ଆଜିର ବୈଜ୍ଞାନିକ ଯୁଗରେ ବି କେବେ କେବେ ଏମିତି ଘଟଣା ଘଟୁଛି ଯେ ଆଶ୍ଚର୍ଯ୍ୟଚକିତ ହେବାକୁ ପଡୁଛି । ଅବଶ୍ୟ କେତେକ ଲୋକ ମଧ୍ୟ ବିଶ୍ୱାସ କରୁନାହାନ୍ତି । ଏମିତି ଘଟଣା ମୋ’ ସାଥିରେ ବି ଘଟିଛି ।
କଥାଟା ୧୯୬୬ ମସିହା ମେ’ ମାସର । ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଉଥାଏ । ଦିନ ୧୦ଟା ପରେ ବାହାରକୁ ବାହାରିବା କଷ୍ଟକର । ମୋର ଏକ ମକଦ୍ଦମା ବାଲିଆ ତହସିଲଦାରଙ୍କ ନିକଟରେ ଚାଲିଥାଏ । କେସ୍ ତାରିଖ ଥିଲା ୧୩ ମେ’ । ସେଦିନ ମୋ’ ସ୍ୱାସ୍ଥ୍ୟ ଭଲ ନଥିଲା । ସାଇକେଲ ଚଳାଇବାକୁ ମନ ହେଉନଥାଏ । ମୁଁ ନିଜ ସାଥି ହରିପ୍ରସାଦ, ଯେ କି ବାଲିଆ ବାର୍ ଆସୋସିଏସନ୍ରେ କାମ କରୁଥିଲା । ତାଙ୍କ ଘରକୁ ଗଲି, ସେ ମଧ୍ୟ ବାଲିଆ ଯିବା ପାଇଁ ପ୍ରସ୍ତୁତ ହେଉଥିଲା ।
ଦେଖୁ ଦେଖୁ ପଚାରିଲା : କ’ଣ ବାଲିଆ ଯିବ ନାହିଁ?
ମୁଁ ଉତ୍ତର ଦେଲି : ଯିବାର ତ ଅଛି । କିନ୍ତୁ ଦେହଟା ଭାରି ଭାରି ଲାଗୁଛି । କିଛି ଭଲ ଲାଗୁନି । ତେଣୁ ସାଇକେଲ ମଧ୍ୟ ଆଣିଲି ନାହିଁ । ତୁମ ସାଥୀରେ ସାଇକେଲରେ ବସି ଯିବି ।
ବାଲିଆରେ ପହଞ୍ଚି ଆମେ ଦୁହେଁ ନିଜ ନିଜ କାମରେ ଲାଗିଲୁ । ତା’ପରେ ଆମେ ତିନିଟା ବେଳେ ମୀନା ପ୍ୟାଲେସ୍ରେ ସିନେମା ଦେଖିଲୁ । ଫିଲ୍ମ ପାଞ୍ଚଟାରେ ଶେଷ ହେଲା । ଆମେ ଏକ ଚା’ ଦୋକାନରେ ଚା’ ପିଇବାକୁ ବସିଲୁ । ଚା’ ପିଉ ପିଉ ମୁଁ ଗୋଟେ ପ୍ରସ୍ତାବ ଦେଲି- ନିମିଡାର ଭଉଣୀର ସ୍ୱାସ୍ଥ୍ୟ ଆଦୌ ଭଲ ନାହିଁ ଭାବୁଛି, ଆମେ ଦୁହେଁ ଯାଇ ଦେଖି ଆସିବା ।
ନିମିଡା ସହର ଠାରୁ ପ୍ରାୟ ଦୁଇ ମାଇଲ ଦୂର, ପଶ୍ଚିମ ଆଡକୁ । ହରିପ୍ରସାଦ ମଧ୍ୟ କେତେଥର ମୋ’ ସାଥୀରେ ଯାଇଛି । ଏକଥା ଶୁଣି ସେ ପ୍ରସ୍ତୁତ ହୋଇଗଲା । କିନ୍ତୁ ପାନ କିଣିବାକୁ ଦୋକାନକୁ ଯାଇ ଦେଖିଲି, ସେ କିଛି ଭାବୁଛି । ମୁଁ ପଚାରିଲି; କ’ଣ ହେଲା? କ’ଣ ଭାବୁଛୁ?
