ଅନସୂୟା ଫାଟକ ଖୋଲୁଖୋଲୁ ଦେଖିଲା, ଛାତର ସବୁତକ ପାଣି ସିଧା କ୍ରୋଟନ ଗଛ ଉପରେ ପଡ଼ି ଫୁଲକୁଣ୍ଡର ମାଟି ବାରଣ୍ଡାସାରା ଚାରିଆଡ଼କୁ ପିଚିକି ପଡ଼ିଛି । ପାଖରେ ଥିବା ଅନ୍ୟ କୁଣ୍ଡମାନଙ୍କର ଅବସ୍ଥା ମଧ୍ୟ ତଦ୍ରୁପ । ଲାଗୁଥିଲା ସତେ ଯେମିତି ବର୍ଷାଦିନେ ରାସ୍ତାରେ ଯାଉଥିବା କେଜିପିଲାଙ୍କ ଧୋବ ଫରଫର ଡ୍ରେସ୍ ଉପରେ କେଉଁ ଏକ ଅଜଣା ମାଲ ବୋଝେଇ ଟ୍ରକ୍ ନାଲି ରଙ୍ଗର କାଦୁଅ ମିଶା ଛିଟିକା ପକେଇ ପଳେଇ ଯାଇଛି । କବାଟରେ ତାଲା ଝୁଲୁଛି ଏବଂ କବାଟକୁ ଲାଗି ଦୁଇଟା କାଠୁଆବେଙ୍ଗ ଝିପିଝିପି ବର୍ଷାକୁ ଉପଭୋଗ କରୁଛନ୍ତି । ଅନସୂୟା ନିଶ୍ଚିନ୍ତ ହୋଇଗଲା ଯେ ଅରବିନ୍ଦ ଏଯାଏ ଫେରିନାହାନ୍ତି । ମନେ ମନେ ଭାବିଲା- “ଏକପ୍ରକାର ଭଲ ହୋଇଛି ।” ଯଦି ସେ ଗାଡ଼ିରୁ ଓହ୍ଲାଇଲା ବେଳେ ଦେଖିଥାଆନ୍ତେ ଏବଂ ପ୍ରଶ୍ନଟିଏ ପଚାରିଥାଆନ୍ତେ ‘ଯାହା ଗାଡ଼ିରେ ଆସିଲ ସେ କିଏ?’କ’ଣ କହିଥାନ୍ତା ‘ସେ ଜଣେ ଭଦ୍ରଲୋକ । ଏଇ କେତେଦିନ ହେଲା ଅଫିସ୍ ଯିବା ଆସିବା ବାଟରେ ଦେଖା ସାକ୍ଷାତ କିମ୍ବା ଲୋକଟିକୁ ସେ ବିଲ୍କୁଲ୍ ଚିହ୍ନିନି କିମ୍ବା ମିଛ କହିଥାଆନ୍ତା କି?’ ମୋର ଜଣେ ମଉସାଙ୍କ ପୁଅ ଅଥବା ଆମ ଗାଁର ନରି କକେଇଙ୍କ ସବା ସାନପୁଅ ଜ୍ୟୋତି । ଏଇ ରାଜଧାନୀରେ ଚାକିରି କରୁଛି । ଆମ ଅଫିସ୍କୁ ଆସିଥିଲା- ହଠାତ୍ ଦେଖା ହୋଇଗଲା । ହେଲେ ଅରବିନ୍ଦ ଯଦି ପଚାରି ଦିଅନ୍ତା ଘରକୁ ଡାକିଲନି କାହିଁକି?’ ଏ ବର୍ଷାରେ ତାକୁ ଯିବାକୁ ଦେଲ କାହିଁକି । ଅଥବା କେବେ ଯଦି ଏଇ ବାଟେ ଯାଉ ଯାଉ ଦେଖା ହୋଇଯାଏ ଏବଂ ସତକୁ ସତ ଯଦି ଅରବିନ୍ଦ ପଚାରି ଦିଏ? ତେବେ ଯେଉଁ ବିଶ୍ୱାସ ଟିକକ ନେଇ ସେ ଘର କରିଛି ନିମିଷକେ ପାଣି ଫୋଟକା ପରି ମିଳେଇ ଯିବ । ତେବେ ଏଭଳି ଯେତେସବୁ ଉତ୍ତର ଅରବିନ୍ଦଙ୍କ ପ୍ରଶ୍ନ ପାଇଁ ଯଥେଷ୍ଟ ନୁହେଁ ଏହା ତା’ର ହୃଦ୍ବୋଧ ହେଉଥିଲା । ଯଦିଓ ତା’ର ପୂର୍ଣ୍ଣ ବିଶ୍ୱାସ ଅଛି । ଅରବିନ୍ଦ କେବେ ସନେ୍ଦହ କରିବେନି ତଥାପି ପୁରୁଷର ମନ ଲଗାମ ବିହୀନ ଘୋଡ଼ା ପରି । କିଏ ଜାଣେ, କେତେବେଳେ ଯେ ଅରବିନ୍ଦ ଶବ୍ଦବାଣରେ ଜର୍ଜରିତ ନ କରିଦେବ? କହିହେବନି ।
ଅରବିନ୍ଦ ଠିକ୍ ସମୟରେ ନ ଆସିବାର କାରଣ ବୋଧହୁଏ ବର୍ଷା । ହେଲେ ଅଫିସ୍ରୁ କାର୍ରେ ଆସିବାକୁ ସେମିତି କିଛି ଅସୁବିଧା ନଥାଇ ବି ଅରବିନ୍ଦଙ୍କର ଏ ବ୍ୟତିକ୍ରମ କାହିଁକି? କାରଣ ପ୍ରତ୍ୟହ ସେ ସଅଳ ଅଫିସ୍ ଯାଆନ୍ତି ଓ ସଅଳ ଫେରନ୍ତି । ଅରବିନ୍ଦ ସହରଠାରୁ ମାତ୍ର ଦଶ ମାଇଲ ଦୂରରେ ଏକ କମ୍ପାନୀରେ ଚାକିରି କରନ୍ତି । ପୂର୍ବରୁ ଦୁଇଜଣଙ୍କର ପରିଚୟ ଥିଲା ଏବଂ କଥାଟା ଫିଟେଇ କହିଲେ ୟା’ ଭିତରେ ପ୍ରାୟ ଛଅମାସ ହେବ ଦୁହିଁଙ୍କର ପ୍ରେମ ବିବାହ ହୋଇଯାଇଛି । ଅରବିନ୍ଦଙ୍କର ଏଇ କମ୍ପାନୀ କ୍ୱାର୍ଟର୍ସ ଅନେକ ବର୍ଷରୁ ମରାମତି ହୋଇନପାରି ଜରାଜୀର୍ଣ୍ଣ ଦିଶୁଛି । ତଥାପି ଅନୁ ଆସିବା ପରେ ଘର ଭିତର ସବୁ ରଙ୍ଗ ହୋଇଛି ବୋଲି ରହିବା ସମ୍ଭବ ହେଉଛି । ନହେଲେ ଆଜିକାଲି ଘରଭଡ଼ା ମିଳିବା ଯେମିତି କଷ୍ଟ ସେମିତି କଷ୍ଟ ଘର ମାଲିକମାନଙ୍କର ବ୍ୟବହାର । ଅନ୍ତତଃ ସେଥିରୁ ରକ୍ଷା ।
ଅନସୂୟା ପାଖରେ ଥିବା ଡବଲ ଚାବିରେ ତାଲାଖୋଲି ଘର ଭିତରକୁ ପାଦ ଦେଉ ଦେଉ ହି୍ରତିକ୍ ରୋଶନର ଫିଲ୍ମ ଗୀତ ‘ଆପ୍ ମୁଝେ ଆଚ୍ଛେ ଲଗ୍ନେ ଲଗେ’ର ଗୀତକୁ ଗୁଣୁ ଗୁଣେଇବାକୁ ତାକୁ ଭଲ ଲାଗିଲା । ଏବେ ଏବେ ବିଉଟି ପାର୍ଲରରେ ହେୟାର ସାଇଜ୍ କରିଥିବା ଅନସୂୟା ଯତ୍ନରେ ଠପ୍ ଠପ୍ ବୋହୁଥିବା ପାଣିକୁ ପୋଛିନେଲା ଓ ଶାଢ଼ି ବଦଳେଇ ଓଦା ଶାଢ଼ିକୁ ମଶାରି ବାଡ଼ରେ ପକେଇ ଦେଲା । ତା’ର କାହିଁକି ମନେ ହେଲା ଶାଢ଼ି ସାରା ଖାଲି ବିବେକ ବିବେକ ବାସ୍ନା ହେଉଛି । ଇଚ୍ଛା ହେଉଥିଲା ଏଇ ବେଳେ କେହି ଜଣେ କପେ ଗରମ ଚା’ କରି ଦିଅନ୍ତାନି । ହେଲେ ସବୁ ଭାବ ଭାବନାକୁ ପଛରେ ପକେଇ ନିଜେ ରୋଷେଇ ଘରକୁ ଗଲା ଓ ସସ୍ପେନ ବସେଇ ଚା’ କଲା । ସେ ପର୍ଯ୍ୟନ୍ତ ତାକୁ କାହିଁକି ଖୁସି ଖୁସି ଲାଗୁଥିଲା । କୌଣସି ଏକ ଭାବନାରେ ହଜିଯାଉଥିଲା, ସେ ନିଜେ ବୁଝି ପାରୁନଥିଲା । ଅଥଚ ସେ ଅନୁଭବ କରୁଥିଲା ତା’ ନିଜ ଭିତରେ କ’ଣ ଗୋଟାଏ ହୋଇଯାଉଛି । ଯେମିତି ଛୋଟ ଝରଣାଟିଏ କୁଳୁକୁଳୁ ଗୀତ ଗାଇ ଧାଇଁଛି ଆଗକୁ । ହଠାତ୍ ତା’ ଦେହରେ ଏତେ ଶିହରଣ କାହିଁକି? କାହିଁକି ମନରେ ଅଫୁରନ୍ତ ଆନନ୍ଦ, ଏତେ ଖୁସି ଭରି ଯାଇଛି ସେ ଜାଣିପାରୁନି, ଚା’ କପ୍ଟା ଅଧା ହେଲା ବେଳକୁ ଅରବିନ୍ଦଙ୍କ କାର୍ ହର୍ଣ୍ଣ ଶୁଭିଲା । ଅରବିନ୍ଦ ବ୍ରିଫ୍କେଶ୍ଟା ରଖିଦେଇ କହିଲେ, “ଅଦିନିଆ ଝଡ଼ ତୋଫାନ୍, ବର୍ଷା ସବୁ କାମ ବାତିଲ କରିଦେଲା ।”
ଆରେ ହଁ, ତୁମେ କେମିତି ଆସିଲ? ଅଟୋ କିମ୍ବା ଟାଉନ୍ ବସ୍ ମିଳିଗଲା ତ? ଅନସୂୟା କହିଲା ‘ହଁ’ । ସସପେନ୍ରେ ବଳକାଥିବା ଆଉ କପେ ଚା’ ପୁଣି ଧରେଇ ଦେଲା ଅରବିନ୍ଦଙ୍କୁ । ଅରବିନ୍ଦ ଚୁପ୍ଚାପ୍ ଚା’ ପିଇବାରେ ଲାଗିଲେ ।
