କୈଶୋରରୁ ଏକ ପ୍ରାର୍ଥନାମୟ ହୃଦୟରେ ସଦ୍ଗୁରୁଙ୍କ ସନ୍ଧାନରେ ହିମାଳୟ ଯାତ୍ରା ଓ ବହୁ ଆଶ୍ରମରେ ଅନ୍ୱେଷା ପରେ ଛାତ୍ରାବସ୍ଥାରେ ହିଁ ପରମହଂସ ହରିହରାନନ୍ଦ ଗିରିଙ୍କ ସାନ୍ନିଧ୍ୟ ଲାଭ କରି କ୍ରିୟାଯୋଗ ସାଧନାରେ ନିବିଷ୍ଟ ରହିଥିବା ସ୍ୱାମୀ ପ୍ରଜ୍ଞାନାନନ୍ଦ ଚୂଡାନ୍ତ ସନ୍ନ୍ୟାସ ଗ୍ରହଣ ପୂର୍ବରୁ ଥିଲେ ରେଭେନ୍ସା କଲେଜରେ ଅର୍ଥନୀତିର ଅଧ୍ୟାପକ । ୧୯୬୦ରେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ଜନ୍ମିତ ଏହି ତରୁଣ ସନ୍ନ୍ୟାସୀଙ୍କର ସଂପ୍ରତି ରହିଛି ଆମେରିକାର ଫ୍ଲୋରିଡ଼ା, ନେଦରଲ୍ୟାଣ୍ଡର ହେଜେର୍ୱେଗ୍ ଓ ଅଷ୍ଟି୍ରଆର ଭିଏନାଠାରେ ତିନୋଟି ଆଶ୍ରମ ଏବଂ ସେହି ଅବକାଶରେ ସେ ଅଧିକାଂଶ ସମୟ ବିଦେଶରେ ହିଁ ଅତିବାହିତ କରିଥାନ୍ତି । ଭାରତର ପଶ୍ଚିମବଙ୍ଗ, ଓଡ଼ିଶାର ପୁରୀ, କୋଣାର୍କ ରାସ୍ତାର ବାଲିଘାଇ ଓ କଟକ ଜଗତ୍ପୁରଠାରେ ଥିବା ତିନୋଟି ଆଶ୍ରମରେ କ୍ରିୟାଯୋଗ ଶିକ୍ଷା ଓ ସାଧନାଧାରା ରହିଛି ଅବ୍ୟାହତ । ଏହା ସହିତ ଅତୁଟ ରହିଛି ବିପନ୍ନ ସହାୟତା, ଦାତବ୍ୟ ଚିକିତ୍ସା ଓ ସତ୍ସାହିତ୍ୟ ପ୍ରକାଶନ । ପ୍ରକାଶ ଅପେକ୍ଷାରେ ଥିବା ‘ଦି ୟୁନିଭର୍ସ ୱିଦିନ’, ‘ଜ୍ଞାନ ସଙ୍କଳିନୀ ତନ୍ତ୍ର’, ‘ପାତଞ୍ଜଳୀ ଯୋଗସୂତ୍ର’ ନାମକ ପୁସ୍ତକର ପ୍ରଣେତା ତରୁଣ ସାଧକ ପ୍ରଜ୍ଞାନାନନ୍ଦଙ୍କୁ ପୁରୀ ବାଲିଘାଇ ହରିହରାନନ୍ଦ ଗୁରୁକୁଳମ୍ ଆଶ୍ରମଠାରେ ଏକ ତୈ୍ରମାସିକ କ୍ରିୟାଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠାନ ଅବକାଶରେ ସାକ୍ଷାତ୍ କରାଯାଇଥିଲା ।
ପ୍ର : ଆଧ୍ୟାତ୍ମିକତା ସମ୍ପର୍କରେ ଆପଣଙ୍କ ଧାରଣା ଓ ଅବବୋଧ ନେଇ ଆମର ପାଠକଙ୍କୁ ସମ୍ୟକ ସୂଚନା ଦେବେ କି?
