ଥରେ ତୁଣ୍ଡର ଏରୁଣ୍ଡି ଡେଇଁ କଥା ଯଦି ପଦାକୁ ଆସେ ତେବେ ତାକୁ ଆଉ ସମ୍ଭାଳିବା କଷ୍ଟକର । ପଦେ ପଦେ କଥାରେ ଘରଭାଙ୍ଗେ, ମନଭାଙ୍ଗେ, ଅଗଣାରେ ପାଚେରି ଉଠେ । ମୁହଁ ଚାହାଁଚାହିଁ ବନ୍ଦ ହୋଇଯାଏ । ନିଜ ପାଟି ଓ ତହିଁରୁ ବାହାରୁଥିବା କଥା ବାଟ ଭୁଲିଲେ ଜୀବନସାରା ସେ ଦୋଷ କାଟି ସ୍ୱାଭାବିକ ହେବା କଷ୍ଟକର ହୁଏ ।
ପାଟିକୁ ନେଇ ଯେତେ ସବୁ ବ୍ୟସ୍ତତା । ପାଟି ବା କାହାର ନାହିଁ ଯେ? ସମସ୍ତଙ୍କର ତ ଅଛି । ସେ ପାଟି ଭିତରେ ଦାନ୍ତ ଜିଭ । ପାଟି ବୁଜିଲେ ଓଠ ଦୁଇଟି । ବାସ୍ ସବୁ ମିଶାଇ ଦେଲେ ମଣିଷର ମୁଣ୍ଡରେ ଥିବା ଏଇ ଯନ୍ତ୍ରଟି ସବୁଠୁ କାମିକା । ପାଟି ବାବଦରେ କେତେ କଥା କୁହାଯାଇଛି ଭାବିଲେ ଦେଖି !
ଜନ୍ମ ପରେ ପିଲାଟି ଆଗ କାନେ୍ଦ । ଲାଳ ବୁହାଏ । ସେଇଠୁ ପା.. ପା.. ମା… ମା.. କହେ । ତା’ପରେ କଥାବାର୍ତ୍ତା କରେ ଅଳ୍ପ ଅଳ୍ପ ଅବୁଝା ଭାଷାରେ । ତା’ ପରିବାରର ଲୋକେ ପିଲାର ଏଇ ଦରୋଟି ଭାଷା ଶୁଣି ଆନନ୍ଦିତ ହୁଅନ୍ତି ଓ ନିଜେ ଚେଷ୍ଟା କରି ସେଇମିତି ମଧ୍ୟ କହିଥାଆନ୍ତି । ପିଲାଟିର ପାଟି ନଫିଟିଲେ କେତେ କଷ୍ଟ? ଡାକ୍ତର ଦେଖାଇବାଠୁ ହାଟରୁ ମୁଆଁ କିଣି ଖୁଆଇବା, ଠାକୁରଙ୍କ ପାଖରେ ମାନସିକ କରିବା ବି ଚାଲିଥାଏ । ତା’ପରେ ସେ ଅର୍ଥଯୁକ୍ତ ଶବ୍ଦ କହେ ।
ଆମ ଠାକୁରଙ୍କ ଓଠକୁ ରଙ୍ଗାଅଧର କୁହାଯାଏ । ରଙ୍ଗ ଅଧରର ମନ୍ଦହାସ ଭକ୍ତଙ୍କର ମନ କିଣିନିଏ । ଆଜି ବି ଲିପ୍ ଷ୍ଟିକ୍ର ରଙ୍ଗ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କେବେ ପାନଖିଆ ଓଠ ସିନା ନାଲି ଦିଶୁଥିଲା, ଆଜି ସେସବୁ ପୁରୁଣା କଥା । ପାଟି ଭିତରେ ଥାଏ ଦି’ଧାଡ଼ି ଦାନ୍ତ । ସମୁଦାୟ ବତିଶ ବା ଆଠଗଣ୍ଡା । ଅବଶ୍ୟ ପିଲାଙ୍କର ବତିଶ ଦାନ୍ତ ଉଠିବା ବେଳକୁ ନିହାତି ସେମାନଙ୍କୁ ଊଣେଇଶ କୋଡିଏ ବର୍ଷ ହୋଇଥାଏ । କଳଦାନ୍ତ ଉଠିବାକୁ ଖୁବ୍ କଷ୍ଟ ହୁଏ । ଏହାକୁ ଜ୍ଞାନଦାନ୍ତ କୁହାଯାଏ । ଦାନ୍ତର କାମ ଢିଙ୍କି କାମ ସହିତ ସମାନ । ଆମ ପିଲାଦିନେ ଗୋଟେ ମଜାପ୍ରଶ୍ନ ଥିଲା-
ଘର ବୋଲି କଣେ
ଢିଙ୍କି ପଡ଼ିଛି ଆଠଗଣ୍ଡା
ଶୁଖେଇବାକୁ ଜଣେ ।
