ମିଥିଳା ଭାବୁଥିଲା ସତରେ କ’ଣ ଜଣେ ନାରୀର ସଫଳତା ତା’ର ଆଖିରେ ପ୍ରତିଫଳିତ ହୁଏ । ହୃଦୟର ପରିଭାଷା କ’ଣ ଆଖିରେ ପଢ଼ିହୁଏ । ସେଥିପାଇଁ କ’ଣ ଶୁଭେନ୍ଦୁ ତା’ ଆଖି ଦି’ଟାକୁ ସହ୍ୟ କରିପାରନ୍ତିନି । ଏଇ ଆଖି ଦି’ଟାକୁ ଦେଖି ଶୁଭେନ୍ଦୁ ଦିନେ ତ ତା’ ପ୍ରେମରେ ପଡ଼ି ତାକୁ ବିବାହ କରିଥିଲେ । ସେତେବେଳେ କାହିଁ ସେ ତ କହୁନଥିଲେ ତମ ଆଖି ଦିଟାକୁ ମୁଁ ସହ୍ୟ କରିପାରୁନାହିଁ ମିଥିଳା । ଆଉ ରାଗିଲେ ତା’ ଆଡେ ମାଡ଼ି ଆସି କହୁ ନଥିଲେ ଆଖି ଦିଟା ତମେ ତଳକୁ କରି ମୋ ସହିତ କଥା କୁହ ମିଥି ନ ହେଲେ କୋଉ ମୁହୂର୍ତ୍ତରେ ମୁଁ ତମ ଆଖି ଦିଟାକୁ ଫୁଟେଇ ଦେବି । ଅସମ୍ଭବ ପୁରୁଷର ଔଦ୍ଧତ୍ୟ । ସେ କ’ଣ ଯାହା ଚାହିଁଲେ ତାହା କରିଦେବେ । ଜଣେ ସ୍ତ୍ରୀ ଭାବରେ କିଛି ହିଁ କ’ଣ ତା’ର ସ୍ୱତନ୍ତ୍ରତା ନାହିଁ । ଆଜି ସେ ଅନୁଭବ କରିଛି ଯେମିତି ଏଇ କେତେ ବର୍ଷର ତା’ର ସୁଖର ସଂସାର ପ୍ରତି ମୁହୂର୍ତ୍ତରେ ବିଡମ୍ବିତ ହୋଇଛି । ବିଫଳ ହୋଇଛି ତା’ ଦାମ୍ପତ୍ୟ ଜୀବନ ! ଶୁଭେନ୍ଦୁଙ୍କ ଛଳନା, ପ୍ରତାରଣା ତା’ ମନର ସୁକୁମାର କଳିକୁ ଅବିଶ୍ୱାସରେ ଜାଳି ଦେଇଛି! ହାୟ କ’ଣ ନ ଥିଲା ତା’ର । ଧନୀ ଘରର ଦୁଲାଳୀ, ଘରେ ଏତେ ଚାକର, ପୂଜାରୀ, ଅଲିଅଳି ଗେଲବସରର ଝିଅ ମିଥିଳା ବାପାଙ୍କର ଏକୋଇର ବଳା, ସେଇ ତାଙ୍କର ପୁଅ, ସେଇ ତାଙ୍କର ଝିଅ । ସତରେ କେତେ ସ୍ୱପ୍ନ ଦେଖିଥିଲେ ତା’ ବାପା । ସବୁବେଳେ କହୁଥିଲେ ମିଥି ଆମର ତା’ ବୋଉ ସୁନନ୍ଦା ପରି ପରିବାରର ଘାତ ପ୍ରତିଘାତରେ ବଡ଼ ହେଇନି ଯେତେବେଳେ ମୁଁ ତାକୁ ଦେଖି ଚାହିଁ ବାହା ଦେବି । ତା’ର ବାପା ମା’ ମୁଁ ତ ସବୁ । ପିଲାଟି ବେଳୁ ମା’ ସୁଖ ଜାଣିଲାନି ପିଲାଟା । ସୁନନ୍ଦା ବାହା ହେଇ ତାଙ୍କ ହାତ ଧରି ଘରକୁ ଆସିଥିଲା ସିନା ଗରିବ ଘରର ଝିଅ ବୋଲି କେତେ ଗଞ୍ଜଣା ସହି ଥିଲା ଶାଶୂ, ଶ୍ୱଶୁରଙ୍କଠୁ । ସାଇ ପଡ଼ିଶା ବି ବାଦ୍ ଯାଇ ନଥିଲେ । କେବଳ ଚୌଧୁରୀଙ୍କ ଭୁଲ୍ ଥିଲା ସେ ଗରିବ ଘର ଝିଅ ପସନ୍ଦ କରିଥିଲେ ବୋଲି । ସେ ସୁଖମୟ ଦାମ୍ପତ୍ୟ ଜୀବନ କାଟିବା ବେଳକୁ ମିଥିଳାକୁ ଜନ୍ମ ଦେଇ ଆଖି ବୁଜିଲା । ମା’ ଛେଉଣ୍ଡ ଝିଅକୁ ସେ ବଡ଼ କରିଛନ୍ତି ଯେତେବେଳେ ତାଙ୍କର ଆଶୀର୍ବାଦ ସବୁବେଳେ ମିଥିକୁ ଘୋଡ଼ାଇ ରଖିବ ଆପଦ ବିପଦରୁ । ସେ ମୋତେ କେବେ ଉପେକ୍ଷା କରିବ ନାହିଁ । ଅଥଚ କି ହତଭାଗ୍ୟ ସେ! ଅକୁଣ୍ଠିତ ଭାବରେ ଅଜାଡ଼ି ଦେଇଥିବା ସ୍ନେହ ମମତାର ପ୍ରତିମୂର୍ତ୍ତି ବାପାଙ୍କୁ ସେ ଅବଜ୍ଞା କରିପାରିଲା କେବଳ ସେଦିନ ଶୁଭେନ୍ଦୁଙ୍କ ପାଇଁ । ସତରେ କ’ଣ ଶୁଭେନ୍ଦୁ କହିଲା ପରି କିଛି ସ୍ୱପ୍ନ ଦେଖାଯାଏ ଭାଙ୍ଗିବାକୁ, ଆଉ କିଛି ଭୁଲିବାକୁ, ଖୁବ୍ ଅଳ୍ପ ସ୍ୱପ୍ନ ଦେଖାଯାଏ ଚେନାଏ ସତ ହେବାକୁ । ତାହାଲେ ତା’ର ଚେନାଟେ ସ୍ୱପ୍ନ ଭିତରେ କ’ଣ ଶୁଭେନ୍ଦୁ ନଥିଲେ । ନଥିଲା ତାର ଶୁଭେନ୍ଦୁକୁ ନେଇ ଗଢ଼ିଥିବା ଏକାନ୍ତ ପୃଥିବୀ । ଶୁଭେନ୍ଦୁଙ୍କ ପ୍ରେମ କ’ଣ ତୁଚ୍ଛା ଶରୀରର ଭୋକ ଥିଲା । ସେ ତ ଏକ ପ୍ରେମରେ ଜୁଡୁବୁଡୁ ସରସର ପ୍ରେମିକର ମନଟିଏ କେବଳ ତା’ ପ୍ରେମିକ ସ୍ୱାମୀଠୁ ଚାହିଁଥିଲା । ହେଲେ ଏତେ ଶୀଘ୍ର ଶୁଭେନ୍ଦୁ କେବଳ ଜଣେ ଅର୍ଥୋଡକ୍ସ ସ୍ୱାମୀ ପାଲଟି ଯିବେ ସେ ଆଶା କରିନଥିଲା ।
ଖୁବ୍ ଉଚ୍ଚଶିକ୍ଷିତା ମିଥିଳା ସେଦିନ ଶୁଭେନ୍ଦୁ ପ୍ରେମରେ ଅଥୟ ହୋଇ ବାପାଙ୍କର ଭଲ ଭଲ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ପରେ ନେତାଜୀ ଚୌଧୁରୀ ଅନେକ ବୁଝାଇଥିଲେ ବାପା ହିସାବରେ ତାକୁ । କାରଣ ସେ ହିଁ ପିଲାଟି ବେଳୁ ତା’ର ମାନସିକତାକୁ ଭଲ ଭାବରେ ବୁଝି ପାରିଥିଲେ । ମାଆର ସୁଖ ସେ ବାପାଙ୍କଠୁ ପାଇଛି । ଭାବେ, ଏତେ ଭଲ ବାପା ବୋଧହୁଏ ପୃଥିବୀରେ ନ ଥିବ ତା’ ବାପା ପରି । ମାଆ କୋଳରେ ମୁଣ୍ଡ ଗୁଞ୍ଜି ପାରିଲା ନାହିଁ ବୋଲି ବାପା କୋଳରେ ମଥା ରଖି ସେ ସୁଖ ସେ ମନ ଭରି ଉପଭୋଗ କରିଛି । ଅଥଚ ଆଜି ସେ ସୁଖ ଚଲାମେଘ ପରି ଅପସରି ଯାଇଛି । ଏବେ ଶୁଭେନ୍ଦୁର ସକାଳରୁ ସନ୍ଧ୍ୟା ବେଳ ଯାଏ ଅଫିସ୍ ବେଳତକ ଛାଡ଼ି ଦେଲେ କଡ଼ା ନଜର ତା’ ଉପରେ । ବସିଲେ, ଉଠିଲେ ସବୁଥିରେ ସବୁବେଳେ କଟୁ ମନ୍ତବ୍ୟ । ସୋସିଓଲୋଜିରେ ପିଏଚ୍ଡି କରି କ’ଣ ସେ ଘରେ ବସି ରହି ରାନ୍ଧି ବାଢ଼ି କେବଳ ଘରକଣରେ ରହିବାକୁ ଶୁଭେନ୍ଦୁଙ୍କୁ ବିବାହ କରିଥିଲା । ବାପା ଠିକ୍ କହୁଥିଲେ, ଶୁଭେନ୍ଦୁ କେବଳ ଧନସମ୍ପତ୍ତି ଲୋଭରେ ତାକୁ ବିବାହ କରି ବୋଧହୁଏ ବାପାଙ୍କ ସମସ୍ତ ସମ୍ପତ୍ତିର ମାଲିକ ହେବାକୁ ଚାହୁଁଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଦିନେ ବି ତ ତା’ ପାଖରେ ଏକଥା ଉଠେଇ ନାହାନ୍ତି । ବିବାହ ବେଳେ ଏକ କପର୍ଦ୍ଦକ ବାପ ଘରୁ ଆଣିବାକୁ ଦେଇ ନାହାନ୍ତି ତାକୁ । ବାପା ଅନେକ ବୁଝାଇବା ପରେ କେବଳ ମିଥିଳାର ଆବଶ୍ୟକ ସାମଗ୍ରୀ ଭାବରେ ଆପଣ କିଛି ଦେଲେ ଆପତ୍ତି କରିବି ନାହିଁ ବୋଲି ଶୁଭେନ୍ଦୁ କହିଥିଲେ । ତେବେ ଅସୁବିଧା ରହିଲା କେଉଁଠି । ବାସର ରାତିରେ ଏଇ ଆଖି ଦିଟାର କେତେ ପ୍ରଶଂସା କରିଥିଲେ । ତାହାଲେ ଶୁଭେନ୍ଦୁଙ୍କର ସବୁ କ’ଣ ତାଙ୍କ ପ୍ରେମର ବିଜୟ ପ୍ରଣୋଦିତ ମିଥ୍ୟା ଇସ୍ତାହାର ଥିଲା । ସେ କ’ଣ ଏମିତି ତା’ର ଇମୋଶନ୍ ସହିତ ଖେଳି ଚାଲିଥିବେ ଆଉ ସେ ପାଟି ଫିଟାଇ ପାରୁନଥିବ । କାହିଁକି? ସେ କ’ଣ ସରଳା, ଦୁର୍ବଳା ନା ଅଯୋଗ୍ୟ ଅପଦାର୍ଥ । ହଁ ମାନୁଛି ସେ ଟିକେ ଶ୍ୟାମଳୀ, ତୋଫା ଗୋରା ନୁହେଁ । କିନ୍ତୁ ତା’ ରୂପର ପ୍ରଶଂସା ସଭିଏଁ ମନ ଖୋଲି ତ କରନ୍ତି ଆଜି ଯାଏ । ଗଢ଼ଣ ତା’ର କୁଆଡ଼େ ଦେବୀ ପ୍ରତିମା ପରି ବୋଲି ନିଜେ ଶୁଭେନ୍ଦୁ କହନ୍ତି । ସେ ବି ଜାଣେ ତା’ ବାପାର ଗଢ଼ଣ ମାଆର ରଙ୍ଗ ଆଣିଛି ବୋଲି ସମସ୍ତେ କୁହନ୍ତି । ବାପ ପରି ଝିଅ ହେଲେ ଭାରି ସୁଖି ହୁଏ । କି ସୁଖ ବା ସେ ପାଇଲା ! ପିଲାବେଳୁ ଖୁବ୍ ସେନ୍ସିଟିଭ୍ ଥିଲା ବୋଲି, ଟିକିଏ କଥା ସହିପାରେନି ବୋଲି ବାପାଙ୍କର କଡ଼ା ତାଗିଦ୍ ଥିଲା ତା’ର ଦାଦା, ଆଉ କକାମାନଙ୍କୁ । ସେମାନେ ସବୁ ବାପାଙ୍କ ସହିତ ଖୁବ୍ ସହଜ ଥିଲେ ଆଉ ବାପା ସେମାନଙ୍କୁ ଖୁବ୍ ଭଲ ପାଉଥିଲେ ବୋଲି ସେମାନଙ୍କ ଚଳପ୍ରଚଳ ଘରେ ଖୁବ୍ ଆରାମଦାୟକ ଥିଲା । ବାପା ରମନ୍ ଭାଇ, ଛୋଟ କାକାଙ୍କୁ କହି ଦେଇଥିଲେ ମିଥିର କୋଉଥିରେ କିଛି ଭୁଲ୍ ହେଲେ ତାଙ୍କୁ କହିବ ସିନା ମିଥିକୁ କିଛି କହିବନି । ତେଣୁ ଏମିତି ଅତି ଗେଲ ବସରିଆରେ ବଢ଼ି ନିଜର ଶକ୍ତି ସାମର୍ଥ୍ୟକୁ ବହୁଦିନ ପର୍ଯ୍ୟନ୍ତ ବି ଠୁଳ କରି ପାରିନଥିଲା ମିଥିଳା । ଶୁଭେନ୍ଦୁ କିଛି କଡ଼ା କରି କହିଲେ, ତାକୁ ପ୍ରତିବାଦ କରିବାକୁ ଚେଷ୍ଟା କଲେ ତା’ ଓଠ ଥରେ, ଦେହ ଝାଳରେ ବୁଡ଼ିଯାଏ, ଆଖି ବାଟେ ଲୁହ ପିଚିକି ପଡ଼େ । ଧାଇଁ ଆସି ତକିଆରେ ମୁହଁ ଲୁଚାଇ କାନେ୍ଦ । ପୁଳାଏ ଦୀର୍ଘଶ୍ୱାସ ଛାତି ଭିତରକୁ ଟାଣି ନିଏ । ହେଲେ ଶୁଭେନ୍ଦୁ ପାଖରେ ପହଞ୍ଚନ୍ତିନି କି ବୁଝାନ୍ତିନି । ନିଜକୁ ବୁଝାଇ ଲୁହ ପୋଛି ଉଠେ । ସେତେବେଳେ ମନଭିତର କ’ଣ ହୁଏ ସେ ଜାଣେ । ହେଲେ ବାପା! ଟୋପାଏ ଲୁହ ତା’ ଆଖିରୁ ବୋହିଥାଏ କି ନାହିଁ ଆସି କୋଳେଇ ନିଅନ୍ତି । କେତେ ବୁଝାନ୍ତି । ସେସବୁ ହରାଇ ମିଥିଳା କେବଳ ଯେମିତି ଶୂନ୍ୟତାକୁ ଆବୋରି ଘର ପାତିଛି ସ୍ୱାମୀ ସହିତ । ଆଉ କ’ଣ ଭାବି ଥାଆନ୍ତା ଡାକବାଲା ଚିଠି ଦେଇଗଲା ଦୁଆର ଖଡ଼ଖଡ଼ କରି । ମିଥିଳା କବାଟ ଖୋଲିଲା । ଚିଠି ଡାକବାଲା ହାତରୁ ନେଇ ଖୋଲିଲା । ସରକାରୀ କଲେଜରେ ଅଧ୍ୟାପିକା ଚାକିରି ପାଇଁ ଇଣ୍ଟରଭୁ୍ୟ ଦେଇଥିଲା । ନିଯୁକ୍ତିପତ୍ର ଆସିଛି । ନାଁ ସେ ଚାକିରି କରିବ । ଶୁଭେନ୍ଦୁ ଆସନ୍ତୁ କହିବ । ମନକୁ ବାଧିଲା ପରି କିଛି କହିଲେ ସହିଯିବ ପଛେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବ । କିଛି ନ ହେଲେ ବାପାଙ୍କୁ କହିବ ।
ସେଦିନ ରାତିରେ ବିଛଣାରେ ଶୁଭେନ୍ଦୁ ଶୋଇଲା ବେଳେ ମିଥିଳା ତାକୁ ଗରମ କ୍ଷୀର ହାତକୁ ବଢ଼ାଇ ଦେଉ ଦେଉ କହିଲା, ଶୁଭେନ୍ଦୁ! ଶୁଣୁଛ! ମୋର କଲେଜରୁ ନିଯୁକ୍ତିପତ୍ର ଆସିଛି, ମୁଁ ଭାବୁଛି ଜଏନ୍ କରିଯିବି ।
– ତମେ ଯଦି ସିଦ୍ଧାନ୍ତ ନେଇ ସାରିଛ ମୋତେ ପଚାରୁଛ କାହିଁକି ମିଥି!
– ମାନେ ତମେ ମୋର ସ୍ୱାମୀ! ତମକୁ ପଚାରିବିନି ତ ଆଉ କାହାକୁ ପଚାରିବି!
