ଅଲିସା ମୋ ପାଖକୁ ଆଉଟିକେ ଲାଗି ଆସିଲା । ଅନ୍ଧାରରେ ତା’ର ଅସ୍ତିତ୍ୱ କିଛିବି ଜାଣି ହେଉନଥିଲା । କହିଲା, “ମୋ ପାଖରେ ଆଉ କିଛି କହିବାର ତ ନାହିଁ । ଏଥର ଶୁଣିବାକୁ ଇଚ୍ଛା ହେଉଛି ତମଠୁ । କେବେ ତମକୁ ମୂର୍ଖ କହୁଥିଲି । ହେଲେ ଏବେ କାନ ଧରୁଛି । ପାରିବ ଯଦି ମୋତେ ଏକ ନଷ୍ଟ ଚରିତ୍ର ଭାବି କାହାଣୀ ଲେଖ । କିନ୍ତୁ ପ୍ଲିଜ୍ ମତେ ଘୃଣା କରନି । ଆଇ ଆମ ସରି ।’ – ତମକୁ ମୁଁ କେବେବି ଘୃଣା କରିପାରିବିନି । ବରଂ ତମେ ସେମାନଙ୍କ ଭିତରେ ନାହଁ, ଯେଉଁମାନେ ନିଜକୁ ଲୁଚାଇ ଦେଇ ପ୍ରହସନ କରୁଥାନ୍ତି ।
ଆଟାଚିକୁ ସିଟ୍ ତଳେ ରଖିଦେଇ, ଚେନ୍ରେ ବାନ୍ଧିଦେଲେ ଅବିନାଶ । ଲାପ୍ଟପ୍ ବ୍ୟାଗକୁ ପାଖରେ ରଖି, ପଛପଟକୁ ଆଉଜି ପଡ଼ିଲେ । ଟିକେ ସମୟ ବିଶ୍ରାମ ନେଇ ଚାରିଆଡ଼େ ଦୃଷ୍ଟି ବୁଲାଇ ଆଣିଲେ । ନିଜକୁ ପ୍ରସ୍ତୁତ କରିନେଲେ ଦୀର୍ଘ କୋଡ଼ିଏ ଘଣ୍ଟାର ଯାତ୍ରା ପାଇଁ । ଏବେ ବି ସଞ୍ଜ ହେବାପାଇଁ ଆହୁରି କିଛି ସମୟ ବାକି ଅଛି । ଟ୍ରେନ୍ର ଏଇ ଦ୍ୱିତୀୟ ଶ୍ରେଣୀ ଏସି ବଗିଗୁଡ଼ା ବଡ଼ ଅଜବ । ବାହାର ଦୁନିଆଁକୁ ଦେଖିବାକୁ ସୁଯୋଗ ଦିଏନି । ଦିନ, ରାତି ସବୁ ସମାନ । ଭିତରଟା ପୂରା ନିର୍ଜନ । ଝରକାର ପରଦାଟା ଖୋଲି ନଦେଲେ, ବାହାରେ ଦିନ କି ରାତି ହୋଇଛି ଜଣାପଡ଼େନି ।
କାନ୍ଥ ଉପରକୁ ଆଉଜି ପଡ଼ି ଝରକାକୁ ଅଳ୍ପ ଖୋଲିଦେଲେ ଅବିନାଶ । ବ୍ୟାଗରୁ ଅଧାପଢ଼ା ଉପନ୍ୟାସଟା ବାହାର କରି ପଢ଼ିବାକୁ ଆରମ୍ଭ କଲେ । କେଜାଣି କାହିଁକି, ସେଥିରେ ବି ମନ ଲାଗିଲାନି । କାହାସଙ୍ଗେ କିଛି ଗପ ଆରମ୍ଭ କଲେ ବି ସମୟ କଟିଯାଆନ୍ତା ଆରାମରେ । ସେ ଆଉଥରେ ଚାରିଆଡ଼କୁ ଚାହିଁଲେ । ଉପର ବର୍ଥ ଦୁଇଟା ଖାଲି । ତଳେ କେହିଜଣେ ଚଦରରେ ମୁହଁ ଘୋଡ଼ାଇ ହୋଇ ଶୋଇ ଯାଇଛନ୍ତି । ବ୍ୟାଗ୍ରୁ ଲାପ୍ଟପ୍ ବାହାର କରି ଅଫିସ୍ କାମ କରିବେକି? ସେଥିପାଇଁ ତ ଅନେକ ସମୟ ଅଛି । ବରଂ ମୋବାଇଲରୁ କିଛି ଗୀତ ଶୁଣାଯାଇପାରେ । ଇଅରଫୋନ୍ ଲଗାଇ ତାଙ୍କର ଗୀତ ଶୁଣୁଶୁଣୁ ନିଦ ଆସିଯାଉଥିଲା ।
– ସାର୍ ଚା’ ।
ୱେଟରର ଡାକରେ ତାଙ୍କର ନିଦ ଖୋଲିଗଲା ।
ମୋର ଚା’ଟା, ସେଇଠି ରଖିଦିଅ । ଚାଦର ତଳୁ ଏକ ମଧୁର କଣ୍ଠ ଶୁଣାଗଲା ।
ଅବିନାଶ ବୁଝିଗଲେ ତାଙ୍କର ସହଯାତ୍ରୀ ଜଣେ ମହିଳା । ଆଜିର ଯାତ୍ରାଟା ବୋରିଂ ହୋଇଗଲା । କେହି ଜଣେ ପୁରୁଷ ଲୋକ ଥିଲେ ବେଶ୍ ଆରାମରେ ଗପସପ କରି ସମୟ କଟିଯାଇ ଥାଆନ୍ତା । ସେ ପୁଣି ଗୀତ ଶୁଣିବାରେ ମନଦେଲେ ।
ଚା’, ଥଣ୍ଡା ହୋଇଯାଇଥିଲା । ତେବେବି ଭଦ୍ର ମହିଳା ଉଠି ନ ଥିଲେ । କିଛି ସମୟ ପରେ ୱେଟର ଆସି ପଚାରିଲା, ମ୍ୟାଡାମ୍ ଚା’ ପିଇବେନି କି ସାର୍?
– ଆଉ ଗୋଟେ ଗରମ ଚା’ ଦେଇପାରିବ?
– ଠିକ୍ ଅଛି ।
ହଠାତ୍ ଭଦ୍ର ମହିଳା ଉଠିପଡ଼ିଲେ । ଚାରିଆଡ଼କୁ ଚାହିଁଲେ ।
ଅନିନାଶ କହିଲେ “ଆଉ ଗୋଟେ ହଟ୍ ଟି ଆଣିବାକୁ କହିଦେଇଛି ମ୍ୟାଡାମ୍ ।’
– ଓ, ସରି । ନିଦ ହୋଇଯାଇଥିଲା ।
ହଠାତ୍ ତାଙ୍କର ମୁହଁକୁ ଚାହିଁ ଅବିନାଶ ଚମକି ପଡ଼ିଲେ । ଭଲ ଭାବରେ ନିରେଖି ଦେଖିଲେ । କହିଲେ, “ତମେ ଅଲିସା ନା? ଅଲିସା ପଟ୍ଟନାୟକ?’
ଭଦ୍ର ମହିଳା ଅଜଣା ଲୋକପରି ତାଙ୍କ ମୁହଁକୁ ଚାହିଁ ମୁଣ୍ଡ ହଲାଇଲେ ।
– ମୁଁ ଅବିନାଶ । ଅବିନାଶ ଦାଶ । ଆମେ ଏକାସଙ୍ଗେ ଇଣ୍ଟରମିଡିଏଟ୍ ପଢୁଥିଲେ, ଆଠଗଡ଼ରେ ।
ସେ ପଛକଥାକୁ ମନେପକାଇବାକୁ ଚେଷ୍ଟା କରୁକରୁ ମୁଣ୍ଡ ହଲାଇଲେ । କହିଲେ “ଏତେଗୁଡ଼େ ଦିନ ବିତିଗଲାଣି ତ । ଠିକ୍ ଭାବରେ ମନେପଡୁନି । ୟା ଭିତରେ ଯେତେସବୁ ବନ୍ଧୁ ଆସିଗଲେଣି । ତା’ଛଡ଼ା ପୁରୁଣା ଚେହେରାରେ ବି ବହୁତ ପରିବର୍ତ୍ତନ ହୋଇଗଲାଣି ।’
– ମଣିଷର ସମୟ ଆଉ ଅବସ୍ଥାର ଯେତେ ପରବିର୍ତ୍ତନ ହେଲେବି, ପୁରୁଣା ଘଟଣାମାନେ ତ ବଦଳି ଯାଇପାରିବେନି । ମୁଁ କିନ୍ତୁ ଭୁଲିନି । କଲେଜ ଛାଡ଼ିସାରିଲା ପରେ ବି ଅନେକ ଖବର ତମ ବିଷୟରେ ମୁଁ ରଖୁଥିଲି । ଇଣ୍ଟରମିଡିଏଟ୍ ପରେ ତମେ ମେଡିକାଲ୍ ଏଣ୍ଟ୍ରାନ୍ସରେ ସିଟ୍ ପାଇନଥିଲ । ତା’ପରେ ସାଇନ୍ସ ପଢ଼ି କମ୍ପିଟେଟିଭ୍ ପାଇଁ ପ୍ରିପେୟାର କରୁଥିଲ । ତା’ପରେ ସେ ସବୁ ଛାଡ଼ି ଫେସନ୍ ଡିଜାଇନ୍ ପଢ଼ିବାକୁ ବାଙ୍ଗାଲୋର ଚାଲିଯାଇଥିଲ ।
– ଆରେ ଏତେକଥା ମନେରଖିଛ ମୋ ବିଷୟରେ । ଅଥଚ ମୁଁ ଜାଣିପାରୁନଥିଲି ତମକୁ ।
ଅବିନାଶ ହସିଦେଲେ, କହିଲେ, “ତମେ ମତେ କାହିଁକି ବା ମନେରଖିବ? ମୋର ତ ସେମିତି କିଛି ବିଶେଷ ବ୍ୟକ୍ତିତ୍ୱ ନଥିଲା । ନା ମୁଁ ଭଲ ଛାତ୍ର ଥିଲି, ନା କିଛି ଖେଳ କସରତ, ନା ଅନ୍ୟକିଛି ବିଶେଷ ଗୁଣ ମୋ ପାଖରେ ଥିଲା । କଲେଜରେ ଆଦୌ ମୁଁ ଫେମସ୍ ନଥିଲି । ତମେ ତ କଲେଜ କୁଇନ୍ ଥିଲ । ଭଲ ରେଜଲ୍ଟ ବି କରୁଥିଲ । ଡିବେଟ୍ ,ଏସେ, ସ୍ମାର୍ଟନେସ୍ ସବୁଥିରେ ଆଗୁଆ । ମୋ’ ପରି ଏକ ସାଧାରଣ ପିଲାକୁ ମନେ ନ ରଖିବା ସ୍ୱାଭାବିକ୍ କଥା । ତେବେ ଗୋଟେ ଘଟଣା ତ ନିହାତି ମନେପଡ଼ିବ ତମର । ତମକୁ ଆଧାର କରି ଗୋଟେ ଗଳ୍ପ ମୁଁ ଲେଖିଥିଲି । କଲେଜ ମ୍ୟାଗାଜିନ୍ରେ ବାହାରିଥିଲା । ଯାହା ବିଷୟରେ କଲେଜରେ ଖୁବ୍ ଚର୍ଚ୍ଚା ହୋଇଥଲା । ତମକୁ କେହିକେହି କମେଣ୍ଟ ବି କରିଥିଲେ । ସେଥିପାଇଁ ତମେ ପ୍ରିନ୍ସିପାଲଙ୍କୁ ଜଣାଇଥିଲ । ମତେ କଲେଜ ଲାଇବ୍ରେରୀ ଆଗରେ ସମସ୍ତଙ୍କ ସାମ୍ନାରେ ଲୋଫର, ମୂର୍ଖ, ଅଭଦ୍ର, ଆଦି କେତେ କଥା କହି ଗାଳି କରିଥିଲ । ମୁଁ ଚୁପ୍ ଥିଲି । ସେଥିପାଇଁ କିଛି ସାଙ୍ଗ ମତେ ଥଟ୍ଟା କରିଥିଲେ । କିନ୍ତୁ ତମର ଗୋଡ଼ାଣିଆ ପିଲା ଥିଲେ ବହୁତ୍ ବେଶି । କେହି ଜଣେ ତମ ଆଗରେ ମତେ ଚାପୁଡ଼ା ମାରି ବାହାଦୁରୀ ନେଇଥିଲା ।’
ଓଃ! ମନେପଡ଼ିଲା ଏବେ । ହସିଦେଲା ଅଲିସା । କହିଲା, “ଅନେକ ଦିନ ହେଲାଣିତ, ଏ ସବୁ କିଛି କଥା ମଳିନ ପଡ଼ିଗଲାଣି ମନ ଭିତରୁ । ସେ ରାଗ ଏବେ ବି ଥିବ ତମ ମନ ଭିତରେ । ପିଲାବେଳର ଚପଳତାକୁ ଭାବିଲେ ଖୁସି ଲାଗେ । ହଉ ଏତେଦିନ ପରେ ମୁଁ ସେଥିପାଇଁ ଦୁଃଖ ପ୍ରକାଶ କରୁଛି ।’
ଆହୁରି ବି କ୍ଷତି କରିଥିଲ ମ୍ୟାଡାମ । ତମର ବାପା ସବ୍ କଲେକ୍ଟର ଥିଲେ । ତା ଛଡ଼ା ମ୍ୟାନେଜମେଣ୍ଟର ପ୍ରଧାନ ବ୍ୟକ୍ତି । ମୁଁ ତ ଥିଲି ସାଧାରଣ ପରିବାରର ପିଲା । ତମ ସଙ୍ଗେ ଟକ୍କର ଦେଲାପରି ଶକ୍ତି ମୋର ନଥିଲା । ତାଙ୍କ ପ୍ରରୋଚନାରେ ମୋର ବାଇଲୋଜିକୁ, ତୃତୀୟ ବିଷୟରୁ କାଟି ଦିଆଗଲା, ବିନା କାରଣରେ । ମୋର ମେଡିକାଲ ପଢ଼ିବାର ସ୍ୱପ୍ନ ଭାଙ୍ଗିଯାଇଥିଲା ।
ଓଃ, ସୋ ସରି ।
ମୁଁ କିନ୍ତୁ ଭୁଲି ନଥିଲି ତମକୁ । ଖବର ରଖୁଥିଲି ତମ ବିଷୟରେ । ତମେ ଏମ୍ବିଏ କଲାବେଳେ ଜଣେ ଗୁଜୁରାତୀକୁ ଜବରଦସ୍ତ ପ୍ରେମ କରୁଥିଲ । ତା’ର କୁଆଡ଼େ ଇଚ୍ଛା ନଥିଲା । ତାକୁ କୋର୍ଟ ମ୍ୟାରେଜ୍ କରିବାକୁ ବାଧ୍ୟ କରିଥିଲ ।
– ଏତେକଥା ଜାଣିଛ ମୋ ବିଷୟରେ । ହେଲେ ସେସବୁ ଅଳ୍ପ ସତ୍ୟ ଥିଲା ।
– ସେ ସବୁ ଘଟଣା ଉପରେ କିଛି କାହାଣୀ ବି ଲେଖିଥିଲି । ଆଉ ଭୟ ନଥିଲା ତମର ବାପାଙ୍କୁ ।
ଅଲିସା ଏଥର ସିଧାହୋଇ ମୋ ଆଗରେ ବସିପଡ଼ିଲା । କହିଲା, “ଏଥର ମୁଁ ଆଉ ତମକୁ ଅପମାନିତ କରିବିନି ଅବିନାଶ । ତମେ ଯେତେ ପାର କାହାଣୀ ଲେଖିପାର ମୋ ଉପରେ । କିନ୍ତୁ ସବୁକଥା ନ ଜାଣିଲେ ଲେଖିବାରେ ମଜା ନଥିବ । ମୋ ଭିତରର କଥାକୁ ଖୋଲିଦେବାରେ ମୋର ଆଦୌ ଦ୍ୱିଧା ନାହିଁ । ତମେ ସେଇ ଗୁଜୁରାତୀ ପିଲା କଥା କହୁଥିଲନା । ଠିକ୍ ଶୁଣିଛ । ତମେ ତ ନିଶ୍ଚୟ ମୋର ଚରିତ୍ର ବିଷୟରେ କିଛି ଜାଣିଥିବ । କେହି ଜଣେ ମୋତେ ଆକୃଷ୍ଟ କଲେ, ଭଲରେ ହେଉ ବା ମନ୍ଦରେ, ମୁଁ ମୋର ଉଦେ୍ଦଶ୍ୟ ସାଧନ କରିବାକୁ ପ୍ରୟାସ କରେ । ତା’ର ଭଲମନ୍ଦର ଦିଗକୁ ମୁଁ ତର୍ଜମା କରିପାରେନି । ସେଥିପାଇଁ ବୋଧହୁଏ ସୁମନ ମୋ ନଜରକୁ ଆସିଯାଇଥିଲେ । ଏବେ ମୁଁ ଅନୁଭବ କରୁଛି ଯେ, ସେ ସବୁ ମୋର ଏକ ଦୁର୍ବଳ ଚରିତ୍ର ହିଁ ଥିଲା ।’
– ଛାଡ଼ ସେକଥା । ଏବେ ତମେ କିପରି ଅଛ ଅଲିସା?
