ଧକଡ଼ କଚଡ଼ କରି ଖଣ୍ଡିଆ ରାସ୍ତାରେ ଗାଡ଼ି ଆଗେଇ ଚାଲିଥିଲା । ବଂଚିବାର ରାହା ଖୋଜି ଚାଲିଚି ଯେମିତି ମହାଜୀବନର ଯାତ୍ରା । ଗଣ୍ଠିଲିଟା ଉପରେ ମୁହଁ ମାଡ଼ି ଦେଇ ବସିଥିଲା ଧୁତୁରୁ । ଆଖି ଦି’ଟା କେତେବେଳେ ପଡ଼ି ଯାଉ ଯାଉ ପୁଣି ଚାଉଁକିନା ଉଠି ଚାରିଆଡ଼ୁ ଘେରାଏ ଘୂରିଫେରି ଆସୁଥିଲା । ଏତେବେଳେ ଆଈ କୋଳରେ କୁଙ୍କୁରି କାଙ୍କୁରି ଶୋଇଥିବା କଥା ସେ । ହେଲେ ପକ୍ଷୀ ଜନମରେ ଉଡ଼ିବାଟା ଇ ବଡ଼ କଥା । ଦି’ଟା ଡ଼େଣା, କେତେ ଖଣ୍ଡ ହାଲୁକା ହାଡ଼, ପତଳାଚମ ଆଉ ପର । ଏତିକିରେ କେତେ ବାଟ ଉଡ଼ି ହେବ କେଜାଣି । ହେଲେ ସେଇ ପତଳା ଚମ, ସରୁହାଡ଼, ବକଟେ ମାଂସ ଭିତରେ ଲୁଚିଚି ଯୋଉ ଭୋକ ସେ କିଛି କମ୍ ନୁହଁ । କମ୍ ଡହଳ ବିକଳ କରୁନି ସେ । ସେଇ ତ ଘୋଷାଡ଼ି ଆଣୁଚି ପୋକ, ଜୋକ, ମୀନ, ଜିଆ ଖୁଣ୍ଟିବାକୁ କାହିଁ କେତେ ଦୂରୁ ।
ଆଈ କଣ ସବୁ ବାନ୍ଧିଚି କେଜାଣି ଏଥିରେ? ବୋଧେ ଚଟୁ, ଗିନା, ଗିଲାସ, ହାଣ୍ଡି, ଭାତଖିଆ ଥାଳି ଆଉ କ’ଣ କ’ଣ । ଗାଡ଼ି ଧଡ଼ଧଡ଼ ହେଲାବେଳକୁ ସେଗୁଡ଼ା ଖେଞ୍ଚô ହେଇଯାଉଚି ପେଟ କଙ୍କାଳରେ, ଢ଼ୁଳେଇ ପଡ଼ିଲା ବେଳକୁ ଗେବି ହେଇଯାଉଚି ମୁଣ୍ଡରେ ।
ଆରେ, ଗେଞ୍ଜି ଖଣ୍ଡକ ଆଣିବାକୁ ଭୁଲିଗଲା ପରା । ନୂଆଖାଇକୁ ଯୋଉ ଗେଞ୍ଜିଟା କିଣିଥିଲା ସେଟାକୁ ଦିନେ ଦେଖିଲା ବେଳକୁ ମୂଷା ନେଇ ଖପର ଭିତରେ ପୂରେଇଥିଲା । କାଟି କରି କୁତୁକୁତୁ କରି ସାରିଥିଲା । ବଡ଼ ମନଦୁଃଖ ହେଇଥିଲା ତାର । ସମାନ କୋଡ଼ିଏ ଟଙ୍କା ଦେଇ ଆଣିଥିଲା ହାଟରୁ । ହାତରେ ପଇସା ଥିଲା ବୋଲି ସିନା ସେମିତି ଆଉ ଖଣ୍ଡେ ଯାଇ ପାଞ୍ଚଦିନଠି ଆର ହାଟ ପାଳିକୁ ନେଇ ଆସିଲା । ଅସଲ କଥା ହେଲା ପଇସା । ପଇସା ନଥିଲେ ମଣିଷ ବି ମଣିଷ ନୁହଁ । ହେଲେ ଆଈ ସେକଥା ବୁଝେନି ।
ସେଦିନ ଖପର ସନ୍ଧିର ଗେଞ୍ଜିଟାକୁ ଆଈ ନାତି ଦି’ଜଣ ମିଶି ଭିଡ଼ି ଓଟାରି କାଢ଼ିଲେ । ଆଈତ ଦେଖି ନିଆଁ! ମୂଷାଟା ଛୁଆ କରିବ କି କ’ଣ ବୋଲି କେତେ କଣ ନେଇ ଚୁଣ୍ଟିଥିଲା ସେ’ଠି ।
‘ହାଁ ମୋ ଛୁଆର କୁର୍ତ୍ତା ଖାଇଲୁ ଗାତପଶି’ ବୋଲି ବାଡ଼ିଟାଏ ଉଠେଇ ଧାଇଁଲା ମୂଷାର ପଛେ ପଛେ ମାରିବାକୁ । ତାକୁ ‘ନେଇଁ ମାର୍’ ‘ନେଇଁ ମାର୍’ ଯେତେ କହିଲେ ବି କୋଉ ଶୁଣୁଥାଏ ସେ । ଶେଷରେ ଧୁତୁରୁ କହିଥିଲା- ଆଲୋ ଆଈ, ମୂଷାଟା କ’ଣ ଜାଣିଚି ନା ଜାଣିକି କରିଚି ଏକାମ । ଗେଞ୍ଜିଟା ଯେ ମଣିଷ ମାନେ ପିନ୍ଧନ୍ତି ସେ କଥା ବି କୋଉ ଜାଣିଚି ଯେ ସେ । ଜୀବହତ୍ୟା ମହାପାପ ଲୋ ଆଈ ।
ତା’ର ବି ବଡ଼ ରାଗ ଆସୁଥିଲା ଯେ ମନରେ । ହେଲେ କ’ଣ କରିବ ସେ । ବିଚରା ଜନ୍ତୁଟାକୁ ମାରିଦେଲେ କୋଉ ଗେଞ୍ଜିଟା ଫେରି ଆସିବନା କ’ଣ?
ଆଈ କହିଥିଲା- ଆରେ ରଖ୍ ତୋର ସେ ବିଦ୍ୟାବୁଦ୍ଧି । ଅନିଷ୍ଟ କଲା ଯିଏ ତାକୁ ମାରିଲେ ହେଲେ ହେଲା ମୋର ପାପ । ତୋର ତ ହଉନି ନା । ଖାଲି କ’ଣ ତୋର ଗେଞ୍ଜି ହେଇ ଦେଖ୍ ତୋ ମାର ବିଲାଉଜ୍, ହୀରାର ପେଣ୍ଟ୍ ସବୁ ସେଇ ଖପର ଭିତରେ ।
ହୀରାର କଥା ପାଟିରୁ ବାହାରି ଗଲାପରେ ଆଈ କେମିତି ଗୋଟାଏ ଗୁମ୍ ମାରିଗଲା । ତଳକୁ ମୁହଁ ପୋତି ବାରି ଆଡ଼କୁ ଯାଇ ବାଡ଼ିଟାକୁ ଫିଙ୍ଗୁ ଫିଙ୍ଗୁ କଥା ବୁଲେଇ ନେଇ କହିଲା- ପାଠ କେତେଟା କ୍ଲାସ ଆଉ ପଢ଼ିଥା’ନ୍ତୁ ହେଲେ, ଦାଣ୍ଡରେ ସତସତିକା ବିଦ୍ୟାବୁଦ୍ଧି ଦେଖେଇଥା’ନ୍ତୁ । ମୁଁ ଚାରିକ୍ଲାସ୍ ଯାକେ ପଢ଼େଇଲି ତତେ ଆଉ କେତୁଟା ବରଷ କଣ ପଢ଼େଇ ନଥାନ୍ତି । କହୁ କହୁ କାନ୍ଦୁଣୁ ମାନ୍ଦୁଣୁ ହେଇଗଲା । ଧୁତୁରୁ ଜାଣିଲା ମନଗହନର କୋଉ ପଥର ତଳୁ ଝରୁଚି ଆଈ ଆଖିର ଏ ଲୁହ । ହେଲେ ସେଠିକି କ’ଣ ପାଇବ ତା ହାତ?
ଧୁତୁରୁ ବି କେତେଥର ଭାବିଚି ସତରେ ଆଈର କଥା ମାନି କେତେଟା କ୍ଲାସ୍ ଆଉ ପଢ଼ି ଦେଇଥିଲେ ହେଇଥାନ୍ତା । ଯେତେବେଳେ ରୋଡ଼ କଣ୍ଟ୍ରାକ୍ଟର ବାବୁ, ଲୁହା ଗ୍ୟାରେଜ୍ର ମାଲିକ ତାକୁ ଶୋଧେ ନହେଲେ ମହାଜନିଆଣୀ ତା ଘରର ଅଇଁଠା ବଳକା ଖାଇବାକୁ ଭଲକି ଥାଳିରେ ସଜେଇକି ଆଣି ତା’ ଆଗରେ ଥୋଇଦିଏ ସେତିକିବେଳେ ସେ ଭାବେ ଆଈ ସତ କହେ ।
ସେଦିନ ସେ କଣ୍ଟ୍ରାକ୍ଟର ବାବୁ ଯୋଉ ଭାଷା କହିଲା ତାକୁ! ଛାଡ଼ ଛାଡ଼ ପାଠ ପଢ଼ି ଯଦି ମଣିଷ ଏମିତି ଅସଭ୍ୟ ହେଇଯାଏ, ମଣିଷକୁ ମଣିଷ ନଭାବି ପୋକ ମାଛି ଭାବେ ତେବେ ସେ ପାଠ ନପଢ଼ି ସେ କିଛି ଭୁଲ୍ କରିନି ।
ପୁଣି ଭାବେ ଭୁଲ୍ କରିନି କେମିତି? ପ୍ରଥମ ଭୁଲ୍ ହେଲା ତା’ର ସେ ଆଶାକୁ ମାରିଚି । ଦି’ଦିଟା ମଣିଷଙ୍କ ମନର ଆଶା । ଆଈର, ପୁଣି ସ୍ୱର୍ଗରେ ଥିବା ତା ବାପର । ତା’ ବାପା ମୁଖିଗୁଡ଼ାରୁ ଆସିଲା ବେଳେ କେବେକେବେ କେତେ ରକମର ଜିନିଷ ଆଣି ଆସିଥାଏ । ଖାଇବା ଜିନିଷକୁ ତ ଆଗ ଝାମ୍ପି ପଡ଼ିବ ହୀରା । ତା’ର କିନ୍ତୁ ଲୋଭ ନଥାଏ ସେଥିରେ । ଥରେ ବାପା ଆଣିଥିଲା କେତୁଟା ଲୁଗାପଟା । ଯୋଉ ବାବୁ ଘରେ ସେ କାମ କରେ ସେ ବାବୁଘର ମା’ ତାଙ୍କର ସୁନ୍ଦର ଫୁଲପକା ପୁରୁଣା ଶାଢ଼ି ଦି’ଖଣ୍ଡ ଆଉ ତାଙ୍କ ପିଲାଙ୍କର ସାର୍ଟ ପେଣ୍ଟ ଦି’ଟା ଦେଇଥିଲେ । ବାପା ସାର୍ଟଟା ପିନେ୍ଧଇ ଦେଇ ବୋତାମ ଲଗେଇଦେଲା । ଆଉ ପେଣ୍ଟଟା ବଡ଼ ହୁଗୁଳା ହଉଥିଲା ତା’ ଅଣ୍ଟାକୁ । ବାପା ମା’ ସାୟାରୁ ସୂତାଟା କାଢ଼ି ପେଣ୍ଟ ଉପରେ ଜୋର୍ସେ ବାନ୍ଧିଦେଲା । ଆଉ କହିଲା, ହେଇ ଏମିତି ପେଣ୍ଟ ସାର୍ଟ ପିନ୍ଧି ସ୍କୁଲ ଯା’ନ୍ତି । ଛକଛକ ଗାରପକା ସାର୍ଟ ଥିଲା ସେଇଟା ଆଉ ପେଣ୍ଟଟା ପୂରା ନେଳି । ଆଈ ମୁରୁକି ମୁରୁକି ହସୁଥିଲା ।
ପେଣ୍ଟଟା ଉପରେ ଏତେ ଜୋର୍ରେ ବାପା ଡ଼ୋରଟା ଭିଡ଼ିଥିଲା ଯେ ଧୁତୁରୁର ଅଣ୍ଟା ସେତେବେଳକୁ କଟକଟ ଡ଼ାକୁଥିଲା । ‘ପେଣ୍ଟ୍ ଖୁଲ୍, ପେଣ୍ଟ୍ ଖୁଲ୍’ ଯେତେ କହିଲେ ବି କେହି ଶୁଣୁନଥିଲେ । ଆଈ ବାପାକୁ କହୁଥିଲା- ଆରେ ବାବୁ! ଏମିତି ଜାମା ପିନ୍ଧି ଯୋଉ ପିଲାମାନେ ସ୍କୁଲକୁ ଯାଉଚନ୍ତି ସେମାନେ ତ ବଜାରର ସେ ବଡ଼ ଫାଟକବାଲା ଖିରସ୍ତାନ ସ୍କୁଲକୁ ଯାଉଚନ୍ତି । ସେ ପିଲାଙ୍କୁ ରିକ୍ସା ନବା ଆଣିବା କରୁଚି । ପୁଣି ସେଠି କୁଆଡ଼େ ମାସକୁ ମାସ ପଇସା ବାନ୍ଧିବାକୁ ପଡ଼େ ପରା?
