ଚାଲ ଯିବା ସୁନ୍ଦରଗଡ଼ । ଦିଗନ୍ତର ଘରେ ପହଞ୍ଚି ତାକୁ ପ୍ରସ୍ତାବ ଦେଲା ଥିଓପିଲ ତିର୍କୀ । ଅପରାହ୍ନ ଚାରିଟା ବେଳେ ସେଭଳି ଅଚାନକ ପ୍ରସ୍ତାବ ପାଇଁ ପ୍ରସ୍ତୁତ ନଥିଲା ଦିଗନ୍ତ । କିନ୍ତୁ ଥିଓଫିଲକୁ ମନା କରାଯାଇ ପାରେନା । ସେ କହିଲାଣି ମାନେ, ଯିବାକୁ ପଡ଼ିବ । ତଥାପି ସେ ପଚାରିଲା-ହଠାତ୍? ଯାଇ କଣ ସାଙ୍ଗେ ସାଙ୍ଗେ ଫେରିବା?
ହଁ, କେତେ ସମୟ ଲାଗିବ? ଚମତ୍କାର ଚିକ୍କଣ ସଡ଼କ । ମୋର ବୁଲେଟ୍ ମୋଟର ସାଇକେଲ । ତୁ ବସିଥିବୁ ପଛରେ । କେତେ ସମୟ ଲାଗିବ? ଏଇ ତ ମାତ୍ର ଶହେ କିଲୋମିଟର ବାଟ । ଆରାମରେ ଗାଡ଼ି ଚଲାଇଲେ ଯିବାକୁ ଦେଢ଼ ଘଣ୍ଟା । ସେଇଠି ପନ୍ଦରମିନିଟ୍ର କାମ । ଫେରିବାକୁ ଧର ସେଇ ଦେଢ଼ଘଣ୍ଟା । ସାତଟା ପନ୍ଦର କି ସାଢ଼େ ସାତରେ ଘରେ ପହଞ୍ଚିଯିବା । କହିଲା ଥିଓଫିଲ୍ ।
କାମ କ’ଣ ସାର୍ଟର ବୋତାମ ଲଗାଉ ଲଗାଉ ଦିଗନ୍ତର ପ୍ରଶ୍ନ ।
କାମଟା ବାପାଙ୍କର । ରାଜନୈତିକ । ଜଣେ ନେତାକୁ ଭେଟିବା । ସେ ଅପେକ୍ଷା କରିଥିବେ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ । ଖାଲି ଭେଟି ଦେଇ ଫେରିବା । ବାପା କହୁଥିଲେ କାର ନେଇ ଯିବାକୁ । କିନ୍ତୁ ବୁଲେଟ୍ରେ ଯିବାର ମଜା କାର୍ରେ ନଥାଏ । ପୁଣି ଏ ନଭେମ୍ବରର ଶୁକ୍ଲପକ୍ଷ । ଫେରିବା ବେଳକୁ ଆକାଶରେ ଥିବ ନିର୍ମଳ ଚନ୍ଦ୍ର । ଦେହକୁ ଉଲୁସାଇବ କୁତୁକୁତିଆ ଖୋଲା-ଥଣ୍ଡା ପବନ । ଥିଓଫିଲ୍ କହିଲା ।
ଦିଗନ୍ତ ସାର୍ଟକୁ ଇନ୍ କରୁ କରୁ କହିଲା-ବ୍ୟବସାୟରେ ନପଶି କବିତା ଲେଖିବା ତୋ ପକ୍ଷରେ ଉଚିତ ହୋଇଥାନ୍ତା । ଆଚ୍ଛା ତୁମ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବିଭିନ୍ନ ଦିଗରେ ବେଶ୍ ଉନ୍ନତି କଲେଣି । କିନ୍ତୁ କବି ଲେଖକ ହୋଇ ଗଣ୍ଡେ, ଦି’ଗଣ୍ଡା କିଏ ବାହାରୁ ନାହାନ୍ତି କାହିଁକି?
ତୁ ଜଲ୍ଦି ବାହାରେ ତ ବେଟା! କବି ବାହାରିବା ବିଷୟ ପରେ ଫୁରୁସତରେ ଦେଖିବା । ଥିଓଫିଲ ହସି ହସି ଉତ୍ତର ଦେଲା ।
ବୁଟ୍ର ଫିତା ବାନ୍ଧୁ ବାନ୍ଧୁ ଦିଗନ୍ତ କହିଲା-ନଭେମ୍ବରର ଶୁକ୍ଲପକ୍ଷ ବୋଲି କହିଲୁ ଯେ, ଇଂଲିଶ୍ ମାସର କଣ ପକ୍ଷ କି ଶୁକ୍ଲପକ୍ଷ ଥାଏ? ଏବେ ଚାଲିଛି କାର୍ତ୍ତିକ ମାସର ଶୁକ୍ଲପକ୍ଷ । ଆଜି ଚତୁର୍ଦ୍ଦଶୀ । ଆସନ୍ତା କାଲି ପୂର୍ଣ୍ଣିମୀ ।
ମତେ ତୁ ଆଉ କ୍ୟାଲେଣ୍ଡର ପଢ଼ାନା । ଥାଉ, ବୁଟ୍ରେ ଏତେ ରଗଡ଼ି ରଗଡ଼ି ବ୍ରସ୍ ମାରେନା । ଚାଲ୍ ଜଲଦି । ଥିଓଫିଲ ଅଧୈର୍ଯ୍ୟ ହେଲା ।
ଦିଗନ୍ତ ମା’ କୁ କହିଲା-ମା’, ଆମେ ବାହାରିଲୁ ସୁନ୍ଦରଗଡ଼ । ବେଶୀରୁ ବେଶୀ ଚାରିଘଣ୍ଟା ଭିତରେ ଫେରି ଆସିବୁ ।