ଏଇବେଳେ ଅନୁର କାହିଁକି ମନେହେଲା ଇଏ ଅରବିନ୍ଦ ନା ବିବେକ? କେଜାଣି କାହିଁକି ଅରବିନ୍ଦ ହିଁ ତାକୁ ବିବେକ ବିବେକ ମନେହେଲା । ଅନୁ ବୁଝିପାରୁନଥିଲା କାହିଁକି ସେ ଏମିତି ଆନମନା ହୋଇପଡୁଛି । ଝିପ୍ଝିପ୍ ବର୍ଷାରେ ମାତ୍ର ତିନିକିଲୋମିଟର ରାସ୍ତା ଜଣେ ଭଦ୍ରଲୋକଙ୍କ ଗାଡ଼ି ପଛରେ ଚାଲି ଆସିବାରେ କ’ଣ ବା ନୂତନତା ଅଛି? ରାସ୍ତା ସାରା ଚୁପ୍ଚାପ୍ । କ’ଣ ବା କଥା ଥିଲା ଯେ କଥା ହୋଇଥାଆନ୍ତା । ଅବଶ୍ୟ ଆଗରୁ ଭଦ୍ରଲୋକଙ୍କୁ ଅଫିସ୍ ଯିବା ବାଟରେ ଅନେକଥର ଦେଖିଥିଲେ ହେଁ କେବେ କଥା ହୋଇନି ଅନୁ । ସେ କାମ କରୁଥିବା ଅଫିସ୍ ବାଟଦେଇ ସେ କେଉଁ ଅଫିସ୍କୁ ଯାଆନ୍ତା, ସେକଥା ବି ସେ ଜାଣେନା । ଲୋକଟି ସମ୍ପର୍କରେ ବିଲ୍କୁଲ୍ କିଛି ନ ଜାଣି ସେ କେମିତି ଆସିବାକୁ ରାଜି ହୋଇଗଲା, ଏବେ ଭାବିବାବେଳକୁ ଆଶ୍ଚର୍ଯ୍ୟ ଲାଗୁଛି, ସେତେବେଳେ ସେ କିଛି ଭାବିନଥିଲା ଯେତେବେଳେ ବର୍ଷା, ଝଡ଼ ତୋଫାନ ସମ୍ପୂର୍ଣ୍ଣ ଛାଡ଼ି ନଥିଲେ ହେଁ ଅଫିସ୍ ବାରଣ୍ଡା ଆସ୍ତେ ଆସ୍ତେ ଖାଲି ହୋଇ ଆସୁଥିଲା ଓ ଅଦିନିଆ ବର୍ଷା ଝଡ଼ ତୋଫାନ ଯୋଗୁଁ ଟାଉନ୍ ବସ୍ କିମ୍ବା ଅଟୋ କେହି ବି ରାସ୍ତାରେ ଦେଖାଯାଉନଥିଲେ । ଅନୁ କେମିତି ଫେରିବ ବୋଲି ଚିନ୍ତାରେ ଥିଲା ଓ ମନେକରି ଥିଲା ଅରବିନ୍ଦ ନିଶ୍ଚୟ ଆସି ତାକୁ ନେଇଯିବ । ଝଡ଼ତୋଫାନ ଯୋଗୁଁ ଇଲେକ୍ଟ୍ରି ନାହିଁ । ଆସ୍ତେ ଆସ୍ତେ ମେଘୁଆ ଅନ୍ଧାର କୋଳେଇ ନେଉଛି ସାରା ସହରକୁ । ଅଥଚ ଅରବିନ୍ଦର ଦେଖାନାହିଁ । କ’ଣ କରିବ? କେମିତି ଫେରିବ ଭାବୁ ଭାବୁ ଅନ୍ୟମନସ୍କ ହୋଇପଡ଼ିଲା । ବାରମ୍ବାର ରାସ୍ତାକୁ ଚାହୁଁଥିଲା । ହୁଏତ ଅରବିନ୍ଦ ଆସିବ । ଠିକ୍ ସେଇ ମୁହୂର୍ତ୍ତରେ କାହାର ଗାଡ଼ି ତା’ ସାମ୍ନାରେ ବ୍ରେକ୍ ଦେଲା । କଟନ୍ ଜିନ୍ ସାଙ୍ଗକୁ ଆକାଶ ରଙ୍ଗର ସାର୍ଟ, କ୍ଲିନ୍ ସେଭ ଓ ବ୍ୟାକ୍ ହେୟାର ଷ୍ଟାଇଲ୍ର ଏଇ ଯୁବକଙ୍କୁ ସେ ଅନେକଥର ଦେଖିଛି ଅଫିସ୍ ଯିବା ଓ ଫେରିବା ବାଟରେ । କିନ୍ତୁ ପରିଚୟ ନଥିଲା । ଗାଡ଼ି ରଖି କେମିତି ଗୋଟାଏ ଆତ୍ମୀୟତାର ମୁଦ୍ରିତ ଭଙ୍ଗୀରେ କହିଲେ- “ମ୍ୟାଡମ୍ ଯଦି କିଛି ମନେ କରିବେନି ମୁଁ ଆପଣଙ୍କୁ ଘରେ ଛାଡ଼ି ଦେଇପାରେ କି? ଆପଣ ରହୁଥିବା କ୍ୱାର୍ଟର ପରବର୍ତ୍ତୀ ଲାଇନ୍ରେ ମୁଁ ରହେ ।”
ବିବେକ କହିଲା, ହଁ ଅନୁ! ପରସ୍ପରକୁ ବୁଝିପାରୁଛେ- ଆମ୍ଭ ଦୁହିଁଙ୍କର ସେମିତି କିଛି ଅଭାବ ନାହିଁ । ନିଜ ନିଜ ପରିଧି ଭିତରେ ବେଶ୍ ଖୁସି । ଘରେ ମୋର ସୁନ୍ଦରୀ ସ୍ତ୍ରୀ, ପୁଅ, ନିଜସ୍ୱ ପ୍ରତିଷ୍ଠା ଇତ୍ୟାଦି ପରେ ଆଉ କ’ଣ ଦରକାର ଅଛି ଯେ ଆମେ ଦୁହେଁ ଏତେ ନିକଟରୁ ନିକଟତର ହୋଇଯାଉଛେ!’ ଅନୁ କହିଲା- ‘ଇଏ ଏକ ଅବୁଝା ଅଙ୍କ । ତୁମେ ଜାଣିଛ ବିବେକ- କୋର୍ଟ କଚେରି, ମନ୍ଦିର, ବେଦିର ବିବାହ ବନ୍ଧନ ପରେ ବୋଧହୁଏ ଆଉ ଏକ ବନ୍ଧନର ଆବଶ୍ୟକତା ରହିଛି । ଯାହା ହେଉଛି ମନର ବନ୍ଧନ ।
