ସବୁ କିଛି ଅଚାନକ ।
ଅଚାନକ ତୁମ ସହ ଦେଖା ।
ଅଚାନକ ପଢ଼ିଲି ତୁମର ଲେଖା ।
ଅଚାନକ ଚିଠି ଦିଆନିଆ ।
ଅଚାନକ ଚୋରା ଚଇତାଳିର ଛୁଆଁ ।
ଅଚାନକ ଆଉ କିଛି…
ତମେ କହିଲ – ନା, ଅଚାନକ କିଛି ନୁହେଁ । ଅଚାନକ କିଛି ହୁଏ ନାହିଁ । ଯାହାକୁ ତୁମେ ଅଚାନକ କହୁଛ, ତାହା ଥିଲା ପୂର୍ବ ନିର୍ଦ୍ଧାରିତ ।
…କ’ଣ ବିଧି ନିର୍ଦ୍ଧାରିତ? ମୁଁ ପ୍ରଶ୍ନ କଲି ।
..ହଁ, ବିଧି ନିର୍ଦ୍ଧାରିତ । ତୁମର ସ୍ପଷ୍ଟ ଉତ୍ତର ।
.କେଉଁଠି ଅଛି ତୁମର ଏ ବିଧି ପୁସ୍ତକ? ଆଉ ତାକୁ ଲେଖିଥିବା ତୁମର ବିଧାତା? ବିଧିର ବିଧାତାକୁ କେବେ ଦେଖିଛ?
.. ଦେଖିଛକି କେବେ ପବନକୁ, ଯେଉଁ ପବନ ତୁମର ପ୍ରାଣସତ୍ତାକୁ ଧରି ରଖେ?
ମୋ ପ୍ରଶ୍ନରେ ଓଲଟା ପ୍ରଶ୍ନ ତମେ ମୋ ଆଡ଼କୁ ଫିଙ୍ଗି ଦେଲ । କିଛି ସମୟ ମୁଁ ନିରବ ରହିଲି ।
ତମେ ମଧ୍ୟ ନିରବ ।
ଏଇ ନିରବତା ଭିତରେ ଅନେକ କଥା କିନ୍ତୁ କୁହାହୋଇଗଲା । ଅନେକ କଥା ଲେଖି ହୋଇଗଲା ଅଲେଖା କାଗଜରେ । ଅଦୃଶ୍ୟ କାଳିରେ ।
ମୋ ପ୍ରଶ୍ନର ଉତ୍ତର ମତେ ମିଳିଯାଇଥିଲା ।
ସବୁକିଛି ଅଚାନକ, ଅଥଚ ଅର୍ଥହୀନ ନୁହେଁ ।
ଜୀବନର ଅର୍ଥ ଖୋଜିବାକୁ ଯାଇ ଆମେ ବେଳେବେଳେ ଜୀବନକୁ ଭୁଲିଯାଉ । ଅଣଦେଖା କରୁ ଜୀବନର ଅସଲ ଚାହିଦାକୁ । ଆମ ଚାହିଁବା ଅନୁସାରେ ଆମେ ଜୀବନକୁ ଗଢ଼ୁ ଓ ସଜାଡ଼ି ବସୁ । ଆଉ ଏ ଚାହିଁବା ପ୍ରକୃତରେ ଆମ ନିଜର ଚାହିଁବା ନୁହେଁ । ଏଥିରେ ଅନ୍ୟମାନଙ୍କର ଅର୍ଥାତ୍ ଆମ ଚାରିପଟେ ଆମକୁ ଘେରି ରହିଥିବା ଚରିତ୍ରମାନଙ୍କର ଚାହିଁବା ବା ନଚାହିଁବା ସବୁ ମିଶିଯାଇ ଥାଏ । ଆମେ ସେମାନଙ୍କ ଦୃଷ୍ଟିରେ ନିଜକୁ ଦେଖିବାକୁ ଚେଷ୍ଟାକରୁ । ନିଜକୁ ତଉଲିବସୁ । ନିଜ ପାଇଁ ନୀତି ପ୍ରସ୍ତୁତ କରୁ । କିନ୍ତୁ ଭୁଲିଯାଇଥାଉ ଯେ, ସବୁରି ଅଦୃଶ୍ୟରେ ଆମ ଅନ୍ତର ଭିତରେ ଆଉ ଗୋଟିଏ ଆଖି ଅଛି । ସେ ଆଖି ସହିତ ଆଖି ମିଳେଇବାକୁ ଆମର ବୋଧହୁଏ ସାହସ ହୁଏ ନାହିଁ । ସେ ଆଖି କିନ୍ତୁ ଅନେକ କଥା କହେ । ଅନେକ କଥା ଦେଖାଏ ।
ଆମେ କିନ୍ତୁ ଦେଖି ନ ଦେଖିବାର ଛଳନା କରୁ ।
