ଘର
ପବନର ଧକ୍କା ନା ଦାଣ୍ଡ କବାଟକୁ କିଏ ବାଡୋଉଛି? ମଣିଷ ଧକ୍କା ଇଏ । ଜଣେ ନୁହେଁ, ବହୁତ ଲୋକ- ସମସ୍ତେ ମିଶି ବାଡୋଉଛନ୍ତି । ତା’ ସାଙ୍ଗକୁ ଚିକ୍ରାର, ପିଲାଙ୍କ କାନ୍ଦ । ବାତ୍ୟାର ଭୟଙ୍କର ଶବ୍ଦକୁ ଚିରି ବନ୍ଦ କବାଟ ଭିତରକୁ ସେ କୋଳାହଳ ଧସେଇ ପଶୁଛି । ‘କିଏ? କବାଟ ଭାଙ୍ଗିଦବ ନା କ’ଣ?’ ଆଶୁତୋଷ ଦୃଢ଼ କଣ୍ଠରେ ଚିକ୍ରାର କରି ପଚାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ କଣ୍ଠରେ ଶକ୍ତି ନଥିଲା । ତାଙ୍କ କତାଗୁଡ଼ିକ ତାଙ୍କରି ପାଖରେ ଅଟକିଗଲା ।‘ଜଲ୍ଦି ଖୋଲ । ନହେଲେ ଭାଙ୍ଗିଦବୁ ।’ ବାହାରୁ ତୋଫାନର ଶବ୍ଦ ସହ ଗୋଟେ ସମ୍ମିଳିତ ଧ୍ୱନି ଭାସି ଆସିଲା ।
ଦେଖିଲୁ, ଇଏ କ’ଣ କଲୁ?’ ହଠାତ୍ ଚିଡ଼ିଉଠି ତକିଆଟାକୁ ସେପଟକୁ ଫୋପାଡ଼ିଦେଲେ ଆଶୁତୋଷ ।
ସନ୍ତୋଷ ଜାଣିଥିଲେ ଭିଣୋଇଙ୍କର ବିରକ୍ତିର କାରଣ । ସେ ଖଟ ଉପରେ ବସିପଡ଼ିଥିଲେ । ସେଠୁ ଉଠିଲାବେଳକୁ ବିଛଣା ଲୋଚାକୋଚା ହୋଇଯାଇଛି । ସେଥିପାଇଁ ଏ ବିରକ୍ତି । ଏକଲା ଭିଣୋଇଟିକୁ ଚିଡେଇବାକୁ ତାଙ୍କୁ ବେଳେବେଳେ ମଜା ଲାଗେ । ସେ ନିର୍ବିକାର ହୋଇ କିଛି ବୁଝିନପାରିବା ଭଳି ଆଶୁତୋଷଙ୍କୁ ଚାହିଁଲେ, “କ’ଣ ହେଲା କି?”
“ଦିଶୁନି, କ’ଣ ହେଇଛି?” ବିଛଣା ଚଦରକୁ ଉଠେଇ ପୁଣି ଥରେ ସଜାଡ଼ି ପକୋଉ ପକୋଉ କହିଲେ ଆଶୁତୋଷ ।
‘ଓଃ’, କହି ଚଦର ଆରପଟକୁ ଧରିଲେ ସନ୍ତୋଷ ।
‘ଛାଡ଼ ।’ ସନ୍ତୋଷଙ୍କର ନିର୍ବିକାର ଭାବ ଦେଖି ଆଶୁତୋଷ ରାଗିଗଲେ ।
କେବଳ ବିଛଣା ନୁହେଁ, ଘରେ କିଛି ବି ଜିନିଷ ଅସଜଡ଼ା ହେଲେ ସହିପାରନ୍ତି ନାହିଁ ସେ । ତାଙ୍କ ଘରେ ସବୁ ବ୍ୟବସ୍ଥିତ । ବାହାର ଦୁଆରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ପଥର ମୂର୍ତ୍ତିଠାରୁ କୋଠରିଗୁଡ଼ିକ ଭିତରର ବିଛଣା, ଚୌକି, ଗାଲିଚା, ତୈଳଚିତ୍ର, ଚାନ୍ଦୁଆ, ଝାଡ଼ଣ, ଅନ୍ୟ ସାଜ ସାମଗ୍ରୀ, ଥାକ, ଆଲମିରା, ଆଲମିରାର ଲୁଗା ସବୁ । ଜଣେ କୋଠରି ବାହାରୁ ଅନେଇଦେଲେ ଜାଣିଯିବ ଯେ ଏ ଘରେ ସବୁ ଠିକ୍ଠାକ୍ ଅଛି- ଯୋଉ ଜିନିଷ ଯୋଉଠି, ଯେମିତି, ଯେତେ ପରିଷ୍କାର ରହିବା କଥା- ଠିକ୍ ସେମିତି । ୟା’ଠାରୁ ଆଉ ଅଧିକ ସୁନ୍ଦର ସଜାଯାଇପାରିବ ନାହିଁ ।
କିନ୍ତୁ, ଏଇ ସୌନ୍ଦର୍ଯ୍ୟ ନାମକ ପଦାର୍ଥଟି ସମସ୍ତଙ୍କ ଆଖିକୁ ରୁଚେ ନାହିଁ । ସେମାନେ ଚୌକିରେ ବସିବେ ତ ଉଠିବା ବେଳକୁ ସେଟା ବୁଲିଯାଇଥିବ, ବିଛଣାରେ ଗଡ଼ିପଡ଼ିବେ ତ ଚଦର ପୂରା ଘାଣ୍ଟି ହେଇଯିବ, ତୈଳଚିତ୍ରକୁ ଦେଖିବାର ଅଛି ତ ଦେଖ- ସେଥିରେ ହାତ ମାରି ଦାଗ ଲଗେଇବା କ’ଣ ଦରକାର? ତାଙ୍କ ଦେହ ସହେ ନାହିଁ । ବେଳେବେଳେ ସେ ମୁହେଁ ମୁହେଁ କହିଦିଅନ୍ତି । ଯେଉଁଠି କହି ନହେବ ସେଠି ପ୍ରତିକ୍ରିୟାରେ ସୂଚେଇ ଦିଅନ୍ତି ନିଜ ବିରକ୍ତି । ସେଇଟା ଲୋକଙ୍କୁ ବାଧେ । ବାଧିଲେ ବି ସେଥିକୁ ସେ ଖାତିର କରନ୍ତି ନାହିଁ । ସେଇଥିପାଇଁ ତ ବାସନ୍ତୀଭବନକୁ ସେ ଏତେ ବର୍ଷ ଧରି ନୂଆ ବୋହୂଟିଏ ପରି ସଜେଇ ରଖିପାରିଛନ୍ତି । ଆଗରୁ ସେ ଓ ବାସନ୍ତୀ ମିଶି ଘରକୁ ସଜଉଥିଲେ । ଏବେ ବାସନ୍ତୀ ନାହାନ୍ତି । ସବୁ ଦାୟିତ୍ୱ ଏକା ତାଙ୍କରି ମୁଣ୍ଡରେ ।
ଗତ ବର୍ଷ ପ୍ରବୀରର ପୁଅଟିଏ ହେଇଛି । ତା’ ପାଇଁ ବାସନ୍ତୀ ଭବନରେ ନୂଆ ବଖରାଟିଏ ସେ ତିଆରି କରିଛନ୍ତି । ସେହି ଘରର ପ୍ରଥମ ଓ ବାସନ୍ତୀ ଭବନର ତୃତୀୟ ଗୃହ ପ୍ରତିଷ୍ଠା ପୂଜା ।
ପ୍ରବୀରକୁ ସେ କହିଦେଇଛନ୍ତି, ‘ଯେମିତି ହେଉ ଆଠଦିନ ଆଗରୁ ଆସିବୁ । ଯିବୁ ପୂଜାର ଆଠଦିନ ପରେ ।’
ବାସନ୍ତୀ ଭବନର ପ୍ରଥମ ପ୍ରତିଷ୍ଠା ପୂଜା ହୋଇଥିଲା ଆଜିକୁ ତିରିଶ ବର୍ଷ ତଳେ । ସେତେବେଳେ ପ୍ରବୀର ଦୁଇ ବର୍ଷର, ବନିତାକୁ ହେଇଥିଲା ଚାରି ବର୍ଷ । ବାସନ୍ତୀଙ୍କର କାଚ ରୁଣୁଝୁଣୁ, ମଥା ଦାଉଦାଉ, ପାଦ ଝୁମୁଝୁମୁ, ଦେହରେ ମହକ, ଓଠରେ ହସ, ପାଦରେ ଗତି । ସାରା ଘର ବାସ୍ନାରେ ଭର୍ତ୍ତି । ଧୂପ, ଝୁଣା, କର୍ପୂର, ଗୁଗୁଳ, ଅତର, ପାଉଡର, ରୁମ୍ ସ୍ପ୍ରେ । ତା’ ସାଙ୍ଗକୁ ଫୁଲ ଆଉ ଆଲୋକର ଆଡମ୍ବର । ସେହି ଆଲୋକର ପ୍ରାବଲ୍ୟ ଭିତରୁ ସେ ଦେଖିପାରିଥିଲେ କୋଡିଏ/ଏକୋଇଶ ବର୍ଷ ତଳର ଘନ ଅନ୍ଧାରକୁ, ଯେଉଁଠୁ ଆଶୁତୋଷ ପ୍ରଥମେ ନିଜ ପାଇଁ ଘରଟିଏ କରିବାର ପ୍ରେରଣା ପାଇଥିଲେ ।
