ଚା’ କପ୍ ସହ ବର୍ଷାର ମଜା ନେଲାବେଳେ କେବେ ଭାବିନି- ଏମିତି ଏକ ବର୍ଷଣମୁଖର ସନ୍ଧ୍ୟାରେ ପ୍ରେମିକା ସହ ଏକାଠି ଓଦା ହେଇ ଘରକୁ ଫେରିବା ଏବଂ ଏକାଠି ମିଶି ଚା’ ପିଇବା କଥା । କେବେ କଳ୍ପନା କରିନି- ପ୍ରେମିକା ତା’ ଓଦାଲୁଗା ବଦଳାଇ ମୋ’ ବଡ଼ ଟର୍କିସ୍ ଟାୱେଲ୍ରେ ଦେହକୁ ଢାଙ୍କି ମୋ’ ସାମ୍ନାରେ ବସି ଚା’ ପିଇଲା ବେଳେ ମୋ’ ଚା’ର ତାରିଫ୍ କରନ୍ତା ଆଉ ମୁଁ ତା’ ସତେଜ ଭିଜା ଦେହର ତାରିଫ୍ କରିବା ଭିତରେ ଅଧାଓଦା ଟାୱେଲରୁ ବଳି ପଡ଼ିଥିବା ତା’ ବଳକା ଦେହକୁ ଆଖିରେ ପିଉ ପିଉ ଶିହରିତ ହୁଅନ୍ତି ।
ଯୌବନରେ ଦାମୀ ପତ୍ରିକାର ପୃଷ୍ଠା ଓଲଟାଇବା ଭିତରେ ‘ବ୍ରା’ର ବିଜ୍ଞାପନ ଥିବା ପୃଷ୍ଠା ଉପରେ ଆଖି ଅଟକିଛି କିଛି ଅଧିକ ସମୟ । ଟିଭିରେ ‘କଣ୍ଡୋମ୍’ ବିଜ୍ଞାପନର ଉଷ୍ଣ ଦୃଶ୍ୟ ଯେ ମୋତେ ଭଲ ନଲାଗିଛି ସେମିତି ନୁହଁ! କୋଣାର୍କ ମନ୍ଦିରର ଛନେ୍ଦାବଦ୍ଧ ନାରୀ-ପୁରୁଷ ମୂର୍ତ୍ତି ଶିହରିତ କରିଛି ମୋତେ ସବୁବେଳେ । କିନ୍ତୁ ଏସବୁର ପ୍ରତ୍ୟକ୍ଷ ଅନୁଭବ ନେବାକୁ ମୁଁ ମୋ’ ନିଷ୍ପତ୍ତି ସହିତ ସାଲିସ୍ କରିନି କେବେ । ଇଚ୍ଛା ବି ହେଇନି ସାଲିସ୍ କରିବାକୁ । ଭଲ ଲାଗିଛି କିଛି ନିଅଣ୍ଟ ସହ ଏକା ରହିବାକୁ । ଅଭ୍ୟାସରେ ପଡ଼ିଯାଇଛି ଏମିତି ଜୀବନ । ୟା’ ପଛରେ ଯେ କିିଛି କାରଣ ନାହିଁ ସେମିତି ବି କହିହେବନି ।
ମୋ’ ଘରକୁ ବିଶେଷ କେହି ଆସନ୍ତିନି । ମୋତେ ବି ନିଃସଙ୍ଗତା ଖୁବ୍ ଭଲ ଲାଗେ । ସବୁ କୋଳାହଳ ପରେ ଏମିତି ଗୋଟେ ନିଜର ଦୁନିଆକୁ ଖୁବ୍ ଉପଭୋଗ କରେ ମୁଁ ।
ଅନେକେ କହନ୍ତି- “ଆପଣ ମଜାରେ ଅଛନ୍ତି । ବିନ୍ଦାସ୍ ! ଆମ ଜୀବନରେ ଶାନ୍ତି ନାହିଁ । ଅଫିସ୍ରୁ ଫେରି ଟିକେ ନିଃଶ୍ୱାସ ମାରିବାକୁ ସମୟ ନାହିଁ । ସପିଙ୍ଗ୍ କିମ୍ବା କୁଆଡେ ଯଦି ବୁଲିଯିବାର ପ୍ରୋଗ୍ରାମ ଥିବ ଶ୍ରୀମତୀଙ୍କର ତା’ହେଲେ କଥା ସରିଗଲା । ସେ ପ୍ରୋଗ୍ରାମ ପରିବର୍ତ୍ତନ ହୋଇପାରିବନି । ଯଦି ହେଲା ଚାଲିବ ଅଶାନ୍ତି । ଅଫିସ୍ରୁ ଫେରି ଆପଣଙ୍କୁ ହିଁ କହିବାକୁ ପଡ଼ିବ- ଯିବନି କି ଆଜି ସପିଙ୍ଗ୍ ପାଇଁ? ଫେରିଲା ବେଳେ ବାହାରେ ଖାଇନେବା । ରୋଷେଇ ଝାମେଲା ରଖନି ।”
