ପାର୍ଥଙ୍କ ହାବଭାବ, ଚାଲିଚଳନରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖି ବ୍ୟତିବ୍ୟସ୍ତ ହୋଇପଡିଥିଲା ସୁନନ୍ଦା । ଲିସା ସେମାନଙ୍କର ଏକମାତ୍ର ଗେହ୍ଳୀ ଝିଅ । ବାପାଙ୍କୁ ମଜାରେ ଡରାଇବା ପାଇଁ ନିଜ ସ୍ୱର ବଦଳାଇ ଲିସା ଫୋନ୍ କରି ତାକୁ କିଏ କିଡନାପ୍ କରିଛି ବୋଲି କହିଲା ପରେ ପାର୍ଥ ଯେମିତି ପାଗଳ ହୋଇଯାଇଥିଲା । ବିଟେକ୍ର ଶେଷବର୍ଷ ଏଥର ଲିସା’ର । କୌଣସି ପୁ୍ଅପିଲା ସାଙ୍ଗ ସହ ଲିସାର ମିଳାମିଶାକୁ ପସନ୍ଦ କରୁନଥିଲା ପାର୍ଥ । ବାପାଙ୍କୁ ଏଇ ସାମନ୍ୟ ମଜା ପାଇଁ ଏମିତି ଘାବରେଇବା ଦେଖି ନିଜଆଡୁ କ୍ଷମା ମାଗିଥିଲା ଲିସା । ସୁନନ୍ଦା ବି ବୁଝାଇଥିଲେ, “ପିଲା ଲୋକ ଗେଲ ମଜାରେ ଏମିତି କରିଦେଇଛି ।” ପାର୍ଥ ଯେମିତି କିଛି ଶୁଣିବାକୁ ପ୍ରସ୍ତୁତ ନଥିଲା । ଏକ ଅଜଣା ଭୟାତୁର ଭାବ ଯେମିତି ମାଡି ବସିଥିଲା ପାର୍ଥକୁ । ଲିସା ପାଇଁ ଓଭର ପଜେସିଭ୍ ପାର୍ଥ ହୋଇପଡିଥିଲା ବୋଲି ଲାଗୁଥିଲା ସୁନନ୍ଦାଙ୍କୁ ।
ବାପା ହିସାବରେ ଏହା ଅତ୍ୟଧିକ ଦାୟିତ୍ୱବୋଧତା ଅଥବା ଶୃଙ୍ଖଳାବୋଧର ଦ୍ୱାହି ଦେଇ ଜବରଦସ୍ତି ଝିଅ ଉପରେ ନିଜର ମାନସିକତାକୁ ଲଦି ଦେବାର ପାର୍ଥଙ୍କର ଏହା ଦୁର୍ବାର ପ୍ରୟାସ ତାହା ବୁଝିପାରୁନଥିଲା ସୁନନ୍ଦା । “ଆଜିକାଲି ପିଲାମାନଙ୍କ ବ୍ୟକ୍ତିଗତ କଥାରେ ସବୁବେଳେ ମୁଣ୍ଡପୁରେଇବା ଠିକ୍ ନୁହେଁ । ବାପା ମା ହିସାବରେ ସେମାନଙ୍କୁ ଗାଇଡ୍ କରିବା ଦରକାର, କିନ୍ତୁ ଚୌକିଦାର ପରି ଚବିଶଘଣ୍ଟା ସେମାନଙ୍କୁ ଜଗିବା, ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଠିକ୍ ନୁହେଁ । ଲିସା କହୁଥିଲା ତମେ କାଳେ ସବୁବେଳେ ତା ମୋବାଇଲ୍ ଓ ଲାପଟପ୍ ଚେକ୍ କରୁଛ ବୋଲି ?”ସୁନନ୍ଦାଙ୍କ ପ୍ରଶ୍ନ ଶୁଣି ଏକ ବିରକ୍ତି ଓ ଅସନ୍ତୋଷର ଭାବ ଫୁଟି ଉଠିଲା ପାର୍ଥଙ୍କ ମୁହଁରେ ।
“ବାପା ମା ହିସାବରେ ନିଜ ପିଲା ଉପରେ ନଜର ରଖିବା କ’ଣ ଭୁଲ? ଏଥିପାଇଁ ହିଁ ଆଜିକାଲି ପିଲାମାନେ ପଥଭ୍ରଷ୍ଟ ହେଉଛନ୍ତି । ପ୍ୟାରେଣ୍ଟାଲ ଗାଇଡାନସ୍ ଅଭାବରେ ପିଲାମାନେ ମନଇଚ୍ଛା କାମ କରି ବିପଦକୁ ଡାକି ଆଣୁଛନ୍ତି । ନେଡି ଗୁଡ କହୁଣୀକୁ ବୋହି ଗଲା ପରେ ବାପା ମାଙ୍କ ଉପରେ ଦୋଷ ଲଦା ହେଉଛି ।”ସୁନନ୍ଦା ବୁଝୁଥିଲା ସ୍ୱାମୀଙ୍କର କଥାର ଗୁରୁତ୍ୱକୁ । ହେଲେ ସବୁ ଜିନିଷର ଗୋଟେ ସୀମା ଥାଏ । ନିଜ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଆଞ୍ଚ ଆସିଲେ ସମସ୍ତେ କ୍ଷୁବ୍ଧ ହୋଇଉଠି ବିଦ୍ରୋହର ସ୍ୱର ତୋଳିବାକୁ ପଛାନ୍ତି ନାହିଁ ।
