ଏକ ପାରିବାରିକ କଳହରୁ ଅଘଟଣ । ଜଘନ୍ୟ ହତ୍ୟାକାଣ୍ଡ । ଅଭିଯୁକ୍ତର ଆତ୍ମହତ୍ୟା । ଘରର ବନ୍ଦ କବାଟ ଭାଙ୍ଗି ମୃତଦେହ ଉଦ୍ଧାର । ପୋଲିସର ଜେରା ।
ରାଜନୈତିକ ଲଘୁଚାପରୁ ଘୂର୍ଣ୍ଣିବାତ୍ୟା । ତା’ପରେ? ମୁହଁ ଖୋଲିବା ପାଇଁ ପୁରସ୍କାର ରାଶି ଘୋଷଣା ।
ପରିବାରରେ ଏମିତି ଘଟେ । ଘଟେ ବୋଲି; ଏଭଳି ମର୍ମନ୍ତୁଦ ହତ୍ୟାକାଣ୍ଡ ନୁହେଁ । ଗଳାକାଟି ରକ୍ତ ପିଇବା ଭଳି ପିଶାଚ ବି ଅଛନ୍ତି ଏ ସମୟରେ?
ମଣିଷ ପାଲଟେ ଅମଣିଷ । ସାମାଜିକ ହୁଏ ଆସାମାଜିକ । ଭଦ୍ର ହୁଏ ଅଭଦ୍ର ।
ନା । ଏମିତି ହେବାର କୌଣସି ନିୟମ ନାହିଁ । ତଥାପି ଏମିତି ହୁଏ । ନିୟମ ହୁଏ ବେନିୟମ ।
ଅଘଟଣର ଜିଭ ଲମ୍ବିଯାଏ । ଅରୁଚିକର ସ୍ୱାଦପରି ଖୋଜିଯାଏ । ଦୁର୍ଗନ୍ଧ ଓ ଅଳିଆ ହେଇ ପବନକୁ ବିଷାକ୍ତ କରାଏ ମଣିଷରୁ ରାକ୍ଷସ ପାଲଟିଥିବା ସେଇ ମଣିଷର କଥା ଆଲୋଚ୍ୟର ବିଷୟ ହୁଏ । ତା’ପରେ ।
ତା’ପରେ ମ୍ୟୁନିସିପାଲିଟିର ରାସ୍ତାକଡ଼ ବିଜୁଳି ଆଲୁଅ ପରି ଦିନରେ ବି ଜଳେ । ଜଳେ; ଅଘଟଣର ତାତି । ନିଅାଁ ନୁହେଁ; ତାତି । ମନରେ । ମଗଜରେ । ଦେହରେ । ପବନରେ । ପାଣିରେ । ଅଘଟଣ ଘଟିଥିବା ସହରତଳିର ଝୁମ୍ପୁଡିରେ ।
କିଛିଦିନ ତଳର ଅଘଟଣ କଥାଟି ମନେଥିବ । ମନେଥିବ; କୌଣସି ଏକ ପରିବାରର ମୁଖିଆ ଚଉଦଜଣଙ୍କର ଗଳାକାଟି ନିଜେ ନିଜ ଗଳାରେ ଆତ୍ମହତ୍ୟାର ଚିହ୍ନ ରଖିଯାଇଥିବା କଥା!
ଓଃ; କି ଅଜବ ! କି ଅଘଟଣ !
ଓଃ; ମଣିଷ ଏମିତି!!
ଓଃ ମନ ଏମିତି !!!
ହାୟରେ ସମୟ! ହାୟ!!
ଦୁଃଖ ଏଇଆ ଯେ, ତମକୁ ବାୟ ବାୟ କହିପାରୁନି । କାହିଁକି ନା; ତମେ ତ ମୋ ଦେହର ଛାଇ ହେଇ ମୋ ପାଖେ ପାଖେ ଅଛ । ଦେହରକ୍ଷୀ ହେଇ ଯତ୍ନ ନେଉଛ । ତମକୁ ବାୟ ବାୟ କରିବାକୁ ମୋର ଯୁ’ କାହିଁ? ମୁଁ କ’ଣ ଆତ୍ମହତ୍ୟା କରିପାରିବି ଯେ; ଜୀବନ ଥାଉ ଥାଉ ଚିର ବିଦାୟ କହି ଗୋଟେ ନୂଆ ଇତିହାସ ରଚନା କରିବି?
ଜାଣେ ।
ଜାଣେ : ସମୟ ଏମିତି !!
ଜାଣେ ; ସମୟ ସେମିତି !!!
ସମୟ ବଡ଼ ବଳବାନ !
ସମୟ ହିଁ ଶକ୍ତିମାନ !!
ସମୟ ଯେ ମହାନ୍!!!
ତା’ପରେ ସମୟକୁ ନେଇ ରଚନା ଲେଖା । ବକ୍ତୃତା ପ୍ରତିଯୋଗିତା । ସମାବେଶ । ତର୍କବିତର୍କ । ଆଲୋଚନାଚକ୍ର ।
ସୋପାନ ପରେ ସୋପାନ ପାରିହେଇ ଶେଷ ସୋପାନରେ ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ ରଖି ବିଜୟ ମୁକୁଟ ପିନ୍ଧିଥିବା କୃତୀ ପ୍ରତିଯୋଗୀର ପରିଚୟ ପାଇବା ପରେ ହାତରେ ହାତ,
ଛାତିରେ ଛାତି, ହସରେ ହସ, ଖୁସିରେ ଖୁସି ଓ ଆଖିରେ ଆଖି ମିଶାଇବା ବେଳେ ପ୍ରେମର ପୁଲକରେ ମତୁଆଲା ମନର ପିଆଲା । ସର୍ବାଙ୍ଗରେ ଶିହରଣ । ଛାତିତଳେ ଦ୍ରୁତହୃତ ସ୍ପନ୍ଦନ । ମନରେ ଖରିପାଣିର ସ୍ୱାଦ । ତଣ୍ଟିରେ ଶୋଷ । ପେଟରେ ଭୋକ । ତଳିପେଟରେ ପରିଶ୍ରା । ଆହୁରି ତଳକୁ ପାଇଖାନା ।
ତା’ପରେ?
ତା’ପରେ; ସମୟର ହାତ ତିଆରି ଉଇହୁଙ୍କା । ଛୋଟ ଛୋଟ ବାଲିଛତୁ । ଗାଁ ଶେଷ ଗୋଚରଭୂଇଁରେ ଅବହେଳିତ ବଇଁଚକୋଳି । ରିଠାଫଳ । କଇଁଥଗଛ । ସାହାଡାଗଛ ଡାଳର ହଳଦିଆ ମିଠା ମଞ୍ଜି । ଢେମଣାର ଖୋଳପା କଣ୍ଟାବାଡ଼ରେ ଝୁଲିଥିବାର ଡର । କଟା ଧାନବିଲର ନଡାମୂଳରେ ମୂଷାଗାତ । ଶୋଇପଡ଼ିଥିବା ଲମ୍ବାଧାନଗଛର ଧାନକେରା ଖଣ୍ଡିଆ ହାତମାନ ପରି ସତେଜ । ସବୁଜ ରଙ୍ଗର ବହଳ ଜୀବନ କେମିତି ମାର୍ଗଶୀର ଶୀତର କାଲୁଆ ସ୍ପର୍ଶରେ ଘୋଡେଇ ନେଇଚି ଉଷୁମ । ସକାଳର କଅଁଳ ଖରା ପିଇଲେ ବେକ ସଳଖେଇବ । ମୁଣ୍ଡ ନଥିବା ଦେହଟେ ହେଇ ପଡ଼ିରହିଥିବା ମଣିଷଟେ ଯେମିତି ଛଟପଟ ହେଇ କହୁଥାଏ ; ମୋତେ ମୋ ମୁଣ୍ଡ ଦିଅ । ମୁଁ ବଞ୍ଚିପାରିବି । ମାଟିରୁ ସଂଗ୍ରହ କରିଥିବା ଶସ୍ୟ ଏ ମଣିଷଙ୍କୁ ଦେଇ କହିବି; ହେ ମଣିଷମାନେ ! ଆମର ଯତ୍ନ ନିଅ । ଆମେ ତମମାନଙ୍କ କାମରେ ଆସିବା । ଆମେ ତମର । ଆମେ ତମର ।
ତା’ପରେ କାକର ଉଭାନ ହୁଏ ।
ଖରାର ସ୍ପର୍ଶରେ ଧାନବିଲ ସତେଜ ହୁଏ ।
ରାତି ତମାମ ମୂଷାମାନେ ସେମାନଙ୍କ କାମରେ ହାଲିଆ ହେଇ ସକାଳକୁ ନିଦ ଯାଆନ୍ତି । ଗାତରେ ଲୁଚନ୍ତି ।
ଚାଷୀ ବାପୁଡା ବିଲକୁ ବୁଲିଆସେ ।
ହିଡରେ ବସେ ||
ଧାନ ବିଲକୁ ଦେଖି ହସେ ।
ତା’ପରେ?