ପବନ ପ୍ରତିଦ୍ୱନ୍ଦିତା କରିପାରେନା ଥିଓଫିଲ୍ ସହ, ଯଦି ସେ ଚଳାଉଥାଏ ତା’ ବୁଲେଟ୍ ମୋଟର ସାଇକଲ୍ । ସେ ଗାଡ଼ିର ଶବ୍ଦ, ତା’ର ତୀବ୍ର ଗତି ଦେଖି ତ୍ରସ୍ତ ହୋଇ ଚାହିଁ ରହନ୍ତି ଲୋକମାନେ । ରାସ୍ତାକଡ଼ରେ ଚରି ବୁଲୁଥିବା ଗାଈ ଗୋରୁ, ଗଛ ଡ଼ାଳରେ ବସି ରହିଥିବା ପକ୍ଷୀ ।
ମୋଟର ସାଇକେଲ୍ ଚଲାଇବା ବେଳେ ସେ ଖୋଲି ଦେଇଥାଏ ସାର୍ଟର ଅନୁ୍ୟନ ତିନୋଟି ବୋତାମ, ଉପରପଟୁ । ସୁନା ଚେନ୍ରେ ଲାଗିଥିବା ବାଘନଖର ଲକେଟ୍ ଅତି ଅସ୍ଥିର ଭାବେ ଝୁଲି ଝୁଲି ବାଡ଼େଇ ହେଉଥାଏ ଛାତିରେ, ମୁହଁରେ ।
ଛଅ ଫୁଟର ଲମ୍ବାଦେହ । ଅବିଶ୍ୱସନୀୟ ଚଉଡ଼ା ଛାତି । ଭାରି ମଜବୁତ୍ ମାଂସପେଶୀ । ମନରେ ଦୃଢ଼ ଆତ୍ମବିଶ୍ୱାସ । ଥିଓଫିଲ୍ ତିର୍କୀ ଜଣେ ତୁଙ୍ଗ ରାଜନେତାଙ୍କର ଏକମାତ୍ର ପୁଅ । ରାଉରକେଲାରେ ତାଙ୍କର ବିଶାଳ ବ୍ୟବସାୟ ।
କଲେଜ୍ରେ ପ୍ଲସ ଥ୍ରୀ ପଢ଼ିବା ବେଳୁ ଥିଓଫିଲ୍ ପାଇଁ ତା’ ବାପା କିଣି ଦେଇଛନ୍ତି ସେ ବୁଲେଟ ମୋଟର ସାଇକେଲ୍ । ଥିଓଫିଲ ଏମ୍.ଏ ପାଶ କରିବା ପରେ ଏଲ.ଏଲ.ବି ମଧ୍ୟ ପାଶ୍ କଲାଣି ଦୁଇବର୍ଷ ତଳୁ । ଘର ସାମନାରେ ଲଗାଇଛି ତା’ର ନାମ ଫଳକ-ଥିଓଫିଲ୍ ତିର୍କୀ, ଏମ୍.ଏ.ଏଲ୍.ଏଲ୍.ବି ଆଡ଼ଭୋକେଟ୍ ।
ନାଁକୁ ଖାଲି ଆଡ଼ଭୋକେଟ୍ । ଲାଇସେନ୍ସ କରିଛି । କିନ୍ତୁ କୋର୍ଟକୁ ଯାଏନା । କିଏ ପଚାରିଲେ କହେ-ସେ ଆଡ଼ଭୋକେଟ୍ । କିନ୍ତୁ ବ୍ୟବସାୟ କଥା ଓ ବାପାଙ୍କ ରାଜନୈତିକ ବ୍ୟାପାର ବୁଝିବାକୁ ତା’ର ସମୟ ଅଭାବ ପଡ଼େ ।
ସୁନ୍ଦରଗଡ଼ ସର୍କିଟ୍ ହାଉସ୍ରେ ଜଣେ ମନ୍ତ୍ରୀ ଅପେକ୍ଷା କରିଥିଲେ । ଭୁବନେଶ୍ୱରରୁ ସେ ଆସିଥିଲେ ଏକ ତୋଫାନୀ ଗସ୍ତରେ । ଥିଓଫିଲ୍ ତାଙ୍କ ସହ ନିରୋଳାରେ ଭେଟକରି ଶୀଘ୍ର ହିଁ ଫେରିଲା । ତା’ପରେ ଦୁହେଁ ଗଲେ ବସ୍ଷ୍ଟାଣ୍ଡ ପାଖକୁ ।
ସୁନ୍ଦରଗଡ଼ରେ ଥିଓଫିଲ୍ର ଅସଂଖ୍ୟ ଚିହ୍ନା ଲୋକ । ଅନେକ ପ୍ରଶଂସକ । ଛୋଟ ଛୋଟ ବ୍ୟବସାୟ କରି ସେଠାରେ ଜମି ଯାଇ, ଧରାକୁ ସରାଜ୍ଞାନ କରୁଥିବା ବିହାରୀ ଲୋକ ଗୁଡ଼ିଏ ଅତି ନମ୍ର ଭାବେ ନଇଁ ଯାଇ ନମସ୍କାର କରୁଥିଲେ ତାକୁ । ଥିଓଫିଲ୍ କେତେ ଖଣ୍ଡ ପାନ ଧରିଲା । ଗାଡ଼ି ଷ୍ଟାର୍ଟ କଲା । କିନ୍ତୁ ରାଉରକେଲା ରାସ୍ତା ନଧରି ଚାଲିଲା ବିପରୀତ ଦିଗରେ ।
ଆମେ ପୁଣି କୁଆଡ଼େ ଯାଉଛୁ? ପଚାରିଲା ଦିଗନ୍ତ ।
ବ୍ରଜରାଜନଗର । କହିଲା ଥିଓଫିଲ୍
ଏଇଟା କ’ଣ ପ୍ରୋଗ୍ରାମ୍ରେ ଥିଲା? ନା, ମନ୍ତ୍ରୀ ପୁଣି କହିଲେ ସେଠାକୁ ଯିବା ପାଇଁ? ଦିଗନ୍ତର ପ୍ରଶ୍ନ ।
ତୁ ଚକୁଳି ଖାଇବା ଲୋକ, ବିନ୍ଧ କାହିଁକି ଗଣୁଛୁ? ପଛରେ ବସିଛୁତ ବସିଥା’ । ଥିଓଫିଲ୍ ହସି ହସି କହିଲା ।
ତୋର ଏଇ ପ୍ରକୃତି ମୋତେ ଭଲ ଲାଗେନା । ଆସିଲା ବେଳେ କହିଲୁନି, ମୁଁ ମା’କୁ ସେ ହିସାବରେ କହି ଆସିଥାନ୍ତି । ମୁଁ ନଫେରିବା ଯାଏ ସିଏ ଖାଇବନି କି ଶୋଇବନି । ବିରକ୍ତ ହୋଇ କହିଲା ଦିଗନ୍ତ ।
