ଆକାଶର ମୁକ୍ତ ଅଗଣାରେ ଡେଣା ମେଲି ଚଢ଼େଇ ହେଇ ଉଡ଼ୁଥିବା ପୁଅ ଡେଣା ଫଡ଼ଫଡ଼ କରି ପଚାରିଲା – କି ଘର ? କାହାପାଇଁ ଏ ଘର ? ତମ ବାପାବି ତମ ପାଇଁ ଏମିତି ମାଟି କାଦୁଅରେ ଏକ୍ ହୋଇ ଘର ଗଢ଼ିଥିଲେ । ତମେ କ’ଣ ସେ ଘର ମାୟାରେ ରହିପାରିଲ ? ମତେ ଆଉ ମାଟିକୁ ଫେରିବାକୁ ଡାକନା । ଏ ମାଟିରେ ଅଛି କ’ଣ ? ଥରେ ମାଟି ଛାଡ଼ି ଆକାଶମୁହାଁ ହେଲାପରେ, କୋଉ ଚଢ଼େଇ ଆଉ ମାଟିକୁ ଫେରିବାର ବୋକାମି କରେ ନା, ମୁଁ କରିବି ବୋଲି ତମେ ଆଶା କରୁଚ ! ମତେ ଆଉ ଡାକନା ।
ଟୁଆଁଟିଏ – ଟୁଇଁଟିଏ ।
ହୁଁଉ ।
ଟୁଆଁଗଲା ଛ’ ଗାଁ – ଟୁଇଁଗଲା ନ’ ଗାଁ ।
ହୁଁଉ ।
ଟୁଆଁ ଆଣିଲା ଚାଉଳ – ଟୁଇଁ ଆଣିଲା ବିରି ।
ହୁଁ ।
ଟୁଆଁ ଟୁଇଁ ଦିନେ ଜଙ୍ଗଲ ରାସ୍ତାରେ ଆସୁଥିବାବେଳେ ବାଘ ହାବୁଡ଼ରେ ପଡ଼ିଲେ ।
ନିର ! ଶୋଇ ପଡ଼ିଲୁକିରେ ?
ବାପା, ହାତ ମାରି ଦେଖିଲେ ଟୁଆଁଟୁଇଁ ଗପ ଶୁଣି ହୁଁ ମାରୁମାରୁ ନିରାକାର କେତେବେଳେ ତାଙ୍କ ଛାତି ଉପରେ ଶୋଇ ପଡ଼ିଚି । ସେ ତାକୁ ଆସ୍ତେ କରି ଛାତି ଉପରୁ କାଢ଼ି
ବିଛଣାରେ ଶୁଆଇ ଦେଲେ ଓ ନିଜେ ଶୋଇପଡ଼ିଲେ ।
ସେଦିନ ଟୁଆଁଟୁଇଁ ଗପ ସେଇଠି ଅଧା ରହିଲା ।
ତା’ପରଦିନ ରାତିରେ ପୁଣି ବାପାଙ୍କ କୋଳରେ ପଶିଯାଇ ନିରାକାର କହିଲା – ବାପା ! ଟୁଆଁଟୁଇଁ ବାଘମାମୁ ହାବୁଡ଼ରେ କାଲି ପଡ଼ିଥିଲେ । ତା’ପରେ ? ତା’ପରେ ବାପା କହିଲେ, ତୁ ତ ଠିକ୍ବେଳକୁ ଶୋଇ ପଡ଼ୁଚୁ । ମୁଁ ଗପ କହୁଥିବି, ତୁ ହୁଁଉ ମାରୁଥିବୁ । ତା’ହେଲେ ସିନା ଗପ ଶୁଣିବୁ ।
କ’ଣ ହେଲା ? ନିରାକାର କହିଲା – ଆଜି ମୁଁ ଜମ୍ମା ଶୋଇପଡ଼ିିବି ନାହିଁ । କୁହନା, ବାଘମାମୁ ହାବୁଡ଼ରେ ପଡ଼ି ଟୁଅାଁଟୁଇଁ କ’ଣ କଲେ ।
ବାପା କହିଲେ – ବାଘମାମୁ କହିଲା – ତମେ କିଏରେ ?
ଆମେ ଟୁଆଁ – ଆଉ ଟୁଇଁ । ବୁଝିଲୁ । ଟୁଆଁ ଟୁଇଁ ଡରିମରି ଏତିକି କହିଲେ ।
ବାଘମାମୁ କହିଲା – ତମେ କ’ଣ ନେଇକି ଯାଉଚ ?
ଟୁଆଁଟୁଇଁ କହିଲେ – ବିରିଚାଉଳ ନଉଚୁ – ପିଠା କରିବୁ । ବାଘମାମୁ ପଚାରିଲା, ମତେ ପିଠା ଦବ ?
ଟୁଆଁ ଟୁଇଁ କହିଲେ – ହଁ ବାଘମାମୁ । ତମେ ଆମ ଘରକୁ ଆସ । ଆମେ ତମ ପାଇଁ ବଢ଼ିଆ ବଢ଼ିଆ ଚକୁଳି ପିଠା କରି ଖାଇବାକୁ ଦବୁ ।
ବାଘମାମୁ ପଚାରିଲା – ସତ କହୁଚ ?
ଟୁଆଁଟୁଇଁ କହିଲେ – ଆଖି ଛୁଉଁଚୁ ।
ତା’ପରେ ? ତା’ପରେ କ’ଣ ହେଲା ବାପା ? ନିରାକାରର ସ୍ୱର କାନ୍ଦକାନ୍ଦ ଶୁଭୁଥିଲା ।
ବାପା କହିଲେ – ଡରୁଚୁକିରେ ଧନ ! ତତେ ପରା ଶିଖେଇଥିଲି – ବଣକୁ ଯିବୁ, କୋଳି ଖାଇବୁ – ବାଘମାମୁ ଆସିଲେ ଡରିବୁ ନାହିଁ । ତୁ ବାଘମାମୁଙ୍କୁ ଜମ୍ମା ଡରିବୁ ନାହିଁ । ମୁଁ ପା ଅଛି, ବାଘମାମୁ ତୋର କ’ଣ କରିବ ! ନିର ! ନିରରେ ! ଶୋଇପଡ଼ିଲୁ କି ଧନ !
ସେଦିନ ପୁଣି ଟୁଆଁଟୁଇଁ ଗପ ସେଇଠି ରହିଲା । ନିରାକାର ଶୋଇ ପଡ଼ିବା ପରେ ବାପା ବି ଶୋଇ ପଡ଼ିଲେ ।
ତା’ପରଦିନ ବାପା କୁଆଡ଼େ ଗଲେଯେ, କେତେ ରାତିରେ ଫେରିଲେ । ଗପ ଶୁଣିବ ଶୁଣିବ ବୋଲି ଚାହିଁଚାହିଁ ନିରାକାର ଶୋଇପଡ଼ିଲା ।
ତା’ପରଠୁ ଅନେକ ଦିନ ଅନେକ ରାତି ନିରାକାର ଅପେକ୍ଷା କରିଛି । ବାପା ଆଉ ଗପ କହିବାକୁ ଫେରିନାହାନ୍ତି । ଗପ ଶୁଣିବା ସେମିତି ଅଧା ରହିଗଲା । ବାପା, ଆକାଶର ତାରା ହେଇଗଲେ । ନିରାକାର ବଡ଼ ହେଲା । ଘର ସଂସାର କଲା ।
ନିରାକାରର ପୁଅଦିନେ ରାତିରେ ତା’ ପାଖରେ ଶୋଇ ଖୁଜ୍ବୁଜ୍ ହୋଇ କହିଲା – ବାପା – ଗପ କୁହ । ଗପକୁହନା ବାପା ।
ନିରାକାର ଚମକି ପଡ଼ିଲା ପୁଅର ଅଳି ଶୁଣି । ସେ ପୁଅକୁ ଛାତି ଉପରକୁ ଉଠେଇ ଆଣି କହିଲା – ଧନରେ ! ଟୁଆଁ ଟୁଇଁ ଗପ ଶୁଣିବୁ କି?