ଅଲିସା ଟିକେ ସମୟ ଚୁପ୍ ରହିଲା । ଝରକାର ପରଦାକୁ କିଛିବାଟ ହଟାଇଦେଲା । କହିଲା, “ସନ୍ଧ୍ୟା କେତେବେଳୁ ଗଡ଼ିଗଲାଣି, ଦେଖତ । ବାହାରଟା କେବଳ ଅନ୍ଧାର । ଭିତରର ଆଲୁଅରେ ତା’ର ଅସଲ ରୂପଟା ଠିକ୍ ଜଣାପଡୁନି ।ଏ ଲାଇଟ୍ଟାକୁ ବନ୍ଦ କରିଦେବା ଅବିନାଶ । ଭିତର ବାହାର ସବୁକୁ ସମାନ କରିଦେବା । ଆଜିକାଲି ଏ ପ୍ରହସନଗୁଡ଼ା ମତେ ଆଉ ଭଲ ଲାଗୁନି । ଅଲିସା ଉଠିପଡ଼ି କ୍ଷୀଣ ଆଲୋକଟିଏ ଜଳାଇଦେଲା । ମୁଁ ତା’ ମୁହଁକୁ ଚାହିଁଲି । କେତେ ସୁନ୍ଦର ଦେଖାଯାଉଛି ଅଲିସା । ସ୍ୱଳ୍ପ ଆଲୋକରେ କେତେ ନିରୀହ ଲାଗୁଛି ।
ଉପରେ ତେବେ ବି କେହି ଯାତ୍ରୀ ନଥିଲେ । ସେ ମୋର ଠିକ୍ ସାମ୍ନାରେ ବସିପଡ଼ିଲା । କହିଲା, “ତମପରି ଜଣେ ବନ୍ଧୁ ଆଗରେ ସବୁକଥା ମୁଁ କହିଦେବାରେ ଦ୍ୱିଧା ଅନୁଭବ କରିବିନି । ସେ ସବୁକୁ ନେଇ ତମେ କାହାଣୀ ଲେଖିପାର ଅଥବା ଉପନ୍ୟାସ । ନିଜ ବିଷୟରେ କିଛିବି କହିବାର ସାହସ ମୋର ଅଛି । ମୋ ନିଜ ମନର ଏକଛତ୍ର ମାଲିକ ମୁଁ ନିଜେ । କିଛି ବି ପାଇବାକୁ ହେଲେ ମୁଁ ନିଜକୁ ବାଜି ଲଗାଇପାରେ । ଯେମିତି ସୁମନ ପାଇଁ ମୁଁ ଏକ ଖେଳୁଆଡ଼ ବନିଗଲି, ଜୀବନର ଖେଳପଡ଼ିଆରେ ।’
ସୁମନ ଆମ କଲେଜର ଅଧ୍ୟାପକ ଥିଲେ । ବେଶ୍ ସୁନ୍ଦର ଚେହେରା, ହସହସ ମୁହଁ । ଖୁବ୍ ଆକର୍ଷଣୀୟ ବ୍ୟକ୍ତିତ୍ୱ ତାଙ୍କର ଥିଲା । କଥା ବି କମ ହେଉଥିଲେ । ତାଙ୍କୁ ଦେଖିଲେ ମତେ ଖୁବ୍ ଭଲ ଲାଗୁଥିଲା । କେବେକେବେ ତାଙ୍କ ସଙ୍ଗେ କଥା ହେବାର ସୁଯୋଗ ମିଳିଲେ, ମନେହେଉଥିଲା ଏମିତି ଲୋକଟିଏ ଜୀବନରେ ଆସିବା ଦରକାର । କିନ୍ତୁ ତାଙ୍କ, ମୋ ଭିତରେ ଅନେକ ଫରକ । ସେ ଅଧ୍ୟାପକ ଆଉ ମୁଁ ଛାତ୍ରୀ । ତାଙ୍କ ଭିତରେ କାହା ପ୍ରତି ଦୁର୍ବଳତା ଯେ ଥାଇପାରେ ତାହା ମୁଁ ଅନୁଭବ କରି ପାରୁନଥିଲି । ତାଙ୍କର ବ୍ୟକ୍ତିତ୍ୱ ମୋତେ ଖୁବ୍ ଆକର୍ଷିତ କରିଥିଲା । ସେ କେବେ କୌଣସି ଅଧ୍ୟାପିକା କିମ୍ବା ଛାତ୍ରୀ ସହିତ ବିଶେଷ କଥା ହେବା, ମୋ ନଜରକୁ ଆସିନଥିଲା । ମୁଁ ନିଜ ଭିତରେ ଏକ ଆହ୍ୱାନକୁ ଶୁଣିପାରିଲି । ଯେମିତିବି ହେଉ ମୋତେ ଲକ୍ଷ୍ୟ ହାସଲ କରିବାକୁ ହେବ ।
ମୋର ଗୋଟେ ବର୍ଷ ସରିଯାଇଥିଲା । ତେବେ ବି ମୁଁ ତାଙ୍କ ସହିତ ମିଶିବାର ସୁଯୋଗଟିଏ ପାଉନଥିଲି । ଯେତେ ଦିନ ଗଡ଼ି ଯାଉଥିଲା, ମୁଁ ସେତେ ଅଧିକ ଅସ୍ଥିର ହୋଇଯାଉଥିଲି । ଶୁଣିଲି, ସୁମନ ଚାକିରି ଛାଡ଼ି ଆମେରିକା ଚାଲିଯିବେ । ଏକ ବଡ଼ କମ୍ପାନୀରୁ ତାଙ୍କ ପାଖକୁ ଅଫର୍ ଆସିଛି । ସୁମନ ଚାଲିଯିବେ! ସେକଥା ମୁଁ ନିଜେ ଗ୍ରହଣ କରିପାରୁନଥିଲି । ଜୀବନରେ କିଛି ଏକ ସିଦ୍ଧାନ୍ତ ନେବାକୁ ସ୍ଥିର କଲାବେଳେ, କେହିଜଣେ ହାତରୁ ଖସି ଚାଲିଯାଉଛି । ତାଙ୍କ କଥା ଭାବି, ମୁଁ ମୋର କ୍ୟାରିଅରକୁ ଭୁଲିଗଲି ।
ସେଦିନ ବୋଧହୁଏ ରବିବାର ଥିଲା । କେହିକେହି ସିନେମା, ମଲ, ପାର୍କ କିମ୍ବା ହୋଟେଲକୁ ଚାଲିଯାଇଥିଲେ । ମୁଁ ବି କୁଆଡ଼େ ଯିବି ବୋଲି ନିଶ୍ଚିତ ନ ହୋଇ ବାହାରିପଡ଼ିଲି । ନିଜକୁ ଯଥାସାଧ୍ୟ ହାଲକା ଭାବରେ ସଜାଇ ନେଲି । କୁଆଡ଼େ ଯିବି ଏକାଏକା? ହଠାତ୍ ସୁମନ ରହୁଥିବା ଘର ଆଗରେ ଗୋଡ଼ ଦୁଇଟା ଅଟକିଗଲା । ଘରର ଆଗପଟଟା ଅନ୍ଧାର ଥିଲା । ଝରକା ଭିତର ଦେଇ କିଛି ଆଲୋକ ଛିଟିକି ଆସୁଥିଲା । ପରିବେଶ ନିର୍ଜନ ଥିଲା । ନିଜ ଭିତରେ କିଛି ଅଜବ ଭାବନା ଆସିଗଲା । ସୁମନ ସହିତ ଅନ୍ତରଙ୍ଗ ହେବାର ଅବ୍ୟର୍ଥ ଚିନ୍ତାଧାରା ମୋତେ ଆଚ୍ଛନ୍ନ କରିଦେଲା । ଚାରିଆଡ଼କୁ ଚାହିଁ ଗେଟ୍ ଖୋଲିଲି । କଲିଂବେଲରେ ହାତ ପଡ଼ିଗଲା ।
ସୁମନ କବାଟ ଖୋଲୁଖୋଲୁ ମୁଁ ଭିତରକୁ ପଶିଗଲି । ସବୁ କିଛି ଭୟ ଦୂରେଇଗଲା । ସିଧାସିଧା ଯାଇ ସୋଫା ଉପରେ ବସିପଡ଼ିଲି । ଟେବୁଲ୍ ଉପରେ ଥିଲା ଗୋଟେ ବାଗ୍ପାଇପର ବୋତଲ । ଆଉ ଅଧାପିଆ ମଦଗ୍ଲାସ ।
ସୁମନ ମୋ ଆଡ଼କୁ ବୋକା ପରି ଚାହିଁରହିଥିଲେ । ତାଙ୍କ ପାଟିରୁ କଥା ବାହାରୁ ନ ଥିଲା ।