ଉତ୍ତର ହେଉଛି ‘ପାଟି’ । ଆଜି ଆଠଗଣ୍ଡା ଯେ ବତିଶିଟା, ଏ କଥା ବୁଝିବା ଭଳି ପିଲା କେତେଜଣ ଅଛନ୍ତି କେଜାଣି? ଦାନ୍ତ କଠିନ ଜିନିଷ ଚୋବାଇବାରେ ଆମକୁ ସାହାଯ୍ୟ କରେ । ପିଜୁଳି, କାକୁଡ଼ି, ମକା, ଆଖୁ, ନଡ଼ିଆ ଏସବୁର ସୁଆଦ ଆମେ ଦାନ୍ତ ପାଇଁ ପାଇପାରୁ । ସେଇମିତି ସୂତା ଛିଣ୍ଡାଇବା, ଠିପି ଖୋଲିବା, କଠିନ ଦ୍ରବ୍ୟ ଚୋବାଇବା ଭଳି କାର୍ଯ୍ୟରେ ଦାନ୍ତ ଲାଗିଥାଏ । ଦାନ୍ତ ପୁଣି ପୋକ ଖାଏ । ବଥା ହୁଏ । ଉପଡ଼ା ବି ହୁଏ । ଆଜି ତ ଦନ୍ତ ଚିକିତ୍ସା ବିଦ୍ୟା ଏତେ ଉନ୍ନତ ହେଲାଣି ଯେ ସେମାନେ ଦାନ୍ତ ଉପାଡିବାଠାରୁ ଦାନ୍ତକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି । ଦାନ୍ତ ଧଳା ଚକ୍ଚକ୍ ଦେଖାଯିବ ବୋଲି ପାଉଁଶ, କୋଇଲା ଗୁଣ୍ଡଠୁ ଆଜିର ପେଷ୍ଟ ପାଉଡର ସମସ୍ତେ ଚେଷ୍ଟିତ । କାହାରି ଦାନ୍ତ ପଦାକୁ ବାହାରିଥିଲେ ଆମେ ତାକୁ ଦାନ୍ତୁରା ବା ଦାନ୍ତୁରୀ କହୁ । ଚିକିତ୍ସା ଦ୍ୱାରା ବଙ୍କା ତେଢ଼ା ଦାନ୍ତକୁ ବି ସଜାଡି ମୁହଁକୁ ସୁନ୍ଦର କରୁ ।
ଆମ ଶ୍ୱାସଯନ୍ତ୍ରର ସଂଚାଳନ ଫଳରେ ରସନା ବା ଓଠ କମ୍ପିତ ହେଲେ ପାଟିରୁ ଯାହା ବାହାରେ ତାହା କଥା । ସବୁ କଥା ପୁଣି କଥା ନୁହେଁ । ଆମେ ହରିକଥା ଶୁଣିବାକୁ ଭଲ ପାଉ । ରାମକଥା, କୃଷ୍ଣକଥା ଠାରୁ ମାଙ୍କଡ଼ କୁମ୍ଭୀର କଥା ଟୁଅାଁଟୁଇଁ ବା ଟିକିଚଢ଼େଇ କଥା ଆମ ପିଲାଦିନକୁ କେତେ ମଧୁର କରିଥିଲା ସତେ ! କଥା କହିଲେ ଫୁଲଫୁଟେ ପୁଣି କଥା କହିଲେ ଦୁଆର ପଡ଼ିଯାଏ । ମଣିଷ ବ୍ୟତୀତ କିଏ ଅବା କଥା କହିପାରେ ଯେ !
ଜେଜେ ଜେଜେମା’ଙ୍କ କଥା ଯେତିକି ମଧୁର ବାପା ମାଆଙ୍କ କଥା ସେତିକି ଟାଣ । କାରଣ ବାପାଙ୍କ କଥା ଭିତରେ ଆଦେଶଟିଏ ଛପିଥାଏ । ସାଙ୍ଗସାଥୀଙ୍କ କଥା ଭଲ ଲାଗେ ଯେ ମାତ୍ର କେବେ କେବେ ପିଲାଟି ବାଟ ଭୁଲିବାର ସମ୍ଭାବନା ମଧ୍ୟ ରହିଥାଏ । ପାଟିରୁ ପାଣି କୁଳୁକୁଞ୍ଚା କରି ଆମେ ଦାନ୍ତ ଘଷୁ । ପରିଚ୍ଛନ୍ନତାର ପହଲି ପାଠ ଏଇ ପାଟିରୁ ହିଁ ଶିଖିବା ଆରମ୍ଭ ହୁଏ ।
