ସ୍ତ୍ରୀ ଆସିଲେ ପୁଅ ମା’ର ମମତାକୁ ଭୁଲିଯାଏ । ଆଉ ପରକୀୟା ପ୍ରୀତିରେ ଲିପ୍ତ ଲୋକ ଦୁନିଆକୁ ଭୁଲିଯାଏ । ମା’ କଥା ଛାଡ଼, ନିଜ ସ୍ତ୍ରୀ, ପୁତ୍ର କନ୍ୟା ସମସ୍ତଙ୍କ ପାଖରୁ ତାର ମୋହ ତୁଟିଯାଏ । ପ୍ରେମରେ ମଣିଷ କେମିତି ପାଗଳବନି ନିଜ ସ୍ୱାମୀ ସ୍ତ୍ରୀକୁ ଷଡ଼ଯନ୍ତ୍ରକରି ହତ୍ୟା କରୁଛି, ତାର କାହାଣୀତ ପ୍ରତ୍ୟହ ସମ୍ବାଦ ପତ୍ରର ପୃଷ୍ଠାରୁ ପଢୁଛ । ସେମିତି ପ୍ରେମରେ ଅନ୍ଧବନି ନିଜ ମା’କୁ ହତ୍ୟା କରିବାର ଏକ ସୁନ୍ଦର କଥନିକା ଅଛି ଶୁଣ ।
ସେଦିନ ଅଫିସ୍ ଯିବା ଆଉ ଆସିବା ଭିତରେ ଯେଉଁ ଦୁଇଟି ଘଟଣା ପ୍ରତ୍ୟକ୍ଷ କରିଥିଲି, ଯେଉଁ ଘଟଣାଦୁଇଟି ଗୋଟିଏ ସୂକ୍ଷ୍ମ ମନସ୍ତତ୍ତ୍ୱରେ ଜଡ଼ିତ, ଯାହା ମୋତେ ଆଜିଯାଏଁ ଆଲୋଡ଼ିତ କରେ, ଆଜି ତାକୁନେଇ ଗପଟେ ଲେଖୁଚି । ଯିବା ବାଟରେ ଯେଉଁ ଘଟଣାଟି ଘଟିଥିଲା ତାହା ଯେତିକି ମର୍ମସ୍ପର୍ଶୀ ସେତିକି ହୃଦୟ ବିଦାରକ । ଗୋଟିଏ ମା’ ମାଙ୍କଡ଼ ନିଜର ସଦ୍ୟଜାତ ସନ୍ତାନକୁ ଧରି ଖାଦ୍ୟାନ୍ୱେଷଣରେ ଗ୍ରାମ ମଧ୍ୟରେ ପଶିଲାମାତ୍ରେ ଦୁଇଟି କୁକୁର ତାକୁ ଆକ୍ରମଣ ନିମନ୍ତେ ବିକଟ ରଡିଛାଡ଼ି ଝପଟି ଆସିଲେ । ମା’ ମାଙ୍କଡ ନିଜ ଶାବକକୁ ପେଟରେ ଜାକି ପାଖ ଗଛ ଉପରକୁ ଚଢିଯାଇ ଏ ଡ଼ାଳରୁ ସେ ଡ଼ାଳ ଡ଼େଇଁ ଆତ୍ମଗର୍ବରେ କୁକୁର ଦ୍ୱୟକୁ ଖତେଇଲା ବେଳେ ହଠାତ୍ କେମିତି ଅସାବଧାନବଶତଃ ଶାବକଟି ମା’ ପେଟରୁ ଖସି ତଳେ ପଡିଗଲା । ଅପମାନରେ ଜର୍ଜରିତ କୁତ୍ତାଦ୍ୱୟ ତୁରନ୍ତ ଶାବକକୁ ମରଣାନ୍ତକ ଆକ୍ରମଣ କଲେ । ଏହା ଦେଖି ମା’ ମାଙ୍କଡ଼ ଶାବକର ରକ୍ଷା ନିମନ୍ତେ ନିଜ ଜୀବନକୁ ବିପନ୍ନ କରି ତଳକୁ ଡ଼େଇଁ ପଡ଼ିଲା । କୁତ୍ତା ଦ୍ୱୟ ନିଜର ପ୍ରକୃତ ଶତ୍ରୁକୁ ପାଇ ଶାବକକୁ ଛାଡି ମା’ ମାଙ୍କଡ଼ ଉପରେ ପ୍ରଚଣ୍ଡ ଆକ୍ରମଣ କଲେ । ଏହା ଦେଖି ଗୋଟିଏ ବୁଢାମାଙ୍କଡ଼ ଚୁପ୍କିନା ଗଛରୁ ଓହ୍ଲାଇ ଶାବକକୁ ଟେକିନେଇ ଗଛରେ ଚଢିଗଲା । ଗୋଟିଏ କୁତ୍ତା ମା’ ମାଙ୍କଡ଼ର ତଣ୍ଟିକୁ କାମୁଡି ଧରିଲା ବେଳେ ଅନ୍ୟଟି ତା’ ପିଠିକୁ କାମୁଡିବାକୁ ଲାଗିଲା । ମାଙ୍କଡ଼ ପଲ ଗଛର ନିରାପଦ ଡ଼ାଳରେ ବସି କେବଳ ଖିଁ ଖିଁ କରୁଥାନ୍ତି । ସେମାନଙ୍କର ସମବେତ ପାଟି ଆଉ କୁତ୍ତାଦ୍ୱୟର ବିକଟ ଘାଉଁ ଘାଉଁ ଶବ୍ଦରେ ବେଶ୍ କିଛି ଗ୍ରାମବାସୀ ଜୁଟି ଯାଇଥିଲେ ହେଁ କୁତ୍ତାଦ୍ୱୟର ଏ ବର୍ବରକାଣ୍ଡର ପ୍ରତିରୋଧ ନ କରି ବରଂ ଯୁଦ୍ଧଟି ଉପଭୋଗକରି ମଜା ନେଉଥାନ୍ତି । ପ୍ରତିପତ୍ତିଶାଳୀ ରାଜନେତାଙ୍କ ଇଙ୍ଗିତରେ ମାତ୍ର ଜଣେ ଦି’ଜଣ ଗୁଣ୍ଡା ଅସହାୟା ରମଣୀଟିକୁ ଘରୁ ଟାଣିଆଣି ଶହ ଶହ ଲୋକଙ୍କ ସାମ୍ନାରେ ଧର୍ଷଣ କରୁଥିବାବେଳେ ତାର ଇଜ୍ଜତ ରକ୍ଷାପାଇଁ ସତ୍ସାହସ ହରାଇଥିବା ଜନତା ଯେମିତି ତଳକୁ ମୁଣ୍ଡପାତି ଅସହାୟଭାବେ ଛିଡ଼ାହେଇଥାନ୍ତି, ଏଠି ସମବେତ ଜନତାଙ୍କ ସେ ଅସହାୟତା ନଥିବା ସତ୍ତ୍ୱେ ଗୋଟିଏ ଠେଙ୍ଗା ଧରି କୁତ୍ତାଦ୍ୱୟକୁ ଘଉଡାଇ ମାଙ୍କଡଟିର ଜୀବନରକ୍ଷାର ଏକ ସହଜସାଧ୍ୟ ଉପକାର କରିବାକୁ କାହାର ବିବେକ କହିଲା ନାହିଁ । ବରଂ ମାଙ୍କଡ ପଲ ଫସଲ ଆଦି ନଷ୍ଟ କରୁଥିବାରୁ ସେମାନଙ୍କ ପ୍ରତି ଏହାହିଁ ଉପଯୁକ୍ତ ଦଣ୍ଡ ବୋଲି ଜଣେ ଦର୍ଶକ ମନ୍ତବ୍ୟ ପ୍ରଦାନ ପୂର୍ବକ କରତାଳି ମାରି ନୃତ୍ୟ ଆରମ୍ଭ କରିଦେଲା । ତାଙ୍କ ପାଇଁ ମାଙ୍କଡ ଓ ଶାବକଟିର ଜୀବନର ମୂଲ୍ୟ କିଛି ନଥିଲା । ସମବେତ ଦର୍ଶକଙ୍କ ମଧ୍ୟରୁ ଜଣକର ବି ନୈତିକ ମୂଲ୍ୟବୋଧ ନଥିବା ନିଶ୍ଚୟ ପରିତାପର ବିଷୟ । ଆଉ ମାଙ୍କଡ଼ପଲ ଯଦି କୁତ୍ତାଦୁଇଟିକୁ ସମବେତ ଆକ୍ରମଣ କରିଥାନ୍ତେ, ହୁଏତ କୁତ୍ତା ଦୁଇଟିର ପରାଜୟର ସମ୍ଭାବନା ଯଥେଷ୍ଟ ଥିଲା । ମାତ୍ର ଉପସ୍ଥିତ ବୁଦ୍ଧି, ସତ୍ସାହସ କି ଏକତାର ମୂଲ୍ୟ କେହିଁ ବୁଝିଲେ ନାହିଁ । ଶେଷରେ ମା’ ମାଙ୍କଡର ପରାଜୟ ଥିଲା ସ୍ୱାଭାବିକ । ଦୁଃଶାସନର ତଣ୍ଟି କଣାକରି ପ୍ରତିଶୋଧ ପିପାସୁ ଭୀମସେନ ରକ୍ତ ପାନକଲା ଭଳି ଗୋଟିଏ କୁତ୍ତା ମା’ ମାଙ୍କଡ଼ର ତଣ୍ଟି କାମୁଡି ଛିଣ୍ଡାଇ ଦେଇଥିଲା ବେଳେ ଅନ୍ୟଟି ତା’ ପିଠିରୁ ପୁଳାଏ ମାଂସ ଝୁଣି ବାହାର କରି ଦେଲା । ମାଙ୍କଡ଼ଟି ତଳେ ପଡି କିଛି ସମୟ ଯନ୍ତ୍ରଣାରେ ଛଟପଟ ହେଇ ପ୍ରାଣ ହରାଇଲା । ମା’ ମାଙ୍କଡର ସ୍ନେହଶୀଳ ମାତୃତ୍ୱର ଏ ଦୃଷ୍ଟାନ୍ତ ମୋତେ ଯେତିକି ଅଭିଭୂତକଲା, ମଣିଷଙ୍କ ମୂଲ୍ୟବୋଧର ଏ ଅବକ୍ଷୟ ତଥା ମୋର ନିରବ ଦର୍ଶକସାଜି ଦୃଶ୍ୟଟିକୁ ପ୍ରତ୍ୟକ୍ଷ କରିବାର କାପୁରୁଷପଣିଆ ହେତୁ ନିଜେ ନିଜକୁ ଧିକ୍କାର କଲି ।
ସେଦିନ ମା’ ମାଙ୍କଡ଼ର ସେହି ଦୁର୍ଭାଗ୍ୟଜନକ ମୃତୁ୍ୟର କାରୁଣ୍ୟ ଏବଂ ନିରବ ଦ୍ରଷ୍ଟାସାଜି ଦୃଶ୍ୟଟି ଉପଭୋଗ କରିବାର ମୋର ଗୋଟିଏ ନପୁଂସକୀୟ ଅସହାୟତା ପରମୁହୂର୍ତ୍ତରେ ମୋ ହୃଦୟରେ ଗଭୀର ଆଲୋଡ଼ନ ସୃଷ୍ଟିକଲା । ଅଫିସ୍ରେ ଆଉ କୌଣସି କାମରେ ମନ ଲାଗିଲା ନାହିଁ । ଡୁ୍ୟଟିସାରି ସନ୍ଧ୍ୟାରେ ପୁଣି ଗତାନୁଗତିକଭାବେ ଲୋକାଲ୍ ଟ୍ରେନ୍କୁ ଅପେକ୍ଷାକରି ପ୍ଲାଟଫର୍ମର ନିରୋଳା ବେଞ୍ଚରେ ବସି ସକାଳର ସେହି ବିଦାରୁଣ ଦୃଶ୍ୟ ଓ ସେ ମାର୍ମିକ ଦୁଃଖକୁ ଘାଣ୍ଟିହେଲି । କିଛି ସମୟପରେ ଡାଉନ୍ ଲୋକାଲ୍ ଆସି ପ୍ଲାଟଫର୍ମରେ ଲାଗିଲା । କିଛିଲୋକ ଓହ୍ଲାଇଲେ ଓ ଜଳେଶ୍ୱର ଆଡକୁ ଯିବାପାଇଁ ପ୍ରତୀକ୍ଷାରତ ଯାତ୍ରୀମାନେ କୋଳାହଳକରି ଟ୍ରେନ୍ ଚଢିଲେ । ପୁଣି ପାଞ୍ଚ ଦଶମିନିଟ୍ ପରେ ପୂର୍ବବତ୍ ନିରବତା ଫେରିଆସିଲା । ମୁଁ ପୁଣି ନିରବରେ ଚିନ୍ତାସୂତ୍ରର ଖିଅ ଫିଟାଇଲି ।