ବାପା କହିଥିଲା- ହଅବୋ ପଇସା । ରହ ଦେଖିବୁ ଚାକିରିଟା ପକା ହେଇଯାଉ ମୋର । ଦେଖିବୁ ତୁଇ, ପାଞ୍ଚ ହଜାର୍ ଆଣିବି ମାସକୁ ମାସ । ଖାଇଲେ ଖାଅ ତମେ ସବୁ ଦି’ ହଜାର । ଆଉ କେତେ ଖାଇବ ଖାଇ ଖାଇ । ବାକି ରହିଲା ତିନି ହଜାର । ସେଇ ଇସ୍କୁଲୁକୁ ଯିବ ପୁଅ ମୋର ।
ନାଇଁ ମୁଁ ସେ ସ୍କୁଲକୁ ଯିବିନି କହି ଚିଲ୍ଲେଇ ଥିଲା ଧୁତୁରୁ । ଆଈ କୋଳକୁ ଭିଡ଼ି ନେଇ ତାକୁ ହିହି ହେଇ ହସୁଥିଲା । ଆଈ କୋଳରେ ଛାଟିପିଟି ହଉହଉ କହୁଥିଲା, ସେ ସ୍କୁଲଟା ମୂଷାର ଯନ୍ତା ପରା ଲୋ ଆଈ । ବଡ଼ ଗୁଟେ ଯନ୍ତା ପରି ଲାଗେ ସେଇଟା । ସେ ପିଲାଗୁଡାବି ଯୋଉ ସେ ଗାଡ଼ିରେ ଯା’ନ୍ତି ବଡ଼ ବାକ୍ସ ପରା ଗୋଟେ ବାକ୍ସରେ ପଶି ଗଲା ପରି ଲାଗନ୍ତି । ଜୁଳୁଜୁଳୁ କରି କଣା ବାଟେ ଅନାନ୍ତି । ନାକଟେକି ଦେଖନ୍ତି ଆମର ଆଡ଼େ । ସେ ସ୍କୁଲ୍ ମୁଁ ଯିବିନି ।
– କେନ୍ତା କରି ଯେ ନେଇଁ ଯାଉ? ବାପା ମିଛିମିଛିକା ଆଖି ତରାଟି କହେ ।
– ନେଇଁ ଯାଏ ବୋଲେ ନେଇଁ ଯାଏ । କହେ ସେ ।
ସେ ସ୍କୁଲ୍କୁ ଅବଶ୍ୟ ଯାଇନଥିଲା ଧୁତୁରୁ । ଚଞ୍ଚରାଭାଡ଼ି ପ୍ରାଥମିକ ବିଦ୍ୟାଳୟରେ ବାପା ନାଁ ଲେଖେଇ ଦେଇଥିଲା ଦିନେ ତା’ର । ସେତେବେଳେ ବାପାର ଚାକିରି ନହେଇଥିବାରୁ ସେ ମନେମନେ ଲଙ୍କେଶ୍ୱରୀଙ୍କୁ ମୁଣ୍ଡିଆ ମାରିଥିଲା । ମା’ ଲଙ୍କେଶ୍ୱରୀ ସବୁରି ଗୁହାରି ଶୁଣନ୍ତି ଏକଥାଟା ପୂରାପୁରି ବିଶ୍ୱାସ ହେଇଯାଇଥିଲା ତା’ର । ବାପା ବୋଧେ ଲଙ୍କେଶ୍ୱରୀକୁ ତା ଚାକିରି କଥାଟା କହି ନଥିଲା । ନହେଲେ ତ ବାପାର ଚାକିରି ହେଇ ଯାଇଥାନ୍ତା ଆଉ ତା’କୁ ଯନ୍ତା ସ୍କୁଲ୍ ଯିବାକୁ ପଡ଼ିଥାନ୍ତା । ଯାହାହେଲା ଅବଶ୍ୟ ଭଲହେଲା ଯେ ହେଲେ ଆଈ ଯାହା କହେ ମହାପ୍ରୁ ପିଲାଙ୍କ କଥା ଶୁଣନ୍ତି ସେଥିଲାଗି ବୋଧେ ଲଙ୍କେଶ୍ୱରୀ ବୁଆର କଥା ନଶୁଣି ତା’ର କଥା ଶୁଣିଲେ ।
ସେ ସ୍କୁଲ୍ରେ କେତେ ବଡ଼ ଖେଳପଡ଼ିଆ । ସ୍କୁଲର ଖେଳପଡ଼ିଆ ନୁହଁ ଗାଈଚରା ଘାସ ପଡ଼ିଆଟା, ଯେ ହେଲେ କ’ଣ ହବ ସ୍କୁଲକୁ ଲାଗିକି ଥାଏ । ସାର୍, ଗୁରୁମା’ ହେଇ ଦି’ଜଣ । ବନୀତା ଗୁରୁମା’ଙ୍କ ଘର ଭବାନୀପାଟଣା ବୋଲି ସେ ତ ହପ୍ତାକେ ଥରେ ଆସନ୍ତି । ଆଉ ସାର୍୍ଙ୍କ ଘର ଦି’ଟା ଗାଁ ପରେ ପଡ଼େ । ସାଇକଲ୍ରେ ରୋଜ୍ ଆସନ୍ତି ସିନା ହେଲେ ଅଧାରୁ ସ୍କୁଲ୍ ଛୁଟି । ସ୍କୁଲ୍ରେ ଦି’ଟା ବଖରା ଥିଲେ ବି ଜଣେ ସାର୍ ତ ଦି’ଟା ବଖରାରେ ପିଲାଙ୍କୁ ବସେଇ ପଢ଼େଇ ପାରିବେନି । ସେଥିଲାଗି ପାଞ୍ଚଟା ଯାକ ସ୍କୁଲ୍ର ପିଲା ଗୋଟେ ବଖରାରେ ବସନ୍ତି । ଏଇ ସାଧୁ ଆଉ ଭୋଲା ତ ସବୁଦିନେ ଖେଳଛୁଟିରେ ଯୋଉ ଖାଇବାକୁ ଦିଆହୁଏ ଖାଲି ସେଇଥିଲାଗି ସ୍କୁଲ୍ ଆସନ୍ତି । ଖାଇସାରି ଥାଳି ଧୋଇବାକୁ ନଳକୂଅ ପାଖକୁ ଯାଆନ୍ତି ଯେ ସେଇଠୁ ଯାଇ ଡଙ୍ଗର ଆରପାରେ ଡୁଡୁ ଖେଳନ୍ତି ନଇଲେ କେନ୍ଦୁ ତୋଳି ଖାଆନ୍ତି । ଆଉ ଏ ତେଜା ସେ ପୋକଡ଼ା ଡାଲିର ପାଣିକୁ କଳାକଳା ମଲା ଚାଉଳର ଭାତରେ ଗୋଳେଇ ପେଟେ ଖାଇଦିଏ । ପେଟକୁ ଟିଙ୍କ ପରି କରି କ୍ଲାସ୍ରେ ବସି ଘୁମାଏ । ସେଇଟା ରୋଗିଣାଟା । ସବୁବେଳେ ପେଟଟା ତା’ର ବାହାରିଥିବ ଆଗକୁ । ଆଉ ଦେହଟା ସରୁଆ, ପତଳା । ସିଏ ବି ଆସିଚି ଆଜି ତା’ ସାଥିରେ କାମକୁ ।
କାଇଁ ଯେ ଏତେ କଥା ମନକୁ ଆସୁଚି । ବେଶି ଦିଶୁଚି ଆଈର ମୁହଁ । ବୁଆ କଥା ମନେପଡ଼ୁଚି । ହୀରା କଥା ମନେପଡ଼ୁଚି ।
ସେଦିନ ଗାଁର ଗୋଟେ ପିଲା ସାଥିରେ ହାତାହାତି ହେଇଗଲା । କହିଲା କ’ଣ ନା ତୋର ଭଉଣୀ ରାୟପୁରରେ ଧନ୍ଦା କରୁଚି । ହେଃ, ସେଟାର ଦାନ୍ତ ନଝଡ଼େଇ ଛାଡ଼ିଦେଲା ଯାହା ସେ । ଏମିତି କାହା ଉପରକୁ ହାତ ଉଠାଏନି ଧୁତୁରୁ । ହେଲେ ସେଦିନ ତା କାନ ମୁଣ୍ଡା ଝାଇଁ ଝାଇଁ କରିଗଲା । ରକତ ତାତିଗଲା ଯେମିତି । କେମିତି କଣ ହେଲା କେଜାଣି ପିଲାଟା ଉପରକୁ ଝାମ୍ପି ପଡ଼ିଲା ସେ । ଆଗପଛ କିଛି ବି ବିଚାରିଲାନି । ସୁରୁ, ବନ, ଜଗୁ ମାନେ ଅଟକେଇ ନଥିଲେ କ’ଣ ଯେ ହେଇଥାନ୍ତା । ଯାହା ହେଇଥିଲେ ହେଇଥାନ୍ତା କିନ୍ତୁ ଏମିତି କଥା ସେ ଶୁଣିବ କାହିଁକି ।
