ଅଫିସ୍ରେ ପହଞ୍ଚୁ ପହଞ୍ଚୁ ସମସ୍ତେ କହିଲେ- ଚା’ ପିଆନ୍ତୁ! ସାର୍ଟଟା ଆପଣଙ୍କର ଝକାସ୍ ହୋଇଛି । ଏକଦମ୍ ୟଙ୍ଗ ଲାଗୁଛନ୍ତି । ଏମିତି ସାର୍ଟ ତ ଆପଣ ପିନ୍ଧନ୍ତିନି କେବେ? ଖୁବ୍ ବୁଢ଼ାଳିଆ ଚଏସ୍ ଆପଣଙ୍କର ।
ମୁଁ କହିଲି- ଏଇଟା କଲେଜ ବୟସର ସାର୍ଟ । ସେତେବେଳେ ଏମିତି ପ୍ରିଣ୍ଟ ଖୁବ୍ ଚାଲୁଥିଲା । ପୁରୁଣା ସାର୍ଟ-ପ୍ୟାଣ୍ଟ ମୁଁ ଛାଡ଼ି ପାରେନି । ଅନେକ ସ୍ମୃତି ଜଡ଼ିଥାଏ ସେଥିରେ । ପିନ୍ଧିଲେ ସେଇ ବୟସକୁ ଫେରିଯାଏ ମନ । ଅନେକ ନିଅଣ୍ଟ ଭରଣା ହୋଇଯାଏ । ଅନେକଥର ଭାବିଛି ପିନ୍ଧିବି, କିନ୍ତୁ ଛାତିର ଗୋଟେ ବୋତାମ ଛିଣ୍ଡିଯାଇଥିବାରୁ ପୁଣି ରଖି ଦେଇଛି । ଆଜି କାହିଁକି ଖୁବ୍ ଇଚ୍ଛା ହେଲା ପିନ୍ଧିବାକୁ । ଆଲ୍ପିନ୍ଟେ ଲଗେଇ ଦେଇଛି ସେଠି ।
ସିପ୍ରା ମ୍ୟାଡାମ୍ ମୋ’ ବୋତାମ୍ଛିଣ୍ଡା ସାର୍ଟ ବିଷୟରେ ଚାଲିଥିବା ଆଲୋଚନା ଶୁଣୁଥିଲେ, କହିଲେ- ମୀନାର ବାହାଘର ଠିକ୍ ହେଇଯାଇଛି ଜାଣିଛନ୍ତି? ଆପଣ ତ ରାଜି ହେଲେନି, ହେଇଥିଲେ କ’ଣ ଆପଣଙ୍କୁ ବୋତାମ ଛିଣ୍ଡା ସାର୍ଟ ପିନ୍ଧି ଅଫିସ୍ ଆସିବାକୁ ପଡ଼ୁଥାନ୍ତା? ମୀନା ସିଲେଇରେ ଏକ୍ସପର୍ଟ ଜାଣି ନାହାନ୍ତି ବୋଧେ?
ମୁଁ କହିଲି- ମୋ’ଠୁ ଯୋଗ୍ୟ ସାଥୀ ସିଏ ପାଇବ ବୋଲି ମୁଁ ଜାଣିଥିଲି । ତେଣୁ ମନା କରିଥିଲି । ମୋତେ ତ କିଛି ଆସେନି । ମୁଁ କାହିଁକି ତା’ ଉପରେ ବୋଝ ହୋଇଥା’ନ୍ତି କହିଲେ?
ଦେଖିଲି ମୀନା କେମିତି ଟିକେ ଅନ୍ୟମନସ୍କ ହୋଇଗଲା ।
ସିପ୍ରା ମ୍ୟାଡାମ୍ କହିଲେ ମୋ ସ୍ୱାମୀ ତ ପାଣି ଗ୍ଲାସ୍ଟେ ନେଇ ବି ପିଅନ୍ତିନି । ଅଫିସ୍ ଭଲ ତ ସିଏ ଭଲ । ସବୁ ପୁରୁଷ ସେମିତି । ଆପଣ କିନ୍ତୁ ଟିକେ ପଳାୟନପନ୍ଥୀ! ନିଜ ଢଙ୍ଗରେ ବଞ୍ଚିବାକୁ ଚାହାନ୍ତି ବୋଧେ? ଠିକ୍ ଅଛି, ଯଦି ବୋତାମ୍ଛିଣ୍ଡା ସାର୍ଟ ପିନ୍ଧିବାରେ ଆପଣଙ୍କର କିଛି ଆପତ୍ତି ନାହିଁ ଆମର ଆପତ୍ତି କରିବାର କ’ଣ ଅଛି?
