ଫଳରାଜ ଆମ୍ବ
‘ତାଇୟୋ ନୋ ତାମାଗେ’ ଆମ୍ବର ଏକ କିସମ, ଯାହା ଜାପାନର ମିୟାଜାକି ଅଞ୍ଚଳର ନିଜସ୍ୱ । ସମଗ୍ର ବିଶ୍ଵରେ ଏହାର ଆଦର ହେତୁ, ଏହି ଆମ୍ବର ଦାମ୍ ଆକାଶଛୁଆଁ। ଏହା ଦେଖିବାକୁ ଅଧା ଲାଲ୍ ଏବଂ ଅଧା ହଳଦିଆ। ଜାପାନରେ ଗ୍ରୀଷ୍ମ ଓ ଶୀତ – ଏହି ଦୁଇ ଋତୁରେ ଏହା ଫଳିଥାଏ । ଦୁଇଟି ଆମ୍ବର ଦାମ୍ 3,600 ମାର୍କିନ ଡଲାର ଅର୍ଥାତ୍ ଆମ ଦେଶର ମୁଦ୍ରାରେ ପ୍ରାୟ 72 ହଜାର ଟଙ୍କା । ପ୍ରତ୍ୟେକ ଆମ୍ବର ଓଜନ ହାରାହାରି ପ୍ରାୟ 300 ଗ୍ରାମ୍। ଏକ କିଲୋଗ୍ରାମ୍ ଆମ୍ବ କିଣିଲେ ଅଢେଇ ରୁ 3 ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ ଜାପାନୀ ମିୟାଜାକି ଆମ୍ବ-ରସିକଙ୍କୁ । ଏମିତିକା ଅନେକ କିସମର ଆମ୍ବ ଫଳେ ଆମ ଦେଶ ଭାରତରେ । ଚଳିତ ଗ୍ରୀଷ୍ମ ଋତୁରେ ଆପଣମାନଙ୍କୁ ଆମର ସଶ୍ରଦ୍ଧ ରସାଳ ଭେଟି ‘ଫଳରାଜ ଆମ୍ବ’ ।
ଭାରତର ଜାତୀୟ ଫଳ ଆମ୍ବ। ଏହା ଭାରତୀୟ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଓ ସମସ୍ତଙ୍କ ପ୍ରିୟ। ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ – ପୂର୍ଣ୍ଣକୁମ୍ଭ ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ ସବୁଠି ଆମ୍ବ ପତ୍ର ଖୋଜା ପଡେ। କଞ୍ଚା ଓ ପାଚିଲା ଆମ୍ବ, ଖାଦ୍ୟ ରୂପେ ବ୍ୟବହୃତ ହୁଏ । କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ଭାରତୀୟ ଚିତ୍ରକଳାରେ ଆମ୍ବକଷିର ଚିତ୍ର ବହୁଳ ଭାବରେ ଆଦୃତ । ପାରସ୍ୟ ଚିତ୍ରକଳାରେ ମଧ୍ୟ ଆମ୍ବକଷିର ମହତ୍ତ୍ୱ ରହିଛି । ସୁମଧୁର ସ୍ୱାଦ କାରଣରୁ ସାଧାରଣ ମଣିଷଙ୍କ ଠାରୁ ପ୍ରାଚୀନ କବି କାଳିଦାସ, ଗ୍ରୀକ ବୀର ଆଲେକଜାଣ୍ଡାର ଏବଂ ବୌଦ୍ଧସନ୍ନ୍ୟାସୀ ହୁଏନସାଂ’ଙ୍କ ଯାଏଁ ସଭିଏଁ ଆମ୍ବର ପ୍ରସଂଶକ।
ଇଂରାଜୀରେ ଆମ୍ବର ନାମ “ମ୍ୟାଙ୍ଗୋ”। ଏହାର ମୂଳ ନାମ ମାଲୟାଲାମ ଓ ତାମିଲ ଭାଷାରୁ ଉତ୍ପନ୍ନ ହୋଇଥିବାର କୁହାଯାଏ । ପର୍ତ୍ତୁଗୀଜ ନାବିକମାନେ ଆମ୍ବକୁ ‘ମାଙ୍ଗା’ ନାମରେ ଉଚ୍ଚାରଣ କରୁଥିଲେ ଏବଂ ଭାରତରୁ ନେଇ ୟୁରୋପରେ ପରିଚିତ କରାଇଥିଲେ । ‘ମାଙ୍ଗା’ ଭାରତର ମୂଳଶବ୍ଦରୁ ଗଠିତ ହୋଇଥିବା ପ୍ରଥମ ବିଦେଶୀ ଶବ୍ଦ ବୋଲି ବିଶ୍ୱାସ କରାଯାଏ I ପ୍ରାୟ ପଞ୍ଚଦଶ ଶତାବ୍ଦୀରୁ ଫ୍ରେଞ୍ଚ-ଶବ୍ଦକୋଷରେ ‘ମାଙ୍ଗା’ ସ୍ଥାନିତ ହୋଇ ସାରିଥିଲା ।
ଆମ୍ବର ଉଦ୍ଭିଦ ବିଜ୍ଞାନରେ ନାମକରଣ କରାଯାଇଛି ମ୍ୟାଙ୍ଗିଫେରା ଇଣ୍ଡିକା I ଆମ୍ବର ବଂଶାବଳୀ ଅନୁସାରେ: ସାମ୍ରାଜ୍ୟ – ପ୍ଲାଣ୍ଟାଇ, ବିଭାଗ – ଆଞ୍ଜିଓସ୍ପର୍ମ, ବଂଶ – ଏନାକାର୍ଡିଏସି, ପ୍ରଜାତି – ମ୍ୟାଙ୍ଗିଫେରା, ଜାତି – ମ୍ୟାଙ୍ଗିଫେରା ଇଣ୍ଡିକା I ମ୍ୟାଙ୍ଗିଫେରା ପ୍ରଜାତିର ଇଣ୍ଡିକା ଜାତି ଭଳି ଓଡୋରାଟା, ଫୋଏଟିଡା, ପାଜାଙ୍ଗ, ସିଲଭାଟିକା ଓ ସୁମାତ୍ରାନା ପ୍ରମୁଖ 69ଟି ଜାତି I ପ୍ରତ୍ୟେକ ଜାତିର ଶହ ଶହ କିସମ I ତେବେ, ଆମ୍ବର ଉତ୍ପତ୍ତିସ୍ଥଳ ଭାରତୀୟ ଉପମହାଦେଶ ଏବଂ ଏଠାରେ 250 ରୁ 300 ଲକ୍ଷ ବର୍ଷ ତଳୁ ଆମ୍ବ ଫଳୁଥିବାର ଅନୁମାନ କରାଯାଏ I ବୟସ୍କ ବୃକ୍ଷର ସର୍ବୋଚ୍ଚ ଉଚ୍ଚତା 131 ଫୁଟ ଓ ଏହା 300 ବର୍ଷ ଲଗାତାର ଫଳ ଧାରଣ କରୁଥିବାର ଦେଖାଯାଇଛି I ଏହା ଚିରହରିତ ଏବଂ ଏହାର ପ୍ରଥମ ଚେର 20 ଫୁଟ ଗଭୀରକୁ ଯାଇପାରେ I ସେଥିପାଇଁ, ବାତ୍ୟାରେ କ୍ଷତିଗ୍ରସ୍ତ ନହୋଇ ମାଟିକୁ ଜାବୁଡି ଧରୁଥିବା ଆମ୍ବ ଗଛକୁ ସମୃଦ୍ଧି, ସୁସ୍ୱାସ୍ଥ୍ୟ ଏବଂ ଖୁସିର ପ୍ରତୀକ ଭାବେ ଗ୍ରହଣ କରାଯାଏ I
ଆମ୍ବର ଅନ୍ୟ ନାମ ଆମ୍ର, ଚୂତ, ସହକାର, ରସାଳ l ଓଡ଼ିଆରେ ଆମେ ଯେଉଁ ଫଳକୁ ଆମ୍ବ କହୁ, ତାହାକୁ ବଙ୍ଗଳାରେ ଆମ୍, ଗୁଜୁରାଟୀରେ ଅମ୍ରି, ହିନ୍ଦୀରେ ଆମ୍ବ ଓ ଆମ୍, କନ୍ନଡ଼ରେ ମାଭୁ, ମାଲାୟାଲାମରେ ଆମ୍ରମ, କୁତମ ଓ ମାଭୁ, ମରାଠୀରେ ଆମ୍ବା, ସଂସ୍କୃତରେ ଆମ୍ର ଓ ଚୂତ, ତାମିଲରେ ମାମରାମ ଓ ମାଉ, ତେଲୁଗୁରେ ମାମିଡି ଓ ମାଭି କୁହାଯାଉଥିଲା ବେଳେ, ଇଂରାଜୀରେ ଏହାର ନାଁ-ମ୍ୟାଙ୍ଗୋ I
ବେଦରେ ଦେବତାମାନଙ୍କ ଭୋଜ୍ୟ ତାଲିକାରେ ଆମ୍ବ ସ୍ଥାନ ପାଇଛି I ଅନେକ ଧର୍ମରେ ପ୍ରଚଳିତ ଲୋକଗୀତ ଓ ଲୋକକଥାରେ ଆମ୍ବ ଅଙ୍ଗାଙ୍ଗୀଭାବେ ଜଡିତ ହୋଇ ରହି ଆସିଛି I ହିନ୍ଦୁମାନେ ଆମ୍ବ ଗଛକୁ ସୃଷ୍ଟିର ଦେବତା ପ୍ରଜାପତି ରୂପେ ଗ୍ରହଣ କରନ୍ତି I ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି ଯେ, ଅମୃତ ସନ୍ଧାନରେ ଦେବତା ଓ ଅସୁର ଗଣ ସମୁଦ୍ର ମନ୍ଥନ କଲାବେଳେ, ସମୁଦ୍ର ଗର୍ଭରୁ ଯେଉଁ କିଛି ବୃକ୍ଷ ଉତ୍ପନ୍ନ ହୋଇଥିଲା, ସେଗୁଡିକ ମଧ୍ୟରେ ଥିଲା ଆମ୍ବ I ଅନ୍ୟ ବୃକ୍ଷ ଥିଲେ, ପାରିଜାତ ଓ ବଟ I ମତ୍ସ୍ୟ ପୁରାଣରେ ଥିବା ବର୍ଣ୍ଣନା ମଧ୍ୟରେ ବିଭିନ୍ନ ପ୍ରକାର ବ୍ରତ ପାଳନରେ ଆମ୍ବ ଗଛର ନାମ ଉଲ୍ଲେଖ ହୋଇଛି I କୁହାଯାଏ ଯେ, ରାବଣର ଲଙ୍କାପୁରରୁ (ଶ୍ରୀଲଙ୍କା) ଆମ୍ବ ଗଛକୁ ହନୁମାନ ଭାରତ ଆଣିଥିଲେ।