ମୁଁ କହିଲି, “ଆପଣଙ୍କ ସାଙ୍ଗରେ କିଛି ପ୍ରାଇଭେଟ୍ କଥାଥିଲା ସାର୍, ସେଥିପାଇଁ ଘରକୁ ଆସିଲି ।’
ସେ କହିଲେ, “ରବିବାର, ଛୁଟିଦିନରେ ମୁଁ କାହା ସଙ୍ଗେ ସାକ୍ଷାତ କରେନି । ତା’ଛଡ଼ା ଘରେ ମୁଁ ଏକା ଅଛି । ଆପଣ ଚାଲିଯାଆନ୍ତୁ’ କାଲି କଲେଜରେ ଦେଖାହେବ ।’
– “କବାଟଟା ବନ୍ଦ କରିଦିଅନ୍ତୁ ସାର୍ । କିଛି ଭୟ ନାହିଁ । ମୁଁ ଆପଣଙ୍କୁ ଆଦୌ ବଦ୍ନାମ କରିବିନି ।’
ସୁମନ ଅନିଚ୍ଛା ସତ୍ତ୍ୱେ, ମୋ ଆଗରେ ବସିପଡ଼ିଲେ । ତାଙ୍କର ଆଖିଗୁଡ଼ା ଲାଲ ଲାଲ ଦେଖାଯାଉଥିଲା ।
ସେ କହିଲେ, “ପ୍ଲିଜ୍, ପରେ କଥାହେବା । ମୁଁ ବର୍ତ୍ତମାନ ନିଜ ଭିତରେ ନାହିଁ । ଆଇ ଆମ୍ ଡ୍ରଙ୍କ୍ ।’
ମୁଁ ହସିଦେଲି । କହିଲି, “ମୁଁ ବି କେବେକେବେ ଡ୍ରିଙ୍କ୍ କରେ ସାର୍ । ବ୍ୟସ୍ତ ହୁଅନ୍ତୁନି । ମୁଣ୍ଡରେ ନିଶା ଥିଲେ ହିଁ ମନର କଥା ବାହାରିଆସେ । ଆପଣ ଚାହିଁଲେ ମୁଁ ବି ସାଥ ଦେଇପାରେ । ହେଲେ, ମୋ କଥା କହିସାରିଲା ପରେ ।’
– କୁହନ୍ତୁ । ଶୀଘ୍ର ସାରି ଦିଅନ୍ତୁ ।’
– ଶୁଣିଲି, ଆପଣ ବିଦେଶ ଚାଲିଯାଉଛନ୍ତି?
– ଭଲ ଅଫର୍ ଆସିଛି । ତା’ଛଡ଼ା ମୋର ଇଣ୍ଡିଆରେ ରହିବାକୁ ଇଚ୍ଛା ନାହିଁ ।
– ବାଃ! ମୁଁ ବି ସେୟା ଚାହୁଁଛି । ଆପଣ ଚାହିଁଲେ ମୁଁ ବି ଚାଲିଯିବି । ଦେଖନ୍ତୁ ମୁଁ ଖୁବ୍ ସୁନ୍ଦର, ଏଜୁକେଟେଡ୍, ସ୍ମାର୍ଟ, ତା’ ଛଡ଼ା ଅନେକଦିନୁ, ମୁଁ ଆପଣଙ୍କୁ ଭଲ ପାଉଛି ।
– ଶୁଣୁଛନା ଅବିନାଶ । ଏଥର ପୂରା ଅନ୍ଧାର କରିଦିଅ । ତମ ମୁହଁ ଦେଖାଗଲେ କିଛି କଥା ଅକୁହା ରହିଯାଇପାରେ । ତମେତ ଏସବୁ କଥା, ତମ କାହାଣୀରେ ଲେଖିନଥିବ ।
– ୱାନ୍ ସାଇଡେଡ୍ ଲଭ୍?
– ହୁଁ । ୱାନ୍ ସାଇଡେଡ୍ ଲଭ୍ ହିଁ ମଣିଷକୁ ଜିଦ୍ଖୋର ବନାଇଦିଏ । ତମର ହୁଏତ ସେଭଳି ଅଭିଜ୍ଞତା ନଥିବ । ମୋର କିନ୍ତୁ ଭାବନା ଥିଲା କିଛି ପାଇବାର । ସେଥିପାଇଁ କିଛି ବି କରିବାକୁ ମୁଁ ପ୍ରସ୍ତୁତ ଥିଲି, ଯଦିଓ ମୁଁ ଜାଣେ ସୁମନ କାହା କଥାରେ ଭଳିଯିବାର ଲୋକ ନଥିଲେ ।
ସୁମନ ବେଶି ପିଇନଥିଲେ ବୋଧହୁଏ । ସେ କହିଲେ, “ନୋ ଲଭ୍ । ମତେ କେହି ଭଲପାଇବା ଉଚିତ୍ ନୁହେଁ । ଆଇ ହେଟ୍ ଲଭ୍ । ତମେ ବୋଧହୁଏ ମତେ ଠିକ୍ ଭାବରେ ଜାଣିନ । ମୋର ପତ୍ନୀ ମତେ ଡିଭୋର୍ସ କରିଛନ୍ତି । କାରଣ ମୁଁ ଜଣେ ହେଭି ଡ୍ରଙ୍କଡ୍ । ଅନେକ ଝିଅଙ୍କ ସହିତ ମୋର ସମ୍ପର୍କ । ସତ କଥା । ହେଲେ, ସେମାନେ ତ ମୋ ପାଖକୁ ଆସିଥିଲେ । ମୁଁ ଜଣାଇ ଦେଇଥିଲି ମୋର ଉଦେ୍ଦଶ୍ୟ । କମ୍ ଆଣ୍ଡ ଗୋ । ମୁଁ ମାନିଗଲି କୋର୍ଟରେ । ସବୁରି ଆଗରେ ଦେଖାଯାଉଥିବା ସୁମନ ପ୍ରକୃତରେ ମୋ ଭିତରେ ନାହିଁ । ମୋ ପାଖରେ ଅନେକ ଦୁର୍ଗୁଣ ଅଛି । କିନ୍ତୁ ମୋର ପତ୍ନୀଙ୍କ ଅଧିକାର ଥିବା ଭଲପାଇବାଟା କାହାକୁ ମୁଁ ଦେଇନି ।’
– ବାଃ, ମନଖୋଲା ଲୋକଟିଏ ଆପଣ । ଡିଭୋର୍ସ ହୋଇଗଲେ କ’ଣ ହେଲା? ମତେ ସେ ସବୁରେ କିଛି ଫରକ୍ ପଡ଼େନି । ମନ ନ ମିଳିଲେ କିଏ ବି କାହାକୁ ଡିଭୋର୍ସ କରିପାରେ, ଛାଡ଼ି ଚାଲିଯାଇପାରେ । ମୋର ବି ଫେସନ୍ ଡିଜାଇନ୍ ପଢ଼ିବାବେଳେ ଜଣେ ସହପାଠୀ ସହିତ ସମ୍ପର୍କ ଥିଲା । ସେଥିରେ ଅବଶ୍ୟ କିଛି ପ୍ରତିଶ୍ରୁତି ନଥିଲା । ତେଣୁ ପଢ଼ା ପରେପରେ ସମ୍ପର୍କ ତୁଟି ଯାଇଥିଲା ।
ସୁମନ ଆଉ କିଛି ପେଗ୍ ନେଉନେଉ ମୋ’ ହାତକୁ ବି ଗ୍ଲାସ ବଢ଼ାଇଦେଲେ ।
ମୁଁ ତାଙ୍କ ସହିତ ଡ୍ରିଙ୍କ୍ କଲାବେଳେ ଆଦୌ ବିଚଳିତ ନଥିଲି । ହଠାତ୍ ସେ ମୋ ହାତକୁ ଧରିପକାଇଲେ । ସେଥିପାଇଁ ମୁଁ ବୋଧହୁଏ ପ୍ରସ୍ତୁତ ଥିଲି । ଭାବିନେଲି, ଏହାପରେ ସେ ମୋ ପାଖରୁ ଆଦୌ ଖସିଯାଇ ପାରିବେନି । ମୁଣ୍ଡକୁ କିଛି ପରିମାଣରେ ନିଶା ଚଢ଼ିଯାଇଥିଲା । ମୁଁ ତାଙ୍କର ସବୁ କଥାରେ ରାଜି ହୋଇଯାଇଥିଲି । ମୋ ମୁଣ୍ଡରେ ଥିବା କିଛି ସ୍ୱାର୍ଥକୁ ତାଙ୍କ ପାଖରେ ରଖିଦେଇ ଅବଶ ହୋଇଯାଉଥିଲି । ସେଦିନ ପରେ ମୁଁ ବହୁତ ଖୁସି ଥିଲି ଯେ କିଛି ଦେବା ବଦଳରେ, ମୁଁ ଅନେକ କିଛି ପାଇଗଲି ।
