ଅମୁହାଁ ଦେଉଳର ଅପୂଜା ଈଶ୍ୱରୀ
ମୋ ହାତ ପାପୁଲି ଉପରୁ ନିଜ ହାତମୁଠାକୁ ଶିଥିଳ କରିଦେଇ ପଚାରିଲେ- ସୁବର୍ଣ୍ଣା! ତମର ହାତ ମାଗି ମୁଁ କ’ଣ ଅପରାଧ କରିଛି? ଯଦି କରିଥାଏ- ମତେ କ୍ଷମା କରିଦିଅ । ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ସେଦିନ ଦେଇପାରିନଥିଲି । କାରଣ ସେ ପ୍ରଶ୍ନର ଉତ୍ତର ମତେ ଜଣାନଥିଲା । ହୁଏତ ସାରା ଜୀବନ ମତେ ସେଇ ପ୍ରଶ୍ନର ଠିକ୍ ଉତ୍ତର ଖୋଜି ବୁଲିବାକୁ ହେବ । ଆପଣ କ’ଣ ସେଦିନ ପର୍ଯ୍ୟନ୍ତ ଉତ୍ତର ଶୁଣିବାକୁ ଅପେକ୍ଷା କରିଥିବେ ?
ମୀନା, ମୀନୁ, ମୀନାକ୍ଷୀ ।
ତତେ ଯେଉଁ ନାମରେ ଡାକିଲେ ବି ମନ ବୁଝେ ନାହିଁ । ତୋ ଆଖିରେ ଦୃଷ୍ଟି ଲାଖିଗଲେ ଛାତି ଭିତରେ ଭୂମିକମ୍ପ ହୋଇଯାଏ । ମୀନାର କଅଣ କମ୍ପନ ସୃଷ୍ଟି କରିବାର କ୍ଷମତା ଥାଏ?
ଜାଣେନା । ଜାଣିବାକୁ ଚାହେଁନା । ତୋ ବାପା ବୋଉ ତତେ ମୀନା ବୋଲି ଡାକିଲେ ମୋର କିଛି କରିବାର ନାହିଁ । ତୁ କିନ୍ତୁ ମୋ ପାଇଁ ମୀନାକ୍ଷୀ କିମ୍ବା ସଂକ୍ଷେପରେ ମୀନା ନୁହଁ- ତୁ ମୋର ସୁନା, ସୁନା!
ସୁନା, ଆଜିକାଲି ତୋ’ ଛଡ଼ା ଆଉ କିଛି ଭାବିବାକୁ ଭଲ ଲାଗେନା । ସବୁ ଥିବା ଭିତରେ କିଛି ନ ଥିବାର କନିଅର ଫୁଲ ଭଳି ହଳଦିଆ ଏକ ଦୁଃଖ ନିର୍ଜନ ମୁହୂର୍ତ୍ତଗୁଡ଼ିକୁ ଭାରାକ୍ରାନ୍ତ କରିଦିଏ । ଇଚ୍ଛା ହୁଏ ଲକ୍ଷ୍ମଣରେଖା ଅତିକ୍ରମ କରି ତୋ’ର ଖୁବ୍ ପାଖକୁ ଚାଲିଯିବି । ତୋର ଉଷ୍ମ କୋମଳ କୋଳରେ ମୁଣ୍ଡ ରଖି ଆଖିବୁଜି ସବୁ ଦୁଃଖ, ସବୁ ଗ୍ଲାନି ଭୁଲିଯିବି ।
କ’ଣ ଏତେ ଦୁଃଖ?