– ଥାଉ ଥାଉ! ସ୍ୱାଧୀନ ହେବାର ରାସ୍ତା ଖୋଜୁଛ ନାଃ ତମର ସ୍ୱାମୀର ମଞ୍ଜୁର ଏକ ବାହାନା । ପାଠ ପଢ଼ି ବଡ଼ ଡିଗ୍ରୀ ପାଇଲେ ବି ତମ ମୁହଁରେ ହେୟ କରିବାର ବେଖାତିର ଭାବକୁ ମୁଁ କଦାପି ସହ୍ୟ କରିପାରିବି ନାହିଁ । ମଣିଷର ଆକାଂକ୍ଷା ଆଉ ଅହଂ ତା’ର ସର୍ବନାଶ କରେ । ତମେ ଭାବୁଛ ବୋଧେ ଚାକିରିଟେ କରିଦେଲେ ତମ ମୁଣ୍ଡରେ ହାତୀ ସୁନା କଳସ ଢାଳିବ! ଅଦିନିଆ ଭୂତ ଲାଗିଛି ତମକୁ ତ! ବଡ଼ ବଡ଼ ପାହୁଣ୍ଡ ପକାଇ ତୁମେ ଘର ଦାୟିତ୍ୱରୁ ନିଜକୁ ମୁକୁଳେଇ ନେଇ ଚାକିରି ନାଁରେ ମୁକ୍ତିର ଗୀତ ଗାଇବ । ଏଇୟା ତ!
– ତମେ ମୋତେ ଭୁଲ୍ ବୁଝୁଛ ଶୁଭେନ୍ଦୁ । ତମ ସୁଖ ଦୁଃଖର ସାଥି ମୁଁ । ତମ କଥା ମୁଁ ଯେମିତି ବୁଝେ ସେମିତି ତମଠୁ ମୁଁ ଆଶା କରେ! କତେଦିନ ତମେ ଏମିତି ତୁଚ୍ଛାରେ ମୋତେ ନିନ୍ଦା କରୁଥିବ । ଏମିତି ଗୋଟେ ସମୟ ଆସିବ ଶୁଭେନ୍ଦୁ! ତମେ ଦେଖିବ ଆଜି ଯିଏ ତମ ପାଖରେ ଛାଇ ହେଇ ଠିଆ ହେଇଛି ସେ ତମର ଅତ୍ୟାଚାରରେ ଅତିଷ୍ଠ ହୋଇ ସମୁଦ୍ର ପରି ଆପେ ଆପେ ଦୂରକୁ ଘୁଞ୍ଚିଯିବ ସିନା ପଦେ ହେଲେ କିଛି କହିବ ନାହିଁ ।
– ଭାରି ସାହସ ତ ତମର । ତମେ କ’ଣ ମୋତେ ସିଧାସଳଖ ଧମକଉଛ? ମନେରଖ ଯେତେ ଯେତେ ସଂଘର୍ଷ ଏ ବିଶ୍ୱରେ ସୃଷ୍ଟି ହେଉଛି ତା’ ଭିତରେ ନାରୀର ପୁରୁଷ ସହିତ ସଂଘର୍ଷ ଏକ ଜଟିଳତମ ପର୍ଯ୍ୟାୟ ।
– ହଁ ମାନୁଛି ମୁଁ ତମେ ଯାହା କହୁଛ ସତ । ଏଥିରେ ପୁରୁଷର ଔଦ୍ଧତ୍ୟ, ତା’ର ଅହଂରେ ସେ ଚୁରି ହେଉଥାଏ ପ୍ରତି ମୁହୂର୍ତ୍ତରେ । ସେଇଥିପାଇଁ ତ ସେ ସଂଘର୍ଷ ନ ଘଟିବା ପାଇଁ ମୁଁ ଚାହେଁ । ଚାହେଁ ମୁଁ ମୋ ସ୍ୱାତନ୍ତ୍ର୍ୟକୁ ନେଇ ମୋ ଅଫିସ ଚେୟାରରେ ବସେ । ମୁଁ ନିଜର ଅନ୍ତତଃ ମୂଲ୍ୟାୟନ କରି ଶିଖେ । ମୋର ତ ପୁଣି ଏକ ସ୍ୱତନ୍ତ୍ର ପରିଚୟ ଅଛି ଶୁଭେନ୍ଦୁ! ମୁଁ କ’ଣ ଚିର ଦିନ ତମର ସେଇ କ୍ରୀତଦାସର ପୃଥିବୀରେ ସ୍ତ୍ରୀ ହେଇ ବଞ୍ଚୁଥିବି ! ଆଉ ତମେ ମୋ ନିରବ ତ୍ୟାଗକୁ ଚିରଦିନ ଉପହାସ କରୁଥିôବ । ଆଉ କହୁଥିବ ଭର୍ତ୍ତା ରକ୍ଷତି ଯୌବନେ!
– କାଇଁ ମନୁ କ’ଣ ଭୁଲ୍ ଲେଖିଥିଲେ । ମୁଁ ତ ବିବାହ ପରେ ରକ୍ଷା କରିଆସିଛି ତମକୁ ।
-ସେଇଟା ମୁଁ କେବଳ ୟୋର ମାଜେଷ୍ଟି କହି ଆସିଛି ବୋଲି । କେବେ ଅନ୍ତରଙ୍ଗ ସାଥିଟିଏ ହୋଇପାରିଛ ମୋର?
– ମନେରଖ ମିଥି ତମେ କେବଳ ବଢ଼ନ୍ତା ନଈ କୂଳର ପଥର ଖଣ୍ଡେ । ବେଶି ଉଛୁଳିଲେ ଭାସିଯିବ ମିଥି । ତେଣୁ କଥାରେ ଳଗାମ ଦେଇ ଶିଖ!