ମୁଁ କହିଲି- ଖାଲି କ’ଣ ସ୍ତ୍ରୀ ବୋତାମ୍ ଲଗେଇଦେବ, ପ୍ରେମିକା ପାରିବନି?
ସିପ୍ରା ମ୍ୟାଡାମ୍ କହିଲେ- ପ୍ରେମିକା କେବେ ବୋତାମ୍ ଲଗେଇ ଦେବାର ଆପଣ ଦେଖିଛନ୍ତି? ସିଏ କହିବ- ନୂଆ ସାର୍ଟଟେ କିଣୁନ? ସେଇ ପୁରୁଣା ବୋତାମ୍ଛିଣ୍ଡା ସାର୍ଟଟାକୁ କେତେ ପିନ୍ଧୁ ଥିବ? ଭାରି କୃପଣ ତମେ!
ମୁଁ ଟିକେ ହସିଲି ।
ସିପ୍ରା ମ୍ୟାଡାମ୍ କହିଲେ- ଶ୍ରୀମତୀ ଥିଲେ କ’ଣ ଆପଣଙ୍କୁ ବୋତାମ୍ ଜାଗାରେ ଆଲ୍ପିନ୍ ମାରିବାକୁ ପଡୁଥାନ୍ତା? ଅଫିସ୍ ଆସିବା ବେଳେ ତାଙ୍କ ଆଖିରେ ନିଶ୍ଚେ ପଡ଼ିଥାନ୍ତା- ଗୋଟେ ବୋତାମ୍ କାହିଁକି ଲାଗିନି, ଆଉ ବୋତାମ୍ ଛିଣ୍ଡିଯାଇଛି ଜାଣିଥିଲେ ସିଏ ଠିଆରେ ଠିଆରେ ସାର୍ଟ ଆପଣଙ୍କ ଦେହରେ ଥାଇ ବି ଲଗେଇ ଦେଇଥାନ୍ତେ ସେ ବୋତାମ୍ଟିକୁ । ହଁ, ଲଗେଇସାରି ସୂତାକୁ କଇଁଚିରେ ନକାଟି ଦାନ୍ତରେ ହିଁ ଛିଣ୍ଡେଇଥାନ୍ତେ ଆଉ ଏତିକି ବେଳେ ଆପଣ ତାଙ୍କ ମୁଣ୍ଡକୁ ଛାତିରେ ଚାପି ଧରିଥାନ୍ତେ!
ମୁଁ କହିଲି- ଆପଣ ସିନେମାରୁ ଦେଖି କହୁଛନ୍ତି ନା ନିଜ ଅନୁଭବରୁ କହୁଛନ୍ତି?
ମୋ’ କଥାରେ ସେ ହସିଲେନି କି ଲାଜେଇ ଗଲେନି ମଧ୍ୟ ।
ଶୁଣିଥିଲି ତାଙ୍କ ଫ୍ୟାମିଲି ଲାଇଫ୍ ଡିସ୍ଟର୍ବଡ୍ କୁଆଡ଼େ!
