ବୀରମାଷ୍ଟ୍ର କହନ୍ତି : ଭାଗବତ ଘର ପ୍ରତ୍ୟେକ ଗାଁ ପାଇଁ ଆଶ୍ୱାସନା ଓ ବିଶ୍ୱାସର ପୀଠ । ସାମାଜିକ ଚଳଣିରେ ନୀତିନିୟମ ଓ ଆଦର୍ଶ ପ୍ରଚାରର ପ୍ରାଣକେନ୍ଦ୍ର । ଆମେ ଓ ଆମ ସମାଜ ଜୀବନ ହେଉଥାଏ ଶୃଙ୍ଖଳିତ, ସମନ୍ୱିତ, ସୁସଂହତ ଓ ସମୁନ୍ନତ । ଆମ ଭିତରେ ମଣିଷ ପଣିଆ ଜାଗ୍ରତ ହୁଏ । ଗାଦି ଗୋସେଇଁଙ୍କ ଆଶୀର୍ବାଦ ଆମ ଗାଁ ଲୋକଙ୍କ ଉପରେ ଜୀବନର ଶେଷ ନିଃଶ୍ୱାସ ଟିକକ ଥିବା ପର୍ଯ୍ୟନ୍ତ ଥାଉ । ହେ ପ୍ରଭୁ! ଏହି ଭାଗବତ ପଢ଼ାରୁ, ଶୁଣିଶୁଣି ଆମେ ସାକ୍ଷର ଓ ସ୍ୱାକ୍ଷର ହୋଇଥାଇଁ । ଏଇଠି ମିଳେ ନିର୍ମଳ ବିଚାର । ଏହାର ଭାଷା ଅତି ସରଳ, ସହଜ, ପ୍ରାଞ୍ଜଳ, ଭାବଗମ୍ଭୀର ମନେ ହୁଏ । ଏଥିରେ ଆଦର୍ଶ ଓ ନୀତିପୂର୍ଣ୍ଣ ଜୀବନ ବିତାଇବାକୁ ଅଛି ଅସୁମାରି ନୀତିବାଣୀ । ଆମ ପାଇଁ ନୈତିକ ଓ ଶୃଙ୍ଖଳିତ ମୂଳଦୁଆ ପକାଇ ସୁସଂହତ କରେ । ମାନସିକ ଶାନ୍ତି, ବୌଦ୍ଧିକ ତୃପ୍ତି ଦିଏ । ସୁସ୍ଥ ସମାଜ ଗଠନ ପାଇଁ ପ୍ରେରଣା ଦିଏ । ଆତ୍ମିକ ସୂତ୍ରରେ ଆମକୁ ପ୍ରଗାଢ଼ ଭାବରେ ବାନ୍ଧି ରଖେ । ଅନ୍ତୁଡ଼ିଶାଳେ ଆଶୀର୍ବାଦ ପାଇଁ ଭାଗବତ । ମରଣ ବେଳେ ବୈକୁଣ୍ଠକୁ ଯିବା ପାଇଁ ଭାଗବତ ।
ଲୋକନାଥ । ନହକା ନହକା ସାଢ଼େ ପାଞ୍ଚଫୁଟିଆ ଭେଣ୍ଡା । ଚାଟଶାଳୀରୁ ଯେତିକି ପାଠ ଶିଖିଥିଲା, ସେତିକି ମାତ୍ର । ଘର ବୋଇଲେ ତିନି ବଖରା ଚାଳଘର । ଗୋଟେ ବଖରାରେ ଗୁହାଳ ଘର । ଦ୍ୱିତୀୟ ବଖରାରେ ସେ ଓ ନୂଆ ପୁଆଣି ହୋଇ ଆସିଥିବା ଟୋକୀ ଭାରିଯା । ତୃତୀୟରେ ବୋଉ, ତା’ର ହେଁସ କତରା ଓ ଅମଳ ହୋଇଥିବା ଧାନ, ମୁଗ, ବିରି, କୋଳଥ, ଗୁଡ଼ ବଣା । ସେଇଠୁ ବାଡ଼ିପଟର ଫାଳିକିଆ ଆମ୍ବପଟାର କବାଟ । ଢିଙ୍କିଶାଳ, ଚୁଲ୍ଲୀ ମୁଣ୍ଡ ଓ ଶାଗପଟାଳି ସହ ଲମ୍ବିଯାଇଛି ଚାଳିଶ ହାତ ଲମ୍ବା ଓ ଆଠ ହାତ ଓସାରର ଗୋସେଇଁ ବାପ ଅମଳର ଡିହ କିଆ ଗୋହିରୀର ଶଗଡ଼ ଗୁଳା ଯାଏଁ ।
ଲୋକନାଥ ହଳିଆ ଡାକି ବିଲରେ ହଳ କରେ । ଚାଷ ବେଉଷଣ କରି ଜମିରୁ ଆୟ କରେ ଓ ଭାଗବତ ଗୋସେଇଁଙ୍କ ପ୍ରତି ତା’ର ଅହେତୁକ ଭକ୍ତି ହେତୁ ସଞ୍ଜ ପୂର୍ବରୁ ପୋଖରୀ ପାଣି କାମ ସାରି ସଜ ଧୋବ ଲୁଗା ପିନ୍ଧି, ବେକରେ ଚାରିହାତିଆ ଖୁରୁଧା ଗାମୁଚ୍ଛା ପକାଇ ଭାଗବତ ପଢ଼ିବାକୁ ଆସେ । ଗାଁ ମଝିରେ ଦି ବଖୁରିଆ ଚାଳ ଘର । ଚଉପାଢ଼ୀ ଓ ଚାରିଫୁଟିଆ ସିମେଣ୍ଟ ଚାନ୍ଦିନୀରେ ମା’ ବୃନ୍ଦାବତୀ । ଝଙ୍କାଳିଆ ତୁଳସୀ ଚଉରା ଗଛ ।
ଲୋକନାଥ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଟୁଙ୍ଗି ପାଖରେ ପହଞ୍ଚôବା ଆଗରୁ ଜଣେ ଅଧେ ବସି ସାରିଥାଆନ୍ତି । ଦୂରରେ ଦି ତିନିଜଣ ଟହଲ ମାରୁଥାଆନ୍ତି । ପିଣ୍ଡା ଉପରକୁ ଉଠି ଗାଦିରୁ ଭାଗବତ ଗୋସେଇଁଙ୍କ ଖଟୁଲି ଆଣି ଥୁଏ । ଆସନ ପକାଏ । ଧୂପ ଦୀପ ଦିଏ । ଆଳତି ବଢ଼ାଏ । ଦୀପ ଟିକେ ତେଜିଦିଏ । ମୁଣ୍ଡିଆ ମାରେ । ବୃନ୍ଦାବତୀଙ୍କ ପାଖରେ ଛୋଟ ଦୀପଟି ଧରାଇଦିଏ କାଳିକାକୁ । କାଳିକା ଗୋରୀ ମଧ୍ୟବୟସ୍କା ମାଇପିଟିଏ । ଘଇତା କଲିକତାର ଚଟକଳରେ କାମ କରେ । କାଳିକା ହାତେ ଲମ୍ବର ଓଢ଼ଣା ଟାଣି ଗାଁ ପଞ୍ଚୁଆତି ପାଖରେ ନଇଁ ନଇଁ ଚାଲେ । ତୁଳସୀ ଚଉରା ମୂଳେ ସଞ୍ଜ ଦୀପ ଦିଏ । ମୁଣ୍ଡିଆ ମାରେ । ମରଦ, ବୁଢ଼ାମାନଙ୍କ ମେଳରେ ରୁହେନା । ନିଜ ଘରକୁ ଚାଲିଯାଏ । ପିଣ୍ଡାରେ ବସି ଭାଗବତ ବାଣୀଙ୍କୁ ଅନାଇଥାଏ । ଲୋକନାଥ ବିଷ୍ଣୁମନ୍ତ୍ର ପଢ଼େ । ପଇତାକୁ ଧରି ଗୁଣୁଗୁଣୁ ହୁଏ । ‘ନମଃ ଭାଗବତ ବାସୁଦେବାୟ’ ଉଚ୍ଚାରଣ କରି ପ୍ରଥମ ପଦ ବୋଲେ ବ୍ୟାସପୂର୍ଣ୍ଣମୀରେ । ଭୋଦୁଅର ଜହ୍ନ ସଜନାଗଛ ଡାଳର ସନ୍ଧିରୁ ମୁହଁ ଦେଖେଇ ଧୀରେଧୀରେ ଅଲୋକିତ କରୁଥିବା ବେଳେ ପ୍ରଶସ୍ତ ଚଉପାଢ଼ୀରୁ ଲୋକନାଥର ସ୍ୱର ଭାସି ଆସୁଥାଏ । ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ ।
ଗାଁରୁ ଅଧେ ଲୋକ ବସି ସାରିଥାଆନ୍ତି । ଶୁଣୁଥାଆନ୍ତି ଭାଗବତ । ସନାତନ ଓରଫ ସନା ଦଳେଇ କ’ଣ ବୁଝୁ ନ ବୁଝୁ ପହଞ୍ଚôଯାଏ ଓ ମାଟି ଦାଣ୍ଡରେ ମୁଣ୍ଡିଆଟେ ମାରି ଶୁଣୁଥାଏ ଭାଗବତ ବାଣୀକୁ । ଭାବରୁ ସମ୍ଭୁତ ତେଣୁ ଭାଗବତ । ଜୀବନ ଯେଉଁଠି ତୀର୍ଥ, ସେଇଠି ଅଛି ଭାଗବତ । ଭାଗବତ ବିନା ଜୀବନ ବ୍ୟର୍ଥ । ସମସ୍ତେ ଭଗବାନଙ୍କର । ମୁଁ ଭଗବାନଙ୍କର ମୁଁ ତାଙ୍କର । ମୋ ଜୀବନକୁ ଜୀଇଁବାରେ ଭଗବାନ ହିଁ ଆଧାର । ସକଳ ରସର ମଧୁର ଆସ୍ୱାଦନ ହିଁ ଭାଗବତ ।
