କିଏ କହିଥିଲେ ତ? ଜୀବନ ଗୋଟେ ଅଧାପଢ଼ା ବହି । ଯେତେ ପଢ଼ିଲେ ବି ତାକୁ ଶେଷ କରିହୁଏନି କି ସଂପୂର୍ଣ୍ଣ ବୁଝିହୁଏନି । ସେଇଥିପାଇଁ ତ ଋଷିମୁନିମାନେ ଘର ସଂସାରକୁ ପଛ କରି ଖରା, ବର୍ଷା, ଶୀତକୁ ଖାତିର ନ କରି, ଜଂଗଲର ଫଳ ମୂଳ ଖାଇ, କୌପିନୀ ପିନ୍ଧି ହିମାଳୟର ନିକାଞ୍ଚନ ବରଫଗୁହାରେ ତ’ ଆଉ କେବେ ପାହାଡ଼ର ଗୁମ୍ଫାରେ କୁଚ୍ଛ୍ରସାଧନା କରନ୍ତି, ହେଲେ ଜୀବନର ଅର୍ଥ କେତେ ବୁଝନ୍ତି କେଜାଣି! ସେ ଅର୍ଥ ବୁଝିବା କି ବୁଝେଇବା କଣ ସୋଜା କଥା! କୁରୁକ୍ଷେତ୍ରର ରଣାଙ୍ଗନରେ ଖୋଦ୍ ଶ୍ରୀକୃଷ୍ଣ ଯେତେ ଚେଷ୍ଟା କଲେ ବି କଣ ଜୀବନର ଅର୍ଥ ପୁରାପୁରି ବୁଝେଇପାରିଥିଲେ ଅର୍ଜ୍ଜୁନଙ୍କୁ! ତମ ଆମ ପରି ଲୋକ ବା କେମିତି ବୁଝିବା ସହଜରେ ସେଇ ‘ଜୀବନ’ ଭଳି ରହସ୍ୟମୟ ଶବ୍ଦଟିକୁ!
ଅଥଚ ମୁଁ ସେଇ ଜୀବନ ବିଷୟରେ ପୁଣିଥରେ ଗଭୀର ଭାବେ ଚିନ୍ତା କରିବା ଆରମ୍ଭ କରିଥିଲି ଜୀବନ ଦାସ ନାଁର କୋଡ଼ିଏ କି ବାଇଶି ବର୍ଷର ପିଲାଟେ ସହ ଆକସ୍ମିକ ଭାବେ ମୋର ଭେଟ ହେଲା ପରେ । କୌଣସି ବସ୍ କି ଟ୍ରେନ୍ ଯାତ୍ରା କାଳରେ ସହଯାତ୍ରୀ ଭାବେ କେତେ ଲୋକଙ୍କ ସହ ଭେଟ ହୁଏ, ଟାଇମ୍ ପାସ୍ ପାଇଁ ଗପସପର ଆସର ବି ଜମେ, ଗନ୍ତବ୍ୟ ସ୍ଥଳରେ ପହଞ୍ଚôସାରିଲା ପରେ ଯେଝା ବାଟ ଯିଏ ଧରନ୍ତି, ହଜିଯାନ୍ତି ଏଇ ଅସରନ୍ତି ମଣିଷର ଅରଣ୍ୟ ଭିତରେ । ସବୁରି କଥା କ’ଣ ମନେ ରହେ? ହେଲେ ଏମିତି ଜଣେ ଜଣେ ଥା’ନ୍ତି ଯାହାଙ୍କୁ ଭୁଲି ହୁଏନା । ସେମିତି ମନେ ରହିଯାଇଚି ସେଇ ପିଲାଟି, ଯାହାର ନାଁ ଟା ମୁଁ ପଚାରି ବୁଝିଥିଲି ଆମେ ପରସ୍ପର ଠାରୁ ବିଦାୟ ନେବାର ମୁହୂର୍ତ୍ତରେ ।
ଖରାଦିନିଆ ତତଲା ମଧ୍ୟାହ୍ଣରେ ଲିଙ୍କରୋଡ଼ରେ ଅପେକ୍ଷା କରିକରି କୌଣସି ଏ.ସି. ବସ୍ରେ ସିଟ୍ ନପାଇ କ୍ଳାନ୍ତ ହେଲାପରେ ବାଧ୍ୟ ହୋଇ ଗୋଟେ ଡିଲକ୍ସ ବସ୍କୁ ଉଠି କଣ୍ଡକ୍ଟରର ନିଦେ୍ର୍ଦଶମତେ ସବା ପଛଧାଡ଼ିରେ ଖାଲିଥିବା ଏକମାତ୍ର ସିଟ୍ଟି ଆଡ଼କୁ ଆଗୋଉଥିଲି । ମଝିରେ ବସିଥିବା ଯୁବକଟି କଡ଼କୁ ଘୁଞ୍ଚôଯାଇ ତା’ ସିଟ୍ଟି ମୋତେ ଛାଡ଼ିଦେଲାବେଳେ କହିଲା, ‘ସାର୍! ଆପଣ ଡେଙ୍ଗା ଲୋକ, ଆପଣଙ୍କୁ ଅସୁବିଧା ହେବ ମଝିରେ ବସିଲେ ।’ କେଜାଣି କାହିଁକି ସେଇ ଅପରିଚିତ ଯୁବକଟିର ଏଇ ଅପ୍ରତ୍ୟାଶିତ ପଦିଏ କଥାରେ ମୁଁ ଆକର୍ଷିତ ହୋଇ ଯାଇଥିଲି ତା’ ଆଡ଼େ । ତା’ର ବାବୁରି ବାଳ ସାଙ୍ଗକୁ କଥାକୁହା ଆଖି, ତୀକ୍ଷ୍ଣ ନାକ ସହ ଅଳ୍ପ ଗଜୁରି ଆସୁଥିବା ନିଶଦାଢ଼ି ପୁଣି ଜିନ୍ପ୍ୟାଣ୍ଟକୁ କଳା ରଂଗର ଟି’ ସାର୍ଟ ବେଶ୍ ମାନୁଥିଲା ତାକୁ । କଡ଼େଇ କଡ଼େଇ ଚାହିଁଲି ତା’ ଆଡ଼େ । ତା’ର ଖୁସିବାସିଆ ମିଜାଜକୁ ଅଳ୍ପ ଗାମ୍ଭୀର୍ଯ୍ୟ ପୁଣି ନିଃସଙ୍କୋଚ ଛଳଛଳ ଭାବ ମୋତେ ଭାରି ଭଲ ଲାଗିଥିଲା ।
ବସ୍ ମଙ୍ଗୁଳି ଛକ ଟପି ଗୋଟେ କିଲୋମିଟର ଖଣ୍ଡେ ଯାଇଛି କି ନାହିଁ ଆଗରେ ରାସ୍ତା ଜାମ୍ ଯୋଗୁଁ ଅଟକି ଗଲା । ଆମ ସାମ୍ନାରେ ଅନେକ ଗାଡ଼ିର ଲମ୍ବାଧାଡ଼ି । ପଛକୁ ବି ଲମ୍ବି ଚାଲିଥିଲା ଧାଡ଼ିଧାଡ଼ି ବସ୍/ଟ୍ରକ୍/କାର୍ ଇତ୍ୟାଦି । କିଛି ସମୟପରେ ହେଲପର ଓହ୍ଲେଇଯାଇ ବୁଝି ଆସି ଜଣାଇଲା ଯେ ଆଗରେ ଦଶ ପନ୍ଦର ମିନିଟ୍ ତଳେ ଘଟି ଯାଇଛି ଗୋଟେ ବଡ଼ ଧରଣର ଦୁର୍ଘଟଣା । ସାଇଡ଼୍ ଦେଉନଥିବା ମାଲ୍ ବୋଝେଇ ଟ୍ରକଟିଏ ସହିତ କଟକ ଆଡ଼ୁ ଆସୁଥିବା ଏସି. ବସ୍ଟିଏ ଏମିତି ଧକ୍କା ଦେଇଛି ଯେ ରୋଡ୍ କ୍ଲିଅର ହେବାପାଇଁ ଦୁଇ ତିନି ଘଣ୍ଟା ଲାଗିଯାଇପାରେ । ମୁଁ ଟିକେ ଦୋହଲି ଯାଇଥିଲି ନିଜ ଭିତରେ, ନିରବରେ ଈଶ୍ୱରଙ୍କୁ ପ୍ରଣତି ବାଢ଼ିଲି ।
ବାହାରେ ନିଆଁ ବିଞ୍ଚôଦେଲାପରି ଧୂଧୂ ଖରା । ଜଳୁଥିଲା ପୃଥିବୀ । ବସ୍ ଭିତରେ ଅସହ୍ୟ ଗୁଳୁଗୁଳି । ସ୍ଥିର ପବନ, ସତେ ଅବା ସ୍ଥିର ବି ଥିଲା ସମୟ । ପଛରେ ଲମ୍ବି ଚାଲିଥିଲା ଗାଡ଼ିର ଧାଡ଼ି । ବସ୍ରେ ଗଚ୍ଛିତ ଥିବା ଅଳ୍ପ କୋତୋଟି ଉଷୁମ୍ ପାଣି ବୋତଲ ବି ନିଃଶେଷ ହେଇ ଆସିଥିଲା । ବସ୍ ଭିତରେ ବାହାରେ ସବୁଠି ବର୍ଷୁଥିଲା ନିଆଁ । ଓହ୍ଲେଇକି ବାହାରକୁ ଯିବାକୁ ସାହସ କୁଳାଉ ନଥାଏ କାହାର । ଆଖପାଖରେ କୋଉଠି ବଡ଼ ଗଛଟିଏ ବି ନଥିଲା ଟିକେ ଛାଇ ଦେବାକୁ । ସାରା ବସ୍ର ଯାତ୍ରୀ ଥିଲେ ବିବ୍ରତ, ଆତଙ୍କିତ ।