ସେକଥା ଠିକ୍ ଭାବରେ ବୁଝାଇ ହୁଏନାଇଁ । ତଣ୍ଟିରେ ଲାଖେ । ଦୁଃଖ ତ ତୁ ଆପେ ଆପେ ବୁଝିଯିବା କଥା, ତୁ କିନ୍ତୁ ଜାଣିଶୁଣି କିଛି ବୁଝିବାକୁ ଚାହୁଁନାହୁଁ । କାରଣ ତୋ’ ଚାରିପଟେ କଣ୍ଟାବାଡ଼ । କଣ୍ଟା ଡେଇଁବାକୁ ଗଲେ ତୋ ଜ୍ୟୋତ୍ସ୍ନା ଶୁଭ୍ର କୋମଳ ପାଦରୁ ରକ୍ତ କ୍ଷରଣ ହେବ ।
ନା, ମୁଁ ତୋ ପାଦରେ କଣ୍ଟା ଫୁଟିବାର ଦୃଶ୍ୟ ସୁଦ୍ଧା ଦେଖିବାକୁ ଚାହେଁନାହିଁ । ଯଦି ଏତେ ଭଲ ପାଇ ସୁଦ୍ଧା ମୁଁ ତତେ ସୁଖ ଦେଇପାରିଲି ନାହିଁ; ଅନ୍ତତଃ ମୁଁ ତତେ ଦୁଃଖ ଦେବାକୁ ଚାହେଁନାହିଁ ।
ତୋର ମୋହିନୀ ମୁହଁରୁ ହସ ମଉଳି ଯାଉଥିବାର ଦୃଶ୍ୟ ମୋ ପାଇଁ ଅସହ୍ୟ ।
ଜାଣୁ, ଦିନେ ଇଚ୍ଛା ହୁଏ ତୋ ହାତ ଧରି କେଉଁ ଏକ ନିର୍ଜନ ବେଳାଭୂମିକୁ ଚାଲିଯିବି । ସମୁଦ୍ର ବେଳାର ବାଲି ଉପରେ ଦୁହେଁ ଚୁପ୍ଚାପ୍ ଶୋଇ ଊଦ୍ଧ୍ୱର୍ ଆକାଶକୁ ଚାହିଁବା । ସମୁଦ୍ରର ଅମାନିଆ ପବନ ବାଲି ଭଡ଼ାଇ ଆଣି ଆମ ଉପରେ ଛିଞ୍ଚି ଦେଇ ଯାଉଥିବ । ବେଳାଭୂଇଁ ହେବ ଆମର ବାସର ଶଯ୍ୟା । କେହି କାହାକୁ ଛୁଇଁବା ନାହିଁ । କେହି କାହାରିଠାରୁ ଦୂରରେ ରହିବା ନାଇଁ । ମୋର ଉଷ୍ମ ନିଃଶ୍ୱାସରେ ତୋ ମୁଣ୍ଡର ଚୂନାଚୂନା କେଶ ସବୁ ଇତସ୍ତତଃ ହୋଇଥିବ, ମୋର କୁଞ୍ଚିତ ଭ୍ରୂପଲ୍ଲବରେ ତୋର ଫୁଟି ଉଠୁଥିବ ଆତ୍ମସମର୍ପଣର ମୁଦ୍ରା । ତୋ’ର ଏମିତି କେବେ ଇଚ୍ଛା ହୁଏ ନାହିଁ?
ମୋର ଭାରି ଇଚ୍ଛା ମୋ ପାଇଁ ତୁ ଦିନେ ଭାତ ରାନ୍ଧିବୁ । ଗୋଟିଏ ଥାଳିରେ ବସି ଦୁହେଁ ଖାଇବା । ତୁ ମତେ ଖୁଆଇ ଦେବୁ, ମୁଁ ତତେ । ମୁଁ ମୁହଁ ଧୋଇସାରିଲେ ତୋ ଶାଢ଼ିର କାନିରେ ମୁହଁ ପୋଛିଦେବୁ । ତୋ ଓଦା ମୁହଁ ଘଷିଦେବୁ ମୋ ଛାତିରେ । ପାରିବୁ ନାହିଁ?