ବାଟରେ କୋଉଠି ଗୋଟେ ଅଟକିଲା ଗାଡ଼ି । କୋଉ ଗାଁ କେଜାଣି ଏଇଟା ଅନ୍ଧାରରେ ଜାଣି ହଉନି । ତଥାପି ଜଙ୍ଗଲ ଜାଗା ପରି ଲାଗୁଚି । ଥଣ୍ଡା ଟିକେ ବେଶି ଜଣାପଡ଼ୁଚି । ହେଇ ଗାଡ଼ି ପାଖ ଦେଇ କ’ଣ ଜନ୍ତୁଟାଏ ଧାଇଁ ଗଲା ଯେ ତା’ ଆଖି ଦି’ଟା ଜଳି ଉଠିଲା । କୋଉଠୁ କୋଉଠା ଯାଏଁ ଲାଗିଚି ଏ ଜଙ୍ଗଲ କେଜାଣି । ବୁଆକୁ ଜଣା ସବୁ । କହୁଥିଲା ଥରେ କୁଆଡ଼େ ଗୋଟେ ବାଘୁଣୀ କୋଉ ଜଙ୍ଗଲରୁ ଚାଲି ଆସିଥିଲା ଏଠିକି । ଦି’ଟା ଛୁଆ ଦେଇଥିଲା ପରା । ତା ଛୁଆଙ୍କୁ ଧରି ରାତିରେ ଏ ସଡ଼କ ପାରି ହେଇ ଆରପଟକୁ ଯାଏ ଶିକାର ଖୋଜି । ଜଙ୍ଗଲବାଲାଏ ମାଇକି ବଜେଇ ସତର୍କ କରି ଦେଇଥିଲେ ଲୋକଙ୍କୁ ରାତିରେ ଯେମିତି ଏବାଟେ ନଯାଆନ୍ତି କେହି । ହେଲେ ଅଫିସର ବାବୁର ଜିପ୍ରେ ଦିନେ ବୁଆ ରାତିରେ ଫେରିଲା ବେଳକୁ ଦେଖିଥିଲା ସେ ବାଘୁଣୀକୁ । ରାସ୍ତା ଉପର ପିଲାଦି’ଟାଙ୍କୁ ଧରି ବସିଥିଲା । ଗାଡ଼ିର ଡ୍ରାଇଭର ଜାଣି ପାରିଲାନି ଆଗେ କ’ଣ କରିବ । ଗାଡ଼ି ପଛେଇଲେ ବିପଦ, ଆଗକୁ ନେଲେ ବିପଦ । ତେବେ ଗାଡ଼ିର ଲାଇଟକୁ ଦେଖି ଜନ୍ତୁଟା ଧୀରେ ଧୀରେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ବନ୍ଜାରୀ ଦେବୀ ପାଖରେ ତା’ପରଦିନ ଆସି ନଡ଼ିଆ ଚୁପିଥିଲା ଆଈ । ଆଈ କହେ, ଦଳେ ବନ୍ଜାରୀ ଥୁଆମୂଳ ରାମପୁରକୁ ବାଣିଜ କରିବା ପାଇଁ ଆସିଥିବାବେଳେ ସେମାନଙ୍କର ଇନ୍ଦ୍ରା ବୋଲି ସୁନ୍ଦରୀ ଝିଅଟିଏ ଶୋଷରେ ବିକଳ ହୋଇ ପାଣି ଖୋଜି ଯାଉଯାଉ ଇନ୍ଦ୍ରାବତୀ ନଦୀର ମୂଳରୁ ପାଣି ପିଉଥିବା ବେଳେ ତଳକୁ ଖସିପଡ଼ି ମରିଯାଇଥିଲା । ସେଇଦିନଠୁ ଗାଁ ଗାଁରେ ବନଜାରୀ ଦେବୀଙ୍କୁ ପୂଜା କରାହଉଚି ।
ଡରଡର ଲାଗିଲା ଧୁତୁରୁକୁ । ଦିହକୁ ଦିହ ବାଜୁଚି । ଗାଡ଼ି ସାରା ଲୋକ ଚୁଣ୍ଟାଚୁଣ୍ଟି । ହେଇ ଟିକେ ଛାଡ଼ି ବସିଚି ଅଜା । ହେଲେ କାହିଁକି କେଜାଣି ମୁହୂର୍ତ୍ତକ ଲାଗି ଥରଥରେଇ ଗଲା ତା’ର କଲିଜା । ପଏସା କମେଇ ଯାଉଚି ବୋଲି ତ ବଡ଼ ଖୁସି ଥିଲା ତା’ର ମନ । ଜଙ୍ଗଲ ଭିତରେ ଅନ୍ଧାରରେ ବାଘ ବାହାରିବା କଥା ଭାବି ନା ନିଜ ଅନିଶ୍ଚିତ ଭବିଷ୍ୟତକୁ ଧରି ପ୍ରଥମଥର ଲାଗି ଏତେବାଟ ଘରୁ ଗୋଡ଼କାଢ଼ିଥିବା ଲାଗି ନା ଆଈକୁ, ମା’କୁ ଛାଡ଼ି ଯାଉଥିବା ଲାଗି କୋଉଥି ପାଇଁ ହଠାତ୍ ମାଡ଼ି ପଡ଼ିଲା ତାକୁ ସେ ଜାଣି ପାରିଲାନି । ଦିଶାରୀ ଯେମିତି ଡାକେ ମହାପୁରୁକୁ ସେମିତି ଗୁଣୁଗୁଣେଇଲା ସେ-
‘ବାପୁଡ଼େ’ ରାଇଡ଼େଂଗା,
ବାପୁଡ଼େ ସରିମୋ, ଜାନି,
ନାନା ଡ଼େକରାଇତି ଗୁଡ଼େରେ,
ନାନା ମାଣିଙ୍ଗେ ସାରୁସିଗୁଡ଼େ
ଇନ୍ନି ମିପୁଇଁ ଆସ୍ତା କାଇରେ,
ଭନ୍ନି ମିପୁଇଁ ଆସାକାଏ ।’
– ଏ ଧୁତୁରୁ କାଣା ହେଲାରେ? ଦି’ଚାରିଟା ମୁଣ୍ଡ ଉପରକୁ ମୁଣ୍ଡ ଉହୁଁକେଇ ଧୁତୁରୁକୁ ପଚାରିଲା ଜଣେ ।
– କିଛୁ ନେଇଁ । ଆଉ ଟିକିଏ ଜାକିଜୁକି ହେଇଆସି କହିଲା ଧୁତୁରୁ ।
– ଶୋଇପକା ବାବୁ । ଆର୍ ଢ଼େର୍ ବାଟ ଅଛେନା । ଶୋଇପକା ।
ହେଲେ ନିଦ କୁଆଡ଼େ ଆସିବ ଏତେବେଳେ ଆଖିକୁ । ଏ ସୁରୁ ଆଉ ଭୋଲା ଏ ଦିଟା ବି ଖୁସୁରୁପୁସୁରୁ ହଉଥିଲେ ତା ପଛଆଡ଼େ । ଏ ଦି’ଟାଙ୍କର କେବେ ବି କୋଉ କଥାକୁ ପରୱା ନାହିଁ ।
କୋଉ ପାଖ ଗାଁରୁ କୁକୁରମାନଙ୍କ ରଡ଼ି ଶୁଭୁଥିଲା ଲମ୍ବେଇ, ଲମ୍ବେଇ । ଭୋଓ… ଭୋ… ଭୋ… ଓ… ଓ ।
ସଞ୍ଜବେଳେ ଆଇ ପାଖରେ ହେଂସରେ ଗଡୁଗଡୁ ରାତିର ଭାତ ନଖାଇଥିଲେ ବି ବେଳେବେଳେ ଆଖିକୁ ନିଦ ଧାଇଁଆସେ । ହୀରା ତ ଆଈକୁ ଲଗେଇଥାଏ ଗପ କହ ଆଈ ଗପ କହ । ଆଈ କହେ ତମ୍ପା ଗପ, ଛତୁ ଗପ, ଜିଆ ଜୁଳୁଜୁଳା ପୋକ ଗପ, ବାଘ ମଣିଷ, କନ୍ଧ ଅନ୍ଧ ବାଘ ଗପ, ମାଛରଙ୍କା ଚଢ଼େଇ, ଫଳ ପୋକ, ମଶା ଗପ । କୁଆ ଓ ମଣିଷ ଗପ । କେତେ ନାଇଁ କେତେ । ଆଈ କହେ-
ଗୋଟିଏ ମାଇଜିର କଲରା ଭଜା ଖାଇବାକୁ ଇଚ୍ଛା ହେଲା । ସେ ବଣ ଭିତରୁ କଲରା ଆଣିବାକୁ ଗଲା । ବଣର ବହୁତ ଜାଗା ବୁଲିଲା; ମାତ୍ର କଲରା ପାଇଲା ନାହିଁ । ଶେଷକୁ ନିରାଶ ହୋଇ ଘରକୁ ଫେରି ଆସୁଆସୁ ବାଟରେ ଗୋଟିଏ କଲରା ଲଟା ଦେଖିଲା । ଖୁସି ହୋଇ ସେଥିରୁ ଫଳ ତୋଳିଲା । ଏତିକିବେଳେ ଗୋଟିଏ ବାଘ ସେଠି ଆସି ପହଞ୍ଚôଗଲା । ସେ ଗର୍ଜନକରି କହିଲା ‘ତୁ ମୋ ବଣରୁ କଲରା ତୋଳିଲୁ କାହିଁକି? ତତେ ଆଜି ମାରି ପକେଇବି । ମାଇଜି ବାଘକୁ ଦେଖି ଡରିଗଲା । କହିଲା, ‘ମୋତେ ମାର୍ନା ମୋର ପିଲା ହବାର ଅଛି । ମତେ ମାଇଲେ ମୋ ପିଲା ମରିଯିବ । ପିଲା କଥା ଶୁଣି ବାଘ ଖୁସି ହୋଇଗଲା । ତାକୁ କହିଲା- ‘ଭଲ କଥା । ଆଉ ଦୁଇଟା କଲରା ତୋଳି ନେ । କିନ୍ତୁ ମନେରଖ, ଯଦି ପୁଅ ହେବ, ସେ ତୋର । ଯଦି ଝିଅ ଜନ୍ମ ହୁଏ, ତେବେ ମୋତେ ଦବୁ; ମୁଁ ତାକୁ ପାଳିବି । ମାଇଜିଟା ବାଘ କଥାରେ ରାଜି ହେଲା । ଅଣ୍ଟିଏ କଲରା ଧରି ଘରକୁ ଫେରି ଆସିଲା । କିଛିଦିନ ପରେ ତାହାର ଗୋଟିଏ ଝିଅ ହେଲା । ସେତେବେଳେ ବାଘ କଥା ମନେ ପଡ଼ିଯିବାରୁ ତାକୁ କାନ୍ଦ ମାଡ଼ିଲା । ସେ ଝିଅକୁ ପାଖରୁ ଛାଡ଼ିବ ନାହିଁ ବୋଲି ଭାବି ତାକୁ ଘର ଭିତରେ ଲୁଚାଇ ରଖିଲା । ଦୁଇବର୍ଷ ପରେ ପୁଣି ତାହାର ଗୋଟିଏ ପୁଅ ହେଲା । ଝିଅ ପୁଅ ଦୁହେଁ ବଢ଼ିବାକୁ ଲାଗିଲେ । ଝିଅର ନାଁମ ସୁଲେଇଦାଇ, ପୁଅର ନାଁ ବୁଦ୍ଧିଆଦାନା । ସୁଲେଇଦାଇକୁ ବାରବର୍ଷ ହେଲା, ବାଘ ବଣ ଭିତରେ ରହି ଗଣୁଥାଏ । ମାଇଜି ଲୋକ୍ ଆଉ ତା’ ପାଖକୁ ନ ଆସିବାରୁ ସେ ଗାଁ ଭିତରକୁ ଆସିଲା । ମାଇଜିକୁ ଦେଖାକରି କହିଲା- ତୋର ପ୍ରଥମ ଥର ଝିଅ ହେଲା । ସତ୍ୟ ଅନୁସାରେ ତାକୁ ମତେ ଦେବାର କଥା । ଦେଲୁ ନାହିଁ କାହିଁକି? ଯଦି କାଲି ତାକୁ ବଣକୁ ପଠେଇ ନଦଉ, ତେବେ ମୁଁ ଆସି ସମସ୍ତଙ୍କୁ ମାରିପକେଇବି । ସ୍ତ୍ରୀ ଲୋକଟି ଏହା ଶୁଣି ଡରିଗଲା । ପରଦିନ ଝିଅକୁ ନୂଆ ଲୁଗା ପିନ୍ଧାଇ ବଣକୁ ବାଘ ପାଖକୁ ପଠାଇଦେଲା । ବୁଦ୍ଧିଆ କହିଲା- ‘ତା ସାଙ୍ଗରେ ମୁଁ ଯିବି ।’ ମା’ ମନା କଲା । ବୁଦ୍ଧିଆ ନଶୁଣି ଧନୁଶର ଲୁଚାଇ ଧରି ଭଉଣୀ ସାଙ୍ଗେ ବଣକୁ ଗଲା ।
ବାଘ ବାଟ ଚାହିଁ ବସିଥିଲା । ଝିଅ ଓ ପୁଅ ଦୁଇଜଣଙ୍କୁ ଦେଖି ଖୁସି ହୋଇଗଲା । ତାଙ୍କୁ ଆଦର କରିବାକୁ ଯାଉଚି, ଏତିକି ବେଳେ ବୁଦ୍ଧିଆ ଗୋଟେ ଶର ମାରିଦେଲା । ବାଘର ପେଟ ଫୁଟିଗଲା । ସେ ତଳେ ପଡ଼ି ଛଟପଟ ହେଲା ।
ସେତେବେଳେ ସେ କହିଲା, ମୋର ଦୁଇଟି ପିଲା ଅଛନ୍ତି । ତାଙ୍କ ସାଙ୍ଗରେ ଖେଳିବ ବୋଲି ମୁଁ ତୁମଙ୍କୁ ଆଣିବାକୁ ଯାଇଥିଲି । ତୁମେ ଆଗ ମତେ ମାଇଲ । ମୁଁ ତ ମରିଯିବି; ମୋ ପିଲା ଦୁଇଟି ତୁମକୁ ଲାଗିଲେ ।’ ଏହା କହି ବାଘ ମରିଗଲା ।
ସୁଲେଇ ଓ ବୁଦ୍ଧିଆଙ୍କ ମନରେ ବଡ଼ କଷ୍ଟ ହେଲା । ସେ ଦୁହେଁ ଯାଇ ବାଘଛୁଆ ଦୁଇଟିଙ୍କୁ ଆଣିଲେ । ତାଙ୍କ ନାଁମ ଦେଲେ ‘ସୋନି-ବାନି’ । ବାଘଛୁଆ ଦି’ଟିଙ୍କୁ ଧରି ସେମାନେ ବାଟ ଚାଲିଲେ । ବଣ ଭିତରେ ଯାଉ ଯାଉ ବୁଦ୍ଧିଆ ଗୋଟେ ମୂଷା ଦେଖିଲା । ବଡ଼ ସୋନିଆକୁ କହିଲା, ‘ସେ ମୂଷାକୁ ଧରିଆଣ, ଆଜି ତାକୁ ଖାଇବା । ବଡ଼ ବାଘଛୁଆ ଯାଇ ମୂଷାକୁ ଧରିଆଣିଲା । ମୂଷା ବୁଦ୍ଧିଆକୁ କହିଲା, ‘ମୋତେ ମାରନା ।’ ମୁଁ ତୁମ ସାଙ୍ଗରେ ରହିବି; ତୁମକୁ ଆପଦ ବିପଦରୁ ରକ୍ଷା କରିବି ।’ ସେଇଠୁ ପାଞ୍ଚଜଣ ଯାକ ଗଲେ । କିଛି ଦୂରରେ ଗୋଟିଏ ଅସୁର ବଣ ପଡ଼ିଲା । ସେ ବଣରେ ଯେଉଁ ଅସୁର ଥାଏ, ସେ ସମସ୍ତଙ୍କୁ ମାରି ଖାଉଥାଏ । ପ୍ରଥମେ ସେ ଗୋଟିଏ ମଶା ରୂପ ଧରେ । ବଣକୁ ଯେ ଆସେ, ତାକୁ କାମୁଡ଼ି ରକ୍ତ ପିଇଦିଏ । ଏ ପାଞ୍ଚଜଣ ତ ସେ କଥା ଜାଣନ୍ତି ନାହିଁ । ଯାଇ ସେଇ ବଣରେ ରହିଲେ । ଅସୁର ଗୋଟେ ମଶା ରୂପ ଧରି ତାଙ୍କ ପାଖକୁ ଆସିଲା । ସେ ଆଗ ସୁଲେଇ ମୁହଁରେ ବସି ରକ୍ତ ପିଇଲା ।
ସେତେବେଳେ ସମସ୍ତେ ଶୋଇଥିଲେ । ସାନ ବାଘଛୁଆ ଏକା ଚାହିଁଥାଏ । ସେ ମଶାକୁ କହିଲା, ତୁ କିଏ? ସେଠାରେ କ’ଣ କରୁଛୁ? ମଶା କହିଲା, ମୁଁ ରକ୍ତ ପିଉଛି । ଦେଖ୍ ଏ ରକ୍ତ କେମିତି ମିଠା ଲାଗିବ ।’ ଟୋପେ ରକ୍ତ ସେ ବାଘଛୁଆକୁ ଦେଲା । ବାଘଛୁଆ ଚାଖି ଦେଖିଲା ସୁଆଦ ଲାଗୁଚି । ମଣିଷ ରକ୍ତ ଖାଇବାକୁ ତା’ର ଭାରି ଇଚ୍ଛା ହେଲା । ଅସୁର କହିଲା, ଏ ସୁଲେଇ ବୁଦ୍ଧିଆ ତୋ ମା’କୁ ମାରିଦେଇଚନ୍ତି । ଏ ତୋର ଶତ୍ରୁ । ତୁ ତାଙ୍କ ସାଙ୍ଗରେ ରହିଚୁ କାହିଁକି? ତାକୁ ମାରି ଖା’ । ସାନ ବାଘଛୁଆ ମନକୁ ଏକଥା ପାଇଲା । ସେ ସଙ୍ଗେସଙ୍ଗେ ଯାଇ ସୁଲେଇକୁ ମାରି ତା’ ରକ୍ତ ପିଇଦେଲା, ମାଂସ ଖାଇଲା । ତାହା ପରେ ଅସୁର ସାଙ୍ଗରେ ବଣକୁ ଚାଲିଗଲା । ମୂଷା କହିଲା, ‘ସାନ ସୋନିବାନି ସୁଲେଇକୁ ଖାଇ ଯାଇଚି । ଏ ବାଘଜାତିକୁ ଆଉ ବିଶ୍ୱାସ ନାହିଁ । ତୁ ବଡ଼ ସୋନିବାନିକୁ ମାରିପକା । ତାକୁ ନ ମାରିଲେ ସେ ବି ଦିନେ ଆମକୁ ଖାଇଯିବ । ବୁଦ୍ଧିଆ ଧନୁଶର ଧରି ବାଘଛୁଆକୁ ମାରିବାକୁ ବସିଲା; କିନ୍ତୁ ମାରିପାରିଲା ନାହିଁ । ବାଘଛୁଆ ଆଗରୁ ଏମାନଙ୍କ କଥାବାର୍ତ୍ତା ଶୁଣିଥିଲା । ସେ ସେଠାରୁ ପଳାଇଗଲା; ବଣ ଭିତରେ ଲୁଚି ରହିଲା । ସେଇଦିନୁ ବାଘ ବଣରେ ରହୁଚି । ଆସି ମଣିଷ ରକ୍ତ ପିଇବାକୁ ଚେଷ୍ଟା କରୁଚି । ସୁଲେଇକୁ ଖାଇଯାଇଥିବାରୁ ମଣିଷର ବି ବାଘ ଉପରେ ରାଗ । ବାଘକୁ ମାରିବାକୁ ସୁବିଧା ପାଇଲେ ଉପାୟ ଚିନ୍ତା କରୁଥା’ନ୍ତି ମଣିଷମାନେ ।
ମଣିଷ କ’ଣ ସେଇଦିନୁ ଉପାୟ ଚିନ୍ତା କରୁଚି ଆଉ ଏବେ ଯାଏଁ ଉପାୟଟା ତାକୁ ଜଣାପଡ଼ୁନି ।
ଉପାୟଟା କୋଉଠି ଥାଏ କି?
ଉପାୟଟା କୋଉଠି ଥାଏ କି?
ଉପାୟଟା କ’ଣ ବାଘ ସହ ସଲାସୁତୁରା କରି ବାଘ ପରି ଜଙ୍ଗଲରେ ଛପି କରି ଥାଏ?