ଆମ ରାଜ୍ୟ ଓଡ଼ିଶାରେ ପ୍ରାୟ 200 କିସମର ଆମ୍ବ ବାର୍ଷିକ ପ୍ରାୟ 18ରୁ 20 ଲକ୍ଷ ମେଟ୍ରିକ ଟନ ଉତ୍ପାଦନ କରାଯାଏ I ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କଟକ, ସୁବର୍ଣ୍ଣପୁର ଓ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ଆମ୍ବଚାଷ କରାଯାଏ I ବିଳମ୍ବରେ ଫଳୁଥିବା କିଛି କିସମର ଆମ୍ବ କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ରାୟଗଡାରେ ଉତ୍ପାଦନ କରାଯାଏ I ଓଡ଼ିଶାରେ ମୁଖ୍ୟତଃ ଆମ୍ରପଲ୍ଲୀ, ଦଶେରି, ମଲ୍ଲିକା, ଆଖୁରସ, କେଶରୀ ଓ ଲେଙ୍ଗଡା କିସମର ଆମ୍ବ ବଗିଚାରେ ଚାଷ କରାଯାଏ I ଭାରତରେ ବର୍ଷକୁ 21ରୁ 23 ନିୟୁତ ଟନ ଆମ୍ବ ଉତ୍ପାଦନ ହୋଇଥାଏ । ଦେଶର ପ୍ରମୁଖ ଆମ୍ବ ଉତ୍ପାଦନକାରୀ ରାଜ୍ୟଗୁଡିକ ହେଲେ – ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟ I ଭାରତ ବିଶ୍ବରେ ଏକ ପ୍ରମୁଖ ଆମ୍ବ ଉତ୍ପାଦନକାରୀ ଦେଶ ଭାବେ ଜଣାଶୁଣା । ଭାରତୀୟ ଆମ୍ବ ମଧ୍ୟପ୍ରାଚ୍ୟ, ଚୀନ, ଆମେରିକା ଆଦି ଦେଶକୁ ରପ୍ତାନି ହୋଇଥାଏ । ଆମ୍ବର ରହିଛି ଅନେକ କିସମ I ସେମାନଙ୍କର ଆକାର, ଆକୃତି, ରଙ୍ଗ, ମହକ ଓ ସ୍ୱାଦ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଅନେକ ଜନପ୍ରିୟ ଓ ବହୁ-ଆଦୃତ I ଆମ୍ବର ମଧୁର ବାସ୍ନା, ଉତ୍ତମ ସ୍ୱାଦ, ରସାଳପଣ ଦେବଭୋଗ୍ୟ I ଭାରତରେ ଉତ୍ପାଦିତ ହେଉଥିବା ପ୍ରମୁଖ କିସମ ଗୁଡିକ ହେଲା: ଆଲଫୋନ୍ସୋ, କେଶର, ଚୌଉଶା (Chaunsa), ଦଶେରୀ, ମାଲଦା, ଲାଙ୍ଗଡା, ତୋତାପୁରୀ, ବାଇଗଣପଲ୍ଲୀ (Banganapalli) ଏବଂ ହିମସାଗର I ଏବେ ଆସନ୍ତୁ, ଆମ୍ବ ପ୍ରସଙ୍ଗରେ କିଛି ତଥ୍ୟ ଓ ମଜାଦାର କଥା ଆଲୋଚନା କରିବା I
ବକୁଳ ଅମାବାସ୍ୟା
ବୃକ୍ଷ ପୂଜା ପରମ୍ପରାରେ ଆମ୍ବ ଗଛକୁ ପୂଜା କରିବାର ପର୍ବ ହେଉଛି ବଉଳ ଅମାବାସ୍ୟା। ପୌଷ ମାସର ଅମାବାସ୍ୟା ବକୁଳ ଅମାବାସ୍ୟା ନାମରେ ଖ୍ୟାତ। ଏହି ତିଥିରେ ଦଶ ଅବତାର ମଧ୍ୟରୁ ତୃତୀୟ ଅବତାର, ଶ୍ରୀବରାହ ଵା ଶୂକର ଅବତାର ଗ୍ରହଣ କରିଥିଲେ ସ୍ୱୟଂ ଭଗବାନ l ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାକ ପୁଡ଼ାରୁ ଜାତ ହୋଇ ପ୍ରଭୁ ବରାହ ପ୍ରବଳ-ପ୍ରତାପୀ ରାକ୍ଷସ ହିରଣ୍ୟାକ୍ଷକୁ ବଧ କରି ଦନ୍ତ୍ୟାଗ୍ରରେ ଧାରଣ କରିଥିଲେ।
ଶ୍ରୀମନ୍ଦିରରେ ବି ବକୁଳ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ନୀତି ଅବସରରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ବଉଳ ଗଇଁଠା ଲାଗି କରାଯାଇଥାଏ। ଅନ୍ୟପକ୍ଷରେ ବଉଳ ଅମାବାସ୍ୟା ଦିନ ଝିଅମାନେ ତାଙ୍କର ପ୍ରିୟ ସାଙ୍ଗମାନଙ୍କ ସାଙ୍ଗରେ ‘ବଉଳ’ ବସିବାର ପରମ୍ପରା ରହିଛି। ଏହିଦିନ ଝିଅମାନେ ପରସ୍ପରକୁ ବଉଳ ଖୁଆଇ ସବୁଦିନ ପାଇଁ ଏକ ସ୍ବତନ୍ତ୍ର ସମ୍ପର୍କରେ ବାନ୍ଧି ହୁଅନ୍ତି। ବଉଳ ବସିବା ପରେ ଆଉ ନାଁରେ ନ ଡାକି ପରସ୍ପରକୁ ‘ବଉଳ’ ବୋଲି ସମ୍ବୋଧନ କରନ୍ତି। ଏହି ସମ୍ପର୍କରେ ଏକ ଅଦ୍ଭୁତ ନିବିଡ଼ତା ଥାଏ।
ହିନ୍ଦୁ ଧର୍ମ, ଧାର୍ମିକ ବିଶ୍ୱାସ ଓ ପରମ୍ପରାରେ ଆମ୍ବ ଓ ଆମ୍ବ ଡାଳର ବହୁତ ମହତ୍ୱ ଅଛି l କଳସ ବା ଘଟ ସ୍ଥାପନ ଉପଲକ୍ଷେ ଆମ୍ବଡାଳ ଓ ପଇଡ଼ ଅପରିହାର୍ଯ୍ୟ ବସ୍ତୁ l ବିଭିନ୍ନ ମେଳାସ୍ଥଳୀ ଓ ସ୍ୱାଗତ ତୋରଣକୁ ଆମ୍ବ ଡାଳଦ୍ୱାରା ସଜା ଯାଇଥାଏ l ଦୋଳଯାତ ବେଳେ ପ୍ରଭୁ ଶ୍ରୀଦୋଳଗୋବିନ୍ଦଙ୍କ ଶ୍ରୀହସ୍ତରେ ଆମ୍ବ କଷି ଲଗା ଆମ୍ବଡାଳ ଶୋଭା ପାଏ l ଆମ୍ବ ଏକ ଅତ୍ୟନ୍ତ ପବିତ୍ର ବୃକ୍ଷ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ମାନଙ୍କରେ ଆମ୍ବପତ୍ର ବ୍ୟବହାର ହେତୁ ଏହା ଅନ୍ୟାନ୍ୟ ବୃକ୍ଷ ଯଥା ତୁଳସୀ, ବେଲ ଅଁଳା, ଅଶ୍ୱସ୍ତ, ବର, ପଳାଶ, କଦଳୀ ଇତ୍ୟାଦି ଭଳି ପୂଜନୀୟ। ଏହା ଭାରତ, ପାକିସ୍ତାନ, ବାଂଲାଦେଶ ଓ ଫିଲିପାଇନ୍ସର ଜାତୀୟ ଫଳ।
ଲକ୍ଷ୍ନୌର କଲିମୁଲ୍ଲା ଖାଁ
ଉତ୍ତର ଭାରତର ଲକ୍ଷ୍ନୌ ସହରର ମଲିହାବାଦରେ କଲିମୁଲ୍ଲା ଖାଁଙ୍କର ରହିଛି ଦଶ ହଜାର ହେକ୍ଟର୍ ପରିମିତ ଆମ୍ବ ବଗିଚା; ଯେଉଁଠି ରହିଛି ତାଙ୍କର ହଜାର ହଜାର କଲମୀ ଆମ୍ବ ଗଛ। ଅଶୀତିପର ବୟସରେ ମଧ୍ୟ ସେ ଆମ୍ବ ଗଛ କଲମୀ କରିବାରେ ସାରାଦିନ ବ୍ୟସ୍ତ ରହନ୍ତି । ଏହି ବଗିଚାର ବିଶେଷତ୍ୱ ହେଲା କଲିମୁଲ୍ଲାଙ୍କ ହାତରେ କଲମୀ ହୋଇଥିବା ବିଚିତ୍ର କଲମୀ ଆମ୍ବ ଗଛ ସବୁ। ଗଛରେ ରହିଛି ଭିନ୍ନ ଭିନ୍ନ ରକମର ଶାଖା ପ୍ରଶାଖା ଆଉ ସେଥିରେ ଫଳିଥିବା ବିଭିନ୍ନ ଆକାର ପ୍ରକାର ଓ ରଙ୍ଗବେରଙ୍ଗର ଆମ୍ବ ।
ସେ ଗୋଟିଏ ଗଛରେ ତିନିଶହ ପ୍ରକାରର ଆମ୍ବ ଫଳାଇ ପାରିଛନ୍ତି। ଏଇଠୁ ଆମ୍ବ ଦେଶ ବିଦେଶକୁ ରପ୍ତାନୀ ହେଉଛି। ଖାଲି ସେତିକି ନୁହେଁ ଫଳ ଅମଳ ହେବା ବେଳେ ବଗିଚାକୁ ଅନେକ ଲୋକ ବୁଲି ଆସନ୍ତି । ରାଜ୍ୟ ଏବଂ ଭାରତ ସରକାରଙ୍କ ଅନେକ କୃଷି ବିଶ୍ୱବିଦ୍ୟାଳୟ ଏବଂ କୃଷି ଗବେଷଣା କେନ୍ଦ୍ର ମଧ୍ୟ ତାଙ୍କ ସହ ସମ୍ପର୍କ କରୁଛନ୍ତି। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ଶୋଭା ବର୍ଦ୍ଧନ କରି ଗୋଟିଏ ଗଛରେ ଚଉବନ ପ୍ରକାର ଆମ୍ବ ଫଳାଇ ପାରିଛନ୍ତି । ଆମ୍ବମାନଙ୍କର ଖୁବ୍ ସୁନ୍ଦର ନାମକରଣ ମଧ୍ୟ କରିଛନ୍ତି I ଯଥା: ସଚିନ୍, ନମୋ, ଅମିତ ଶାହ ଓ ଐଶ୍ୱର୍ଯ୍ୟା। ତାଙ୍କୁ ଭାରତ ସରକାର ସମ୍ମାନସୂଚକ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି । ଲିମକା ବୁକ୍ ଅଫିସ୍ ୱାର୍ଲଡ୍ ରେକର୍ଡ୍ ରେ ନାଆଁ ରହିଛି ତାଙ୍କର।