ଏମିତି କ’ଣ ଦିନ ଆସିବ ନାଇଁ, ଯେଉଁଦିନ ମଧ୍ୟରାତି୍ରରେ ମୁଁ ଟେବୁଲ ଚେୟାରରେ ବସି କବିତା ଲେଖୁଥିବାବେଳେ, ତୁ ପଛପଟେ ଠିଆ ହୋଇ ମୋ କାନ୍ଧ ଉପରେ ମୁହଁ ରଖି ଅସ୍ଫୁଟ କଣ୍ଠରେ କହିବୁ ଚାଲ- କବିତା ଅଧାଥାଉ- ଏକୁଟିଆ ବିଛଣାରେ ନିଦ ହେଉନାହିଁ ।
ଆଜିକାଲି ମଧ୍ୟରାତ୍ରିରେ ନିଦ ଭାଙ୍ଗିଗଲେ ବିଛଣା ଖାଲି ଖାଲି ଲାଗେ । ମନେହୁଏ- ଏଇମାତ୍ର ଯେମିତି ତୁ ଉଠି ଚାଲିଯାଇଛୁ । ତୋ ଦେହର ବାସ୍ନାରେ ମହକୁଛି ଶୂନ୍ୟ କୋଠରି, ଶଯ୍ୟାରେ ଲାଗିରହିଛି ତୋ’ ଦେହର ଉଷ୍ମତା!
କେମିତି ଆଜିକାଲି ବୋଉର କୋଳରେ ଚୁପ୍ଚାପ୍ ଗହନ ନିଦରେ ଶୋଇଯାଉ? ଏ ବୟସରେ କ’ଣ ବୋଉ କୋଳରେ ଶୋଇବା ତତେ ସାଜେ? ଯଦି ତୁ ଶୋଇଥିବା ବେଳେ ତୋ’ ମୁହଁରେ ଅନ୍ୟ ଏକ ଭାବର ଭାଙ୍ଗ ପଡ଼ିଥିବା ଲକ୍ଷ୍ୟ କରି ବୋଉ ଚିନ୍ତାରେ ପଡ଼ିଯାଏ?
ଯେଉଁ କଥା ତାକୁ ମୁହଁ ଖୋଲି କହିପାରିବୁ ନାହିଁ, ସେଇ ବିଷୟରେ ତାକୁ ଚିନ୍ତାରେ ପକାଇବୁ କାହିଁକି?
ଲକ୍ଷ୍ମୀଟି ପରା! ମନ ଭିତରେ କିଛି ଦ୍ୱନ୍ଦ୍ୱ ରଖ ନାହିଁ । ବିଶ୍ୱାସ କର, ତତେ ଭୁଲିଗଲେ ମୁଁ ଆଉ କବିତା ଲେଖିପାରିବି ନାହିଁ । ମତେ ଭୁଲି ତୁ ସୁଖରେ ରହିପାରିବୁ ନାହିଁ । ସେଥିପାଇଁ ବୃଥା ଚେଷ୍ଟା କରନାହିଁ ।
ମନେ ରହିଲା?
