If you love someone you will be loyal to him no matter what the cost. your will always believe in him, & always stand your ground in defending him. (Bible I. Corintnious 13:7)
ପ୍ରତିମା ମୋର ଅପହଞ୍ଚ ଜାଣି ମଧ୍ୟ ତା’ ସହ ମୁଁ କଟେଇ ଥିବା କେତୋଟି ରାତି ମନେ ପକାଉଛି ଅନେକ ସମୟରେ । ପାଞ୍ଚ ବର୍ଷ ତଳେ ତା’ର ବାହାଘର ହୋଇଥିଲା । ଏବେ ବି ମୁଁ ତା’ ବିଷୟ ଭାବୁଛି । ମୁଁ ତା’କୁ କେତେ ଗଭୀରଭାବେ ଭଲ ପାଉଛି ସେ କଥା ସେ ଯଦି ବୁଝିପାରନ୍ତା!
ଏ ସକାଳୁ ସୂର୍ଯ୍ୟକିରଣ ଓ ଉତ୍ତାପ ମୋତେ ଛୁଇଁଲା ମାତ୍ରେ ମୋ ଦୁଃଶ୍ଚିନ୍ତା ଛାଡ଼ିଗଲା ହଠାତ୍ । ପ୍ରତିମା ଭିତରେ ନିଶ୍ଚୟ କିଛି ଶକ୍ତି ଅଛି । ଗତକାଲି ମେଘୁଆ ଥିବା ଆକାଶ ଆଜି ଫର୍ଚ୍ଚା ଲାଗୁଛି । ପ୍ରତିମା ଘରଠୁ ଫେରିଲା ପରେ । ସେ ହୁଏତ ମୋ ପାଇଁ ସୁମରଣା କରୁଛି, ଶୁଭ ମନାସୁଛି । ଆଜି । କାଲି । ସବୁଦିନ ।
ମୁଁ ଏଠି ମଣିଷଙ୍କୁ ଡରି ନୀତି ନିୟମ ଭାଙ୍ଗି ନପାରି କେବଳ ଚିଠି ପତ୍ରରେ ଶୁଭ ମନାସିଛି । ଗଲା ପାଞ୍ଚବର୍ଷ । ଇଚ୍ଛା ହୋଇଛି : ସାମାଜିକ କଟକଣାର ଜେଲ୍ରୁ ମୁକୁଳି ଆସିବି । ପ୍ରତିମା ପାଇଁ ମୋର ପ୍ରେମ ଖୋଲାଖୋଲି ଘୋଷଣା କରିଦେବି । ପରିଣାମ ଯାହା ହେଉ ।
ମୁଁ ଜାଣେ, ପ୍ରତିମା ଜଣେ ଲୋକକୁ ବାହା ହୋଇଛି । ସେ, ମୋର ତଳିଆ କର୍ମଚାରୀଟିଏ । ତଥାପି ସେ ଲୋକର ଛୁଆକୁ ମଣିଷ କରିବ ବୋଲି ତା’ ସମସ୍ତ ଜୀବନ ନିୟୋଜିତ କରିଦେଇଛି । ଅନିଶ୍ଚିତ ଭବିଷ୍ୟତ ଯାଏଁ ସେ ଲୋକର ଶେଯରେ ନିଜ ଦେହକୁ ଜଳାଞ୍ଜଳୀ ଦେଇଛି । ସେ’ ଲୋକର ଦାସତ୍ୱକୁ ଗ୍ରହଣ କରି ନେଇଛି ସାଦରେ । ତା’ର ଆଧିପତ୍ୟକୁ ସ୍ୱୀକାର କରିଦେଇଥିବ ନିର୍ବିବାଦରେ । ସେ ସମର୍ପିତ ଜୀବନ ହୁଏତ ଭଗବାନଙ୍କ କୃପା ପରି ଲାଗୁଥିବ ତା’କୁ । ସେ ଲୋକର ସନ୍ତାନ ମାନେ ତା’ ଆଖିରେ ଯଶୋଦା ନନ୍ଦନ ଶ୍ରୀକୃଷ୍ଣଙ୍କ ପରି ଦିଶୁଥିବେ; ତା’ ଶେଯରେ ସେମାନେ ଝାଡ଼ା ପରିସ୍ରା କଲେ ବି… ।