କେହି ଭାବ ନିମଗ୍ନ ହୋଇ ଶୁଣୁଥାଆନ୍ତି ତ କେହି ପରସ୍ପରକୁ ଅନାଅନି ହେଉଥାଆନ୍ତି । ନ ଦେଖିବା ଭଳି ଝାପ୍ସା ଝାପ୍ସା ଜହ୍ନ ଆଲୁଅର ଛାଇରେ ବଉଳ ଗଛ ମୂଳେ ଥକ୍କା ମାରି କେହି କେହି ବସିଥାଆନ୍ତି । ଚଉପାଢ଼ୀରେ ବସିଥିବା ପଞ୍ଚୁଆତି ମଣିଷଙ୍କୁ ନ ଶୁଭିବା ଭଳି କାନ ପାଖରେ କ’ଣ ଫୁସ୍ଫାସ୍ ହୁଅନ୍ତି । ଭାଗବତ ପଢ଼ା ଅଧାରେ ବୀର ମାଷ୍ଟ୍ରେ ଆଗକୁ ଉହୁଁକି ହୋଇ ଆସନ୍ତି । ତାଙ୍କ ଚାଲିବାର ଶୈଳୀ ସେମିତି । ପାନ ବଟୁଆ ଘରେ ଥୋଇ ରୁପାର ଚାରି ଆଙ୍ଗୁଳିରେ ତିନି ଆଙ୍ଗୁଳି ଓସାର ଡବାରେ ଭଙ୍ଗା କେତକୀ ଗୁଣ୍ଡି ଦିଆ ଖିଲିପାନ ଖୁନ୍ଦିଖାନ୍ଦି କରି ରଖିଥିବେ । ଅଣ୍ଟା ଖୋସଣିରେ ଯତ୍ନରେ ବନ୍ଧା ହୋଇଥିବ । ହାତରେ ଦି ହାତିଆ ବାଉଁଶ କଣିର ପାଞ୍ଚଣ ଖଣ୍ଡେ । ପାଦରେ କଠଉ ହଳେ । ଗାଁ ଠାରୁ ପାଞ୍ଚକୋଶ ଦୂରରେ ପାକେଲା ଖାଲ ମଫସଲି ଗାଁ ଚାଟଶାଳିରେ ଶିଶୁ ଓ ପ୍ରଥମଶ୍ରେଣୀ ପିଲାଙ୍କୁ ପଢ଼ାଉଥିଲେ । ବୀର ମାଷ୍ଟ୍ରେ ଆସି ଚାନ୍ଦିନୀ ଉପରେ ବସନ୍ତି । ଥୟ ଥିଲେ ଭାଗବତ ପଢ଼ା ସରିଲା ପରେ, ଗାଁ ନିଶାପର ବିଚାର ସରିଲା ପରେ, କିଛି ଲୋକଙ୍କୁ ଭାଗବତର ଅମୃତବାଣୀ ପରଷନ୍ତି । ବୀର ମାଷ୍ଟ୍ରେଙ୍କ କଥା ଶୁଣିବାକୁ ଅଧେ ଲୋକ ଅନ୍ତତଃ ଚାହିଁ ବସିଥାଆନ୍ତି । କେତେକ୍ଷଣ ବା କହିବେ । ଲୋକନାଥ ଭାଗବତ ପଢ଼ାସାରି ସବୁ ଠିକ୍ ଜାଗାରେ ରଖାରଖି କରି ମଝି ପାହାଚରେ ବସିପଡ଼େ ବୀର ମାଷ୍ଟ୍ରଙ୍କ ଆଡ଼କୁ ଅନେଇ ।
– ଆମ ଭାଷା ହିଁ ଭାଗବତ । ଶ୍ରବଣ କଲେ ମାର୍ଜିତ ହୁଏ ଆଚାର ବ୍ୟବହାର । ପାପରୁ ମୁକ୍ତି ମିଳେ । ଆମ ଜାତି ପାଇଁ ଏହା ଇହକାଳ ଓ ପରକାଳର ସମ୍ପଦ । ସୂଚିକା ହେଉ ବା ମୃତ୍ତିକା ହେଉ, ସବୁଠି ଲୋଡ଼ା । ଦୁଃଖରେ, ଭାବରେ ଅଭାବରେ ସୁଖରେ ସବୁଠି ଭାଗବତର ସ୍ୱର । ଓଁ ନମଃ ଭାଗବତ ଗୋସେଇଁ । ସକଳ ଦିଅଁଙ୍କ ବିଜେ ସ୍ଥଳୀ ହେଉଛି ଭାଗବତ ଗାଦି । ସବୁରି ମୂଳରେ ଭାଗବତ, ଭାଗବତ ମୂଳରେ ସବୁ । କୁସଙ୍ଗ ଠାରୁ ଦୁରେଇ ରଖେ । ଏହାର ଧ୍ୱନିରେ ଈଶ୍ୱରୀୟ ସତ୍ତାର ଅନୁଭବ । ଏହାର ପ୍ରତ୍ୟେକ ପଦ ହରିରସାମୃତ । ଆପ୍ତ ବାକ୍ୟର ସମାହାର । ଏହାର ପଦ ମାନଙ୍କ ଦୃଷ୍ଟାନ୍ତ ଦେଇ ସଂସାରୀ ମଣିଷମାନେ ଦୁଃଖ ସୁଖ, ବିପଦ ଆପଦ, ଜଞ୍ଜାଳଗତ ସମସ୍ୟାର ସମାଧାନ କରିନିଅନ୍ତି । ଏହା ଶୁଦ୍ଧ, ସଂଯତ, ମାର୍ଜିତ ଓ ପବିତ୍ର । ଅତିବଡ଼ୀ ଜଗନ୍ନାଥ ଦାସ ବଟ ଗଣେଶ ବେଢ଼ାରେ ବସି ଭାଗବତ ରଚନା କରିଥିଲେ ଓ ପଠନ ମଧ୍ୟ କରିଥିଲେ । ଭାଦ୍ର ପୂର୍ଣ୍ଣମୀର ଦେବମୁହୂର୍ତ୍ତରେ ଭାଗବତ ଅନୁବାଦ କରିଥିବାରୁ ଏଇ ଦିନଟି ଭାଗବତ ଜନ୍ମ ଭଳି ଆମେ ମାନୁଥାଇଁ । ଗାଁ ପଞ୍ଚୁଆତିମାନେ ପାଞ୍ଚ ବିଚାରବନ୍ତ ବୃଦ୍ଧ ଅଥଚ ବୁଦ୍ଧିମାନ ଓ ଗଣ୍ୟମାନ୍ୟ ହିସାବରେ ସମସ୍ତେ ମାନନ୍ତି ଓ ଗାଁର ପାଞ୍ଚଟି ସାହିରୁ ସେମାନେ ପ୍ରତିିନିଧିତ୍ୱ କରନ୍ତି । ଏହି ପାଞ୍ଚ ବୃଦ୍ଧଙ୍କ ମଧ୍ୟରୁ ଧନୀ, ବଳୁଆ, କପଟୀ, ପ୍ରପଞ୍ଚ, ଜିଦ୍ଖୋରକୁ ପଞ୍ଚୁଆତିର ସର୍ବୋଚ୍ଚ ଆସନ ଦିଆଯାଏ । ତେଣୁ ଗାଁର ନ୍ୟାୟ ନିଶାପ, ଭଲମନ୍ଦ ଥାନା, କୋର୍ଟ, କଚେରି ଆଡ଼କୁ ମୁହାଁଏନି । ଭାଗବତ ଗାଦି ଗୋସେଇଁର ଦ୍ୱାହି ଦେଲେ ସମସ୍ତେ ସତକଥା ମାନିଯାଆନ୍ତି ଓ କଳିତକରାଳର ଫଇସଲା ଶୀଘ୍ର ହୋଇଯାଏ । ଏଇ ପାଞ୍ଚ ବୃଦ୍ଧଙ୍କ ବୟସ ଷାଠିଏରୁ ସତୁରିରେ ସୀମିତ ଥାଏ । ବୀର ମାଷ୍ଟ୍ରଙ୍କ ତତ୍ତ୍ୱବାଣୀ ଶୁଣିବାରେ ବି ଏମାନେ ଆଗ୍ରହୀ ଥାଆନ୍ତି ।
ରୂପା ନିର୍ମିତ ଡବାରୁ ବୀରମାଷ୍ଟ୍ର ଖିଲେ ପାନ ବାଁ କଳରେ ଜାକନ୍ତି ଓ ବଖାଣନ୍ତି । – ପରଉପକାର କର । ପର ମନକୁ କଷ୍ଟ ଦେବା ମହାପାପ । ପର ଉପକାର କରିବା ଏକ ଦିବ୍ୟ କର୍ମ । ଭାଗବତ ବାଣୀ ଶ୍ରବଣେ, ମଣିଷ ସମାଜ ଅନ୍ଧାରରୁ ଆଲୋକ ଆଡ଼କୁ ମୃତୁ୍ୟ ପଥରୁ ଅମୃତ ପଥକୁ ଅଗ୍ରସର ହୁଏ । ପରର ଉପକାର ନ କରିପାରିଲେ ବି କାହାର ଅପକାର ଚିନ୍ତା କରନି । ନିଜର ହିତ ସହିତ ଗାଁର, ପଞ୍ଚାୟତର, ରାଜ୍ୟ ପାଇଁ କିଛି ହିତ କର । ଏହି ସମାଦୃତ, ପୂଜ୍ୟ ଭାଗବତ ଗ୍ରନ୍ଥ ହିଁ ଆମ ଓଡ଼ିଆ ପ୍ରାଣରେ ସହୃଦୟତା, ପ୍ରୀତି, ଶକ୍ତି, ମୈତ୍ରୀ ଓ ପ୍ରେରଣା ଜାଗ୍ରତ କରାଏ ।
ବୀରମାଷ୍ଟ୍ର ଏପର୍ଯ୍ୟନ୍ତ ଥୟ ଧରି ଭାଗବତର ଅମୀୟ ରସରେ ଭାଷୁଛନ୍ତି । ଯଦି କେତେବେଳେ ସେ ଅଥୟ ହୋଇଯାନ୍ତି ତେବେ ତାଙ୍କ ଦୋ’ ଅକ୍ଷରୀ ଅଶ୍ରାବ୍ୟ ପୁରାଣ ଶୁଣିଲେ କେହି ତାଙ୍କ ପାଖ ମାଡ଼ନ୍ତିନି ।
ବୀରମାଷ୍ଟ୍ର ସନା ଆଡ଼କୁ ଚାହିଁଲେ । ସନା ଡରିଡରି କହିଲା : ହଜୁରେ, ତମ କୋଳଥ ବିଲର ହିଡ଼କୁ ଆଉ କେହି ରେକେଟି ନାହାନ୍ତି ମୁଣ୍ଡି କୋଡ଼ିରେ । ଏଥର ବୀରମାଷ୍ଟ୍ର ସଳଖି ବସିଲେ । ମୁରୁକି ହସିଲେ । ଥାଉ, ଥାଉରେ ସନା । ଧର୍ମ ଆଲୋଚନାରେ ଏସବୁ କଥା କହନ୍ତିନି । ଥାଉ ।
