ସରକାରୀ ବସ୍ ଷ୍ଟାଣ୍ଡ୍ ରେ ବସରୁ ଓହ୍ଲାଇ ମଦନ୍ ରୁମାଲରେ ମୁହଁ ପୋଛିଲା । ରୁମାଲଟା ପୁରା ଅଠା ଅଠା ହୋଇଗଲା । ତଥାପି ମୁହଁ ଯେଉଁ ତେଲିଆକୁ ସେଇ ତେଲିଆ । ପୁରୀ ପରି ସମୁଦ୍ର କୂଳିଆ ଯାଗାରେ ଯେ ତା’ର ଏ ଚିକ୍ଣିଆ ସେଣ୍ଟମରା ରୁମାଲ କାମ ଦେବନି, ଏଠି ପୁରା ପାକଲା ଗାମୁଚ୍ଛା ଦରକାର-ଏକଥା ସତକୁ ସତ ମଦନ୍ ଭୁଲି ଯାଇଥିଲା । ହରଚଣ୍ଡି ସାହିରେ ତାଙ୍କର ଘର ଥିଲା ଏବେ ବି ଅଛି । ସେ ଘରେ କିନ୍ତୁ କିଛି ବର୍ଷ ହେଲା ରହୁନଥିଲା ।
ହଇଓ ବାବୁ! କୁଆଡ଼େ ଯିବକି? ରିକ୍ସାବାଲାର ଡ଼ାକରେ ମଦନ୍ ପକେଟ୍ରେ ହାତ ମାଇଲା । ରିକ୍ସାକୁ ଦେବାପାଇଁ ତା ପକେଟ୍ରେ ଆବଶ୍ୟକୀୟ ପଇସା ଥିଲାକି ନାହିଁ- ସେ ପରଖୁଥିଲା । ପିଲା ଦିନେ ଏଇ ଦାଣ୍ଡରେ ରିକ୍ସାରେ ବସି ଝୁଲି ଝୁଲି ଯାଉଥିବା ବେଳେ ସମୁଦ୍ରକୂଳିଆ ସୁଲୁସୁଲୁ ପବନରେ ଝାଳ ସବୁ ଆପେ ଆପେ ମରି ଯାଉଥିଲା । ରିକ୍ସା ଆଡ଼କୁ ଚାହିଁଲା ବେଳକୁ ଦାଣ୍ଡ ଆରପଟେ ଭୋଳାନାଥ ବିଦ୍ୟାପୀଠ । ତା ସେପଟେ ତଣ୍ଟିକଟା ଗୋହିରୀ । ଯେତେବେଳେ ସେଠି ଘର ଦ୍ୱାର ନଥିଲା ସେତେବେଳେ ସେଠି କିଏ କାହାର ତଣ୍ଟି କାଟିଥିଲା କେଜାଣି? ଆଜିକାଲି ତାକୁ ଆଚାରୀ ଲେନ୍ କହୁଛନ୍ତି । ସେ ସାହିରେ ଭଜୁ ସାର୍ଙ୍କ ଘର, ଭଜକୃଷ୍ଣ ସାହୁ । ବିଜ୍ଞାନ ସାର । ଭଲ ପଢ଼ାନ୍ତି ବୋଲି ସାରା ପୁରୀ ସହରରେ ନାଁ ଡ଼ାକ । ସାହି ମୁଣ୍ଡର ସଂଗ୍ରାମ କ୍ଲବରେ ଆଜିକାଲି କିଏ ସବୁ ସଭାପତି ସମ୍ପାଦକ ଅଛନ୍ତି କେଜାଣି?
ଚାଲି ଚାଲି ଯାଉଥିଲା ମଦନ । ବଡ଼ଦାଣ୍ଡ, ଏ ଶରଧା ବାଲି-ଏଇଠି ତାର ଚଉଦ ପୁରୁଷ ଦେହେକ କଟେଇଛନ୍ତି । ଏଇଠି ଖାଲି ପାଦରେ ଚାଲି ଚାଲି ସେମାନଙ୍କ ପାଦ ଘୋରି ହେଉଥିଲା କି ନାହିଁ-ଆଜି କିନ୍ତୁ ତା ଖଣ୍ଡିଆ ଚପଲ ଦେଇ ତା ପାଦ ଯେତେବେଳେ ତଳେ ଲାଗି ଯାଉଛି ସେତେବେଳେ ତାକୁ ଚାଉଁକିନା ଲାଗୁଛି । ବଡ଼ ଦେଉଳ ବେଢ଼ା ଭିତରେ ଆଜିକାଲି ପଥର କାଢ଼ି ତା ଜାଗାରେ ଭକ୍ତ ଏବଂ ଭକ୍ତିଆଣିଙ୍କ ନାମଲେଖା ମାର୍ବଲ ଲାଗିଲାଣି । ଦିନ ଦିପ୍ରହରରେ ତା ଉପରେ ପାଦ ଥୋଇଲେ ବି ପାଦକୁ ଚାଉଁକିନା ଲାଗୁଥିବ । ବର୍ଷା ଦିନେ ତ ଗୋଡ଼ ଖସରାରେ କେତେ ଲୋକ ପଡ଼ୁଥିବେ । ସଂଗ୍ରାମ କ୍ଲବ୍ର ସାମ୍ନା କାନ୍ଥ ଏବେ ଦୂରରୁ ଚକ୍ଚକ୍ ଦେଖାଯାଉଛି । ଚିକ୍କଣକରା ଗ୍ରାନାଇଟ୍ ଲାଗିଛି ବୋଧହୁଏ । କ୍ଲବ୍ର ତଳ ମେଜିଆରେ ନିଶ୍ଚେ ମାର୍ବଲ ଲାଗିଥିବ । ଭାରି ସୁନ୍ଦର ଲାଗୁଛି । ସବୁ ପରିଷ୍କାର ପରିଚ୍ଛନ୍ନ । ପୁରା ଦାଣ୍ଡଟା ପିଚୁରାସ୍ତା ହୋଇ ଯାଇଛି । ପବନରେ ଉଡ଼ି ତା’ ଉପରେ ଅବଶ୍ୟ କିଛି ବାଲି ପଡ଼ିଛି-ଏଇଟା କିନ୍ତୁ ସେ ଶରଧାବାଲି ନୁହେଁ । କେବିନ୍ କିଛି ଦେଖାଯାଉନି । ଦାଣ୍ଡକଡ଼ରେ ଭିତରକୁ ସବୁ ବଜାର ମାଳିକା (ମାର୍କେଟ କମ୍ପ୍ଲେକ୍ସ୍) । ସେମାନଙ୍କର ସ୍ୱାଗତ ତୋରଣରୁ ଜଣାପଡ଼ୁଛି । ଏସବୁ ଏବେ ଏବେ ଉଦ୍ଘାଟିତ ହୋଇଛି ବୋଧହୁଏ । ଦାଣ୍ଡଟା ଆଉ ଦାଣ୍ଡ ହୋଇନାହିଁ । ସବୁ ନାମ ଫଳକରେ ‘ଗ୍ରାଣ୍ଡରୋଡ଼୍’ ଲେଖାଯାଇଛି । ଗ୍ରାଣ୍ଡରୋଡ଼୍, ପୁରୀ । ଏଠାକୁ ଆସୁଥିବା ବିଦେଶୀମାନେ ବଡ଼ଦାଣ୍ଡ କ’ଣ ବୁଝିପାରିବେନି-ଏଇଥିପାଇଁ । ସେମାନଙ୍କ ଦେଶରେ ବିଲକୁଲ୍ ଦାଣ୍ଡ ନାହିଁ । ସେଠି ଖାଲି ରୋଡ଼-ରୋଡ଼ ।
ମନେ ପଡ଼ିଲା ମଦନର ସେ ଏଇ କେଇ ବର୍ଷ ଯେଉଁ ସହରରେ ରହୁଥିଲା ସେଠି ସମସ୍ତେ ବାପାଙ୍କୁ ଡ଼ାଡି ଏବଂ ମା’ଙ୍କୁ ମମି ବୋଲି ଡାକୁଥିଲେ । ମଦନ ଯେତେବେଳେ ସେ ସହରକୁ ପ୍ରଥମେ ଆସିଲା ତାକୁ ଏସବୁ କଥା ଭାରି ଅଡ଼ୁଆ ଅଡ଼ୁଆ ଲାଗୁଥିଲା । କେତେ ଲୋକଙ୍କୁ ସେ ପ୍ରଶ୍ନ ବି ପଚାରିଛି । କିଛି ଲୋକ ତା ପ୍ରଶ୍ନ ଶୁଣି ଏକ ତାଚ୍ଛଲ୍ୟଭରା ହସ ଫିଙ୍ଗିଦେଇ ମୁହଁମୋଡ଼ି ଚାଲି ଯାଉଥାନ୍ତି । କିଛିଲୋକ ତାର ଗାଉଁଲୀତ୍ୱ, ତାର ପଛୁଆତ୍ୱକୁ ଦୟା ଦେଖାଇ ତାକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କ ଘରକୁ କାଳେ ସକାଳେ ସନ୍ଧ୍ୟାରେ ବହୁତ ଶିକ୍ଷିତ ସଭ୍ୟ ଲୋକ ଆସନ୍ତି । ସେମାନେ କାହାର କାହାର ମଉସା ମାଉସୀ, ପିଉସା ପିଉସୀ, କକେଇ ଖୁଡ଼ୀ, ମାମୁଁ ମାଇଁ, ଦଦେଇ ଦେଠେଇ ନୁହଁନ୍ତି । ସେମାନେ ସମସ୍ତଙ୍କର ଅଙ୍କଲ ଆଉ ଆଣ୍ଟି । ସେମାନଙ୍କ ଘରେ ବାପା ମା’ କଣ ସେମାନେ କିଛି ଜାଣିନଥାନ୍ତି, ବୁଝି ନଥାନ୍ତି । ଏଣୁ ସେମାନଙ୍କ ଜାଣିବା ପାଇଁ ଏମାନେ ବାପା, ମାଙ୍କୁ ବଦଳେଇ ଡ଼ାଡ଼ି, ମମି ନାଁରେ ଅଭ୍ୟାସ କରୁଛନ୍ତି ।… ଏସବୁ ଶୁଣି ମଦନର ଆଖି ତାଳୁ ଆଡ଼କୁ ଟେକି ହୋଇ ଯାଇଥିଲେ ମଧ୍ୟ ପରେ ପରେ ଆଖିପତା ଗୁଡ଼ିକ ସାଧାରଣ ହୋଇ ଯାଇଥିଲା । ବଡ଼ଦାଣ୍ଡଟା ଏଇମିତି ଗ୍ରାଣ୍ଡରୋଡ଼ ହୋଇଗଲା । ହସିଲା ମଦନ ।
ମଦନ ଆଜି ହସିଲାବେଳକୁ ତା ମୁହଁଟା ହସ ହସ ଲାଗୁନି!