ସେ’ ଲୋକର କେତୋଟି ଛୁଆ, ମୁଁ ଜାଣିବାକୁ ଚାହିଁଛି । ଅନେକ ଥର । ପ୍ରତିମାର କୌଣସି ଚିଠିରେ ସେ ବିଷୟରେ ଉଲ୍ଳେଖ ନଥାଏ । ଏତେ ଦିନ ପରେ ଘରକୁ ଫେରିଛି ଜାଣି ମୁଁ ଯାଇଥିଲି ପ୍ରତିମାର ଘରକୁ ।
କିନ୍ତୁ ସେ’ ଏ କ’ଣ କରୁଛି? ପ୍ରତିମାର ବନ୍ଧୁବାନ୍ଧବ ଓ ଶାଶୁଘର ଲୋକଙ୍କୁ ଛାଡ଼ିଦେଇ ହଠାତ୍ ସେ’ ମୋ ପାଖକୁ ଆସିଗଲା । ସେ ଜାଣିଥିଲା ଆର କୋଠରୀରେ ତା’ର ସ୍ୱାମୀ ଅଛନ୍ତି । ବଡ଼ ବଡ଼ ଦିଅର, ନଣନ୍ଦ ଅଛନ୍ତି । ବାରଣ୍ଡାରେ ଅନେକ ଛୋଟବଡ଼ ଛୁଆ ଦୌଡ଼ାଦୌଡ଼ି କରୁଛନ୍ତି । ଯେ କୌଣସି ମୁହୂର୍ତ୍ତରେ ତା’ ସ୍ୱାମୀ ଏ ବଖରାକୁ ଚାଲି ଆସି ପାରନ୍ତି । ଯୌଥ ପରିବାରର କାହାର ଯଦି ସନେ୍ଦହ ହୁଏ ଆମ ସଂପର୍କରେ, ତେବେ ପ୍ରତିମାର ସଂସାର ଚୁର୍ମାର ହୋଇଯିବ । କାହିଁକି ନା’ ମଧ୍ୟବିତ୍ତ ସ୍ତ୍ରୀମାନଙ୍କ ସଂସାର କାଚ ତିଆରି । ଢ଼େଲାଟିଏ ପଡ଼ିଲେ ଯଥେଷ୍ଟ । ସେ କଥା ପ୍ରତିମା ଭଲ ଭାବେ ଜାଣିଛି ।
ମୁଁ ଠିଆ ହୋଇଥିବା ସ୍ଥାନକୁ ଆସିଲା ପ୍ରତିମା । ମୋ ପାଦକୁ ଛୁଇଁବାକୁ ନଇଁ ପଡ଼ିଲା ।
‘ହେଲା ହେଲା,’ ବୋଲି ମୁଁ କହିବା ସତ୍ତ୍ୱେ ମୋ ପାଦକୁ ଦୀର୍ଘ ସମୟ ଧରି ସ୍ପର୍ଶ କରି ରହିଲା ।
ମୁଁ ଜାଣିଛି, ପ୍ରତିମାକୁ ଆଶୀର୍ବାଦ ଦେବାର ଯୋଗ୍ୟତା ମୋର ନାଇଁ । କିମ୍ବା ମୋ ପାଖରେ କୌଣସି ଦିବ୍ୟତ୍ୱ ନାହିଁ । ଅଯଥା ମୋ ପରି ଜଣେ କାପୁରୁଷର ପାଦସ୍ପର୍ଶ କରି ନିଜ ଭିତରର ଦେବୀତ୍ୱର ଅବମାନନା କରୁନାହିଁତ? ମୁଁ କହିଲି ।
ପ୍ରତିମା ମୋ ପାଦ ପାଖରେ ନଇଁ ପଡ଼ିଥିଲା କିଛି ସମୟ । ସେତିକି ସମୟ ନିଜକୁ ଖୁବ୍ କ୍ଷୁଦ୍ର ମନେ କରିଛି । ନିଜର ଅସହାୟତା ପାଇଁ । ଦୟା ବି ହେଲା ନିଜ ଉପରେ, ପ୍ରତିମା ଉପରେ । କାରଣ, ସେଇ କିଛି ମୁହୂର୍ତ୍ତ ମୁଁ ବାରଣ୍ଡାର ଦୁଆର ଆଡ଼କୁ ଚାହୁଁଥାଏ । କାଳେ ତା’ ପରିବାରର କେହି କୋଠାରୀ ଭିତରକୁ ପଶିଆସିବେ ଏବଂ ମୋତେ ଇଙ୍ଗିତ କରି ପଚାରିବେ-ଏଇ ଲୋକଟି କିଏ?
