ଜଗନ୍ନାଥ ମହାପ୍ରଭୁ ଏ କଳିଯୁଗରେ ଦେବତା ନୁହଁନ୍ତି- ମଣିଷ, ଉତ୍ତମ ପୁରୁଷ-ପୁରୁଷୋତ୍ତମ । ମାନବୋଚିତ ଗୁଣାବଳୀ ମଧ୍ୟରେ ତାଙ୍କ ସେବା ପୂଜାର ସୃଷ୍ଟି । ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କର ଯାନିଯାତ୍ରା ଓ ପର୍ବପର୍ବାଣି କୃଷି ସହିତ ସଂପୃକ୍ତ । ମହାପ୍ରଭୁଙ୍କ ନିମନ୍ତେ ଉଦ୍ଦିଷ୍ଟ ନୀତି, ଭୋଗ ଓ ଦୈନନ୍ଦିନ ସେବା କାର୍ଯ୍ୟ ଆଦି ଶସ୍ୟର ରୋପଣ, ସଂରକ୍ଷଣ ଓ ଉତ୍ପନ୍ନ ସହିତ ସଂଶ୍ଳିଷ୍ଟ । ଏଗୁଡ଼ିକ ହିଁ ମାନବ କର୍ମ ଓ ଧର୍ମର ପ୍ରତିଛବି । ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଲାଗିରହିଛି ବର୍ଷସାରା ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣି । ତନ୍ମଧ୍ୟରୁ ବାରଗୋଟି ବିଶିଷ୍ଟ ଉତ୍ସବ ପାଳିତ ହୁଏ ଶ୍ରୀମନ୍ଦିରରେ । ତାହାକୁ ଦ୍ୱାଦଶ ଯାତ୍ରା ବୋଲି କହନ୍ତି । ନୀଳାଦ୍ରିରେ ପ୍ରଚଳିତ ଦ୍ୱାଦଶ ଯାତ୍ରା ହେଉଛି- (୧) ସ୍ନାନଯାତ୍ରା (୨) ରଥଯାତ୍ରା (୩) ଶୟନଯାତ୍ରା (୪) ଦକ୍ଷିଣାୟନ ଯାତ୍ରା (୫) ପାଶ୍ୱର୍ ପରିବର୍ତ୍ତନ ଯାତ୍ରା (୬) ଉତ୍ଥାପନ ଯାତ୍ରା (୭) ପ୍ରାବରଣ ଷଷ୍ଠୀ ଯାତ୍ରା, (୮) ପୁଷ୍ୟାଭିଷେକ ଯାତ୍ରା (୯) ଉତ୍ତରାୟଣ ଯାତ୍ରା (୧୦) ଦୋଳ ଯାତ୍ରା (୧୧) ଦମନକ ଚତୁର୍ଦ୍ଦଶୀ ଯାତ୍ରା (୧୨) ଚନ୍ଦନ ଯାତ୍ରା । ସ୍ନାନଯାତ୍ରାରୁ ଆରମ୍ଭ ହୋଇ ଶେଷ ହୁଏ ଚନ୍ଦନଯାତ୍ରାରେ । ଏହି ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରେଷ୍ଠ ଓ ବଡ଼ଯାତ୍ରା ହେଉଛି ମହାପ୍ରଭୁଙ୍କର ରଥଯାତ୍ରା । ଏହା ପୃଥିବୀ ପ୍ରସିଦ୍ଧ ଯାତ୍ରା । ପୃଥିବୀର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତମାନଙ୍କର ସମାଗମ ହୁଏ ଏ ରଥଯାତ୍ରାରେ ।
ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ବା ଋକ୍ମିଣୀହରଣ ଏକାଦଶୀଠାରୁ ତ୍ରୟୋଦଶୀରେ ନୀଳାଦ୍ରିକୁ ମହାପ୍ରଭୁ “ଭାଇ ଭଉଣୀଙ୍କୁ ଧରି ବିଜେ କରିବା ପର୍ଯ୍ୟନ୍ତ ଯାତ୍ରା ବା ଉତ୍ସବକୁ କୁହାଯାଏ ରଥଯାତ୍ରା । ଏହି ରଥଯାତ୍ରାର ଅବଧି ଏକ ମାସରୁ ଊଦ୍ଧ୍ୱର୍ ହୋଇଥାଏ । ପ୍ରଭୁଙ୍କର ସ୍ନାନଯାତ୍ରା ଏହି ଅବସରରେ ଶ୍ରୀମନ୍ଦିର ପରିସରରେ ପାଳିତ ହେଲେ ମଧ୍ୟ ଏହା ରଥଯାତ୍ରା ବିଧାନର ଏକ ଅଙ୍ଗ ବୋଲି କୁହାଯାଇଥାଏ । ଜ୍ୟେଷ୍ଠ ପୂର୍ଣ୍ଣମୀରେ ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ରହିଥିବା ସ୍ନାନମଣ୍ଡପରେ ଦିଅଁମାନେ ସୁନାକୂଅରୁ ଆସିଥିବା ୧୦୮ ଗରା ଜଳରେ ସ୍ନାନ କରିଥାନ୍ତି । ତା’ର ଚାରିଦିନ ପୂର୍ବରୁ ମହାପ୍ରଭୁ ଜଗନ୍ନାଥ କୃଷ୍ଣ ଅବତାରରେ ରୁକ୍ମିଣୀଙ୍କୁ ହରଣ କରି ବିବାହ କରିଥାନ୍ତି । ଏଠି କୃଷ୍ଣ ଓ ଜଗନ୍ନାଥଙ୍କୁ ଏକ ଓ ଅଭିନ୍ନ ବୋଲି ଭାଗବତ ଧର୍ମ ଉପାସନାରେ ଗ୍ରହଣ କରିନିଆଯାଇଛି । ସେଇଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଠାରୁ ଆରମ୍ଭ କରି ବିଭିନ୍ନ ଲୀଳାଖେଳାର ରୂପ ପ୍ରଦର୍ଶିତ ହେଉଛି ପୁରୀ ଶ୍ରୀକ୍ଷେତ୍ରରେ ।
ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ମହାପ୍ରଭୁ କୃଷ୍ଣବେଶରେ ଋକ୍ମିଣୀଙ୍କୁ ବିବାହ କରିଥାନ୍ତି । ସେଇଥିପାଇଁ ଏହି ଏକାଦଶୀର ନାମ ହୋଇଛି ରୁକ୍ମିଣୀ ହରଣ ଏକାଦଶୀ । ତା’ର ଚାରିଦିନ ପରେ ଜ୍ୟେଷ୍ଠ ପୂର୍ଣ୍ଣମୀରେ ମହାପ୍ରଭୁଙ୍କର ହୁଏ ଚତୁର୍ଥୀ ସ୍ନାନ ବା ଦେବସ୍ନାନ । ତେଣୁ ଏହି ପୂର୍ଣ୍ଣିମାକୁ କୁହାଯାଏ ଦେବସ୍ନାନ ପୂର୍ଣ୍ଣିମା । ଏହି ତିଥିରେ ମହାପ୍ରଭୁ ସ୍ନାନ କରି ଅଣସର ଘରେ ଅସୁସ୍ଥ ହୋଇପଡ଼ନ୍ତି । ଲକ୍ଷ୍ମୀପାକ ଭୋଜନ ନ କରି ତାଙ୍କଠାରୁ ଅଲଗା ହୋଇ ଦୀର୍ଘ ପନ୍ଦର ଦିନ କାଳ ଅଣସର ଘରେ ରହନ୍ତି । ଫଳମୂଳ ଓ ପାଣିପଣା ଆଦି ସେବନ କରିଥାନ୍ତି । ଦ୍ୱିପ୍ରହର ଧୂପ ପରେ ପଣାଭୋଗ ତାଟିବାଡର ଚୋରି ଦ୍ୱାର ପାଖରେ ହୁଏ । ବଡ଼ ୧୪ ଓଳି ଓ ସାନ ୧୪ ଓଳି ପଣାଭୋଗ ସର ଘରେ ପ୍ରସ୍ତୁତ ହୋଇ ଅଣସର ଘରେ ମହାପ୍ରଭୁଙ୍କୁ ଲାଗିହୁଏ । ପଣାଭୋଗ ପୂଜାରେ ପତିମହାପାତ୍ର ବସନ୍ତି । କାରଣ ମହାପ୍ରଭୁଙ୍କୁ ତାଙ୍କର ନିତ୍ୟ-ନୈମିତ୍ତିକ ମହାପ୍ରସାଦରୁ ବଞ୍ଚିତ କରାଯାଇ କେବଳ ଦୁଗ୍ଧ ସର ଓ ଆମ୍ବ, ପଣସ, ସପୁରୀ ଓ ଆତ ଆଦି ଫଳମୂଳ ଭୋଗ ଲଗାଯାଏ । କିନ୍ତୁ ଅନ୍ନ ମହାପ୍ରସାଦ ମହାପ୍ରଭୁଙ୍କ ପ୍ରତୀକ ସ୍ୱରୂପ ଅନନ୍ତ ବାସୁଦେବ, ନାରାୟଣ ଓ ଭୁବନେଶ୍ୱରୀଙ୍କ ପଟିଦିଅଁଙ୍କୁ ଅର୍ପଣ କରାଯାଏ । ଜ୍ୱର ରୋଗରୁ ଆରୋଗ୍ୟ, ଉପଶମ ପାଇଁ ମହାପ୍ରଭୁଙ୍କୁ ଦଶମୂଳ ମୋଦକ, ବୃହତ୍ ପଞ୍ଚମୂଳ ଏବଂ ଲଘୁ ପଞ୍ଚମୂଳ ଆଦି ମିଶାଇ ପାଚନ ପାଣି ସେବନ କରିବାକୁ ଦିଆଯାଏ । ଏହି ଆୟୁର୍ବେଦ ଔଷଧଯୁକ୍ତ ପାଚନ ପାଣି ତି୍ରଦୋଷ ନାଶକ । ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ସେବା କାର୍ଯ୍ୟରେ ନିମ୍ବ, ତୁଳସୀ, ଚନ୍ଦନ, ତ୍ରିଫଳା, କର୍ପୂର, ଜାଇଫଳ ଆଦି ଆୟୁର୍ବେଦୀୟ ବନୌଷଧିଗୁଡ଼ିକ ବ୍ୟବହୃତ ହୋଇଥାଏ । ସେହିଭଳି ତୁଳସୀ ମହାପ୍ରଭୁଙ୍କର ଅତିପ୍ରିୟ । ତୁଳସୀ ବିନା ଭୋଗ ମହାପ୍ରସାଦ ହୋଇପାରେ ନାହିଁ । ଏହାବ୍ୟତୀତ ମହାପ୍ରଭୁଙ୍କ ସମସ୍ତ ନିତ୍ୟକର୍ମ, ପୂଜାବିଧି, ସାଜସଜା ଓ ଅଙ୍ଗଭୂଷଣରେ ତୁଳସୀର ମର୍ଯ୍ୟାଦା ସର୍ବାଗ୍ରେ ରହିଆସିଛି । ମହାପ୍ରଭୁ ଜଗନ୍ନାଥଙ୍କ ଘଟ ପରିବର୍ତ୍ତନ ବେଳେ ଦୈନନ୍ଦିନ ମଙ୍ଗଳ ଆଳତିଠାରୁ ବଡ଼ ସିଂହାର ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ତୁଳସୀର ଆବଶ୍ୟକତା ପଡ଼ିଥାଏ ।
ଅଣସର ଘରେ ଷଷ୍ଠୀ ଠାରୁ ନବମୀ ପର୍ଯ୍ୟନ୍ତ ପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ଦିବ୍ୟଲେପ (ଓଷୁଅ) ପ୍ରସ୍ତୁତ କରି ଯୋଗାଇଥାନ୍ତି ସୁଦ ସୁଆର । ଦଶମୀ ଦିନ ଖଳିଚୂଆ ଚନ୍ଦନକୁ ନ’ଗୋଟି ରୁପା ବାଟିରେ ପ୍ରସ୍ତୁତ କରି ଏମାନେ ଯୋଗାଇ ଦିଅନ୍ତି । ଏକାଦଶୀରେ ଦିବ୍ୟ ପ୍ରଲେପ ଖଳି ପ୍ରସାଦ ଯୋଗାଇଥାନ୍ତି । ଶ୍ରୀଅଙ୍ଗଲେପନ ନିମିତ୍ତ ଗହମରେ ପ୍ରସ୍ତୁତ ହୋଇଥାଏ ଏହି ଖଳିପ୍ରସାଦ । ଦ୍ୱାଦଶୀ ତିଥିରେ ନିର୍ଜନ ରାତିରେ ଶ୍ରୀଜିଉମାନଙ୍କ ବିରୂପ ବିସର୍ଜନ କାର୍ଯ୍ୟ କରାଯାଏ । ଖଳି ଲାଗି, ଫୁଲୁରି ତେଲ ଲାଗି ହେବା ପରେ ଚନ୍ଦନ ଲାଗି ଓ ବନକ ଲାଗି ହୁଅନ୍ତି ମହାପ୍ରଭୁ । ଚତୁର୍ଦଶୀରେ ପଣାଭୋଗ ପରେ ଶ୍ରୀଜିଉଙ୍କର ହୁଏ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ । ଏହି ନେତ୍ରୋତ୍ସବ କେବଳ ଭଗବାନଙ୍କର ନୁହେଁ, ବରଂ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଏ ନେତ୍ରୋତ୍ସବ । ଏହିଦିନ ଭକ୍ତ ଭଗବାନଙ୍କର ଡୋଳାରେ ଡୋଳା ମିଶିଯାଏ । କାରଣ ସେ ପରା ଜଗନ୍ନାଥ ସ୍ୱାମୀ ଓ ନୟନପଥ ଗାମୀ । ଜୀବ ସଂସାରର ରୋଗ ବ୍ୟାଧିରୁ ମୁକ୍ତି ଲାଭ କଲା ପରେ ଯାଇ ତା’ର ଜ୍ଞାନନେତ୍ର ଉନ୍ମିଳିତ ହୁଏ ।
