ଆମ ପାଖରେ ଅଛି ଅନେକ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ଜ୍ଞାନକୌଶଳ । ପାଟି ସୁଆଦିଆ ରୋଷାଇ କଲାବେଳେ ଏହି ସାତଟି ଉପକାରୀ ଖାଦ୍ୟକୁ ନେଇ ଆମେ ରୋଚକ ବ୍ୟଞ୍ଜନ ପ୍ରସ୍ତୁତ କଲେ, ବଜାରବୁଲା ସହିତ କଦଳୀ ବିକା ହେବା ପରି ଆମେ ନିଜ ତଥା ପରିବାରବର୍ଗଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ କିଛି କରିପାରିବା ।
ଈଶ୍ୱରଙ୍କ ସୃଷ୍ଟିରେ ନାରୀ ଓ ପୁରୁଷ ଦୁଇଟି ଜାତି । ଏହି ଯୁକ୍ତିକୁ ମାନିନେଲେ ନାରୀ କହିଲେ ଆମେ ବୟସ ପ୍ରକାରଭେଦ ସତ୍ତ୍ୱେ ଶିଶୁଠାରୁ ବୃଦ୍ଧାଯାଏ ସମସ୍ତ ନାରୀଙ୍କୁ ହିଁ ବୁଝିବା । ଶିଶୁଟିକୁ ଗର୍ଭରେ ଧାରଣ କରିବା ପାଇଁ ପ୍ରାକୃତିକ ଭାବେ ପ୍ରସ୍ତୁତି ଆରମ୍ଭ ହୁଏ କିଶୋରୀର ଶରୀରରେ । ଯୌବନରେ ସେ ମାତୃତ୍ୱ ଲାଭକରେ । ନିଜ ଦେହର ପ୍ରତିଟି ରକ୍ତବିନ୍ଦୁ ସେ ଗର୍ଭସ୍ଥ ସନ୍ତାନଟିକୁ ଦାନ କରି ଜନ୍ମଦିଏ, ଛାତିରୁ କ୍ଷୀର ଦେଇ ବଢ଼ାଏ । ଈଶ୍ୱରଙ୍କ ସୃଷ୍ଟିର ଅପୂର୍ବ ବିସ୍ମୟ ପ୍ରତିଟି ନାରୀ ଆଜୀବନ ଦେଇଚାଲେ । ନିଜର ଶରୀରକୁ ନିସ୍ୱ କରିଚାଲେ । ଆମେ ନାରୀକୁ ଉପଯୁକ୍ତ ପୋଷଣ କିନ୍ତୁ ଦେଉନା । ଶକ୍ତିଦାୟିନୀ ନାରୀ ମଧ୍ୟ ଶକ୍ତି ଆବଶ୍ୟକ କରେ । ଯେଉଁସବୁ ଖାଦ୍ୟରୁ ସେ ଆବଶ୍ୟକୀୟ ଶକ୍ତି ଆହରଣ କରିପାରିବ, ଆସନ୍ତୁ ସେ ସଂପର୍କରେ ଆଲୋଚନା କରିବା ।
କ୍ୟାଲସିୟମ୍ ପାଇଁ ଛେନା
ଅଷ୍ଟେଓପରୋସିସ୍ ବା ହାଡ ଦୁର୍ବଳ ହେବାର ଅବସ୍ଥା କେବଳ କ୍ୟାଲସିୟମ୍ ଅଭାବରୁ ଦେଖାଦେଇଥାଏ । ଦୁଗ୍ଧ ଅପେକ୍ଷା ଲହୁଣୀ ମୁକ୍ତ ବସାଦହି, ଏପରିକି ସର କଢ଼ାଯାଇଥିବା ଉଷୁମ କ୍ଷୀର ପ୍ରତ୍ୟହ ଦୁଇତିନିଥର ଖାଇଲେ ଶରୀରକୁ ଆବଶ୍ୟକୀୟ କ୍ୟାଲସିୟମ ମିଳେ । ଯଦି ୨-୩ଥର