କୁହବାପା, କୁହ । ମୁଁ ଶୁଣିବି ।
ମୁଁ ଗପ କହୁଥିବି, ତୁ ହୁଁଉ ମାରୁଥିବୁ । ଶୋଇପଡ଼ିଲେ ଗପ ଅଧା ରହିଯିବ ଯେ ।
ପୁଅ କହିଲା – କୁହ ବାପା, ମୁଁ ହୁଉଁ ମାରିବି ।
ନିରାକାର ଆରମ୍ଭ କଲା – ଟୁଆଁଟିଏ – ଟୁଇଁଟିଏ ।
ହୁ ଉଁ ।
ଟୁଆଁଗଲା ଛଅଗାଁ, ଟୁଇଁ ଗଲା ନଅଗାଁ ।
ହୁ ଉଁ ।
ଟୁଅାଁ ଆଣିଲା ଛ ସେରେ ଚାଉଳ । ଟୁଇଁ ଆଣିଲା ନ’ସେରେ ବିରି ।
ଉଁ ହୁଁ । ଭୁଲ୍ କହିଲ ।
ନିରାକାର ଚମକି ପଡ଼ିଲା । ଇଏ କାହାର ସ୍ୱର ! ପୁଅ କେତେବେଳୁ ଶୋଇ ପଡ଼ିଲାଣି ।
ପତ୍ନୀ ନନ୍ଦିକା ଗପ ଶୁଣୁଛନ୍ତି ତା’ହେଲେ ଚୁପ୍ଚାପ୍ ।
ନିରାକାର ହସି ହସି ପତ୍ନୀଙ୍କୁ ସେଇ ଅନ୍ଧାରରେ ଜାବୁଡ଼ି ଧରିଲା ଓ କହିଲା ଆଉ ଗପ ଶୁଣିବ ?
ପତ୍ନୀ ସେମିତି ଅନ୍ଧାରରେ ହସୁ ହସୁ କହିଲେ – ମୁଁ ଜାଣିଛି, ଟୁଆଁ କରିବ, ଟୁଇଁ ଖାଇବ, ଟୁଇଁ କରିବ, ଟୁଆଁ ଖାଇବ । ସେମାନେ ସବୁତକ ପିଠା ଖାଇଦେବେ ।
ବାଘମାମୁଙ୍କୁ ଗୋଟାଏବି ଦେବେନି ।
ନିରାକାର କହିଲା – ଭଲ କରିଛନ୍ତି । କାହିଁକି ସେ କାହାକୁ ତାଙ୍କ ଭାଗରୁ ଦେଇଥାନ୍ତେ ? ସେମାନେ ଖଟିଖଟି ଯାହା ଆଣିଲେ, ସେସବୁ କେବଳ ତାଙ୍କର, ସେଥିରେ କାହିଁକି କାହାକୁ ଭାଗ ବସିବାକୁ ଦେଇଥାନ୍ତେ !
ନନ୍ଦିକା କହିଲେ – ୟା’ ବୋଲି ବାଘକୁ ଠକିବା ଠିକ୍ ନୁହଁ । ବାଘର କ’ଣ ଦୟାମାୟା ଥାଏ, ନା ବାଘର ପର ଆପଣା ଥାଏ । ଶିକାର ପାଇବା ମାତ୍ରେ ବାଘ ଝାମ୍ପ ମାରେ । ତାକୁ ଠକିଲେ କ’ଣ ହେବ, ସେ ଯେମିତି ହଉ ତା’ ଶିକାର କରିବ ।
ଉଠୁନ ! ବାଘ ନା ଫାଘ । ଯିଏ ଡରକୁଳା, ସିଏ ବାଘ କ’ଣ ଛେଳିକୁ ଦେଖିଲେବି ଡରିବ । ମୋ ପାଖକୁ ବାଘ ଥରେ ଆସୁ ଦେଖିବା ।
ଅନ୍ଧାର ଭିତରେ ପୁରୁଷାକାରର ଅହଙ୍କାରରେ ଫାଟି ପଡ଼ୁଥିବା ସମର୍ଥ ସ୍ୱାମୀଙ୍କ କୋଳକୁ ଆଉଜି ଯାଇ ନନ୍ଦିକା ଗେହ୍ଲା ହେଲା ଓ ରସିକତା କରି କହିଲା – ତମେ କୋଉ
ବାଘଠାରୁ କମ୍କି !
ପତ୍ନୀ ମୁହଁରୁ ଏମିତି କଥା ଶୁଣି ନିରାକାର ସତକୁ ସତ ଉଲ୍ଲସିତ ହେଲା ଓ ପତ୍ନୀଙ୍କ ଓଠରେ ଚୁମାଟେ ଦେଲା ।
ସେଇଦିନୁ ନିରାକାର ସବୁବେଳେ ନିଜକୁ ବାଘଠାରୁ ବଳୀୟାନ ବୋଲି ଭାବେ ଓ ବାଘ ଫାଗଙ୍କୁ ଖାତିର କରେ ନାହିଁ ।
ଦିନେ ସକାଳୁ ସକାଳୁ କିନ୍ତୁ ସେ ଖବର କାଗଜ ଖୋଲିଦବାମାତ୍ରେ ଏକ ବାଘର ଛବି ଦେଖି ଚମକି ପଡ଼ିଲା । ବାଘର ଛବି ସହ ବିସ୍ତୃତ ବିବରଣୀ ଆକାରରେ ଲେଖା ହୋଇଥିଲା ।
ବାଘ ପାଇଁ ଆତଙ୍କ ।
ବଡ଼ ଭୀଷଣ ସେ ମହାବଳ ବାଘ ।
ଦୟା-ମାୟା, ପର-ଆପଣା କିଛି ହେଲେ କିଛି ନାହିଁ ତା’ ପାଖରେ । କେତେବେଳେ କୋଉ ଛଟକରେ ଆସୁଚି, ତା’ର କିଛି ଠିକଣା ନାହିଁ ।
ମା’ କୋଳରୁ ଛୁଆ ଝାମ୍ପି ନଉଚି । ସ୍ତ୍ରୀ ପାଖରୁ ସ୍ୱାମୀକୁ ଛଡ଼େଇ ନଉଚି । ବାପ ହାତରୁ ପୁଅକୁ ଝାମ୍ପିନେଇ କୁଆଡ଼େ ଉଭାନ୍ ହେଇ ଯାଉଚି ।
ଲୋକେ ହୋହଲ୍ଲା କଲେଣି, ଟାୟାର ଜାଳି ରାସ୍ତାରୋକ କଲେଣି, ସରକାର ନିରୂପାୟ । ବାଘକୁ ଦେଖିଲେ ସିନା ଗୁଳି କରିଦିଅନ୍ତେ !
ବାଘ ପାଇଁ ସରକାରଙ୍କ ଗାଦି ଟଳମଳ ହେଲାଣି । ଲୋକେ ରାତିସାରା ଅନିଦ୍ରା ହୋଇ, ଆଲୁଅ ଜଳେଇ, ଗୁଳିଗୋଳା ସଜକରି ବାଘ ଆସିବା ବାଟକୁ ଛକି ବସୁଛନ୍ତି । ହେଲେ, ବାଘ ଚ୍ୟାଲେଞ୍ଜ୍ କଲାପରି ସମସ୍ତଙ୍କ ଅଲକ୍ଷ୍ୟରେ ଆସୁଚି ଓ ତା’ ଶିକାରକୁ ନେଇ ଚାଲିଯାଉଚି !