ଜଗନ୍ନାଥ ମହାପ୍ରଭୁ ସୁସ୍ଥ ହେବା ପରେ ନବଯୌବନ ଲାଭ କରି ନବବିବାହିତା ପତ୍ନୀ ଲକ୍ଷ୍ମୀଙ୍କୁ ସାକ୍ଷାତ ନ କରି ଆଷାଢ଼ ଶୁକ୍ଳ ପୁଷ୍ୟା ନକ୍ଷତ୍ରଯୁକ୍ତ ଦ୍ୱିତୀୟା ତିଥିରେ ବାହାରନ୍ତି ରଥକୁ । ଏହାକୁ ମହାପ୍ରଭୁଙ୍କ ରଥଯାତ୍ରା ବୋଲି କହନ୍ତି । ତିନିରଥରେ ଭାଇ ଭଉଣୀଙ୍କୁ ସାଥିରେ ଧରି ନଅଦିନ ପାଇଁ ଯାତ୍ରା କରନ୍ତି ମହାପ୍ରଭୁ ତାଙ୍କ ଜନ୍ମସ୍ଥଳୀ ଗୁଣ୍ଡିଚା ଘରକୁ । ମୁକ୍ତିକାମୀ ପାପୀ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କର ଏ ଯାତ୍ରା- ଗୁଣ୍ଡିଚା ଯାତ୍ରା ବା ପତିତପାବନ ଯାତ୍ରା । ମହାପ୍ରଭୁ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ଗୁଣ୍ଡିଚା ଘରକୁ ଯାତ୍ରା କଲାବେଳେ ନବବିବାହିତା ଲକ୍ଷ୍ମୀଙ୍କୁ ସାଥିରେ ନେବା ତ ଦୂରର କଥା, କଥା ପଦେ ବି କହିକି ଗଲେନି । ଏଭଳି ଦୁଃଖରେ ମ୍ରିୟମାଣ ହୋଇଛନ୍ତି ଲକ୍ଷ୍ମୀ । ପତି ବିରହ ବିଧୁରା ଅଭିମାନିନୀ ଲକ୍ଷ୍ମୀ ଆଜି ବିଚ୍ଛେଦ ଯନ୍ତ୍ରଣାରେ ଜର୍ଜରିତ । ଏହି ବିଚ୍ଛେଦ ଦୁଃଖର ଉପଶମ ପାଇଁ ପ୍ରିୟ ସଙ୍ଗିନୀ ଭଗ୍ନୀକଳ୍ପା ବିମଳା ଓ ସରସ୍ୱତୀଙ୍କ ପରାମର୍ଶ ଲୋଡ଼ିଛନ୍ତି । କାରଣ ପ୍ରାଣପ୍ରିୟ ପ୍ରଭୁ ତାଙ୍କ ପ୍ରତି ଉଦାସୀନ ହୋଇଥିବାରୁ ମହାଲକ୍ଷ୍ମୀ ଅଭିମାନ କରିବା ସ୍ୱାଭାବିକ । ଏଣେ ଭଗ୍ନୀକଳ୍ପା ବିମଳାଙ୍କ ପରାମର୍ଶକ୍ରମେ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯାତ୍ରା କରିଛନ୍ତି । ଲକ୍ଷ୍ମୀଙ୍କ ଏ ଯାତ୍ରା ବିରହିଣୀର ଯାତ୍ରା ନୁହେଁ; ବରଂ ବୀରାଙ୍ଗନାର ଯାତ୍ରା ବା ବିଜୟୋତ୍ସବର ଯାତ୍ରା । ମହାଲକ୍ଷ୍ମୀ ଆଡ଼ପ ଅଭିଯାନରେ ବାହାରିଛନ୍ତି । ମନ୍ଦିର ପ୍ରବେଶ ଓ ପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ଭିକ୍ଷା କରି ଆଜ୍ଞାମାଳ ପ୍ରେରଣ କରିଛନ୍ତି । ଆଜ୍ଞାମାଳ ପାଇଲା ପରେ ବିମାନରେ ବସି ଲକ୍ଷ୍ମୀ ଯାତ୍ରା କରିଛନ୍ତି । ମାତ’ ଲକ୍ଷ୍ମୀଙ୍କ ଅଭିମାନ ପଟୁଆରକୁ ଦେଖି ଶ୍ରୀଜଗନ୍ନାଥଙ୍କ ସେବକ ଦଇତାମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟ ଦ୍ୱାର ଅବରୋଧ କରିଦିଅନ୍ତି; ମାତ୍ର ବିଦ୍ୟାପତି ବଂଶଜ ପତି ମହାପାତ୍ରମାନେ ଯଥାବିଧି ମା’ ଲକ୍ଷ୍ମୀଙ୍କ ସେବା ବଢ଼ାଇ ନାକଚଣା ଦ୍ୱାର ବାଟେ ଆଡ଼ପ ମଣ୍ଡପକୁ ପ୍ରବେଶ କରନ୍ତି । ତା’ପରେ ମନ୍ଦିର ପ୍ରତ୍ୟାବର୍ତ୍ତନ ନିମନ୍ତେ ରଥଗୁଡ଼ିକ ଦକ୍ଷିଣମୋଡ଼ କରାଇବା ପାଇଁ ପ୍ରଭୁ ଆଦେଶ ଦିଅନ୍ତି । ତେଣୁ ହେରାପଞ୍ଚମୀ ଅର୍ଥାତ୍ ଷଷ୍ଠୀ ପରଦିନ ପ୍ରଭୁଙ୍କର ଆଜ୍ଞମାଳ ଦିଆଯାଇ ରଥ ଦକ୍ଷିଣମୋଡ଼ ହୋଇଥାଏ ।