କେବେ କୁହାଯାଏ ପାଟି ବୁଜି ବଞ୍ଚିବା କଷ୍ଟକର ପୁଣି ବୋହୂକୁ ଶିଖାଯାଏ ଗୁରୁଜନଙ୍କ କଥା ଉପରେ କଥା କହିବନି । ଝିଅକୁ ଶିଖାଯାଏ ପାଟିତୁଣ୍ଡ ହେଇଥିବା ଜାଗାକୁ ଯିବନି । ଅର୍ଥାତ୍ ସବୁଠି ପାଟି ବୁଜିବା ବା ଖୋଲିବା ଠିକ୍ ନୁହେଁ । ଦେଖିଲନି ସେଦିନ ଲୋକକଥାର କୁକୁଡ଼ା କୋକିଶିଆଳି କଥାକୁ ସତ ଭାବି ଆଖି ବୁଜି ଗୀତ ଗାଇଲା ବୋଲି ଜୀବନ ହରାଇଦେଲା । ଯଦି ସିଏ ଭାବିଥାଆନ୍ତା ତା’ କଣ୍ଠସ୍ୱର ଶୁଣିବାକୁ କୋକିଶିଆଳି ଏତେ ଆଗ୍ରହୀ କାହିଁକି? ତେବେ ଏତେ ଅସୁବିଧା ହୋଇନଥାନ୍ତା ।
କେବେ ବେହୋସ୍ ହୋଇଗଲେ ଆମ ଦାନ୍ତପାଟି ଜାବ ପଡ଼ିଯାଏ । ଜୀବନର ଶେଷ ସମୟରେ ପାଟିରେ ଗଙ୍ଗାପାଣି ଦିଆଯାଏ । ଏମିତିରେ ବି ପିଲାଙ୍କୁ ଖୁଆଇବା ସମୟରେ ଆମେ କେତେ ହଇରାଣ ହେଉ ଭାବିଲେ ଦେଖି । ପାଟିରେ ପାନ ଜାକିବା ବା ଗୁଟ୍ଖା ଭଳି ଦ୍ରବ୍ୟ ଜାକିବା କେତେ ଭୟଙ୍କର ସେ ସଂପର୍କରେ ଏବେ ଜନସଚେତନତା ସୃଷ୍ଟି କରାଯାଇଛି ।
ପାଟି ଆମର ଉଚ୍ଚାରଣ ଅବୟବ । ଦନ୍ତ୍ୟ, ଓଷ୍ଠ୍ୟ, ବତ୍ସ୍ୟ, ତାଲବ୍ୟ, କଣ୍ଠ୍ୟ ପ୍ରଭୃତି ବର୍ଣ୍ଣର ଉଚ୍ଚାରଣ ବିଧି ଭାଷାତତ୍ତ୍ୱର ପାଠ୍ୟ । ଏହି ଧ୍ୱନି ପୁଣି ବିଭିନ୍ନ ଦେଶ ଓ ଭାଷାଭେଦରେ ବଦଳି ଯାଉଥାଏ । ଯେତେବେଳେ ଆମେ ସ୍ୱର କରି ଭାଗବତ ପଡୁ, ସେତେବେଳେ ମା’, ଦେଠେଇ, ବୋଉ, ଖୁଡୀମାନେ ମଜ୍ଜିଯାଆନ୍ତି । କେହି କୃଷ୍ଣଙ୍କ ମଥୁରା ଗମନ ବେଳେ ପାଟିରେ କାନିଜାକି ଧରି କାନ୍ଦିଉଠନ୍ତି । ଆହା, ଭାବପ୍ରବଣତା’ର କି ସୁନ୍ଦର ପରିପ୍ରକାଶ! କ୍ରୋଧ ପ୍ରକାଶିତ ହେବାର ସୁଯୋଗ ନଥିଲେ ଓଠ ଥରେ । ଶୀତ ଆସିଲେ ଓଠ ଫାଟିବା ଆରମ୍ଭ ହୁଏ । ଖରାଦିନେ ପାଣି ପିଇବା ଉଣା ହେଲେ ଓଠ ଶୁଖିଯାଏ ।
ଏସବୁ ତ ସ୍ୱାଭାବିକ କଥା । କିନ୍ତୁ କୁହାଯାଏ ଜିଭରେ ହୋଇଥିବା ଘା’ ଶୀଘ୍ର ଶୁଖିଯାଏ ଅଥଚ ଜିଭ ଦେଇଥିବା ଘାଆ ଶୁଖିବା ବିଳମ୍ବ ହୁଏ । କଥାଟି ଯେତେ ଥର ଶୁଣିଲେ ବି ବାଧିଯାଏ । ସତେ ତ? ଜିଭ କାମୁଡ଼ି ହୋଇଗଲେ ଆମେ କହୁ ଭଲ ଜିନିଷ ଖାଇବାକୁ ମିଳିବ । ଦିନେ ଓଳିଏ ଦରଜ ହୋଇ ଜିଭ ସ୍ୱାଭାବିକ ହୁଏ । କିନ୍ତୁ ଜିଭ ଦ୍ୱାରା ଉଚ୍ଚାରିତ କଟୁ କଥାର ଆଘାତ ମନରୁ ଲିଭିଯାଏ ନାହିଁ । ମାଡ଼ ହୁଏତ ଭୁଲି ହୋଇଯାଇପାରେ ମାତ୍ର କଥାର ଯନ୍ତ୍ରଣା କେତେ ବେଶି ସତେ !