ଲିସା କଥାରେ ବି ସେଦିନ ଅଭିଯୋଗ ସହିତ ବିଦ୍ରୋହର ଆଭାସ ମିଳିଥିଲା ସୁନନ୍ଦାଙ୍କୁ । “ଦିସ୍ ଇଜ୍ ଠୁ ମଚ୍ ମମି । ପ୍ଲିଜ୍ ତମେ ଟିକେ ପାପାଙ୍କୁ ବୁଝାଇଦିଅ । ସବୁବେଳେ ମୋ ବ୍ୟାଗ, କପବୋର୍ଡ ଅଣ୍ଡାଳିବା, ମୋବାଇଲ ଏବଂ ଲାପଟପ୍ରେ ମେସେଜ୍ ଚେକ୍ କରିବା ଏବଂ ଇଣ୍ଟରନେଟ୍ରେ ମୁଁ କ’ଣ ଡାଉନଲୋଡ୍ କରୁଛି କିମ୍ବା କାହା ସହିତ ଫେସ୍ବୁକରେ ଚ୍ୟାଟ୍ କରୁଛି ତାହା କଣ ଚେକ୍ କରିବା ନିହାତି ଦରକାର? ମୋ ଉପରେ କ’ଣ ତୁମ ମାନଙ୍କର ବିଶ୍ୱାସ ନାହିଁ?” ଝିଅକୁ ସାନ୍ତ୍ୱନା ଦେଇ ସୁନନ୍ଦା କହିଲେ, “ତୁ ସବୁ କଥାକୁ ଏମିତି ନେଗେଟିଭ୍ ଭାବେ କାହିଁକି ନେଉଛୁ ? ବାପା କ’ଣ ତୋ ଶତ୍ରୁ? ତୁ କ’ଣ ଜାଣିନୁ ବାପା ତୋତେ କେତେ ଭଲ ପାଆନ୍ତି ? ମୋ ଠାରୁ ବି ଅଧିକ । ତୁ ପରା ତାଙ୍କ ଜୀବନ । ତାଙ୍କର ଭୟ ଯେ, ତୁ ଯେମିତି ଖରାପ ସାଙ୍ଗମାନଙ୍କ କବଳରେ ନପଡୁ । ଆଜିକାଲି ବଦମାସ୍ ପିଲାଙ୍କୁ କ’ଣ ଭରସା? ତମମାନଙ୍କ ପରି ନିରୀହ ପିଲାଙ୍କୁ ଫସେଇ ଦେବେ ।”
ମମିଙ୍କ କଥାରେ ବୋଧେ ସନ୍ତୁଷ୍ଟ ହେଲା ନାହିଁ ଲିସା । ଚଟ୍ କରି କହିଲା, “ଦୁଇ ଦିନ ତଳେ ମୋ ବ୍ୟାଗ୍ରେ ଫେସ୍ ପାଉଡରକୁ ଦେଖାଇ ପଚାରୁଥିଲେ ତୋର କେଉଁ ସାଙ୍ଗ ଡ୍ରଗସ୍ ନେଉନାହାନ୍ତି ତ? ମୋ ସାଙ୍ଗ ଶୁଭାଶିଷ ଓ ଗୌରବଙ୍କୁ ଫୋନ୍ କରି କାହିଁକି ସେମାନେ ମୋତେ ମେସେଜ୍ ବା ଫୋନ୍ କରୁଛନ୍ତି ବୋଲି ଗାଳି ଦେଇଥିଲେ । ପାଠପଢା ଏବଂ ଟିଉସନ୍ ନୋଟ୍ ଓ ପ୍ରୋଜେକ୍ଟ କାମ ପାଇଁ ଆଜିକାଲି ଏସବୁ କରିବାକୁ ପଡେ । କେହି ତାହା ହେଲେ ମୋ ସାଙ୍ଗ ହେବେନି । ତମେ ପ୍ଲିଜ ଶୁଭାଶିଷ ଓ ଗୌରବଙ୍କୁ ପାପାଙ୍କ ତରଫରୁ ସରି କହିଦିଅ ମମି ।”ଲିସାଠାରୁ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ସୁନନ୍ଦା । ଛି, ପାର୍ଥ ଏତେ ତଳକୁ ଚାଲିଗଲେ । ଅନ୍ତତଃ ସୁନନ୍ଦାକୁ ତ ଏ ବିଷୟରେ ପଚାରି ପାରିଥାନ୍ତେ ।
ନିଜ ପିଲାଙ୍କୁ ଏତେ ଅବିଶ୍ୱାସ କରିବା କ’ଣ ଠିକ୍? ବାପା, ମା’ ହିସାବରେ ପିଲାଙ୍କୁ ସେମାନଙ୍କ ଭୁଲ୍ ପାଇଁ ବୁଝାଇବା ଦରକାର, କିନ୍ତୁ ଅଯଥା ସନେ୍ଦହ କରି ସେମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବ ଅନୁଚିତ୍ । ପାର୍ଥ ଓ ସୁନନ୍ଦାଙ୍କ ସ୍କୁଲ୍ କଲେଜ ସମୟରେ ହୁଏତ ଆଜିକାଲିକା ପରି ସ୍ୱାଧୀନତା ନଥିଲା, କଟକଣାଭରା