ହଠାତ୍ ମରିଗଲି ମରିଗଲି ବୋଲି ଜଣେ କ୍ରନ୍ଦନରତା ନାରୀକଣ୍ଠର ଚିକ୍ରାର ଶୁଭିଲା । କ’ଣ ହେଲାବୋଲି ଉଠିପଡ଼ି ଚିକ୍ରାର ଶୁଭୁଥିବା ଦିଗକୁ ଗଲି । ଯୁବତୀଟିଏ ଗୋଟିଏ ହାତରେ ବୟସ୍କା ବିଧବା ସ୍ତ୍ରୀଲୋକର ଚୁଟି ଜୋରେ ଟାଣିଧରି ଅନ୍ୟହାତରେ ଆଉଏକ ନାରୀର ଆକ୍ରମଣକୁ ପ୍ରତିରୋଧ କରୁଛି । ବିଚାରୀ ବୁଢୀଟି ଆକୁଳରେ ଚିକ୍ରାର କରୁଥିବାବେଳେ ଯୁବତୀର ରଣହୁଙ୍କାର ତଥା ବୁଢୀକୁ ଉଦ୍ଧାର କରିବାରେ ନାରୀଟିର ପ୍ରଚେଷ୍ଟା ପରିବେଶକୁ ଅଶାନ୍ତ କରିଥିଲା । ସେମାନଙ୍କ ପାଟିଶୁଣି କର୍ମରତ କିଛି ରେଳବାଇ କର୍ମଚାରୀ ଓ ଟ୍ରେନ୍ର ପ୍ରତୀକ୍ଷାରେ ବସିଥିବା ମୋ’ ପରି କିଛି ଯାତ୍ରୀ ତଥା ଗ୍ରୀଷ୍ମ ସନ୍ଧ୍ୟାରେ ମୁକ୍ତ ହାୱା ସେବନ କିମ୍ବା କିଛି ମନ୍ଦ ଉଦେ୍ଦଶ୍ୟରେ ପ୍ଲାଟଫର୍ମରେ ନିତି ଟହଲ ମାରୁଥିବା କେତେଜଣ ଟୋକା ଦୌଡ଼ିଆସି ଉଭୟ ପକ୍ଷକୁ ଝଗଡ଼ାରୁ କ୍ଷାନ୍ତକଲେ । ତତ୍ପରେ ଚାଲିଲା ଏ ଅପ୍ରତ୍ୟାଶିତ କଳହର କାରଣ ଅନୁସନ୍ଧାନ । ବୁଢୀଟି କାନ୍ଦି ଯେଉଁ କଥାଟି ପ୍ରକାଶକଲା ତା’ର ସାରମର୍ମ ଏହିପରି-
ସେ ବୁଢୀର ସ୍ୱାମୀ ରେଳବାଇରେ ଗ୍ୟାଙ୍ଗମ୍ୟାନ୍ଭାବେ କାର୍ଯ୍ୟ କରୁଥିଲା । ଦିନେ ରେଳଲାଇନ୍ରେ କାମ କରୁଥିବା ବେଳେ ସେ ଟ୍ରେନ୍ ଚାପାରେ ମୃତୁ୍ୟବରଣ କଲା । ବୁଢୀ ତା’ର ଏକମାତ୍ର ପୁଅର ମୁହଁକୁ ଚାହିଁ ସ୍ୱାମୀର ମୃତୁ୍ୟଜନିତ ଦୁଃଖକୁ କିଛିମାତ୍ରାରେ ଲାଘବ କଲା । ବିଚାରୀ ବୁଢୀ ଖଡ଼ଗପୁରକୁ କେତେଥର ଦୌଡ଼ାଦୌଡ଼ି କଲାପରେ ସୌଭାଗ୍ୟକୁ ପୁଅ ରେଳବାଇରେ ଅନୁକମ୍ପାମୂଳକ ଚାକିରିଟେ ପାଇଲା । ପୁଅ ବର୍ଷେ ଚାକିରି କଲାପରେ ବୁଢୀ ପୁଅ ପାଇଁ ବୋହୂଟେ ବାଛିି ବାହାକରି ଆଣିଲା । କିଛିଦିନ ପରେ କୋଳକୁ ନାତିଟିଏ ବି ଆସିଲା । ବୁଢୀର ଆନନ୍ଦର ସୀମା ରହିଲାନି । ହେଲେ ବର୍ଷେପରେ ବୁଢୀ ଦେଖିଲା, ପୁଅ ଅଧିକ ରାତିରେ ମଦପିଇ ଘରକୁ ଫେରୁଚି । ପୁଅକୁ ଏ ବିଷୟରେ କହିଲା ବେଳକୁ ପୁଅ ରାଗିଯାଇ ମା’କୁ ଥୁଣ୍ଟେଇଲା । ଆଉ କିଛିଦିନ ବାଦ୍ ବୁଢୀ ଦେଖିଲା, ପୁଅ ଅଧିକାଂଶ ରାତି ଘରକୁ ଫେରୁ ନାହିଁ । ଯେଉଁଦିନ ଘରକୁ ଆସୁଛି, ସ୍ତ୍ରୀ କି ମା’ ସହ ଅକାରଣେ ଝଗଡ଼ା କରୁଛି । ଘରେ ସଉଦାପତ୍ର ପାଇଁ ଟଙ୍କା ମାଗିଲେ ସେ ରାଗି ଘରୁ ନଖାଇ ଚାଲି ଯାଉଛି । କ୍ରମଶଃ ଘରେ ରାତିରେ ଅନୁପସ୍ଥିତ ରହିବା ଓ ଟଙ୍କା ଦେବାରେ ଅବହେଳା କରିବାର ମାତ୍ରା ତା’ର ବଢି ଚାଲିଲା । ବୁଢୀ ଏହାର କାରଣ ଅନୁସନ୍ଧାନ ପାଇଁ ପୁଅର ଅଫିସ୍ୟାଇ ଶୁଣିଲା- ପୁଅ ଆଉ ଗୋଟିଏ ମେହେନ୍ତରାଣୀର ଝିଅକୁ ଧରି ବୁଲୁଛି । ରାତିରେ ତାହାରି ଘରେ ଶୋଉଛି । ନିଜ ସର୍ଭିସ୍ ବୁକ୍ରେ ସେ ଟୋକୀର ଫଟୋ ଲଗାଇ ତାକୁ ନିଜର ସ୍ତ୍ରୀଭାବେ ପରିଚୟ ଦେଇ ରେଳଯୋଗେ ବିଭିନ୍ନ ଜାଗା ବୁଲୁଛି । ବ୍ୟାଙ୍କ୍ରୁ ଟଙ୍କା କରଜ ଆଣି ତା’ପାଇଁ ଘରଟେ ତୋଳି ଦେଇଛି ।
ବୁଢୀ ପୁଅକୁ ଯାଇ ବୁଝାଇଲା । ପୁଅ ମା’ର କଥାଶୁଣି ମାଙ୍କଡ଼ପରି ଖେଁକିରି ଉଠିଲା । ଶେଷରେ ନିରୁପାୟହୋଇ ମା’ ପୁଅ କାମ କରୁଥିବା ଷ୍ଟେସନ୍ର ଷ୍ଟେସନ୍ମାଷ୍ଟର୍ଙ୍କୁ ସବୁକଥା କହି କାନ୍ଦିଲା । ଷ୍ଟେସନ୍ମାଷ୍ଟର୍ ବୁଢୀପୁଅକୁ ଡ଼ାକି ବୁଝାଇଲେ । ତଥାପି ବାଳୁଙ୍ଗାପୁଅ ବୁଝିଲାନି ଓ ମା’ ସର୍ବଦା ଗଜ୍ ଗଜ୍ ହେଇ ମିଛ ଦୋଷାରୋପ କରି ତାର ମୁଣ୍ଡ ବିଗାଡ଼ି ଦେଉଛି କହି ଆଉ ଘରକୁ ଆସିଲା ନାହିଁ । ହେଲେ ବୁଢୀ ନରମି ନଯାଇ ବାରମ୍ବାର ନିଜ ବୋହୂ ଓ ନାତିକୁ ଧରି ଷ୍ଟେସନ୍ ଆସିଲା । ସବୁ ରେଳବାଇ କର୍ମଚାରୀଙ୍କୁ ନିଜ ଦୁଃଖ ଜଣାଇ କାନ୍ଦିଲା । ଦରମା ପାଇବା ଦିନ ତିନିହେଁ ଆସି ବସିଲେ । ପୁଅ ଦରମା ପାଇ କିଛିମାତ୍ର ଟଙ୍କା ମା’ଉପରକୁ ଛାଟିଦେଇ ତୁରନ୍ତ ଷ୍ଟେସନ୍ ଛାଡ଼ି ଚାଲିଯିବାକୁ ତାଗିଦ୍ କଲା ।