ସେତେବେଳେ ସେ ଗାଁରେ ରହୁଥିଲେ । ଦି’ବଖୁରିଆ ଚାଳ ଘରଟିରେ ଜେଜେ, ଜେଜେମା’, ବାପା, ବୋଉ, ତିନି ଭାଇ ଭଉଣୀ ଓ ତା’ ଉପରେ ବନ୍ଧୁବାନ୍ଧବ, କୁଣିଆ ମଇତ୍ର । ଏତେ ଭିଡ଼ ଭିତରେ ନିଜ ପାଇଁ ଅଲଗା ଜାଗା ଟିକିଏ କେତେବେଳେ ମିଳୁନଥିଲା । ସେ ଭଲ ପାଠ ପଢ଼ୁଥିଲେ । କିନ୍ତୁ, ବହିଖାତା ଧରି ବସିବାକୁ ମଳେ ଜାଗା, ଟିକେ ଆଲୁଅ, ଘଡ଼ିଏ ନିରୋଳା ସମୟ ଖୋଜିଖୋଜି ଥକିଯାଉଥିଲେ ସିନା ପାଉନଥିଲେ । ଅନ୍ୟ ଅସୁବିଧା ଭିତରେ ଯେଉଁଟି ତାଙ୍କୁ ମନ୍ଥି ଚକଟି ପକାଉଥିଲା ତା’ ହେଲା- କୁଣିଆ ମଇତ୍ର କିଏ ହାତରେ ଟଙ୍କେ ଦି’ ଟଙ୍କା ଗୁଞ୍ଜି ଦେଇଗଲେ ତାକୁ କୋଉଠି ରଖିବେ ଜାଗା ପାଉନଥିଲେ । ଘରୁ କେବେ ପଇସାଟିଏ ମିଳିବାର ନଥିଲା । ଏମିତି ଉପୁରିଟିକୁ ଦେଖିରଖି ଖର୍ଚ୍ଚ କରିବାକୁ ସେ ତାକୁ ବହି ଭିତରେ, ପେଣ୍ଟ ଚୋରା ପକେଟ୍ରେ କି ବିଛଣା ସନ୍ଧିରେ ଯୋଉଠି ଲୁଚେଇଲେ ବି ବଦ୍ମାସ ଭବତୋଷ ଆଖିରୁ ସେ ଲୁଚୁ ନଥିଲା । କୋଉ ଛଟକରେ ସେ ତାକୁ ଚୋରି କରି ନେଉଥିଲା । ଯେତେ ପଚାରିଲେ, ଗାଳିଦେଲେ କି ମାଡ଼ ମାରିଲେ ସେ ଆଖିକାନ ଛୁଇଁବାଠୁ, ବାପା, ବୋଉ, ଠାକୁରଙ୍କ ରାଣ ପକେଇ ଖସିଯାଉଥିଲା । ତା’ ଦାଉରୁ ଖସିବାକୁ ଦିନେ ସେ ପାଖରେ ଥିବା ଦି’ ଟଙ୍କିଆ ନୋଟ୍ଟିକୁ ସ୍କୁଲ୍ ଯିବା ଆଗରୁ ଚାଳରେ ଗୁଞ୍ଜିଦେଇ ଯାଇଥିଲେ । ଟଙ୍କା ପାଖରେ ରଖିଲେ କାଳେ ଖର୍ଚ୍ଚ ହେଇଯିବ, କ’ଣ ମନ ହେବ ଖାଇବାକୁ- ତେଣୁ, ସାଙ୍ଗରେ ନେଇନଥିଲେ । ଆସନ୍ତା ଦୁର୍ଗାପୂଜାରେ ରଜା ପରି ସେ ଟଙ୍କାକୁ ଉଡେଇବାର ଯୋଜନା ତାଙ୍କର ଥିଲା । କିନ୍ତୁ, ସ୍କୁଲରୁ ଫେରି ଖୋଜିଲାବେଳକୁ ସେଠି ଟଙ୍କା ନଥିଲା । ଭବତୋଷର ତୃତୀୟ ଶ୍ରେଣୀ ଯୋଗୁଁ ତା’ର ଆଗେ ଛୁଟି ହୋଇଯାଏ । ଆଶୁତୋଷଙ୍କର ପଞ୍ଚମ ଶ୍ରେଣୀ ଛୁଟି ହୁଏ ତା’ର ଘଣ୍ଟାଏ ପରେ । ଆଗରୁ ଆସି ନିଶ୍ଚୟ ସେ ଟଙ୍କାଟା ମାରିନେଇଛି ଭାବି ସେ ଭବତୋଷକୁ ଧମକେଇଲେ, ‘ମୋ’ ଟଙ୍କା ଫେରା ।’
‘କୋଉ ଟଙ୍କା?’ ଭବତୋଷ ପଚାରିଲା ।
‘ମୋର ଯୋଉ ଦି’ଟଙ୍କା ରଖିଥିଲି ।’
‘କୋଉଠି ରଖିଥିଲୁ?’
‘ଚାଳରେ ।’
‘ଚାଳରେ? କୋଉଠି??’
‘ଭଲରେ ଦେଇଦେ କହୁଛି ।’
‘ତୋ’ ଦେହ ଛୁଉଁଛି ଭାଇ । କୋଉଠି ରଖିଥିଲୁ କହୁନୁ- ମୁଁ ଦେଖିବି ।’
ଆଶୁତୋଷଙ୍କ ଇସାରା ଅନୁସାରେ ଭବତୋଷ ଖୁଣ୍ଟରେ ଚଢ଼ିଯାଇ ଚାଳ ଭିତରେ ଦରାଣ୍ଡିବାକୁ ଲାଗିଲା । ଉତ୍ସୁକ ନୟନରେ ଆଶୁତୋଷ ତାକୁ ଅନେଇ ରହିଥିଲେ । କିଛି ସମୟ ଦରାଣ୍ଡିବା ପରେ ହଠାତ୍ ସେ ସେଠୁ ଓହ୍ଲେଇ ଆସିଲା । କଳରେ ଥିଲା ତା’ର କଳେ ରହସ୍ୟମୟ ହସ ।
‘ପାଇଲୁ?’
‘ମତେ କେତେ ଦବୁ?’
‘ଟଙ୍କେ ।’ ବାହାରିଗଲା ତାଙ୍କ ପାଟିରୁ । ତା’ପରେ ସେ ତା’ ହାତକୁ ଅନେଇ କହିଲେ, ‘ଦେ ।’
ଭବତୋଷ ହାତ ବଢ଼େଇ ଦେଖେଇ ଦେଲା ସାମ୍ନା ପିଜୁଳି ଗଛକୁ । ପିଜୁଳି ଗଛରେ ବସିଥିଲା ଘରଚଟିଆଟିଏ- ଯିଏ ତାଙ୍କରି ଚାଳରେ ବସା ବାନ୍ଧିଥିଲା । ତା’ ଥଣ୍ଟରେ ଥିଲା ଦି’ ଟଙ୍କିଆ ନୋଟ୍ ଖଣ୍ଡେ । ସ୍ପଷ୍ଟ ଦେଖିପାରିଲେ ଆଶୁତୋଷ । ବିକଳ ହୋଇ ସେ ନିଃଶବ୍ଦରେ ତା’ ଆଗରେ ନେହୁରା ହେଲେ, ‘ଦେ, ଦେ, ଦେ!’
ଘରଚଟିଆକୁ ଭାଇର ଦଣ୍ଡବତ ଓ ବିକଳ ନେହୁରା ଦେଖି ଭବତୋଷ ହସି ପକେଇଲା । ତା’ ହସରେ ଘରଚଟିଆ ତାଙ୍କୁ ଅନେଇଦେଲା ଓ ଉଡ଼ିଗଲା । ସାଙ୍ଗରେ ନେଇ ପଳେଇଲା ଦି’ଟଙ୍କା । ରାଗରେ ଆଶୁତୋଷ ଗୋଟେ ବ୍ରହ୍ମ ଚଟକଣା ବସେଇଲେ ଭବତୋଷ ଗାଲରେ । ରଡ଼ି ଛାଡ଼ି ଭବତୋଷ ‘ବୋଉ’ ବୋଉ’ ଡାକି ଘର ଭିତରକୁ ଦୌଡ଼ିଲା । ଭବତୋଷର କାନ୍ଦ ଥିଲା ବାହାନା । ତା’ ଭିତରେ ସଂପୂର୍ଣ୍ଣ ଘଟଣାଟିକୁ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଚାଲିଥିଲା । ତା’ କଥା ଶୁଣି ବାପା ଦୌଡ଼ି ଆସିଲେ । ପଚରା ନାହିଁ କି ଉଚରା ନାହିଁ ଖାଲି ମାଡ଼ । ଆଶୁତୋଷ କିଛି କହିବାକୁ କି ‘ଉଃ ଆଃ’ ହେବାକୁ ବି ବେଳ ପାଇଲେ ନାହିଁ । ସେ ତାଙ୍କ ପୁଅ ବୋଲି ବାପା ବୋଧହୁଏ ସେତେବେଳେ ଭୁଲିଯାଇଥିଲେ । ମାଡ଼ ଭିତରେ ସେ ଚିକ୍ରାର କରୁଥିଲେ, ‘ମୁଁ ଏଠି ଟଙ୍କା ଗୋଟେ ଗୋଟେ ପାଇଁ କି ହୀନସ୍ତା ହେଉଛି, ତୁ ତାକୁ ଚଢ଼େଇ, ଚିରଗୁଣୀଙ୍କୁ ବାଣ୍ଟିବୁ!’ ସେହିଦିନ ଆଶୁତୋଷ ମନେମନେ ପ୍ରତିଜ୍ଞା କରିଥିଲେ, ବଡ଼ ହେଲେ ସେ ଯୋଉ ଘର କରିବେ ସେଥିରେ ସମସ୍ତଙ୍କର ଅଲଗା ଅଲଗା ବଖରା ରହିବ ।
ପାଠ ପରେ ଆଶୁତୋଷ ଚାକିରି କଲେ, ବାହା ହେଲେ, ସହରରେ ରହିଲେ । ତା’ପରେ ଯୋଜନା ମୁତାବକ ବଡ଼ ଜାଗାଟିଏ କିଣିଲେ । ଖାଲି ଟିକିଏ କୁଣ୍ଠା ରହିଲା ଯେ ଜାଗାଟି ବସ୍ତି ଭିତରେ । ତାଙ୍କ ପାଖରେ ସେତେବେଳେ ଯାହା ସମ୍ବଳ ଥିଲା ସେଥିରେ ସେ ଅନ୍ୟ ଭଲ ଅଞ୍ଚଳରେ ଏତେ ବଡ଼ ଜାଗା ପାଇନଥାନ୍ତେ । ସେ ଭାବିଥିଲେ, ସହର ଯେମିତି ବଢ଼ୁଛି, ସରକାରୀ ଜାଗାରେ ଗଢି ଉଠିଥିବା ଦଶ/ବାର ଘରର ଏହି ବସ୍ତିକୁ ସରକାର ନିକଟରେ ଉଠେଇଦେବେ । କିନ୍ତୁ, ହେଇଛି ଓଲଟା । ଦଶ/ବାର ଘରରୁ ଏବେ ଶହେ ଉପରେ ଘର । ଯୁଆଡ଼େ ଦେଖିବ ଅଳିଆ, ଅପନ୍ତରା, ଦୁର୍ଗନ୍ଧ, ଲଙ୍ଗଳା ପିଲା, ମାତାଲ ଯୁବକ, ରୋଗଣା ବୃଦ୍ଧ ଓ କଳିହୁଡ଼ୀ ସ୍ତ୍ରୀ ଲୋକ । ତା’ ଭିତରେ ପୁଣି କୁକୁଡ଼ା, ଘୁଷୁରି, ଛେଳି, ଗାଈ, କୁକୁର ଓ ତାଙ୍କ ମଳ । ସିଏ ହୁସିଆର ରହିଛନ୍ତି ବୋଲି- ନ ହେଲେ ତାଙ୍କ ପାଚିରିକୁ ଲଗେଇ ବି ପାଲ ଟଣା ଆରମ୍ଭ ହେଇଯାଇଥିଲା । ଲୋକ ଆଉ ପୁଲିସ ଲଗେଇ ସେ ସବୁ ଭାଙ୍ଗିଦେଲେ, ଜିନିଷପତ୍ର ଫୋପାଡ଼ିଦେଲେ । କିନ୍ତୁ, ବାଡ଼ି ବଗିଚାକୁ ଯେତେ ଜଗିଲେ ବି ମଝିରେ ମଝିରେ ସେଠୁ ଚୋରି ହୋଇଯାଏ । ଘର ତିଆରି ବେଳେ ବି କ’ଣ କମ୍ ଜିନିଷ ଉଠେଇ ନେଇଛନ୍ତି?