ସେ ଉତ୍ତର ଦେଲା : ନିମିଡା ମୁଁ ଯାଇଛି ତୁମ ସାଥିରେ । ଆଜି ମଧ୍ୟ ଯାଉଛେ । କିନ୍ତୁ କେଜାଣି କାହିଁକି, ସେ ଆଡକୁ ଯିବା ପାଇଁ ମୋତେ ଭୟ ଲାଗୁଛି…
ଭାବିଲି, ବୋଧହୁଏ ସେ ଯିବାକୁ ଚାହୁଁନାହିଁ । ତେଣୁ କଥା ଏମିତି କହୁଛି । କହିଲି- ଯଦି ଯିବାକୁ ଚାହୁଁନୁ ତେବେ କଥା ବନେଇଁ ଚୁନେଇଁ କହୁଛୁ କାହିଁକି? ସିଧା କହ, ଯିବା ନାହିଁ ।
ସେ କହିଲା: ନାଇଁ ଭାଇ, ଯିବା ଯଦି ତ ଯିବା । ଏଥିରେ ଭାବିବାର କିଛି ନାହିଁ ।
ପାନ ଖାଇ ହରିପ୍ରସାଦ ସାଇକେଲ୍ ଚଲେଇବା ଆରମ୍ଭ କଲା । ମୁଁ ପଛରେ ବସିଗଲି ।
ଆମେ ଯେତେବେଳେ ଷ୍ଟେସନ୍ ରୋଡ୍ରେ ପହଞ୍ଚିଲୁ, ହରିପ୍ରସାଦର ଭିଣୋଇଁଙ୍କ ସଙ୍ଗେ ଦେଖାହୋଇଗଲା, ସାଇକେଲରୁ ଓହ୍ଲେଇ କଥାଭାଷା ଚାଲିଲା । ପ୍ରାୟ ଏକଘଣ୍ଟା ଡେରି ହୋଇଗଲା । ତାଙ୍କଠାରୁ ବିଦାୟ ନେଇ ପୁନର୍ବାର ଆମେ ପ୍ରାୟ ସାତଟା ବେଳେ ଚାଲିଗଲୁ ।
ନିମିଡା ପାଇଁ ସହରକୁ ପଡ଼ିଥିବା ସଡ଼କ ଉପରେ କିଛି ଦୂର ଅର୍ଥାତ୍ ୫୦/୬୦ ଗଜ ଯିବାପରେ ରେଲ୍ୱେ କ୍ରସିଂ ପାର୍ ହୋଇ ରେଲୱେ ଲାଇନ୍ର ତଳେ ତଳେ ହିଁ ଯିବାକୁ ପଡ଼ିଥାଏ । ଅନ୍ଧାର ହୋଇଆସିଥିଲା ।
ରେଲୱେ ଲାଇନ୍ ରାସ୍ତାକୁ ଛାଡ଼ି ଅନ୍ୟ ଏକ ରାସ୍ତା ମଧ୍ୟ ତେରେଛା ହୋଇ କ୍ଷେତ ଭିତର ବାଟ ଦେଇ ନିମିଡାକୁ ଯାଇଥିଲା । ସେ ପାଦଚଲା ରାସ୍ତାକୁ ଧରିବା ପାଇଁ ସାଇକେଲରେ ଅତିବେଶୀ ହେଲେ କୋଡିଏ ମିନିଟ୍ ଲାଗିଥାଏ । କିନ୍ତୁ ହରିପ୍ରସାଦକୁ ସାଇକେଲ ଚଳେଇବା ପ୍ରାୟ ଏକ ଘଣ୍ଟା ଲାଗିଗଲାଣି । ଅଥଚ ପାଦଚଲା ରାସ୍ତାରେ ମୋଡ଼ ବୁଲିବାର ଦେଖାଗଲା ନାହିଁ ।
ପଚାରିଲି : ଆରେ ଭାଇ, ଆମେ କୁଆଡେ ଯାଉଛେ? କଥାଭାଷା ଧୁନ୍ରେ ଆମେ ନିମିଡା ବଦଳରେ ଆଉ ଫୁଲନାରେ ପହଞ୍ଚଯିବା ନାହିଁ ତ?
