“ଭୀରୁମାନେ ଅନ୍ୟମାନଙ୍କୁ ଭୀରୁ ହେବାକୁ ବାଧ୍ୟ କରିଥାନ୍ତି । ନଚେତ୍ ସେମାନଙ୍କ ଦୁର୍ବଳତା ଧରାପଡ଼ିଯିବ । ଆପଣମାନେ ତାହାହିଁ କରୁଛନ୍ତି । ନଚେତ୍ ରାଜ୍ୟର ଏ ଦୁର୍ଦ୍ଦିନରେ ମହାରାଜାଙ୍କର ଖାଲି ଗାରଗୁଡାଙ୍କର ପଦର୍ଶନୀ ଆପଣ କରାଇନଥାନ୍ତେ । ମୁଁ ଜାଣେ ଆପଣ ମତେ ବନ୍ଦୀ କରିବେ । କାରଣ ଆପଣମାନଙ୍କ ରକ୍ତରେ ବି ଭୟର କୀଟ ଚରିଯାଇଛନ୍ତି । ତେଣୁ, ସତ୍ୟକୁ ଆପଣ ଉପଲବ୍ଧ କରିପାରୁନାହାନ୍ତି ବା କରିବାକୁ ଚାହୁଁନାହାନ୍ତି । କିନ୍ତୁ, ସତ୍ୟ ସବୁବେଳେ ସତ୍ୟ ମହାମନ୍ତ୍ରୀ । ଆପଣ ତାକୁ ଦେଖିବାକୁ ନଚାହିଲେ ତା’ ବଦଳି ଯିବନି । ମୁଁ ଜଣେ କଳାକାର । ସତ୍ୟଦର୍ଶନ ମୋର ଧର୍ମ ।’
ସୁନିଦ୍ରା ପାଇଁ ସକଳ ବ୍ୟବସ୍ଥା ସତ୍ତ୍ୱେ ମହାରାଜା ବିନିଦ୍ର ଥିଲେ । ବରଂ ଏମିତି କହିଲେ ଠିକ୍ ହେବ ଯେ ସେ ନିଦ୍ରା ଯିବାକୁ ଚାହୁୃଁ ନଥିଲେ । ତାଙ୍କ ସ୍ୱପ୍ନ ଓ ତା’ର ରୂପାୟଣକୁ ନେଇ ସେ ନିଦ ସହ ଲୁଚକାଳି ଖେଳ ଖେଳୁଥିଲେ । ସେ ଚିତ୍ର ଆଙ୍କିବେ । ଚିତ୍ର କରି ସେ ସମସ୍ତଙ୍କୁ ବୁଝାଇ ଦେବେ ଯେ ଏ ପୃଥିବୀଟା ଆଉ କିଛି ନୁହେଁ- କେବଳ ଗୋଟାଏ ଚିତ୍ର । ସେ ତାଙ୍କ ରାଜ୍ୟରେ ଗୋଟେ ଚିତ୍ର ବିପ୍ଳବ ସୃଷ୍ଟି କରିବେ । ଏଥିରେ ବିଳମ୍ବ ପାଇଁ ତାଙ୍କର ଆଉ ଧୈର୍ଯ୍ୟ ନଥିଲା । ସେହି ସଙ୍ଗେ ସଙ୍ଗେ ସେ ମହାମନ୍ତ୍ରୀଙ୍କୁ ଡକରା ପଠାଇଲେ ।
ରାତ୍ରିର ବିଳମ୍ବିତ ପ୍ରହରରେ ମହାରାଜାଙ୍କ ବିଶେଷ ଦୂତକୁ ଦେଖି ମହାମନ୍ତ୍ରୀ ଭୟଭୀତ ହେବା କଥା । ହେଲେ । କି ସମ୍ବାଦ ଆଣିଛି ଦୂତ? ଦୁଃସମ୍ବାଦ ନୁହେଁ ତ ! ହୋଇଥାଇ ପାରେ । ନହେଲେ ଏ ଅସମୟରେ କାହିଁକି? ସୁସମ୍ବାଦକୁ ବିଳମ୍ବିତ କରାଯାଇପାରେ । ମାତ୍ର, ଦୁର୍ଯୋଗ ଓ ଦୁଃସମ୍ବାଦ ସ୍ଥାନ, କାଳ, ପାତ୍ରର ବିଚାର କରନ୍ତି ନାହିଁ ।
ଅପ୍ରସ୍ତୁତ ଅବସ୍ଥାରେ ସେ ମହାରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ରାଜା ହସିଲେ । ସେ ହସ ଭିତରେ ବିଚଳତ ନଥିଲା, ଥିଲା ପ୍ରସନ୍ନତା । ରାଜାଙ୍କ ଅବିଚଳ ହସ ମନ୍ତ୍ରୀଙ୍କୁ ଏତେ ବିଳଚିତ କରି କରି ପକାଇଲା ଯେ ସେ ରାଜାଙ୍କ ହସର ଉତ୍ତର ଫେରେଇବା କଥା ଭୁଲିଗଲେ ।
ରାଜା ଆଶ୍ୱାସନା ଦେଲେ, “ଶଙ୍କାର କୌଣସି କାରଣ ନାହିଁ?’ ମନ୍ତ୍ରୀ ପ୍ରକୃତିସ୍ଥ ହେଲେ ଓ ଫେରସ୍ତ କରିବାକୁ ପାସୋରି ଦେଇଥିବା ହସଟିକୁ ଓଠରେ ଫୁଟେଇଲେ । ଉତ୍ସାହର ଜୁଆରରେ ଭାସୁ ଭାସୁ ମହାରାଜା କହିଲେ, “ମହାମନ୍ତ୍ରୀ ! ମୁଁ ଛବି ଆଙ୍କିବି । କିଛିଦିନ ପାଇଁ ରାଜକାର୍ଯ୍ୟରୁ ଅବ୍ୟାହତି ନେଇ ମୁଁ ଚିତ୍ର ଆଙ୍କିବାର ମନସ୍ଥ କରିଛି । ଆପଣ ଏହାର ବ୍ୟବସ୍ଥା କରନ୍ତୁ ।’
ଶଙ୍କା ତାଙ୍କର ଅମୂଳକ ନୁହେଁ ତା’ହେଲେ? ତଥାପି ମହାମନ୍ତ୍ରୀ ତାଙ୍କ ବିବ୍ରତ ଭାବକୁ ଲୁଚାଇ ରଖିଲେ । ଏମିତି ହୁଏ । ପାତ୍ର ଓ ସ୍ଥାନ ବିଶେଷରେ ଭାବନାମାନଙ୍କର ତଣ୍ଟି ଚିପି ଦେବାକୁ ପଡେ । ପିଲାଟି ଦିନରୁ ସେ ମହାରାଜାଙ୍କୁ ଜାଣିଛନ୍ତି । ଚିତ୍ର ପ୍ରତିଭା ତାଙ୍କଠାରେ କେବେ ବିକଶିଥିବା କଥା ସେ ଜାଣିନାହାନ୍ତି । ତା’ଛଡ଼ା ରାଜ୍ୟର ଏବେ ସଂକଟଜନକ ଅବସ୍ଥା । ଏ କାଳରେ ରାଜକାର୍ଯ୍ୟରୁ ଅବ୍ୟାହତି !