– ସ୍ୱଚ୍ଛ ଶ୍ରଦ୍ଧା ଓ ଶୁଦ୍ଧ ଭକ୍ତି କଲେ ଈଶ୍ୱରଙ୍କ କୃପା ମିଳେ । କର୍ମରେ ବିମୁଖ ହୁଅନି । ଭଲ କାମ କଲେ ସ୍ୱର୍ଗ ସୁଖ ମିଳେ । ନିଜକୁ କର୍ମରେ ସମର୍ପିତ କର । ଭୋଗ ବିଳାସକୁ ନିୟନ୍ତ୍ରଣରେ ରଖ । କର୍ମଫଳକୁ ଆଶା ନ ରଖି ସତ୍ପଥରେ କର୍ମ କରି ଚାଲ, ନିଜ ବୃଦ୍ଧ ପିତାମାତାଙ୍କ ସେବାଯତ୍ନ ନିଅ, ଅତିଥି ସକ୍ରାର କର । ଧର୍ମ ପାଇଁ ଧନ ଅର୍ଜନ କର । ମଦ ଓ ମାଂସ ବର୍ଜନ କର । ପଶୁ ପ୍ରତି ନିଷ୍ଠୁର ହୁଅନି ଓ ପଶୁବଳି ଦିଅନି । ନାରୀର ରୂପ ମୋହରେ ଆକୃଷ୍ଟ ହୁଅନି । ସବୁ ଧର୍ମ ପ୍ରତି ସହିଷ୍ଣୁତା ଭାବ ଦେଖାଅ ।
ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ ।
ବୀର ମାଷ୍ଟ୍ର ହାତ ଯୋଡ଼ନ୍ତି ଭାଗବତ ଗୋସେଇଁଙ୍କ ଗାଦି ଆଡ଼କୁ । ହରିବୋଲ, ହରିବୋଲ, ଭାଗବତ ଗୋସେଇଁଙ୍କୁ କୋଟି କୋଟି ଜୁହାର । ପ୍ରତି ସଞ୍ଜରେ ଲୋକନାଥ ନବାକ୍ଷରୀ ଭାଗବତ ବୋଲୁଥିଲେ । ଗାଁର ପାଞ୍ଚ ମୁରବୀଙ୍କ ସହିତ ପାଞ୍ଚ ସାହିର ଲୋକମାନେ ଶୁଣୁଥିଲେ । ଅତି ନିରକ୍ଷର ଗାଉଁଲିର ମଗଜରେ ବି କିଛି ପଶୁଥିଲା ଓ ବୁଝିପାରୁଥିଲା ସଂସାରରେ ଭଲ କ’ଣ ମନ୍ଦ କ’ଣ ।
ମାସ ପରେ ମାସ ହୋଇ ଏଗାର ମାସ କୁଆଡ଼େ ଚାଲିଗଲା । ଲୋକନାଥର ପୁଆଣି ହୋଇ ଆସିଥିବା ନଈ ସେପାରି ତାରା ସୁନ୍ଦରୀ ଶୂଳ ବେଦନା ପାଇଲା । ପହିଲି ପାଳି ପୁଅଟେ ଜନମ କଲା । ଲୋକନାଥ ଖୁସିରେ ବେତୁଲିଏ ମିଠେଇ (ଲଡ଼ୁ) ନାଥ ପୃଷ୍ଟି ଦୋକାନରୁ କିଣି ଆଣିଲା । ଷଠୀ ଦୁଂଚ୍ଛେଇଙ୍କ ପାଖରେ କଳା ଶାଢ଼ି, ସିନ୍ଦୂର ନଡ଼ିଆ ମାଜେଣା କଲା । କାଳିକା ଆସି ପୂଜା କଲା ଓ ଚଅଁରରେ ଆଉଁଶିଦେଲା ସଦ୍ୟ ଜନମ ହୋଇଥିବା ଏକୋଇଶାଦିନ ବକଟେ ପିଲାକୁ । ମାଟିର ନାଲି ଘୋଡ଼ା ଦି’ଟା ଠାକୁରାଣୀଙ୍କ ବରଗଛମୂଳେ ଥୋଇଦେଲା । କଳାଶାଢ଼ି ପିନେ୍ଧଇ ଦେଲା । ଲୋକନାଥ ବେତୁଲିଏ ମିଠେଇ ସାହିର ଛୋଟ ଛୋଟ ପିଲାଙ୍କୁ ବାଣ୍ଟିଲା ମାଇ ସଞ୍ଜର ଗାଁ ଦାଣ୍ଡରେ ସାଇକୁ ସାଇ ବୁଲି । ବୀର ମାଷ୍ଟ୍ର ଲୋକନାଥର ବେତୁଲିରୁ ଗୋଟେ ମିଠେଇ ତାଙ୍କ ପାନଖିଆ ପାଟିରେ ପୂରେଇଦେଇ କହିଲେ ତୋ ପୁଅ ନାଁ ହେଲା ଭାଗବତ । ଲୋକନାଥର ପୁଅ ଭାଗବତ ବୋଲି ସମସ୍ତେ ଜାଣିଲେ ।
ଜମିବାଡ଼ି କାମରୁ ବେଳ ବାହାର କରି ଲୋକନାଥ ଭାଗବତ ଘର ଚାରିପଟ ସଫା କରେ । ଘାସ ଉପାଡ଼ିଦିଏ ଓ ପହଁରା ମାରିଦିଏ । ଗୋବର ପାଣିରେ ଲିପା ପୋଛା କରେ । ରଙ୍ଗମାଟିରେ ମାଟି କାନ୍ଥକୁ ଲିପେ । ଘର ଭିତର ଛାଞ୍ଚୁଣୀରେ ଓଳାଏ । ଦକ୍ଷିଣା ପବନରେ ସବୁ ଆବର୍ଜନା ଉଡ଼ିଯାଏ । ମନ୍ଦିରରୁ ଆଳତି ଘଣ୍ଟ ବାଜିବା ପୂର୍ବରୁ ଚଉପାଢ଼ିରେ ଦରି ମସିଣା ବିଚ୍ଛେଇଦିଏ ନ୍ୟାୟ ନିଶାପ ପାଇଁ । ପୁଅକୁ କାଖେଇ ଗାଁ ଦାଣ୍ଡରେ ଘେରାଏ ବୁଲିଆସେ ।
ଭାଗବତ ପଢ଼ା ଚାଲେ । ଚାଲୁଥାଏ । ଗାଁ କୂଅ ଚଉତରାରେ ସଞ୍ଜ ପହରରେ ବସିଥାନ୍ତି ଗଜରୁଥିବା ଭେଣ୍ଡାମାନେ । ବୀର ମାଷ୍ଟ୍ରଙ୍କ ଆଖିରୁ ସଞ୍ଚରିତ ହୁଏ ଘୃଣାର କଟାକ୍ଷ ଓ କାହାକୁ ହେଲେ ଆଳ କରି ବୋଲିବାଣୀ କରିଥାଆନ୍ତି ପାଞ୍ଚଣ ହଲାଇ । ସେତେବେଳେ ତାଙ୍କ ପାଖରେ ମାଷ୍ଟ୍ରତ୍ୱ ନଥାଏ ଓ ଶୁଦୁ ଲଙ୍ଗଳା ଶବ୍ଦର ବହୁ-ବ୍ରିହୀ ସମାସ ଅନର୍ଗଳ ଗାଉଥାଆନ୍ତି । କେହି ଜବାବ ଦିଅନ୍ତିନି । ଦେଲେ ତ କଥା ସରିଲା । ରାତି ଅଧଯାଏ ସାଇକୁ ସାଇ ବୁଲି ବେଧୁଆ ଗୀତ ଗାଉଥିବେ । ଅଥୟରୁ ଥୟ ହେବାକୁ ଅଳ୍ପ ସମୟ ଲାଗେ ମାତ୍ର ।
ଭାଗବତ ଠୁକୁଠୁକୁ ଚାଲିଲାଣି ବାପାର ହାତଧରି । ଭାଗବତ ଘର ଓସାରିଆ ପିଣ୍ଡାରେ ବସିଲାଣି । ବାପାର ଭାଗବତ ପଢ଼ା ସରିଲେ ଯେଉଁ ପାଚେଲା ହଳଦୀ କଟକଟ ବନ୍ତଳ କଦଳୀ ଓ ଆଖୁଶାଳର ଫୁଲଗୁଡ଼ରେ ରନ୍ଧା ତଉଲୁ ଉଖୁଡ଼ା ଭୋଗ ହୁଏ, ସେଇ ଭୋଗରୁ ତା ଟିକି ହାତର ଆଞ୍ଜୁଳାରେ ଧରି ଖାଇଲାଣି ।
ସାଇଲୋକ ବସି ଭାଗବତ ବାଣୀ ଶୁଣୁଛନ୍ତି । ବୀରମାଷ୍ଟ୍ର ବନ୍ଧତଳ ନଈ ପାଣିରେ ସିଙ୍ଗିବୁଡ଼ା ଦେଇ ପୋଛାପୋଛି ହୋଇ ମନ୍ତ୍ର ଉଚ୍ଚାରଣ କରି ଘରକୁ ଫେରନ୍ତି । ସଜ ଲୁଗାଟେ ପିନ୍ଧି, କାନ୍ଧରେ ଗାମୁଛା ଓ ହାତରେ ପାଞ୍ଚଣ ଧରି ଭାଗବତ ଘର ଆଡ଼କୁ ଝପଟି ଆସୁଛନ୍ତି ଓ ମଶିଣାରେ ଚକାମାଲି ପକାଇ ରୁପାଡବାରୁ ପାନଖିଲେ ଧରି ଶ୍ରୋତାମାନଙ୍କ ଆଡ଼କୁ ଚାହୁଁ ଥାଆନ୍ତି ।