ବେଶୀ ଡ଼େରି ହେଲେ ଘରକୁ ଫୋନ କରିଦେବା । କଥା କ’ଣ କି? ଏତେ ଦୂର ଆସିଛନ୍ତି ଯେତେବେଳେ, ଆଉ ଅଳ୍ପ ବାଟ ତ! ବ୍ରଜରାଜନଗରର ଲୋକଟିଏ ମୋତେ ଦଶହଜାର ଟଙ୍କା ଫେରାଇବାର କଥା । ତା’ର ଆଉ ଦେଖାଦର୍ଶନ ନାଇଁ । ଯଦି ଲୋକଟା ମିଳିଯାଏ, ଯଦି ସେ ଟଙ୍କା ଦେଇଦିଏ ତା’ ହେଲେ ଆମେ ଆଜି ଆଉ ଘରକୁ ନଫେରି କଟକ ଚାଲିଯିବା । ଥିଓଫିଲ୍ ନିର୍ବିକାର ଭାବେ କହିଲା ।
ଆରେ ବାପ୍ ରେ! ଚମକିଲା ଭଳି ଉଚ୍ଚାରଣ କଲା ଦିଗନ୍ତ ଓ କହିଲା-ବାପଧନ ଚନ୍ଦ୍ରମଣି! ମତେ ଏଇଠି ଓହ୍ଲାଇଦେ’ । ଖଣ୍ଡିଏ ଖଣ୍ଡିଏ ସାର୍ଟ ପିନ୍ଧି କାର୍ତ୍ତିକ ମାସର ଶୀତୁଆ ରାତିରେ ପୁଣି ତୋଫାନ ଭଳି ଚାଲୁଥିବା ତୋର ଏ ଗାଡ଼ିରେ ମୁଁ ଯିବି କଟକ ପର୍ଯ୍ୟନ୍ତ? ଆଉ ଜୀବନ ରହିବଟି! ରେଢ଼ାଖୋଲ ଜଙ୍ଗଲ ବାଟରେ ଯିବା ବେଳକୁ ରାତି ହୋଇଥିବ । ସେଠାରେ ଶୀତରେ ଖାଲି ତୋର ଏ ପଥୁରିଆ ଦେହ ନୁହେଁ, ତୋ ମୋଟର ସାଇକଲ୍ ବି ଥରିଯିବ ।
ଟଙ୍କା ମିଳିଗଲା ବ୍ରଜରାଜନଗରରେ । ଥିଓଫିଲ୍ ସେଠାରୁ ସଂଗ୍ରହ କଲା ଦୁଇଟି ହାଫ୍ ସ୍ୱେଟର, ଦୁଇଟି ମଫଲର । ସେଠାରୁ ଦୁହେଁ ଆସିଲେ ଝାରସୁଗୁଡ଼ା । ଫୋନ୍ କଲେ ଘରକୁ । ଜଣାଇଦେଲେ ଯେ ଦୁହେଁ ତା ପରଦିନ ରାତିରେ ଫେରିବେ ।
ଝାରସୁଗୁଡ଼ାରେ ଗୋଟିଏ ହୋଟେଲ୍ରେ ଦୁହେଁ ଶେଷ କଲେ ଅଧ ବୋତଲ ବିଦେଶୀ ମଦ । ଫୁର୍ତ୍ତି ଲାଗିଲା ଦେହ । ଝୁଙ୍କରେ ଉଚ୍ଚାଟିତ ହେଲା ମନ । ଦୁହେଁ ପେଟ ଭର୍ତ୍ତି କରି ଖାଇଲେ ଚିକେନ୍ ତନ୍ଦୁରି । ତା’ ପରେ ଆସିଲେ ପେଟ୍ରୋଲ ପମ୍ପ ନିକଟକୁ । ମୋଟର ସାଇକେଲ୍ରେ ଟାଙ୍କି ଭର୍ତ୍ତିକରି ପୂରାଇଲେ ପେଟ୍ରୋଲ ।
ଝାରସୁଗୁଡ଼ା ସହର ଡେଇଁବା ମାତ୍ରେ ଦିଗନ୍ତ ପଚାରିଲା-ଆମେ କଟକ କାହିଁକି ଯାଉଛୁ? ଏଇଟା ବି ପ୍ରୋଗ୍ରାମରେ ଥିଲା ନା ଅଚାନକ ମୁଣ୍ଡକୁ ଜୁଟିଲା ।
ଥିଲା, ଥିଲା । ତୁ ଏଡ଼େ ବିକଳ କାହିଁକି ହେଉଛୁ? ମୁଁ କଣ ତତେ ହରଣଚାଲ କରି ଲଙ୍କାକୁ ନେଇ ଯାଉଛି ପୁଷ୍ପକ ବିମାନରେ? ତା’ ହେଲେ ତୁ ଗାଉନୁ- ହେ ବନଗିରି ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି । ଗା, ଗା, ଗୀତଟେ ଗା’ । ଏ ପାଗକୁ, ଏ ନିରୋଳା ରାସ୍ତା! ଜମିଯିବ । ଜମାଣିଆ ରୋମାଣ୍ଟିକ ଗୀତଟେ ଗା । ପୁରୁଣା ହଉକି ନୂଆ ‘ୟେ’ ମେରା ପ୍ରେମ ପତ୍ର ପଢ଼ କର୍ ହେଉ କି ‘ ଡ଼ୋଲି ସଜାକେ ରଖ୍ନା’ ହେଉ । ଥିଓଫିଲ୍ ହୋ ହୋ’ ହୋଇ ହସି ହସି କହିଲା ।
ଦିଗନ୍ତ ସ୍ୱଗତୋକ୍ତି କଲା-କ’ଣ କହିବି ତୋତେ! ତା’ ପରେ ପୁଣି ପ୍ରଶ୍ନ କଲା-କହୁନୁ, କାହିଁକି ଆମେ କଟକ ଯାଉଛୁ?