ତେବେ, ସୁପରାମର୍ଶ ଦେବା ତାଙ୍କ ଅଧିକାର । ସେଇ ଅଧିକାରରେ ମହାମନ୍ତ୍ରୀ କହିଲେ, “ମହାରାଜ ! ରାଜ୍ୟରେ ଏବେ ପ୍ରତିକୂଳ ଅବସ୍ଥା । ପଶ୍ଚିମାଞ୍ଚଳର ଅନୁନ୍ନତ ଆଦିବାସୀମାନେ ସ୍ୱତନ୍ତ୍ର ରାଜ୍ୟ ଦାବି କରି ନରସଂହାର ଓ ଲୁଣ୍ଠନ କରି ଚାଲିଛନ୍ତି । ପୂର୍ବାଞ୍ଚଳର ମରୁଡ଼ି ଅଭୂତପୂର୍ବ । ଅନାହାର ମୃତୁ୍ୟ ବଢ଼ି ଚାଲିଛି । ରାଜ୍ୟର କଳ କାରଖାନାର ଶ୍ରମିକମାନେ ଏକଜୁଟ ହୋଇ ଦରମା ଓ ଅନ୍ୟ ସୁବିଧା ଦାବିରେ ଆନେ୍ଦାଳନ ଡାକରା ଦେଲେଣି । ଆମ ଆଭ୍ୟନ୍ତରୀଣ ଅଶାନ୍ତିର ସୁଯୋଗ ନେଇ ପଡୋଶୀ ରାଜା ଆମ ଉପରେ ଆକ୍ରମଣର ଯୋଜନା କରୁଛନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆପଣ ସାତଦିନ ରାଜକାର୍ଯ୍ୟରୁ ଅନ୍ତର ହୋଇ ଚିତ୍ର ଆଙ୍କିବା ସମୀଚୀନ ହେବ ନାହିଁ ମହାରାଜ ।’
ମହାରାଜା ହସିଲେ ଏକ ଦିବ୍ୟ ହସ, ଜାଣେ, ସବୁ ଜାଣେ । ଶକ୍ତି ପ୍ରୟୋଗ କରି ଏ ବିଶୃଙ୍ଖଳାକୁ ଦମନ କରିଦେବା ଆମ ପାଇଁ ସେତେ ବଡ଼ କଥା ନୁହେଁ । କିନ୍ତୁ ନା, ଆମେ ଗୋଟେ ନୂଆ ଉପାୟ କରିବା । ମୁଁ ଏ ବିଷୟରେ ଚିନ୍ତା କରିଛି । ସେଥିରୁ ଜାଣିଲି ଯେ ଏ ପୃଥିବୀଟା ଆଉ କିଛି ନୁହେଁ- କେବଳ ଗୋଟାଏ ଚିତ୍ର । ଆମେ ସବୁ ବି କ’ଣ? ଗୋଟେ ଗୋଟେ ଚଳନ୍ତି ଚିତ୍ର ତ! ନା, ଆଉ କ’ଣ? ଏ ବିଦ୍ରୋହ, ରାଜ୍ୟ ଆକ୍ରମଣର ଯୋଜନା- ଏସବୁ ମଣିଷର ଭାବନାରୁ ସୃଷ୍ଟି । ସେ ଭାବନା ଆଉ କ’ଣ କି? କେବଳ ଗୋଟେ ଗୋଟେ ଚିତ୍ର । ସେଥିପାଇଁ ମୁଁ ଚିତ୍ର ଆଙ୍କିବାକୁ ମନସ୍ଥ କରିଛି । ଭାବନାରେ ଚିତ୍ର ଆସେ- ଆଉ ସେଇ ଭାବନାକୁ ଚିତ୍ର ହିଁ ବଦଳେଇ ପାରିବ । ତେଣୁ, ଆମେ ଏହି ନୂଆ ଉପାୟ ଅବଲମ୍ବନ କରିବା- ଚିତ୍ର ଦ୍ୱାରା ଶାନ୍ତି ପ୍ରତିଷ୍ଠା ! ପଡୋଶୀ ରାଜ୍ୟକୁ ମୋ ଅଙ୍କିତ ଏକ ବିଶେଷ ଚିତ୍ର ମୁଁ ପ୍ରେରଣ କରିବି । ଆପଣ ଦେଖିବେ ମହାମନ୍ତ୍ରୀ, ତା’ର ପ୍ରଭାବରେ ସେ କେମିତି ଯୁଦ୍ଧ ଯୋଜନା ଛାଡ଼ି ମୋ ସହ ମିତ୍ରତା ପାଇଁ ଆଗେଇ ଆସିବେ ।’
କଣ୍ଟାବଣ ଭିତରେ ମହାମନ୍ତ୍ରୀ । କ୍ଷତବିକ୍ଷତ । ଛଟପଟ । ମହାରାଜାଙ୍କର କି ପ୍ରଳାପ ଇଏ ! ରାଜ୍ୟ କୁଆଡେ ଯିବ ଏଥିରେ? ନା, ମହାରାଜାଙ୍କୁ ଏ ଉଦ୍ଭଟ ପରିକଳ୍ପନାରୁ ନିବୃତ୍ତ କରିବାକୁ ପଡ଼ିବ । ମନ୍ତ୍ରୀ ନିଜକୁ ପ୍ରସ୍ତୁତ କଲେ । କହିଲେ, “ନା, ମହାରାଜ ! ଇଏ ଚିତ୍ର କରିବାର ସମୟ ନୁହେଁ । ଆମକୁ ଆଗେ ରାଜ୍ୟର ବହୁବିଧ ସମସ୍ୟାର ମୁକାବିଲା କରିବାକୁ ପଡ଼ିବ ।’
“ସେଇ ଯୋଜନା ମୁଁ କରୁଛି ମହାମନ୍ତ୍ରୀ । କିନ୍ତୁ, ଆପଣ ତା’ ବୁଝିପାରୁ ନାହାନ୍ତି । ବୟସାଧିକ୍ୟ ହେତୁ ଆପଣ ଆଉ ସୂକ୍ଷ୍ମ କଥାକୁ ଧରିପାରୁ ନାହାନ୍ତି । ଆପଣଙ୍କ ବୁଦ୍ଧି ସ୍ଥୂଳ ହୋଇଗଲାଣି । ଚିତ୍ରର ଶକ୍ତିକୁ କଳି ପାରୁନଥିବା ବ୍ୟକ୍ତି କ’ଣ ମନ୍ତ୍ରୀ ପଦରେ ରହିବା ଉଚିତ୍ ହେବ? ଆପଣ ବରଂ ଅବ୍ୟାହତି ନେଇଯାନ୍ତୁ ।’
ଚଡ଼କ ପଡ଼ିଲା ମନ୍ତ୍ରୀଙ୍କ ମୁଣ୍ଡରେ । ଦୁଷ୍ଟ ରାଜାଟାର ମତି ଭ୍ରମ ହେଲାଣି । ଏପରିସ୍ଥଳେ ତାଙ୍କୁ ସେ ପଦରୁ ବିତାଡିତ କରିଦେବାଟା ବିଚିତ୍ର ନୁହେଁ । ନଚେତ୍ ତାକୁ ସେ ଶୁଣେଇ ଦେଇଥାନ୍ତେ, “ସବୁ ଜାଣେରେ ମୂର୍ଖ ! ତେବେ ସବୁ କଥା ପାଇଁ ସ୍ଥାନ, କାଳ ଓ ପାତ୍ରର ବିଚାର କରାଯାଏ ।’ ଅବଶ୍ୟ “ମୂର୍ଖ’ ଶବ୍ଦଟି ସେ ଉଚ୍ଚାରଣ କରି ନଥାନ୍ତେ । କିନ୍ତୁ ମନେ ମନେ କହିଥାନ୍ତେ, “ମୂର୍ଖ, ମୂର୍ଖ, ମୂର୍ଖ- ତୁ’ଟା ମହାମୂର୍ଖ ।’
ମହାମନ୍ତ୍ରୀ ଆର ସମ୍ଭାବନାଟିକୁ ବି ତଉଲିଲେ । ମନ୍ତ୍ରୀପଦର ଅପସାରଣ ହେଲେ ସେ ଯେଉଁ ପାଣିଚିଆ ଜୀବନ- ତାକୁ ବଞ୍ଚି ପାରିବେ ତ ସେ? ଗୌରବ, ପ୍ରତିଷ୍ଠା ଓ ଅର୍ଥ ଅଭାବରେ ଦୁର୍ବିସହ ହୋଇଯିବ ଜୀବନ । ସେ କହିଲେ, “”ମୁଁ କ’ଣ ଆପଣଙ୍କ ସାମର୍ଥ୍ୟ ଜାଣେ ନାହିଁ ମହାରାଜ? ମୁଁ କେବଳ ପରିସ୍ଥିତି ବିଷୟରେ ଆପଣଙ୍କୁ ସୂଚନା ଦେଉଥିଲି । ଯେମିତି ଆପଣଙ୍କ ଚିତ୍ରରେ ତା’ର ସମାଧାନର ସୂତ୍ର ରହିବ ।”
“ଅବଶ୍ୟ, ଅବଶ୍ୟ !’ ରାଜା ହସିଲେ, ଜଣେ ବିଚାରବନ୍ତର ହସ ।