ହଁ, କହିନି ବୋଧେ! ସିପ୍ରା ମ୍ୟାଡାମ୍ ଆମ ସେକ୍ସନ୍ ଅଫିସର୍ । ବୟସ୍କ ଭଦ୍ର ମହିଳା । ଖୁବ୍ ସ୍ନେହୀ । ସବୁବେଳେ ପାନ ଚୋବାଉଥାନ୍ତି । ଗୁଲିଖଟିରେ ଭାଗ ନିଅନ୍ତି । ସମସ୍ତଙ୍କ ଦୁଃଖ ସୁଖ ଶୁଣନ୍ତି । ଟଙ୍କା ଧାର ଦିଅନ୍ତି ।
ନିଜକୁ ସହଜ କରିନେଇ ସିପ୍ରା ମ୍ୟାଡାମ୍ କହିଲେ- ପ୍ରେମିକା ପାଖରେ ବିଭୋରପଣ ବେଶୀ ଥାଇପାରେ, କିନ୍ତୁ ସ୍ୱାମୀଙ୍କ ସାର୍ଟର ଗୋଟେ ବୋତାମ ଛିଣ୍ଡିଛି ଏ କଥା ଦେଖିବା ଭଳି ଆଖି ନଥାଏ । ମୀନା କିନ୍ତୁ ଆପଣଙ୍କୁ ଠିକ୍ ସମ୍ଭାଳି ନେଇଥାନ୍ତା । ମୁଁ ତାକୁ ଜାଣିଛି । ଛାଡ଼ନ୍ତୁ, ଆପଣଙ୍କୁ ବୁଝେଇ ଲାଭ ନାହିଁ । ଆପଣ ନିଜ ଧୁନ୍ରେ ବଞ୍ଚୁଥିବା ମଣିଷ । ଅନ୍ୟ କାହାକଥା ଚିନ୍ତା କରିପାରିବେନି ।
ଆମ ଅଫିସ୍ର ଅନେକଙ୍କ ଇଚ୍ଛା ଥିଲା, ମୁଁ ମୀନାକୁ ବାହାହୁଏ । ଆମରି ସେକ୍ସନ୍ରେ କାମ କରେ ଝିଅଟା । ବୟସ ଟିକେ ବଢ଼ିଯାଇଛି । ବାହା ହେବ ହେବ ହୋଇ ବାହା ହୋଇପାରିନି । ବାପା ମଲା ବେଳକୁ ଇଏ କଲେଜରେ ପଢ଼ୁଥିଲା । ସାନ ସାନ ଭାଇଭଉଣୀମାନଙ୍କୁ ମଣିଷ କରିବାର ଦାୟିତ୍ୱ ୟା କାନ୍ଧ ଉପରକୁ ଚାଲିଆସିଥିଲା । ଝିଅ ବଡ଼ ହେଲେ ଯାହା ହୁଏ । ବିଏ ପାସ୍ କରୁ କରୁ ଚାକିରିରେ ପଶିଯାଇଥିଲା । ଘର ଆଉ ଭାଇଭଉଣୀଙ୍କ କଥା ବୁଝୁବୁଝୁ ବୟସ ଗଡ଼ିଯାଇଥିଲା । ୟା’ ଭିତରେ ପ୍ରେମ କରିବାକୁ ସମୟ ପାଇନି ଝିଅଟା ।
ଦେଖିବାକୁ ମନ୍ଦ ନୁହେଁ । ବୟସ ବେଳେ ନିଶ୍ଚେ ଆଉଟିକେ ସୁନ୍ଦରୀ ଥିବ! ଆଉଟିକେ ଚମକ ଥିବ । ଏବେ କେମିତି ଗୋଟେ ଉଦାସ ଉଦାସ ଭାବ ସବୁବେଳେ । ଖୁବ୍ କ୍ୱଚିତ ହସେ । ହସିଲେ ବେଶ୍ ଭଲଲାଗେ ।
ଖୁବ୍ ମାର୍ଜିତ ଝିଅଟା । ଶାଢ଼ି ପିନ୍ଧେ, କିନ୍ତୁ ନାହି ଦିଶେନି । ଡିପ୍କଟ୍ ବେକବାଲା ବ୍ଲାଉଜ ପିନ୍ଧେନି ସେ । ବ୍ରାର ଷ୍ଟ୍ରାପ୍ ଦିଶେନି କାନ୍ଧ ପାଖରେ । ଖୁବ୍ ସଚେତନ ସିଏ ପୋଷାକ ପିନ୍ଧାରେ । ଆଜେବାଜେ କଥା ଗପେନି । କାମ ନଥିଲେ ବହି ପଢ଼ୁଥାଏ । ବେଶି ଫୋନ୍ କରେନି କି ଫୋନ୍ ଆସେନି ତା’ର ।
ସିଏ ଜାଣିଥାଏ ଆମ ଅଫିସ୍ର ଅନେକେ ମୋତେ କହନ୍ତି- “ତାଙ୍କ ଘରେ ବିବାହ ପ୍ରସ୍ତାବ ପକାଇବା କି?”
