ରଥଯାତ୍ରା ଉତ୍ସବ ଆଜିକାଲିର ନୁହେଁ । ନାରଦ ପୁରାଣ, ସୁତସଂହିତା, ସ୍କନ୍ଦପୁରାଣ, ପଦ୍ମପୁରାଣ, ବାମଦେବ ସଂହିତାରୁ ଜଣାଯାଏ ‘ଜଗନ୍ନାଥଙ୍କ ପ୍ରଥମ ଇତିହାସ ସଙ୍ଗେ ବୈଦିକ କର୍ମକାଣ୍ଡର ଅଙ୍ଗାଙ୍ଗୀ ସମ୍ବନ୍ଧ ରହିଛି । ଯେତେବେଳେ ଶ୍ରୀଜଗନ୍ନାଥ ଧର୍ମର ପ୍ରଥମ ପ୍ରବର୍ତ୍ତକ ମହାରାଜ ଇନ୍ଦ୍ରଦୁ୍ୟମ୍ନ ଶ୍ରୀକ୍ଷେତ୍ରକୁ ଆସିଲେ, ସେତେବେଳେ ସେ ଶବର ପୂଜିତ ମାଧବ ବିଗ୍ରହଙ୍କ ଦେଖା ପାଇପାରିଲେ ନାହିଁ । ଏହି ନୈରାଶ୍ୟ ମଧ୍ୟରେ ଦେବର୍ଷି ନାରଦଙ୍କ ସ୍ୱପ୍ନାଦେଶ ଅନୁସାରେ ଇନ୍ଦ୍ରଦୁ୍ୟମ୍ନ ପୁରୁଷୋତ୍ତମ କ୍ଷେତ୍ରରେ ଯଜ୍ଞକର୍ମ ଅନୁଷ୍ଠିତ କଲେ । ଉକ୍ତ ଯଜ୍ଞକର୍ମ ହିଁ ପୁରୁଷୋତ୍ତମ କ୍ଷେତ୍ରର ସର୍ବପ୍ରଥମ ଆଧ୍ୟାତ୍ମିକ କର୍ମ ଓ ଜଗନ୍ନାଥଙ୍କର ଏହି ଉନ୍ମୋଚନ କର୍ମକୁ ନେଇ ରଥଯାତ୍ରା ବା ଘୋଷଯାତ୍ରା ହୋଇଥିବା ହିଁ ସାର କଥା ।
ପୁରୁଷୋତ୍ତମ-ପୁରୀ-ଶ୍ରୀକ୍ଷେତ୍ର-ନୀଳାଚଳରେ ବିଜେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଏପର୍ଯ୍ୟନ୍ତ ଏକ ବିସ୍ମୟ ଠାକୁର ଭାବରେ ବିଜେ କରି ଆଧ୍ୟାତ୍ମିକ ଚିନ୍ତନରେ ଏକ ଆଲୋଡ଼ନ ସୃଷ୍ଟି କରିଛନ୍ତି । ବିବିଧ ଜନଶ୍ରୁତି ତଥା କିମ୍ବଦନ୍ତୀରେ, ଶାସ୍ତ୍ର ପୁରାଣରେ, ସ୍ୱଳ୍ପ ବିକଶିତ ଇତିହାସରେ, ଭକ୍ତ- କବିଙ୍କର କାବି୍ୟକ ଚେତନାରେ ଓ ଅସଂପୂର୍ଣ୍ଣ ନିବନ୍ଧ ଗ୍ରନ୍ଥମାନଙ୍କରେ ସେ ତତୋଽଧିକ ଅସ୍ପଷ୍ଟ ହୋଇଯାଇଛନ୍ତି । ମହୋଦଧି ତଟବର୍ତ୍ତୀ ଘନଜଙ୍ଗଲ ଓ ବାଲୁକାସ୍ତୂପ ପରିବେଷ୍ଟିତ ଓଡ଼ିଶାର ନୀଳକନ୍ଦରକୁ ସେ କାହିଁକି ଆପଣେଇ ନେଇଥିଲେ ନିଜର ସ୍ୱେଚ୍ଛାକୃତ ପ୍ରବାସ ପାଇଁ? ଯେଉଁ ରୂପରେ ସେ ଉଭା ହୋଇଥିଲେ, ଶବର ମୁଖ୍ୟ ବିଶ୍ୱାବସୁ ପ୍ରତିଦିନ ପତ୍ରଦନାରେ ଫଳମୂଳ ତାଙ୍କୁ ଖୁଆଉ ଥିଲା ଓ ମଥାରେ ପୁଳାଏ ବେଲପତ୍ର ଥୋଇ ଦେଉଥିଲା, ତାକୁ ପୁଣି ଛାଡ଼ି ଦେଇ ବାଲିସ୍ତୂପ ଭିତରେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ? କ’ଣ ଆର୍ଯ୍ୟାବର୍ତ୍ତର ରାଜା ଇନ୍ଦ୍ରଦୁ୍ୟମ୍ନଙ୍କୁ ଡରି? ବହୁ ଶ୍ରମ ଓ ସାଧନା ପରେ ହେ ନୀଳକାନ୍ତମଣି ବିଗ୍ରହ, ତୁମେ ପୁଣି ଉଭା ହେଲ ଚାରିଶାଖାବିଶିଷ୍ଟ ଭାସମାନ ଚନ୍ଦନ ଦାରୁରେ ପୂର୍ବସାଗରରେ ଏବଂ ଇନ୍ଦ୍ରଦୁ୍ୟମ୍ନଙ୍କୁ ସ୍ୱପ୍ନେଇଲ ତୁମେ ସିଏ ବୋଲି! ଜନଶ୍ରୁତିରେ ବିଦେଶାଗତ ରାଜା ପୁରୀରେ ଯଜ୍ଞ ଆରମ୍ଭିଲେ, ଦେବଲୋକରୁ ବ୍ରହ୍ମା ଓ ଦେବଗଣ ଆସିଲେ, ଅଶ୍ୱମେଧ ଯଜ୍ଞ ହେଲା, ତୁମେ ବିଶ୍ୱକର୍ମା ବେଶରେ ଆସି ବନ୍ଦ କୋଠରିରେ ନିଜକୁ ଗଢ଼ିଲ ଅଧାପନ୍ତରିଆ ଭାବରେ ଏବଂ କହିଲ ମୁଁ ସେଇ, ସବୁ ରୂପରେ ମୁଁ ଅଛି । ତା’ପରେ ଆରମ୍ଭ ହେଲା ଲୀଳା, କାହିଁ କେତେ ଯୁଗରୁ । ଏପର୍ଯ୍ୟନ୍ତ ଚାଲିଛି ।
ମନ୍ଦିର ଗଢ଼ା ହେଲା, ବିଭିନ୍ନ ଉଚ୍ଚତାର । ସେ ସବୁ ଏବେ ନିଶ୍ଚିହ୍ନ । କେବଳ ମୁକ୍ତିମଣ୍ଡପ ନିକଟରେ ଥିବା ନୃସିଂହ ମନ୍ଦିରରେ ଶ୍ରୀଜଗନ୍ନାଥ କିଛି ଦିନ ବିଜେ କରିଥିବା ଅନେକ କୁହନ୍ତି । ଅନେକ ବି କୁହନ୍ତି ସେ ପ୍ରଥମେ ପାଷାଣ ବିଗ୍ରହ ଥିଲେ । ଗଙ୍ଗବଂଶର ସମ୍ରାଟ୍ମାନେ ଜଗନ୍ନାଥଙ୍କ ପାଇଁ ଶ୍ରୀମନ୍ଦିର ତୋଳାଇବା ଇତିହାସସମ୍ମତ । ବୋଧହୁଏ ୧୧୭୪ ଖ୍ରୀ.ଅ.ରୁ ୧୧୯୭ ମଧ୍ୟରେ ମନ୍ଦିରଟି ନିର୍ମିତ ହୋଇଥିଲା । ଗଙ୍ଗବଂଶର ପ୍ରତିଷ୍ଠାତା ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବ ଓ ପରେ ଅନଙ୍ଗ ଭୀମଦେବ (୩ୟ)ଙ୍କ ଦ୍ୱାରା ମୁଖ୍ୟ ମନ୍ଦିର ଓ ମୁଖଶାଳା (ଜଗମୋହନ), ପୁରୁଷୋତ୍ତମ ଦେବ (୧୪୬୧-୧୪୯୫)ଙ୍କ ସମୟରେ ନାଟମନ୍ଦିର ଓ ପ୍ରତାପରୁଦ୍ରଦେବ (୧୪୯୫-୧୫୩୨)ଙ୍କ ସମୟରେ ଭୋଗମଣ୍ଡପ ନିର୍ମିତ ହୋଇଥିଲା । ୧୨୩୦ ଖ୍ରୀ.ଅ.