ଏମିତି ଅନେକ ଛଳନା କରିବାକୁ ପଡ଼ିବ ଆପଣଙ୍କୁ ।
ଏସବୁ ଶୁଣି ମନେ ମନେ ଖୁସି ହୁଏ ଖୁବ୍ । ଏକା ଅଛି ଭଲ ଅଛି । ନିଜକୁ ତ ନିଜେ ଶାସନ କରୁଛି । ବଞ୍ଚିଛି ନିଜ ଇଚ୍ଛାରେ ।
ମୁଁ ଭାବେ ମୁଁ ସବୁଠୁ ଭଲ ଚା’ କରେ । ଆଉ କିଏ ଜଣେ ମୋତେ ନିଦରୁ ଉଠେଇ “ଚା’ ରହିଲା” କହି ତା’ କାମରେ ଲାଗିଯା’ନ୍ତା, ଆଉ ମୁଁ ବିଛଣା ଛାଡ଼ି ଚା’କପ୍ରେ ଓଠ ଛୁଆଁଇଲା ବେଳକୁ ଚା’ ଥଣ୍ଡା! ସେମିତି ଚା’ ପିଆ ମୋତେ ମୋଟେ ଭଲ ଲାଗିନଥାନ୍ତା ବୋଧେ !
ମୁଁ ମୋ’ ଭାଗମାପରେ ଚା’ କରେ । ସକାଳୁ ଉଠି ଚା’ କରିବାର ମଜା ନିଏ । ଗୋଟେ ବଡ଼ କପ୍ରେ ସବୁତକ ଚା’ ଛାଣିନେଇ ଚା’ କପ୍ ସହ ଚାଲିଯାଏ ବାଲକୋନୀକୁ । ଧୂଅାଁ ଉଠା ଚା’ କପ୍ ସହ ସକାଳର ଛବିକୁ ଦୋହରାଏ ପ୍ରତିଦିନ ।
ମା’ମାନେ ସେମାନଙ୍କ ପିଲାଙ୍କ ସହ ଅପେକ୍ଷା କରିଥାନ୍ତି ସ୍କୁଲ୍ ବସ୍କୁ । ପିଲାମାନଙ୍କୁ ବସ୍ରେ ଉଠେଇ ଦେଇ ଫେରନ୍ତି ଘରକୁ । କିଛି ପିଲାଙ୍କ ଡାଡିମାନେ ମଧ୍ୟ ଆସିଥାନ୍ତି । ଡାଡି-ମମୀମାନଙ୍କର ବେଶ୍ ଆସର ଜମେ । ଚା’ ସହ ଏସବୁ ଖୁବ୍ ଭଲଲାଗେ । ମନେ ମନେ ଭାବେ- ଏକା ଅଛି ବେଶ୍ ଭଲ ଅଛି । କାହା ଉପରେ ଭରସା ଅଛି? ସନ୍ଦେହ ଆଉ ଅସନ୍ତୋଷକୁ ନେଇ ବଞ୍ଚିବା ଖୁବ୍ କଷ୍ଟ ।
ଆମ ଅଫିସ୍ର ଏମ୍.ଡି. ଙ୍କ ସୁନ୍ଦରୀ ଲେଡି ଆସିଷ୍ଟାଣ୍ଟ ଅଫିସ୍ ଛୁଟି ପରେ ଅନେକ ସମୟ ରହେ ଏମ୍ଡିଙ୍କ ପାଖରେ । ନୂଆ ନୂଆ ବାହା ହେଇଛି । ତଥାପି ଜଲ୍ଦି ଯାଏନି । ଏଇ କାରଣରୁ କୁଆଡେ ପ୍ରତିଦିନ ଝଗଡ଼ା ସ୍ୱାମୀ ସହ । ସ୍ୱାମୀ ତା’ର କହୁଛି ଚାକିରି ଛାଡିବାକୁ । ଇଏ ଛାଡୁନି । ଅଫିସ୍ରେ ଆସି ସକଉଛି ପ୍ରତିଦିନ । ସିଏ ବି ଦିନେ କହିଲା- ଏକା ଅଛନ୍ତି ଭଲରେ ଅଛନ୍ତି ।
ମୁଁ ବି ଠିକ୍ ସେଇଆ ଭାବେ । ଡେରିରେ ଫେର, ଶୀଘ୍ର ଫେର କିଏ କହିବାକୁ ଅଛି? ବର୍ଷାରେ ଭିଜିଭିଜି ଘରକୁ ଫେରିଛି କାହାକୁ କୈଫିୟତ ଦେବାକୁ ପଡ଼ିନି । ଓଦା ପ୍ୟାଣ୍ଟ-ସାର୍ଟ ଛାଡି ଟାୱେଲରେ ମୁଣ୍ଡ ପୋଛିଛି ପୁଣି ସେଇ ଟାୱେଲ ପିନ୍ଧି ଝର୍କାବାଟେ ବର୍ଷାକୁ ଅନୁଭବ କରିଛି । ଷ୍ଟ୍ରୀଟ୍ଲାଇଟ୍ ଆଲୁଅରେ ବର୍ଷାର ମାତାଲ ଚେହେରା ଦେଖିଛି ।