ଛଳନା ହିଁ ଆମ ଜୀବନର ଚିତ୍ରକଥା ହୋଇଯାଏ ।
ପଛରେ ରହିଯାଏ ଛଳଛଳ ଜୀବନର କବିତା ।
ତମେ କବିତା ହୋଇ ବହିଯିବାକୁ ଚାହୁଁଥିଲ । ମୁଁ ବି । ମାତ୍ର ସେଥିପାଇଁ କ୍ଷେତ୍ର ନଥିଲା । ନଦୀରେ ବାଲି ଚରିଯାଇଥିଲା । କ୍ଷେତ୍ର ମଝିରେ କାନ୍ଥ ଉଠିଯାଇଥିଲା । ପବନରେ ଖେଳୁଥିବା ଶ୍ୟାମଳ କେଦାର ବଦଳରେ ଇଟା, ସିମେଣ୍ଟ, ବାଲିବସ୍ତାର ପାହାଡ଼ ଠିଆ ହୋଇଥିଲା ।
ଖୁବ୍ ପଛରେ ରହିଯାଇଥିଲା ସୁନ୍ଦର କଥା-କବିତାର କକ୍ଷ ଭିତରୁ ବାହାରି ଆମେ ପାହାଡ଼ର ଗୁମ୍ଫା ଭିତରେ ପଶିଯାଇଥିଲୁ ।
ସାମ୍ନାରେ ଧୂସର ପାହାଡ଼ ।
ପଛରେ ଧୂସର ଅତୀତ ।
ତମର ମନେପଡ଼ୁଛି, କେଉଁଠି ଆମର ଦେଖା ହୋଇଥିଲା?
ପାହାଡ଼ ପାଖରେ ନା ବାଲି ଚରିଯାଇଥିବା ନଦୀପଠାରେ?
ମାନସିଂହଙ୍କ ସହକାର ତଳେ ନା ପରିପୂର୍ଣ୍ଣ ସଂସାରର କୋଳାହଳ ଭିତରେ?
କେଉଁଠି? କେଉଁଠି ସତରେ? ଆଉ କେତେବେଳେ? କ’ଣ ଥିଲା ଋତୁର ରଙ୍ଗ? ବର୍ଷା ନା ବସନ୍ତ? ଖାଁ ଖାଁ ଖରାବେଳ ନା ଦେହଥରା ସଞ୍ଜୁଆ ଶୀତ?
ଅଦୃଶ୍ୟ ସମୟ । ଅଦୃଶ୍ୟ ସ୍ଥାନ । କେବଳ ଅଦୃଶ୍ୟ ମନଟି ହିଁ ଚକାଚକା ଭଉଁରି ଖେଳି ଘୂରି ବୁଲୁଥିଲା ମେଘ ସାଥିରେ, ମୃଦୁମନ୍ଦ ମଳୟରେ, ସକାଳ, ସଞ୍ଜ, ଖରାବେଳ ଓ ନିର୍ଜନ ନିଶୀଥକୁ ସାଙ୍ଗରେ ଧରି ସୀମାହୀନ ସ୍ୱପ୍ନର ଇଲାକାରେ ।
ତମେ ମତେ ଦେଖୁଥିଲ ।
ମୁଁ ତୁମକୁ ।
ନା, ଆମକୁ କେହି ଦେଖିପାରୁଥିଲେ ନା ଆମେ କାହାରିକୁ ।
ଦୃଶ୍ୟମାନ ଜଗତରେ ଅଦୃଶ୍ୟ ଏ ଖେଳ । ଅଦୃଶ୍ୟ ଏ ସମ୍ବନ୍ଧ ।
ଏ ସମ୍ବନ୍ଧକୁ ନେଇ କାହାଣୀଟିଏ ତମେ ଲେଖିପାର ।
‘ମୁଁ କାହିଁକି’, ତମେ କାହିଁକି ନୁହଁ?’ ବୋଲି ମୋତେ ପ୍ରଶ୍ନ କଲ ।
ମୁଁ କହିଲି – ନା ମୁଁ ଆଉ ଲେଖିପାରୁ ନାହିଁ । କାହାଣୀ ତ ବିଲ୍କୁଲ ନୁହେଁ । ମୋ ଲେଖା ତେଣୁ ‘କାହାଣୀ’ର ସମ୍ପାଦକଙ୍କ ପାଖରୁ ଫେରି ଆସୁଛି – ଏଥିରେ କାହାଣୀ ନାହିଁ ବୋଲି । ମୁଁ କୁଆଡ଼େ ଖାଲି ଶବ୍ଦକୁ ନେଇ ଖେଳୁଛି । ଶବ୍ଦକୁ ନେଇ ଚାଲିଛି ମୋର ରାସ ଓ ସହବାସ । ଜଣେ ସାଧାରଣ ପାଠକ କାହିଁକି ବା ବ୍ୟକ୍ତିବିଶେଷର ଭାବବିଳାସ ଓ ଶବ୍ଦରାସକୁ ନେଇ ନିଜର ପଠନ ପିପାସା ଚରିତାର୍ଥ କରିବ? କେଉଁ ଆଗ୍ରହରେ ବା ଆନନ୍ଦରେ? ସେ କାହାଣୀର ଘନରହସ୍ୟରେ ହଜିଯିବାକୁ ଚାହେଁ । କାହାଣୀ ବର୍ଣ୍ଣିତ ଚରିତ୍ରର ଆବେଗ ଓ ଉଦ୍ବେଗ ସହିତ ସେ ନିଜକୁ ସାମିଲ କରିବାକୁ ଚାହେଁ । କାହାଣୀ ତା’ ଭିତରେ କଳ୍ପନା ସୃଷ୍ଟି କରିପାରେ । ବାସ୍ତବତା ସହିତ ଯୋଡ଼ି ବି ପାରେ । ମୋର ପି୍ରୟ ଆଲୋଚକମାନଙ୍କ ଦୃଷ୍ଟିରେ ନା ମୋ କାହାଣୀରେ କିଛି କଳ୍ପନା ଅଛି, ନା ବାସ୍ତବତା ସହିତ ଏହାର କୌଣସି ସମ୍ବନ୍ଧ ।
.‘ତମେ କ’ଣ ସେମାନଙ୍କ ସହିତ ଏକମତ?’
.. ମୋର ଏକମତ ହେବା ନ ହେବାର କିଛି କଥା ନାହିଁ । ସେମାନେ ହୁଏତ ଠିକ୍ କହୁଛନ୍ତି । ବ୍ୟକ୍ତି ଭିନ୍ନରେ ଦୃଷ୍ଟିକୋଣ ବି ଭିନ୍ନ ହୋଇପାରେ ।
ଏଥର ତମେ ମୁହଁ ଖୋଲିଲ । କହିଲ, ଯଦି ସେମାନେ ଠିକ୍ କହୁଛନ୍ତି ବୋଲି ଭାବୁଚ, ‘ତା’ହେଲେ ନିଜକୁ ସଜାଡ଼ୁ ନାହଁ କାହିଁକି? କାହିଁକି ତମେ ପାଠକ ଚାହୁଁଥିବା, ସେମାନଙ୍କ ମନକୁ ଛୁଇଁ ପାରିଲା ଭଳି କାହାଣୀ ସୃଷ୍ଟି କରୁନାହଁ?’
‘ପାଠକକୁ ଛୁଇଁବା ପୂର୍ବରୁ ମୁଁ ପ୍ରଥମେ ନିଜକୁ ଛୁଇଁବାକୁ ଚାହେଁ । ପାଠକ କ’ଣ ଚାହୁଁଛନ୍ତି ବା ନ ଚାହୁଁଛନ୍ତି ସେଥିପ୍ରତି ମୋର ଧ୍ୟାନ ନଥାଏ । ମନ ବି ନଥାଏ ।’
‘ତା’ହେଲେ ତମେ ଲେଖ କାହା ପାଇଁ? ପାଠକଙ୍କ ପାଇଁ ନିଶ୍ଚୟ ।’
‘ହୋଇପାରେ, ନହୋଇ ବି ପାରେ । ମୁଁ ପ୍ରଥମେ ଲେଖେ ମୋ ନିଜ ପାଇଁ । ନିଜକୁ ବୁଝିବା ପାଇଁ । ନିଜେ ପଢ଼ି ଖୁସି ହେବା ପାଇଁ । ଯଦି ମୋତେ ପଢ଼ି କେହି ପାଠକ ଖୁସି ହୁଅନ୍ତି, ତେବେ ତାହା ମୋର ସୌଭାଗ୍ୟ । ସେଥିରେ ମୁଁ ଖୁସି ହେବି ନିଶ୍ଚୟ । ମାତ୍ର ଯଦି ମୁଁ ପାଠକଙ୍କ ଚାହିଁବା ଅନୁସାରେ ନିଜକୁ ସଜାଡ଼ି ପାରୁନାହିଁ, ତା’ହେଲେ ମୋର କିଛି କରିବାର ନାହିଁ । ମୋତେ ଗ୍ରହଣ କରିବା ନ କରିବା ସେମାନଙ୍କ ସମସ୍ୟା । ମୋର ନୁହେଁ ।’ ଏତିକି କହି ମୁଁ ନିରବ ରହିଲି ।
ମୋର ଯୁକ୍ତି ତମକୁ ଅଦ୍ଭୁତ ମନେହେଲା ବୋଧହୁଏ । ପଚାରିଲ, ‘କାହାଣୀ ନଥିବା କାହାଣୀ ଲେଖ କାହିଁକି?’