ନିଜ ପାଟି ଉପରେ ନିୟନ୍ତ୍ରଣ ରଖିବା ଶିକ୍ଷିତ ମଣିଷର ପ୍ରଥମ ଦାୟିତ୍ୱ । ଆମେ ଯଦି ଜଣକୁ ଭଲ କଥା ପଦେ ନକହିବା ତେବେ ଅନ୍ୟଠାରୁ ଶ୍ରଦ୍ଧା ବା ସମ୍ମାନ ଆଶା କରିବା କେମିତି? ଆଜି ଅନେକ ବ୍ୟକ୍ତି କଥା କହିବା ନାଁରେ ଚିକ୍ରାର କରନ୍ତି ଓ ସମସ୍ତଙ୍କଠାରୁ ଆପଣାପଣ ଆଶା କରି ବିଫଳ ହୁଅନ୍ତି । କଥାରେ ଅଛି ପରା ‘କହି ପୋଛି ଜାଣେ ଯିଏ, ପଚା ଚିଙ୍ଗୁଡି ବିକେ ସିଏ’ ଅର୍ଥାତ୍ ଭଲ କଥା କହି ଆମେ ଖରାପ ଜିନିଷ ବି ସହଜରେ ବିକ୍ରି କରିଦେଇପାରୁ । ଆମର ଢଗଢମାଳିରେ ବଚନ ମଧୁର ତିଳକ ସରୁ, କଥା ଚାନ୍ଦିଆ, କଥାରେ ବାଟୁଳି ନ ବାଜିବା, କଥାର ଖଇ ଫୁଟିବା, ଏଇ କଥାକୁ ନାଆ ପେଲିଦେଲି କଲିକତାକୁ, କଥାର ଲଥା, କୁହାଳିଆ, କୁହନ୍ତି ଯେଡେ ନୁହଁନ୍ତି ତେଡେ ଭଳି ଶତାଧିକ ପ୍ରୟୋଗ ରହିଛି ଯାହା କଥାର ଗୁରୁତ୍ୱ ହିଁ ପ୍ରତିପାଦିତ କରିଥାଏ ।
ଥରେ ତୁଣ୍ଡର ଏରୁଣ୍ଡି ଡେଇଁ କଥା ଯଦି ପଦାକୁ ଆସେ ତେବେ ତାକୁ ଆଉ ସମ୍ଭାଳିବା କଷ୍ଟକର । ପଦେ ପଦେ କଥାରେ ଘରଭାଙ୍ଗେ, ମନଭାଙ୍ଗେ, ଅଗଣାରେ ପାଚେରି ଉଠେ । ମୁହଁ ଚାହାଁଚାହିଁ ବନ୍ଦ ହୋଇଯାଏ । ନିଜ ପାଟି ଓ ତହିଁରୁ ବାହାରୁଥିବା କଥା ବାଟ ଭୁଲିଲେ ଜୀବନସାରା ସେ ଦୋଷ କାଟି ସ୍ୱାଭାବିକ ହେବା କଷ୍ଟକର ହୁଏ ।
ଆମେ ଭୁଲ୍ କଲେ ଜିଭ କାମୁଡି ପକାଉ । ପାଟିରେ ଆଙ୍ଗୁଠି ଦେଇ ନିରବ ରହିବାକୁ ଛାତ୍ରଛାତ୍ରୀଙ୍କୁ ନିଦେ୍ର୍ଦଶ ଦେଉ । ନୂଆ ତରକାରି ଚାଖିବାକୁ ଜିଭ ବଢ଼ାଇଦେଉ ଚାମଚ ପାଖକୁ । ଅନ୍ୟ କେହି ଆମ ଆଗରେ ଖାଇଲେ ଆମ ପାଟି ନାଳେଇ ଯାଏ । (ବିଶେଷ କରି ଖଟା ଖାଇଲେ) । କେହି ମନ ଚାହୁଁଥିବା ଭଳି କଥା କହିଲେ ଆମ ପାଟିରୁ ବାହାରିଆସେ “ତୋ ତୁଣ୍ଡ ସୁତୁଣ୍ଡ ହେଉ”, “ତୋ ପାଟିରେ ଫୁଲଚନ୍ଦନ ପଡୁ” ଇତ୍ୟାଦି । ସେଥିପାଇଁ ତ ଶୁଭରେ ଘରୁ ବାହାରିଲେ ଆମେ ମଙ୍ଗଳାଷ୍ଟକ ପାଠ କରୁ । ଏହାଦ୍ୱାରା ଆମ କାମ ଭଲରେ ହୋଇଯିବ ବୋଲି ଆଶା କରୁ ।