ବିଦେଶ ଯିବା ଆଗରୁ ସୁମନ କହିଥିଲେ, “ମୋର ପଢ଼ା ସରିଲେ ଆମେ କୋର୍ଟମ୍ୟାରେଜ କରିନେବୁ । ତାପରେ ମୁଁ ବି ଚାଲିଯିବି ତାଙ୍କ ସାଙ୍ଗରେ । ସେ ନିଜକୁ ପରିବର୍ତ୍ତନ କରିନେବେ, ଆଗାମୀ ଦିନ ପାଇଁ ।’
ମୁଁ ଚାହିଁଥିଲେ ସେ ଯିବା ଆଗରୁ କୋର୍ଟମ୍ୟାରେଜ୍ କରିବାକୁ ବାଧ୍ୟ କରି ପାରିଥାଆନ୍ତି । କିନ୍ତୁ କେଜାଣି କାହିଁକି ହଠାତ୍ କିଛି ଏକ ସିଦ୍ଧାନ୍ତରେ ପହଞ୍ଚି ଯିବାକୁ ଇଚ୍ଛା ହେଲାନି । ନିଜ ଉପରେ କିଛିଟା ଭରସା ଥିଲା ମୋର । ତାଙ୍କର କଥାକୁ ମୁଁ ରେକଡିଂ କରି ରଖିଥିଲି ।
ସେ ଚାଲିଗଲେ, ଆରାଜୋନା । କେବଳ କଥାବାର୍ତ୍ତା ଥିଲା ଫୋନ୍ ମାଧ୍ୟମରେ ।
ମୋର ପଢ଼ା ସରିଲା । ମୁଁ କ୍ୟାମ୍ପସରେ ପାଇଗଲି । ଖୁବ୍ ଭଲ ଦରମା । ଭଲ ଚାକିରି । ପୋଷ୍ଟିଂ ହେଲା ମୁମ୍ବାଇରେ ।
ମନ ମୁତାବକ ଭଲ ଚାକିରି ପାଇସାରିଲା ପରେ ବିଦେଶ ଯିବାକଥା ଫିକା ପଡ଼ିଗଲା । ସୁମନ ବି ମୋ ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ମନେହେଲେନି । ନିଜର ଆତ୍ମସମ୍ମାନ ଆଉ ସ୍ଥିତି ଉପରେ ବେଶି ଭରସା ଆସିଗଲା । ଦିନେ କ’ଣ ଭାବି ମୋବାଇଲର ସିମ୍ ବଦଳାଇଦେଲି । ତାଙ୍କ କଥାର ରେକର୍ଡିଂ ଲିଭାଇଦେଲି । କାମରେ ମନଦେଲି । ବ୍ୟସ୍ତବହୁଳ ଜୀବନ, ସମ୍ମାନ, ଆଉ ଅଧିକ ରୋଜଗାରର ମୋହ ମନକୁ ଆଚ୍ଛନ୍ନ କରିଦେଲା । ଅତୀତଟା ଗୋଟେ ପୁରୁଣା ରାସ୍ତା ପରି ମନେହେଲା । ସେ ରାସ୍ତାରେ ତ କିଛି ପଥିକ ଭେଟ ହେବେ । ସେମାନଙ୍କ ଆଡ଼କୁ ଫେରି ଚାହିଁଲେ ଆଗରେ ଝୁଣ୍ଟିପଡ଼ିବାର ସମ୍ଭାବନା ରହିବ ।
ଯେତେ ବୁଝାଇଲେ ବି ଅବସର ବେଳେ, ସୁମନ ମନ ଭିତରକୁ ପଶିଆସୁଥିଲେ । ମୋର ମନେହେଲା ସେ ହିଁ ମୋ ପାଇଁ ବାଟରେ ମାଡ଼ି ଦେଇଥିବା ଗୋଟେ ଶକ୍ତ କଣ୍ଟା । ସେ କ୍ଷତକୁ ଭଲ କରିବାକୁ, କାହାର ସାହାଯ୍ୟ ଦରକାର । ମନରେ ଏପରି ଭାବନା ଥିଲାବେଳେ, ପରିଚୟ ହୋଇଥିଲା ଆଶିଷ ସହିତ । ଆଶିଷ ଚକ୍ରବର୍ତ୍ତୀ । ଆମ ଅଫିସରେ ନୂଆ ଜଏନ କରିଥିବା ଆଇଆଇଟି ଇଂଜିନିୟର । ବେଶ୍ ଚଳଚଞ୍ଚଳ । ଛଳଛଳ ବ୍ୟକ୍ତିତ୍ୱ । ବୟସ ମୋଠାରୁ କିଛି କମ୍ । କୌଣସି କଥାରେ ସ୍ଥିରତା ନାହିଁ । ଛୋଟ ପିଲାଙ୍କ ପରି ବ୍ୟବହାର । ମୋ କ୍ୟାବିନ୍ରେ ହିଁ ତା’ର ବେଶି କାମ । କେଜାଣି କାହାକୁ ଫୋନ୍ କରେ । ପୁଣି କାମ କରେ । ଘରକୁ ଫେରେ ଅନେକ ବିଳମ୍ବରେ ।
ତା’ର ପିଲାଳିଆମି ମତେ ଭାରି ଭଲଲାଗେ । କେବେକେବେ ଆମେ ସାଙ୍ଗହୋଇ ଲଞ୍ଚ କରିବାକୁ ଯାଉ । ପୁଣି କେବେ ଅଫିସ ଆଗରେ ଥିବା ପାର୍କରେ ଗପ କରୁ । ସବୁବେଳେ ସାଙ୍ଗହୋଇ ଚିନାବାଦାମ ଖାଉ । ରାସ୍ତାରେ ଚାଲିଲା ବେଳେ ସେ କେବେକେବେ ମୋ ହାତ ଧରିପକାଏ । ମୁଁ କିଛି କହେନା । ବରଂ ଭଲଲାଗେ ତା’ର ଚପଳତା । କେବେକେବେ ଛୁଟିଦିନରେ ମୁଁ ତାକୁ ଫୋରମ୍କୁ ଡାକେ । ସିନେମା ଯିବାକୁ କହେ । ସେ ମନା କରେନି । ହେଲେ ତାକୁ ହିନ୍ଦୀ ସିନେମା ବେଶି ଭଲ ଲାଗୁଥିଲା ବେଳେ ମତେ ଇଂରାଜୀ ସିନେମା ହିଁ ପସନ୍ଦ । ଆମେ କମ୍ପରମାଇଜ କରୁ ନିଜ ଭିତରେ । ଟସ୍ ପକାଉ । ରୋମାଣ୍ଟିକ୍ ସିନେମା ଦେଖିଲାବେଳେ ମୋର ହାତ ତା’ ଉପରେ ପଡ଼ିଯାଏ । ସେ ଝୁଲିପଡ଼େ ମୋ ଆଡ଼କୁ । ତା’ର ହାତର ସ୍ପର୍ଶ ବି ଖୁବ୍ ରୋମାଣ୍ଟିକ୍ ଲାଗେ ।
ଆଶିଷ ଦିନକୁଦିନ ମତେ ଅଧିକ ଭଲ ଲାଗିଲାଗି ଆସେ । ତା’ର ସମସ୍ତ ଚଞ୍ଚଳତା, ଅସ୍ଥିରତାକୁ ମୁଁ ଆପଣାଇ ନେଉନେଉ ସୁମନ କେଉଁ ଦିଗ୍ବଳୟ ପଛପଟେ ଲୁଚିଯାଉଥାଏ । ମୁଁ ଅନୁଭବ କରେ ଏକ ନୂଆ ଜୀବନକୁ । ଏଇଠି ବୋଧହୁଏ ମୋର ଅଟକିଯିବାର ଅଛି । ଏଇଠି ବୋଧହୁଏ ମୋ ପାଇଁ ଶାନ୍ତି । ଯାହା ପାଖେ କିଛି ପ୍ରଶ୍ନ ନାହିଁ, ଯାହା ପାଖେ କିଛି ବୁଝିବାର ଆବଶ୍ୟକତା ନାହିଁ, ତା’ଠୁ ଭଲ ଆଉକିଏ ଥାଇପାରେ?