ଘର ତିଆରି ବେଳକୁ ଜେଜେ, ଜେଜେମା’, ବାପା ଓ ବୋଉ ଚାଲି ଯାଇଥିଲେ । ଭବତୋଷ ଗାଁରେ ଦୋକାନ କରି ତା’ ସ୍ତ୍ରୀ ପିଲାଙ୍କ ସହ ସେଠି ରହୁଥିଲା । ଭଉଣୀ ବାହା ହୋଇ ତା’ ପରିବାର ସହ ପୁନାରେ ଥିଲା ।
ଆଶୁତୋଷଙ୍କ ନିଜ ପରିବାରରେ ଥିଲେ ସେ, ସ୍ତ୍ରୀ-ବାସନ୍ତୀ, ଝିଅ- ବନିତା ଓ ପୁଅ-ପ୍ରବୀର । ସଂସାର ଆଉ ବଢ଼େଇବାର ନଥିଲା । ସେହି ଅନୁସାରେ ସେ ଘରର ଯୋଜନା କରିଥିଲେ । ଖାଇବା, ବସାଉଠା, ଠାକୁର ଓ ଭଣ୍ଡାରଘର ଛାଡ଼ି ପାଞ୍ଚୋଟି ଶୋଇବା ଘର । ବାହାର ବଗିଚା କ’ଣ ପାଚିରିକୁ ଲାଗି ଅଲଗା ବଖରାଟିଏ- ଗୃହ ସହାୟକ/ସହାୟିକା ପାଇଁ । ତିଆରି ବେଳେ ବାସନ୍ତୀ ବ୍ୟସ୍ତ ହୋଇ କହିଥିଲେ, ‘ଆମର ଏତେ ବଡ଼ ଘର କ’ଣ ହେବ? ଲୋକ ତ ଜମା ଚାରିଜଣ! ସେଥିପାଇଁ ଏତେ ଉଧାର, କରଜ କାହିଁକି?’ ଆଶୁତୋଷ ସ୍ତ୍ରୀଙ୍କ ମୁହଁକୁ ଚାହିଁଲେ, ରସିକତା କରି ତାଙ୍କ ଝାଳୁଆ ଗାଲକୁ ଟିକେ ଚିପିଦେଇ କହିଲେ, ‘ମୁଁ ପିଲାବେଳେ ଯୋଉ ଅସୁବିଧା ଭୋଗିଛି ମୋ ପିଲାଙ୍କର ସେ ଅବସ୍ଥା ହବାକୁ ଦେବିନାହିଁ । ସେ ଦି’ ଜଣଙ୍କର ଗୋଟେ ଗୋଟେ ଘର, ଆଉ ଗୋଟେ ଆମର ।’
‘ଆଉ ଦି’ଟା ବଖରା?’ ବାସନ୍ତୀ ପଚାରିଲେ ।
‘ଗୋଟେ ଅତିଥି ଅଭ୍ୟାଗତଙ୍କ ପାଇଁ ।’ କହିଲେ ଆଶୁତୋଷ ।
‘ତା’ହେଲେ ଆଉ ଗୋଟେ?’
ତା’ପରେ ଗୋଟେ ରହସ୍ୟମୟ ହସ ଆଶୁତୋଷଙ୍କର, ‘ଦେଖିବା ।’
ଏଇ ରହସ୍ୟମୟ ହସ ଓ ‘ଦେଖିବା’ର ଅର୍ଥ ବାସନ୍ତୀ ବୁଝିଲେ ଘର ପ୍ରତିଷ୍ଠାର ସାତଦିନ ପରେ ।
ପ୍ରତିଷ୍ଠା ପୂଜାକୁ ନିରାଡମ୍ବର କରିବା ପାଇଁ ବାସନ୍ତୀ ଯେତେ ବୁଝେଇଲେ ବି ଆଶୁତୋଷ ସେକଥା ଶୁଣିନଥିଲେ । ସେ ଚାହୁଁଥିଲେ କେବଳ ବନ୍ଧୁବାନ୍ଧବ ଓ ବସ୍ତି ଲୋକଙ୍କୁ ଡାକିବା ପାଇଁ । କିନ୍ତୁ, ଆଶୁତୋଷ ବସ୍ତି ନାଁ ଶୁଣି ଡେଇଁଥିଲେ ।
‘ନୂଆ ଘରେ ମୁଁ ବସ୍ତିବାଲାଙ୍କୁ ଡାକି ଖୋଇବି?’ ତା’ ବଦଳରେ ହଜାରେରୁ ଅଧିକ ଲୋକଙ୍କ ପାଇଁ ଭୂରି ଭୋଜନର ବ୍ୟବସ୍ଥା ହୋଇଥିଲା । ଘର, ବଗିଚା, ପାଚିରିରୁ ସାମ୍ନା ରାସ୍ତାଯାଏ ଫୁଲ ଓ ଆଲୋକର ରଙ୍ଗିମା ମନକୁ ମୋହି ନେଉଥିଲା । ଏସବୁ ସହିତ ଆହୁରି କେତେ କେତେ ଆୟୋଜନ । ଲୋକମାନେ ଘର, ସାଜସଜା ଓ ଭୋଜିକୁ ପ୍ରଶଂସା କଲାବେଳେ ବାସନ୍ତୀ ବି ଉଲ୍ଲସିତ ହୋଇଥିଲେ ।
କିନ୍ତୁ, ପୂଜା ସରିବା ପରେ ବି ଯେତେବେଳେ ଫୁଲ, ଆଲୁଅ ସଜା ଓ ଅନ୍ୟ ଆଡମ୍ବର ସେମିତି ଚାଲିଲା ବାସନ୍ତୀ କହିଲେ, ‘ଏତେ ଭଲରେ ପୂଜା ସରିଲା, ପୁଣି କାହିଁକି ଅଯଥାରେ ଏତେ ଜାକଜମକ?’
‘ଫୁଲ, ଆଲୁଅ, ସାଜସଜା କଥା କହୁଛ ତ! ବାହାରୁ ଯାଇ ଦେଖ ମାଇଲିଏ ଦୂରରୁ ଘର କେମିତି ଝଟକୁଛି । ମାସେ ଖଣ୍ଡେ ଏମିତି ରହୁ ।’ ଆତ୍ମତୃପ୍ତିରେ ଗଦ୍ଗଦ୍ ହେଇଯାଉଥିଲେ ଆଶୁତୋଷ ।
‘ଏଥିରେ ଏତେ ଉଡେଇବା ଅପେକ୍ଷା ବସ୍ତିଲୋକଙ୍କୁ ବକ୍ତେ ଖାଇବାକୁ ଦେଇଥିଲେ କେତେ ଭଲ ହେଇନଥାନ୍ତା? ଯାହାହେଲେ ବି ସେମାନେ ଆମ ପଡ଼ୋଶୀ ।’
ବାସନ୍ତୀଙ୍କ ଏହି ଆକ୍ଷେପ ଓ ଅଭିଯୋଗଭରା ପ୍ରସ୍ତାବ ଆଶୁତୋଷଙ୍କୁ ବିରକ୍ତ କରିଥିଲା, “କ’ଣ କହିଲ? ସେମାନେ ଆମ ପଡ଼ୋଶୀ?’ ମୋ ସମାସ୍କନ୍ଧ ସିଏ?”