ତା’ପରେ କିଏ କାନ୍ଦିଲା, କିଏ ମୁଣ୍ଡ ପିଟିଲା, କିଏ ଅନାଥ ହେଲା, କାହାର ଘର ଉଜୁଡ଼ି ଗଲା, ସେକଥା ବାଘ କୋଉ ବିଚାର କରୁଚି !
ଏ ବାଘର ଅଜବ ନିଶା ।
ସେ ଖୋଜିଖୋଜି ଦୁର୍ବଳ, ଦୁଃଖୀ ଓ ଭାଙ୍ଗିପଡ଼ୁଥିବା ମଣିଷ ଶିକାର କରୁଚି ।
ନିରାକାର ଖବରକାଗଜକୁ ମେଞ୍ଚାଏ ଅଦରକାରୀ କାଗଜ ପରି ମୁଠେଇ ଧରିଲା ଓ ଏକ ଦୀର୍ଘଶ୍ୱାସ ପକେଇଲା । ତା’ପରେ ଲୋଚାକୋଚା ହେଇଯାଇଥିବା ଖବର କାଗଜକୁ ସେ ଆଉଥରେ ସଜାଡ଼ିଲା ଓ ସେଇ ଧାଡ଼ିଟିକୁ ବାରମ୍ବାର ପଢ଼ିଲା । ଏ ବାଘର ଅଜବ ନିଶା । ସେ ଖୋଜି ଖୋଜି ଦୁର୍ବଳ, ଦୁଃଖୀ ଓ ଭାଙ୍ଗି ପଡ଼ୁଥିବା ମଣିଷ ଶିକାର କରୁଚି ।
ନିରାକାର ଏଥର ଦାନ୍ତରେ ଦାନ୍ତଚିପି ବଡ଼ ଯୋର୍ରେ – ହିଃସ୍ସ୍ ବୋଲି ଏକ ପ୍ରକାର ଚିତ୍କାର କଲା ଓ କହିଲା – ହେଃ ତା’ହେଲେ ଏ ବାଘ ମୋର କିଛି କରିପାରିବ ନାହିଁ ।
ସେ ଏଥର ତା’ ଦିବାହୁକୁ ଏପଟ ସେପଟ ବେକ ବଙ୍କେଇ ଚାହିଁଲା ଓ ନିଜେନିଜେ କହିଲା – ବାଘତ ଦୁର୍ବଳ ମଣିଷକୁ ଖୋଜିଖୋଜି ଶିକାର କରୁଚି । ମୁଁ କୋଉ ଦୁର୍ବଳ ହେଇଚିଯେ, ବାଘ ମୋ ପାଖକୁ ଆସିବ । ଯାଃ ଗଲା ସେ ବାଘ ଡର ।
ନିରାକାର ପୁଣି ମନକୁ ମନ କହିଲା – ବାଘ ଦୁଃଖୀ ଓ ଭାଙ୍ଗିପଡ଼ୁଥିବା ମଣିଷକୁ ଶିକାର କରୁଚିତ, କରୁ ! ମୋର ଦୁଃଖ କ’ଣ ଯେ ! ଆଉ ଯଦି ମୋର ଦୁଃଖ ନାହିଁ ମୁଁ ଭାଙ୍ଗିପଡ଼ିବି କାହିଁକି ଯେ !
ନିରାକାର ନିଜ ଦେହକୁ ଟିକେ ସଳଖ କଲା । ହାତର ଆଙ୍ଗୁଠି ଫୁଟେଇଲା, ଅଳସ ଭାଙ୍ଗିଲା ଓ ମନଖୁସିରେ ସିଗାରେଟ୍ଟିଏ ଲଗେଇଲା । ସେ ପୁଣି ବିଡ଼ିବିଡ଼େଇଲା – ବାଘ ଫାଗ ମୋର କେହି କିଛିବି କରିପାରିବେ ନାହିଁ । ଏଇକଥା ଭାବି ଦବାମାତ୍ରେ ସେ ପୂରା ହାଲ୍କା ହେଇଗଲା ଓ ମନଖୁସିରେ କ’ଣ ଗୋଟେ ଗୀତ ଗୁଣୁଗୁଣେଇଲା । ପତ୍ନୀ ନନ୍ଦିକାଙ୍କୁ ଡାକି କହିଲା – କପେ ଚା’ ଆଣତ ।
ଅଫିସ୍ ଯିବା ପୂର୍ବରୁ ଦର୍ପଣ ସାମ୍ନାରେ ଠିଆ ହୋଇ ସେଭିଂ ହେଲାବେଳେ କିନ୍ତୁ ସେ ଚମକି ପଡ଼ିଲା । ତାକୁ ଲାଗିଲା ତା’ ମୁହଁଟି ଭାରି ଦୁଃଖୀ ଦୁଃଖୀ ଲାଗୁଚି । ଦର୍ପଣରେ ନିଜ ଚେହେରା ନିଜକୁ ବି ଅଚିହ୍ନା ଲାଗିଲା । ସେ ସତକୁ ସତ ଚମକି ପଡ଼ିଲା ସେଇ ଦୁଃଖୀ ମୁହଁଟି ଦେଖି । ତା’ ଛାତି ଭିତର ଧଡ଼ପଡ଼ ହେଲା ଓ ପାଦତଳସବୁ କାଲୁଆ ହେଇଯିବାପରି ଲାଗିଲା । ସେ ଜାଣିଲା, ଏମିତି ଦୁଃଖୀ ମଣିଷକୁ ବାଘ କେତେବେଳେ ବି ଆସି ଝାମ୍ପି ନେଇଯାଇପାରେ । ସେ ଯେତେଯେତେ ଦର୍ପଣରେ ନିଜକୁ ଦେଖୁଥିଲା, ତାକୁ ସେତେସେତେ ସେ ଚେହେରାଟି ଭାରି ଦୁଃଖୀ ଓ ନିରିମାଖି ଲାଗୁଥିଲା । ସେ ନିଜକୁ ନିଜେ ପଚାରିଲା – ମୁଁ ଏମିତି ଦୁଃଖୀ ହେଇଗଲିଣି କେବେଠୁ ? ମୁହଁଟି ଦିଶୁଛି କାନ୍ଦୁରା କାନ୍ଦୁରା । ଲାଗୁଚି, ଯେମିତି ଏ ଓଠ ଦିଓଟି କେବେହେଲେ ହସରେ ମୁକୁଳି ଯାଇ ନାହାନ୍ତି । ଲାଗୁଚି ଯେମିତି ମଲାମାଛର ଆଖିପରି ଦିଶୁଥିବା ଏଇ ଆଖି ଦିଓଟି କେବେ ଖୁସିରେ ଚମକି ଉଠି ନାହାନ୍ତି । ଯେମିତି ଅସରନ୍ତି ଅବସୋସ ଓ ହତାଶାରେ ଝାଉଁଳି ପଡ଼ିଛି ଏ ମୁହଁଟି ।
ନିରାକାର ମନେ ପକେଇଲା – କ’ଣ ଏ ଦୁଃଖର କାରଣ ! ବହୁ ସମୟ ଚିନ୍ତା କଲାପରେ ତା’ ସାମ୍ନାରେ ହାତ ଧରାଧରି ହୋଇ ଆସି ଅନେକ ଅବସୋସ ଠିଆହେଲେ । ସେଇ ଅବସୋସମାନେ କହିଲେ – ମନେ ପକେଇଲୁ ନିରାକାର ! ଅଫିସ୍ର ତମ ସହକର୍ମୀ ପ୍ରଭାତବାବୁ ଯୋଉଦିନ ନୂଆ କାର୍ଟିଏ କିଣିଲେ, ତମେ ସେଦିନ ଦୁଃଖରେ ଝାଉଁଳି ପଡ଼ିନ’ଥିଲ ? ସେଇ ଦୁଃଖରୁ କ’ଣ ଆଜିଯାଏ ମୁକ୍ତି ପାଇଲଣି ?