ସେ କହିଲା : ଆରେ ଦେଖ- ଆଗରେ ନିମିଡାର ଆଲୁଅ ଦେଖାଯାଉଛି ।
ମୁଁ ବି ସାଇଡ୍ରୁ ଚାହିଁଲି । ସେ ଠିକ୍ କହୁଥିଲା ଏବଂ ଠିକ୍ ରାସ୍ତାରେ ଯାଉଥିଲା । ତଥାପି ସୁଦ୍ଧା ମୋ’ ମନଟା ମାନୁନଥିଲା । ସନେ୍ଦହ ହେବାରୁ ପୁଣି ତର୍କ କଲି- ଆମେ ରେଲୱେ ଲାଇନ୍ ପାଖ ଦେଇ ଏତେ ସମୟ ହେଲା ଯିବାରେ ଲାଗିଛେ, ଅଥଚ ଆଲୁଅ ଯେଉଁଠି କି ସେଇଠି ଦେଖାଯାଉଛି… । ଦୂରତ୍ୱ କମ୍ ହେବା ଉଚିତ୍ ନା ବଢ଼ିବା ଉଚିତ୍ ।
ତା’ପରେ ସେ ସାଇକେଲ୍ ଚଲେଇ ଚଲେଇ ଚାରିଆଡକୁ ଆଖି ବୁଲେଇ କହିଲା : ତୁମେ ଖୁବ୍ଶୀଘ୍ର ସୀତାପୁର ହସ୍ପିଟାଲକୁ ଯିବା ଉଚିତ୍, ତୁମ ଆଖି ଦୁର୍ବଳ ଏବଂ ଦୃଷ୍ଟିଶକ୍ତି କମିଯାଇଛି ।
ମୁଁ ଏବେ ଚୁପ୍ ହୋଇଗଲି । ପୁନର୍ବାର ଆମେ ଯେଉଁ ଫିଲ୍ମ ଦେଖିଥିଲୁ, ସେ ବିଷୟରେ ତର୍କ-ବିତର୍କ କରିବାରେ ଲାଗିଲୁ । ଆମେ ଯେତେବେଳେ ଫିଲ୍ମର ଭଲ-ମନ୍ଦ ଉପରେ କଥା ହେଉଥାଉ, ସେତିକିବେଳେ ମୋ’ ନଜର ଘଡ଼ି ଉପରେ ପଡ଼ିଲା । ମୁଁ ଚମକି ପଡ଼ି ହରିପ୍ରସାଦକୁ କହିଲି : ଭାଇ, ଟିକିଏ ରହିଯାଅ । ସେ ଓହ୍ଲେଇ ପଡ଼ିଲା । ତାକୁ ଘଡ଼ି ଦେଖେଇ ମୁଁ କହିଲି : ଆମେ ଆସିବାର ଦୁଇଘଣ୍ଟା ହୋଇଗଲା । ଗାଁର ଆଲୋକ ସେଇ ସ୍ଥାନରେ ହିଁ ଦେଖାଯାଉଛି । ଦୂରତ୍ୱ କମିବାର ନାହିଁ । ଏ ଅନ୍ଧାରରେ ଆମେ ନିଶ୍ଚିତ ଭାବେ ରାସ୍ତା ଭୁଲିଯାଉଛେ । ଏମିତି କର- ଉଆପସ୍ ଚାଲିଯିବା । ହେବ ତ କାଲିକି ଯାଇ ହେବ ।
ଏ କଥା ଶୁଣି ସେ କ’ଣ ଜବାବ ଦେଇଥାନ୍ତା । ଅକସ୍ମାତ୍ ପଛପଟୁ ଏକ ରିକ୍ସାର ଆବାଜ୍ ଶୁଣାଗଲା- ଆଚ୍ଛା ଏ ରିକ୍ସାବାଲାକୁ ପଚାରି ବୁଝି ନେବା ।
ସେତେବେଳକୁ ସେ ରିକ୍ସବାଲା ମଧ୍ୟ ନିକଟକୁ ଚାଲି ଆସିପଚାରିଲା- ବାବୁ, ସାଇକେଲ୍ ଖରାପ ହୋଇଗଲା ନା କ’ଣ? ପଙ୍କ୍ଚର୍ ହେଲା କି?
ନାହିଁ ଭାଇ, ସାଇକେଲ ଠିକ୍ ଅଛି ।
ତେବେ ଯିବେ କୋଉଠିକି?