ଉ. ବିଶ୍ୱ ହେଉଛି ପରମାତ୍ମାଙ୍କ ଲୀଳାବିଳାସ । ସର୍ବତ୍ର ସେହି ମଙ୍ଗଳମୟଙ୍କ ସୁନ୍ଦର, ସୁସଂହତ ପରିପ୍ରକାଶ । ସେହି ପ୍ରାଣ ସତ୍ତାକୁ ସର୍ବୋତ୍ତମ ଭାବେ ଅନୁଭବ କରି, ତାଙ୍କରି ଉପସ୍ଥିତିକୁ ସର୍ବତ୍ର ଉପଲବ୍ଧି କରି, ତାଙ୍କରି ସଂପ୍ରୀତି ପାଇଁ ସମର୍ପିତ ଭାବେ କର୍ମ ସମ୍ପାଦନ ହିଁ ମାନବ ଜୀବନର ଚରମ ପରିପୂର୍ଣ୍ଣତା । ତାହାହିଁ ଉପଲବ୍ଧି । ସ୍ୱକୀୟ ଅନ୍ତର୍ନିହିତ ଦିବ୍ୟ ପ୍ରେମ, ପ୍ରଜ୍ଞା ଓ ବିଭୂତିକୁ ପ୍ରକଟିତ କରି ଜଗତର କଲ୍ୟାଣରେ ନିଜକୁ ନିୟୋଜିତ କରିବା ହେଉଛି ଆଧ୍ୟାତ୍ମିକତା । ଏହା ଏକ ବାହ୍ୟ ଆଡମ୍ବର ନୁହେଁ; ଏହା ଅନ୍ତରଙ୍ଗ ଓ ନିରବ ସାଧନା । ଜୀବନକୁ ସଂଯତ, ଶୃଙ୍ଖଳିତ, ସୁବିନ୍ୟସ୍ତ କରି ମୁନିଋଷି, ଗୁରୁ ପ୍ରଦତ୍ତ ମାର୍ଗରେ ସାଧନା କଲେ କ୍ରମେ ମନ ହୁଏ ଅନ୍ତର୍ମୁଖୀ ଏବଂ ପରିଶେଷରେ ଆସେ ସେଇ ପରମ ସାର୍ଥକତା- ଆଧ୍ୟାତ୍ମିକ ଉପଲବ୍ଧି । ସମୁଦ୍ର ଗର୍ଭରୁ ମୁକ୍ତା ଉପଲବ୍ଧ, ଆବିଷ୍କୃତ ହେଲା ପରି ଜୀବନ- ସାଗରମନ୍ଥିତ ହେଲା ପରେ ସେଥିରୁ ମିଳେ ଅମୃତମୟ ଅନୁଭୂତି- ଆଧ୍ୟାତ୍ମିକତା । ଏହି ଅନୁଭବ ପାଇଁ ସର୍ବପ୍ରଥମ ସର୍ତ୍ତ ନିଜ ଜୀବନରେ ମାନବିକ ମୂଲ୍ୟବୋଧର ବିକାଶ ଏବଂ ସେହି ମାନବୀୟ ସଦ୍ଗୁଣରାଜି ଆମର ଯୋଗଶାସ୍ତ୍ରମାନଙ୍କରେ ସତ୍ୟ, ଅହିଂସା, ଅସ୍ତେୟ, ଶୌଚ- ଅପରିଗ୍ରହ ଆଦି ନାମରେ ବର୍ଣ୍ଣିତ । ସୂର୍ଯ୍ୟାଶ୍ମି ଯେପରି ଘନୀଭୂତ ହେଲେ ଅଗ୍ନି ରୂପରେ ପ୍ରକଟିତ ହୁଏ, ସେହିପରି ଚଞ୍ଚଳ ଓ ମଳିନ ଚିତ୍ତବୃତ୍ତି ନିର୍ମଳ ଓ ଏକାଗ୍ର ହେଲେ ଜ୍ଞାନାଗ୍ନିର, ଆଧ୍ୟାତ୍ମିକ ଉପଲବ୍ଧିର ଘଟେ ଉନ୍ମେଳନ । ଜୀବନକୁଧ୍ୟେୟ ମୁଖୀ ଓ ସାଧନାମୁଖୀ କରାଇବାର ନାମ- ଆଧ୍ୟାତ୍ମିକତା ।