ହଁ, ଏତିକିବେଳେ ଚା’ କରି ପିଇବାକୁ ଖୁବ୍ ଇଚ୍ଛା ହେଇଛି । ଚା’ କପ୍ ସହ ବର୍ଷାର ମଜା ନେଲାବେଳେ କେବେ ଭାବିନି- ଏମିତି ଏକ ବର୍ଷଣମୁଖର ସନ୍ଧ୍ୟାରେ ପ୍ରେମିକା ସହ ଏକାଠି ଓଦା ହେଇ ଘରକୁ ଫେରିବା ଏବଂ ଏକାଠି ମିଶି ଚା’ ପିଇବା କଥା । କେବେ କଳ୍ପନା କରିନି- ପ୍ରେମିକା ତା’ ଓଦାଲୁଗା ବଦଳାଇ ମୋ’ ବଡ଼ ଟର୍କିସ୍ ଟାୱେଲ୍ରେ ଦେହକୁ ଢାଙ୍କି ମୋ’ ସାମ୍ନାରେ ବସି ଚା’ ପିଇଲା ବେଳେ ମୋ’ ଚା’ର ତାରିଫ୍ କରନ୍ତା ଆଉ ମୁଁ ତା’ ସତେଜ ଭିଜା ଦେହର ତାରିଫ୍ କରିବା ଭିତରେ ଅଧାଓଦା ଟାୱେଲରୁ ବଳି ପଡ଼ିଥିବା ତା’ ବଳକା ଦେହକୁ ଆଖିରେ ପିଉ ପିଉ ଶିହରିତ ହୁଅନ୍ତି । ସିଏ ଦୁଷ୍ଟାମିର ହସ ହସି ପଚାରିଥା’ନ୍ତା- କ’ଣ ଦେଖୁଛ? ଝିଅଙ୍କ ଖୋଲା ଦେହ ଦେଖିନ କେବେ?
ମୁଁ କହିଥାନ୍ତି- ଆଉ କାହା ସହ ଭିଜିଲି କେବେ?
ହଁ, ଏମିତି ନଭାବି ବରଂ ଭାବିଛି- ଏକୁଟିଆ ବର୍ଷାର ଛୁଆଁ ପ୍ରେମିକାର ଛୁଆଁଠୁ କ’ଣ କମ୍? ପତ୍ନୀ ତ ଭିଜିବାକୁ ଦିଏନି । ସୁଯୋଗ ଦିଏନି ବର୍ଷାଭିଜା ସ୍ମୃତି ମନେ ପକେଇ ଦେବାକୁ । ତେଣୁ ଅଫିସ୍ ଯିବା ବେଳେ ପ୍ରତିଟି ପତ୍ନୀ ରେନ୍କୋଟ୍ ନେବାକୁ ମନେପକେଇ ଦିଅନ୍ତି ପତିମାନଙ୍କୁ ।
***
ଏବେ ମୋ’ର ଆଉ ଗୋଟେ ଅଫିସ୍କୁ ବଦଳି ହେଇଚି । ଯେଉଁ ସିଟ୍କୁ ଯାଇଛି ସେ ସିଟ୍ରେ ଯିଏ କାମ କରୁଥିଲା ସିଏ ମରିଯାଇଛି ।
ବର୍ଷେ ହେଇ ନଥିଲା ବାହାଘର । ଦି’ଟା ଯାକ କିଡ୍ନୀ ଖରାପ । ସୁନ୍ଦରୀ ଖୋଜି ଖୋଜି ଟିକେ ଡେରିରେ ବାହା ହେଇଥିଲା । ତା’ ସ୍ତ୍ରୀ କୁଆଡେ ଜିଦ୍ ଧରିଥିଲା କିଡ୍ନୀ ଦେବାକୁ । କହୁଥିଲା- ସିଏ ଥିଲେ ସିନା ମୋ ସ୍ଥିତି ରହିବ, ସିଏ ଯଦି ନରହିବେ ମୁଁ ରହି ଲାଭ କ’ଣ? ଅର୍ଦ୍ଧାଙ୍ଗିନୀର କର୍ତ୍ତବ୍ୟ ତ ଅଧା ଅଙ୍ଗରେ ବଞ୍ଚିବା ସ୍ୱାମୀ ପାଇଁ । ସବୁ ଠିକ୍ ହେଲା । କିନ୍ତୁ ସିଏ ଦେଇପାରିଲାନି କିଡ୍ନୀ । ତା’ କିଡ୍ନୀ କୁଆଡେ ମ୍ୟାଚ୍ କଲାନି ତା’ ସ୍ୱାମୀ ସହିତ । ତାଙ୍କ ଘରଲୋକ କୁଆଡେ ବହୁତ ଟଙ୍କା ଦେଇ ଜଣେ କିଡ୍ନୀ ଡୋନର ଯୋଗାଡ଼ କଲେ । ସେଇ ଲୋକର କିଡ୍ନୀ ଲାଗିଲା । କିନ୍ତୁ ଭଗବାନଙ୍କ ବରାଦ ଦେଖ ସିଏ ବି କାମ କଲାନି । ଡାକ୍ତର କହିଲେ- ବଡ଼ି ଗ୍ରହଣ କରୁନି ସେ କିଡ୍ନୀ । ଡାୟାଲିସିସ୍ରେ ବଞ୍ଚିଲା କେଇ ମାସ । ପାଣି ଭଳି ଖର୍ଚ୍ଚ ହେଲା ଟଙ୍କା । କିଛି ହେଲାନି । ଶେଷରେ ଆଖି ବୁଜିଲା ।
