ମୂଳ ଲେଖା: ଲଙ୍ଗ ଜିନ୍ହୁଆ
ଭାଷାନ୍ତର : ଇନ୍ଦୁଲତା ମହାନ୍ତି
ଝିଅଟିକୁ ଥଣ୍ଡା ଲାଗୁଥିଲା । ଆଦ୍ୟ ବସନ୍ତର ପବନ ଦେହରେ ଗଳିଯିବା ପରି ଲାଗୁଥିଲା । ସେ ଜୋରରେ ଗୋଡ଼ କଚାଡିଲା । ତା’ ପାଦତଳେ ଥିଲା ଓଦାଳିଆ, ଖସରା ୱିଲୋ ପତ୍ରର ଗୋଟେ ଆସ୍ତରଣ । ପୁଣି ଥରେ ବୁଲିପଡ଼ି ଗଛ ପାଖେ ଥିବା ୱିଲୋ ଗଛକୁ ସେ ନିରୀକ୍ଷଣ କଲା । ଯେଉଁ ୱିଲୋ ଗଛଟାର ଗଣ୍ଡି ବହୁତ ମୋଟା ଏବଂ ବକଳ ବହଳିଆ, ତାରି ମୂଳରେ ଦେଖା କରିବା ପାଇଁ ପୁଅଟିକୁ ସେ କହିଥିଲା । ସେ ଏପର୍ଯ୍ୟନ୍ତ ଆସି ନାହିଁ କାହିଁକି?
ମୋଡ଼ି ମୋଡ଼ି ହୋଇ ପୋଖରୀରୁ କୁହୁଡ଼ି ଉଠୁଥିଲା । ଟିକିଏ ଦୂରରେ ଥିଲା ବୁଦା ବୁଦା ଗଛ, ଅଙ୍ଗୁର ଲତା, ସ୍କୁଲ ଘର । କୁହୁଡିରେ ଭାସୁଥିବା ପରି ଅସ୍ପଷ୍ଟ ଭାବରେ ଦେଖାଯାଉଥିଲା ।
ମୁଁ ବି କୁହୁଡ଼ିରେ ଭାସୁଛି; ଅନ୍ୟମନସ୍କ ଭାବରେ ସେ ମନକୁ ମନ କହିଲା, କୁହୁଡ଼ି ଯୋଗୁଁ ତା’ର ମୁଣ୍ଡ ବୁଲେଇ ଦେବା ପରି ଲାଗୁଥିଲା ।
ଗତକାଲି ଦିପହରରେ ସେ ଚିଠିଟା ପାଇଥିଲା । କଲମ ନ ଉଠେଇ ଲେଖା ହୋଇଥିବା ବଡ଼ ବଡ଼ ହାତ ଅକ୍ଷର ଦେଖି ଚିଠିଟା କିଏ ଲେଖିଚି ବୋଲି ସେ ସାଙ୍ଗେ ସାଙ୍ଗେ ଜାଣି ପାରିଲା । ସେମାନେ ଏକା ସ୍କୁଲର ଏକା ଶ୍ରେଣୀରେ ପଢ଼ନ୍ତି । ଆଉ ଏଇ ଚିଠି! “ୟା ପଛରେ କ’ଣ ଅଛି?” ସେ ଭାବୁଥିଲା । କିଛି ଗୋଟାଏ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଥିବ ଭାବି ତା’ ଛାତି ଧଡ଼ଧଡ଼ କଲା । ସ୍କୁଲ ହତା ଭିତରର ବୁଦା ମୂଳକୁ ଦଉଡି ଯାଇ ସେ ଲଫାପାଟି ଖୋଲିଲା ।
ବରଫ ପରି ଧଳା କାଗଜରେ କେବଳ ଦୁଇ ଧାଡ଼ି ଲେଖା ହୋଇଥିଲା! “ଏଇ ଯାତ୍ରାରେ ଚିରଦିନ ପାଇଁ ତୁମେ ମୋ ସାଙ୍ଗରେ ରହିବାକୁ ରାଜି? ଦୟାକରି ଉତ୍ତର ଦେବ ।” ପ୍ରଥମେ ତ ଝିଅଟି କିଛି ବୁଝିପାରିଲା ନାହିଁ । ବାରମ୍ବାର ପଢ଼ିବା ପରେ ହିଁ ସେ ତା’ର ଅର୍ଥ ବୁଝିପାରିଲା । ଲାଜରେ ଲାଲ ପଡ଼ିଯାଇ ସେ ତଳକୁ ମୁହଁପୋତି ଦେଲା । କି ବୋକା କଥା! ତାକୁ ରାଗ ଲାଗୁଥିଲା, ଖୋସାମତି କରାଯାଇଥିବା ପରି ଟିକେ ଭଲ ବି ଲାଗୁଥିଲା । ସେ ବିବ୍ରତ ବି ହୋଇପଡ଼ିଲା ଓହୋ! ପିଲାଟିକୁ ଦେଖ, ତାକୁ ଏପରି କଥା କହିବାକୁ ସାହସ କରିଥିବା ପିଲା ସେ ହିଁ ପ୍ରଥମ ।
କ’ଣ କହୁଚ? ହଁ ନା ନାହିଁ? ଏଇଟା କ’ଣ ଏତେ ସହଜ କଥା? ଉଦେ୍ଦଶ୍ୟହୀନ ଭାବରେ ବୁଦା ଗହଳିରେ ବୁଲୁବୁଲୁ ସେ ଗୋଟେ ପତ୍ର ଛିଡେଇ ହାତରେ ଘଷିଲା ।
ପୁଅଟି ସମ୍ଭ୍ରାନ୍ତ ବଂଶର- କିନ୍ତୁ ମୋଟେ ମେଳାପୀ ନୁହେଁ । ଶ୍ରେଣୀରେ ସମସ୍ତେ ଏଇ କଥା କହନ୍ତି । ତା’ ଶରୀରର ପ୍ରତ୍ୟେକଟି ଅଂଶର ନିଖୁଣ ଗଢ଼ଣ ଏବଂ ଗଭୀର, ଗମ୍ଭୀର ସ୍ୱର ତାକୁ ମର୍ଯ୍ୟାଦାବନ୍ତ କରି ଦେଉଥିଲା । ବିଭିନ୍ନ ବିଷୟରେ ସେ ଭଲ କରୁଥିଲା । ଗାଁ ଅଞ୍ଚଳରେ କାମ କଲାବେଳେ ଅନ୍ୟମାନଙ୍କ ଅପେକ୍ଷା ସେ ବେଶି କାମ କରିପାରୁଥିଲା । ତେବେ ବି ସେ କାହାରି ସାଙ୍ଗେ ମିଶି ପାରୁନଥିଲା ଏବଂ ଟିକିଏ ଆଡ ପାଗଳା ଧରଣର ଥିଲା ।