ମୋର ଦୁଃଖ, ସଂଶୟ ଓ ଭୟ ମିଶି ଏକ ଓଜନଦାର ଅନୁଭବ ମୋତେ ଧିରେ କଂପେଇ ଦେଇଥିଲା । ପ୍ରତିମାର କାନ୍ଧରେ ହାତ ରଖି ମୁଁ ତା’କୁ ତଳୁ ଉଠାଇଲି । ସେତିକିବେଳେ ମୋ ପାଦରେ ଥୋପା ଥୋପା ଉଷୁମ୍ ବିନ୍ଦୁ ପଡ଼ିବାରୁ ଜାଣିଲି; ପ୍ରତିମା କାନ୍ଦୁଥିଲା ।
କିନ୍ତୁ କାଇଁକି? ତା’ର କ’ଣ ଅଭାବ ଥିଲା ଏ ଜୀବନରେ?
ବାହାରେ ଦୌଡ଼ୁଥିବା ଦରଲଙ୍ଗଳା ଛୁଆଟା ହଠାତ୍ ଘର ଭିତରକୁ ଚାଲି ଆସିଲା । ସେ’ ପ୍ରତିମାର ଦୁଇଗୋଡ଼ ମଝିରେ ଛନ୍ଦି ହେଲା । ତା’ ଶାଢ଼ୀକୁ ଟାଣିଲା । ପଣତ ଶୀର୍ଷକୁ ଧରି ଓହଳିବାକୁ ଚାହୁଁଥିଲା ।
କିନ୍ତୁ ଛୁଆଟିର ବାହୁ ଧରି ପ୍ରତିମା ଡ଼ାକିଲା; ଦେଖିଲୁ କିଏ ଆସିଛନ୍ତି ଦେଖିଲୁ ।
: କିଏ ସେ’ ଅଙ୍କଲ? ପଚାରିଲା ଛୁଆଟି ।
ପାଦଛୁଇଁ ନମସ୍ତେ କର ଅଙ୍କଲଙ୍କୁ, ପ୍ରତିମା କହିଲା
: ଇଏ ବଡ଼ ପୁଅ? ମୁଁ ପଚାରିଲି ।
: ତମେ ଜାଣିଛ? ଇଏ ତମରି ଛୁଆ ।
ବଡ଼ ଓ ସାନ, ସବୁକିଛି । ତମରି ନା ଦେଇଛି ୟାକୁ, ଶଶାଙ୍କ । ଇଏ ୟା ବାପାଙ୍କର ନୁହେଁ । ସେକଥା ସେବି ଜାଣିଛନ୍ତି; ପ୍ରତିମା କହୁଥିଲା ।
ମୁଁ ବିସ୍ମୟ ଓ ସଂଶୟରେ ପଡ଼ିଗଲି । ପ୍ରତିମାର ପ୍ରତିଟି ଉଚ୍ଚାରିତ ଶବ୍ଦ ମୋତେ ଅଧିକରୁ ଅଧିକ ଶଙ୍କାଗ୍ରସ୍ତ କରି ଦେଉଥିଲା । ମୁଁ ଭୟଭୀତ ହୋଇଗଲି ।
ଭାବିଲି, ସେଠି ଆଉ ମୁହୂର୍ତ୍ତେ ସମୟ ବି ମୁଁ ଅଟକିବା ଅନୁଚିତ । ତାହା ମୋ ପ୍ରାଣ ପାଇଁ ବିପଦଜନକ ହୋଇପାରେ ।
: ତମ ସ୍ୱାମୀ ଜାଣନ୍ତି ଏ କଥା? ମୁଁ ଡ଼ରରେ ପଚାରିଦେଲି ଦ୍ୱିତୀୟ ଥର ।
: ସେ ଜାଣନ୍ତି । କିନ୍ତୁ ମୋତେ ପଚାରିବାର ସତ୍ସାହସ ତାଙ୍କର ନାହିଁ; କହିଲା ପ୍ରତିମା ।
ମୁଁ ଦୁଆର ଆଡ଼କୁ ଚାହୁଁଥାଏ, ବାରମ୍ବାର । ଝର୍କା ପାଖରେ ଡ଼େଙ୍ଗା ନିଶୁଆ ଲୋକଟିର ଚେହେରାଟିଏ ଦିଶିଲା । ସେ ଆଖିରେ କଜ୍ୱଳ ବି ନାଇଥିଲେ । ସେ ନିଶ୍ଚିତ ଭାବେ ବିହାରୀ ଦାଦା ପରି ଦିଶୁଥାନ୍ତି । ଧଳା ପାଇଜାମା । ନାଲି-ନୀଳ ଛିଟର ଲୁଙ୍ଗିଟିଏ ମଝିରେ ସିଲେଇ କରି ଯୋଡ଼ା ଯାଇଥିଲା ।