ଯିବାକୁ ତ ଅଛି ନିମିଡା । କିନ୍ତୁ ବୋଧହୁଏ ଆମେ ଅନ୍ଧାରରେ ରାସ୍ତା ଭୁଲିଯାଇଛୁ ।
ନାଇଁ, ରାସ୍ତା ଭୁଲି ନାହାନ୍ତି । ଠିକ୍ ରାସ୍ତାରେ ହିଁ ଆପଣ ଅଛନ୍ତି, ଆସନ୍ତୁ ମୋ’ ପଛେ ପଛେ… । ଏତିକି କହି ସେ ଆଗକୁ ରିକ୍ସା ନେଇଗଲା । ମୁସ୍କିଲ୍ରେ ଦଶ ପନ୍ଦର ପାହୁଣ୍ଡ ଯାଇଛୁ କି ନାହିଁ, ସାଇକେଲର ଦୁଇ ଚକା ବାହାରି ଗଲା ।
ସାଇକେଲ୍ ରୋକି ଆମେ ତାକୁ କହିଲୁ : ଆମ ସାଇକେଲ ଚକା ବୋଧହୁଏ ପଙ୍କ୍ଚର ହୋଇଗଲା ।
ରିକ୍ସବାଲା ମଧ୍ୟ ଅଟକି ଯାଇ କିଛି ଭାବି କହିଲା : ଆସନ୍ତୁ ରିକ୍ସାରେ ହିଁ ବସିଯାଆନ୍ତୁ ।
ମୁଁ ପଚାରିଲି : ଭଡ଼ା କେତେ ନେବ?
କ’ଣ କହିବି ବାବୁ, ଆପଣଙ୍କ ମର୍ଜି ଉପର କଥା । ମେହନତ ଦେଖି ଯାହା ଉଚିତ୍ ମଣିବେ ଦେଇଦେବେ ।
ଆମେ ‘ଆଚ୍ଛା’ କହି ସାଇକେଲ ଉଠେଇ ରିକ୍ସାରେ ବସିଗଲୁ ।
କିଛି ଦୂର ଯିବା ପରେ ମୁଁ ଦେଖିଲି- ଆମେ ରିକ୍ସାରେ ବସିନୁ ବରଂ କୌଣସି ଝଡ଼ରେ ଉଡିଯାଉଛୁ… । ତା’ ସହିତ ମୁଁ କିଛି କଥାଭାଷା କରିବା ମତଲବ୍ରେ କହିଲି : ତୁମ ଆଖିର ଦୃଷ୍ଟିଶକ୍ତି ତ ବହୁତ ତେଜ । ଏତେ ଅନ୍ଧାର ଘେରି ରହିଛି, ସେଥିରେ ପୁଣି ତୋଫାନ ପରି ରିକ୍ସା ଚଳଉଛ । ଆଗରେ ଅତି କମ୍ରେ ବତୀ ତ ଲଗେଇ ଥାଆନ୍ତ । ସହରରେ ବତୀ ବିନା ତୁମକୁ ରିକ୍ସା ଚଳେଇବାକୁ ଅନୁମତି ଦେଉଛନ୍ତି କେମିତି କେଜାଣି!
ସେ କହିଲା : କ’ଣ କରିବି ବାବୁ, ଅଣ୍ଟୁନାଇଁ । ଆମେ ଦୁଇଜଣ । ମୋର ହିଁ ରୋଜଗାର । ଆଉ ମୋର ଜଣେ ସାଥୀ ଘରେ ଅଛି । ହେଲେ, ଏବେ ବତୀ ଲଗେଇବି ।
ଏ ଭିତରେ ହରିପ୍ରସାଦ ମୋ’ ଘଡ଼ି ଦେଖିଲା । ସେତେବେଳକୁ ୧୦ଟା ବାଜି ସାରିଥିଲା । ଘାବରେଇ ଉଠି ସେ କହିଲା : ରିକ୍ସାବାଲା, କେଉଁଠି ପାଣି ମିଳିବ? ମୋତେ ତ ଖୁବ୍ ଶୋଷ ଲାଗୁଛି ।
ସେ ରିକ୍ସା ରୋକି ତା’ ଡାହାଣ ଆଡକୁ ଦେଖେଇଲା- ଏଠି ଝୁମ୍ପୁଡି ଅଛି । ଯାଆନ୍ତୁ, ପାଣି ପିଇ ଆସନ୍ତୁ ।
ମୋତେ ବି ତ ଶୋଷ ହେଉଛି । କହି ମୁଁ ମଧ୍ୟ ତା’ ସାଥୀରେ ବାହାରିଲି । ଝୁମ୍ପୁଡି ତିନି ଚାରି ପାହୁଣ୍ଡ ଦୂରରୁ ମୁଁ ଆବାଜ ଦେଲି- ଏଠି କେହି ଅଛନ୍ତି?