ତା’ ସ୍ତ୍ରୀ ଏବେ ଆଉଜଣଙ୍କୁ ବାହା ହେଇଛି । ତା’ ସାଙ୍ଗରେ କୁଆଡେ ତା’ର ଭାବ ଥିଲା ଆଗରୁ । କିଡ୍ନୀ ଡୋନର୍ ସେଇ ଯୋଗାଡ଼ କରିଥିଲା । ଅପରେସନ୍ର ସବୁ ଖର୍ଚ୍ଚ ସେଇ ଦେଇଥିଲା । ତା’ ସ୍ତ୍ରୀର କିଡ୍ନୀ ମ୍ୟାଚ୍ କଲାନି, ଏସବୁ ମିଛ କଥା । ସେଇ ମତେଇଲା କିଡ୍ନୀ ନଦେବାକୁ । ସିଏ ଜାଣିଥିଲା କିଡ୍ନୀ ଅପରେସନ୍ ହୋଇଥିବା ରୋଗୀଙ୍କୁ ଡାକ୍ତର ମନା କରିଥାନ୍ତି ସ୍ତ୍ରୀ ସହ ଦୈହିକ ସମ୍ପର୍କ ରଖିବାକୁ । ତେଣୁ ଦେହର ଭୋକ ମେଣ୍ଟାଇବାକୁ ତା’ ସ୍ତ୍ରୀ ନିଶ୍ଚେ ତା’ ପୂର୍ବ ପ୍ରେମିକକୁ ଖୋଜିବ, ଏଥିରେ ସନେ୍ଦହ ନାହିଁ । ଏବେ ତ ତା’ର ଯୌବନ ବୟସ । ଆଉ ଯଦି ତା’ ବର ମରିଯାଏ ତା’ହେଲେ ତା’ ପୂର୍ବ ପ୍ରେମିକାକୁ ପତ୍ନୀ ରୂପେ ପାଇବାକୁ କ’ଣ ତାକୁ ଅସୁବିଧା ହେବ? ସବୁ ବାଟ ସେ ପରିଷ୍କାର କରିସାରିଥିଲା । କିଡ୍ନୀ ଟ୍ରାନ୍ସପ୍ଲାଣ୍ଟେସନ୍ ଅପରେସନ ପାଇଁ ହାତଖୋଲା ଖର୍ଚ୍ଚ ସେ ହିଁ କରିଥିଲା । ତେଣୁ କାହାରି ସନେ୍ଦହ ନଥିଲା ସିଏ ଏ ଝିଅକୁ ଚାହୁଁଥିଲା ବୋଲି । ଝିଅର ବାପଘର ଲୋକେ ଏବଂ ଶ୍ୱଶୁରଘର ଲୋକେ କ’ଣ ଅରାଜି ହେଇଥା’ନ୍ତେ ଏ ପ୍ରସ୍ତାବରେ? ଶେଷରେ ସେଇୟା ହିଁ ହେଲା । ବିଧବା ପ୍ରେମିକାକୁ ବାହା ହେଲା ସିଏ । ଏବେ ମଜାରେ ଅଛନ୍ତି ସେମାନେ । କେହି କହିବେନି ବର୍ଷେ ତଳେ ତା’ର ସ୍ୱାମୀ ମରିଛି ବୋଲି ।
ଏମିତି ଗୋଟେ ଗୋଟେ ଘଟଣା ଶୁଣିଲେ ଏକୁଟିଆ ରହିବାର ଅବସୋସ ଦୂରେଇଯାଏ ।
***
ମାନବେନ୍ଦ୍ର ଦିନେ ମୋତେ କହିଲା- ଚାଲନ୍ତୁ ଶାଢ଼ିଟେ କିଣେଇ ଦେବେ ମୋତେ । ଆପଣଙ୍କ ଚଏସ୍ ଭଲ ମୁଁ ଜାଣିଛି ।
ମାନବେନ୍ଦ୍ର ମୋ’ଠୁ ବହୁତ ସାନ । ବାହା ହେଇଛି । ଦୁଇଟି ସନ୍ତାନର ବାପା ବି ହେଇସାରିଲାଣି । ସିଏ ଇଲେକ୍ଟ୍ରୋନିକ୍ସ ମିଡିଆରେ କାମ କରେ । ସାନ ହେଲେ ବି ତା’ର ସବୁ ବ୍ୟକ୍ତିଗତ କଥା ମୋ ସହ ବାଣ୍ଟେ । ତା’ ସ୍ୱପ୍ନର ଦୁନିଆ ସିଏ ପାଇନି ବୋଲି ଅବସୋସ କରେ ।
ମୁଁ ପଚାରିଲି- ଶାଢ଼ି କାହା ପାଇଁ?