ଲୋକନାଥର ଭାଗବତ ଅଧ୍ୟାୟଟି ସରିଯାଏ । ବୀରମାଷ୍ଟ୍ର ଅତିଶୟ ଥୟ ହୋଇ ଉପଦେଶ ଦିଅନ୍ତି : ଭାଗବତ ବାଣୀ ଶୁଣିଲେ ଯେଉଁ ପୁଣ୍ୟ, ଅଠରଖଣ୍ଡ ପୁରାଣପାଠରେ ସେଥିରୁ କାଣିଚାଏ ମିଳେନି । ଆମ ପ୍ରାଣରେ ଧାର୍ମିକ, ନୈତିକ ଓ ସାମାଜିକ ଚେତନା ଆଣେ । ଚାଟଶାଳୀ ତ ଯାଇ ପାରିବନି । ପ୍ରୌଢ଼ ଶିକ୍ଷା କେନ୍ଦ୍ରରୁ ଦି’ଅକ୍ଷର ଶିଖି ଭାଗବତ ପାଠ କରତ କୃତାର୍ଥ ହୋଇଯିବ । ଭାଗବତ ହେଉଛି ଆମ ଓଡ଼ିଆ ଜୀବନର ବେଦ ।
ଲୋକନାଥ ଭାଗବତ ପୋଥିକୁ ଗାଦିରେ ରଖିଦିଏ । ପୋଥି ବସିଲା ବେଳେ ରୁଖା ଉପରେ ଦୀପଟିଏ ତେଜି ଲୋକନାଥର ଭାଗବତ ପଢ଼ାକୁ ଲୋକମାନେ ରୁଣ୍ଡ ହୋଇ ଶୁଣୁଥାଆନ୍ତି । ପୋଥି ବସେ ଓ ପୋଥି ଉଠେ । ଭାଗବତ ଗୋସେଇଁଙ୍କ ଗାଦିକୁ ସମସ୍ତେ ମୁଣ୍ଡିଆ ମାରନ୍ତି ଓ ଘରକୁ ବାହୁଡ଼ନ୍ତି ।
ନ୍ୟାୟନିଶାପ ଦିନ ଲୋକେ ଜମା ହୁଅନ୍ତି ।
ଭାଗବତ ରାଣଖାଇ ମିଛ କହିବାର ସାହସ କାହାର ନ ଥିଲା । ଦଣ୍ଡ, କ୍ଷମା, ଜୋରିମାନା ସବୁ କିଛି ଭାଗବତ ଗୋସାଇଁ ନାଁରେ କରାହୁଏ । ‘ପୋଥି ଗୋସେଇଁ’ ଛୁଇଁ ମିଛ କହିଲେ, ନର୍କରେ ଘାଣ୍ଟି ହେବ । କଳିକଜିଆ ଲାଗିଲେ, ବାଡ଼ଡ଼େଇଁ ଓଲେଇ ଗାଈ କାହା ଫସଲ ଖାଇଲେ, କାହା ବାଡ଼ିରୁ ପଣସ, କଖାରୁ ଚୋରି ହେଲେ, କାହାର ହଳ, ଲଙ୍ଗଳ, ଧାନ କଳେଇ ଚୋରିହେଲେ, କିଏ ନିଜ ଘୁଷୁରୁଥିବା ବୁଢ଼ା ବାପ ଓ ବୁଢ଼ୀମା’ଙ୍କୁ ଗଣ୍ଡେ ଖାଇବାକୁ ନ ଦେଲେ, ଭାଇଭାଇ ଭିତରେ ଭିନ୍ନେ ହୋଇ ବାପଡ଼ିହ ଓ ବିଲବାଡ଼ି ବଣ୍ଟାବଣ୍ଟିରେ ଓଲମ ବିଲମ ହେଲେ ଗାଁ ମୁରବି ପାଖକୁ ଆସେ ଫଇସଲା ପାଇଁ । ଗାଁ ମୁରବି ଅନ୍ୟ ଚାରିଜଣ ପ୍ରତିନିଧିଙ୍କୁ ଧରି ଭାଗବତ ଗୋସେଇଁଙ୍କୁ ସାକ୍ଷୀ ରଖି ବିଚାର କରନ୍ତି । ଦୁଇପକ୍ଷଙ୍କ ସତ ଛଡ଼ା ମିଛ କହିବାକୁ ଜିଭ ଲେଉଟୁ ନ ଥିଲା । ଠିକ୍ ଠିକ୍ ବିଚାର କରି ଝଗଡ଼ା ମେଣ୍ଟାଇ ଦେଉଥିଲେ । କେହି ପଞ୍ଚାୟତର ନିଷ୍ପତ୍ତିରୁ ଓହରି ଯାଉନଥିଲେ । ଏକ ଘରକିଆ ହେବା, ନିଅାଁ ପାଣି ବାସନ୍ଦ ହେବା, ଧୋବା ଭଣ୍ଡାରି ଘାଟିଆ ହଳିଆଙ୍କ ସେବାରୁ ନିବୃତ୍ତ ହେବା ଭୟରେ । ଇଆଡ଼େ ପୋଥି ଗୋସେଇଁଙ୍କ ରାଣ ଖାଇଛନ୍ତି ପରା । ଏଇ ଭାଗବତ ଘର ହେଉଛି ନୈଶ ବିଦ୍ୟାଳୟ, ଗାଁର ବିଚାରାଳୟ, ପୁରାଣ ପାଠ ଘର ଓ ଆଦର୍ଶ ମଣିଷଟେ ହେବା ପାଇଁ ନୀତିବାଣୀର ଗନ୍ତାଘର ।
ଦିନଯାକର ହାଡ଼ଭଙ୍ଗା ମେହେନତି ପରେ ସଂଜବୁଡ଼େ । ଭାଗବତ ଟୁଙ୍ଗୀରେ ଏକାଠି ଜମାହୋଇ ହସଖୁସିରେ ଭାଗବତ ବାଣୀ ଶ୍ରବଣ କରି ବାସୁଦେବ ଗୋସେଇଁଙ୍କୁ ମୁଣ୍ଡିଆ ମାରି ଭଗବତ୍ ଚେତନା ନେଇ ଘରକୁ ଫେରୁଥିଲେ । ହରିବୋଲ ହୁଳହୁଳିରେ ଭାଗବତ ଟୁଙ୍ଗି ଉଚ୍ଛୁଳି ଉଠୁଥିଲା । ଅକପଟ ଓ ମଧୁର ସ୍ନେହ ସମ୍ବନ୍ଧରେ ଗାଁ’ଟି ଆହ୍ଲାଦିତ ହେଉଥିଲା । ଗାଁର ଆଧ୍ୟାତ୍ମିକ ସ୍ପନ୍ଦନ ଥିଲା ଭାଗବତ ଟୁଙ୍ଗୀ ଓ ଲୋକେ ପ୍ରଣାମ କରୁଥିଲେ ଭାଗବତ ପ୍ରୟୋଗଶାଳା ଭାଗବତଟୁଙ୍ଗୀ ଓ ଗାଦି ଗୋସେଇଁକୁ । ଅତିବଡ଼ି ଜଗନ୍ନାଥ ଦାସଙ୍କୁ । ଅଧିକାଂଶ ନିରକ୍ଷର ହେଲେ ବି କିଛି କିଛି ଭାଗବତ ବାଣୀ ମନେ ରହିଯାଇଥିଲା ଲୋକମାନଙ୍କର । କେତେବେଳେ ଦରକାର ପଡ଼ିଲେ ଭଲମନ୍ଦ ବିଚାର କଲାବେଳେ ଗାଇ ଦଉଥିଲେ ପଦକୁ ପଦ ଓ ଖରାପ କାମରୁ ବିରତ ହେଉଥିଲେ ।
ବୀରମାଷ୍ଟ୍ର କହନ୍ତି : ଭାଗବତ ଘର ପ୍ରତ୍ୟେକ ଗାଁ ପାଇଁ ଆଶ୍ୱାସନା ଓ ବିଶ୍ୱାସର ପୀଠ । ସାମାଜିକ ଚଳଣିରେ ନୀତିନିୟମ ଓ ଆଦର୍ଶ ପ୍ରଚାରର ପ୍ରାଣକେନ୍ଦ୍ର । ଆମେ ଓ ଆମ ସମାଜ ଜୀବନ ହେଉଥାଏ ଶୃଙ୍ଖଳିତ, ସମନ୍ୱିତ, ସୁସଂହତ ଓ ସମୁନ୍ନତ । ଆମ ଭିତରେ ମଣିଷ ପଣିଆ ଜାଗ୍ରତ ହୁଏ । ଗାଦି ଗୋସେଇଁଙ୍କ ଆଶୀର୍ବାଦ ଆମ ଗାଁ ଲୋକଙ୍କ ଉପରେ ଜୀବନର ଶେଷ ନିଃଶ୍ୱାସ ଟିକକ ଥିବା ପର୍ଯ୍ୟନ୍ତ ଥାଉ । ହେ ପ୍ରଭୁ! ଏହି ଭାଗବତ ପଢ଼ାରୁ, ଶୁଣିଶୁଣି ଆମେ ସାକ୍ଷର ଓ ସ୍ୱାକ୍ଷର ହୋଇଥାଇଁ । ଏଇଠି ମିଳେ ନିର୍ମଳ ବିଚାର । ଏହାର ଭାଷା ଅତି ସରଳ, ସହଜ, ପ୍ରାଞ୍ଜଳ, ଭାବଗମ୍ଭୀର ମନେ ହୁଏ । ଏଥିରେ ଆଦର୍ଶ ଓ ନୀତିପୂର୍ଣ୍ଣ ଜୀବନ ବିତାଇବାକୁ ଅଛି ଅସୁମାରି ନୀତିବାଣୀ । ଆମ ପାଇଁ ନୈତିକ ଓ ଶୃଙ୍ଖଳିତ ମୂଳଦୁଆ ପକାଇ ସୁସଂହତ କରେ । ମାନସିକ ଶାନ୍ତି, ବୌଦ୍ଧିକ ତୃପ୍ତି ଦିଏ । ସୁସ୍ଥ ସମାଜ ଗଠନ ପାଇଁ ପ୍ରେରଣା ଦିଏ । ଆତ୍ମିକ ସୂତ୍ରରେ ଆମକୁ ପ୍ରଗାଢ଼ ଭାବରେ ବାନ୍ଧି ରଖେ । ଅନ୍ତୁଡ଼ିଶାଳେ ଆଶୀର୍ବାଦ ପାଇଁ ଭାଗବତ । ମରଣ ବେଳେ ବୈକୁଣ୍ଠକୁ ଯିବା ପାଇଁ ଭାଗବତ ।
