ବାହାରପଟ ବାରଣ୍ଡାରେ ବସି ସେହି ଦିନର ଖବରକାଗଜକୁ ତନ୍ନ ତନ୍ନ କରି ପଢିଚାଲିଥିଲେ କଳ୍ପଲତା ଦେବୀ । ତାଙ୍କ ରୁଚିକୁ ସୁହାଇଲା ଭଳିଆ ଖବରର ସଂଖ୍ୟା ଯଦିଓ ଖୁବ୍ ନିର୍ଦ୍ଦିଷ୍ଟ ସଂଖ୍ୟା ଭିତରେ ସୀମିତ ଥାଏ ତଥାପି ଗୋଟି ଗୋଟି କରି ସବୁତକ ଖବର ଉପରେ ନଜର ପକାଇବାକୁ ସେ ପଛାନ୍ତି ନାହିଁ । ସମୟ କାଟିବାକୁ ଯାଇ ଏଇ କ୍ଳାନ୍ତ ଦ୍ୱିପ୍ରହରରେ କ’ଣ ଅଧିକ ବା କରିପାରିବେ? ଟି.ଭି. ଖୋଲିଲେ ସେଇ ଗତାନୁଗତିକ ସିରିୟାଲ୍ । ଯାହାକୁ ଦେଖି ଦେଖି ଏକପ୍ରକାର ବିରକ୍ତିଭାବ ଆସିଯାଇଥିଲା ତାଙ୍କର । ସେଥିପାଇଁ ଅପ୍ରୀତିକର ହେଲେ ସୁଦ୍ଧା ଏହି ସମୟରେ ଖବରକାଗଜ ଧରି ପଢିବାକୁ ଅଧିକ ପସନ୍ଦ କରିଥାନ୍ତି । କିଛି ନହେଲେ ନୂଆ କଥା କିଛି ତ ବାହାରିଥାଏ । ସେ ଘଟଣା ହେଉ ଅବା ଦୁର୍ଘଟଣା ହେଉ, ରାଜନୀତିର ଗୋଳିଆଘଣ୍ଟା ବିବରଣୀ ହେଉ ନହେଲେ ସେପରି ଆଉ କିଛି ହେଉ, ଅନ୍ତତଃ ନିତିଦିନିଆ ଘଟଣା ପ୍ରବାହ ସଂପର୍କରେ ଜାଣି ହୋଇଥାଏ । ବାଇଶ ପୃଷ୍ଠାର କାଗଜ ଖଣ୍ଡ ଧରି ମୂଳରୁ ଶେଷ ଯାଏଁ ଏପଟ ସେପଟ ଦେଖିଲା ଭିତରେ କେତେବେଳେ ଅତିକ୍ରାନ୍ତ ହୋଇଯାଇଥାଏ ପ୍ରଲମ୍ବିତ ଦ୍ୱିପ୍ରହର ଜଣାପଡେନା ।
ସେପଟ ଶୋଇବା ଘରୁ ଖୁବ୍ ଜୋର୍ରେ ଭାସିଆସୁଥାଏ ପୁରୁଷୋତ୍ତମ ବାବୁଙ୍କର ଗଭୀର ନିଦ୍ରା ସଂଜାତ ଘୁଙ୍ଗୁଡିର ଶବ୍ଦ । ସେ ଶବ୍ଦ ଅବିରାମ ଭାବରେ ଛୁଟି ଚାଲିଥାଏ ଦ୍ୱିପ୍ରହରର ନିରବତାକୁ ଭାଙ୍ଗି । ସେୟାଡ଼କୁ ଚାହିଁ ଖବରକାଗଜ ପଢାରୁ ମଝିରେ ମଝିରେ ଧ୍ୟାନ ବ୍ୟାହତ ହେଉଥାଏ କଳ୍ପଲତା ଦେବୀଙ୍କର । ଅତିଷ୍ଠ ହୋଇ ଛାଆଁକୁ ଛାଆଁ ତାଙ୍କ ପାଟିରୁ ବାହାରିଆସେ, ‘କେଡ଼େ ଅଚିନ୍ତାରେ ଶୋଇପଡିଛନ୍ତି ଦେଖ! ରିଟାୟାର୍ଡ କଲାପରେ ୟାଙ୍କ ପାଖରେ କାମ ଯେମିତି ଆଉ କିଛି ନାହିଁ । ଖାଇବା ଆଉ ତାପରେ ନିଶ୍ଚିନ୍ତରେ ଶୋଇବା । ଏହା ବାଦ୍ ଆଉ ଯଦି କିଛି କାମ ଥାଏ, ତାହା ହେଉଛି ଗୋଟିଏ ପରେ ଗୋଟିଏ ଚ୍ୟାନେଲ୍ ବଦଳାଇ ଟି.ଭି. ଦେଖି ସମୟ କାଟିବା । କ’ଣ କିଛି ପରିବାପତ୍ର କି ସଉଦା ବଜାର ଯାଇ ଆଣିବାକୁ କହିଲେ ସହଜରେ ହୁଏନା । ସେଥିପାଇଁ ଥରକୁ ଥର କହିବାକୁ ପଡ଼େ । ଥରକୁ ଥର ମନେ ପକାଇବାକୁ ପଡ଼େ’ । ଅତିଷ୍ଠ ହୋଇ ଛାଆଁକୁ ଛାଆଁ କେଇ ପଦ ପ୍ରତିକ୍ରିୟା ବାହାରି ଆସିଲା ତାଙ୍କ ପାଟିରୁ । ସେୟାଡୁ ଧ୍ୟାନ ହଟାଇ ପୁଣି ଥରେ ଚେଷ୍ଟା କଲେ ଖବରକାଗଜ ପଢିବାରେ ମନୋନିବେଶ କରିବାକୁ । ପୃଷ୍ଠା ପରେ ପୃଷ୍ଠା ଖେଳାଉ ଖେଳାଉ ଶେଷରେ ଆସି ଅଟକିଲେ ସଂପାଦକୀୟ ପୃଷ୍ଠା ନିକଟରେ । ଏହି ପୃଷ୍ଠାଟି ତାଙ୍କର ସବୁଠାରୁ ପି୍ରୟ । ସେଥିପାଇଁ ସବା ଶେଷକୁ ରଖିଥାନ୍ତି ପଢିବାକୁ । ଅନ୍ୟ ସବୁ ପୃଷ୍ଠା ଉପରେ ଆଖି ବୁଲାଇ ଆଣିଲା ପରେ ଟିକେ ଅଧିକ ମନ ଦେଇ ପଢିଥାନ୍ତି ଏହି ପୃଷ୍ଠାକୁ । କାରଣ ସେ ନିଜେ ଜଣେ ସାମୟିକ ସ୍ତମ୍ଭକାର । ଶିଶୁ ମନସ୍ତତ୍ତ୍ୱ ଓ ନାରୀ ମନସ୍ତତ୍ତ୍ୱକୁ ନେଇ ତାଙ୍କର ଆଲେଖ୍ୟମାନ ମଝିରେ ମଝିରେ ଖବରକାଗଜ ପୃଷ୍ଠାରେ ପ୍ରକାଶ ପାଇଥାଏ । ମନୋବିଜ୍ଞାନ ବିଷୟରେ କୃତିତ୍ୱର ସହ ଭଞ୍ଜବିହାରରୁ ସ୍ନାତକତ୍ତୋର ଉତ୍ତୀର୍ଣ୍ଣ ହୋଇଛନ୍ତି ସେ । ଯଦିଓ ପରବର୍ତ୍ତୀ ସାଂସାରିକ ଜୀବନରେ ଏହି ଉପାଧି ତାଙ୍କର କୌଣସି କାମରେ ଲାଗି ନଥିଲା କି ତାକୁ ବୃତ୍ତି କରି ସେ ଆଗକୁ ଅଗ୍ରସର ହୋଇପାରିନଥିଲେ । କେବଳ ଏପରି ମଝିରେ ମଝିରେ ଲେଖାଲେଖି କରି କିଛି ଆତ୍ମସନ୍ତୋଷ ପାଉଛନ୍ତି ଯାହା । ସେତିକିରେ ଭରଣା କରୁଛନ୍ତି ନିଜ ଅଚରିତାର୍ଥ ଇଚ୍ଛାକୁ । ସମୟର ଚକ ତଳେ କବର ପାଇଯାଇଥିବା ସୁଦୂର ଅତୀତର ଈପ୍ସିତ ଅଭିଳାଷକୁ ।
ସଫଳତାର ସହ ଏମ.ଏ ପାସ୍ କଲା ପରେ ସେ ମଧ୍ୟ ଚାହିଁଥିଲେ ଜଣେ ଅଧ୍ୟାପିକା ଭାବରେ ଜୀବନ ଆରମ୍ଭ କରିବାକୁ । ଏପରିକି ଗୋଟିଏ ପ୍ରାଇଭେଟ୍ କଲେଜରେ ଯୋଗଦେଇ କିଛି ସମୟକାଳ ଅଧ୍ୟାପନା ବୃତ୍ତିରେ ରହିଥିଲେ । ମାତ୍ର ପରିବାରର ନିଷ୍ପତ୍ତି ଥିଲା ଭିନ୍ନ । ପ୍ରଥମେ ବାହାଘର, ତାପରେ ଆଉ ଯାହା କିଛି । ଆଶା କରିଥିଲେ, ବାହାଘର ପରେ ମଧ୍ୟ ତାଙ୍କୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ତରଫରୁ ଏଥିପାଇଁ ସ୍ୱୀକୃତି ମିଳିବ । ଯଦିଓ ସେପଟୁ କିଛି ଅସହଯୋଗ ନଥିଲା ମାତ୍ର ପରିସ୍ଥିତିର ଆହ୍ୱାନ ଥିଲା ଭିନ୍ନ । ପାଣିଫୋଟକା ପରି ମିଳାଇ ଯାଇଥିଲା ସେହି ସ୍ୱପ୍ନ ଅଚିରରେ । ସ୍ୱାମୀଙ୍କ ଚାକିରିରେ ବଦଳିଥିଲା ଅନିବାର୍ଯ୍ୟ । ଏଣେ ତାଙ୍କ ପାଖରେ ରହିବାର ଆବଶ୍ୟକତା ଥିଲା ଢେର ଅଧିକ । ଏପରି ପ୍ରତିକୂଳତା ଭିତରେ ଅଧ୍ୟାପନା ବୃତ୍ତିରେ ତିଷ୍ଠି ରହିବା କୌଣସି ପ୍ରକାର ସମ୍ଭବପର ନଥିଲା ତାଙ୍କ ପକ୍ଷରେ । ସମୟ ଓ ପରିସ୍ଥିତିର ·ପ ଆଗରେ ମୁଣ୍ଡ ନୁଆଁଇ ତାଙ୍କୁ ପରିଶେଷରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ଗୃହିଣୀର ଭୂମିକାରେ । ପଛକୁ ପୁଅ ଜନ୍ମ ହେଲା ପରେ ପରେ ଘରସଂସାର ଦାୟିତ୍ୱ ଏତେ ବଢିଯାଇଥିଲା ଯେ ତାଙ୍କ ଭିତରର ସେହି ସଂଗୋପିତ ଆଶାଟି କୁଆଡ଼େ ମଉଳିଯାଇଥିଲା ଆପଣା ଛାଏଁ ଛାଏଁ ।
ଅବଶ୍ୟ ବହୁତ ପରେ ସେହି କ୍ଷତିର କିଛି ପରିମାଣରେ ଭରଣା ହୋଇଥିଲା କହିଲେ ଠିକ୍ ହେବ । ଯେଉଁଦିନ ତାଙ୍କ ଝିଅ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା କନିଷ୍ଠ ଅଧ୍ୟାପନା ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ବୋଧହୁଏ ସେହି ସମ୍ବାଦଟି ଥିଲା ତାଙ୍କ ଜୀବନର ସବୁଠାରୁ ପୁଲକପ୍ରଦ ଖବର । ସବୁଠାରୁ ଶ୍ରେଷ୍ଠ ଏକ ବହୁ ଆକାକ୍ଷିଂତ ଉପଲବ୍ଧି । ସେଥିପାଇଁ କମ୍ ପ୍ରୟାସ କରିନଥିଲେ ସେ । ଏପରିକି ଝିଅର ଭବିଷ୍ୟତ ପାଠପଢାକୁ ନେଇ ଅନେକ ଥର ପୁରୁଷୋତ୍ତମ ବାବୁଙ୍କ ସହିତ ତାଙ୍କର ଝଗଡ଼ା ମଧ୍ୟ ହୋଇଛି । ବାପା ହିସାବରେ ସେ ଚାହୁଁଥିଲେ, ଝିଅ ତାଙ୍କର ପ୍ଲସ୍ଟୁ ପରେ ଡାକ୍ତରୀ ପଢୁ । ଏଥିପାଇଁ ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ କୋଚିଂ ନେଉ ଏବଂ ସଫଳ ହେଉ । ସେତିକିବେଳେ ଝିଅକୁ ଡାକ୍ତରୀ ପାଠ ନ ପଢେଇବା ପାଇଁ ସେ ହିଁ ଆଗକୁ ବାହାରି ପଡ଼ିଥିଲେ । କହିଥିଲେ, ‘ଝିଅପିଲା ଯଦି ଡାକ୍ତର ହୁଏ, କୁଆଡେ କୁଆଡେ ଯାଇଁ ବାହାରେ ବୁଲିବାକୁ ପଡିବ । କେବେ କେବିକେ ତ କେବେ କେଉଁ ବଣ ମୂଲକରେ ଯାଇଁଁ ପୋଷ୍ଟିଂ ହେବ । ତା ପାଇଁ ଭବିଷ୍ୟତରେ ଅଧ୍ୟାପିକା ହେବା ହିଁ ସବୁଠାରୁ ଭଲ ।” ଏପରି ବାରମ୍ବାର ନିଜର ପକ୍ଷ ରଖି କୌଣସି ପ୍ରକାରେ ବୁଝାଇ ପାରିଥିଲେ ପୁରୁଷୋତ୍ତମ ବାବୁଙ୍କୁ ।
ଏବେ ଝିଅ ବାହା ହୋଇ ତା’ ବାଟରେ । ପୁଅ ମଧ୍ୟ ସେହିପରି ଚାକିରି କରି ତା’ ପରିବାର ଧରି ବାହାରେ । ଘରେ ରହିଯାଇଛନ୍ତି ତ କେବଳ ସେ ଓ ପୁରୁଷୋତ୍ତମ ବାବୁ । କେତେବେଳ କେମିତି ସମୟ ସୁବିଧା ଦେଖି ପୁଅ ଝିଅ ଆସି ବୁଲିଯାଆନ୍ତି । ତାହା ପୁଣି ସେମାନଙ୍କ ନିଜ ନିଜ ଚାକିରିରୁ ଛୁଟି ଅବା ଫୁରୁସତ୍ ମିଳିଲେ । ସେହି ଦିନ କେଇଟା ଭରପୂର ଲାଗିଥାଏ ଘରଟା । ହଠାତ୍ ଥାଏ ଥାଏ ନିରବିତ ଘରଟା କୋଳାହଳରେ ପରିପୂର୍ଣ୍ଣ ହୋଇଯାଏ । ମୃଦୁଶୀତଳ ସମୀରଣ ଯେମିତି ନିଷ୍କ୍ରିୟ ଶରୀରକୁ କିଛି ସମୟ ପାଇଁ ସତେଜତାର କାଉଁରି ପରଶ ଦେଇଥାଏ, ସେହିପରି ପିଲାମାନଙ୍କର ସ୍ୱଳ୍ପ ସମୟର ରହଣି ଦୁଇ ବୟସ୍କ ପ୍ରାଣୀଙ୍କ ଜୀବନରେ ଚଳଚଞ୍ଚଳତା ଭରିଦେଇଥାଏ । ମାତ୍ର ପିଲାମାନେ ତ ଦୁଇଦିନ କଟାଇ ତାଙ୍କ ବାଟରେ ଯିବେ । ସେଥିପାଇଁ କେବେ ମନ ଊଣା କରି ନଥାନ୍ତି କଳ୍ପଲତା ଦେବୀ । ଅନ୍ୟ ଦିନ ଗୁଡିକରେ ଯଥାସମ୍ଭବ ସ୍ୱାଭାବିକ ଭାବେ ସମୟ ଅତିବାହିତ କରିବାକୁ ଚେଷ୍ଟା କରିଥାନ୍ତି । କାରଣ ସେ ଭଲଭାବରେ ଜାଣିଥାନ୍ତି ବର୍ଷକର ତିନି ଶହ ପଞ୍ଚଷଠି ଦିନରୁ ହାତଗଣତି କେତୋଟି ଦିନକୁ ଛାଡ଼ିଦେଲେ ବାକି ଦିନ ଗୁଡ଼ିକରେ ତାଙ୍କୁ ଏମିତି ହିଁ ରହିବାକୁ ପଡ଼ିବ । ସେଥିରେ ଅନ୍ୟଥା ନାହିଁ ।