କ୍ରମଶଃ ନାତି ବଡ଼ହେଲା । ଘରର ଖର୍ଚ୍ଚ ବଢିଲା । ନିରୁପାୟ ମା’ ଶେଷରେ କିଛିଲୋକଙ୍କ ପରାମର୍ଶ ମାନି ପୁଅର ସମସ୍ତ କାର୍ଯ୍ୟକଳାପର ବିବରଣୀ ସମ୍ବଳିତ ଦରଖାସ୍ତଟିଏ ଖଡ଼ଗପୁରର ଡି.ଆର.ଏମ୍.ଙ୍କ ପାଖକୁ ପଠାଇ ଦେଲେ । ଦରଖାସ୍ତ ପାଇ ଡିଆର୍ଏମ୍ ଏହାର ତଦନ୍ତଭାର ସ୍ଥାନୀୟ ଷ୍ଟେସନ୍ ମାଷ୍ଟରଙ୍କୁ ନ୍ୟସ୍ତ କରି ତୁରନ୍ତ ରିପୋର୍ଟ ପଠାଇବା ପାଇଁ ଆଦେଶ ଦେଲେ । ଆଜି ଷ୍ଟେସନ୍ ମାଷ୍ଟ୍ରେ ଟୋକାର ମା’ଆଉ ସ୍ତ୍ରୀକୁ ଡକାଇ ଥିଲେ । ଏକଥା ପୁଅ ତା’ର ପ୍ରେମିକାକୁ କହିଲାପରେ ଏ ସଂଘର୍ଷର ସୂତ୍ରପାତ ଘଟିଲା । ପୁଅ ଦୂରରେ ରହି ଏ ନାଟ ଦେଖୁଛି ।
କଥାଟା ଶୁଣି ସେ ଟୋକାଟା ଉପରେ ମୋର ରାଗ ଚଢିଗଲା । ହେଲେ ମୁଁ ଅବା ତାର କ’ଣ ଉଖାରି ପାରନ୍ତି? ମନ ରାଗ ମନରେ ରଖି ମୁଁ ସହକର୍ମୀ ମଦନସହ ଫାଙ୍କା ସିମେଣ୍ଟ ବେଞ୍ଚକୁ ଫେରିଲି । ମଦନ କହୁଥିଲା- ଏମିତିବି ପୁଅ ଅଛନ୍ତି? ଶଳା ନିଜ ମା’ ଆଉ ସ୍ତ୍ରୀକୁ ମାଡ଼ ଦେବାପାଇଁ ପ୍ରେମିକାକୁ ଲଗାଇ ଦେଲା?
ମୁଁ କହିଲି- ସ୍ତ୍ରୀ ଆସିଲେ ପୁଅ ମା’ର ମମତାକୁ ଭୁଲିଯାଏ । ଆଉ ପରକୀୟା ପ୍ରୀତିରେ ଲିପ୍ତ ଲୋକ ଦୁନିଆକୁ ଭୁଲିଯାଏ । ମା’ କଥା ଛାଡ଼, ନିଜ ସ୍ତ୍ରୀ, ପୁତ୍ର କନ୍ୟା ସମସ୍ତଙ୍କ ପାଖରୁ ତାର ମୋହ ତୁଟିଯାଏ । ପ୍ରେମରେ ମଣିଷ କେମିତି ପାଗଳବନି ନିଜ ସ୍ୱାମୀ ସ୍ତ୍ରୀକୁ ଷଡ଼ଯନ୍ତ୍ରକରି ହତ୍ୟା କରୁଛି, ତାର କାହାଣୀତ ପ୍ରତ୍ୟହ ସମ୍ବାଦ ପତ୍ରର ପୃଷ୍ଠାରୁ ପଢୁଛ । ସେମିତି ପ୍ରେମରେ ଅନ୍ଧବନି ନିଜ ମା’କୁ ହତ୍ୟା କରିବାର ଏକ ସୁନ୍ଦର କଥନିକା ଅଛି ଶୁଣ ।
ମୁଁ ଗପଟି ଆରମ୍ଭ କଲି- ଏକଦା ଗୋଟିଏ ଜନପଦରେ ମା’ ଆଉ ତା’ର ଏକମାତ୍ର ପୁଅ ଦି’ପ୍ରାଣୀ ବାସ କରୁଥାନ୍ତି । ମା’ ପରଘରର ବାସି ପାଇଟି କରି, ବାସନ କୁସନ ମାଜି ଯାହା ପଇସା ପାଏ, ସେଥିରେ ଦୁହେଁ କଷ୍ଟମଷ୍ଟେ ଚଳି ଯାଉଥାନ୍ତି । ପୁଅକୁ ଦଣ୍ଡେ ନଦେଖିଲେ ମା’ ଯେମିତି ଅଧୀର ହେଇଉଠେ, ମା’ ଖୁଆଇ ନ ଦେଲେ କି ପାଖରେ ନ ଶୋଇଲେ ପୁଅକୁ କିଛି ଭଲ ଲାଗୁ ନଥାଏ । ପୁଅ ବଡ଼ ହେଲାପରେ ବେପାର ବଣିଜକରି ଦୁହେଁ ବେଶ୍ ସୁଖରେ ରହିଲେ ।
