ସଂଧ୍ୟା ହେଲା ମାତ୍ରେ ଚଂପାଗଛ ଫୁଲରେ ଭର୍ତ୍ତି ହୋଇଯାଏ । ବାସ୍ନାମୟ ହୋଇଯାଏ ମାହୋଲ । ରଶ୍ମିରେଖା ଝରକା ଖୋଲିଦିଏ । ଚଂପାଫୁଲର ବାସ୍ନା ପହଁରେ ଘରସାରା । ରଶ୍ମିରେଖା ଚଂପାଗଛଟାକୁ ଚାହିଁ ରହେ । ଫୁଲଭର୍ତ୍ତି । ବାହା ହୋଇ ଆସିଲା ବେଳକୁ ଗଛଟା ଥୁଣ୍ଟା ଥିଲା । ଚାରିମାସ ଭିତରେ ଗଛଟା ଫୁଲରେ ମଣ୍ଡି ହୋଇଗଲାଣି । ସ୍ୱାମୀ କହୁଥିଲେ, ତୁମେ ଆସିଲ । ଗଛରେ ଫୁଲ ଆସିଲା । ତମେ ଫୁଲ ଗଛ ହୋଇ ଏ ଘରକୁ ଆସିଲ ଓ ବାସ୍ନା ଚହଟେଇଲ । ବାଃ!
ସ୍ୱାମୀ ଟିକେ କବି ପ୍ରକୃତିର । କଥା କଥାକେ ଉପମା ଅଳଙ୍କାର ଦେଇ କଥା କହନ୍ତି ଅବଶ୍ୟ । ଏମିତି କବି ପ୍ରକୃତିର ସ୍ୱାମୀଟିଏ ରଶ୍ମିରେଖା ଚାହୁଁଥିଲା । ସ୍ୱାମୀ ବ୍ୟବସାୟ କରନ୍ତି । କଲିକତା, ବମ୍ବେ, ମାଡ଼୍ରାସକୁ ତାଙ୍କର ସପ୍ଲାଇ ବ୍ୟବସାୟ । ତାଙ୍କ ଦେହ, ବ୍ୟବସାୟରୁ ଫେରିବା ବେଳକୁ ଟିକେ ଟିକେ ଆଇଁଷିଣିଆ ବାସେ । ରଶ୍ମିରେଖା ପଚାରିଲେ ସ୍ୱାମୀ ଟିକେ ହସି ଦେଇ କହନ୍ତି: ବ୍ୟବସାୟର ବାସ୍ନା । ଅବଶ୍ୟ ସେବେଳକୁ ଚମ୍ପାଫୁଲର ବାସ୍ନା ଘରସାରା ଖେଳି ବୁଲୁଥାଏ । ସ୍ୱାମୀଙ୍କ ଦେହର ଆଇଁଷିଆ ବାସ୍ନାକୁ ଚଂପାବାସ୍ନା ବୁଡ଼େଇ ଦିଏ ।
ଚଂପାଫୁଲ ଭର୍ତ୍ତି ଗଛଟାକୁ ଦେଖି ରଶ୍ମିରେଖା ଅନ୍ୟମନସ୍କ ହେବାର ଆଉ ଗୋଟେ କାରଣ ଅଛି । ନା ଥାଉ । ସେ କଥା ଭାବି ବା ହିଁ ଭୁଲ । ତଥାପି କି ଭୁଲ ହୁଏ ସ୍ମୃତି? ସ୍ୱାମୀ ପଚାରିଲେ ପ୍ରଥମ ଭେଟ ରାତିରେ; ତୁମେ କ’ଣ ଆଗରୁ କାହାକୁ ଭଲ ପାଇଛ? ରଶ୍ମିରେଖା ଏଇ ପ୍ରଶ୍ନର ଉତ୍ତର ଦେଇଥିଲା ମୁଣ୍ଡ ହଲେଇ । ସ୍ୱାମୀ କହିଲେ:ଗୁଡ଼ । କିନ୍ତୁ ମୁଁ ଗୋଟେ ଝିଅର ପାଲରେ ପଡ଼ିଥିଲି । ଖସି ଆସିଲି । ତା ନାଁ ଚଂପାବତୀ । ଆଉ ତା’ରି ସ୍ମୃତିରେ ଲଗେଇଥିଲି ଏ ଚଂପାଗଛ । ହେଲେ ଫୁଲ ଫୁଟୁନଥିଲା । ତମେ ଆସିଲ, ଫୁଲ ଫୁଟିଲା । ଅତଏବ ତମେ ମୋର ପ୍ରେମ ।
