ଟୋକାଟି ତାକୁ ମାମା ବୋଲି କାହିଁକି ସମ୍ବୋଧନ କରୁଥିଲା? ସେତିକି ପରିଚୟ ଓ ସମ୍ପର୍କିତ ହୋଇଥିବା କେହି ଏମିତି ସମ୍ବୋଧନ କରିବାକୁ ସାହସ କରୁନଥିଲେ କିମ୍ବା ଯଥାର୍ଥ ମଣୁନଥିଲେ । ତଳତଳିଆ କିଛି ତାକୁ ମା’ ଡାକୁଥିଲେ- ଅନ୍ୟମାନେ ଦିଦି, ମାଡାମ, ଭାଉଜ କିମ୍ବା ମାଉସୀ ।
କିନ୍ତୁ ଟୋକାଟି ଡାକୁଥିଲା ମାମା ।
ରଶ୍ମି ଭିତରେ ଅଲିଖିତ କିଛି ଗୋଟେ ଥିଲା ଯେ, ତା’ ପୁଅ ଛଡ଼ା ଆଉ କେହି ତାକୁ ଏମିତି ଡାକିବା କଥା ନୁହେଁ । କିନ୍ତୁ ଟୋକାଟି, ଯିଏକି ପୁଅର ଟୁ୍ୟସନ ସାର୍ । ମାତ୍ର ଯାହାର ପାଠପଢ଼ା ଶୈଳୀ, ଦକ୍ଷତା ଉପରେ ତା’ର ଏଣିକି ଭୀଷଣ ସନେ୍ଦହ ଓ ପୁଅ ଉପରେ ତା’ର ସକାରାତ୍ମକ ପ୍ରଭାବ ଓ ନିୟନ୍ତ୍ରଣ କରିବା କ୍ଷମତା ଓ ଅନୁପ୍ରାଣିତ କରିବାର ବ୍ୟକ୍ତିତ୍ୱ ଉପରେ ଅନେକ ଦ୍ୱନ୍ଦ୍ୱ, ଯାହାକୁ ତଡ଼ିବାର କିଛି ସହଜ ସରଳ ନିର୍ଣ୍ଣାୟକ ଉପାୟ ସେ କରାୟତ କରିପାରୁନାହିଁ । ଗଲା ଦୁଇମାସ ହେଲା ତାକୁ ସହ୍ୟ କରି ଆସୁଚି, ସେ ତାକୁ ମାମା ସମ୍ବୋଧନ କରୁଥିଲା, ଠିକ୍ ତା’ ପୁଅ ସ୍ୱରରେ ନହେଲେ ବି, ପ୍ରାୟ ସେଇ ସ୍ୱରରେ । ତା’ କଣ୍ଠସ୍ୱର ଯଦିଓ ଧୀର ଶାନ୍ତ, ଆଖି ତଳକୁ ଥାଏ, କିନ୍ତୁ ତା’ ପାଟିର ମାମା ଶବ୍ଦ ତା’ଠି ଅଦ୍ଭୁତ କିଛି ଖେଳେଇଦିଏ । ସେଇଟା କ’ଣ ବୋଲି ଭାବିହୁଏ ରଶ୍ମି ।
କିଛିଟା ରାଗ, କିଛିଟା ବିରକ୍ତି ଆଉ ଦୟା ସହ ମମତାର ମିଳିମିଶି ଗୋଟେ ଅଦ୍ଭୁତ ସମ୍ବୋଧନ । ତଥାପି ତାକୁ କହିବାକୁ ହେଲା, ଆପଣ ଆଉ ଆସନ୍ତୁନି । ଆପଣ ନିଜେ ତ ମାନୁଚନ୍ତି, ଏତେଦିନ ପଢ଼ାଇଲା ପରେ ବି ତା’ର କିଛି ଉନ୍ନତି ହୋଇନି । ଉନ୍ନତି ହେବ କ’ଣ, ଏ ଟର୍ମରେ ତ ଦୁଇଟା ବିଷୟରେ ଫେଲ୍ ମାର୍କ ରହିଚି । ଆପଣ ନଆସିବାଟା ଠିକ୍ ହେବ । ମୁଁ ତାକୁ ନିଜେ ଦେଖିବି ଭାବୁଚି-