ନିରାକାର ଦର୍ପଣ ସାମ୍ନାରେ ଠିଆହୋଇ ଦେଖିଲା ଆଉଥରେ ତା’ ଚେହେରାକୁ । ସତରେ, କାର୍ଟିଏ କିଣି ନ’ପାରିବାର ଅବସୋସର ଚିହ୍ନ ସ୍ପଷ୍ଟ ଦେଖି ହଉଚି ସେ ମୁହଁରେ । ନିରାକାର ମନକୁ ମନ କହିଲା – ଏ ଅବସୋସର ଦାଗକୁ ମତେ ଲିଭାଇବାକୁ ପଡ଼ିବ ।
ନିରାକାର ବାଘ ମାତିବା କଥା ଏକାବେଳକେ ଭୁଲିଗଲା । କାରଣ, ଏବେ ତା’ ମଗଜରେ କେବଳ ଗୋଟିଏ ଝୁଙ୍କ୍ ଥିଲା – କେମିତି କାର୍ଟି ଏ କିଣିବ । ଏବେ ରାସ୍ତାରେ ଯାଉଥିବା କାର୍ଗୁଡ଼ିକୁ ସେ ବିକଳ ହେଇ ଚାହେଁ । ମନେମନେ କହେ- ଆହା, ତମେମାନେ ସତରେ କେତେ ସୁଖୀ ମଣିଷ ! ସେ କେବଳ ସେଇ କାର୍ଗୁଡ଼ିକରେ ବସିଥିବା ମଣିଷମାନଙ୍କୁ ଦେଖି ଦୁଃଖ କରେ ନାହିଁ, ଈର୍ଷା ବି କରେ, ଘୃଣା ବି କରେ । ତାକୁ ଲାଗେ ଯେମିତି ଏକ ବିରାଟ ଦୌଡ଼ ପ୍ରତିଯୋଗିତାରେ ସେ ଧାଉଁ ଧାଉଁ ଖୁବ୍ ପଛରେ ପଡ଼ିଯାଇଛି ଓ ତାକୁ ଅତିକ୍ରମ କରି ସମସ୍ତେ ଆଗକୁ ଆଗକୁ ଚାଲିଯାଉଛନ୍ତି । ତା’ର ମନର ଏଇ ଦୁଃଖ କଥା ସେ ତା’ର ଜଣେ ସହକର୍ମୀଙ୍କୁ କହିଲା । ସହକର୍ମୀ କାର୍ଟିଏ ଆଗରୁ କିଣିଥିବାରୁ ତାଙ୍କର କିଛି ଅଭିଜ୍ଞତା ଥିଲା । ସେ ନିରାକାରକୁ କାର୍ଟିଏ କିଣିବାର କେତୋଟି ସହଜ ମାର୍ଗ ବତାଇଦେଲେ ।
ବନ୍ଧୁ ବତାଇଥିବା ମାର୍ଗରେ ନିରାକାର ଧାଇଁଲା ।
ଆଗେ ଆଗେ ଚକ୍ଚକ୍ ନୂଆ କାର୍ଟିଏ ଧାଉଁଥାଏ – ପଛେପଛେ ତାକୁ ଧରିବାକୁ ଧାଉଁଥାଏ ନିରାକାର । ସେଇ ଧାଇଁବା ଭିତରେ ସେ ଭୋକ ଭୁଲିଲା, ବନ୍ଧୁ-ପରିଜନଙ୍କୁ ଭୁଲିଲା, ସମୟକୁ ସାତ ପର କଲା । ଆଗେ ଆଗେ କାର, ପଛେ ପଛେ ନିରାକାର । ଏମିତି ଏମିତି ଅଣନିଃଶ୍ୱାସୀ ହୋଇ କେତେବାଟ ଧାଇଁବା ପରେ ଦିନେ ଧରାପଡ଼ିଲା ସେ ବସ୍ତୁଟି । ନିରାକାର ଖୁସିରେ ଆତ୍ମହରା ହେଲା ।
ଆଃ । ନୂଆ କାର୍ । ମୋ ସ୍ୱପ୍ନର ଗାଡ଼ି ।
ନିରାକାର ଏଥର ନିଜକୁ ନିଜେ ପଚାରିଲା – ଆଉ ମୋର ଦୁଃଖ କ’ଣ ଯେ ! ରାସ୍ତାରେ ଯାଉଥିବା ଅନେକ ସମ୍ଭ୍ରାନ୍ତ ମଣିଷଙ୍କ ମେଳରେ ମୁଁ ଏଥର ମିଶିଗଲି । ମୁଁ ସୁଖୀ ମଣିଷ ହେଇଗଲି । ଆଉ ଏଥର ବାଘ ଫାଘ ମୋର କିଛି ହେଲେ କିଛି କରିପାରିବ ନାହିଁ ।
ବାଘ କଥା ମନେ ପଡ଼ିଯିବାମାତ୍ରେ ନିରାକାର ପୁଣି ଚମକି ପଡ଼ିଲା ।
ଗୋଟାଏ କାର୍ର ମାଲିକ ହବାର ଦୌଡ଼ରେ ଅନେକ ଦିନ ହେଲା ସେ ଶିକାରୀ ବାଘ କଥା ମନରୁ ଭୁଲିଯାଇଥିଲା । ଏବେ ଅନେକ ଦିନ ପରେ ମନେ ପଡ଼ିଲା ପୁଣି ସେ ବାଘର କଥା । ନିରାକାର ଆଉଥରେ ଦର୍ପଣରେ ନିଜ ଚେହେରାକୁ ମନଭରି ଦେଖିଲା । ଦର୍ପଣ ସାମ୍ନାରେ ସେ ଠିଆହେବାମାତ୍ରେ ସତକୁ ସତ ଚମକି ପଡ଼ିଲା ।
ଦର୍ପଣ ସାମ୍ନାରେ ସେ ଯାହାକୁ ଦେଖୁଛି – ସେ କିଏ ? ଏତେ ଦିନ, ଏତେ କଷ୍ଟକରି ଧାଇଁ ଧାଇଁ ଗୋଟେ ଅର୍ଖ ନୂଆ କାର୍ଟିଏ କିଣିପାରିଥିବା ସୁଖୀ ମଣିଷ ନିରାକାର କାହିଁ ? ଦର୍ପଣ ସାମ୍ନାରେ ଏଇ ଯୋଉ ଚେହେରାଟି ଦେଖା ଯାଉଛି, ସେ କ’ଣ ମୋ ଚେହେରା ? ଏ ଚେହେରାଟି ତଥାପି ଏତେ ଦୁଃଖୀ ଦୁଃଖୀ କାହିଁକି ଦିଶୁଛି ? ତା’ହେଲେ ବାଘ କେତେବେଳେ ନା କେତେବେଳେ ଏ ଦୁଃଖି ମଣିଷଟିକୁତ ଶିକାର କରିଦେଇପାରେ !