ପ୍ର: ବେଦଠାରୁ ବୁଦ୍ଧ ଓ ବିବେକାନନ୍ଦଙ୍କ ଯାଏ ଋଷି ପରମ୍ପରାରେ ମଣିଷ ସର୍ବୋତ୍ତମ ସତ୍ୟ ହୋଇଥିବା ଏବଂ ଉପନିଷଦୀୟ ବର୍ଣ୍ଣନାରେ ମଣିଷ ହୃଦୟରେ ଦେବତା ଅଧିରୂଢ଼ ଥିବାବେଳେ କେଉଁ ପ୍ରକାର ସାମାଜିକ ବିକୃତି ଓ ବିଚୁ୍ୟତିରୁ ଭାରତବର୍ଷ ସାରା ଜୀଅନ୍ତା ମଣିଷକୁ ଏଡେଇ ଦେଇ ପଥର ମନ୍ଦିରମାନ ଗଢ଼ା ହେବା ଆରମ୍ଭ ହେଲା?
ଉ. ଏକୋ ଦେବଃ ସର୍ବଭୂତେଷୁ ଭୂଢ଼ଃ… (ଶ୍ୱେତାଶ୍ୱେତର ଉପନିଷଦ) ଏକ ହିଁ ପରମାତ୍ମା ସର୍ବବ୍ୟାପ୍ତ ଓ ସମଗ୍ର ଜୀବଜଗତର ପ୍ରାଣ ସତ୍ତା, ଆତ୍ମ ସତ୍ତା ରୂପେ ବିଦ୍ୟମାନ । ଏ ଦେହ ହେଉଛି ସେହି ଆତ୍ମଦେବତାଙ୍କ ପବିତ୍ର ମନ୍ଦିର । ଦେହ ଦେବାଳୟ ମଧ୍ୟରେ ଯେଉଁ ଆତ୍ମଦେବ ନିତ୍ୟ ବିରାଜିତ, ତାଙ୍କୁ ପ୍ରତ୍ୟେକ ଶ୍ୱାସପ୍ରଶ୍ୱାସରେ ଉପଲବ୍ଧି କରିବା ସହିତ ସର୍ବତ୍ର, ପ୍ରତି ଜୀବନ ସତ୍ତାରେ ତାଙ୍କର ଉପସ୍ଥିତିର ଅନୁଭବ ଦ୍ୱାରା ଜୀବନରେ ଆସେ ପରିପୂର୍ଣ୍ଣତା । ସେଥିପାଇଁ ବିବିକ୍ତ ହୋଇଛି ବିବିଧ ସାଧନାର ଧାରା । ସୃଷ୍ଟି ଆରମ୍ଭରୁ ମନୁଷ୍ୟ ମଧ୍ୟରେ ଆତ୍ମବିକାଶ ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି । ଦେହ ମନ୍ଦିରରୁ ପ୍ରତୀକାତ୍ମକ ଭାବେ ବହୁ ଦେବମନ୍ଦିରର ସୃଷ୍ଟି । ଅନ୍ତର୍ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ ତୀର୍ଥଯାତ୍ରା । ଅନ୍ତରଙ୍ଗ ସାଧନାରେ ଅସମର୍ଥ ମନୁଷ୍ୟ ପାଇଁ ବହିରଙ୍ଗ ସାଧନା । ଦେହ ମଧ୍ୟରେ ଆତ୍ମ-ଉପଲବ୍ଧି ପାଇଁ ପ୍ରତୀକାତ୍ମକ ଭାବେ ମନ୍ଦିରର ପରିକଳ୍ପନା ସାଧାରଣ ମନୁଷ୍ୟ ପାଇଁ କରାଯାଇଛି ।