ରେ ମହାରାଜା ଅନଙ୍ଗଭୀମଦେବଙ୍କ ଦ୍ୱାରା ମନ୍ଦିରର ପ୍ରତିଷ୍ଠାବିଧି ସମ୍ପାଦିତ ହୋଇଥିଲା । ମୁଖ୍ୟ ମନ୍ଦିରର ଉଚ୍ଚତା ୨୧୪ ଫୁଟ ୮ ଇଞ୍ଚ, ଜଗମୋହନର ଉଚ୍ଚତା ୧୨୦ ଫୁଟ, ନାଟମନ୍ଦିରର ଉଚ୍ଚତା ୩୦ଫୁଟ୍ ଓ ଭୋଗମଣ୍ଡପର ଉଚ୍ଚତା ପ୍ରାୟ ୫୦ ଫୁଟ୍ । ମୂଳମନ୍ଦିରର ଚୂଡ଼ାଭାଗରେ ୧୨ଫୁଟ୍ ଉଚ୍ଚତା ବିଶିଷ୍ଟ ନୀଳଚକ୍ର ବିଦ୍ୟମାନ । ପ୍ରାୟ ୧୦ଏକର ପରିମିତ ଏଇ ମନ୍ଦିର ପ୍ରାଙ୍ଗଣରେ ଅଛି ଦୁଇଟି ପ୍ରାଚୀର ବା ବେଢ଼ା । ମେଘନାଦ ପ୍ରାଚୀର ଓ କୂର୍ମବେଢ଼ା । ଏହାରି ପରିପାଶ୍ୱର୍ରେ ଶତାଧିକ ଛୋଟ-ବଡ଼ ମନ୍ଦିର, ରୋଷଶାଳା, ଆନନ୍ଦ ବଜାର, କୋଇଲି ବୈକୁଣ୍ଠ, ନୀଳାଚଳ ଉପବନ, ୭ଟି କୂଅ, କେତେକ ମଣ୍ଡପ (ମୁକ୍ତି ମଣ୍ଡପ, ସ୍ନାନ ମଣ୍ଡପ, ଚାହାଣି ମଣ୍ଡପ, ଭେଟ ମଣ୍ଡପ ଆଦି) ଏବଂ ନୀଳାଦ୍ରିବିହାର ମୁ୍ୟଜିୟମ୍ । ଗର୍ଭମନ୍ଦିର ଭିତରେ ଥିବା ରତ୍ନସିଂହାସନ (ଲମ୍ବ ୧୬ଫୁଟ୍, ଓସାର ୧୩ଫୁଟ୍ ଓ ଉଚ୍ଚତା ୪ଫୁଟ୍)ଟି କଳାମୁଗୁନି ପଥରରେ ନିର୍ମିତ । ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହିତ ଦାରୁପ୍ରତିମା ଶ୍ରୀମାଧବ ଓ ଧାତୁନିର୍ମିତ ଚତୁର୍ଭୁଜା ଶ୍ରୀଦେବୀ (ଲକ୍ଷ୍ମୀ) ଓ ଦ୍ୱିଭୁଜା ଭୂଦେବୀ (ଭୂମି ବା ସରସ୍ୱତୀ) ରହି ଏ ସମସ୍ତଙ୍କୁ ସପ୍ତାବରଣ ବା ସପ୍ତଧା ବିଗ୍ରହ ବୋଲି କୁହାଯାଉଛି ।
ପ୍ରାୟ ୧୨୦ ପ୍ରକାରର ସେବକ ଶ୍ରୀବିଗ୍ରହଙ୍କର ସେବାରେ ପ୍ରତିଦିନ ଯୋଗଦାନ କରିଥାନ୍ତି । ସକାଳ ଦ୍ୱାରଫିଟାଠାରୁ ରାତ୍ରି ପହୁଡ଼ ପର୍ଯ୍ୟନ୍ତ ପାଞ୍ଚଥର ବେଶ ପରିବର୍ତ୍ତନ, ପୂର୍ବାହ୍ଣରେ ଗୋପାଳବଲ୍ଲଭ ଭୋଗ, ସକାଳ ଧୂପ, ଭୋଗମଣ୍ଡପରେ ଭୋଗ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାର ଭୋଗ ଓ ୬ଥର ଆଳତି ପ୍ରଭୃତି ଯଥାସମ୍ଭବ ସୁଚାରୁରୂପେ ସମ୍ପାଦିତ ହୁଏ । ପ୍ରଭୁ ଅପରାହ୍ଣରେ କିଛି ସମୟ ପାଇଁ ପହୁଡ଼ ଯାଆନ୍ତି । ଏସବୁ ପରିଚର୍ଯ୍ୟା ବ୍ୟତୀତ ବିଭିନ୍ନ ପର୍ବପର୍ବାଣିରେ ମୁଖ୍ୟତଃ ୧୨ଟି ଯାତ୍ରା ଯଥା ସ୍ନାନ ଯାତ୍ରା (ଜ୍ୟେଷ୍ଠ ପୂର୍ଣ୍ଣମୀ), ଗୁଣ୍ଡିଚା ଯାତ୍ରା (ଆଷାଢ଼ ଶୁକ୍ଳ ଦ୍ୱିତୀୟା), ଶୟନ ଯାତ୍ରା (ଆଷାଢ଼ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ), ଦକ୍ଷିଣାୟନ ବନ୍ଦାପନା ଯାତ୍ରା (କର୍କଟ ସଂକ୍ରାନ୍ତି ଦିନ), ପାଶ୍ୱର୍ପରିବର୍ତ୍ତନ (ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ), ଦେବୋତ୍ଥାପନ ଯାତ୍ରା (କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ), ଓଢ଼ଣ ଷଷ୍ଠୀ ବା ପ୍ରାବରଣୋତ୍ସବ (ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ), ପୁଷ୍ୟାଭିଷେକ (ପୌଷପୂର୍ଣ୍ଣମୀ), ଉତ୍ତରାୟଣ ଯାତ୍ରା (ମକର ସଂକ୍ରାନ୍ତି ଦିନ), ଦୋଳଯାତ୍ରା (ଫାଲଗୁନ ଶୁକ୍ଳ ଦଶମୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ), ଦମନକ ବା ଦଅଣା ଲାଗି ଉତ୍ସବ (ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ଦିନ) ଏବଂ ଚନ୍ଦନ ଯାତ୍ରା (ଅକ୍ଷୟତୃତୀୟା ବା ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାଠାରୁ ଆରମ୍ଭ ହୋଇ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ) ଏଇ ୧୨ଟି ମୁଖ୍ୟ ଯାତ୍ରା ବ୍ୟତୀତ ତ୍ରୟୋଦଶ ଯାତ୍ରା ହେଉଛି ନୀଳାଦ୍ରି ମହୋଦୟ (ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ-ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି) ଏହି ୧୩ଟି ଯାତ୍ରା ବ୍ୟତୀତ ଆଉ ୫୦ରୁ ଊଦ୍ଧ୍ୱର୍ ଉପଯାତ୍ରା ଓ ଉତ୍ସବ ଆଦି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ । ଗଣେଶପୂଜା, ସରସ୍ୱତୀ ପୂଜା, ନୃସିଂହ, ବାମନ, ଶ୍ରୀରାମ, ବଳଭଦ୍ର, ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ଜନ୍ମଦିନ, ଝୁଲଣ, ସୁନିଅାଁ, ଅନନ୍ତ ଚତୁର୍ଦ୍ଦଶୀ, ଶାରଦୀୟ ପୂଜା, ପ୍ରଥମାଷ୍ଟମୀ, ଶିବରାତ୍ରି, ଚୈତ୍ର ଗୁଣ୍ଡିଚା, ଅଶୋକାଷ୍ଟମୀ, ଅକ୍ଷୟ ତୃତୀୟା, ଶୀତଳ ଷଷ୍ଠୀ, ଋକ୍ମିଣୀ ହରଣ ଓ ବିବାହୋତ୍ସବ ଆଦି ବହୁ ମାନ୍ୟତାର ସହ ପାଳିତ ହୁଏ ।