ନିରାକାର ପୁଣି ବ୍ୟସ୍ତ ଓ ବିବ୍ରତ ହେଲା । ନିଜକୁ ନିଜେ ପଚାରିଲା – ମୋ ମୁହଁ ସାରା ଏ ଦୁଃଖ ଓ ଅବସୋସର ଦାଗ ପୁଣି କାହିଁକି ? ସେ ପୁଣି ମନେ ମନେ ଖୋଜିହେଲା, ତା’ ଚେହେରାରେ ତଥାପି ଲାଗିଥିବା ଏ ଦୁଃଖ ଓ ଅବସୋସର ଦାଗ ହେଲା କେମିତି ! କିଛି ସମୟ ଭାବିବା ପରେ ଦର୍ପଣ ସାମ୍ନାରୁ ସେଇ ଦୁଃଖୀ ଚେହେରାଟି କହିଲା – ତମେ କ’ଣ ଭୁଲିଗଲକି ନିରାକାର ! ଏ ସହରରେ ତମେ ଘରଖଣ୍ଡେ କରିବ ବୋଲି କେତେବାର ସ୍ୱପ୍ନ ଦେଖିଥିଲ । ରାତି ଅଧରେ ନିଦ ଭାଙ୍ଗିଗଲେ – ଘରଟିଏ ନ’ କରିପାରିବାର ଅବସୋସରେ ତମେ କେତେ ରାତି ବିନିଦ୍ର ରହିଛ । ଭଡ଼ାଘରେ ରହୁଥିବା ବେଳେ ଘରମାଲିକର ଦୌରାତ୍ମ୍ୟ ଦେଖି ତମେ କ’ଣ ଘରଟିଏ କରିବାର ସ୍ୱପ୍ନ ଦେଖିନ ! ସେଇ ସ୍ୱପ୍ନ କେବଳ ମୁହଁରେ ଅବସୋସର ଦାଗ କରିନି, ତମ ରକ୍ତରେ ବି ମିଶିଯାଇଛି । ତମକୁ ଅହରହ ଛଟପଟ କରୁଚି ।
ଦର୍ପଣ ଭିତରୁ ସେ ଦୁଃଖୀ ଚେହେରାଟି ଆଖି ନଚେଇ ପଚାରିଲା – କ’ଣ ମୁଁ ଭୁଲ୍ କହୁଚି ନିରାକାର ? ଘରଟିଏ ଗଢ଼ି ନ’ପାରିବାର ଦୁଃଖରେ ତମେ ବାରମ୍ବାର ନିଜକୁ ବାମନଟିଏ ପରି ଚିନ୍ତା କରିନ ?
ନିରାକାର କହିଲା – ହଁ ହଁ ମନେ ପଡ଼ିଲା । ଘରଟିଏ କରିବାକୁ ମୁଁ ବହୁତ ସ୍ୱପ୍ନ ଦେଖିଚି । ଭଡ଼ାଘରେ ରହୁଥିବାବେଳେ ମନେମନେ ମୁଁ ଘରମାଲିକମାନଙ୍କୁ ଈର୍ଷା କରିଛି । ଶଳାଏ ଡକାଏତି କରି ଘର ତୋଳିଛନ୍ତି ବୋଲି କହି ତାଙ୍କୁ ଗାଳି ଦେଇଛି । ଖାଲି କ’ଣ ସେତିକି, ଘରମାଲିକମାନଙ୍କ ଦୌରାତ୍ମ୍ୟଯୋଗୁ ଏ ସହରସାରା ଏପଟ ସେପଟ ହେଇ ବାରମ୍ବାର ଘର ବଦଳେଇଛି । ଏଥିପାଇଁ ସ୍ତ୍ରୀ ଓ ପିଲାମାନଙ୍କ ଠାରୁ କମ୍ ଗଞ୍ଜଣା ମୁଁ ନିତିଦିନ ପାଇନାହିଁ ।
ନିରାକାର ଏଥର ନିଶ୍ଚିତ ହେଲା ଯେ, ଘରଟିଏ ନ’ କରିପାରିବାର ଦୁଃଖରେ ତା’ ଚେହେରା ଯେମିତି ଦୁଃଖୀ ଦୁଃଖୀ ଦିଶୁଛି, ସେଥିରେ କେତେବେଳେ ନା କେତେବେଳେ ବାଘ ଆସି ତାକୁ ଝାମ୍ପିନେଇପାରେ । କ’ଣ ତା’ହେଲେ କରିବି । କେମିତି ଏ ଦୁଃଖରୁ ମୁକ୍ତିପାଇବି ବୋଲି ନିରାକାର ବିକଳ ହେଇ ବାଟ ଖୋଜୁଥିବା ବେଳେ ହିଁ ତା’ ସ୍ତ୍ରୀ ନନ୍ଦିକା ଘର ତିଆରି କରିବାର ବାଟ ବତେଇ ଦେଲା ।
ସ୍ତ୍ରୀ ବତାଇଥିବା ସହଜମାର୍ଗରେ ଯାଇ ନିରାକାର ପ୍ରଥମେ ଗାଁକୁ ଗଲା ଓ ସାନ ଦୁଇଭାଇଙ୍କୁ କହିଲା – ମୁଁ ସ୍ଥିର କରିଆସିଚି ମୋ ଭାଗତକ ଜମି ମୁଁ ବିକିଦେବି । ସବାସାନ ଭାଇ ଗାଁରେ ଚାଷବାସ କରେ । କଣ୍ଟ୍ରାକ୍ଟ୍ରି କରେ । ସେ ଏ ପ୍ରସ୍ତାବରେ ରାଜି ହେଲା ନାହିଁ । ସେ କହିଲା, ବାପା ଜମିବାଡ଼ି ବିକି ତମକୁ ପାଠ ପଢ଼େଇ ମଣିଷ କଲେ । ମୁଁ ତ ଗାଁରେ ରହିଲି । ଯାହା ଯେତିକି ଜମି ଅଛି, ସେଇଆକୁୁ ଭାଗବଖରା କରି ଚଳିବି । ତମେ ଜମି ବିକିଦେଲେ ମୋ ପିଲାମାନେ ଖାଇବେ କ’ଣ ?
ସହରରେ ଘର କରିବାର ନିଶାରେ ନିରାକାର ଏମିତି ମୋହଗ୍ରସ୍ତ ହୋଇଯାଇଥିଲାଯେ, ତାକୁ ସାନଭାଇର ଏ ଯୁକ୍ତି ଶୁଭିଲା ନାହିଁ । ସେ କହିଲା – ମୋ ପିଲାମାନେ ଆଉ ଗାଁକୁ ଆସିବାକୁ ଚାହୁନାହାନ୍ତି । ସେମାନେ ସେଇଠି ଜନ୍ମହେଲେ, ସେଇଠି ପାଠ ପଢ଼ିଲେ । ମୁଁ ବି ଗାଁ ଜମିରୁ କିଛି ବି ଧାନ ଚାଉଳ ପାଉନି । ତେଣୁ ମୋ ଅଂଶତକ ବିକି ଦେଇ ମୁଁ ମୋର ସ୍ୟାଡ଼େ ହଜାର ସ୍କୋୟାର ଫୁଟ୍ର ଜାଗାଖଣ୍ଡେ କିଣିବି ବୋଲି ସ୍ଥିର କରିଛି ।
ସାନଭାଇ କିନ୍ତୁ ନଛୋଡ଼ ବନ୍ଧା । ସେ କହିଲା ଇଞ୍ଚେ ଜମି ମୁଁ ବିକିବାକୁ ଦେବିନି । ତମେ ଯାହା କରୁଚ କର ।