ଅନୁ ସବୁବେଳେ ଦେଖୁଛି, କିନ୍ତୁ ଏ ପରିସ୍ଥିତିରେ କ’ଣ କହିବ; ହଁ କି ନା କିଛି ନ କହି ବସିପଡ଼ିଲା ଗାଡ଼ି ପଛରେ । ଖୁବ୍ ସତର୍କରେ ଗାଡ଼ି ଚଳାଉଥିଲେ ସେ, ଯେମିତି ଦେହକୁ ଦେହ ବାଜିବନି । ଅଧାବାଟରେ ଆପେ ଆପେ କହିଲେ, ‘ମୋ ନାଁ- ବିବେକ୍ ରାୟ’ । ବାସ୍, ଏଇ ମାତ୍ର ଶବ୍ଦ କେତୋଟିରେ ସରିଗଲା ବାଟ ଓ ଅନୁ ଫାଟକ ପାଖରେ ଓହ୍ଲାଇବା ବେଳକୁ ବିବେକ ଗାଡ଼ିର ଗିଅର ବଦଳେଇ ଚାଲିଗଲେ ଆଗକୁ । ଭଦ୍ରାମି ଦୃଷ୍ଟିରୁ ଧନ୍ୟବାଦଟିଏ ନା ଦେଇପାରିଲା ନା ଘରକୁ ନିମନ୍ତ୍ରଣ କରିପାରିଲା । ନିହାତି ଅଭଦ୍ରାମି । ମନକୁ ମନ ପସ୍ତେଇ ହେଲା ନିଜ ଭୁଲ୍ ପାଇଁ । କିଏ ଜାଣେ ଆସନ୍ତାକାଲି ଦେଖା ହେବ କି ନାହିଁ! ଦେଖାହେଲେ ଆପୋଲୋଜି ମାଗିନେବ ।
ଅରବିନ୍ଦ ଅନସୂୟାଙ୍କ ଅନ୍ୟମନସ୍କତା ଦେଖି କହିଲା- ‘ଅନୁ, ପାଗଟା ଯାହା ହେଇଛି- ଗରମ ଗରମ ପକୋଡ଼ି ଆମ୍ବକଷିଆ ଅଦା ପକେଇ ଛାଣିଲେ କେମିତି ହୁଅନ୍ତା? ସନ୍ଧ୍ୟାଟା ବେଶ୍ ଜମିଯାଆନ୍ତା । ନା’ କ’ଣ କହୁଛ? କିଛି ନ କହି ଅନୁ ରୋଷେଇ ଘରକୁ ଗଲା ।
ବିବେକ ଘରେ ପହଞ୍ଚିଲାବେଳକୁ ତଥାପି ଝିପିଝିପି ବର୍ଷା ପଡୁଥିଲା । ପୁଅ ତନ୍ମୟ ବାରଣ୍ଡାରେ ଖେଳୁଥିଲା । ବିବେକ ପୁଅକୁ ଧରି ଗେଲ କଲା ଏବଂ ପ୍ରୀତିକୁ କହିଲା, କପେ ଗରମ ଚା’ ମିଳୁ । ପ୍ରୀତି ଚା’ ବସେଇ ଦେଖିଲା ବିବେକ ଡ୍ରେସ ନ ବଦଳେଇ ତନ୍ମୟ ସହିତ ଖେଳୁଛି । ପ୍ରୀତି ମନେ ପକେଇ ଦେଲା ବିବେକକୁ ଶୀଘ୍ର ଓଦା ଡ୍ରେସ୍ ଖୋଲିଦେବାକୁ । ନହେଲେ ଦେହ ଖରାପ ହେବ । ବିବେକ ଡ୍ରେସ୍ ଖୋଲୁ ଖୋଲୁ ଗୋଟେ ଓଡ଼ିଆ ଆଧୁନିକ ଗୀତର ପ୍ରଥମ ପଦକୁ ଗୁଣୁଗୁଣୁ ହେଲା ଥରକୁ ଥର । ଦ୍ୱିତୀୟ ପଦଟା ଚେଷ୍ଟା କରି ମଧ୍ୟ ମନେ ପକାଇ ପାରୁନଥିଲା । ପ୍ରୀତି ଚା’ କପ୍ଟା ନେଇ ଗଲାବେଳକୁ ବିବେକ ଗୋଟାଏ ପ୍ରିଣ୍ଟ ଲୁଙ୍ଗି ପିନ୍ଧି ମନୋଯୋଗ ଦେଇ ଗୀତରେ ମଜିଯାଇଛି । ପ୍ରୀତିକୁ ଦେଖୁ ଦେଖୁ ତା’ର କାହିଁକି ମନେହେଲା, ଇଏ ଅନୁ ନୁହନ୍ତି ତ? ଏଭଳି ଅନ୍ୟମନସ୍କତା ଦେଖି ପ୍ରୀତି କହିଲା ‘ତୁମର ଆଜି କ’ଣ ହେଇଛି କି? ଆଜି କାହିଁକି ଖୁସି ଖୁସି ଜଣାପଡୁଛ । କ’ଣ ପ୍ରମୋଶନ ହୋଇଗଲା ନା ବଡ଼ ଧରଣର ଲଟେରୀ ଉଠିଗଲା । ବିବେକ ପ୍ରୀତିକୁ ଟିକେ ଗେଲ କରିଦେଇ କହିଲା, ତୁମେ ବୁଝିପାରିବନି । ପ୍ରୀତି ଆଉ ବୁଝିବାକୁ ଚେଷ୍ଟା କଲାନି । ସୋଲାର ଲାଇଟ୍ଟା କେଉଁଠି ଅଛି ଖୋଜିଲା କାରଣ ଆଜି ଆଉ ଲାଇଟ୍ ଆସିବନି ।