ସବୁଦିନ ଘରର ଯାହା ଛୋଟ ବଡ଼ କାମ ଥାଏ ସେତକ ସରିଗଲା ପରେ ଖବରକାଗଜ ନ ହେଲେ ପତ୍ରପତ୍ରିକା ପଢାରେ ମନ ଦେଇଥାନ୍ତି । ଟି.ଭି. ଦେଖା ଅପେକ୍ଷା ସେଇଥିରେ ଥାଏ ତାଙ୍କର ଆଗ୍ରହ । ପ୍ରଚୁର ପଢିବା ଆଉ ଯଦି କିଛି ମନକୁ ଆସିଲା, ତାକୁ ନେଇ କିଛି ଲେଖିବସିବା । ବିଶେଷ କରି ଏଇ ଦ୍ୱିପ୍ରହର ସମୟ ତାଙ୍କୁ ସବୁଦୃଷ୍ଟିରୁ ସୁହାଇଥାଏ । ମଧ୍ୟାହ୍ନ ଭୋଜନ ସରିଲା ପରେ ପୁରୁଷୋତ୍ତମ ବାବୁ ଅପରାହ୍ନ ଯାଏଁ ପାଖାପାଖି ଦୁଇ ଘଣ୍ଟା ଶୋଇବାଟା ଏକରକମ ସ୍ଥିର । ଖଟ ଧରିବେ ତ କୁଆଡୁ ତାଙ୍କୁ ଚାହୁଁ ଚାହୁଁ ଘୋଟି ଆସିଥାଏ ନିଦ । ହେଲେ ସେହି ଅଭ୍ୟାସ ଠାରୁ ବହୁତ ଦୂରରେ ଥାଆନ୍ତି କଳ୍ପଲତା ଦେବୀ । ଦିନରେ ଯଦି କେବେ ଶୋଇ ପଡନ୍ତି, ତା’ହେଲେ ଅଧରାତିଯାକ ବିଛଣାରେ ଛଟପଟ ହୋଇ କାଟନ୍ତି । ଆଦୌ ନିଦ ଆସେନା ଆଖିକୁ ।
ଯେଉଁଥିପାଇଁ ଖରାବେଳ ସାରା ଖାଲିଟାରେ ଶୋଇବା ଅପେକ୍ଷା ଏଣୁତେଣୁ ପଢାପଢି କରି ନ ହେଲେ ଲେଖାଲେଖି କରି ସମୟ କଟାଇଥାନ୍ତି । ସେଥିପାଇଁ ଘରର ଆଗପଟ ବାରଣ୍ଡା ଥାଏ ତାଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ । ସେଠି ବସିଲେ ଘରର ଭିତରକୁ ବି ଚାହିଁ ହୁଏ ପୁଣି ସାମ୍ନା ଗେଟ୍ ଯାଏଁ ମଧ୍ୟ ଆଖି ପାଏ । ମୁଣ୍ଡ ଉପରେ ସିଲିଂ ଫ୍ୟାନ୍ ବୁଲୁଥିଲେ ବି ବାହାର ପବନ ଟିକେ ଆସି ଦେହରେ ବାଜେ । ବାହାରୁ କିଏ ଆସି ଗେଟ୍ ପାଖରେ ଛିଡ଼ାହେଲେ ସେୟାଡ଼କୁ ଦୃଷ୍ଟିଦେଇ ହୁଏ । ଏସବୁ କାରଣ ହେତୁ ସେ ଖରା ହେଉ କି ବର୍ଷା ହେଉ ପ୍ରତିଦିନ ଦ୍ୱିପ୍ରହର ବେଳାରେ ତାଙ୍କୁ ଦେଖିବାକୁ ମିଳିଥାଏ ଏହି ନିର୍ଦ୍ଦିଷ୍ଟ ସ୍ଥାନରେ । ସେଦିନ ସେମିତି ଥିଲା ଏକ ନିର୍ଜନ ଦ୍ୱିପ୍ରହରର ସମୟ । ବାରଣ୍ଡା ବେତ ଚେୟାର ଉପରେ ବସି ମୁହଁ ଆଗରେ ଖବରକାଗଜକୁ ଟେକି ଧରି ମନୋନିବେଶ କରିଥିଲେ ପଢାରେ । ଆଗରେ ଥୁଆ ହୋଇଥିବା ଟିପୟ ଉପରେ ଇତସ୍ତତଃ ଖେଳା ହୋଇ ପଡ଼ିଥିଲା କିଛି ପତ୍ରିକା । ଲେଖିବା ପାଇଁ ଖଣ୍ଡେ ସାଧା କାଗଜର ପ୍ୟାଡ୍ ଓ ବଲ୍ପେନ୍ । ମୁଣ୍ଡ ଉପରେ ଧୀର ଗତିରେ ଅବିରତ ଘୂରି ଚାଲିଥିଲା ସିଲିଂ ଫ୍ୟାନ୍ । ତା’ର ମନ୍ଦ ପବନ ବାଜି ଟି ପୟର କାଗଜ ପ୍ୟାଡ୍ ସମେତ ପତି୍ରକାଗୁଡିକ ଯେମିତି ଅଳ୍ପମୁଣ୍ଡ ଉଠାଇ ପୁଣି ଶୋଇପଡୁଥିଲେ ପୂର୍ବ ଅବସ୍ଥାରେ । ବାହାରେ ଲାଗିଥିବା ଗଛଗୁଡିକ ନବପଲ୍ଲବରେ ସୁଶୋଭିତ ହୋଇ ଦିଶୁଥିଲେ ଖୁବ୍ ସୁନ୍ଦର ଆଉ ମନୋରମ । ସେହି ଆକର୍ଷଣରେ ସମୟେ ସମୟେ ପଢାରୁ ନିବୃତ ରହି ଏକ ଲୟରେ ଚାହିଁ ରହୁଥିଲେ ସମ୍ମୁଖ ହତା ଆଡ଼କୁ । କିଛି କ୍ଷଣ ଏହି ଭିନ୍ନ ଜଗତରେ ନିମଜ୍ଜି ପୁଣି ଥରେ ମନୋନିବେଶ କରୁଥିଲେ ପଢାରେ । ଦ୍ୱିପ୍ରହରର ରଙ୍ଗ ଧୀରେ ଧୀରେ ଗାଢ ପାଲଟି ଚାଲିଥିଲା ତାଙ୍କ ଚାରିପଟେ ।
ଏହି ସମୟରେ ହଠାତ୍ ତାଙ୍କ ଦୃଷ୍ଟି ଆସି ନିବଦ୍ଧ ହେଲା ସାମ୍ନାଗେଟ୍ ନିକଟରେ । ଗେଟ୍ ବାହାରେ ଛିଡ଼ାହୋଇଥିଲେ କେହି ଜଣେ ଅପରିଚିତ ଜଣାପଡୁଥିବା ପ୍ରୌଢ ବ୍ୟକ୍ତି । ବୋଧହୁଏ, କାହାର ଠିକଣା ଖୋଜି ହେଉଥିଲେ ଅବା ବୁଝିବାକୁ ଚାହୁଁଥିଲେ । ସେହି ଅଜଣା ବ୍ୟକ୍ତିଙ୍କ ଚାହାଣିରେ ଭରି ରହିଥିଲା ଅନୁସନ୍ଧିତ୍ସା । ବାରମ୍ବାର ସେ ଗେଟ୍ରେ ଝୁଲିଥିବା ନାମଫଳକ ଆଡ଼କୁ ଚାହୁଁଥିଲେ ଓ ସେହିପରି ସ୍ଥିର ମୁଦ୍ରାରେ ଛିଡ଼ା ହୋଇ ରହିଥିଲେ ଗେଟ୍ ବାହାରେ । କିଏ ବୋଲି ଜାଣିବାକୁ ହାତରେ ଗେଟ୍ ଚାବିଟି ଧରି ଉଠିପଡିଲେ କଳ୍ପଲତା ଦେବୀ । ତାଙ୍କ ମନରେ ମଧ୍ୟ ଜମାଟ ବାନ୍ଧି ସାରିଥାଏ କୌତୁହଳତା । ତାଙ୍କୁ ଦେଖୁ ଦେଖୁ ଉତ୍ସୁକତାର ସହ ଭଦ୍ରବ୍ୟକ୍ତି ଜଣଙ୍କ ପଚାରିବସିଲେ,
‘ଏଇଟା କ’ଣ କଳ୍ପଲତା ପଟ୍ଟନାୟକଙ୍କ ଘର’
‘ହଁ, ଆପଣ….?’