ମୁଁ ମନା କରିଥିବା କଥା ବି ସିଏ ଜାଣିଥାଏ ବୋଧେ!
କାହିଁକି ମନା କରୁଛି ସେ କଥା ମଧ୍ୟ ଜଣାଥାଏ ତାକୁ ।
ମୁଁ କହିଥିଲି- ଆଉ କ’ଣ ବୟସ ଅଛି? ସେ ଚାପ୍ଟର ଓଭର ହୋଇଯାଇଛି । ଅନେକଥର କିନ୍ତୁ ଭାବିଛି- ମୁଁ ରାଜି ହୋଇଥିଲେ ସିଏ ଯେ ଏ ପ୍ରସ୍ତାବରେ ରାଜି ହୋଇଥାନ୍ତା ୟା’ର କ’ଣ କିଛି ମାନେ ଅଛି? ସିଏ ଝିଅ ବୋଲି କ’ଣ ତା’ର ଇଚ୍ଛା ଅନିଚ୍ଛା କିଛି ନାହିଁ? ସିଏ ବି ହୁଏ ତ ତା’ ମନଲାଖି ମଣିଷର ଖୋଜ୍ରେ ଥିବ!
ହଁ, କେବେ କିନ୍ତୁ ଲାଗିନି- ମୁଁ ରାଜି ହୋଇଥିଲେ ସିଏ ଅରାଜି ହୋଇଥା’ନ୍ତା । ବରଂ ଲାଗିଛି ଟିକେ ଲାଜେଇଯାଇ ସିଏ ତା’ ସମର୍ଥନ ଜଣାଇଥା’ନ୍ତା!
ଦିନେ ଶୁଣିଲି ମୀନାର ବାହାଘର ଭାଙ୍ଗିଗଲା । ବରଘର ଲୋକେ କହିଲେ- ଝିଅର ବୟସ ବେଶୀ । ପୁଅକୁ ମାନିବନି ।
ମୀନା ଛୁଟି ଦରଖାସ୍ତ ଦେଇଥିଲା ବାହାଘର ପାଇଁ । ଫେରେଇ ନେଇଛି । ପୁଣି ନିୟମିତ ଅଫିସ ଆସୁଛି । ମନଟା କିନ୍ତୁ ପୂରା ମରିଯାଇଛି ତା’ର ।
ସେଦିନ ବସ୍ଷ୍ଟପ୍ରେ ଦେଖାହେଲା ମୀନା ସହ । ଟାଉନ୍ ବସ୍କୁ ଅପେକ୍ଷା କରିଥିଲା । ମୋତେ ଦେଖି କ’ଣ କହିବ କହିବ ଭାବି ପଚାରିଲା- ବୋତାମ୍ ଲଗେଇଲେଣି ସେ ସାର୍ଟରେ?
ମୁଁ କହିଲି- ନା, ଲଗେଇନି । କେବେ ଚାହିଁନି ସେ ବୋତାମ୍ଟା କିଏ ଜଣେ ଲଗେଇ ଦେଉ ବୋଲି । ବରଂ ଚାହିଁଛି ଗୋଟେ ବୋତାମ୍ର ଅଭାବ ଥାଉ ସେ ସାର୍ଟରେ ।
ସିଏ କହିଲା- ମୋତେ ସାର୍ଟଟା ଦେଲେ ମୁଁ ଲଗେଇ ଦିଅନ୍ତି । ବୋତାମ୍ଟା ଅଛି ତ?
ମୁଁ କହିଲି- ସେଇଥି ପାଇଁ ତ ଲଗେଇନି ।
ସିଏ ପଚାରିଲା- ହଜିଯାଇଛି ବୋଧେ?