ସିଏ କହିଲା- ମିସେସ୍ ପାଇଁ । କାଲି ଆମର ମ୍ୟାରେଜ୍ ଆନିଭର୍ସାରୀ । ମୁଁ ଯେତେଥର ଦେଇଛି ତା’ର ପସନ୍ଦ ହୁଏନି । ମୁଁ ହିଁ ତା’ର ପସନ୍ଦ ନୁହଁ ବୋଧେ !
ଆମେ ଦୋକାନକୁ ଗଲୁ । ମୁଁ ଶାଢ଼ିଟେ ବାଛିଦେଲି । ତା’ ସ୍ତ୍ରୀର ରଙ୍ଗ ଏବଂ ଗଢ଼ଣ ମୁଁ ଜାଣିଥିଲି । ସେଇ ପାଖରେ ଗୋଟେ ଗିଫ୍ଟ ଦୋକାନରେ ଶାଢ଼ିଟିକୁ ପ୍ୟାକିଂ କରାଗଲା । ଗୋଲ୍ଡେନ୍ ରିବନ୍ ବନ୍ଧାଗଲା ଏବଂ ଶେଷରେ ଦୁଇଟି ହାର୍ଟ ଆକୃତିର ଲଲିପପ୍ କିଣି ଗିଫ୍ଟ ପ୍ୟାକ୍ ଉପରେ ଲଗେଇବାକୁ କହିଲା ମାନବେନ୍ଦ୍ର ।
ମୁଁ କହିଲି- ଗୋଟେ ଲଗାଅ !
ସିଏ କହିଲା- ଦି’ଟା ଲଗେଇଲେ କ୍ଷତି କ’ଣ?
ମୁଁ ସହଜ ଭାବେ ବୁଝେଇ ଦେଲି- ଗୋଟେ ଲଗେଇଲେ ଦି’ଜଣ ସେୟାର କରି ଖାଇପାରିବ । ଦି’ଟା ହେଲେ ସେ ମଜା ରହିବନି । ପ୍ରେମ ବଢ଼ିବନି ।
ମାନବେନ୍ଦ୍ର କହିଲା- ଆପଣ ବାହା ହେଇଥିଲେ ଖୁବ୍ କେୟାରିଂ ହଜ୍ବ୍ୟାଣ୍ଡଟିଏ ହୋଇପାରିଥାନ୍ତେ । ସଫଳ ସ୍ୱାମୀ ।
ପରଦିନ ମାନବେନ୍ଦ୍ର କହିଲା- ସୁନୁଭାଇ ଶାଢ଼ି ଖୁବ୍ ପସନ୍ଦ ହେଲା ମିସେସ୍ର । କହିବେନି ଆପଣ ଚଏସ୍ କରିଥିଲେ ବୋଲି । ଏଇ ପ୍ରଥମଥର ତା’ର ପସନ୍ଦ ହୋଇଛି ।
ମୁଁ ଟିକେ ହସିଲି ।
ସେଦିନ ମୋତେ ଲାଗିଲା- ମାନବେନ୍ଦ୍ରଠୁ ହୁଏତ ମୁଁ ବେଶି ଅଶାନ୍ତି ଭୋଗିଥାନ୍ତି ବାହା ହେଇଥିଲେ । ମୋ’ ଚଏସ୍ ସିନା ମୋ’ ପତ୍ନୀଙ୍କୁ ଭଲ ଲାଗିଥାନ୍ତା କିନ୍ତୁ ତା’ ଚଏସ୍ କ’ଣ ମୋତେ ସନ୍ତୁଷ୍ଟ କରିପାରିଥାନ୍ତା? ମୁଁ ତ ଖୁବ୍ ଅସନ୍ତୁଷ୍ଟିଆ ସବୁବେଳେ । ସାଲିସ୍ ବିହୀନ ମଣିଷଟିଏ ।
ଏକା ଅଛି ବେଶ୍ ମଜାରେ ଅଛି । ମାନବେନ୍ଦ୍ର ଭଳି ଅସ୍ୱସ୍ତି ତ ଭୋଗୁନି? ବେଶି ଭଲ ଲାଗୁଛି ଶୁଣିବାକୁ- ସୁନୁଭାଇ ଆପଣ ଭଲରେ ଅଛନ୍ତି, ବିନ୍ଦାସ୍, ନିଜର ମାଲିକ ନିଜେ ।
***
ଏଇ ରିସେଣ୍ଟଲି ଘଟିଥିବା ଗୋଟେ ଘଟଣା, କାହାକୁ କହିନଥିଲି ଏଯାଏଁ ।
