ଲିଫ୍ଟରେ ଯଦି ଆଉ କେହି ନଥାନ୍ତି ସେମାନଙ୍କ ଓଠଛୁଅାଁ ଗାଢ଼ ଚୁମା ଶେଷ ହୁଏ ଚତୁର୍ଥ ମହଲାରେ । ଉପରକୁ ଉଠିବାବେଳେ ସୁଯୋଗ ନମିଳିଲେ ତଳକୁ ଖସିବାବେଳର ସୁଯୋଗକୁ ଅପେକ୍ଷା କରିବାକୁ ପଡ଼େ ସେମାନଙ୍କୁ ।
ଯେଉଁଠି ଥା’ନ୍ତୁନା କାହିଁକି ପ୍ରତିବର୍ଷ ବିବାହ ବାର୍ଷିକୀ ପାଳିବାକୁ ସେମାନେ ଆସନ୍ତି ଏଇ ଆପାର୍ଟମେଣ୍ଟକୁ । ଲିଫ୍ଟ ଭିତରେ ଚୁମା ଦିଆନିଆ ପରେ ସେମାନେ କୌଣସି ଏକ ଛୋଟ ହୋଟେଲରେ ଗୋଟେ ରାତି କଟେଇ ଫେରିଯା’ନ୍ତି । ଆଜିଯାଏଁ କେବେବି ବନ୍ଦ ହେଇନି ଏ ଧାରା ।
ହଁ, ଆପଣ ନିଶ୍ଚେ ଜାଣିବାକୁ ଚାହିଁବେଣି- ଲିଫ୍ଟ ଭିତରେ ଚୁମା ଦିଆନିଆରେ ବିବାହ ବାର୍ଷିକୀ ପାଳନର ଉଦେ୍ଦଶ୍ୟ କ’ଣ? ଚୁମା କ’ଣ ହୋଟେଲର ବନ୍ଦ୍ରୁମ୍ ଭିତରେ ଦେଇ ହେବନି? ଚୁମା ପାଇଁ ଲିଫ୍ଟ କ’ଣ ଏକମାତ୍ର ସୁରକ୍ଷିତ ସ୍ଥାନ? ତା’ଛଡ଼ା ସେମାନେ ଯେ ଲିଫ୍ଟ ଭିତରେ ଚୁମାର ମଜା ନିଅନ୍ତି ଏ କଥା ଆପଣ ଜାଣିଲେ କେମିତି?
ଆପଣଙ୍କ ପ୍ରଶ୍ନର ଉତ୍ତରରେ ହଁ ଗଢ଼ା ହେବ ଏ ଗଳ୍ପ । ଶୁଣିବେ?
ଝିଅଟିଏ ରହୁଥିଲା ଏ ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ । ଏକୁଟିଆ ନୁହେଁ, ସେମାନଙ୍କ ପରିବାର ରହୁଥିଲେ । ବାପା ବ୍ୟାଙ୍କ ଅଫିସର୍ ଥିଲେ । କଲେଜରେ ପଢ଼ୁଥାଏ ଝିଅଟା । ବେଶ୍ ସୁନ୍ଦରୀ । ତେଣୁ ସମସ୍ତଙ୍କ ଆଖି ତା’ ଉପରେ । ଝିଅଟା କିନ୍ତୁ ସେ ଆପାର୍ଟମେଣ୍ଟର କାହା ସହ ସମ୍ପର୍କ ଜମେଇବାକୁ ଚାହୁଁନଥିଲା ।
ଜାଣିପାରିଲେ ତ କାହା କଥା କହୁଛି? ଏ ଗଳ୍ପର ନାୟିକାର କଥା ।
ହଁ, ଗଳ୍ପ ନାୟକର ମାଉସୀଘର ରହୁଥାନ୍ତି ପଞ୍ଚମ ମହଲାରେ । ସିଏ ମଝିରେ ମଝିରେ ଆସେ ମାଉସୀ ଘରକୁ । ପିଜି କରୁଥାଏ ଇକୋନୋମିକ୍ସରେ । ବ୍ରିଲିଆଣ୍ଟ୍ ଷ୍ଟୁଡେଣ୍ଟ । ବ୍ୟାଙ୍କ ପରୀକ୍ଷା ଦେଉଥାଏ । ମାଉସୀଙ୍କ ପିଲାମାନଙ୍କ ପଢ଼ାପଢ଼ି କଥା ଟିକେ ବୁଝେ । ସେମାନଙ୍କୁ ଗାଇଡ୍ କରେ ।
କଲେଜ ବୟସୀ ଗଳ୍ପ ନାୟିକା ସହ ବେଶ୍ କେଇଥର ଲିଫ୍ଟରେ ଦେଖାହେଇଛି ତା’ର । ପରିଚୟ କିନ୍ତୁ ପାକଳ ହୋଇନଥାଏ । ଏମିତି ଏମିତିରେ ବେଶ୍ କିଛିଦିନ ବିତିଯାଇଥାଏ । ହଠାତ୍ ଦିନେ ଘଟିଲା ଏକ ଅଘଟଣ । ପୁଅଟା ଲିଫ୍ଟରେ ଆସୁଥିଲା ପଞ୍ଚମ ମହଲାରୁ । ଝିଅଟା ଚତୁର୍ଥ ମହଲାରୁ ପଶିଲା ଲିଫ୍ଟ ଭିତରେ । ଲିଫ୍ଟର ଗେଟ୍ ବନ୍ଦ୍ ହେଲା । ଝିଅଟା ଗ୍ରାଉଣ୍ଡ ଫ୍ଲୋରର ସୁଇଚ୍ ଦବେଇଲା । ନେଲ୍ପଲିସ୍ ଲଗା ଆଙ୍ଗୁଠିଗୁଡ଼ାକ କୁଆଡେ ଖୁବ୍ ସୁନ୍ଦର ଥିଲା ଝିଅଟାର । ଆଉ କେହି ନଥିଲେ ଲିଫ୍ଟରେ । ଚତୁର୍ଥ ମହଲାରୁ ଅଳ୍ପ କିଛିବାଟ ତଳକୁ ଖସିବା ପରେ ଲିଫ୍ଟ ଅଟକିଗଲା । ସେମାନେ ଲିଫ୍ଟର ସୁଇଚ୍ ବଟନ୍କୁ ଅନେକଥର ଚିପାଚିପି କରି ନିରାଶ ହେଲେ । ଲିଫ୍ଟ ଆଉ ଚଙ୍କିଲାନି । ଲିଫ୍ଟ ଭିତରର ଲାଇଟ୍ କିନ୍ତୁ ଜଳୁଥାଏ, ମାନେ କରେଣ୍ଟ ଥାଏ ।
ଝିଅଟା ଚିନ୍ତା କରୁଥାଏ କାହାକୁ ଫୋନ୍ କରିବ! ବାପା ତ ତା’ ଆଗରୁ ଅଫିସ୍ ବାହାରି ଯାଇଛନ୍ତି । ବୋଉ ଶୁଣିଲେ ବ୍ୟସ୍ତ ହେବ । ସେମାନଙ୍କୁ ବ୍ୟସ୍ତ ନ କରି ସେ ତା’ ବୟଫ୍ରେଣ୍ଡକୁ ବୋଧେ ଫୋନ୍ ଲଗେଇଲା । ସୁବିଧା ଅସୁବିଧାରେ ସେଇମାନେ ବେଶୀ କାମରେ ଆସନ୍ତି ବୋଲି ଝିଅଟା ଜାଣିଥିଲା । ଖୁବ୍ ଚାଲାକ୍ ଥିଲା ଝିଅଟା ।
ହଁ, ବୟଫ୍ରେଣ୍ଡ ତା’ର ଉଠେଇଲା ଫୋନ୍ । ସବୁ କଥା ଶୁଣି କହିଲା ବ୍ୟସ୍ତ ହୁଅନି, ଯାଉଛି । ବୋଧେ ପଚାରିଲା ଆଉ କିଏ କିଏ ଅଛନ୍ତି ତମ ସହ ଲିଫ୍ଟରେ? ଏକୁଟିଆ ନାହଁ ତ?
ଇଏ କହିଲା- ଆଉ ଜଣେ ପୁଅପିଲା ଅଛି ଆମ ଆପାର୍ଟମେଣ୍ଟର । ବୟଫ୍ରେଣ୍ଡ ବୋଧେ ପଚାରିଲା- ତାକୁ ଚିହ୍ନିଛ?
ଇଏ କହିଲା- ଚିହ୍ନିନି ।
ବୟଫ୍ରେଣ୍ଡ ବୋଧେ କହିଲା- ତା’ସହ ଲିଫ୍ଟରେ କାହିଁକି ପଶୁଥିଲ?
ଝିଅଟା କହିଲା- ତା’ସହ ପଶିବି କାହିଁକି, ସିଏ ଆସୁଥିଲା ଉପର ମହଲାରୁ, ମୁଁ ଆମ ମହଲାରୁ ପଶିଲି । ଆମ ମହଲାର ଆଉ ଜଣେ ମଉସା ମଧ୍ୟ ଥିଲେ । ହଠାତ୍ ସିଏ କ’ଣ ଗୋଟେ ଛାଡ଼ି ଆସିଛନ୍ତି କହି ଲିଫ୍ଟରୁ ବାହାରିଗଲେ ।
ବୟଫ୍ରେଣ୍ଡ ବୋଧେ କହିଲା- ତମେ ବାହାରି ଆସିଲନି?
ଝିଅଟା ଉତ୍ତର ଦେଲା- ମୁଁ କ’ଣ ଜାଣିଥିଲି ଲିଫ୍ଟ ଖରାପ ହେବ ବୋଲି । ବାହାରି ଯାଇଥାନ୍ତି କାହିଁକି?
ଏଥର ଗଳ୍ପ ନାୟକ ଫୋନ୍ ଲଗେଇଲା ମୋତେ । ସିଏ ମୋ’ ସାଙ୍ଗ । ଆମେ ଏକାଠି ରହୁ । ନହେଲେ ମୁଁ ଏତେ କଥା ଜାଣିଥାନ୍ତି କେମିତି?
ସିଏ ଲିଫ୍ଟରେ ଫସିଯାଇଛି ଶୁଣି ଛୁଟିଲି ସେ ଆପାର୍ଟମେଣ୍ଟକୁ । ସେଇ ପାଖାପାଖି ଥିଲି ଯୋଗକୁ । ପଚାରିଲି- ତୋ’ ସହିତ ଆଉ କିଏ କିଏ ଫସିଛନ୍ତି?
ସିଏ ଉତ୍ତର ଦେଲା- ଆଉ ଜଣେ ଝିଅ ଅଛି ।
ମୁଁ ପଚାରିଲି- ସୁନ୍ଦରୀ ତ? ବୟସ କେତେ ହେବ?