ଦୁଇ
ମନେ ଅଛି । ମନେ ରଖିଛି ବୋଲି ନୁହେଁ, ଭୁଲିବାକୁ ଚେଷ୍ଟା କରି ଭୁଲିପାରିନାହିଁ ବୋଲି ମନେ ରଖିଛି । ହୁଏତ ମୋର ଅବଶିଷ୍ଟ ଜୀବନ ଏହି ଭୁଲିବାକୁ ଚେଷ୍ଟା କରିବା ଏବଂ ଭୁଲି ନପାରିବାର ସାପ ଶିଡି ଖେଳରେ କଟିଯିବ ।
ସାର୍! ମୁଁ ଜାଣେ ୟୁନିଭରସିଟି କ୍ୟାମ୍ପସ୍ କୁସୁମିତ କୃଷ୍ଣଚୂଡ଼ା ଗଛମୂଳେ ସେଇ ପ୍ରଥମ ଯେଉଁଦିନ ଆପଣ ମୋ ହାତ ପାପୁଲିରେ ମୃଦୁ ଚାପ ଦେଇ କହିଲେ- “ମୀନାକ୍ଷୀ? ମତେ ତମର ହାତ ଅବଶିଷ୍ଟ ଜୀବନ ଲାଗି ଧରି ରଖିବାକୁ ଦିଅ ।” – ସେଦିନ ମୋ ତାଳୁରୁ ତଳିପା ଯାଏ ମୃତୁ୍ୟ ଭଳି ଏକ ଶୀତଳ ଶିହରଣ ସଞ୍ଚରି ଯାଇଥିଲା । ମୁଁ ଭୀତ ସନ୍ତ୍ରସ୍ତ ଦୃଷ୍ଟିରେ ପ୍ରଥମେ ଚାରି ଆଡକୁ ଚାହିଁଥିଲି । ଅଳ୍ପ ସମୟ ଆଗରୁ ଅସରାଏ ଅଦିନିଆ ବର୍ଷା ହୋଇ ଛାଡ଼ିଯାଇଥିଲା । ବର୍ଷା ଭିଜା ପେନ୍ଥାପେନ୍ଥା ଲାଲ କୃଷ୍ଣଚୂଡ଼ା ଗଛରୁ ଥପଥପ ବର୍ଷା ବିନ୍ଦୁ ରହି ରହି ଝରିପଡୁଥିଲା । ଗ୍ରୀଷ୍ମଛୁଟି ସରିନଥିଲା । କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କ କୋଳାହଳ ନଥିଲା । ଚାଲିଚାଲି ପାଖାପାଖି ଗଲାବେଳେ ଆପଣ କେବେ ମୋ ହାତ ଧରନ୍ତି ନାହିଁ । ସେଦିନ ହଠାତ୍ ଅବଲୀଳାକ୍ରମେ ମୋ ଡାହାଣ ହାତ ପାପୁଲିକୁ ନିଜ ମୁଠା ଭିତରେ ଧରି ନେବେ, ଏକଥା ମୁଁ କେବେବି ଭାବିନଥିଲି ।
ଏହାର ଅର୍ଥ ନୁହେଁ ଯେ ଆପଣ ମତେ ଭଲ ପାଇଥିବା କଥା ମୁଁ ଜାଣିନଥିଲି କିମ୍ବା ଆପଣଙ୍କ ପାଇଁ ମୋ ମନର ଅମୁହାଁ ଦେଉଳରେ ଭଲପାଇବାର ଗୋଟିଏ ଘିଅ ଦୀପ ଜଳୁଥିବା କଥା ମୁଁ କେଉଁଦିନ ଆପଣଙ୍କ ପାଖରୁ ଗୋପନ ରଖିଥିଲି । କିନ୍ତୁ ହଠାତ୍ ଆପଣ ବର୍ଷାଭିଜା କୃଷ୍ଣଚୂଡ଼ା ଗଛମୂଳେ ଠିଆ ହୋଇ ଯାଇ ମୋ ହାତ ଧରି ଅବଶିଷ୍ଟ ଜୀବନ ଅମଡ଼ା ବାଟ ଚାଲିବା ଲାଗି ବ୍ୟାକୁଳ କଣ୍ଠରେ ପ୍ରାର୍ଥନା କରିବେ- ଏ କଥା ଭାବିବା ଲାଗି ମୁଁ କୌଣସି ଦିନ ସାହସ କରିନଥିଲି ।