ସେଦିନ ଅଫିସ୍ରୁ ଫେରୁଫେରୁ ମୁହଁ ସଞ୍ଜ ହେଇଯାଇଥିଲା । ଲୁଙ୍ଗି-ଗାମୁଛା ଶୁଖୁଥିଲା ଛାତ ଉପରେ, ଆଣିବାକୁ ଗଲି । ମୋ ଲୁଙ୍ଗି-ଗାମୁଛାକୁ ଲାଗି ତଳଘର ଭାଉଜଙ୍କ ବ୍ଲାଉଜ୍-ବ୍ରା ଶୁଖୁଥିଲା । କ୍ଲିପ୍ ମରା ହେଇଥିଲା ସେଥିରେ । ମୋ’ ଲୁଙ୍ଗି-ଗାମୁଛାରେ ମଧ୍ୟ ।
ମୁଁ ମୋ’ ଲୁଙ୍ଗି-ଗାମୁଛା ତୋଳିଆଣିଲି ତାରରୁ । ଭାବିଲି ତାଙ୍କର ବି ନେଇଆସିବି କି? କାକର ପଡ଼ି ଓଦା ହେଇଯିବ ସକାଳକୁ । ସକାଳେ ସିଏ ଛାତ ତାରରେ ନପାଇ ମୋତେ ନିଶ୍ଚେ ପଚାରିବାକୁ ଆସିବେ ଏବଂ ନେଇଯିବେ । ପୁଣି ଭାବିଲି ଯଦି କିଛି ଖରାପ ଭାବନ୍ତି? ନାଃ, କେବଳ ମୋରିତକ ନେଇ ଚାଲିଆସିଲି । ଏଥର କାହିଁକି ମନେପଡ଼ିଲା, ତଳଘର ଭାଉଜ ମୋରି ଲୁଙ୍ଗି-ଗାମୁଛାକୁ ଲଗେଇ ତାଙ୍କ ବ୍ଲାଉଜ୍-ବ୍ରା ଶୁଖାନ୍ତି ସବୁବେଳେ । ତାଙ୍କ ସ୍ୱାମୀଙ୍କ ଲୁଙ୍ଗି-ଗାମୁଛା, ଗଞ୍ଜି-ଚଡ଼ି ଟିକେ ଦୂରକୁ ଥାଏ ।
ଖୁବ୍ ଡିପ୍ କଟ୍ ବେକବାଲା ବ୍ଲାଉଜ୍ ପିନ୍ଧନ୍ତି ସେ । ଛାତି ଆଉ ପିଠିର ବେଶି ଭାଗ ଅଘୋଡା ଥାଏ ଏଭଳି ଫ୍ୟାସନର ବ୍ଲାଉଜ୍ରେ । ବ୍ରା’ର ଷ୍ଟାପ ଦିଶୁଥାଏ କାନ୍ଧ ପାଖରେ ।
ତାଙ୍କ ସହ କଥା ହେଲାବେଳେ ଆଖି ତାଙ୍କ ଡିପ୍ କଟ୍ ବ୍ଲାଉଜ୍ର ବେକ ପାଖରେ ଅଟକିଯାଏ । ସେ ଠିକ୍ ବୁଝିପାରନ୍ତି ସେ କଥା । କିନ୍ତୁ କେବେ ସଂକୁଚିତ ହୁଅନ୍ତିନି ସେଥିପାଇଁ । ଘୋଡେଇ ନିଅନ୍ତିନି କାନିରେ ଅଘୋଡ଼ା ଛାତିକୁ ।
ଖୁବ୍ ଲୋଭିଲା ତାଙ୍କ ଚେହେରା । ସିଏ ବି ଖୁବ୍ ଲୋଭିଲା ଆଖିରେ ଚାହାନ୍ତି ମୋତେ ତାଙ୍କ ସହ ଗପିଲା ବେଳେ ।
ମୁଁ ଶିଡିଘର କବାଟ ଲଗେଇ ମୋ ଲୁଙ୍ଗି-ଗାମୁଛା ସହ ଫେରିଲି ମୋ’ ରୁମ୍କୁ । କବାଟ ଲଗେଇ ଟିଭି ଦେଖାରେ ମଜିଗଲି । ନିଦ ଲାଗିଆସିବାରୁ ଦେଖିଲି ଏଗାରଟା ବାଜିଲାଣି । ଭୋକ ନଥିଲା । ଦି’ ପିସ୍ ପାଉଁରୁଟି ଆଉ ଜାମ୍ରେ ରାତି ଖିଆ ସାରିନେଲି । ଅଫିସ୍ରେ ଗୁଡେ ଜଳଖିଆ ଖାଇଥିଲି । ବିଛଣାରେ ପଡୁ ପଡୁ ଆସିଗଲା ନିଦ । କିଛି ସମୟ ପରେ କଡ଼ ଲେଉଟାଇବାରୁ ଜାଣିଲି ତଳଘର ଭାଉଜ ମୋ’ କଡ଼ରେ । ମୁଁ ଅବାକ୍ । ପଚାରିଲି- ଆପଣ?
