ହିନ୍ଦୀରେ ଗୋଟେ ଢଗ ଅଛି: ଘର୍କା ମୁର୍ଗୀ ଦାଲ୍ ବରାବର । ଏହାର ଓଡ଼ିଆ ଭାବାର୍ଥ ହେଲା: ଗାଁ କନିଆ ଶିଙ୍ଘାଣିନାକୀ । ଘର ପାଖ ମଣିଷ ଆଉ ହାତ ପାଆନ୍ତା ଜିନିଷକୁ କେହି ସେତେଟା ଭାଉ ଦିଅନ୍ତିନି । ଦୂର ପର୍ବତ ସବୁବେଳେ ସୁନ୍ଦର ।
ହେଲେ ଆଜି ଏଠି ମୁଁ ଏ ଢଗର ଅନ୍ତର୍ନିହିତ ଅର୍ଥ ଆଡକୁ ଯାଉନି । ମୁଁ ଯିବି ହିନ୍ଦୀ ଢଗଟିର ଆକ୍ଷରିକ ଅର୍ଥ ଆଡକୁ । ଘର୍କା ମୁର୍ଗୀ ଦାଲ୍ ବରାବର କଥାଟିର ଆକ୍ଷରିକ ଓଡ଼ିଆ ମାନେ ହେଲା: ଘରର କୁକୁଡ଼ା ଡାଲି ଭଳିଆ । ଆଉ ଟିକେ ଫେଣେଇ ଦେଖିଲେ ଅର୍ଥ ହେଲା : କୁକୁଡ଼ା ହେଲା ଦାମୀ ମହାର୍ଘ୍ୟ ଖାଦ୍ୟ । ଡାଲି ହେଲା ନିହାତି ସାଧାରଣ । ହେଲେ ଯେଉଁ ଘରେ କୁକୁଡ଼ା ରହିଛି, ତାକୁ ଲୋକେ ସେତେଟା ମାନ୍ୟତା ଦିଅନ୍ତିନି । ଘରର ସାଧାରଣ ଖାଦ୍ୟ ଡାଲି ଭଳି ମନେ କରନ୍ତି ।
ହେଲେ ଏବକୁ ଅବସ୍ତା ଯାହା ହେଲାଣି, ହିନ୍ଦୀ ଭାଷାର ଏ ଢଗଟିକୁ ବଦଳାଇବାର ସମୟ ଆସିଗଲାଣି । କାରଣ ଡାଲି ଦର ଏବେ କୁକୁଡ଼ା ଦରଠୁଁ ଅଧିକ ହେଲାଣି । ବଜାରରେ ବ୍ରଏଲର କୁକୁଡ଼ା ମାଂସ କିଲୋ ୧୫୦ । ଡାଲି ହେଲାଣି ୧୬୦ । ଆଗରୁ କେତେବେଳେ କେମିତି ହରଡ଼ ଡାଲି ଦରଟା ଟିକେ ବଢ଼ି ଯାଉଥିଲା ଆମେ ସେତେବେଳେ ତାକୁ ନଖାଇ ଅନ୍ୟ ଡାଲି ଖାଉଥିଲୁ । ଏବେ ଦେଖନ୍ତୁ ମୁଗ, ବିରି, ହରଡ଼, ମସୁର- ସବୁ ଡାଲି ଦର ବଢ଼ିଛି । ତେଣୁ ହିନ୍ଦୀ ଢଗଟି ଏବେ ନୂଆପ୍ରକାରେ ଲେଖାଯିବ: ଘର୍କି ଦାଲ୍ ମୁର୍ଗୀ ବରାବର ।
ଡାଲିର ଏ ଦରବୃଦ୍ଧିରେ ନବଘନର ପୁଅ ଲବକୁମାର ଭଳି କିଛି ଆମିଷ ପ୍ରିୟ ଲୋକ ଭାରି ହ୍ୟାପି । ସେ ତା’ ମା’କୁ କହିଲା, ଦେଖ, ଡାଲି ଦର ଯେତେବେଳେ ଚିକେନ୍ଠୁ ଅଧିକା, ତେବେ ଡାଲି ନଖାଇ ଏବେ ଲୋକ ପ୍ରତିଦିନ କୁକୁଡ଼ା ଝୋଳ ଖାଇବ । ଡାଲିରେ ପ୍ରୋଟିନ୍ ଅଛି, କୁକୁଡ଼ା ମାଂସରେ ବି ପ୍ରୋଟିନ୍ ଅଛି । କଥାଟା ମନ୍ଦ ନୁହେଁ । ହେଲେ ନବଘନ ଘରେ ଘୋର ସମସ୍ୟା । ସେଠି ଗତ କିଛି ମାସ ହେଲା ନବଘନ ନିରାମିଷ ଭକ୍ତ ହୋଇଛି । ତା’ର ନିରାମିଷାଶୀ ହେବାକୁ ନେଇ ବହୁ ଗୁଜବ ବଜାରରେ ଉଡି ବୁଲୁଛି । କିଏ କହୁଛି ତାକୁ ସାରଥୀ ବାବା କିମ୍ବା ସୁର ବାବା କିମ୍ବା ରାଧେ ମା’ କହିଥିଲେ ନିରାମିଷ ଭୋଜନ କରିବାକୁ । କିଏ କହୁଛି ପେଟା- ପ୍ରେମୀ ପାମେଲା ଆଣ୍ଡରସନ୍ଙ୍କ ପ୍ରଭାବରେ ସେ ଆମିଷ ତ୍ୟାଗ କରି ନିରାମିଷାଶୀ ହୋଇଛି । ପେଟା ହେଲା ଗୋଟେ ଆନ୍ତର୍ଜାତିକ ସଂଗଠନ । ଏହାର ପୂରା କଥାଟା ହେଲା : ପିପୁଲ ଫର୍ ଏଥିକାଲ୍ ଟ୍ରିଟ୍ମେଣ୍ଟ୍ ଟୁ ଆନିମଲ୍ । ପଶୁମାନଙ୍କ ପ୍ରତି ସମ୍ବେଦନଶୀଳ ମଣିଷମାନଙ୍କର ସଂଗଠନ ଇଏ । ଆଉ ପାମେଲା ଆଣ୍ଡରସନ୍ ହେଲେ ଅଷ୍ଟ୍ରେଲୀୟ ଅଭିନେତ୍ରୀ । ସେ ଏ ସଂଗଠନର ଜଣେ ସକ୍ରିୟ ସମର୍ଥକ । ପାମେଲାଙ୍କ ବିଷୟରେ ବାକି କଥା ଜାଣିବା ପାଇଁ ଆପଣ ଗୁଗଲ୍ର ସହାୟତା ନେଇ ପାରନ୍ତି । ଏ ସ୍ତମ୍ଭରେ ମୁଁ ଏତେ କଥା କହିପାରିବି ନାହିଁ । ତ ନବଘନର ପ୍ରଶ୍ନ ହେଲା : ନିରାମିଷ ଲୋକମାନେ କୁଆଡ଼େ ଯିବେ? ସେମାନେ କ’ଣ ଖାଇବେ? ନିରାମିଷ ଲୋକମାନଙ୍କ ପାଇଁ ଡାଲି ହେଲା ମୁଖ୍ୟ ଖାଦ୍ୟ । ଭାତ ସହିତ ଡାଲି । ରୁଟି ସହିତ ଡାଲି । ଅଥବା ଡାଲିରେ ପରିବା ପକେଇ ଡାଲମା । ଡାଲି ଦର ବଢ଼ିଲେ ସେମାନେ ଖାଇବେ କ’ଣ? ଆଚ୍ଛା, ଡାଲି ଦର ବଢ଼ିବାରୁ ନବଘନ ଘରେ ନବଘନଙ୍କ ପତ୍ନୀ ରଙ୍ଗବତୀଙ୍କୁ ଭାରି ସୁବିଧା ହୋଇଛି । ତାଙ୍କୁ ଆଉ ଅଲଗା ଅଲଗା ଡାଲି ତରକାରି କରିବାକୁ ପଡୁନି । ସେ ସକାଳେ ଭାତ ସହିତ କଡେଇ ଭର୍ତ୍ତି କରି ଆଳୁ ତରକାରି କରି ଦଉଛନ୍ତି । ସେଥିରେ ଦି’ଟା ଭଜା ଫୁଲକୋବି ପକେଇଲେ ତାହା କୋବି ତରକାରି ହେଉଛି । ଦି’ଖଣ୍ଡ ପନୀର ପକେଇଲେ ତାହା ପନୀର ତରକାରି ହେଉଛି । ନବଘନ ତାକୁ ଖାଉଛି । ପୁତ୍ର ଲବକୁମାର ପାଇଁ ସେଥିରୁ କିଛି ବାହାର କରି ସେଥିରେ ଅଣ୍ଡା ସିଝା ପକେଇ ଅଣ୍ଡା ତରକାରି ହେଉଛି । ସେ ତାକୁ ଖାଉଛି । ରଙ୍ଗବତୀଙ୍କ ଯେତେବେଳେ ଇଚ୍ଛା ହେଉଛି ନିରାମିଷ ଆଳୁ ତରକାରି ଖାଉଛନ୍ତି, ଯେତେବେଳେ ଇଚ୍ଛା ହେଉଛି ଆମିଷ ଅଣ୍ଡା ଆଳୁ ତରକାରି ଖାଉଛନ୍ତି ।
ଆଚ୍ଛା, ଯାହା ଘରେ ଭାତ ସହିତ ଡାଲି କି ଡାଲମା ହେଉଛି ଲୋକେ ତାକୁ ଧନୀ ଭାବରେ ଗଣିଲେଣି । ଅମୁକ ଏତେ ବଡ଼ଲୋକ ହୋଇଗଲାଣି । ପ୍ରତିଦିନ ଭାତ ସହିତ ଡାଲମା ଖାଉଛି । ବିଡମ୍ବନା ଦେଖନ୍ତୁ ଆଗରୁ ଯିଏ ଡାଲମା ଖାଉଥିଲା, ଲୋକେ ତାକୁ ଗରିବରେ ଗଣୁଥିଲେ । ଏବେ ସେ ବଡ଼ଲୋକରେ ଗଣା ହେଲାଣି । କୁକୁଡ଼ା ମାଂସ ଆଗରୁ ଗୋଟେ ମହାର୍ଘ୍ୟ ଖାଦ୍ୟରେ ଗଣା ହେଉଥିଲା, ଏବେ ଅତି ସାଧାରଣ ହୋଇଗଲାଣି । ଏତେ ସାଧାରଣ ଯେ ବାହାଘର ଭୋଜିରେ କୁକୁଡ଼ା, ଲୋକେ ସାଇପଡ଼ିଶା କହୁଛନ୍ତି: ଅମକ ବାବୁ କ’ଣ ଏତେ ଗରିବ/କୃପଣ ହୋଇଗଲେ, ବାହାଘର ଭୋଜିରେ କୁକୁଡ଼ା କରୁଛନ୍ତି!
ଡାଲିର ଦର ବୃଦ୍ଧି ଯଦି ଏମିତି ଜାରି ରହିବ ଯେତେବେଳେ ବାହାଘରେ ଡାଲିକୁ ଏକ ମହାର୍ଘ୍ୟ ଖାଦ୍ୟ ଭାବେ ବିବେଚନା କରାଯିବ । ଡାଲି ଡେକ୍ଚି ପାଖରେ ମୁରବି ସ୍ଥାନୀୟ କେହି ଠିଆ ହୋଇ କହୁଥିବେ, ଆଉ ଦି’ ଚାମଚ ନଉନାହାନ୍ତି ଆଜ୍ଞା, ଆରେ ମହାପାତ୍ର ବାବୁଙ୍କୁ ଆଉ ଟିକେ ଦେ । ଯେଉଁ ବାହାଘର/ବ୍ରତଘର ଭୋଜିରେ ଡାଲି ହୋଇଥିବ- ସେ ଘର ଲୋକ ଗର୍ବରେ ଷଣ୍ଢା ଟେକି ଚାଲିବେ । ସାହି ଲୋକେ ସେମାନଙ୍କୁ ଧନ୍ୟ ଧନ୍ୟ କହିବେ । ମାସେ ଯାଏଁ ଆଲୋଚନା ହେବ: ଅମକ ବାବୁଙ୍କ ଦିଲ୍ ଅଛି । ଝିଅ ବାହାଘରେ ଡାଲି କରିଥିଲେ ।