ସିଏ କହିଲା- ବହୁତ ସୁନ୍ଦରୀ, କଲେଜ ବୟସୀ ।
ଖୁବ୍ ଆସ୍ତେ ସେ କହିଲା, ଏ ଦୁଇଟି ବାକ୍ୟ । ପାଖରେ ସେ ଝିଅଟା ୟା’ କଥା ଶୁଣୁଥିଲା ।
ମୁଁ କହିଲି- ତା’ହେଲେ ଏତେ ବ୍ୟସ୍ତ ହେବାର କ’ଣ ଅଛି? ଆଉ କିଛି ସମୟ ଯାଉ! ଆପାର୍ଟମେଣ୍ଟର କେୟାରଟେକର କିମ୍ବା ସିକୁ୍ୟରିଟି ଲିଫ୍ଟ ମେକାନିକ୍କୁ ଖବର ଦେବେନି? ଆରେ ଯେତେ ଡେରି ହେବ ସମ୍ପର୍କ ସେତେ ପାକଳ ହେବ । ତୋ’ର ଚିହ୍ନା ତ ସିଏ?
ସାଙ୍ଗ କହିଲା- ନା, ଅନେକଥର ଦେଖିଛି କିନ୍ତୁ କେବେ କଥା ହେଇନି । ମାଉସୀଙ୍କ ଝିଅ ତା’ଠାରୁ ସାନ, ତେଣୁ ତା’ ସହ ପରିଚୟ ନାହିଁ ।
ମୁଁ କହିଲି- ଏଇତ ସୁଯୋଗ ସମ୍ପର୍କ ଜମା ତା’ ସହ! ଏତେ ଗଳ୍ପ ଉପନ୍ୟାସ ପଢ଼ୁଛୁ । ଗୋଟେ ଝିଅକୁ ଫସେଇ ପାରିବୁନି? ପୁଣି ଏତେ ପାଖରେ ତାକୁ ଏକୁଟିଆ ପାଇ?
ସିଏ କହିଲା- ବାଜେ କଥା ଗପ୍ନି । ଛତରାମି ନକରି ଶୀଘ୍ର ଆସ ଏଠିକୁ !
ଝିଅଟା ସେତେବେଳକୁ ଭୟରେ ଥରୁଥାଏ । ବୟଫ୍ରେଣ୍ଡ ତା’ର ଆଉ ଫୋନ୍ କରିନଥାଏ । ବାଧ୍ୟ ହୋଇ ସିଏ ତା’ ବୋଉକୁ ଫୋନ୍ କଲା । ବୋଉ ବୋଧେ ତା’ ବାପାଙ୍କୁ ଜଣେଇ ଦେଇଥିଲେ ସାଙ୍ଗେ ସାଙ୍ଗେ ।
କିଛି ସମୟ ଭିତରେ ଝିଅଟାର ବାପା ବୋଧେ ଫୋନ୍ କଲେ । କହିଲେ- ଭୟ କରିବାର କିଛି ନାହିଁ । ମୁଁ ଅଛି ଗ୍ରାଉଣ୍ଡ ଫ୍ଲୋର୍ରେ । ମେକାନିକ୍ ଆସୁଛି । ହଁ, ପାଣି ବୋତଲ ଅଛି ତ ବ୍ୟାଗ୍ରେ? ପିଇଦେ ଟିକେ!
ବାପା ବି ବୋଧେ ତା’ର ପଚାରିଲେ- ଆଉ କିଏ କିଏ ଅଛନ୍ତି ତୋ’ ସାଙ୍ଗରେ?
ଝିଅଟା କହିଲା- ଆଉ ଜଣେ ପୁଅପିଲା ଅଛି ।
ବାପା ତା’ର ବୋଧେ ପଚାରିଲେ- ବଦ୍ମାସ ନୁହଁ ତ?
ଝିଅଟା ଉତ୍ତର ଦେଲା- ମୁଁ ଚିହ୍ନିନି ତାକୁ । କିନ୍ତୁ ମଝିରେ ମଝିରେ ଆସେ ଏ ଆପାର୍ଟମେଣ୍ଟକୁ । ଆମ ଉପର ଫ୍ଲୋର୍ରୁ ସିଏ ଆସିଥିଲା ।
ଝିଅଟାର ଉତ୍ତରରୁ ମୋ’ ସାଙ୍ଗ ଅନୁମାନ କରିପାରୁଥାଏ ଆରପଟ ଲୋକ ତାକୁ କ’ଣ ପଚାରୁଛି । ଝିଅଟା ଖୁବ୍ ଆସ୍ତେ କହୁଥାଏ । ତଥାପି ସବୁ ଶୁଣାଯାଉଥାଏ । ଲିଫ୍ଟ ଭିତରେ ଆଉ କେତେ ଦୂରକୁ ଯାଇପାରିବ?
ପୁଅଟାର ମାଉସୀ ମଧ୍ୟ ଜାଣି ସାରିଥିଲେ ତାଙ୍କ ପୁତୁରା ଫସିଯାଇଛି ଲିଫ୍ଟରେ । ତା’ ସହ ଝିଅଟିଏ ଅଛି!
ମୁଁ ପହଞ୍ଚି ଯାଇଥିଲି ସେଠି । ବେଶ୍ କିଛି ଲୋକ ଅପେକ୍ଷା କରିଥିଲେ । ଆପାର୍ଟମେଣ୍ଟ ଆଖପାଖର କିଛି ଲୋକ ମଧ୍ୟ ଆସିଯାଇଥିଲେ ଲିଫ୍ଟରେ ପୁଅ-ଝିଅ ହଳେ ଫସିଛନ୍ତି ଶୁଣି ।
ମେକାନିକ୍ ଫୋନ୍ କରି କହିଲା- ଆଉ ଦଶ ମିନିଟ୍ ଭିତରେ ପହଞ୍ଚୁଛୁ । ଲିଫ୍ଟ ଗ୍ରାଉଣ୍ଡ ଫ୍ଲୋର୍କୁ ଚାଲିଆସିବ । ତେଣୁ ସମସ୍ତେ ଗ୍ରାଉଣ୍ଡ ଫ୍ଲୋର୍ରେ ଥିଲେ । ଅପେକ୍ଷା ମେକାନିକ୍କୁ!