ଦେଢ଼ବର୍ଷ ହେଲା ସେମାନେ ଗୋଟେ ଶ୍ରେଣୀରେ ପଢ଼ୁଥିଲେ, କିନ୍ତୁ କ୍ୱଚିତ ପରସ୍ପର ସହିତ କଥାବାର୍ତ୍ତା କରିଥିଲେ । କଥାବାର୍ତ୍ତା ବେଳେ ସେମାନେ ପାଞ୍ଚୋଟି ବାକ୍ୟରୁ ଅଧିକ କେବେ କହିନଥିଲେ । ଏଥର ସ୍କୁଲ ଖୋଲିବା ପରେ ପୁଅଟି ଝିଅଟିର ପଛ ସିଟ୍ରେ ବସୁଥିଲା ଏବଂ ସେଥିପାଇଁ ଆଉ ଟିକେ ବେଶି କଥା ହେବା ପାଇଁ ସେମାନେ ସୁଯୋଗ ପାଇଲେ । ଏଇ ସେଦିନ ଝିଅଟି ଲମ୍ବା ଲମ୍ବା ଘାସ ଆଣି, ସେଥିରେ ବିଲେଇ, କୁକୁର ତିଆରି କରି ତା’ ଡେସ୍କ ଉପରେ ରଖିଥିଲା । ପୁଅଟି ଆସି ତା’ ଡେସ୍କ ସାମ୍ନାରେ ଛିଡ଼ା ହୋଇଗଲା, କି ବଢ଼ିଆ ହୋଇଛନ୍ତି ଏମାନେ । ପୁଅଟି କହିଲା ଏବଂ ଗଭୀର, ଉଜ୍ଜ୍ୱଳ, ଦୁର୍ବୋଧ୍ୟ ଚାହାଣିରେ ଝିଅଟିକୁ ଚାହିଁଲା । ନିଜ ସିଟ୍ରେ ଯାଇ ବସିବାର କିଛି ସମୟରେ ସେ ଧୀର ସ୍ୱରରେ ଝିଅଟିର ନାମ ଧରି ଡାକିଲା ଏବଂ ବିଲେଇଟିକୁ ମାଗିଲା । ଝିଅଟିଦେଲା । କହିବାକୁ ଗଲେ ଏହା ହିଁ ସେମାନଙ୍କ ଭିତରେ ପ୍ରଥମ ଯୋଗାଯୋଗ । ତା’ପରେ ସେମାନେ ପ୍ରାୟ ବାରମ୍ବାର କଥାବାର୍ତ୍ତା କଲେ । ତା’ପରେ ଝିଅଟି କି ବହି ସବୁ ପଢ଼ୁଚି ବୋଲି ପୁଅଟି ପଚାରିଲା, ନ କହିଲେ ବି ତା’ ପାଇଁ ବହି ଆଣି ଦେଉଥିଲା । କୌଣସି ଗଣିତ ପ୍ରଶ୍ନର ଉତ୍ତର କରିବାକୁ ଝିଅଟି ନାକେଦମ୍ ହୋଇଯାଉଥିବା ବେଳେ ସମାଧାନର ସୂତ୍ର ବତେଇ ପୁଅଟି ତା’ ପାଖକୁ ଖଣ୍ଡେ କାଗଜ ପକେଇ ଦେଉଥିଲା । ଆଉ ତା’ପରେ… ତା’ପରେ…
ଝିଅଟି ମାନୁ ବା ନମାନୁ, ପୁଅଟିକୁ ଟିକେ ଦେଖିବା ପାଇଁ ତା’ ମନରେ ଗୋଟେ ଗୋପନ ଇଚ୍ଛା ଦେଖା ଦେଉଥିଲା । ପୁଅଟି ବହି ଭିତରେ ମୁଣ୍ଡ ପୋତି ଦେଇଥିବା ବେଳେ, କଳାପଟାରେ ଅଙ୍କ କରୁଥିବା ବେଳେ, ଭୂଇଁ ସାଙ୍ଗେ ସମାନ୍ତର ହୋଇ ନଳ ଧରି ବ୍ୟାୟାମ କରୁଥିବା ବେଳେ ତାକୁ ଅନେଇ ରହିବା ପାଇଁ ଝିଅଟିକୁ ଭଲ ଲାଗୁଥିଲା । ପୁଅଟି ଯାହା କରୁଥାଉ ପଛକେ, ତା’ର ଅସ୍ପଷ୍ଟ ଅବୟବକୁ ଥରେ ଚାହିଁଦେଲେ ହିଁ ଝିଅଟି ମନରେ ଦମ୍ଭ ଏବଂ ନିଶ୍ଚିତତା ଆସୁଥିଲା । ପୁଅଟି ଯେଉଁଦିନ ସନ୍ଧ୍ୟାରେ ପଦାର୍ଥ ବିଜ୍ଞାନର ପ୍ରତିଯୋଗିତାରେ ଭାଗ ନେବାକୁ ଗଲା, ଝିଅଟିକୁ ସେଦିନ ଭାରି ଖାଲି ଖାଲି ଲାଗିଲା । ଫଳରେ ନିଜେ ନିଜକୁ ପଢ଼ାଇବାର ଦୁଇଟି ପିରିୟଡ୍ରେ ସେ ଯାହା କଲା, ସବୁ ଭୁଲ୍ଭାଲ୍ ହେଲା । ଆଗ ଅପେକ୍ଷା ସେ ଆହୁରି ମନଦେଇ ପଢ଼ିଲା । ଆଉ ପାରିବି ନାହିଁ ବୋଲି ଝିଅଟି ଭାବିବା ବେଳକୁ ତା’ ଭିତରୁ ଗୋଟେ ସ୍ୱର ଶୁଣାଯାଏ “ପୁଅଟି ତ ସବୁବେଳେ ଭଲ ନମ୍ବର ରଖୁଚି, ତା’ର ଇଚ୍ଛାଶକ୍ତି ବଡ଼ ପ୍ରବଳ, କିନ୍ତୁ ମୋର ଦୁର୍ବଳ । ନା, ମୁଁ ତା’ର ସମାସ୍କନ୍ଧ ହେବି ।”