କଥା ଗୁଡାକ ଖାଲି ରୁକ୍ଷ ନୁହେଁ ସେଥିରେ ଅଭଦ୍ରାମି ବି ଲଟପଟ ଦିଶୁଥିଲା । କଥାଗୁଡ଼ାକ କଥା ନୁହେଁ, ଟେକା ଫୋପାଡ଼ିଲା ଭଳି ଫୋପାଡ଼ି ଦେଇ ରଶ୍ମି ଭିତରକୁ ଚାଲିଗଲା । ରୋଷେଇ ଘରେ କିଛି ସମୟ ଥାକ ଆଡକୁ ମୁହଁ କରି ଠିଆ ହେଲା । ଆଶ୍ଚର୍ଯ୍ୟ ଲାଗିଲା ତାକୁ । ଏମିତି ନିଷ୍ଠୁର ଶବ୍ଦ ଓ ସ୍ୱର କୋଉଠି ଥିଲା ତା’ର? ପାଇପ ଖୋଲି ମୁହଁ ଧୋଇଲା । ତଥାପି ତାକୁ ଭଲ ଲାଗିଲାନି । ଲୋକଟିର ମୁହଁ ଉପରକୁ ଏମିତି ଫୋପାଡ଼ିଲା ଭଳି, କଥା କହିବାଟା ବଡ଼ ଅସୁନ୍ଦର ହେଲା । ହେଲେ ଅନ୍ୟ ଉପାୟ ତ ନଥିଲା । ବୁଲେଇ ବଙ୍କେଇ ଅନେକ ବାଗେ କଥାଟା କହିଲାଣି ସେ । ଲୋକଟା ବୁଝି ଅବୁଝା ହେଉଚି । କ’ଣ ଆଉ କରାଯାଇପାରେ ।
– ପରୀକ୍ଷା ଲାଗି ପୁଅ ନିଜେ ପଢ଼ିବ । ପରୀକ୍ଷା ସରିଲେ ମୁଁ ନିଜେ ଆପଣଙ୍କୁ ଫୋନ୍ କରି ଡାକିବି ।
କିନ୍ତୁ ତା’ ପରଦିନ ପୁଣି ହାଜର । ପୁଅ ନିଜେ ପଢ଼ୁ । ମୁଁ ଚୁପ୍ ହୋଇ ବସିବି । ମୁଁ ଥିଲେ ତାକୁ ପ୍ରିପାର ହେବାକୁ ସୁବିଧା ହେବ । ପରୀକ୍ଷା ସରିଲା ପରେ ପୁଣି କହିଲା, ପରୀକ୍ଷା ତ ଏଇ ସରିଲା । ପିଲାଟା କିଛିଦିନ ଖେଳୁ । ଛୁଟିଟା ଯାଉ । କ୍ଲାସ୍ ଆରମ୍ଭ ହେଲେ ମୁଁ ଖବର ଦେଇ ଡାକି ଆଣିବି ।
କିନ୍ତୁ ପରଦିନ ଠିକ୍ ସମୟରେ ଆସି କହିଥିଲା ମାଡାମ୍, ପରୀକ୍ଷା ସରିଲା ବୋଲି ଖେଳରେ ମାତିଗଲେ ଚଳିବନି । ପଢ଼ାରେ ଟଚ୍ ରଖିବାକୁ ହେବ ।
ଆମେ କିଛିଦିନ ସମ୍ବଲପୁର ଯିବୁ, ନଣନ୍ଦ ଘରକୁ । ଫେରିଲା ପରେ ଫୋନ୍ କଲେ ଯାଇ ଆସିବେ ।
ଲୋକଟି ଯେମିତି ବୁଝିପାରିଲା ରଶ୍ମି ମିଛ କହୁଚି । ପରଦିନ ଆସି ହାଜର । କ’ଣ ନା, ଫୋନ୍ ତ ମୋର ନାହିଁ, ଭାବିଲି ନିତି ଆସି ଦେଖିଯିବି । ଶେଷକୁ ରୋକ୍ଠୋକ୍, ସିଧାସଳଖ କହିବାକୁ ହେଲା ଆପଣ କାଲିଠୁ ଆଉ ଆସିବେନି । ସେ ଆଉ ଆପଣଙ୍କ ପାଖେ ପଢ଼ିବନି ।