ଜୀବନ ଭିତରେ ବାନ୍ଧି ହୋଇ ରହୁଥିଲେ ସବୁ ପିଲାମାନେ? ଲୁଚାଚୋରା ପ୍ରେମହେଉ, ଚିଠି ଦିଆନିଆ ଭିତରେ ଭାବର ଆଦାନ ପ୍ରଦାନ ହେଉ କିମ୍ବ ଖେଳକୁଦ ମଧ୍ୟରେ ନିଆରା ବନ୍ଧୁତା ହେଉ, ନିଜନିଜର ଅଭିବ୍ୟକ୍ତି, ଭାବନାକୁ ପରିପ୍ରକାଶ କରୁଥିଲେ ପିଲାମାନେ । ଆଜି ଅବା କ’ଣ ବ୍ୟତିକ୍ରମ ଘଟିଛି? ଝିଅକୁ ବୁଝାଇସୁଝାଇ ତା’ ଦୁଇ ସାଙ୍ଗକୁ ଫୋନ୍ରେ କ୍ଷମା ମାଗି ପରିସ୍ଥିତିକୁ ସହଜ କରିଥିଲେ ସୁନନ୍ଦା ।
ଆଗରୁ ତ ଏମିିତି ନଥିଲେ ପାର୍ଥ । ଦିନକୁ ଦିନ କାହିଁକି ଏତେ ବଦଳି ଯାଉଛନ୍ତି ସେ? ଅତ୍ୟଧିକ ମୋହ ବେଳେବେଳେ ମାନସିକ ବ୍ୟାଧିରେ ପରିଣତ ହୋଇଥାଏ । ମନେ ମନେ ସୁନନ୍ଦା ନିଷ୍ପତ୍ତି ନେଉଥିଲେ । ପାର୍ଥଙ୍କୁ ଆରାମରେ ସବୁକଥା ପୁଣିଥରେ ବୁଝାଇବାକୁ ପଡିବ । ପିଲାଙ୍କ ଉପରେ ଅତ୍ୟଧିକ କଟକଣା, ଅଙ୍କୁଶ ଲଗାଇବା ଉଚିତ୍ ନୁହେଁ । ସେଦିନ ମାର୍କେଟରୁ ଫେରିଲା ବେଳେ ବସ୍ ଷ୍ଟପ୍ ପଛରେ ପାର୍ଥଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲା ସୁନନ୍ଦା । ଅଟୋକୁ ସେଇଠି ବିଦା କରି ଚୁପ୍ଚାପ୍ ଗୋଟାଏ ଦୋକାନ ଆଢୁଆଳରେ ଠିଆ ହେଲା ସୁନନ୍ଦା । କାହା ପାଇଁ ଅପେକ୍ଷା କରିଛନ୍ତି ପାର୍ଥ? ସାମ୍ନାରେ ଆଇନକ୍ସ ସିନେମାହଲ୍ । ପାର୍ଥ କ’ଣ କାହା ସହିତ ସିନେମା ଯିବେ? କିଛି ସମୟ ପରେ ବସ୍ ରୁ ଓହ୍ଲାଇଲା ଲିସା, ନିଜ ସାଙ୍ଗମାନଙ୍କ ସହିତ । ପାର୍ଥ ଚୁପ୍ଚାପ୍ ଲୁଚିଲୁଚି ଦେଖୁଥିଲେ ଲିସା ଓ ତାର ସାଙ୍ଗମାନଙ୍କୁ ଏବଂ ଧୀରେ ଧୀରେ ସେମାନଙ୍କୁ ଅନୁସରଣ କରିବା ଆରମ୍ଭ କରିଦେଇଥିଲେ । ସନ୍ତପର୍ଣ ସହିତ ସୁନନ୍ଦା ଆସି ଧରିପକାଇଲା ପାର୍ଥଙ୍କୁ । “ଆରେ ତମେ ଏଇଠି?” ଚମକି ପଡି କହିଲେ ପାର୍ଥ, “ଆସ, ଏଇ ସାମ୍ନା ଦୋକାନରେ କଫି ପିଇବା ।”କଫି ଅର୍ଡର ଦେଇ ସୁନନ୍ଦା ସିଧାସଳଖ ପାର୍ଥଙ୍କୁ ପଚାରିଲା, “ଘରେ ଲିସା ଆଗରେ ଏସବୁ ପଚାରିବା ଠିକ୍ ନୁହେଁ ବୋଲି ତମକୁ ଏଠିକି ଡାକି ଆଣିଛି । ତମେ କ’ଣ ନିଜ ଝିଅକୁ ଫଲୋ କରୁଥିଲ?”ଟିକେ ହଡବଡେଇ ଗଲା ପାର୍ଥ । ରୁମାଲରେ ନିଜ ମୁଣ୍ଡରୁ ଝାଳ ପୋଛି ପକାଇ କଫି କପ୍ରେ ଚୁମକ୍ ଦେଇ କହିଲା, “ଏଇ ଛକରେ ଗୁଡାଏ ବାଜେ ପିଲା ଠିଆ ହୋଇ ଝିଅ ଓ ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରନ୍ତି । ମୁଁ ଦେଖୁଥିଲି ଆମ ଲିସାକୁ ଏମିତି କେହି…” କଥାରେ ବାଧା ଦେଇ ସୁନନ୍ଦା କହିଉଠିଲା, “ତମେ କ’ଣ ଚବିଶଘଣ୍ଟା ନିଜ ଝିଅର ବଡିଗାର୍ଡ ହୋଇ ବୁଲିପାରିବ? ସେ ବଡ ପିଲା ହେଲାଣି, ନିଜର ଭଲମନ୍ଦ ଜାଣିବାର ବୟସ ବି ତା’ର ହେଲାଣି । କିନ୍ତୁ ଦରକାର ପଡିଲେ ମୋବାଇଲ୍ରେ ଆମକୁ ଖବର ଦେଇପାରିବ । ତମେ ଏତେ ବ୍ୟସ୍ତ ହୋଇ ନିଜ ହେହ ଖରାପ କରୁଛ । ଡଃ ଶତପଥୀ ଫୋନ୍ କରି ତମ ହେହ କଥା ପଚାରୁଥିଲେ ।”