ସେତିକି ଯଥେଷ୍ଟ ଥିଲା ମନ୍ତ୍ରୀଙ୍କ ପାଇଁ । ସେ ବିଦାୟ ନେଲେ । ତାଙ୍କ ଆଦେଶକ୍ରମେ ସେନାପତି ଚିତ୍ରାଙ୍କନ ପାଇଁ ସମସ୍ତ ସାମଗ୍ରୀ ସଂଗ୍ରହ କରାଇଲେ । ରାଜ୍ୟର ସୁନାକ୍ଷେତ ବୋଲାଉଥିବା ଉତ୍ତରାଞ୍ଚଳର ଅଧିବାସୀଙ୍କୁ ସେଠାରୁ ଉଚ୍ଛେଦ କରାଗଲା । ମହାରାଜାଙ୍କ ଚିତ୍ରାଙ୍କନ ଓ ରହଣି ଉପଯୋଗୀ ଗୃହ ଆଦି ନିର୍ମାଣ କରାଯାଇ ମହାରାଜା ଓ ସେ ଅଞ୍ଚଳର ବିଶେଷ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୈନ୍ୟ ବଳ ପ୍ରୟୋଗ କରାଗଲା । ଅଞ୍ଚଳଟିକୁ ଦର୍ଶନୀୟ ଓ କଳାକ୍ଷେତ୍ର ଭାବେ ଗଢ଼ିବା ପାଇଁ ସେଠାରେ ଉପସ୍ଥିତ ଥିବା ଫସଲ, ଭୂମି ଓ ଅନ୍ୟ ସ୍ଥାବର ସାମଗ୍ରୀ ଗୁଡିକୁ ଓପଡ଼ା, ଖୋଳା ଓ ଭଙ୍ଗା ଗଢ଼ା କରି ସେଥିରେ ରାଜକୀୟ ରଙ୍ଗ ବୋଳାଗଲା । ତା’ପରେ ରାଜା ପ୍ରବେଶ କଲେ ସେହି ରଙ୍ଗମୟ କ୍ଷେତ୍ରକୁ ।
ଚିତ୍ରାଙ୍କନରେ ମଜ୍ଜିଗଲେ ମହାରାଜା । ସହଯୋଗରେ ରହିଲେ ଦରବାରୀ । ରାଜା ଆଙ୍କିଲେ ଅନେକ ଚିତ୍ର; ଭିନ୍ନ ଭିନ୍ନ କିସମର । ଭବନଟି ଯେତେବେଳେ ଚିତ୍ରମୟ ହୋଇଗଲା ସେତେବେଳେ ମହାରାଜାଙ୍କ ଆଗ୍ରହ ବି କମି ଆସିଲା । ତେଣୁ ସେ ଅଙ୍କନ ଛାଡ଼ି ସ୍ୱଅଙ୍କିତ ଚିତ୍ରଗୁଡ଼ିକୁ ନିରୀକ୍ଷଣ କରିବାକୁ ଲାଗିଲେ । ନିଜ ସୃଷ୍ଟିରେ ନିଜେ ବିଭୋର ହେଲେ ସେ । ତାଙ୍କ ଚିତ୍ର ଯେ ପୃଥିବୀର ଶ୍ରେଷ୍ଠ ଚିତ୍ରକରକୁ ପରିହାସ କରି ତାଙ୍କ ସମ୍ମୁଖରେ ଗୌଣ କରିଦେବ ଏଥିରେ ତାଙ୍କର ସନ୍ଦେହ ରହିଲା ନାହିଁ । ରାଜା ଏକ ଉତ୍ସବର ଘୋଷଣା କଲେ । ଚିତ୍ରୋତ୍ସବ । ପ୍ରଥମେ କେବଳ ମନ୍ତ୍ରୀ, ସେନାପତି ଓ ପାରିଷଦଗଣଙ୍କୁ ଏହି ଚିତ୍ରସମୂହର ଦର୍ଶନ ଅନୁମତି ମିଳିଲା । ପାରିଷଦ ପରିଷଦର ସବା ଆଗରେ ମନ୍ତ୍ରୀ । ଅନ୍ୟମାନେ ପଦବୀ ଅନୁସାରେ ଯେ ଯାହା ପଛକୁ । ସମସ୍ତେ ଅବାକ୍ । ସେ ପଟରେ ମୃଦୁ ମୃଦୁ ହସୁଥିବା ରାଜା ।
ରାଜାଙ୍କର ମନ୍ଦହାସ୍ୟ ମନ୍ତ୍ରୀଙ୍କ ହୃଦୟରେ ଯେଉଁ କମ୍ପନ ସୃଷ୍ଟି କଲା ତାକୁ ଗୁପ୍ତ ରଖିବାକୁ ଚେଷ୍ଟା କରୁଥିଲେ ସେ । କି ଚିତ୍ର ଇଏ ! ଗୁଡାଏ ସ୍ଥୂଳ, ଅବାନ୍ତର ରେଖାର ସମାହାର କେବଳ । ତଥାପି ଖୋଜୁଥିଲେ ସେ- କାଳେ କିଛି ବୌଦ୍ଧିକ ରହସ୍ୟ କେଉଁଠି ଛପି ରହିଥିବ!