ପ୍ରାର୍ଥନା ଶବ୍ଦଟା କ’ଣ ମୁଁ ଭୁଲ ଅର୍ଥରେ ବ୍ୟବହାର କରୁଛି? କିନ୍ତୁ ବିଶ୍ୱାସ କରନ୍ତୁ ଆପଣଙ୍କ କଣ୍ଠରେ ସେଦିନ ପ୍ରାର୍ଥନାର ମୁଦ୍ରା ଫୁଟି ଉଠୁଥିଲା । ଅଙ୍ଗଭଙ୍ଗୀର ମୁଦ୍ରା ନୁହେଁ, ଅସଂଲଗ୍ନ ଶବ୍ଦ ଉଚ୍ଚାରଣର ମୁଦ୍ରା ।
ଆପଣ କ୍ଲାସ୍ରେ ଇଂରାଜୀ ସାହିତ୍ୟ ବିଷୟରେ ଅନର୍ଗଳ ଭାଷଣ ଦେଉଥିବା ବେଳେ ଛାତ୍ରଛାତ୍ରୀମାନେ ମନ୍ତ୍ରମୁଗ୍ଧ ହୋଇ ଆପଣଙ୍କ କଥାମୃତ ପାନକରି ଯାଆନ୍ତି । ଇଂରାଜୀ ଅର୍ଥ ସବୁ ନିଦା ସୀସା ଭଳି କିନ୍ତୁ ମୋ କାନକୁ ସ୍ତବ୍ଧ କରିଦିଏ । ମୁଁ ଶୁଣେ, କିନ୍ତୁ ସବୁ ବୁଝିପାରେନାହିଁ । କିନ୍ତୁ ଆପଣଙ୍କ କବିତାର ଧାଡ଼ି ସବୁ ଥରେ ପଢ଼ିଦେଲେ ଅଠା ଭଳି ମନରେ ଲାଖିଯାଏ । ସହଜରେ ବୁଝିହୋଇଯାଏ । ମନେ ରହିଯାଏ । ଇଂଲିଶ କବିତାର ଉଦ୍ଧୃତାଂଶ ଭଳି ମୁଖସ୍ତ କରିବାକୁ ପଡ଼େନାହିଁ ଆପଣଙ୍କ କବିତାର ପଙ୍କ୍ତି ।
ଜଣେ ଇଂରେଜୀ ଭାଷାର ଅଧ୍ୟାପକ ଭାବରେ ଆପଣଙ୍କ ସହିତ ମୋର ସମ୍ପର୍କ ଗାଢ଼ ହୋଇନଥିଲା । ଜଣେ କବି ଭାବରେ ହିଁ ଆପଣ ମୋ ହୃଦୟର ଅନ୍ଧଗଳିରେ ଅନୁପ୍ରବେଶ କରିଥିଲେ ।
ସେଦିନ ମୋ ହାତଧରି ବାଟ ଚାଲିବା ଲାଗି ଆପଣଙ୍କ ପ୍ରସ୍ତାବ ମତେ ଜଣେ ଶିକ୍ଷକର ଆଦେଶ ନୁହେଁ; କବିର ପ୍ରାର୍ଥନା ଭଳି ସେଥିପାଇଁ ଶୁଣାଯାଇଥିଲା ।