ସେ’ବି ତ ବୁଦ୍ଧିଆ ପରି ଧନୁଶର ଧରି ହୀରାକୁ ନେଇଥିବା ବାଘକୁ ମାରିବାକୁ ଚାହିଁଥିଲା, ହେଲେ ତା’ ଟେର୍ ପାଇଲାନି । ଏମିତି ଭାବୁ ଭାବୁ ଗାଡ଼ି କେସିଙ୍ଗା ଟେସନ ପାଖରେ ପହଞ୍ଚିଗଲା ।
ଧୁତୁରୁ ଗାଁ ଛାଡ଼ି ଆସିବାର ଦୁଇଦିନଠିଁ ବିରୋଧୀ ଦଳର ଗୋଟେ ସାମ୍ବାଦିକ କଥାଟାଏ ଛାପି ଦେଲା । ଏମିତି ଖବରକୁ ସେ ଟାକିଥାଏ । ସେଥିରୁ ତା’ର ମୋଟା ରୋଜଗାର ହୁଏ ।
ଖବରଟି ଏମିତି- ଜିଲ୍ଲାର ସମସ୍ତ ଦିନ ମଜୁରିଆ ଏବଂ କୃଷି ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦିଆଯାଇ ପାରୁନାହିଁ । ଯାହା ଫଳରେ ପ୍ରତିବର୍ଷ ହଜାର ହଜାର ପରିବାର ଜିଲ୍ଲା ବାହାରକୁ ଏବଂ ରାଜ୍ୟ ବାହାରକୁ ପଳାଇ ଯାଉଚନ୍ତି । ଇଏଏସ୍ ଯୋଜନା ଯେ ସମୁଦ୍ରକୁ ଶଙ୍ଖେ ଭଳି ଏକଥା ଶ୍ରମିକମାନଙ୍କ ସଂଖ୍ୟାକୁ ଦେଖିଲେ ବୁଝାପଡ଼ିଯାଉଛି । ଜିଲ୍ଲାରେ ଗତବର୍ଷ ୧୮ ଲକ୍ଷ କର୍ମ ଦିବସ ସୃଷ୍ଟି ହୋଇଥିଲା । ଦାରିଦ୍ର୍ୟର ସୀମାରେଖା ତଳେ ଥିବା ଦୁଇ ଲକ୍ଷ ପରିବାର ମଧ୍ୟରୁ ପ୍ରତି ପରିବାରରୁ ଦୁଇଜଣ ହିସାବରେ କାମ ଦେଲେ ମାତ୍ର ୯ ଦିନ କାମ ଦିଆଯାଇ ପାରିବ । ସେହିପରି ଜବାହର ରୋଜଗାର ଯୋଜନା ମାଧ୍ୟମରେ ଗୋଟିଏ ପରିବାରର ଜଣକୁ ୯ ଦିନ କାମ ମିଳିପାରିବ । ଏମିତି କରି ପ୍ରତି ପରିବାରକୁ ୧୫ରୁ ୧୮ ଦିନ ଯାଏ କାମ ଯୋଗାଇ ଦେଇ ହେବ । ପ୍ରତି ପରିବାରକୁ ଇଏଏସ୍ ଯୋଜନାରେ ୧୦୦ ଦିନ କାମ ଯୋଗାଇବା କଥା ଯାହା କୁହାଯାଇଛି, ସେଥିପାଇଁ ପ୍ରକୃତ ପକ୍ଷେ ସରକାର ଟଙ୍କା ମଞ୍ଜୁର କରୁନାହାନ୍ତି ।
ଏକଥା ପଢ଼ି ସରକାରୀ ଦଳ ବାଲାଏ ତାତିଗଲେ । ତା’ପର ଦିନର ଖବରକାଗଜରେ ବାହାରିଲା, ଛିଦ୍ର ଅନ୍ୱେଷଣ କରିବା ବିରୋଧୀ ଦଳର ଗୋଟାଏ ପ୍ରମୁଖ କାର୍ଯ୍ୟରେ ପରିଣତ ହେଇଗଲାଣି । ସରକାର ଦରିଦ୍ର ଲୋକଙ୍କ ପାଇଁ ଯେତେ ସୁବିଧା ସୁଯୋଗ ଯୋଗାଇ ଦେଲେ ମଧ୍ୟ ଲୋକେ ବିଶେଷତଃ ରାଜ୍ୟ ବାହାରେ ଥିବା ବିଭିନ୍ନ ସହରାଞ୍ଚଳକୁ ଚାକଚକ୍ୟ ଜୀବନର ପ୍ରଲୋଭନରେ, ଜୀବିକା ଅନ୍ୱେଷଣରେ ଚାଲିଯାଉଛନ୍ତି । କରଜ ପରିଶୋଧ, ବିବାହ ଉସôବ, ପର୍ବପର୍ବାଣିରେ ଆବଶ୍ୟକ ହେଉଥିବା ଅର୍ଥର ଭରଣା କରିବାର ଉଦ୍ୟମ ଏହାର ଅନ୍ୟ ସ୍ପଷ୍ଟ ପାଶ୍ୱର୍ ବୋଲି କହିଲେ କିଛି ଭୁଲ୍ ହେବନାହିଁ । ଆମ ସରକାର ଯେ ଦୋଷ ଛିଦ୍ରହୀନ ଏହା ତାଙ୍କ ନାମରୁ ହିଁ ଜଣାପଡ଼ିଯାଉଛି ।
ଏତିକି ବେଳକୁ ଝୋଟକୁ ନିଆଁ ପରି ଟିଭି ଓ ଖବରକାଗଜରେ ଖବରଟାଏ ବାହାରିଲା ଯାହା ବିରୋଧୀ ଦଳକୁ ସରକାର ବିଷୟରେ ବେଶ୍ ମାଲ୍ମସଲା ଯୋଗାଡ଼ି ଦେଲା । ଖବରଟି ଥିଲା ଏହିପରି । ପେଟ ଦାଉରେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ବଳବନ୍ତ ନାଗ, ପଣ୍ଡୁ ମାଝୀ ଓ ଭାଗ୍ୟ ନାୟକଙ୍କର ମୃତୁ୍ୟ । ଏହି ନିରୀହମାନେ ପୁଣି ରାଜ୍ୟ ଶ୍ରମମନ୍ତ୍ରୀଙ୍କ ଅଞ୍ଚଳର ବାସିନ୍ଦା ଅଟନ୍ତି ।
ଏ ଖବର ପ୍ରସାରିତ ହେବା ପରେ ପରେ ବିରୋଧୀ ଦଳର ତୁମ୍ବିତୋଫାନରେ ଗୃହ ହଠାତ୍ ତାତି ଉଠିଲା । ବିରୋଧୀ ଦଳ ଦାବି କଲେ- ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ । କୁହନ୍ତୁ ଯେ ଭୋକିଲା ତାଲିକାରେ ରାଜ୍ୟ ୨ ନମ୍ବର ସ୍ଥାନରେ ନାହିଁ । ଅଧାପେଟରେ ୧୪ ଲକ୍ଷ ଲୋକ ଥିବା ନେଇ ଜାତୀୟ ନମୂନା ସର୍ଭେ ପ୍ରତିଷ୍ଠାନ (ଏନ୍ଏସ୍ଏସ୍ଓ)ର ସଦ୍ୟ ପ୍ରକାଶିତ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା ମିଛ ।
ଖବରକାଗଜ ଓ ଟିଭିରେ ଏ ତଥ୍ୟ ପ୍ରକାଶ ପାଇବା ପରେ ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ସଭ୍ୟ ସଦ୍ୟ ପ୍ରକାଶିତ ଖବର ସଂପର୍କରେ ଦୃଷ୍ଟି ଆକର୍ଷଣ କଲେ । ସେ ପୁଣି ଉତ୍ୟକ୍ତ ହୋଇଉଠି କହିଥିଲେ ଯେ- ଏନ୍ଏସ୍ଏସ୍ଓ ରାଜ୍ୟର ବର୍ତ୍ତମାନର ସ୍ଥିତି ଆଙ୍କିଛନ୍ତି । ଯାହା ଖବରକାଗଜରେ ଶ୍ରମିକମାନଙ୍କ ଖବର ପ୍ରମାଣିତ କରୁଛି । ଗ୍ରାମାଞ୍ଚଳରେ ୧୪ ଲକ୍ଷ ଲୋକ ଅଧାପେଟରେ ବଞ୍ଚୁଛନ୍ତି । ୪ ପ୍ରତିଶତ ପରିବାର ପ୍ରତିଦିନ ଦୁଇ ବକ୍ତ ଖାଦ୍ୟ ପାଉନାହାନ୍ତି । ୧୦ ପ୍ରତିଶତ କୃଷି ଶ୍ରମିକ ଅର୍ଦ୍ଧାହାରର ଶିକାର ହେଉଛନ୍ତି । ୮ ଲକ୍ଷରୁ ଅଧିକ ଆଦିବାସୀ ବି ପେଟପୂରା ଖାଇବାକୁ ପାଉନାହାନ୍ତି । କେନ୍ଦ୍ର ସରକାର ବିପିଏଲ୍ ପରିବାର ପାଇଁ ୩୫ କେଜି ଚାଉଳ ଦେଉଛନ୍ତି, ରାଜ୍ୟ ସରକାର ତାକୁ କମାଇ ୨୫ କେଜି ବାଣ୍ଟୁଛନ୍ତି । ଅନୁନ୍ନତ ଅଞ୍ଚଳର ଲୋକଙ୍କ ପାଖରେ ପଡ଼ି କାର୍ଡ଼ ନାହିଁ । ୩୫ କେଜି ଚାଉଳ ଆସୁଛି, ସରକାର ଟଙ୍କିକିଆ ଚାଉଳ ବାଣ୍ଟୁଛନ୍ତି, ପିଏଲ୍୍ଓ ଯୋଜନାରେ ବି ଚାଉଳ ଦିଆଯାଉଛି । ରାଜ୍ୟର ପାଖାପାଖି ୫୮ ଲକ୍ଷ ଲୋକ ଉପକୃତ ହେଉଛନ୍ତି ବୋଲି ସରକାର କହୁଛନ୍ତି । ଯଦି ରାଜ୍ୟର ସ୍ଥିତି ଏତେ ଦୁର୍ବିସହ ଯେ ଭୋକିଲା ତାଲିକାରେ ରାଜ୍ୟ ଦୁଇ ନମ୍ବର ସ୍ଥାନରେ, ତେବେ ଏ ଚାଉଳ କେଉଁଠିକୁ ଯାଉଛି?