ମୁଁ କହିଲି- ନା, ହଜିନି । ଯିଏ ଲଗେଇଦେବ ବୋଲି କହିଥିଲା ତା’ରି ପାଖରେ ରହିଯାଇଛି । ସେଇଥିପାଇଁ ତ ବେଶି ଭଲଲାଗେ ଗୋଟେ ବୋତାମ୍ର ନିଅଣ୍ଟ ସହ ସେ ସାର୍ଟଟାକୁ ପିନ୍ଧିବାକୁ ।
ଏମିତି ଗପିବା ଭିତରେ ମୀନାର ଟାଉନ୍ ବସ୍ ଆସିଯାଇଥିଲା । ସିଏ ତରତରରେ ଉଠିଯାଇଥିଲା ବସ୍ ଉପରକୁ । ମୁଁ ଅପେକ୍ଷା କରୁଥିଲି ମୋ’ ରୁଟ୍ର ବସ୍କୁ ।
ଆପଣ ନିଶ୍ଚେ ଜାଣିବାକୁ ଚାହୁଁଥିବେ ବୋତାମ୍ଟା କାହା ପାଖରେ ରହିଲା ତା’ହେଲେ?
ବୋତାମ୍ ତା’ରି ପାଖରେ ଅଛି ଯିଏ ଏ ସାର୍ଟଟା ମୋତେ ପ୍ରେଜେଣ୍ଟ କରିଥିଲା ମୋ’ ଜନ୍ମ ଦିନରେ । ଅଧାବାଟ ଚାଲି ଚାଲି ଆସି ରିକ୍ସା ଭଡ଼ା ପଇସା ସଞ୍ଚି ସଞ୍ଚି ମୋ’ ପାଇଁ ସେ ସାର୍ଟଟା କିଣିଥିଲା । ପ୍ରତିଦିନ ରିକ୍ସାରେ କଲେଜ ଆସିବାକୁ ତାଙ୍କ ଘରେ ତାକୁ ପଇସା ଦେଉଥିଲେ । ସିଏ ଘରଠୁ କିଛିବାଟ ରିକ୍ସାରେ ଆସିବା ପରେ ରିକ୍ସାରୁ ଓହ୍ଲେଇ ଚାଲି ଚାଲି ଆସୁଥିଲା କଲେଜ ।
ଜାଣିବାକୁ ଚାହିଁବେନି ସେ ବୋତାମ୍ କେମିତି ଛିଣ୍ଡିଲା ବୋଲି?
ପ୍ରେମର ପରିପ୍ରକାଶ କଥାରେ ଯେତେବେଳେ ଯଥେଷ୍ଟ ହୁଏନି ସେତେବେଳେ ଦେହ ଲୋଡ଼ା ହୁଏ । ସେତେବେଳେ କିଛି ନ କହି ବି ଅନେକ କଥା କହିଦେଇ ହୁଏ ।
ଏମିତି ଏକ ଏକାନ୍ତ ମୁହୂର୍ତ୍ତରେ ମୋ’ ସାର୍ଟର ବୋତାମ୍ଟିକୁ ସେ ହିଁ ଛିଣ୍ଡେଇ ଦେଇଥିଲା ଅଜାଣତରେ । ସିଏ ଚାହୁଁଥିଲା ମୋ’ ଖୋଲାଛାତି । ମୋତେ ଗୋଟାପଣେ ଲୁଟିନେବାର ପ୍ରଚଣ୍ଡ ଆକାଂକ୍ଷା ତାକୁ ହିଂସ୍ର କରେଇ ଦେଇଥିଲା ସେଦିନ ।
ଆମ କଲେଜ ପାଠପଢ଼ା ଶେଷ ହେବାର ବର୍ଷେ ପରେ ପରେ ତା’ ବାହାଘର ପାଇଁ ବ୍ୟସ୍ତ ହୋଇପଡ଼ିଲେ ତାଙ୍କ ଘରଲୋକ । ଅନେକ ଭଲ ଭଲ ପ୍ରସ୍ତାବ ବି ଆସୁଥିଲା । ଖୁବ୍ ସୁନ୍ଦରୀ ଥିଲା ସିଏ ।
ମୋତେ ଦିନେ କହିଲା- କେବେ ଆଉ ବାହା ହେବ ମୋତେ?