ଶ୍ରୀବିଗ୍ରହମାନେ ଅଧିକାଂଶ ସମୟରେ ପୁଷ୍ପଶୋଭିତ । ପ୍ରାୟ କୋଡ଼ିଏ ପ୍ରକାରର ଫୁଲ ଓ ତୁଳସୀ ସେମାନଙ୍କୁ ଲାଗି କରାଯାଏ । ପୁଷ୍ପଗୁଡ଼ିକ ପ୍ରାୟ ଅଳଙ୍କାର ସଦୃଶ ଲାଗି ହୁଅନ୍ତି ଯଥା- କରପଲ୍ଲବ, ଗଭା, ନାକୁଆସି, ଅଧରମାଳ, ଶ୍ରୀପୟରମାଳ, ହୃଦୟପଦକ ଇତ୍ୟାଦି । ଦିଅଁମାନେ ସପ୍ତାହର ସାତଦିନ କାଳ ଅଲଗା ଅଲଗା ରଙ୍ଗର ବସ୍ତ୍ର ପରିଧାନ କରନ୍ତି । କେତେକ ମତ ଦିଅନ୍ତି ଏହି ବିଭିନ୍ନ ରଙ୍ଗର ବସ୍ତ୍ରଗୁଡ଼ିକ ସାତଟି ମୁଖ୍ୟଗ୍ରହଙ୍କର ରଙ୍ଗର ପ୍ରତୀକ ବୋଲି ।
ଶ୍ରୀବିଗ୍ରହମାନଙ୍କ ସୁନାବେଶ ବର୍ଷକୁ ପ୍ରାୟ ପାଞ୍ଚଥର ଅନୁଷ୍ଠିତ ହୁଏ, ଯଥା- ବିଜୟାଦଶମୀ, ପୌଷପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମୀ, କାର୍ତ୍ତିକ ପୂର୍ଣ୍ଣମୀ ଏବଂ ରଥାରୂଢ଼ ହୋଇଥିବା ବେଳେ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ । ଏହି ଦିନର ସ୍ୱତନ୍ତ୍ର ସୁନାବେଶକୁ ‘ବଡ଼ ତଡ଼ାଉ’ ବେଶ କୁହନ୍ତି । ସୁନାବେଶର ନାମାନ୍ତର ହେଉଛି ରାଜା ବେଶ ବା ରାଜରାଜେଶ୍ୱର ବେଶ । ସୁନାବେଶ (ବର୍ଷକୁ ୫ଥର), ଚନ୍ଦନ ଲାଗି ବେଶ (ଅକ୍ଷୟ ତୃତୀୟାଠାରୁ ୪୨ଦିନ ପର୍ଯ୍ୟନ୍ତ), ନାଗାର୍ଜୁନ ବେଶ (ଯେଉଁ ବର୍ଷ କାର୍ତ୍ତିକରେ ପଞ୍ଚୁକ ଛଅଦିନ କାଳ ପାଳିତ ହୁଏ) ଏବଂ ରାଧାଦାମୋଦର ବେଶ (ଆଶ୍ୱିନ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ) । ଆଉ ପ୍ରାୟ କୋଡ଼ିଏଟି ବେଶରେ ପ୍ରଭୁ ଉଭା ହୁଅନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ଗଜାନନ ବେଶରେ ସ୍ନାନମଣ୍ଡପରେ ସଜା ହୋଇଥିବା ଦେଖି ଭକ୍ତଗଣ ଅତିଶୟ ପ୍ରୀତ ହୁଅନ୍ତି । ନୂତନ ନୂତନ ବେଶଧାରଣର ଔଜ୍ଜ୍ୱଲ୍ୟ ମୁଖ୍ୟତଃ ବିଭିନ୍ନ ପ୍ରକାରର ବସ୍ତ୍ରର ପିନ୍ଧା-ପରିପାଟୀ, ପୁଷ୍ପଭୂଷଣ, ଆଭୂଷଣ ଏବଂ ଆବଶ୍ୟକୀୟ ଆୟୁଧ ଧାରଣ ଆଦି ଉପରେ ନିର୍ଭରଶୀଳ ।
ହିନ୍ଦୁ ବିଗ୍ରହ ନିର୍ମାଣ ସମ୍ପର୍କରେ ଉପଲବ୍ଧ ହେଉଥିବା ପ୍ରାଚୀନ ଗ୍ରନ୍ଥମାନଙ୍କରେ ଶ୍ରୀଚତୁର୍ଦ୍ଧାମୂର୍ତ୍ତିଙ୍କର ନିର୍ମାଣ ବିଷୟରେ କୌଣସି ପ୍ରାମାଣିକ ତଥ୍ୟ ମିଳେ ନାହିଁ । ପ୍ରଭୁଙ୍କର କୋଇଲି ବୈକୁଣ୍ଠରେ ପାତାଳି ହେବା, ମହାଅଣସରରେ ତାଙ୍କ ଦାରୁ ଶରୀରର ପୁନଃ ନିର୍ମାଣ, ବ୍ରହ୍ମ ସଂସ୍ଥାପନ ଆଦି ଭାରତର ଅନ୍ୟ କୌଣସି ମନ୍ଦିର ପରମ୍ପରାରେ ଦେଖିବାକୁ ମିଳେନାହିଁ । ଶାବର ତନ୍ତ୍ର, ହିନ୍ଦୁ ଓ ବୌଦ୍ଧ ତନ୍ତ୍ର, ବୈଦିକ କର୍ମକାଣ୍ଡ, ବୈଖାନସ ଓ ପାଞ୍ଚରାତ୍ର ସଂହିତା, ଶୈବ-ଶାକ୍ତ ପୂଜାର୍ଚ୍ଚନା ପଦ୍ଧତି, ବ୍ରାହ୍ମଣ୍ୟ ପରିଚର୍ଯ୍ୟା ତଥା ଜନଜାତିର ପାରମ୍ପରିକ ରୀତିନୀତି ତଥା ଓଡ଼ିଆ ସାମାଜିକ ଚଳଣିର ଅଭୂତପୂର୍ବ ମିଳନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନା ପରିପୁଷ୍ଟ ହୋଇଛି । ସେ ଅବ୍ୟକ୍ତ, ଅନିର୍ବଚନୀୟ ଓ ଅଜେ୍ଞୟ । ଓଡ଼ିଆ ଜାତିର ସେ ମର୍ମଭେଦୀ ପ୍ରାଣସତ୍ତା । ଏକ ଆତ୍ମିକ ଅନ୍ତରଙ୍ଗତାରେ ସେ ଯୋଡ଼ି ହୋଇରହିଛନ୍ତି, କେବଳ ଓଡ଼ିଶାବାସୀଙ୍କ ସହିତ ନୁହଁ, ସମଗ୍ର ମାନବ ଜାତି ସହିତ ।