ଏମିତି ଚାଇଁ ଚାଇଁ ଖରାରେ ମୋ ବାଁ ପଟେ ବସିଥିବା ସେଇ ପିଲାଟି କେତେବେଳୁ ବାହାରକୁ ଉଠିଯାଇ କ’ଣ କରୁଚି ଭାବୁଭାବୁ ଝାଳ ସରସର ହେଇ ଗୋଟେ କାର୍ଟୁନ୍ ଧରି ବସ୍କୁ ଉଠି ଆସିଲା ସେ । ଉଠୁ ଉଠୁ ଘୋଷଣା କଲା – ଥଣ୍ଡା ପାଣି ପାଉଚ୍, ଥଣ୍ଡା ପାଣି ପାଉଚ୍! ଗୋଟାକୁ ଦି’ ଟଙ୍କା । ଚାହୁଁ ଚାହୁଁ ସବୁଯାକ ଖାଲି ହେଇଗଲା । ଶେଷ ପାଣି ପାଉଚ ଦି’ଟା କାହାକୁ ନଦେଇ ହାତରେ ଧରି ଆଗେଇ ଆସିଲା ମୋ ଆଡ଼େ । ମୁଁ ପଇସା ବଢ଼େଇଲି ଯେ କହିଲା, ପାଖରେ ବସିକି ଯିବା ତ’ ଦେଇ ଦେବେ ପରେ । ମୁଁ ଆଉ କିଛି କହି ପାରିଲିନି ।
ପୁଣି ଥରେ ସେ ବସ୍ରୁ ଓହ୍ଲେଇଗଲା । ବସ୍ ତଥାପି କେତେବେଳେ ଛାଡ଼ିବ କିଛି ଜଣା ପଡ଼ୁନଥିଲା । ପ୍ରାୟ ଅଧଘଣ୍ଟାଏ ପରେ ମୁଁ ଟିକେ ଅଣ୍ଟା ସଳଖେଇବାକୁ ତଳକୁ ଓହ୍ଲେଇ ଏପଟ ସେପଟ ହେଉଥିଲି । ପଛପଟେ ଲୋକଭିଡ଼ ଦେଖି ଚାଲ୍ ଚାଲ୍ ହେଇ ସେଇଠିକି ମୁହେଁଇଲି । ଭିଡ଼ ଭିତରେ ଳକ୍ଷ୍ୟ କଲି ସେଇ ପିଲାଟି ଗୋଟେ ସିମେଣ୍ଟ ଅଖାରୁ ପାଣି ପାଉଚ୍ ଆଉ କାର୍ଟୁନ୍ରୁ ବିସ୍କୁଟ ପ୍ୟାକେଟ୍ ବାହାର କରି ବିକି ଚାଲିଚି । ବେଶ୍ ଅଭିଜ୍ଞ ବିକ୍ରେତା ପରି ଗୋଟାଏ ହାତରେ ଜିନିଷ ବଢ଼େଇବା ସହ ଆର ହାତରେ ପଇସା ସଂଗ୍ରହ କରି ପକେଟରେ ରଖୁଥାଏ । ଆଖପାଖରେ ଦୋକାନ ବଜାର କିଛି ନଥିଲାବେଳେ ସେ କୋଉଠୁ ସେସବୁ ସଂଗ୍ରହ କଲା ଭାବି ଆଶ୍ଚର୍ଯ୍ୟରେ ତାକୁ ଚାହିଁଥିଲି । ତା’ ଆଖିରେ ଆଖି ମିଶିଗଲା ତ’ ଇଷତ୍ ହସଧାରେ ଚଅଁରିଗଲା ତା’ ଓଠ ଧାରରେ ।
ପାଖାପାଖି ଦୁଇଘଣ୍ଟା ପରେ ରାସ୍ତା କ୍ଲିଅର ହେବାର ଖବର ମିଳିଲା । ଆଉ ପାଞ୍ଚ/ଦଶ ମିନିଟ୍ ଭିତରେ ଗାଡ଼ି ସବୁ ଛାଡ଼ିବାର ସୂଚନା ମିଲାଲା ତ’ ଲୋକମାନେ ଭିଡ଼ଭାଙ୍ଗି ଯେଝା ବସ୍ ଆଡ଼େ ଆଗେଇଲେ । ଆମ ବସ୍ ଷ୍ଟାର୍ଟ ହେଲା ପରେ ବଳକା ପାଣି ପାଉଚ୍ ଓ ଦୁଇ ତିନିଟା ବିସ୍କୁଟ ପ୍ୟାକେଟ ଧରି ଧାଇଁଧାଇଁ ଆସି ପିଲାଟି ଚଢ଼ିଲା ବସ୍କୁ । ତା’ ଝାଳ ସରସର ଦେହରେ ଟିସାର୍ଟଟି ଜଡ଼ିଯାଇଥିଲା । ବସ୍କୁ ଉଠୁଉଠୁ ପାଉଚ୍ ଓ ବିସ୍କୁଟତକ ବି ସରିଗଲା । ଶେଷ ପାଉଚ ଓ ବିସ୍କୁଟ ପ୍ୟାକେଟି ଧରି ତା’ ସିଟ୍ ପାଖକୁ ଫେରିଲା ବେଳକୁ ପ୍ରାଣ ପ୍ରାଚୁର୍ଯ୍ୟରେ ଛଳଛଳ କରୁଥିଲା ତା’ ମୁହଁଟି! ବସୁ ବସୁ ସେତକ ମୋ ହାତକୁ ବଢ଼େଇଲାରୁ ମୁଁ କହିଲି – ନାଇଁ ନାଇଁ, ତୁମେ ଖାଇନିଅ, ଥକି ଯାଇଥିବ ଖୁବ୍ । ଅଖଳା ହସଟିଏ ହସି ସେ କହିଲା – ହଉ, ଠିକ୍ ଅଛି, ଦୁହେଁ ମିଶି ଖାଇବା ଏବଂ ପ୍ୟାକେଟ୍ଟି ଖୋଲିବାରେ ମନ ଦେଲା ।
ବସ୍ ଖୁବ୍ ଧୀରେ ଧୀରେ ଗଡ଼ୁଥିଲା ଆଗକୁ ବଡ଼ଦାଣ୍ଡରେ ରଥ ଗଡ଼ିଲା ପରି । ମୁଁ ତା’ ବିଷୟରେ ଖୁବ୍ କୌତୁହଳୀ ହୋଇ ପଡ଼ିଥିଲି । ତା’ ସହ କଥାର ଖିଅ ଯୋଡ଼ିବାକୁ ଚେଷ୍ଟା କଲି । ବେଶ୍ ସହଜରେ ସେ ମୋ କଥାର ଉତ୍ତର ଦେଉଥିଲା । କେମିତି ଗୋଟେ ମଟରସାଇକେଲ୍ ବାଲାକୁ ଲିଫ୍ଟ ମାଗି ମଙ୍ଗୁଳି ଛକକୁ ଯାଇ ପଚାଶଟି ପାଣିପାଉଚ ନେଇ ପ୍ରଥମେ ବସ୍କୁ ଆସିଲା । ସାଂଗେ ସାଂଗେ ସେ ସବୁ ବିକ୍ର ହୋଇଗଲା । ପୁଣିଥରେ କିଛି ବାଟ ଧାଇଁ ଧାଇଁ ଆଉ’ କିଛି ବାଟ ଲିଫ୍ଟ ମାଗି ପୁଣି ସେଇ ଛକକୁ ଯାଇ ବିକ୍ରି ପଇସା ସହ ତା’ ପାଖରେ ଥିବା ସମୁଦାୟ ପଇସାରେ ଅଖାଭର୍ତ୍ତି ପାଣି ପାଉଚ୍ ଓ ଗୋଟେ କାର୍ଟୁନ୍ ବିସ୍କୁଟ ପ୍ୟାକେଟ କିଣିଲା । କେମିତି ପୁଣି ତା’ରି ବୟସର ଗୋଟେ ପିଲା ସହ ଦୋସ୍ତିକରି ତାରି ସାଇକେଲ୍ରେ ତାକୁ ଆଗରେ ବସେଇ କେରିଅରରେ ସବୁ ଜିନିଷକୁ ବାନ୍ଧି ଭିଡ଼ କାଟି ଆସି ଆମ ବସ୍ ପାଖାପାଖି ପହଞ୍ଚôଲା – ସବୁକଥା ବର୍ଣ୍ଣନା କରିଗଲା ଏକା ନିଶ୍ୱାସକେ ମୋ ଆଗରେ । ତା’ କହିବାର ସହଜପଣ ଓ ଉଦ୍ଦାମତା ମୋ ସମେତ ଅନ୍ୟ ଯହଯାତ୍ରୀଙ୍କୁ ବେଶ୍ ପ୍ରଭାବିତ କରିସାରିଥିଲା ସେତେବେଳକୁ । ଶେଷରେ କହିଲା – ଟିକେ ପରିଶ୍ରମ ପଡ଼ିଲା