ନିରାକାରକୁ ହଜାରେ ସ୍କୋୟାରଫୁଟ୍ର ଜାଗା ହାତ ଠାରି ଡାକୁଥିଲା । ସେ ଜାଣିଲା, ସାନ ଭାଇର ଜିଦ୍ଯୋଗୁ ସେ ହଜାର ସ୍କୋୟାର ପୁଟ୍ ଜାଗାଖଣ୍ଡକ ହାତରୁ ଖସିଯିବ । ସେଇ ଜାଗାଖଣ୍ଡିକ ହାତରୁ ଖସିଗଲେ ମୋର ଘରଟିଏ କରିବାର ସ୍ୱପ୍ନ ଶେଷ ହୋଇଯିବ । ମୋ ଚେହେରା ପୁଣି ଦୁଃଖୀ ଦୁଃଖୀ ଦିଶିବ ।
ନିରାକାରକୁ ବନ୍ଧୁମାନେ ପରାମର୍ଶ ଦେଲେ ଆଇନ୍ର ସହାୟତା ନେବାକୁ । ଘରଟିଏ କରିବାର ନିଶାରେ ନିରାକାର ସବୁ ସଂପର୍କକୁ ଭୁଲିଯିବାକୁ ପ୍ରସ୍ତୁତ ଥିଲା । ତେଣୁ, ସେ ମୁନ୍ସିଫ କୋର୍ଟରେ ସାନଭାଇମାନଙ୍କ ନାଁରେ ଏକ ମୋକଦ୍ଦମା ଦାଏର୍ କରିଦେଲା । ନିରାକାରର ଓକିଲ ବୁଝେଇ ଦେଲେ ଏ ସଂପତ୍ତି ଯଦି ତିନିଭାଗ ହୁଏ, ଭାଗେ ତମର । ଆମେ ଛାଡ଼ିବା ନାହିଁ । ସବ୍ଜଜ୍ ହଉକି ହାଇକୋର୍ଟ ହଉ, ନ’ହେଲେ ସୁପି୍ରମକୋର୍ଟ ହଉପଛେ ଆମେ ଲଢ଼ିବା । ଓକିଲଙ୍କ କଥାରେ ଉତ୍ସାହିତ ହୋଇ ନିରାକାର ମୋକଦ୍ଦମା ଲଢ଼ିଲା ।
ଆଗେ ଆଗେ ଧାଉଁଥାଏ ହଜାର ସ୍କୋୟାରଫୁଟ୍ର ଏକ ଲୋଭନୀୟ ପ୍ଲଟ୍ । ପ୍ଲଟ୍ ଉପରେ ଏକେ ସୁଦୃଶ୍ୟ ପ୍ରାସାଦ । ପ୍ରାସାଦ ସାମ୍ନାରେ ଲୁହା ଗେଟ୍ । ଗେଟ୍ ଆରପଟେ ପୋର୍ଟିକୋ । ପୋର୍ଟିକୋ ତଳେ ନୂଆକାର୍ । ଏମିତି ଏକ ଦୃଶ୍ୟକୁ ହାତରେ ଧରିବା ପାଇଁ ବିଚରା ନିରାକାର ଧାଉଁଥାଏ । ହେଲେ ସେ ଦୃଶ୍ୟ ଓ ତା’ ହାତ ଭିତରେ ଅନ୍ତରାୟ ହୋଇ ଆସି ଠିଆହୁଏ ଜମିଜମାର ସେଇ ମୋକଦ୍ଦମା ।
ଟ୍ରାକ୍ରେ ଧାଉଁଥିବା ଧାବକକୁ ତାଳିମାରି, ଚିଲ୍ଲେଇ ଚିଲ୍ଲେଇ ପ୍ରତିଯୋଗିତାକୁ ଜିତିବା ପାଇଁ ଦଳେଲୋକ ଟ୍ରାକ୍ ବାହାରେ ଯେମିତି ହେଉଥାନ୍ତି, ନିରାକାରକୁ ସେମିତି ଘର କରିବାର ଦୌଡ଼ରେ ତାଳିମାରି – ଚିୟର୍ସ କରିକରି ଉତ୍ସାହିତ କରୁଥାନ୍ତି ତା’ର ପତ୍ନୀ, ପିଲା ଓ ଶ୍ୱଶୁରଘରର ଲୋକମାନେ । ନିରାକାର ଅଣଃନିଶ୍ୱାସୀ ହୋଇ ଧାଇଁଥାଏ । ସେଇ ପ୍ରତିଯୋଗିତାଟି ଜିତିବା ପାଇଁ ସେ ଗାଁରୁ ସଂପର୍କ ତୁଟେଇଲା, ସ୍ତ୍ରୀଙ୍କ ଗହଣା ବନ୍ଧା ପକେଇଲା, ଅନେକ ବନ୍ଧୁଙ୍କୁ ନେହୁରା ହୋଇ ଧାର୍ କରଜ ମାଗିଲା । ଖାଲି କ’ଣ ସେତିକି ନିଜ ପେଟପାଇଁ ସାଇତା ଖାଦ୍ୟରୁ ବି କିଛି କମ୍ କଲା । ନିଜ ପିନ୍ଧାଲୁଗାରୁ ବି କିଛି କମ୍ କଲା । ନିଜ ପରିଚିତ ପୃଥିବୀର ଅନେକ ସଂପର୍କକୁ ଅନାବଶ୍ୟକ ଭାବି ଅସ୍ୱୀକାର କଲା ।
ମୋକଦ୍ଦମାରେ ଅନେକ ଟଙ୍କା ଖର୍ଚ୍ଚ କରିବାପରେ ସେ ବିଜୟୀ ହେଲା । ଯୋଉଦିନ ସେ ସେଇ ମୋକଦ୍ଦମାରେ ଜୟଲାଭ କଲା, ସେଦିନ ସେ ହିସାବ କଲା, ୟା’ ଭିତରେ ଅନେକ ବର୍ଷ ସେ ବିତେଇ ଦେଲାଣି । ୟା’ ଭିତରେ ଅନେକ ଅର୍ଥ ବି ସେ ପାଣିପରି ଖର୍ଚ୍ଚ କରିସାରିଲାଣି । ନିରାକାର ଏଥର ଦୀର୍ଘଶ୍ୱାସ ପକେଇଲା ଓ ଭାବିଲା ଏଣିକି ମୋ ସ୍ୱପ୍ନର ଘର ତିଆରି କରିବାକୁ ଆଉ ଅସୁବିଧା କ’ଣ ଯେ । ନିରାକାର ଏମିତି ସିନା ଭାବିଦେଲା । ହେଲେ ମତେ ଛୁଁ ଖେଳପରି ଘର ଆଉ ତାକୁ ଧରା ଦେଉନ’ଥିଲା । ଧାଇଁ ଧାଇଁ ଯେତେବେଳେ ନିରାକାର ଜାଣିଲା, ତା’ ଦେହରେ ଆଉ ଶକ୍ତି ନାହିଁ । ସେ ଆଉ ଆଗକୁ ଧାଇଁ ପାରିବ ନାହିଁ ବୋଲି ଯେତେବେଳେ ଜାଣିଲା, ସେତିକି ବେଳେ ତା’ ସ୍ୱପ୍ନ ସତ ହେଲା ।
ନିଜର ସ୍ୱପ୍ନର ଘରଟି ପାଇଯିବାପରେ ନିରାକାର ପଛକୁ ଥରେ ବୁଲି ଚାହିଁଲା । ଯେଉଁ ପୁଅକୁ ସେ ଦିନରାତି ଏକ୍କରି ବଡ଼ କରିବାର ନିଶାରେ ଲାଗିଥିଲା ସେ ଏବେ ଚଢ଼େଇ ପରି ନୂଆ ବସାଟିଏ ଖୋଜିଖୋଜି ଉଡ଼ିଗଲାଣି । ତା’କୁ ହାତ ଠାରି ଡାକିଲେ ସେ ପଚାରୁଛି – ଚଢ଼େଇ ଛୁଆକୁ ଆଧାର ଦେଲ । ପଞ୍ଜୁରି ବାହାରକୁ ନେଇ ଉଡ଼ିବା ଶିଖେଇଲ ଓ କହିଲ – ଛୁଉଁ, ଆକାଶକୁ ଛୁଉଁ । ଚଢ଼େଇଛୁଆ ଥରେ ଆକାଶର ନୀଳିମାକୁ ଛୁଇଁବାକୁ ଉଡ଼ିବାପରେ ତମେ ଆଉ କାହିଁ ଡାକୁଛ ? ଚଢ଼େଇ ଆକାଶର ନୀଳିମାକୁ ନ’ଛୁଇଁବା ଯାଏ ଆଉ କ’ଣ ମାଟିକୁ ଫେରେ ?