ଭଣ୍ଡାର ଘରେ ଥିବା ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରନ୍ତି । ଏହାପରେ ବନକ ଲାଗି ହୋଇ ଚାଙ୍ଗଡ଼ାମେକାପ ଦେଇଥିବା ପାଟଶାଢ଼ି ଓ ଭଣ୍ଡାରଘରୁ ଯାଇଥିବା ଅଳଙ୍କାର ଲାଗି ବଢ଼ିବା ପରେ ପାଳିଆ ମେକାପ, ପଢ଼ିଆରୀ ଓ ମୁଦୁଲି ଦେଇଥିବା ପନ୍ତିଭୋଗ ପୂଜାପଣ୍ଡା ଭୋଗ କରନ୍ତି । ତା’ପରେ ମହାଜନମାନେ ବଟତଳେ ଥିବା ବିମାନରେ ଲକ୍ଷ୍ମୀଙ୍କୁ ବିଜେ କରାଇଲା ପରେ ବିମାନବଡୁମାନେ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଗୁଣ୍ଡିଚା ଘରକୁ ବିମାନ ନିଅନ୍ତି ଓ ମହାପ୍ରଭୁଙ୍କ ରଥ ପାଖରେ ଠିଆ ହୁଅନ୍ତି । ମନ୍ଦିରରୁ ଆସିଥିବା କାଠଘୋଡ଼ା ଉପରେ ଠିଆ ହୋଇ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ କରନ୍ତି । ଘସାବିଡ଼ିଆ (ଚନ୍ଦନ, ଜାଇଫଳ ମିଶ୍ରିତ ବିଡ଼ିଆ ପନା) ଓ ଦହିପଟି (ଓଳିଏ ଦହି ସହ ଶାକର ବା କୋରା) ମଣୋହି କରାନ୍ତି । ଇତିମଧ୍ୟରେ ଗୁଣ୍ଡିଚା ଘରେ ଠାକୁରଙ୍କ ମଧ୍ୟାହ୍ନ ଧୂପ ପରେ ଶାଢ଼ି ଲାଗି ହୋଇ ଆଳତି ବଢ଼େ ଓ ପଞ୍ଚାମୃତ ମହାସ୍ନାନ ହୁଏ । ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ବଢ଼ିବା ପରେ ସନ୍ଧ୍ୟା ଧୂପ ଉଠେ । ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନ ଜୟବିଜୟ ଦ୍ୱାର ନିକଟକୁ ଆସନ୍ତି । ପତିମହାପାତ୍ର ସିଂହାସନକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଲା ପରେ ପଣ୍ଡା ପୂଜା ବଢ଼ାଇ ଧୂପଦୀପ ଦେଇ ଟେରା ପକାନ୍ତି । ମା’ଲକ୍ଷ୍ମୀଙ୍କ ବିମାନ ଜଗମୋହନରୁ ନାକଚଣା ଦ୍ୱାର ଦେଇ ତେନ୍ତୁଲି ଗଛ ନିକଟରେ ରଖାଯାଏ । ସେଠାରେ ଭିତରଛୁ ମହାପାତ୍ର ଗରାବଡୁ ଠାରୁ ହାତୁଆଣି ନେଇ ବନ୍ଦାପନା କରନ୍ତି ଓ ଦହିପଟି ମଣୋହି କରାନ୍ତି । ଏହାପରେ ଲକ୍ଷ୍ମୀଙ୍କ ବିମାନ ଶରଧାବାଲିରେ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନେଇ ସେବକ ଭିତରୁ ଜଣେ ରଥର ଖଣ୍ଡିଏ କାଠ ଭାଙ୍ଗିଆଣି ହେରାଗୋହିରୀ ସାହି ଦେଇ ବଡ଼ଦେଉଳକୁ ବିଜେ କରନ୍ତି । ହେରା ପଞ୍ଚମୀ ଦିନ ଗୁଣ୍ଡିଚା ଘରେ ସାନପିଠା, ସାନ ଆରିସା, ବଡ଼ଆରିସା, ସାନକାନ୍ତି, ସାନ କାକରା, ଓରିଆ, ମୁଗ, କ୍ଷୀରି ଆଦି ଭୋଗ ଲାଗିହୁଏ । ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ହେରିବା (ଦେଖିବା) ପାଇଁ ଏ ପଞ୍ଚମୀରେ ବିଜେ କରୁଥିବାରୁ ଏହାର ନାମ ହେରାପଞ୍ଚମୀ ଓ ସାହିର ନାମ ହେରାଗୋହିରୀ ସାହି । ମା’ଲକ୍ଷ୍ମୀଙ୍କ ସହିତ ଯାଆନ୍ତି ଯମେଶ୍ୱର, ଲୋକନାଥ, ମାର୍କଣ୍ଡେଶ୍ୱର, କପାଳମୋଚନ ଓ ନୀଳକଣ୍ଠ ଆଦି ପଞ୍ଚୁପାଣ୍ଡବ ମଧ୍ୟସ୍ଥି ଭାବରେ । ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ଏବଂ ଗୁଣ୍ଡିଚା ଘରେ ସେବକମାନଙ୍କ ଆଚରଣରେ ଲକ୍ଷ୍ମୀ ଅପମାନିତା ହୋଇଥିବାରୁ ମା’ ଲକ୍ଷ୍ମୀ କ୍ରୋଧ ଓ ଅଭିମାନରେ ବାହୁଡ଼ି ଆସିଲା ବେଳେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଖଣ୍ଡେ କାଠ ସେବକମାନେ ଭାଙ୍ଗି ଆଣନ୍ତି । ଶେଷରେ ଶ୍ରୀଜଗନ୍ନାଥ ପତ୍ନୀ ଲକ୍ଷ୍ମୀଙ୍କ ନିକଟରେ ନିଜର ଭୁଲ ସ୍ୱୀକାର କରି ଆଉ ଦୁଇଦିନ ପରେ ଶ୍ରୀମନ୍ଦିରକୁ ଫେରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଲକ୍ଷ୍ମୀନାରାୟଣ ମିଳନ ପାଇଁ ବନ୍ଦାପନା ହୁଏ । ମହାଲକ୍ଷ୍ମୀଙ୍କ ନାରୀ ସୁଲଭ ରୋଷ ଓ ମାନ ଅଭିମାନ ଏଥିରେ ପରିଲକ୍ଷିତ ହୋଇଥାଏ । ପରିବାରରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ କିପରି ଅବିଚ୍ଛେଦ୍ୟ ଓ ବିରହ ମିଳନର ସମନ୍ୱୟ ମଧ୍ୟରେ ଏହା କିପରି ଭାରତୀୟ ସଂସ୍କୃତିରେ ତିଷ୍ଠି ରହିଛି, ତାହାହିଁ ଏହି ହେରାପଞ୍ଚମୀ ଯାତ୍ରାର ବୈଶିଷ୍ଟ୍ୟ ।