ହଠାତ୍ ବିକଳ ଦେଖାଗଲା ପାର୍ଥର ମୁହଁ । ସତେ ଯେମିତି ସେ ଧରା ପଡିଯାଇଛି ସୁନନ୍ଦା ଆଗରେ । “କ’ଣ କହୁଥିଲେ ଡଃ ଶତପଥୀ? ତମେ କାହିଁକି ତାଙ୍କୁ ଫୋନ୍ କରିଥିଲ?” “ଆରେ ବାବା ମୁଁ ନୁହେଁ, ସେ ହିଁ ତମ ମୋବାଇଲ୍ରେ ଫୋନ୍ କରିଥିଲେ । ତମେ ପରା ଆଜି ଫୋନ୍ଟା ଘରେ ଛାଡିଚାଲିଯାଇଥିଲ ।”
ନିଜ ପକେଟ୍ରେ ହାତ ମାରିଲା ପାର୍ଥ । ସତେତ, ଏ ସାମାନ୍ୟ କଥା ବି ତା’ର ମନେ ରହୁନି? ସବୁବେଳେ କେମିତି ଏକ ଦୁଶ୍ଚିନ୍ତା ତାକୁ ମାଡିବସୁଛି । ଏକ ଅଜଣା ଭୟ ତାକୁ କବଳିତ କରୁଛି ସବୁଦିନ । ରାତିରେ ନିଦ ହେଉନି ବୋଲି ବ୍ଲଡ୍ପ୍ରେସର ବହୁତ ବଢିଯାଉଥିଲା । ଡକ୍ଟର ଶତପଥୀଙ୍କୁ ଦେଖାଇ ଏବେ ନିଦବଟିକା ଏବଂ ଆଣ୍ଟି ଆଙ୍ଗଜାଇଟି ମେଡିସିନ୍ ଖାଉଛି ।
“କ’ଣ ଏତେ ଚିନ୍ତା କରୁଛ ତମେ? ନିଦ ବଟିକା ତମେ ଖାଉଛ ଅଥଚ ମୁଁ ଜାଣିନି । ପ୍ଳିଜ୍ ମୋତେ କୁହ କ’ଣ ଏତେ ଭାବୁଛ?”ଚୁପ୍ଚାପ୍ ବସିରହିଥିଲା ପାର୍ଥ ଏକ ମିଉଜିଅମର ମୂର୍ତ୍ତିପରି । ସୁନନ୍ଦା ଆଉ ଦୁଇଟା କ୍ୟାପୋଚିନୋର ଅର୍ଡର ଦେଲା । ପାର୍ଥ ମୁଣ୍ଡରେ ଚିନ୍ତାଗୁଡାକ ଘୂରି ବୁଲୁଥିଲା, ବଢିଲା ନଈପାଣିରେ ଭଉଁରୀ ଖେଳିଲା ପରି । ସୁନନ୍ଦାକୁ ସେ କ’ଣ ଉତ୍ତର ଦେବ? ସତ କଥା କ’ଣ ସେ କହିପାରିବ? ଅନେକ ଦିନ ତଳର ଏକ ଘଟଣା, ବାରମ୍ବାର ତା’ ସାମ୍ନାକୁ ଯେମିତି ଚାଲିଆସୁଛି । ଦାନ୍ତ ନିକୁଟି ତାକୁ ବିଦ୍ରୁପ କରୁଛି, ଭୟଭୀତ କରାଉଛିି ।
ପାର୍ଥ ଚମକି ପଡିଲା । ତାକୁ ଲାଗିଲା ତା’ ସାମ୍ନାରେ ଯେମିତି ସୁନନ୍ଦା ନୁହେଁ, ବରଂ ଆଉ କିଏ ବସିଛି । ଝାପସ୍ା, ଝାପ୍ସା ଦିଶୁଥିଲା ସେ ମୁହଁଟା । ନା, ଆଉ ଚାହିଁ ପାରିଲାନି ପାର୍ଥ । ନିଜକାନକୁ ଦୁଇ ହାତରେ ବନ୍ଦ କରିଦେଲା ସେ । ବାରମ୍ବାର ତା’ କାନ ଭିତରେ ପ୍ରତିଧ୍ୱନିତ ହେଉଥିଲା କିଛି ବାକ୍ୟ । “ନା, ସଟ୍ ଅପ୍ ।” ପାଟି କରି ଉଠିଲା ପାର୍ଥ । ପର ମୁହୁର୍ତ୍ତରେ ଅବଶ୍ୟ ନିଜ ଭୁଲ୍ ବୁଝିପାରି ନିଜକୁ ସଂଯତ କରିନେଲା । ସୁନନ୍ଦା କିନ୍ତୁ ଡରିଯାଇଥିଲା । ଏମିତି କାହିଁକି ପାଟି କଲା ପାର୍ଥ? ହେ ଭଗବାନ ; କ’ଣ କରିବ ସେ?