ରଶ୍ମିରେଖା ହସିଲା ଓ କହିଲା; ତେବେ ଏ ଚଂପା ଗଛଟା ମୋର ସଉତୁଣୀ । ସ୍ୱାମୀ ହସିଲେ ଓ କହିଲେ; ତୁମେ ଯେ ସଂଦେହୀ ସ୍ତ୍ରୀ ଲୋକ ନୁହଁ ଏଥିପାଇଁ ମୁଁ ବିଶେଷ ଖୁସି । ସଂଦେହ, ଘର ଭାଙ୍ଗିଦିଏ । ମୁଁ ବି ତୁମକୁ ଏ ଜୀବନ କାଳରେ କେବେ ବି ସନେ୍ଦହ କରିବି ନାହିଁ ।
ଏମିତି ଏମିତି ହେଲା ଚାରିମାସ । ବେଳକୁ ବେଳ ଚଂପାଗଛଟା ଫୁଲରେ ଭର୍ତ୍ତି ହେଉଛି ଓ ବେଶୀ ବାସ୍ନାରେ ମତୁଆଲ କରୁଛି ପବନ । ବେଳକୁ ବେଳ ବାସ୍ନା ସହ ବୋହି ଆଣୁଛି ସ୍ମୃତି । ଯାହାକୁ ଭୁଲି ଯାଇ ରଶ୍ମିରେଖା ଚଢ଼ିଆସିଥିଲା ସବାରୀ ।
ରାତି ଅଧଯାଏ ବି ସ୍ୱାମୀ ଫେରି ନଥାନ୍ତି ତାଙ୍କ ବ୍ୟବସାୟରୁ । ଆକାଶରେ ମଳିନ ଜହ୍ନଟିଏ ଉଦାସ ହୋଇ ସାରିଥାଏ । ପାଖ ରେଳ ବ୍ରିଜ୍ ଉପରେ ରେଳଗାଡ଼ିଟିଏ ଭୁସ୍ ଭୁସ୍ ହୋଇ ଚାଲିଥାଏ । ଘରର କାନ୍ଥ ବି ଦୋହଲି ଯାଏ ସେଥିରେ । ରଶ୍ମିରେଖା ଚିତ୍ ହୋଇ ଶୋଇଥାଏ । ତା’ କାନରେ ବାଜୁଥାଏ ବଂଶୀର ସୁର ଲହରେଇ ଲହରେଇ । ତାକୁ ଲାଗେ ଏମିତି ବଂଶୀସୁର ତାକୁ ଅଚେତ କରି ଦେବ ଓ ସେ ଶୋଇପଡ଼ିବ । ଆଉ ଉଠି ପାରିବ ନାହିଁ କି ସ୍ୱାମୀଙ୍କ ଦେହର ସେଇ ଆଇଁଷିଣିଆ ବାସ୍ନା ବାରିପାରିବ ନାହିଁ । ସେଇ ବଂଶୀସୁର କ୍ରମଶଃ ଗୋଟେ କାଂଦୁରା ଘାସଭର୍ତ୍ତି ରାସ୍ତା ତଆରି କରିଦିଏ ରଶ୍ମୀରେଖା ଆଗରେ । ରଶ୍ମିରେଖା ସେଇ ରାସ୍ତାରେ ଧାଏଁ । ତଥାପି ଆକାଶରେ ଥାଏ ମଳିନ ଉଦାସ ଜହ୍ନ । ବଂଶୀ ସୁରର ଅଡ଼ୁଆ ସୁତାର ବାଟରେ ଚମ୍ପକଲାଲ ପାଖରେ । ତା’ ମୁହଁ ସାରା ବସନ୍ତ ଚିହ୍ନ । ଗୋଟେ ଆଖି ଅଂଧ । ଆଉ ଗୋଟେ ଆଖିରେ ଲେଞ୍ଜରା ଓ ଲୁହ । ତା ଓଠ ଦି’ଟା ଅସମ୍ଭବ ଭାବେ ମୋଟା ଓ କଳା । କିଏ କହିବ, ଏଇ ମଣିଷଟା ଥିଲା ଚମ୍ପକଲାଲ । ବଂଶୀରେ ଓସ୍ତାତ୍ । ସୁନ୍ଦର । ଚଇନ୍ ଫିଟ୍ । ଚମ୍ପକଲାଲ କାହିଁକି କେଜାଣି ତାକୁ ଦିନେ ପଚାରିଥିଲା: ଯଦି ମୁଁ ଅଂଧ ହୋଇଯାଏ… । ରଶ୍ମିରେଖାର ସୁନ୍ଦର ଆଖି ଦିଓଟି ଲୁହରେ ଭର୍ତ୍ତି ହୋଇଯାଇଥିଲା । ସେ କହିଲା: ତୁମରତ ଦିଓଟି ଆଖି ନୁହେଁ, ବରଂ ଚାରୋଟି । ତମେ ମୋ’ ଆଖିରେ ଦେଖିବ ପୃଥିବୀ ।
ଅଥଚ କ’ଣ ହେଲା ଚମ୍ପକଲାଲ୍ର? ସେ ସତକୁ ସତ ତେବେ ଅନ୍ଧ ହୋଇଗଲା? ସ୍ୱାମୀ, ରଶ୍ମିରେଖାର ଆଖିରେ ଚୁମା ଦେଲେ । ରଶ୍ମିରେଖା ଆଖି ଖୋଲିଲା । ସ୍ୱାମୀ ବ୍ୟବସାୟରୁ ଫେରିଲେଣି । ସେ ବି ଫେରି ଆସିଲା ଅଡ଼ୁଆ ସୁତାର ରାସ୍ତାରେ ପଛକୁ । ଯୋଉଠୁ ବାହାରିଥିଲା, ସେ ଠିକି ।
ସ୍ୱାମୀ କବିତ୍ୱ କଲେ : ତୁମ ଆଖି ଶରତ ଋତୁର ନଈ… । ସେ ଯାଏ ବି ରଶ୍ମିରେଖାର ନିଦ ଭାଂଗି ନାହିଁ ଠିକ୍ସେ । ତଥାପି ସେ ସ୍ୱାମୀଙ୍କର କବିତା ଶୁଣିଲା ଓ ଭାବିଲା; ମଲା! ଆଖିଟା କେମିତି ନଈ ହେବ ମ? ଅବଶ୍ୟ ନଈରେ ପାଣି ଥାଏ । ଆଖିରେ ଲୁହ ଥାଏ । ତା’ ବୋଲି କ’ଣ ଆଖିଟା ନଈ ହୋଇଯିବ? ତଥାପି ତାକୁ ଭଲ ଲାଗିଲା, ଆସ୍ତେ ଆସ୍ତେ ଚମ୍ପକଲାଲ୍ର ଗୋରା ବସନ୍ତ ଦାଗ ଥିବା, ଅନ୍ଧ ଆଖିର ମୁହଁ ଭୁଲି ହେବାକୁ ଲାଗିଲା । ସେଦିନ ଚମ୍ପାଫୁଲର ବାସ୍ନା ଅପେକ୍ଷା ସ୍ୱାମୀଙ୍କ ଦେହର ଆଇଁଷିଣିଆ ଗନ୍ଧ ବେଶୀ ବାଜୁଥାଏ ତା’ ନାକରେ । ସେଦିନ ସେ ସ୍ୱାମୀଙ୍କ ଦେହର ଗଂଧ ସହିପାରିଲା ନାହିଁ । ସେ ଉଠି ପଡ଼ିଲା ଓ ଚମ୍ପାଗଛ ମୂଳକୁ ଚାଲିଲା । ତଳେ ଝଡ଼ିପଡ଼ିଥିବା ଚଂପା ଫୁଲକୁ ମୁଠେଇଲା ଓ ଶୁଂଘିଲା ।