ଆମ୍ବ କିଲୋ ୩ ଲକ୍ଷ ଟଙ୍କା
ଭାରତୀୟମାନେ ବିଶ୍ୱର ସବୁଠୁ ଅଧିକ ପରିମାଣର ଆମ୍ବ ଖାଇଥାନ୍ତି। ଏମିତି ଏକ ଆମ୍ବର କିସମ ଅଛି ଯାହାର ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତାଇୟୋ ନୋ ତାମାଗେ (ଏଗ୍ ଅଫ୍ ଦ ସନ୍) ନାମକ ଏକ କିସମର ଆମ୍ବ ଅଛି; ଯାହା ଜାପାନର ମିୟାଜାକି ଜିଲାରେ ଦେଖିବାକୁ ମିଳିଥାଏ। ଏହି ଆମ୍ବର ଦାମ୍ ଆକାଶଛୁଆଁ। ଏକ କିଲୋଗ୍ରାମ୍ ଆମ୍ବ କିଣିଲେ ହାରାହାରି 3 ଲକ୍ଷରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ। ତ୍ରିପୁରା ବାସିନ୍ଦା ପ୍ରଜ୍ଞାନ ଚକମା ତାଙ୍କ ବଗିଚାରେ ଫଳାଇଛନ୍ତି ମିୟାଜାକି ଆମ୍ବ। ଆମ ଓଡ଼ିଶାର ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ନୀଳାଥର ଗାଁର 50 ବର୍ଷୀୟ ଚାଷୀ ଚନ୍ଦ୍ର ସତ୍ୟନାରାୟଣ ମଧ୍ୟ ମିୟାଜାକି ଆମ୍ବ ଚାଷ କରୁଛନ୍ତି ।
ରାଜସ୍ଥାନର କୋଟା ନିବାସୀ ଜନୈକ କୃଷକ ହେଲେ ‘ଆମ୍ବ ମଣିଷ’ କିଷାନ ସୁମନ l ସେ ବାମନ କିସମର ଏକ ଆମ୍ବ ଚାରାର ବିକାଶ କରାଇଛନ୍ତି, ଯାହାର ନାମ ରଖିଛନ୍ତି ସଦାବାହାର l ବର୍ଷର ସବୁ ଋତୁରେ ଫଳୁଥିବା ଏହି କିସମର ଆମ୍ବ ଚାରା ପ୍ରସ୍ତୁତ କରିବା ପାଇଁ ତାଙ୍କୁ 20 ବର୍ଷ ସମୟ ଲାଗିଯାଇଥିଲା l
ଉତ୍କଳଘଣ୍ଟଙ୍କୁ କବିସୂର୍ଯ୍ୟଙ୍କ ଆମ୍ବ ଉପହାର
ଉତ୍କଳ ଘଣ୍ଟ ଯଦୁମଣି ଓ କବିସୂର୍ଯ୍ୟ ବଳଦେବ ରଥଙ୍କୁ ଆମେ ସମସ୍ତେ ଉଣା ଅଧିକେ ଜାଣିଛେ I ଥରେ ନୟାଗଡ଼ ରାଜାଙ୍କର ଆତିଥ୍ୟ ଗ୍ରହଣ କରିଥିଲେ କବିସୂର୍ଯ୍ୟ ଓ ରାଜା ତାଙ୍କପାଖକୁ ପଠାଇଥିବା କିଛି ଆମ୍ବ ମଧ୍ୟରୁ ଦୁଇ କିସମର ଦୁଇଟି ଆମ୍ବ ଯଦୁମଣିଙ୍କୁ ଉପହାର ଦେଇଥିଲେ I ଉପହାର ବାର୍ତ୍ତାରେ ଲେଖିଥିଲେ, “ଶୁଆ ଦିଆଗଲା, ଶାରୀ ଦିଆଗଲା” ଯାହାର ଧ୍ଵନୀଅର୍ଥରୁ ବୁଝାପଡିଲା ଯେ, “ଶୁଆ-ଶାରୀ ଭଳି ସ୍ୱାଦିଷ୍ଟ ଆମ୍ବ ପଠାଉଛି, ଗ୍ରହଣ କରିବେ I” ଏଥିରେ ଥିଲା କବିତ୍ୱ ଏବଂ ଦୁଇଟି ସୁମଧୁର କଥାକୁହା ପକ୍ଷୀଙ୍କର ନାମ I ଯଦୁମଣି ଖୁସିରେ ଦୂତଠାରୁ ଉପହାର ଗ୍ରହଣକରି ତତକ୍ଷଣାତ ପ୍ରତ୍ୟୁତ୍ତର ବାର୍ତ୍ତା ପଠାଇଲେ, “ଶୁଆଦିଆ ଶାରୀଦିଆ, ଦୁଇଟା ଆମ୍ବରେ ଦୁଇଟାକୁଆ, ମଝିରେ ଯୋଡିଏ କୋଇଲି ଥୁଆ I” ପ୍ରତ୍ୟୁତ୍ତର ମାଧ୍ୟମରେ ଚାରୋଟି ପକ୍ଷୀଙ୍କ ନାମ ଉଲ୍ଲେଖ କରିବା ସହ ଦୁଇ-ଟାକୁଆ ଲେଖି କହିଦେଲେ ଯେ, ଦୁଇଟା ଯାକ ଆମ୍ବ କୁଆ ଓ କୋଇଲି ଭଳି କଳାରଙ୍ଗର ଏବଂ ଗୋଟିକର ସ୍ୱର କୁଆଭଳି କର୍କଶ ହୋଇଥିଲା ବେଳେ ଅନ୍ୟଟି କୋଇଲିର କୁହୁତାନ ଭଳି ମଧୁର I ଭାରତରେ ପ୍ରାଚୀନ କାଳରୁ ରସାଳ ଫଳ ଉପହାର ଦିଆଯାଇ ସାମାଜିକ, ବୌଦ୍ଧିକ, ରାଜନୈତିକ, କୂଟନୈତିକ ସମ୍ପର୍କ ରକ୍ଷା କରାଯିବାର ପରମ୍ପରା ଥିଲା I
କୂଟନୈତିକ ସମ୍ପର୍କ: ଆମ୍ବ ଉପହାର
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା “ହିମସାଗର” ଏବଂ “ଲଙ୍ଗଡା” କିସମର ଆମ୍ବ ମମତା ବାନାର୍ଜୀଙ୍କୁ ପଠାନ୍ତି I ହସିନା ଭାରତର ସମସ୍ତ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆମ୍ବ ପଠାନ୍ତି। ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମ୍ବ ପଠାଇଥିଲେ I
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ରାଜନୈତିକ ମତଭେଦ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭଲ କିସମର ଆମ୍ବ ପଠାଇବାକୁ ଭୁଲନ୍ତି ନାହିଁ। ସୁଦୀର୍ଘ ପରମ୍ପରାକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହି ରସାଳ ଫଳ ପଠାଇଛନ୍ତି। ସେଥିରେ ଅଛି ହିମସାଗର, ଲକ୍ଷ୍ମଣଭୋଗ ଏବଂ ଫଜଲି ସମେତ ସମସ୍ତ କିସମର ଆମ୍ବ I ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଆମ୍ବ ପଠାଇ ଶୁଭେଚ୍ଛା ଜଣାଇଛନ୍ତି।
ପାକିସ୍ତାନ ମଧ୍ୟ ‘ଆମ୍ବ କୂଟନୀତି’ ଦୃଷ୍ଟିରୁ ପଛୁଆ ନୁହେଁ । ନିଜର ବନ୍ଧୁ ଦେଶମାନଙ୍କୁ ବିଭିନ୍ନ ପ୍ରକାରର ଆମ୍ବକୁ ଉପହାର ରୂପେ ପଠାଇବାରେ କେବେ ହେଳା କରେନି ପାକିସ୍ତାନ। ନିଜର ମିତ୍ର ଦେଶ କୁହାଯାଉଥିବା ଚୀନ ଓ ଆମେରିକାକୁ ପ୍ରତ୍ୟେକ ବର୍ଷ ଆମ୍ବ ପଠାଇବାକୁ ଭୁଲେନାହିଁ I ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଆମେରିକା ଏବଂ ଚୀନ୍ ସମେତ 32ରୁ ଅଧିକ ଦେଶର ମୁଖ୍ୟଙ୍କୁ ଆମ୍ବ ପଠାନ୍ତି । ସେହି ଦେଶମାନଙ୍କ ମଧ୍ୟରେ ରହିଛି ଇରାନ, ମଧ୍ୟପ୍ରାଚ୍ୟ ଦେଶ ସମୂହ, ତୁର୍କୀ, ଆମେରିକା, ଆଫଗାନିସ୍ତାନ, ବାଂଲାଦେଶ, କାନାଡା, ନେପାଳ, ଇଜିପ୍ଟ, ଶ୍ରୀଲଙ୍କା ଏବଂ ଋଷ।
ଆମ୍ବ ପାଇଁ ଡାକ ଟିକେଟ ଜାରି: ପ୍ରତ୍ୟେକଙ୍କ ପସନ୍ଦ ଆମ୍ବ । ହେଲେ ଯଦି ସରକାର ଗୋଟିଏ ଆମ୍ବ ପାଇଁ ଡାକ ଟିକେଟ ଜାରି କରନ୍ତି, ପସନ୍ଦ ବହୁଗୁଣିତ ହୋଇଯାଏ I ଭାରତ ସରକାର1968 ମସିହାରେ 50 ପଇସା ମୂଲ୍ୟର ଏକ ଡାକ ଟିକେଟ ଜାରି କରିଥିଲେ I କେତେ ସ୍ବାଦିଷ୍ଟ ଓ ସ୍ବତନ୍ତ୍ର ନହେଲେ, ଡାକ ଟିକେଟ କାହିଁକି ଜାରି ହୋଇ ଥାଆନ୍ତା?