ପୂର୍ବକାଳରେ ରାଜକନ୍ୟା ରାଜପୁତ୍ରମାନଙ୍କ ତୁଣ୍ଡରୁ ଯାହା ବାହାରୁଥିଲା ତାହା ହୁକୁମ ପାଲଟି ଯାଉଥିଲା । ସେ ହୁକୁମ ମାନିବାକୁ କିଛି ଭୃତ୍ୟ ସଜାଗ ରହୁଥିଲେ । ରାଜକନ୍ୟାକୁ ହସାଇବା କଥାକୁହାଇବା ଭଳି ବ୍ୟାପାରକୁ ନେଇ କେତେ ଲୋକକଥା ରହିଛି । ଦାନ୍ତର ପାରମ୍ପରିକ ବିଶେଷଣ ହେଉଛି ‘କୁନ୍ଦରଦନା’ ବା ‘କୁନ୍ଦଦନ୍ତୀ’ ଅର୍ଥାତ୍ କୁନ୍ଦପୁଷ୍ପ ଭଳି ଶୁଭ୍ର ଦନ୍ତପନ୍ତି ଥିବା ନାୟିକା । ନାୟିକାର ହସ ହେଉଛି କାଶତଣ୍ଡୀ ଫୁଲ ଭଳି ଓ ସେ ହେଉଛି ‘କାଶହାସୀ’ ।
ଓଠର ବିଶେଷଣ ତ ବିମ୍ବୋଷ୍ଠ । ପୁଣି ପ୍ରେମ ନିବେଦନ ଓ ସମ୍ଭାଷଣ କାଳରେ ଓଠର ଗୁରୁତ୍ୱକୁ ଆମ କବିମାନେ ଖୁବ୍ ନଜର କରିଛନ୍ତି । ‘ବିଦଗ୍ଧ ଚିନ୍ତାମଣି’ର ଏକବିଂଶ ଛାନ୍ଦରେ ଚନ୍ଦ୍ରାବଳୀ ସମ୍ଭୋଗ ପ୍ରସଙ୍ଗରେ-
“ମୋହନରାୟେ ତା ଜାଣି, ମରିବନ୍ଧୁ ଛନ୍ନେ ଭଣି
ମଣ୍ଡିଲେ ଗଣ୍ଡେ ଚୁମ୍ବନ ମତି ପ୍ରସନ୍ନ ୟେ ।”
(ବିଦଗ୍ଧ ଚିନ୍ତାମଣି-ପ୍ରାଚୀ ପ୍ରକାଶନ- ପୃ୬୧)
ଅଠସ୍ତରୀ ଛାନ୍ଦରେ ଶ୍ରୀକୃଷ୍ଣଙ୍କ ଉକ୍ରଣ୍ଠାଭିସାର ବର୍ଣ୍ଣନାରେ ଅଧର ହେଉଛି ବଧୂଲି ଅଧର ।
ବନ୍ଧୁ ବଧୂଲି ଅଧର ମଧୁ ବିନା
ଜୀବଜୀବଧବପୁର ଯା ନା ଯା ନା
ଆଜ ଆଜନମ ସୁଖୀ ଭାବ-ଘେନା
ରହ ରହ ପାଇବୁ ଅବଶ୍ୟ ସିନା ।
(ବିଦଗ୍ଧ ଚିନ୍ତାମଣି ପୃଷ୍ଠା- ୩୨୭)
ଏଭଳି ଶତାଧିକ ବର୍ଣ୍ଣନାରେ ରୀତିସାହିତ୍ୟ ଋଦ୍ଧିମନ୍ତ । ଓଠରେ ଶାଢ଼ି ଚାପିଧରିବା ଲଜ୍ଜାର ଲକ୍ଷଣ । ଓଠ କାମୁଡିବା କିନ୍ତୁ କ୍ରୋଧର ପରିପ୍ରକାଶ ।
ଶ୍ରୀକୃଷ୍ଣଙ୍କ ଓଠରେ ମୁରଲୀର ସ୍ୱନ କେତେ ଆକର୍ଷଣୀୟ ତା’ ଅବା ନଜାଣେ କିଏ? ସେଥିପାଇଁ ତ ଗୋପୀମାନେ ମୁରଲୀକୁ ନିଜର ସପତ୍ନୀ ବୋଲି ମନେ କରନ୍ତି । ସେ ସର୍ବଦା କୃଷ୍ଣଙ୍କ ଓଠ ପାଖରେ ଅଛି, ଯେଉଁ ସ୍ଥାନ ଗୋପୀମାନଙ୍କର ଚିରବା‚ିତ । ବାଳକୃଷ୍ଣ ପାଟିରେ ମାଟି ଭର୍ତ୍ତି କରିବା ଉପାଖ୍ୟାନ ଅବା ନଜାଣେ କିଏ? ଯଶୋଦା ତାଙ୍କ ପାଟିରୁ ମାଟି କାଢ଼ିବାକୁ ଯାଇ ତାଙ୍କ ଅାଁ ଭିତରେ ଚଉଦବ୍ରହ୍ମାଣ୍ଡ ଦେଖି କାକୁସ୍ତ ହୋଇଯାଇଥିଲେ, ବକାସୁରର ପାଟି ଭିତରେ ପଶିଯାଇଥିବା ଗୋପାଳ ବାଳକଙ୍କୁ ଦେଖି କୃଷ୍ଣ ସବାପଛରେ ତା’ ପାଟି ଭିତରେ ପଶିଥିଲେ ଓ ତା’ କଣ୍ଠ ପାଖରେ ବିରାଟ ରୂପ ଧାରଣ କରି ତା’ ପାଟି ଚିରି ଦେଇଥିଲେ ।
ଶ୍ରୀଶ୍ରୀ ସପ୍ତଶତୀ ଚଣ୍ଡୀର ଦେବୀ କବଚ ଅଂଶଟି ପ୍ରକୃତ ଅର୍ଥରେ କବଚ । ସେହି କବଚଧାରଣକାରୀ ଦେବୀ ଆଶୀର୍ବାଦରେ ଧନୀ ହୁଏ ଓ ସକଳ ଦୁଃଖ ଅତିକ୍ରମ କରିଯାଏ । ଏହି କବଚରେ-