ଭକ୍ତ ଭାବରେ ଚିରଦିନ ସେ ବାନ୍ଧି ହୋଇ ରହିଥିବାରୁ ତାଙ୍କ ଭିତରେ ଥିବା ଲୋଡ଼ିବାପଣଟି ସବୁବେଳେ ମାନବୀୟ ଚେତନା ଦ୍ୱାରା ସମୃଦ୍ଧ ହୋଇରହିଛି । କାହିଁ କେଉଁ ଦିଅଁ ତ ମନ୍ଦିର ଭିତରୁ ଆପେ ଆପେ ବାହାରି ଆସି ଜୀବନ ଜିଇଁବାର ନିଶାରେ ମତୁଆଲ୍ ଥିବା, ବାଟ ହୁଡୁଥିବା, ଜୀବନ ଯୁଦ୍ଧରେ ଅଣ୍ଟା ସଳଖି ପାରୁନଥିବା, ଅକୁହା ବେଦନାରେ ଅହରହ ସିଝୁଥିବା, ତାଙ୍କ ଉପରେ ଆସ୍ଥା ଥାପିଥିବା, ବିଶ୍ୱାସର ଆବର୍ତ୍ତ ଭିତରେ ଘୂରିଘୂରି କୂଳକିନାରା ପାଉନଥିବା ବିଭିନ୍ନ ଜାତି, ବର୍ଣ୍ଣ ଓ ବର୍ଗର ମଣିଷମାନଙ୍କୁ ସଂଖୋଳିବା ପାଇଁ ଏଭଳି ଆତୁରତା ପ୍ରକାଶ କରିନାହାନ୍ତି ! ଲୋକଙ୍କୁ ସଂଖୋଳିବା ପୂର୍ବରୁ ବର୍ଷସାରା ଆର୍ତ୍ତିଜନଙ୍କର ଦୁଃଖ ଓ ବ୍ୟଥାର, ମଧୁର ଯନ୍ତ୍ରଣାର, ଚର୍ମଚକ୍ଷୁୁରୁ ବିଗଳିତ ହୋଇଥିବା ସେମାନଙ୍କର ତରଙ୍ଗାୟିତ ଆନନ୍ଦ-ଅଶ୍ରୁ ଯାହା ସବୁ ସେ ନିଜେ ଆକର୍ଷି, ନିଜ ଅବୟବରେ ବୋଳି ରଖିଛନ୍ତି ଓ କଷ୍ଟ ପାଇଛନ୍ତି, ସେସବୁରୁ ସାମୟିକ କ୍ଷାନ୍ତି ପାଇବା ପାଇଁ ମୁକ୍ତ ପ୍ରାଙ୍ଗଣରେ ଦିବ୍ୟୋନ୍ମାଦରେ ମହାସ୍ନାନ କରିବାକୁ ବ୍ୟାକୁଳ ହୁଅନ୍ତି । ସ୍ୱୟଂଲୀଳାରେ ବାହାରିଥିବା ତ୍ରୈଲୋକ୍ୟମୋହନ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଦୁର୍ବିନୀତ ମତ୍ତବାରଣ ବପ୍ରକ୍ରୀଡ଼ା କଲାଭଳି ଖୋଲା ଆକାଶ ତଳେ ଦୀର୍ଘ ସମୟ ଧରି ସ୍ନାନ କରନ୍ତି । ଫଳରେ ଅସୁସ୍ଥ ହୋଇପଡ଼ନ୍ତି । ଦଇତାପତି, ପତିମହାପାତ୍ର ଓ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ସେବାୟତଙ୍କର ତତ୍ତ୍ୱାବଧାନରେ ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ପନ୍ଦର ଦିନ କାଳ ଏକପ୍ରକାର ଅବରୁଦ୍ଧ ହୋଇରହନ୍ତି । ଜ୍ୱରାକ୍ରାନ୍ତ ପ୍ରଭୁ ଫଳମୂଳ ପଥ୍ୟ କରନ୍ତି । ଚିକିତ୍ସା ଓ ସର୍ବାଙ୍ଗ ଚନ୍ଦନ ଲେପନ ପରେ ତାଙ୍କର ପୂର୍ବସ୍ୱାସ୍ଥ୍ୟ ଫେରିଆସେ । ଆଷାଢ଼ ଅମାବାସ୍ୟା ଏବଂ ତା’ପର ଦିନ ସେ ନବଯୌବନରେ ଉଦ୍ଦୀପ୍ତ ହୋଇ ସମସ୍ତଙ୍କୁ ମୁଗ୍ଧ ନୟନରେ ଚାହାନ୍ତି । ଏଇ ତ ପ୍ରଭୁଙ୍କର ନେତ୍ରୋତ୍ସବ! ତାଙ୍କର କଲ୍ୟାଣ-ଦୃଷ୍ଟି ଜଗତବାସୀଙ୍କ ଉପରେ ସ୍ନେହ, ପ୍ରେମ ଓ ଉଲ୍ଲାସର ମଧୁମାଦକତା ତାଙ୍କର ଚନ୍ଦ୍ର-ସୂର୍ଯ୍ୟ ନୟନରୁ ଝରିପଡୁଛି ସଭିଙ୍କ ଉପରେ । ଶ୍ରୀବତ୍ସ ଖଣ୍ଡଶାଳର, ପାଷାଣ ନିର୍ମିତ ମନ୍ଦିରରୁ ସେ ଏବେ ଆସିବେ ବଡ଼ଦାଣ୍ଡକୁ, ତାଙ୍କ ଦାରୁ ମନ୍ଦିରକୁ । ଘରେ ରହିଗଲେ ତାଙ୍କର ପ୍ରତିଭୂ ମାଧବ ମନ୍ଦିରର ରକ୍ଷାକାରୀ ଭାବରେ । ଅଣସର ପଟ୍ଟିରେ ଚିତ୍ରିତ ହୋଇ ରହିଥିବା ଚତୁର୍ଭୁଜ ବାସୁଦେବ, ଚତୁର୍ଭୁଜା ଭୁବନେଶ୍ୱରୀ ଏବଂ ଚତୁର୍ଭୁଜ ଅନନ୍ତନାରାୟଣ ଏବଂ ସେମାନଙ୍କ ସମ୍ମୁଖ ଭାଗରେ ଧାତବ ଚଳନ୍ତି ବିଜେ କରିଥିବା ପ୍ରତିମାମାନେ ଯଥା- ନୃସିଂହ, ରାମ, କୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ମଦନମୋହନ ଓ ଦୋଳଗୋବିନ୍ଦ (ଏ ସମସ୍ତଙ୍କୁ ମିଶାଇଲେ ଦଶ, ପଟ୍ଟିଦିଅଁଙ୍କୁ ଦଶାବତାର ଠାକୁର ବୋଲି କୁହାଯାଏ) ଅଣସର ଚତୁର୍ଦ୍ଦଶୀ ରାତିରେ ସେମାନେ ପୂର୍ବ ନିର୍ଦ୍ଦିଷ୍ଟ ସ୍ଥାନକୁ ବାହୁଡ଼ି ଯା’ନ୍ତି ।
ପ୍ରଭୁଙ୍କ ମନରେ ଆତୁରତା ବଢ଼ି ଚାଲିଛି । ସିଂହଦ୍ୱାର ସମ୍ମୁଖରେ ଏବେ ପ୍ରତୀକ୍ଷାରତ ତାଳଧ୍ୱଜ ବା ହଳଧ୍ୱଜ ରଥ । ୭୩୧ ଖଣ୍ଡ କାଷ୍ଠରେ ସେଇ ଚଳମାନ ଦାରୁମନ୍ଦିର ନିର୍ମିତ । ୪୫ଫୁଟ ଉଚ୍ଚତା ଓ ୧୪ ଚକ ବିଶିଷ୍ଟ ତାଳଧ୍ୱଜ ରଥଟି ନାଲି ଓ ନୀଳ ବର୍ଣ୍ଣର କପଡ଼ାରେ ଆଚ୍ଛାଦିତ । କଳାରଙ୍ଗର ୪ଟି ଦାରୁ ନିର୍ମିତ ଅଶ୍ୱ, ସାରଥି ମାଳତୀ, ରଥଦେବୀ ଜୟଦୁର୍ଗା ଓ ରଥରକ୍ଷକ ବାସୁଦେବ ଓ ଭାସ୍କର ସମସ୍ତେ ଅପେକ୍ଷାରତ ।