‘ମୋ ନାଁ ଅରୂପାନନ୍ଦ ମିଶ୍ର । ଏଥର ମୋତେ ଜାଣିପାରିଲେ?’ ନାମଟିକୁ ଶୁଣୁ ଶୁଣୁ ଏକ ମୃଦୁ ଶିହରଣ ଯେପରି ତଡିତ୍ ବେଗରେ ଖେଳିଗଲା କଳ୍ପଲତା ଦେବୀଙ୍କ ଶରୀରରେ । ସେ ଏକ ପ୍ରକାର ଅପ୍ରସ୍ତୁତ ଓ ହତବାକ୍ ହୋଇ ଚାହିଁ ରହିଥିଲେ ସେହି ଆଗନ୍ତୁକଙ୍କ ଆଡ଼କୁ । କେଇ ମୁହୂର୍ତ୍ତ ଆଗରୁ ନିହାତି ଅପରିଚିତ ଲାଗୁଥିବା ଆଗନ୍ତୁକ ଜଣକର ଚେହେରା ଏବେ ତାଙ୍କୁ ଲାଗୁଥିଲା ଅତି ପରିଚିତ ଆଉ ଅତି ଆପଣାର । ବିସ୍ମୃତ ଅତୀତର ରଙ୍ଗ ମଞ୍ଚରୁ ସହସା ଯେପରି ଉଠିଯାଇଥିଲା ପରଦା । ତାହା ପୁଣି ଅନେକ ବର୍ଷର ଅନ୍ତରାଳ ପରେ । ନିମିଷକରେ ବଦଳିଯାଇଥିଲା ସେହି ରଙ୍ଗମଞ୍ଚର ସାଜସଜ୍ଜା ଏବଂ ଚିତ୍ର ଓ ଚରିତ୍ର । ପୃଷ୍ଠପଟ୍ଟରେ ଥିଲା ପ୍ରାୟ ପାଖାପାଖି ଚାଳିଶ ବର୍ଷ ତଳର ଭଞ୍ଜ ବିହାରର ପରିବେଶ । ସେହି ପରିବେଶରେ ଆତଯାତ ହେଉଥିଲେ ଅନେକ ଚିହ୍ନା ଅଚିହ୍ନା ଛାତ୍ରଛାତ୍ରୀ । ସେମାନଙ୍କ ଭିତରୁ ପଞ୍ଚମ ବର୍ଷ ମନସ୍ତତ୍ତ୍ୱବିଭାଗର ଛାତ୍ରୀ ଥିଲେ କଳ୍ପଲତା ପଟ୍ଟନାୟକ । ସେହିପରି ପଞ୍ଚମ ବର୍ଷ ଦର୍ଶନ ବିଭାଗର ଛାତ୍ର ଥିଲେ ଅରୂପାନନ୍ଦ ମିଶ୍ର । ୟୁନିଭର୍ସିଟିର ଇଣ୍ଟର ଡିପାର୍ଟମେଣ୍ଟ୍ ମଧ୍ୟରେ ଲିଟେରାରୀ କମ୍ପିଟେସନ୍ ଚାଲିଥାଏ । ପ୍ରତିଯୋଗୀ ଭାବରେ ଯୋଗ ଦେଇଥାନ୍ତି ଦୁଇଜଣ । ଗୋଟିଏ ହଲ୍ରେ ଆଗପଛ ବସି ପ୍ରବନ୍ଧ ଲେଖିଲାବେଳେ ଯାହା ଯେତିକି ଚିହ୍ନିଥାନ୍ତି ପରସ୍ପରକୁ । ତାହା ଥାଏ ସେମାନଙ୍କ ମଧ୍ୟରେ ପ୍ରଥମ ଦେଖା । ଯେହେତୁ ଦୁଇ ଜଣଙ୍କର ବିଭାଗ ଅଲଗା ଅଲଗା ସେଥିପାଇଁ ପରସ୍ପର ସହ ଚିହ୍ନା ପରିଚୟ ହେବାର ସୁଯୋଗ ନଥାଏ । ମାତ୍ର ସେହି ସୁଯୋଗଟି ପୁଣି ଆପଣାଛାଏଁ ଆସି ପହଞ୍ଚିଥିଲା, ଯେଉଁଦିନ ୟୁନିଭର୍ସିଟିର ବାର୍ଷିକ ଉତ୍ସବରେ ପ୍ରବନ୍ଧ ବିଷୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଭାବେ ଅରୂପାନନ୍ଦଙ୍କ ନାମ ଘୋଷିତ ହେଲା । ପୁରସ୍କାର ପ୍ରଦାନ ଉତ୍ସବର ସମାପନ ପରେ ମଞ୍ଚତଳେ ଏକୁଟିଆ ଛିଡ଼ା ହୋଇଥାନ୍ତି ଅରୂପାନନ୍ଦ । ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସି ପାଖରେ ପହଞ୍ଚନ୍ତି କଳ୍ପଲତା । ହେଲେ, ସେପରି କୌଣସି ବନ୍ଧୁତ୍ୱପୂର୍ଣ୍ଣ ପ୍ରତିକି୍ରୟା ନଥାଏ ତାଙ୍କ ପାଖରେ । ସଂପୂର୍ଣ୍ଣ ଅଣରୋମାଣ୍ଟିକ ସୁଲଭ ଉତ୍ତର ଦେଇ କୁହନ୍ତି, “କ’ଣ ପାଇଁ ଏ ଅଭିନନ୍ଦନ? ମୁଁ ନ ହୋଇଥିଲେ ତ ଆଉ କେହି ହୋଇପାରିଥାନ୍ତା ପ୍ରଥମ । ଏଇଟା କେବଳ ଏକ ସ୍ଥାନର ଖେଳମାତ୍ର । ଯାହା ଆପେକ୍ଷିକ ଓ ତତ୍କାଳିକ । ଶାଶ୍ୱତ ତ କେବେ ନୁହେଁ ।” ତାଙ୍କ ଠାରୁ ଏପରି ଉଦ୍ଭଟ ଉତ୍ତରଟିଏ ଶୁଣିବେ ବୋଲି କେବେ ଆଶା କରି ନଥିଲେ ସେ । ଏ ଥିଲା ସେହି ଆଦ୍ୟ ସାକ୍ଷାତରେ କେତୋଟି ସଂଳାପ ଯାହା ଆଜି ସୁଦ୍ଧା ସ୍ମୃତିକୋଷରେ ଜୀବିତ ଥିଲା କଳ୍ପଲତା ଦେବୀଙ୍କର ।