ତା’ପରେ; ହସତକ ଷୋଡଶୀ ତରୁଣୀର କେରାଏ ଅଲରା ବାଳପରି ଆଖି, ଓଠ ଓ ଆହୁରି ତଳକୁ ଓହ୍ଲେଇ ଆସେ । ଅସତର୍କ ଆଙ୍ଗୁଳି ଆଡେଇନିଏ ସେ ବାଳକୁ । ଧାନଗଛର ଆଗରେ ଧାନକେରା ନଦେଖି ଚାଷୀଜଣକ ପ୍ରମାଦ ଗଣେ । କାନ୍ଦ କାନ୍ଦ ହୁଏ । ଋଣ କଥା ମନେପକାଏ । ଧାନ କରଜ ଓ ହାତଉଧାରି ସୁଧ କଥା ଭାବେ । ବଞ୍ଚିବାର ରାହା ଖୋଜେ । ଦୁଃଖର ଜଣାଣ ଲେଖେ । ମାର୍ଗଶୀର ପବନର ଗୀତ ଶୁଣେ । ପାଚିଲା ଧାନକ୍ଷେତର ଦେହରେ ଆଶ୍ରୟ ନେଇଥିବା ସକାଳର ହାଲୁକା ନିଦ କେତେବେଳେ ତୁଟିବ; ଅପେକ୍ଷା କରେ ।
ପବନ ଓ ଖରା ଚାଷୀର ପିଠି ଥାପୁଡେଇ ଆଶ୍ୱାସନା ଦିଅନ୍ତି; ରହ । ଧୈର୍ଯ୍ୟରେ ରହ । ଜୀବନଟା ଏମିତି । ଭଲଦିନ ଆସିବାର ସମୟ ପାଖେଇ ଆସୁଛି ।
ଚାଷୀଚଣକ ଭୁଲିଯାଏ ।
ଭୁଲିଯାଏ ଯେ; ଋଣଭାର ହେଉ କି ଭବିଷ୍ୟତ ଅନ୍ଧାରର କଥା । ଆତ୍ମହତ୍ୟାର କଥା ।
ନିଜକୁ ପ୍ରସ୍ତୁତ କରାଏ ।
ପ୍ରସ୍ତୁତ କରାଏ ଯେ; କହେ । କହେ; ଆତ୍ମହତ୍ୟା ଆଦୌ ସକଳ ସମସ୍ୟାର ସମାଧାନ ନୁହେଁ । ସମାଧାନର ପନ୍ଥା ହେଉ; ଜୀବନ । ଏକମାତ୍ର ଜୀବନ ହିଁ ସବୁକିଛିର ସମାଧାନର ବାଟ ଦେଖାଏ ।
ଟାଣ ହୁଏ : ଖରା ।
ଦମ୍ଭ ଧରେ; ମନ ||
ପାଦ ହୁଏ; ସବଳ !!!
ଆଦିବାସୀ ବସ୍ତିରୁ ଆସନ୍ତି; ଲୋକମାନେ । ପାଚିଲା ଧାନ ବିଲରେ ଗାତ କରି କଟା ଧାନକେଣ୍ଡା ସାଇତି ରଖିଥିବା ମୂଷାମାନଙ୍କ ଗାତ ଖୋଳିଖୋଳି ସେମାନେ ସକାଳକୁ ଖରାବେଳ କରିଦିଅନ୍ତି । ସର୍ତ୍ତଥାଏ; ଧାନକେଣ୍ଡା ଜମି ମାଲିକର । ଗାତୁଆ ମୂଷା ସେମାନଙ୍କର ।
ତାହା ହିଁ ହୁଏ ।
ତାହାହିଁ ସର୍ତ୍ତ ।
ତାହାହିଁ ଜୀବନ ।
ଏସବୁ ତ ସେଇ ସମୟ ପାଇଁ ।
ସେଇ ସମୟ ।
ସେଇ ସମୟ ପାଇଁ ।
ସମୟ ଆଗାଏ ।
ବୟସ ପଛାଏ ।
ଜୀବନ ପିଆଏ ।
ଜୀବନ କ’ଣ ପିଆଏ?
ଦୁଃଖ, କଷ୍ଟ, ଯନ୍ତ୍ରଣା, ନିନ୍ଦା, କଳଙ୍କ, ଅବସୋସ, ଅଶାନ୍ତି, ଅବସାଦ, ଅତୃପ୍ତି ଓ ଅନେକ କିଛି ।
ଜୀବନର ଗୀତରେ ଥାଏ ମହୁଲି ।
ଜୀବନର ସ୍ୱାଦ ଲୁଣିଆ ।
ଜୀବନ ନାଟକର ଶେଷ ଦୃଶ୍ୟ; ବିୟୋଗାନ୍ତକ ।
ତା’ପରେ?
ତା’ପରେ; ହସ ।
ତା’ପରେ; କାନ୍ଦ ।
ତା’ପରେ ; ମିଶାମିଶି ।
ଅତଏବ; ମଣିଷ ଜୀବନ?
ହସ ଓ କାନ୍ଦର ମିଶାଣ ଫେଡାଣ ।
ସୁଖ ଓ ଦୁଃଖର ଗୁଣନ ହରଣ ।