ତାଳଧ୍ୱଜ ରଥର ବାମପଟରେ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ବା ପଦ୍ମଧ୍ୱଜ ରଥ ଦଣ୍ଡାୟମାନ । କଳା ଓ ନାଲି ବସ୍ତ୍ରରେ ତିନିଭାଗ ଆବୃତ । ୭୧୧ ଖଣ୍ଡ ଦାରୁରେ ନିର୍ମିତ, ୪୪ଫୁଟ୍ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ଦର୍ପଦଳନରେ ୧୨ଟି ଚକ ଲାଗିଛି । ସାରଥି ଅର୍ଜୁନ । ୪ଟି ନାଲି ରଙ୍ଗର ଦାରୁଅଶ୍ୱ ସେଥିରେ ଲାଗି ହେବେ । ରଥ ଧ୍ୱଜାରେ ତ୍ରିପୁରା ସୁନ୍ଦରୀ ।
ସିଂହଦ୍ୱାରକୁ ଲାଗି ବିଜେ କରିଛନ୍ତି ନନ୍ଦିଘୋଷ ରଥ ବା ଗରୁଡ଼ଧ୍ୱଜ ରଥ । ୭୪୨ଖଣ୍ଡ କାଠରେ ତିଆରି ୧୬ଚକ ବିଶିଷ୍ଟ ଏବଂ ୪୫ଫୁଟ ୬ ଇଞ୍ଚ ଉଚ୍ଚତାର ଏହି ରଥକୁ ୪ଟି ଶ୍ୱେତରଙ୍ଗର ଅଶ୍ୱ ଟାଣିନେବେ । ଏଥିରେ ଅଛନ୍ତି ରଥର ଦେବୀ ଯୋଗାମାୟା ଏବଂ ସାରଥି ଦାରୁକ । ହଳଦିଆ ଓ ନାଲିରଙ୍ଗର ବସ୍ତ୍ର ଏଇ ଚଳମାନ ଦାରୁମନ୍ଦିରକୁ ଘେରି ହୋଇ ରହିଛି । ରଥ ଧ୍ୱଜାରେ ବିଜେ କରିଛନ୍ତି ହନୁମାନ । ସବୁରଥର ଋଷିପଟାରେ ୯ଜଣ ଲେଖାଁ ଋଷି ଥିବା କଳ୍ପନା କରାଯାଇଛି । ସବୁ ରଥରେ କାଠ ତିଆରି ଯୁଗଳ ଶୁଆ ମୂର୍ତ୍ତି ଉଡ୍ଡୀୟମାନ ଭଙ୍ଗୀରେ ଅଛନ୍ତି । ସେମାନେ ଯଥାକ୍ରମେ ଶ୍ରଦ୍ଧା ଓ ବିଶ୍ୱାସ (ତାଳଧ୍ୱଜ), ସୁପର୍ଣ୍ଣ ଓ ଦ୍ୱାସୁପର୍ଣ୍ଣା (ଦର୍ପଦଳନ) ଏବଂ ଜୀବ ଓ ପରମ (ନନ୍ଦିଘୋଷ) ।
ତିନିରଥରେ ୯ମୂର୍ତ୍ତି ଲେଖା ପାଶ୍ୱର୍ ଦେବତା, ଯଥାକ୍ରମେ ହରିହର, ପଣ୍ଡୁନୃସିଂହ, ଗିରିଗୋବର୍ଦ୍ଧନଧାରୀ, ରାବଣଛତ୍ରଭଙ୍ଗ, ଚିନ୍ତାମଣି କୃଷ୍ଣ, ନାରାୟଣ, ମଧୁସୂଦନ, ଲକ୍ଷ୍ମଣ ଓ ପଞ୍ଚମୁଖୀ ମହାବୀର- ନନ୍ଦିଘୋଷ ରଥରେ ।
ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ, ବନଦୁର୍ଗା, କାତ୍ୟାୟନୀ, ହରଚଣ୍ଡୀ, ରାମଚଣ୍ଡୀ ଓ ଅଘୋରା ଦର୍ପଦଳନ ରଥରେ ।
ପ୍ରଳମ୍ବାରି ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟରତ ଗଣେଶ, ଅଙ୍ଗଦ, ନାଟାମ୍ବର, ଷଡ଼ାନନ କାର୍ତ୍ତିକେୟ, ମଧୁକୈଟଭ ଓ ଅନନ୍ତ ବାସୁଦେବ ଏହି ୯ମୂର୍ତ୍ତି- ତାଳଧ୍ୱଜ ରଥରେ ।
ବଡ଼ଦାଣ୍ଡରେ ତିନି ରଥଙ୍କର ପ୍ରତିଷ୍ଠା କାର୍ଯ୍ୟ ଶ୍ରୀମନ୍ଦିର ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣମାନେ କରିସାରିଲେଣି । ନେତ୍ରୋତ୍ସବ ଦିନ ବିଳମ୍ବିତ ରାତ୍ରିରେ ଦୟିତାପତି ସେବକମାନେ ସମସ୍ତ ଗୁପ୍ତନୀତି ଯଥା- ବାହୁକଣ୍ଟ ସେନାପଟା ଓ ଶୁକ୍ଳ ସଜ ଲାଗି ଆଦି କରିସାରିଛନ୍ତି । ରାତି ପାହିଲାଣି । ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାର ବହୁ ପ୍ରତୀକ୍ଷିତ ସକାଳ ପ୍ରାୟ ଆସନ୍ନ । ଅଣସର ପିଣ୍ଡିରେ ବିଜେ କରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ ସେବା ଓ ବେଶ ସହିତ ରୋଷହୋମ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସରିଗଲାଣି । ଏବେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ଗୋପାଳବଲ୍ଲଭ ଓ ସକାଳ ଧୂପରେ ଖେଚୁଡ଼ି ମଣୋହି କରିସାରି ଧାଡ଼ି ପହଣ୍ଡିରେ ଆସି ସାତ ପାହାଚରେ ପହଞ୍ଚିଗଲେଣି । ବିଜେ କାହାଳୀ ବାଜୁଛି । ଜଗମୋହନରୁ ଘଣ୍ଟ, ପଖଉଜ ବାଜି ଚାଲିଛି । ସାତପାହାଚରେ ରାଘବଦାସ ମଠ ଦ୍ୱାରା ପ୍ରସ୍ତୁତ ମନୋମୁଗ୍ଧକର ଟାହିଆ ବିଗ୍ରହମାନଙ୍କ ମସ୍ତକରେ ଲାଗି ହେଲା ପରେ ଭକ୍ତମାନଙ୍କର ଉଚ୍ଛ୍ୱସିତ ଓ ଉଚ୍ଚକିତ ଧ୍ୱନିରେ ପରିମଣ୍ଡଳଟି ଆନନ୍ଦମୁଖର ହୋଇଉଠିଲାଣି । ଢଳିଢଳି ଦୁଇ ଭାଇ ପହଣ୍ଡିରେ ଚାଲିଛନ୍ତି । ପ୍ରଥମେ ଶ୍ରୀସୁଦର୍ଶନ ଓ ଶ୍ରୀସୁଭଦ୍ରାଙ୍କୁ ଦଇତାପତି ସେବକମାନେ କାନ୍ଧରେ ବସେଇ ଦର୍ପଦଳନ ରଥରେ ରଥାରୂଢ଼ କଲେଣି । ପାଟଡୋରିରେ ବନ୍ଧା ହୋଇ ଏବେ ଶ୍ରୀବଳଭଦ୍ର