କହି ଦେଇଥିଲା, ଆଉ ଶେଷ ପର୍ଯ୍ୟନ୍ତ, ଲୋକଟି ଧୀରେ ଧୀରେ ଘରୁ ବାହାରି, ନିର୍ଦ୍ଦିଷ୍ଟ ଜାଗାରୁ ଘଷି ହୋଇଯାଇଥିବା ତା’ର ଚପଲ ହଳକ ପିନ୍ଧି ଅଁଳା ଗଛକୁ ଆଉଜା ହୋଇଥିବା ତା’ର ରଙ୍ଗଛଡ଼ା ପୁରୁଣା ସାଇକେଲକୁ ଗଡେଇ ଗଡେଇ ଗେଟ ପାରି ହେବା ପର୍ଯ୍ୟନ୍ତ ଆଉ ପଦାକୁ ବାହାରି ନଥିଲା ସେ ।
ମନଟା ଗୋଳି ଘାଣ୍ଟି ହୋଇଥିଲା । ନିଜର ଅସମ୍ବେଦନା ଲାଗି ଛୋଟ ଲାଗିଥିଲା ନିଜକୁ । ଏମିତି ରୁକ୍ଷ ହେବାକୁ ଯଦିଓ ମନ ଚାହୁଁ ନ ଥିଲା, ଅନୁମୋଦନ କରି ନ ଥିଲା ତଥାପି
ଅତିଷ୍ଠ ଲାଗିଥିଲା ତାକୁ । ଲୋକଟିକୁ ଆଉ କେମିତି ତଡ଼ିବି ବୁଦ୍ଧିବାଟ ଦିଶୁନଥିଲା ତାକୁ ।
ମାସର ଚଉଦ ତାରିଖ ପର୍ଯ୍ୟନ୍ତ ପଇସା ବି ଦେଇନଥିଲା ସେ ସେଇ ବିରକ୍ତି ଓ ଦ୍ୱନ୍ଦ୍ୱରେ ।
ତଥାପି ଲୋକଟି ନିୟମିତ ଆସୁଥିଲା । ନିର୍ଦ୍ଦିଷ୍ଟ ସମୟରେ । ସନ୍ତର୍ପଣରେ ଗେଟ୍ଖୋଲି ହତା ଭିତରେ ପଶୁଥିଲା । ରଙ୍ଗଛଡ଼ା ଓ ଅପେକ୍ଷାକୃତ ଉଚ୍ଚା ଦିଶୁଥିବା ସାଇକେଲ୍ଟି ଅଁଳା ଗଛରେ ଡେରୁଥିଲା । ଘୋରି ହୋଇଯାଇଥିବା ଚପଲ ଦିଓଟି କି କୁକୁର ନେଇଯିବା ଭୟରେ କ୍ରୋଟନ ବୁଦାରେ ଲୁଚାଉଥିଲା ଓ କଲିଂବେଲ୍ଟି ଥରେ ବଜେଇ ଦେଇ ଡ୍ରଇଂରୁମ୍ ସାଇଡ୍ ରୁମ୍ରେ ପୁଅ ପଢ଼ା ଟେବୁଲ୍ ପାଖରେ ବସିଯାଉଥିଲା । ପୁଅ ବସୁଥିଲା ଆସି ସାମ୍ନାରେ । କିନ୍ତୁ ପଢ଼ୁନଥିଲା ପ୍ରାୟ । ଖଣ୍ଡିକାଶ ମାରି ରଶ୍ମି ସେଇବାଟ ଦେଇ ଯାଉଥିଲା ବେଳେ ଚମକିପଡ଼ି ପୁଅ ବହିଟାକୁ ଜାବୁଡ଼ି ଧରୁଥିଲା ଯାହା । ପୁଅ ଲୋକଟିକୁ ମାନୁନଥିଲା, ଡରୁନଥିଲା, କିନ୍ତୁ ଭଲପାଉଥିଲା । ଯାହା ବୁଝି ହେଉଥିଲା, ତା’ର ପାଠପଢ଼ାଇବା ଢଙ୍ଗଟି ପୁଅର ପସନ୍ଦ ହେଉନଥିଲା । କେଉଁଝର ସାଇଡର ହୋଇଥିବାରୁ ଲୋକଟିର ଇଂରାଜୀ ଉଚ୍ଚାରଣ ଠିକ୍ ନଥିଲା ଓ ପ୍ରାୟ ସବୁଦିନ ପାଠପଢ଼ା ଆରମ୍ଭ ହେବା ଆଗରୁ ସିଲାବସ୍, ରୁଟିନ ଓ ସୂଚିପତ୍ର ଇତ୍ୟାଦି