ମଦନ ଛଳ ଛଳ ଆଖିରେ ଭାବୁଥିଲା- “ମୁଁ ବି ଏମିତି ଦିନେ ବଦଳିବାକୁ ଚେଷ୍ଟା କରିଥିଲି, ସଭ୍ୟ ହେବାକୁ ଚେଷ୍ଟା କରିଥିଲି, ଆଧୁନିକ ହେବାକୁ ଚେଷ୍ଟା କରିଥିଲି” ।
ବଡ଼ ଦାଣ୍ଡଟା ଭାରି ଆଧୁନିକ ଆଧୁନିକ ଦେଖାଯାଉଛି । ଚଉଡ଼ା ପିଚୁରାସ୍ତା, ତା ଉପରେ ମୋଟା ଧଳାଧଳା ହୋଇ ଗାର । ରାସ୍ତାକଡ଼ରେ ଚଉଡ଼ା ଚଉଡ଼ା ନାଳ । ନାଳ ଉପରେ ଢ଼ାଙ୍କୁଣୀ । ନାଳ କଡ଼ରେ ପିଚୁତଳେ ଯାଇଛି ବିଦ୍ୟୁତ୍ ତାର । ଏ ବର୍ଷ ରଥଯାତ୍ରା ବେଳେ ରଥ ମୋଡ଼ ନେଲାବେଳେ ଆଉ ବିଦ୍ୟୁତ ଖୁଣ୍ଟିରେ ରଥ ଲାଗିବନି । ଏବର୍ଷ ରଥଯାତ୍ରା ବେଳେ ବର୍ଷା ହେଲେ ଶହ ଶହ ଚପଲ ଜୋତା ମେଳା ମେଳା ହୋଇ ଭାସିବନି । ସାରା ସହରରେ ଆଉ ନର୍ଦ୍ଦମା ପାଣି ଦେଖାଯିବନି-ସବୁ ପାଣି ଏକାଠି ହୋଇ ଶ୍ରୀହରି ସାର୍ଙ୍କ ଘର ପଛପଟେ ପାଥରପୁର-ପେଣ୍ଠକଟା ରାସ୍ତା ପାର୍ ହୋଇ ସମୁଦ୍ରରେ ମିଶିବ । ସବୁ ଆଧୁନିକ ବ୍ୟବସ୍ଥା ।
ଏ ଆଧୁନିକ ବ୍ୟବସ୍ଥା ଭିତରେ କିନ୍ତୁ ମରିଚିକୋଟ ପାଖର ଆମ୍ବକଶିଆ ଅଦାପକା ବନ୍ଧୁଆ ସିଙ୍ଗଡ଼ା ଆଉ ମିଳିବନି । ଅଳିଆ ଗଦା ଗଳି ପାଖ ବାବୁ ଦୋକାନ ବରା ବି ସ୍ୱପ୍ନ ହୋଇଯିବ । ବେଙ୍ଗଭାଇ ରାବିଡ଼ି ଦୋକାନଟା କେଉଁଠାକୁ ଉଠିଗଲା, ତାକୁ ଖୋଜିବାକୁ ପଡ଼ିବ । ଠେଲାଗାଡ଼ି ସବୁ ଦାଣ୍ଡକୁ ଆସୁଛି ନା ନାହିଁ । ଦୋଳବେଦୀ ଛକରେ ସେ ମଟର-ପାଣି ଖାଇବାକୁ ସତରେ ଏତେ ସମୟ ଠିଆ ହେବାକୁ ହେଉଥିଲା ।
ଏ ବର୍ଷ ନବକଳେବର । ନବକଳେବର । ଦୀର୍ଘ ଉଣେଇଶି ବର୍ଷ ପରେ ପୁଣି ଆସିଛି ନବକଳେବର ।
ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ନବକଳେବର । ଏ ବର୍ଷ କାଳେ ଲକ୍ଷ ଲକ୍ଷ ଯାତ୍ରୀ ଆସିବେ ପୁରୀ, ପ୍ରଭୁ ଜଗନ୍ନାଥଙ୍କର ନବକଳେବର ଦର୍ଶନ ପାଇଁ । ଦେଶ, ବିଦେଶରୁ ମଧ୍ୟ ଯାତ୍ରୀ ଆସିବେ । ଏଥିପାଇଁ ସାରା ପ୍ରଶାସନ ଜାଗତିଆର ହୋଇ ଯାଇଛନ୍ତି । ପାଖାପାଖି କୋଡ଼ିଏ-ପଚିଶ୍ ଲକ୍ଷ ଯାତ୍ରୀ ଆସିବେ । ସେମାନଙ୍କର ରହିବା, ଗାଧୋଇବା, ନିତ୍ୟକର୍ମ ପାଇଁ ବ୍ୟାପକ ବ୍ୟବସ୍ଥା । ଖାଦ୍ୟ ବ୍ୟବସ୍ଥା ପାଇଁ ସବୁଆଡ଼େ ସହ ସହ ହୋଟେଲ ଖୋଲିବା ପାଇଁ ଲୋକଙ୍କୁ କୁହାଯାଇଛି । ଏଠାରେ ଶସ୍ତାରେ ଭାତ, ଡାଲି, ତରକାରୀ ମିଳିବ ବୋଲି ଡାକ ଯନ୍ତ୍ରରେ ବାରମ୍ବାର ଘୋଷଣା କରାଯିବାର ବ୍ୟବସ୍ଥା ମଧ୍ୟ ହୋଟେଲମାନେ କରିବେ ।
ଗତ ନବକଳେବର ସମୟରେ ଯାଜପୁର କେନ୍ଦୁଝର ରେଳଷ୍ଟେସନ୍ ପାଖରେ ଏକ ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା । କେତେଶହ ଲୋକ ମଲେ । କାହା ଶବରୁ କିଏ ସୁନାଚେନ୍ ଟାଣି ନେଲା । କେତେ ଟ୍ରକ୍ରେ ଶବ ସବୁ ଲଦା ହୋଇ ବ୍ରାହ୍ମଣୀ କୂଳରେ ପେଟ୍ରୋଲ ଢ଼ାଳି ଶବ ସତ୍କାର କରିଦିଆଗଲା । ସେ ଶବ ପୋଡ଼ାର ଧୂଆଁ ସବୁ ପୁରୀକୁ ଦେଖାଯାଉଥିଲା କି ନାହିଁ କେଜାଣି? ବଳଗଣ୍ଡି, ଶର୍ମା ପେଟ୍ରୋଲ ପମ୍ପ ଓ ମାଜଣା ଜାଗା ଦେଇ ଆଗକୁ ଚାଲିଲା ମଦନ । ନବକଳେବର, ନବକଳେବର । ଦୀର୍ଘ ଉଣେଇଶି ବର୍ଷ ପରେ ପୁଣି ଯୋଡ଼ା ଆଷାଢ଼ ପଡ଼ିଲା-ମଳ ମାସ । ପୁଣି ନବକଳେବର । ଉଣେଇଷି ବର୍ଷ । କେମିତି କଟିଗଲା ଏଇ ଉଣେଇଷି ବର୍ଷ? ପ୍ରତି ବର୍ଷ ରଥଯାତ୍ରା ହେଉଛି । କେତେଥର ରଥ ଦାଣ୍ଡରେ ଅଟକିଛି । ପହଣ୍ଡି ବେଳେ କାଳିଆ କେତେବେଳେ ସିଂହ ଦୁଆରରେ ଥକ୍କା ମାରି ରହିଯାଇଥିବ, ପୁଣି କାହାର ଆକୁଳ ପ୍ରାର୍ଥନା, ବିକଳ କ୍ରନ୍ଦନକୁ ସହ୍ୟ କରିନପାରି କାଳିଆ ଆଗକୁ ଗୋଡ଼ ପକେଇ ଥିବ ।
କାଳିଆ… ।
ତା ଇଚ୍ଛାର କାଳିଆ ସିଏ । ତା ଇଚ୍ଛାରେ ଥକ୍କା ନିଏ । ତା ଇଚ୍ଛାରେ ସେ କାହାକୁ ପରଖି ନିଏ । ତା ଇଚ୍ଛାରେ କାହାକୁ କ୍ଷମା ଦେଇଦିଏ । ଏଇମିତି ଏକ ପୁରୀ ସହର ଉଣେଇଷି ବର୍ଷ ବିତେଇ ଥିବ ।
କାଳିଆ କେଉଁଠି ଅଟକି ଯାଇନି । ସେ ଚାଲିଛି କେଉଁ ଅନାଦି କାଳରୁ । ପରମା ବି ସେଦିନ କାହାର ଡାକରେ ଅଟକି ଯାଇନଥିଲା । ସେହିଦିନ ମଦନ ଓ ତାର ଅନ୍ୟ ସାଙ୍ଗମାନଙ୍କ ଠାରୁ ପରମା ଅଲଗା ହୋଇ ଯାଇଥିଲା । ଉଣେଇଶି ବର୍ଷ ତଳର ସେ ଘଟଣା । ସମସ୍ତେ ଡାକିଥିଲେ ପରମାକୁ । କାହା ଡ଼ାକ ସତେ ଯେପରି ତା କାନରେ ପଡ଼ି ନଥିଲା । ଆଉ କାହା ଡ଼ାକ ଶୁଣି ସେ ଯାଇଥିଲା କେଜାଣି?
ସେମାନେ ସମସ୍ତେ ବିଶ୍ୱମ୍ବର ବିଦ୍ୟାପୀଠର ଛାତ୍ର । ସାଙ୍ଗ ହୋଇ ପାଠ ପଢ଼ୁଥିଲେ ଗୋଟିଏ ଶ୍ରେଣୀରେ । ପୁରୀ ବଡ଼ ଡ଼ାକ୍ତରଖାନା ଛକରେ ବସ୍ରୁ ଓହ୍ଲାଇ ହେରାଗୌରୀ ସାହି, ଜାଡ଼ୁଆଣୀ ଲାଇବ୍ରେରୀ, ପଞ୍ଚ ଚଉରା, କୁଣ୍ଢେଇବେଣ୍ଟ ସାହି, ଲବଣୀଖିଆ ଛକ ଦେଇ ଆଗକୁ ଗଲେ ଜେନାରୀ ଛକ ପଡ଼େ । ସେଇଠୁ ବାଁ ପଟେ ଗଲେ ପ୍ରଥମେ ବାଁ ପଟେ ପଡ଼ିବ ଏକ ପରିତ୍ୟକ୍ତ ଘର, ଯାହାକୁ କିିଛି ଲୋକ ମସ୍ଜିଦ୍ ବୋଲି କହନ୍ତି । ଏ ସାହିର ମଧ୍ୟ ଭାଗରେ ଡାହାଣ ପଟେ ବିଶ୍ୱମ୍ବର ବିଦ୍ୟାପୀଠ । ଆଗକୁ ଗୋପାଳି ଯାଗା । ଚୁନଭାଟି ଗଳି ତା ଆଗକୁ ବିଦେଶୀ ଖ୍ରୀଷ୍ଟୀଆନ୍ ଚର୍ଚ୍ଚ । ସନ୍ଧ୍ୟାରେ ସକାଳେ ସେ ଚର୍ଚ୍ଚ ଗେଟ୍ ପାଖକୁ ଗଲେ ଭିତରେ ଦୁଇଟି ବିଶାଳୟକାୟ ବିଦେଶୀ କୁକୁର ବୁଲୁଥିବାର ଦେଖାଯାଏ । କୁକୁର ଦେଖି ପୁରୀ ଲୋକ ମଜ୍ଜାରେ କହନ୍ତି- ‘ଏହା ଭିତରେ କ’ଣ ଖାଲି କୁକୁରମାନେ ରହନ୍ତି କି’? ମଦନ, ପରମା ଓ ଅନ୍ୟମାନେ ଅନେକ ଥର ଚର୍ଚ୍ଚ ଲାଇବ୍ରେରୀରେ ପଢ଼ିବା ନାଁରେ ଖେଳଛୁଟିରେ ତା ଭିତରେ ବୁଲି ଆସନ୍ତି । ଲୁଚେଇ ଲୁଚେଇ ଫୁଲ ଆଣି କୋଉ ଝିଅ ମୁଣ୍ଡରେ ଖୋସି ଦିଅନ୍ତି । ପକେଟରେ ପୁରେଇ ଛୋଟ-ରଙ୍ଗ ବେରଙ୍ଗ ପତ୍ରିକା ଆଣି ସ୍କୁଲ ଗେଟ୍ ଆଗରେ ଠିଆ ହୋଇଥିବା ଚେନାଚୁର ବାଲାକୁ ଦେଇ ଚେନାଚୁର ଖାଆନ୍ତି । ସେ କଥା ଆଜି ଆଉ ଭାବି ଲାଭ ନାହିଁ । ପିଲା ଦିନେ ଏମିତି ଅନେକ-ଅନେକ ଘଟଣା ଘଟେ । ଯାହା ଏବେ ଭାବିଲା ବେଳକୁ କେମିତି କେମିତି ଲାଗେ ।
ବିଶ୍ୱମ୍ବର ବିଦ୍ୟାପୀଠରେ ସେମାନେ ସମସ୍ତେ ସାଙ୍ଗ ହୋଇ ପଢ଼ୁଥିଲେ । ଭଲ ପଢ଼ୁଥିଲେ କି ଖରାପ ପଢ଼ୁଥିଲେ, ସେ ବିଷୟରେ ସେମାନେ କିଛି ଜାଣି ପାରୁନଥିଲେ । ପଢ଼ୁଥିଲେ ନିଶ୍ଚୟ । ପଢ଼ୁଥିଲେ ବୋଲି ମନରେ ପ୍ରବଳ ଗର୍ବ ଥିଲା । କାରଣ ସେମାନେ ବିଶ୍ୱମ୍ବର ବିଦ୍ୟାପୀଠର ଛାତ୍ର । ପୁରୀର, ସାହିର ସେବକ ପିଲା ପୁଣି ବିଶ୍ୱମ୍ବର ବିଦ୍ୟାପୀଠର ଛାତ୍ର । ଏଇଟା ହିଁ ସେତେବେଳେ ଗୌରବର ବିଷୟ । ସେ ଗୌରବ ଭାବନାକୁ ପାଥେୟ କରି ସେମାନେ ଶ୍ରେଣୀ ପରେ ଶ୍ରେଣୀ ଉଠିଯାଇଥିଲେ । ଏଇ ପରୀକ୍ଷା,ଏଇ ଶ୍ରେଣୀଟା କାଳେ ଜୀବନର ଗୋଟେ ମୋଡ଼ । ଏଇ ମୋଡ଼ରୁ ହିଁ ଯିଏ ଯାହାର ଦିଗ ନିର୍ଣ୍ଣୟ କରେ । ଏ ମୋଡ଼ ଉପରେ ଠିଆ ହୋଇ ଆଗକୁ ଚାହିଁଲେ ଅନେକ ସ୍ୱପ୍ନ ଦେଖାଯାଏ । ସେ ସ୍ୱପ୍ନରେ ଏମାନେ ବି ନିଜ ନିଜର କିଶୋର ବୟସର ଭାବନାକୁ ସାକାର କରିବାକୁ ଚେଷ୍ଟା କରୁଥିଲେ । ଦାଣ୍ଡରେ ବୁଲୁଥିବା ଚହଟ ଚିକ୍କଣ ମଣିଷମାନଙ୍କର କଳରବ; ସିଂହଦ୍ୱାରରେ ଧାଡ଼ିବାନ୍ଧି ଠିଆ ହୋଇଥିବା ଚକ୍ଚକ୍ କିସମର ଗାଡ଼ି; ସେ ଗାଡ଼ିର ପଛରେ, ରିକ୍ସାର କଡ଼େ କଡ଼େ ଧାଇଁ ବୁଲୁଥିବା ମଣିଷ-ଯାହାକୁ ପଣ୍ଡା କୁହାଯାଉଥାଏ । ଗୁମାସ୍ତା କୁହାଯାଏ । ସମୁଦ୍ର କୂଳରୁ ସ୍ୱର୍ଗଦ୍ୱାରା ବଜାର ପର୍ଯ୍ୟନ୍ତ ଛଇ ଦେଖେଇ ଉଡ଼ିବୁଲୁଥିବା ବଂଗୀୟ ପ୍ରଜାପତି, ଆନନ୍ଦ ବଜାରରେ ଅଭଡ଼ା ହାଣ୍ଡି ପାଖରେ ଠିଆ ହୋଇ ଗରାଖମାନଙ୍କୁ ଘେରି ମହାପ୍ରସାଦ ବିକ୍ରୀ କରିବାର ବିକଳ ମନୋଭାବ; ଲହଡ଼ି ଆଡ଼କୁ ମୁହଁ କରି ଠିଆ ହୋଇଥିବା ବିଶାଳକାୟ ହୋଟେଲମାନଙ୍କରୁ ଭାସି ଆସୁଥିବା ଉତ୍କଟ ବାସ୍ନା, ସମୁଦ୍ର ବାଲି ଉପରେ ଚାଲି ଚାଲି ଶଙ୍ଖ ଠାରୁ ମସଲା ମୁଢ଼ି ପର୍ଯ୍ୟନ୍ତ ସାମଗ୍ରୀ ବିକ୍ରୀ କରିବାର ଦୃଢ଼ ମନୋବଳ ଏ ସ୍ୱପ୍ନ ମାନଙ୍କରେ ରଙ୍ଗ ବୋଳି ଦେଉଥିଲେ । ଚାହୁଁ ଚାହୁଁ ଟେଷ୍ଟ ପରୀକ୍ଷା ପାଖେଇ ଆସୁଥିଲା । ଫଳ ବାହାରିଲା ଦିନ ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଏକ ଆତଙ୍କର ବାତାବରଣ । ପରମା ଗୋଟେ ଖୁଣ୍ଟ କଡ଼ରେ ଠିଆ ହୋଇ ମନକୁ ମନ ଅନେକ ପ୍ରଶ୍ନ କରୁଥିଲା ନିଜକୁ । ସେ ପ୍ରଶ୍ନର ଉତ୍ତର ଖୋଜିବା ବେଳକୁ ତା ଆଗରେ ଠିଆ ହୋଇଥିଲେ ଭଜୁ ସାର । ସ୍କୁଲର ପ୍ରିୟ ଭଜୁ ସାରେ । ମୋ ନାମ କି ରୋଲ ନମ୍ବର କ’ଣ ସେଣ୍ଟଅପ୍ରେ ନାହିଁ ସାର? ମୁଁ ତ ମୋର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ପାଠ ପଢ଼ିଥିଲି । ପରୀକ୍ଷାରେ ଚେଷ୍ଟାକରି ସଠିକ୍ ଉତ୍ତର ଲେଖିଥିଲି । ମୋ ନାଁ ତେବେ ସେ ତାଲିକାରେ ନାହିଁ କାହିଁକି?
ଉତ୍ତର ଖୋଜୁଥିଲା ପରମା । ହରଚଣ୍ଡି ସାହିର ପରମାନନ୍ଦ । ମଦନ, ମୋହନର ସାଙ୍ଗ ପରମା । ଭଜୁ ସାରଙ୍କ ମୁହଁରେ ସନ୍ତୋଷର ଭାବ, ଦିଗ୍ବିଜୟୀ ହସ । ତାଙ୍କ ଟିଉସନର ସବୁ ପିଲା ସେଣ୍ଟଅପ୍ ହୋଇଛନ୍ତି । ପରମାର ପୀତ୍ତ ଧିରେ ଧିରେ ମୁଣ୍ଡକୁ ଚଢ଼ୁଥିଲା । ପରମା ପିଲା ଦିନରୁ ଯାଗା ଘର ଯାଏ । ପରମା ସନ୍ଧ୍ୟା ହେଲେ ପାରମ୍ପରିକ ସାଙ୍ଗମାନଙ୍କ ସହିତ ଭାଙ୍ଗ ବି କରେ । ପରମା ପୁନେଇଁ ପର୍ବଦିନ ଦାଣ୍ଡକୁ ବି ଆସେ । କେବେ ସେ ଭଜୁ ସାରଙ୍କୁ ମନ୍ଦିରରେ ଭଲରେ ଭଲରେ ବୁଲେଇ ଆଣିଛି କି ନାହିଁ କେଜାଣି? କେବେ ସେ ଭଜୁ ସାରଙ୍କ ଘରକୁ ଅଭଡ଼ା ନେଇଥିଲା କି ନାହିଁ କେଜାଣି? କେବେ ସେ ଭଜୁ ସାରଙ୍କ ପିଲାମାନଙ୍କୁ କ୍ଷୀର ଛେନା ପରଶିଛି କି ନାହିଁ କେଜାଣି-ତାର କିଛି ମନେ ନାହିଁ । କାହିଁକି ତୁ ଟିଉସନ୍ ହେଲୁନି, ତୋତେ କିଏ ମନା କରୁଥିଲା କି?
ଭଜୁସାରଙ୍କ ଏ ଛୋଟିଆ କଥାଟି ତାର ମନରେ ନିଆଁ ଧରେଇ ଦେବାର ଉପକ୍ରମ କରୁଥିଲା । ଆମର ଏତେ ପଇସା କାହିଁ ସାର୍? ପଇସା ନାହିଁ ତ ସ୍କୁଲକୁ ଆସୁଛ କାହିଁକି ବେ?