ସମ୍ମୁଖରେ ମହାରାଜା । ତାଙ୍କ ହସ ଭିତରେ ଉକ୍ରଣ୍ଠା, ପ୍ରଶ୍ନ । ବିଚକ୍ଷଣ ମନ୍ତ୍ରୀଙ୍କ ପାଇଁ ସେ ପ୍ରଶ୍ନ କଷ୍ଟ ନଥିଲା । ସେ ମହାରାଜାଙ୍କୁ ଅଭିନବ ମୁଦ୍ରାରେ ଅଭିବାଦନ ଜଣାଇଲେ । କହିଲେ, “ମୁଁ ଆଜି ଧନ୍ୟ ହେଲି ମହାରାଜ ! ଆପଣଙ୍କ ଅପୂର୍ବ କଳାକୃତିର ଦର୍ଶନ କରି ମୁଁ ସତରେ କୃତାର୍ଥ ହେଲି । ଏବେ, ମୁଁ ସର୍ବୋଚ୍ଚ ସ୍ୱରରେ ଚିକ୍ରାର କରି କହିପାରିବି ଯେ- ଆମ ମହାରାଜା ହେଉଛନ୍ତି ଏ ପୃଥିବୀର ସର୍ବଶ୍ରେଷ୍ଠ ଚିତ୍ରକର । ବର୍ତ୍ତମାନ ତାଙ୍କ ସମକକ୍ଷ କେହି ନାହାନ୍ତି, ଆଗରୁ କେହି ନଥିଲେ କି ପରେ ଆଉ କେହି ଏପରି ବାହାରିବେ ନାହିଁ ।’
ମନ୍ତ୍ରୀଙ୍କ ପରେ ସେନାପତିଙ୍କ ପାଳି । ସେ ଜାଣିଲେ ଯେ କଥାରେ ସେ ମନ୍ତ୍ରୀଙ୍କୁ ଟପିପାରିବେ ନାହିଁ । ତଥାପି ତାଙ୍କ ପରି ହେବାକୁ ତ ଚେଷ୍ଟା କରିବେ । ସେ ନତଜାନୁ ହୋଇ କହିଲେ, “ମହାରାଜ! ଆପଣ ଆମ ସମୟର ଅଦ୍ୱିତୀୟ ଯୋଦ୍ଧା ବୋଲି ଜାଣିଥିଲି । କିନ୍ତୁ, ତା’ ସହିତ ଆପଣ ଯେ ଏ କାଳର ସର୍ବଶ୍ରେଷ୍ଠ ଚିତ୍ରକର ତା’ର ପ୍ରମାଣ ମୁଁ ଆଜି ପାଇଲି । ଅସାମାନ୍ୟ ବୀରତ୍ୱ ଓ ଅସାଧାରଣ କଳାର ଅପୂର୍ବ ସଙ୍ଗମ । ଧନ୍ୟ ମହାରାଜ, ଧନ୍ୟ ଆପଣ । ଆପଣଙ୍କ ଗାମ୍ଭୀର୍ଯ୍ୟପୂର୍ଣ୍ଣ କଳାକୃତିର ଦର୍ଶନରେ ମୋର ବୁଦ୍ଧି, ବଳ ଓ ସାହସ ବହୁଗୁଣିତ ହେଲା ପରି ମୁଁ ଅନୁଭବ କରୁଛି ।’
ପରକୁ ପର ପାରିଷଦଗଣ ରାଜାଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଲେ । ରାଜା ନିର୍ମଳ ହସ ବାଣ୍ଟିବାଣ୍ଟି ସେମାନଙ୍କୁ କୃତାର୍ଥ କଲେ । ତା’ପରେ ସିଦ୍ଧାନ୍ତ ହେଲା ଯେ ରାଜଧାନୀର ସଭାଗୃହରେ ରାଜାଙ୍କର ଚିତ୍ର ସବୁର ଏକ ପ୍ରଦର୍ଶନୀ ହେବ । ଯେଉଁମାନେ ପ୍ରଦର୍ଶନୀ ଦେଖିବାକୁ ଆସିବେ ସେମାନଙ୍କ ଯାତାୟାତ, ଖାଦ୍ୟ ପାନୀୟ ଓ ରହଣିର ଖର୍ଚ୍ଚ ରାଜକୋଷ ବହନ କରିବ ।
ତାହାହିଁ ହେଲା । ପ୍ରଦର୍ଶନୀ ଦେଖିବାକୁ ହଜାର ହଜାର ଲୋକ ଛୁଟିଲେ । ରାଜା ଆନନ୍ଦିତ ହେଲେ । ଦର୍ଶକମାନଙ୍କ ମନୋରଞ୍ଜନ ନିମନ୍ତେ ସେ ସେମାନଙ୍କର ଯିବା, ଆସିବା, ରହିବା ଓ ଖାଦ୍ୟାଦି ସହ ସରକାରୀ ଖର୍ଚ୍ଚ ଓ ବ୍ୟବସ୍ଥାରେ ରାଜଧାନୀ ଭ୍ରମଣର ବ୍ୟବସ୍ଥା ବି କରିଦେଲେ ।
ଦିନେ ଜଣେ ଯୁବକ ପ୍ରଦର୍ଶନୀ ଦେଖିବାକୁ ଆସିଲା । ଅସଜଡ଼ା କେଶ । ମୁହଁରେ ଦାଢ଼ି । ବେଶ ତା’ର ବିପର୍ଯ୍ୟସ୍ତ । କାନ୍ଧରେ ତା’ର ଝୁଲୁଥିଲା ଗୋଟିଏ ଥଳି । ଖୁବ୍ ଧ୍ୟାନ ସହକାରେ ସେ ଦେଖିଲା ଚିତ୍ର ସବୁକୁ । ତା’ପରେ ଆହୁରି ଅଧିକ ଧ୍ୟାନ ଦେଇ ଦେଖିଲା ସେଠାକାର ପରିଚାଳକମାନଙ୍କୁ । ଏକ ବେପରୁଆ ତାତ୍ସଲ୍ୟ ହସ ହସି ସେଠାରୁ ବାହାରି ଆସୁ ଆସୁ ସେ କହିଲା, “କୁଳାଙ୍ଗାର ଦଳ ।’ ସଙ୍ଗେ ସଙ୍ଗେ ଏହି “କୁଳାଙ୍ଗାର ଦଳ’ ଶବ୍ଦ ଦିଓଟି ପରିଚାଳକମାନଙ୍କ ମୁହଁରେ ଗୁଞ୍ଜରି ଉଠିଲା । କିଏ କୁଳାଙ୍ଗାର? ତଥାପି ବିଷ ପ୍ରାୟ କଥାଟିକୁ କୌଣସି ପ୍ରକାରେ ଢୋକି ଦେଇ ସେମାନେ ତାକୁ ରାସ୍ତା ଖର୍ଚ୍ଚ ଓ ଆତିଥ୍ୟ ଯାଚନ୍ତେ ସେ ହସିଲା ଅବଜ୍ଞାର ହସ । ତା’ର ସେଇ ଠୋ ଠୋ ହସରେ କ’ଣ ଥିଲା କେଜାଣି ପରିଚାଳକମାନଙ୍କୁ ଲାଗିଲା ଯେମିତି ସେ ସେମାନଙ୍କ ଦେହରୁ ବସ୍ତ୍ର କାଢ଼ି ନେଇ ତାଙ୍କୁ ଉଲଗ୍ନ କରି ଦେଖଣାହାରିଙ୍କ ମଝିରେ ଠିଆ କରେଇ ଦେଇଛି । ଦେଖଣାହାରିଏ ତାଙ୍କ ଚାରିପାଖରେ ରୁଣ୍ଡ ହୋଇ ତାଳିମାରି ନାଚୁଛନ୍ତି । ତାଳି ଶବ୍ଦ ହେଉ କି ତାତ୍ସଲ୍ୟଭରା ହସର ଗୁଞ୍ଜନ ହେଉ- ସେଥିରେ ଚିତ୍ରଗୁଡାକ ଗୋଟି ଗୋଟି କରି ତଳେ ଗଦା ହୋଇପଡୁଛି । ଏବଂ ଶେଷରେ ସେ ବିଶାଳ କଳା ଭବନଟି ଅଚାନକ ଭୁଶୁଡ଼ି ପଡ଼ିଲା । ସେଇ ଭବନର ଇଟା ପଥର ତଳେ ସେମାନେ ଚାପି ହୋଇ ଛଟପଟ ହେଉଛନ୍ତି ।
ଯୁବକଟିର ଆଉ ଏ ଧ୍ୱଂସ ଆଡ଼େ ନଜର ନଥିଲା । ବୀରଦର୍ପରେ ସେ ପାହୁଣ୍ଡ ପରେ ପାହୁଣ୍ଡ ପକାଇ ଚାଲିଗଲା ରାସ୍ତାର ଆରକଡକୁ । ଯାଇ ବସିଲା ସେପଟ ପଡ଼ିଆର ବିଶାଳ ବଟବୃକ୍ଷ ମୂଳେ । ଥଳିରୁ ଚିତ୍ର ତିଆରି ସରଞ୍ଜାମ ସବୁ ବାହାର କରି ସେ ସେଇଠି ବସି ଚିତ୍ର ଆଙ୍କିଲା । ରାଜାଙ୍କ ଚିତ୍ର ଦେଖିବାକୁ ଆସିଥିବା ଲୋକଙ୍କ ଭିତରୁ କିଛି ତା’ପାଖକୁ ବି ଗଲେ । ତା’ ଚିତ୍ର ଭିତରେ ସେ ବି ସତେ ଅବା ବିଞ୍ଚି ଦେଇଥିଲା କୁହୁକ ମନ୍ତ୍ର । ଯିଏ ଦେଖିଲା ଆଖି ତା’ର ଲାଖି ରହିଲା । ଫଳରେ, ଦିନକୁ ଦିନ ସେଠାରେ ଲୋକଙ୍କ ଭିଡ଼ ବଢ଼ିବାକୁ ଲାଗିଲା । ଦେଖଣାହାରିଏ ରାଜଖର୍ଚ୍ଚରେ ଆସିଲେ । କିନ୍ତୁ, ଜମା ହେଲେ ଯୁବକ ପାଖରେ । ତାକୁ ପ୍ରଶଂସା ସହିତ କିଏ ଯୋଗେଇ ଦେଲା ରଙ୍ଗ, କିଏ ତୂଳୀ ତ ଆଉ କିଏ ଖାଦ୍ୟ ସରଞ୍ଜାମ ଓ କିଏ ଆଉ କ’ଣ । କିନ୍ତୁ ଯୁବକର ସେ ଆଡକୁ ବେଶି ନିଘା ନଥିଲା । ସେ ନିବିଷ୍ଟ ଚିତ୍ତରେ ଚିତ୍ର ଆଙ୍କୁଥିଲା । ଯାହା ମିଳିଲା ତାକୁ ଖାଉଥିଲା ଓ ବେଳେବେଳେ ସେଇଠି ଶୋଇପଡୁଥିଲା । ୟା’ ଭିତରେ କେତେଜଣ ଉତ୍ସାହୀ ତାକୁ ସହଯୋଗ କରିବା ଆରମ୍ଭ କରିଦେଇଥିଲେ ।
ବିଚଳିତ ହେଲେ କର୍ମକର୍ତ୍ତାଗଣ । ସେମାନେ ଯୁବକକୁ ଧମକାଇଲେ । ତା’ର ଆସବାବ ଗୋଟେଇ ଅବିଳମ୍ବେ ସେଠାରୁ ଚାଲିଯିବାକୁ ଆଦେଶ ଦେଲେ । ମାତ୍ର ଯୁବକ ଅବିଚଳିତ । ଆଦେଶ ଓ ଧମକର କିଛି ପ୍ରଭାବ ପଡ଼ିଲା ନାହିଁ ତା’ ଉପରେ । ତେଣୁ, ତା’ ପାଇଁ ଶାସ୍ତି କ’ଣ ହେବ ସେ ନେଇ ମହାମନ୍ତ୍ରୀଙ୍କ ପରାମର୍ଶ ଲୋଡ଼ାଗଲା । ମନ୍ତ୍ରୀ ଆସିଲେ । ଦେଖିଲେ ଯୁବକର ଚିତ୍ରକୁ । ଚିତ୍ର ନୁହେଁ ତ, ଗୋଟେ ଗୋଟେ ଜୀବନ୍ତ ପ୍ରତିମା । ସେଗୁଡ଼ିକ ଉନ୍ମୁଖ; କଥା କହିବା ପାଇଁ, ସଂଘର୍ଷ ପାଇଁ, ବିଦ୍ରୋହ ପାଇଁ । ଯେମିତି ଗୁଡାଏ ଅଭିଯୋଗ ସେମାନଙ୍କର ଅଛି । ସେ ତାକୁ ଶୁଣିବାକୁ ସେମାନେ ଦାବି କରୁଛନ୍ତି । ମନ୍ତ୍ରୀ କିନ୍ତୁ ନାଚାର । ତାଙ୍କ କାନକୁ କିଛି ଶୁଭୁନାହିଁ । ଅତ୍ୟଧିକ କ୍ରୋଧର ପ୍ରଭାବରେ ଆଖିକୁ ସବୁ ଝାପ୍ସା ଝାପ୍ସା ଦିଶୁଛି । ଠିକଣା ସମୟରେ ତାଙ୍କ ଜ୍ଞାନ ଓ ବୁଦ୍ଧି ବି ତାଙ୍କୁ ଠକିଦେଇ ଚମ୍ପଟ୍ ମାରିଛନ୍ତି ।