ଘାଣ୍ଟୁଥିଲା । ଯାହାଫଳରେ ଠକିବା ଲାଗି ପୁଅକୁ ଖାଲି ସମୟ ମିଳିଯାଉଥିଲା ଓ କିଛିଟା ବେଖାତିର ଭାବ ତା’ ଆଖି ଓ ଆବଭାବରେ ଝଲକି ଯାଉଥିଲା, ଯାହା ଭଲ ଲାଗୁନଥିଲା ରଶ୍ମିକୁ । ସାର୍ ବହିଦେଖି ପ୍ରସ୍ତୁତ ହେଉ ହେଉ ପୁଅ ତା’ କଲମ ଜାଣି ଜାଣି ଟେବୁଲ୍ ତଳକୁ ପକାଇ ଦେଉଥିଲା । କଲମ ଗୋଟାଇବା ବାହାନାରେ ତଳକୁ ଝୁଙ୍କୁଥିଲା ଓ ସେଇଭଳି ଓଲଟ ମୁଦ୍ରାରେ ରହି ଯାଉଥିଲା ଅନେକ ସମୟ । ଟେବୁଲ୍ ତଳେ ବିଲେଇ ଛୁଆ ଥିଲା ଓ ପୁଅ ତାକୁ ଧରି ଖେଳିବା ଆରମ୍ଭ କରିଦେଉଥିଲା । ଲୋକଟିର ମୁହଁ ଯଦିଓ ଅସହାୟ ଦେଖାଯାଉଥିଲା ସେ ପୁଅକୁ କିଛି କହୁ ନଥିଲା କିମ୍ବା କହିପାରୁନଥିଲା । ଆଜିକାଲିକା ପିଲା, ପୁଣି ଇଂରାଜୀ ମିଡିଅମ୍ରେ ପଢ଼ୁଥିବା ପିଲାଙ୍କୁ ବେତ-ବାଡ଼ି କାମ ଦିଏନାହିଁ । ପାଠ ଉପରେ ପୂରା ଦଖଲ ହିଁ ଶିକ୍ଷକଙ୍କଠାରେ, ଆତ୍ମବିଶ୍ୱାସ ଦିଏ ଓ ସେଇ ଆତ୍ମବିଶ୍ୱାସ ଟିକକ ହିଁ ତାଙ୍କପ୍ରତି ସମ୍ମାନ ଓ ସମ୍ଭ୍ରମ ସୃଷ୍ଟି କରେ । ରଶ୍ମି ନିଜେ ଭଲ ପଢ଼େଇ ପାରେ ବୋଲି ତା’ର ବିଶ୍ୱାସ ।
ନିଜେ ପିଲାଙ୍କ ସ୍କୁଲ୍କୁ ଯାଏ । ଶିକ୍ଷୟିତ୍ରୀମାନଙ୍କୁ ଭେଟେ । ଆଗତୁରା ସିଲାବସ୍ ଆଣେ । ନିଜେ ପଢ଼େ । ବିଷୟଟି ନିଜେ ଆତ୍ମସ୍ଥ କଲାପରେ ଯାଇ ପଢ଼ାଇବାର ସାହସ କରେ । ବହି ଆଦୌ ନ ଦେଖି, ମଝିରେ ଆଦୌ ନ ଝୁଣ୍ଟି ନ ଅଟକି ବିଷୟଟି ଶେଷକରେ । ଯେତିକି ପଢ଼ାଏ, ଛାତ୍ରଟି ଭାବେ ସତେ ଯେମିତି ତାକୁ ୟାଠୁ ବହୁତ ଅଧିକ ମାଲୁମ୍ ।
ଏବେ ପାରୁନି । ଧୈର୍ଯ୍ୟ ରହୁନି ପୁଅର ଛୋଟବଡ଼ ବଦମାସି ଆଉ ଫାଜିଲାମିକୁ ସହ୍ୟକରି ତାକୁ ପଢ଼ାଇବାକୁ । ଟିକେ ଅମନଯୋଗୀ ହେଲେ ବସେଇ ଦେଉଚି ଦୁମ୍ଦାମ୍ ।
ତା’ପରେ ଦିନସାରା ମନଖରାପ । ପୁଚୁକା ଟୋକାର ଗୋରା ଫୁଲ୍କା ଗାଲ ଲାଲ ହୋଇଗଲେ, ମା’ର ସାରାଦିନ ଅଶାନ୍ତି, ଅନୁଶୋଚନା, ମନଦୁଃଖ ।