ଦାଣ୍ଡରେ ଯାତ୍ରୀମାନଙ୍କୁ ଠକି ବେଶ୍ ପଇସା ନେଉଛ । ତିନି ଚାରିଟା କାଠ କଣ୍ଢେଇ ବସେଇ ଗୋଟେ ନବରଙ୍ଗ ଲଗେଇଛ, ନୁହେଁ । କ୍ଷୀର, ଛେନା ଖାଇବା ବେଳକୁ ବେଶ୍ ପଇସା ଅଛି ଆଉ ସାରଙ୍କୁ ଦେବା କଥା ମନେ ପଡ଼େନି ସେତେବେଳେ । ତୁମେ କାଠ କଣ୍ଢେଇ ତିନିଟାକୁ ନେଇ ଖେଳ ଖେଳୁଛ । ଆମେ ତ ତୁମଭଳି ଜୀଅନ୍ତା ଅବାଗିଆ ମଣିଷ ଗୁଡ଼ାକୁ ଠିକ୍ ମଣିଷ କରିବା ପାଇଁ ଠିକା ନେଇଛୁ । ଆମକୁ ଦେଲା ବେଳକୁ ବାଧୁଛି… । ଯାଆ…. ଯା…ଆର ବର୍ଷକୁ ଆସିବୁ ଯା । ସେତେବେଳେକୁ ପରମା ମନରେ ସତକୁ ସତ ନିଆଁ ଲାଗି ସାରିଥିଲା । ଶତ ଚେଷ୍ଟା ସତ୍ତେ୍ୱ ସେ ନିଆଁକୁ ନିୟନ୍ତ୍ରଣ କରିପାରିଲା ନାହିଁ ।
କ’ଣ କହିଲୁ ବେ ? କ’ଣ କହିଲୁ ଏଲେଇ ପୁଅ; ମାଷ୍ଟ୍ର ଓ’ ଦେଇ ହେଉଛୁ ଶଳା । ଆଜି କହୁ କହୁ କ’ଣ କ’ଣ ବକି ଗଲାଣି । ଭଜୁ ମାଷ୍ଟ୍ର… ଆବେ ଭଜୁ ମାଷ୍ଟ୍ର! ମୋ ଦିଅଁକୁ କ’ଣ କହିଲୁ ବେ । ଜଗାକୁ କାଠ କଣ୍ଢେଇ କହୁଛୁ । ଏ ପୃଥିବୀ ଧ୍ୱଂସ ହୋଇଯିବ ଜାଣିଥା । ତୋ ମୁହଁରେ ପୋକ ପଡ଼ିଯିବରେ… ତୋ ଚଉଦ ପୁରୁଷ ନର୍କକୁ ଯିବେ.. । ସେତେବେଳକୁ ସ୍କୁଲ ବାରଣ୍ଡାର ଦୃଶ୍ୟ ବଦଳି ଗଲାଣି ସତେ ଯେପରି ଏଠି ହାହାକାର ବ୍ୟାପିଯିବ । ସେମାନଙ୍କୁ ଘେରି ରହିଥିବା ସମସ୍ତ ମଣିଷମାନେ ସତକୁ ସତ କାଠ ପାଲଟି ଯାଉଥିଲେ; ସେମାନଙ୍କୁ ନଂପୁସକତା ଧିରେ ଧିରେ ଘାରୁଥିଲା ବୋଧହୁଏ । କାହା ପାଟିରୁ ପ୍ରତିବାଦର ସ୍ୱର ଶୁଭୁନଥିଲା, କେହି ଏ କଥାକୁ ନେଇ ଫୁସ୍ଫାସ୍ ବି ହେଉନଥିଲେ । ସେ ନବକଳେବରରୁ ଏ ନବକଳେବର । ଉଣେଇଶି ବର୍ଷ ପରେ ସେ ଚିତ୍ର ମଦନର ଆଖି ଆଗରେ ସ୍ପଷ୍ଟ ।
କେଉଁଠୁ କେଜାଣି ଭଜୁ ସାରଙ୍କ ହାତରେ ଗୋଟେ ଛାଟ ପଡ଼ିଗଲା । ଏତେ ପିଲାଙ୍କ ଆଗରେ ପୁଣି ଭଜୁ ସାରଙ୍କ ଅପମାନ । ଭଜୁ ସାରଙ୍କୁ ଚିହ୍ନି ନାହିଁ ଇଏ । ଭଜୁ ସାରଙ୍କ ଗର୍ବ, ଅହଂକାର ଉପରେ ଛାର ଗୋଟେ ଛାତ୍ରର କଠୋର ପ୍ରହାର, ଭଜୁ ସାର ସହନ୍ତେ ବା କିପରି! ପରମାର ପିଠିରେ ନୋଳା ଫାଟିଗଲା । ଭଜୁ ସାରଙ୍କ ଛାଟ ତାର ମୁହଁ ତଳର ବେଦାଗ ଅଂଶ ଅନୁସଂଧାନ କରୁଥିଲା । ଗଣ୍ଡଗୋଳ ସମୟରେ ପୁରୀ ସହରରେ ବୁଲୁଥିବା କାଠ ଫାଳିଆ ଠାରୁ ବି ତିବ୍ର ବେଗରେ ଭଜୁସାରଙ୍କ ଛାଟ ବୁଲୁଥିଲା । କ’ଣ କହିଲୁ? ଆବେ ମତେ ଜଗନ୍ନାଥ ତତ୍ତ୍ୱ ପଢ଼ଉଛୁ । ପୁରୀ ପଣ୍ଡା ଦେଖେଇ ହେଉଛୁ । ମୁର୍ଖ କେଉଁଠିକାର । ଜଗନ୍ନାଥ ଲେଖି ଆସିବନି, ଆସିଛି ପାଠ ପଢ଼ିବାକୁ । ପୁଅ ମେଟ୍ରିକ ପାସ୍ କରିବ… । ଟିଉସନ ହେବାକୁ ପଇସା ନାହିଁ ତ କ’ଣ କୁଣ୍ଢା ଦେଇ ପାଠ ପଢ଼ିବୁ? ଯା… ଯା…, ତୋ ଜଗନ୍ନାଥଙ୍କୁ କହିବୁ ଯା । ଯା ବେ … ଯାଗା ଘରକୁ ଯା, ସାହିକୁ ଯା । ତୁମ ମୁଣ୍ଡ ସେଥିପାଇଁ, କ’ଣ ନା ପାଠ ପଢ଼ିବ । ଆରେ! ତୁମ ପୁରୀର ଅଧେ ପିଲା ଏଇ ଭଜୁ ମାଷ୍ଟ୍ରର ଛାଟରେ ମଣିଷ ହୋଇଛନ୍ତି । ମୋ ଆଗରେ ତର ଦେଖେଉଛୁ ନୁହେଁ । ଏଡ଼ିକିଟିଏ ମେଞ୍ଚଡ଼ ଟୋକା-ମୋ ଆଗରେ ପୁଣି ତର, ଯା, ଯା.. କ’ଣ ମୋର ତାଡ଼ିବୁ ଯାଆ । ଆସିଲା ସତେ ଯେପରି ମୋର କ’ଣ ଉପାଡ଼ି ପକାଇବ ।