ପର ଛବିଟି କିନ୍ତୁ ତାଙ୍କୁ ସ୍ପଷ୍ଟ ଦିଶିଲା । ଛବିରେ- ତାଙ୍କ ରାଜ୍ୟର ମାନଚିତ୍ର ଭିତରେ ଦୁଃସ୍ଥ ପ୍ରଜାଏ ତ୍ରାହି ତ୍ରାହି ଡାକୁଛନ୍ତି । ମାନଚିତ୍ରଟାକୁ ରାଜା ପରମ ଆନନ୍ଦ ଓ ଅଦ୍ଭୁତ ଖିଆଲରେ ଟାଣି ଟାଣି ସମୁଦ୍ର ଭିତରକୁ ନେଇଯାଉଛନ୍ତି । ସେଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି ମନ୍ତ୍ରୀ, ସେନାପତି ଓ ପାରିଷଦଗଣ । ନା, ଏସବୁ ଚିତ୍ର ନୁହେଁ- ସୁଚିନ୍ତିତ ଷଢଯନ୍ତ୍ର, ଖୋଲା ବିଦ୍ରୋହ । ଭୟ, କ୍ରୋଧ ଓ ଦ୍ୱନ୍ଦ୍ୱ ଭିତରେ ଅସ୍ଥିର ହୋଇପଡ଼ିଲେ ମହାମନ୍ତ୍ରୀ । ସେଇ ଅସ୍ଥିରତାର ତାଡ଼ନାରେ ସେ ଆଦେଶ ଦେଲେ, “ଧରିଆଣ ସେଟାକୁ ।’
ତଥାପି ଅବିଚଳିତ ସେ ନିର୍ବୋଧ ।
“ଜାଣ ବାବୁ ଏ ରାଜଦ୍ରୋହର ଶାସ୍ତି କ’ଣ?”
ତଥାପି ବିଚଳିତ ନୁହେଁ ସେ । ଓଲଟି ସ୍ମିତ ହସ ତା’ ମୁହଁରେ । ନା, ଅସହ୍ୟ ଏ ଔଦ୍ଧତ୍ୟ । ତା’ ପ୍ରଖର ହସରେ ଅସୁମାରି ତାତି । ସେଥିରେ ବୋଧେ ଜଳିଯିବେ ସେ । ଜଳି ବି ଯାଇପାରନ୍ତି ମହାରାଜା । ତେବେ, ନିଜ ପ୍ରତିଷ୍ଠାକୁ ନୁ୍ୟନ ନକରି ସେ କହିଲେ, “ଶୁଣ ଯୁବକ । ଅପରାଧ ତୁମର ଅକ୍ଷମଣୀୟ ହେଲେ ବି ମୁଁ ତୁମକୁ ତଥାପି ଗୋଟେ ସୁଯୋଗ ଦେଇପାରେ । କ୍ଷମା ପ୍ରାର୍ଥନା ସହ ତୁମେ ଅବିଳମ୍ବେ ଏଠାରୁ ପଳାଇଯାଅ ।’
ଜବାବରେ ଯୁବକର ମୁରୁକି ହସ ଠିକଣା ଜାଗାରେ ମନ୍ତ୍ରୀଙ୍କୁ ଆଘାତ କଲା । ଯୁବକ କହିଲା, “ଭୀରୁମାନେ ଅନ୍ୟମାନଙ୍କୁ ଭୀରୁ ହେବାକୁ ବାଧ୍ୟ କରିଥାନ୍ତି । ନଚେତ୍ ସେମାନଙ୍କ ଦୁର୍ବଳତା ଧରାପଡ଼ିଯିବ । ଆପଣମାନେ ତାହାହିଁ କରୁଛନ୍ତି । ନଚେତ୍ ରାଜ୍ୟର ଏ ଦୁର୍ଦ୍ଦିନରେ ମହାରାଜାଙ୍କର ଖାଲି ଗାରଗୁଡାଙ୍କର ପ୍ରଦର୍ଶନୀ ଆପଣ କରାଇନଥାନ୍ତେ । ମୁଁ ଜାଣେ ଆପଣ ମତେ ବନ୍ଦୀ କରିବେ । କାରଣ ଆପଣମାନଙ୍କ ରକ୍ତରେ ବି ଭୟର କୀଟ ଚରିଯାଇଛନ୍ତି । ତେଣୁ, ସତ୍ୟକୁ ଆପଣ ଉପଲବ୍ଧି କରିପାରୁନାହାନ୍ତି ବା କରିବାକୁ ଚାହୁଁନାହାନ୍ତି । କିନ୍ତୁ, ସତ୍ୟ ସବୁବେଳେ ସତ୍ୟ ମହାମନ୍ତ୍ରୀ । ଆପଣ ତାକୁ ଦେଖିବାକୁ ନ ଚାହିଁଲେ ତା’ ବଦଳି ଯିବନି । ମୁଁ ଜଣେ କଳାକାର । ସତ୍ୟଦର୍ଶନ ମୋର ଧର୍ମ ।’
ଟୋକାର ଧୃଷ୍ଟତାକୁ ଦେଖ! ତାଙ୍କ ଆଗରେ ଛିଡ଼ା ହୋଇ ତାଙ୍କୁ ଅପମାନିତ କରୁଛି । ଶାସ୍ତି ହିଁ ତା’ର ପ୍ରାପ୍ୟ । ମହାମନ୍ତ୍ରୀ ଆଦେଶ ଦେଲେ, “ବନ୍ଦୀ କର !’