ହେରାପଞ୍ଚମୀ ପରଦିନ ଅର୍ଥାତ୍ ଶ୍ରୀଜିଉଙ୍କ ଅବସ୍ଥାନର ସପ୍ତମ ଦିବସରେ ତିନିରଥର ଦକ୍ଷିଣମୋଡ଼ ହୁଏ । ଗୁଣ୍ଡିଚାମନ୍ଦିର ସିଂହଦ୍ୱାରରୁ ଅଣାଯାଇ ସେଇ ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଏ । ଶ୍ରୀଗୁଣ୍ଡିଚା ମନ୍ଦିରରେ ସପ୍ତମୀ, ଅଷ୍ଟମୀ ପୂଜା ପରେ ନବମୀରେ ହୁଏ ପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଯେଉଁମାନେ ମହାପ୍ରଭୁଙ୍କ ଗୁଣ୍ଡିଚା ମଣ୍ଡପ ରହଣି ସପ୍ତାହ ମଧ୍ୟରେ ମସ୍ତକ ମୁଣ୍ଡନ ଓ ଇନ୍ଦ୍ରଦୁ୍ୟମ୍ନ ସ୍ନାନପୂର୍ବକ ତର୍ପଣ କରି ମହାବେଦୀରେ ତାଙ୍କୁ ଦର୍ଶନ କରନ୍ତି, ସେମାନେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ଲାଭ କରନ୍ତି । ‘ନୀଳାଦ୍ରୌ ଦଶ ବର୍ଷାଣି ଆଡପ ମଣ୍ଡପେ ଦିନେ’- ଅର୍ଥାତ୍ ନୀଳାଦ୍ରି ବା ଶ୍ରୀମନ୍ଦିରରେ ଦଶବର୍ଷ କାଳ ତ୍ରିକାଳ ସନ୍ଧ୍ୟାରେ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟଫଳ ମିଳେ, ଗୁଣ୍ଡିଚା ଘର ବା ଆଡ଼ପ ମଣ୍ଡପରେ ଥରେ ବା ଦିନେ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ ।
ଗୁଣ୍ଡିଚା ଘର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଆଠଦିନ ରହଣି ପରେ ଦଶମୀ ତିଥିରେ ହୁଏ ବାହୁଡ଼ା ଯାତ୍ରା । ବଡ଼ ଠାକୁରଙ୍କ ରଥ ବଡ଼ଶଙ୍ଖ ଯାଏ ଆସିଲା ପରେ ଶ୍ରୀସୁଭଦ୍ରାଙ୍କ ଦେବଦଳନ ରଥ ଟଣା ହୋଇ ଆସେ । ଶେଷରେ ଟଣାହୁଏ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ । ବଡ଼ଠାକୁର ଓ ଦେବୀ ସୁଭଦ୍ରାଙ୍କ ରଥଟଣା ହୋଇ ସିଂହଦ୍ୱାର ନିକଟକୁ ଆସିଲା ବେଳକୁ ଶ୍ରୀଜଗନ୍ନାଥଙ୍କ ରଥ ବାଟରେ ମାଉସୀ ମା’ ମନ୍ଦିର ପାଖରେ ରହେ । ମାଉସୀମା’ ଦେଉଳର ସେବକ ଛେନା ପୋଡ଼ପିଠା କରି ରଖିଥାଏ, ଶ୍ରୀଜଗନ୍ନାଥଙ୍କୁ ଭୋଗ ଦିଏ । ସେଠାରୁ ଶ୍ରୀଜଗନ୍ନାଥଙ୍କ ରଥ ଆସି ରାଜାଙ୍କ ନଅର ପାଖରେ ରହେ । ଏହି ସମୟରେ ଲକ୍ଷ୍ମୀ ବାହାର ଭଣ୍ଡାର ଘରୁ ପାଟଶାଢ଼ି ପିନ୍ଧି ମାଳଫୁଲ ବେଶ ହୋଇ ମହାଜନଙ୍କ ହାତରେ ସାତପାହାଚ ଦ୍ୱାରରେ ଥିବା ପାଲିଙ୍କିରେ ବିଜେ କରନ୍ତି । ବିମାନ ବଡୁମାନେ ବିମାନ ନେଇ ଚାହାଣି ମଣ୍ଡପରେ ଠିଆ କରନ୍ତି । ସେତେବେଳେ ଶାଢ଼ି ବନ୍ଧା ଦେବଦାସୀ ସେବକମାନେ ଲକ୍ଷ୍ମୀଙ୍କ ସହିତ ଥାଆନ୍ତି । ସେଠାରେ ମହାଲକ୍ଷ୍ମୀ ଜଗନ୍ନାଥଙ୍କ ରଥକୁ ଚାହାଁନ୍ତି । ସିଂହଦ୍ୱାରର ଦକ୍ଷିଣରେ ରହିଛି ଏହି ଚାହାଣି ମଣ୍ଡପ । ମା’ ଲକ୍ଷ୍ମୀ ଏହି ମଣ୍ଡପରୁ ଚାହିଁଲା ପରେ ନଅର ଦ୍ୱାରକୁ ବିଜେ ହୁଅନ୍ତି । ନଅର ଦ୍ୱାର ସମ୍ମୁଖରେ ଥିବା ଶ୍ରୀଜଗନ୍ନାଥଙ୍କ ରଥ ଚାରିପଟେ ବେଢ଼ାଏ ବୁଲେ ଲକ୍ଷ୍ମୀଙ୍କ ବିମାନ । ଦଇତାପତିମାନେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେଲା ପରେ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରନ୍ତି । ଏହାପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରକୁ ଆସେ । ଠାକୁରମାନେ ସେହିଦିନ ରଥରେ ଆସି ସିଂହଦ୍ୱାର ସାମ୍ନାରେ ରହନ୍ତି । ପ୍ରତ୍ୟେକ ଧୂପରେ ମହାପ୍ରଭୁଙ୍କର ଶୁଖିଲାଭୋଗ ହୁଏ । ତହିଁ ପରଦିନ ଏକାଦଶୀରେ ଠାକୁରମାନେ ରଥରେ ଥାଇ ଏକାଦଶୀ ନୀତି ଓ ସୁନାବେଶ ହୁଏ । ଦ୍ୱାଦଶୀରେ ରଥ ଉପରେ ହୁଏ ଅଧରପଣା ଭୋଗ । ବର୍ଷରେ ଏଇ ଦୁଇଦିନ ମା’ ଲକ୍ଷ୍ମୀ ଠାକୁରାଣୀ ଓ ଭଉଣୀ ସୁଭଦ୍ରାଙ୍କର ଭୂମିକା ରଥଯାତ୍ରା ସମୟରେ ଗୁରୁତ୍ୱପୂର୍ଣ୍ଣ ।