ଦହି କିମ୍ବା କ୍ଷୀର ପିଇପାରୁନାହାନ୍ତି, ଅନ୍ତତଃ ଖାଦ୍ୟରେ ନିଶ୍ଚୟ ଛେନାର ବ୍ୟବହାର କରନ୍ତୁ । କାରଣ ଛେନାରେ ଅଛି ପ୍ରଚୁର କ୍ୟାଲ୍ସିୟମ୍ ଏବଂ ପ୍ରତ୍ୟେକ ଦିନ ଜଣେ ନାରୀ ଅନ୍ତତଃ ୧୦୦୦ ମିଲିଗ୍ରାମ୍ କ୍ୟାଲସିୟମ୍ ଆବଶ୍ୟକ କରେ ।
ରୋଗ ପ୍ରତିରୋଧକ ଶକ୍ତି ପାଇଁ ସେଓ
ତଟକା, ମିଠା ସେଓ ଫଳରେ ଅଛି କ୍ୱେର୍ସେଟିନ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ, ଯାହାକି ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ପାଇଁ ସମର୍ଥ । ଦେଖାଯାଇଛି ଯେ ଯେଉଁ ନାରୀମାନେ ନିୟମିତ ସେଓ ଖାଆନ୍ତି, ସେମାନଙ୍କଠାରେ ରୋଗ ପ୍ରତିରୋଧ କ୍ଷମତା ବେଶ୍ ସବଳ ଓ ସଶକ୍ତ ।
ଲୌହ ଖଣିଜ ପାଇଁ ମସୁର ଡାଲି
ମସୁର ଡାଲିରେ ଅଛି ପ୍ରଚୁର ଲୌହ ଖଣିଜ । ଏହାକୁ ଡାଲି କରି ଖିଆଯାଏ । କମ୍ କ୍ୟାଲୋରୀ ପ୍ରଦାନ କରୁଥିବା ଏହି ଡାଲିରେ ଥିବା ଲୌହ ଖଣିଜ ଯୁବତୀମାନଙ୍କର ରକ୍ତହୀନତା ଦୂର କରେ । ପରୀକ୍ଷାରେ ଦେଖାଯାଇଛି ଯେ, ରକ୍ତରେ ଲୌହ ଅଂଶ କମ୍ ରହୁଥିବା ମହିଳାମାନେ ଅଳ୍ପ କୁଶଳୀ । ଦିନକୁ ଗୋଟିଏ କପ୍ ମସୁର ପ୍ଲି ଖାଉଥିବା ନାରୀ ନିଜର ଦୈନନ୍ଦିନ ଆବଶ୍ୟକତାର ପ୍ରାୟ ୩୦ ପ୍ରତିଶତ ଲୌହ ଖଣିଜ ଆବଶ୍ୟକତା ପାଇପାରନ୍ତି ।
କୁଞ୍ଚିତ-ଚର୍ମରୁ ରକ୍ଷା କରେ ବ୍ରକୋଲି
ଆମର ତ୍ୱଚାକୁ ଟାଣିଧରି ଛାଡ଼ିଦେଲେ ପୂର୍ବାବସ୍ଥା ଫେରିଆସିବାକୁ କୁହାଯାଏ ତ୍ୱଚାର ରବର ଗୁଣ । ଏହା ଭିଟାମିନ୍- ‘ସି’ରୁ ତିଆରି ହେଉଥିବା ‘କୋଲାଜେନ୍’ ପ୍ରଭାବରୁ ସମ୍ଭବ ହୁଏ । ବ୍ରକୋଲିରେ ଥାଏ ଭରପୂର ଖାଦ୍ୟପ୍ରାଣ-ଗ ବା ଭିଟାମିନ୍-ସି । ଆହୁରି ମଧ୍ୟ ଥାଏ ବିଟା କ୍ୟାରୋଟିନ୍ । ଯାହାକି ଶରୀର ମଧ୍ୟରେ ‘ଖାଦ୍ୟପ୍ରାଣ-କ’ରେ ରୂପାନ୍ତରୀତ ହୁଏ । ଏହା ନୂତନ ଶରୀରକୋଷ ପ୍ରସ୍ତୁତିରେ ସହାୟକ ହେଉଥିବାରୁ ମୃତକୋଷ ସ୍ଥାନରେ ନୂତନ କୋଷ ସୃଷ୍ଟି କରି ଚିରଯୌବନା କରିବାରେ ସହାୟକ ହୁଏ । ମୁଖମଣ୍ଡଳ ସମେତ ସମଗ୍ର ଶରୀରରେ ରେଖା କିମ୍ବା କୁଞ୍ଚନ ଦେଖାଯାଏନାହିଁ ।
‘ପାଳଙ୍ଗ’-ଭରପୁର ଖାଦ୍ୟର ଭଣ୍ଡାର
ଭିଟାମିନ୍- ‘କେ’ କ୍ୟାଲ୍ସିୟମ୍ ଓ ମ୍ୟାଗ୍ନେସିୟମ୍ରେ ଭରପୁର ପାଳଙ୍ଗ ଶାଗ । ଏହାକୁ ଶାଗ ନକହି ପରିବା କହିଲେ ବରଂ ଭଲ । ବୟସ ବଢ଼ିଚାଲିଲେ ନାରୀମାନଙ୍କର ଅସ୍ଥିଗତ ଦୁର୍ବଳତା ବଢ଼ିଚାଲିବା କିଛି ନୂଆ କଥା ନୁହେଁ । ପାଳଙ୍ଗରେ ଥିବା ଖାଦ୍ୟ ଉପାଦାନ ଅସ୍ଥି-ଭଙ୍ଗୁରତାର ଗତିରୋଧ କରିପାରେ । ଜନ୍ମଗତ ଦୁର୍ବଳତା ଓ ଅସୁବିଧାଗୁଡ଼ିକୁ ଦୂର କରିବା ପାଇଁ ପାଳଙ୍ଗରେ ଥିବା ବି’- ଭିଟାମିନ୍ ‘ଫୋଲେଟ୍’ ସାହାଯ୍ୟ କରେ ।
ଚକୋଲେଟ୍ -ଯାହା ଅବସାଦବୋଧ ଦୂରକରେ
ୟୁରୋପର ଗବେଷକମାନେ ପରୀକ୍ଷା କରି ଦେଖିଛନ୍ତି ଯେ, ପ୍ରତିଦିନ ୨୦୦ କ୍ୟାଲୋରୀ ଥିବା ଦେଢ଼ ଆଉନ୍ସ ଓଜନର ଚକୋଲେଟ୍ ସେବନ କରୁଥିବା ନାରୀ ମାତ୍ର ଦୁଇ ସପ୍ତାହରେ ଅବସାଦବୋଧ ସୃଷ୍ଟିକାରୀ ହର୍ମୋନ୍ ‘କର୍ଟିସୋଲ୍’ର ଶିକାର ହୁଏନା । ଏହି ହରମୋନ୍ ରକ୍ତଚାପ ସ୍ୱଳ୍ପ ସମୟ ପାଇଁ ବଢ଼ାଇବା ପାଇଁ ଦାୟୀ । ହୃଦୟ ଜନିତ ରୋଗ, ମୋଟାପଣ, ଅବସନ୍ନତା ଇତ୍ୟାଦି ପାଇଁ ଏହି ହରମୋନ ବଢ଼ାଇଥାଏ । ଅଥଚ ପ୍ରତ୍ୟହ ଚକୋଲେଟ୍ ଖାଇଲେ, ଅବସାଦବୋଧ ତ କମିଯିବ, ତା’ ସହ ଅନେକ ରୋଗରୁ ମଧ୍ୟ ରକ୍ଷା ମିଳିବ । ଚକୋଲେଟ୍କୁ ସାମାନ୍ୟ ଉଷୁମ କରି ଖାଦ୍ୟରେ ସଜାବଟ୍ ଆକାରରେ ମଧ୍ୟ ଖିଆଯାଇପାରେ ।
ଛତୁ- କର୍କଟ ରୋଗ ପ୍ରତିରୋଧି, ଆଣ୍ଟି ଅକ୍ସିଡାଣ୍ଟ