ସତକୁ ସତ ପରମା ସେଦିନ ସ୍କୁଲରୁ ଚାଲି ଆସିଲା । କାହାକୁ କିଛି କହିଲାନି । ପୁରୀ ସହରରେ କେହିବି ଭଜୁ ମାଷ୍ଟ୍ରକୁ ପଚାରିଲେନି । ଏଇଟା ଯେମିତି, ସହରର ଗୋଟେ ସାଧାରଣ ଘଟଣା । ଏ ଭିତରେ ଗୋଟେ ବିଶେଷ କଥା ହେଲା, ପୁରୀ ସହରରେ ଟେକାଟିଏ ପଡ଼ିଲେ ଯାହା ଦେହରେ ବାଜେ ସିଏ କାଳେ ଭଜୁମାଷ୍ଟ୍ରଙ୍କ ଛାତ୍ର । ଭଜୁ ମାଷ୍ଟ୍ର ଏବେ କେଉଁଠି କେଜାଣି? ତାଙ୍କ ମୁହଁରେ ପୋକ ପଡ଼ିଲା କି ନାହିଁ, ତାଙ୍କ ତେପନ ପୁରୁଷ ନର୍କଗାମୀ ହେଲେ କି ନାହିଁ ପରମାର ସେ ସବୁ କଥାର କ’ଣ ଫଳ ଫଳିଲା ମଦନକୁ ଜଣା ନାହିଁ ।
ନବକଳେବର ସରିଲା ବେଳକୁ ମଦନ ଓ ତାର ସାଙ୍ଗମାନଙ୍କର ମେଟ୍ରିକ ପରୀକ୍ଷା ଫଳ ବାହାରି ଆସିଥାଏ । ତା’ ପରେ ସେମାନେ ସମସ୍ତେ ଅଠରନଳା ଡ଼େଇଁ ନୂଆ ନୂଆ ସହରକୁ ଚାଲି ଆସିଲେ । ପୁରୀଟା କାଳେ ଗୋଟେ ଅନ୍ଧକୂପ । ଏଇଟା ପୃଥିବୀର ଶେଷ ସୀମା । ତାପରେ ସମୁଦ୍ର ମହୋଦଧି । ଏଠି ଯିଏ ଜୀବନ ରଚନା କରିବ ସେ କାଳେ ଅଣନିଃଶ୍ୱାସୀ ହୋଇଯିବ । ଦେଶ ଦୁନିଆ ଦେଖି ପାରିବନି ଭଲ ମନ୍ଦ ଜାଣି ପାରିବନି । ଏଥିପାଇଁ ସେମାନେ ପୁରୀ ସହର ଛାଡ଼ିଥିଲେ । ଉଣେଇଶି ବର୍ଷ ବିତିଗଲାଣି ଏ ଭିତରେ । ଗୋଟେ ନବକଳେବରରୁ ଆଉ ଗୋଟେ ନବକଳେବର ଆସିଲାଣି । ପରମା କିନ୍ତୁ ସେହି ଦିନୁ ସ୍କୁଲ ଛାଡ଼ିଲା ଯେ ଛାଡ଼ିଲା । ସମସ୍ତ ଯନ୍ତ୍ରଣାକୁ ନେଇ ନିଜର ଭୁଲ୍ ଠିକ୍ ବିଚାର କରୁ କରୁ ରାତିରେ ତାକୁ ଘୋର ନିଦ ଘାରି ଯାଇଥିଲା । ରାତିରେ କାଳେ ନିଜେ ଜଗନ୍ନାଥ ତା ପାଖକୁ ଆସିଥିଲେ । ତାକୁ ଉଠେଇଲେ, ପରମା ଉଠି ବସିଲା, ଜଗନ୍ନାଥଙ୍କର ତ ଖଣ୍ଡିଆ ହାତ । କେଉଁ ହାତରେ ତାକୁ ଆଉଁସୁଥିଲେ କେଜାଣି? ତା ଦେହରୁ ସବୁ ଦରଜ କଷ୍ଟ ଉଭେଇ ଗଲା ଭଳି ଲାଗିଲ । “ ତୁ ବ୍ୟସ୍ତ ହୋ ନା’ରେ ପରମା । ମୁଁ ପରା ଅଛି ତୋ ପାଖରେ, ପ୍ରକୃତ ପାଠ କ’ଣ ସେମାନେ ଜାଣି ନାହାନ୍ତି । ଯେଉଁ ପାଠ ପଢ଼ି ମଣିଷ ପେଟ ପୋଷି ହୁଏ; ଯେଉଁ ପାଠ ପଢ଼ିଲେ ମଣିଷ ମଣିଷତ୍ୱ ଲାଭ କରେ; ଯେଉଁ ପାଠ କାରଣରୁ ଦୁନିଆ ଶାନ୍ତିରେ ରହେ, ଦୁନିଆରେ ସତ୍ୟ, ଧର୍ମର ପ୍ରତିଷ୍ଠା ହୁଏ, ଯେଉଁ ପାଠ ପଢ଼ିଲେ ହାତକୁ କାମ ମିଳେ; ମନରେ ଆତ୍ମବିଶ୍ୱାସ ଜନ୍ମେ ମରିବା ପର୍ଯ୍ୟନ୍ତ, ବଂଚିବାର ଏକ ସଠିକ୍ ରାସ୍ତା ଦେଖାଯାଏ, ତୁମ ଭଜୁମାଷ୍ଟ୍ର ପାଠ ସେ ପାଠ ନୁହେଁ । ଏ ଭଜୁ ମାଷ୍ଟ୍ରର ଟିଉସନ କରା ପାଠ ନହେଲା ନାଇଁ, ତୁ କାହିଁକି ସେଥିପାଇଁ ଚିନ୍ତା କରୁଛୁ! ଆରେ, ମୁଁ ପରା ଅଛି । ତୋ ଜଗା, ତୋ ଆଦରର ଜଗା । ଦେଖ ମୋର ଏଇ ଦୁଇଟା ହାତରେ ସାରା ଦୁନିଆଟାକୁ ମୁଁ ଧରି ରଖଛି । ତାର କୋଉ କୋଣରେ ତୁ ରହିଯିବୁ । ମୋ ଉପରେ ବିଶ୍ୱାସ ରଖ, ସବୁ ସମସ୍ୟାର ସମାଧାନ ହୋଇଯିବ । ଯେଉଁମାନେ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କୁ ଦେଖିବାକୁ ଦେ । ସେମାନେ ପୁଣି ଦିନେ ମୋ କୋଳକୁ ଫେରିବେ ନିଶ୍ଚୟ ।
ଜଗନ୍ନାଥଙ୍କର ତ ପାଟି ନାହିଁ କେଉଁ ପାଟିରେ ଏତେ କଥା କହୁଥିଲେ କେଜାଣି? ପରମା ସକାଳୁ ଉଠିଲା । ଯାଗା ଘରେ ପୋଖରୀ ପାଣି ଯାଇ, ମେହନତ ସାରି ସରମାଖେ ଗୋଟେ ମାଲିସ କରି, ମଲ୍ଲିଫୁଲିଆ ଗାଧୁଆଟେ କରି ଅଣ୍ଟାରେ ଆଠଣିଟେ ଖୋସି, ଚାରି ପାଞ୍ଚ ଖଣ୍ଡ ପାନ ଧରି ଦାଣ୍ଡକୁ ଚାଲିଲା । ସଂଧ୍ୟାବେଳେ ଦେଉଳ ଭିତରେ ଥିବା ବେଦ ବିଦ୍ୟାଳୟରେ ଦିବାକର ପଣ୍ଡିତଙ୍କ ପାଖରେ ଦି ଅକ୍ଷର ପଢ଼ିଲା ବି । ରାତିରେ ସିଂହ ଦୁଆରରେ ଯୁଆନ ଟୋକାଙ୍କ ମେଳରେ ବସି ହସ ଗମାତ କରି ଘରକୁ ଫେରିଲା । ଏଇମିତି ନିତିଦିନିଆ ଗତାନୁଗତିକତା ଭିତରେ ପରମା ହଜିଗଲା । ସାହି ଯାତଠୁ ଆରମ୍ଭ କରି ଚନ୍ଦନ ଯାତ୍ରାରେ ମଜ୍ଜିଗଲା । ତା ଦେଶ ସେଇଟା, ତା ଦୁନିଆ ବି ସେଇଟା । ତା ସଂସାର ସେଇଟା, ତା’ ଜୀବନ ବି ସେଇଟା । ମଦନ ଓ ଅନ୍ୟମାନଙ୍କର ଦୁନିଆ କିନ୍ତୁ ବଦଳି ଯାଇଥିଲା ସେତେବେଳକୁ । ନୂଆ ଦୁନିଆର ଅସଂଖ୍ୟ ରଂଗରେ ସେମାନେ ରଂଗାୟିତ ହୋଇଗଲେ । ଆଜି ଫେରୁଛି ମଦନ । ଅନେକ ବର୍ଷ ଧରି ବୋଳି ହୋଇଥିବା ତା ଦେହର ବାସ୍ନା ସବୁ ଉଡ଼ି ଯାଉଥିଲା । ତା ମନର ସ୍ୱପ୍ନ ସବୁ ଭାଙ୍ଗି ପଡ଼ୁଥିଲା । ତା ବ୍ୟାଗ୍ରେ ଅସଂଖ୍ୟ ଡିଗ୍ରୀର ପ୍ରମାଣ ପତ୍ରର ବୋଝ । ବୋହିଲା ବେଳକୁ କାନ୍ଧ ନଇଁ ଯାଉଥିଲା । ଗତ ଉଣେଇଶି ବର୍ଷର ଦେଖୁଥିବା ସ୍ୱପ୍ନର ବୋଝ । ସଂଧ୍ୟା ବେଳେ ସବୁ ସ୍ୱପ୍ନର ବୋଝକୁ ଗୋଟି ଗୋଟି କରି କାନ୍ଧରୁ ଓହ୍ଲାଇ ଦେଲା ମଦନ । ଗାଧୁଆ ପାଧୁଆ କରି ଦାଣ୍ଡକୁ ଆସିଲା । ସେଇଠି ପରମା ସହିତ ଭେଟ । ଉଣେଇଶି ବର୍ଷ ପରେ ଭେଟ । ଆବେଗରେ ଚାପି ଦେଲା ପରମା ତାକୁ ‘କେତେ ବଡ଼ ହୋଇଗଲୁ ମଦନ ତୁ ।’ କେତେ ବଡ଼ । ହାତ ବଢ଼ାଇଲା ବେଳକୁ ପାଉନି, କୁଆଡ଼େ ତୁ ହଜି ଗଲୁ କହିଲୁ ଏତେ ଦିନ । କୋଉ ଦୁନିଆ ତୋତେ ବାନ୍ଧି ରଖିଥିଲା କିରୋ ଏତେ ଦିନ । ପୁରୀ କଥା, ଭାଙ୍ଗ କଥା କ’ଣ ବିଲକୁଲ ମନେ ପଡ଼ୁନଥିଲା ତୋର । ଆମେତ ଭାଇ ଏ ଦାଣ୍ଡରେ, ବଡ଼ ଦାଣ୍ଡ ଆମ ଦୁନିଆ । ଏକାଠି ରହିଗଲୁ । ଅଠରନଳା ଆଉ ଡେଇଁ ପାରିଲୁନି ଆମେ । ଏସବୁ କଥା ମଦନକୁ ଯେତିକି କଷ୍ଟ ହେଉନଥିଲା ସେତିକି କଷ୍ଟ ହେଉଥିଲା ଛାତିରେ । ପରମାର ତାକତ ଭରା ସେ ବାହୁ ଯୁଗଳ ଚାପତ କାଟୁଥିଲା ନିଶ୍ଚିତ-ମାତ୍ର ତା ଛାତିରେ ପଡ଼ିଥାଏ ସୁନା ଚେନ୍ । ଧୋବ ଫର ଫର ଧୋତି, ଚଂପା ରଂଗର ପଞ୍ଜାବୀ ସାଂଗରେ ପରମା ପିନ୍ଧିଥିଲା ବୁଢ଼ା ଆଙ୍ଗୁଠି ମୋଟର ଗୋଟେ ସୁନା ଚେନ୍ ଓ ରୁଦ୍ରାକ୍ଷର ମାଳା, ହାତରେ ଗୁଡ଼େଇ ଥିଲା ଛୋଟ ମଲ୍ଲି କଢ଼ିର ହାର ।
ବିଶ୍ୱମ୍ବର ବିଦ୍ୟାପୀଠରେ ସେଦିନର ଘଟଣା ତଥାପି ମନେ ଅଛିରେ ପରମା । ସେଠୁ ପାଶ୍ କରିଗଲା ପରେ ଅନେକ ପରିଶ୍ରମ କରି ଆଠ ଦଶ ବର୍ଷ ପରେ ଅନେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରମାଣପତ୍ର ସବୁ ସଂଗ୍ରହ କଲି । ତାପରେ ଚାଲିଲା ଚାକିରୀ ପାଇଁ ସଂଗ୍ରାମ । ଚାକିରୀ ଅନ୍ୱେଷଣରେ ମୁଁ ଦୂରକୁ ଦୂରକୁ ଚାଲିଲି । ଅବୈତନିକ, ପରୀକ୍ଷା ମୂଳକ ଭାବରେ ସାମୟିକ, ଟେମ୍ପରାରୀ ଚାକିରୀ କରି କିଛି ବର୍ଷ ବିତିଲା । ଶେଷରେ ଚାକିରି ମିଳିଲା ଅବଶ୍ୟ । ବିଳମ୍ବରେ ହେଲେ ବି ପେଟ ପୋଷିବା ପାଇଁ ଉପାୟଟେ ତ ମିଳିଗଲା । ସବୁ ଯଥାରୀତି ଚାଲିଥିଲା । ଏ ଭିତରେ ଦେଶର ସରକାର ବଦଳି ଗଲା । ସେଥିରୁ ସବୁ ଓଲଟ ପାଲଟ ହେବା ଆରମ୍ଭ କଲା । ନୂଆ ଅର୍ଥ ମନ୍ତ୍ରୀ ମନମୋହନ ଆସିଲେ । ଆମେରିକାର ଚାପରେ ଦେଶ ଅର୍ଥନୀତିର ଢ଼ାଞ୍ଚାବି ବଦଳିବାକୁ ଆରମ୍ଭ ହେଲା । ମଣିଷ ଯାଗାରେ କମ୍ପ୍ୟୁଟର ସବୁ ଚାକିରୀ ପାଇଲେ । କାର୍ଯ୍ୟ ଦକ୍ଷତା ନାଁରେ ଛଟେଇ ହେଲା । ସେ ସୁଅରେ ଆମେ ସବୁ ଭାସିଗଲୁ । ଛଟେଇର ଶୀକାର ହୋଇ ଆମେ କିଛି ବେକାର ହୋଇଗଲୁ । ସେ ଭିଡ଼ ଭିତରେ ରାସ୍ତା ଖୋଜି ଖୋଜି ଥକି ଯାଇଥିଲୁ- ହେଲେ ରାସ୍ତା ମିଳିଲା ନାହିଁ ।ଯେଉଁଠି ଅଠରନଳା ଡ଼େଇଁ ଯାଇଥିଲୁ ପୁଣି ସେହି ଅଠରନଳା ଡ଼େଇଁ ଏଇଠିକି ଚାଲି ଆସିଲୁ । ଆଉ କ’ଣ ବା କରିପାରିଥାନ୍ତି । ମୋତେ କିଛି ରାସ୍ତା ମିଳିଲାନି । ମୁଁ କିଛି ବୁଝି ପାରିଲିନି । ମଦନର ଏତେ କଥା ଶୁଣି ପରମା କିଛି ବ୍ୟସ୍ତ ହେଲାନି ।