ପହଣ୍ଡିରେ ଯାଇ ତାଙ୍କ ନିର୍ଦ୍ଦିଷ୍ଟ ରଥ ତାଳଧ୍ୱଜରେ ଆସୀନ । ମୁଦିରସ୍ତ ତାଙ୍କ ବାଡ଼ରେ ଅଛନ୍ତି । ଶ୍ରୀଜଗନ୍ନାଥ କେତେକେତେ କୌତୁକ ରଚେଇ ପହଣ୍ଡିରେ ଯାଇ ନନ୍ଦିଘୋଷରେ ଆସୀନ ହେଲାପରେ ପୁଷ୍ପାଳକ ଓ ମହାଜନ ସେବକମାନେ ବିଜେ ପ୍ରତିମା ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଏବଂ ରାମ ଓ କୃଷ୍ଣଙ୍କୁ ତାଳଧ୍ୱଜ ରଥରେ ସ୍ଥାପନ କଲେଣି । ରଥ ଉପରେ ବିଗ୍ରହମାନଙ୍କର ରୁନ୍ଧା, ମାଳଫୁଲ, ବେଶ, ସୋଲଚିତା ଲାଗି, ମଇଲମ ଓ ମାଳଫୁଲ ଲାଗି ସରିବା ପରେ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶ୍ରୀଶଙ୍କରାଚାର୍ଯ୍ୟ ତିନିରଥରେ ପ୍ରଭୁଙ୍କୁ ଦର୍ଶନ କରିବା ବିଧି ଅଛି । ଯାତ୍ରାରେ ବ୍ୟବହାର ଉପଯୋଗୀ ସବୁ ସାଜ ଭର୍ତ୍ତି ସିନ୍ଦୁକଗୁଡ଼ିକୁ କୋଠସୁଆଁସିଆ ସେବକମାନେ ରଥ ଉପରେ ଆଗରୁ ରଖିସାରିଛନ୍ତି । ଚାରମାଳ ସେମିତି ଲାଗି ରହିଛି ।
ଶ୍ରୀମନ୍ଦିର ପ୍ରଶାସନର ଜନୈକ ଅଧିକାରୀ ବିଧିବଦ୍ଧ ଭାବରେ ପ୍ରଭୁଙ୍କର ପ୍ରଥମ ସେବକ ଗଜପତି ମହାରାଜାଙ୍କୁ ଛେରାପହଁରା ସେବା ପାଇଁ ନିମନ୍ତ୍ରଣ କରିବାକୁ ଶ୍ରୀନଅରକୁ ଗଲେଣି । ଗଜପତି ଧଳାରଙ୍ଗର ଚୁଡ଼ିଦାର, କୁର୍ତ୍ତା ଓ ପଗଡ଼ି ପିନ୍ଧି ପ୍ରଥମେ ପ୍ରାସାଦରେ ଥିବା ଅଧିଷ୍ଠାତ୍ରୀ ଦେବୀ କନକଦୁର୍ଗାଙ୍କୁ ପ୍ରଣାମ କରି ଖଣ୍ଡା ଇତ୍ୟାଦି ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ହାତୀଦାନ୍ତ ଓ ରୁପାତିଆରି ମେହେନା ବା ତାମଯାନରେ ଆସି ପ୍ରଥମେ ତାଳଧ୍ୱଜରେ ରଥାରୂଢ଼ ଶ୍ରୀବଳଭଦ୍ର, ତା’ପରେ ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ଓ ପରିଶେଷରେ ଦର୍ପଦଳନରେ ଆସୀନା ଶ୍ରୀସୁଭଦ୍ରାଙ୍କ ରଥ ଚାରିପଟେ ଘୋରା ଚନ୍ଦନ ପାଣି (ଛେରା) ଛିଞ୍ଚି ସୁନାଖଡ଼ିକାରେ ଶ୍ରଦ୍ଧା ଓ ଭକ୍ତିର ସହିତ ଓଳେଇ ଚାଲିଛନ୍ତି ।
ଗଜପତି ବାହୁଡ଼ିଗଲା ପରେ ରଥମାନଙ୍କରୁ ଚାରମାଳ ଅପସାରିତ ହେଉଛି । ସାରଥି ଓ ଅଶ୍ୱମାନଙ୍କୁ ରଥ ଦଉଡ଼ିରେ ବାନ୍ଧି ସାରିଲା ପରେ ରଥଟଣା ଆରମ୍ଭ ହେବ । ପ୍ରଥମେ ବଡ଼ଦାଣ୍ଡରେ ମହାନିର୍ଘୋଷରେ ଗଡ଼ି ଚାଲିବ ବଳଭଦ୍ରଙ୍କର ତାଳଧ୍ୱଜ ରଥ, ତା’ପରେ ସୁଭଦ୍ରାଙ୍କର ଦର୍ପଦଳନ ରଥ ଓ ପରିଶେଷରେ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ । ରଥ ଆଗରେ ମଣିଷସମୁଦ୍ର । ରଥଯାତ୍ରା କାଳରେ ବିଗ୍ରହମାନେ ରନ୍ଧନ ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ଶୁଖିଲା ଭୋଗ (ଖଇ, କୋରା ଆଦି) ଓ ଫଳମୂଳ ଯାହା ପନ୍ତି ନାମରେ ଖ୍ୟାତ, ସେଇ ଭୋଗସବୁ ବିଭିନ୍ନ ମଠ ବିଗ୍ରହମାନଙ୍କୁ ଅର୍ପଣ କରିବାର ପରମ୍ପରା ରହିଛି ।
ଶରଧାବାଲି (ବର୍ତ୍ତମାନ କଂକ୍ରିଟ୍ ଆସ୍ତରଣରେ ଆଚ୍ଛାଦିତ)ରେ ରଥ ଗଡ଼ିଲା ବେଳେ ବାଟରେ ପଡ଼େ ମାଉସୀମା’ ମନ୍ଦିର । ସେଠାରେ ଟିକେ ଅଟକି ଯାଇ ମାଉସୀମା’ଙ୍କ ଦ୍ୱାରା ପ୍ରସ୍ତୁତ ପୋଡ଼ପିଠା ଖାଇବାକୁ ପ୍ରଭୁ ଆଗ୍ରହ ଦେଖାନ୍ତି । ଆଉ ଅଧାବାଟରେ ଟିକେ ଅଟକି ଯାଆନ୍ତି କାଳେ ସାତଶହ କୋଶ ଦୂରରୁ ଆସୁଥିବା ଭକ୍ତ ସାଲବେଗ ଦେଖା ହୋଇଯିବ ବୋଲି! ଯଦି ଆଉ କାହା ପାଇଁ ଅପେକ୍ଷା କରିବାକୁ ନ ଥାଏ, ତେବେ ରଥାରୂଢ଼ ବାମନରୂପୀ ଶ୍ରୀଜଗନ୍ନାଥ ସିଧା ଯାଇ ନିଜ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଯିବେ । ନହେଲେ ଅଧାବାଟରେ ରହି ତା’ ପରଦିନ ଯାଇ ଆଡପ ମଣ୍ଡପରେ ବିଜେ ହେବେ ।