ପ୍ରସ୍ତାବ ମଧ୍ୟ ଖୁବ୍ ବେଶି ଅପ୍ରତ୍ୟାଶିତ ନଥିଲା । ଗତ କେତେବର୍ଷ ମଧ୍ୟରେ ଆମ ଦୁହିଁଙ୍କ ଭିତରେ ଥିବା ସମ୍ପର୍କ ଧୀରେଧୀରେ ହୃଦୟର ଅନ୍ଧଗଳି ଛାଡ଼ି ଦେହର ଦେବାଳୟ ଆଡକୁ ଅଗ୍ରସର ହେଉଥିଲା । ଆମେ ଯେଉଁ ସମୟ ମଧ୍ୟରେ ବାସ କରୁଛେ, ସେ ସମୟରେ ପ୍ରେମଟା ଖୁବ୍ ବେଶୀ ଶାରୀରିକ । ଗର୍ଭନିରୋଧକ ବଟିକା ବା କଣ୍ଟ୍ରାସେଟିଭ ରବର ଡାକ୍ତରଖାନାରେ ମାଗଣା ମିଳିବା ପରେ ଆଉ ପ୍ରେମ ପବିତ୍ର ହୋଇ ରହିନାହିଁ । ତେଣୁ ଏଇ କେତେମାସ ହେଲା ଆପଣଙ୍କ ଆଖି ଭଳି ଲାଳସାର ଲୋହିତ ଅଗ୍ନି ଦପ୍ଦପ୍ ହୋଇ ଜଳୁଥିବା ଲକ୍ଷ୍ୟ କଲେ ମୋ ଛାତି ଭିତରେ ଆପଣଙ୍କୁ ହରାଇବାର ଭୟ ପ୍ରଥମେ ଦପ୍ଦପ୍ ହେଉଥିଲା । କିପରି ସନେ୍ଦହ ହେଉଥିଲା- କୌଣସି ସର୍ବଭାରତୀୟ ସେମିନାରରୁ ଫେରି ମୁଁ ହଷ୍ଟେଲରେ ବିଶ୍ରାମ ନେଇଥିବା ବେଳେ, ମଧ୍ୟରାତ୍ରିରେ ମୋ ରୁମ୍ ଦରଜାରେ ଠକ୍ଠକ୍ କରିବେ, ମୁଁ ଦରଜା ଖୋଲିଦେବା ମାତ୍ରେ ଆପଣ ଭିତରକୁ ପଶି ଆସି ଭିତରପଟୁ ଦରଜା ବନ୍ଦ କରି ଦେଇ କହିବେ- ଭୟ ନାହିଁ । ମୋ ପାଖରେ କଣ୍ଡୋମ ଅଛି ।
– ହସୁଛନ୍ତି?
ଏଭଳି ଉଦ୍ଭଟ ଚିନ୍ତା ମୋ ମନ ଭିତରେ କିପରି ପ୍ରବେଶ କଲା ବୋଲି ପ୍ରଶ୍ନ କରୁଛନ୍ତି । କେଇଦିନ ହେଲା ୟୁନିଭରସିଟିରେ ସେକ୍ସ ସ୍କାଣ୍ଡାଲ ତ ଟିଭି ଚ୍ୟାନେଲରୁ ଆରମ୍ଭ କରି ଖବରକାଗଜର ଫ୍ରଣ୍ଟପେଜ୍ର ବଡ଼ ଖବର ।
ଆଗରୁ ଯେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ତାଙ୍କର ପୂଜନୀୟ ଶିକ୍ଷକ, ଅଧ୍ୟାପକମାନେ ଦେଉନଥିଲେ ସେକଥା ନୁହେଁ- କିନ୍ତୁ ନିର୍ଯାତିତାମାନେ ଢୋକ ଗିଳି, ନିଜ ଲୁହ ନିଜେ ପିଇ ଚୁପ୍ଚାପ୍ ରହିଯାଉଥିଲେ । କୁମାରୀ କନ୍ୟାର କଳଙ୍କର ଭୟ ତା’ର ବାହାଘରରେ ଅନ୍ତରାୟ ହେବ ବୋଲି କନ୍ୟା ପିତାମାନେ ସେକଥା ବାହାରେ ପ୍ରଚାର କରିବାକୁ ଦେଉନଥିଲେ । କିନ୍ତୁ ସମୟ ବଦଳି ଯାଉଛି । ମୋବାଇଲ୍ ଫୋନ୍ ଆଉ ଜନ୍ମ ନିୟନ୍ତ୍ରଣ ବଟିକା ଆଉ କଣ୍ଡୋମ, ଯୌନଶିକ୍ଷା ନୈତିକତାର ବାର ବଜାଇ ଦେଇଛି ।