ହରିବୋଲ, ହରିବୋଳ ଧ୍ୱନି କରି ବୀରମାଷ୍ଟ୍ର ଉଠନ୍ତି । ରୁଣ୍ଡ ହୋଇଥିବା ଲୋକମାନେ ଯେଝା ଘରକୁ ଯାଆନ୍ତି । ଭାଗବତ ଘରେ କୋଲପ ପକାଇ ଲୋକନାଥ ନିଜ କୋଡ଼ ପୋଛା ପୁଅକୁ କାଖେଇ ଲଣ୍ଠନଟେ ଧରି ବାଉଁଶ ମୂଳି ଠେଙ୍ଗାକୁ ଭୂଇଁରେ ବାଡ଼େଇ ଅନ୍ଧାରକୁ ଆଡ଼େଇ ଆଡ଼େଇ ପାଦଚଲା ରାସ୍ତାରେ ପାହୁଣ୍ଡ ପକାଇ ନିଜ ଘରକୁ ଯାଏ । ପିଣ୍ଡାରେ ତାରା ସୁନ୍ଦରୀ ଡିବି ଜାଳି ଅନେଇଥାଏ । ଲୋକନାଥଙ୍କ କାଖରୁ ପୁଅକୁ ନେଇ ଖୁଆଇଦିଏ ଓ କନ୍ଥା ପକେଇ ଶୁଆଇ ଦିଏ । ଳୋକନାଥ ପଖାଳ ବେଲା ପାଖରେ ବସିପଡ଼େ । ତାପରେ ତାରା ବେଲେ ପଖାଳ ଧରି ଶାଶୂଙ୍କ ସାଥିରେ ବସେ । ଅଇଁଠା ବାସନ ପକେଇ ରଖେ ସକାଳେ ମାଜିବା ପାଇଁ ବାସନମଜା ପଥର କୁଣ୍ଡ ପାଖରେ । ଡିବି ଲିଭିଯାଏ । ଲଣ୍ଠନ ଲିଭିଯାଏ । ଚାରିଆଡ଼େ ନିରନ୍ଧ୍ର ଅନ୍ଧାର । ଅନ୍ଧାରରେ ହାତ ବୁଲାଇ ଖୋଜେ ପୁଅକୁ । ତାରାର ହାତ ବାଜେ ଲୋକନାଥର ପିଠିରେ । ଲୋକନାଥ ତାରା ଆଡ଼କୁ କଡ଼ ଲେଉଟାଏ । ଅନ୍ଧାରରେ ସବୁ ଯେମିତି ଜଳ ଜଳ ହୋଇ ଦିଶିଯାଏ ।
ଭାଗବତ ଗୋସେଇଁଙ୍କ ଦୟାରୁ ଲୋକନାଥର ଝିଅଟେ ଜନମ ହେଲା । ଲୋକନାଥ ଝିଅର ନାଁ ଦେଲା ପଦ୍ମା ।
ଗାଁରେ ଭାଗବତ ପଢ଼ା ଚାଲିଥାଏ ଲୋକନାଥର । ବେଳ ହେଲେ ଲୋକନାଥ ଥିଲା ବାଲା ଘରକୁ ଯାଇ ପୁରାଣ ପଢ଼େ । କାର୍ତ୍ତିକ ମାସରେ ଗାଁର ବିଧବା ମେଳରେ ବସି ଓସ୍ତଗଛ ଛାଇରେ ନହେଲେ ମନ୍ଦିର ପ୍ରାଙ୍ଗଣରେ ଲୋକନାଥ କାର୍ତ୍ତିକ ମାହାତ୍ମ୍ୟ ପଢ଼ି ଦି’ ପଇସା ଭିଆଏ ।
ଭାଗବତ ବଡ଼ ହେବାରେ ଲାଗିଛି । ବାପାକୁ ନ ପଚାରି ନିଜେ ଯାଇ ଭାଗବତଘର ଓଳଉଛି । ଚାରିପଟ ଅରଣା ବଣବୁଦା ସଫା କରୁଛି । ଚଉତରାରୁ ଧୂଳି ଝାଡ଼ୁଛି । ଇସ୍କୁଲ ହତାରୁ ଟଗର, ମାଳତୀ, କନିଅର, ତରାଟ ଫୁଲ ଚାଙ୍ଗୁଡ଼ିଏ ତୋଳି ଆଣୁଛି । ଲୋକନାଥ ଦେଖେ । ପୁଅକୁ କିଛି କୁହେନି । ଭଲ କାମ ତ କରୁଛି । ବୀର ମାଷ୍ଟ୍ର ବାଟରେ ଘାଟରେ ଦେଖାହେଲେ କହନ୍ତି : କିରେ ଲୋକନାଥ, ତୋ ପୁଅ ପାଠ ତ ଭଲ ପଢ଼ୁଛି । ପ୍ରାଇମେରୀ ସ୍କୁଲରେ ପ୍ରଥମ ହୋଇ ମାଇନରକୁ ଗଲା । ପଇସାପତ୍ର ସଞ୍ଚୟ କରି ରଖିଥା । ପୁଅ ତୋର ଆହୁରି ଭଲ ପଢ଼ିବ । ଲୋକନାଥ କୁରୁଳି ଉଠେ ଖୁସିରେ । ହାତ ଯୋଡ଼େ ଭାଗବତ ଗୋସାଇଁଙ୍କୁ । ଭାଗବତ ସଳଖ ଗଛରେ ଚଢ଼ିଯାଏ ଅଗ ପର୍ଯ୍ୟନ୍ତ । ନଈର ଏ କୁଳରୁ ସେକୁଳ ପହଁରେ । ନାମ ସଂକୀର୍ତ୍ତନ ହେଲେ ଭଜ ନିତେଇ ଗୌର ରାଧେଶ୍ୟାମ ଗାଇ ରାତି ପୁହାଇ ଦିଏ । ବାପାକୁ ବିଲବାଡ଼ି କାମରେ, ହାଟ ପାଳି ବିରି ମୁଗ କୋଳଥ ବ୍ୟବସାୟରେ ସାହାଯ୍ୟ କରେ । ମା’ର ରୋଗ ବଇରାଗ ହେଲେ ପାଖ ଡାକ୍ତରଖାନାରୁ ଔଷଧ ଆଣେ ।
ଲୋକନାଥର ପୁଅ ମାଟ୍ରିକ୍ ପାସ୍ କଲା ଓ ଗାଁର ଚିତ୍ର ବି ଧୀରେ ଧୀରେ ବଦଳିଗଲା । ପୁଅକୁ ପ୍ଲସ୍ ଦୁଇ ପଢ଼ାଇଲା ଗାଁ ପାଖ କଲେଜରେ ନିଜ ସୀମିତ ରୋଜଗାରରେ । ଆଉ ଆଗକୁ ପଢ଼ାଇ ପାରିବା ପାଇଁ ଲୋକନାଥର ସାହସ ହେଉନଥାଏ । ବାପାର ଅବସ୍ଥା ଭାଗବତ ବୁଝିସାରିଲାଣି । ବାପାକୁ ନକହି ଭାଗବତ ସୈନ୍ୟ ବିଭାଗରେ ଚାକିରି ପାଇଁ ଆବେଦନ କଲା । ଭାଗବତ ଆର୍ମିରେ ଚାକିରି ପାଇଗଲା ଗୋଟେ ଚାନ୍ସରେ । ଭାଗବତର ପାଠ, ସାଧାରଣ ଜ୍ଞାନ, ଖେଳ, କସରତ ସବୁଥିରେ ଭଲ ହେଉଥିଲା । ଭାଗବତ ମା’ର ପୁଆଣିରେ ଆସିଥିବା ଦସ୍ତାଟ୍ରଙ୍କ୍ରୁ ପୁରୁଣା କସ୍ତା କେତେଖଣ୍ଡ ବାହାର କରି ନିଜ ପୋଷାକ ପତ୍ର, ବହିଖାତା, ବୁଢ଼ୀମା’ ଦେଇଥିବା ଆଚାର ଡବା, ଚୁଡ଼ା, ଛତୁଆ, ଉଖୁଡ଼ା, ଚୁଡ଼ାମୁଅାଁ ଭର୍ତ୍ତି କଲା । ଲୋକନାଥ ଦସ୍ତା ଟ୍ରଙ୍କ୍କୁ ମୁଣ୍ଡାଇଲା । ଦାଣ୍ଡ ମଝିରେ ବୁଢ଼ୀ ମା’, ବୋଉ ଓ ସାନଭଉଣୀ କାନ୍ଦୁଥିଲେ । ସନା ଦଳେଇ ଭାଗବତର ପଛେ ପଛେ ଆସୁଥିଲା : ତମେ ଏଠି ଚାକିରି ନ କରି, ସୈନ୍ୟ ବିଭାଗରେ ପଶିଲ । ଭାଗବତ ବୁଝଉଥିଲା : ଦେଶର ସୀମା ଜଗି, ଦେଶ ମାତୃକାରେ ସେବା କରିବା, ସବୁଠାରୁ ମହନୀୟ କାର୍ଯ୍ୟ ।
ସେ କହିପାରୁନଥିଲା ମୋ ବାପାର ଏତେ ଟଙ୍କା ନାଇଁ ଉଚ୍ଚ ସୋପାନରେ ପାଠ ପଢ଼େଇବାକୁ । ଆମ ଜାତିରେ ଏଠି ଚାକିରି ମିଳିବା ସାତ ସପନ । ସେଥିରେ ପୁଣି ବଢ଼ିଲା ଭଉଣୀର ବାହାଘର ଖର୍ଚ୍ଚ । ଯଦିଓ ଗାଁ ଭାଗବତ ଟୁଙ୍ଗୀରେ ନଥିଲା ଜାତି ଜାତକର ଭେଦଭାବ ।
ଗାଁର ଚିତ୍ରପଟରେ ପରିବର୍ତ୍ତନ ଆସିଯାଇଛି । ଲୋକନାଥ ଦସ୍ତାଟ୍ରଙ୍କ ଧରି ଦେବଦାରୁ ଗଛ ମୂଳେ ନାଗୁଲିକର ଘର ତଳ ପାହାଚରେ ଠିଆ ହୋଇଛି । ଘୁଁ ଘୁଁ ହୋଇ ମଟରଗାଡ଼ି ଆସିଗଲା । ଲୋକନାଥ ମୁଣ୍ଡରୁ କ୍ଲିନର ଦସ୍ତା ଟ୍ରଙ୍କ ନେଇ ମଟର ଗାଡ଼ିର ଛାତ ଉପରେ ଥୋଇଦେଲା । ଭାଗବତ ଲୋକନାଥର ପାଦ ଛୁଇଁଲା ଓ ଭାଗବତ ଟୁଙ୍ଗୀ ଆଡ଼େ ଅନେଇ ହାତଯୋଡ଼ିଲା । ମଟର ଗାଡ଼ି ଆଗକୁ ଗଡ଼ିଲା ।