ସିଏ ମୋ’ ପାଟିରେ ହାତଦେଇ କହିଲେ- ଆସ୍ତେ କୁହ?
ମୁଁ କହିଲି- ଆପଣଙ୍କ ସ୍ୱାମୀ ଯଦି ଜାଣିବେ?
ସିଏ କହିଲେ- ଜାଣନ୍ତୁ କ’ଣ ହେଲା?
ମୁଁ କହିଲି- ଆପଣଙ୍କର କ’ଣ ଏଯାଏ ଦେହର ଭୋକ ମରିନି? ଆପଣଙ୍କ ପୁଅ ପରା ପାଞ୍ଚ/ଛଅ ବର୍ଷର ହେଲାଣି?
ସିଏ କହିଲେ- ତମ ଭଳି ସୁଠାମ ଦେହ କ’ଣ ତାଙ୍କର ଅଛି? ଖୁବ୍ କଷ୍ଟ ହୁଏ ତମ ପାଇଁ । ଏକା ଏକା କଷ୍ଟ ଲାଗେନି ତମକୁ? ଇଚ୍ଛାହୁଏନି ମୋତେ ଜଡେଇ ନେବାକୁ?
ଏତିକି କହି ସିଏ ମୋତେ ଖୁବ୍ ଜୋରରେ ଜଡେଇ ନେଲେ । ହାଲ୍କା ନୀଳ ଆଲୁଅରେ ସେ ଖୁବ୍ ସେକ୍ସି ଲାଗୁଥିଲେ । ଛାତି ଖୋଲା ଥିଲା ତାଙ୍କର । ମୁଁ ଅନେଇପାରୁ ନଥିଲି ତାଙ୍କୁ ।
ମୁଁ ପଚାରିଲି- ଆପଣ ଖୋଲା ଦେହରେ ଚାଲି ଆସିଛନ୍ତି?
ସିଏ କହିଲେ- ତମେ ମୋ’ର ବ୍ଲାଉଜ୍-ବ୍ରା ଆଣିଛ ଛାତ ତାରରୁ?
ମୁଁ କହିଲି- କାଳେ ଆପଣ ଖରାପ ଭାବିବେ ସେଥିପାଇଁ ମୁଁ ଆଣିଲିନି ।
ସିଏ ଏଥର ମୋତେ ଅକ୍ଟୋପସ୍ ଭଳି ଜଡେଇ ଧରି ଚୁମା ଦେଉ ଦେଉ କହିଲେ- ବୁଦ୍ଦୁ କେଉଁଠିକାର ! ତମେ ଆଣିବ ବୋଲି ତ ମୁଁ ଛାଡି ଦେଇ ଆସିଥିଲି । ସବୁଦିନ ତମ ଲୁଙ୍ଗି-ଗାମୁଛାକୁ ଲଗେଇ ଶୁଖାଏ ଜାଣିପାରନି ତମକୁ ଚାହେଁ ବୋଲି?