ରଥଯାତ୍ରାର ପଞ୍ଚମ ଦିନ ‘ହେରାପଞ୍ଚମୀ’ ନାମରେ ବିଖ୍ୟାତ । ଲକ୍ଷ୍ମୀଠାକୁରାଣୀଙ୍କୁ ସାଙ୍ଗରେ ନ ଆଣି ପ୍ରଭୁ କ’ଣ ଭୁଲ୍ କରିନାହାନ୍ତି? ରାଗରେ ଲକ୍ଷ୍ମୀଠାକୁରାଣୀ ବିମଳାଙ୍କ ସହ ପରାମର୍ଶ କରି ତାଙ୍କଠାରୁ ବଶୀକରଣ ମନ୍ତ୍ରରେ ମନ୍ତ୍ରିତ ଧୂଳି ଆଣି ବଡ଼ ଆଟୋପରେ ବିମାନରେ ଚାଲି ଆସନ୍ତି ଆଡ଼ପ ମଣ୍ଡପକୁ । ତାଙ୍କ-ତାଙ୍କ ଭିତରେ ଗୁପ୍ତ ସମ୍ଭାଷଣ ହୁଏ । ନାକଚଣା ଦ୍ୱାରବାଟେ ଫେରିବା ବେଳେ ନନ୍ଦିଘୋଷର ଶ୍ରୀଅଙ୍ଗକୁ ଟିକେ ଆଘାତ ଦେଇ ହେରାଗୋହିରା ବାଟେ ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି ଅଭିମାନିନୀ ମା’ ଲକ୍ଷ୍ମୀ ।
ତା’ପରଦିନ ରଥମାନଙ୍କର ଦକ୍ଷିଣ ମୋଡ଼ ହୁଏ । ଥରେ ଥରେ ଏହା ଦି’ଦିନ ବି ଲାଗିଯାଏ । ରଥଯାତ୍ରାରମ୍ଭର ସପ୍ତମ ଦିନ ଅର୍ଥାତ୍ ଶୁକ୍ଳ ନବମୀ ସନ୍ଧ୍ୟାରେ ବହୁ ଭକ୍ତ ସମାବେଶରେ ପ୍ରଭୁଙ୍କର ସନ୍ଧ୍ୟାଦର୍ଶନ ନୀତି ଅନୁଷ୍ଠିତ ହୁଏ ଆଡ଼ପ ମଣ୍ଡପରେ । ଆଡପ ମଣ୍ଡପ (ସିଂହାସନ)ର ଅନ୍ୟନାମ ଯଜ୍ଞମଣ୍ଡପ ବା ମହାବେଦୀ କୁହାଯାଏ । ଏହି ଦିନ ସନ୍ଧ୍ୟାରେ ପ୍ରଭୁଙ୍କ ଦର୍ଶନ ଅତ୍ୟନ୍ତ ପୁଣ୍ୟପ୍ରଦ ବୋଲି କୁହାଯାଏ ।
ତା’ପରଦିନ ଅନୁଷ୍ଠିତ ହୁଏ ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା । ପୂର୍ବଭଳି ପହଣ୍ଡି ଓ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରାର ପୁନରାବୃତ୍ତି ହୁଏ । ଏଇ ବାହୁଡ଼ା ଯାତ୍ରାର ବିଶେଷତ୍ୱ ହେଉଛି “ଲକ୍ଷ୍ମୀନାରାୟଣ ଭେଟ’ । ତାଳଧ୍ୱଜ ଓ ଦର୍ପଦଳନ ଦୁଇରଥ ସିଧା ସିଂହଦ୍ୱାରକୁ ଚାଲିଯାଆନ୍ତି । ଏକା ନନ୍ଦିଘୋଷ ଅଟକି ରୁହନ୍ତି ଶ୍ରୀନଅର ସମ୍ମୁଖରେ । ପାଲିଙ୍କିରେ ବସି ଶ୍ରୀଲକ୍ଷ୍ମୀ ସ୍ନାନମଣ୍ଡପ ନିକଟରେ ଥିବା ଚାହାଣି ମଣ୍ଡପରୁ ବଡ଼ଦାଣ୍ଡକୁ ଚାହାନ୍ତି, ନନ୍ଦିଘୋଷ କେଉଁଠି ଅଛି ବୋଲି । ଠାବ କଲା ପରେ ମା’ ଲକ୍ଷ୍ମୀ ପାଲିଙ୍କିରେ ଆସି ନନ୍ଦିଘୋଷ ଆଗରେ ରୁହନ୍ତି । ଗଜପତି ମହାରାଜା ଲକ୍ଷ୍ମୀଙ୍କୁ ନେଇ ଜଗନ୍ନାଥଙ୍କୁ ଭେଟ କରାନ୍ତି । ତା’ପରେ ରଥ ପ୍ରଦକ୍ଷିଣ କରି ଓ ଆଜ୍ଞାମାଳ ଧରି ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି ।
ନନ୍ଦିଘୋଷ ଏବେ ଆସି ଅନ୍ୟ ଦୁଇ ରଥଙ୍କ ସହ ସିଂହଦ୍ୱାର ଚକଡ଼ାରେ ପୂର୍ବଭଳି ଦଣ୍ଡାୟମାନ ହେଲାଣି । ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ତିନି ଠାକୁରଙ୍କର ସୁନାବେଶ ହୁଏ । ଶ୍ରୀବଳଭଦ୍ରଙ୍କ ସୁନାବେଶରେ ସୁନା ତିଆରି ଶ୍ରୀପୟର, ଶ୍ରୀଭୁଜ, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, ହଳ ମୂଷଳ, ବାଘନଖ, ବିଭିନ୍ନ ମାଳ ପ୍ରଭୃତି ଲାଗି କରାଯାଏ । ଦେବୀ ସୁଭଦ୍ରାଙ୍କର ସେଇଭଳି କିରୀଟ, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ ଓ ବିଭିନ୍ନ ପ୍ରକାରର ସୁନାମାଳି ଲାଗି କରାଯାଏ । ଶ୍ରୀଜଗନ୍ନାଥଙ୍କ ସୁନାବେଶରେ କିରୀଟ, ଶ୍ରୀଭୁଜ ଓ ଶ୍ରୀପୟର, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, ସୁନାର ଚକ୍ର, ରୁପାର ଶଙ୍ଖ ଓ ପ୍ରାୟ ଛଅ ପ୍ରକାରର ସୁନାମାଳି ଲାଗି କରାଯାଏ ।
ସୁନାବେଶର ପରଦିନ ବିଗ୍ରହମାନଙ୍କୁ ରଥ ଉପରେ ଅଧରପଣା ଲାଗି କରାଯାଏ । ଏହି ସ୍ୱତନ୍ତ୍ର ପଣା ଛାଚି, ସର, କଦଳୀ, ଛେନା, ମରିଚଗୁଣ୍ଡ, କର୍ପୂର, ଜାଇଫଳ ମିଶ୍ରିତ ହୋଇ ମାଟି ତିଆରି ତିନୋଟି ବଡ଼ ତୁମ୍ବ ବା ହାଣ୍ଡିରେ ଅର୍ପଣ କରାଯାଏ । ତୁମ୍ବଗୁଡ଼ିକ ବିଗ୍ରହଙ୍କ ଅଧରସ୍ପର୍ଶ କରୁଥାଏ । ନୈବେଦ୍ୟ ହୋଇସାରିଲା ପରେ ସେଇ ପଣା ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଏ ଅନ୍ତରିକ୍ଷରେ ଥିବା ସମସ୍ତ ଦେବ, ଗନ୍ଧର୍ବ, ଅସୁର ପିଶାଚମାନଙ୍କର ତୃପ୍ତି ପାଇଁ ।