ଆମର ଏଇ ବିଶ୍ୱବିଦ୍ୟାଳୟରେ ଯୌନ ନିର୍ଯାତନାର ଶିକାର ମୋର ଜଣେ ଆତ୍ମୀୟା- ଅନୁସୂୟା, ସଂକ୍ଷେପରେ ଅନୁ । ହଁ, ସେଇ ନାମରେ ହିଁ ଆମେ ସମସ୍ତେ ତାକୁ ଜାଣୁ । ଟୁନା ଭାଇଙ୍କ ଶଳାର ଝିଅ । ଦେଖିବାକୁ ସେମିତି ଦିବ୍ୟ ସୁନ୍ଦରୀ ନୁହେଁ । କିନ୍ତୁ ବେଶ୍ ସ୍ୱାସ୍ଥ୍ୟବତୀ- ସବୁବେଳେ ତା’ ମୁହଁରେ ହସର ଆଲେଖ୍ୟ ଆଙ୍କି ହୋଇ ରହିଥାଏ ।
ସେଦିନ ହଠାତ୍ ସେ ଆମ ଡିପାର୍ଟମେଣ୍ଟ ରୁମ୍କୁ ପଶିଆସିଲା । ତା’ ଓଠରେ ସେଦିନ ହସ ନଥିଲା । ସେ କାନ୍ଦୁନଥିଲା, କିନ୍ତୁ ତା’ର ସାରା ମୁହଁ ଲୁହ ଛଳଛଳ ଦେଖାଯାଉଥିଲା ।
ମୁଁ ଭୟ ପାଇଗଲି । ପଚାରିଲି- ଅନୁ! ତୋର କ’ଣ ହୋଇଛି? ତୁ ଏମିତି ଶୁଖିଲା ଦିଶୁଛୁ କାହିଁକି?
– କାଙ୍ଗାଳି ସାର୍ ମତେ ଆଜି ଲାବୋରେଟୋରୀରେ ଏକୁଟିଆ ପାଇ ପ୍ରପୋଜ କରିଥିଲେ ।
– କ’ଣ ମ୍ୟାରେଜ ପ୍ରପୋଜାଲ!
ଅନୁସୂୟାର ଶୁଖିଲା ମୁହଁରେ କ୍ଷଣକ ପାଇଁ ହେଲେ ବି ମୃଦୁ ହସର ଆଲୋଡ଼ନ ଦେଖା ଦେଇଥିଲା ।
ସେ ଥଟ୍ଟା କଲା ଭଳି କହିଥିଲା- କାଙ୍ଗାଳି ସାର୍ଙ୍କର ପୁଅ ନାହିଁ । ବଡ଼ ଝିଅ କଟକ ମେଡ଼ିକାଲରେ ଡାକ୍ତରୀ ପଢ଼ୁଛି । କାହା ସହିତ ବାହାଘର ପ୍ରସ୍ତାବ ଆଣିଥାଆନ୍ତେ? ହଠାତ୍ ମତେ ଚମକାଇ ଦେଇ ଗୋଟାଏ କଣ୍ଡୋମ କାଢ଼ି ମତେ ଦେଖାଇଲେ । କହିଲେ ଚାଲ । ମୋ କ୍ୱାର୍ଟରରେ କେହି ନାହାନ୍ତି । ଡ୍ରାଇଭରକୁ ବିଦା କରିଦେଇଛି । ନିଜେ ଡ୍ରାଇଭ କରି ଆସିଛି । କେହି ଜାଣିବେ ନାହିଁ । ତମର ଫାଷ୍ଟକ୍ଲାସ୍ ଫାଷ୍ଟ ହେବାର ଦାୟିତ୍ୱ ମୁଁ ନେଇଛି- କୌଣସି ରିସ୍କ ନାହିଁ । ନିରାପଦ ଯୌନ ସମ୍ଭୋଗର ଗ୍ୟାରେଣ୍ଟି ଏଇ ରବର ।
– ଶୁଣିଲେ?