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ମଧ୍ୟ ବିରୋଧୀ ଦଳ ବିଧାୟକଙ୍କ ଏ ଉକ୍ତିକୁ ନିଜର ବିତଣ୍ଡା ଯୁକ୍ତି ଦ୍ୱାରା ଫୁତ୍କାରରେ ଉଡ଼େଇ ଦେବାକୁ ପ୍ରାଣପଣେ ଚେଷ୍ଟା କଲେ । ସେ କହିଲେ- ଟଙ୍କିକିଆ ଓ ଦି’ଟଙ୍କିଆ ଚାଉଳ ରାଜ୍ୟର ଅନ୍ଦିକନ୍ଦିରେ ପହଞ୍ଚୁଛି । ଏତେ ଲୋକ ଭୋକିଲା ରହିବେ କେମିତି? ସର୍ଭେ ରିପୋର୍ଟ ଏକଦମ୍ ଭୁଲ୍ । ଏଭଳି ରିପୋର୍ଟ ପ୍ରକାଶ ପଛରେ କେନ୍ଦ୍ର ସରକାରଙ୍କର ରାଜନୈତିକ ଖେଳ ରହିଛି । ସଂସଦରେ ଖାଦ୍ୟ ନିରାପତ୍ତା ବିଲ୍ ଆଗତ କରିବା ପୂର୍ବରୁ ଏଭଳି ରିପୋର୍ଟ ଜରିଆରେ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରାଯାଉଛି ।
ବିରୋଧୀ ଦଳ କିନ୍ତୁ ଉକ୍ତ ରିପୋର୍ଟକୁ ଆଧାର କରି ଗୃହରେ ମୁଲବତୀ ପ୍ରସ୍ତାବ ଆଗତ କଲା । ସିଧା ଆରୋପ ଲଦି ବିରୋଧୀ ଦଳ କହିଥିଲା, ୧୩ ବର୍ଷିୟା ସରକାର ଲୋକଙ୍କ ଥାଳି ପୂର୍ଣ୍ଣ କରି ପାରୁନାହାନ୍ତି । ଓଲଟା ଗରିବ ଚାଉଳ କୋଟାରୁ ୧୦ କିଲୋ କାଟି ରଖୁଛନ୍ତି । ୧୦ ପ୍ରତିଶତ କୃଷି ଶ୍ରମିକ ଓ ୯ ପ୍ରତିଶତ ଆଦିବାସୀଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ମିଳୁନି । ଭୋକିଲା ର୍ୟାଙ୍କ୍ର କଳଙ୍କ ଟୀକାକୁ ସରକାର ମୁଣ୍ଡରେ ମାରି ବୁଲନ୍ତୁ । ସରକାରଙ୍କ ଭଣ୍ଡେଇବା କାରସାଦିକୁ ଲୋକେ ବୁଝିଗଲେଣି । ଏଥର ଜବାବ୍ ଦେବେ । ଟଙ୍କିକିଆ, ଦି’ଟଙ୍କିଆ ଚାଉଳ, ଭତ୍ତା, ଇନ୍ଦିରା ଆବାସ ଦେଇ ଗରିବଙ୍କୁ ସରକାର ଭୁତେଇ ଚାଲିଛନ୍ତି । ୧୩ ବର୍ଷ କାଳ ଏମିତି ଭଣ୍ଡେଇ ଭୁତେଇ ବିକାଶ କରୁଛନ୍ତି ବୋଲି ପ୍ରଚାର କରି ଚାଲିଛନ୍ତି । କେନ୍ଦ୍ର ସରକାର ରାଜ୍ୟର ବିପିଏଲ୍ ପାଇଁ ରିହାତି ଦରରେ ଚାଉଳ ଯୋଗାଇ ଚାଲିଛି କାର୍ଡ଼ ପିଛା ୩୫ କେଜି ହିସାବରେ । ରାଜ୍ୟ ସରକାରଙ୍କ ଗରିବ ଚିନ୍ତା ଏତେ ଯେ ତାଙ୍କ ପେଟରୁ କାଟି ଦେଉଛନ୍ତି ୧୦ କେଜି । କିଲୋ ପିଛା କେନ୍ଦ୍ର ସରକାର ୧୬ ଟଙ୍କା ୧୯ ପଇସା ରିହାତି ଦେଉଛନ୍ତି । ରାଜ୍ୟ ସରକାର ମାତ୍ର ୪ ଟଙ୍କା ରିହାତି ଦେଇ କହୁଛନ୍ତି, ଆମେ ଦେଉଛୁ ଟଙ୍କିକିଆ, ଦୁଇଟଙ୍କିଆ ଚାଉଳ । ତଥାପି ଭୋକ ହଟାଇ ପାରୁ ନାହାନ୍ତି । ଇଜିପ୍ଟରେ ହୋସ୍ନି ମୁବାରକ୍ ମଧ୍ୟ ବନ୍ଧୁକ ମୁନରେ ୩୭ ବର୍ଷ ଶାସନ ଚଳାଇଥିଲେ । ଲୋକ କିନ୍ତୁ ଦିନେ ଚେତିଲେ । ସେହିପରି ଏ ରାଜ୍ୟର ଲୋକ ଚେତିଲେଣି । ସେମାନଙ୍କ ପାଇଁ ଜୀଇଁବା ତ ଦୂର କଥା ମରିବାକୁ ଏ ରାଜ୍ୟରେ ସ୍ଥାନ ନାହିଁ ବୋଲି ଅନ୍ୟ ରାଜ୍ୟରେ ଯାଇ ମରୁଛନ୍ତି ।
ଶେଷରେ ବିରୋଧୀ ଦଳର ସବୁ ଅଭିଯୋଗକୁ ଉଡ଼ାଇଦେଇ ମନ୍ତ୍ରୀ କହିଲେ- ରାଜନୈତିକ ଉଦେ୍ଦଶ୍ୟ ରଖି ପରିସଂଖ୍ୟାନ ମନ୍ତ୍ରାଳୟ ଏପରି ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁସାରେ ପଡ଼ୋଶୀ ରାଜ୍ୟରେ ୪.୬ ପ୍ରତିଶତ ପରିବାର ଖାଦ୍ୟ ପାଉନାହାନ୍ତି ଓ ଆମ ରାଜ୍ୟରେ ଏହାର ହାର ୪ ପ୍ରତିଶତ । ଏହି ଦୁଇ ରାଜ୍ୟରେ ଜାନୁଆରି ଓ ଫେବୃଆରି ମାସରେ ଖାଦ୍ୟାଭାବ ଅଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ଏସବୁ ବାଜେ କଥା । ଆମ ରାଜ୍ୟର ଜାନୁଆରି ଓ ଫେବୃଆରି ହେଉଛି ଧାନ ଅମଳର ସମୟ । ଏ ସମୟରେ ଲୋକଙ୍କ ପାଖରେ ଯଥେଷ୍ଟ ଖାଦ୍ୟଶସ୍ୟ ଥାଏ । ଅଥଚ ରିପୋର୍ଟ ଓଲଟା କଥା କହୁଛି । ଏଣୁ ରିପୋର୍ଟରେ ଯାହା ପ୍ରକାଶ ପାଇଛି ତାହା ଅଯଥାର୍ଥ । ଏଭଳି ରିପୋର୍ଟ କେବଳ ଏକ ଧାରାକୁ ସୂଚାଏ ।
ମନ୍ତ୍ରୀଙ୍କ ଏ ବିତଣ୍ଡା ଯୁକ୍ତିକୁ ପ୍ରତିବାଦ କରି ବିରୋଧୀ ଦଳ କକ୍ଷତ୍ୟାଗ କଲେ ।
ତେବେ ତା’ ପରଦିନ ବିରୋଧୀ ଦଳ ଠାରୁ ରୀତିମତ ମୋଟା ଉପହାର ପାଉଥିବା ଜଣେ ସାମ୍ବାଦିକ ଖବରକାଗଜରେ ବିଧିବଦ୍ଧ ବିବରଣୀ ସହ ଫଟୋଟିଏ ଛାପିଲେ । ସେଥିରେ ଗୋଟେ ଫଟୋରେ ଧୁତୁରୁ ପାଖରେ ଅସ୍ଥି କଙ୍କାଳସାର ତା’ ବୁଢ଼ାଅଜା ମରି ଶୋଇଥିବାର ଫଟୋଟେ ଥିଲା । ଆଉ ଗୋଟେ ଫଟୋରେ ତା’ ଗାଁର ଭଙ୍ଗା ଖପରିଲି ଓ କାନ୍ଥକୁ ଡ଼େରା ହୋଇଥିବା ଗୋଟେ ଲଙ୍ଗଳର ଚିତ୍ର ଥିଲା । ଦି’ତିନିଟା କୁକୁଡ଼ା ମାଟି ଆଡ଼େଇ ପୋକଯୋକ ଖୁମ୍ପୁଥିଲେ । ଗୋଟେ ଗଛ ପବନରେ ଏମିତି ଦୋହଲୁଥିଲା ଯେମିତି ବୁଢ଼ା ମରିଯାଇଥିବାର ଦୁଃଖରେ ସେ ବାଡ଼େଇ କଚାଡ଼ି ହୋଇ କାନ୍ଦୁଚି ।
ଏ ଫଟୋ ପ୍ରକାଶ ପାଇବା ପରେ ଅନ୍ୟ ସାମ୍ବାଦିକମାନେ ହାହୁତାଶ ହେଲେ । ସେମାନେ ଯେ ଏ ଫଟୋ ସଂଗ୍ରହ କରି ପାରିଲେନି ବୋଲି ନିଜ ନିଜ ଭାଗ୍ୟକୁ ଗାଳିମନ୍ଦ କଲେ ।
ସେଇଦିନ ସକାଳୁ ସକାଳୁ ଜିଲ୍ଲାପାଳ ଖୋଦ୍ ଯାଇ ଧୁତୁରୁର ଗାଁରେ ପହଞ୍ଚôଲେ । ଜିଲ୍ଲାପାଳ, ରିପୋର୍ଟର୍, ଫଟୋଉଠାବାଲା ଏମାନଙ୍କୁ ସବୁ ଦେଖିବା ଲାଗି ଗାଁଲୋକେ ଘର ଭିତରୁ ବାହାରକୁ ସବୁ ବାହାରି ଆସିଲେ । ଗାଁରେ ମଇଳା, କୋଚଟ, ଧୋକଡ଼ା ରୋଗା ଅଧଲଙ୍ଗଳା ଲୋକମାନଙ୍କୁ ଅଳିଆଗଦା ପରି ଏଠିସେଠି ଜମାହେଇଥିବାର ଦେଖି ଜିଲ୍ଲାପାଳ କଣ ଭାବିଲେ କେଜାଣି ତାଙ୍କ ଆଖି ଆତୁର ଦିଶିଲା । ଚାଲି ତରତର ହେଲା । ହାତ ଯୋଡ଼ି ପକଉଥିବା ଲୋକମାନଙ୍କ ପିଠି ଉପରକୁ ତାଙ୍କ ହାତ ଚାଲିଗଲା ।
ଜିଲ୍ଲାପାଳ ଧୁତୁରୁର ଆଈ ହାତରେ ପାଞ୍ଚ ହଜାର ଟଙ୍କା ତତ୍କ୍ଷଣାତ୍ ଦେଇଦେଲେ । ବୁଢ଼ାର ଶବସକôାର ଓ ଶୁଦ୍ଧିକ୍ରିୟା ପାଇଁ ସାର୍ ଯେ ଏ ସାହାଯ୍ୟ କରିଚନ୍ତି, ଗାଁ ବାଲାଙ୍କ ଆଗରେ ଜିଲ୍ଲାପାଳଙ୍କ ଦପ୍ତରର ଜଣେ କର୍ମଚାରୀ ଏକଥା ସେଇଠି ଘୋଷଣା କଲେ ।
ମଲାଲୋକଟାକୁ କେମିତି ପାଇବି ଆଜ୍ଞା, ଟିକେ ବୁଝିଦିଅନ୍ତ- ବୁଢ଼ୀ ତା’ର ଖନିମରା ପାଟିରେ ଏତକ କହିଲା ବେଳକୁ ଗଲା ରାତିରୁ ପାଖ ପାହାଡ଼ରେ ନିଆଁ ଲାଗିଥିବା ହେତୁ ଗରମପବନ ହାବୁକାଏ ସହ ଧୂଳି ଝଡ଼ଟାଏ ଭଉଁରି କାଟି ସେଇବାଟ ଦେଇ ଚାଲିଗଲା ଯେ କଥାଟା ବୁଢ଼ୀ ପାଟିରୁ ଖସି ସେଇ ପବନ ସାଥିରେ ମିଳେଇଗଲା ।