କେଜାଣି କେମିତି ସମୁଦ୍ରଗର୍ଭରେ ଦରିଆ ମେଲାଇ ଆଗକୁ ଆଗକୁ ଯିବା ପରି ସେହି ପ୍ରଥମ ସାକ୍ଷାତ ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ପାଲଟିଯାଇଥିଲା ଏକ ଅନାହତ ଆକର୍ଷଣ ରୂପରେ । ଯଦିଓ ସେଠି ଈପ୍ସିତ ପ୍ରତିକ୍ରିୟା ବଦଳରେ ଥିଲା ବିରୋଧାଭାସ, ଆଶା ବଦଳରେ ଥିଲା ନୈରାଶ୍ୟ ତଥାପି ସେସବୁ ଦୁର୍ବଳତା ଅରୂପାନନ୍ଦଙ୍କ ପ୍ରଜ୍ଞା ଆଗରେ ଥିଲା ଖୁବ୍ କମ୍ । ସାରା ୟୁନିଭର୍ସିଟିରେ ପ୍ରବନ୍ଧ ରଚନାରେ ଭାଗ ନେଇ ପ୍ରଥମ ସ୍ଥାନ ପାଇବା କମ୍ ଗୌରବର କଥା ନଥିଲା ତାଙ୍କ ପାଇଁ । ବରଂ ସଫଳତା ସତ୍ତ୍ୱେ ସେ ଥିଲେ ଦାର୍ଶନିକ ସୁଲଭ ନିର୍ବିକାର । ତାଙ୍କର ଏହି ଅଦ୍ଭୁତ ଦୃଷ୍ଟିଭଙ୍ଗୀ ଅଶୋଭନୀୟ ଓ ଆଶାନୁରୂପକ ହୋଇନଥିବା ସତ୍ତ୍ୱେ କୌଣସି ଫରକ୍ ପକାଇ ନଥିଲା କଳ୍ପଲତାଙ୍କ ଠାରେ । ଉନ୍ମନା ହୋଇ ସେ ତାଙ୍କ ସହ ସଂପର୍କର ସେତୁ ଯୋଡିବାକୁ ବାହାରିଥିଲେ ନିଜ ଆଡୁ । ଏଥିପାଇଁ ସେ ଥିଲେ ମଧ୍ୟ ଖୁବ୍ ଆଶାବାଦୀ । ଭାବିଥିଲେ, ସମୟକ୍ରମେ ପରସ୍ପରର ସଂପର୍କରେ ଯେତେ ନିବିଡ଼ତା ଆସିବ ସେତେ ଅଧିକ ଜୀବନବାଦୀ ହୋଇଉଠିବେ ଅରୂପାନନ୍ଦ । ଧୀରେ ଧୀରେ ବୁଝିପାରିବେ ଯେ ଦର୍ଶନ ବଡ଼ ନୁହେଁ, ଜୀବନ ହେଉଛି ବଡ଼ । ଆଗ ଦର୍ଶନ ନୁହେଁ, ଆଗ ଜୀବନ । ଏକଥା କେବଳ ସେତିକି ବେଳେ ସମ୍ଭବ ହୋଇପାରିବ ଯେତେବେଳେ ଜଣେ ନାରୀକୁ ଯେପରି ନିଜ ଜୀବନରେ ସକଳ ଉନ୍ମୁକ୍ତତା ଦେଇ ଗ୍ରହଣ କରିଥାଏ ପୁରୁଷ, ସେତିକିବେଳେ । ତାଙ୍କ ନିବୁଜ ହୃଦୟର ଗବାକ୍ଷ ଦେଇ ପ୍ରବେଶ କରିବାକୁ ହେବ ହୃଦୟେଶ୍ୱରୀ ରୂପରେ ।
ୟୁନିଭର୍ସିଟିର ଦୁଇବର୍ଷର ରହଣିକାଳ ମଧ୍ୟରେ ସେ ସବୁମତେ ପ୍ରୟାସ କରିଥିଲେ କିପରି ଅରୂପାନନ୍ଦଙ୍କ ନିକଟରୁ ନିକଟତର ହେବେ । କିପରି ତାଙ୍କର ଜଡ଼ତ୍ୱକୁ ତରଳାଇ ସେଠାରେ ସୃଷ୍ଟି କରିବେ ପ୍ରେମର ଚିରନ୍ତନ ନିର୍ଝର । ସେହି ଦୃଷ୍ଟିରୁ ବୋଧହଏ ସେ ଥିଲେ ତାଙ୍କ ସମୟର ଅନ୍ୟ ସମସ୍ତ ଝିଅମାନଙ୍କ ଠାରୁ ଅଲଗା । ଯଦି ସେ ଝିଅ ବଦଳରେ ପୁଅଟିଏ ହୋଇଥାନ୍ତେ ଆଉ ଅରୂପାନନ୍ଦ ପୁଅ ବଦଳରେ ଝିଅ, ତେବେ ସେତେଟା ଅସ୍ୱାଭାବିକ ହୋଇନଥାନ୍ତା ସେହି ସଂପର୍କର ଆବେଦନରେ । ହେଲେ, ଝିଅଟିଏ ହୋଇ କୌଣସି ପୁଅଠାରେ ମନଦେବା ତାହା ପୁଣି ସଂପୂର୍ଣ୍ଣ ଏକତରଫା ଭାବରେ, କେବଳ ସିଏ ହିଁ ଥିଲେ ଏହି ବିଲକ୍ଷଣର ଅଧିକାରୀ । ଭଞ୍ଜ ବିହାରରେ ରହି ମନସ୍ତତ୍ତ୍ୱ ଅଧ୍ୟୟନ କରିବା ଭିତରେ ନିଜର ମନଗହନକୁ ନିବୁଜ ରଖିବାରେ ବିଫଳ ହୋଇଥିଲେ ସେ । ସେଠି ଅଲକ୍ଷ୍ୟରେ ପ୍ରବେଶ କରିସାରିଥିଲେ ଅରୂପାନନ୍ଦଙ୍କ ପରି ଜଣେ ସୌମ୍ୟଦର୍ଶୀ ପ୍ରତିଭାଦୀପ୍ତ ଯୁବକ । ଯିଏ କସ୍ତୁରୀମୃଗ ପରି ପ୍ରତିନିୟତ ମହକିତ କରୁଥିଲେ ତାଙ୍କ ନିଷିଦ୍ଧ ମନର ଉପବନକୁ । ବିଭୋର ମୃଗୁଣୀ ପାଲଟି ସେ କେବଳ ଅନୁଧାବନ କରିଚାଲିଥିଲେ ସେହି ମହକର ପଛେ ପଛେ ।
ଅରୂପାନନ୍ଦଙ୍କ ସହ ସେହି ଅନ୍ତିମ ସାକ୍ଷାତର ଦିନଟି ବେଶ୍ ମନେ ଥିଲା କଳ୍ପଲତା ଦେବୀଙ୍କର । ସେତେବେଳ ୟୁନିଭର୍ସିଟିର ଶେଷ ବର୍ଷର ପରୀକ୍ଷା ସରିଯାଇଥାଏ । କ୍ୟାମ୍ପସ୍ର ପରିବେଶ ଲାଗୁଥାଏ ଏକପ୍ରକାର ଖାଁ ଖାଁ ଆଉ ଉଦାସ । ଷଷ୍ଠ ବର୍ଷର ପରୀକ୍ଷା ଦେଇସାରିଥିବା ଜଣେ ପରେ ଜଣେ ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ି ଘର ଅଭିମୁଖେ ବାହାରୁଥାନ୍ତି । ଭଞ୍ଜ ବିହାରରୁ ସବୁଦିନ ପାଇଁ ବିଦାୟ ନେବା ପୂର୍ବରୁ ଶେଷଥର ପାଇଁ ସେ ଚେଷ୍ଟା କରିଥିଲେ ଅରୂପାନନ୍ଦଙ୍କ ହୃଦୟ ଜୟ କରିବାକୁ । ଅନ୍ତତଃ ନିଜ ନିଭୃତ ହୃଦୟର