ବିଚାର ରାଜାଙ୍କ ପାଖରେ । ରାଜା ଯୁବକର ଚିତ୍ର ସବୁ ଦେଖିଲେ । ତା’ପରେ ଆଦେଶ ଦେଲେ, ଯୁବକକୁ ତତ୍କ୍ଷଣାତ୍ ସେହିଠାରେ ମୃତୁ୍ୟଦଣ୍ଡ ଦିଆଯିବ ।
ଦଣ୍ଡର ଆୟୋଜନ ଚାଲିଲା । ଘାତକ ମଧ୍ୟ ଆସିଲା । ସମସ୍ତେ ଭାବିଥିଲେ ଯୁବକ କ୍ଷମା ପ୍ରାର୍ଥନା କରିବ । କିନ୍ତୁ, ତା’ ହେଲା ନାହିଁ । ଯୁବକର ମୁହଁ ରୁକ୍ଷ, କଠିନ ହୋଇଉଠିଲା । ସେଠି ହସ, କାନ୍ଦ, ଦୁଃଖ କି ଅନୁଶୋଚନା ନଥିଲା । ସମ୍ଭବତଃ ରୁଦ୍ଧ ପରିହାସ ଜମା ହୋଇଯାଇଥିଲା ସେଠି ।
ଯୁବକକୁ ଯୂପକାଷ୍ଠ ନିକଟକୁ ନେବା ପୂର୍ବରୁ ତା’ କାନ୍ଧରେ ଓହଳିଥିବା ଝୁଲାଟାକୁ ବାହାର କରି ମନ୍ତ୍ରୀଙ୍କ ହାତକୁ ବଢ଼ାଇଦେଲେ ପାରିଷଦ । ତା’ପରେ ତାକୁ ଘାତକ ଦାୟିତ୍ୱରେ ଛାଡ଼ି ଦିଆଗଲା । ବର୍ତ୍ତମାନ ଖୋଦ୍ ମହାରାଜାଙ୍କ ସହ ଘାତକର ଅଭ୍ୟସ୍ତ ହାତର କରାମତିକୁ ଉପଭୋଗ କରିବା କଥା ।
କ’ଣ ଥିବ ସେ ଥଳିରେ? ମନ୍ତ୍ରୀ ସେଥିରେ ହାତ ପୂରାଇଲେ । ସମ୍ଭବତଃ ଚିତ୍ରଟିଏ । ସେଇଟିକୁ ବାହାର କରି ଦେଇ ଦେଖିଲେ । “ଇଏ ଷଡ଼ଯନ୍ତ୍ର !’ ମନ୍ତ୍ରୀ ଏକପ୍ରକାର ଚିକ୍ରାର କଲେ । ରାଜାଙ୍କର ଦୃଷ୍ଟି ବଳି ଆଡୁ ମନ୍ତ୍ରୀଙ୍କ ପାଖକୁ ଫେରିଆସିଲା । ମନ୍ତ୍ରୀ ଚିତ୍ରଟିକୁ ବଢ଼ାଇଦେଲେ ରାଜାଙ୍କ ହାତକୁ । ଚିତ୍ରଟିରେ ସେହି ଯୁବକର ଗଣ୍ଡି ବଦ୍ଧକାଷ୍ଠରେ ଲାଗିରହିଛି । ତା’ର ରକ୍ତବୋଳା କଟା ମୁଣ୍ଡ ପଡ଼ିଛି ମାଟି ଉପରେ । ଗଣ୍ଡିର ବେକ ପାଖରୁ ରକ୍ତଧାର ଲମ୍ବିଯାଇଛି । ସେଇ ରକ୍ତଧାର ଭିତରୁ ଅସଂଖ୍ୟ ମଶାଲଧରା ହାତ ଆଗେଇ ଆସୁଛି । ରାଜାଙ୍କୁ ଲାଗିଲା ସେମାନେ ଯେମିତି ନିଆଁ ହୁଳା ଧରି ତାଙ୍କରି ଆଡକୁ ମାଡ଼ି ଆସୁଛନ୍ତି । ସେ ଚମକି ଉଠିଲେ ଚାହିଁଲେ ଯୂପକାଷ୍ଠକୁ । ସେଠି ଯୁବକର ରକ୍ତଲଗା ମୁଣ୍ଡ ମାଟିରେ ପଡିଛି । ବେକ ପାଖରୁ ରକ୍ତର ଧାର ବି ଲମ୍ବିଛି । ରାଜାଙ୍କର ଆଖି କିଛିକ୍ଷଣ ପାଇଁ ସେହି ରକ୍ତ ଧାର ପାଖରେ ଅଟକିଗଲା । ତା’ପରେ ସେ ଆଶ୍ୱସ୍ତ ହେଲେ- ନା, ସେଠାରୁ କେହି ନିଅାଁହୁଳା ଧରି ବାହାରୁ ନାହାନ୍ତି ।