ପୁଅଟି ତା’ ପାଖକୁ ଚିଠି ଲେଖିବ ବୋଲି ଝିଅଟି ଚିନ୍ତା ବି କରିନଥିଲା । ତା’ପରେ ବି, ସାହସ କରି ଏମିତି ଖୋଲାଖୋଲି ଭାବରେ । ଝିଅଟି ବଡ଼ ବିଚଳିତ ହୋଇପଡ଼ିଲା ଏବଂ କ’ଣ କରିବ ବୋଲି ସ୍ତିର କରିପାରୁନଥିଲା । ତା’ପରେ ଉପରବେଳାର ଶ୍ରେଣୀ ଆରମ୍ଭ ହେବାର ଘଣ୍ଟି ବାଜିଲା । ମୁହଁ ତଳକୁ ପୋତି ସେ ଶ୍ରେଣୀ ଭିତରକୁ ଗଲା । ପୁଅଟିର ଆଶା ପୂର୍ଣ୍ଣ ଚାହାଣି ଅସ୍ଥିର ଭାବରେ ତା’ ମୁହଁ ଉପରେ ବୁଲିଆସୁଥିବାର ଝିଅଟି ଷଷ୍ଠେନ୍ଦ୍ରିୟ ଦ୍ୱାରା ଜାଣିପାରୁଥିଲା ।
ମୁହୂର୍ତ୍ତକ ପାଇଁ ଝିଅଟି କିଛି ବୁଝିପାରିଲା ନାହିଁ । ତା’ପରେ ବୁଝିପାରିବାରୁ କୃତଜ୍ଞତାବୋଧ କଲା । ଅସ୍ୱୀକାର କରିବାକୁ ସେ ଚେଷ୍ଟା କଲା, କିନ୍ତୁ ପାଟି ଖୋଲିବା ପୂର୍ବରୁ ତା’ର ଓଠ ଦୁଇଟି ଭିଡ଼ିହୋଇ ବନ୍ଦ ହୋଇଯାଇଥିଲା । ପୁଅଟି ମୁହଁ ବୁଲେଇବାର ସେ ଦେଖିପାରିଲା ଏବଂ ତା’ ଆଖିର ସରଳ, ଅମାୟିକ ଆକାଂକ୍ଷା ପଢ଼ିପାରିଲା । ପୁଅଟି ଉପରକୁ ଆଉଜି ପଡ଼ି ତା’ ବାଳ ଟିକିଏ ଆଉଁଶି ଦେବାକୁ ଝିଅଟି ମନ କଲା ବେଳେ ଟିକେ ଦୋ ଦୋ ପାଞ୍ଚ ହେଲା ।
ଶ୍ରେଣୀ ସରିବା ପରେ, ତା’ ପାଖ ଦେଇ ଗଲା ବେଳେ ଝିଅଟିର ମୁହଁ ଉପରକୁ ଉଠିଯାଇଥିଲା । ସେମାନଙ୍କର ଚାହାଣି ମିଶିଲା । କୌଣସି ଆଧିଦୈବି ଶକ୍ତିର ବଶବର୍ତ୍ତୀ ହେବା ପରି, ଇଚ୍ଛା ବିରୁଦ୍ଧରେ ଝିଅଟି ପୁଅକୁ କହିଲା ଯେ, ପୋଖରୀ କୂଳରେ ଥିବା ବୁଢ଼ା ଉଇଲୋ ଗଛ ତଳେ କାଲି ସକାଳ ପାଞ୍ଚଟା ବେଳେ ସେ ତାକୁ ଅପେକ୍ଷା କରିବ । ତା’ପରେ ତାକୁ ତା’ର ଉତ୍ତର ଦେବ ।
ଅନିଶ୍ଚିତ ଚାହାଣିରେ ଝିଅଟି ଦୂରକୁ ଚାହିଁଲା । ଚନ୍ଦ୍ର ତା’ର କିରଣ ଗୋଟେଇ ନେଉଥିଲା ତାରାମାନେ ଅଦୃଶ୍ୟ ହୋଇଯାଉଥିଲେ । ପୂର୍ବ ଦିଗର ଦିଗ୍ବଳୟରେ ଦିନ ଫିକା ଆଲୁଅ ବିଞ୍ଚି ଦେଉଥିଲା । “ଏତିକିବେଳକୁ ତା’ର ଆସିବା କଥା”, ଝିଅଟି ଭାବିଲା । ପରିଚିତ ପାଦଶବ୍ଦ ଶୁଣିବାକୁ ସେ ଅପେକ୍ଷା କରି ରହିଥିଲା, କାରଣ, ସେ ପ୍ରକୃତରେ କ୍ଲାନ୍ତ ହୋଇପଡ଼ିଥିଲା । ଆବେଗ ପ୍ରବଣତା ଏବଂ ଯୁକ୍ତିଯୁକ୍ତତାର ସଂଘର୍ଷରେ କ୍ଷତବିକ୍ଷତ ହୋଇ ଗତ ରାତିରେ ସେ ଶୋଇପାରିନଥିଲା ।
ଅନ୍ୟପକ୍ଷରେ, ପୁଅଟିର ପରିଚିତ ପାଦ ଶବ୍ଦ ତା’ର ବରଂ ନଶୁଣିବା କଥା, କାରଣ ତାକୁ ମନା କରିଦେବା ପାଇଁ ଗତ ରାତିରେ ସେ ଠିକ୍ କରିଛି । ପୁଅଟିକୁ ସେ ଭଲଭାବେ ଜାଣିନାହିଁ, ତା’ହେଲେ ତା’ର ପ୍ରସ୍ତାବ ଗ୍ରହଣ କରିବ କେମିତି? ‘ହଁ’ କହିବା ପାଇଁ ତା ମନ ତାକୁ ଜୋର ଦେଉଥିଲା, କିନ୍ତୁ ବିବେକର ସ୍ୱରର ଜୟ ହେଲା । ପୁଅଟିକୁ ହରାଇବାର ଦୁଃଖ ସେ ସହି ନେବ । କିନ୍ତୁ ପୁଅଟି ଯଦି କଷ୍ଟ ପାଇବ…?