ସେହିପରି ଏକ ପ୍ରସ୍ତର ନିର୍ମିତ ମନ୍ଦିର ମଧ୍ୟରେ ଭବତାରିଣୀ ମା’ କାଳୀଙ୍କ ପୂଜକ ଗଦାଧର ଆଦି ପ୍ରାତଃସ୍ମରଣୀୟ ଶ୍ରୀ ରାମକୃଷ୍ଣ ପରମହଂସ- ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ନିର୍ମାତା । ଦେବାଳୟ ପ୍ରତିଷ୍ଠା ବା ସେଠାରେ ଉପାସନା ଦ୍ୱାରା ମନୁଷ୍ୟ ଉପେକ୍ଷିତ ହୁଏନାହିଁ ବରଂ ମନୁଷ୍ୟ ଭିତରେ ଭାବ, ଭକ୍ତି ଓ ପ୍ରେମର ସ୍ଫୁରଣ ଘଟେ । କାଳକ୍ରମେ ଏକ ମହତ ପରମ୍ପରାକୁ ଆଚ୍ଛନ୍ନ କରି ପକାଇଛି ବିକୃତି- ଏହା ହେଉଛି ମଣିଷର ମାନସିକ ବିକାର- ପୁଣି ଚୈତସତ୍ତାକୁ ଜାଗ୍ରତ କରି ମନରୁ ବିକାର ଓ ଭ୍ରାନ୍ତି ନଷ୍ଟ କରିବା ପାଇଁ ଦରକାର ସାଧନା ।
ପ୍ର : ଆପଣଙ୍କର ନିଜସ୍ୱ କିଛି ଆଧ୍ୟାତ୍ମିକ ଉପଲବ୍ଧି ଅଛି କି କିମ୍ବା ସେ ଦିଗରେ କୌଣସି ପ୍ରୟାସ?
ଉ. ଆଧ୍ୟାତ୍ମିକ ଅନୁଭବ ତୁଚ୍ଛା କଳ୍ପନା-ବିଳାସ ନୁହେଁ; ବରଂ ଏକ ଧ୍ୟେୟନିଷ୍ଠ ପ୍ରୟାସର ଚରମ ଓ ପରମ ସ୍ଥିତି । ମୋର ଗୁରୁଦେବଙ୍କ ପ୍ରଦତ୍ତ କ୍ରିୟାଯୋଗ ସାଧନାର ଅଭ୍ୟାସ ଦ୍ୱାରା ନିଜ ଜୀବନରେ ପରିପୂର୍ଣ୍ଣତାର ଅମୃତମୟ ଅନୁଭୂତି ଆସିଛି । ଏପରି ଅନୁଭୂତି ନିରବଚ୍ଛିନ୍ନ ପ୍ରଚେଷ୍ଟା ଦ୍ୱାରା ଲଭ୍ୟ । ଯେଉଁମାନେ ଏହି ସାଧନା ପଥରେ ପଥିକ, ସେମାନେ ସାଧନାର ପ୍ରାରମ୍ଭରୁ ହିଁ କିଛି କିଛି ଦିବ୍ୟ ଅନୁଭୂତିର ଅଧିକାରୀ ହୋଇଥାନ୍ତି, ସେଇ ଅମୃତମୟ ଅନୁଭବର ସ୍ୱାଦ ଓ ସ୍ପର୍ଶ ଲଭିଥାନ୍ତି ।
ପ୍ର : ଆପଣ ନିଜେ କୌଣସି ଧର୍ମରେ ଦୀକ୍ଷିତ କି ଓ କାହିଁକି ? ଧର୍ମ ଓ ଆଧ୍ୟାତ୍ମିକତା ଭିତରେ ଆପଣ କେଉଁ ପ୍ରକାର ମୌଳିକ ପ୍ରାର୍ଥକ୍ୟ ଦେଖନ୍ତି?