ବିବେକ ବାରଣ୍ଡାରେ ବସି କେଉଁ ଏକ ଭାବନାରେ ହଜିଯାଉଥିଲା ଯେ, ସେ ନିଜେ ଜାଣିପାରୁନଥିଲା । ଏମିତି କି ସମୟ ହେଲା ସତେ ଯେମିତି କେଉଁଠି କ’ଣ ହୋଇଛି ଏବଂ ସେଇଠୁ ଖୁସିର ଚଢ଼େଇ ସବୁ ଉଡି ବୁଲୁଛନ୍ତି ଘର ଓ ବଗିଚା ସାରା । ପ୍ରତ୍ୟହ ବିବେକ ଅଫିସ୍ ଯିବା ବାଟରେ ଦେଖୁଥିଲା ଭଦ୍ର ମହିଳା ଜଣକ ବସ୍ କିମ୍ବା ଅଟୋ ଅପେକ୍ଷାରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଠିଆ ହୁଅନ୍ତି । ଅନ୍ୟଯାତ୍ରୀଙ୍କଠାରୁ ଟିକେ ଦୂରରେ । ପୁଣି ଅଧିକାଂଶ ଦିନ ଏଇ ସମୟରେ ଅଫିସ୍ ଫେରିବା ବେଳେ ଗେଟ୍ ପାଖରେ ପର୍ସ ଖୋଲି ଅଟୋବାଲାକୁ ଟଙ୍କା ଦେଉଥିବେ- ତା’ ଆଖିରେ ପଡ଼େ । ସକାଳର ପୁନରାବୃତ୍ତି ହୁଏ । ନିଜ କାଇଦାରେ ପରସ୍ପରକୁ ଦେଖି ନିଅନ୍ତି ଆଖିରେ ଆଖିରେ । ବିବେକ ଏ ଦୃଶ୍ୟ ଡେଇଁ ଆଗକୁ ଗଲାପରେ ବି ମୋନାଲିସାର ହସ ପରି ଭଦ୍ର ମହିଳା ନ ଜାଣିବା ପରି ଆଖି ପହଁରେଇ ନେଲେ ବି ଧରା ପଡ଼ିଯାଆନ୍ତି ଆଖିରେ । ବାସ୍, ସେତିକି ହିଁ ଥିଲା ନିତିଦିନିଆ ସଂପର୍କର ସୂତ୍ର । ଭଦ୍ରମହିଳା ଦେଖିବାକୁ ବେଶ୍ ସୁନ୍ଦରୀ । ଭଂଜନାୟିକାଙ୍କ ରୂପ ବର୍ଣ୍ଣନାର ଆବଶ୍ୟକତା ନଥିଲେ ହେଁ ତାଙ୍କ ତେଜୋଦୀପ୍ତ ମୁଖମଣ୍ଡଳରେ ଉକୁଟି ଉଠୁଥିବା ଭାବକୁ ସହଜରେ ପଢ଼ି ହେଉଥିଲା । ଲାଗୁଥିଲା ସେ ଅନ୍ୟ ନାରୀମାନଙ୍କଠାରୁ ସଂପୂର୍ଣ୍ଣ ଅଲଗା । ଅନନ୍ୟା । ଜଣେ ସ୍ୱୟଂସମ୍ପର୍ଣ୍ଣା ନାରୀର ନାରୀତ୍ୱ ବାରି ହୋଇପଡୁଥିଲା । ତେବେ ହେଉପଛେ ଆଖିରେ ଆଖିରେ ସଂପର୍କ । ଦିନେ ନ ଦେଖିଲେ କାହିଁକି କେଜାଣି ଅଫିସ୍ରେ ଭାରି ବୋର ଲାଗୁଥିଲା । ଏମିତି ବି ବେଳେବେଳେ ମନେହୁଏ ଆଜିର ଅନୁପସ୍ଥିତି ଦେହ ଖରାପର କାରଣ ନୁହେଁତ? ଏମିତି ଦେଖାରେ ଦେଖାରେ ଆଖିରେ ଆଖିରେ ସଂପର୍କ ଆଜି ଅଦିନିଆ ଝଡ଼ ତୋଫାନ ଆଉ କିଛି ଆଗକୁ ବଢ଼େଇ ଦେଇଛି ।
ବିବେକ ମନେ ମନେ ଭାବିଲା, ଅଫିସ୍ ଯିବା ବେଳେ ଲିଫ୍ଟ ଦେଇଦେଲେ କ୍ଷତି କ’ଣ ହୁଅନ୍ତା! ତା’ ଛଡ଼ା ସେ ରୋଜ ସେଇବାଟ ଦେଇ ଯେହେତୁ ଯାଉଛି ଅସୁବିଧା ନାହିଁ । ବିବେକ ଆଉ ଆଗକୁ ଭାବି ପାରିଲାନି । ଅଫିସ୍ରୁ ଆଣିଥିବା କେତେକ ଜରୁରୀ ଫାଇଲ୍ କାମ କରିବାକୁ ବସିଲା । ହେଲେ ସବୁ ଭୁଲ୍ଭାଲ୍ ହୋଇଗଲା । ବିବେକ ଦେଖିଲା- ଆଜି ଆଉ ଫାଇଲ୍ କାମ କରିହେବନି କାରଣ କେଉଁ ଏକ ଅଜଣା ଶିହରଣରୁ ସେ ମୁକୁଳି ପାରୁନି । ତନ୍ମୟ ଶୋଇ ପଡ଼ିଲାଣି । ପ୍ରୀତିକୁ ରୋଷେଇରେ ସାହାଯ୍ୟ କରିବାକୁ ଯାଇ କହିଲା- ଫି୍ରଜ୍ରେ କ’ଣ ସବୁ ପରିବା ଅଛି? କହିଲେ କାଟିଦେବି ।’
ପ୍ରୀତି ବୁଝିପାରିଲାନି । ଇଏ ବିବେକ ତ! ଯିଏ ଅଫିସ୍ରୁ ଫେରି ଅଫିସ୍ କାମରେ ବୁଡ଼ି ରୁହନ୍ତି… ଅଥଚ ଆଜି କ’ଣ ହୋଇଛି! ପ୍ରୀତି କହିଲା ତୁମ ଦେହ ଠିକ୍ ଅଛି ତ?