ଝୁମ୍ପୁଡି ଭିତରୁ ଆବାଜ ଆସିଲା- କିଏ?
ମୁଁ କହିଲି : ଆମେ ଟିକିଏ ପାଣି ପିଇବାକୁ ଚାହୁଁଛୁ ।
ସେପଟରୁ ଜବାବ ମିଳିଲା : ବସନ୍ତୁ, ପାଣି ନେଇ ଆସୁଛି ।
ଆମେ ଝୁମ୍ପୁଡିର ଦ୍ୱାର ପାଖେ ଠିଆ ରହିଲୁ । ଝୁମ୍ପୁଡ଼ି ଭିତରୁ ଜଣେ ବୃଦ୍ଧ, ଢାଳ ଧରି ବାହାରିଲା ।
ତା’ ଉପରେ ଦୃଷ୍ଟି ପଡ଼ିବା ମାତ୍ରକେ, ଆରେ ବାପ୍ରେ ! କହି କହି ହରିପ୍ରସାଦ ଦୌଡ଼ିଯିବାକୁ ବୁଲିପଡ଼ିଲା । ମୁଁ ଦେଖିଲି- ସେ ବୃଦ୍ଧର ଲଲାଟ ଉପରେ ଏକ ବଡ଼ ଆଖି ରହିଛି… ମୁଖଟା ଓଟ ସଦୃଶ । ଏତିକି ଦେଖି ମୁଁ ମଧ୍ୟ ପଳାୟନ କଲି ।
କିନ୍ତୁ ସେତିକି ବେଳେ ଭୀତିସଂକଟ ଭାବନାରେ ମୁଁ ପଡ଼ିଗଲି । ବେହୋସ୍ ହୋଇଗଲି । ହୋସ୍ ଫେରିବା ପରେ ଦେଖିଲି- ମୁଁ ନିଜ ଘରେ ଖଟ ଉପରେ ଶୋଇଛି । ସାରା ଦେହରେ ବିନ୍ଧା ଯନ୍ତ୍ରଣା ରହିଛି । ଘରବାଲା କହିଲେ- ଚିକ୍ରା ଗାଁ ନିକଟରେ ଆମେ ଦୁହେଁ ବେହୋସ୍ ପଡ଼ିଥିଲୁ । ସେଠି ଥିଲା କବରଖାନା…
ସେଠୁ ଭୁବନେଶ୍ୱର ଓଝା, ଗାଡ଼ିରେ ନେଇ ଆସିଛନ୍ତି । ବହୁ ତନ୍ତ୍ର-ମନ୍ତ୍ର ଏବଂ ଝଡ଼ାଫୁଙ୍କା ପରେ ଆମେ ବଞ୍ଚିଯାଇଛୁ…
ଆମକୁ ମଶାଣି ପିଶାଚ ନେଇଯାଇଥିଲା । ସେ ତ ଜୀବନରୁ ମାରିଦେଇଥାନ୍ତା । କିନ୍ତୁ ମୋ’ ପାଖେ ଏକ ତାବିଜ ଗଳାରେ ଥିଲା । ତେଣୁ ବଞ୍ଚିଗଲି, ସେଇଦିନଠାରୁ ଆମ ଭିତରୁ କେହି ଆଉ ସୂର୍ଯ୍ୟାସ୍ତ ପରେ ବାହାର ଦୂରବର୍ତ୍ତୀ ସ୍ଥାନକୁ ଯାଉନୁ । ଏହାକୁ ପାଠ କରି ଆମ ପାଠକ ବନ୍ଧୁଗଣ ବିଶ୍ୱାସ ନକରି ପାରନ୍ତି; କିନ୍ତୁ ଏହା ମୋ’ ସାଥିରେ ଘଟିଥିବା ଘଟଣା ଥିଲା ।