ପ୍ରତିମା ସତର୍କ ହେଲାପରି ଦିଶିଲା ।
ଯେତେବେଳେ ଲୋକଟି ଆମେ ଥିବା କୋଠରୀ ପାରି ହୋଇଯାଉଥିଲେ, ପ୍ରତିମା ତାଙ୍କୁ ଡ଼ାକିଲା । ଏଇ ଶୁଣ । ଏଇ ହେଉଛନ୍ତି ଶଶାଙ୍କ ବାବୁ । ତମ ଅଫିସର ସ୍ଥାନୀୟ ଶାଖା ମ୍ୟାନେଜର । ଆମର ସଂପର୍କୀୟ ବି । ନମସ୍କାର କର । ପ୍ରତିମା ଆଦେଶ ଦେବା ଭଙ୍ଗୀରେ କହିଲା ।
ପ୍ରତିମାର ସ୍ୱାମୀ ନମସ୍କାର କରିବା ପରିବର୍ତ୍ତେ ଦାନ୍ତ ମେଲେଇ ଘରୁ ବାହାରିବାକୁ ଚେଷ୍ଟାକଲେ ।
: ନମସ୍କାର କର ବୋଲି ମୋତେ କହିବାକୁ ପଡ଼ିବ? ପ୍ରତିମା ତାଙ୍କୁ ସୌଜନ୍ୟ ଶିକ୍ଷା ଦେଲା ପରି ଆକଟ କଲା ।
: ଜବରଦସ୍ତ ବିନମ୍ର ପଣିଆ ଦାବୀ କରନାଇଁ । ସେମିତି କଲେ ତାଙ୍କ ଅହଂ ଆହତ ହେବ । ତାଛଡ଼ା ଏହାଦ୍ୱାରା ସମ୍ମାନ ବଦଳରେ ସେ ମୋତେ ଘୃଣା କରିବାକୁ ଲାଗିବେ ।
: ସେ କଥା ତାଙ୍କ ଆଗରେ କୁହନାଇଁ । ବାପା ହୋଇ ସେ’ ଯଦି ବିନମ୍ରତା ଶିଖିବେ ନାଇଁ, ଛୁଆ କ’ଣ କାହାକୁ ସମ୍ମାନ/ଭକ୍ତି କରିବେ? ପ୍ରତିମା କହିଥିଲେ ଦୃଢ଼ ଭାବରେ ।
: ତମେ କୋଉ ମାନ୍ଧାତା କାଳରେ ଅଛ ପ୍ରତିମା? ମୁଁ ପଚାରିଲି ଆଶ୍ଚର୍ଯ୍ୟରେ ।
: ନା, ବିନମ୍ର ନହେଲେ ସମାଜରେ ଚଳି ପାରିବଟି? ହାକିମ ଆଗରେ ନମ୍ର ନହେଲେ ସେ ଦିନକ ପାଇଁ ବି ଛୁଟି ମଞ୍ଜୁର କରିବ? ଇଏ ପହେଲ୍ମାନ ବୋଲି ଅଫିସ୍ରେ ଦାଦାଗିରି କରିପାରିବେ ।
ଲୋକ ଜଣକ କାମଚଳା ଭାବରେ ହାତ ଉଠାଇ ଦେଇ ଚାଲିଗଲେ, ମୁଁ କିଏ, କାହିଁକି ଆସିଛି ନପଚାରି । ହଉଛାଡ଼, ମୁଁ କହିଲି; ତମ ଛୁଆଙ୍କୁ ଭଲରେ ଦେଖା ଶୁଣା କରୁଛନ୍ତି ତ?
ପ୍ରତିମା କହିଲା, ହଁ । ସକାଳୁ ସଞ୍ଜ କୁସ୍ତି, କସରତ୍, ଆଖଡ଼ା । ନାମକୁ ମାତ୍ର ଅଫିସ୍ ଯା’ନ୍ତି । ରାତିହେଲେ ପିଇବା, ଶୁଣ୍ଢି ବାରଣ୍ଡାରେ ଶୋଇବା ।
: ଆଉ ତମ ସହ ଭଲରେ କଥାବାର୍ତ୍ତା?
: ଛାଡ଼, ତମେ ଅଳ୍ପ ସମୟ ପାଇଁ ଆସିଛ । ସେ ଭାଗବତ କହି ତୁମକୁ କଷ୍ଟ ଦେବି କାହିଁକି?