ଦେଖାଦେଇଛି ଯେ, ପ୍ରତ୍ୟେକ ଦିନ ଗୋଟିଏ ମାତ୍ର “ବଟନ୍ ଛତୁ’ ଖାଉଥିବା ନାରୀଙ୍କ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ନାରୀ ସ୍ତନ କର୍କଟ ରୋଗ ସମ୍ଭାବନା ମୁକ୍ତ । ଆମେ ଜାଣିରଖିବା ଉଚିତ ହେବ ଯେ ‘ଇଷ୍ଟ୍ରୋଜେନ୍’ ହରମୋନ୍ ଅଧିକ ସୃଷ୍ଟି ହେଲେ ଅନେକ ପ୍ରକାର ସ୍ତନ କର୍କଟ ପାଇଁ ବାଟ ମିଳିଯାଏ ଏବଂ ଏହି ହରମୋନ୍ ଶରୀର ମଧ୍ୟରେ ପ୍ରସ୍ତୁତ ହେବା ପାଇଁ ‘ଆରୋମାଟେଜ୍’ ନାମକ ଏକ ପୁଷ୍ଟିସାର ହିଁ ଦାୟୀ । ଛତୁ ଖାଇଲେ ଏହି ଆରୋମାଟେଜ୍ ପ୍ରୋଟିନ୍ର ଦବଦବା କମିଯାଇଥାଏ । ଏଣୁ ଅଧିକରୁ ଅଧିକ ଛତୁ ଖାଆନ୍ତୁ, କର୍କଟ ରୋଗ ପଞ୍ଝାରୁ ଦୂରରେ ରୁହନ୍ତୁ ।
ଚୁନାମାଛ : ହୃଦ୍ରୋଗ ବିରୁଦ୍ଧରେ ଲଢ଼ିପାରେ
ଚୁନାମାଛ ଯଥା ମହୁରାଳୀ ମାଛକୁ ଛୋଟ ମାଛ ଭାବି ଆଡେଇ ଦିଅନ୍ତୁ ନାହିଁ । ଏଥିରେ ଅଛି ପ୍ରଚୁର ଓମେଗା-୩ ଏସିଡ୍ । ଏହି ରସାୟନିକ ଦ୍ରବ୍ୟ ଆମର ବଳ କିମ୍ବା ଅବରୁଦ୍ଧ ହୋଇଯାଉଥିବା ରକ୍ତଧମନୀକୁ ପ୍ରସାରିତ କରି ଅବରୋଧମୁକ୍ତ କରିବାକୁ ସାହାଯ୍ୟ କରିଥାଏ । ଧମନୀ ମଧ୍ୟରେ ରକ୍ତ ଜମାଟ ବାନ୍ଧିବା କାରଣରୁ ହୃଦ୍ରୋଗ ସମ୍ଭାବନା ଥାଏ । ଧମନୀ ଓ ରକ୍ତନଳୀକୁ ସାବଲୀଳ କରି ଏହା ହୃଦ୍ଘାତ ଓ ଅନେକ ପ୍ରକାର ହୃଦ୍ରୋଗ ଆଶଙ୍କା ଦୂର କରିପାରେ । ଏଣୁ ପ୍ରତ୍ୟେକ ଦିନ କିଛି ଚୂନାମାଛ ଖାଇବା ଆବଶ୍ୟକ ।
ଆମ ପାଖରେ ଅଛି ଅନେକ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ଜ୍ଞାନକୌଶଳ । ପାଟି ସୁଆଦିଆ ରୋଷାଇ କଲାବେଳେ ଏହି ସାତଟି ଉପକାରୀ ଖାଦ୍ୟକୁ ନେଇ ଆମେ ରୋଚକ ବ୍ୟଞ୍ଜନ ପ୍ରସ୍ତୁତ କଲେ, ବଜାରବୁଲା ସହିତ କଦଳୀ ବିକା ହେବା ପରି ଆମେ ନିଜ ତଥା ପରିବାରବର୍ଗଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ କିଛି କରିପାରିବା ।