ଡଃ ଶତପଥୀଙ୍କ କଥା ମନେ ପଡିଗଲା ତାର । “ଭାଉଜ ଆପଣ ବ୍ୟସ୍ତ ହୁଅନ୍ତୁନି । କିଛି ଗୋଟେ ଘଟଣା ପାଇଁ ପାର୍ଥ ଟିକେ ଟେନସନ୍ ହୋଇଯାଇଛି । ଏମିତି ବହୁତ କେସ୍ରେ ହୁଏ । ତାକୁ ଭୟ ଲାଗୁଛି କିଏ ଯେମିତି ଲିସାକୁ କିଡନାପ୍ କରି ନେଇଯିବ କିମ୍ବା ମାରି ପକାଇବ । ମେଡିସିନ୍ କମ୍, ତେଲ-ମସଲା ବାଲା ଘରୁଆ ଖାଦ୍ୟ, ପ୍ରପର ରେଷ୍ଟ ନେଲେ ସବୁ ଠିକ୍ ହୋଇଯିବ ।” ସୁନନ୍ଦା ପଚାରିଥିଲା, “ହେଲେ ଡକ୍ଟର ଏମିତି କଥା ତାଙ୍କ ମନକୁ କାହିଁକି ଆସୁଛି? ଏଇ କିଛି ମାସ ହେଲାଣି ଅବଶ୍ୟ ମୁଁ ଟିକେ ଟିକେ ମାର୍କ କରୁଥିଲି ।”
“ଡର ହେଉଛି ମନର ଏକ ଅବସ୍ଥା । କୌଣସି ବି କାରଣ ନଥାଇ ଏମିତି ହୋଇପାରେ ଅଥବା କୌଣସି ଘଟଣା ସାମ୍ନାରେ କିମ୍ବା ଟିଭିରେ ଦେଖି ଲେ ବି ହୋଇପାରେ । ତାକୁ ନିଜକୁ ଷ୍ଟ୍ରଙ୍ଗ କରିବାକୁ ପଡିବ । ଟିଭି ଦେଖା ଇଣ୍ଟରନେଟ୍ ନିଉଜ୍ ପେପର ପଢା ବନ୍ଦ କଲେ ଭଲ ହୁଅନ୍ତା । ସୁନନ୍ଦାକୁ ଚିଡିମାଡୁଥିଲା ଲିସା ଉପରେ । ଲିସାର ଛୋଟ ମଜାଟା ଯେ ‘ଏତେ ଗୁରୁତର’ ହୋଇଉଠିବ, ତାହା ସେ ଚିନ୍ତା କରିନଥିଲା । ଟିଭି ଓ ପେପରରେ ତ ଆଜିକାଲି ଅପହରଣ ଓ ରେପ୍ ମର୍ଡର ଏକଦମ୍ ସାଧାରଣ ହୋଇଗଲାଣି । କେତେ ନୃଶଂସ ଭାବେ ଝିଅଗୁଡାକୁ ଧର୍ଷଣ ପରେ ମାରି ଦିଆଯାଉଛି । ଦିଲ୍ଲୀ ହେଉ କି ପିପିଲି ହେଉ, ସବୁଠି ସେଇ ଏକା କଥା ।”ଏମିତି ନିଉଜ୍ ବୋଧେ ଅତ୍ୟଧିକ ପ୍ରଭାବ ପକାଉଛି ପାର୍ଥଙ୍କ ଉପରେ । ହେଲେ ଏମିତି କଥା ଭାବିଭାବି ଅତ୍ୟଧିକ ମାନସିକ ଚାପରେ ପାର୍ଥ ପାଗଳ ହୋଇଯିବେ ନାହିଁ ତ? ନିଜ ଦେହର ଅବସ୍ଥାକୁ ସୁନନ୍ଦାଠାରୁ ସଂପୂର୍ଣ୍ଣ ଭାବେ ଗୋପନ ରଖିଥିଲେ କାହିଁକି? ପାର୍ଥ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ଅନ୍ତତଃ ତାକୁ ତ ଜଣାଇପାରିଥାନ୍ତା । ସୁନନ୍ଦା କାଳେ ବ୍ୟସ୍ତ ହେବ ବୋଲି ହୁଏତ ଏ ବିିଷୟରେ ଚର୍ଚ୍ଚା କରିନାହାଁନ୍ତି ସେ । କଫି ହାଉସ୍ରୁ ବାହାରିଲା ବେଳେ ପାର୍ଥ ପଚାରିଥିଲ । ଡକ୍ଟର ଶତପଥୀ ତମକୁ ଆଉ କିଛି କହୁଥିଲେ କି? ମୁହଁ ଫୁଲାଇ ସୁନନ୍ଦା କହିଲା,” ମୁଁ କାହିଁକି କିଛି କହିବି? ତମେ ବରଂ କିଛି ଦିନ ଛୁଟି ନେଇ ଘରେ ରେଷ୍ଟ ନିଅ । ସବୁ ଠିକ୍ ହୋଇଯିବ ।”