ସ୍ୱାମୀ ସିଲହଟ୍ ଛବି ପରି ଦିଶୁଥିଲେ ଝର୍କା ପାଖରେ । ତାକୁ ଚାହିଁଥିଲେ । ତାଙ୍କ ଛାଇ ପଡ଼ିଥିଲା ଝର୍କା ଦେଇ ଅଗଣାରେ । ଛାଇ କ୍ରମେ କ୍ରମେ ଲାଗି ଆସିଲା ରଶ୍ମିରେଖା ପାଖକୁ । ରଶ୍ମିରେଖା କେଜାଣି କାହିଁକି କହିଦେଲା; ମତେ ଟିକେ ଏକ୍ଲା ଏ ଚମ୍ପାଫୁଲ ବାସ୍ନା ଶୁଂଘିବାକୁ ଦିଅ, ପ୍ଲିଜ୍ । ଛାଇ ହଟିଗଲା ହସି ହସି । ଆଉ ଛାଇ ନାହିଁ । ଆଇଁଷିଆ ବାସ୍ନାନାହିଁ । ଏବେ କେବଳ ଚଂପା ବାସ୍ନା । ଓ ଚଂପା ବାସ୍ନା । ବି ଚଂପା ବାସ୍ନା… । ଆଃ… ।
ପୁଣି ବଂଶୀ ସୁରର ବାଟଟିଏ ଫିଟିଯାଉଛି ଆଖି ଆଗରେ । ରଶ୍ମିରେଖା ବୋହୂବେଶ ହେଲା ବେଳେ ଟେଲିଫୋନ ବାଜିଥିଲା ଅନେକ ବେଳୁ । ମା’ ଫୋନ ଉଠେଇ କହିଥିଲେ: ହେଲୋ.. କିଏ..? କଟି ଯାଇଥିଲା ଫୋନ୍ । ସ୍ୱାମୀଙ୍କ ସହ ବିଦା ହେବା ବେଳେ, ସାଂଗସାଥୀଙ୍କୁ କୁଣ୍ଢେଇ ଧରି କାନ୍ଦିବା ବେଳେ ବି ବାଜିଥିଲା ଫୋନ । ବାପାଙ୍କ ଇଚ୍ଛାରେ ସେ ସବାରୀରେ ଚଢ଼ି ଆସିଲା ବେଳେ ଶୁଭିଥିଲା ଏଇ ବଂଶୀସ୍ୱର, ଓ ଆଖି ଆଗରେ ଦିଶିଥିଲା ବାଟଟିଏ । ଅଙ୍କାବଙ୍କା ସେଇ ରାସ୍ତାରେ ଦଉଡ଼ି ପଳେଇଥିଲେ ସେ ପହଂଚିଥାନ୍ତା ଚଂପକଲାଲ ପାଖରେ । ଶୁଖିଲା ଓଠରେ ଚମ୍ପକଲାଲ ଫୁଙ୍କୁଥାନ୍ତା ବଂଶୀ । ରଶ୍ମିରେଖା କହିଥାନ୍ତା ସବୁ ଛାଡ଼ି ଛୁଡ଼ି ଦେଇ ଚାଲି ଆସିଲି ତମପାଖୁ । ଚାଲ, ଏଠୁ ପଳେଇବା । କୁଆଡ଼େ ନାଇଁ କୁଆଡ଼େ.. । ଚାଲ… । ବୋକା ଚଂପକଲାଲ୍ ପଚାରିଥାନ୍ତା: କୁଆଡ଼େ?
ରଶ୍ମିରେଖା ଉତ୍ତର ଦେଇ ପାରିନଥାନ୍ତା । ଖାଲି କାନ୍ଦିଥାନ୍ତା ।
କଲେଜ ପଢ଼ାବେଳେ ପ୍ରାୟ ପ୍ରେମ ଏମିତି ଚଂପକଲାଲ ଓ ରଶ୍ମିରେଖା ପରି ହୁଏ । ନିଜ ବୟସର, ନିଜ ସହପାଠୀକୁ ସ୍ୱାମୀଭାବେ ସତରେ କ’ଣ ଭାବି ହୁଏ? ତାଠୁ ମୁରବୀ ପଣିଆ ଆଶା କରାଯାଇପାରେ?