ଆରେ ଏତେ ବ୍ୟସ୍ତ ହେଉଛୁ କାହିଁକି? ଦେଖ୍ ନୀଳଚକ୍ରକୁ ଦେଖ୍ । ଦେଖିଲୁ ଏଇ ପତିତପାବନ ବାନା ଏବେ ବି ଫର ଫର ହୋଇ ଉଡ଼ୁଛି । ସାରା ଦୁନିଆରେ ସବୁ ବଦଳି ଯାଇପାରେ-ଦେଶର ଅର୍ଥନୀତି ପରି । ହେଲେ ଜଗାର ଅର୍ଥନୀତି ବଦଳିନି-ବୋଧହୁଏ ବଦଳିବ ନାହିଁ । ଏଠି ସେବା ପୂଜା ପାଇଁ କେବେ ବି କମ୍ପ୍ୟୁଟର ବସିବନି । ଏଠି କେବେ ଛଟେଇ ହେବାର ସମ୍ଭାବନା ନାହିଁ । କେତେ ଶହ ବର୍ଷ ହେଲାଣି କହିଲୁ ଏ ଜଗାକୁ । କେଉଁ କାଳରୁ ଆମର ଛପନ ପୁରୁଷ ଏହାରି ଭରସାରେ ଜୀବନ ବିତାଉଛନ୍ତି । ଏଠି କେଉଁ ବିଧବା ବଳିତା ବିକି ତାର ଗୁଜୁରାଣ ମେଣ୍ଟାଏ ତ କିଏ ତାଳ ପତ୍ର ଭୋଗେଇ ତିଆରି କରି । ଅଭଡ଼ା ପାଇଁ ହାଣ୍ଡି କୁଡ଼ିଆ ତ ହେବ ହିଁ ହେବ । ଦେଖିଲୁ, ଆମେ ବିଶ୍ୱମ୍ବରରେ ପଢ଼ିଲା ବେଳେ ହାଣ୍ଡି କୁଡ଼ିଆ ନିଅଣ୍ଟ ହେଉଥିଲା । ଏବେ କୁମ୍ଭାର ସାହିର ସମସ୍ତେ ହାଣ୍ଡି କୁଡ଼ିଆ ତିଆରିରେ ବ୍ୟସ୍ତ, ତଥାପି ନିଅଣ୍ଟ । ଏଠି କିଏ ସମୁଦ୍ର ବାଲିରେ ମୂର୍ତ୍ତି କରି ବଂଚେତ କିଏ ବାଇଶି ପାହାଚରେ ପାଣି ଢ଼ାଳେ, ଫୁଲ ପଇତାର ସାହାରାରେ କୁଟୁମ୍ବ ପୋଷେ । କିଏ ଫୁଲ ମାଳ ଗୁନ୍ଥେ ତ କିଏ ଘିଅ ଦୀପ ବିକେ । ଶହ ଶହ ବର୍ଷ ଧରି ଲକ୍ଷ ଲକ୍ଷ ପରିବାର ପାଇଁ ଏ ଜଗାର ଅର୍ଥନୀତି ।ଏଠି ଦାରୁ କାଠ ହାଣି କିଏ ବିଶ୍ୱକର୍ମା ତ କିଏ ଜଗନ୍ନାଥଙ୍କ ପାଇଁ ପାଟ ବୁଣେ । କିଏ ଘଣ୍ଟା ବାଡ଼ାଏ ତ କିଏ ଚନ୍ଦନ ଘୋରେ । କିଏ ଭଜନ ବୋଲେ ତ କିଏ ଜଗନ୍ନାଥଙ୍କୁ ଶୁଏଇ ଦେବା ପାଇଁ ଗୀତଗୋବିନ୍ଦ ବୋଲି ନୃତ୍ୟ କରେ । ଇଏ ଜଗାର ଅର୍ଥନୀତି । ଚିନ୍ତା କାହିଁକି । ବ୍ୟସ୍ତ ହୁଅନା । କାଲିସକାଳୁ ପ୍ରସ୍ତୁତ ହୋଇଥିବୁ, ମୁଁ ଡାକିବି, ଦାଣ୍ଡକୁ ଆସିବା । ଯା’ ।
ରାତି କେତେ ହେବ କେଜାଣି? ଅଧରାତି ସରିକି ସେମାନେ ଯେ ଯାହାର ଘରକୁ ଫେରିଲେ । ସକାଳ ହେଲା । ପରମା ଭୋରରୁ ଉଠିଥିବ । ମଦନ ବି ଉଠିଲା । ନିତ୍ୟକର୍ମ ସାରି, ପୂଜାପାଠ କରି, ଲୁଗାପଟା ପିନ୍ଧିବା କଥା । ମଦନ ପୁଣି ଥରେ ଖୁବ୍ ଜୋରରେ କଛା ଭିଡ଼ିଲା । ଧୋତିଟିଏ ଧରି ପିନ୍ଧିବାକୁ ଚେଷ୍ଟା କଲା । ଏ ଧୋତି ପିନ୍ଧା ଦେଖି ଘରଲୋକ ସାହିଲୋକ କ’ଣ ଭାବିବେ? ଧୋତି ପିନ୍ଧି ଦାଣ୍ଡରେ ଯାତ୍ରୀଙ୍କ ପଛରେ ଧାଇଁଲା ବେଳକୁ ଗୋଡ଼ ଛନ୍ଦି ହୋଇ ଯିବନିତ! ଯାତ୍ରୀମାନଙ୍କୁ ଜଗନ୍ନାଥଙ୍କ ବିଷୟରେ କ’ଣ ସେ ବୁଝେଇବ । ସବୁ ତ ଗତ ଉଣେଇଶି ବର୍ଷ ଭିତରେ ଭୁଲି ସାରିଛି । ଏସବୁ କାମ କଲା ବେଳକୁ ତାକୁ ଲାଜ ମାଡ଼ିବନି ତ! ତାର ସେଇ ଅପାଠୁଆ ସାଙ୍ଗମାନେ ତାକୁ ଏ ବେଶରେ ଦେଖି ହସିବେନି ତ? ଭଜୁମାଷ୍ଟ୍ରଙ୍କୁ ସେ କ’ଣ ଉତ୍ତର ଦେବ? ଶେଷରେ ଭଜୁ ସାରଙ୍କ କାଠ କଣ୍ଢେଇର ଶରଣାଗତ ବୋଲି ସେ ସ୍ୱୀକାର କରିପାରିବ ତ? “ଏତିକିରେ ହାରିଗଲୁ କିରେ ମଦନ । କ’ଣ ହେବାକୁ ଯାଇଥିଲୁ-ଏବେ କ’ଣ କରିବାକୁ ଆସିଛୁ? ତୋତେ କଣ ଲାଜ ସରମ ଛାଡ଼ି ଚାଲିଗଲାଣି କିରେ?” ସାହିଠୁ ଆରମ୍ଭ କରି ଦାଣ୍ଡ ପର୍ଯ୍ୟନ୍ତ ସମସ୍ତେ ତାକୁ ଟେରେଇ ଟେରେଇ ଚାହିଁବେ । କିଏ କିଏ ମୁରୁକି ହସା ଦେବେ । ସବୁ ସହ୍ୟ କରିପାରିବ ତ ମଦନ…!!!