ବିବେକ ସଅଳ ଅଫିସ୍ ଯିବାକୁ ନିଜକୁ ପ୍ରସ୍ତୁତ କରିନେଲା । ଯେତେ ଶୀଘ୍ର ବାହାରିଲେ ବି ପ୍ରୀତିର କାମ ସରୁନଥିଲା । ବାରମ୍ବାର ସେ ଘଡ଼ିକୁ ଚାହୁଁଥିଲା ହେଲେ ଦଶଟା ବାଜୁ ନଥିଲା ।
ସବୁଦିନ ପରି ଅନୁ ଜଳଖିଆ କରି ଅରବିନ୍ଦକୁ ଦେଲା ଓ ଅରବିନ୍ଦ ଜଳଖିଆ ପର୍ବ ସାରି ଅଫିସ୍ ବାହାରିଗଲା । ଅନୁ ଭାବିଲା ଆଜି ଆଉ ରୋଷେଇ ନକରି କ୍ୟାଣ୍ଟିନ୍ରେ ଖାଇଦେବ । ରୋଷେଇ ଶେଷ କରି ଯିବାକୁ ଡେରିହେବ । ସବୁଦିନ ପରି ଅନୁ ସେଇ ନିର୍ଦ୍ଦିଷ୍ଟ ସ୍ଥାନରେ ଠିଆହେଲା ବସ୍ କିମ୍ବା ଅଟୋ ଅପେକ୍ଷାରେ ଏବଂ ବାରମ୍ବାର ଚାହୁଁଥିଲା ରାସ୍ତାକୁ । ହେଲେ ସବୁ ଗୋଳମାଳ ହୋଇଗଲା ! ତାକୁ ଲାଗିଲା ଆଜି ବସ୍ଟା ଶୀଘ୍ର ବୋଧହୁଏ ଚାଲିଆସିଛି । ଅନୁ ଜାଣି ଜାଣି ବସ୍କୁ ଛାଡ଼ିଦେଲା ଏବଂ ଅଟୋକୁ ଅପେକ୍ଷା କଲା । ମନରେ ଉକ୍ରଣ୍ଠା ବଢ଼ିଚାଲିଥିଲେ ହେଁ ବିବେକ କାହିଁ ଏଯାଏ ଦେଖାଯାଉନି । ଅନ୍ତତଃ ଗତକାଲିର ସାହାଯ୍ୟ ପାଇଁ ଧନ୍ୟବାଦ ଜଣେଇ ଦିଅନ୍ତା । ଘରୁ ଏତେ ଶୀଘ୍ର ଆସି ବି ବିବେକକୁ ଭେଟି ପାରୁନି । ଆଜି ହିଁ ସେ ଆସିବାରେ ଏତେ ଡେରି କାହିଁକି କରୁଛି କେଜାଣି? ଏମିତି କ’ଣ ଭାବୁ ଭାବୁ ଅଟୋଟିଏ ଆସି ସାମ୍ନାରେ ଠିଆ ହେଲା । ଅନୁ ଦେଖିଲା- ତାଙ୍କ ଅଫିସ୍ର ଶଶୀରେଖା ଏକା ବସିଛି । କହିଲା- ଆରେ ଅପା, ଆସ ଆସ ଯିବା । ଅନୁ ଆଉ ମନା କରିପାରିଲାନି । ଏଣେ ଅଫିସ୍ ସମୟ ପାଖେଇ ଆସିଲାଣି । ଅନୁ ଶଶୀରେଖା ପାଖରେ ବସି ବାରମ୍ବାର ପଛକୁ ଚାହୁଁଥିବା ଦେଖି ଶଶୀରେଖା କହିଲା- ଅପା କେହି ଆସିବାର ଥିଲା କି?
ଅନୁ କହିଲା, ‘ନା’ ।
ବିବେକ ତରତରରେ ବାହାରି ଗଳିରେ ମୋଡ଼ ବୁଲିବା ବେଳକୁ ତା’ର ମନେ ପଡ଼ିଲା ଚାବି ନେନ୍ଥା ଛାଡ଼ି ଦେଇଛି । ପୁଣି ଫେରିଲା ଘରକୁ । ଏଇବେଳେ ତନ୍ମୟ, ପାପା କହି ଧାଇଁ ଆସି ବିବେକ ଉପରକୁ ଏକରକମ ଚଢ଼ିଗଲା । ତା’ର ଖେଳର ଅସନା ହାତ ଲାଗିଗଲା ସାର୍ଟ ସାରା । ଅଗତ୍ୟା ବିବେକ ବାଧ୍ୟ ହୋଇ ସାର୍ଟ ବଦଳେଇ ଅଫିସ ବାହାରିଲା । ସବୁଦିନ ପରି ସେଇ ନିର୍ଦ୍ଦିଷ୍ଟ ସ୍ଥାନକୁ ଆଖି ପହଁରେଇ ନେଲାବେଳକୁ ଦେଖିଲା- ଆଜି ସେଠି କେହି ନାହାନ୍ତି । ଘଣ୍ଟା ଦେଖିଲା ଅଫିସ୍ ସମୟ ଡେରି ହୋଇଗଲାଣି ।
ଅଫିସ୍ ଛୁଟିର ଦଶମିନିଟ୍ ପୂର୍ବରୁ ବିବେକ ଚାଲିଆସିଲା । ହୁଏତ ଦେଖା ହେବା ଆଶାରେ । ଭଦ୍ରମହିଳାଙ୍କ ଅଫିସ୍ ସାମ୍ନା ହେବା ବେଳକୁ ଦେଖିଲା ଅରବିନ୍ଦ କାର୍ ପାର୍କିଂ କରୁଛନ୍ତି । ବିବେକ ଗାଡ଼ି ବୁଲାଇଲା ନିକୋ ପାର୍କ ଆଡକୁ ।
ଅନୁ ଆଜି ବି ବିବେକ ସହିତ ଦେଖା ନକରିପାରିବାରୁ ତାକୁ କାହିଁକି ଦୁଃଖୀ ଦୁଃଖୀ ମନେହେଲା । ଘରେ କୌଣସି କାମ ପ୍ରତି ତା’ର ଆଗ୍ରହ ଆସୁନଥିଲା । ଗୋଟେ ବାଧ୍ୟବାଧକତାରେ ଯାହା କରିବା କଥା କରୁଥିଲା । ଅରବିନ୍ଦ ଆଜି ରାତିରେ ପାଞ୍ଚଦିନିଆ ଗସ୍ତରେ ଯିବାକୁ ପ୍ରସ୍ତୁତ ହେଲାଣି । ଏମିତି ମଝିରେ ମଝିରେ ଅରବିନ୍ଦଙ୍କ ଗସ୍ତ ସମୟତକ ସେ ବୋର ହୋଇଯାଏ । ରାତି ତିନିଟା ବେଳକୁ ଅରବିନ୍ଦ ଅଫିସ୍ ଜିପ୍ରେ ବାହାରି ପଡ଼ିଲେ । କାରଣ ଦିନରେ ଯେଉଁ ଖରା ସନ୍ଷ୍ଟ୍ରୋକ୍ ହୋଇଯିବ । ସେଥିପାଇଁ ସଅଳ ବାହାରି ପଡ଼ିଲେ ଅରବିନ୍ଦ । ଏକା ଏକା ଅନୁକୁ ଆଉ ନିଦ ହେଲାନି । ଗୁଡାଏ ଅଜବ ଭାବନାରେ ବୁଡ଼ିଗଲା । ସେ ଏବେବି ବୁଝିପାରୁନଥିଲା । ଜଣେ ଅପରିଚିତ ବ୍ୟକ୍ତିଙ୍କ ପାଇଁ ସେ ଏତେ ଦୁର୍ବଳ ହୋଇପଡ଼ୁଛି କାହିଁକି? ଅରବିନ୍ଦଙ୍କ ପରି ସ୍ୱାମୀ ପାଇଛି- ଯାହାଙ୍କୁ ସେ ଭଲପାଇ ବାହା ହୋଇଛି । ତା’ ପାଖରେ ସବୁ ଅଛି- ଯାହା ନିହାତି ଦରକାର ଜଣେ ନାରୀ ପାଇଁ । ସବୁକିଛି ତା’ ନିକଟରେ ଥିବା ସତ୍ତ୍ୱେ ଆଉ ବା କ’ଣ ଅଭାବ ଅଛି ଯେ ସେ ବିବେକଙ୍କୁ ଦେଖିବା ପରେ ଏତେ ଦୁର୍ବଳ ହୋଇପଡ଼ୁଛି । ଭଦ୍ରଲୋକ କଣ’ ଯାଦୁ କିମ୍ବା ଗୁଣିଗାରେଡି ଜାଣନ୍ତି କି?