ଐତିହ୍ୟ ଓ ପରମ୍ପରାରେ ଦେବୀ ସୁଭଦ୍ରା-
ଦେବୀ ସୁଭଦ୍ରାଙ୍କୁ ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ଭଉଣୀ ରୂପରେ ଓ ସଖା ଅର୍ଜୁନଙ୍କ ସ୍ତ୍ରୀ ରୂପରେ ଗ୍ରହଣ କରାଯାଇଛି । ମାତ୍ର କଳିଯୁଗରେ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ପ୍ରଧାନ ଦେବୀ ରୂପେ ତାଙ୍କୁ ପୂଜା କରାଯାଉଛି, ଏକଥା ପଶ୍ଚିମଓଡ଼ିଶାର ଡାଲଖାଇ ଲୋକଗୀତରୁ ଜଣାଯାଏ । ଯେପରି-
“ଆଷାଢ଼ ମାସରେ ଗୁନ୍ଚା ରଥ,
ରଥେ ବିଜେ କଲେ ଜଗତନାଥ ।
ଆଗେ ବଳଭଦ୍ର ପଛେ ଭବାନୀ,
ପଛେ କୁ ଦାଇଲେ ଦୁତିଲୋ ଖାରଙ୍ଗ ପାନି ।
ଡାଲଖାଇରେ ଶିରାବନ ମାସେ ରାମଝୁଲନ୍, ବିମାନରେ ରାଜା କୃଷ୍ଣ ମିଲନ ।
ଦେଖି ପଞ୍ଚୁପ୍ରାନ ହୁଅଇ ଘାରି,
ଥଲେ ବନ୍ଧୁ ପାଖେ ଦୁତିଲୋ କରନ୍ତି କେଲି ।”
ଏହି ଲୋକଗୀତରେ ପୁରୀ ଗୁଣ୍ଡିଚା ଯାତ୍ରା ବେଳର ତିନୋଟି ରଥର ବର୍ଣ୍ଣନା ପ୍ରସଙ୍ଗରେ ପ୍ରଥମ ରଥରେ ବଳଭଦ୍ର, ତା’ପର ରଥରେ ଭବାନୀ ସୁଭଦ୍ରା ଓ ତାଙ୍କ ପଛକୁ ସାରଙ୍ଗପାଣି ଜଗନ୍ନାଥ ଗୋଡ଼ାଉଛନ୍ତି । ଏଠାରେ ବଳଭଦ୍ର ରୁଦ୍ର ହୋଇଥିବାରୁ ମା’ ସୁଭଦ୍ରାଙ୍କୁ ଭବାନୀ ବୋଲି ସମ୍ବୋଧନ କରାଯାଇଛି । ସନ୍ଥ ମହାପୁରୁଷ ଅଚୁ୍ୟତାନନ୍ଦ ତାଙ୍କ ‘ଚିତ୍ତ ବିନୋଦ’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି-
“ଏବେ ଏକା ମନ ହୋଇ ଶୁଣ ହେ ଶଙ୍କର, ନୀଳାଦ୍ରିରେ ହେବି ମୁହିଁ ବୌଦ୍ଧ ଅବତାର ।
ବଳଭଦ୍ର ରୂପେ ତୁମ୍ଭେ ବିଷ୍ଣୁ ମୂର୍ତ୍ତି ହୋଇ, ସୁଭଦ୍ରା ରୂପରେ ତହିଁ ଆଦ୍ୟା ଥିବେ ରହି ।”
ସନ୍ଥ ଅଚ୍ୟୁତାନନ୍ଦଙ୍କ ମତରେ ନୀଳାଦ୍ରିନାଥ ଜଗନ୍ନାଥ ହେଉଛନ୍ତି ବୌଦ୍ଧ ଅବତାର । ଶଙ୍କର ହେଉଛନ୍ତି ବିଷ୍ଣୁ ମୂର୍ତ୍ତିଧାରୀ ବଳଭଦ୍ର । ଶିବଙ୍କର ଗୋଟିଏ ମୂର୍ତ୍ତିର ନାମ ବିଷ୍ଣୁ ଏବଂ ସୁଭଦ୍ରା ହେଉଛନ୍ତି ଆଦ୍ୟାଶକ୍ତି-ଭବାନୀ । ବାମଦେବ ସଂହିତାର ଷଷ୍ଠ ଅଧ୍ୟାୟ ବର୍ଣ୍ଣନାରେ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ବା ଆଦ୍ୟାଶକ୍ତି ଭବାନୀ ରୂପରେ କଳ୍ପନା କରାଯାଇଛି । ବାମଦେବ ସଂହିତାରେ ବର୍ଣ୍ଣିତ ଧ୍ୟାନ ସହିତ ସମ୍ବଲପୁରୀ ଡାଲଖାଇ ଲୋକଗୀତରେ ସୁଭଦ୍ରା-ଭବାନୀଙ୍କ ମଧ୍ୟରେ ସାମ୍ୟ ବା ସାମଞ୍ଜସ୍ୟ ଥିବା ଜଣାଯାଏ । ତନ୍ତ୍ର ମତରେ ପରମଦେବଙ୍କର ତିନୋଟି ଶକ୍ତି ମଧ୍ୟରୁ ପ୍ରକାଶ ରୂପ ସ୍ୱଂୟ ଶିବ ଓ ବିମର୍ଶ ଶକ୍ତି ହେଉଛନ୍ତି ସ୍ୱୟଂ ପାର୍ବତୀ ବା ଭବାନୀ । ଏହି ଶକ୍ତିର ସବୁ ସୃଷ୍ଟି । ଏହା ଆଦ୍ୟାଶକ୍ତି ହୋଇଥିବାରୁ ଶିବ ରୂପୀ ବଳଭଦ୍ରଙ୍କ ପାଖରେ ଭବାନୀ ରହିବା ସ୍ୱାଭାବିକ୍ । ଅର୍କକ୍ଷେତ୍ର ‘କୋଣାର୍କ’ର ଗୋଟିଏ ଫଳକରେ ଶିବଲିଙ୍ଗ-ଜଗନ୍ନାଥ ଏବଂ ମହିଷାମର୍ଦ୍ଦିନୀ ଦୁର୍ଗା ମୂର୍ତ୍ତି ଅଛନ୍ତି । ପୁରୀ ଶ୍ରୀମନ୍ଦିର