ସବୁ ମା’ଙ୍କ ପରି ପୁଅ ପୁଅ ହିଁ ହେଉଥିଲା ରଶ୍ମି । ସ୍ୱାମୀ ଶତ୍ରୁ ଭଳି ଦିଶୁଥିଲେ ଆଖିକି । ନବମ ଶ୍ରେଣୀ ନହେଉଣୁ ଘୋଡ଼ାଭଳି ଛାତିଏ ଉଚ୍ଚର ମୋଟର ସାଇକେଲ ଥୋଇ ଦେଇଚନ୍ତି । ଖାସ୍ ସେଇ ଡରରେ ଗ୍ରୁପ୍ ଟୁ୍ୟସନ ପ୍ରଶ୍ନ ଏଡାଇ ଯାଇଥିଲା ସେ ।
ଗୀତ ବି ଶିଖୁଥିଲା ପୁଅ । ଗୀତ ସାର୍ ଆସିବା ଆଗରୁ ସପ ବିଛେଇ ହାରମୋନିଅମ୍ଟି ରଖିଦେଉଥିଲା ରଶ୍ମି । ଆସୁ ଆସୁ ଆ… ଆ… ଆରମ୍ଭ କରିଦେଉଥିଲେ ଗୀତ ସାର୍ ।
ପୁଅ ଠକିବାକୁ ଚେଷ୍ଟା କରି ମଧ୍ୟ ପାରୁନଥିଲା । କାରଣ ସେ ଘଣ୍ଟାକ ଅଭ୍ୟାସ ନକରି ଖସିବାର ଉପାୟ ତା’ର ନଥିଲା ।
ରଶ୍ମି ମନେ ମନେ ଖୁସି ହେଉଥିଲା, କାରଣ ଗୀତସାର୍ଙ୍କୁ ମାନୁଥିଲା ପୁଅ । ଅବଶ୍ୟ ପ୍ରାକ୍ଟିସ୍ ସେ ଏମିତିରେ ବି କରୁନଥିଲା । ସାର୍ ଚାଲିଯିବା ପରେ ସାସା ରେରେ ଗାଗା ମାମା ନହୋଇ ହିନ୍ଦୀ ସିନେମା ଗୀତ ଓ ଇଂଲିସ ପପ୍ ହିଁ ଗାଉଥିଲା ଓ ଗର୍ଜି ଗର୍ଜି, ଗୀଟାର ଟଂ ଟଂ କରି କମ୍ପାଉଥିଲା ଘର ।
କିନ୍ତୁ ପାଠ ପଢ଼ାଇବାକୁ ଆସୁଥିବା ଲୋକଟିକି ପାସଙ୍ଗରେ ପକାଉନଥିଲା ପୁଅ । ଲୋକଟି ଯଦିଓ ଇଞ୍ଜିନିୟରିଂ ପାସ୍ କରିଥିଲା । ସେକେଣ୍ଡ ଡିଭିଜନ ହୋଇଯିବା ଯୋଗୁଁ କ୍ୟାମ୍ପସ୍ରେ ବସିପାରିନଥିଲା ଯଦିଓ ଦିନରାତି ଖୁବ୍ ପଢ଼ାପଢ଼ି କରୁଚି ବୋଲି ଶୁଣିଥିଲା ରଶ୍ମି, ତଥାପି ଭାଇଭାରେ କଟିଯାଉଥିଲା । ଇଂରାଜୀ ଅତି ଖରାପ ଥିଲା ଲୋକଟିର । ଏମିତିକି ଫିଜିକ୍ସ ପଢ଼ାଇଲା ବେଳେ ଥରେ ସେ କ’ଣ କହୁଚି ବୋଲି ଠଉରାଇବାକୁ ରଶ୍ମିକୁ ବେଶ କିଛି ସମୟ ଲାଗିଥିଲା । ଏ ଗୁଡ୍ କଣ୍ଡକ୍ଟର ଅଫ୍ ଇଲେକ୍ଟ୍ରିସିଟି ମିନିଦ୍ୟାଟ୍.. ପୁଅ ହସୁଥିଲା ଓଠ ଚିପିଚିପି । ବାରମ୍ବାର ଟେବୁଲ୍ ତଳକୁ ଖସି ପଡୁଥିଲା ତା’ର କଲମ, ଝୁଙ୍କି ପଡୁଥିଲା ସେ ତଳକୁ ବାରମ୍ବାର । ଲୋକଟିର ମୁହଁ ଅସହାୟ ଦିଶୁଥିଲା