ଝିଅର ବାପା ରାଗି ଆସୁଥିଲେ । କହୁଥିଲେ- ବାହାର ଲୋକଙ୍କୁ ଲିଫ୍ଟରେ ଯିବାକୁ ପର୍ମିଶନ୍ ଦେବା କଥା ନୁହଁ । ସେମାନେ ଶିଡି ବ୍ୟବହାର କରିବା କଥା । ସୋସାଇଟିବାଲାଙ୍କୁ କହିବାକୁ ପଡ଼ିବ ।
ଭଦ୍ର ମହିଳା ଜଣେ କହିଲେ- ଆପଣଙ୍କ ଘରକୁ ଆପଣଙ୍କ ନିଜ ଲୋକ କେହି ଆସିଲେ ସେମାନେ ଲିଫ୍ଟରେ ଯିବା ଆସିବା କରନ୍ତିନି? ଶିଡ଼ିରେ ଉପର ତଳ ହୁଅନ୍ତି ସେମାନେ?
ଭଦ୍ର ମହିଳାଙ୍କ କଥା ଶୁଣି ଝିଅର ବାପା ଚୁପ୍ ହୋଇଗଲେ ।
ଭଦ୍ର ମହିଳା ଜଣକ ଥିଲେ ମୋ’ ସାଙ୍ଗର ମାଉସୀ ।
ଟିକେ ଦୂରରେ ଛିଡ଼ା ହୋଇଥିବା କେଇଜଣ ହସାହସି ହେଇ କହୁଥିଲେ- ଆମେ ଯେତେ ବ୍ୟସ୍ତ ହେଉଛେ ଶୁଖିଲାଟାରେ, ଲିଫ୍ଟ ଭିତରେ ଫସିଥିବା ସେ ଦୁଇଜଣ ମୋଟେ ଏତେ ବ୍ୟସ୍ତ ହେଉନଥିବେ । ବରଂ ସେମାନେ ଚାହୁଁଥିବେ ଆଉ କିଛି ସମୟ ଲାଗୁ ଲିଫ୍ଟ ସଜଡ଼ା ହେବାକୁ । ଏ ବୟସରେ ଏମିତି ସୁଯୋଗ କ’ଣ ମିଳେ ସହଜରେ? ଟିକେ ଗପସପ ହେବାକୁ ପରା ଏ ସହରରେ ଜାଗା ମିଳୁନି ପ୍ରେମୀଙ୍କୁ । ରାସ୍ତାଘାଟରେ ଗପୁଛନ୍ତି, ପୁଣି ଚୁମା ଦିଆନିଆ ବି ସେଇଠି । ଲିଫ୍ଟ ତା’ଠୁ ଭଲ ନୁହେଁ?
ଝିଅର ବାପା ଶୁଣିଛନ୍ତି କି ନାହିଁ କେଜାଣି ଏ କଥା! ତାଙ୍କ କାନରେ ପଡ଼ିଥିବ ନିଶ୍ଚେ । ନହେଲେ ସେ ଦୂରକୁ ଚାଲିଗଲେ କାହିଁକି?
ଝିଅଟାର ବୟଫ୍ରେଣ୍ଡ ବୋଧେ ଆସିନଥିଲା । ସିଏ ହୁଏତ ମନେ ମନେ ଭାବୁଥିଲା- ଏମିତି ସୁଯୋଗ ତାକୁ କାହିଁକି ମିଳିନି? ଅନେକଥର ସେମାନେ ଏଇ ଲିଫ୍ଟରେ ଯିବା ଆସିବା କରିଛନ୍ତି । କେବେ ତ ଖରାପ ହେଇନି ଲିଫ୍ଟ?
ଲିଫ୍ଟ ଭିତରେ ସେମାନେ କ’ଣ କରୁଛନ୍ତି ଚାଲନ୍ତୁ ଟିକେ ଦେଖିବା ।
ଝିଅଟାର ସେଇ ବୟଫ୍ରେଣ୍ଡ ବୋଧେ ଫୋନ୍ କରିଥିଲା ।
ଝିଅଟା ଏପଟୁ କହୁଥିଲା- ବାଜେ କଥା ଶୁଣିବାର ସମୟ ଏବଂ ଧୈର୍ଯ୍ୟ ମୋ’ର ନାହିଁ ଏବେ । ତମେ ଏତେ ମିନ୍ ବୋଲି ମୋତେ ଜଣା ନଥିଲା ।
ଏମିତି କଥାବାର୍ତ୍ତା ହେବା ଭିତରେ ଝିଅଟା କହିଲା- ଡ୍ରେସ୍ ପିନ୍ଧିଛି । ଜିନ୍ସ-ବାନିୟନ ପିନ୍ଧିଥିଲେ କ’ଣ ହୋଇଥାନ୍ତା?