ଥିଓଫିଲ୍ ପଛ ଆଡ଼କୁ ବାମହାତ ବଢ଼ାଇ ଦିଗନ୍ତର ଜଙ୍ଘ ଉପରେ ଚାପୁଡ଼ାଏ ମାରି କହିଲା-ବେଟା, ତତେ କହିଲି ପରା ବେ, ଚୁପ୍ଚାପ୍ ଗାଡ଼ିରେ ବସିଥା’ । ଗାଡ଼ି ଚଲାଇବାରେ ଭୁଲଭାଲ ହେଲେ କହିବୁ । ସ୍ପିଡ଼ କମିଗଲେ ପଚାରିବୁ ।
ବାସ୍ତବିକ ରେଢ଼ାଖୋଲ ଜଙ୍ଗଲ ଦେଇ ଯିବାବେଳେ ଶୀତରେ ଥରିଗଲା ଦେହ । ନିଶା ବି ଫାଟି ଆସିଥିଲା । ଗାଡ଼ିର ଗତି ମନ୍ଥର କରିବାକୁ ପଡ଼ିଲା ଥିଓଫିଲ୍କୁ।
ଅନୁଗୁଳ ଡ଼େଇଁବା ପରେ ପରେ ରାସ୍ତା କଡ଼ର ଗୋଟିଏ ହୋଟେଲ ପାଖରେ ମୋଟର ସାଇକେଲ ଠିଆ କରାଇ ଥିଓଫିଲ୍ ପ୍ରସ୍ତାବ ଦେଲା-ହେଇ ଯାଉ ଆଉ ଟୋପେ ଟୋପେ । ନିଶା ଭାଙ୍ଗିଗଲେ ରାତିର ନିରୋଳା ରାସ୍ତାରେ ଗାଡ଼ି ଚଳାଇବାର ମଜା ନାଇଁ ।
ଦିଗନ୍ତ ଆପତ୍ତି କଲା-ଏତେ ରାତି ହେଲାଣି । ପୁଣି ଖାଦ୍ୟ ସବୁ ଦରହଜମ ହେଇଛି କି ନାଇଁ । ଏମିତିରେ ପେଟ ଖରାପ ହେବ । ଥାଉ । ପୁଣି ମତେ ନିଦ ବି ମାଡ଼ିଲାଣି ଆଉ ପିଇଲେ ମୋର ଆଖି ଲାଗିଯିବ । ମୁଁ କେତେବେଳେ ଖସି ପଡ଼ିବି ଗାଡ଼ିରୁ ।
ଥିଓଫିଲ୍ କହିଲା-ଇଚ୍ଛା ହେଲାଣି ଯେତେବେଳେ, ଟିକିଏ ଟିକିଏ ହେଉ । ତା’ପରେ ଦେଖାଯିବ । ନହେଲେ ଢ଼ାବାର ଖଟିଆରେ ଗଡ଼ିପଡ଼ିବା । ରାତି ପାହିଲେ ଯିବା ।
ତାହା ହିଁ ହେଲା । ଦୁହେଁ ପୁଣି ପିଇଲେ, ଖାଇଲେ । ଢ଼ାବାର ବାଡ଼ିପଟକୁ ଦୁଇଟି ଦଉଡ଼ିଆ ଖଟ ନେଇ ତା’ ଉପରେ ଲମ୍ବ ହୋଇ ପଡ଼ିଲେ । ଚାହୁଁଚାହୁଁ ଦୁହିଁଙ୍କ ଆଖିକୁ ଘୋଟିଆସିଲା ଶ୍ରାବଣର ମେଘ ଭଳି ନିଦ ।
ଦିଗନ୍ତର ଆଖି ଖୋଲିଲା ବେଳକୁ ସକାଳ ଛଅଟା ।
ଗଛରୁ କାଠି ଭାଙ୍ଗି ଦାନ୍ତ ଘଷିଲେ । ନିତ୍ୟକର୍ମ ବି ସାରିଲେ । ଥିଓଫିଲ୍ ଷ୍ଟାର୍ଟ କଲା ତା ମୋଟର ସାଇକେଲ । ସକାଳର ନରମ ଖରା ଓ ନିର୍ମଳ ପବନ ଭାରି ଭଲ ଲାଗୁଥାଏ ।
କଟକ ଛୁଇଁଲା ବେଳକୁ ସମୟ ନଅଟା ବାଜି ପନ୍ଦର ମିନିଟ୍ । ଥିଓଫିଲ୍ ମୋଟର ସାଇକେଲ ଠିଆ କରାଇଲା । ରେଭେନ୍ସା କଲେଜର ଲେଡ଼ିଜ୍ ହଷ୍ଟେଲ ସାମନାରେ । ଦିଗନ୍ତକୁ ମୋଟର ସାଇକେଲ ପାଖରେ ଠିଆ କରାଇ ସେ ଚାଲିଗଲା । ଅଳ୍ପକ୍ଷଣ ପରେ ଫେରି ଆସି କହିଲା-ଧେତ୍ତେରୀ ।
ଦିଗନ୍ତ ଖତେଇ ହେଲା ଭଳି ବ୍ୟଙ୍ଗ କଲା- ନାହିଁଟି ତୋର ସେ ଚାନ୍ଦ କା ଟୁକୁଡ଼ା, ପ୍ରାଣାଧିକା ବିଳାସିନୀ! ତୋତେ ଏବେ ଧନ୍ୟଧନ୍ୟ କରିବି ନା ଧିକ୍ ବୋଲି କହିବି? ତୁ ତ ୟାଳ୍ପ ଗୋଟେ ମଜନୁ କି ବିଲ୍ୱମଙ୍ଗଳ । ମେହେବୁବାକୁ ଟିକିଏ ଭେଟିବାକୁ ଏମତି ଅତର୍ଚ୍ଛା ଖିଆଲରେ କିଏ ଖେପି ଆସେ ଚାରିଶହଅଶୀ କିଲୋମିଟର ବାଟ? ଯଦି ଏଇ ଏତିକି ଅଭିଳାଷ ଥିଲା, ଆରମ୍ଭରୁ ମୋତେ କହି ଦେଇଥିଲେ କ’ଣ ଏମିତି ମହାଭାରତ ଅଶୁଦ୍ଧ ହୋଇଯାଇଥାନ୍ତା ?