ଦିନେ କ୍ୟାଣ୍ଟିନ୍ରେ ଖାଇଲାବେଳେ ଆଶିଷ କହିଲା, “ତମକୁ ରୋଷେଇ କରି ଆସେ ମ୍ୟାମ୍?’
– ଉହୁଁ ! ଓନ୍ଲି ଟି ।
ମତେ କିନ୍ତୁ ଭଲ ରୋଷେଇ ଆସେ ।
– ଦିନେ ତ ମୁଁ ନିଶ୍ଚୟ ତମ ହାତରନ୍ଧା ଖାଇବି ।
– ଆସନ୍ତା ରବିବାର ମୋ ଘରକୁ ଆସନ୍ତୁ । ମୁଁ ମଟନ୍ସ ଆଉ ଫ୍ରାଏଡ୍ ରାଇସ ରାନ୍ଧିବି । ଦେଖିବେ, କେତେ ଭଲଲାଗିବ । ବାରମ୍ବାର ଖାଇବାକୁ କହିବେ ।
ମଝିରେ କେତେଦିନ କେବଳ ଭାବିବାରେ ହିଁ କଟିଗଲା । ଆଶିଷର ଘର ହେଉ କି ସୁମନର, ମଝିରେ ତ ଗୋଟିଏ ସଙ୍କଟ । ପୁଣି ଥରେ ସେଇ ଖେଳୁଆଡ୍ର ଭାବନା ମତେ ଆକ୍ରାନ୍ତ କଲା । ଜୀବନକୁ ତା’ ବାଟରେ ଯିବାକୁ ଦିଆଯାଉ । ଆଶିଷ ବିଷୟରେ କିଛି ଅଧିକ ବି ମୋର ଜାଣିବା ଉଚିତ୍ ।
ରବିବାର ଦିନ ସନ୍ଧ୍ୟା ନ ହେଉଣୁ ବାହାରିପଡ଼ିଲି । କିଛି ଏକ ଶକ୍ତି ମୋତେ ଆକର୍ଷିତ କରି ଟାଣି ନେଇଗଲା । ଭ୍ୟାନିଟି ବ୍ୟାଗରେ ଭରିଲି ହ୍ୱିସ୍କି ଆଉ ସୋଡ଼ା ବୋତଲ ।
– ତମେ ଶୁଣୁଛ ନା ଅବିନାଶ । ଶୋଇପଡ଼ିଲ କି? ମୁଁ ତମ ପାଖକୁ ଚାଲିଯାଉଛି । ଆଜି ମନଟାକୁ ଖୋଲିଦେଇଛି ଯେତେବେଳେ, ସବୁକିଛି ଖାଲି ହୋଇଯାଉ । ଫମ୍ପା ହୋଇ, ହାଲକା ହୋଇଯାଉ ହୃଦୟଟା । ତମର କାହାଣୀକୁ ବି ନୂଆ ଉପାଦାନ ମିଳିଯାଉ ।
ଖୁବ୍ ଥଣ୍ଡା ଲାଗୁଥିଲା ବଗି ଭିତରଟା । ଅଲିସା ମୋ ଉପରେ ପଡ଼ିଥିବା କମ୍ବଳର ଅଧା ଅଂଶକୁ ନିଜ ଦେହରେ ଘୋଡ଼ାଇଦେଇ ପାଖକୁ ଲାଗିଆସିଲା ।
– ସେଦିନ ଆଶିଷ ତା’ ଘରକୁ ଭଲଭାବରେ ସଜେଇଥିଲା । ଭିତରୁ ଭାସିଆସୁଥିଲା ଗୋଲାପ ଫୁଲର ଗନ୍ଧ । ଗୋଟାଏ ବଖରା ଥିବା ଘର ତା’ର । ପାଖରେ ଛୋଟ ରୋଷେଇ ଘର, ଆଉ ଗୋଟେ ଟୟଲେଟ୍ ।
ମୁଁ ପହଞ୍ଚୁ ପହଞ୍ଚୁ ସେ କହିଲା, “ରୋଷେଇ ହୋଇସାରିଛି ମ୍ୟାମ । ଭିତରୁ ମଟନର ବାସ୍ନାକୁ ହଟାଇ ଦେଇଛି । ଏବେ ଖାଲି ଫ୍ରାଏଡ ରାଇସ ।’
ଆଶିଷ ରାନ୍ଧିଲା । ମୁଁ ପାଖରେ ଠିଆହୋଇ ଦେଖିଲି, ତା’ର ଚଳଚଞ୍ଚଳ ହାତକୁ । ଅନୁଭବ କଲି ତା’ର ମନର ଆବେଗକୁ । ତା ଆଡ଼କୁ ଯେତେ ଦେଖିଲେ ବି ମନ ଭରୁ ନ ଥିଲା ।
ମୁଁ କହିଲି, “ତମେ ଡ୍ରିଙ୍କ୍ କର ଆଶିଷ?’
ସେ ମୋ ମୁହଁକୁ ବୋକା ପରି ଚାହିଁଲା ।
– ମୁଁ କିନ୍ତୁ ଅକେଜନାଲି ଡ୍ରିଙ୍କ୍ କରେ । ତମେ ମୋର ସାଥ ଦେବ?