ସବାରୀ ଦୋହଲି ଦୋହଲି ଚାଲୁଥାଏ । ରଶ୍ମିରେଖା ମୁଣ୍ଡ ଟିକେ ଟିକେ ବୁଲେଇ ଦେଉଥାଏ ମଝିରେ ମଝିରେ । ପ୍ରତି ଝିଅର ଜୀବନରେ ଏଇ ସବାରୀ ଚଢ଼ାଟି ଥରେ ଆସେ । ଆଜିକାଲି ଯୁଗରେ ମୋଟେ ଏଇ ଅନୁଭୂତିଟି ଆସି ମଧ୍ୟ ନପାରେ । ଅଥଚ ରଶ୍ମିରେଖା ଏଥିରେ ଖୁସି ହୋଇପାରୁନି । ଯଦି ଓ ଆଜିକାଲି ଯୁଗରେ ଏମିତି ସବାରୀଚଢ଼ା ସୁଯୋଗଟି ତା’ ଜୀବନରେ ଆସିଛି ।
ପ୍ରଥମେ ଯେଉଁଦିନ ଚଂପକଲାଲ୍ କଲେଜରେ ବଂଶୀ ବଜେଇଲା, ରଶ୍ମିରେଖା ଭଳି ଅନେକ ଝିଅ ତାକୁ କହିଲେ ‘ଜିନିୟସ’ । ଚଂପକଲାଲ୍ କ୍ଲାସରେ ପ୍ରଥମ ହେଲା । ଡ୍ରାମାଟିକ୍ ସେକ୍ରେଟାରୀ ହେଲା, କେବଳ ରଶ୍ମିରେଖା ପାଇଁ । ରଶ୍ମିରେଖା ତାକୁ ଭଲ ପାଉଥିଲା । ଭୀଷଣ ଭାବେ ଭଲ ପାଉଥିଲା ତା’ର ବଂଶୀକୁ । ଚଂପକଲାଲ୍ର ବଂଶୀସ୍ୱନରେ ଥିଲା ଯାଦୁ । ଅଥଚ ଶାସ୍ତ୍ରୀୟ ସଂଗୀତ ସଂପର୍କରେ କିଞ୍ଚିତ ଧାରଣା ମଧ୍ୟ ନଥିଲା ରଶ୍ମିରେଖାର । ଯେତେବେଳେ ଚଂପକଲାଲ୍ କହୁଥିଲା ଏଇଟା ପ୍ରେମର ରାଗ । ଏଥିରେ କୋମଳ ଗାନ୍ଧାର ଲାଗେ । ଯଦି ଶୁଦ୍ଧ ‘ଗା’ ଲାଗିବ, ଏହାର ପ୍ରେମ ସଂବେଦନଟା ଭକ୍ତିରେ ରୂପାନ୍ତରିତ ହୋଇଯିବ । ଅଣ୍ଡରଷ୍ଟାଣ୍ଡ?
ରଶ୍ମିରେଖା ହସେ । କହେ: ମୁଁ ଏ କୋମଳ, ଶୁଦ୍ଧ ବୁଝିପାରୁନି ବୋଲି ମତେ ଭଲ ଲାଗୁଛି । ତୁମ ବଂଶୀ ମୋତେ ଡାକୁଛି । ମତେ ଝୁରୁଛି । ମତେ ଲାଗୁଛି ତୁମେ ବଂଶୀସୁରରେ ହିଁ କାଂଦୁଛ । କାଂଦୁଛ କି?