ତୁ ଏବେ ଆଉ ମୋର ଦିମାକ୍ ଚାଟେନା । ମୁଁ ବଡ଼ ଅଫସେଟ୍ ହୋଇଯାଇଛି । ଏଠି ଆଉ ସମୟ ନଷ୍ଟ ନକରି ତୁରନ୍ତ ଯିବାକୁ ପଡ଼ିବ ଭୁବନେଶ୍ୱର । କହିଲା ଥିଓଫିଲ୍ ।
ଫେର୍ ଭୁବନେଶ୍ୱର! ଦିଗନ୍ତର ଆଖି ଡ଼ିମା ଡ଼ିମା ହୋଇଗଲା ।
ଏତେ ଦୂର ତ ଆସିଲୁ, ଆଉ ତିରିଶ କିଲୋମିଟରକୁ କାହିଁକି ଏମିତି କୁନ୍ଥୋଉଛୁ? ଗମ୍ଭୀର ସ୍ୱରରେ ପଚାରିଲା ଥିଓଫିଲ୍ ।
କ’ଣ ରସ ତୁ ପାଇଛୁ କେଜାଣି ସେ କାଳୀକୋତରୀ ଝିଅଟିଠାରୁ! ଦିଗନ୍ତ ଆକାଶ ଆଡ଼କୁ ମୁଣ୍ଡ ଟେକି ଦେଇ କହିଲା ।
ଥିଓଫିଲ ପ୍ରତିବାଦ କଲା ଭଳି କହିଲା-କାହାକୁ ତୁ କାଳୀ କୋତରୀ କହୁଛୁ? ଆଦିବାସୀ ଝିଅଟା ଆଉ କଣ ଇଂଲିଶ୍ ମେମ୍ ଭଳି ଦିଶନ୍ତା? ଯେତେ କଳା ହେଲେ ବି ଗୋଟିଏ କାଉ ସାଙ୍ଗରେ ହିଁ ତ ଗଢ଼ି ଉଠିବ ଅନ୍ୟ ଗୋଟେ କାଉର ସମ୍ପର୍କ । ମୁଁ ଯଦି କୌଣସି ବ୍ରାହ୍ମଣ କି ପଠାଣ ଝିଅର ଗୋରା ଚମଡ଼ା ଦେଖି ତାକୁ ଭଲପାଏ, ତୁମେମାନେ ମୋତେ ଛାଡ଼ିବ? ଗୋଟେ ପଲିଟିକାଲ ଇସୁଟି କରିଦେବନି? ଆମେ ପୁଣି ଖ୍ରୀଷ୍ଟିଆନ ।
ହଉ, ଛାଡ଼ ସେକଥା । କହ ଏବେ, ତୋର ଦିଲରୁବା ଭୁବନେଶ୍ୱର କାହିଁକି ଚାଲିଯାଇଛି? ତୁ ଏତେ ଦୂରରୁ ଆସିଲୁ । ତା’ର ଟେଲିପାଥି ଟିକିଏ ବି କାମ କଲାନି ଯେ ହଷ୍ଟେଲ ଛାଡ଼ି ପଳେଇଛି । ପରିବେଶକୁ ହାଲୁକା କରିବା ପାଇଁ କହିଲା ଦିଗନ୍ତ ।
ଭୁବନେଶ୍ୱର ନୁହେଁ, ଛତ୍ରପୁରଯିବା ପାଇଁ ଏଇଠୁ ନଅଟାବେଳେ ବସ୍ ଧରିଥିବ ବିଲାସିନୀ । ତା’ ସାଙ୍ଗ ଝିଅଟି ସେଭଳି ତ କହିଲା । ଥିଓଫିଲ କହିସାରି ଗାଡ଼ି ଷ୍ଟାର୍ଟ କରିବାକୁ ଉଦ୍ୟତ ହେଲା ।
ଆମେ ତା’ ହେଲେ ଭୁବନେଶ୍ୱର ଯିବା ନା ଛତ୍ରପୁର? ଆତଙ୍କିତ ହେବା ଭଳି ସ୍ୱରରେ ପ୍ରଶ୍ନକଲା ଦିଗନ୍ତ ।
ଭୁବନେଶ୍ୱର, ଭୁବନେଶ୍ୱର । ଛତ୍ରପୁର ନୁହେଁ । ସିଏ ତା’ର ଛତ୍ରପୁର ଯିବ ପରା ଯାଉ । ଆମେ ତାକୁ ଭୁବନେଶ୍ୱର ବସ୍ଷ୍ଟାଣ୍ଡରେ ପାଇଯିବା । ଭିଡ଼ କମ୍, ଆଉ ମହିଳା ସିଟ୍ରେ କେହି ପୁରୁଷ ବସିବାର ଭୟ ନାଇଁ ବୋଲି ବିଳାସିନୀ ସବୁବେଳେ ସରକାରୀ ବସ୍ରେ ଯିବାକୁ ପସନ୍ଦ କରେ । ଏକ୍ସପ୍ରେସ ବସ୍ ହେଲେ ବି ସରକାରୀ ଗାଡ଼ି କେତେ ସ୍ପିଡ଼ରେ ବା ଯାଏ? ପୁଣି ଭୁବନେଶ୍ୱର ବସଷ୍ଟାଣ୍ଡରେ ପକାଇବନି କି ଅଧଘଣ୍ଟା, ଘଣ୍ଟେ? ନଅଟା ବେଳେ ବାଦମାଡ଼ିରୁ ଛାଡ଼ିଥିବ ତ? ଚାଲ୍, ବସ୍ । ଆମେ ସେ ଗାଡ଼ିକୁ ଅଲବତ୍ ଧରିବା
ଭୁବନେଶ୍ୱରରେ । ଅତି ଦୃଢ଼ତାରେ କହିଲା ଥିଓଫିଲ୍ ।
କଟକ-ଭୁବନେଶ୍ୱର ରାସ୍ତା ଭାରି ବ୍ୟସ୍ତ, ଭାରି ଭିଡ଼ । ମାଇଲ୍ ମାଇଲ ବ୍ୟାପୀ ଲମ୍ବିଥାଏ ବସ୍, ଟ୍ରକ । ସେ ରାସ୍ତାରେ ତୀବ୍ର ଗତିରେ ଗାଡ଼ି ଚଳାଇବା ମନା । ଥିଓଫିଲ ମାନେନା ସାଇଁ ସାଇଁ କଟାଇ ଚାଲିଥାଏ ସେ ଆଗରେ ଥିବା ଗାଡ଼ିଗୁଡ଼ିକୁ । ଦିଗନ୍ତକୁ ଡ଼ର ଲାଗୁଥାଏ । ତୀବ୍ର ଗତିରେ ଗାଡ଼ି ଚଳାଇବାର ବ୍ୟଗ୍ର ଆବେଶରୁ ଥିଓଫିଲ୍କୁ କ୍ଷାନ୍ତ କରିବା ଅଭିପ୍ରାୟରେ ସେ ପ୍ରଶ୍ନକଲା-ତୁମେ ଆଦିବାସୀମାନେ ମାଦଳର ତାଳେ ତାଳେ ନାଚୁଥିବା ରାତି ଅଧିଆ ପାର୍ଟନର ଧାଙ୍ଗଡ଼ୀକୁ ଧରି ଉଧ୍ଲିଆ ଚାଲିଯିବାର ପରମ୍ପରା ତ ଚାଲିଥିଲା । ତୁମେମାନେ ପୁଣି ଏଡ଼େ ଦଣ୍ଠା ପ୍ରେମିକ କେଉଁ ମସିହାଠାରୁ ସାଜିଲ୍ ବେ? ଏଇ ଯେମିତି ଉଣେଇଶ ସତଚାଲିଶରେ ଭାରତ ସ୍ୱାଧୀନ ହେଲା କି ପଞ୍ଚଷଠୀରେ ଆମ ଏଠାକାର ପ୍ରଥମ ଆଦିବାସୀ ଆଇ.