ବୟଫ୍ରେଣ୍ଡ ବୋଧେ ପଚାରୁଥିଲା- ତମେ ଡ୍ରେସ୍ ପିନ୍ଧିଛ ନା ଜିନ୍ସ-ବାନିୟନ? ବାନିୟନ ପିନ୍ଧିଥିଲେ ସିଏ ନିଶ୍ଚେ ତମ ଛାତିକୁ ଚାହିଁଥାନ୍ତା । ତମେ ତ ସବୁବେଳେ ଡିପ୍କଟ୍ ବେକବାଲା ବାନିୟନ ପିନ୍ଧନା ।
ଝିଅଟା କହିଲା-ଛୁଇଁବ କାହିଁକି, ସିଏ କ’ଣ ତମ ଭଳି ଅଭଦ୍ର ହୋଇଛି ।
ବୟଫ୍ରେଣ୍ଡ ବୋଧେ ପଚାରୁଥିଲା- ତା’ଠାରୁ ଦୂରରେ ଛିଡ଼ା ହୋଇଛ ତ? ସିଏ ତମକୁ ଛୁଇଁନି ତ?
ବୟଫ୍ରେଣ୍ଡ ତା’ର ଆଉ କ’ଣ ସବୁ କହିଲା କେଜାଣି ଝିଅଟା “ଆଉ ବେଶୀ ରଗାଅନି’ କହି ଫୋନ୍ କାଟିଦେଲା । କିଛି ସମୟ ପରେ ପୁଣି ରିଂ ହେଲା । ଝିଅଟା ଆଉ କଥା ହେଲାନି, ପୁଣି ଫୋନ୍ କାଟିଦେଲା । ସେଇ ବୟଫ୍ରେଣ୍ଡ କରିଥିଲା ବୋଧେ ।
ସେତେବେଳକୁ ଅଧଘଣ୍ଟା ବିତିଯାଇଥାଏ । ଦି’ ତିନିଜଣ ମେକାନିକ୍ ଆସି ପହଞ୍ଚିଗଲେ । ଦି’ଜଣ ଗଲେ ଉପର ମହଲାର ଲିଫ୍ଟ ରୁମ୍କୁ । ଯେଉଁଠି ମୋଟର ଲାଗିଛି । ଆଉ ଦି’ଜଣ ତଳେ ରହିଲେ; ଲିଫ୍ଟ ମୁହଁରେ ।
କିଏ ଖବର ଦେଲା କେଜାଣି, କ୍ୟାମେରା ଫ୍ୟାମେରା ନେଇ ନୁ୍ୟଜ୍ ଚ୍ୟାନେଲ୍ବାଲା ଆସି ପହଞ୍ଚିଗଲେ । ଲିଫ୍ଟର ଡୋର ଆଡକୁ କ୍ୟାମେରା ଫିକ୍ସ କରି ଅପେକ୍ଷା କରି ରହିଲେ କେତେବେଳେ ଲିଫ୍ଟ ଖସିବ ତଳକୁ ଆଉ ଲିଫ୍ଟର ଡୋର ଖୋଲିବ…
ଦଶ ପନ୍ଦର ମିନିଟ୍ ପରେ ଲିଫ୍ଟ ଧୀରେ ଧୀରେ ଖସିଲା ତଳକୁ । ତଳେ ଥିବା ମେକାନିକ୍ ଦି’ଜଣ ଲିଫ୍ଟର ଡୋର୍ ଖୋଲିଦେଲେ । ଏଥର ବାହାରିଆସିଲେ ଏ ଗଳ୍ପର ନାୟକ-ନାୟିକା । ଝାଳରେ ପୂରା ଓଦା ଦି’ଜଣ ଯାକ । ଗଳ୍ପ ନାୟିକାର ବାପା-ମା’ ଝିଅକୁ କୁଣ୍ଢେଇ ପକେଇଲେ । ନାୟକର ମାଉସୀ ପୁତୁରାକୁ ଆଉଁଶି ଦେଲେ ।
ଏଥର ନୁ୍ୟଜ୍ ଚ୍ୟାନେଲର ସିଟି ରିପୋର୍ଟର ମାଡ଼ିଗଲେ ଝିଅଟା ଆଡକୁ । ପଛେ ପଛେ କ୍ୟାମେରାମ୍ୟାନ୍ । ଗୋଟେ ପରେ ଗୋଟେ ପ୍ରଶ୍ନ ପଚାରି ଚାଲିଲେ ।
– ଲିଫ୍ଟ ଅଧାବାଟରେ ଅଟକି ଯାଇଛି ଜାଣି କେମିତି ଫିଲିଙ୍ଗ୍ସ ଆସିଲା ମନକୁ?
ବୁମ୍ଟାକୁ ଝିଅଟାର ମୁହଁ ଆଡକୁ ବଢ଼େଇ ଦେଇ ଉତ୍ତର ପାଇଁ ଅପେକ୍ଷା କଲେ ସିଟି ରିପୋର୍ଟର ଜଣକ ।
ଝିଅଟା ଆଖି ଉପର ଦେଇ ଗାଲ ଉପରକୁ ଖସିଆସିଥିବା କଳାକସରା କେଶ କେରାଏକୁ ଆଙ୍ଗୁଠିରେ ଆଡେଇ ଦେଇ କହିଲା- ଆକ୍ଚୁଆଲି ମୁଁ ଖୁବ୍ ଡରିଯାଇଥିଲି । ଏମିତି ଫିଲିଙ୍ଗ୍ସ କେବେ ନଥିଲା ତ !
ପୁଣି ପ୍ରଶ୍ନ- କ’ଣ ଭାବୁଥିଲେ ସେତେବେଳେ? କାହାକୁ ବେଶୀ ଖୋଜୁଥିଲେ?
ଝିଅଟା କହିଲା- ମମିଙ୍କୁ ।
ଏଥର ଆଉ ଗୋଟେ ପ୍ରଶ୍ନ- କାହାକୁ ପ୍ରଥମେ ଜଣେଇଲେ ଆପଣ ଲିଫ୍ଟରେ ଫସିଯାଇଛନ୍ତି ବୋଲି?