ବାସନ୍ତୀ ବୁଝେଇବାକୁ ଚେଷ୍ଟା କଲାରୁ ହେଲା ଯୁକ୍ତିତର୍କ, କଥା କଟାକଟି । ସେଥିରେ ଆଶୁତୋଷ ଧରିଥିବା କାଗଜକୁ ଫୋପାଡ଼ି ଦେଇ ଝଡ଼ବେଗରେ ଚାଲିଗଲେ ସେହି ଅନାବଣ୍ଟିତ କୋଠରିକୁ । ତା’ପରେ ସେ ଯେତେବେଳେ ରାଗନ୍ତି ସେହି ଘରକୁ ପଳାନ୍ତି । ତାଙ୍କ ଦେଖାଦେଖି ବାସନ୍ତୀ ଓ ପିଲାମାନେ ବି ସେହି ରାସ୍ତାରେ ଚାଲିଲେ । ଯିଏ ଯେତେବେଳେ ରୁଷିଲେ ସେହି ଘରେ ଯାଇ ଶୋଇବାର ଅଭିନୟ କଲେ । ଦିନେ ଘରେ ଅନ୍ୟମାନେ ନଥିଲାବେଳେ ପ୍ରବୀର ଜଣେ ଚିତ୍ରକରକୁ ଡାକି ଘର ଦୁଆର ବନ୍ଧରେ ଗୋଲ ଗୋଲ ଅକ୍ଷରରେ ଲେଖେଇ ଦେଇଥିଲା, ‘ଅଭିମାନ ଗୃହ ।’ ଆଜି ବି ସେ ଲେଖା ସେମିତି ଅଛି । କିନ୍ତୁ, ଅଭିମାନ କଲାବାଲା କେହି ନାହାନ୍ତି । ବାସନ୍ତୀ ଦି’ ବର୍ଷ ତଳେ ଚାଲିଗଲେ । ପ୍ରବୀଣ ବାଙ୍ଗାଲୋରରେ । ସେଠୁ ପୁଣି କାଲିଫର୍ଣ୍ଣିଆ ଯିବାର ଅଛି । ବନିତା ତା’ ପରିବାର ସହ ଦିଲ୍ଲୀରେ ରହୁଛି । ପାଖରେ କେହି ରହୁନଥିବାରୁ ତାଙ୍କ ନିଜର ଅଭିମାନ କରି ସେ ଘରେ ଶୋଇବାର ଅବକାଶ ହିଁ ନାହିଁ ।
ସେଇ ପୁରୁଣା ଅଭିମାନ, ସ୍ନେହ-ପ୍ରେମ, ସେଇ ଜୀବନ, ସେଇ ସ୍ମୃତି ଏବେ ଘରସାରା ଡିଅାଁମାରି ବୁଲୁଛନ୍ତି । ଆଶୁତୋଷ ତାଙ୍କ ସହ ଖେଳୁଛନ୍ତି, ଭାବୁଛନ୍ତି, ବଞ୍ଚୁଛନ୍ତି ।
ଦ୍ୱିତୀୟ ପ୍ରତିଷ୍ଠା ବେଳକୁ ବେଶୀ ଲୋକ ଡକା ହୋଇନଥିଲେ । ନିଜ ଲୋକ, ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ଅତି ଚିହ୍ନା ଯୋଉମାନେ । ଚାରିବର୍ଷ ତଳେ ବନିତାର ପୁଅ ଜନ୍ମ ହେଲା । ତା’ପାଇଁ ଷଷ୍ଠ ବଖରାଟି ତିଆରି କରି ତା’ରି ପ୍ରତିଷ୍ଠା କରିଥିଲେ । ସେତେବେଳେ ବାସନ୍ତୀ ଓ ସନ୍ତୋଷ ମିଶି ସବୁ କାମ ଉଠେଇ ଦେଇଥିଲେ ।
ଏବେ ସେ ଏକଲା । ଅବଶ୍ୟ କାମ ନିମତ ବେଳେ ସନ୍ତୋଷ ସବୁବେଳେ ସାଙ୍ଗରେ ଥାଏ । ଆଜି ବି ଅଛି ।
ପୂଜା ପାଇଁ ଆଶୁତୋଷ ଏଥର ଅଲଗା ଯୋଜନା କରିଛନ୍ତି । କେବଳ ନିଜ ଲୋକ । ଭାଇ, ଭଉଣୀ, ଶଳା, ପୁଅ, ଝିଅ ଓ ତାଙ୍କ ପରିବାର । ନାତି, ନାତୁଣୀ ହେଲେଣି, ପରିବାର ବଢ଼ିଲାଣି, ସମୟ ବି ବଦଳିଲାଣି- ସେ ଅନୁସାରେ ନିଜକୁ ବଦଳେଇଛନ୍ତି ଆଶୁତୋଷ । ମନକୁ ବୁଝେଇଛନ୍ତି । ଏବେ ଯଦି କିଏ ବିଛଣା ଅଡୁଆ କରନ୍ତି କି ଜିନିଷପତ୍ର ଘାଣ୍ଟନ୍ତି- କି କିଛି ଭାଙ୍ଗିତୁଟି ଯାଏ ତା’ହେଲେ ସେ ଖାଲି ହସିଦେବେ । କାହାକୁ କିଛି କହିବେ ନାହିଁ । ନିଜେ ରାଗ, ଅଭିମାନ କରିବେ ନାହିଁ କି ଆଉ କାହାକୁ ରାଗିବାର ସୁଯୋଗ ଦେବେ ନାହିଁ । ସେଥିପାଇଁ ସେ ଅଭିମାନ ଗୃହରେ ତାଲା ପକେଇ ତା’ ଚାବିଟିକୁ ଦୁଆର କାର୍ପେଟ୍ ତଳେ ଲୁଚେଇ ଦେଇଛନ୍ତି । ଆନନ୍ଦରେ ଯେମିତି କିଛିଦିନ କଟିଯିବ । ସେଥିପାଇଁ ସମସ୍ତଙ୍କୁ କହିଛନ୍ତି ଆଗରୁ ଆସିବା ପାଇଁ । ଆଗରୁ ଆସିବେ- କିଛିଦିନ ରହି କରି ଯିବେ । କିଛିଦିନ ହେବ ଗୁପ୍ତ ଆଶାଟିଏ ବି ମନରେ ବସା ବାନ୍ଧିଛି । ଏଥର ଶଳା ଭାଉଜଟି ସହ ଟିକେ ରଙ୍ଗରସ କରିବେ ।
କିନ୍ତୁ, ଦୈବଯୋଗ ଉପରେ ବା କାହାର ହାତ ଅଛି? ତା’ ବାପା ହଠାତ୍ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦିନକୁ ଦିନ ଦେହ ବେଶୀ ଖରାପ ହେଉଛି । ସେ ଶେଷ ପର୍ଯ୍ୟନ୍ତ ଆସିପାରିବ କି ନା ସନେ୍ଦହ । ଓଲଟି ସନ୍ତୋଷ ଜଗିକି ବସିଛି, ଭାଇ, ଭଉଣୀ, ପୁଅ କି ଝିଅ- କେହି ଜଣେ ଆସିଲେ ସେ ପଳେଇବ । ଶ୍ୱଶୁରଘର କଥା ।
ଭଉଣୀ ଆସିଥିଲା ବାସନ୍ତୀଙ୍କ କାମ ବେଳେ । ବିଦା ହେଲାବେଳେ ସେ ଅଭିମାନ କରିଥିଲା । ଏଯାଏ ତା’ ରାଗ ଥଣ୍ଡା ହୋଇନାହିଁ । ବାସନ୍ତୀ ଥିଲେ କେବେଠୁ ତାକୁ ବୁଝେଇ ସାରନ୍ତେଣି । ସମ୍ପର୍କ ରଖିବାରେ, ତାକୁ ବଢ଼େଇବାରେ ସେ ଥିଲେ ପାରଙ୍ଗମ । କିଛି ନହେଲେ ତାକୁ ମନେଇବାକୁ ତା’ ଘରକୁ ପଳେଇଥାନ୍ତେ । କିନ୍ତୁ, ଆଶୁତୋଷ ଆଗରୁ ଏ ଦିଗରେ ଧ୍ୟାନ ଦେଇନଥିଲେ । ନିଜ ଘରର ସ୍ୱପ୍ନ, ତା’ର ଯୋଜନା, ଘର ତିଆରି ଓ ତା’ ସଜାସଜିରେ ସେ ଏତେ ମଗ୍ନ ରହିଗଲେ ଯେ ଅନ୍ୟ ଆଡକୁ ଧ୍ୟାନ ଯାଇନଥିଲା । ଏବେ ସେ ନିଜ ଭିତରେ ପରିବର୍ତ୍ତନ ଆଣିବେ ।
ସମୟ ଥିଲେ ଭଉଣୀ ଘରକୁ ମାଡ଼ି ଯାଇଥାନ୍ତେ । କିନ୍ତୁ, ହାତରେ ଆଉ ବେଳ ନାହିଁ । ଫୋନ୍ରେ କହିଛନ୍ତି, “ତୁ ଆ । ତୋର ଯାହା କହିବା କଥା କହିବୁ । ଯାହା କହିବୁ ମୁଁ କରିବି ।’ ତଥାପି ତା’ଠୁ ସ୍ପଷ୍ଟ ମିଳିଲା ନାହିଁ । ପୁଅଟା ଆଗେ ପହଞ୍ଚିବା କଥା । ସିଏ ଆଉ ବୋହୂ ପୂଜାରେ ବସିବେ । ଆର ମାସ ଆଡକୁ ସେ କାଲିଫର୍ଣ୍ଣିଆ ଯିବ । ତା’ କମ୍ପାନୀ ତାକୁ ପଦୋନ୍ନତି ଦେଇ ପଠୋଉଛି । ଭିସା ପାଇଁ କ’ଣ ଟିକେ ଅସୁବିଧା ହେଇଛି । ନହେଲେ ପହଞ୍ଚି ସାରନ୍ତାଣି । ଯେମିତି ହେଉ ସେ କାଲି ପହଞ୍ଚିବ କହିଛି ।
‘ଯା, ଯା!’ ମିନୁର ପାଟି ଶୁଭିଲା । ମିନୁ ହେଉଛି ଆଶୁତୋଷଙ୍କର ପୋଷା ଶୂଆ । ଦିନରେ ତା’ ପଞ୍ଜୁରିଟି ଫାଟକ ପାଖ ବଉଳ ଗଛରେ, ପତ୍ର ସନ୍ଧିରେ ଟଙ୍ଗା ହୋଇଥାଏ । ବର୍ଷାବର୍ଷି ହେଲେ ଓ ରାତିରେ କୃପା ତାକୁ ଘରକୁ ନେଇଆସେ । ତାକୁ ପ୍ରାକୃତିକ ପରିବେଶଟେ ଦେବା ପାଇଁ ଆଶୁତୋଷଙ୍କର ଏ ପ୍ରୟାସ । ତା’ର କିଛି ଦରକାର ହେଲେ କି କେହି ଚିହ୍ନାଲୋକ ଆସିଲେ ସେ ଚିଲ୍ଲାଏ, ‘ବାପା! ବାପା!!’ ଆଶୁତୋଷ ତା’ ଡାକ ଶୁଣି ଦୌଡ଼ି ଆସନ୍ତି । କେହି ଅଚିହ୍ନା ରାସ୍ତା ସେପଟୁ ତାଙ୍କ ଘର ଆଡକୁ ଅନେଇଲେ ସେ ପାଟି କରେ, ‘ଯା, ଯା!’