ଏ.ଏସ୍ ପାଇଲା କି ପଞ୍ଚସ୍ତରିରେ ତୋର ଭାବି ଶ୍ୱଶୁର ପାଇଲେ ଓ.ଏ.ଏସ୍ ଓ ଅନେଶତ ମସିହାରେ ଉନ୍ନୀତ ହେଲେ ଆଇ.ଏ.ଏସ୍ କ୍ୟାଡ଼ରକୁ୍ ।
ଥିଓଫିଲ୍ ଗାଡ଼ିର ଗତି ଆହୁରି ବଢ଼ାଇ ଦେଇ କହିଲା-ଏବେ ତୁ ଆଉ ସେ ବ୍ୟଙ୍ଗ ବାଣ ଗୁଡ଼ାକ ମାରେନା । ମୋ ମୁଣ୍ଡ ଖାଲି ଟାଇଁଟାଇଁ କରୁଛି ।
ଦିଗନ୍ତ ଆଉ କିଛି କହିଲା ନାହିଁ । ଥିଓଫିଲ ଏକଲୟରେ ଚଲାଉଥିଲା ମୋଟର ସାଇକେଲ ।
ଥିଓଫିଲର ପ୍ରେମିକା ବିଳାସିନୀ ବାର୍ଲାକୁ ଥରେ ଦେଖିଥିଲା ଦିଗନ୍ତ । ପ୍ରାୟ ଦୁଇବର୍ଷ ତଳେ । ବିଳାସିନୀର ବାପାଙ୍କର ସେତେବେଳେ ସୁନ୍ଦରଗଡ଼ରେ ପୋଷ୍ଟିଂ । ବିଳାସିନୀ ଥିଲା ପ୍ଲସ ଥ୍ରୀ ଆର୍ଟସ୍ର ଶେଷ ବର୍ଷର ଛାତ୍ରୀ, ସୁନ୍ଦରଗଡ଼ କଲେଜରେ । ଏବେ ସିଏ ରେଭେନ୍ସା କଲେଜ୍ରେ ଏମ୍.ଏ. ପଢୁଛି । ଆଦିବାସୀ ଝିଅଙ୍କର ଶରୀରର ଛାଞ୍ଚ ତ ନିଶ୍ଚୟ କୁନ୍ଦିଲା ଭଳି । ଗୋରା ନହେଲେ ବି ବିଳାସିନୀର ଦେହର ରଙ୍ଗ ବେଶ୍ ସଫା ଚିକ୍କଣ ସବୁଜ ତ୍ୱକ୍ । ଛଟକରେ ଥାଏ ଲାଳିତ୍ୟ ଓ ଆଭିଜାତ୍ୟ । ତା’ର ଉଚ୍ଚତା ମଧ୍ୟ ଅଧିକ, ଥିଓଫିଲ ର ପସନ୍ଦ ।
ବିଳାସିନୀର ବାପା ଏବେ ଛତ୍ରପୁରରେ । ଛତ୍ରପୁର ଯିବାକୁ ସେ କଟକରେ ବସ୍ ଧରିଛି ସକାଳ ନଅଟାବେଳେ । ଦଶଟା ବାଜିବ ପ୍ରାୟ । ଭୁବନେଶ୍ୱର ପହଞ୍ଚିନି । କେତେ ଦୂରରେ ବରମୁଣ୍ଡା ବସ୍ଷ୍ଟାଣ୍ଡ! ଯଦି ବସ୍ଟିକୁ ଭୁବନେଶ୍ୱରରେ ଧରିନହୁଏ? ଦିଗନ୍ତ ଚିନ୍ତିତ ହୋଇ ପଡ଼ିଲା । ମୋଟର ସାଇକେଲରେ ସଳଖ ହୋଇ ବସି ବସି ତା’ର ଅଣ୍ଟାପିଠି କଟକଟ କଲାଣି । ଆଖିରୁ ପାଣି ବାହାରି ବାହାରି, ଆଖି ଦୁଇଟା ଶୁଖିଲା କାଗଜ ଭଳି ଲାଗିଲାଣି । ମୁଣ୍ଡ ଝାଇଁଝାଇଁ କଲାଣି ।
ଭୁବନେଶ୍ୱର ବସ୍ଷ୍ଟାଣ୍ଡରେ ଗାଡ଼ି ଆଉ ନଥିଲା । ଦିଗନ୍ତ କହିଲା-ସବୁଗୁଡ଼ାକ ପ୍ରାଇଭେଟ୍ ବସ୍ ତନଖି କରିବା କି? କାଳେ ବ୍ରହ୍ମପୁର ଯାଉଥିବା କୌଣସି ଘରୋଇ ବସ୍ରେ ସେ ଯାଉଥିବ ।
ନା । ସେ ଏଇଠି କେଉଁ ବସ୍ରେ ବସିଥିଲେ ମତେ ଦେଖି ସାରନ୍ତାଣି ବା ମୁଁ ତାକୁ । ମୋତେ ଲାଗୁନି ସେ ଏଇଠି ଥିବା କୌଣସି ବସ୍ରେ ବସିଛି । ଥିଓଫିଲ୍ କହିଲା ବିମର୍ଷ ଭାବେ । ମୁହୂର୍ତ୍ତେ କ’ଣ ଭାବି ସେ ପ୍ରସ୍ତାବ ଦେଲା-ଚାଲ୍ ତତେ ଗୋଟେ ସିନେମା ହଲ୍ ପାଖରେ ଛାଡ଼ିଦେବି । ତୁ ନୁନ୍ ଶୋ’ ଦେଖିବୁ । ତା’ ଭିତରେ ମୁଁ ଯାଇ ଛତ୍ରପୁରରୁ ଫେରିଆସିବି ।
ଥିଓଫିଲ୍ ଅବୁଝା ପିଲାଟିଏ ଭଳି କହିଲା- ନାଇଁ ତ ଆଉ କଣ? ମାତ୍ର ଦେଢ଼ଶହ କିଲୋମିଟର ବାଟ । ନ୍ୟାସନାଲ୍ ହାଇୱେ । ମୁଁ ଆରାମରେ ତିନିଘଣ୍ଟା ଭିତରେ ଯାଇ ଫେରି ଆସି ପାରିବି ।