ନିରାକାର କହିଲା – ଆଆରେ ଧନ ! ଫେରିଆ । କେତେ କଷ୍ଟ କରି ତୋ ପାଇଁ ଏଡ଼େ ସୁନ୍ଦର ଘରଟେ ଗଢ଼ିଛି । ତୋ ପାଇଁ ମନଲାଖି ଶେଯସୁପାତି ସଜାଡ଼ି ରଖିଚି । ତୋ ମା’ ତୋ ପାଇଁ କେତେକଥା ରାନ୍ଧିକି ରଖିଚି । ତୁ ଆ’ ଧନ ଆ । ଟୁଆଁଟୁଇଁ ଗପ ତୋର ଶୁଣିବା ଅଧା ରହିଯାଇଛି । ବାଘମାମୁ ଆସି ଟୁଆଁଟୁଇଁକୁ କେମିତି ଡରାଉଚି ଦେଖିବୁ ଆ ।
ଆକାଶର ମୁକ୍ତ ଅଗଣାରେ ଡେଣା ମେଲି ଚଢ଼େଇ ହେଇ ଉଡ଼ୁଥିବା ପୁଅ ଡେଣା ଫଡ଼ଫଡ଼ କରି ପଚାରିଲା – କି ଘର ? କାହାପାଇଁ ଏ ଘର ? ତମ ବାପାବି ତମ ପାଇଁ ଏମିତି ମାଟି କାଦୁଅରେ ଏକ୍ ହୋଇ ଘର ଗଢ଼ିଥିଲେ । ତମେ କ’ଣ ସେ ଘର ମାୟାରେ ରହିପାରିଲ ? ମତେ ଆଉ ମାଟିକୁ ଫେରିବାକୁ ଡାକନା । ଏ ମାଟିରେ ଅଛି କ’ଣ ? ଥରେ ମାଟି ଛାଡ଼ି ଆକାଶମୁହାଁ ହେଲାପରେ, କୋଉ ଚଢ଼େଇ ଆଉ ମାଟିକୁ ଫେରିବାର ବୋକାମି କରେ ନା, ମୁଁ କରିବି ବୋଲି ତମେ ଆଶା କରୁଚ ! ମତେ ଆଉ ଡାକନା ।
ନିରାକାର ବିକଳ ହେଇ ଯେତେ ଡାକିଲେବି, ପୁଅ ଆଉ ଶୁଣିବାକୁ ଚାହୁଁନ’ଥିଲା । ନିରାକାର କହିଲା – ଧନରେ ! ତତେ ଏଡ଼େଟିରୁ ଏଡ଼ୁଟେ କଲି, ରାତିରାତି ଛାତି ଉପରେ ଶୁଆଇ କେତେ କାହାଣୀ କହିଲି । ତୋ ମା’ ନିଜେ ନ’ଖାଇ ତୋ ପାଇଁ ସାଇତି ରଖୁଥିଲା । ତୁ କ’ଣ ସବୁ ଭୁଲିଗଲୁ ଧନ ! ଆ’ । ଆମ ପାଖକୁ ଫେରିଆ ଧନ ! ଆକାଶରେ ଡେଣାମେଲି ଉଡ଼ୁଥିବା ଅନେକ ଚଢ଼େଇଙ୍କ ମେଳରେ ନିରାକାରର ପୁଅ ଆଉ ଏକ ଚଢ଼େଇ ହୋଇ ମିଶିଯିବା ପରେ ନିରାକାର, ଅପଲକ ଦୃଷ୍ଟିରେ ଅନେକ ସମୟ କେବଳ ବିକଳ ହୋଇ ଆକାଶକୁ ଚାହିଁଲା । ସେ ଚେଷ୍ଟା କରିବି ତା’ ଛାତିରୁ ଉଠି ଆସୁଥିବା କୋହ ଓ ଆଖିରୁ ବୋହି ଆସୁଥିବା ଲୁହକୁ ଅଟକାଇ ପାରିଲା ନାହିଁ ।
ସେତିକିବେଳକୁ ତା’ ପଛରେ କିଏ ଜଣେ ଆସି ତା’ କାନ୍ଧରେ ହାତ ରଖି ତାକୁ ଆଶ୍ୱାସନା ଦବା ସେ ଅନୁଭବ କଲା । ଗୋଟାଏ ଝଟକାରେ ସେ ଚମକି ପଡ଼ି ପଛକୁ ଚାହିଁଲା । ଆରେ ଇଏତ ନନ୍ଦିକା । ତା’ର ପ୍ରାଣାଧିକା ପତ୍ନୀ । ନନ୍ଦିକା କ’ଣ ଏମିତି ଦିଶୁଛନ୍ତି । ଦେହର ଚମ ଧୋକଡ଼ା ହେଇଗଲାଣି । ଆଖି ପେଜୁଆ ଦିଶିଲାଣି । ଚୁଟିସବୁ ପାଚି ଝୋଟପରି ଦିଶୁଛି । ପାଦରେ ଚାଲିବାକୁ ଆଉ ଶକ୍ତି ନାହିଁ କି ହସିବାକୁ ଓଠରେ ଆଉ ଚମକ ନାହିଁ । କଥା କହିଲେ କେତୋଟି ଦାନ୍ତ ବି ଗଳି ପଡ଼ିଥିବା ଜଣାପଡ଼ୁଚି । ସେ ଆଶ୍ଚର୍ଯ୍ୟ ହୋଇଗଲା ଏମିତି ରୂପରେ ନନ୍ଦିକାକୁ ଦେଖି । ତାକୁ ଲାଗିଲା ଯେମିତି ଅନେକ ବର୍ଷ ହେଲା ସେ ଆଖି ପୂରେଇ ନନ୍ଦିକାକୁ ଦେଖିପାରିନାହିଁ । ନିରାକାରର ଇଚ୍ଛା ହେଲା ଭୋ ଭୋ ହେଇ ଗଳା ଫଟେଇ କାନ୍ଦିବାକୁ । ହେଲେ ତା’ ଆଖିରୁ ବୋହି ଆସୁଥିବା ଲୁହକୁ ହାତ ପାପୁଲିରେ ପୋଛି ଦେଇ ସେ ପଚାରିଲା – ନନ୍ଦିକା ! ତମେ ଏମିତି କ’ଣ ଦିଶୁଛ ? ନନ୍ଦିକା ବଡ଼ କଷ୍ଟରେ ଏକ ରୁଗ୍ଣ ହସ ହସିଲା ଓ ଧୀର ସ୍ୱରରେ କହିଲା – ମତେ କ’ଣ ଆଜି ନୂଆ ଦେଖୁଛ ! ଆମେ ସିନା ଗୋଟାଏ ଘରେ ପାଖାପାଖି ହେଇ ରହୁଚେ, ହେଲେ ପିଲାମାନଙ୍କୁ ପ୍ରତିଦିନ ଉଡ଼ିବା ଶିଖେଇବାରେ, ନିଜେ ଆଗକୁ ଯିବାର ଦୌଡ଼ରେ ଦୌଡ଼ିଦୌଡ଼ି ଆମେ ଏତେ ବ୍ୟସ୍ତ ରହିଗଲେଯେ, କେହି କାହାକୁ ଭଲକରି ଦେଖିବାକୁ ଫୁରସତ୍ ପାଇଲେ ନାହିଁ ।
ନନ୍ଦିକା ବଡ଼ କଷ୍ଟରେ ଦୀର୍ଘଶ୍ୱାସ ପକେଇଲେ ଓ କହିଲେ ତମେବି ଖୁବ୍ ହାଲିଆ ଦେଖାଯାଉଚ । ଟିକେ ରେଷ୍ଟ୍ ନେଇଯାଅ । ନନ୍ଦିକାର କଥା ଶୁଣି ପୁଣିଥରେ ଚମକି ପଡ଼ିଲା ନିରାକାର । ନନ୍ଦିକା କ’ଣ କହିଲେ ମୁଁ ହାଲିଆ ଦେଖାଯାଉଛି ! ଏମିତି କେମିତି ହେବ ? ଏମିତି ହେଲେତ ବାଘ କେତେବେଳେବି ଆସିପାରେ ! ନନ୍ଦିକାର ପାଖରୁ ନିରାକାର ଧାଇଁଗଲା ଦର୍ପଣ ପାଖକୁ । ଦର୍ପଣ ସାମ୍ନାରେ ଠିଆ ହୋଇ ପଡ଼ିବାମାତ୍ରେ ସେ ପିଲାଙ୍କ ପରି କାନ୍ଦିଲା ।
ଦର୍ପଣରେ ଏ କିଏ ? କାହାକୁ ଦେଖୁଚି ସେ ଦର୍ପଣରେ ? ଆଖିତଳ କଳା ପଡ଼ିଗଲାଣି । କୋରଡ଼ରେ ପଶିଥିବା ଦୁଇଟି କାଚଗୁଲି ପରି ଦିଶୁଚି ଅର୍ଥହୀନ ଡୋଳା ଦିଓଟି । ଚମସବୁ ସିଝାଆଳୁର ଚୋପା ପରି ଦିଶୁଛି । ମୁଣ୍ଡର ଚୁଟି ଧଳା ଫୁର୍ଫୁର୍ । ଦର୍ପଣରେ ଏକ ଅସହାୟ ବୃଦ୍ଧକୁ ଦେଖି ନିରାକାର ପଚାରିଲା – କିଏ ? କିଏ ତୁ ?