ଭାଷାକୁ ମୁକ୍ତ ଭାବେ ଅଭିବ୍ୟକ୍ତ କରିବା ନିମନ୍ତେ ଏହା ଥିଲା ଯେପରି ତାଙ୍କ ପାଇଁ ଶେଷ ସୁଯୋଗ । ସବୁମତେ ସାହସ ଜୁଟାଇ ଆସି ପହନ୍ ଯାଇଥିଲେ ଅରୂପାନନ୍ଦ ରହୁଥିବା ହଷ୍ଟେଲ ରୁମ୍ ସମ୍ମୁଖରେ । ସମୟ ଥାଏ କ୍ଳାନ୍ତ ଅପରାହ୍ନର ଏକ ଉଷ୍ମ ପ୍ରହର । କବାଟକୁ ଦୁଇ ଥର ଠକ୍ ଠକ୍ କଲାପରେ ସେପଟୁ ଖୋଲିଲେ ଅରୂପାନନ୍ଦ । ଆଶ୍ଚର୍ଯ୍ୟ, ତାଙ୍କୁ ଏପରି ଅକସ୍ମାତ ଦେଖିଲା ପରେ ବି କୌଣସି ବିସ୍ମୟ କିମ୍ବା ପ୍ରତିକ୍ରିୟା ନଥିଲା ଯେମିତି । ସେହିପରି ନିରୁଦ୍ବିଗ୍ନ ଭାବରେ ଛିଡା ହୋଇ ରହିଥିଲେ ମୌନ ତପସ୍ୱୀ ପାଲଟି । ନା ଥାଏ କୌଣସି ଉଦ୍ଗ୍ରୀବତା ନା ଥାଏ ତାଙ୍କଠାରେ ଆତ୍ମୀୟତାର ନିବିଡପଣ । ଆସିଥିଲେ, ଏପର୍ଯ୍ୟନ୍ତ ଅପ୍ରକାଶ୍ୟ ରହିଯାଇଥିବା ଛାତି ତଳର ଭାଷାକୁ ପ୍ରକାଶ କରିବାକୁ । ତାହା ପୁଣି ସେହି ଶେଷ ସନ୍ଧିକ୍ଷଣରେ । ଘୋର ନିରାଶ ହେବା ଛଡା ସେହି ସ୍ଥିତିରେ ଆଉ କୌଣସି ଗତ୍ୟାନ୍ତର ନଥିଲା ତାଙ୍କ ପକ୍ଷରେ । ନିଥର ଓଠ ସଂକୋଚ କଲା ହୃଦୟ ତଳର ଅଣଆଉଟା ଭାଷାକୁ ଉତ୍ତାରି ଆଣିବା ପାଇଁ ସେହି ନିର୍ଦ୍ଦୟ ବେଳାରେ । ଛାୟା ମୂର୍ତ୍ତିଟେ ପରି ନିଃଶବ୍ଦରେ ଫେରି ଆସୁଥିଲେ । ଏତିକି ବେଳେ ପଛରୁ ଡାକିଥିଲେ ଅରୂପାନନ୍ଦ । ପ୍ରଥମ ଥର ପାଇଁ ବୋଧେ ସେଦିନ ପଢିପାରିଥିଲେ କୌଣସି ନାରୀମନର ସଂଗୁପ୍ତ ଭାଷାକୁ । ତଥାପି ଥାଆନ୍ତି ସେହିପରି ପ୍ରତିକି୍ରୟା ଶୂନ୍ୟ । “ଟିକେ ରୁହ” କହି ନିଜର ପଢା ଟେବୁଲ ଉପରୁ ବାଛି ଆଣିଲେ ଖଣ୍ଡେ ବହି ।
ସେଥିରୁ ପୃଷ୍ଠା ଲେଉଟାଇ ଗୋଟିଏ ଜାଗାରେ ଅଟକିଯାଇ କହିଲେ, ‘ଏ ବହିଟି ବୈଷ୍ଣବ ଦର୍ଶନ ସମ୍ବଳିତ ଏକ ପୁସ୍ତକ । ପ୍ରେମର ପରିଭାଷାକୁ ‘ଚୈତନ୍ୟ ଚରିତାମୃତ’ ରେ କିପରି କୁହାଯାଇଛି ଦେଖ – କହି ଆବୃତ୍ତି କଲେ –
ଆତ୍ମେନ୍ଦି୍ରୟ ପ୍ରୀତି ବାଂଛା ତାରେ ବଲି କାମ
କୃଷ୍ଣେନ୍ଦ୍ରିୟ ପ୍ରୀତି ଇଚ୍ଛା ଧରେ ପ୍ରେମ ନାମ । ।’
ମୁହୂର୍ତ୍ତକର ବିରାମ ପରେ ନିଜ ଆଡୁ ସ୍ପଷ୍ଟ କରିବାକୁ ଯାଇ କହିଲେ, ‘ମୋର ସେହିପରି ମାନବୀୟ ପ୍ରେମରେ ଆଦୌ ଆସ୍ଥା ନାହିଁ । ସେଠି ଛଳନା ଅଛି, ପ୍ରତାରଣା ଅଛି । ପୁଣି ତାହା କ୍ଷଣ ଭଙ୍ଗୁର । ମୁଁ ଆସ୍ଥା ରଖେ ତ କେବଳ ଭଗବତ ପ୍ରେମରେ, ଯାହା ଚିରନ୍ତନ ଆଉ ଶାଶ୍ୱତ ।’ ଏହାପର ଠାରୁ ଯେପରି ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା ସେହି ସୁଦୂର ଅତୀତର କାହାଣୀ ଉପରେ । ସମୟର ପ୍ରଖର ସ୍ରୋତ କେବେଠାରୁ ଅତିକ୍ରମ କରିଯାଇଥିଲା ବୟସର ବସନ୍ତ ଋତୁକୁ । ସେହି ସ୍ରୋତ ସହ କୁଆଡେ ପାସୋରି ହୋଇଯାଇଥିଲା ପୁରୁଣା ଦିନର ସ୍ମୃତି । ଅଚାନକ ପୁଣି ଆଜି ଅରୂପାନନ୍ଦଙ୍କୁ ଏତେଗୁଡାଏ ବର୍ଷର ବ୍ୟବଧାନ ପରେ ଦେଖି ଚେଇଁ ଉଠିଥିଲା ସେହି ପିଛିଲା ଜୀବନର ବିସ୍ମୃତ ସ୍ମୃତି । କେବେ କଳ୍ପନା ସୁଦ୍ଧା କରି ନଥିଲେ କଳ୍ପଲତା ଦେବୀ ଏପରି ଏକ ସାକ୍ଷାତର ଆଉଥରେ ପୁନରାବୃତ୍ତି ହେବ ବୋଲି । ତାହା ପୁଣି ବୟସର ଉତ୍ତରାର୍ଦ୍ଧରେ । ଢେର ସମୟ ବିସ୍ମୟମିଶା ଚାହାଣିରେ ଚାହିଁ ରହି ପରିଶେଷରେ ଗେଟ୍ ଫିଟାଇ ସ୍ୱାଗତ କଲେ ଅରୂପାନନ୍ଦଙ୍କୁ ।
– କ’ଣ ମୋତେ ଚିହ୍ନିବାରେ ଏତେ ସମୟ ଲାଗିଲା ।?