ମରିବୁ, ମରିବୁ । ଆଉ ବେଶୀ ବାୟା ହ’ନା । ଚାଲ୍, ଏଇଠି କୋଉ ହୋଟେଲ୍ରେ ଖାଇପିଇ ଆରାମ୍ରେ ଶୋଇବା । ତିନିଟା, ଚାରିଟା ବେଳକୁ ବାହାରିବା । ବାଟରେ ଉପଭୋଗ କରିବା ଜହ୍ନରାତି । ବୁଝାଇବା ଢ଼ଙ୍ଗରେ କହିଲା ଦିଗନ୍ତ ।
ଥିଓଫିଲ୍ ମୁଣ୍ଡ ହଲାଇ ଅସ୍ୱୀକାର କଲା ।
ଜୋର ଜବରଦସ୍ତ ଦିଗନ୍ତକୁ ସେ ଛାଡ଼ିଦେଲା ନେଇ, ନୁନ୍ ଶୋ’ ଦେଖିବାକୁ, ଗୋଟିଏ ସିନେମା ହଲ୍ ପାଖରେ । କହିଲା-ତୁ ସିନେମା ଦେଖିପାରୁ ବା ବୁଲିପାରୁ । ଦିନ ଦେଢ଼ଟାରୁ ଦୁଇଟା ଭିତରେ ମୁଁ ତୋତେ ଏଇଠି ଭେଟିବି । ଗୁଡ଼ବାୟ ।
ଥିଓଫିଲ୍ ଫେରିଲା ବେଳକୁ ସମୟ ତିନିଟା ବାଜି ଚାଳିଶ ମିନିଟ୍ । ସିନେମା ହଲ୍ ପାଖରେ ଗୋଟିଏ ପାନଦୋକାନ ସାମନାରେ ବେଞ୍ଚରେ ଘୁମେଇବା ଭଳି ବସିଥାଏ ଦିଗନ୍ତ । ଥିଓଫିଲ ଯାଇ ତା ଆଗରେ ଠିଆ ହେବା ପରେ ବି ସେ ମୁଣ୍ଡ ଉଠାଇ ଦେଖିଲାନି । ଥିଓଫିଲ ପଚାରିଲା – କିରେ, ଏମିତି କ’ଣ ସର୍ବସ୍ୱ ହରାଇ ଦେଇଥିବା ପରି ବସିଛୁ? ରାଗିଛୁ କି?
ଦିଗନ୍ତ କହିଲା-ବୃଦ୍ଧ, ରୋଗୀ, ବାଳୁତ ଆଉ ପାଗଳଙ୍କ ଉପରେ ରାଗିବା ଅମାନବିକତା । ସେମାନଙ୍କୁ କେବଳ ଦୟା କରାଯାଇପାରେ ।
ଥିଓଫିଲ୍ ହସି ହସି କହିଲା ବାଃ ବେଟା! ଚାରି ପାଞ୍ଚଘଣ୍ଟା ତତେ କ’ଣ ଏକଲା ଛାଡ଼ି ଦେଇଗଲି, ତୁ ପୂରା ମାନବିକତାର ଦେବତା ଆଉ ଦାର୍ଶନିକ ପାଲିଟିଗଲୁ!
ଗୋଟିଏ ବିଅର୍ ମାରି ମୋ ଭଳି ଏ ଖରାରେ ଦୁଇ ଘଣ୍ଟା ଯଦି ବସି ଯାଇଥାନ୍ତୁ ନା, ତୋ ଉପରେ ଉଇ ହୁଙ୍କା ମାଡ଼ି ଯାଇଥାନ୍ତା । ପ୍ରେମ କରୁଛି କିଏ, ଆଉ କଷ୍ଟ ଭୋଗୁଛି କିଏ? କହିଲା ଦିଗନ୍ତ ।
ହଉ ଚାଲ୍, ଆଜି ତୁ ଆଉ ଯେତେ ବିଅର ପିଇବୁ ମୁଁ ପିଲେଇବି । କିନ୍ତୁ ବେଟା, ତୁ କେବେ କାହାର ପ୍ରେମରେ ପଡ଼ିଥିଲେ ଜାଣିଥାନ୍ତୁ କେତେ କଷ୍ଟ କରିବାକୁ ପଡ଼େ । ପୁଣି କଷ୍ଟ କରି ସଫଳ ହେଲେ କେତେ ପରମ ଆନନ୍ଦ ମିଳେ । ଆଖି ନଚାଇ ଜବାବ ଦେଲା ଥିଓଫିଲ୍ ।
ମହାରାଣୀ ସାଙ୍ଗରେ ସାକ୍ଷାତ୍ ହେଲା ତ? ଦିଗନ୍ତର ପ୍ରଶ୍ନ ।
ନ ହୋଇଥିଲେ ମୁଁ କ’ଣ ଆଜି ଫେରିଥାନ୍ତି? ଯାହା ଦେଖୁଛି ଆଜିକାଲି ସରକାରୀ ବସ୍ ଗୁଡାକ ଭାରି ସ୍ପିଡ଼ ଯାଉଛି । ରମ୍ଭାରେ ଧରିଲି ମୁଁ ସେ ବସ୍କୁ । ବିଳାସିନୀକୁ ଓହ୍ଲାଇ ଆଣିଲି ବସ୍ ରୁ । ମୋଟର ସାଇକେଲ୍ରେ ନେଇ ତାକୁ ଛାଡ଼ି ଆସିଲି ଛତ୍ରପୁରରେ । ତା’ ମା’ ମୋଟେ ବିଶ୍ୱାସ କଲାନି ସିଏ ବସ୍ରେ କଟକରୁ ଯାଇଛି ବୋଲି । ନକଲେ ନାଇଁ କହିଲା ଥିଓଫିଲ୍ ।
ଦିଗନ୍ତ ବସିଲା ମୋଟର ସାଇକେଲରେ । ମହା ଉଲ୍ଲାସରେ ଗାଡ଼ି ଛୁଟାଇଲା ଥିଓଫିଲ୍ ତିର୍କିୀ । ଫୁର୍ତ୍ତିରେ ଗାଇଲା ଗୀତ । ଏତେ ବାଟ ଗାଡ଼ି ଚଲାଇ, ଯଥେଷ୍ଟ ବିଶ୍ରାମ ନନେଇ ମଧ୍ୟ ତା’ ଠାରୁ କ୍ଲାନ୍ତିର ଚିହ୍ନବର୍ଣ୍ଣ ନଥିଲା । ଦିଗନ୍ତର ଆଖି ନଇଁ ଯାଉଥିଲା ନିଦରେ । ତା’ର ସମଗ୍ର ଶରୀରରୁ ବାମ୍ଫ ଉଠୁଥିଲା । ଜଳିଗଲା ଭଳି ଲାଗୁଥିଲା ଦେହ ।
ଦିଗନ୍ତ ବିରକ୍ତ ହୋଇଯାଇଥିବା ପରି ପ୍ରଶ୍ନକଲା-କୌଣସି ପୂର୍ବ ଯୋଜନା ନଥାଇ ଏତେ ଯେ ପରିଶ୍ରମ କଲୁ, କଣଟା ପାଇଲୁ?