ସତ, ହେଲେ ଲୋକଙ୍କର ଉପକାର ହେବା ସହ ଟଙ୍କିକିଆ ପାଉଚ୍କୁ ଅଶୀ ପଇସାରେ କିଣି ଦୁଇ ଟଙ୍କାରେ ଓ ପାଞ୍ଚଟଙ୍କିଆ ବିସ୍କୁଟ୍କୁ ସାଢ଼େ ଚାରିଟଙ୍କାରେ କିଣି ସାତଟଙ୍କାରେ ବିକି ଘଣ୍ଟେ ଦେଢ଼ଘଣ୍ଟାରେ ଅଢ଼େଇଶ ଟଙ୍କା ଲାଭ କରିପାରିଲି । ଆପଣ କହିଲେ ସାର୍, ପାଞ୍ଚ ଜାଗାରେ ଦଶ ଦେଇଥିଲେବି ସେଠି ମିଳିଥାନ୍ତା କି ପାଣି ପାଉଚ୍ଟେ କି ବିସ୍କୁଟ ପେକେଟ୍ଟେ! ନିରବରେ ମୁଁ ତା’ କଥାକୁ ସମର୍ଥନ କଲି ।
ବେଳେକୁବେଳ ତା’ ସଂପର୍କରେ ଅଧିକ କିଛି ଜାଣିବା ଇଚ୍ଛା ମୋର ପ୍ରବଳ ବଢ଼ୁଥିଲା । ହେଲେ ପଚାରି ପାରୁନଥିଲି । ଚଣ୍ଡୀଖୋଲରେ ଆମ ସାମ୍ନାରେ ଦୁଇଟିକିଆ ସିଟ୍ ଗୋଟେ ଫାଙ୍କା ହେଲା । ସେ ଚଟାପଟ୍ ଉଠିଯାଇ ନିଜେ ଗୋଟାଏ ସିଟ୍ରେ ବସିପଡ଼ି ମୋତେ ଡାକି ଆରଟିରେ ବସିବାକୁ କହିଲା । ମନେମନେ ଖୁସି ହେଲି ଯା’ ହେଉ ପିଲାଟି ସହ ଆଉ ଟିକେ ଅନ୍ତରଙ୍ଗ ହେବାକୁ ସୁଯୋଗ ମିଳିବ! ପଚାରିଲାରୁ କହିଲା – ସେ ବି ଭଦ୍ରକରେ ଓହ୍ଲେଇବ, ସେଠୁ ବସ୍ ବା ଟ୍ରେକରରେ ଯିବ ବନ୍ତ, ତା ଗାଁ ସେଇଠି ପାଖରେ । ଘରର ବଡ଼ ପୁଅ ସେ । ଜଣେ ସାଧାରଣ ଛାତ୍ର ଭାବେ ଗାଁ ପାଖ କଲେଜରୁ ବି.ଏ. ପାସ୍ କରିଚି । ଏବେ କମ୍ପୁ୍ୟଟର ଶିଖୁଚି ଓ ଛୋଟ ମୋଟ ଚାକିରୀଟେ ଖୋଜୁଚି । ଜଣେ ଚିହ୍ନା ଲୋକଠାରୁ ଖବର ପାଇ ଭୁବନେଶ୍ୱର ଯାଇଥିଲା କୋଉ ଗୋଟେ ବିଜ୍ଞାପନ ଏଜେନ୍ସୀରେ କାମ କରିବା କଥା ବୁଝିବା ପାଇଁ । ଦଶରୁ ପାଞ୍ଚ ଡୁ୍ୟଟି, ଦରମା ଏବେ ମଳିବ ପାଞ୍ଚ ହଜାର, ରହିବାକୁ କମନ୍ ମେସ୍ରେ ଖଟଟିଏ ଓ ନିଜେ ମେସିଂ କରି ଖାଇବାକୁ ହେବ । ଏତେ କମ୍ ପଇସାରେ ଏ ମହଙ୍ଗା ଯୁଗରେ ଚଳିହେବ କି ନାହିଁ ଭାବି କିଛି ନିଷ୍ପତ୍ତି ନେଇ ପାରୁନି । ତା’ ତଳ ଭଉଣୀଟି ପ୍ଲସଟୁ ପଢ଼ୁଚି ଆଉ ସାନଭାଇଟି ଏବେ ହାଇସ୍କୁଲରେ, ଭଲ ପଢ଼ୁଚି ସେ । ଦି’ ମାଣ ଚାଷ ଜମିକୁ ହାତଚାଷ କରିବା ସହ ଅନ୍ୟ କେଇଜଣଙ୍କ ସହ ଭାଗିଦାରୀରେ ପନିପରିବା ଚାଷରୁ ଯାହା ମିଳୁଚି, ବଡ଼ କଷ୍ଟରେ ଘରଖର୍ଚ୍ଚ ଚଳାଉଛନ୍ତି ବାପା । ପରିବାରରେ ଶ୍ୱାସରୋଗୀଣା ବୁଢ଼ୀମା ଆଉ ଘର ଖଟଣୀରେ ନୟାନ୍ତ ହେଇଯାଉଥିବା ମା । ଅବଶ୍ୟ ସାନ ଭଉଣୀଟି ଏବେ ମା’କୁ ଘରକାମରେ ଢ଼େର୍ ସାହାଯ୍ୟ କରୁଚି । ରାକ୍ଷୀ, ଦୀପାବଳୀ, ହୋଲି ବା ନୂଆବର୍ଷ ବେଳେ ସେ ସାନ ଭାଇ ସହ ମିଶି ଗାଁ ଛକରେ ସିଜିନାଲ୍ ବେପାର କରେ, ଆଉ ସେଇ ଛୋଟିଆ ମୋଟିଆ ବେପାରରୁ ଯାହା ମିଳେ ଭାଇଭଉଣୀଙ୍କ ପଢ଼ାଖର୍ଚ୍ଚ ବାଦେ କେବେ କେମିତି କିଛି କିଛି ଟଙ୍କା ବାପାଙ୍କ ହାତରେ ଦିଏ, ବୁଢ଼ୀମାର ଔଷଧ ଆଣେ କି ମା’ର ଆଣ୍ଠୁ ଦରଜ ତେଲ କିଣେ ।
ଛବି ଆଙ୍କିବାକୁ ତାକୁ ଭଲ ଲାଗେ, ତେଣୁ ଖୁଦୁରୁକୁଣୀ କି ଗଣେଶପୂଜା ମୂର୍ତ୍ତି ଗଢ଼ା ବେଳେ ସେ ବଡ଼ କାରିଗରଙ୍କ ପାଖରେ ତାଙ୍କୁ ରଂଗ ଦେବାରେ ସାହାଯ୍ୟ କରେ । ସେଥିରୁ ଯାହା ଦି’ ପଇସା ମିଳେ ସେଥିରେ ସେ କିଣେ ସାହିତ୍ୟ ପତ୍ରିକା କିଛି, ପଢ଼ାପଢ଼ି କରିବାକୁ ଭଲଲାଗେ ତାକୁ । ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ, ରମାକାନ୍ତ ରଥଙ୍କ କବିତା ସେ ବୁଝିପାରେ, ନିଜେ ବି କେବେ ମନହେଲେ କିଛି କବିତା ଆଦି ଲେଖେ । କହୁ କହୁ କହିଲା, କଲେଜରେ ପଢ଼ୁଥିଲା ବେଳେ କଲେଜ ମେଗାଜିନ୍ରେ ତା’ର ଦି ତିନିଟା କବିତା ବି ବାହାରିଥିଲା । ଜଣେ ନିଜଲୋକକୁ ପାଇଲା ପରି ମନଖୋଲି ସେ ତା’ କଥାସବୁ ଗପି ଚାଲିଥିଲା । ମଝିରେ ମଝିରେ ମୁଁ ଖାଲି ଟିକେ ଟିକେ ଖିଅ ଯୋଡ଼ୁଥିଲି ଯାହା । କଥା ମଝିରେ ପ୍ୟାଣ୍ଟ ପକେଟରେ ଥିବା ତା’ ମୋବାଇଲଟି ବାଜି ଉଠିଲା । ସେ କାଢ଼ିକି ଦେଖିଲା ଓ ସୁଇଚ୍ ଅଫ୍ କରି ରଖିଦେଇ ଟିକେ ଚୁପ୍ ହେଇଗଲା । ତା’ପରେ କ’ଣ ଭାବି ମୋତେ କହିଲା – କିଛି ମାଇଣ୍ଡ କରିବେନି ସାର୍, ନିହାତି ପର୍ସନାଲ କଥାଟେ କହିବି । ମୁଁ ପ୍ରଶ୍ନିଳ ଆଖିରେ ଚାହିଁଲି ତାକୁ । କଲେଜରେ ସାଙ୍ଗରେ ପଢ଼ୁଥିବା ଝିଅଟିଏ ମେଗାଜିନ୍ରୁ ମୋ ଲେଖା ପଢ଼ି ଥରେ ଅଧେ ମୋ ସହ କଥା ହେଇଥିଲା । ଏବେ ପଢ଼ା ସରିବା ପରେ ମଝିରେ ମଝିରେ ଏମିତି ଫୋନ୍ କରୁଚି ମୋତେ ମୋ ସାନ ଭଉଣୀଠାରୁ ନମ୍ବର ନେଇ, ଯଦିଓ ମୁଁ ତା’ ଫୋନ୍ ପ୍ରାୟ ରିସିଭ୍ କରେନାହିଁ । ମୁଁ ତାକୁ ସହଜ କରିବାକୁ ସାମାନ୍ୟ ହସିଲି । ସାଙ୍ଗେସାଙ୍ଗେ ସେ କହିଲା – ସାର୍! ମୋ ପରି ଜୀବନ ସଂଗେ ଯୁଝୁଥିବା ଗୋଟେ ସାଧାରଣ ଯୁବକର ବେଳ କାହିଁ ଏଭଳି ସ୍ୱପ୍ନ ପାଇଁ! ସବୁ ସ୍ୱପ୍ନ କଣ ସମସ୍ତଙ୍କୁ ସାଜେ! କେବେ ନିଜ ଗୋଡ଼ରେ ଠିଆ ହେଇ ସଂସାର ଭାରାରେ ନଇଁ ପଡ଼ୁଥିବା ବାପାଙ୍କ କାନ୍ଧକୁ କାନ୍ଧ ଲଗେଇବି, ଭାଇଭଉଣୀଙ୍କୁ ଠିଆ କରେଇବି ଏସବୁ ଚିନ୍ତା ଭିତରେ ଏମିତି ମିଛିମିଛିକା ସ୍ୱପ୍ନ ଦେଖି ସମୟ ନଷ୍ଟ କରିବି କିଆଁ! ମୁଁ କିଛି ଭୁଲ୍ କରୁଚିକି ସାର୍!
ତାକୁ ଉତ୍ତର ଦେବାପାଇଁ ମୋ ଓଠରେ ଭାଷା ନଥିଲା । ତା’ର ହାତଟିକୁ ଜାବୁଡ଼ି ଧରିଲି ପରମ ଆତ୍ମୀୟତାରେ କେବଳ । ଆମର ଗନ୍ତବ୍ୟସ୍ଥଳ ଭଦ୍ରକ ପାଖ ହୋଇ ଆସୁଥାଏ । ପାଣି ପାଉଚ ଓ ବିସ୍କୁଟ ପଇସା ଦେବାକୁ ପର୍ସ କାଢ଼ିଲିତ ବୁଝିପାରି ସେ ମୋ ହାତ ଧରିପକେଇ କହିଲା – ନାଇଁ ସାର୍, ଥାଉ । କେଜାଣି କାହିଁକି ଆପଣଙ୍କୁ ଅତି ନିଜର ମନେହେଲା, କହୁ କହୁ ଅନେକ କଥା କହିଗଲି, ମନଟା ଟିକେ ହାଲୁକା ଲାଗିଲା । ଟିକେ ରହିଯାଇ କହିଲା – ସାର୍ ଆପଣ ଅବ୍ଦୁଲ କାଲାମ୍ଙ୍କ ଲେଖା ସବୁ ପଢ଼ିଛନ୍ତି । ସମ୍ମତି ସୂଚକ ମୁଣ୍ଡ ହଲାଇଲି । ସେ କହିଲା, ମୋତେ ତାଙ୍କ ଲେଖା ସବୁ ଖୁବ୍ ଭଲ ଲାଗେ । ତାଙ୍କର ପ୍ରାୟ ସବୁଯାକ ଇଂରାଜୀ ବହିର ଓଡ଼ିଆ ଅନୁବାଦ ଅଛି ମୋ ପାଖରେ । ଏକଥା କହିଲାବେଳେ ତା’ ଦୁଇ ଆଖି ଚିକ୍ଚିକ୍ ଦିଶୁଥିଲା ।
ଭଦ୍ରକ ଷ୍ଟପେଜ୍ରେ ବସ୍ ରହିଲା । ସିଟ୍ ଛାଡ଼ିବା ଆଗରୁ ମୁଁ ତାକୁ ତା’ର ନାଁ ପଚାରିଲି । ସେ କହିଲା ‘ଜୀବନ ଦାସ’ । ମୁଁ ତା’ ଫୋନ୍ ନମ୍ବର ମାଗିଲି । ତା’ ନମ୍ବର ଦେବା ବଦଳରେ ସେ ମୋ ନମ୍ବର ମାଗିନେଲା । ସେ କହିଲା – ମୁଁ ଆପଣଙ୍କୁ ଫୋନ୍ କରିବି ନିଶ୍ଚୟ । ଆମେ ବସ୍ରୁ ଓହ୍ଲେଇଲା ବେଳକୁ ଅଣ୍ଟା ନଇଁ ଯାଇଥିବା ଅଶୀତିପର ବୟସର ବୁଢ଼ୀଟିଏ ସମସ୍ତଙ୍କୁ ହାତପତେଇ ମାଗୁଥାଏ, ଦଶଟା ଟଙ୍କା ଦିଅ ବାବୁ, ସକାଳଠୁଁ ଖାଇନି କିଛି । ତା’ ଡାକକୁ ଅଦେଖା ଅଶୁଣା କରି ଆଗେଇ ଯାଉଥିଲେ ସମସ୍ତେ । ଜଣେ ଅଧେ ତା’ ଆଡ଼କୁ ବଢ଼ାଉଥିଲେ କଏନ୍ଟିଏ । ଜୀବନ ଓହ୍ଲେଇ ଯାଉଁ ଯାଉଁ ଦଣ୍ଡେ ଅଟକି ଗଲା । ମୁଁ ତା’ ପଛରେ ଥିଲି । ପକେଟରୁ ଦଶ ଟଙ୍କିଆ ନୋଟ୍ଟିଏ କାଢ଼ି ବୁଢ଼ୀ ହାତରେ ଗେଞ୍ଜି ଦେଇ ଧାଇଁ ଧାଇଁ ଆନନ୍ଦପୁର ମୁହାଁ ଷ୍ଟାର୍ଟଦିଆ ବସ୍ଟା ଉପରକୁ ଉଠିଗଲା । ମୁଁ ପୁଣି ଥରେ ତାକୁ ଚାହିଁଲି ବିମୁଗ୍ଧ ଆଖିରେ । ପଛରୁ ସହଯାତ୍ରୀଙ୍କ ଡାକରେ ପ୍ରକୃତିସ୍ଥ ହୋଇ ତଳକୁ ଓହ୍ଲାଇଲି ।
ମନେମନେ କିଛିଦିନ ଧରି ତା’ କଥା ଭାବିଥିଲି ଖୁବ୍ । କୋଉ ଅଜଣା ନମ୍ବରରୁ କଲ୍ ଆସିଲେ ସେ ହିଁ କରିଥିବ ବୋଲି ଆଗ୍ରହରେ ରିସିଭ୍ କରିସାରି ହତାଶ ହେଉଥିଲି । ଅଥଚ ତା’ଠାରୁ ଫୋନ୍ ଆସୁନଥିଲା । କାର୍ଯ୍ୟ ବ୍ୟସ୍ତତା ଭିତରେ ତା’ କଥା ପ୍ରାୟ ଭୁଲି ଆସିଥିଲି । ଏବେ ଯୋଉଦିନ ଟି.ଭି. ଖୋଲୁ ଖୋଲୁ ଶୁଣିଲି ଭାରତର ସବୁଠାରୁ ପ୍ରିୟ ପ୍ରାକ୍ତନ ରାଷ୍ଟ୍ରପତି ଏ.ପି.ଜେ. ଅବ୍ଦୁଲ କାଲାମ ଆଉ ଇହଜଗତରେ ନାହାନ୍ତି, ସହସା ଜୀବନ ଦାସର ନିରୀହ ଅଥଚ ତେଜୋଦୀପ୍ତ ମୁହଁ ଆଉ କଥାକୁହା ଆଖି ହଳକ ନାଚିଉଠିଥିଲା ମୋ ମାନସ ପଟରେ । ତା’ ସହ ଦି’ପଦ କଥା ହେବାକୁ ଭାରି ଇଚ୍ଛା ହେଇଥିଲା । ଅଥଚ… ତା’ ଫୋନ୍ ନମ୍ବର ନଥିଲା ମୋ ପାଖରେ । ମୋ ଫୋନ୍ ନମ୍ବର ସେ ମୋବାଇଲ୍ରୁ ଲିଭେଇ ଦେଇଚି, ମୋତେ ପାଶୋରି ଯାଇଚି, ନା ହଜିଯାଇଚି କୁଆଡ଼େ ତା’ ସେକେଣ୍ଡହେଣ୍ଡ ମୋବାଇଲଟି! ସେତିକିବେଳେ ବାଜି ଉଠିଲା ମୋ ଫୋନ୍ । ସେ ପଟରୁ ଭାସି ଆସିଲା ପରିଚିତ ସ୍ୱରଟିଏ – ସାର୍, ଚିହ୍ନିପାରୁଛନ୍ତି .. ମୁଁ ଜୀବନ କହୁଚି…. ଭଂଗା ଭଂଗା ଓ କାନ୍ଦ କାନ୍ଦ ଶୁଭିଥିଲା ସେଇ ସ୍ୱର । ମୁଁ ନିଜକୁ ବିସ୍ମରି ଯାଇଥିଲି ।