ଅନୁ ତା’ର କ୍ୟାରିଅର ଅପେକ୍ଷା କ୍ୟାରେକ୍ଟରକୁ ବଡ଼ ମଣିଥିଲା ବୋଲି ପ୍ରଫେସର କାଙ୍ଗାଳି ସେନାପତିଙ୍କ କବଳରୁ ଅଣନିଃଶ୍ୱାସୀ ହୋଇ ଦଉଡ଼ି ଦଉଡ଼ି ପଳାଇ ଆସିଛି ସେ, କିନ୍ତୁ ଅନେକ ପାରନ୍ତି ନାହିଁ । ଦୌଡ଼ି ପଳାଇ ଆସିବା ପାଇଁ ସେମାନଙ୍କ ଗୋଡ଼ରେ ବଳ ନଥାଏ । ଫାଷ୍ଟକ୍ଲାସ୍ ଫାଷ୍ଟ ହୋଇ ଏକ ବ୍ରାଇଟ୍ କ୍ୟାରିଅରର ଅଧିକାରିଣୀ ହେବା ପାଇଁ କାଙ୍ଗାଳି ଅଧ୍ୟାପକଙ୍କ ଭୋଜନରେ ଫାଷ୍ଟଫୁଡ୍ ହେବାର ସେମାନଙ୍କର ଆପତ୍ତି ନଥାଏ ।
ଅନୁସୂୟା ମୁହଁରୁ ସେଇ କାହାଣୀ ଶୁଣିଲା ପରେ ବିଶ୍ୱାସ କରନ୍ତୁ, ମୁଁ ମନେ ମନେ ଆପଣଙ୍କୁ ଭୟ କରିବାକୁ ଲାଗିଲି । ମୋ ସନେ୍ଦହ ହେଲା ଆପଣ ହୁଏତ ମତେ କେଉଁଦିନ ନିର୍ଜନ ଲାଇବ୍ରେରୀରେ ସେଫ୍ ସେକ୍ସର ଗ୍ୟାରେଣ୍ଟି ଦେଖାଇ କହିବେ- ମୀନାକ୍ଷୀ- ମିନୁ- ପ୍ଲିଜ୍! ମାତ୍ର ଥରକ ପାଇଁ- ଓନଲି ୱାନ୍ସ!
କିନ୍ତୁ ସେଦିନ ଆପଣ ଏ କ’ଣ କଲେ?
ଓନଲି ୱାନ୍ସ ବଦଳରେ ଚିରଦିନ ପାଇଁ ଜୀବନର ସହଯାତ୍ରୀ ହେବା ଲାଗି ମାଗିଲେ ମୋର ହାତ! ମୁଁ ହାତ ବଢ଼ାଇ ଦେବା ଆଗରୁ ଆପଣ ମୋ ହାତ ଝିଙ୍କି ନେଲେ । ଚାହିଁଲେ ମଧ୍ୟ ଆପଣଙ୍କ ହାତମୁଠା ଭିତରୁ ଆସ୍ତେ ଆସ୍ତେ ଝାଳେଇ ଯାଉଥିବା ମୋ ହାତ ପାପୁଲିକୁ ଛଡ଼ାଇ ଆଣିପାରିଲି ନାହିଁ ।
ସମୟ ସ୍ତବ୍ଧ ହୋଇ ସେ କୃଷ୍ଣଚୂଡ଼ା ଗଛ ତଳେ ରହିଗଲା ।
ମୋ ହାତ ପାପୁଲି ଉପରୁ ନିଜ ହାତମୁଠାକୁ ଶିଥିଳ କରିଦେଇ ପଚାରିଲେ- ସୁବର୍ଣ୍ଣା! ତମର ହାତ ମାଗି ମୁଁ କ’ଣ ଅପରାଧ କରିଛି? ଯଦି କରିଥାଏ- ମତେ କ୍ଷମା କରିଦିଅ ।
ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ସେଦିନ ଦେଇପାରିନଥିଲି । କାରଣ ସେ ପ୍ରଶ୍ନର ଉତ୍ତର ମତେ ଜଣାନଥିଲା । ହୁଏତ ସାରା ଜୀବନ ମତେ ସେଇ ପ୍ରଶ୍ନର ଠିକ୍ ଉତ୍ତର ଖୋଜି ବୁଲିବାକୁ ହେବ । ଆପଣ କ’ଣ ସେଦିନ ପର୍ଯ୍ୟନ୍ତ ଉତ୍ତର ଶୁଣିବାକୁ ଅପେକ୍ଷା କରିଥିବେ ?
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