ମିନୁ ପାଟି ଶୁଣି ଆଶୁତୋଷ ବାହାରକୁ ଆସିଲେ । କୃପା ଗଛରେ ପାଣି ଦେଉଥିଲା । ଆଶୁତୋଷ ପଚାରିଲେ, ‘କିଏ କି’ରେ କୃପା!’
କୃପା ସେମିତି ପାଣି ଦେଉଦେଉ କହିଲା, ‘କେହି ନାହାନ୍ତି ବାବୁ । ରାସ୍ତାରେ କିଏ ଯାଉଥିବ । ତାକୁ ଦେଖି ଚିଲ୍ଲୋଉଛି । ସିଏ ଭାବୁଛି ଏ ଜାଗା ବାଡ଼ି ସହ ରାସ୍ତାଟା ବି ତା’ର ।’ କହିଦେଲା ଯେ, ତା’ପରେ ତାର ହେତୁ ହେଲା- ବାବୁ ତ ତାକୁ ଶିଖେଇଛନ୍ତି ଏକଥା । ନିଶ୍ଚୟ ଗାଳି ଖାଇବ ସେ- ଭାବି କୃପା ବଉଳ ଗଛ ଆଡକୁ ଚାହିଁଲା । ନା, ଆଶୁତୋଷ ତା’ କଥାକୁ ଗୁରୁତ୍ୱ ନଦେଇ ମିନୁ ପାଖକୁ ପଳେଇଲେ, ‘ଚଗଲା! ସେମିତି ଆଉ କାହାକୁ କହିବୁନି । କହିବୁ- ଆସ… ଆସ… ।’
ମିନୁ ତାଙ୍କୁ ଦେଖି ଡାକ ପକେଇଲା, ‘ବାପା… ବାପା… ବାପା!’
କୃପା କାନ ଡେରିଥିଲା । ସେ ଆଶ୍ୱସ୍ତ ହେଲା । ସେ ବି ଗଛ ପାଖକୁ ଆସିଲା, ‘ସଫାସଫି କାମ ସରିଗଲା ବାବୁ ।’
‘ତୋ ଘର ପୂରା ରଙ୍ଗ ହେଇଗଲା ତ?’
‘ଦେଖୁନାହାନ୍ତି, କେମିତି ଚକ୍ଚକ୍ କରୁଛି କାନ୍ଥ ।’
‘ଯଦି ଖରା ପଡ଼ିବ, ମିନୁକୁ ଘରକୁ ନେଇଆସିବୁ ।’
‘ଆଜ୍ଞା!’
ଆଶୁତୋଷ ବାଡ଼ି ଭିତରେ ଟିକେ ବୁଲାବୁଲି କଲେ । ତା’ପରେ ତାଙ୍କର ମନେପଡ଼ିଲା- ସେ କାହା ଉପରେ ରାଗିବେ-ଚିଡ଼ିବେ ନାହିଁ ବୋଲି ଠିକ୍ କରିଥିଲେ । କିନ୍ତୁ, ସକାଳେ ସନ୍ତୋଷ ଉପରେ ଚିଡ଼ିଚିଡ଼ି ହୋଇଛନ୍ତି । ସେ ଘର ଭିତରକୁ ପଶିଲେ । ସନ୍ତୋଷ ବି ଛାତ ଉପରୁ ତଳକୁ ଆସିଲେ । ଛାତ ଉପରେ ସେ ଆଲୋକ ସଜା ବ୍ୟବସ୍ଥା ତଦାରଖ କରୁଥିଲେ ।
‘ସବୁ ରେଡି, ଭାଇ! ଆଉ କ’ଣ ବାକି ରହିଲା କୁହ?’
ଆଶୁତୋଷ ମୁରୁକି ହସିଲେ । ସନ୍ତୋଷଙ୍କ ହାତ ଧରି ତାଙ୍କୁ ବସେଇଲେ, “ସକାଳେ କହିଲି ବୋଲି ଖରାପ ଭାବିଲୁ କି?’
ପ୍ରିୟ ଭିଣେଇଙ୍କର ଏ ଆଚରଣ ସନ୍ତୋଷଙ୍କୁ ବିସ୍ମିତ କଲା । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘କୋଉ କଥା?’
‘ସକାଳେ ବିଛଣା ଘଣ୍ଟା କଥା ମୁଁ ଯୋଉ କହିଲି ।’
‘ତମେ ସତରେ ବୁଢ଼ା ହେଇଗଲଣି ଭାଇ! ମୁଁ ତମକୁ ଚିଡେଇବା ପାଇଁ ସେମିତି କରିଥିଲି । ତମେ ବି ଚିଡିଲ । ମଜା ଲାଗିଲା ।’
ଆଶୁତୋଷ ନିଜକୁ ଫିଟେଇଦେଲେ, ‘ଶଳାକୁ ଦେଖରେ, ଟୋକା ମୋ’ ସାଙ୍ଗରେ ଖେଳୁଥିଲା । ମୁଁ ମିଛଟାରେ…’
ସନ୍ତୋଷ ସ୍ମିତ ହସିଲେ, ‘ଭବତୋଷ ଭାଇଙ୍କୁ ଫୋନ୍ ଲଗା । କେତେବେଳେ ଆସିବେ । ଛୁଆଗୁଡାକ ଆସିଲେ ଗୋଟେ ହୋ ହା ଚାଲନ୍ତା ।’
‘ହଁ, କହିଥିଲା ତ ପହଞ୍ଚିଯିବ ବୋଲି । ଲଗୋଉଛି ତାକୁ ।’ କହି ଆଶୁତୋଷ ଫୋନ୍ ଲଗେଇଲେ ।
‘ହଁ, ଭାଇ!’ ସେପଟୁ ଶୁଭିଲା ।
‘ଆରେ ଏଠି କାମଦାମ କେମିତି ହେବ? କେତେବେଳେ ପହଞ୍ଚିବୁ ତୁ?’
‘ପଅରିଦିନ ପରା ବାତ୍ୟା ହବ ।’
‘ବାତ୍ୟା? ଆମ ପାଣିପାଗ ବିଭାଗର ଅନୁମାନ କଥା କହୁଛୁ? ସିଏ କେତେବେଳେ ଠିକ ଅନୁମାନ କରନ୍ତି? ବାତ୍ୟା କହିଛନ୍ତି ମାନେ ଦେଖିବୁ ପାଗ ଭଲ ରହିବ । ତା’ଛଡ଼ା, ପାଗ ଖରାପ ହେଲେ ବି ଆମର ଏଠି ଅସୁବିଧା କିଛି ନାହିଁ । ଘରେ ରହିବା, ଖାଇପିଇ ଟିକେ ଖୁସି ମଜା କରିବା କଥା । ଜିନିଷପତ୍ର ସବୁ ଅଛି, ରୋଷେଇଆ ଅଛନ୍ତି, ବିଜୁଳି ଗଲେ ଇନ୍ଭର୍ଟର ଅଛି, ଦି’ ଦି’ଟା ଜେନେରେଟର ଅଛି- ଅସୁବିଧା କ’ଣ?’
‘ତମେ ସିନା କୋଠାଘର କରିଛ ଭାଇ । ଇନ୍ଭର୍ଟର, ଜେନେରେଟର ରଖିଛ । ଆମେ ପରା ଏଠି ଚାଳ ଘରେ ରହୁଛୁ । ସତରେ ଯଦି ବାତ୍ୟା ହୁଏ- ଏଠି ଘର ବାଡ଼ି, ଦୋକାନ କ’ଣ ହବ- ତାକୁ କିଏ ଦେଖିବ?’ କଥାଗୁଡ଼ିକ ଭବତୋଷ ପଟୁ ଯେତେ ସହଜ ଭାବରେ ଭାସି ଆସୁଥିଲା ଆଶୁତୋଷଙ୍କ କାନରେ ସେତେ ଜୋରରେ ଫୋଡ଼ି ହେଉଥିଲା । ବିଷମିଶା ତୀର ପରି ଶବ୍ଦଗୁଡ଼ିକ କାନକୁ କ୍ଷତାନ୍ତ କରି ତାଙ୍କ ସାରା ଶରୀରରେ ଭେଦିଗଲା । ସେ ‘ରଖୁଛି’ ବୋଲି ନ କହି ବି ଫୋନ୍ କାଟିଦେଲେ । ତା’ପରେ ସେ ହତାଶ ଆଖିରେ ସନ୍ତୋଷଙ୍କୁ ଚାହିଁଲେ । ଆଖିର ସେ ରଙ୍ଗକୁ ଚିହ୍ନନ୍ତି ସନ୍ତୋଷ । ସେ ପଚାରିଲେ, ‘ଆସିବେ ନାହିଁ?’