କ୍ରମଶଃ ବେପାର ବଣିଜ ବଢି ପୁଅ ପାଖରେ ଦି’ପଇସା ରହିଲାପରେ ଦିନେ ପୁଅ ପାଖ ସହରକୁୁ ବେପାର କରି ଗଲା । ସେଠି ଧନୀ ସୌଦାଗରର ସୁନ୍ଦରୀ କନ୍ୟାର ରୂପ ଦର୍ଶନମାତ୍ରେ ଯୁବବଣିକ ନିଜର ବେପାର ବଣିଜକଥା ଭୁଲି ସେହି ସୁନ୍ଦରୀର ସାନ୍ନିଧ୍ୟଲାଭର ଅଦମ୍ୟ କାମନାରେ ଉନ୍ମତ୍ତହୋଇ ଉଠିଲା । ଏବଂ ନାନା ଛଳକୌଶଳ ଅବଲମ୍ବନକରି ମାଲ୍ୟାଣୀର ସହାୟତାରେ ସୁନ୍ଦରୀକୁ ଏକାନ୍ତରେ ଭେଟିବାର ଅପୂର୍ବ ସୁଯୋଗ ଲାଭକରି ସୁନ୍ଦରୀ ନିକଟରେ ନିଜର ପ୍ରେମ ନିବେଦନ କଲା । ପ୍ରତିବଦଳରେ ବଣିଜକରିବାକୁ ଆଣିଥିବା ସମସ୍ତ ଅର୍ଥ ତାର ପାଦତଳେ ଅଜାଡ଼ିଦେବାକୁ କୁଣ୍ଠିତ ହେଲାନାହିଁ । ହେଲେ ରୂପକାନ୍ତିର ଗର୍ବ ଓ ପିତାଙ୍କ ଅର୍ଥର ପ୍ରାଚୁର୍ଯ୍ୟ ଏବଂ ଏକମାତ୍ର କନ୍ୟାଭାବେ ସମସ୍ତ ସ୍ୱାଧୀନତା ପାଇ କ୍ରମଶଃ ସ୍ୱେଚ୍ଛାଚାରିଣୀ ପାଲଟି ଯାଇଥିବା ସୌଦାଗରକନ୍ୟା ଯୁବକଟିର ବିକଳ ପ୍ରେମ ନିବେଦନର ଆତୁରତା ପ୍ରତ୍ୟକ୍ଷକରି ହୃଦୟରେ କୁଟିଳ ହାସ୍ୟ ଫୁଟାଇ ମାତ୍ର ମୁଖମଣ୍ଡଳରେ ଏକ ଛଳନାର ପ୍ରେମ ସମ୍ଭାଷିତ ମନଜିଣା ସ୍ମିତହସଟିଏ ଆଙ୍କି ଯୁବକ ପାଖରେ ଏକ ଅଦ୍ଭୂତ ସର୍ତ୍ତ ବାଢିଲା- ତମେ ଯଦି ମୋତେ ନିଜର ଧନ ଜନ ଜୀବନଠୁ ଭଲ ପାଅ ବୋଲି କହୁଛ, ତେବେ ତାର ପ୍ରମାଣ ସ୍ୱରୂପ ତମର ଅତିପ୍ରିୟ ମା’ର କଲିଜା ଯଦି ଆଣି ମୋ ହସ୍ତରେ ପ୍ରଦାନ କରିପାରିବ, ତେବେ ତମେ ମୋତେ ପ୍ରକୃତରେ ତମ ମା’ଠୁ ବି ବେଶି ଭଲପାଅ ବୋଲି ମୋର ବିଶ୍ୱାସ ହେବ । ଆଉ ଯଦି ଏଥିପାଇଁ ତମେ କୁଣ୍ଠିତ, ତେବେ ଯାହା କହୁଛ, ତାହା କେବଳ ଛଳନା ବ୍ୟତୀତ ଆଉ କିଛି ନୁହଁ ବୋଲି ମୋର ହୃଦବୋଧ ହେବ ।