ଆମ୍ବ ଦିବସ: ପ୍ରତିବର୍ଷ ଜୁଲାଇ 22 ତାରିଖକୁ ଜାତୀୟ ଆମ୍ବ ଦିବସ ଭାବରେ ପାଳନ କରାଯାଏ।
ସୁଗାର ଫ୍ରି ଆମ୍ବ:
ମିଠା ଲିଚୁ ପାଇଁ ବେଶ ପରିଚିତ ବିହାରର ମୁଜାଫରପୁର। ବର୍ତ୍ତମାନ ଏହା ସହିତ ଯୋଡିହୋଇଯାଇଚି ଆଉ ଏକ ପରିଚୟ । ଏହା ହେଲା ମୁଜାଫରପୁରର ଆମ୍ବ। ଏଠାରେ ଫଳୁଥିବା ଏକ ଖାସ କିସମର ଆମ୍ବ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ମୁଜାଫରପୁର ବାସିନ୍ଦା ଚାଷୀ ଭୂଷଣ ସିଂହଙ୍କ ବଗିଚାରେ ଫଳୁଛି ଏହି ଭିନ୍ନ ଧରଣର ଆମ୍ବ। ରାସାୟନିକ ପରୀକ୍ଷାରୁ ଜଣା ଯାଇଛି ଯେ, ମିଠା ଲାଗୁଥିବା ଏହି ଆମ୍ବରେ ଚିନିର କିଛି ବି ସତ୍ତା ନାହିଁ I ଏହି କିସମର ନାଁ ହେଉଛି ଆମେରିକାନ ବିୟୁଟି। ଏହା ସମ୍ପୂର୍ଣ୍ଣ ସୁଗାର ଫ୍ରି ଆମ୍ବ।
ସ୍ୱାସ୍ଥ୍ୟ ପାଇଁ ଆମ୍ବ:
ଆମ୍ବ ଉପଲବ୍ଧ ହେଉଥିବାରୁ ନିଦାଘ ଗ୍ରୀଷ୍ମଋତୁ ମଧ୍ୟ ଅନେକଙ୍କର ପ୍ରିୟ ଋତୁ I ପିଲାଙ୍କ ଠାରୁ ବୟସ୍କଙ୍କ ଯାଏଁ ସମସ୍ତେ ପାଚିଲା ଆମ୍ବରସରୁ ପ୍ରସ୍ତୁତ ଆଇସ୍ କ୍ରିମ୍, ମ୍ୟାଙ୍ଗୋ ସେକ୍ ଖାଇବାକୁ ଭଲ ପାଆନ୍ତି। କିନ୍ତୁ, ଆମେ ସଠିକ ପ୍ରଣାଳୀରେ ଆମ୍ବ ଖାଇବାରେ କିଛି ତ୍ରୁଟି କରିଥାଉ। ଏଭଳି କିଛି ଖାଦ୍ୟ ଅଛି, ଯାହା ଶରୀରରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦିଏ। କଲରା, ଥଣ୍ଡା ପାନୀୟ, ଜଳପାନ, ଲଙ୍କା ଓ ରାଗ ମସଲା, ଦହି, ଗରମ ପାନୀୟ ଆମ୍ବ ଖାଇବା ପରେ ଖାଇଲେ ପେଟ ଗୋଳମାଳ କିମ୍ବା ସ୍ୱାସ୍ଥ୍ୟ ପାଇଁ କ୍ଷତି ଘଟାଇପାରେ।
ଦେଶ ବିଦେଶର କିଛି ଲୋକକଥା
କାଞ୍ଚିପୁରମର ଆମ୍ର ବୃକ୍ଷପୀଠ
କିଛି ପୌରାଣିକ କଥା ଅନୁସାରେ, ସୂର୍ଯ୍ୟଦେବଙ୍କ ସୁନ୍ଦରୀ କନ୍ୟାଙ୍କ ସହିତ କୁକର୍ମ କରିବାକୁ ଜଣେ ପାପିଷ୍ଠ ପ୍ରୟାସ କରନ୍ତେ, କନ୍ୟାଜଣକ ନିଜକୁ ଗୋଟିଏ ପଦ୍ମ ଫୁଲରେ ରୂପାନ୍ତରିତ କରି ଦେଲେ I ଏତେ ସୁନ୍ଦର ପଦ୍ମଫୁଲକୁ ଦେଖିଲା ପରେ ଜଣେ ଯୁବରାଜ ତାହାର ପ୍ରେମରେ ପଡିଗଲେ I ଏହା ଜାଣିପାରି ପାପିଷ୍ଠ ଜଣକ ଫୁଲଟିକୁ ଅଗ୍ନିରେ ଦହନ କରି ଚାଲିଗଲା ପରେ, ପଦ୍ମ ଫୁଲର ପାଉଁଶରୁ ସୃଷ୍ଟିହେଲା ଏକ ଆମ୍ବ ଗଛ I ଯୁବରାଜ ପ୍ରଥମେ ଆମ୍ବ ବଉଳ ପ୍ରେମରେ ପଡ଼ିଗଲେ, ତାହାପରେ ଆମ୍ବଫଳକୁ ଭଲପାଇ ବସିଲେ I ଆମ୍ବ ପାଚିଲା ପରେ ଭୁଇଁରେ ପଡିବାରୁ ସେଥିରୁ ଆବିର୍ଭାବ ହେଲେ ସୂର୍ଯ୍ୟକନ୍ୟା I ରାଜପୁତ୍ର ତାଙ୍କୁ ଚିହ୍ନି ପାରିଲେ, ଆଦରକରି ଉଆସକୁ ନେଇ ରାଣୀକରି ରଖିଲେ I
ଦକ୍ଷିଣ ଭାରତରେ ରହିଛି ଅନେକ ବୃକ୍ଷ ପୀଠ I କାଞ୍ଚିସ୍ଥିତ ଆମ୍ର ବୃକ୍ଷପୀଠ ତନ୍ମଧ୍ୟରୁ ଗୋଟିଏ I ଏହା ପଛରେ ଅଛି ଗୋଟିଏ ରୋଚକ କାହାଣୀ I ଏକଦା ଶିବ-ପାର୍ବତୀଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା I ପ୍ରଭୁ ଶିବ ରାଗିଯାଇ ଦେବୀ ପାର୍ବତୀଙ୍କୁ ତଡ଼ିଦେବାରୁ ସତୀ କାଞ୍ଚିପୁରମ ଆସି, ଗୋଟିଏ ଆମ୍ବଗଛ ମୂଳରେ ଗଢିଲେ ବାଲିର ଶିବଲିଙ୍ଗ I
ଆଜି ବି ସେଠାରେ ପ୍ରାୟ 3,500 ବର୍ଷ ବୟସ୍କ ଆମ୍ବ ଗଛ ତଳେ ରହିଛି ଶିବ ଓ କାମାକ୍ଷୀ ପୀଠ I କାଞ୍ଚିପୁରମର ଏକାମ୍ବରନାଥ ମନ୍ଦିର ବେଢ଼ାମଧ୍ୟରେ ଏହା ରହିଛି; ଯାହାକୁ ସ୍ଥଳବୃକ୍ଷ ବା ମନ୍ଦିରବୃକ୍ଷର ମାନ୍ୟତା ମିଳେ I ଏହାର ଚାରୋଟି ଡାଳ ଚାରି ବେଦକୁ ବୁଝାଏ I ପ୍ରତ୍ୟେକ ଡାଳ ବା ଶାଖାରେ ଗୋଟିଏ ଲେଖାଏଁ ମାତ୍ର ଚାରୋଟି ଆମ୍ବ I ଏହି ବୃକ୍ଷକୁ ଅତ୍ୟନ୍ତ ପବିତ୍ର ମନେକରି ଭକ୍ତଗଣ ପୂଜା କରନ୍ତି I ଭକ୍ତିରେ ଦାନ ଦକ୍ଷିଣା କଲେ ବିବାହ ଏବଂ ସନ୍ତାନ କାମନା ପୂର୍ଣ୍ଣ ହୋଇଥାଏ I
କାଞ୍ଚିପୁରମରେ ଆଉ ଗୋଟିଏ କିମ୍ବଦନ୍ତୀ ରହିଛି I ଥରେ ପାର୍ବତୀ ଗୋଟିଏ ପାଦରେ ଠିଆହୋଇ ଏକ ଆମ୍ବଗଛ ତଳେ, ଶିବଙ୍କୁ ବିବାହ କରିବାର ମାନସିକ କରି କଠୋର ତପସ୍ୟା କଲେ I ପାର୍ବତୀ ହେଲେ କାଞ୍ଚିପୁରମସ୍ଥିତ କାମାକ୍ଷୀ I ସେ ବାଲିରେ ଶିବଲିଙ୍ଗ ଗଢି ତପସ୍ୟା ଆରମ୍ଭ କଲାପରେ, ନିକଟସ୍ତ ବେଗବତୀ ନଦୀ ଲିଙ୍ଗଙ୍କୁ ଭସାଇନେବାକୁ କହିବାରୁ, କାମାକ୍ଷୀ ଶିବ ଲିଙ୍ଗଙ୍କୁ କୁଣ୍ଢାଇ ଧରିଲେ I ଭଗବାନ ଶିବ ବା ଏକାମ୍ରେଶ୍ବର (ଏକ + ଆମ୍ର +ଈଶ୍ବର) ପ୍ରୀତ ହୋଇ ଦର୍ଶନ ଦେଲେ ଓ ବିବାହ କଲେ କାମାକ୍ଷୀଙ୍କୁ I କୁହାଯାଏ ଯେ ଏକାମ୍ରେଶ୍ବରଙ୍କ ଆମ୍ବ ଗଛରେ ଥିବା ଚାରୋଟି ଶାଖାକୁ ପରବର୍ତ୍ତୀ କାଳରେ କଲମୀ କରାଯାଇଥିବାରୁ ଚାରି କିସମର ଆମ୍ବ ଗୋଟିଏ ଗଛରେ ଫଳୁଛି I ପୁରୁଣା ଗଛ ଆଉ ନାହିଁ ଓ ସେହି ସ୍ଥାନରେ ପୁରୁଣା ଗଛର ଡାଳରୁ କଲମୀ କରି ନୂଆ ଗଛ ଲଗା ଯାଇଛି I କାମାକ୍ଷୀଙ୍କ ମୂଳ ନାଁ ଥିଲା କାଳିକା-ଅମ୍ବା ଓ ଏହି ଅମ୍ବା ଶବ୍ଦରୁ ସମ୍ଭବତଃ ଆମ୍ବ ଶବ୍ଦର ଉତ୍ପତ୍ତି I ଆମ ଭୁବନେଶ୍ୱର ବା ଏକାମ୍ର କ୍ଷେତ୍ର ଭଳି, କାଞ୍ଚିପୁରମ ମଧ୍ୟ ଏକଦା ଆମ୍ବଗଛରେ ପରିପୂର୍ଣ୍ଣ ଥିଲା ବୋଲି କୁହାଯାଏ I
ଆମ୍ବଗଛ ଓ ଭଗବାନ ବୁଦ୍ଧ
ବିଶ୍ରାମ ଏବଂ ଧ୍ୟାନ କରିବା ପାଇଁ ଭଗବାନ ବୁଦ୍ଧଙ୍କର ପ୍ରିୟ ସ୍ଥାନ ଥିଲା ଆମ୍ବ ଗଛର ବଗିଚା I ପରବର୍ତ୍ତୀ କାଳରେ ଶିଷ୍ୟ ପାଲଟିଥିବା ଆମ୍ରପାଲି ବୁଦ୍ଧଦେବଙ୍କୁ ଏକ ଆମ୍ବଗଛର ଚାରା ଉପହାର ମଧ୍ୟ ଦେଇଥିଲେ I ପ୍ରସିଦ୍ଧ ଜାତକ କାହାଣୀମାନଙ୍କରେ ଆମ୍ବଗଛର ଉଲ୍ଲେଖ ରହିଛି I ଗୋଟିଏ କାହାଣୀ ଅଛି ଏହିପରି: ଥରେ ରାଜା ବିମ୍ବିସାର ବୁଦ୍ଧଙ୍କୁ ଏକ ସପ୍ତାହ ପରେ ପଡୁଥିବା ପୂର୍ଣ୍ଣମୀ ତିଥିରେ ଶ୍ରାବସ୍ତିର ଏକ ଆମ୍ବ ଗଛ ତଳେ କିଛି ଚମତ୍କାରିତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ । ରାଜାଙ୍କ ଘୋଷଣା ଶୁଣିବା ପରେ ବୌଦ୍ଧଧର୍ମର ବିରୋଧୀମାନେ ଶ୍ରାବସ୍ତିରେ ଥିବା ସମସ୍ତ ଆମ୍ବ ଗଛ କାଟିଦେଲେ I ସେମାନେ ଭାବିଥିଲେ ଯେ, ଆମ୍ବ ଗଛ ନଥିବାରୁ, ଚମତ୍କାରିତା ଦେଖିବାପାଇଁ ସମସ୍ତେ କେଉଁଠାରେ ଏକାଠି ହେବେ, ତାହା କେହି ଜାଣିପାରିବେ ନାହିଁ।
ସାତଦିନ ପରେ ପୂର୍ଣ୍ଣମୀ ତିଥିର ନିର୍ଦ୍ଧିଷ୍ଟ ସମୟ ଉପନୀତ ହେଲା I ବୁଦ୍ଧଦେବ ରାଜାଙ୍କ ମାଳୀ ଦେଇଥିବା ଗୋଟିଏ ଆମ୍ବ ଖାଇସାରି ଟାକୁଆଟିକୁ ଯଥାଶୀଘ୍ର ପୋତିଦେବାକୁ କହିଲେ ମାଳୀଙ୍କୁ I ବିରୋଧୀଙ୍କୁ ଅବାକ କରି ଅଙ୍କୁରିତ ହେଲା ଆମ୍ବଟାକୁଆ I ପ୍ରଥମେ ଚାରାରୁ ବଢି କ୍ରମଶଃ ପରିଣତ ହେଲା ଏକ ବଡ ଆମ୍ବ ଗଛ, ଯାହା ମାଇଲ୍ ମାଇଲ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେଲା I ବଉଳ ଆସି ଚଣା ଧରିଲା ଓ ପରିପକ୍ୱ ବି ହେଲା I ପାଚିଲା ଫଳ ସମସ୍ତେ ଉପଭୋଗ କଲେ I ରାଜା ବିମ୍ବିସାର ଉପଲବ୍ଧି କଲେ ବୁଦ୍ଧଙ୍କ ଅଲୌକିକତା, ନୀରବ ହୋଇଗଲେ ବିରୋଧୀ I
ଆମ୍ବ ପ୍ରାକୃତିକ ଭାବେ ଆମ ଦେଶରେ ଦେଖାଯାଉଥିବା ବେଳେ, ଏହାକୁ ଖାଦ୍ୟପାଇଁ ଚାଷକରିବା ବହୁ ପୁରାତନ I ମଣିଷ ଯେବେଠୁଁ କୃଷିକୁ ପେଟପାଟଣା ପାଇଁ ଆଦରିଲେ, ସେବେଠୁ ଆମ୍ବ ଫସଲ କରିବା ବି ଆରମ୍ଭ କରିଥିଲା I ଏହାର ଉତ୍ପତ୍ତି ସ୍ଥଳ ଭାରତରେ ହୋଇଥିବାରୁ, ଖ୍ରୀଷ୍ଟପୂର୍ବ 4ର୍ଥ ଶତାବ୍ଦୀ ଠାରୁ ବୌଦ୍ଧସନ୍ୟାସୀଙ୍କ ଦ୍ୱାରା ଆମ୍ବ ପୂର୍ବ ଏସିଆ ତଥା ଦକ୍ଷିଣ ଚୀନକୁ ଯାଇଥିବାର ପ୍ରମାଣ ମିଳୁଛି Iଏସବୁ ଅଞ୍ଚଳରେ 5000 ବର୍ଷ ପୂର୍ବର ଆମ୍ବ-ଜୀବାସ୍ମ ମିଳିଛି I
ଜୈନଧର୍ମରେ ଆମ୍ବ:
ଜୈନଧର୍ମରେ 22ତମ ତୀର୍ଥଙ୍କର ନେମିନାଥଙ୍କର ଅମ୍ବିକା ହେଉଛନ୍ତି ଯକ୍ଷିଣୀ I ଅମ୍ବିକା ମୂଳତଃ ସୋମ’ଙ୍କ ପତ୍ନୀ ତଥା ଅଗ୍ନିଳା ନାମ୍ନୀ ଜଣେ ମହିଳା ଥିଲେ I ଦିନେ, ନେମିନାଥଙ୍କ ଶିଷ୍ୟ ବରଦତ୍ତ ଉପବାସ ପରେ ପ୍ରଥମ ଭୋଜନପାଇଁ ଅଗ୍ନିଳାଙ୍କୁ ଖାଦ୍ୟ ଭିକ୍ଷା କଲେ I ପତ୍ନୀ ଭିକ୍ଷା ଦେବାରୁ ସୋମ ରାଗରେ ଅଗ୍ନିଶର୍ମା ହୋଇ ତାଙ୍କୁ ଘରୁ ପିଲାଙ୍କ ସହିତ ବାହାର କରିଦେଲେ I ଅଗ୍ନିଳା ଏକ ପାହାଡ଼ ଉପରକୁ ଯାଇ ଗୋଟିଏ ଗଛତଳେ ଆଶ୍ରୟ ନେଲେ I ତାଙ୍କର ପୁଣ୍ୟବଳ ଏତେ ଅଧିକ ଥିଲା ଯେ, ସେହି ବୃକ୍ଷଟି ପାଲଟିଗଲା ଏକ କଳ୍ପବୃକ୍ଷ I ଦେବତାମାନେ ସୋମ’ଙ୍କ ଉପରେ କ୍ରୋଧିତ ହୋଇ ସମଗ୍ର ଗ୍ରାମକୁ ଜଳମଗ୍ନ କରିବାକୁ ଚାହିଁବାରୁ, ସୋମ ଭୟରେ ଅଗ୍ନିଳାଙ୍କ କ୍ଷମା ପ୍ରାର୍ଥୀ ହେବାକୁ ଦୌଡିଲେ I ସୋମ ଦଣ୍ଡଦେବାକୁ ଆସୁଛନ୍ତି ଭାବି ଅଗ୍ନିଳା ପାହାଡ଼ ଉପରୁ ତଳକୁ ଲମ୍ଫ ଦେଲେ ଏବଂ ଅମ୍ବିକା ଭାବେ ଜନ୍ମ ନେଲେ I ସୋମ ପାଇଲେ ଆମ୍ବିକାଙ୍କ ବାହାନ ସିଂହ ରୂପ I ତାଙ୍କ ଡାହାଣ ହାତରେ ଶୋଭା ପାଇଲା ଆମ୍ବ ଓ ଆମ୍ବ ଡାଳ ଓ ବାମ ହାତରେ ନିଜର ପୁତ୍ର ସନ୍ତାନ I ସେବେଠୁ ଆମ୍ବ ଜୈନଧର୍ମୀଙ୍କ ପାଇଁ ପବିତ୍ର I
ସାଞ୍ଚିସ୍ତୁପର ଶାଳଭଞ୍ଜିକା
ଆମ୍ବ ଯେଭଳି ଏକ ସ୍ୱାଦିଷ୍ଟ ଫଳ, ତାହାଠାରୁ ଅଧିକ ପବିତ୍ର I ଦେବୀ ଅମ୍ବା ବା ଅମ୍ବିକା ହେଉଛନ୍ତି ସ୍ୱୟଂ ମା ଦୁର୍ଗା I ସେ ଆଦି ପରାଶକ୍ତି, ବ୍ରହ୍ମାଣ୍ଡର ମାତା ଏବଂ ସମସ୍ତ ସୃଷ୍ଟିର ମଧ୍ୟ I ଅମ୍ବିକାଙ୍କ ଠାରୁ ଅନ୍ୟ ସମସ୍ତ ଦେବୀଙ୍କର ସୃଷ୍ଟି I ତାଙ୍କର ଚାରିଟି ହାତ ମଧ୍ୟରୁ ଦୁଇ ଡାହାଣ ହାତ ମଧ୍ୟରୁ ଗୋଟିକରେ ସେ ଆମ୍ବ ଫଳ ଏବଂ ଅନ୍ୟଟିରେ ଆମ୍ବ ଗଛର ଡାଳଟିଏ ଧରିଥିବାର ବର୍ଣ୍ଣନା ରହିଛି କିଛି ପୁରାଣରେ I ଆମ୍ବ ଗଛ ହେଉଛି ଏକ କଳ୍ପବୃକ୍ଷ, ଯାହା ଇଚ୍ଛା ପୂରଣକାରୀ ଏବଂ ପ୍ରେମ, ଭକ୍ତି, ସୃଷ୍ଟିସମ୍ଭାର ଏବଂ ପ୍ରାଚୁର୍ଯ୍ୟର ପ୍ରତୀକ I ଏହି ବୃକ୍ଷଟି ହେଉଛି ପ୍ରଜାପତିଙ୍କର ଏକ ଅବତାର I ମଧ୍ୟପ୍ରଦେଶର ସାଞ୍ଚିସ୍ତୁପରେ ରହିଛି ଆମ୍ବରେ ପରିପୂର୍ଣ୍ଣ ଏକ ଶାଖାର ଅଙ୍କନ, ଯାହାକୁ ହାତରେ ଧରିଛନ୍ତି ଅଳଙ୍କାର ବିହୀନା,ସମ୍ପୂର୍ଣ୍ଣ ଉଲଗ୍ନ ମହିଳା I ସାଞ୍ଚି ସ୍ତୁପରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତନାମା ମୂର୍ତ୍ତି ହେଉଛି ସୂକ୍ଷ୍ମ କାରୁକାର୍ଯ୍ୟ ପରିପୂର୍ଣ୍ଣ ‘ଆମ୍ରବୃକ୍ଷାକା’; ଯାହା ଶାଳଭଞ୍ଜିକା ନାମରେ ମଧ୍ୟ ଜଣାଶୁଣା I ସ୍ତୁପର ପୂର୍ବ ଦ୍ୱାରର ତୋରଣ ଉପରେ, ଆମ୍ବ ଗଛର ଶାଖା ଧରି ଖୋଦିତ ହୋଇଛି ଏହି ଶାଳଭଞ୍ଜିକା I