ଗାଁ ବାଲାଏ ତଟସ୍ଥ ହୋଇ ଚାହିଁ ରହିଥାନ୍ତି । ପାଞ୍ଚ ହଜାର ଟଙ୍କା । ଗୋଟାଏ ନୁହଁକି ଦିଇଟା ନୁହଁ । ଦୁଆର ମୁହଁରେ ବସି ବୁଢ଼ୀ ପାଞ୍ଚହଜାର ହାତରେ ଧରିଲା । ବୁଢ଼ାଟା ଆଉ ମରି ନଥା’ନ୍ତା କି । ହେଲେ ପାଞ୍ଚଖଣ୍ଡ ଫୁଲ ପରି ନାଲି ଟହଟହ ଟଙ୍କା ।
ଗାଡ଼ି ଗାଁ ଦାଣ୍ଡରେ ସାଇଁ କରି ଚାଲିଗଲା । ଦାଣ୍ଡର ଧୂଳି ଉଡ଼ି ଲୋକଙ୍କ ଦେହରେ ନେସି ହେଇଗଲା । ନଙ୍ଗଳା ପିଲାଏ କୁରୁଳି କୁରୁଳି ଗାଡ଼ି ସାଥିରେ ଢ଼େର୍ ବାଟ ଯାଏ ଦଉଡ଼ି ଗଲେ ।
ଗାଁ ପାଖର ଛୋଟିଆ ସହରଟିର ଜଣେ ଏନ୍.ଜି.ଓ ମାଲିକ ଏଇଟିକୁ ଅସଲ ସୁଯୋଗ ଭାବି ନିଜ ସଂସ୍ଥା ପାଇଁ ଅନୁଦାନ ଯୋଗାଡ଼ କରିବାରେ ଲାଗିପଡ଼ିଲେ । ସାଙ୍ଗେ ସାଙ୍ଗେ ଘଟଣାକୁ ନେଇ ସର୍ଭେ କାମ ଆରମ୍ଭ କରିଦେଲେ । ଇଟାଭାଟିରେ ପାଠପଢ଼ା ଛାଡ଼ି କାମ କରିବାକୁ ଯାଇଥିବା ପିଲାଙ୍କ ଲାଗି ମାଷ୍ଟର୍ଜଣଙ୍କୁ ସେ ନିଯୁକ୍ତି ଦେଇଦେଲେ ।
ରାଜ୍ୟରେ ଘଟଣାଟା ଏଭଳି ଚର୍ଚ୍ଚା ହେଲା ଯେ ସରକାର ହୁଏତ ଶାସନରୁ ଓହରି ଯାଇପାରନ୍ତି ବୋଲି ରାଜନୀତି ବିଶାରଦମାନେ ଆଶଙ୍କା ପ୍ରକଟ କଲେ । ସରକାର ବିରୋଧୀ ଦଳର ମୁଖ୍ୟଙ୍କର କୂଟନୀତି ପ୍ରବଣତାକୁ ବେଶ୍ ଭଲ ଭାବରେ ବୁଝିଥିଲେ । ଆଗରୁ ବି କେତେଥର ଏହାର ସାମ୍ନା କରି ସୌଭାଗ୍ୟବଶତଃ ଗାଦିରକ୍ଷା କରିବାରେ ସମର୍ଥ ହୋଇଥିଲେ । ତେଣୁ ବିରୋଧୀ ଦଳ ଏହାର ଫାଇଦା ନେବା ପୂର୍ବରୁ ତତ୍ପର ହୋଇ ଉଠିଲେ ।
କୃଷିମନ୍ତ୍ରୀଙ୍କ ଜରିଆରେ ସରକାର ତତ୍କ୍ଷଣାତ୍ ଗୋଟିଏ ନୂଆ ବିଲ୍ ପାସ୍ କରିଦେଲେ । ନୂଆ ବିଲ୍ ଅନୁସାରେ ରାଜ୍ୟର ପ୍ରତ୍ୟେକ କୃଷକଙ୍କୁ ଗୋଟିଏ ଗୋଟିଏ ପରିଚୟପତ୍ର ମିଳିବ ଓ କୃଷକମାନେ ରିହାତି ଦରରେ ବ୍ଲକ୍ରୁ ସାର, ବିହନ ଓ ଆନୁସଙ୍ଗିକ କୃଷି ଉପକରଣ ପାଇପାରିବେ । ପ୍ରତି ବ୍ଲକ୍ରେ ଆବଶ୍ୟକ ଅନୁଯାୟୀ ଚାଷ ପାଇଁ ପର୍ଯ୍ୟାପ୍ତ ପାଣି ମିଳିପାରିବା ଭଳି କୂଅ, ପୋଖରୀ ଇତ୍ୟାଦି ଖୋଳାଯିବ । ଖରିଫ୍ ଋତୁରେ ଯେପରି ଚାଷୀମାନେ ପାଣି ପାଇପାରିବେ ସେଥିପାଇଁ ନୂଆ ଜଳସେଚନ ଯୋଜନା ଅନୁସାରେ କେନାଲ ମାନ ତିଆରି କରାଯିବ । କୃଷିମନ୍ତ୍ରୀ ଗୋଟିଏ ପ୍ରେସ୍ମିଟ୍ ଡାକି ଏକଥା ସର୍ବସାଧାରଣଙ୍କ ପାଇଁ ଘୋଷଣା କରିବା ସଙ୍ଗେସଙ୍ଗେ ଟିଭି ଓ ମିଡ଼ିଆରେ ପ୍ରତି ଘଣ୍ଟାଏରେ ଥରେ ଏ ସମ୍ବାଦ ଗାଁଗହଳି ଠାରୁ ଆରମ୍ଭ କରି ସହରବଜାର ପର୍ଯ୍ୟନ୍ତ ଲୋକଙ୍କ ପାଖରେ ଅବିଳମ୍ବେ ପହଞ୍ଚିଗଲା । ରାଜ୍ୟରେ ଭୂମିହୀନ ଯେମିତି କେହି ନରହନ୍ତି ସେଥିପାଇଁ ପ୍ରତ୍ୟେକ ଭୂମିହୀନ ଓ ନାମମାତ୍ର ଚାଷୀଙ୍କ ହାତରେ ଅନୂ୍ୟନ କେତେ ଜମି ରହିବ ତାହା ମଧ୍ୟ ସରକାର ନିର୍ଦ୍ଧାରଣ କରିବେ ବୋଲି ବାର୍ତ୍ତାରେ ପ୍ରତିଶ୍ରୁତି ଦେଲେ ।
ସରକାର ଏଭଳି ଶୋଭନୀୟ ପ୍ୟାକେଜ୍ ଘୋଷଣା କରି ବାଜି ଜିତିଯାଉଥିବାର ଜାଣି ବିରୋଧୀ ଦଳ ମୁଖ୍ୟ ସଚେତକ ଚିନ୍ତାରେ ପଡ଼ିଗଲେ । ଜନସାଧାରଣଙ୍କ ଆଗରେ ସରକାରଙ୍କର ମୁଖା ଖୋଲିଦେବା ଲାଗି ସେ ଅଣ୍ଟା ଭିଡ଼ିଲେ । ସେ ଭାବିଲେ ସରକାର ଏ ମୂର୍ଖ ରାଜ୍ୟବାସୀଙ୍କୁ ଏମିତି ମିଛ ଲଡ଼ୁ ଦେଇ ଯଦି ଭୁତେଇ ରଖିବେ ତେବେ ତାଙ୍କର ଗାଦିକୁ ଆସିବା ପ୍ରାୟତଃ ଅନିଶ୍ଚିତ ହୋଇଯିବ । ବିପକ୍ଷ ଦଳର ନେତା ମୁଖ୍ୟମନ୍ତ୍ରୀଙ୍କ ଚରିତ୍ର ଓ ସ୍ୱଭାବ ପ୍ରତି ସେବେଠୁ ଅବଗତ ଥିଲେ ଯେବେ ସେମାନେ ଗୋଟିଏ ଦଳରେ ଥିଲେ । ବାଜି ଖସି ଯିବା ପୂର୍ବରୁ ଯେମିତି ହେଲେ ମଙ୍ଗ ମୋଡ଼ିବାକୁ ପଡ଼ିବ । ନିର୍ବାଚନର ସମୟ ମଧ୍ୟ ପାଖେଇ ଆସୁଥିଲା । ମୂର୍ଖ ଓ ଗରିବମାନଙ୍କର ଭୋଟ ଥାଳଟି ଯଦି ତାଙ୍କ ପଟକୁ ଆସିଯାନ୍ତା ତେବେ ପଶା ପଲଟିଯାଆନ୍ତା ।
ସେ ପାଲଟା ଉତ୍ତର ଦେଲେ, ରାଜ୍ୟର ଗରିବ ଲୋକଙ୍କ ଭୋକ ଓ ଭାବାବେଗକୁ ନେଇ ସରକାର ରାଜନୀତି କରୁଛନ୍ତି । ଏ ରାଜ୍ୟର ଜଣେ ମଣିଷର ମୂଲ୍ୟ ସେ ପାଞ୍ଚହଜାର ଟଙ୍କାରେ ଧାର୍ଯ୍ୟ କରିଦେଲେ । ମୃତ ଲୋକଟିର ପରିବାର କେମିତି ଅଛନ୍ତି, କ’ଣ କରୁଛନ୍ତି ସେ ବିଷୟରେ ତା’ପରେ ସରକାର କୌଣସି ଖୋଜଖବର ରଖିନାହାନ୍ତି । ଏବେ ମଧ୍ୟ ମୃତକର ଜଣେ ସନ୍ତାନ ଇଟାଭାଟିରେ ପଡ଼ିରହିଛି । ସେ ନିଜ ଘରକୁ ଫେରି ପାରିନାହିଁ । ମୃତକର ପରିବାରରେ ଦୁଇଟି ଅସହାୟ ମହିଳା ଦିନରାତି ଆଖିରୁ ଲୁହ ଗଡ଼ାଇ ଭାଗ୍ୟକୁ ଆଦରି ପଡ଼ିରହିଚନ୍ତି । ଏଣେ ଆମର ସରକାର ରାଜ୍ୟର କୃଷି ଓ ଶ୍ରମ ବିଭାଗ ତରଫରୁ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା କରି ଭେଳିକି ଦେଖେଇ ଲୋକଙ୍କର ଧ୍ୟାନ ଅନ୍ୟ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି, ଲୋକେ ଯେପରି ରାଜ୍ୟର ଦୁରାବସ୍ଥାର ପ୍ରକୃତ ଚିତ୍ରକୁ ଦେଖି ନପାରନ୍ତୁ । ଏ ସରକାର ଗରିବର, କୃଷକର ତଣ୍ଟିଚିପା ସରକାର । ଶ୍ରମିକ ଜନତାର ରକ୍ତଶୋଷକ ଏ ସରକାରର ଶାସନରେ ରହିବାର ଆଉ ଅଧିକାର ନାହିଁ । ସରକାର ମୃତ ଶ୍ରମିକର ଶ୍ରାଦ୍ଧକ୍ରିୟା ପାଇଁ ପାଞ୍ଚହଜାର ଟଙ୍କା ଦେଇ କର୍ତ୍ତବ୍ୟ ସାରିଦେଇଛି । ସେଇ ଶ୍ରମିକର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ପ୍ରାର୍ଥନା ମଧ୍ୟ କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏ ଅମାନବିକତାକୁ ଆମେ ନିନ୍ଦା କରୁଛୁ ।
ମୁଖ୍ୟମନ୍ତ୍ରୀ ଏ ବକ୍ତବ୍ୟ ଶୁଣି ଅନୁଭବ କଲେ ଯେ ବିରୋଧୀ ଦଳ ମୃତ ଶ୍ରମିକକୁ ନେଇ ରାଜନୀତି କରିବାରେ ତାଙ୍କଠୁ ବଳିଯାଉଛି । ତେଣୁ ତତ୍କ୍ଷଣାତ୍ ସେ ମନ୍ତ୍ରିମଣ୍ଡଳର ଜରୁରୀ ବୈଠକରେ ଘୋଷଣା ସବୁକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଲେ । ନହେଲେ ରାଜ୍ୟବାସୀଙ୍କ ସାମ୍ନାରେ ସେ ସତକୁସତ ମିଛୁଆ ପ୍ରମାଣିତ ହୋଇଯିବେ ।
