\\ ଏକ \\
ଜାଣେ, ତମେ ଚିହ୍ନି ନଥିବ
ବଳିପୁଟିଆକୁ…
କେମିତି ବା ଚିହ୍ନଂତ !
ସେ ତ କେବେ ଲଟପଟ ହବାର
କଥା ଉଠୁନି
ପିନ୍ପିନିଆ ତମ ଯିବା ବାଟରେ
ସହରର କେଉଁ ଦାମୀ ପ୍ରେକ୍ଷାଳୟରେ
ପୁସ୍ତିନ୍ଦିଆ ତମ ବହିରୁ
ତମେ କବିତା ପଢ଼ିଲା ବେଳେ
ତାକୁ ବା ଛାଡ଼ଂତା କିଏ ଯେ
ସେ ତମକୁ, ଆଉ ତମେ ତାକୁ ଭେଟଂତ !
ବୈପାରିଗୁଡ଼ା ହାଟରୁ ମୂଲେଇ ମୂଲେଇ
କିଣିଥିବା ଆଠ ହାତି ଶାଢୀରେ
ଢାଂକିଥାଏ ତା’ ଦିହ, ଖୋଲା
ବାଁ କାଂଧରୁ ଦାଉଦାଉ ଦିଶୁଥାଏ
କଂଠିମାଳ, ନିମତେଲ ଖୁସୁବୁରେ
ଜରକୁଥାଏ ପବନ, ଆଂଠୁତଳକୁ
କଳା ଚିତା, ହାତବାହିରେ ବଟଫଳ…
ଗଜକା ବର୍ଷାରେ ଭୁଷୁଡ଼ି ପଡ଼ିଥିବା
ଘର ଆଡ଼େ ପିଠିକରି ସେ ଚାହିଁଥାଏ
ସହର ଆଡ଼େ, ଯେଉଁ ଆଡ଼ୁ
ଉଅଂତି ସର୍କାର୍ ।
ଦୌଲତ୍ ବୋଇଲେ
ଗୋଟେ ଯୋଡ଼େ ରସହାଂଡ଼ି,
ନାସିଭଂଗା କଡ଼େଇ, କୁଂଥା ପନିକି ପଟେ,
ଛୋଟଛୋଟ ମାଟିବଢ଼ା କେଇଟି, ଆଉ
ଅଧାଘୋରା ଶିଳଟିଏ…
ଧାଡ଼ିଏ ପୋଇଖଡ଼ା ଡଂକଉଥାଏ
ଆଶା ପରି, କଂଚନ ଗଛରେ
ଫୁଟୁଥାଏ ଫୁଲ
ଅଭାବ୍ଭାବ ନବାରି ||
\\ ଦୁଇ \\
ବଳିପୁଟିଆକୁ ବଅସ ତିନିକୋଡ଼ି
ହାଇଁପାଇଁ ଆଖିରେ ତା’ର
ହାତ ଗଣତି ସ୍ୱପ୍ନ…
ପାଇବା ପାଇବା ହେଇ ପାଇ ନଥିବା
ଗୋଟେ ରାସନ୍ କାର୍ଡ଼
ମିଳିବା ମିଳିବା ହେଇ ମିଳି ନଥିବା
ବଖରେ ବିଜୁ-ଘର
ଥରେ ଥରେ ସେ କିଲାଏ ଦାଂତ
ତ ଥରେ ଥରେ ସକାଏ…”
‘କି ରେ!’ ବୋଲି ପୁଚ୍ଛି ବସିଲେ
ଖିଲ ମରିଥାଏ ପାଟିରେ ତା’ର ||
କବିତା ଗାରା, କବିତାରୁ କିମତ୍ ଗୋଟା
ଖେଳରେ ମାତି ତମେ ଅମଳ ଦେଇନ
ଢେର୍ ଦିନୁ ବଇଦିର ଗରିବାନିକୁ
ବଇଦିକୁ ନ ନେଇ କ’ଣ କବିତା ହୁଏ
କୋଉକାଳେ ଯେ ଲେଖି ଚାଲିଚ
ବହି ପରେ ବହି?
ହୋଟେଲ୍ର ସୌଖୀନ୍ ଦିଆଲ
କ’ଣ କବିତା ବୁଝେ ଯେ
ତମେ ଗାଇ ଚାଲିଛ
ଥକ ନନେଇ ?
ଆସୁନ ଆସ, ବୁଲିଯିବା
ବୈପାରିଗୁଡ଼ା !
ବୈପାରିଗୁଡ଼ାର ରାମପୁର, ରାମପୁରର
ବଇଦି ବଳିପୁଟିଆ ଜାଣେ
କବିତା କ’ଣ, ଜାଣେ ଜୀବନ କ’ଣ !!