ନାସିକାୟାଂ ସୁଗନ୍ଧା ଚ ଉତ୍ତରୋଷ୍ଠେ ଚ ଚର୍ଚ୍ଚିକା
ଅଧରେ ଅମୃତାବଳା ଜିହ୍ୱାୟାଞ୍ଚ ସରସ୍ୱତୀ
ଦନ୍ତାନ୍ ରକ୍ଷତୁ କୌମାରୀ କଣ୍ଠଦେଶେ ତୁ ଚଣ୍ଡିକା
ଘଣ୍ଟିକାଂ ଚିତ୍ରଘଣ୍ଟା ଚ ମହାମାୟା ଚ ତାଳୁକେ ।
(ଶ୍ରୀଶ୍ରୀଚଣ୍ଡୀ- ପୃଷ୍ଠା-୬୪)
ଏହାର ଅର୍ଥ ଖୁବ୍ ସହଜ । ଦେବୀ ସୁଗନ୍ଦା ଭାବରେ ଆମର ନାସିକାକୁ ରକ୍ଷା କରନ୍ତୁ । ଉପର ଓଠକୁ ଚର୍ଚ୍ଚିକା, ତଳ ଓଠକୁ ଅମୃତାବାଳା ଓ ଜିହ୍ୱାକୁ ସରସ୍ୱତୀ ରକ୍ଷା କରନ୍ତୁ । ଦନ୍ତକୁ କୌମାରୀ, କଣ୍ଠକୁ ଚଣ୍ଡିକା, ଘଣ୍ଟିକାକୁ ଚିତ୍ରଘଣ୍ଟା ଓ ତାଳୁକାକୁ ମହାମାୟା ସୁରକ୍ଷା ପ୍ରଦାନ କରନ୍ତୁ । ଶରୀରର ପ୍ରତ୍ୟେକ ଅଂଶକୁ ଦେବୀ ଯଦି ସୁରକ୍ଷିତ ରଖିବେ ତେବେ ବ୍ୟକ୍ତିର ତେଜ, ସମ୍ମାନ, ଯଶ ଓ କୀର୍ତ୍ତି ପରିବର୍ଦ୍ଧିତ ହେବ ।
ଏହି କ୍ଷୁଦ୍ର ଆଲେଖ୍ୟରେ ସିନା ଆମେ କେବଳ ପାଟି, ଦାନ୍ତ, ଜିଭ ଓ ଓଷ୍ଠର ଆଲୋଚନା କଲେ ଆମ ପରମ୍ପରାରେ ତାଳୁକା ଓ ଘଣ୍ଟିକାକୁ ମଧ୍ୟ ଦେବୀ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ ବୋଲି ପ୍ରାର୍ଥନା କରାଯାଇଛି । ସେହି ଶ୍ରୀଶ୍ରୀଚଣ୍ଡୀରେ ମହାକାଳୀଙ୍କର ଅନ୍ୟନାମ ଲୋଳଜିହ୍ୱା, ବଗଳାମୁଖୀଙ୍କୁ ଶତ୍ରୁ ଜିହ୍ୱାଧାରଣ କାରିଣୀ ଭାବରେ ପ୍ରାର୍ଥନା କରାଯାଇଚି ।
‘ପଞ୍ଚତନ୍ତ୍ର’ର ‘ସସେମରା କଥା’ରେ ଭାଲୁ ମନୁଷ୍ୟ ପ୍ରତି ବିଶ୍ୱସ୍ତ ରହିଥିବା ସମୟରେ ମନୁଷ୍ୟ ଅବିଶ୍ୱସ୍ତ ହୋଇ ତାକୁ ଗଛରୁ ତଳକୁ ଠେଲି ଦେଇଥିଲା । କ୍ରୋଧପ୍ରକାଶ କରି ଭାଲୁ ନିଜ ନଖରେ ମନୁଷ୍ୟ ଜିଭରେ ‘ସସେମିରା’ ଲେଖି ଦେଇଥିଲା, ଯାହା ଯୁଗ ଯୁଗ ଧରି ମଣିଷର ଅବିବେକିତା ଓ ସ୍ୱାର୍ଥପରତାର କଥା କହିଥାଏ ।
ଶ୍ରୀମଦ୍ଭଗବଦ୍ ଗୀତା ୧୧ଶ ଅଧ୍ୟାୟରେ ବିଶ୍ୱରୂପଦର୍ଶନ କାଳରେ ପ୍ରଭୁଙ୍କର କରାଳଦ୍ରଂଷ୍ଟର ବର୍ଣ୍ଣନା ରହିଛି ଯେଉଁ ଦାବାନଳ ସଦୃଶ ମୁଖ ଭିତରକୁ ସମସ୍ତ ଯୋଦ୍ଧା ପ୍ରବେଶ କରୁଛନ୍ତି, ସେହି ଜ୍ୱଳନ୍ତ ମୁଖ ଦ୍ୱାରା ପରମପୁରୁଷ ସମଗ୍ର ଜଗତକୁ ଗ୍ରାସ କରି ବାରମ୍ବାର ଲେହନ କରୁଥିବା ଭଳି ପ୍ରତୀୟମାନ ହେଉଛି । ଏହି ଯେଉଁ ବର୍ଣ୍ଣନା ତହିଁରୁ ବିରାଟପୁରୁଷଙ୍କ ଭୟଙ୍କର ରୂପର ପ୍ରତୀତ ହୋଇଥାଏ ଯାହା ଦେଖି ସ୍ତମ୍ଭୀଭୂତ ଅର୍ଜୁନ ନିଜର ଅସ୍ମିତା ଭୁଲି ଯାଇଛନ୍ତି ।