ତୀବ୍ର ଭସôର୍ନା କରି ସେ କହିଲେ, ବିରୋଧୀବାଲାଙ୍କର ସବୁବେଳେ ଏ ଅଗଭଂଗା ନୀତି ଯୋଗୁ ସରକାର କୌଣସି କାର୍ଯ୍ୟରେ ଆଗେଇ ପାରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କର ମୃତକର ପରିବାର ପ୍ରତି ଢେର୍ ସମବେଦନା ଅଛି । ମୃତକଙ୍କ ପରିବାରର ଜଣକୁ ସେ କାମ ଯୋଗାଇ ଦେବାର ନିଷ୍ପତ୍ତି ଏ ଭିତରେ ନେଇ ସାରିଛନ୍ତି । ସେ ପରିବାରର ଯେକୌଣସି ଛୋଟ ପିଲାର ପାଠ ପଢ଼ାର ଦାୟିିତ୍ୱ ମଧ୍ୟ ସରକାର ନେବେ ବୋଲି ସରକାର ଚିନ୍ତା କରି ସାରିଛନ୍ତି । ବିରୋଧୀ ଦଳ କିଛି ନଜାଣି ଗୋଟାଏ ଗରିବ ପରିବାରକୁ ନେଇ ରାଜନୀତି କରିବାରେ ଲାଗିଛି ଓ ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟର କଲ୍ୟାଣ ପାଇଁ ଯେକୌଣସି ଯୋଜନାକୁ ବିଫଳ କରାଇ ସରକାରଙ୍କୁ ନିନ୍ଦିତ କରି ରାଜ୍ୟବାସୀଙ୍କ ମନରେ ବିଷମଞ୍ଜି ପୋତିବା ପାଇଁ ଚାହୁଁଛି । ବିରୋଧୀ ଦଳର ଏ ମନୋବୃତ୍ତି ଓ ଶସ୍ତା ରାଜନୀତି ଯୋଗୁଁ ରାଜ୍ୟ ଆଗକୁ ଯାଇ ପାରୁନାହିଁ ଓ ରାଜ୍ୟବାସୀ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚôତ ହୋଇଛନ୍ତି । ଏଭଳି ହୀନ ମନୋବୃତ୍ତିର ନେତା ଯଦି ଏ ରାଜ୍ୟରେ ରୁହନ୍ତି ରାଜ୍ୟରେ ଅଗ୍ରଗତି ତ ଦୂରର କଥା ରାଜ୍ୟବାସୀ ଯେ ଚିର ଦାରିଦ୍ର୍ୟରେ ସଢ଼ିବେ ଏଥିରେ ଆଶଙ୍କାର ଅବକାଶ ନାହିଁ ।
ଏହାପରେ ବିପକ୍ଷ ଦଳ ଘଟଣାକୁ କିପରି ରଙ୍ଗଦେଲେ ଲୋକଙ୍କର ବିଶ୍ୱାସ ସେମାନଙ୍କ ଆଡ଼କୁ ଢଳିବ ସେ ବିଷୟରେ ଚିନ୍ତା କରିବାରେ ଲାଗିଲେ ।
ଏଣେ ସରକାରୀ ଦଳର ଗୋଟିଏ ଟିମ୍ ବାହାର ରାଜ୍ୟକୁ ଯାଇ ଧୁତୁରୁ ସହ ଆଉ କେତେକ ଶ୍ରମିକଙ୍କୁ ରାଜଧାନୀ ଆଣିବାର ବ୍ୟବସ୍ଥା କଲେ । ଏନ୍ଜିଓ ସଂସ୍ଥାର କର୍ମଚାରୀ ଏଥିରେ ସରକାରଙ୍କୁ ପୂର୍ଣ୍ଣ ସାହାଯ୍ୟ କଲେ । ରାଜ୍ୟ ଅତିଥି ଭବନରେ ଧୁତୁରୁ ଓ ଆଉ ଦୁଇଜଣଙ୍କୁ ରଖି ବାକି ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଗଲା । ଏସବୁ ଖୁବ୍ ଗୋପନୀୟ ଭାବରେ ଚାଲିଲା ଯେମିତି ବିରୋଧୀବାଲାଏ ୟା’ର କୌଣସି ଟେର୍ ନପାଆନ୍ତି ।
ସେଦିନ ସଂଧ୍ୟାରେ ଧୁତୁରୁ କ୍ୟାମେରା ସାମ୍ନାରେ ପଚରାଯାଉଥିବା ପ୍ରଶ୍ନ ସବୁର କ’ଣ ଉତ୍ତର ଦେବ ତାହା ତାକୁ ଶିଖାଇ ଦିଆଗଲା । ତାର ମନେ ରହିବା ପରି ପ୍ରଶ୍ନ ଓ ଉତ୍ତରଗୁଡ଼ିକ ତା ଆଗରେ ପୁନରାବୃତ୍ତି କରାଗଲା । ମନେରହିଲା କି ନାହିଁ ବୋଲି ପଚରାଯିବାରେ ଧୁତୁରୁ ମୁଣ୍ଡ ଟୁଙ୍ଗାରି ‘ହଁ’ ଭରିଲା । ପ୍ରଶିକ୍ଷକ ପ୍ରସନ୍ନତାର ସହ ବିଦାୟ ନେଲେ ଓ ମନ୍ତ୍ରୀଙ୍କ ଆଗରେ ତାଙ୍କର କୌଶଳର ସୁଫଳ ସହ ଆଶ୍ୱାସନା ଦେଲେ ।
ପରଦିନ ଫଟୋଗ୍ରାଫର ଓ କ୍ୟାମେରା ସହ ଗୋଟିଏ ଦଳ ଆଗରେ ଧୁତୁରୁକୁ ଆଣି ବସାଗଲା । କ୍ୟାମେରାର ଆଖି ଧୁତୁରୁକୁ ଚାହିଁଥାଏ । ବିଭିନ୍ନ ପତ୍ରିକା ଓ ମିଡ଼ିଆର କ୍ୟାମେରା ତା ଆଡ଼କୁ ଉହୁଙ୍କି ରହିଥାଏ । ଜଣେ କେହି ପ୍ରଶ୍ନକଲା- ‘କୁହ ତମେ କାହିଁକି ଘରଛାଡ଼ି ଯାଇଥିଲ? କଣ ତମକୁ ଏଠାରେ କାମ ମିଳିଲା ନାହିଁ?’
ଧୁତୁରୁକୁ କ୍ୟାମେରାର ଆଖି ବାଘର ଆଖି ପରି ଦିଶିଲା । ସେ କହିଲା- ଆଜ୍ଞା ।
– କ’ଣ ଆଜ୍ଞା । ସରକାର ତୁମମାନଙ୍କ ପାଇଁ ଏତେ ଯେ ସବୁ ଯୋଜନା କରୁଛନ୍ତି । ମାଗଣାରେ ପୋଷାକ, ଖାଦ୍ୟ, ବହି । ତମେ ପାଠ ଛାଡ଼ିଲ କାହିଁକି?
– ଧୁତୁରୁ ଟିକେ ଘାବରେଇ ଗଲା । ତାକୁ କ୍ୟାମେରାର ଆଖି ବାଘର ଜଳନ୍ତା ଆଖିଠୁ ଆଉରି ଭୟଙ୍କର ଦିଶିଲା ।
– କ’ଣ ପଚାରୁଚି ଉତ୍ତର ଦିଅ?
– ସେ ଥରିଥରି କହିଲା, ଆଜ୍ଞା ବାଘ ଜଙ୍ଗଲରେ ଥାଏ ବୋଲି ଲୋକେ ଜଙ୍ଗଲକୁ ଯିବାକୁ ଡରନ୍ତି ନା ଲୋକେ ଜଙ୍ଗଲକୁ ଯା’ନ୍ତି ବୋଲି ବାଘ ଜଙ୍ଗଲରେ ଛକି ଥାଏ ମୁଁ ଜାଣିନି ।
– କ’ଣ ସବୁ କହୁଚ? ପ୍ରଶ୍ନର ଉତ୍ତର ଦିଅ । ହଁ, କୁହ ।
– ଆଜ୍ଞା ଲୋକେ କୁରାଢ଼ୀ ନନେଇ କାଇଁ ଯେ ଜଙ୍ଗଲକୁ ଯାଆନ୍ତି?
– ହେ କ୍ୟାମେରା ବନ୍ଦ କର । ଚିକ୍ରାର କଲା ପରି କହିଲେ ପ୍ରଶ୍ନକର୍ତ୍ତା । ପ୍ରଶିକ୍ଷକ ଧୁତୁରୁର ପାଖକୁ ଆସି କହିଲେ, ଏସବୁ କ’ଣ? ତମକୁ ଯାହା ପଚରାଯାଉଚି କୁହ । ମୁଁ କହିଥିଲି ଯାହା କାଲି ।
– ଆଜ୍ଞା, ବାଘ ଜଙ୍ଗଲରେ ଥିଲାବେଳେ ତା’ର ବଳ ବେଶି । ଗାଁରୁ ଛେଳି ବାଛୁରୀ ଘିଚି ନେଲା ବେଳେ ଲୋକଙ୍କ ହାବୁଡ଼େ ପଡ଼ିଲେ ଛାଡ଼ି ପଳାଏ ।
– ବକ୍ବାସ୍ ବନ୍ଦ କର । କେହି ଜଣେ ପାଟିକଲା ।
– ବାଘର ଦାନ୍ତ ଅଛି, ବାଘର ନଖ ଅଛି । ଭାରି ମୁନିଆ । ବାଘର ଭୋକ ଅଛି ଆଜ୍ଞା । ବାଘ ଖୁବ୍ ବଳୁଆ । ବାଘ ମଣିଷ ମାଉଁସ ଭଲପାଏ ଆଜ୍ଞା । ଭାରି ଭଲପାଏ । ଥରେ ତା’ ପାଟିରେ ଲାଗିଲେ ଆଉ ଛାଡ଼େନି । ସେ ଖୋଜି ବୁଲୁଥାଏ ।
– କ’ଣ କହୁଚି ଇଏ? ଚୁପ୍ବେ ଶଳା ।
– ସତ କହୁଚି ବାବୁ । ବାଘ ଖାଲି ଜଙ୍ଗଲରେ ନାହିଁ । ଏଠି ସହରରେ ଅଛି । ବାଘ ସବୁଠି ଅଛି । ସମସ୍ତେ ଧନୁଶର ଧର ଟାଙ୍ଗିଆ ପଜାଅ । ଢୋଲ ବଜାଅ । ଚାରିଆଡ଼ୁ ଘେରଉ କର । ବାଘ ଧରା ପଡ଼ିଯିବ ।
ଆରେ ଏଟା ପାଗଳା ହେଇଯାଇଛି ନା କ’ଣ ? ଯାଃ ସବୁ ଗଲା । ବିରକ୍ତିରେ କହିଲେ ପ୍ରଶିକ୍ଷକ ।
ପରିଶେଷରେ ସରକାର ଗୋଟିଏ ନୂଆ ନିୟମ ପ୍ରଣୟନ କରିବା ବିଷୟରେ ଚିନ୍ତାକଲେ । କିଛି ମାସ ପରେ ସେହି ନିୟମଟି କାର୍ଯ୍ୟକାରୀ କରିବା ପାଇଁ ନିଦେ୍ର୍ଦଶନାମା ଜାରି ହେଲା । କୌଣସି ଶ୍ରମିକ କାମ ବାହାନାରେ ଆଉ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ଯଦି ଯାଆନ୍ତି ଓ ଧରାପଡ଼ନ୍ତି ତେବେ ସେମାନଙ୍କୁ ୧୦ ମାସ ଜେଲ୍ ଦଣ୍ଡ ଓ ଦୁଇହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।