ହଠାତ୍ ଫୋନ୍ ବାଜି ଉଠିଲା ସୁନନ୍ଦାର । ଆଗପଟୁ ଲିସାର ସ୍ୱର । “ମମି, ଆଜି ଅଭିଜିତ୍ର ବାର୍ଥ ଡେ । ଆମେ ସବୁ ସାଙ୍ଗମାନେ ମିଶି ଯାଉଛୁ । ନଅଟା ସୁଦ୍ଧା ଫେରିଆସିବୁ ।”
ଠିକ୍ ଅଛି ବେଶୀ ଡେରି ଜମା କରିବୁନି । ସୁନନ୍ଦା ଫୋନ୍ ବନ୍ଦ କରୁ କରୁ ପାର୍ଥ ପଚାରି ପକାଇଲେ, “କାହା ଫୋନ୍? କିଏ କେତେବେଳେ ଫେରିବ? ସୁନନ୍ଦାଙ୍କ ଠାରୁ ଅଭିଜିତ୍ର ନାଁ ଶୁଣି ଟିକିଏ ଚିହିଁକି ଗଲେ ପାର୍ଥ । “ଏ ପୁଅ ପିଲାଙ୍କ ପାର୍ଟିକୁ ଯିବା ପାଇଁ ତାକୁ କାହିଁକି ଛାଡୁଥିଲ? ଏମିତି ସବୁ ବାର୍ଥଡେ ପାର୍ଟିରେ କୋଲଡି୍ରଙ୍କସ୍ରେ ନିଶା ମିଶାଇ ଦେଇ ଝିଅଙ୍କ ଇଜ୍ଜତ ସହ ଖେଳୁଛନ୍ତି ପୁଅମାନେ । ଅଶ୍ଳୀଳ ଫଟୋ ଏବଂ ଭିଡିଓ ସବୁ ଇଣ୍ଟରନେଟ୍ରେ ଅପଲୋଡ କରିଦେଉଛନ୍ତି ।”
ସୁନନ୍ଦାଙ୍କ ମନକୁ ବି ପାପ ଛୁଇଁଲା । ତଥାପି ସେ ଜାଣିଶୁଣି କୌଣସି ଭାବାନ୍ତର ଦେଖାଇ ପାର୍ଥଙ୍କୁ ଟେନସନ୍ କରିବାକୁ ଚାହୁଁନଥିଲା ।
“ଓହୋ, ଅଭିଜିତ୍କୁ ମୁଁ ଜାଣିଛି । ସେ ଏମିତିକା ପିଲା ନୁହଁ । ତା ମମିଙ୍କ ସହିତ ମୁଁ ଦୁଇଥର ମିଶିଛି । ତମେ ବ୍ୟସ୍ତ ହୁଅନା । ରାତି ନଅଟା ପୂର୍ବରୁ ଲିସା ଘରେ ପହଁଚିଯିବ ।”
ସନ୍ଧ୍ୟାବେଳଟା ସାରା ପାର୍ଥ ଘର ଭିତରେ ଖାଲି ପାଦ ଚାରଣା କରୁଥିଲେ, ସଦ୍ୟ ଜଙ୍ଗଲରୁ ଧରା ହୋଇ ପିଞ୍ଜରାରେ ବନ୍ଦ ହୋଇ ରଖା ହୋଇଥିବା ବାଘଟିଏ ପରି । ବାଲକୋନୀରେ ଠିଆହୋଇ ଗୁଡାଏ ସିଗାରେଟ୍ ବି ଟାଣୁଥିଲେ ପାର୍ଥ । ସାଢେ ସାତଟା ବେଳକୁ ଲିସାକୁ ଫୋନ୍ କରିବାକୁ କହୁଥିଲେ ସୁନନ୍ଦାଙ୍କୁ । ଘଣ୍ଟାରେ ଠିକ୍ ନଅଟା ବାଜିଲା ପରେ ପାର୍ଥ ନିଜେ ଫୋନ୍ ଲଗାଇଥିଲେ । ଲିସାର ବେଡ୍ ରୁମରୁ ଫୋନର ଘଣ୍ଟି ଶୁଭୁଥିଲା । ଭୁଲ୍ରେ ବୋଧେ ଲିସା ଘରେ ଫୋନ୍ ଛାଡିଦେଇ ଚାଲିଯାଇଥିଲା । ପାର୍ଥଙ୍କୁ ଆଉ କିଏ ସମ୍ଭାଳିବ !