ଝିଅଟି ଆସ୍ତେକିନା ଖଣ୍ଡେ ୱିଲୋ ଡାଳ ଭାଙ୍ଗିଆଣି ତା’ର ଶାଗୁଆ ପତ୍ରଗୁଡିକୁ ଆଉଁଶିଲା ।
(୨)
ପ୍ରକୃତରେ ପୁଅଟି ବହୁତ ସମୟରୁ ସେଠି ଥିଲା । ଝିଅଟି ପାଖରୁ ଅଳ୍ପ ଦୂରରେ ଗୋଟିଏ ଗଛ ପଛ ପାଖରେ ପୁଅଟି ଲୁଚି, ପଛ ପାଖରୁ ଝିଅଟିକୁ ଲକ୍ଷ୍ୟ କରୁଥିବା ବେଳେ ଟିକେ ଦୋ’ ଦୋ’ ପାଞ୍ଚ ହେଲା । ପକେଟ ଭିତରେ ଦୁଇ ହାତ, ପୂରେଇଲେ ମଧ୍ୟ ସାହସ ସଞ୍ଚୟ କରିପାରୁନଥିବା ପରି ମନେ ହେଉଥିଲା । ଗୋଟେ ତାଡ଼ନାର ବଶବର୍ତ୍ତୀ ହୋଇ ଚିଠି ଲେଖି ଦେଇଥିବାରୁ ପୁଅଟିର ମନରେ ଅନୁତାପ ଆସୁଥିଲା । ଝିଅଟି ଯଦି ଅପମାନିତ ବୋଧକରି ଚିରଦିନ ପାଇଁ ତା’ଠାରୁ ସମ୍ପର୍କ ତୁଟେଇ ଦେବ? ଏପରି କ୍ଷେତ୍ରରେ ବୋକାଙ୍କ ପରି ସେ ଚିଠି ନଲେଖି ଆଗପରି ତା’ର ବନ୍ଧୁ ହୋଇ ରହିଥିଲେ ଭଲ ହୋଇଥାନ୍ତା ।
ଚିଠିଟି ଡାକରେ କାହିଁକି ପକେଇଲା ବୋଲି ପୁଅଟି ନିଜେ ଜାଣିନଥିଲା; କିନ୍ତୁ ଚିଠିଟି ବର୍ତ୍ତମାନ ଫେରେଇ ଆଣିବା ପାଇଁ ବେଶ୍ ଡେରି ହୋଇଯାଇଛି । ତା’ ମୁଣ୍ଡରେ କିଛି ଗୋଳମାଳ ଅଛି, କିନ୍ତୁ ସେ ଗୋଟେ ବହିର ପୋକ; ଖାଳି ବହି ପଢ଼ି ଜାଣେ, ଅଙ୍କ କଷି ଜାଣେ । ଏଇ ଝିଅଟିକୁ ଦେଖିବା ପର୍ଯ୍ୟନ୍ତ ଶ୍ରେଣୀର ଅନ୍ୟ ପିଲାଙ୍କ ସାଙ୍ଗେ ପଦେ କଥା କହିବାକୁ ବି ସେ ସମୟର ଅପଚୟ ବୋଲି ଭାବୁଥିଲା । ତା’ ଜୀବନରେ ଝିଅଟି ଦେଖାଦେବା ବର୍ଣ୍ଣ-ବହୁଳ ଗୋଟିଏ ଦୁନିଆକୁ ଦୁଆର ଖୋଲିଦେବା ପରି ମନେ ହୋଇଥିଲା ।
ସେଦିନ ବେଶ୍ ଥଣ୍ଡା ଲାଗୁଥିଲା । ଶ୍ରେଣୀ ଗୃହରେ ଅଳ୍ପ କେତେଜଣ ମାତ୍ର, ଛାତ୍ର ଥିଳେ । ଅଲମ୍ପିକ ପ୍ରତିଯୋଗିତା ପାଇଁ ପୁଅଟି ଭାରି ମନଯୋଗର ସହିତ ପ୍ରସ୍ତୁତ ହେଉଥିଲା । ଟିକେ ଉଷୁମ ପାଇବା ପାଇଁ ଗୋଡ଼ କଚାଡି, ହାତ ଘଷୁଥିବା ବେଳେ ଗୋଟିଏ ସୁନ୍ଦର ଗ୍ଲାସରେ ଗରମ ପାଣି ନେଇ ପୁଅଟି ଭାରି ଚୁପ୍ଚାପ୍ ହୋଇଆସିଲା । ସବୁଥିରେ ଆଗଚଲା ମୋଟୁ ଝିଅଟିର ମୁହାଁମୁହିଁ ହେବାକୁ ତରତରରେ ଯାଇ ଗରମ ପାଣି ଗିଲାସଟି ତା’ ହାତରୁ ନେଇଗଲା । ହଠାତ୍ ଠୋ କରି ଗୋଟେ ଶବ୍ଦ କରି ଗିଲାସଟି ଭାଙ୍ଗିଗଲା ‘ହାୟରେ!’ ଡରିଯାଇ ମୋଟୁ ପାଟି କରି ଉଠିଲା ।
“ତା’ପାଇଁ ଠିକ୍ ହୋଇଛି!” ଝିଅଟି ମୋଟୁ ପାଖକୁ ଦଉଡି ଯାଇ, ତା’ ହାତ ଧରି ପକେଇ ପ୍ରଶ୍ନ ପରେ ପ୍ରଶ୍ନର ବର୍ଷା କରିବା ବେଳେ ପୁଅଟିକୁ ବେଶ୍ ମଜା ଲାଗୁଥିଲା ।