ଫଳକରେ ଦୁର୍ଗା-ଦେବୀ ଓ ଜଗନ୍ନାଥ ଅଛନ୍ତି । ତେଣୁ ସୁଭଦ୍ରାଙ୍କୁ ଭବାନୀ କହିବା ଭୁଲ୍ ନୁହେଁ । ଏଥିରୁ ଜଣାପଡ଼େ ଯେ ପୁରୀ ଶ୍ରୀମନ୍ଦିରରେ ଏକଦା ବୌଦ୍ଧ-ଶୈବ ଓ ଶାକ୍ତ ଧର୍ମର ସମନ୍ୱୟ ଘଟି ତ୍ରିମୂର୍ତ୍ତି ଉପାସନାର କଳ୍ପନା କରାଯାଇଛି । ପରବର୍ତ୍ତୀ ସମୟରେ ଏହି ତ୍ରିମୂର୍ତ୍ତି ସ୍ଥାନରେ ବୈଦିକ-ବ୍ରାହ୍ମଣ୍ୟ ଧର୍ମର ତ୍ରିମୂର୍ତ୍ତି ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ପ୍ରବେଶ କରାଇ ସୁଭଦ୍ରାଙ୍କୁ ବ୍ରହ୍ମାଙ୍କର ଅବତାର ବୋଲି କୁହାଯାଇଛି । ସେଇଥିପାଇଁ “ପ୍ରେମଭକ୍ତି ବ୍ରହ୍ମଗୀତା’ରେ କବି ଯଶୋବନ୍ତ ଦାସ ଲେଖିଛନ୍ତି-
“ଯେ କାଳେ ବ୍ରହ୍ମା ବିଷ୍ଣୁ ହର,
ଜାତ ହୋଇଲେ ବ୍ରହ୍ମାଣ୍ଡର ।
ବ୍ରହ୍ମା ରହିଲେ ପୃଥ୍ୱୀ ସ୍ଥାପି,
ବିଷ୍ଣୁ ରହିଲେ ସର୍ବବ୍ୟାପୀ ।
ରୁଦ୍ର ରହିଲେ ଯୋଗ ମତେ,
ୟେ ମନ୍ତେ କେତେ କାଳ ଅନ୍ତେ ।
ଭେଟିଲେ ମାତା ପୁତ୍ରେ ପୁଣ,
ସେ ରୁଦ୍ର ସଙ୍ଗେ ବିଡମ୍ବଣ ।
ତା’ ଶୁଣି ଆମ୍ଭେ ପୁଣି ଗଲୁ,
ବ୍ରହ୍ମାର ସହିତେ ମିଳିଲୁ ।
ମାତା କହିଲେ ବିଡମ୍ବଣ,
ପୁତ୍ର ସେ ମାତାଙ୍କ ସଙ୍ଗେଣ ।
ଆମ୍ଭେ ବୋଇଲୁଁ ଶୁଣ ମାତ,
ଧର୍ମ ସେ ଲଙ୍ଘିଲେ ଯୁଗ ତ ।
ବାଳ ସ୍ୱଭାବ ରୁଦ୍ର ସେହି,
ତୁମ୍ଭେ ଯେ ଗର୍ଭଧାରୀ ଥାଇ ।
ତୁମ୍ଭେ କେମନ୍ତେ କଲ ଏହା,
ତା’ ଶୁଣି କୋପେ ଯୋଗମାୟା ।
ଶାପ ଆମ୍ଭଙ୍କୁ କୋପେ ଦେଲେ,
ଯୋଡ଼ି ତୁ ନିନ୍ଦିଲୁ ବୋଇଲେ ।
ଯୋନିରୁ ବିଷ୍ଣୁ ହୋଇ ଜାତ,
ଯୁଗ ଯୁଗକୁ ସେ ସମ୍ଭୂତ ।
ଯେ ବ୍ରହ୍ମା ସ୍ତିରୀ ଯୋନି ହେଉ,
ଅପୂଜା ହୋଇ ଦିନ ଯାଉ ।
***
ଯେ ରୁଦ୍ର ବଳଭଦ୍ର ରୂପ,
ଅଟନ୍ତି ଅନନ୍ତ ସ୍ୱରୂପ ।
ଆମ୍ଭେ ଶ୍ରୀଜଗନ୍ନାଥ ଦେହୀ,
ବ୍ରହ୍ମା ସୁଭଦ୍ରା ହୋଇ ତହି ।”
ଏଥିରୁ ଜଣାପଡ଼େ ଯେ ଦେବୀ ସୁଭଦ୍ରା ବ୍ରହ୍ମାଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ମାତ୍ର ବ୍ରହ୍ମାଙ୍କୁ ଏହି ତ୍ରିମୂର୍ତ୍ତିରେ ପ୍ରବେଶ କରାଇବାକୁ ହେଲେ ବୌଦ୍ଧ ବା ବୈଷ୍ଣବ, ଶୈବ ଓ ଶାକ୍ତ ମଧ୍ୟରୁ ଗୋଟିଏକୁ ବାଦ ଦେବାକୁ ହେବ । ତେଣୁ ଅନ୍ୟ କାହାକୁ ବାଦ୍ ନ ଦେଇ ଶାକ୍ତ-ଶକ୍ତି ଏବଂ ବ୍ରହ୍ମାଙ୍କୁ ଏକକରି ତାଙ୍କୁ ସୁଭଦ୍ରା ରୂପେ ପୂଜା କରାଯାଇଛି । ତେଣୁ ସୁଭଦ୍ରା ହେଉଛନ୍ତି ଆଦ୍ୟାଶକ୍ତି-ବ୍ରହ୍ମା । ଯେପରି-
“ଜଗନ୍ନାଥ ରୂପ ଗୋଟି ସତ ବିଷ୍ଣୁ ସହି । ବ୍ରହ୍ମାଟି ସୁଭଦ୍ରା ଦେବୀ ମଧ୍ୟେ ଛନ୍ତି ରହି ।
ହରି ହଳଧର ମନ ତ୍ରିମାୟା ପୁରୁଷ, କିଛି ନ ଜାଣନ୍ତି ସଦା କାଳରେ ଉଦାସ । ।
ଅନନ୍ତଟି ବଳଦେବ ଶୁଣ ହୋ ସୁଜନ, ଆଦିଶକ୍ତି ସୁଭଦ୍ରାଟି ବିଜୟ ମଧ୍ୟେଣ ।
ଅନନ୍ତ ଫଣା ଯେ ମନ ଅନ୍ତନାହିଁ ଯହିଁ, ସପ୍ତ ଫଣା ପରେ ବିଜେ ଶେଷଦେବ ସେହି ।
ସୁଭଦ୍ରାଟି ରଙ୍ଗଦେବୀ ରାଧା ରଙ୍ଗେଶ୍ୱରୀ, ମଧ୍ୟରେ ବିଜୟ ମାତ ଶୂନ୍ୟ ରୂପ ଧରି ।”
(ସନ୍ଥ କବି ଅଚ୍ୟୁତାନନ୍ଦ)