ସବୁଦିନ ପରି ଆଜି ବି ଅନୁ ସେଇ ନିର୍ଦ୍ଧାରିତ ବସ୍ କିମ୍ବା ଅଟୋକୁ ଅପେକ୍ଷା କଲା ଏବଂ ମନେ ମନେ ସ୍ଥିର କଲା- ବିବେକଙ୍କ ଗାଡ଼ି ଅଟକାଇ ଯାହା କହିବା ପାଇଁ ଏଯାଏ ସୁଯୋଗ ମିଳିନି- ଆଜି କହିଦେବ । ମନଟା କାହିଁକି ଛନଛନ ଲାଗୁଥିଲା ଓ ଉକ୍ରଣ୍ଠା ବଢ଼ିଚଚାଲିଥିଲା । ପ୍ରତ୍ୟେକଟି ଗାଡ଼ିରେ ବିବେକ ଥାଇପାରନ୍ତି ବୋଲି ତା’ର ମନେ ହେଉଥିଲା । ସତକୁ ସତ ବିବେକ ଆସିଲେ ଏବଂ ସବୁଦିନ ପରି ଅନୁଙ୍କ ଉପରକୁ ଆଖି ପହଁରେଇନେବା ବେଳକୁ ଅନୁ ହାତଟେକି ଗାଡ଼ି ଅଟକାଇବାକୁ ଇସାରା ଦେବା ବେଳକୁ ଗାଡ଼ି ଚାଲିଗଲାଣି ଆଗକୁ । କେହି କାଳେ ଦେଖିଥିବେ ମନେକରି ହାତ ତଳକୁ କଲା ଅନୁ । ନିଜ ଉପରେ ନିଜେ ରାଗିଲା । ବ୍ୟସ୍ତ ହେଲା ।
ଆଜି କିନ୍ତୁ ସଅଳ ଫେରି ଆସିଲା ଅନୁ । ଅପେକ୍ଷା କଲା ଘର ଫାଟକ ପାଖରେ । କିଛି ନହେଲେ ଚା’ ପାଇଁ ଥରେ ନିମନ୍ତ୍ରଣ କରିବ । ବିବେକ ଅଫିସ୍ ଫେରିବା ବାଟରେ ଦେଖିଲା ଅନୁ ଠିଆ ହୋଇଛନ୍ତି । ବିବେକର ଗାଡ଼ି ଆପେ ଆପେ ଅଟକି ଗଲା ଓ ବିବେକ କହିଲା ମ୍ୟାଡମ୍ ଏବଂ ଆଉ କିଛି କହିବା ପୂର୍ବରୁ ଅନୁ କହିଲା- ମୁଁ ଏଠି ଆପଣଙ୍କୁ ହିଁ ଅପେକ୍ଷା କରିଛି । କିଛି ଯଦି ମନେ କରିବେନି ଆସନ୍ତୁ ଅନ୍ତତଃ କପେ ଚା’ ପିଇଦେଇ ଯିବେ । ଅନୁଙ୍କ କହିବା ଢଙ୍ଗରେ ଏତେ ଆତ୍ମୀୟତା ଭରି ରହିଥିଲା ଯେ, ବିବେକ ମନା କରିପାରିଲେନି । ଘର ଭିତରକୁ ଗଲା । ବହୁ ପୁରୁଣା ଦିନର କ୍ୱାଟରଟି ହେଲେ ହେଁ ଅନୁଙ୍କ ସ୍ପର୍ଶରେ ଯେମିତି ହସି ଉଠୁଛି ଘରଟି । ଭିତର ବାହାରର ସାଜସଜ୍ଜା ଅନ୍ତରଙ୍ଗ ଅନ୍ତରଙ୍ଗ ମନେ ହେଉଥିଲା । ଅନୁ ମଧ୍ୟ ସେ ପର୍ଯ୍ୟନ୍ତ ଶାଢ଼ି ବଦଳେଇ ନଥିଲେ । କିଛି ସମୟ ପରେ ଅନୁ ଗୋଟିଏ ଛୋଟ ଟ୍ରେ’ରେ କିଛି ସନେ୍ଦଶ, ବିସ୍କୁଟ ଓ ଚା’ ଆଣି ଟିପୟ ଉପରେ ରଖିଲେ ଏବଂ ସାମ୍ନା ସୋଫାରେ ବସିଲେ । · କପ୍ଟା ବିବେକ ହାତକୁ ବଢ଼ାଇ ଦେଉ ଦେଉ କହିଲେ, ସେଦିନ ସାହାଯ୍ୟ ପାଇଁ ଡେରି ହୋଇଥିଲେ ବି ଆଜି ଧନ୍ୟବାଦ ଜଣାଉଛି । କିଛି ମନେ କରିବେନି । ବିବେକ କିଛି କହିଲାନି । ଦୁଇଜଣଙ୍କର ନିରବତା ଭିତରେ କପ୍ରୁ · ସରି ଆସୁଥିଲା । ମାତ୍ର କେହି କାହାକୁ କିଛି କହିପାରୁନଥିଲେ । ଏଇବେଳେ ବିବେକର କାହିଁକି ମନେହେଲା- ସେ ବୋଧହୁଏ କିଛି କହିବା ଦରକାର । ବିବେକ କହିଲା, ‘ମୋର କୁନି ପୁଅଟିଏ ଅଛି ।’
ଅନୁ କହିଲା- ହଁ । ଆପଣଙ୍କ ସମ୍ପର୍କରେ ମୁଁ ପ୍ରାୟ ସବୁ ଜାଣେ ଏଇ ଅଳ୍ପ ଦିନ ହେଲା । ଘରେ ସୁନ୍ଦରୀ ସ୍ତ୍ରୀଟି ଅଛି ପ୍ରୀତି । କୁନି ପୁଅ ତନ୍ମୟ । ଆଉ ଆପଣ ବ୍ୟାଙ୍କରେ ଚାକିରି କରନ୍ତି । ଆପଣ ସେଇପ୍ରଖ୍ୟାତ ଔପନ୍ୟାସିକ, ଯାହାଙ୍କର ସମସ୍ତ ଉପନ୍ୟାସ ମୁଁ ପଢ଼ିଛି । ଜଣେ ହାଇପ୍ରୋଫାଇଲ୍ର ଲୋକ ହୋଇ ସର୍ବଦା ଲୋ ପ୍ରୋଫାଇଲ୍ ମେଣ୍ଟନ କରନ୍ତି ।