ଚଂପକ ହସେ । ତା’ ସୁନ୍ଦର ଆଖି ଚିକ୍ମିକ୍ ହୋଇ ଉଠେ । ସେ ରଶ୍ମିରେଖା ଗାଲକୁ ଚିପିଦେଇ କହେ: ତମେ ମୋର ବଂଶୀର ସବୁଠୁ କରୁଣ ଓ ରୋମାଣ୍ଟିକ ସ୍ୱର ।
ସବାରୀ ଦୋହଲି ଦୋହଲି ଚାଲିଛି । କଲେଜ ପଢ଼ା ସରୁ ସରୁ ଚଂପକ କୁଆଡ଼େ ହଜିଗଲା । ଏତେ ମଣିଷଙ୍କ ମେଳରେ । କୁଆଡ଼େ ନା କୁଆଡ଼େ ଚାଲିଗଲା । ଠିକଣା ନଦେଇ କାହାକୁ । ରଶ୍ମିରେଖା ଖୋଜିହେଲା କେତେଦିନ । ଡାଏରୀରୁ ଠିକଣା ବାହାର କରି ଚିଠି ଲେଖିଲା । ଚଂପକ୍! କୋଉଠି ଅଛ, ଆସ! ଚାଲିଆସ । ଏଠି ମୁଁ ସରି ସରି ଯାଉଛି କ୍ରମଶଃ.. । ଚଂପକ ଆସିଲା ନାହିଁ, ବୋଧେ ଚିଠି ପାଇଲା ନାହିଁ, ନା ଚିଠି ପାଇବି ଆସିଲା ନାହିଁ?
ସବାରୀ ଚାଲିଛି ଦୋହଲି ଦୋହଲି । ଯେଉଁମାନେ ସବାରୀ କାନେ୍ଧଇ ଥିଲେ, ସେମାନେ କାଂଧ ବଦଳେଇଲେ ଓ ସବାରୀଟା ଚହଲିଗଲା । ରଶ୍ମିରେଖାକୁ ବାନ୍ତି ଲାଗୁଥାଏ ।
ନୋଳ ମୁକୁଟ ପିନ୍ଧିବା ବେଳେ ରଶ୍ମୀରେଖା କଣେଇକି ଚାହିଁଥିଲା ସ୍ୱାମୀଙ୍କ ମୁହଁକୁ । ହସ ହସ ମୁହଁ । ନାକଟା ଲମ୍ବା । ନିଶ ନାହିଁ ମାଖୁନା । ସେ ବି କଣେଇ କଣେଇ ଚାହୁଁଥିଲେ ତା ମୁହଁକୁ । ହସୁଥିଲେ । ବୋଉ କହୁଥିଲା ତାଙ୍କର ବଡ଼ ବ୍ୟବସାୟ ଅଛି । ଗୋଟେ ତେଲକଳ ଅଛି । ଗାଁରେ ଜମି ବାଡ଼ି ଅଛି । ବାପା, ମା’ଙ୍କର ଗୋଟିଏ ପୁଅ । ଆଉ ସେ ବି କବିତା ଫବିତା ଲେଖେ । ରଶ୍ମିରେଖାର ପଚାରିବାକୁ ଇଚ୍ଛା ହେଉଥିଲା; ସେ ବଂଶୀ ବଜାଏ ନାହିଁ । ହେଲେ ବୋଉକୁ କ’ଣ ଏକଥା ପଚାରି ହୁଏ? ଏଣୁ ସେ ଚୁପ୍ ରହିଲା ।
ଚଂପକ ଆସିଲା ନାହିଁ । ବଂଶୀ ସୁରରେ ଗଢ଼ା କୋଉ ଛାୟା ପଥରେ ତେବେ କ’ଣ ଆଉ କୋଉ ଗ୍ରହକୁ ଚାଲିଗଲା ଚଂପକ? ନା ପବନ ହୋଇଗଲା? ଏଣୁ ସେ ସବାରୀ ଚଢ଼ିଲା । (କାଳେ ସବାରୀ ନ ଚଢ଼ିଲେ ଝିଅ ଜୀବନ ଅର୍ଥହୀନ । ହଃ…)