“ତୁମ ହାତରେ କୋଉଠି ଖଣ୍ଡିଆ ହୋଇଚି କି? ତୁମକୁ କାଟୁଚି? ତୁମକୁ କାଟୁଚି?” ସୁନ୍ଦର ଗିଲାସଟି ଭାଙ୍ଗି ଯାଇଛି ବୋଲି ଝିଅଟିର ମୋଟେ ଚିନ୍ତା ନଥିଲା । ଓଠ ଚିପି ମୋଟୁ କହିଲା- ‘ଏଇଠି ବଥା କରୁଛି ।’ଭାରି ଗୋଟେ ଦେଖେଇ ହେଉଛି, ଏଇ ମୋଟୁ, ପୁଅଟି ମନରେ ତା’ପ୍ରତି ବିରାଗ ଆସିଲା ଝିଅଟି ସେମିତି ଭାବୁନଥିଲା । ମୋଟୁର ହାତ ଦେଖିଲା- ଆହା! ଏଇଟି କଟିଯାଇଛି । ରକ୍ତ ବାହାରୁଛି! ଝିଅଟି କହିଲା । ଚୁପ୍ ହୋଇ ଠିଆ ହୁଅ, ତୁମ ହାତ ଚିପି ମୁଁ ବଦ୍ ରକ୍ତ ବାହାର କରିଦେବି । ତା’ପରେ ମୋଟୁକୁ ସାଙ୍ଗରେ ନେଇ ସେ କ୍ଲିନିକ୍କୁ ଗଲା । ଶ୍ରେଣୀ ଗୃହର କବାଟ ଆସ୍ତେକିନା ବନ୍ଦ ହେବାରୁ ପୁଅଟି ମନରେ ଯେଉଁ ଭାବନାର ଉଦୟ ହେଲା, ସେଟା କ’ଣ ବୋଲି ସେ ଜାଣିପାରୁନଥିଲା । ପାଗ ତ ଥଣ୍ଡା ଲାଗୁଥିଲା, କିନ୍ତୁ ତା’ର ମନ କ’ଣ ପାଗ ଅପେକ୍ଷା ଆହୁରି ବେଶି ଥଣ୍ଡା ହୋଇଯାଇ ନଥିଲା?
ଝିଅଟି ବିଷୟରେ ଆଉ ଟିକିଏ ଭଲ ଭାବରେ ଜାଣିବା ପରେ ପୁଅଟିର ମନର ଉତ୍ସାହ ଦିନକୁ ଦିନ ବଢ଼ୁଥିଲା । ବର୍ଷା ପରେ ଡେଙ୍ଗା ଡେଙ୍ଗା ଗଛ, ଖରାଧୁଆ ପଡ଼ିଆ, ପବନରେ ଥିବା ମାଟିର ଗନ୍ଧ, ଖେଳେଇ ହୋଇଯାଇଥିବା ମେଘମାଳା ଏବଂ ସୂର୍ଯ୍ୟାସ୍ତର ବୈଭବ- ଏସବୁ ତାକୁ ଗଭୀର ଭାବରେ ସ୍ପର୍ଶ କରୁଥିଲା ଏବଂ ସେଥିରେ ଦେଖି ପାରୁଥିବା ସୌନ୍ଦର୍ଯ୍ୟ ଥିଲା ଭାଷାର ଅତୀତ । ସପ୍ତାହ ଶେଷରେ ସେ ଯେତେବେଳେ ଘରକୁ ଗଲା, ତା’ ମା’ଙ୍କ ଆଖିକୋଣର କାଉଗୋଡ଼ ଏବଂ କପାଳରେ ଅଧିକ ରୁପେଲୀ ବାଳ ଦେଖିପାରିଲା । ତା’ ମନଟା ଟିକିଏ ଦବି ଗଲା । ମା’ଙ୍କର ଅଡୁଆ ବାଳ ହାତରେ ସଜାଡ଼ି ଦେବା ପାଇଁ, ପତଳି, ବାଙ୍ଗରୀ ମା’ଙ୍କୁ କୁଣ୍ଢେଇ ପକେଇବା ପାଇଁ ତା’ର ବହୁତ ବେଶି ଇଚ୍ଛା ହେଲା । କୌଣସି ସାଙ୍ଗର ଦେହ ଖରାପ ହେଲେଏ ଭଲ ଟିକେ ଖାଇବାର ଜିନିଷ ଆଣିବା ପାଇଁ ତାଙ୍କର ସ୍କୁଲ ଥିବା ସହର ତଳି ଅଞ୍ଚଳରୁ ସେ ସାଙ୍ଗେ ସାଙ୍ଗେ ସହରକୁ ସାଇକେଲରେ ଚାଲିଯାଉଥିଲା । ରୋଗରେ ପଡ଼ିଥିବା ସାଙ୍ଗମାନଙ୍କ ପାଖେ ବସି, ସେମାନଙ୍କ ସାଙ୍ଗେ ଗପସପ କରି ଆଶ୍ୱାସନା ଦେବାର ସେ ଜାଣିଥିଲା । ସ୍ନେହ ଭାବନାରେ ତା’ ହୃଦୟ ଉଚ୍ଛୁଳି ପଡୁଥିଲା ।
ପୁଅଟି ଭାବୁଥିଲା, ଏସବୁ ହୋଇପାରୁଥିଲା ଝିଅଟି ଯୋଗୁ । ତା’ ପାଇଁ ସେ ଥିଲା ଧାରେ ସୂର୍ଯ୍ୟକିରଣ, ମୁଠାଏ ପବନ । ଜୀବନସାରା ତା’ସ ।ଙ୍ଗେ ରହିବା ପାଇଁ, ଜଣେ ପ୍ରକୃତ ମଣିଷ ପରି ତାକୁ ସଂରକ୍ଷଣ ଦେବା ପାଇଁ ତା’ର ପ୍ରବଳ ଇଚ୍ଛା ହେଉଥିଲା ।
ଦିନେ ଉଷୁମ ଉଷୁମ ଲାଗୁଥିବା ସନ୍ଧ୍ୟାବେଳେ ଶ୍ରେଣୀଗୃହର ଝରକା ପାଖେ ନଇଁପଡ଼ି ଦୂରରେ ବୁଡିଯାଉଥିବା ସୂର୍ଯ୍ୟଙ୍କୁ ନିରୀକ୍ଷଣ କରୁଥିବା ବେଳେ ଦିଗ୍ବଳୟରୁ ବାହାରିବା ପରି ଝିଅଟିର ଚେହେରା ଦେଖିପାରିଲା । ବଡ଼ ଉତ୍ତେଜିତ ହୋଇ ଯାଇ କଲମ ନେଇ ସେ ଗୋଟେ ଚିଠି ଲେଖିଲା ।
ଏବେ ତା’ର ନିଜର ହୃଦୟ ତାକୁ ବଣ୍ଡ ଦେଉଥିଲା । ସେ ବହୁତ ବେଶି ବିବ୍ରତ ହୋଇପଡୁଥିଲା । ଏପରି ବିବ୍ରତ ଅବସ୍ଥା ସେ କେବେ ଅନୁଭବ କରିନଥିଲା । ସେ ବହୁତ ଚିନ୍ତା କଲା । ଝିଅଟି ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା କଥା ଭାବିଲା । ଗ୍ରହଣ କରିବା କଥା ମଧ୍ୟ ଭାବିଲା । ଦୁଇଟି ଯାକ ଉତ୍ତର ତାକୁ ସନ୍ତୁଳି ପକାଉଥିଲା । ଝିଅଟି ଯଦି ପ୍ରତ୍ୟାଖ୍ୟାନ କରିଦେବ, ତେବେ, ଜୀବନ ସାରା ସେ ଅନୁଶୋଚନା କରିବ । ତା’ ଜୀବନରେ କୌଣସି ଦୁର୍ଭାଗ୍ୟ ଯେ ଦେଖା ଦେଇନାହିଁ, ସେ କଥା ନୁହେଁ, କିନ୍ତୁ ତା’ର ଏଇ ତରବରିଆ କାଣ୍ଡଟା ଝିଅର ହୃଦୟରେ ଗୋଟେ ଛାଇ ରଖିଦେବା କଥା ପାଇଁ ସେ ନିଜକୁ କ୍ଷମା କରିପାରୁନଥିଲା । କିନ୍ତୁ ପ୍ରସ୍ତାବଟା ଯଦି ସେ ସ୍ୱୀକାର କରେ… ସେ ତାକୁ କ’ଣ ସଂରକ୍ଷଣ ଦେଇପାରିବ? ତା’ର ଦାୟିତ୍ୱ ନେଇପାରିବ?
ଝିଅଟି ପାଦ କଚାଡୁଥିବାର ଏବଂ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ କୁଜା ହୋଇଯାଉଥିବାର ପୁଅଟି ଦେଖିପାରୁଥିଲା । ତାକୁ ନିଜକୁ ବି ତ ବେଶ୍ ଥଣ୍ଡା ଲାଗୁଥିଲା, ତେବେ ଝିଅଟି ପାଇଁ କେତେ କଷ୍ଟଦାୟକ ହେଉନଥିବ? ଝିଅଟିର ପ୍ରତୀକ୍ଷା ଅନ୍ତ କରିବା ପାଇଁ ପକେଟ ଭିତରେ ଥିବା ହାତକୁ ମୁଠା କରି ସେ ସ୍ଥିର କରିନେଲା । ଆଉ କିଛି ଚିନ୍ତା ନକରି ଝିଅଟିର ମୁହାଁମୁହିାଁ ହେବାକୁ ସେ ବାହାରି ଆସିଲା ।
(୩)
ଅପେକ୍ଷା କରି କରି ଝିଅଟି ମନରେ ଉକ୍ରଣ୍ଠା ଦେଖାଦେଲା । ପୁଅଟିର ହୁଏତ କିଛି ଦୁର୍ଘଟଣା ହୋଇଥିବ । ପୋଖରୀରୁ ଚାହାଣି ଫେରେଇ ସେ ମୁଣ୍ଡ ତଳକୁ କରିଦେଲା । ତା’ପରେ ୱିଲୋ ପତରର ଚାଦର ଉପରେ ହଳେ ପାଦ ଦେଖାଦେଲା । ସେ ପାଦରେ ଥିବା ବ୍ୟାୟାମଶାଳା ଯିବାର ଜୋତା, ଓଦା ତ ହୋଇଥିଲା, କାଦୁଅ ବି ଲାଗିଥିଲା । ପୁଅଟି ଆସିଚି ବୋଲି ଝିଅଟି ଜାଣିପାରିଲା । ଏଇ ବୋକାଟି କେତେବେଳେ ଆସିଗଲା?
“ତୁମେ ଆସିଗଲା ନା?” ଝିଅଟି ପୁଅଟିକୁ ପଚାରିଲେ ବି ତାକୁ ଚାହିଁଲା ନାହିଁ । ‘ହଁ’ ଧୀର ସ୍ୱରରେ ପୁଅଟି କହିଲା ।
ନିରବତା । ତା’ପରେ କ’ଣ କରିବାକୁ ହେବ ବୋଲି ଝିଅଟିକୁ ଭାରି ଅଡୁଆ ଲାଗୁଥିଲା । ପୁଅଟି ଆସ୍ତେକିନା ତା’ ପକେଟରୁ ଦୁଇଟି କାଗଜ ଡଙ୍ଗା ବାହାର କଲା । “ଚାଲ ଏଇ ଡଙ୍ଗା ଭସେଇ ଦେବା । କ’ଣ କହୁଚ?” ଗୋଟିଏ ଡଙ୍ଗାରେ କେରାଏ ଘାସ ଏବଂ ଆର ଡଙ୍ଗାଟିରେ ଫୁଲଟିଏ ରଖିଦେଇ ବଡ଼ ତରଳ ସ୍ୱରରେ ପୁଅଟି କହିଲା ।
ପୁଅଟି କ’ର ଚାହୁଁଚି ବୋଲି ବୁଝିନପାରି ଝିଅଟି ହତବୁଦ୍ଧି ହୋଇ ତାକୁ ଚାହିଁରହିଲା । ପୋଖରୀ କୂଳରେ ବସିପଡ଼ି ପୁଅଟି ଆଉ କେରାଏ ଲମ୍ବା ଘାସ ଛିଡେଇଲା । ମୁହଁ ନବୁଲେଇ ସାଧାରଣ ଭାବରେ ସେ କହିଲା, ‘ଡଙ୍ଗା ଦୁଇଟି ପାଖାପାଖି ହୋଇ ଭାସିଯିବେ ବୋଲି ତୁମେ ଚାହୁଁଚ?’
ମୁହୂର୍ତ୍ତକ ପାଇଁ ଝିଅଟି କିଛି ବୁଝିପାରିଲା ନାହିଁ । ତା’ପରେ ବୁଝିପାରିବାରୁ କୃତଜ୍ଞତାବୋଧ କଲା । ଅସ୍ୱୀକାର କରିବାକୁ ସେ ଚେଷ୍ଟା କଲା, କିନ୍ତୁ ପାଟି ଖୋଲିବା ପୂର୍ବରୁ ତା’ର ଓଠ ଦୁଇଟି ଭିଡ଼ିହୋଇ ବନ୍ଦ ହୋଇଯାଇଥିଲା । ପୁଅଟି ମୁହଁ ବୁଲେଇବାର ସେ ଦେଖିପାରିଲା ଏବଂ ତା’ ଆଖିର ସରଳ, ଅମାୟିକ ଆକାଂକ୍ଷା ପଢ଼ିପାରିଲା । ପୁଅଟି ଉପରକୁ ଆଉଜି ପଡ଼ି ତା’ ବାଳ ଟିକିଏ ଆଉଁଶି ଦେବାକୁ ଝିଅଟି ମନ କଲା ବେଳେ ଟିକେ ଦୋ ଦୋ ପାଞ୍ଚ ହେଲା ।
ଚୁପ୍ଚାପ୍ ହୋଇ ଟିକେ ସ୍ଥିର ଭାବରେ ବସିରହି ଝିଅଟି ସାମନାର ପୋଖରୀକୁ ଚାହିଁ ରହିଥିଲା । ପୋଖରୀ ଉପରେ କୁହୁଡ଼ି ତଥାପି ଛାଇ ରହିଥିଲା, କିନ୍ତୁ ଏବେ ପତଳା ହୋଇଯାଇଥିଲା । ତା’ ସାମନାରେ ୱିଲୋ ପତ୍ର ପବନରେ ନାଚୁଥିଲେ ।
“ତୁମର ଇଚ୍ଛା ନାହିଁ ବୋଲି ମତେ କହୁନାହଁ… ପୁଅଟି ଖନେଇ ଖନେଇ କହିଲାବେଳେ ତା’ ସ୍ୱରଟା କେତେ ନରମ ଲାଗୁଥିଲା ।
ନାଁ, ଏଇ କଥା ପଦକ କେମିତି କହିଲା ବୋଲି ଝିଅଟି ନିଜେ ବି ଜାଣିପାରୁନଥିଲା । ‘କାହିଁକି?’
କାହିଁକି? କାହିଁକି? ତଳୁ ଉଠେଇଥିବା ଖଣ୍ଡେ ୱିଲୋ ଡାଳକୁ ଆଉଁଶି ଦେଉଁ ଦେଉଁ ଝିଅଟି ମୁଣ୍ଡ ନୁଆଁଇ ଦେଲା । ତା’ ମୁଣ୍ଡ ଉପରେ କେତୋଟି ୱିଲୋ ପତ୍ର ପଡ଼ିଗଲା ।
“ତୁମେ ଏବେ ଯାହା କହିଲ, ହୃଦୟରୁ କହୁଚ?”
‘ହଁ’ ଏତିକି କହି ଝିଅଟି ମୁହଁ ବୁଲେଇ ନେଲା । ତା’ ମନଟା ଭାରି ହୋଇଯାଇଥିଲା ।
ପୁଅଟି ନିରବରେ ଉଠି ଠିଆ ହେଲା, ଫୁଲ ଥିବା କୁନି ଡଙ୍ଗାଟି ଆସ୍ତେକିନା ଝିଅଟି ହାତରେ ଧରେଇ ଦେଇ ବୁଲିପଡ଼ି ଫେରିଗଲା ।
‘ଖଟ୍’ ଝିଅଟି ହାତରେ ଥିବା ୱିଲୋ ଡାଳଖଣ୍ଡକ ଭାଙ୍ଗିଗଲା । ପୁଅଟି ଠିଆ ହୋଇପଡ଼ିଲା ।
‘ଶୁଣ ।’ ଅପ୍ରତ୍ୟାଶିତ ବଡ଼ ପାଟିରେ ଝିଅ କହିଲା, “ମୁଁ ମନା କରିନାହିଁ ।”
ପୁଅଟି ମୁହଁ ଫେରେଇଲା । ଆଶାରେ ତା’ ଆଖି ଚକ୍ଚକ୍ କରୁଥିଲା । ଝିଅଟି ପାଖକୁ ଆସି ସେ ତା’ ହାତରୁ କୁନି ଡଙ୍ଗାଟି ନେଇଗଲା ।
ଝିଅଟି ମନା କଲା ନାହିଁ, କିନ୍ତୁ ମୁହଁ ବୁଲେଇ ନେଲା । ମୁଁ ମନା କରୁନାହିଁ, ହଁ ବି କରି ନାହିଁ । ଏଇ ଡଙ୍ଗା ଦୁଇଟି ଭାରି ସାନ, ନୁହେଁ? ଏପର୍ଯ୍ୟନ୍ତ ସେମାନେ କେଉଁଠିକୁ ଯାଇନାହାନ୍ତି । ଲକ୍ଷ୍ୟସ୍ଥଳ ନିର୍ଦ୍ଧାରିତ କରିବା ପାଇଁ ସେମାନେ ସମର୍ଥ ହୋଇପାରିବେ? ପରସ୍ପରର ଲକ୍ଷ୍ୟ ଜାଣି ସେମାନେ ଏକା ବାଟରେ ଯାଇପାରିବେ?