ଉତ୍ତରରେ ଶୁଷୁରୀ ବଜାଇଲା ଥିଓଫିଲ୍
ଦିଗନ୍ତ ତା’ ପିଠିରେ ବିଧାଏ ପକାଇଲା ।
ଥିଓଫିଲ କହିଲା- ଆଜି ତୁ ମୋର ତଣ୍ଟି ଚିପି ଦେଲେ ବି ମୁଁ ତୋତେ କିଛି କହିବିନି । ଏତିକି କଷ୍ଟକରି ମୁଁ ଆଜି କୁଷ୍ଣ ପାଇଯାଇଛି । ମୁଁ ଯେତିକି କଷ୍ଟ କରିଛି ତୁ ମଧ୍ୟ ସେତିକି କଷ୍ଟ କରିଛୁ । ସେଇଥିପାଇଁ ତ ତୁ ମୋର ବେଷ୍ଟ ଫ୍ରେଣ୍ଡ୍ । ।
କଷ୍ଟକରି କୃଷ୍ଣ ପାଇଲୁ ନା ବିଳାସିନୀକୁ? ଦିଗନ୍ତ ପରିହାସର ସ୍ୱରରେ ପଚାରିଲା ।
ଥିଓଫିଲ୍ କହିଲା- ଏକାକଥା ସବୁ ସେଇ ଗୋଟେ କଥା । ମତେ ଲାଗୁଛି ଆଜି ମୁଁ ବିଳାସିନୀର ହୃଦୟକୁ ସମ୍ପୂର୍ଣ୍ଣ ଜୟ କରିପାରିଛି । ଏ ଦିଗରେ ମୋତେ ସାହାଯ୍ୟ କରିଛୁ ତୁ, ଆଉ ଏ ମୋଟର ସାଇକେଲ୍ ।
କେଉଁ ଗୋଟେ ଟୁଥ୍ ପାଉଡ଼ର ଘଷି ଯେଉଁ ଲୋକଟା ଦାନ୍ତରେ ଯେମିତି ଜାହାଜ, ଉଡ଼ାଯାହାଜ ଟାଣିଦେଲା, ତୁ ସେମିତି ଏ ମୋଟର ସାଇକେଲର ବିଜ୍ଞାପନ କରିବାକୁ ବାହାରୁନୁ? ପ୍ରସ୍ତାବ ଦେଲା ଦିଗନ୍ତ ।
ସମ୍ବଲପୁର ସହର ପୂର୍ବରୁ ଗୋଟିଏ ଢ଼ାବା ପାଖରେ ଗାଡ଼ି ରଖିଲା ଥିଓଫିଲ । ରାତି ନଅଟା । କହିଲା-ମଦ ଟିକିଏ ପିଇବା ।
ଦିଗନ୍ତ ମୁଣ୍ଡରେ ନଖ ଚଳାଉ ଚଳାଉ କହିଲା-ଭାରି କ୍ଲାନ୍ତ ଲାଗୁଛି । ପିଇଲେ ଆଉ ଏଠୁ ଯାଇପାରିବାନି । । ଏଇଠି ରାତି ପାହିବା ଯାଏ ଦଉଡ଼ିଆ ଖଟ ଉପରେ ପଡ଼ିଯିବାକୁ ହେବ ।
ଥିଓଫିଲ୍ ହାତ ବଢ଼ାଇ ଦିଗନ୍ତର ଗାଲକୁ ଟିକିଏ ଛୁଇଁ ଦେଲା ଓ କହିଲା-ଆଜି ଯେଉଁଠି ରାତି ପାହିଲେ ବି ଚଳିବ । ଯେମିତି ଭାବରେ ରାତି ପାହିଲେ ବି ଚଳିବ, ନପାହିଲେ ମଧ୍ୟ କିଛି ଚିନ୍ତା ନାହିଁ ।
ଦୁହେଁ ହୋଟେଲ୍ ଆଡ଼କୁ ଅଗ୍ରସର ହେବା ମାତ୍ରେ ପିଲାଟିଏ ଗୋଟିଏ ମଗ୍ ବଢ଼ାଇ ଦେଲା । ପାଣି ଭର୍ତ୍ତି ମଗ୍ଟିଏକୁ ଥିଓଫିଲ୍ ଧରିଲା ଓ ବଢ଼ାଇଦେଲା ଦିଗନ୍ତର ହାତକୁ । ଦିଗନ୍ତ ପ୍ରଥମେ ଧୋଇଲା ତା’ ମୁହଁ ଏବଂ ହାତ ।