ସ୍ୱାମୀ ତା ସହ ଯାହା ଯାହା କଲେ, ସେ କଥା ବି ଚଂପକ କରି ପାରିନଥାନ୍ତା । ସ୍ୱାମୀଙ୍କଠୁ ଚମ୍ପକ କିନ୍ତୁ ନିଶ୍ଚେ ବେଶୀ ଲାଜକୁଳା । ସ୍ୱାମୀ ଯାହାକୁ ତାଙ୍କ ଅଧିକାର ଓ ଦାବୀ ବୋଲି ଭାବୁଛନ୍ତି, ତାକୁ ଚମ୍ପକ ଭାବିଥାନ୍ତା ଦୟା ।
ଚମ୍ପାଫୁଲର ବାସ୍ନାରେ କ୍ରମଶଃ ବିଭୋର ହେଉଥିଲା ରଶ୍ମିରେଖା । ବି କ୍ରମଶଃ ହେଉଥିଲା ଉଦାସ । ତା’ର ମନ ହେଲା ଏଠି ତା ପାଇଁ କିଛି ନାହିଁ । ଖାଲି ଚାରି କାନ୍ଥ ଭିତରେ ଦେହ ବାସ୍ନା, ଅପେକ୍ଷା, ମାନ ଅଭିମାନ, ରତି ତୃପ୍ତି ବା ଅତୃପ୍ତି ଭିତରେ ଜୀବନ ସରିଯିବାଟା ପ୍ରକୃତରେ ବଂଚିବା ନୁହେଁ । ବଂଚିବା ପ୍ରକୃତରେ ଆଉଗୋଟେ କ’ଣ । ଯାହା ଏମିତି ନୁହେଁ । ଆଉ କେମିତି ।
ସ୍ୱାମୀଙ୍କ ରୁମ୍ରେ ଆଲୁଅ ଜଳୁଛି । ତାଙ୍କୁ ଅଂଧାର ଭଲ ଲାଗେନା । ରଶ୍ମିରେଖାକୁ ଆଲୁଅ ଭଲ ଲାଗେନା । ସ୍ୱାମୀଙ୍କ ନିଦ ଲାଗିଗଲେ ସେ ଅଂଧାର କରିଦିଏ । ଅଂଧାରରେ ବହୁ ଚରିତ୍ରକୁ ସେ ଜୀବନ୍ୟାସ ଦେଇ ପାଖରେ ବସାଏ । ସେମାନଙ୍କ ସହ କଥା ହେଉ ହେଉ କେତେବେଳେ ସେ ଶୋଇପଡ଼େ ।
ସ୍ୱାମୀଙ୍କ ମାଖୁନା ମୁହଁ ଆଲୁଅରେ ଚକ୍ ଚକ୍ କରୁଛି । ତାଙ୍କ ଗାଲରେ ବସିଛି ଗୋଟେ ମଶା । ରଶ୍ମିରେଖା ମଶାଟାକୁ ଫୁଙ୍କି ଦେଲା । ଆଲୁଅ ଲିଭେଇ ଦେଲା । ବାହାରେ ଜହ୍ନ ରାତି । ଚଂପାଗଛର ଛାଇ ଛିଡ଼ା ହୋଇଛି ଝରକା ସେପଟେ । ସ୍ୱାମୀଙ୍କ ଘୁଂଗୁଡ଼ି ସତ୍ତ୍ୱେବି ଚଂପାଫୁଲ ଝଡ଼ିବାର ଟପ୍ ଟପ୍ ଶବ୍ଦ ଶୁଭୁଥାଏ ତାକୁ । ଲାଗୁଥାଏ ଏମିତି ଝଡ଼ି ଝଡ଼ି ଗଛଟା ସକାଳୁ ଫୁଲହୀନ ଓ ଥୁଣ୍ଟା ହୋଇଯିବ ।
ସ୍ୱାମୀଙ୍କର ନିଦ ଭାଂଗିଗଲା । ସେ ରଶ୍ମିରେଖା ଉପରେ ହାତ ପକେଇଲେ ଓ କୋଳକୁ ଭିଡ଼ିଲେ । ଗୁଣୁଗୁଣୁ ହୋଇ କ’ଣ ସବୁ କହିଲେ । ସେ କିଛି ବୁଝିପାରିଲା ନାହିଁ । ବରଂ ଝଡ଼ି ଝଡ଼ି ଗଲା । ସ୍ୱାମୀଙ୍କ ଦେହରେ ଶୁଖୁଆ ବାସ୍ନା ସହ ମିଶିଗଲା ଚଂପାଫୁଲର ବାସ୍ନା ।