ଉଣେଇଶି ବର୍ଷ ପରେ ପୁଣି ଧୋତି, ଉଣେଇଶି ବର୍ଷ ପରେ ପୁଣି ବଡ଼ ଦାଣ୍ଡ-ପୁଣି ଯାତ୍ରୀଙ୍କ ସେବାରେ ଧାଇଁବ? ଧୋତିର ଖୋସାଣି ଫିଟାଇଲା ମଦନ । ଖାଲି କାଛାଟା ପିନ୍ଧିଥିଲେ ବି ତାକୁ ଲାଜ ଲାଗିଲାନି । ସବୁତକ ପ୍ରମାଣପତ୍ର ତଳେ ବିଛେଇଲା । ତା ଉପରେ ଗୋଟେ ଟୁଲ୍ ଥୋଇଲା । ବେକରେ ଧୋତିଟିକୁ ଫାଶ ପକେଇ, ଟୁଲ୍ ଉପରେ ଠିଆ ହୋଇ ଘର ଫ୍ୟାନ୍ରେ ବାନ୍ଧିଲା ଏବଂ ସମସ୍ତ ଶକ୍ତି ଖଟେଇ ଟୁଲ୍ଟିକୁ ଠେଲି ଦେଲା । ପରମା ଆସି ମଦନ ମଦନ ବୋଲି ଡାକି କବାଟଟାକୁ ଖୋଲି ଦେଲା ବେଳକୁ ତା ଭିତରେ ମଦନ ଝୁଲୁଥିଲା । ମଦନ ମରି ଯାଇଥିଲା । ମଦନର ଶବ ସ୍ୱର୍ଗଦ୍ୱାରରେ ସତ୍କାର କରାଗଲା । ପରମା ବି ସାହି ଭାଇଙ୍କ ସିହତ ମଦନ ଶବକୁ କାନ୍ଧ ଦେଇଥିଲା । ମଦନର ଶବରେ ନିଆଁ ଧରିବାର ବେଶ କିଛି ସମୟ ପରେ ମାଲ ଭାଇମାନେ ଫେରିଥିଲେ । ଶ୍ୱେତଗଂଗାରେ ସ୍ନାନ କରି ପଇତା ବଦଳାଇ ଯେ ଯାହାର ଘରକୁ ଫେରିଥିଲେ । ପରମା କିନ୍ତୁ ସ୍ୱର୍ଗଦ୍ୱାରର ଭଙ୍ଗା ପାଚେରି ଉପରେ ବସିଥିଲା । ନିଜ ଦେହକୁ ଆଉଁସି ତା ଦେହର ସେଇ ବିଗତ ଛାଟ ମାଡ଼ର ଦାଗ ଖୋଜୁଥିଲା । ସେତେବେଳେ ପୁରୀର କାହାଘରେ କୁଆଁ କୁଆଁ କାନ୍ଦି କେହି ଜନ୍ମ ନେଉଥିଲା କି ନାହିଁ, ସେ କଥା ପରମା ଜାଣି ପାରୁନଥିଲା ।
ପରମା, ମଦନର ଜଳନ୍ତା ଶବରୁ ଉଠୁଥିବା ଧୂଆଁକୁ ଚାହିଁଛି ନା, ସମୁଦ୍ରର ଢ଼େଉକୁ ଚାହିଁଛି, ନା ତାଳବଣିଆରୁ ବଳିଆ ପଣ୍ଡାକୁ ଲମ୍ବିଥିବା ଚିକ୍କଣିଆ ରାସ୍ତାରେ ସାଏଁ ସାଏଁ ଧାଉଁଥିବା ଗାଡ଼ିଗୁଡ଼ିକୁ ଦେଖୁଛି-କେହି କିଛି ଜାଣି ପାରୁନଥିଲେ । ଗତ ନବକଳେବର ଅବ୍ୟବହିତ ପୂର୍ବରୁ ରେଳ ଦୁର୍ଘଟଣାରେ ଯାଜପୁର ଓ କେନ୍ଦୁଝର ରୋଡ଼୍ ନିକଟରେ ମରିଥିବା ଅସଂଖ୍ୟ ଲୋକଙ୍କ ଶବ ଦାହାର ଧୂଆଁ ସହିତ ଏ ନବକଳେବର ପୂର୍ବରୁ ମରିଥିବା ମଦନର ଶବ ଧୂଆଁ ମିଶୁଛି କି ନାହିଁ ସେ କଥାଟା କିଏ କହିବ । ପରମା କିନ୍ତୁ ମନେ ମନେ ଗୋଟିଏ କଥା କହୁଥିଲା ।
ମଦନରେ! ତୁ ଏତେ ଛାନିଆଁ କାହିଁକି ହୋଇଗଲୁ । ଅପେକ୍ଷା କଲୁନି । ନବକେଳବର ଦେଖିଥାନ୍ତୁ । ତୁ ଏ ବିଶ୍ୱାସ କାହିଁକି ହାରିଦେଲୁ ଯେ-ଜଗନ୍ନାଥ ତୋ କଥା ବୁଝିବେନି ବୋଲି । ଏଠି ଆଉ କିଛି ଚାଲି ପାରିବନିରେ । ମୋ ବିଶ୍ୱାସ, ଏଠି କେବଳ ଜଗନ୍ନାଥଙ୍କ ନୀତିନିୟମ ହିଁ ଚାଲିବ । ଏଇ ନବକଳେବର ହେବ । ତା ସଙ୍ଗେ ସଙ୍ଗେ ଦେଶର, ସରକାରର ମଧ୍ୟ । ଅପେକ୍ଷା କରିଥାନ୍ତୁ ନା । ଏଠି ଏ ଧାରକରା ଋଷିଆବାଦୀ ବା ଆମେରିକାବାଦୀ ଅର୍ଥନୀତି ମାଗଣା ତିଅଣ ଷୋଡ଼କେ ପରି । ଏଇଟା ପରା ଜଗନ୍ନାଥିଆର ଦେଶ । ତାର ନିଜସ୍ୱ ଗୋଟେ ଅର୍ଥନୀତି ଅଛି । ସେଇଟା ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲୁନି । ଆରେ, ଧାରକରା ଅର୍ଥନୀତିରେ ଏ ଦେଶ ତୋ ପରି ଦଶା ଭୋଗିବା ପୂର୍ବରୁ ତାର ବି ନବକଳେବର ହେବ । ଜଗନ୍ନାଥଙ୍କର ନୂଆ ମୁହଁ ନଦେଖି ଯା ତୁ ଚାଲିଗଲୁ… । ରହିଲୁନି ନବକଳେବର ଦେଖିଥାନ୍ତେ!