– ଉହୁଁ, ନିଶାରେ ନିଜର ଚିନ୍ତାଶକ୍ତି ହଜିଯାଏ ।
– କିଛି ଭୟନାହିଁ । ସୁମନ ସହିତ ବି ମୁଁ ଡ୍ରିଙ୍କ କରିଛି ।
ସେଦିନ ଗପିବାପାଇଁ କିଛି ଘଟଣା ନଥିଲା । ମୁଁ କହିଲି, “ଅଳ୍ପ ନିଅ ଆଶିଷ । ତମେ ବୋଧହୁଏ ଅଭ୍ୟସ୍ତ ନୁହେଁ ।’ କିନ୍ତୁ ତା’ ଅପେକ୍ଷା ମୁଁ ଅଧିକ ମାତାଲ ହୋଇଯାଉଥିଲି । ନିଜ ଉପରୁ ବିଶ୍ୱାସ କମିଯାଉଥିଲା ।
ଆଶିଷ ବୟସରେ ଛୋଟ ହେଲେ ବି ଭାରି ସୁଇଟ୍ । ତା’ ସଙ୍ଗେ ମୋର କିଛି କଣ୍ଡିସନ୍ ନାହିଁ । କିଛି ଉଦେ୍ଦଶ୍ୟ ନାହିଁ । ଆମେ ସେଦିନ କେତେ ଖାଇଥିଲୁ କେଜାଣି । ଖାଦ୍ୟ ଭଲଥିଲା ନା ନାହିଁ ତା’ବି ମନେପଡୁନି । କିନ୍ତୁ ଖୁବ୍ଶୀଘ୍ର ତା’ର ଛୋଟ ଖଟ ଉପରେ ମୁଁ ଗଡ଼ିପଡ଼ିଥିଲି ।
ସକାଳୁ ନିଦ ଭାଙ୍ଗିଲା ବେଳକୁ, ମୁଁ ବିପର୍ଯ୍ୟସ୍ତ ଲାଗୁଥିଲି । ତା’ର ହାତ ମୋ ଛାତି ଉପରେ ପଡ଼ିଥିଲା । ସେ ଶୋଇଥିଲା ଆରାମରେ । କିଛି ବି ମୁଁ ମନେପକାଇ ପାରୁନଥିଲି ।
ମୁଁ ଚଟାପଟ ଉଠିପଡ଼ିଲି ।
ଆଶିଷ ବିଦାୟ ଦେଉଦେଉ କହିଲା, “ଆଇ ଆମ୍ ସରି ମ୍ୟାମ୍ । ଆପଣ କିନ୍ତୁ ଖୁବ୍ ସୁଇଟ୍ ।’
ମୁଁ କହିଲି, “ଆଉଥରେ ମଟନ୍ ଖାଇବାକୁ ଦେବ ଆଶିଷ । ଏଥରର ଟେଷ୍ଟ୍ ମୋର ମନେନାହିଁ ।’
– ଅବିନାଶ ଚୁପ୍ଚାପ୍ ବସିଥିଲେ । ମଝିରେ ମଝିରେ ଆଖି ବନ୍ଦ କରିଦେଉଥିଲେ । ଗ୍ରହଣ କରିନେଉଥିଲେ କିଛି ଆଶା କରିନଥିବା ବ୍ୟଥାକୁ । ତାଙ୍କର କହିବାର କିଛି ନଥିଲା । ଅଲିସା ସଙ୍ଗେ ଏଇମାତ୍ର ଥରେ ଦେଖା ଭିତରେ, କେତେ ଅନ୍ତରଙ୍ଗ ବନ୍ଧୁ ବନିଯାଇଛି । ନିଦ୍ୱର୍ନ୍ଦ୍ୱରେ ଖୋଲିଦେଉଛି ନିଜକୁ । ସେ ଏବେ ଏକ ନାରୀ ଅପେକ୍ଷା ଅଧିକତର ଅନ୍ତରଙ୍ଗ ସାଥୀଟିଏ ବନିଯାଇଛି ।
ଅଲିସା ଉପରକୁ ଚାହିଁଲା । ତେବେ ବି କେହି ଅନ୍ୟ ଯାତ୍ରୀ ଆସିନଥିଲେ । ମଝିରେ କେବଳ ୱେଟର ଖାଦ୍ୟଦେଇ ଚାଲିଯାଇଛି । ଅନ୍ୟ କମ୍ପାର୍ଟମେଣ୍ଟରେ ଲୋକମାନେ କେତେବେଳୁ ଶୋଇ ପଡ଼ିଲେଣି ।
– ଆଉଥରେ ତମେ ଯାଇଥିଲ?
– ଉଁ, ହୁଁ! ମୁଁ ଜାଣିସାରିଥିଲି ଯେ ମୁଁ ଖୋଜୁଥିବା ବ୍ୟକ୍ତିଜଣକ ଆଶିଷ ନଥିଲା । ତା’ପରଦିନ ସେ ଫୋନ୍ କରୁଥିବାବେଳେ କିଛି କଥା ଶୁଣିନେଲି । ତା’ର ବାହାଘର ଠିକ୍ ହୋଇସାରିଥିଲା । ନିର୍ବନ୍ଧ ସରିଯାଇଥିଲା । ଯାହା ସେ ମୋ ଆଗରେ କହିନଥିଲା । ସେଦିନ ପ୍ରଥମଥର ପାଇଁ ନିଜକୁ ଦୋଷ ଦେଲି । କିଛି ନ ବୁଝି ଜୀବନକୁ ବାଜି ଲଗାଇବାଟା ଆଦୌ ଠିକ୍ ନଥିଲା । ଧୀରେଧୀରେ ତା ସହିତ ସମ୍ପର୍କ ତୁଟାଇଦେଲି । ଆଶିଷର ବି ଟ୍ରାନ୍ସଫର ହୋଇଗଲା ଚେନ୍ନାଇକୁ । ଗଲା ପୂର୍ବରୁ ସେ ଅବଶ୍ୟ ମୋ ସଙ୍ଗେ ସାକ୍ଷାତ କରିବାକୁ ଚାହୁଁଥିଲା । କିନ୍ତୁ ମୋ ପାଇଁ ସେ ଆଉଥରେ ସୁମନ ବନିଯାଇଥିଲା ।
ଅଲିସା ଏଥର ଅଟକିଗଲା । କହିଲା, “ଚାଲ ଏକାସଙ୍ଗେ ଖାଇନେବା ଅବିନାଶ । ରାତି ଅନେକ ହେଲାଣି ।’
ତା କଥା ଏପର୍ଯ୍ୟନ୍ତ ଧୈ÷ର୍ଯ୍ୟ ଧରି ଶୁଣୁଥିଲି । ହେଲେ ସେ ଏକ ଖରାପ ଝିଅ ବୋଲି ମୋର ମନେହେଉନଥିଲା । ହୁଏତ ତା’ର ପ୍ରଗଳ୍ଭତା ଆଉ ସ୍ପଷ୍ଟବାଦିତା ହେତୁ, ମୋ’ ପରି ଏକ ପୁରୁଣା ବନ୍ଧୁ(ଭୁଲିଯାଇଥିବା) ଆଗରେ, ନିଜକୁ ଖୋଲିଦେବାରେ ସେ ଦ୍ୱିଧା ଅନୁଭବ କରୁନଥିଲା । ଯାହା ସତ୍ୟ, ତା’କୁ ଲୁଚାଇ ପ୍ରହସନ କରିବା ହୁଏତ ସେ ଶିଖିନାହିଁ । କିଛି ନ କହିଥିଲେ, ସେ ତ ନିଜ ଭିତରେ ବଦଳି ଯାଇନଥାନ୍ତା ।
ଏବେ ବି ତମେ କଣ ଆଶା କରୁଛ ଅଲିସା? ନିଜ ଜୀବନକୁ ନେଇ ଏମିତି ପରୀକ୍ଷାନିରୀକ୍ଷା କରି ଚାଲିଥିବ?
– ଉହୁଁ! ଅନେକ ହୋଇଗଲା । ମୁଁ କିନ୍ତୁ ହାର ମାନିବା ଝିଅ ନୁହେଁ । ଏଥର ମୋର ଶେଷ ଅନ୍ୱେଷଣ । ଆଖିରେ ନ ଦେଖି ହୃଦୟରେ ଦେଖିବି । ମୋର ସବୁକଥା ଜାଣି ବି, ଯିଏ ମତେ ହିଁ ଭଲ ପାଉଥିବ । ସେଇଠି କେବଳ ମୁଁ ଥିବି । ନା ଥିବ ମୋର ଇତିହାସ, ନା ଭୂଗୋଳ ।
ଖାଇବା ସରିଯାଇଥିଲା । ଆଖିକୁ ନିଦ ଆସୁନଥିଲା । ଅଲିସା କହିଲା, “କେଜାଣି କାହିଁକି ମତେ ବି ନିଦ ଆସୁନି । ମୋ କଥା କେତେ ଶୁଣିବ ଅବିନାଶ? ଏଥର ତମେ କୁହ । ତମେ କାହାକୁ ଭଲ ପାଇନ? ଭଲପାଇବାର ପ୍ରହସନ କରିନ?’
ପ୍ରହସନ କ’ଣ ମତେ ଜଣାନାହିଁ ଅଲିସା । ସେସବୁ କରିବାକୁ ସାହସ ବି ଦରକାର । ତେବେ ଭଲପାଇଛି ନିଶ୍ଚୟ । ତମେ ତାକୁ ଆକର୍ଷଣ କହିପାର, ହେଲେ ମୋ’ ପାଇଁ ତାହା ପ୍ରେମ ଥିଲା । ଏକପାଖିଆ ପ୍ରେମ । କାରଣ ମୁଁ ଜାଣିଥିଲି, ସେ ମୋତେ ଆଦୌ ପସନ୍ଦ କରେନି ।
– କିଛି କଥା ହୋଇନ ତା ସାଙ୍ଗରେ?