– ଯିଏ ସବୁ ସ୍ତ୍ରୀ ଚାକିରି କରିଛନ୍ତି ତାଙ୍କର କ’ଣ ପରିବାର ନାହିଁ ନା ସେମାନେ ଘର ସଂସାର କରିନାହାନ୍ତି । କିନ୍ତୁ ସେମାନଙ୍କ ସ୍ୱାମୀମାନେ ଏମିତି ତୁମପରି ଉଚ୍ଚ ପଦବୀରେ ଥାଇ ଏତେ ଅରଥୋଡକ୍ସ ନୁହଁନ୍ତି ।
ନାଁ ବୁଝିଲ ମିଥି ସବୁବେଳେ ତମର ଏତେ ସବୁ ବାଜେ କଥା ଶୁଣିବାକୁ ଧୈର୍ଯ୍ୟ ମୋର ଆଉ ନାହିଁ । ତମେ ତମର ଅସ୍ମିତା ଓ ଅସ୍ତିତ୍ୱ ବଜାୟ ରଖିବାର ଆଜି ଯେଉଁ ଧମକ ଦେଇଛ ସେଥିରେ ଶୁଭେନ୍ଦୁ ପଟ୍ଟଯୋଶୀ ଡରି ଯିବାର ମଣିଷ ନୁହେଁ! ବୁଝିଲ ତମକୁ ବାହା ହେଇ ମୁଁ ବଡ଼ ଭୁଲ୍ କରିଛି । ମସ୍ତବଡ଼ ଭୁଲ୍ ।
ମିଥିଳା କୋହରେ ଫାଟି ପଡ଼ିଲା । କହିଲା କ’ଣ ମୁଁ ତମର କଣ୍ଟା ହେଇଛି । ସବୁବେଳେ ମୋ ଉପରେ ଦୋଷ ଗୁଡ଼ା ଅଯଥା ଅଜାଡ଼ି ଦେଉଛ । ବାହା ପୂର୍ବରୁ ଏକଥା ଜାଣିପାରିଲନି ।
– କ’ଣ କରିବ ଚାକିରି କରି, ବାରମ୍ବାର ମନା କରିଛି ଚାକିରି ଆମର ଦରକାର ନାହିଁ । ବାହାଘର ଚାରିବର୍ଷ ହେଇଗଲା ପିଲାଟେ ତ ଜନ୍ମ କରି ପାରିଲନି । କାଇଁ ସେକଥା ତ କହୁନ ।
ଭାଙ୍ଗି ପଡ଼ିଲା ମିଥିଳା ଖଣ୍ଡ ଖଣ୍ଡ ହେଇ ନିଜ ଭିତରେ । କି ପ୍ରତାରଣା । ପିଲାଟିଏ ନ ହେବାର କାରଣ ଶୁଭେନ୍ଦୁଙ୍କ ପାଖରେ ହିଁ ଅଛି । ରାତି ରାତି ଅଳି କରିଛି ପିଲାଟିଏ ପାଇଁ ମିଥିଲା ତା’ ସ୍ୱାମୀ ବୋଲାଉଥିବା ସେଇ ଜଘନ୍ୟ ପୁରୁଷଟି ପାଖରେ । ଅଥଚ ବୁଝାଇ ଦିଏ ସେ ଚଟ୍ କରି ତା’ ଭାଷାରେ ଯେତେ ଦିନ ପର୍ଯ୍ୟନ୍ତ ତୁମ ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ଥିବ ତମର ସେତେଦିନ ପର୍ଯ୍ୟନ୍ତ ଶୁଭେନ୍ଦୁ ପଟ୍ଟଯୋଶୀର ତମେ ପ୍ରେମିକା ହେଇ ରହିଥିବ ମିଥି । ପୁରୁଷର ସବୁଠୁ ବଡ଼ ଲୋଭ ହେଲା ନାରୀର ଦେହ ମିଥିଳା । ତମେ ମାଆ ହେଇଗଲେ ମୋର ତମଠାରେ ଲୋଭ ରହିବ ନାହିଁ । ଭାବିପାରୁଛ ତ । ସେତେବେଳେ ତମେ ଆଉ ମୋତେ ଦୋଷ ଦେବ ନାହିଁ । ନିରୁପାୟ ହେଇ ନିଜ ହୃଦୟ ପାଖରେ ପରାଜିତ ହୁଏ ମିଥିଳା । କାମନାବାସନା ପରିପୂର୍ଣ୍ଣ ଗୋଟେ କଦାକାର ଅପଦାର୍ଥ ଲୋକଟେକୁ ସ୍ୱାମୀ ବୋଲି ସେ ମୁହୂର୍ତ୍ତରେ ମନେ ମନେ ଘୃଣା କରେ ସେ । ଭାବେ ଶୁଭେନ୍ଦୁ ହିଁ ତା’ ନାରୀତ୍ୱକୁ ଅପମାନିତ କରୁଛି । ତା’ ସ୍ୱାଭିମାନରେ ଆଘାତ କରୁଛି ବାରମ୍ବାର । ତେବେ କାହିଁକି ଏ ଭଲ ପାଇବାର ମିଛ ପ୍ରହେଳିକା । ଲାଗେ ସେ ଯେମିତି ଫାଟିଯିବ । ଧୀରେ ଧୀରେ ମିଥିଳା ନଷ୍ଟ ହେବା ଅପେକ୍ଷା ଦିନେ ବିସ୍ପୋରଣ କରି ଫାଟିଗଲେ ଭଲ । ଶୂନ୍ୟତାରେ ଘୁଣ ଖାଏ ତା’ ମନ । ସେଥିପାଇଁ ତ ଶୂନ୍ୟତାକୁ ଭୁଲିଯାଇ ସେ ଚାକିରି କରିବାକୁ ଚାହେଁ । ମନେ ମନେ ଶକ୍ତ ହେଲା ସେ । କହିଲା ନାରୀକୁ ମାଆଟିଏ ହେବାକୁ ସମୟ ଲାଗେନା ଶୁଭେନ୍ଦୁ । ସେ ବିନା ପ୍ରୟାସରେ ଏକ ଜାରଜକୁ ଗର୍ଭରେ ଧାରଣ କରିପାରେ । କିନ୍ତୁ ସ୍ୱାମୀର ଗଭୀର ଭଲପାଇବାର ସେଇ ମୋହଟି ଯେତେବେଳେ ମଞ୍ଜରିତ ହୁଏ ଦେହ ଓ ମନର ଶାଖା ପ୍ରଶାଖାରେ, ଆନନ୍ଦର ରଙ୍ଗ ଉକୁଟି ଉଠି ପଟୁଆର ମେଲାଏ ଦେହରେ ସେତେବେଳେ ସେ ମାଆ ହେବାର ସ୍ୱପ୍ନରେ ଜୁଡୁବୁଡୁ ହୁଏ । ସେ ଅନୁଭୂତି ତମର ନାହିଁ ଶୁଭେନ୍ଦୁ, ତମେ ଜଣେ ଅପଦାର୍ଥ, ଆଉ ଏ ଅପଦାର୍ଥର ପିତୃତ୍ୱକୁ ମୁଁ ଅବମାନନା କରେ । ଏମିତି ସାଂଘାତିକ କଥା ପ୍ରଥମ ଥର କହି ସେ ବେଡ୍ ଉପରେ ଝାଳେଇ ଗଲା । ଶୁଭେନ୍ଦୁ ଭୟଙ୍କର ରାଗି ଗଲା । କହିଲା, କି ସାହସ ତମର! ମୋତେ ତୁମେ ଚ୍ୟାଲେଞ୍ଜ କରୁଛ । ଜାରଜ ସନ୍ତାନର ମାଆ ହେବାକୁ ଧମକ ଦେଉଛ । ମନେରଖ ଆମ ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀର କେବେ ଅସ୍ତିତ୍ୱ ନଥିଲା କି ନାହିଁ ।
– ଦୁନିଆ ବଦଳିଛି ଶୁଭେନ୍ଦୁ! ନାରୀ ଏବେ ଅଧିକ ସ୍ୱଚ୍ଛନ୍ଦ ଭାବରେ ପୁରୁଷ ବିନା ଜୀଇଁ ଶିଖିଲାଣି । ତମ ନିଷ୍ଠୁରତାରେ ସେ ଆଉ ହତବାକ୍ ହେବନାହିଁ । ସେ ଘାସଫୁଲ ନୁହେଁ ଯେ ତମେ ଦଳି ମକଚି ତାକୁ ରାସ୍ତାରେ ଫିଙ୍ଗିଦବ । ଆଉ ସମସ୍ତେ ତା’ ଅସହାୟତାର ଫାଇଦା ଉଠାଇବେ । ମନେରଖ ସ୍ତ୍ରୀର ବିନା ସ୍ୱୀକୃତିରେ ସ୍ୱାମୀ ଯଦି ତାଠୁ ଜବରଦସ୍ତ ଦେହ ସୁଖ ଆଦାୟ କରେ, ତାକୁ ମୈଥୁନ କରେ, ସେଟା ପୁରୁଷର ଅହମିକା ନୁହେଁ ଶୁଭେନ୍ଦୁ । ସେଟା ପ୍ରେମ ନୁହେଁ ତାହା ଧର୍ଷଣ, ଯାହା ଆଜି ପର୍ଯ୍ୟନ୍ତ ତୁମେ ମୋ ସହିତ କରି ଆସିଛ । ପ୍ରେମ ନାଁରେ ତୁମ ବଳାକ୍ରାରରେ ତୁମେ ପ୍ରତିଟି ରାତି ମୋତେ ଅତିଷ୍ଠ କରିଛ । ମୋ ଦେହକୁ କେବଳ କ୍ଷତବିକ୍ଷତ କରିଛ । ମୁଁ ମହମବତୀ ପରି କେବଳ ତରଳିଛି ଶୁଭେନ୍ଦୁ । ତମେ ମୋତେ ଶୂନ୍ୟ କରିଛ ସିନା କେବେ ପୂର୍ଣ୍ଣ କରିନାହଁ । ତୁମ ରତିରେ ମୁଁ କେବଳ ଅଙ୍ଗାର ହେଇଛି । କିନ୍ତୁ ଆଉ ନୁହେଁ ଶୁଭେନ୍ଦୁ । ତୁମ ପ୍ରତାରଣାର ସେଇ ନୀଳ ବିଷ ମୁଁ ପିଇବାକୁ ଆଜି ଅକ୍ଷମ । ଶୁଭେନ୍ଦୁ କ୍ରୋଧରେ ଚିକ୍ରାର କଲା, ଷ୍ଟପ୍ ମିଥି ଷ୍ଟପ୍! ତମ ସ୍ନାୟୁର ବହ୍ନି ମୋତେ ଜାଳିପାରିବ ନାହିଁ ମିଥି, ତୁମେ ଚିରଦିନ ଏମିତି ମିଥ୍ୟା ଆର୍ତ୍ତନାଦ କରୁଥିବ ସିନା ଶୁଭେନ୍ଦୁ ତୁମକୁ କେବେ ମୁକ୍ତି ଦବ ନାହିଁ । ଅଧିକା ଆଗାଅ ନାହିଁ । ପରିଣାମ ବିଷମ ହେବ ।
ମିଥିଳା କିନ୍ତୁ ଥମିଲା ନାହିଁ । ଆଜି ସେ କାପାଳିକ ସାଜିଛି । ଅଙ୍ଗପ୍ରତ୍ୟଙ୍ଗରେ ଝଡ଼ର ଗଜଲ । ଉଠି ଠିଆ ହେଲା ସେ । କହିଲା, ମୁକ୍ତି ମୋତେ ତମେ କ’ଣ ଦେବ ଶୁଭେନ୍ଦୁ? ମୁକ୍ତି ମୋର ଜନ୍ମଗତ ଅଧିକାର । ତୁମ ଫୁକ୍ରାରରେ ମୁଁ ରୁଗ୍ଣ ହେବି ନାହିଁ ବରଂ ତୁମେ ଦିନେ ବାହୁନୁଥିବ ଶୁଭେନ୍ଦୁ । ସେତେବେଳେ ତୁମ ପାଖରେ କେହି ନଥିବେ । ତୁମେ ଜଣେ ତ୍ରସ୍ତ ପଳାତକ ପରି ଜୀବନ କୁୟ୍ଜରୁ ପଳାୟନ କରି ତୁମ ଅଥର୍ବ ପୁରୁଷତ୍ୱକୁ ନେଇ ପ୍ରଳାପ କରୁଥିବ । ଏଥର କ୍ରୋଧରେ ଥରି ଉଠି ଶୁଭେନ୍ଦୁ ଗୋଟେ ଶକ୍ତ ଚାପୁଡ଼ା କଷିଦେଲା ମିଥିଳା ଗାଲରେ । କହିଲା କ୍ରୀତଦାସର ପୃଥିବୀରେ ପୁଣି ବସନ୍ତର କୁହୁ । ମିଥିଳାର ଦୁଇ ନିଷ୍ପାପ ଆଖିରୁ ନିଅାଁ ଝୁଲ ଝରୁଥିଲା । ନାଁ ମିଛ ପ୍ରଣୟ ପାଇଁ ସେ ନିଜକୁ ମାମୁଲି ଜଣେ ସ୍ତ୍ରୀ ପରି ନିଷିଦ୍ଧ କରିପାରିବ ନାହିଁ ସ୍ୱାମୀର ଆନୁଗତ୍ୟ ସ୍ୱୀକାର କରି । ଥରି ଉଠୁଥିବା ଓଠକୁ ସେ ଦାନ୍ତରେ ଚାପି ଧରିଲା । ଝରିପଡ଼ିଲା ତାଜା ରକ୍ତର ଟୋପା । ଶୁଭେନ୍ଦୁ ଝଡ଼ ପରି ତା’ ରୁମ୍ରୁ ବାହାରିଗଲା ଆପଣା ଛାଏଁ । ଦୁଃଖ କଲା ନାହିଁ ମିଥିଳା । ସକାଳ ହେଇ ଆସୁଥିଲା । ଅନେକ ରାତି ଏହିପରି କଟିଛି । ଶୀତଳ ଅନ୍ଧକାରରେ ତା’ ଶୀର୍ଣ୍ଣ ଦେହକୁ ଅଣ୍ଡାଳି ଅଣ୍ଡାଳି ମନେମନେ ଶୁଭେନ୍ଦୁଠୁ ମୁକ୍ତି ଚାହିଁଛି ସିନା ସଂଗ୍ରାମ କରିପାରି ନାହିଁ । ନା ସେ ଏଥର ମୁକ୍ତି ନେବ । କ୍ରୀତଦାସ ପରି ପୁରୁଷର ସାନିଧ୍ୟ ଆଉ ତା’ର ଲୋଡ଼ା ନାହିଁ । କେବଳ ତା’ ଇଚ୍ଛା ବିରୁଦ୍ଧରେ ଶୁଭେନ୍ଦୁ କେତେ ରାତି ତା’ ତୃଷ୍ଣାକୁ ନିରବଚ୍ଛିନ୍ନ ଭାବରେ ଧୋଇଛି ତା’ ଦେହର ଉପକୂଳରେ । ସ୍ୱୀକୃତି ନ ଥାଇ ତା’ ଦେହକୁ ଉଜୁଡାଇ ବାରମ୍ବାର ଧର୍ଷଣ କରିଛି ତାକୁ । କି ଅପାରଗ ତା’ ସ୍ୱାମୀ କେବଳ ଦେହକୁ ଧ୍ୱସ୍ତ କରିବା ଶିଖିଛି ସିନା କେବେ ବି ତର୍ପଣ କରି ଶିଖିନି ନିଜକୁ, ମନକୁ ତା’ର ଆପଣେଇ ପାରିନି । ଆଉ ନୁହେଁ, ସେ ମାଗିବ ନାହିଁ ଆଞ୍ଜୁଳି ପାତି ମୁକ୍ତି । ମୁକ୍ତି ହିଁ ତା’ର ଅଧିକାର! ଆଉ ଅନୁତାପର ଶ୍ରାବଣରେ ଧୋଇବ ନାହିଁ ତା’ ଅଲୋଡ଼ା ଦେହକୁ । ସେଦିନ ସେ ଅଧ୍ୟାପିକା ଚାକିରିରେ ଯୋଗ ଦେଲା । ଆଉ ଠିକ୍ ତିନିଦିନ ପରେ ଶୁଭେନ୍ଦୁ ଫେରିଲା ଘରକୁ । ସେହି ଘରେ ସେଦିନଠୁ ସେମାନେ ଚଳିଲେ ଅଜଣା ଅଶୁଣା ଦୁଇଟି ମଣିଷ ପରି । ମିଥିଳା ତା’ କର୍ତ୍ତବ୍ୟରେ ହେଳା କରେ ନାହିଁ । ଯେମିତି ରାନ୍ଧିବାଢ଼ି ଦେବା କଥା ସେମିତି କରେ । ଘର କାମ କରି ସାରି ଟେବୁଲ୍ ଉପରେ ଖାଇବା ସଜାଡ଼ି ଦେଇ କଲେଜ ଯାଏ । ବେଳେବେଳେ ମଥିତ ହୁଏ ମନ । ଆହା ବିଚରା ଶୁଭେନ୍ଦୁ । କିନ୍ତୁ ଜୀବନକୁ ନୂତନ ଠାଣିରେ ଦେଖିବାକୁ ସେ ଶପଥ ନେଇଛି । ଆଉ କାହିଁକି ସେ ପଛକୁ ଫେରି ଦୁର୍ବଳ ହେବ । ତା’ ଅଧୁରା ଜୀବନକୁ ପୂର୍ଣ୍ଣ ରୂପରେ ଦେଖିବାକୁ ବେଳେବେଳେ ଇଚ୍ଛା ହୁଏ ତା’ର । ହୃଦୟ ହୁଏ ଅଥୟ । ପୁଣି ଭୟ କରେ ସେ । ପୁଣି ପ୍ରତିଶ୍ରୁତି, ପୁଣି ପ୍ରେମ ଭିକ୍ଷା, ପୁଣି କ୍ରୀତଦାସର ଅଶ୍ରୁଳ କାବ୍ୟ । ନାଁ ପ୍ରେମ ତା’ର ପ୍ରଦୂଷିତ ହେବା ପରେ ଆଉ ଜୀବନରେ ସେ ଖଳନାୟକ ଚାହେଁ ନାହିଁ । ତେଣୁ ଏ ବନ୍ଧନକୁ ଭାଙ୍ଗିବାକୁ ହେବ । ସେଦିନ ରବିବାର ଅପରାହ୍ଣ । ଶୁଭେନ୍ଦୁ ବିଶ୍ରାମ ନେଉଛନ୍ତି ତାଙ୍କ କକ୍ଷରେ । ମିଥିଳା ତା’ର କିଛି ଲୁଗାପଟା ସଜାଡ଼ି ବାକ୍ସରେ ଭରିଲା, ତା’ପରେ ସିଧା ଗଲା ଶୁଭେନ୍ଦୁ ରୁମ୍କୁ । କହିଲା ଆମେ ଏ ପ୍ରହସନରେ ଆଉ କେତେଦିନ ଚଳିବା! ଦୁଇବର୍ଷ ହେଇଗଲା । ମୋ ଜଞ୍ଜିର ବି ଢିଲା ଲାଗିଲାଣି । ତମେ ତମ ମନ ମୁତାବକ ପୁନର୍ବାର ବିବାହ କର ଶୁଭେନ୍ଦୁ । ଉଜୁଡ଼ି ଯାଇଛି ଆମ ଦି’ଦିନିଆ ପ୍ରେମର କାହାଣୀ । ମୁଁ ତମ ଜୀବନର ଅନ୍ଧାର ଥିଲି । ତମଠୁ ମୁଁ କିଛି ଦାବି କରୁନି । ମୁକ୍ତି ମୋର ଅଧିକାର । ମୋତେ ହସି ହସି ବିଦାୟ ଦେଲେ ମୁଁ ଖୁସି ହେବି ।
ଆଉ କ’ଣ ଭାବି ଥାଆନ୍ତା ପୁଅ ଜୀବନ ଆସି କହିଲା ମାମା ଖାଇବାକୁ ଦିଅ । ଚମକି ପଡ଼ିଲା ସେ । ଏତେ ସମୟ ଧରି ଅତୀତର ସେଇ ଛିନ୍ନ ପୃଷ୍ଠା ବାଟ ଓଗାଳି କିଛି ଦୀର୍ଘଶ୍ୱାସ ଛାଡ଼ି ଦେଇ ଯାଇଛି । ନାଁ ଆଉ କାହିଁକି ସେ ଲହୁଲୁହର ଅତୀତକୁ ଉଖାରି ବସି ଯନ୍ତ୍ରଣା ପାଇବ । ଏବେ ସତରେ ଜୀବନ ତା’ର ପୂର୍ଣ୍ଣ ହେଇଛି । ସେ ପ୍ରକୃତିସ୍ଥ ହେଇ ଜୀବନକୁ ଖାଇବାକୁ ଦେବା ପାଇଁ ଉଠିଲା । ସତ୍ୟଜିତ ସହିତ ଏବେ ଅବସର ପରେ ମର୍ଣ୍ଣିଂୱାକ୍ କଲାବେଳେ ସେ ପ୍ରାୟ ଶୁଭେନ୍ଦୁଙ୍କୁ ଭେଟେ । ବୁଢ଼ା ଶୁଭେନ୍ଦୁ ଏକଲା ବଙ୍କୁଲି ବାଡ଼ି ଧରି ମର୍ଣ୍ଣିଂୱାକ୍ କରେ । ନିଜ ଜୀବନର ପରାଜୟକୁ ଭୁଲି ସତ୍ୟଜିତଙ୍କୁ ହାତ ଟେକି ନମସ୍କାର କରେ । ମିଥିଳାକୁ ଭଲମନ୍ଦ ପଚାରେ । ଦିନେ ମିଥିଳା ତା’ର କ୍ଷୁଧା ଥିଲା । ଥିଲା ତା’ ପୁରୁଷପଣିଆର ଅହକାଂରର କ୍ରୀତଦାସୀ । ହେଲେ ଅତିକ୍ରାନ୍ତ ସେସବୁ । ଏବେ ସେ ସତ୍ୟଜିତ ରାୟଙ୍କ ଜୀବନର ମୋହନ ବଂଶୀର ମଧୁର ମୂର୍ଚ୍ଛନା । ତାଙ୍କ ପୁଅ ଜୀବନର ଜନ୍ମଦାତ୍ରୀ । ଶୁଭେନ୍ଦୁ ମୁହଁ ଫେରାଏ ମନେ ମନେ ପରାଜିତ ଅତୀତକୁ ଉଖୁରାଏ । ସତ୍ୟଜିତ ଆଜିକାଲି ବେଶି ସହଜ ହେଇ ଯାଆନ୍ତି ଶୁଭେନ୍ଦୁଙ୍କୁ ଦେଖିଲେ । ଫେରିଆସି ଘରକୁ କୁହନ୍ତି ମିଥି! ସତରେ , ଜୀବନ ଖୁବ୍ ମିଷ୍ଟି୍ରୟସ୍ । ତା’ଠାରୁ ବଳି ଏକ ନାରୀର ଜୀବନ । ମୁକ୍ତି ମାଗିଲେ ମିଳେନା ମିଥି । ଜୋର ଜବରଦସ୍ତ ଆଦାୟ କରାଯାଏ । ଏକଥା ଯେଉଁଦିନ ଏ ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ଜଣେ ଅନୁଭବ କରିବ ସେଦିନ ସେ ଏକ ଦୀର୍ଘ ଉଡ଼ାଣ ଦେବ । ଆଉ ଥମିବ ନାହିଁ ସେ ଉଡାଣ । ମିଥିଳା କହେ ସତ୍ୟଜିତ ତୁମେ ହିଁ ମୋର ଉଡ଼ାଣର ପ୍ରସାରିତ ଡେଣା । ଚିହ୍ନା ମନର ଚଢ଼େଇଟିଏ । ସେଥିପାଇଁ ତ ଆଉ ମୁଁ ମାଟି ମନସ୍କ ନୁହେଁ, ତୁମ ପାଇଁ ମୁଁ ପାଲଟିଯାଇଛି ଏକ ମେଘକନ୍ୟା ସତ୍ୟଜିତ୍ । ତୁମେ ହିଁ ମୋର ଆସ୍ପର୍ଦ୍ଧା ।