ପୁଅଟିର ହାତ ଝୁଲି ପଡ଼ିଲା । କାଗଜ ଡଙ୍ଗା ତଳେ ଖସିପଡ଼ିଲା । ବର୍ତ୍ତମାନ ସେମାନେ ପରସ୍ପରକୁ ଭଲ ପାଆନ୍ତି, ସତ କଥା, କିନ୍ତୁ ସେତିକ ଯଥେଷ୍ଟ ନୁହେଁ, ଧୀରେ ଧୀରେ ଝିଅଟି କହିଲା, ଭବିଷ୍ୟତରେ କେବେ ଦିନେ ଝିଅଟି ଯଦି ବୁଝିପାରିବ ଯେ, ଆର ଜଣକ ତା’ର ଉପଯୁକ୍ତ ସାଥୀ ନୁହେଁ, ତେବେ ସେ ଦୁଇଜଣଙ୍କର କ’ଣ ହେବ?
ପୁଅଟି ଗଭୀର ଭାବରେ ଚିନ୍ତା କରୁଥିବା ବେଳେ ଝିଅଟିର ସ୍ୱର ପୋଖରୀ ଉପରେ ପହଁରି ଗୋଟିଏ ଜାଗାରେ ଝୁଲି ରହିବା ପରି ମନେ ହେଲା ।
ଝିଅଟି ହଠାତ୍ ନିରବତା ଭଙ୍ଗ କଲା, ମତେ ପାଞ୍ଚବର୍ଷ ସମୟ ଦିଅ । ପାଞ୍ଚବର୍ଷ ପରେ ବୋଧେ ମୁଁ ତୁମକୁ ଗୋଟେ ନିର୍ଦ୍ଦିଷ୍ଟ ଉତ୍ତର ଦେଇପାରିବି ।
ନାଁ, ଏବେ ଭାବୁଚି, ଝିଅଟି ମୁଣ୍ଡ ହଲେଇଲା, ଡଙ୍ଗା ଦୁଇଟି ସ୍ୱଚ୍ଛନ୍ଦରେ ପାଣିରେ ବରଂ ଭାସନ୍ତୁ । ତୁମର ପ୍ରଶ୍ନ ଭୁଲି ଯାଅ । ପାଞ୍ଚବର୍ଷ ପରେ ସେମାନଙ୍କର ହୁଏତ ପୁଣି ଦେଖା ହେବ ଏବଂ ଏକା ରାସ୍ତାରେ ସେମାନେ ଯାତ୍ରା କରିବେ । ହୁଏତ,… ଝିଅଟି ହାଲୁକା ଭାବରେ ହସିବାର ଚେଷ୍ଟା କଲା, ପାଞ୍ଚବର୍ଷରୁ କମ୍ ସମରେ ସେମାନେ ଅଲଗା ହୋଇଯାଇ ଅଲଗା ଅଲଗା ଦିଗରେ ଯିବେ ଏବଂ ପରସ୍ପରକୁ ମୋଟେ ମନେ ବି ପକେଇବେ ନାହିଁ ।
ନା, ସେମାନେ ପାରିବେ ନାହିଁ, ଜଣେ ଅପରକୁ ଭୁଲି ଅନ୍ତତଃ ପାରିବ ନାହିଁ ବୋଲି ମୁଁ ନିଶ୍ଚିତ ଭାବରେ କହିପାରିବ, ଜ୍ୟାମିତିର ଥିଓରମ୍ ପରି ପୁଅଟି ନିଷ୍ଠାର ସହିତ କହିଲା ।
ଅପେକ୍ଷା କରି ଦେଖ, ଚତୁରତାର ସହିତ ଝିଅଟି ହସିଦେଲା । ଏବେ ଡଙ୍ଗା ଭସେଇବାର ବେଳ ହୋଇଗଲା । ପୁଅଟି ମନେ ପକେଇ ଦେଲା ।
ସେମାନେ ତଳେ ବସିପଡ଼ିଲେ । ପାଣିରେ ଡଙ୍ଗା ଭସେଇ ଦେଲେ, ଠିଆ ହୋଇପଡ଼ି ସାଙ୍ଗେ ସାଙ୍ଗେ ମୁହଁ ବୁଲେଇ ନେଲେ ଏବଂ ଡଙ୍ଗା ପ୍ରତି ଧ୍ୟାନ ଦେଲେ ନାହିଁ
ଛୋଟ ହାତଟିଏ ଆଗେଇ ଗଲା ।
ବଡ଼ ହାତଟିଏ ଆଗେଇ ଆସିଲା ।
ସାନ ହାତ ଏବଂ ବଡ଼ ହାତ ପରସ୍ପରକୁ ଭିଡ଼ି ଧରିଲେ ।
ଶାଗୁଆ ଶାଗୁଆ ୱିଲୋ ପତ୍ର ପଡୁଥିଲା ଆଉ ପଡୁଥିଲା…