ପଶୁଜନ୍ତୁଙ୍କର ହାତ ନଥାଏ । ସେମାନଙ୍କର ପାଟିର ଦାୟିତ୍ୱ ଖୁବ୍ ବେଶି । ଏପରିକି କୁକୁର ଭୁକିବା, ବିଲେଇର ମ୍ୟାଉଁ, ଘୋଡ଼ାର ହ୍ରେଷା ପ୍ରଭୃତି ନିର୍ଦ୍ଦିଷ୍ଟ ସମୟକୁ ପ୍ରତୀକିତ କରିଥାଏ । କୁକୁର କାମୁଡେ । ମଣିଷ ବି ବେଳେବେଳେ କଳିଗୋଳ କରି କାମୁଡ଼ା କାମୁଡ଼ି ହୁଅନ୍ତି । ଯେଉଁ ପିଲାଟିକୁ ତା’ ମାଆ ଚୋରି କରିବା ଶିଖାଇଥିଲା ସେ ବନ୍ଧା ହୋଇ ଥାନାକୁ ଗଲାବେଳେ ମାଆ କାନରେ କିଛି କଥା କହିବ ବୋଳି ଡାକି ତା’ କାନ କାମୁଡି ଛିଣ୍ଡାଇ ଦେଇଥିଲା । ଏ ଗପ ଶୁଣି ଆମେ ଭାବୁଥିଲୁ ଭଲ ହୋଇଛି । ଏମିତି ମାଆର କାନ କାମୁଡିବା ଠିକ୍ କଥା ।
ବେଙ୍ଗର ଜିଭ କେମିତି ବାହାରି ଆସେ ଖାଦ୍ୟ ଦେଖି ଆମେ ସବୁ ଦେଖିଛେ । ସାପର ଜିଭ ଦିଫାଳିଆ । ଗାଈ ତା’ର କଅଁଳା ବାଛୁରୀକୁ ଚାଟି ସଫା କରେ । ବିରାଡି କୁକୁର ମଧ୍ୟ ନିଜ ଛୁଆମାନଙ୍କୁ ଜିଭରେ ଚାଟି ନିଜର ବାତ୍ସଲ୍ୟର ପରିପ୍ରକାଶ କରନ୍ତି । ଗାଁ ଗହଳିରେ ଯାହାର ରୋଷେଇ ସ୍ୱାଦିଷ୍ଟ ସେ ବାଘପାଟିରେ ହାତ ଭର୍ତ୍ତି କରିଛନ୍ତି ବୋଲି କୁହାଯାଏ । ବଳଦ ବିକ୍ରି ସମୟରେ ତା’ର ଦାନ୍ତ ଗଣା ହୁଏ । କୁକୁର କାମୁଡିଲେ ଜଳାତଙ୍କ ରୋଗ ହୁଏ । ତେଣୁ କୁକୁର ଦାନ୍ତର କ୍ଷତ ଚିହ୍ନ ଶରୀରରେ ଥିଲେ ଆମେ ଯନ୍ତ୍ରଣାଦାୟକ ଇଂଜେକ୍ସନ ନେଇଥାଉ ।
ସର୍କସ୍ରେ ଜଳହସ୍ତୀର ପାଟି ଭିତରକୁ କେମିତି କଦଳୀ ଫେଣା ସର୍କସର ତରୁଣୀଟି ଫିଙ୍ଗି ଦିଏ ତାହା ଦେଖି ଆମେ ଆଶ୍ଚର୍ଯ୍ୟ ହେଉ ।
ଶିଶୁର ପାକୁଆ ପାଟିର ହସ କି ସ୍ୱର୍ଗୀୟ ତାହା ଉପଲବ୍ଧିର ବିଷୟ । ପ୍ରେମିକାର ହସଟିକେ ଦେଖିବା ପାଇଁ ପ୍ରେମିକ କେତେ ସାଧ୍ୟସାଧନ କରେ ତାହା ସମସ୍ତେ ଜାଣନ୍ତି । ମାତ୍ର ଭୁଲି ଯାଆନ୍ତି ବୟସ୍କ ବାପାମାଆଙ୍କ ମୁହଁରେ ହସ ଦେଖିବାକୁ । ସେମାନଙ୍କ ପାଇଁ କାହାର ସମୟ ନଥାଏ । ଯେଉଁ ବାପାଙ୍କ କାନ୍ଧରେ ବସି ଯାତ୍ରା ଦେଖିଥିଲେ, ସେମାନଙ୍କ ମୁହଁ ଦେଖିବାକୁ ବେଳ ମିଳେନି । ମାଆଙ୍କ କଥା ତ ନ କହିଲେ ଭଲ । ତଥାପି ସେମାନେ ନିଜ ନିଜ ସନ୍ତାନଙ୍କର ମଙ୍ଗଳ ମନାସୁଥାଆନ୍ତି । ସବୁ ଦୁଃଖ ଲୁଚେଇ ଶୁଖିଲା ହସ ହସି ସଂସାରକୁ ସୁଖୀ ବୋଲି ଦେଖାଇ ହେଉଥିବା ବେଳେ ଭିତରେ ଭିତରେ ଦୀର୍ଘଶ୍ୱାସ ପକାଇଥାଆନ୍ତି । ସେମାନଙ୍କ ଭାଗର ହସ କ’ଣ ସରିଯାଇଥାଏ ନା ସେମାନେ ତୁଣ୍ଡ ଖୋଲି ନିଜର ଦାବି ସାବ୍ୟସ୍ତ କରିପାରନ୍ତି ନାହିଁ କେଜାଣି? କିନ୍ତୁ ସାଧାରଣତଃ ଏମିତି ଘଟିଥାଏ । ଯେଉଁ ବାପାମାଆ ବୃଦ୍ଧ ବୟସରେ ହସିପାରନ୍ତି ସେମାନେ ଭାଗ୍ୟବାନ୍ ।
