରେ କଥା ସାରିଲି । ଯେମ୍ତି ମୋରି ଇଚ୍ଛାରେ ଝୁମା ଯାତ୍ରାରେ ନାଚିବ । ମୁଁ ଯେମ୍ତି ଝୁମା ପଇସାକୁ ଅପେକ୍ଷା ରଖିଚି । ବାବୁ ରଥ କୁଆଡ଼େ କହିଚି ପେଣ୍ଡାଲ୍ରେ ଯଦି ଝୁମା କରିସ୍ମା ଦେଖାଇ ପାରେ ତେବେ ଗୋଟେ ବଡ଼ ରକମ ଅର୍ଥରେ ଆର ବର୍ଷ ପାଇଁ ଅଗ୍ରୀମ ଦେଇ ସନ୍ତକ କରାଇ ନେବ । ମୁଁ ଦୀର୍ଘଶ୍ୱାସ ନେଲି । ମା’ ବି ଶେଷରେ ଯାତ୍ରା ପେଣ୍ଡାଲ୍ଟାକୁ ଘର ବୋଲି ଭାବି ନେଇଚି… ଆଃ!
ଆଠଦିନ ହେବ ଘରେ ତାଲା! ମୁଁ ଉଦାସ ହେଇଗଲି । ବ୍ୟାଗଟା ନେଇ ବାହାରି ଯିବାକୁ ଚାହିଁଲି ଗାଁକୁ । ମା’ ଆଉ ଭଉଣୀ ପାଇଁ ରୋଜଗାରର ଏଇ ପନ୍ଥାଟା ବାଛିଥିଲି । ଏବେ ଲାଗିଲା ମୋର ଗୋଟେପେଟ ପାଇଁ ଗାଁ ବାରିଘର ପର୍ଯ୍ୟାପ୍ତ ହେବ । ନେତ ଭାଉଜକୁ ଫୋନ୍ କଲି । ଘର ଚାବିପେନ୍ଥାଟା ତାକୁ ମା’ ଦେଇକି ଯାଇଚି କି ନା ମୋତେ ଅନ୍ତତଃ ଜଣାଇପାରିଥାନ୍ତା! ରାତି ଆଠଟାରେ ବସ୍, ଦୁଇଶ କି.ମି.ର ଅସ୍ତବ୍ୟସ୍ତ ରାସ୍ତା । ଘରେ ପହଞ୍ଚିଲା ପରେ ମୋତେ ଅପେକ୍ଷା କରିଥିବ ଗୋଟେ ଶୂନ୍ୟତା । ବାପା ନଥିବା ଘରଟା ବୋଧେ ଉଧେଇ ପାରିଲା ନାହିଁ । ମୋ ଆଖିରେ ଲୁହ ଜକେଇ ଆସିଲା । ମା’କୁ ଝିଅର ସୁରକ୍ଷା ଦାୟିତ୍ୱଟା ଘାଣ୍ଟି ପକାଇ ମଜବୁର୍ କରି ପକାଇଚି ନିଶ୍ଚୟ । ପେଣ୍ଡାଲ୍ ଉପରେ, ରିହଲସାଲ ହଲ୍ରେ, ଲୋକଙ୍କ ଟାହି ଟାପରାକୁ କେଉଁଠି କେଉଁଠି ଜଗିବ ମା’! କେଉଁଠି କେଉଁଠି ସୁରକ୍ଷାର କବଚ ପିନ୍ଧାଇବ ଗୋଟେ ସ୍ୱପ୍ନମଖା ଅଭିଆଡ଼ି ଝିଅକୁ! ଝୁମା ମୁହଁଟା ନିରୀହ ଦେଖାଗଲା ଗୋଟେ ମେଣ୍ଢାଛୁଆର କଅଁଳ ମୁହଁପରି । ବସ୍ର ଝର୍କାଦେଇ ଥଣ୍ଡାପବନ ଆଉ କିଛି ଧୂଳି ଧସେଇ ପଶି ମୋତେ ସୂଚାଇ ଦେଲା ଏଇ ଗାଁ ରାସ୍ତା ଆସିଗଲାଣି । ଭୋର୍ରୁ ଗାଁ ରାସ୍ତା ଧରେ ବସ୍ । ଏଇଠୁ ଧୂଳି ଭିଡ଼ରେ ଗାଁ ମନସ୍କ ହୋଇ ପଡ଼େ ମନଟା । ମନେପଡ଼େ ଗାଁ ପୋଖରୀର ନୀଳ କଇଁ, ତୋଫା ଜହ୍ନରାତି, ଆଉ ନେତ ଭାଉଜର ଢିମାଢିମା ଆଖି, ଅଠର ଛୁଇଁଥିବା ରାଉତ ଘର ଝିଅର ଶଙ୍ଖ ଫୁଙ୍କା, ଗଉଡ଼ ଘର ହମ୍ବାରଡ଼ି, ଘର ଅଗଣା ରଙ୍ଗଣୀ ଫୁଲର ସମ୍ଭାର । ମନେପଡ଼େ ବି ମା’ ହାତର ନେଉଟିଆ ଶାଗ, ମାଟିହାଣ୍ଡିର ନାଲି ବଗଡ଼ା ଚାଉଳ ବାସି ପଖାଳ, ଝୁମା ହାତର ଅଦା ପକା ଚା’ । କେଉଁଠି ହଜି ହଜି ଗଲାଣି ଗାଁ! ଭିଟା ମାଟି ଛାଡ଼ି କିଏ କୁଆଡ଼େ ଗଲା କା’ର ଖୋଜ ଖବର ଏ ଜହ୍ନ କି କଇଁକୁ ପଚାରିଲେ କେଉଁ କହିପାରିବେ? ଉଜୁଡ଼ି ଯାଉଥିବା ଗାଁ ଆଉ ସଜାଡ଼ି ହେଉଥିବା ସହର କିଏ ନିଜର? ଆଗଆଗ ପୁରୁଷ ଶୂନ୍ୟ ଲାଗୁଥିବା ଗାଁରୁ ଏବେ ସ୍ତ୍ରୀ ଲୋକବି ଗାଏବ ହେଲେଣି । କେଉଁ ଖୁସି ପାଇଁ କେଜାଣି? ବେଣା ମାଡ଼ି ଗଲାଣି ଏକର ଏକର ଚାଷ ଭୂଇଁ । ଗୋଖର ତମ୍ପ ମାଡ଼ିଲେଣି ସେଠି ।
ଗାଁରେ ପହଞ୍ଚିଲା ବସ୍ । ଏଇତ ମାତ୍ର ପାହାନ୍ତା ଚାରିଟା । ଖୁଦୁରୁକୁଣୀ ଜହ୍ନ ପରିଷ୍କାର ପଡ଼ିଚି ଗାଁ ଗୋହିରିରେ । ଏଇ ବୋଧେ ଶେଷ ପାଳି । କେନାଲ ଉପର ବାଉଁଶ ପୋଲ ପାର ହେଲେ ଆମ ଗାଁ । ନଡ଼ିଆ ଗଛର ଥିର ପବନ ଦୁକ୍ଦୁକ୍ କରୁଛି ଛାତି । ଗାଁ ମଶାଣି ପରିଷ୍କାର ଦିଶୁଚି । ସେଇଠି କୁଆଡ଼େ ରାମ ମହାନ୍ତିର ପ୍ରେତଟା ରାତି ବାରଟାରେ ରଡ଼ି ଛାଡ଼େ । ସ୍ତ୍ରୀ ମଲାପରେ ପୁଅ-ବୋହୂ ପଚାରିଲେ ନାହିଁ । ରାମ ମହାନ୍ତି ମଶାଣି ପାଖ କଦମ୍ବ ଗଛରେ ଦଉଡ଼ି ଦେଇଥିଲା କାଇଁ ବାର ବର୍ଷ ଆଗର କଥା । ଏବେବି ଲାଗେ ଯେମ୍ତି ତା’ ପ୍ରେତଟା ଓଲଟା ଝୁଲୁଚି ଗଛରେ । କଦମ୍ବ ଗଛଟା କେଉଁ କାଳୁ ରାମ ମହାନ୍ତିର ସ୍ମୃତିଟାକୁ ଉଜାଗର କରି ଛାତ ଥରାଇ ଦିଏ ।
ବାଉଁଶ ଚାର ଡେଇଁ ଘରେ ପହଞ୍ଚିଲି । ଏବେବି କାଉ ରାବି ନାହିଁ କି କୁକୁଡ଼ା ଡାକି ନାହିଁ । ଘର ଦୁଆରେ ଝୁଲୁଚି ବାପାଙ୍କ ଅମଳର ଜଙ୍କ ଲଗା ମୋବାଜ୍ ତାଲାଟାଏ । ଗାଈ ଗୁହାଳ ଖାଲି । ବୋଧେ ବିକ୍ରିକରି ଦେଇଚି ମା’ । ପରସ୍ତେ ଧୂଳି ଜମିଚି ବାରଣ୍ଡାରେ, ଆଠଦିନ ହେଲା ଝାଡୁ ମରା ହୋଇ ନାହିଁ । ମୁଁ ପଡ଼ିଶା ନେତ ଭାଉଜର କବାଟ ଖଡ଼ଖଡ଼ କଲି । ଅଧା ମୁକୁଳା ଦେହ ନେଇ ବିଛଣାରୁ ଉଠି ଆସିଚି ନେତ ଭାଉଜ । ଶାଶୂବୁଢ଼ୀକୁ କିଛିଶୁଭେ ନାହିଁ କି ଆଖିକୁ ଆଉକିଛି ଦେଖାଯାଏ ନାହିଁ । ଗୋଟେ ମଇଳା ତକିଆ ପରି ମଶିଣାରେ ତଳେ ଗଡୁଚି ବୁଢ଼ୀ । ନେତ ଭାଉଜ ଟାଣିନେଲା ମୋତେ, ତା’ ଛାତି ଉପରେ ମୋ ମୁହଁକୁ ଗେଂଜି ଦେଇ ସୁଁ ସୁଁ ହେଇ କାନ୍ଦି ପକାଇଲା । କହିଲା- ଶୁଖି ଯାଇଚୁରେ ବାଇନ! ହଁ ତୋ ଭାଇର ତ ଆଉ ଦେଖା ନହିଁ କି ଫୋନ୍ଟାଏ ବି ନାହିଁ କି ପଇସା ପତ୍ର କିଛି ପଠାଏ ନାହିଁ ଏଇତ ପାଞ୍ଚବର୍ଷ ପୂରିଗଲାଣି । ମଲାକି ହଜିଲା, କି କା’କୁ ନେଇ ଘର କଲା ଜଣା ନାହିଁ! ଗରମ ଲୁହ ସବୁ ଥିପୁଥିଲା ମୋ ମୁହଁରେ । ନେତ ଭାଉଜର ଲୁହରେ ଯେମ୍ତି କେତେ କଥା କେତେ ବ୍ୟଥା ଯା’ ବୁଝିହୁଏ ନାହିଁ କି ବୁଝାଇହୁଏ ନାହିଁ । ଧୋଇ ଶୁଖାଇ ଲୁଗା ପିନ୍ଧୁଥିବା ନେତ ଭାଉଜର ଭରସା କହିଲେ ଗୋଟେ ଏକର ଭାଗକୁ ଲାଗିଥିବା ଚାଷଜମି, ଦୁଇଟା ଦୁହାଁଳିଆ ଗାଇ, ବାରିପଟକୁ ଗୋଟେ ଶାଗୁଆ ପରିବା ବଗିଚା ଆଉ ଶାଗ ପଟାଳି ।
ନେତ ଭାଉଜ ପାଣି ଢାଳେ ଦେଲା । ମୁହଁ ଧୋଇଲି । ଚା କପ୍ଟେ ଧରି ତରବରରେ ଚାବି ଧରାଇ ଦେଲା ମୋ ହାତକୁ । ସେ ଝୁଙ୍କାଇ ଆଣିଲା ମୁହଁଟା ମୋ ମୁହଁ ପାଖକୁ କହିଲା- ପଖାଳ ଭେଣ୍ଡି ପୋଡ଼ା ବନେଇ ଦେବି ଖାଇନେବୁ । ମନ ଦୁଃଖ କରୁଚୁ କିରେ? ଝିଅ ବୋହୂ ଆଉ କେଉଁ ଘରେ ରହିବା ଯୁଗ ଅଛିକି! ଯାଆନ୍ତୁ ମା’ ଝିଅ ଖୁସିରେ ରହିଲେ ହେଲା । ସେ ପଟକୁ ଢଳି ଯାଉଥିଲା ପୂନେଇ ପକ୍ଷର ଜହ୍ନ ଆଉ ଏପଟେ ସିନ୍ଦୂର ବୋଳା ନାଲି ହୋଇ ଚେନାଏ ଆକାଶ । ନେତ ଭାଉଜର ମୁହଁଟା ଅବିକଳ ମୋ ମା’ ମୁହଁ ପରି ପ୍ରତେ ହେଉଥିଲା । ତା’ ଭଲପାଇବା ପାଖରେ ମୁଁ କ୍ରମଶଃ ବତୁରି ଯାଉଥିଲି । ମୋତେ ଲାଗୁଥିଲା କେହି କୁଆଡ଼େ ଯାଇ ନାହିଁ! ମୋ ପରି ଗୋଟେ ଗୋଟେ ହେଇ ପ୍ରତ୍ୟେକ ଚରିତ୍ର ପୁଣି ଯେମ୍ତି ଗାଁ ମୁହାଁ ଫେରି ଆସୁଛନ୍ତି! ନେତ ଭାଉଜର ଉସୁମୁଳିଆ ପଣତର ଗନ୍ଧ ମୋ ନାକରେ ବାଜୁଥିଲା । ଏଇଟା ହିଁ ବୋଧେ ଯେମ୍ତି ମୋ ଗାଁ’ର ବାସ୍ନା…. ଗହୀର ନିଜର ପଣର ଗୋଟେ ଆଶ୍ରୟ!
ୱାଃ..ଜୀବନ୍ତ ଲାଗିଲା ଗପ ଟି ।ବାସ୍ତବିକ ।ପ୍ରତିଟି ଧାଡ଼ି କୁ ଧ୍ୟାନର ସହ ପଢିଲି ।ମଜ୍ଜି ଗଲି ।ଅନେକ କାମ ଥାଇ ବି ଛାଡ଼ି ବି ବାହାରି ପାରିଲି ନାହିଁ ଗପରୁ ।