– ସାହସ ନଥିଲା । ଦରକାର ବି ନଥିଲା । ଏକତରଫା ହେଉପଛେ ପ୍ରେମ ତ ସଦାବେଳେ ଅନ୍ଧ, କାଲା ଆଉ ମୂକ ବି ବନିଯାଏ । ତା ପାଇଁ ଭାଷା ଥାଏ, ହୃଦୟ ଭିତରେ । ସେସବୁ ବାହ୍ୟ ଶବ୍ଦମାନଙ୍କରେ କ’ଣ ବା ଗୁରୁତ୍ୱ ଅଛି? ଏବେ ବି ତାହା ଅକୁହା ରହିଯାଉ ।
– ଭାରି ଭୀରୁ ତମେ ସତରେ ।
– ଛାଡ଼ ସେକଥା । ଏବେଯାଏ ଖାଲି ମୋ କଥା କହିଲି । ତମେ କଣ କର ଦିଲ୍ଲୀରେ?
– ସାଇଣ୍ଟିଷ୍ଟ୍ । ରିସର୍ଚ ଲାବ୍ରେ ।
– ତମେ ତ କହୁଥିଲ, ଭଲ ପଢୁନଥିଲ ବୋଲି?
– ହୁଁ । ଠିକ୍ କଥା । ହେଲେ ପ୍ରେମ କରି ମୋର ବହୁତ୍ ଲାଭ ହେଲା । ନିଜକୁ ପ୍ରତିଷ୍ଠା କରିବାର ଚେଷ୍ଟାରେ ସବୁ କିଛିର ପରିବର୍ତ୍ତନ ହୋଇଗଲା । ବଦଳିଗଲା ମୋର କ୍ୟାରିଅର । ମୁଁ ଲଣ୍ଡନରେ ପୋଷ୍ଟ ଡକ୍ଟରେଟ୍ କଲି ।
ଅଲିସା କହିଲା, “ମୋର ବି ନୋଇଡାରେ ପୋଷ୍ଟିଂ ହୋଇଛି । ନୂଆ କମ୍ପାନିରେ । ଦେଖାହେବ ନିଶ୍ଚୟ ।’
– ହେଲେ ସୁମନ କିମ୍ବା ଆଶିଷ ପରି ବ୍ୟକ୍ତିତ୍ୱ ମୋର ନାହିଁ ।
ଓ! ଅବିନାଶ! ମୁଁ ତ ସେମାନଙ୍କୁ କେବେ ବି ପାଖରେ ପଶିବାକୁ ଦେବିନି । ତମେ ତ ଅବିନାଶ ହୋଇ ରହିବ । ମୋର ପୁରୁଣା ବନ୍ଧୁ ହୋଇ ।
ଅଲିସା ମୋ ପାଖକୁ ଆଉଟିକେ ଲାଗି ଆସିଲା । ଅନ୍ଧାରରେ ତା’ର ଅସ୍ତିତ୍ୱ କିଛିବି ଜାଣି ହେଉନଥିଲା ।
କହିଲା, “ମୋ ପାଖରେ ଆଉ କିଛି କହିବାର ତ ନାହିଁ । ଏଥର ଶୁଣିବାକୁ ଇଚ୍ଛା ହେଉଛି ତମଠୁ । କେବେ ତମକୁ ମୂର୍ଖ କହୁଥିଲି । ହେଲେ ଏବେ କାନ ଧରୁଛି । ପାରିବ ଯଦି ମୋତେ ଏକ ନଷ୍ଟ ଚରିତ୍ର ଭାବି କାହାଣୀ ଲେଖ । କିନ୍ତୁ ପ୍ଲିଜ୍ ମତେ ଘୃଣା କରନି । ଆଇ ଆମ ସରି ।’
– ତମକୁ ମୁଁ କେବେବି ଘୃଣା କରିପାରିବିନି । ବରଂ ତମେ ସେମାନଙ୍କ ଭିତରେ ନାହଁ, ଯେଉଁମାନେ ନିଜକୁ ଲୁଚାଇ ଦେଇ ପ୍ରହସନ କରୁଥାନ୍ତି ।
ଅଲିସା କହିଲା, “ତମେ ଭଲପାଉଥିବା ସେ ଝିଅଟି କେଉଁଠି ? ମୋର ଭାରି ଈର୍ଷା ହେଉଛି ତା ଉପରେ ।’
– ମୋ ଭିତରେ ।
– ଏବେବି ସେ ତମକୁ ଭଲ ପାଉନି?
– ମୋର ତ ୱାନ୍ ସାଇଡେଡ୍ ଲଭ ।
ରାତି ଅନେକ ହୋଇଯାଇଥିଲା । ଅଲିସା ଢୁଳାଇ ପଡ଼ିଥିଲା ଅବିନାଶ ଉପରେ । କେଜାଣି କାହିଁକି ତାକୁ ଉଠାଇବାକୁ ଚାହିଁନଥିଲା ଅବିନାଶ । ତା ଭିତରୁ କେହି ଜଣେ ବି ଆତ୍ମପ୍ରକାଶ କରୁନଥିଲେ । ନା ଆଶିଷ ନା ସୁମନ ।
– ସାର୍ ଚା’ । ଦୁଇଥର ଫେରିଗଲିଣି ।
ଅବିନାଶ ଧଡ଼ପଡ଼ ହୋଇ ଉଠିପଡ଼ିଲେ । ଚାରିଆଡ଼କୁ ଚାହିଁଲେ । ଉପରେ କେହି ବି ଯାତ୍ରୀ ନାହାନ୍ତି । ଆଗପଟ ପର୍ଦ୍ଦାଟା ଖୋଲାଅଛି । ଅଲିସା ନିଶ୍ଚିତରେ ଶୋଇପଡ଼ିଛି ତାଙ୍କରି ପାଖରେ । ତା’ର ଖାତିର ନାହିଁ କାହାର ଭାବନାକୁ ।
ଓଃ ସକାଳ କେତେବେଳୁ ହୋଇସାରିଲାଣି । ଏଥର ତାଙ୍କୁ ଓହ୍ଲାଇବାକୁ ହେବ ଆଗ୍ରାରେ । ଅବିନାଶ ଧୀରେଧୀରେ ଘୁଞ୍ଚିଗଲେ ଅଲିସା ପାଖରୁ । କେତେ ସରଳବିଶ୍ୱାସୀ ଏ ଝିଅଟା । ନ ହେଲେ କେହି କଣ ନିଜର ମନକୁ ଖୋଲି ଦେଇପାରେ ଅନ୍ୟ ଆଗରେ । କେତେଥର ଧୋକା ଖାଇବି ଧୈର୍ଯ୍ୟ ହରାଇନି ।
ନିଜର ଜିନିଷପତ୍ର ସଜାଡ଼ିନେଲେ ଅବିନାଶ । ଆଗ୍ରାରେ କିଛି କାମ ସାରି ଦିଲ୍ଲୀ ଫେରିବାକୁ ହେବ ।
ସେ ଅଲିସା ଉପରେ ହାତ ପକାଇଲେ । ହଠାତ୍ ଆଖି ଖୋଲିଗଲା ।
– ଆରେ ତମ ଶେଯରେ ମୁଁ ଶୋଇ ପଡ଼ିଥିଲିନା?
– ନୋ ପ୍ରୋବ୍ଲେମ । ମୁଁ ସୁମନ କି ଆଶିଷ ନଥିଲି ।
ଗାଡ଼ି ଅଟକିଗଲା ଆଗ୍ରା ଷ୍ଟେସନରେ । ଅବିନାଶ ଓହ୍ଲାଇପଡ଼ି ହାତ ହଲାଇଲେ ।
ଅଲିସା କହିଲା, “ଖୁବ୍ ଭଲପାଉଥିଲ ନା ତମର ପ୍ରେମିକାକୁ? ହେଲେ ମତେ ତ କିଛି କହିଲନି ।’
“ୱାନ୍ ସାଇଡେଡ୍ ଲଭ ପରା! ଇଣ୍ଟରମିଡିଏଟ୍ ବେଳର । କିଛି କହି ପାରୁନଥିଲି ବୋଲି ତ ସେ ମୋ କାହାଣୀର ନାୟିକା ଥିଲା ।’
ଟ୍ରେନ ଦୂରେଇ ଯାଉଥିଲା ଧୀରେଧୀରେ ।
ଅଲିସା କିଛି ବୁଝିଯିବା ବେଳକୁ ଅବିନାଶ ଦୂରେଇ ଯାଇଥିଲେ । ସେ ଚାହିଁରହିଥିଲା, ତାଙ୍କର ଶେଷ ଛବିଟା ଅଦୃଶ୍ୟ ହେବା ଯାଏ ।
ବଶିଷ୍ଠ ୭/୨୦୧, ଦେବାଶ୍ରମ, କେସୁରା, ଭୁବନେଶ୍ୱର
ମୋ-୯୪୩୭୦୮୩୦୬୭