ଝିଅଟା କିଛି ସମୟ ଚିନ୍ତା କରି କହିଲା- ମମିଙ୍କୁ ।
ଝିଅଟା କିନ୍ତୁ ପ୍ରଥମେ ତା’ ବୟଫ୍ରେଣ୍ଡକୁ ଜଣାଇଥିଲା ।
ପୁଣି ପ୍ରଶ୍ନ- ଆପଣଙ୍କ ସାଥିରେ ଲିଫ୍ଟ ଭିତରେ ଥିବା ଯୁବକଙ୍କର ଆପଣଙ୍କ ପ୍ରତି ବ୍ୟବହାର କେମିତି ଥିଲା?
ଝିଅଟା କହିଲା- ଖୁବ୍ ସାହସ ଦେଉଥିଲେ ସେ ।
– ଆପଣଙ୍କ ସହ ପରିଚୟ ଥିଲା ତାଙ୍କର ଆଗରୁ?
– ନା!
ହଁ, ଆଉ ଗୋଟେ ପ୍ରଶ୍ନ- ଏଥରଠୁ ତାଙ୍କ ସହ ସମ୍ପର୍କ କେମିତି ରହିବ?
ଝିଅଟା ମୁଣ୍ଡ ହଲେଇ କହିଲା- ଜାଣିନି!
ଶେଷ ପ୍ରଶ୍ନ- ଆଉଥରେ ତାଙ୍କ ସହ ଫସିବାକୁ ଚାହିଁବେ ଲିଫ୍ଟରେ?
ଝିଅଟା ହସି ହସି କହିଲା- ନା ବାବା ନା, ମୋଟେ ଚାହିଁବିନି ।
ଏଥର କ୍ୟାମେରା ପଡ଼ିଲା ଗଳ୍ପ ନାୟକ ଉପରେ, ମାନେ ମୋ’ ସାଙ୍ଗ ଉପରେ ।
ପ୍ରଶ୍ନ- କେମିତି ଲାଗୁଥିଲା ଆପଣଙ୍କୁ? ଗୋଟେ ଦୋ’ ଦୋ’ ଚିହ୍ନା ଝିଅ ସହ ଲିଫ୍ଟରେ ଅଟକି ରହିବାର ସେ ଅନୁଭବ କେମିତି ଥିଲା?
ବୁମ୍ ଆଡକୁ ମୁହଁ ବଢ଼େଇ ମୋ’ ସାଙ୍ଗ କହିଲା- ଏକଦମ୍ ନୂଆ ଅନୁଭବ ଥିଲା । ଆଶଙ୍କା, ଭୟ ଏବଂ ଅନିଶ୍ଚିତତା ଭିତରେ ହିଁ କଟିଥିଲା ସେତକ ସମୟ ।
– ହଁ, କ’ଣ ଭାବୁଥିଲେ ଆପଣ ଆପଣଙ୍କ ସହ ଲିଫ୍ଟରେ ଥିବା ସେ ଝିଅକୁ ନେଇ?
ସିଏ ଉତ୍ତର ଦେଲା- ମୋ’ର ଏକମାତ୍ର ଭାବନା ଥିଲା, କେତେବେଳେ ଲିଫ୍ଟ ଖୋଲିବ ଆଉ ମୁଁ ବାହାରକୁ ବାହାରିଯିବି ପରିସ୍ରା କରିବା ପାଇଁ । ଜୋର୍ରେ ପରିସ୍ରା ଲାଗିଥିଲା ମୋତେ । ତେଣୁ ଆଉ ପ୍ରଶ୍ନ ପଚାରନ୍ତୁନି ପ୍ଲିଜ୍!
ମୋତେ ଦେଖି ମୋ’ ପାଖକୁ ଚାଲିଆସିଲା ମୋ’ ସାଙ୍ଗ ଆଉ କହିଲା- ଟିକେ ଛିଡ଼ା ହୋଇଥା’, ପରିସ୍ରା କରି ଆସୁଛି ।
ଗହଳି ଧୀରେ ଧୀରେ କମୁଥିଲା । ମିଡ଼ିଆବାଲା ଫେରିଯାଉଥିଲେ । ଫେରନ୍ତା ଲୋକମାନେ ଆଲୋଚନା କରୁଥିଲେ- ଲିଫ୍ଟ ଭିତରେ ତ ଫ୍ୟାନ୍ ଚାଲିଥିଲା, ଏମାନେ ଏତେ ଝାଳେଇଛନ୍ତି କାହିଁକି?
ଜଣେ କିଏ କହିଲା- ସେ କଥା କ’ଣ ବୁଝେଇବାକୁ ପଡ଼ିବ? ଝିଅଟାର ଗାଲକୁ ଦେଖିଲଟି କେମିତି ଲାଲ ପଡ଼ିଯାଇଛି ।
ଆଉ ଜଣେ କିଏ କହିଲା- ଦେଖ ସେ ଟୋକା ଗାଲରେ ଲିପ୍ଷ୍ଟିକ୍ ଦାଗ ଥିବ! ଯଦି ନଥିବ ଝିଅଟା ପୋଛି ଦେଇଥିବ ରୁମାଲ୍ରେ ।
ଆମେ ଫେରିଲୁ । ମାନେ, ମୁଁ ଆଉ ମୋ’ ସାଙ୍ଗ । ଝିଅଟା ତା’ ବାପା-ମା’ଙ୍କ ସାଙ୍ଗରେ ଶିଡ଼ିବାଟେ ଗଲା ଉପରକୁ । ଲିଫ୍ଟ ସଜଡ଼ା ସରିନଥାଏ । ସେଦିନ ଆଉ କଲେଜ ଗଲାନି ବୋଧେ!