“କେଡେ ଦାୟିତ୍ୱହୀନ ତମ ଝିଅ ? ନିଜେ ଦେଖ;” ଦଶ ମିନିଟ୍ ପରେ ହିଁ ଲିସା ଆସି ପହଁଞ୍ଚିଯାଇଥିଲା ଘରେ ଏବଂ ଘର ପରିବେଶଟା ଶାନ୍ତ ପଡିଥିଲା । ପାର୍ଥଙ୍କୁ ଏମିତି ଡରିଯାଇ ବ୍ୟସ୍ତ ହେବା ଦେଖି ଆତଙ୍କିତ ହୋଇଉଠୁଥିଲା ମନେ ମନେ ସୁନନ୍ଦା । ରାତିରେ ଶୋଇବା ବେଳେ ଏପରିକି ସବୁବେଳେ ପାର୍ଥ ବିଳିବିଳେଇ ହେଉଥିଲେ । ସୁନନ୍ଦାର ନିଦ ବି ଭାଙ୍ଗି ଯାଉଥିଲା । ରାତି ଅଧରେ ପାର୍ଥଙ୍କୁ ଉଠାଇ ଏ ବିଷୟରେ ପଚାରିବାକୁ ମନହୁଏ ସୁନନ୍ଦାର । ହେଲେ ଡାକ୍ତରଙ୍କ ଉପଦେଶ କଥା ମନେ ପଡିଯିବାରୁ ଚୁପ୍ ରହେ ସେ ।
ଭାଲେଣ୍ଟାଇନ୍ ଡେ ଦିନ ଲିସା ନିଜ ସାଙ୍ଗମାନଙ୍କ ସହ ସିନେମା ଦେଖି ଅଭିଜିତ୍ ର ଘରେ ପାର୍ଟି ଆଟେଣ୍ଡ କରି ଫେରିବ ବୋଲି ସୁନନ୍ଦାଙ୍କ ଠାରୁ ଆଗୁଆ ଅନୁମତି ନେଇଥିଲା । ଏବର୍ଷ କଲେଜରେ ତା’ର ଶେଷ ବର୍ଷ । ଆଉ କ’ଣ ଏମିତି ସାଙ୍ଗମାନଙ୍କ ସହ ଭାଲେଣ୍ଟାଇନ ଡେ’କୁ ଏନ୍ଜୟ କରିବାକୁ ମଉକା ମିଳିବ? ଝିଅର ଆଗ୍ରହକୁ ଭାଙ୍ଗିବାକୁ ଇଚ୍ଛା କରିନଥିଲେ ସୁନନ୍ଦା । ଘରକୁ ଫେରି ପାର୍ଟିକଥା ଶୁଣି ରାଗରେ ନିଆଁବାଣ ହୋଇଗଲେ ପାର୍ଥ । କି ବୋକୀଲୋକ ତମେ । ଆଜିକାଲି ଏମିତିକା ପାର୍ଟିରେ ପୁଅଗୁଡାକ ସୁଯୋଗ ଉଣ୍ଡି ଝିଅମାନଙ୍କୁ ଡେଟ୍ ରେପ୍ କରୁଛନ୍ତି ।
ଅଭିଜିତ୍ ଘରେ ପାର୍ଟି ହେଉଛି । ପିଲାଟା ବହୁତ ଭଲ । ଆମ ଲିସା ବି ତାକୁ ପସନ୍ଦ କରେ । ଅଭିଜିତର ବାପା ନାହାନ୍ତି । ତା’ ମା’ ଅରୁନ୍ଧତୀ ମିଶ୍ର ବହୁତ ବଢିଆ ଲୋକ । ଚମକି ପଡି ପାର୍ଥ କହିଲା, “କ’ଣ କହିଲ? ଅରୁନ୍ଧତୀ ମିଶ୍ର ।” “ହଁ ଅରୁନ୍ଧତୀ ମିଶ୍ର । ରେଭେନ୍ସାରେ ଇଂରାଜୀ ଅନର୍ସ ନେଇ ପଢୁଥିଲା । ଆମଠୁ ତିନିବର୍ଷ ସିନିଅର ଥିଲେ । ଡେଙ୍ଗା ହୋଇ, ଗୋରା ଚେହେରା ଓ ଚଷମା ଲଗାନ୍ତି ।” ବ୍ୟସ୍ତ ହୋଇ ପାର୍ଥ କହିଉଠିଲା, “ସେଇ ଅରୁନ୍ଧତୀ ନିଶ୍ଚୟ ତା’ ପୁଅକୁ ଶିଖାଇ ଆମ ଲିସା ଉପରେ ରାଗ ସୁଝାଇବ ।” ପାର୍ଥ ଦେହଟା ଉତ୍ତେଜନାରେ ଥରୁଥିଲା । ବିଚଳିତ ହୋଇ ରୁମ୍ ଭିତରେ ଜୋର୍ ଜୋର୍ରେ ପାଦଚାରଣ କରୁଥିଲା । ନିଜ ମୁଣ୍ଡ ବାଳକୁ ଝିଙ୍କୁ ଥିଲା ପାର୍ଥ । ତା ଆଖିରେ ଫୁଟି ଉଠୁଥିଲା ଭୟର ଆଭାସ ।