ଦେଶ ବିଦେଶରେ ଆମ୍ବର ଜୟଗାନ:
ପୂଜା ସମୟରେ ପୂର୍ଣ୍ଣକୁମ୍ଭ କିମ୍ବା ଜଳଘଟ ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ I ଆମ୍ବପତ୍ର ପୂର୍ଣ୍ଣକୁମ୍ଭର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଉପାଦାନ, ଯାହା ଚଳଚଞ୍ଚଳ ଜୀବନକୁ ଦର୍ଶାଏ I ପବିତ୍ର ପଞ୍ଚ-ପଲ୍ଲବ ମଧ୍ୟରୁ ଆମ୍ବପତ୍ର ଅନ୍ୟତମ I ଆମ୍ବ ବଉଳ ବା ଫୁଲଗୁଡ଼ିକ ଶିବରାତ୍ରୀରେ ଶିବଙ୍କ ପୂଜାରେ ବ୍ୟବହୃତ ହୁଏ I ଆମ୍ବ ଫଳ ପ୍ରେମ ଏବଂ ଉତ୍ପାଦନ କ୍ଷମତାକୁ ପ୍ରତିପାଦିତ କରେ I ଆମ୍ବ ଗଛର ଛୋଟ ଶାଖା ଓ ଡାଳ ଧାର୍ମିକ ରୀତିନୀତିରେ ବ୍ୟବହୃତ ହୁଏ I ଆସାମ ରାଜ୍ୟର ଅଧିବାସୀ ସକାଳେ ସୋରିଷ, ଲୁଣ ମିଶାଇ ନଳିତା ପତ୍ର ସହିତ କଷି ସବୁଜ ଆମ୍ବ ସେବନ କରିବା ଏକ ପ୍ରାଚୀନ ପ୍ରଥା I ଆସାମରେ ବୈଶାଖୀ ବା ‘ବିହୁ’ପର୍ବ ପାଳିତ ହୁଏ I ଏହା ଅହମିୟା ନବବର୍ଷ I ସେଦିନ କଷିଆମ୍ବ ଖାଇବା ହେଉଛି ଏକ ପୁରାତନ ପରମ୍ପରା, ଯେମିତି ଓଡ଼ିଶାରେ ଆମେ ଦୋଳ ପୂର୍ଣ୍ଣମୀରେ ଦିଅଁଙ୍କୁ ଆମ୍ବ କଷି, ଚଣାଭଜା ଭୋଗ ଦେବା ଏକ ଓଡ଼ିଆ ପରମ୍ପରା I
ହିନ୍ଦୁ-ବଙ୍ଗାଳୀ ମାନେ ଶବଦାହ ପାଇଁ ଆମ୍ବ କାଠ ବ୍ୟବହାର କରନ୍ତି I ପୁରୋହିତମାନେ ଧାର୍ମିକ କାର୍ଯ୍ୟରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ଉପରେ ମନ୍ତ୍ରପାଠ କରି କୋମଳ ଆମ୍ବପତ୍ର ସାହାଯ୍ୟରେ ପାଣି ଛିଞ୍ଚିବା ଦେଖାଯାଏ । ମାଘ ମାସର ଦ୍ୱିତୀୟ ଦିନରେ ଆମ୍ବବଉଳ ଚନ୍ଦ୍ରଙ୍କୁ ଏବଂ ପ୍ରେମର ଦେବତା ମଦନଙ୍କୁ ମଧ୍ୟ ଉତ୍ସର୍ଗ କରାଯାଏ I ଗ୍ରାମାଞ୍ଚଳରେ ଅନୁଷ୍ଠିତ ସମସ୍ତ ଉତ୍ସବ ଓ ସମାରୋହରେ ଆମ୍ବପାତ୍ରରେ ଗୁନ୍ଥାମାଳ ଚଲାପଥ’ର ଦୁଇକଡ଼ରେ ବନ୍ଧାଯାଇ ସ୍ୱାଗତ ସମ୍ଭାଷଣ ଜଣାଇବା ଆଜିବି ଏକ ପ୍ରଥା ହୋଇ ରହିଛି I ଏହା ଅଶରୀର ଆତ୍ମାମାନଙ୍କ କୁପ୍ରଭାବ ଦୂର କରିପାରେ ବୋଲି ବିଶ୍ୱାସ କରାଯାଏ I ବ୍ରହ୍ମପୁରାଣରେ କୁହାଯାଇଛି ଯେ, ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲାବେଳେ, ପ୍ରଦାନ କରାଯାଉ ଥିବା ଅନେକ ଦ୍ରବ୍ୟ ମଧ୍ୟରୁ ଆମ୍ବ ଅନ୍ୟତମ I ଶ୍ରାଦ୍ଧ ସମାପନ ପରେ ପୁରୋହିତଙ୍କୁ ଆମ୍ର ଫଳ ପ୍ରଦାନ କଲେ ଶୁଭ ଫଳ ମିଳେ I
ବ୍ୟବହାର:
ଆମ୍ବଗଛ ଏକ ଗୁରୁତ୍ୱପୂର୍ଣ୍ଣ ବିଷୁବ ମଣ୍ଡଳୀୟ ଫଳବୃକ୍ଷ I ପାଚିଲା ଆମ୍ବ ଫଳରୁ ଜାମ, ଜେଲି, ସ୍କ୍ୱାସ୍, ମୁରବାବା ଏବଂ ଆମ୍ବ ପାମ୍ପଡ ପ୍ରସ୍ତୁତହୋଇ ଖିଆଯାଏ କିମ୍ବା ଦୀର୍ଘଦିନ ପାଇଁ ସଂରକ୍ଷିତ ରଖାଯାଏ I ଫଳଗୁଡ଼ିକରେ ଭରପୂର ଥାଏ ପ୍ରଚୁର ଭିଟାମିନ୍ କ ଓ ଗ I ଅଂଶୁଘାତ ଚିକିତ୍ସାରେ ଆମ୍ବ ଉପଯୋଗୀ ଅଟେ। କଷି ଓ କଞ୍ଚାଆମ୍ବକୁ ବ୍ୟବହାର କରି ଆଚାର, ଚଟଣୀ, ଆମଚୁର ତଥା ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ I ଆମ୍ବ ଗଛର ଛାଲିକୁ ଗଣ୍ଠିବାତ ଚିକିତ୍ସାରେ ବ୍ୟବହାର କରାଯାଏ I ଟାକୁଆ ଭିତରେ ଥିବା କୋଇଲିରୁ ତେଲ ଓ ଲହୁଣୀ ପ୍ରସ୍ତୁତ ହୁଏ I ଶୁଖିଲା କୋଇଲିକୁ ଗୁଣ୍ଡ କରି ଗୋରୁଗାଈ ଓ କୁକୁଡ଼ାଙ୍କୁ ଖାଇବାକୁ ଦିଆଯାଏ I ଆଦିବାସୀମାନେ ଶୁଖିଲା କୋଇଲି ଗୁଣ୍ଡ ଓ ଶୋରିଷ ପତ୍ରକୁ ଶୁଖାଇ, ଗୁଣ୍ଡକରି ବର୍ଷାଦିନର ଖାଦ୍ୟପାଇଁ ସାଇତି ରଖନ୍ତି I ଝଡି ବର୍ଷା କାଳରେ ଏହାକୁ ଜାଉକରି ଖାଆନ୍ତି I ବେଳେ ବେଳେ, ସଠିକ ପ୍ରଣାଳୀରେ ସାଇତି ରଖିବାରେ ତ୍ରୁଟି ଯୋଗୁ କୋଇଲି-ଗୁଣ୍ଡରେ କବକ ସଂକ୍ରମଣ ହୁଏ ଏବଂ ବିଷାକ୍ତ ହୋଇଯାଏ I ଏପରି ସଂକ୍ରମିତ ଗୁଣ୍ଡ କୋଇଲି-ଜାଉ ଖାଇ ଅନେକେ ମୃତ୍ୟୁବରଣ କରିବାର ଖବର ସମସ୍ତଙ୍କୁ ବିବ୍ରତ କରି ଆସିଛି I ଶୁଖାଯାଇଥିବା କୋଇଲିକୁ କମ୍ପୋଷ୍ଟଖତ ଭାବରେ ବ୍ୟବହାର କରାଯାଏ I ଆମ୍ବକାଠରୁ ବିଭିନ୍ନ ପ୍ରକାର ଆସବାବପତ୍ର, ଚଟାଣ ଏବଂ ଛାତ ପାଇଁ ପଟା ବୋର୍ଡ, ଚା’ ପ୍ୟାକିଂ ବାକ୍ସ, ଦିଆସିଲି ବାକ୍ସ, ଡଙ୍ଗା, ଜୋତାର ହିଲ୍ ଇତ୍ୟାଦି ପ୍ରସ୍ତୁତି ପାଇଁ ବ୍ୟବହୃତ ହୁଏ I