ଉପରୋକ୍ତ ପଦ୍ୟରୁ ଜଣାଯାଏ ଯେ ଏଠାରେ ସୁଭଦ୍ରାଙ୍କୁ ବ୍ରହ୍ମା ଓ ଆଦ୍ୟାଶକ୍ତି-ରଙ୍ଗେଶ୍ୱରୀ ରାଧା ବୋଲି କୁହାଯାଇଛି । ଏଠାରେ କବି ଅଚୁ୍ୟତାନନ୍ଦ ଦେବୀ ସୁଭଦ୍ରାଙ୍କୁ ରାଧା ବୋଲି ସମ୍ବୋଧନ କରିଛନ୍ତି । କାରଣ ବୈଷ୍ଣବ ଧର୍ମରେ ରାଧା ହେଉଛନ୍ତି ସବୁ ଶକ୍ତିର ଉତ୍ସ ଓ ସେ ଆଦ୍ୟାଶକ୍ତି । ତେଣୁ ଶାକ୍ତମାନଙ୍କର ଆଦ୍ୟାଶକ୍ତି ଭବାନୀ ହିଁ ବୈଷ୍ଣବମାନଙ୍କର ଆଦ୍ୟାଶକ୍ତି ବୋଲି କୁହାଯାଇପାରେ । ମନ୍ମଥ ଚନ୍ଦ୍ରିକା ଗ୍ରନ୍ଥଟି ପୁରୀ ମନ୍ଦିରରେ ଭାଗବତ ଧର୍ମ ଅନ୍ତର୍ଗତ ବୈଷ୍ଣବ ଧର୍ମ ଅନୁପ୍ରବେଶ କରିବାର ପରବର୍ତ୍ତୀ ସମୟରେ ଲେଖାଯାଇଛି । ତେଣୁ ଭବାନୀଙ୍କୁ ସୁଭଦ୍ରା ସ୍ଥାନରେ ରାଧା ବୋଲି ସମ୍ବୋଧନ କରିବାର ପରମ୍ପରା ପରବର୍ତ୍ତୀ କାଳରେ ପରିଲକ୍ଷିତ ହୋଇଥାଏ । ଏସବୁ ଆଲୋଚନା ପରିପ୍ରେକ୍ଷୀରେ ଏତିକି କୁହାଯାଇପାରେ ଯେ ଶ୍ରୀଜଗନ୍ନାଥଙ୍କ ଭଗିନୀ ମା’ ସୁଭଦ୍ରା ଆଦ୍ୟାଶକ୍ତି ରୂପରେ ରତ୍ନବେଦୀରେ ପୂଜିତା ।
ବୌଦ୍ଧ ପରମ୍ପରାରେ ଦେବୀ ସୁଭଦ୍ରା
ଦେବୀ ସୁଭଦ୍ରାଙ୍କ ପ୍ରାଚୀନତା ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ନପାରିଲେ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତି ପରିକଳ୍ପନା ସମୟରେ ସୁଭଦ୍ରାଙ୍କୁ ଯୋଡ଼ାଯାଇଛି । ଏକ ମୂର୍ତ୍ତି-ତ୍ରିମୂର୍ତ୍ତି ଓ ଚତୁର୍ଦ୍ଧା ମୂର୍ତ୍ତି ପରିକଳ୍ପନା ବିଭିନ୍ନ ସମୟରେ ହୋଇଥିବା ସମ୍ଭବପର । କିନ୍ତୁ ପ୍ରାଚୀନତା ଦୃଷ୍ଟିରୁ ବିଚାର କରି ସୁଭଦ୍ରା-ଆଦ୍ୟାଶକ୍ତିର ପ୍ରତୀକ । ବୌଦ୍ଧ ଯୁଗରେ ମଧ୍ୟ ଆଦିଶକ୍ତିର ସ୍ୱରୂପ ଅନୁଭୂତ ହେଉଥିଲା । ଗାୟକୱାର୍ଡ ପ୍ରାଚୀ ଗ୍ରନ୍ଥାବଳୀରେ ପ୍ରକାଶିତ ପୁରାଣ ଗବେଷକ ଅଭୟାକର ଗୁପ୍ତଙ୍କ “ଯୋଗାବଳୀ” ଗ୍ରନ୍ଥରେ ୨୬ଟି ବୌଦ୍ଧମଣ୍ଡଳ ମଧ୍ୟରୁ ତିନୋଟି ବୌଦ୍ଧମଣ୍ଡଳ ଯଥା- ସମ୍ବର ମଣ୍ଡଳ, ଷଟ୍ଚକ୍ରବର୍ତ୍ତୀ ମଣ୍ଡଳ ଓ କାଳଚକ୍ର ମଣ୍ଡଳରେ ସୁଭଦ୍ରାଙ୍କ ଉଲ୍ଲେଖ ରହିଛି । କାଳଚକ୍ର ମଣ୍ଡଳରେ କୁହାଯାଇଛି ଯେ ମ୍ଳେଚ୍ଛମାନଙ୍କ ଆବିର୍ଭାବ ଆଶଙ୍କା କରି ବା ତା’ପରେ ବୌଦ୍ଧମାନେ କାଳଚକ୍ର ବା ସମୟ ଦେବତାଙ୍କୁ କେନ୍ଦ୍ରରେ ରଖି ହିନ୍ଦୁମାନଙ୍କ ଦେବଦେବୀଙ୍କୁ ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିଛନ୍ତି ।
ଷଟ୍ଚକ୍ରବର୍ତ୍ତୀ ମଣ୍ଡଳର ବର୍ଣ୍ଣନାନୁସାରେ ସୁଭଦ୍ରାଙ୍କ ବର୍ଣ୍ଣ ଧବଳ ବର୍ଣ୍ଣ । ପଞ୍ଚଧ୍ୟାନୀ ବୁଦ୍ଧଙ୍କର ଉଲ୍ଲେଖ ରହିଛି । ଚାରିଟି ଦେବତା ଓ ଶକ୍ତିଙ୍କ ମଧ୍ୟରୁ ଦୁଇଟି ସୁଭଦ୍ରାଙ୍କୁ ଶ୍ୟାମାଦେବୀ ଓ ବଡ଼ପ୍ରଭୁଙ୍କୁ ସୁଭଦ୍ରା ବୋଲି କୁହାଯାଇଛି । ଏହି ମଣ୍ଡଳର ବର୍ଣ୍ଣନାରୁ ସୁଭଦ୍ରାଙ୍କ ରୂପ ସମ୍ବନ୍ଧରେ ସ୍ଥୂଳ ଧାରଣା କରିହୁଏ । ଦେବତାମାନଙ୍କ ଭିତରୁ ଦୁଇଟି ମହାଭୈରବ ଓ ବିରୂପାକ୍ଷ ଶିବଙ୍କ ନାମ ରହିଛି । ଆଉ ଗୋଟିଏ ଦେବତାଙ୍କ ନାମ ‘ସୁଭଦ୍ରା’, ଯାହାଙ୍କୁ ବଳଭଦ୍ରଙ୍କ ସହିତ ତୁଳନା କରାଯାଇପାରେ । କାରଣ ଦୁଇଟି ଯାକରେ ଭଦ୍ର ଶବ୍ଦ ଅଛି ଏବଂ ସୁଭଦ୍ରା ଶ୍ୟାମାଦେବୀଙ୍କ ସହିତ ଆସୁଛନ୍ତି । ତେଣୁ ଶିବ-ଭବାନୀ ବା ଦୁର୍ଗାଙ୍କ ସହିତ ଏମାନଙ୍କର କିଛି ସମ୍ପର୍କ ରହିଥିବା ଜଣାଯାଏ ।
ସମ୍ବର ମଣ୍ଡଳରେ ମଧ୍ୟ ଏହି ଦେବତାମାନଙ୍କ ସହିତ ସୁଭଦ୍ରାଙ୍କ ନାମ ଆସୁଛି । ସୁଭଦ୍ରାଙ୍କ ସହିତ ଏହି ଶକ୍ତିଦେବୀ ତ୍ରିନୟନ, ଏକବଦନ ଓ ଦ୍ୱିଭୁଜା । ବ୍ରାହ୍ମଣ୍ୟ ପରମ୍ପରାର ଦେବୀ ଭାବରେ ସୁଭଦ୍ରାଙ୍କୁ ଗ୍ରହଣ କରାଗଲେ ମଧ୍ୟ ଏହି ଦେବୀ ବୌଦ୍ଧ ପରମ୍ପରାର ଦେବୀ ହୋଇଥିବାରୁ ଦେବଦେବ ମହାଦେବଙ୍କ ସହିତ ବହୁ ପ୍ରାଚୀନକାଳରୁ ସମ୍ବନ୍ଧ ଯୋଡ଼ି ହୋଇ ରହିଛି ।