“ଅରୁନ୍ଧତୀ କେଉଁ ରାଗ ସୁଝାଇବ ? କାହିଁକି ସୁଝାଇବ? କି ଦୋଷ ଆମେ କରିଛେ କି?” ଚଟ୍କିନା ପାର୍ଥ ସୋଫା ଉପରେ ବସି ପଡିଲା । ଦୁଇ ଗୋଡକୁ ସୋଫା ଉପରକୁ ଉଠାଇ ଆଣି ଆଣ୍ଠୁ ସନ୍ଧିରେ ମୁହଁଗୁଞ୍ଜି କହିଲା,”ମୋର ଉପରେ ପ୍ରତିଶୋଧ ନେବାକୁ ଟାକି ବସିଛି ସେ । ମୋତେ ସେଦିନ ଅଭିଶାପ ଦେଇ କହିଥିଲା ଯେଉଁଦିନ ତମ ଝିଅକୁ କିଏ ଏମିତି ଧୋକ୍କା ଦେଇ ତା ଇଜ୍ଜତ ସହ ଖେଳିବ , ସେଦିନ ତମେ ବୁଝିବ । ଜୀବନ ସାରା ଘାରି ହେବ ।” ପାର୍ଥ ମୁହଁଟା ଝାଳେଇ ଯାଉଥିଲା ।
“ଅରୁନ୍ଧତୀ ସହ ତମେ ?” ଏକ ଘୃଣା ଭାବ ଫୁଟିଉଠୁଥିଲା ସୁନନ୍ଦା ମୁହଁରେ ।
“ମୋତେ କ୍ଷମା କର ସୁନନ୍ଦା । କୋଲଡ୍ରିଙ୍କସ୍ରେ ନିଦବଟିକା ମିଶାଇ ମୁଁ ଅରୁନ୍ଧତୀକୁ ହୋଟେଲ ରୁମ୍କୁ ନେଇଯାଇଥିଲି କଲେଜ ଫଙ୍କସନ୍ ଦିନ ।” କଥାଟା ସଂପୂର୍ଣ୍ଣ କରିବା ଆଗରୁ ଏକ ଶକ୍ତ ଚଟକଣା ପାର୍ଥ ଗାଲରେ ବସାଇ ସୁନନ୍ଦା କହିଲା, “ଲିସା ତା’ ସାଙ୍ଗମାନଙ୍କ ସହ ଠିକ୍ଠାକ୍ ଅଛି । ଅଭିଜିତ୍’ର ମା’ଙ୍କ ନାମ ଅରୁନ୍ଧତୀ ନୁହେଁ । କିଛି ଦିନ ହେଲା ନିଦରେ ଏଇ ନାଁଟା ତମେ ବାରମ୍ବାର ବିଳିବିଳେଇ ହେଉଛ । ନିଜର ଭୁଲ୍ ପାଇଁ ତମେ ଆତ୍ମଗ୍ଳାନିରେ ଜଳୁଛ ଆଉ ଆମକୁ ସେଇ ନିଆଁରେ ଜଳାଇ ମାରୁଛ ।” ଆଗ୍ନେୟଗିରିରୁ ସମସ୍ତ ଲାଭା ଉଦ୍ଗୀରଣ ହୋଇ ସାରିଲା ପରେ ସବୁ ଯେମିତି ଥପ୍ ପଡିଯାଏ, ଠିକ୍ ସେମିତି ଚାରିଆଡ ଶୁନ୍ଶାନ୍ ଲାଗୁଥିଲା । ସୋଫା ଉପରେ ଚୁପ୍ଚାପ୍ ବସିଥିଲେ ସୁନନ୍ଦା ଓ ପାର୍ଥ ।
ପରଦିନ ସକାଳୁ ବ୍ୟାଗ ପ୍ୟାକ୍ କରି ସୁନନ୍ଦା, ଲିସାକୁ ନେଇ ବହାରୁ ଥିବାର ଦେଖି ପାର୍ଥ ଆବାକାବା ହୋଇଗଲା । “ଲିସା ଆଜି ଠୁ ହଷ୍ଟେଲରେ ରହିବ । ମୁଁ କିଛି ଦିନ ପାଇଁ ଆମଘରକୁ ଯାଉଛି ।” “ପ୍ଳିଜ ସୁନନ୍ଦା ମୋତେ କ୍ଷମା କରିଦିଅ ।” ଏକ ଦୟା ଓ ଘୃଣାପୂର୍ଣ୍ଣ ଚାହାଣୀରେ ପାର୍ଥଙ୍କୁ ଅନାଇ ସୁନନ୍ଦା ଉତ୍ତର ଦେଲା, “ମୁଁ ନୁହେଁ, ଅରୁନ୍ଧତୀ ମିଶ୍ରକୁ ଖୋଜି ତା’ଠାରୁ କ୍ଷମା ମାଗ ।”
ଲିସା ଆଶ୍ଚର୍ଯ୍ୟ ହୋଇ ପଚାରୁଥିଲା,” ମାମା, ମୁଁ ହଷ୍ଟେଲରେ କାହିଁକି ରହିବି?” ନିରୁତ୍ତର ଥିଲେ ସୁନନ୍ଦା । ବୋକାଙ୍କ ଭଳି ବସି ରହିଥିଲା ପାର୍ଥ । ତାଙ୍କ ସାମ୍ନାରେ ଝିଅକୁ ଧରି ସୁନନ୍ଦା ଗେଟ୍ ବାହାରକୁ ବାହାରି ଯାଉଥିଲା ବେଳେ ପାର୍ଥଙ୍କୁ ଲାଗୁଥିଲା ଅରୁନ୍ଧତୀର ଅଭିଶାପଟା ଯେମିତି ଆଜି ସତ ହୋଇଯାଉଛି ।