ସ୍ୱାମୀ ଶାନ୍ତ ହେଲେ । ରଶ୍ମିରେଖାର ଛାତିରେ ଶୋଇ ରହି ପଚାରିଲେ: ଏ ଜହ୍ନ ରାତି, ଚଂପା ବାସ୍ନା ଓ ମୁଁ ସହ ତୁମର ଆଉ କ’ଣ ଦରକାର? ରଶ୍ମିରେଖା ପାଟିରୁ ବାହାରି ପଡ଼ିଲ: ଚଂପକଲାଲ୍ର ବଂଶୀ ସୁର… ।
ସ୍ୱାମୀ ଚୁପ୍ ହୋଇଗଲେ । ଉଠିଲେ । କିନ୍ତୁ ଆଲୁଅ ଜାଳିଲେ ନାହିଁ । ସେମିତି ଅଂଧାରରେ ବାଥରୁମ୍ ଗଲେ ଓ ଫେରି ଶୋଇପଡ଼ିଲେ । କିଛି ସମୟ ପରେ ତାଙ୍କ ଘୁଂଗୁଡ଼ି ଶୁଭିଲା ।
ଅଂଧାରରେ ରଶ୍ମିରେଖା ଶୋଇବାକୁ ଚେଷ୍ଟା କଲା । ଚଂପକଲାଲର ମୁହଁଟାକୁ ମନେପକାଇଲା । ହେଲେ ସେମିତି ଅଂଧ ବସନ୍ତ ଦାଗ ଥିବା ମୁହଁଟିଏ ବାରମ୍ବାର ମନେ ପଡ଼ିଲା ତା’ର । ତାକୁ ଲାଗିଲା ଚଂପକ ଯେଉଁଠି ଥିଲେ ବି, ନିଶ୍ଚେ ଭଲରେ ନାହିଁ, ଶାନ୍ତିରେ ନାହିଁ । ଏବଂ ସେ ବଂଶୀ ମଧ୍ୟ ବଜେଇ ପାରୁନାହିଁ । ରଶ୍ମୀରେଖା ଉଠିଲା । ପାଦ ଚିପି ଚିପି ବାହାରକୁ ଗଲା । ଜହ୍ନ ଆଲୁଅରେ ବସିଲା । ଚଂପାଫୁଲ ଆଞ୍ଜୁଳାଏ ଆଣି ଶୁଙ୍ଘିଲା । କେଜାଣି କାହିଁକି ତାକୁ ଭାରି କାନ୍ଦ ଲାଗିଲା । ତାକୁ ଲାଗିଲା; ଏଇ କିଛି ସମୟ ପୂର୍ବରୁ ସେ କାହାଦ୍ୱାରା ଧର୍ଷିତା ହୋଇଯାଇଛି ଓ ତା’ ଦେହ ସାରା କଳାରଂଗ ଓ ଆଇଁଷିଆ ବାସ୍ନା ବୋଳି ହୋଇଯାଇଛି । ସେ ବାଥରୁମ୍ରେ ପଶି ଗାଧୋଇଲା ଓ ଚଂପାଫୁଲ ଶେଯସାରା ବିଛେଇ ଶୋଇଲା ।
ନିଦ ଭାଙ୍ଗିବା ବେଳକୁ ସକାଳ । ସ୍ୱାମୀ ବ୍ୟବସାୟକୁ ଯାଇନାହାଁନ୍ତି । ଗୋଟେ କୁରାଢ଼ୀରେ ଚଂପାଗଛ ମୂଳକୁ ହାଣି ଚାଲିଛନ୍ତି । ରଶ୍ମିରେଖା ଝରକା ପାଖେ ଛିଡ଼ା ହୋଇ ପଥର ହୋଇଗଲା । ଚଂପାଗଛଟା ଭୁସ୍ କରି ପଡ଼ିଲା ତଳେ । ତାର ନରମ ଡାଳଗୁଡ଼ା ମଡ଼ ମାଡ଼ ହୋଇ ଭାଂଗିପଡ଼ିଲା । ସ୍ୱାମୀ ବୀରଦର୍ପରେ ଛିଡ଼ା ହୋଇଥିଲେ ।
ରଶ୍ମିରେଖା ଚିତ୍କାର କଲା: ୟୁ କାୱାର୍ଡ… ।