‘ସିଏ ଚାଳଘରେ ଆଉ ମୁଁ କୋଠାଘରେ ରହୁଛି ବୋଲି ତା’ର ଅଭିମାନ ।’
‘ହଉ ତମେ ବ୍ୟସ୍ତ ହୁଅନି । ଆମେ ଅଛନ୍ତି । ଛୁଆମାନେ ଆସିବେ । ଆଉ ଯିଏ ଆସୁଛି ଆସୁ, ନହେଲେ ନାହିଁ ।’
‘ହଁ ମ, ନ ଆସନ୍ତୁ । ତାଙ୍କ ପାଇଁ ମୁଁ ପୂଜା ବନ୍ଦ କରିଦେବି ନା କ’ଣ? ତୁ ବନିତାକୁ ଫୋନ୍ କରିଥିଲୁ ପରା । ସେ କ’ଣ କହିଲା?’ ପଚାରିଲେ ଆଶୁତୋଷ । ଛୁଆ ଦି’ଜଣ ମାମୁର ଭାରି ଗେହ୍ଲା । ତାଙ୍କଠୁ ବେଶୀ ସନ୍ତୋଷ ସେମାନଙ୍କ ସମ୍ପର୍କରେ ଥାଆନ୍ତି ।
‘ଏବେ ପରୀକ୍ଷା ସମୟ । ସିଏ କାଲି ଆସିବ । ଆଉ ପ୍ରବୀର କହିଲା- ତା’ ପାଇଁ ବ୍ୟସ୍ତ ହେବ ନାହିଁ । ସିଏ ବି କାଲି ପହଞ୍ଚିବ । କେତେବେଳେ ପହଞ୍ଚିବ କହିହେବ ନାହିଁ । ଭିସାଟା ଏଯାଏ ହେଇପାରିନି ତ । ସେଥିପାଇଁ ଟିକେ ବ୍ୟସ୍ତ ଅଛି ।’
‘କାଲି କାଲି କରିକି ତ ପୂଜା ପହଞ୍ଚିଗଲା । କହିଦେ ରହିବା ବି ଦରକାର ନାହିଁ । ସେହିଦିନ ଆସି ସେହିଦିନ ପଳେଇବେ । ମୁଁ ଯୋଉ ଏ ଘରକୁ ବଢ଼େଇ ଚାଲିଛି, ନୂଆ ବୋହୂ ପରି ସଜେଇକି ରଖିଛି- ତାକୁ ଏମିତି ଜୀବନ ସାରା ଜଗି ବସିଥିବି ।’
ଟିକେ ଆଗରୁ ହସହସ ଦିଶୁଥିବା ଆଶୁତୋଷଙ୍କ ମୁହଁରେ ଅଭିମାନର ରଙ୍ଗ ଗାଢ଼ ହେଇ ଆସିଲା । ସନ୍ତୋଷ ପରିସ୍ଥିତିକୁ ହାଲୁକା କରିବା ପାଇଁ କହିଲେ, ‘ତାଙ୍କର ପୁଣି ସବୁ ନିଜ ନିଜ ଦାୟିତ୍ୱ ରହିଛି । ଚାକିରି, ପରିବାର ଅଛି । ସବୁ ଆଡୁ ଦେଖିବା ନା?’
ଆଶୁତୋଷ ଏ କଥାରେ କିଛି କହିଲେ ନାହିଁ । ସେ ବାହାରକୁ, ମିନୁ ପାଖକୁ ଚାଲି ଆସିଲେ ।
ରୋଷେଇଆ ଦି’ଜଣ ଆସିଥିଲେ । ଘରେ ଆଶୁତୋଷ, ସନ୍ତୋଷ, କୃପା ଓ ସେମାନଙ୍କ ପାଇଁ ରୋଷେଇ ହେଉଥିଲା । କୃପା ରୋଷେଇ ପାଖରେ ଥିଲା । ସେଦିନ ପାଇଁ ପାଣିପାଗ ବିଭାଗ ତରଫରୁ ବାତ୍ୟାର ସୂଚନା ଥିବାରୁ ଘରେ ଆଗରୁ ସବୁ ବନେ୍ଦାବସ୍ତ କରାଯାଇଥିଲା । ଶଳା ଭାଉଜଟି ଯେମିତି ହେଉ ଦିନକ ପାଇଁ ହେଲେ ଆସିଥାନ୍ତା! କିନ୍ତୁ, ତା’ ବାପାଙ୍କ ଅବସ୍ଥାରେ କିଛି ଉନ୍ନତି ହେଉନାହିଁ । ପୂଜା ସରିଲା ମାତ୍ରେ ସନ୍ତୋଷ ବି ପଳେଇବ । ତେଣୁ, ତା’ ଆସିବା ସମ୍ଭବ ନୁହେଁ ।
ଏବେ କେବଳ ପିଲା ଦି’ଜଣ ଓ ତାଙ୍କ ପରିବାରକୁ ଅପେକ୍ଷା ।
ପରଦିନ ପ୍ରବୀର, ସନ୍ତୋଷଙ୍କୁ ଫୋନ୍ କରି ଜଣେଇଲା, ‘ବୁଝିଲ ମାମୁ- ଭିସା କାମଟା ଛିଣ୍ଡିନି, ତେଣୁ, ଆଜି ଯାଇପାରୁନି । ବାପାଙ୍କୁ ଟିକେ ବୁଝେଇଦବ- କାଲି ସକାଳ ଜାହାଜରେ ବାହାରିଗଲେ ମୁଁ ଘରେ ଦିନ ଏଗାରଟା ଭିତରେ ନିଶ୍ଚୟ ପହଞ୍ଚିଯିବି ।’
ବନିତାକୁ ଫୋନ୍ କଲାରୁ ସେ ବି ସେହି କଥା କହିଲା । ସେ ମଧ୍ୟ କାଲି ଆସିବ ।
ପ୍ରବଳ ଉତ୍ସାହର ଯେଉଁ ଢେଉ ସବୁ ଆଶୁତୋଷଙ୍କ ଭିତରେ ଗତ କିଛିଦିନ ଧରି ଲହଡ଼ି ଭାଙ୍ଗୁଥିଲେ ସେସବୁ ଆଶଙ୍କାର ସୁଅରେ ମିଳେଇଗଲେ । ଭାଇ ପରିବାର ଆସିବେନି । ଭଉଣୀଘର ଆସିବେ ନାହିଁ । ଶଳା ଭାଉଜର ଅସୁବିଧା । ପୁଅ, ଝିଅ ଦି’ଜଣ ଠିକ୍ ସମୟରେ ପହଞ୍ଚିବେ ତ! ଆଶଙ୍କାର ଏ ପୀଡ଼ା ସନ୍ତୋଷଙ୍କୁ ବି ଛୁଇଁଲା ।
ରାତି ବି କିଛି କମ୍ ଯନ୍ତ୍ରଣାଦାୟକ ନଥିଲା । ଆଶୁତୋଷଙ୍କ ଆଖି ନିଦକୁ ଯେତେ ଖୋଜିଲା, ନିଦ ତାଙ୍କଠୁ ସେତେ ଦୂରେଇ ଦୂରେଇ ଗଲା । ସେ ବିଛଣାରେ ଗଡ଼ିଲେ, ଉଠି ପାଣି ପିଇଲେ, ଛାଇଛାଇଆ ଅନ୍ଧାର ଭିତରେ ନାଚିନାଚି ଯାଉଥିବା ନିଜ ପିଲାବେଳକୁ ଓ ତାଙ୍କ ପିଲାଙ୍କ ସହ କାଟିଥିବା ଦିନଗୁଡ଼ିକୁ ଦେଖିଲେ, ମୁହଁ ଧୋଇଲେ, ପୁଣି ଶୋଇବାକୁ ଚେଷ୍ଟା କଲେ ଓ ପିଲାବେଳେ ତାଙ୍କ ଦି’ଟଙ୍କା ନେଇ ପଳେଉଥିବା ଘରଚଟିଆ ପଛରେ ଦୌଡ଼ିଲେ ।
ପାହାନ୍ତା ବେଳକୁ ଝିପିଝିପି ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଗଲା । ସକାଳେ ବର୍ଷା ବଢ଼ିଲା, ପବନ ବି ଡରେଇବାକୁ ଲାଗିଲା । ଠିକ୍ ଛଅଟା ବେଳେ ବନିତାର ଫୋନ୍ ଆସିଲା ଯେ ସେ ଆସିପାରିବ ନାହିଁ । ତା’ର ଅଧଘଣ୍ଟା ପରେ ପ୍ରବୀର, ସନ୍ତୋଷଙ୍କୁ ଫୋନ୍ କଲା, ‘ଜମା ସୁବିଧା କରିହେଲାନି ମାମୁ । ବାପା କିଛି ବୁଝିପାରୁନାହାନ୍ତି । ତାଙ୍କୁ ବୁଝେଇଦବ- ଏଇ ଭିସା କାମଟା ଛିଣ୍ଡିଗଲେ ମୁଁ ଯାଇ ବୁଲିଆସିବି ।’
ପୁଅ ଓ ଝିଅଠୁ ଫୋନ୍ ଆସିବା ପରେ ଆଶୁତୋଷଙ୍କୁ ଆଉ ବୁଝେଇବା ଦରକାର ପଡ଼ିଲା ନାହିଁ । ସେ ତାଙ୍କ କଥା ଶୁଣିଲେ, ଚୁପ୍ଚାପ୍ ଉଠି ବାହାରକୁ ଚାଲିଆସିଲେ । ମିନୁ ପଞ୍ଜୁରିକୁ କୃପା ଆଣି ଦୁଆର ପାଖରେ ଟାଙ୍ଗି ଦେଇଥିଲା । ତାକୁ ଦେଖି ମିନୁ ଡାକ ପକାଇଲା, ‘ବାପା! ବାପା!’