ଉ. ମାନବଧର୍ମ ହେଉଛି ମୋର ଧର୍ମ । ଏହା ଶାଶ୍ୱତ, ଚିରନ୍ତନ ଓ ସନାତନ । ଏହି ଧର୍ମ ଜୀବନକୁ ଶୃଙ୍ଖଳିତ, ସୁନିୟନ୍ତ୍ରିତ ଓ ସୁସଂହତ କରେ । ଜୀବନରେ ଭରି ଦିଏ ଅପରୂପ ସୌନ୍ଦର୍ଯ୍ୟ ଓ ଅନେକ ସ୍ନିଗ୍ଧ ସମ୍ଭାବନା । ଭୁଲ୍ ବୁଝିବେ ନାହିଁ, ମୁଁ ତଥାକଥିତ ସଂକୀର୍ଣ୍ଣ ମନୋଭାବାପନ୍ନ କୌଣସି ଉପାସନା ମାର୍ଗର କଥା କହୁନି । କାହାକୁ ସମାଲୋଚନା କରିବା ମୋର ପ୍ରବୃତ୍ତି ନୁହେଁ ।
ବର୍ତ୍ତମାନ ପ୍ରଚଳିତ ବିବିଧ ଧର୍ମଧାରା ଭିତରେ ପ୍ରାର୍ଥକ୍ୟ ରହିପାରେ, କିନ୍ତୁ ବିଦ୍ୱେଷ ରହିବା ଏକାନ୍ତ ଅନୁଚିତ । ଇଂରାଜିରେ ଯାହାକୁ Religion କୁହାଯାଏ (ଲାଟିନ୍ରେ ଏହା Relegare) ତାହାର ତାତ୍ତ୍ୱିକ ଅର୍ଥ- ପୁନର୍ମିଳନ । ସୁତରାଂ ଏହା ମିଳନର ପଥ, ଏକତ୍ର ଚାଲିବାର ସରଣୀ । ଯେଉଁଠି ମିଳନ, ସେଠାରେ ବିଦ୍ୟମାନ ପ୍ରେମ । ପରମପ୍ରେମ ଭାବେ ସ୍ୱୀକୃତ ପରମାତ୍ମାଙ୍କୁ ପ୍ରେମ କରିବା ହେଉଛି ବିଶୁଦ୍ଧା ଭକ୍ତି ।
ଆମର ମୁନିଋଷି ଧର୍ମର ଲକ୍ଷଣ ବର୍ଣ୍ଣନା କରି କହିଛନ୍ତି : ଧୃତି (ଧାରଣ ଶକ୍ତି) କ୍ଷମା, ଦମ (ଆତ୍ମସଂଯମ), ଐଶ୍ୱର୍ଯ୍ୟ, ଶୌଚ (ପବିତ୍ରତା), ଇନ୍ଦି୍ରୟ ସଂଯମ, ଧୀ (ବିବେକ), ବିଦ୍ୟା, ସତ୍ୟ ଓ ଅକ୍ରୋଧ ହେଉଛି ଧର୍ମର ଦଶ ଲକ୍ଷଣ । ବୈଦିକ ବିଚାରଧାରାରେ ଧର୍ମ, ଅର୍ଥ, କାମ, ମୋକ୍ଷ ଜୀବନର ଚାରିଟି ମୌଳିକ ଲକ୍ଷ୍ୟ ରୂପେ ବିବେଚିତ । ଧର୍ମ ହେଉଛି ନୀତି ସର୍ବସ୍ୱ, ବିଚାର ଯୁକ୍ତ ଜୀବନଯାପନ ପ୍ରଣାଳୀ । ସୁତରାଂ ମୋ ଜୀବନରେ ଶ୍ୱାସତୁଲ୍ୟ ଅପରିହାର୍ଯ୍ୟ ହେଉଛି ଧର୍ମ । ଧର୍ମ ହିଁ ଆଚରଣକୁ ବୁଝାଏ, ଉଚ୍ଚାରଣକୁ ନୁହେଁ । ସଦାଚରଣ ଦ୍ୱାରା ଆଧ୍ୟାତ୍ମିକ ଅନୁଭୂତିର ମାର୍ଗ ସୁଗମ, ସୁସ୍ପଷ୍ଟ ଓ ସଳଖ ହୁଏ ।
ପ୍ର : ଆପଣ ନିଜେ କୌଣସି ଧର୍ମରେ ଦୀକ୍ଷିତ କି ଓ କାହିଁକି ? ଧର୍ମ ଓ ଆଧ୍ୟାତ୍ମିକତା ଭିତରେ ଆପଣ କେଉଁ ପ୍ରକାର ମୌଳିକ ପ୍ରାର୍ଥକ୍ୟ ଦେଖନ୍ତି?