ଜାଭା ଏବଂ ଫିଲିପାଇନ୍ସରେ ଭିଟାମିନ ‘ଗ’ରେ ଭରପୂର କଅଁଳିଆ ଆମ୍ବପତ୍ରକୁ ପନିପରିବା ସହ ମିଶାଇ ରନ୍ଧାଯାଏ I ପତ୍ରର ପାଉଁଶକୁ ପୋଡା ଓ କଟା କ୍ଷତରେ ବ୍ୟବହାର କରାଯାଏ I ଜଳୁଥିବା ପତ୍ର-ଧୂଆଁକୁ ନିଶ୍ୱାସରେ ଗ୍ରହଣ କଲେ ହିକ୍କା ଓ ଗଳା ସମସ୍ୟାରୁ ମୁକ୍ତି ମିଳିଥାଏ I ପତ୍ରରେ ଥାଏ ମାଙ୍ଗିଫେରିନ ନାମକ ଏକ ରାସାୟନିକ ପଦାର୍ଥ; ଯାହା ଭାରତରେ ହଳଦୀ ରଙ୍ଗ ଭାବରେ ବ୍ୟବହୃତ ହେଉଥିଲା I
ଆମ ଓଡ଼ିଶାର ଗାଦବା ଓ ବଣ୍ଡା ସମେତ ଅନ୍ୟାନ୍ୟ ସମ୍ପ୍ରଦାୟର ଆଦିବାସୀମାନେ ସମ୍ମାନର ସହିତ ପ୍ରତିବର୍ଷ ଆମ୍ବଉତ୍ସବ ପାଳନ କରନ୍ତି I ଆମ୍ବକୁ ନେଇ ଅନେକ ଆଦିବାସୀ ଲୋକକଥା ରହିଛି I
ପୌରାଣିକ ଗଳ୍ପ ‘ପ୍ରଜ୍ଞା ଫଳ’:
ଦିନେ ମହର୍ଷି ନାରଦ ହାତରେ ଗୋଟିଏ ଆମ୍ବ ଧରି ଶିବଙ୍କ ଆବାସ କୈଳାଶ ପର୍ବତରେ ପହଞ୍ଚି ଗଲେ I ସେତେବେଳେ, ଶିବ, ପାର୍ବତୀ ଦୁଇ ପୁତ୍ର ଗଣେଶ ଓ କାର୍ତ୍ତିକେୟଙ୍କ ଗହଣରେ ହସ ଖୁସିରେ ମସଗୁଲ ଥିଲେ I ନାରଦ ତ ସବୁବେଳେ କାଳିହା – ଏମିତି କାମଟିଏ କରନ୍ତି, ଯାହା ଫଳରେ ପ୍ରଥମେ ଗୋଳମାଳିଆ ପରିସ୍ଥିତି ସୃଷ୍ଟିହେଲେ ବି ପରେ, ବିଶ୍ବର ମଙ୍ଗଳ ହୋଇଥାଏ! ନାରଦ ଆମ୍ବଟିକୁ ଉପହାର ଦେଲେ ଓ କହିଲେ ଯେ, “ଏହା ଏପରି ଏକ ପ୍ରଜ୍ଞାଫଳ, ଯାହାକୁ ଖାଇଲେ, ଜଣେ ଶାଶ୍ୱତ ତଥା ଚିରନ୍ତନ ଜ୍ଞାନ ଓ ବୁଦ୍ଧିର ଅଧିକାରୀ ହୋଇପାରିବେ I ତେବେ, ଏହି ଫଳଟିକୁ ଖାଇପାରିବେ ମାତ୍ର ଜଣେ I” ନାରଦଙ୍କ ମୁହଁରେ ଝଲସୁଥିଲା ଦୁଷ୍ଟ ହସ I ସାରା ପରିବାର ଚିନ୍ତାରେ ବୁଡ଼ିଗଲେ I ପ୍ରଥମେ ଦୁଇପୁତ୍ରଙ୍କ ମଧ୍ୟରେ ଆମ୍ବଟିକୁ ବାଣ୍ଟି ଦେବାକୁ ମନସ୍ଥ କରିଥିବା ଶିବଙ୍କ ମନକୁ ଏକ ସମାଧାନର ବାଟ ଦେଖାଗଲା I କହିଲେ, ଯେଉଁପୁତ୍ର ପ୍ରଥମେ ପୃଥିବୀକୁ ପ୍ରଦକ୍ଷିଣ କରି ପାରିବେ, ସେ ହିଁ ହେବେ ବିଜୟୀ ଏବଂ ଆମ୍ବଟିକୁ ପାଇ ପାରିବେ I କାର୍ତ୍ତିକେୟ ଖୁସି ଦେଖାଗଲେ I ଯଥାଶୀଘ୍ର ମୟୁର ବାହାନରେ ବସି ପ୍ରଦକ୍ଷିଣରେ ବାହାରିଗଲେ I ଗଣେଶଙ୍କର ତ ବାହାନ ମୂଷା ! ସେ ବାପା ଓ ମାଙ୍କ ପାଖରେ ବସି ଚିନ୍ତାକରିବାକୁ ଲାଗିଲେ I
ଗଣେଶ ଧୀର ପଦକ୍ଷେପରେ ଶିବ-ପାର୍ବତୀଙ୍କ ପାଖକୁ ଗଲେ ଓ ମଥାବନତ କରି ପ୍ରଣାମ କଲେ I ତାହାପରେ ପିତାମାତାଙ୍କ ଆସନ ଚାରିପାଖରେ ମଣ୍ଡଳାକାରରେ ବୁଲିବାକୁ ଆରମ୍ଭ କଲେ I ଶିବ-ପାର୍ବତୀଙ୍କୁ ଚକିତ ହେବାର ଦେଖି ଗଣେଶ ବୁଝାଇ ଦେଲେ ଯେ, ମୋ ପାଇଁ ପିତା-ମାତାହିଁ ସମଗ୍ର ବିଶ୍ବ ଓ ବ୍ରହ୍ମାଣ୍ଡ I ଯଦି, ମୁଁ ଆପଣଙ୍କୁ ପ୍ରଦକ୍ଷିଣ କରି ପାରିବି, ଭାବି ନେବି ଯେ, ସମଗ୍ର ପୃଥିବୀ ପ୍ରଦକ୍ଷିଣ କରିପାରିଛି I ଏତିକି କହି, ଗଣେଶ ଶିବ-ପାର୍ବତୀଙ୍କ ଆସନ ଚାରିପାଖରେ ତିନିଥର ବୁଲି ଆସିଲେ I ଶିବ ଓ ପାର୍ବତୀ ଖୁସିରେ ଆମ୍ବଟିକୁ ପୁତ୍ର ଗଣେଶଙ୍କୁ ପ୍ରଦାନ କଲେ I କାର୍ତ୍ତିକ ଫେରିଲା ବେଳକୁ ଆମ୍ବଟି ଥିଲା ଗଣେଶଙ୍କ ହାତରେ I ହତାଶାରେ ରାଗ ଜର୍ଜରିତ ହୋଇ ସେ ସେଠାରୁ ଚାଲିଗଲେ I ଶିବ ଓ ପାର୍ବତୀ ତାଙ୍କର ରାଗ ଶାନ୍ତି କରି ବୁଝାଇ ଶୁଝାଇ ଫେରାଇ ଆଣିଲେ I
ଫିଲିପାଇନ୍ସ ର ଲୋକକଥାରେ ଆମ୍ବ
ଫିଲିପାଇନ୍ସ ର ଲୋକକଥାରେ ଆମ୍ବର ଆକାର କାହିଁକି ହୃତପିଣ୍ଡ ବା ବୃକକ ଆକାରର ହୋଇଛି, ତାହା ବର୍ଣ୍ଣିତ ହୋଇଛି I କଥାଟି ଏହି ଭଳି – ଅନେକ ବର୍ଷ ପୂର୍ବେ ଏକ ଦୂରନ୍ତ ସହରରେ ତିନୋଟି ପୁଅଙ୍କ ସହ ହସଖୁସିରେ ରହୁଥିଲେ ଏକ ଦମ୍ପତ୍ତି I ଦୁଃଖର କଥା ଯେ, ଅକାଳରେ ପିଲାମାନେ ମାତୃହରା ହୋଇଗଲେ I ଦୁଃଖରେ ଭାଙ୍ଗିପଡିଲେ ବାପା I ସାଥୀ କରିନେଲେ ମଦିରା ପାନକୁ I ଦିନେ, ସାନପୁଅ ବାପାଙ୍କୁ ନେହୁରା ହୋଇ ମଦ ଛାଡ଼ିଦେଇ ପିଲାଙ୍କ କଥାରେ ମନ ଦେବାକୁ କହିଲା I କିଛି ପ୍ରଭାବ ପଡିଲାନି ବାପାଙ୍କ ଉପରେ I ମଦ ପିଇଲେ, ଯାହା ହୁଏ, ତାହା ହେଲା, ଋଣଭାର ବଢ଼ିଲା I ଶୁଭେଛୁ ମାନେ ଉପଦେଶ ଦେଲେ ଯେ, ବାପା ସମସ୍ତ ସମ୍ପତ୍ତି ମଦରେ ବରବାଦ କରିଦେବା ପୂର୍ବରୁ ତିନି ପୁଅଙ୍କ ନାମରେ ପୂର୍ବପୁରୁଷଙ୍କ ଅର୍ଜିତ ସମ୍ପତ୍ତି ଭାଗ କରିଦିଆଯାଉ I ବଡପୁଅ ରାଜି ହୋଇଗଲା I ତା ଭାଗରେ ପଡିଲା ସମସ୍ତ ଚାଷଜମି, ମଝିଆ ଭାଗରେ ସହରରେ ଥିବା ଘର I
ଆଉ ସାନ? ସେ ସ୍ଥିରକରିନେଲା ଯେ ବାପାଙ୍କ ପାଖରେ ରହିବ I ଗାଁ ମୁଣ୍ଡରେ ବଡ଼ଭାଇ ଭାଗରେ ପଡିଥିବା ଜମିର ଗୋଟିଏ କୋଣରେ ତିଆରି ଚାଳିଆକୁ ଚାଲିଗଲେ ବାପ, ପୁଅ I ବିଳମ୍ବରେ କିନ୍ତୁ ସାନପୁଅର କଥା ବାପ ମୁଣ୍ଡରେ ପଶିଲା ବେଳକୁ ସେ ଅକାଳରେ ବୁଢା ହୋଇଯାଇଥିଲେ I ମୃତ୍ୟୁସମୟ ଆସିଲା ବେଳକୁ, ପୁଅକୁ ପାଖରେ ବସାଇ କୃତକର୍ମ ପାଇଁ କ୍ଷମା ମାଗିଲେ ବାପା I କହିଲେ, ବାବୁରେ, ମୋ ପାଖରେ କିଛି ବି ନାହିଁ I ରହିଛି କେବଳ ମୁଁ ଓ ତୋ ମା’ର ହୃତପିଣ୍ଡ I” ପୁଅ ଦେଖିଲା ଯେ, ହୃତପିଣ୍ଡ ବୋଲି ଯାହାକୁ ବାପା କହୁଛନ୍ତି, ତାହା ଥିଲା ଏକ ମଞ୍ଜି, ଯାହାକୁ ବହୁ କାଳରୁ ଯତ୍ନରେ ସାଇତି ରଖିଥିଲେ ସେମାନଙ୍କ ପୂର୍ବପୁରୁଷ I