ଆଶୁତୋଷ ତା’ ସହ ଆଳାପ ଆରମ୍ଭ କରିଦେଲେ । କିଛି ସମୟ ପରେ ସନ୍ତୋଷ ଆସି ତାଙ୍କ ପାଖରେ ପହଞ୍ଚିଲେ ।
‘ମି… ନୁ.. ଉ…’ ବୋଲି ଡାକି ତା’ ପଞ୍ଜୁରିକୁ ଆସ୍ତେ କରି ହଲେଇ ଦେଲେ । ମିନୁ ଓ ଆଶୁତୋଷ ଦୁହେଁ ତାଙ୍କୁ ଚାହିଁଲେ ।
‘କ’ଣ କହୁଛ?’ ପଚାରିଲେ ସନ୍ତୋଷ ।
‘କୋଉ କଥା?’ ଆଶୁତୋଷ ପ୍ରତିପ୍ରଶ୍ନ କଲେ ।
‘ବର୍ଷା, ପବନ ବଢ଼ିଲାଣି । ରୋଷେଇଆ ଦି’ଜଣ ଘରକୁ ପଳେଇବେ । ପୁରୋହିତ ବି କୁନ୍ଥୋଉଛି- ଏ ପାଗରେ କେମିତି ଆସିବ?’
ଆଶୁତୋଷଙ୍କ ନାଭି ଭିତରୁ ବାହାରି ଆସିଲା ଗୋଟେ ଦୀର୍ଘନିଃଶ୍ୱାସ, ‘ହୁଁଃ…’
‘ପୂଜାଟା ସ୍ଥଗିତ ରଖିବା?’ ପ୍ରସ୍ତାବ ଦେଲେ ସନ୍ତୋଷ ।
‘ତୁ କ’ଣ କହୁଛୁ?’ ପଚାରିଲେ ଆଶୁତୋଷ ।
‘ଉପାୟ ଆଉ କ’ଣ ଅଛି?’ ସନ୍ତୋଷ କହିଲେ ।
‘ସ୍ଥଗିତ ଆଉ କ’ଣ? କାହାରି ଯଦି ଦରକାର ନାହିଁ, ପୂଜା ଆଉ କରିବା କାହିଁକି?’
‘ଏ ବୟସରେ ତମେ ଏମିତି ହେଲେ ହବ କି ଭାଇନା? ସନ୍ତୋଷ ତାଙ୍କୁ ବୁଝେଇବାକୁ ଚେଷ୍ଟା କଲେ, ‘ତା’ଛଡ଼ା ତମେ ଏଠି ମନ ଦୁଃଖ କଲେ ତାକୁ କିଏ ଦେଖୁଛି ନା ବୁଝୁଛି? ଯେତେ ମନ କଷ୍ଟ କରିବ ଦେହ ସେତେ ଖରାପ ହେବ । ଚାଲିଲ, ଘରକୁ ଚାଲ । ମୋର କଥା ଅଛି ।’ କହି ଆଶୁତୋଷଙ୍କୁ ଘର ଭିତରକୁ ଟାଣି ନେଇଗଲେ ସନ୍ତୋଷ ।
ଦୁହେଁ ବୈଠକ ଘରେ ବସିଲେ ।
‘କ’ଣ କହୁଥିଲୁ?’ ପଚାରିଲେ ଆଶୁତୋଷ ।
‘ସେମିତି କଥା ନ ହେଇଥିଲେ ମୁଁ ଆଜି ରହିଥାନ୍ତି ତମ ସାଙ୍ଗରେ । ଶ୍ୱଶୁରଙ୍କ ଦେହ ବେଶୀ ଖରାପ ହେଲାଣି । ମତେ ଦେଖିବାକୁ ଖୋଜୁଛନ୍ତି । ଯେମିତି ହେଲେ ଯିବାକୁ ପଡ଼ିବ ।’ ଆଶୁତୋଷଙ୍କ ପାଖକୁ ଲାଗି ଆସି ତାଙ୍କ ହାତକୁ ଧରିଲେ ସନ୍ତୋଷ ।
‘ଏ ବେଳରେ ଯିବୁନି ତ କେତେବେଳେ ଯିବୁ? ନହେଲେ, କିଛି ଗୋଟେ ହେଇଗଲେ ଦୋଷୀ ଦୋଷୀ ଲାଗିବ ।’
ଆଶୁତୋଷଙ୍କ କଥାରେ ସନ୍ତୋଷ ଆଶ୍ୱସ୍ତ ହେଲେ । ଆଶୁତୋଷ ପୁଣି କହିଲେ, ‘ଇଏ ତ ତୋଫାନର ରୂପ ନେଲାଣି । ତୁ ଯିବୁ କେମିତି?’
‘ସେଥିପାଇଁ ଏବେ ବାହାରିଯାଉଛି ।’
ଆଗେ ଗଲେ ସନ୍ତୋଷ । ତା’ପରେ ଫେରିଗଲେ ରୋଷେଇଆ ଦି’ଜଣ ।
ଦିନ ବଢ଼ିଲା । ଧୀରେଧୀରେ ପବନର ବେଗ ତୀବ୍ର ହେଲା । ସେହି ପବନରେ ନାଚିନାଚି ବର୍ଷା ଉତ୍ପାତ ଆରମ୍ଭ କଲା । ଘର ସେପଟେ ଘନ ଅନ୍ଧକାର । ତା’ ଭିତରେ ଗୋଟେ ‘ଘୋଓ.. ଓ..’ ଶବ୍ଦ । ମଡ଼ମଡ଼, ଚଡ଼ଚଡ଼, ଢୋ ଢା, ଝଣ୍ଣ୍… କ’ଣ ସବୁ ଉଡ଼ିବାର, ବାଡେଇ କଚାଡ଼ି ହେବାର ଶବ୍ଦ । ଗଛଡାଳଠୁ ଆଜବେଷ୍ଟସ୍ ଯାଏ କ’ଣ ନାହିଁ କ’ଣ ସବୁ ଉଡ଼ିଯାଉଛି ପବନରେ । ଆଶୁତୋଷ ସଦର କବାଟ ଦେଇ ଭିତର ଘରର ସବୁ କବାଟର ଛିଟିକିଣି ଲଗେଇଦେଲେ ।
କୃପା ବାହାର ଘରେ ଅଛି । ସେ ଠିକ୍ ଅଛି କି ନାହିଁ ଜାଣିବାକୁ ତାକୁ ଫୋନ୍ ଲଗେଇଲେ ଆଶୁତୋଷ । ଲାଗିଲା ନାହିଁ । ଟାୱାର ବନ୍ଦ ।
ରାତିରେ ବାତ୍ୟା ଭୟଙ୍କର ରୂପ ନେଲା । ତା’ର ଉତ୍ପୀଡ଼କ ‘ସୁ..ଉ…ଉ’ ଶବ୍ଦରେ ଛାତି ଥରି ଯାଉଥିଲା । କବାଟ, ଝରକା ବନ୍ଦ ଥିଲେ ବି ଘର ଭିତରେ ପବନର ଖେଳ ସାଙ୍ଗକୁ ଭୀତିପ୍ରଦ ଢ଼ୋ ଢ଼ା, ଝଣ୍ଣ୍..’ ଆଦି ଶବ୍ଦ ଧସେଇ ପଶୁଥିଲା ।
ରାତି ବଢ଼ିଲା । ବର୍ଷା ବିତ୍ପାତ ଆହୁରି ଉଗ୍ର ହେଲା । ମନରେ ଭୟ ବି ବଢ଼ିଲା । କୃପାକୁ ଡାକିବା କି ସେ ଆସିବା ସମ୍ଭବ ନୁହେଁ । ମିନୁକୁ ଆଣି, ତାକୁ ଧରି ବସିବାକୁ ଇଚ୍ଛା ହେଲା । ଆଶୁତୋଷ ଦାଣ୍ଡ ଦୁଆର ପାଖକୁ ଆସିଲେ ।
ପବନର ଧକ୍କା ନା ଦାଣ୍ଡ କବାଟକୁ କିଏ ବାଡୋଉଛି? ମଣିଷ ଧକ୍କା ଇଏ । ଜଣେ ନୁହେଁ, ବହୁତ ଲୋକ- ସମସ୍ତେ ମିଶି ବାଡୋଉଛନ୍ତି । ତା’ ସାଙ୍ଗକୁ ଚିକ୍ରାର, ପିଲାଙ୍କ କାନ୍ଦ । ବାତ୍ୟାର ଭୟଙ୍କର ଶବ୍ଦକୁ ଚିରି ବନ୍ଦ କବାଟ ଭିତରକୁ ସେ କୋଳାହଳ ଧସେଇ ପଶୁଛି ।
‘କିଏ? କବାଟ ଭାଙ୍ଗିଦବ ନା କ’ଣ?’ ଆଶୁତୋଷ ଦୃଢ଼ କଣ୍ଠରେ ଚିକ୍ରାର କରି ପଚାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ କଣ୍ଠରେ ଶକ୍ତି ନଥିଲା । ତାଙ୍କ କଥାଗୁଡ଼ିକ ତାଙ୍କରି ପାଖରେ ଅଟକିଗଲା ।
‘ଜଲ୍ଦି ଖୋଲ । ନହେଲେ ଭାଙ୍ଗିଦବୁ ।’ ବାହାରୁ ତୋଫାନର ଶବ୍ଦ ସହ ଗୋଟେ ସମ୍ମିଳିତ ଧ୍ୱନି ଭାସି ଆସିଲା ।
ଆଶୁତୋଷଙ୍କର ଭାବିବାର ଶକ୍ତି ନଥିଲା । ଦେହଟା ହଠାତ୍ କମ୍ପିବାକୁ ଲାଗିଲା । ମୁଣ୍ଡ ବୁଲେଇ ଦେଲା । ଛାତିରେ କ’ଣ ଗୋଟେ ଅଟକି ଗଲା ପରି ଲାଗିଲା । ବଡ଼ କଷ୍ଟରେ କବାଟ ପାଖକୁ ଯିବାକୁ ଚେଷ୍ଟା କଲେ ସେ । ତା’ ପୂର୍ବରୁ ଲୋକଙ୍କ ଧକ୍କାରେ କବାଟ ଭାଙ୍ଗି ଦୁଆର ମେଲା ହୋଇଗଲା । ଭୁସ୍ କରି ପବନ ଓ ପାଣିର ସୁଅଟେ ମାଡ଼ି ଆସିଲା ଘର ଭିତରକୁ । ସେଇ ସୁଅ ସାଙ୍ଗରେ ପଶି ଆସିଲେ ପିଲା, ବୁଢ଼ା, ପୁରୁଷ, ସ୍ତ୍ରୀ ହେଇ ପଲେ ଲୋକ । ବସ୍ତିର ବାସିନ୍ଦାମାନେ । ପବନ ଓ ତାଙ୍କ ଧକ୍କାରେ ଠେଲି ହେଇ ସେ କାନ୍ଥରେ ପିଟି ହୋଇଗଲେ । ପଞ୍ଜୁରିଟା ବି ଉଡ଼ିଆସି ତାଙ୍କ ପାଖରେ ପଡ଼ିଲା ।