: ଭାଗବତର ଜନ୍ମ ସମୟରେ ଭାରତ ଓ ଚୀନ ଭିତରେ ଘମାଘୋଟ ଲଢ଼େଇ ହେଉଥିଲା । ଯୁଦ୍ଧରେ କେଉଁ ଭାରତୀୟ ମୃତ ସୈନିକର ଅମୋକ୍ଷ ଆତ୍ମା ତୋ’ ଘରେ ଭାଗବତ ହୋଇ ଜନ୍ମନେଲା । ବୁଝିଲୁ ଲୋକନାଥ । ମନ ଶାନ୍ତ କର । ଅବୁଝା ହଅନି । ତୋ ପୁଅ ଦେଶର, ଗାଁର ସମସ୍ତଙ୍କର ନାଁ ରଖିବ । ସେ ପରା ଭାଗବତ । ମର୍ତ୍ତ୍ୟ ରୂପକ ନର୍କରୁ ସମସ୍ତଙ୍କୁ ମୁକ୍ତି ଦେବ । ବୀର ମାଷ୍ଟ୍ରଙ୍କ କଥା କହିବାର ଶୈଳୀ ଏଇମିତି । ଲୋକନାଥ ବୀରମାଷ୍ଟ୍ରଙ୍କ ପିଠି ଆଉଁଶା ପାଇ ଭାଗବତ ଟୁଙ୍ଗୀ ଆଡ଼କୁ ଯାଉଥିଲା ।
ଭାଗବତ ସୀମାନ୍ତ ପ୍ରହରୀରେ ମୁତୟନ ହେଲା । ବଙ୍କର ହେଉଛି ତା’ର ଘର । ଦିନ ରାତି ଚବିଶ ଘଣ୍ଟା ସୀମାନ୍ତକୁ ଜଗେ । ବାଇନା କୁଲରରେ ଆଗକୁ ଦେଖେ । କୁହୁଡ଼ିଆ ଜଙ୍ଗଲ, ପଥର, ପାହାଡ଼, ଝରଣା ଓ ଆତଙ୍କବାଦୀଙ୍କ ଅନୁପ୍ରବେଶ । ଛାୟାଯୁଦ୍ଧ । ତିନି ଚାରିଘଣ୍ଟା ଅନବରତ ଗୁଳି ଓ ମୋର୍ଟାର ମାଡ଼ । ସୀମାନ୍ତ ଗାଁରେ ଘରର କାନ୍ଥସବୁ ଧ୍ୱସ୍ତ ବିଧ୍ୱସ୍ତ । ନିରୀହ ପ୍ରଜାମାନଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତର । ସେଇ ବଙ୍କରରେ ଶୁଖିଲା ଖାଦ୍ୟ ଖାଇ, ଝରଣାର ପାଣି ପିଇ ସ୍ୱୟଂଚାଳିତ ଷ୍ଟେନଗନ, ଲାଇଟ ମେସିନଗନ, ଟେଲିଷ୍ଟୋପିକ ଏକେ ୪୭, କାଲାସ୍ନିକୋଭ ରିଭଲଭର, ଛୁରୀ, ମିଜାଇଲ ଓ ବାରୁଦ ଗନ୍ଧରେ ଜୀବନକୁ ଜୀଇଁବାକୁ ପଡ଼େ । ପ୍ରତି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ । ବଙ୍କରରେ ତା ପାଖରେ ମଜହର ସିଦ୍ଦିକ୍ । ସିଦ୍ଦିକ୍ର ଆବା ସ୍ୱାଧୀନତା ସଂଗ୍ରାମୀ ଥିଲା ଓ ସେମାନେ ବେଲୁଚିସ୍ଥାନର କ୍ୱେଟାରେ ରହୁଥିଲେ । କ୍ୱେଟାରେ ରହୁଥିବା ହିନ୍ଦୁ ପରିବାରମାନଙ୍କ ଘର ଜାଳିଦେଲେ ପାସ୍ତୁନ୍ମାନେ । ପ୍ରାୟ ଅଧିକାଂଶ ହିନ୍ଦୁଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ ଓ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଇ ଖଣ୍ଡାରେ କାଟି ପକାଇଥିଲେ ଅଙ୍ଗପ୍ରତ୍ୟଙ୍ଗ । ସିଦ୍ଦିକ୍ର ଆବା ନିଜ ପରିବାର ସହ ଓ ପଡ଼ୋଶୀ ଶ୍ୟାମଲାଲର ପରିବାରକୁ କ୍ୱେଟାରୁ କରାଚି ଓ ସେଠୁଁ ବୋଟରେ ଗୁଜରାଟ ନେଇ ଆସିଥିଲେ । କ୍ୱେଟାର ପ୍ରାୟ ସମସ୍ତ ହିନ୍ଦୁ ନିଶ୍ଚିହ୍ନ ହୋଇଯାଇଥିଲେ । ସିଦ୍ଦିକ୍ର ଆବା କୁହନ୍ତି, ପାକିସ୍ତାନ ସୃଷ୍ଟି ହୋଇଛି ଜଣେ ବ୍ୟକ୍ତିର ଅହଂକାରରୁ । ମଜହରର ପରିବାର ରୁହନ୍ତି ସୁରତରେ । ଶ୍ୟାମଲାଲ ମଜହରକୁ ଧରମ ପୁଅ କରିଛି । ମଜହର ପଶ୍ଚିମଦିଗକୁ ଚାହିଁ ନମାଜ ପଢ଼ିଲାବେଳେ ଭାଗବତ ପୂର୍ବଦିଗକୁ ବସି ଭାଗବତ ଗୀତା ପଢ଼େ । ମଜହର ଆଲ୍ଲା ହୋ ଆକବର ବଡ଼ ପାଟିରେ କହିଲା ପରେ ଭାରତମାତା କି ଜୟ ଚିକ୍ରାରରେ ଗୁଳି ଫୁଟାଏ ଶତ୍ରୁ ଆଡ଼କୁ । ଭାଗବତ ଜୟ ଶ୍ରୀରାମ କହିଲା ପରେ ଭାରତ ମାତା କି ଜୟ ଚିକ୍ରାରରେ ମୋର୍ଟାର ମାଡ଼ କରେ ଶତ୍ରୁ ଦେଶର ବଙ୍କରକୁ ।
ଗାଁରୁ ଲୋକନାଥର ଚିଠି ଆସିଛି । ମେସେଞ୍ଜର ଦେଇଯାଇଛି । ଭାଗବତ ବଙ୍କରରେ ବସି ଚିଠି ଖୋଲିଲା : ଶ୍ରଦେ୍ଧୟ ଭାଗବତ, ଆମର ଆଶୀର୍ବାଦ ନେବୁ । ଏଥର ଧାନ ଅମଳ ବେଳ ହେଲାଣି । ମୁଗ, ବିରି ଭଲ ଅମଳ ହେବ । ଆଉ ସବୁ ଭଲ । ବୁଢ଼ୀମା’ ଗୁଡ଼ାଖୁ ଘଷି ଘଷି ମରିବାକୁ ବସିଲାଣି । ଡାକ୍ତର କହିଛି ଲାଷ୍ଟ ଷ୍ଟେଜ୍ କ୍ୟାନସର । ଆଉ ସବୁ ଭଲ । ବାରିପଟେ କଦଳୀପୁଆ ଲଗେଇକି ଯାଇଥିଲୁ, ସେଥିରେ ନୂଆ ନୂଆ ଭଣ୍ଡା ହେଲାଣି । ଆଉସବୁ ଭଲ । ନେତ ଏଥର ଗୁହାଳ ଘରେ ଚନ୍ଦ୍ର ଉଦିଆ କଅଁଳା ବାଛୁରୀ ବେଇଲା । ଆଉ ସବୁ ଭଲ । ବୀରମାଷ୍ଟ୍ରର ଝିଅ ରସବତୀ ମନମାରି ଘର ପିଣ୍ଡାରେ ବସୁଛି । ଆଉ ସବୁ ଭଲ । ତୁ ଆସିଲେ, ହାତକୁ ଦି’ହାତ ହେବ । ଗାଁ ଭାଗବତ ଘରକୁ ସରକାର କିଛି ଅର୍ଥ ସାହାଯ୍ୟ ଦେଇଛନ୍ତି । ନଡ଼ାଛପର କଢ଼ା ହୋଇ ଆଜବେଷ୍ଟସ ହେବ । ସାତଭାୟା ହନୁମାଙ୍କଡ଼ଙ୍କ ଉତ୍ପାତ ଗାଁରେ ବଢ଼ିଯାଇଛି । କିଛି ରଖେଇ ଥୋଇ ଦେଉନାହାନ୍ତି । ସବୁ ଫଳ ପରିବା ଖାଇ ଯାଉଛନ୍ତି । ତୋ ମା’ ତୋତେ ଝୁରି ହେଉଛି । ମୋ କଥା ଛାଡ଼ । ଆଉ ସବୁ ଭଲ । ଇତି ତୋର ବାପା :
କିଛି ଅନୁପ୍ରବେଶକାରୀ ଓ ଶତ୍ରୁ ଦେଶର ସୈନ୍ୟଙ୍କୁ ମାରିଲା ପରେ ସୀମାନ୍ତ ଆପାତତଃ ଶାନ୍ତ ହୋଇଛି । ଭାଗବତକୁ ଛୁଟି ମିିଳିଯାଇଛି ଓ ସେ ପୁଞ୍ଚ୍ ସେକ୍ଟରରୁ ବାରମୂଳା ଦେଇ ଶ୍ରୀନଗର ଆସିଛି । ଶ୍ରୀନଗରର ଆର୍ମି ବାରାକ୍ରୁ ଆର୍ମି ଗାଡ଼ିରେ ଜାମ୍ମୁ ଓ ଜାମ୍ମୁରୁ ଟ୍ରେନ୍ରେ ଦିଲ୍ଲୀ । ଦିଲ୍ଲୀରୁ ଟ୍ରେନ୍ରେ ଆସି ଗାଁ ପାଖ ଷ୍ଟେସନରେ ଓହ୍ଲାଇ ଅଟୋରେ ଆସି ଘର ପିଣ୍ଡାରେ ଠିଆ ହୋଇଛି ।