ମୁଁ କହିଲି, ‘କାହାଣୀ ନଥିବା କାହାଣୀ ବୋଲି ପ୍ରକୃତରେ କିଛି ନାହିଁ । ପ୍ରକୃତ କଥା ହେଲା, ଜୀବନର କାହାଣୀ ସମସ୍ତଙ୍କ ପାଇଁ ସମାନ ନୁହେଁ । ସମସ୍ତଙ୍କ ଜୀବନ କାହାଣୀ ଏକ ସମାନ ନିର୍ଦ୍ଦିଷ୍ଟ ଧାରାରେ ଯେ ଗତି କରିବ, ଏମିତି କିଛି କଥା ନାହିଁ । ମୋ କାହାଣୀ ହେଉଛି ମୋ କାହାଣୀ । ଏ କାହାଣୀରେ ଆରମ୍ଭ ଥାଇପାରେ, ଶେଷ ନ ଥାଇପାରେ ।
ଶେଷରୁ ବି ଆରମ୍ଭ ହୋଇପାରେ କାହାଣୀ କିମ୍ବା ଆରମ୍ଭରୁ ବି ଶେଷ ହୋଇଯାଇପାରେ । ଦୁଇଟି ଚରିତ୍ରଙ୍କ ମଧ୍ୟରେ ବିନା ଦେଖା ସାକ୍ଷାତ ଏବଂ ଆଳାପ ଆଲୋଚନା ବିନା କାହାଣୀଟିଏ ମଧ୍ୟ ସୃଷ୍ଟି ହୋଇଯାଇପାରେ । କୌଣସି କଥା, କାର୍ଯ୍ୟ ବା କାରଣ ନଥାଇ ମଧ୍ୟ ଜୀବନର କାହାଣୀଲେଖା କ’ଣ ସମ୍ଭବ ନୁହେଁ?’
ତମେ ଆଶ୍ଚର୍ଯ୍ୟ ଦୃଷ୍ଟିରେ ମତେ କେବଳ ଚାହିଁ ରହିଥିଲ । ଆଉ ମୁଁ ତମ ଆଗରେ କାହାଣୀ ନଥିବା କାହାଣୀ ଗପି ଚାଲିଥିଲି । ପଚାରିଲି, ଆଛା କହିଲ ଦେଖି, ତମେ ବିନା ନିଦରେ କେବେ ସ୍ୱପ୍ନ ଦେଖିଛ? ବିନା କାରଣରେ କାନ୍ଦି ପାରିଛ? ଏକା ଏକା ଘର ଅଗଣାରେ ବା ଛାତ ଉପରେ ଅନ୍ଧାର ରାତିରେ ଦେହର ବେଶ ବାସ ସବୁ କାଢ଼ିଦେଇ ନାଚିଛ? ରାସ୍ତା ମଝିରେ ବଡ଼ ପାଟିରେ ହୁଇସିଲ୍ ମାରି ଗୀତ ଗାଇ ଗାଇ ଚାଲିପାରିବ? କୁହ, ଏସବୁ କାହାଣୀର ଅଂଶ ବିଶେଷ ହୋଇପାରିବ ନା ନାହିଁ?
ପୂର୍ବ ଭଳି ତମେ ନିରବ ଥିଲ । ସେଇ ନିରବତା ଭିତରେ ମତେ ତମେ ବୁଝିବାକୁ ଚେଷ୍ଟା କରୁଥିଲ ।
ଆଉ ମୁଁ? କିଛି କ୍ଷଣ ନିରବତା ପରେ ମୁଁ କହିଲି – ଯାହା ମୁଁ ପାରୁନାହିଁ ବା ପାରିଲି ନାହିଁ ବୋଲି ଭାବୁଛ, ତାହା ତମେ କରି ଦେଖାଅ । ମୋର ଶେଷରୁ ତମର ଆରମ୍ଭ ହେଉ ।
ପ୍ରଶ୍ନିଳ ଦୃଷ୍ଟିରେ ମତେ ଚାହିଁ ତମେ ଏଥର ମୁହଁ ଖୋଲିଲ । କହିଲ – କ’ଣ କହିବାକୁ ଚାହଁ ତମେ?
‘ମୋର ଶେଷରୁ ତମର ଆରମ୍ଭ ।’
‘ମାନେ?’
ମୁଁ ହସିଲି । ମନଖୋଲା ହସ । କହିଲି – ସବୁ ଆରମ୍ଭର ଶେଷ ଥାଏ । ସମୟ କୁହ ବା ସଭ୍ୟତା, ଧୀରେ ଧୀରେ ବିକାଶ ଓ ବିସ୍ତାର ଲାଭ କରି ଶେଷରେ ପୁଣି ସେଇ ଆରମ୍ଭ ଅବସ୍ଥାକୁ ଫେରିଆସେ । ଅର୍ଥାତ୍ ସବୁ କିଛି ଶେଷ ହୋଇଯାଏ । ସୃଜନରୁ ଧ୍ୱଂସ । ପୁଣି ଧ୍ୱଂସାବସ୍ଥାରୁ ସର୍ଜନାର ଲୀଳାଖେଳା ଆରମ୍ଭ ହୋଇଯାଏ । ଏମିତି ଦେଖିବାକୁ ଗଲେ ଶେଷ ବୋଲି କିଛି ନଥାଏ । ଏହା ଏକ ଅସରନ୍ତି ଧାରା । ମୋ ଭିତରୁ ଯଦି ସବୁ କିଛି ଶେଷ ହେବାକୁ ବସିଛି, ସେଇ ଶେଷ ସୂତ୍ରରୁ ହିଁ ଆରମ୍ଭ ହେଉ ତୁମ ଜୀବନର କାହାଣୀ ଲେଖା । ଲେଖ । ଲେଖିଚାଲ । କବିତାରୁ କାହାଣୀକୁ ଆସ । କବିତା ହୋଇ ବହିଗଲାବେଳେ କୂଳରେ ତମେ ତିଆରି କରିନିଅ କାହାଣୀର ବସାଘରଟିଏ । ଇଚ୍ଛା ହେଲେ ଦି’ ଦିନର କୁଣିଆ ଭାବି ମୋତେ ଡାକି ନେଇପାର ତୁମର ସେଇ ବସାଘରକୁ । ତମ ହାତଗଢ଼ା ଓ ସ୍ୱପ୍ନ ସଜଡ଼ା କାହାଣୀର ବସାଘରକୁ ଦେଖି ମୁଁ ଭୁଲିଯାଇ ପାରିବି ମୁଁ ଗଢ଼ି ପାରୁନଥିବା କାହାଣୀର ଦୁଃଖ ।
ଗଢ଼ିବାର ବେଳ ମୋର ଶେଷ ହୋଇଯାଇଛି । ଏବେ ତୁମ ପାଇଁ ଆରମ୍ଭର ବେଳା । ସେଇଥିପାଇଁ ତ କହିଲି, ମୋର ଶେଷରୁ ତମର ଆରମ୍ଭ । ଚିର ଅତୃପ୍ତି ଭିତରେ ମୋର ଶେଷ ହେଲା ବେଳକୁ ତୁମେ ଆରମ୍ଭ କରୁଛ ଚିରଚଞ୍ଚଳା ସ୍ରୋତସ୍ୱିନୀ ଭାବରେ । ତମେ ଆଶାମୟୀ । ମୋର ଶେଷ ଜୀବନରେ ଆଶାର କିରଣ । ଅନ୍ତିମ ଆକର୍ଷଣ । ନଥିବା କାହାଣୀର କାହାଣୀଟିଏ ।
ସବୁ କାହାଣୀର ଶେଷ ଅଛି ।
ମାତ୍ର ନଥିବା କାହାଣୀର ଶେଷ କାହିଁ?