ମୁଁ କହିଲି- ଚାକିରିଟେ ମିଳିଗଲେ ବାହା ହୋଇଯିବା ।
ସିଏ କହିଲା-ଯେଉଁ ଚାକିରି ପାଉଛ ପଶିଯାଅ !
ମୁଁ କହିଲି- ଥରେ ପଶିଗଲେ ଆଉ କ’ଣ ଭଲ ଚାକିରି ପାଇଁ ଜିଦ୍ ରହିବ?
ସିଏ କହିଲା- ଚାକିରି ଖୋଜୁଥିବା ବେକାର ସହ କ’ଣ ଆମ ଘରେ ବାହା ଦେବାକୁ ରାଜି ହେବେ? ବରଂ ଚାଲ ଘରଛାଡ଼ି ପଳେଇବା! ରେଜିଷ୍ଟ୍ରୀ ମ୍ୟାରେଜ୍ କରିନେବା ।
ମୁଁ ରାଜି ହେଲିନି । କହିଲି- ତମେ ବାହାହେଇ ଯାଅ! ଯେତିକି ଭଲ ପାଇବା ଦେଇଛ ସେତିକି କ’ଣ କମ୍? ସେଇ ସ୍ମୃତିରେ ବେଶ୍ ବଞ୍ଚି ହେବ । ମୁଁ ତ ଥିବି ସବୁବେଳେ ତମ ହୃଦୟରେ । ତମେ କ’ଣ ଚାହଁନି, ମୁଁ ମୋ’ ମନଲାଖି ଚାକିରିଟିଏ ପାଏ ବୋଲି? ଜାଣିଛି ତମେ ବେଶି ଖୁସି ହେବ ସେଥିରେ ।
ମୁଁ ଚାହୁଁନଥିଲି ମୋ’ ପାଇଁ ସିଏ ତା’ ହାତପାଆନ୍ତାକୁ ଆସୁଥିବା ଏକ ସଜଡ଼ା ଭବିଷ୍ୟତକୁ ହାତଛଡ଼ା କରୁ ବୋଲି ।
ମୁଁ ଯେ ଭଲ ଚାକିରିଟିଏ ପାଇବି ୟା’ର କ’ଣ କିଛି ଗ୍ୟାରେଣ୍ଟି ଥିଲା? ପାଇଲିବି କୁଆଡେ, ସେଇ କିରାଣି ତ ହେଲି ଶେଷକୁ ।
ଯେଉଁଦିନ ବୋତାମ୍ଟା ଛିଣ୍ଡିଥିଲା ସିଏ ସେଇଟିକୁ ରଖିନେଇଥିଲା ତା’ ଭ୍ୟାନିଟି ବ୍ୟାଗ୍ରେ । ଜାଣିଥିଲା ମୋ’ ପାଖରେ ରହିଲେ ହଜିଯିବ । କହିଥିଲା- କାହାକୁ କହିବନି ମୁଁ ଛିଣ୍ଡେଇଛି ବୋଲି ପ୍ଲିଜ୍! ହଁ, ଏ କଥା ବି କହିଥିଲା- ଦିନେ ଛୁଞ୍ଚିସୂତା ଆଣି ଲଗେଇଦେଇ ଯିବି । ସେଦିନ ଆଉ ଛିଣ୍ଡେଇବିନି ବୋତାମ୍ ।
ଆଉଥରେ ଆସିବାର ସୁଯୋଗ ପାଇନଥିଲା ସିଏ । କିନ୍ତୁ ଯେତେବେଳେ ବି ଫୋନ୍ କରିଛି କହିଛି- ତମ ବୋତାମ୍ଟା ଅଛି ମୋ’ ପାଖରେ । ଖୁବ୍ ଯତ୍ନରେ ସାଇତି ରଖିଛି ।
ମୁଁ କହିଛି- ସେଇ ବୋତାମ୍ଟି ନାହିଁ ବୋଲି ତ ସବୁବେଳେ ମନେପଡ଼ ତମେ । ସେଇ ଗୋଟେ ବୋତାମର ନିଅଣ୍ଟରେ ସେ ସାର୍ଟଟା ପିନ୍ଧିବାକୁ ବେଶି ଭଲଲାଗେ ।