ଲୋକେ ଅଭ୍ୟାସ କରି ଭଲ ଭାଷଣ ଦିଅନ୍ତି । ରାଜନୀତିକ ବ୍ୟକ୍ତିମାନେ ଭଲ କଥା ଦି’ପଦ କହି ଲୋକଙ୍କ ବିଶ୍ୱାସ ଜିତିଥାଆନ୍ତି । ଅଭ୍ୟାସ କରି ଜଣେ ଭଲ ଅଭିନେତା ହୋଇପାରେ । ଏମିତି କି ଜଣେ କିଛି ନ କହି ଖାଲି ହସିଦେଲେ ବି ତା ସରଳତା ବୁଝାପଡ଼ିଯାଏ । ସେଥିପାଇଁ ତ କୁହାଯାଏ ‘ୠବମର ସଗ୍ଦ ଗ୍ଧଷର ସଦ୍ଭୟରଙ୍ଘ କ୍ଟଲ ଜ୍ଞସଦ୍ଭୟ’ ଏବେ ଅବଶ୍ୟ ଜଟିଳ ଜୀବନଯାତ୍ରା ଭିତରେ ହସ କେବେ କେମିତି ବିଷଯୁକ୍ତ ହୋଇଯାଉଛି । ତେବେ ସେ କଥା ଛାଡ଼ ।
ମହାପୁରୁଷମାନଙ୍କ କଥା ‘ବାଣୀ’ରେ ରୂପାନ୍ତରିତ ହୋଇ ଚିରନ୍ତନ ପାଲଟିଯାଏ । ନେତୃବର୍ଗଙ୍କ କଥା ଖବରକାଗଜର ଶୀର୍ଷକ ପାଲଟେ । କିନ୍ତୁ ସାଧାରଣ ମଣିଷର କଥା ଅଶୁଣା ରହିଯାଏ । ବିଜ୍ଞାନ କହେ ମନୁଷ୍ୟ ମର୍କଟର ପରବର୍ତ୍ତୀ ସଂସ୍କରଣ । ମାତ୍ର ଆମ ପରମ୍ପରାରେ ଈଶ୍ୱର ମଣିଷକୁ ଗଢ଼ିବା ବେଳେ ସମସ୍ତଙ୍କୁ ସମାନ ଅକଲ ଦେଇଛନ୍ତି । ଯଦିଚ ପ୍ରତ୍ୟେକ ମନୁଷ୍ୟର ଛାଞ୍ଚ ସମାନ ପ୍ରତ୍ୟେକ ଚେହେରା ପରସ୍ପରଠାରୁ ଭିନ୍ନ । ଏହି ଈଶ୍ୱର ଆମକୁ ପାଟି ଦେଇଛନ୍ତି । ପାଟି ପାଇଁ ଅନେକ ଦାୟିତ୍ୱ ଦେଇଛନ୍ତି । ସେ ଦାୟିତ୍ୱରୁ ଓହରି ବେଳେବେଳେ ଆମେ ଈଶ୍ୱରଦତ୍ତ ଦାନର ଅପପ୍ରୟୋଗ କରୁଛୁ । ତେଣୁ ପାଟି ପାଇଁ କଷ୍ଟ ବି ଭୋଗୁଛୁ । ଭାଗ୍ୟ କହି ଅନ୍ୟକୁ ବୁଝାଇବା ବେଳେ ମଧ୍ୟ ନିଜେ ଉପଲବ୍ଧି କରୁଛୁ ଯେ ପାଟିକୁ ଲଗାମ ଦେବା ଉଚିତ୍ ଥିଲା ।
ଏବେ ଏ ପାଟି ଆଉ ହସର ବିଚାର ଏଇଠି ରଖିବା । ଈଶ୍ୱର ଆମକୁ ଏତେ ଅମୂଲ୍ୟ ଅଙ୍ଗପ୍ରତ୍ୟଙ୍ଗ ଦେଇଛନ୍ତି ଯାହା ଆମେ କଳନା କରିପାରିବା ନାହିଁ । ପୁଣି ଏକମାତ୍ର ପାଟି ଆମର । ଯଦି ଆଉ ଅଧିକ ଥାଆନ୍ତା ତା’ହେଲେ ହୁଏତ ଗୋଟିଏ ପାଟିରେ ଭଲ ଓ ଆରପାଟିରେ ମନ୍ଦ କଥା କହିଲେ ଚଳନ୍ତା । ତେଣୁ ଚାଲନ୍ତୁ । ପାଟି, ଜିଭ ଓ ଦାନ୍ତର ସଦ୍ଉପଯୋଗ କରିବା । ନିଜେ ହସି ଅନ୍ୟକୁ ହସାଇବାର ସାଧନା କରିବା ।