ପ୍ରେମ ଉନ୍ମତ୍ତ ଯୁବକ ତତ୍କ୍ଷଣାତ୍ ନିଜର ପ୍ରେମ ପରୀକ୍ଷା ଦେବାପାଇଁ ସ୍ୱଗୃହକୁ ଝଡ଼ପ୍ରାୟ ପ୍ରତ୍ୟାବର୍ତ୍ତନକରି ମା’କୁ ତୁରନ୍ତ ହତ୍ୟାକରି ମାତୃକଲିଜା ହସ୍ତରେ ଧରି ନିମିଷେମାତ୍ର କାଳକ୍ଷେପଣ ନକରି ପ୍ରିୟତମାର ସାନ୍ନିଧ୍ୟଲାଭର ଚରମ ଆକାଂକ୍ଷାର ଚରିତାର୍ଥ ପାଇଁ ବାତୁଳପ୍ରାୟ ଜନପଥ ଛାଡ଼ି ସିଧା ଜଙ୍ଗଲ ରାସ୍ତାରେ ସହରମୁହାଁ ଧାଇଁଲା । ମାତ୍ର ଦୁର୍ଭାଗ୍ୟବଶତଃ ଜଙ୍ଗଲମଧ୍ୟେ ପତିତ ପ୍ରସ୍ତରଖଣ୍ଡରେ ଗୋଡ଼ବାଜି ହାତରୁ ମାତୃହୃଦୟଟି ତଳକୁ ଛିଟିକି ପଡ଼ିଲା । ପ୍ରିୟତମାର ପ୍ରାପ୍ତି ନିମନ୍ତେ ଏମିତି ଏକ ଅମୂଲ୍ୟ ସୌଦାର ହସ୍ତାନ୍ତରରେ ବିଚଳିତ ଯୁବପ୍ରେମିକ ନିଜ ଖଣ୍ଡିତ ପାଦର ଯନ୍ତ୍ରଣାକୁ ବେଖାତିର କରି ମାତୃକଲିଜାକୁ ତଳୁ ଗୋଟାଇବା ନିମନ୍ତେ ମସ୍ତକ ଅବନତ କଲାବେଳକୁ ମାତୃକଲିଜା ପୁଅର ଖଣ୍ଡିତ ପାଦକୁ ଆଉଁଶି କହିବାର ଶୁଣିଲା- ପଥରରେ ଗୋଡ଼ବାଜି କେତେ କଷ୍ଟ ପାଉଛୁରେ ପୁଅ! ଆଉ ଦଣ୍ଡେ ଠିଆ ହେଇଯା’, ମୁଁ ଟିକେ ଭଲଭାବେ ଆଉଁଶି ଦିଏ, ତାପରେ ଯିବୁ ।
ମୋ ଗପକୁ ମଦନ ପିଇଯିବା ଢଙ୍ଗରେ ଶୁଣୁଥିଲା । ୟା’ଭିତରେ ମୋର ଗପ ଯେ ସରିଗଲାଣି ସେ ଜାଣି ନପାରି ମୋର ନିରବତା ଦେଖି ପଚାରିଲା- ହଁ, ତାପରେ?
ମୁଁ କହିଲି- ତାପରେ ଆଉ କ’ଣ ହେବ?
– ସେ ପ୍ରେମ କାଙ୍ଗାଳ ଟୋକାକୁ ସୌଦାଗରକନ୍ୟା ବାହା ହେଲା ତ?
ମୁଁ ବ୍ୟଙ୍ଗକରି କହିଲି- ହଁ, ଧୁମ୍ ଧାମ୍ରେ ବାହା ହେଲା । ବାହାଘରକୁ ମୁଁ ଯାଇଥିଲି ଯେ, ସେ ମୌନାବତୀ ଚୁପ୍ ସଇତାନୀଟା ମୋସହ କଥା ହେବା ଦୂରେ ଥାଉ, ବସିବାକୁ କହିଲାନି କି ପାନଟେ ଦେଲାନି ।
ମଦନ କହିଲା- ଧେତ୍, ମିଛ ଗାଲୁ ମାରୁଛ ।
ଏତିକି ବେଳେ ଟ୍ରେନ୍ ଆସି ପହଞ୍ଚିଗଲା । ମଦନ ଗପଫପ କଥାଭୁଲି ମୋ ହାତଟାଣି ଡବା ଭିତରକୁ ମୋତେ ଘୋଷାରି ନେଇଗଲା ।
ଭଲ ଲାଗିଲା