ବାଟରେ ଫେରିଲାବେଳେ ମୋ’ ସାଙ୍ଗକୁ ପଚାରିଲି- ବେଶୀ କଷ୍ଟ ହେଇନଥିବ? ଏମିତି ସୁନ୍ଦରୀଙ୍କ ସହ ଲିଫ୍ଟରେ ଫସିବାର ସୁଯୋଗ କେତେଜଣ ଯୁବକଙ୍କ ଭାଗ୍ୟରେ ଜୁଟେ କହିଲୁ? ଗୋଟେ ଅନନ୍ୟ ଅନୁଭବ ତ ହେଲା ! ହଁ, ଟିଭିବାଲା ତତେ ଯେତେବେଳେ ପଚାରିଲେ- ଲିଫ୍ଟ ଭିତରେ ସେ ଝିଅ ସହିତ କେମିତି ଲାଗୁଥିଲା? ତୁ କହିଥା’ନ୍ତୁ- ମୁହଁ ସାମ୍ନାରେ ପ୍ଲେଟ୍ ଭର୍ତ୍ତି ସ୍ୱାଦିଷ୍ଟ ମିଠା ରଖାଯାଇଥିଲେ ଡାୟାବିଟିସ୍ ରୋଗୀଙ୍କୁ ଯେମିତି ଲାଗେ ମୋତେ ଠିକ୍ ସେମିତି ଲାଗୁଥିଲା ।
ସେଇଦିନ ସନ୍ଧ୍ୟାରେ ଟିଭି ଖବର ଦେଖି ଅନେକ ସାଙ୍ଗ ଫୋନ୍ କଲେ । ସେ ଝିଅକୁ ତା’ ସାଙ୍ଗମାନେ ଫୋନ୍ କରିଥିଲେ ।
ତା’ପରେ ଅନେକ ଚର୍ଚ୍ଚା ଆଉ ଗୁଜବ ଏ ଘଟଣାକୁ ନେଇ । ଝିଅଟି ଅତିଷ୍ଠ ହୋଇପଡ଼ିଥିଲା ତା’ ସାଙ୍ଗମାନଙ୍କ ଅଜବ ପ୍ରଶ୍ନ ସବୁରେ ।
ଏମିତି ଏମିତିରେ ପାଠପଢ଼ା ସରିଗଲା ଝିଅଟାର । ତାଙ୍କ ବାପାଙ୍କ ବଦଳି ବି ହୋଇଗଲା ଅନ୍ୟ ସହରକୁ ।
ମୋ’ ସାଙ୍ଗ ବ୍ୟାଙ୍କ ପିଓ ପରୀକ୍ଷା ଦେଇଥିଲା, ପାଇଗଲା । ଏଇଠୁ କାହାଣୀ ଭିନ୍ନ ମୋଡ଼ ନେଲା ।
ମୋ’ ସାଙ୍ଗର ମାଉସୀ ସେ ଝିଅର ବାପା-ମା’ଙ୍କ ସହିତ କଥା ହେଲେ । ପୁତୁରା ତାଙ୍କର ବ୍ୟାଙ୍କ ପିଓ ଚାକିରି ପାଇଛି ବୋଲି କହିଲେ । “ଆପଣଙ୍କ ଝିଅ ସହିତ ବାହାଘର କରିବେ କି’ ବୋଲି ପଚାରିଲେ । ଏ କଥା ବି କହିଲେ- ଅନେକ ପ୍ରସ୍ତାବ ଆସୁଛି, ମୋ’ର ଇଚ୍ଛା ଆପଣଙ୍କ ଝିଅକୁ ବୋହୂ କରିବାକୁ । ଗୋଟିଏ ବୋଲି ପୁଅ । ବଡ଼ ଭଉଣୀ ତା’ର ଦଶବର୍ଷ ହେଲା ବାହା ହୋଇସାରିଛି । କିଛି ଦାୟିତ୍ୱ ନାହିଁ, ଇତ୍ୟାଦି ଇତ୍ୟାଦି କହିଗଲେ ।
ଝିଅର ବାପା-ମା’ ରାଜି ହୋଇଗଲେ । କାରଣ ଜଣେ ଯୁବକ ସହ ତାଙ୍କ ଝିଅ ଅଧଘଣ୍ଟାରୁ ଅଧିକ ସମୟ ଧରି ଲିଫ୍ଟରେ ଫସି ରହିବା ଖବର ଅନେକଙ୍କୁ ଜଣା ଥିଲା । ଏଇ କାରଣରୁ ଅନେକ ବାହାଘର ଭାଙ୍ଗୁଥିଲା । ଝିଅ ବି ତାଙ୍କର ଆଉ ବାହା ହେବନି ବୋଲି ଜିଦ୍ ଧରିଥିଲା ।
ମୋ’ ସାଙ୍ଗ ସେଇ ଝିଅକୁ ବାହାହେଲା । ବାହାଘର ପରେ ସିଏ କୁଆଡ଼େ ମୋ’ ସାଙ୍ଗକୁ କହିଥିଲା- ତମେ ଭାରି ଛେରୁଆ । ସେଦିନ ଲିଫ୍ଟରେ ଏତେ ସମୟ ମୋତେ ପାଖରେ ପାଇଲ, ଚୁମାଟିଏ ଦେଇ ପାରିଲନି? ଭାବିଥିଲ ମୁଁ ଚିକ୍ରାର କରିବି, ନୁହେଁ?