ତ୍ରୟୋଦଶୀ ତିଥିରେ ନୀଳାଦ୍ରିବିଜେ ଉତ୍ସବ ଅନୁଷ୍ଠିତ ହୁଏ । ସର୍ବପ୍ରଥମେ ମଦନମୋହନ, ରାମ ଓ କୃଷ୍ଣ ରଥରୁ ଯାଇ ଦକ୍ଷିଣୀ ଘରେ ଏବେ ବିଜେ । ଗୋଟି ପହଣ୍ଡି କ୍ରମରେ ଯଥାକ୍ରମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରିସାରିଲେଣି । ଶେଷକୁ ଯିବେ ଶ୍ରୀଜଗନ୍ନାଥ । ଭେଟମଣ୍ଡପରେ ଲକ୍ଷ୍ମୀଠାକୁରାଣୀ ତାଙ୍କୁ ଭେଟି ବନ୍ଦାପନା କଲେ ବି ତାଙ୍କ ମନରେ ଅଭିମାନ ଥାଏ । ପ୍ରଭୁ ସିଂହଦ୍ୱାର ଦେଇ ଯିବା ବେଳକୁ କବାଟ କିଛି ସମୟ ପାଇଁ ବନ୍ଦ ହୋଇଯାଏ । ଜୟବିଜୟ ଦ୍ୱାର ପାଖରେ ସେଇ ଅବସ୍ଥା । ବଚନିକା ପରେ ପ୍ରଭୁ ଯାଇ ଭଣ୍ଡାରଘରେ ପହଞ୍ଚିଲା ପରେ ଋକ୍ମିଣୀ ବିବାହ କାଳର (ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଋକ୍ମିଣୀ ହରଣ) ଗଇଁଠାଳ ଫିଟିବ । ବନ୍ଦାପନା ହେବ ଓ ପ୍ରଭୁ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ତାଙ୍କ ସନ୍ତୋଷ ବିଧାନ କରିବେ ।
ଷୋଡ଼ଶ ଶତାବ୍ଦୀରେ ମା’ ଲକ୍ଷ୍ମୀଙ୍କର ଅସୀମ ନାରୀ ଶକ୍ତିକୁ ଉପଜୀବ୍ୟ କରି ‘ଲକ୍ଷ୍ମୀପୁରାଣ’ ରଚନା କରିଥିବା ସିଦ୍ଧସାଧକ ବଳରାମ ଦାସଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଅଭିମାନ ଓ ଯୁଦ୍ଧଂଦେହି ଆହ୍ୱାନର ସ୍ମୃତିଚାରଣ ଏଠାରେ ନିହାତି ଅପ୍ରାସଙ୍ଗିକ ନୁହେଁ । ବଡ଼ଦାଣ୍ଡରେ ବିଜେ ହୋଇଛନ୍ତି ପ୍ରଭୁ ନନ୍ଦିଘୋଷରେ । ବଳରାମ ବେଶ୍ୟାଳୟ ଗମନ କରନ୍ତି ବୋଲି ତାଙ୍କ ନାଁରେ ଦୁର୍ନାମ ରଚିଥିଲେ ସେବକ ଓ ବ୍ରାହ୍ମଣମାନେ । ସେ ଥିଲେ ସ୍ୱୟଂସିଦ୍ଧ ଓ ଏକାନ୍ତ ପ୍ରଭୁଭକ୍ତ । ଗୁଣ୍ଡିଚା ଦିନ ବେଶ୍ୟାଳୟରେ ଥାଇ ତାଙ୍କର ମନେପଡ଼ିଗଲା ଯେ ପ୍ରଭୁ ରଥାରୂଢ଼ ହେଲେଣି ବୋଲି । ଅତି ତରତର ହୋଇ ସେ ନନ୍ଦିଘୋଷକୁ ଯିବା ପାଇଁ ପ୍ରସ୍ତୁତ ହେଲା ବେଳକୁ ପଣ୍ଡା, ସେବକ ଓ ଅନ୍ୟମାନେ ତାଙ୍କୁ ଭର୍ତ୍ସନା କଲେ, ଠେଲି ବାହାର କରିଦେଲେ । ପ୍ରଭୁଙ୍କ ବିଦ୍ୟମାନରେ ସେ ଅପ୍ରସ୍ତୁତ ହେଲେ । ମନସ୍ତାପରେ ଆସି ଚକ୍ରତୀର୍ଥ ପାଖରେ ମହୋଦଧିକୁ ପଛ କରି ଓ ଶ୍ରୀମନ୍ଦିରକୁ ସାମ୍ନା କରି ବାଲିରେ ରଥଟିଏ ତିଆରି କଲେ ଓ ଜଗନ୍ନାଥଙ୍କୁ ଆହ୍ୱାନ କଲେ ଯେ ସେ ଆସି ତାଙ୍କ ତିଆରି ବାଲି ରଥରେ ବିଜେ କରନ୍ତୁ ବୋଲି । ପ୍ରଭୁ ଶୁଣିଲେ ନାହିଁ । ତୀବ୍ର ବିଷାଦ, ଅଭିମାନ ଓ ରୋଷରେ ସେ ଜଗନ୍ନାଥଙ୍କୁ, ନନ୍ଦିଘୋଷକୁ, ସମୁଦ୍ରକୁ, ପବନକୁ, ଧରିତ୍ରୀକୁ, ସୂର୍ଯ୍ୟ-ଚନ୍ଦ୍ରଙ୍କୁ ଓ ଆକାଶକୁ ଯନ୍ତ୍ରବନ୍ଧନ କରିବା ପାଇଁ ଉଦ୍ୟତ ହେଲେ । ତାଙ୍କ ରଚିତ ‘ବ୍ରହ୍ମକୁଣ୍ଡଳୀ’ରେ ଥିବା ବକ୍ତବ୍ୟ ହେଉଛି-
“ନ ଚଳିବ ଚକ, ନଚଳିବ ରଥ
ନ ଚଳିବ ଦେବଯାନ
ସୂର୍ଯ୍ୟ ଚନ୍ଦ୍ର ଆଦି ତପନ ସହିତ
ସର୍ବେ ହୋଇବେ ବନ୍ଧନ ।
ସମୁଦ୍ର ଲହରୀ ପବନ ସହିତ
ମୋର ମନ୍ଦିରେ ରହିବେ
ଧରିତ୍ରୀ ଆକାଶ ବନ୍ଧନ କରିଲି ଯନ୍ତ୍ରେ
ରହିବେ ସର୍ବେ । ସର୍ବେ ଗୋବିନ୍ଦ ହରେ ।”
ପ୍ରଭୁ ଭକ୍ତର ଦୃଢ଼ତା, ନିଷ୍ଠା, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ପରୀକ୍ଷା କରି ଆସିବାରେ ବିଳମ୍ବ କରିବାରୁ ବଳରାମ କହିଛନ୍ତି-
“ଯଦି ଏ ବଚନ ହୋଇଯିବ ଆନ
ଦାରୁବ୍ରହ୍ମ କି ତୋ ଥିବ
ମୂର୍ଦ୍ଧନା ଫାଟିଣ ଯାଉ ତୋ’ ପରାଣ ବଚନ ମୋ ରହିବ । କି ଗୋବିନ୍ଦ ହରେ ।”
ଶୁଣାଯାଏ, କିଛି ସମୟ ପାଇଁ ସେହି ବର୍ଷ ନନ୍ଦିଘୋଷ ଶୂନ୍ୟ ହୋଇଗଲା । ଲକ୍ଷ୍ମୀଠାକୁରାଣୀଙ୍କ ସହିତ ପ୍ରଭୁ ଶ୍ରୀଜଗନ୍ନାଥ ଆସି ମହୋଦଧିତଟରେ ମହାପୁରୁଷ ବଳରାମ ଦାସ ତିଆରିଥିବା ବାଲିରଥରେ ହଠାତ୍ ଉଭା ହୋଇଗଲେ । ସେହିଦିନ ଠାରୁ ପ୍ରତିବର୍ଷ ରଥୋତ୍ସବରେ ବଳରାମ ଦାସଙ୍କର ଶିଷ୍ୟମାନେ ଛୋଟ ରଥଟିଏ ଶୋଭାଯାତ୍ରାରେ ବାହାର କରି ବଡ଼ଦାଣ୍ଡରେ ଗଡେଇ ଗଡ଼େଇ ଚାଲିଛନ୍ତି । ନନ୍ଦିଘୋଷର ଆଗେ ଆଗେ ।