ନନ୍ଦିକା ବୋଧେ ଶୁଣି ପାରିଲା ନିରାକାରର କଥା ।
ନନ୍ଦିକା ବଡ଼ କଷ୍ଟରେ ଖୁବ୍ ଧୀରେଧୀରେ ସେପଟୁ ପ୍ରତି ପ୍ରଶ୍ନ କଲା – କାହାକୁ ପଚାରୁଚ ? କିଏ ଡାକୁଚି କି ? ଦେଖତ କବାଟ ଖୋଲି । ମତେ ଲାଗୁଚି, କିଏ ଜଣେ ଡାକୁଚି ବୋଧେ !
ନିରାକାର କାନ ପାରିଲା । ବାହାରେ ଯୋଉ ଶବ୍ଦ ଶୁଭୁଛି ସେ ବାଘ ଆସିବାର ଶବ୍ଦ ନୁହେଁତ ! ସେ ଯେତେଯେତେ କାନ ପାରିଲା, ତାକୁ ସେତେସେତେ ଲାଗିଲା କେହି ଜଣେ ବନ୍ଦ କବାଟର ଆରପଟେ ଚାଲବୁଲ୍ କରୁଛି । ନିରାକାର ନିଶ୍ଚିତ ହେଲା- ଏ ବାଘ ଆସିବାର ସୂଚନା । ତା’ର ପାଦ ସବୁ ଝାଳେଇଗଲା, ଓଠ ଥରିଲା, ଛାତି କଫରେ ରୁନ୍ଧି ହୋଇଗଲାପରି ଲାଗିଲା । ସେ ଆସ୍ତେ ଆସ୍ତେ ପାଦ ଚିପି ନନ୍ଦିକାର ଖଟ ପାଖକୁ ଯାଇ ଡାକିଲା – ନନ୍ଦିକା ! ନନ୍ଦିକା । ନନ୍ଦିକା ବୋଧେ ଗଭୀର ନିଦରେ ଶୋଇ ପଡ଼ିଥିଲାକି କ’ଣ । ନିରାକାର ନନ୍ଦିକାର ପାଦ ପାଖରେ ବସିପଡ଼ି କହିଲା- ମନେ ପକାଅ ନନ୍ଦିକା, ଅନେକ ବର୍ଷତଳେ ଆମେ ଯେତେବେଳେ ପୁଅକୁ ଟୁଆଁଟୁଇଁ ଆଉ ବାଘମାମୁ ଗପ କହୁଥିଲେ, ତମେ ସେତେବେଳେ ମତେ କହିଥିଲ – ବାଘର ମାୟା ମମତା ବୋଲି କିଛି ନାହିଁ । ବାଘ ବି ପର – ଆପଣା କିଛି ଜାଣେ ନାହିଁ । ଆଉ ତମେବି କହିଥିଲ, ବାଘଠାରୁ କେହି କ’ଣ ବର୍ତ୍ତିପାରିବ ! ସେଦିନ ମୁଁ ଭୁଲ୍ କହୁଥିଲି । ନ’ହେଲେ ଦେଖୁନ, ବାଘ ଆସିପାରିବ ନାହିଁ ବୋଲି ଆମେ ଏତେ ଉଚ୍ଚାର ପାଚେରି କଲେ, ଲୁହାର ଫାଟକ ଲଗେଇଲେ, କମକୂଟ କରି ମଜବୁତ୍ କବାଟ ତିଆରି କଲେ, ହେଲେ ବାଘ ସବୁ ବାଧା ବନ୍ଧନକୁ ଡେଇଁ ଚୁପ୍ଚାପ୍ ଆସି ଆମ ଦାଣ୍ଡ କବାଟ ପାଖରେ ହାଜର୍ ହେଲାଣି । ଉଠ । ଉଠିପଡ଼ ନନ୍ଦିକା । ବାଘ ଏ ଘର ଭିତରେ ପଶି ଆମକୁ ଶିକାର କରିବା ପୂର୍ବରୁ ସେ ଟୁଆଁଟୁଇଁଙ୍କ ପରି ଆମେ ତାକୁ ଭଣ୍ଡେଇ ଦେଇ ଏଠୁ କୁଆଡ଼େ ନା କୁଆଡ଼େ ଚାଲିଯିବା । ଉଠିପଡ଼ ନନ୍ଦିକା । ଉଠିପଡ଼ ।
ନିରାକାର ନନ୍ଦିକାକୁ ହଲେଇ ଦେବାପାଇଁ ତା’ ପାଦକୁ ଛୁଇଁ ଦେଇ ଚମକି ପଡ଼ିଲା । ନନ୍ଦିକାର ପାଦ ଦିଓଟି ଲାଗୁଥିଲା ବରଫ ପରି ଥଣ୍ଡା । ନିରାକାର ଚିକ୍ରାର କଲା- ଦୌଡ଼ିଆସ ହୋ, ଦୌଡ଼ିଆସ, ବାଘ ନେଇଗଲା ଦୌଡ଼ି ଆସ ।
ସେତେବେଳକୁ ଦାଣ୍ଡ କବାଟକୁ ଖୋଲିଦେଇ ଘର ଭିତରକୁ ପଶି ଆସିଥିବା ବାଘ, ନିରାକାରକୁ ମୁହୂର୍ତ୍ତେ ଚାହିଁଲା, ମୁର୍କିମୁର୍କି ହସିଲା ଓ ତା’ ପିଠିରେ ବସେଇ ବୀର ଦର୍ପରେ ଚାଲିଲା, ଯେମିତି ଚିରକାଳ ସେ ତା’ ଶିକାରକୁ ନେଇ ଖୁବ୍ ଦର୍ପିତ ଭଙ୍ଗୀରେ ଫେରିଯାଏ ।
khushire padhili
ଧନ୍ୟବାଦ
ଗପ ନୁହେଁ ଜୀବନ। ଅରବିନ୍ଦଙ୍କୁ ଅନେକ ଶୁଭେଚ୍ଛା, ଅକ୍ଷରର ସଫଳ ଜୀବନ୍ୟାସ ପାଇଁ।