ବିବେକ କେବେ ଆଶା କରିନଥିଲା, ଭଦ୍ରମହିଳା ତା’ ସମ୍ପର୍କରେ ଏତେ ତଥ୍ୟ ସଂଗ୍ରହ କରିଛନ୍ତି । ବିବେକ ମନେ ମନେ କିଛି ଭାବିଲା ଏବଂ କହିଲା, ‘ମୁଁ ବି ଜାଣେ ଆପଣଙ୍କୁ ସେତିକି, ଯେତିକି ଜାଣିଛନ୍ତି ଆପଣ ମୋତେ ।
ଅନୁ କହିଲା, “ତେବେ ଆପଣ? ହଁ, ମୁଁ ବି ଜାଣିଛି ଏଇ ଅଳ୍ପଦିନ ହେଲା । ଦୁହେଁ ଅନୁଭବ କରିପାରୁଥିଲେ- କାହିଁକି ଜଣେ ଜଣଙ୍କର ଏତେ ଖବର ରଖେ । ଜଣକୁ ଜଣେ ଭଲ ନ ଲାଗିଲେ କେହି କେବେ ଟିକିନିଖି ଖବର ରଖିବାକୁ ପ୍ରୟାସ କରେନି । ନିରବରେ ହେଲେ ବି ବୁଝି ହେଉଥିଲା ଦୁହେଁ ଦୁହିଁଙ୍କୁ ଭଲ ଲାଗୁଛନ୍ତି ।
ବିବେକ ନିଜ ଅଜାଣତରେ ଅନୁ ହାତ ଉପରେ ହାତ ରଖିଦେଲା । ଅନୁ ଜାଣି ବି ହାତ ଉଠେଇ ନେଇ ପାରିଲାନି, କେବଳ ଚାହିଁ ରହିଲା ବିବେକକୁ । ଅନୁ ଆଖିରୁ ସ୍ପଷ୍ଟ ପଢ଼ି ହେଉଥିଲା, ‘ତୁମ ସ୍ପର୍ଶରେ ଏତେ ଶିହରଣ ଅରବିନ୍ଦଙ୍କ ଛୁଅାଁରୁ ମିଳୁନଥିଲା ଏବଂ ସେଇକଥା ଅନୁ ପଢ଼ି ପାରୁଥିଲା ବିବେକ ଆଖିରୁ । ପ୍ରୀତିର ଛୁଆଁ ରେ ଏଭଳି ଅପୂର୍ବ ଶିହରଣ ଏତେ ତାତି ତା’ ଦେହରେ ଭରି ନଥିଲା କେବେ ।’ ଗୋଟେ ଅଜଣା ସଂପର୍କର ଅଙ୍କୁରୋଦ୍ଗମ୍ ହେଉଥିଲା । ବିବେକ କହିଲା- ମ୍ୟାଡାମ୍… ନା, ଅନୁ କହିଲେ ଭଲ ଲାଗିବ- କହିଲା ଅନୁ ।
ବିବେକ କହିଲା, ହଁ ଅନୁ! ପରସ୍ପରକୁ ବୁଝିପାରୁଛେ- ଆମ୍ଭ ଦୁହିଁଙ୍କର ସେମିତି କିଛି ଅଭାବ ନାହିଁ । ନିଜ ନିଜ ପରିଧି ଭିତରେ ବେଶ୍ ଖୁସି । ଘରେ ମୋର ସୁନ୍ଦରୀ ସ୍ତ୍ରୀ, ପୁଅ, ନିଜସ୍ୱ ପ୍ରତିଷ୍ଠା ଇତ୍ୟାଦି ପରେ ଆଉ କ’ଣ ଦରକାର ଅଛି ଯେ ଆମେ ଦୁହେଁ ଏତେ ନିକଟରୁ ନିକଟତର ହୋଇଯାଉଛେ!’
ଅନୁ କହିଲା- ‘ଇଏ ଏକ ଅବୁଝା ଅଙ୍କ । ତୁମେ ଜାଣିଛ ବିବେକ- କୋର୍ଟ କଚେରି, ମନ୍ଦିର, ବେଦିର ବିବାହ ବନ୍ଧନ ପରେ ବୋଧହୁଏ ଆଉ ଏକ ବନ୍ଧନର ଆବଶ୍ୟକତା ରହିଛି । ଯାହା ହେଉଛି ମନର ବନ୍ଧନ ।
ବାହାରେ ପ୍ରବଳ ବର୍ଷା । ଅନୁ ବିବେକ ବସିଥିବା ସୋଫା ପଛରେ ଠିଆହୋଇ କ’ଣ କହୁଥିଲା- ନିଜ କଥା ନିଜକୁ ଶୁଭୁନଥିଲା । ଅନୁ ବିବେକ ପାଖକୁ ଲାଗିଆସି କାନ ପାଖରେ ମୁହଁ ରଖି କହିଲା- ବର୍ଷା ଆଜି ଛାଡ଼ିବନି ଲାଗୁଛି । ଆଜି ରାତିଟା ରହିଯାଅ । ମୁଁ ଡିନର ପ୍ରସ୍ତୁତ କରୁଛି ।
ବିବେକ ଅନୁ ହାତ ଧରି ଝର୍କା ପାଖକୁ ନେଇଗଲା ଓ ଆସ୍ତେ ଝର୍କା ଖୋଲିଲା । ଦୁହେଁ ଦେଖୁଥିଲେ- ବାହାରେ ଖାଲି ବର୍ଷା ଆଉ ବର୍ଷା… ।