ଗାଁକୁ ଭାଗବତ ଆସିବାର ପରଦିନ ହିଁ ଦୁଁଛେଇଙ୍କ ପାଖରେ ନିର୍ବନ୍ଧ ହେଲା । ବୀର ମାଷ୍ଟ୍ରେ ଜଗନ୍ନାଥଙ୍କୁ ସାକ୍ଷୀ ରଖି କନ୍ୟା ଦାନ କରିବେ ବୋଲି ଲୋକନାଥକୁ କଥା ଦେଲେ । ଆଉ ଦଶଦିନରେ ବାହାଘର । ରସବତୀ ବୋହୂ ହୋଇ ଲୋକନାଥ ଘରକୁ ଆସିଲା । ରସବତୀ କୁଅାଁରପୂନେଇ ଓଷା ମାସଯାକ କରିଥିଲା ଚନ୍ଦ୍ରଉଦିଆ ବରଟେ ପାଇବ ବୋଲି । ବୀର ମାଷ୍ଟ୍ରେ ଅଳ୍ପ ବହୁତେ ଯାହା ଦେଲେ ମନକୁ ପାଇଲା ଭଳି । ତେବେ ବୀରମାଷ୍ଟ୍ରେ ଗୋଟେ ଦୁହାଁଳିଆ ଗାଈ, ଗୋଟେ ଦାମୁଡ଼ି, ଚାରିଟା ମେଣ୍ଢା ଓ ନଈକୂଳିଆ ଦୋ ଫସଲି ଜମି ଦିଗୁଣ୍ଠ ଅତି ଖୁସିରେ ମଧ୍ୟ ଦେଲେ ।
ଗାଁଲୋକଙ୍କୁ ଭୋଜି ଦେଲାବେଳେ ବି ବୀର ମାଷ୍ଟ୍ର ପାଞ୍ଚଣ ହଲେଇ ହଲେଇ କହୁଥାଆନ୍ତି, ପେଟ ପୂରେଇ ଖା । ପଛରେ କହିବୁନି ପେଟ ଅପୂରା ରହିଗଲା ବୋଲି । ଭାଗବତର ମଧୁଶଯ୍ୟା ସରିଯାଇଛି । ଭାଗବତ ଘରେ ସନ୍ଧ୍ୟାବେଳେ ଭାଗବତ ପଢ଼ିଲା ବେଳେ, ଡାକବାଲା ଟେଲିଗ୍ରାମ୍ ଧରି ପହଞ୍ଚôଯାଇଛି । ସୀମାନ୍ତ ଅସ୍ଥିର । ତେଣୁ ଶୀଘ୍ର ଯିବାକୁ ହେବ । ମା’ କାନ୍ଦୁଛି ଗାଁ ଦାଣ୍ଡରେ ବୁଲି ବୁଲି । ରସବତୀ ଘରକୋଣରେ କାନ୍ଦୁଛି । ବୁଢ଼ୀମା’ ମରିବା ଉପରେ । ଲୋକନାଥ ଛାତିକୁ ପଥର କଲା । ଭାଗବତ ଆସିବାର ପଚିଶ ଦିନ ପରେ ସେ ପୁଣି ଚାଲିଗଲା । ନାଗୁଲି କର ଘର ଆଗରେ ଥିବା ଦେବଦାରୁ ଗଛ ପାଖରେ ନାଲି ମଟର ଗାଡ଼ି ରହିଲା । ଭାଗବତ ଚଢ଼ିଲା । ମଟର ଗାଡ଼ି ଆଗକୁ ଗଡ଼ିଲା । ମଟରଗାଡ଼ି ଅଦୃଶ୍ୟ ହେବା ପର୍ଯ୍ୟନ୍ତ ଲୋକେ ଚାହିଁ ରହିଥିଲେ । ଲୋକନାଥ ଲଥ୍ କରି ବସିପଡ଼ିଲା । ବୀର ମାଷ୍ଟ୍ରେ ଲୋକନାଥର କାନ୍ଧରେ ହାତ ପକେଇଲେ : ସମୁଦି । ଯୁଦ୍ଧ ତ ଏବେ ଆରମ୍ଭ ହେଲା ଦେଖିବ, ଆମ ଭାଗବତ ଶତ୍ରୁ ନିପାତ କରି ପୁଣି ଫେରି ଆସିବ ଗାଁକୁ ।
ଲୋକନାଥ ଘରକୁ ଫେରିଲା । ତାରା ସୁନ୍ଦରୀ କହିଲା । ବଡ଼ି ପାହାନ୍ତିଆରେ ବାରିପଟକୁ ପରିସ୍ରା ଗଲାବେଳେ ଅଲକ୍ଷଣା ପେଚାଟିଏ କରମଙ୍ଗା ଗଛ ଡାଳରେ ବସିଥିଲା ଯେ ହୁରୁଡ଼େଇ ଦେଲି । ମଟର ଗାଡ଼ି ଚଢ଼ିବା ପାଇଁ ଭାଗବତ ଦାଣ୍ଡକୁ ଓହ୍ଲାଇଲା ପରେ ଗୁହାଳ ଘରେ ଦି’ଟା କାଳି ବିଲେଇ ମ୍ୟାଉଁ ମ୍ୟାଉଁ ହୋଇ କଳି ଲାଗୁଥିଲେ । ରସବତୀ ଆସି ବାଡ଼ିରେ ଦି’ ପାହାର ଦେଲା ।
ବୀର ମାଷ୍ଟ୍ରେଙ୍କୁ ଏସବୁ କଥା ଜମା ଭଲ ଲାଗିଲାନି । ସେ ତୁରନ୍ତ ଭାଗବତର ଜାତକ ନେଇ ବିଲିପଡ଼ା ନାହାକ ପାଖକୁ ଧାଇଁଲେ । ଆଗକୁ କ’ଣ ଅଛି ଜାଣିବାକୁ ।
ଭାଗବତ ପହଞ୍ଚôଯାଇଛି ନିଜ ବଙ୍କରରେ । ସୀମାନ୍ତରେ ଅନବରତ ଗୁଳି, ମୋର୍ଟାର ଓ କୁହୁଡ଼ିଆ ଧୂଅାଁ । ଛଅ ଘଣ୍ଟା ଅବିଶ୍ରାନ୍ତ ଗୁଳି ଓ ମୋର୍ଟାର ମାଡ଼ କଲାପରେ ଭାଗବତ ଦେଖିଲା ଜଙ୍ଗଲି ବୁଦାମୂଳେ ତିନି ଅନୁପ୍ରବେଶକାରୀ ସୀମାନ୍ତ ତାରବାଡ଼ ଡେଇଁବାକୁ ଅପେକ୍ଷାରେ ଅଛନ୍ତି । ଅସ୍ପଷ୍ଟ ଦେଖାଯାଉଛି । ସିଦ୍ଦିକ୍ର ବନ୍ଧୁକ ସେମାନଙ୍କୁ ଲକ୍ଷ୍ୟ ରଖିଛି । ସିଦ୍ଦିକ୍ର ଗୁଳି ମାଡ଼ରେ ଦୁଇଟି ଅନୁପ୍ରବେଶକାରୀ ଟଳି ପଡ଼ିଲେ ଓ ଆଉ ଜଣେ ସୀମାନ୍ତ ତାରବାଡ଼ ଡେଇଁ ଭିତରେ ପଶି ଜଙ୍ଗଲରେ ଅଦୃଶ୍ୟ ହୋଇଗଲା । ସ୍ଲିପର ସେଲ ଦ୍ୱାରା ବର୍ତ୍ତମାନ ସିଏ ସୁରକ୍ଷିତ ଜାଗାକୁ ଚାଲିଯାଇଥିବ ଦେଶରେ ଆତଙ୍କ ସୃଷ୍ଟି କରିବାକୁ । ମୋର୍ଟାର ମାଡ଼ରେ ବଙ୍କର ବିଧ୍ୱସ୍ତ । ମଜହରକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଆର୍ମି ହସ୍ପିଟାଲକୁ ପଠାଯାଇଛି । ଭାଗବତର ପତ୍ତା ମିଳୁନି । ସୀମାନ୍ତରୁ ନିଖୋଜ ହୋଇଯାଇଛି । ପାଞ୍ଚଜଣ ମୃତ ସୈନିକ ମଧ୍ୟରେ ଭାଗବତ ନାହିଁ । ସେମାନଙ୍କୁ ଏବେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସେମାନଙ୍କ ଜନ୍ମସ୍ଥାନକୁ ପଠାଯିବ । ତୋପ ସଲାମୀ ଦିଆଯିବ । ନେତାମାନେ ଭାଷଣ ଦେବେ । ସହିଦ ଅମର ରହେ ସ୍ଲୋଗାନ୍ରେ ଗଗନ ପବନ ପ୍ରକମ୍ପିତ ହେବ ।
ତେବେ ଭାଗବତ ଗଲା କୁଆଡ଼େ? ଶତ୍ରୁଦେଶ ଭାଗବତକୁ ବୋଧେ ବନ୍ଦୀ କରି ଦେଲେ । ତାକୁ ମୁକ୍ତି କରିବାପାଇଁ ବାହ୍ୟଚାପ ପଡ଼ିପାରେ । ଶତ୍ରୁ ଦେଶର ମୃତ ସୈନିକଙ୍କ ଶବ ପଡ଼ିରହିଛି । ସେମାନେ କବର ଦେବାପାଇଁ ଉଠାଉ ନାହାନ୍ତି ।