‘ହେ… ହେ… ରୁହ.. ରୁହ…’ ବୋଲି କହୁକହୁ ସେମାନେ ମାଡ଼ିଗଲେ ଘର ଭିତରକୁ । ତାଙ୍କ ସାଙ୍ଗରେ ଚାଲିଥିଲା ଗୋଟେ ‘ଘୋ… ଘା’ । ତା’ ଭିତରୁ ଶୁଭୁଥିଲା, ‘ଏ ପୃଥ୍ୱୀ ଆଉ ରହିବ ନାହିଁ ବାବୁ । ଆମ ଘର ଦ୍ୱାର ସବୁ ଭାଙ୍ଗି ଉଜୁଡ଼ି ଗଲାଣି । ଆପଣଙ୍କର ଏତେ ବଡ଼ ଘର । ପଲାଛୁଆଙ୍କୁ ଟିକେ ଆଶ୍ରା ଦେଇଥାନ୍ତୁ । ଧର୍ମ ହେବ ।’
କଥାଗୁଡ଼ିକ ଆଶୁତୋଷଙ୍କ କାନରେ ବାଜିଲା, ଫେରିଗଲା । ତାଙ୍କ ଆଖି ଆଗରେ, ତାଙ୍କରି ଘରେ ଯାହା ଯାହା ଘଟୁଥିଲା ତାକୁ ପ୍ରତିରୋଧ କରିବାର ସାମର୍ଥ୍ୟ ତାଙ୍କର ନଥିଲା । ଲୋକମାନେ ତାଙ୍କୁ ଉପେକ୍ଷା କରି ଭିତରକୁ ଚାଲିଯାଇଥିଲେ । ବର୍ଷା ଆଉ ପବନ ଆସି ତାଙ୍କ ଦେହ ଓ ମିନୁ ଦେହରେ ବାଡେଇ ହେଉଥିଲା । ଚଢ଼େଇଟା ବଞ୍ଚିଛି ତ! ପଞ୍ଜୁରି ଦୁଆର ଖୋଲିଯାଇଥିଲେ ବି ମିନୁ ତା’ ଭିତରେ ନିସ୍ତେଜ ହେଇ ପଡ଼ିଥିଲା । ସେ ତା’ ଭିତରୁ ମିନୁକୁ ବାହାର କରି ତାକୁ କୋଳରେ ଧରିଲେ । ତା’ପରେ ଗୋଟେ ହାତରେ ଚଢ଼େଇକୁ ଧରି, ଆର ହାତରେ କାନ୍ଥକୁ ଆଶ୍ରା କରି ସେ ଧୀରେ ଧୀରେ ଉଠିଲେ । ଅବଶ ଦେହକୁ କୋଉଠି ଗୋଟେ ଥୋଇବେ । ତା’ପରେ ଦେଖିବେ ମିନୁକୁ ।
ଆଶୁତୋଷ ନିଜ ଘରେ ନିଜକୁ ଅଚିହ୍ନା କୁଣିଆଟିଏ ପରି ଅନୁଭବ କରୁଥିଲେ । ବଡ଼ କଷ୍ଟରେ କାନ୍ଥକୁ ଧରିଧରି ସେ ଘର ଭିତରକୁ ପଶିଲେ । ବଖରା ପରେ ବଖରା । ସବୁ କୋଠରି ଭିତରୁ ବନ୍ଦ, ଭିତରେ କୋଳାହଳ । ବଡ଼ ପାଟି କରିବା, ଧମକାଇବା ପରି ଶକ୍ତି କି ସାହସ ତାଙ୍କର ନଥିଲା । କୋଉ ଗୋଟେ ବଖରା ଖୋଲା ଥାଆନ୍ତା କି? ପଶିଯାଆନ୍ତେ ଭିତରେ । ବସିପଡ଼ନ୍ତେ ଟିକେ । ମିନୁକୁ ଦେଖନ୍ତେ । ଟିକେ ଆଉଁଶନ୍ତେ ତାକୁ ।
‘ଅଭିମାନ ଗୃହ’ରେ ବାହାରୁ ତାଲା । ସେ ନିଜେ ପକେଇଥିଲେ । ଚାବି ରଖିଛନ୍ତି କାର୍ପେଟ ତଳେ । କାର୍ପେଟ ତଳୁ ଦରାଣ୍ଡି ସେ ଚାବି ବାହାର କଲେ । ତାଲା ଖୋଲି କୋଠରିରେ ପଶିଲେ । ତା’ପରେ ଭିତରୁ କବାଟ ଦେଇଦେଇ ଆରାମଚୌକିରେ ଆଉଜିଗଲେ । କୋଳରେ ମିନୁ ।
ରାତିରେ କରାଳ ରୂପ ଧରି ମଣିଷକୁ ହୀନପ୍ରଭ କରି ଦେଇଥିବା ବାତ୍ୟା ସକାଳକୁ ଆଶ୍ଚର୍ଯ୍ୟଜନକ ଭାବେ ଶାନ୍ତ ପଡ଼ିଯାଇଥିଳା । ବାବୁ କ’ଣ କରୁଥିବେ?’ ଭାବି କୃପା ରାତିରେ ବିଚଳିତ ଅବସ୍ଥାରେ ଥିଲା । ସେ ବାହାରକୁ ଆସିଲା । ବଗିଚାର ଉଜୁଡ଼ା, ଛାରଖାର ଅବସ୍ଥା ପ୍ରତି ଧ୍ୟାନ ନଦେଇ ସେ ଆଶୁତୋଷଙ୍କୁ ଦେଖିବା ପାଇଁ ଘର ଭିତରକୁ ପଶିଲା ।
ସଦର ଦରଜା ମେଲା । କବାଟ ଭଙ୍ଗା । ଭିତରର ଦୃଶ୍ୟ ଦେଖି କୃପା ବୁଦ୍ଧିଶୂନ୍ୟ ହେଇଗଲା । ବସ୍ତିର ପିଲାମାନେ ଖଟ, ବିଛଣା, ଚୌକି, ଟେବୁଲ ଉପରେ କୁଦାକୁଦି କରି ମଉଜ କରୁଛନ୍ତି । ବଡ଼ମାନେ ଦଳ ଦଳ ହୋଇ ଆଲୋଚନାରେ ମାତିଛନ୍ତି । କାଲିର ରନ୍ଧା ଖାଦ୍ୟ ସହ ମୁଢ଼ି, ବିସ୍କୁଟ୍, ଚେନାଚୁର ଆଦି ଡବାର ଜିନିଷ ସରିଯାଇଥିଲା । ଡବାଗୁଡ଼ା ଓ ଅଇଁଠା ଏଣେତେଣେ ପଡ଼ିଥିଲା । କୃପା କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ସେ ଲୋକଙ୍କୁ ପଚାରିଲା, ‘ବାବୁ?’
‘ବାବୁ? ଥିଲେ ତ କାଲି । କୁଆଡ଼େ ଗଲେ?’ ସେମାନେ କହିଲେ ।
‘ସେଇ ଶେଷ ଘରଟା ଭିତରୁ ବନ୍ଦ । ସେଇଠି ଥିବେ ।’ କିଏ ଜଣେ କହିଲା ।
ସବୁ ବଖରାରେ ଖୋଜିଖୋଜି ଗଲା କୃପା । ବସ୍ତି ଲୋକଙ୍କ ଭିତରୁ କେଇଜଣ ତା’ ପଛେ ପଛେ ଗଲେ । ‘ଅଭିମାନ ଗୃହ’ ଭିତରୁ ବନ୍ଦ । ସେଇ କବାଟ ପାଖରେ ଛିଡ଼ା ହେଇ କୃପା ବଡ଼ ପାଟିରେ ଡାକ ଛାଡ଼ିଲା, ‘ବାବୁ! ବାବୁ!!’
ଅନ୍ୟମାନେ ବି ପାଳି ଧରିଲେ, ‘ବାବୁ! ବାବୁ!!’
‘ଶୁଣୁନାହାନ୍ତି କାହିଁକି?’ ବିକଳ ଆଖିରେ ଲୋକଙ୍କୁ ଚାହିଁ ଧୀର ସ୍ୱରରେ ପଚାରିଲା କୃପା ।
‘କବାଟ ଭାଙ୍ଗିଦବା?’ ଯୁବକଟି ପଚାରିଲା ।
ଆଉ ଜଣେ କହିଲା, ‘ମାର୍ ଧକ୍କା ।’
ଦି’ ତିନୋଟି ଧକ୍କାରେ କବାଟ ଖୋଲିଗଲା । କୃପା ଅଣନିଃଶ୍ୱାସୀ ହେଇ ପଶିଗଲା ଭିତରକୁ । ଆଶୁତୋଷ ବସିଥିବା ଚୌକି ପାଖରେ ତଳେ ବସିପଡ଼ି ତାଙ୍କ ଗୋଡ଼କୁ ସେ ହଲେଇ ଦେଲା, ‘ବାବୁ’ ।
ତା’ ହଲେଇବାରେ ଆଶୁତୋଷଙ୍କ ନିଶ୍ଚଳ ଦେହଟି ଗୋଟିଏ ପଟକୁ ଢଳି ପଡ଼ିଲା ।
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