– ନାଇଁ, ସେପରି କିଛି ନୁହେଁ । ବହୁତ ବର୍ଷ ପରେ ତ! ସେଥିପାଇଁ ।
– ପ୍ଲଟ୍ ନମ୍ବର – ୧୮୮୨, ବ୍ରହ୍ମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର । ଏହି ଠିକଣାଟିକୁ ତମ ଲେଖାରୁ ପଢିଥିଲି । ସେଥିପାଇଁ ଘର ଖୋଜି ପାଇବାରେ କିଛି ଅସୁବିଧା ହେଲାନାହିଁ ।
ଦୁହେଁ ଆସି ବସି ସାରିଥିଲେ ବାହାର ପଟ ବାରଣ୍ଡାର ଚେୟାର ଉପରେ । ସେମାନଙ୍କ ଚାରିପଟେ ବେଢି ରହିଥିଲା ଗୁମ୍ସୁମ୍ ଦ୍ୱିପ୍ରହରର ନିରବତା ସହ ଚାପା ଚାପା ଉତ୍ସୁକତା । ସେପଟୁ ଭିତର ଘରୁ ଭାସି ଆସୁଥାଏ ପୁରଷୋତ୍ତମ ବାବୁଙ୍କ ଗଭୀର ନିଦ୍ରାଜନିତ ଘୁଙ୍ଗୁଡିର ଶବ୍ଦ ।
ସ୍ୱଳ୍ପ ସମୟର ନିରବତାକୁ ଭାଙ୍ଗି ଅରୂପାନନ୍ଦ ଆରମ୍ଭ କଲେ, ‘ଗତମାସରୁ ମୁଁ ବିଜେବି କଲେଜରୁ ଅଧ୍ୟାପକ ଭାବେ ଅବସର ନେଇଛି । ଏହାପରେ ସବୁଦିନ ପାଇଁ ଫୁଲବାଣୀକୁ ଚାଲିଯିବି । ତେବେ ଯିବା ପୂର୍ବରୁ ମୋର ଏଠାକୁ ଆସିବାର ଅଭିପ୍ରାୟ କିଛି ରହିଛି ।’ ପ୍ରଶ୍ନିଳ ଆଖିରେ ଚାହିଁ ରହିଲେ କଳ୍ପଲତା ଦେବୀ । ତାଙ୍କ ଭାବନା ଭିତରେ ଉଙ୍କି ମାରୁଥାଏ ଏକ ପରେ ଏକ ଅନେକ ପ୍ରଶ୍ନ । ଯେପରି, ଏତେ ବର୍ଷ ପରେ ଅରୂପାନନ୍ଦଙ୍କ ହଠାତ୍ ଏପରି ତାଙ୍କ ପାଖକୁ ଆସିବାର କାରଣ କ’ଣ ଥାଇପାରେ? କେଉଁ ଅଭିପ୍ରାୟ ନେଇ ସେ ତାଙ୍କ ପାଖକୁ ଆସିଛନ୍ତି ତାହେଲେ? ପୁଣି କ’ଣ ପାଇଁ ସେ ପୁରୁଣା ସ୍ମୃତିକୁ ଆଉ ଥରେ ଉଜ୍ଜୀବିତ କରିବାକୁ ଚାହୁଁଛନ୍ତି? ଏପରି ଏକାଧିକ ଅସମାହିତ ପ୍ରଶ୍ନ ଖେଳିବୁଲୁଥାନ୍ତି ତାଙ୍କ ଭିତରେ । ଆପାତତଃ, ତାଙ୍କ ମନର ଅର୍ଗଳିରେ ଆନେ୍ଦାଳିତ କରୁଥିବା ସେହି ସବୁ ଜଟିଳ ପ୍ରଶ୍ନଗୁଡିକୁ ଏଡ଼ାଇ ଜିଜ୍ଞାସା ପୂର୍ବକ ପଚାରିବସିଲେ:-
– ଆଉ ତୁମ ପରିବାର ଏବେ କେଉଁଠି?
– ସେ ଗୋଟିଏ ଲମ୍ବା କଥା । ତଥାପି ତମ ଜାଣିବା ନିମନ୍ତେ ସଂକ୍ଷେପରେ କହିଦେଉଛି ।
ଦୀର୍ଘଶ୍ୱାସଟିଏ ଛାଡି ଅରୂପାନନ୍ଦ କହିଚାଲିଲେ – ଭଞ୍ଜ ବିହାରରୁ ଏମ୍.ଏ ପାସ୍ କଲାପରେ ମୁଁ ପ୍ରଥମେ କେଇବର୍ଷ ଏକ ପ୍ରାଇଭେଟ୍ କଲେଜରେ ଅଧ୍ୟାପନା କଲି । ତାପରେ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସରକାରୀ କଲେଜରେ ଅଧ୍ୟାପକର ଜୀବନ ଆରମ୍ଭ କଲି । ତମେ ତ ୟୁନିଭର୍ସିଟି ବେଳରୁ ମୋତେ ଜାଣିଛ । ନା ମୋର ବିବାହ ବନ୍ଧନରେ ଆଗ୍ରହ ଥିଲା, ନା ମୋର ସଂସାର ଗଢିବାରେ ରହିଥିଲା କୌଣସି ଲାଳସା । ହେଲେ, ମୋ ବାପା ମା’ଙ୍କର ଇଚ୍ଛା ଥିଲା ଭିନ୍ନ । ସକଳ ଅରାଜି ସତ୍ତ୍ୱେ କୌଣସି ପ୍ରକାରେ ମତେ ସେମାନେ ଅନ୍ୟମାନଙ୍କ ପରି ଦେଖିବାକୁ ଚାହୁଁଥିଲେ । ସ୍ତ୍ରୀ ପିଲା ପରିବାରକୁ ନେଇ ମୁଁ ମଧ୍ୟ ବାକି ସମସ୍ତଙ୍କ ପରି ବଞ୍ଚେ, ଏହା ସେମାନେ ଅଧିକ ପସନ୍ଦ କରୁଥିଲେ । ମୋର ବ୍ୟକ୍ତିଗତ ମତ ଓ ଭାବନାର କୌଣସି ମୂଲ୍ୟ ନଥିଲା ସେମାନଙ୍କ ଇଚ୍ଛା ଆଗରେ । ‘ତା’ପରେ ତମେ ରାଜି ହେଇଥିଲ ବାହାଘର ପାଇଁ । ଏକଥା ମୁଁ ତମ ବିଭାଗର ଜଣେ ଅଧ୍ୟାପିକାଙ୍କ ଠାରୁ ପରେ ଜାଣିବାକୁ ପାଇଥିଲି ।’ ସବୁକିଛି ଅବଗତ ଥିବା ପରି କଥା ମଝିରେ ଅନୁପ୍ରବେଶ କରି କଳ୍ପଲତା ଦେବୀ କହି ଉଠିଲେ –
‘ହଁ, ତମେ ଠିକ୍ ଶୁଣିଥିଲ ।’
କିନ୍ତୁ ତା’ପରେ ….ଆଉ ଏକ ଦୀର୍ଘଶ୍ୱାସ ପକାଇ ଅରୂପାନନ୍ଦ ପୁଣି କହିଚାଲିଲେ – ଏହାପରେ ପୁଷ୍ପାଶ୍ରୀ ମୋ ଜୀବନରେ ପ୍ରବେଶ କରିଥିଲେ ନବବଧୂ ସାଜି ପତ୍ନୀ ରୂପରେ । କେନ୍ଦୁଝର ସରକାରୀ କଲେଜରେ ମୋର ସେହି ସମୟରେ ପୋଷ୍ଟିଂ ହୋଇଥାଏ । ପରିବାର ପାଖକୁ ନ ଆଣି ମୁଁ ଏକୁଟିଆ ରହିବାକୁ ପସନ୍ଦ କରୁଥାଏ ବାରାକ୍ରେ । ପୁଷ୍ପାଶ୍ରୀ ରହୁଥାଏ ଗାଁରେ ବାପାମା’ଙ୍କ ସହିତ । ସେମାନେ ଥରକୁ ଥର ବାଧ୍ୟ କରିବାରୁ ମୁଁ ପରିଶେଷରେ ନିଜ ପାଇଁ କ୍ୱାଟରଟିଏ ନେଲି ଏବଂ ସ୍ତ୍ରୀକୁ ଆଣି ପାଖରେ ରଖିଲି । ଦୁହେଁ ଏକାଠି ମିଶି ରହିବା ସତ୍ତ୍ୱେ ମୋାର ସଂସାର ପ୍ରତି ଉଦାସୀନତାରେ ସେପରି କିଛି ପରିବର୍ତ୍ତନ ହେଉ ନଥାଏ । ବିବାହର ଦୀର୍ଘ ମାସ ପରେ ସୁଦ୍ଧା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଯେପରି ସାନିଧ୍ୟ ଓ ସଂପର୍କ ରହିବା କଥା ସେପରି କିଛି ସଂଭବ ହୋଇ ପାରିନଥିଲା ଆମ ଜୀବନରେ । ଏଥିପାଇଁ ନିଶ୍ଚିତ ଭାବେ ଦାୟୀ ଥିଲି ମୁଁ । ବଦଳାଇ ପାରିନଥିଲି ଜୀବନ ପ୍ରତି ଥିବା ମୋର ଆଭିମୁଖ୍ୟକୁ । ପୁଷ୍ପାଶ୍ରୀକୁ ସ୍ତ୍ରୀ ଭାବରେ ଯେତେ ନୁହେଁ, ଗ୍ରହଣ କରି ନେଇଥିଲି ଜଣେ ଅନୁଗତା ଭାବରେ । ଯିଏ କେବଳ ଆଖିବୁଜି ଅନୁସରଣ କରିପାରୁଥିବ ତଥାକଥିତ ସ୍ୱାମୀର ନୀତି ଓ ଆଦର୍ଶକୁ । ପରସ୍ପର ମଧ୍ୟରେ ଭଲ ପାଇବାର ସେତୁ ନଥିବ । ନଥିବ ମଧ୍ୟ ପରସ୍ପରକୁ ଲୋଡିବାର ଆପଣାପଣ । ଆଉ ଯାହାର ଚରମ ପରିଣାମ ମୋତେ ଭୋଗିବାକୁ ପଡିଥିଲା ଅଳ୍ପଦିନର ବ୍ୟବଧାନରେ ।
– “କ’ଣ ପରିଣାମ ହେଲା? ପୁଷ୍ପଶ୍ରୀ କ’ଣ ତମକୁ ଛାଡି ଚାଲିଗଲେ? ନା ଦୁହିଁଙ୍କ ଭିତରେ ଡିଭୋର୍ସ ହେଲା?’ କଳ୍ପଲତା ଦେବୀଙ୍କ ଆଖିରେ ଅନୁକମ୍ପା ମିଶା ଉକ୍ରଣ୍ଠା ସହସା ପହଁରିଗଲା ।
‘ସେପରି କିଛି ହୋଇଥିଲେ ତ ମତେ ଆଜି ଏପରି ଅନୁତାପ କରିବାକୁ ପଡୁ ନଥାନ୍ତା ।’ ବାଷ୍ପରୁଦ୍ଧ ହୋଇ ଆସୁଥିଲା ଅରୂପାନନ୍ଦଙ୍କ କଣ୍ଠସ୍ୱର । ପୂର୍ବାପେକ୍ଷା ଅଧିକ ଗମ୍ଭୀର ଦିଶୁଥିଲା ତାଙ୍କ ମୁହଁ । ଭିତରର କୋହକୁ ନିଜ ଭିତରେ ଚାପି ରଖି ପ୍ରକାଶ କଲେ, “ଦିନେ କଲେଜରୁ କ୍ୱାଟରକୁ ଫେରି ଦେଖେ ତ ପୁଷ୍ପାଶ୍ରୀ ତାଙ୍କ ପିନ୍ଧା ଲୁଗାକୁ ଫାଶ କରି ସିଲିଂ ଫ୍ୟାନ୍ରେ ଝୁଲି ପଡିଛନ୍ତି । ଆଉ କିଛି କରିବାର ଯୁ ନଥିଲା । ସବୁ ଶେଷ ହୋଇ ଯାଇଥିଲା ଅତି ଆକସ୍ମିକ ଭାବରେ । କହିବାକୁ ଗଲେ, ସେହି ଦାରୁଣ ଧକ୍କାକୁ ସମ୍ଭାଳିବାର ସତ୍ ସାହସ ମୋର ନଥିଲା । ସେଥିପାଇଁ ଦୋଷୀ ମନେ କରିଥିଲି ନିଜକୁ । ଆଉ ସେହି ଦୋଷୀ ଭାବରୁ ଆଜି ସୁଦ୍ଧା ମୁକୁଳି ପାରିନାହିଁ ମୁଁ । ପୁଷ୍ପାଶ୍ରୀ ସବୁଦିନ ପାଇଁ ମୋ ପାଖରୁ ଚାଲିଗଲା ପରେ ମୁଁ ତାଙ୍କୁ ବୁଝିବାକୁ ଆରମ୍ଭ କରିଥିଲି ଓ ଏବେ ସୁଦ୍ଧା ତାଙ୍କୁ ମନେ ମନେ ଝୁରି ଚାଲିଛି । ଏ ଜୀବନ ଥିବା ପର୍ଯ୍ୟନ୍ତ ସେହି ସଂତାପର ନା ଶେଷ ଅଛି ନା ଭରଣା କିଛି ଅଛି ।” କହୁ କହୁ ମ୍ରିୟମାଣ ହୋଇ ପଡୁଥିଲେ ଅରୂପାନନ୍ଦ । ନିଜକୁ ଯଥାସମ୍ଭବ ସମ୍ଭାଳି କଳ୍ପଲତା ଦେବୀଙ୍କ ଆଡକୁ ଚାହିଁ କହିଲେ, “ହଁ, ଯେଉଁ ଅଭିପ୍ରାୟ ନେଇ ତମ ପାଖକୁ ଆଜି ଆସିଛି, ତାକୁ ତୁମକୁ କହିଦିଏ । ଭଞ୍ଜ ବିହାରରେ ତମେ ସେଦିନ ମୋତେ ସ୍ନେହ ଓ ପ୍ରେମର ବନ୍ଧନରେ ବାନ୍ଧିଦେବାକୁ ଚାହୁଁଥିଲ, ସେତେବେଳେ ତମେ ଠିକ୍ ଥିଲ । ଭୁଲ୍ ଥିଲି ତ ମୁଁ । ଶୁଷ୍କ ଦର୍ଶନର ଫମ୍ଫା ଆଧାରରେ ଜୀବନ ବଞ୍ଚିବାକୁ ଚାହୁଁଥିଲି । ବଞ୍ଚିବାର ସେହି ଛଳନା ଭିତରେ ଅନେକ ଦୂର ଚାଲିଯାଇଥିଲି ଜୀବନ ଠାରୁ । ଏମିତି କି ଭଲ ପାଇବା ଠାରୁ । ଯେତେବେଳେ ବୁଝି ପାରିଲି ସେତେବେଳକୁ ବହୁତ ଦୂରକୁ ଚାଲିଯାଇଥିଲା ସମୟ । ଏବେ ମୋ ରିକ୍ତ ପାପୁଲିରେ ଧରାଦେବାକୁ ନା ତମେ ଅଛ ନା ପୁଷ୍ପାଶ୍ରୀ ଅଛି । ତମେ ସେତେବେଳେ ଠିକ୍ ଥିଲ କଳ୍ପଲତା । କେବଳ ସେଇ କଥାକୁ କହିବାକୁ ଆସିଛି ।”
ବସିଥିବା ଚେୟାର ଉପରୁ ଉଠି ଛିଡ଼ା ହୋଇପଡିଲେ ଅରୂପାନନ୍ଦ । ତାଙ୍କ ବିଷଣ୍ଣ ମୁଖମଣ୍ଡଳରେ ବାରି ହୋଇ ପଡୁଥିଲା ଅନୁତାପ ଦଗ୍ଧ ଅବ୍ୟକ୍ତ ବେଦନାର ଚିତ୍ର । କଣ୍ଠ ସ୍ୱରରେ ଭରି ରହିଥିଲା ଶିଥିଳତା । ସମ୍ମୁଖ ଗେଟ୍ ଆଡ଼କୁ ନିସ୍ତେଜ ଆଖିରେ ଚାହିଁ ରହି ଧୀରେ ଧୀରେ ଅଗ୍ରସର ହେଲେ ଆଗକୁ । କିଛି କ୍ଷଣ ଭିତରେ ଅଦୃଶ୍ୟ ହୋଇଗଲେ ଦୃଷ୍ଟିର ସୀମାନ୍ତରୁ । ନିର୍ବାକ୍ ହୋଇ ସେୟାଡକୁ ଚାହିଁ ରହିଥିଲେ କଳ୍ପଲତା ଦେବୀ । ଏକ ଅବିଶ୍ୱସନୀୟ ବାତାବରଣ ତାଙ୍କୁ ଯେପରି ଆର୍ଦ୍ର କରି ପକାଇଥିଲା ଭିିତରେ ଭିତରେ । ଅପଲକ ଆଖିର ପରଦା ଉପରେ ନାଚି ଉଠୁଥିଲା ଗୋଟିଏ ଅଫେରା ନଈର ଦୃଶ୍ୟ । କେଇ ମୁହୂର୍ତ୍ତ ପାଇଁ ଯାହା ଶୁଭୁଥିଲା ସେହି ନଈର କୁଳୁକୁଳୁ ନାଦ । ଆଉ ଚାହୁଁ ଚାହୁଁ କୁଆଡ଼େ ମିଳାଇଯାଇଥିଲା ସେହି ନଈର ଧାର ।
ଏହା ଭିତରେ କେତେବେଳେ ଦ୍ୱିପ୍ରହର ଡେଇଁ ଅପରାହ୍ନର ଛାଇ ଲମ୍ବି ଆସିଥିଲା ହତାକୁ । ତଥାପି ଭିତର ଘରୁ ରହି ରହି ଶୁଭୁଥିଲା ପୁରୁଷୋତ୍ତମ ବାବୁଙ୍କ ନିଦ୍ରାଜନିତ ଘୁଙ୍ଗୁଡିର ଶବ୍ଦ ।