ଓ ସେ ବିକଳ ହୋଇଯାଉଥିଲା । ପୁଅ ବାରମ୍ବାର ପାଣି ପିଇବ ବୋଲି ଉଠି ଆସୁଥିଲା ଆଉ ଷ୍ଟୋର ଘରେ ପଶି ବାରମଜା ଡବା ଖୋଲୁଥିଲା, ବିଲେଇଛୁଆ ମୁହଁରେ ଲାଞ୍ଜରେ ହାତ ମାରୁଥିଲା । ନୂଆ ନୂଆ ଆସିଲା ବେଳେ ପୁଅ କହିଥିଲା, ଜାଣିଚୁ ମାମା, ସାର୍ ରୁହନ୍ତି ବ୍ୟାଚେଲର୍ସ ବାରାକରେ । ସେଠି ଆଲୁଅ, ପାଣି, ବାଥ୍ରୁମ୍ କିଛି ନାହିଁ । ହାତରେ ରାନ୍ଧନ୍ତି କାଠଚୁଲିରେ । ଆମ ନଡ଼ିଆପତ୍ର ନେବେ କହୁଚନ୍ତି । ମିଛଟାରେ ଚିଡି ଲାଗିଥିଲା ରଶ୍ମିକୁ ଯେତେବେଳେ ବିଡାଏ ନଡ଼ିଆ ପତ୍ର ସାଇକେଲ କ୍ୟାରିଅରରେ ବାନ୍ଧି ନେଉଥିଲା ଲୋକଟି । ତା’ ପରଠୁ ଘରେ ଯାହା ଯେତେବେଳେ ରନ୍ଧାହୁଏ, ତାଙ୍କୁ ଖାଇବାକୁ ଦେଇ ଦେଉଥିଲା ରଶ୍ମି । ମାତ୍ର ଖାଇବା ପ୍ଲେଟଟି ଆସିବା ମାନେ ସେଇଠୁ ପଢ଼ା ଥପ । ପୁଅ ଉଠିଆସେ ସାର୍ ଖାଉଛନ୍ତି କହି । ଅନ୍ୟଘରେ କମ୍ପୁ୍ୟଟର ଖୋଲି ବସିଯାଏ । ଯେତେ ଅଳ୍ପ ଜଳଖିଆ ଦେଲେ ବି ସେତକ ସିଏ ବଡ଼ ଧୀରେ ସୁସ୍ଥେ ଉପଭୋଗ କଲାଭଳି ଖାଆନ୍ତି । ଏଇ କାରଣରୁ ଖାଲି ଚା’ କପେ ଥୋଇଦିଏ ସେ । ତଥାପି, ସେଇ ଏକା କଥା । ଛୋଟ ପିଲାଙ୍କ ଭଳି ଫୁଙ୍କି ଫୁଙ୍କି ଚା’ଟା ପିଇବାକୁ ବି ତାଙ୍କୁ ଅଧଘଣ୍ଟେ ଲାଗିଯାଏ । ନିଶ୍ଚିତ କଥା, ଚା’ ଅଭ୍ୟାସ ତାଙ୍କର ନାହିଁ । ମନା କରିପାରନ୍ତିନି ବୋଲି ପିଅନ୍ତି । ଦିନେ ଦିନେ ଚା’ଟା ବି ଦିଏନି ସେ । କାରଣ ଚା’ କପ୍ଟା ଲାଗି ପୁଅ ଯେଉଁ ଅଧଘଣ୍ଟାଏ ବସିଥାନ୍ତା ବହିପାଖରେ, ତା’ ହୁଏନି ।
ପୁଅ ଲାଗି ଚିନ୍ତା ବଢ଼ୁଥାଏ ମା’ର । ସବୁ ମା’ପରି । ପିଲାଙ୍କଠାରେ ଯେଉଁ ନିଷ୍ଠା ଓ ଶୃଙ୍ଖଳା ଦେଖିଲେ ମା’ ଆଶ୍ୱସ୍ତ ହୋଇପାରନ୍ତା, ତା’ ନଥାଏ ପୁଅଠି । ସବୁକଥାକୁ ମଜାରେ ଉଡାଇ ନେଲା ଭଳି ଲାଗେ । ବାପ-ପୁଅ ଖାଲି ଗୋଟିଏ କଥା କୁହନ୍ତି, ତୁମେ ବ୍ୟସ୍ତ କାହିଁକି ହେଉଚ?