ମୋ’ ସାଙ୍ଗ କହିଲା- ଖୁବ୍ ତ ସୁଧାର ଲାଗୁଥିଲ ସେତେବେଳେ । ମୁଁ କେମିତି ଜାଣିବି ତମ ମନରେ ଏ ଇଚ୍ଛା ଥିଲା ବୋଲି? ତମେ ଯେମିତି ଭୟରେ ଥରୁଥିଲ ଚୁମା ଦେଇଥିଲେ ସେନ୍ସଲେସ୍ ଯେ ହୋଇଯାଇ ନଥା’ନ୍ତ ଏ କଥା କିଏ କହିବ! ମୁଁ ଅଯଥାରେ ବନ୍ଧା ହୋଇଥାନ୍ତି । ତମେ ଏତେ ନଖରୀ ବୋଲି କ’ଣ ମୁଁ ଜାଣିଥିଲି । ଜାଣିଥିଲେ କ’ଣ ଛାଡ଼ିଥା’ନ୍ତି ।
ସେମାନେଙ୍କ ବିବାହ ପରେ ପରେ ଯେତେଥର ଯାଇଛି ସେମାନଙ୍କ ଘରକୁ ସବୁଥର ଟିଭି ସାମ୍ବାଦିକଙ୍କ ଶୈଳୀରେ ବନ୍ଧୁପତ୍ନୀଙ୍କୁ ପଚାରିଛି- କେମିତି ଥିଲା ଜଣେ ଅଚିହ୍ନା ଯୁବକଙ୍କ ସହ ଲିଫ୍ଟରେ ଅଧଘଣ୍ଟା ଫସି ରହିବାର ସେ ଅନୁଭବ?
ଏତିକିରେ ବନ୍ଧୁପତ୍ନୀ ହସି ପକାନ୍ତି ଆଉ ପୁଣି ଚାଲେ ସେଇ ଘଟଣାର ଚର୍ଚ୍ଚା । ନହେଲେ ମୁଁ ଏତେ ନିଖୁଣ ଭାବରେ କେମିତି କହିଗଲି ଲିଫ୍ଟ ଭିତରେ ସେମାନେ କ’ଣ କରୁଥିଲେ ବୋଲି?
ହଁ, ଏଥର ଜାଣିଲେ ତ ସେମାନେ କାହିଁକି ଆସନ୍ତି ଏ ଆପାର୍ଟମେଣ୍ଟକୁ ଆଉ ଲିଫ୍ଟ ଭିତରେ କାହିଁକି ବିବାହ ବାର୍ଷିକୀ ପାଳନ୍ତି ଚୁମା ଦିଆନିଆରେ?
ଗପଟାକୁ ଏଇଠି ସାରିଦେଇ ହେଇଥା’ନ୍ତା । ଭାବୁଛି ନସାରି ଆଉ ଟିକେ ବଢ଼େଇଲେ ବେଶୀ ଗପଗପ ଲାଗିବ ।
ଶୁଣନ୍ତୁ ତା’ପରେ କ’ଣ ହେଲା-
ସେଥର ସେମାନଙ୍କର ବିବାହ ବାର୍ଷିକୀ ପାଖେଇ ଆସିଥାଏ । ମୋ’ ସାଙ୍ଗକୁ ଫୋନ୍ କରି କହିଲି- ଏଥର ଆସନି ଏଠିକୁ! ବରଂ କେଉଁ ହିଲ୍ଷ୍ଟେସନକୁ ଯାଅ । ଜାଣିଲେ ମନଦୁଃଖ ହେବ ତମର । ସେ ଆପାର୍ଟମେଣ୍ଟ ଭଙ୍ଗା ହେବ । ଲୋକ ଛାଡ଼ିସାରିଲେଣି ସେ ଆପାର୍ଟମେଣ୍ଟ । ସେଇବାଟେ ଫ୍ଲାଏଓଭର ଯିବ ।
ମୋ’ ସାଙ୍ଗ କହିଲା- ଆପାର୍ଟମେଣ୍ଟ ଭାଙ୍ଗିବା ପୂର୍ବରୁ ଆମ ସଂସାର ଭାଙ୍ଗିଯାଇଛି । ତୋତେ କହିନି । ତା’ ବୟଫ୍ରେଣ୍ଡ ସହ ସିଏ ପୁଣି ସମ୍ପର୍କ ଯୋଡ଼ିଛି । ଡିଭୋର୍ସ ପାଇଁ ଆପ୍ଲାଏ କରିଛି । ସେ ବୟଫ୍ରେଣ୍ଡ ବାଙ୍ଗାଲୋର୍ରେ ଚାକିରି କରୁଛି । ଗାଡ଼ିଫାଡ଼ି କିଣି ସାରିଛି କୁଆଡ଼େ । ଘର କିଣିବ । ହଉ ଛାଡ଼ ସେ କଥା । ଭଗବାନଙ୍କର ବୋଧେ ସେଇ ଇଚ୍ଛା, ସେତିକି ଦିନ ଏକାଠି ରହିବାର ଥିଲା ନହେଲେ ସେ ଆପାର୍ଟମେଣ୍ଟ କାହିଁକି ଭଙ୍ଗା ହେଉଛି, ଯେଉଁ ଆପାର୍ଟମେଣ୍ଟ ଆମ ସମ୍ପର୍କ ଯୋଡ଼ିଥିଲା?
ମୁଁ କହିଲି- ସମ୍ପର୍କ କ’ଣ କଂକ୍ରିଟ୍ରେ ଗଢ଼ାହୁଏ ଯେ ତାକୁ ଏତେ ସହଜରେ ଭାଙ୍ଗିହେବ? ସବୁ ଠିକ୍ ହେଇଯିବ, ବ୍ୟସ୍ତ ହଅନି!!