ବାପାଙ୍କ ଶେଷକୃତ୍ୟ ସାରିଲା ପରେ ପୁଅ ସେହି ହୃଦୟାକାର ମଞ୍ଜିଟିକୁ ମାଟିରେ ପୋତି, ଯତ୍ନ ନେଲା I ମଞ୍ଜିରୁ ଗଛ ହେଲା, ଆଉ ବଡ଼ ଗଛରେ ପରିଣତ ହେଲାପରେ, ବଉଳ ଆସିଲା, ଆମ୍ବ ଫଳିଲା; ଯାହା ଦେଖାଯାଉଥିଲା ମଣିଷର ହୃଦଯନ୍ତ୍ର ଆକୃତିର I ଫଳ ପାଚିଲା ପରେ ହଳଦିଆ, ସ୍ୱାଦିଷ୍ଟ ଓ ମିଠା ଲାଗିଲା I ଫଳ ବିକି ସେ ଅର୍ଥ ରୋଜଗାର କଲା, ସେହି ଗଛରୁ ଅନେକ ଗଛ କଲା I ରୋଜଗାର ବଢ଼ିବାରୁ, ଜମିବାଡ଼ି କିଣିଲା, ଆମ୍ବ ବଗିଚା କଲା I ସୁଖରେ ରହିଲା I ବସି ଖାଇଲେ ନଈବାଲି ସରେ I ବଡ଼ ଦୁଇଭାଇ କ୍ରମେ ଦରିଦ୍ର ହୋଇଗଲେ ଓ ସାନ ଭାଇକୁ ଜମିବାଡ଼ି, ସହରରେ ଥିବା କୋଠା ବିକିଦେଲେ I କିନ୍ତୁ, ସାନ ଭାଇ ଥିଲା ହୃଦୟବାନ I ଦୁଇଭାଇଙ୍କ ସାଥିରେ ପୁଣିଥରେ ସେମାନେ ଏକାଠି ରହିଲେ I
କେମିତି ଆମ୍ବ ଖାଇବାର ମଜା ନେବେ:
ଏତେକଥା କହିଲା ପରେ, ଯଦି କେହି ମୋଟା ହୋଇଯିବେ, ମଧୁମେହ ହୋଇଯିବ ଭାବି ଆମ୍ବର ସ୍ୱାଦ ମନଭରି ଉପଭୋଗ କରିବାକୁ ଡରି ଯାଉଛନ୍ତି, ସେମାନଙ୍କ ପାଇଁ କିଛି କହିବୁ: ଆମେ ସାଧାରଣତଃ ଦ୍ୱିପ୍ରହର ଓ ରାତି ଖାଇବାପରେ ସାଧାରଣତଃ ପାଟି ମିଠା କରିବାକୁ ଆମ୍ବ ଖାଉ I ଯେଉଁମାନେ ଡରୁଛନ୍ତି, ସେମାନେ ଏପରି ନକରି, ଅପରାହ୍ନ ଜଳଖିଆ ଖାଇବା ଭଳି, ଆମ୍ବ ଖାଆନ୍ତୁ I ବିଳମ୍ବିତ ରାତିରେ ଆମ୍ବ ଖାଇବା ଅନୁଚିତ I ଏହା ରକ୍ତ ଶର୍କରା ବଢାଇପାରେ I ସବୁଠୁ ଭଲ, ଯଦି ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ଆମ୍ବ ଖାଇ ପାରିବା I ଥରକେ ପ୍ରାୟ 300 ଗ୍ରାମ ଆମ୍ବ ଖାଇବା ଦେହପାଇଁ ଭଲ I
ବାସ୍ତୁ ଶାସ୍ତ୍ରରେ ଆମ୍ବଗଛ
ଅଗ୍ନି ପୁରାଣ ଅନୁସାରେ, ଘରର ଦକ୍ଷିଣରେ ଆମ୍ବଗଛ ରହିଲେ, ଶୁଭ ବୋଲି ବିବେଚନା କରାଯାଏ। ବ୍ରହ୍ମଭୈବର୍ତ୍ତ ପୁରାଣ ଅନୁସାରେ ଆମ୍ବ ଗଛକୁ ସର୍ବୋତ୍ତମ ବୃକ୍ଷ ହିସାବରେ ଗଣାଯାଏ I ଏହା ଗୃହର ଯେ କୌଣସି ଦିଗରେ ରହିଥିଲେ ଶୁଭଫଳ ଦେଉଥିଲେ ବି ପୂର୍ବଦିଗରେ ଅବସ୍ଥିତ ଥିଲେ ଗୃହକର୍ତ୍ତାଙ୍କୁ ଧନବାନ କରିଥାଏ। ବରାହ ପୁରାଣରେ ଉଲ୍ଲେଖ ଅଛି ଯେ, ଯେଉଁ ବ୍ୟକ୍ତି ପାଞ୍ଚଟି ଆମ୍ବ ଗଛ ଲଗାନ୍ତି, ତାଙ୍କର ନର୍କଗତି ନାହିଁ I ଚାରା ରୋପଣକାରୀଙ୍କ ଇଚ୍ଛା ପୂରଣ କରିଥାଏ ଆମ୍ବଗଛ I
ବାସ୍ତୁଶାସ୍ତ୍ରରେ ଆମ୍ବ ଗଛକୁ ଅତ୍ୟନ୍ତ ପବିତ୍ର ବୃକ୍ଷର ମାନ୍ୟତା ମିଳେ I କୁହାଯାଏ ଯେ, ଏହା ମାଧ୍ୟମରେ ଘରର ସମସ୍ତ ସଦସ୍ୟଙ୍କ ବହୁତ ଲାଭ ହୋଇଥାଏ I ଯେଉଁମାନଙ୍କର ବାରିରେ ଆମ୍ବଗଛ ଅଛି, ସେମାନଙ୍କର
ସମ୍ପତ୍ତି, ସମୃଦ୍ଧି, ସକାରାତ୍ମକ ଉର୍ଜ୍ଜା, ଉତ୍ତମ ସ୍ୱାସ୍ଥ୍ୟ, ସୁରକ୍ଷା, ଆଧ୍ୟାତ୍ମିକ ବିକାଶ ଏବଂ ଜ୍ଞାନବର୍ଦ୍ଧନ ପାଇଁ ସାହାଯ୍ୟ କରେ I ଆମ୍ବ ଗଛ ତଳେ ଧ୍ୟାନ, ତପ ଓ ପ୍ରାର୍ଥନା କଲେ, ଆତ୍ମ ଉପଲବ୍ଧି ସମ୍ଭବ ତଥା ପରମାତ୍ମାଙ୍କ ସହ ମିଳନ ମଧ୍ୟ ସମ୍ଭବ ହୋଇଥାଏ I
ଆପଣ ନିଜର ପିଲାଦିନର କଥା ମନେପକାନ୍ତୁ ତ! ସେଥିରେ ନିଶ୍ଚୟ କୌଣସି କୋଣ ଅନୁକୋଣରେ ଆମ୍ବ ରହିଥିବ! ସାଙ୍ଗ ସାଥି ମେଳରେ କଟାଇଥିବା ବାଲ୍ୟ ଜୀବନରେ ଆମ୍ବ ଥିବ ଏକ ସାଇତା ସ୍ମୃତିଟିଏ ହୋଇ I ଆମଦେଶରେ ବନ୍ଧୁତ୍ୱର ନିଦର୍ଶନ ରୂପେ, ଆମ୍ବ ପ୍ରୀତି ଉପହାର ଦିଆଯାଏ I ଶ୍ରୀଗଣେଶଙ୍କ ହାତରେ ଶୋଭାପାଏ ଏକ ପକ୍ବ ଆମ୍ବ, ଯାହା ନୈସର୍ଗିକ I ବସନ୍ତ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ପୂଜାରେ ମଧ୍ୟ ଲାଗିହୁଏ ଆମ୍ବର ବଉଳ I ସେହିଭଳି ବୌଦ୍ଧ ଓ ଜୈନ ଧର୍ମରେ ମଧ୍ୟ ଆମ୍ବ ଏକ ପବିତ୍ର ତଥା ଦେଵପ୍ରିୟ ଫଳଭାବେ ସମ୍ମାନ ପାଏ I
ଆଗକୁ ଆସୁଛି ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି I ଘରେ ଘରେ ଛତୁଆ ଓ ପଣା ପୂଜା ହେବ I ପଣାରେ ପଡିବ କଞ୍ଚା-ପାଚିଲା ଆମ୍ବ I ଭାରତର ଭୌଗଳିକ ଅବସ୍ଥିତି ଏପରି ବ୍ୟାପକ ଯେ, ମାର୍ଚ୍ଚ ମାସରେ କେରଳ ଓ ତାମିଲନାଡୁ ରାଜ୍ୟରେ ଆମ୍ବ ପାଚିଲା ବେଳେ, ରାଜସ୍ଥାନ, ପଞ୍ଜାବରେ ଆମ୍ବ ଅମଳ ସମୟ ଜୁନ ମାସ I ଆସନ୍ତୁ, ଆମେ କାର୍ବାଇଡ ବୋଳା ଆମ୍ବ ନଖାଇ ଗଛରୁ ତୋଳା ଯାଇଥିବା ପାକଳ ଆମ୍ବକୁ ପରିଷ୍କାର କରି, ବାଲିରେ ବସେଇ, ପାଚିଲା ଆମ୍ବକୁ ଆଉଥରେ ପାଣିରେ ଅଧଘଣ୍ଟାଏ ବୁଡାଇ ରଖି କାଟି କିମ୍ବା ଚିପୁଡ଼ି ଖାଇବା ଓ ପୁରୁଣା ଦିନର ସ୍ମୃତି ରୋମନ୍ଥନ କରି ଜୟଗାନ କରିବା ଫଳରାଜା ଆମ୍ବର I
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