ପ୍ରତିମା ଟିକିଏ ବିରତି ନେଲା ଓ କହିଲା: ଯଦି ତମେ ଆମର ଭଲ ଚାହୁଁଥାଅ, ୟାଙ୍କର ବଦଳି କରାଇଦିଅନ୍ତ, ତମ ଅଫିସ୍କୁ । ତମ ପାଖରେ ରହିଲେ ୟାଙ୍କର ପିଇବା, ବୁଲିବା ଛାଡ଼ିଯା’ନ୍ତା । ତା’ ଛଡ଼ା ଏଠି ଶାଶୁ ରହିଛନ୍ତି । ତାଙ୍କର ଶେଷ ଅବସ୍ଥା । ତାଙ୍କର ଟିକେ ସେବା ଯତ୍ନ କଲେ ୟାଙ୍କର ଦୁର୍ଗୁଣ ଓ ଶାପମୋଚନ ହୁଅନ୍ତା ।
ଶାପ ମୁକ୍ତି ଆଦି ପ୍ରାଚୀନ ପୁରାଣର କଥା ଭଳି ଲାଗୁଥିଲା । କିନ୍ତୁ ପ୍ରତିମା ଏ ବିଶ୍ୱାସରେ ଅଟଳ ଥିଲା ଯେ ବାପା ମା’ ଗୁରୁଜନଙ୍କ ସେବା କଲେ ପୂର୍ବଜନ୍ମର ପାପବି ଧୋଇ ହୋଇଯାଏ । ଦାରିଦ୍ର୍ୟ ଦୂର ହୋଇଯାଏ, ଭଗବାନଙ୍କ କରୁଣାରୁ!
: ତା’ କେମିତି? ମୁଁ ଆଦୌ ବୁଝିପାରିନଥିଲି ।
: ସମସ୍ତେ ଭାବନ୍ତି ଭଗବାନ ସ୍ୱର୍ଗରେ ଥା’ନ୍ତି । ଏଠି ପାପୀଙ୍କ ଭିତରେ ନଥା’ନ୍ତି । ଏହା ଭୁଲ୍ । ଏଠି ବି ସ୍ୱର୍ଗର ଅନୁଭବ ମିଳିପାରେ ବୃଦ୍ଧ, ଅସହାୟଙ୍କ ସେବା ଯତ୍ନ କଲେ । ଗରିବଙ୍କୁ ଦାନ କଲେ । ତମ ଭିତରେ ଭଗବାନ ପ୍ରକଟ ହେବେ! ପ୍ରତିମା ଏକାଥରକୁ ଏତେ କଥା କହିଦେବ, ମୁଁ ଜମା ବିଶ୍ୱାସ କରିପାରି ନଥିଲି ।
ମୁଁ ଠିଆ ହେବାକୁ ଲାଗିଲି ।
: କ’ଣ ମୋ କଥା ଭାରି-ଭାରି ଲାଗିଲା? ତାଙ୍କର ଏ ବଦଳିଟେ କରେଇଦିଅ । ତମର ବି ପୁଣ୍ୟ ହେବ । ମୋ ସଂସାରବି ତିଷ୍ଠିଯିବ; ପ୍ରତିମା କହିଲା, ଅନୁନୟ କଲା ପରି ।
: ଟ୍ରାନ୍ସଫର ହୋଇଗଲେ ତମେ ଖୁସି, ହେଇଯିବ । କିନ୍ତୁ ମୋର କି ପୁଣ୍ୟ ହେବ?
: ସିଏ ଏ ସହରରେ ରହିବେ । ତମେ ତାଙ୍କର ଉପରିଆ ହୋଇଥିବାରୁ ତମକଥା ରଖିବ । ବଡ଼ଭାଇ ବୋଉଙ୍କ ଡ଼ରରେ ସେ’ ଏଠି ମଦ, ଗଞ୍ଜେଇ ପିଇ ପାରିବେନି । ଡାକ୍ତର କହିଛି, ମାଦକ ଦ୍ରବ୍ୟ ଛାଡ଼ିଦେଲେ ତାଙ୍କ ନପୁଂସକ ରୋଗ ଧିରେ ଭଲ କରିହେବ ।
ମୁଁ ପ୍ରତିମା ପାଖରୁ ଉଠିଲି ଶେଷଥର ପାଇଁ । ମୋ ଭିତରେ ଏକ ନୂଆ ପ୍ରତ୍ୟୟ ନେଇ ଯେ: ମୁଁ ଏଣିକି ଶାପମୁକ୍ତ ହୋଇଯିବି!