ଲୋକଟି କାଲିଠୁ ଆସିବେନି ଜାଣିଲା ପରେ ରଶ୍ମିକୁ ଖୁସି ଲାଗିବା କଥା, କିନ୍ତୁ କେମିତି ଗୋଟେ ପାପ କଲାଭଳି ଲାଗିଲା ତାକୁ । ଲୋକଟି ସତରେ ଭଲଥିଲା । ଅତି ସାଧାରଣ, ନମ୍ର, ନିଜ ବୟସଠାରୁ ଅଧିକ ବୟସ୍କ ଥିଲା ବେଶ ପୋଷାକରେ । ହେଲେ, ସେ ଭଲ ହୋଇ ତା’ ପୁଅର କିଛି ଲାଭ ହେବାର ନାହିଁ ।
ନିଷ୍ଠୁର ହେବାକୁ ଆଗରୁ ପ୍ରସ୍ତୁତ ହୋଇଥିଲା ରଶ୍ମି । ଅଭ୍ୟାସ କରିଥିଲା, କେମିତି କ’ଣ କହିବ । ଅଥଚ କେଡ଼େ ଅଦ୍ଭୁତ କଥା, ମନଟା ଖରାପ ହୋଇଗଲା ତା’ର । ପିଲାଟା ପାଖରେ ଘଣ୍ଟାଏ ବସୁଥିଲା ତ ବିଚରା । ଏ ମାସଟା ଗଡ଼ିଯାଇଥିଲେ ଚଳିଯାଇଥାନ୍ତା ତ! ରାତିରେ ସ୍ୱାମୀଙ୍କ ସହ ବଡ଼ ପାଟିରେ କଳି କରିବାକୁ ଇଚ୍ଛା ହେଉଥିଲା ତା’ର । ଟିକେ ଦାୟିତ୍ୱ ନାହିଁ । ପୁଅ ପଢ଼ୁ କି ନପଢ଼ୁ କିଛି ଯାଏ ଆସେନା ତାଙ୍କର । ପୁଣି ଟୁ୍ୟସନ ସାର୍ ଜଣେ ଖୋଜିବାକୁ ହେବ ।
ପରଦିନ ଭାରି ମୁଣ୍ଡ ଓ ମନନେଇ ଦାଣ୍ଡ ବାରଣ୍ଡାକୁ ଆସି ଚମକି ପଡ଼ିଲା ରଶ୍ମି । ଗେଟ୍ ଖୋଲି ରଙ୍ଗଛଡ଼ା ସାଇକେଲ ଗଡେଇ ଗଡେଇ ଭିତରେ ପଶୁଥିଲା ଲୋକଟି । ଏହାପରେ ସେ ସାଇକେଲ୍ଟି ଅଁଳା ଗଛକୁ ଡେରିଲା, ଚପଲ ଦିଓଟି କ୍ରୋଟନ ବୁଦା ତଳେ ଲୁଚାଇ ରଖିଲା ଓ ପୁଅର ପଢ଼ା ଟେବୁଲ୍ ପାଖେ ବସିଲା ।