ତାଙ୍କ ଦେହର ଉଷ୍ଣତା ବଢ଼ୁଥିଲା ଧୀରେ ଧୀରେ । ମୁଁ ବି ତାଙ୍କ ଚାହିଦା ଆଗରେ ହାର ମାନୁଥିଲି । ନୀତି, ନୈତିକତା, ଆଦର୍ଶ ଏବଂ ମୂଲ୍ୟବୋଧ ଏସବୁ ଦୂରେଇ ଯାଉଥିଲା ଧୀରେ ଧୀରେ । ତା’ ସହ ଦେହର ପୋଷାକ । ଏଥର ଆମେ ହଜିଯାଇଥିଲୁ ସେ ଆଦିମ ଖେଳରେ । ଶେଷରେ କ୍ଲାନ୍ତି ପରର ଶାନ୍ତି ଅନୁଭବ କରୁଥିଲି ମୁଁ । ତଳଘର ଭାଉଜ ମଧ୍ୟ ।
ହଠାତ୍ ଗୋଟେ ପାଟିତୁଣ୍ଡରେ ମୋ’ ନିଦ ଭାଙ୍ଗିଗଲା । ତଳଘରୁ ଶୁଭୁଥିଲା ଭାଉଜ ଆଉ ତାଙ୍କ ସ୍ୱାମୀଙ୍କ ଝଗଡ଼ାର କୋଳାହଳ ।
ମନେପଡ଼ିଲା ଭାଉଜ ତ ମୋ’ ପାଖରେ ଥିଲେ । ମୋ’ ଖଟରେ । କେତେବେଳେ ଗଲେ ତଳକୁ? ଅନେଇ ଦେଖିଲି ନାହାନ୍ତି । କବାଟ ଭିତରପଟୁ ବନ୍ଦ ହେଇଛି । ତା’ହେଲେ କ’ଣ ସ୍ୱପ୍ନ ଦେଖୁଥିଲି?
ମୁଁ କବାଟ ଖୋଲି ଶିଡି ପାଖକୁ ଗଲି । ତଳଘର ଭାଉଜଙ୍କ ସ୍ୱାମୀ- ଚିକ୍ରାର କରି କହୁଥିଲେ- ମୁଁ ବୋଲି ତମକୁ ବାହାହେଲି । କିଏ ବାହା ହେଇଥାନ୍ତା ତମକୁ? ଭିଣେଇ ସହ ଶୋଇ ଶୋଇ ତ ଯୌବନ କଟିଗଲା । ଶେଷରେ ମୋରି ବେକରେ ଝୁଲିଲ । ସେ ଛୁଆ କାହାର ମୋତେ ଜଣାନାହିଁ? ମୋତେ ପରା ଡାକ୍ତର କହିଥିଲେ- ଆପଣଙ୍କର ବାପା ହେବାର ସମ୍ଭାବନା ନାହିଁ । ସେ ଛୁଆ ହେଲା କେମିତି ମୋତେ ଠିକ୍ ଜଣାଅଛି ।
ଭାଉଜ କହୁଥିଲେ- ଆଉ ଟିକେ ଚିକ୍ରାର କରି ଶୁଣାଅ ନିଜ ପାରିଲାପଣିଆ । ଲାଜ ଲାଗୁନି । ପୁରୁଷପଣିଆ ଝଗଡ଼ା କରି ଦେଖଉଛ । ସ୍ତ୍ରୀକୁ ମାଡ଼ମାରି ସ୍ୱାମୀପଣିଆ ଜାହିର କରୁଛ ! ଛି !
ମୁଁ କବାଟ ଲଗେଇ ଭିତରକୁ ଆସିଲି । ଚା’ ପିଇବାକୁ ମନହେଲା । ଗ୍ୟାସ୍ ଚୁଲିରେ ଚା’ ବସେଇ ମନେ ମନେ ଥୋଡେ ହସିଲି । ଭାବିଲି- ଏକୁଟିଆ ରହି ମନ୍ଦ କରିନି ।
ଚା’ କପ୍ ସହ ଛାତ ଉପରକୁ ଗଲି । ତାରରେ ସେମିତି ଶୁଖୁଥିଲା ତଳଘର ଭାଉଜଙ୍କ ବ୍ଲାଉଜ୍ ଆଉ ବ୍ରା । ଭାଉଜ ଆଉ ତାଙ୍କ ସ୍ୱାମୀଙ୍କ ଝଗଡ଼ା ବୋଧେ ଥମିଆସିଥିଲା ।
ଏସବୁ ଶୁଣି ଅନେକେ କହିପାରନ୍ତି- ଆପଣ ଦାମ୍ପତ୍ୟର ବେସୁରା ଯୁଗଳବନ୍ଦୀ ହିଁ ଶୁଣିଛନ୍ତି । ସୁରେଲା ଯୁଗଳବନ୍ଦୀ ଶୁଣିନାହାନ୍ତି, ତେଣୁ ଏକା ଅଛନ୍ତି । ସବୁ ବ୍ୟାଚେଲର୍ ନିଜକୁ ଚାଲାକ୍ ମନେ କରନ୍ତି ।
ମୁଁ କିନ୍ତୁ ଭାବେ ବୋକାମାନେ ହିଁ ବାହା ହୁଅନ୍ତି । ପଡ଼ିଶା ଘରର ପଥହୁଡା ସୁନ୍ଦରୀ ଭାଉଜ ଯଦି ସାଥ୍ ଦିଅନ୍ତି ଯୁଗଳବନ୍ଦୀ ତ ବେଶି ସୁରେଲା ଲାଗିବ ଏଥିରେ କ’ଣ ସନେ୍ଦହ ଅଛି?