ଭାଗବତ ନିଖୋଜ ହେବାର ଦଶମାସ ହୋଇଗଲା । ଲୋକନାଥ ପୁଅକୁ ଝୁରିଝୁରି ଆଡ଼ବାୟା ହୋଇଯାଇଛି । ରସବତୀର ଗର୍ଭକଷ୍ଟ ହେଲା ଓ ପୁଅଟେ ଜନ୍ମ ହେଲା । ସେତିକିବେଳେ ବୁଢ଼ୀମା’ କ୍ୟାନସରରୁ ମୁକ୍ତି ପାଇଲା । ଲୋକନାଥ ମୁଖାଗ୍ନି ଦେଲା । ଅଶୁଦ୍ଧ ବେଳାରେ ରସବତୀ ଓ ତା ପୁଅର ସବୁ କାମ ବୀରମାଷ୍ଟ୍ରେ ବୁଝିଲେ । ବୀର ମାଷ୍ଟ୍ରେ ନାତିର ନାଁ ଦେଇଛନ୍ତି ଉଦ୍ଧବ । ଏକେଇଶା ଦିନ ଷଠି ଦୁଁଚ୍ଛେଇ ପାଖରେ ବାଳଗୋପାଳି କରି ଗାଁର ଛୋଟ ବାଳୁତମାନଙ୍କୁ ଖିରି ଖେଚେଡ଼ି ଆଳୁ କଖାରୁ ବୁଟଡ଼ାଲି ଘାଣ୍ଟ ପରଷା ହୋଇଛି ।
ଲୋକନାଥ ସରକାରକୁ ଦରଖାସ୍ତ ଦେଇଛି । ଭାଗବତର ଖବର ଦିଅ, ଆମେ ଚାତକ ଭଳି ଚାହିଁଛୁ । ବୁଢ଼ା ବାପା ମାଆ ଭୁଆଶୁଣି ସ୍ତ୍ରୀ ଓ ଥନରେ ମୁହଁ ଲଗେଇଥିବା ଛୁଆ ବକଟେ, ପଦ୍ମାର ବାହା ବୟସ ଗଡ଼ିଯାଉଛି ।
ସୈନ୍ୟ ବିଭାଗରୁ ଚିଠି ଆସିଛି । ଭାଗବତ ନିରୁଦ୍ଦିଷ୍ଟ! ଯଦି ଭାଗବତ ଅନ୍ଧାର ଓ କୁହୁଡ଼ି ଧୂଅାଁରେ ସୀମା ପାର ହୋଇ ସଶସ୍ତ୍ର ଅନୁପ୍ରବେଶକାରୀକୁ ମାରିବା ପାଇଁ ବଙ୍କର ଡେଇଁ ଚାଲିଯାଇଥିବ । ତେବେ ଭାଗବତ ସେମାନଙ୍କୁ ମାରିଥିବ ନଚେତ୍ ଶତ୍ରୁ ଗୁଳିରେ ମରିଥିବ । ଯଦି ଫେରି ପାରିନଥିବ ତେବେ ଧରାପଡ଼ି ଅକଥନୀୟ ଯନ୍ତ୍ରଣା ଭୋଗୁଥିବ । ମୃତ ସୈନିକ ତାଲିକାରେ ଭାଗବତର ନାଁ ନାହିଁ ।
ମଜହର କେବଳ ଜାଣିଛି, ବଙ୍କର ଭିତରେ ଗ୍ରେନେଡ୍ ପଡ଼ିବା ଆଗରୁ ଭାଗବତ ବାହାରକୁ ଡେଇଁ ପଡ଼ିଥିଲା ଓ ଅନୁପ୍ରବେଶକାରୀଙ୍କ ଉପରେ କୁଦିପଡ଼ି ଦି’ଜଣଙ୍କ ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲା । ମଜହର ଡାହାଣ ଗୋଡ଼ କଟା ହୋଇଛି ଓ ସେ ଏବେବି ଆର୍ମି ହସ୍ପିଟାଲରେ ଚିକିତ୍ସା ହେଉଛି । ମଜହର କଥାକୁ ଲିପିବଦ୍ଧ କରାହେଲା । ସଞ୍ଜ ନଇଁ ଆସିଲେ ଆଡ଼ବାୟା ଲୋକନାଥ ଭଲ ମଣିଷ ପରି ଭାଗବତଗାଦିକୁ ପୂଜା କରି ପୋଥି ପଢ଼େ । ଜହ୍ନ ଖରାରେ ଗୋବର ଲିପା ଚଉତରାରେ ଗାଁ ଲୋକ ଶୁଣୁଛନ୍ତି ଭାଗବତର ଅମୃତବାଣୀ । ବୀର ମାଷ୍ଟ୍ର ଥୟ ଓ ଅଥୟର ସୀମା ସରହଦରେ ଗୁମ୍ ମାରି ବସିଛନ୍ତି । ଅଥୟ ହେଲେ ବୀର ମାଷ୍ଟ୍ର ଦାନ୍ତ କଡ଼ମଡ଼ କରି ଦୋ’ ଅକ୍ଷରି ଭାଷାକୁ ଗୁଣୁ ଗୁଣଉଛନ୍ତି ଓ ବଡ଼ ପାଟି କରୁନାହାନ୍ତି । ନଈ ସେପାରି ହାଟ ମାଳ ଗାଁର ପବନା ତିଆଡ଼ିର ପୁଅ ଚକରା ସାଥିରେ ପଦ୍ମାର ବାହାଘର ହେଇଗଲା । ଭାଗବତର ଅବର୍ତ୍ତମାନରେ ବାହାଘରଟା ପାଣିଚିଆ ଲାଗିଲା । ଗାଁ ଲୋକେ ଭାରି ସହଯୋଗ କଲେ । ରସବତୀ ଦୁଃଖକୁ ନିଜର କରି ବାହାଘର କାମତକ ତୁଲେଇ ପଦ୍ମାକୁ ବିଦା କଲା । ଭାଗବତକୁ ଝୁରି ଝୁରି ତାରା ସୁନ୍ଦରୀ ବୁଢ଼ୀ ହୋଇଗଲାଣି । ଖାଲି ଚମହାଡ଼ । ଦିହରେ ପଳଟେ ମାଉଁସ ନାହିଁ । ଭାଗବତ ନିରୁଦ୍ଦିଷ୍ଟ ହେବାର ବାରବର୍ଷ ହୋଇଗଲା । ଭାଗବତ ଘର ଆଗରେ ଥିବା ସଜନାଗଛ ପାଖରେ ଖଣ୍ଡେ ଛୋଟ ଜାଗାରେ ଭାଗବତର ପ୍ରତିମୂର୍ତ୍ତି ଗଢ଼ାହୋଇ ରଖା ହେଲା । ପ୍ରତିମୂର୍ତ୍ତିରେ ଫୁଲମାଳ ଦିଆହେଲା ଓ ଏଗାର ବର୍ଷର ଉଦ୍ଧବ ନିଜ ବୁଢ଼ାବାପା ଲୋକନାଥ ସାଥିରେ ଆସି ମୁଣ୍ଡିଆ ମାରେ ଓ ଭାଗବତ ପିଣ୍ଡାରେ ବସି ନଈବନ୍ଧକୁ ଚାହେଁ । ନଈଘାଟ ଆଡ଼କୁ ଅନେଇ ଥାଏ । କାଳେ ବାପା ଆସିବେ କି? ତେବେ ଉଦ୍ଧବ ବାପାର ଫଟୋ ଛଡ଼ା ବାପାକୁ ତ ସଶରୀରରେ ଦେଖିନି । ଉଦ୍ଧବକୁ ଲାଗିଲା ତାକୁ କିଏ ଆଉଁଶି ଦେଉଛି । କହୁଛି: ମୁଁ ତୋ ପାଖେ ପାଖେ ଅଛି । ନିର୍ଭୀକ ହ । ଆଗକୁ ମାଡ଼ିଚାଲ । ଈଶ୍ୱରଙ୍କ ଉପରେ ଭରସା ରଖ । ଭଲ ମଣିଷ ହ ।
ଏହାପରେ ଆଉ ଚାରିବର୍ଷ ବିତିଯାଇଛି । ଉଦ୍ଧବ ଦଶମ ଶ୍ରେଣୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ +୨ ପଢ଼ିବା ପାଇଁ କଲେଜ ଯାଉଛି । ଗାଁ ଦାଣ୍ଡରେ ଝିପିଝିପି ବର୍ଷା । ବୀର ମାଷ୍ଟ୍ର ଛତାଟେ ଧରି ଲୋକନାଥର ପଛେପଛେ ଦୌଡ଼ିଛନ୍ତି । ହାତରେ ଟେଲିଗ୍ରାମ୍ । ସୈନ୍ୟ ବିଭାଗରୁ ଆସିଛି ।
ଗାଁଲୋକ ରୁଣ୍ଡ ହେଲେଣି । ଟେଲିଗ୍ରାମ୍ରେ କ’ଣ ଲେଖା ହୋଇଛି ଯଦି ପଢ଼ାଯାଏ ତେବେ ଭାଗବତର ପ୍ରତିମୂର୍ତ୍ତିରେ ଲେଖାଥିବା “ବୀର ସହୀଦ । ଜନ୍ମ ୨୦.୧୦.୧୯୬୨, ତିରୋଧାନ… ।” ମିଛ ହୋଇଯିବ । ଭାଗବତର ନାଁ ବନ୍ଦୀ ତାଲିକାରେ ଅଛି ଓ ସେ କରାଚୀର ଜେଲ୍ ରୂପକ ମୃତୁ୍ୟ ଯନ୍ତାରେ ସଢ଼ୁଛି । ତେବେ କ’ଣ ଭାଗବତ ଫେରିବ? ଯଦି ଫେରିବ କେବେ? ଭାଗବତର ପ୍ରତିମୂର୍ତ୍ତିକୁ ହଟାଇ ଦିଆ ହେଲା । ଭାଗବତ ଏବେ ବି ଫେରିନି । ଲୋକନାଥ ଓ ତାରା ସୁନ୍ଦରୀ ସେପୁରକୁ ଚାଲିଗଲେଣି । ରସବତୀ ଓ ଉଦ୍ଧବ ଘରେ ରହିଛନ୍ତି ଭାଗବତର ଫେରିବାକୁ ଅନେଇ ଅନେଇ । ଶତ୍ରୁ ଦେଶର ବନ୍ଦୀଶାଳାରୁ କେହି କେବେ ଫେରିନି । ତଥାପି ଭାଗବତ ଘର ପିଣ୍ଡାରେ ବସି ରହିଛି ଉଦ୍ଧବ । ଦେଖିବାକୁ ନିଜ ବାପାକୁ । ଭାଗବତକୁ ।
ମୋ : ୯୪୩୭୮୨୨୯୧୬