ଉ. ଧର୍ମ ରୂପକ ପୁଷ୍ପ କଳିକାକୁ ଆବୃତ କରୁଥିବା ବୃନ୍ତର ସବୁଜ ଆସ୍ତରଣରୁ ଉନ୍ମୁକ୍ତ ହେଲେ ଯାଇ ଆଧ୍ୟାତ୍ମିକ-ପୁଷ୍ପ ବିକଶିତ ହୁଏ । ଏଥିପାଇଁ ସଦାଚାରର ସୂର୍ଯର୍୍ୟରଶ୍ମି, ଜଳ ଓ ମାଟିରେ ଏହା ପରିପୁଷ୍ଟ ହେବା ଦରକାର । ଧର୍ମ ବହିରଙ୍ଗ ବିଭାଗ, ଆଧ୍ୟାତ୍ମିକତା ଅନ୍ତରଙ୍ଗ ଜ୍ୟୋତି । ଧର୍ମଧାରାରେ ପ୍ରାର୍ଥକ୍ୟ ଓ ଭିନ୍ନତା ପରିଦୃଷ୍ଟ ହୋଇପାରେ, ହେବା ମଧ୍ୟ ସ୍ୱାଭାବିକ; ମାତ୍ର ଆଧ୍ୟାତ୍ମିକତା ସର୍ବତ୍ର ଏକ ଓ ଅଭିନ୍ନ । ଧର୍ମ ହେଉଛି ନଦୀ ସମୂହ, ଆଧ୍ୟାତ୍ମିକତା ମହାସଗାର । ଧର୍ମ ଫୁଲ, ଆଧ୍ୟାତ୍ମିକତା ଫଳ; ଧର୍ମ ହେଉଛି ପାବଚ୍ଛ ଶ୍ରେଣୀ- ଆଧ୍ୟାତ୍ମିକତା ମନ୍ଦିର ମଧ୍ୟସ୍ଥ ଦେବ ସିଂହାସନ । ଅଗ୍ନିର ଦାହିକା ଶକ୍ତି ଓ ପ୍ରକାଶିକା ବା ଦ୍ୟୋତନା ଶକ୍ତି ଲୋପ ପାଇଲେ ଅଗ୍ନିର ଆଉ କିଛି ମୂଲ୍ୟ ଅଛି କି? ସେହିପରି ମନୁଷ୍ୟର ଆଚରଣ ଧର୍ମହୀନ ଓ ନୀତିହୀନ ହୋଇପଡ଼ିଲେ ଜୀବନ ହୋଇପଡେ ପଶୁତୁଲ୍ୟ, ବର୍ବର, ଅସଭ୍ୟ, ଆସୁରିକ । ଆହାର, ନିଦ୍ରା, ଭୟ, ମୈଥୁନ ଭଳି ଚାରିଟି ପ୍ରବୃତ୍ତି ମଣିଷ ଓ ପଶୁ ମଧ୍ୟରେ ସମାନ । ମାତ୍ର ଧର୍ମର ଐଶ୍ୱର୍ଯ୍ୟ, ବିଭବରେ ବିଭାଯୁକ୍ତ ହୋଇ ମଣିଷ ପଶୁଠାରୁ ଭିନ୍ନ ଓ ମହତ୍ତର ବୋଧହୁଏ । ଉତ୍ତରଣର ସୋପାନରେ ଆରୋହଣ କରେ ।
ଆପଣ ଯଦି ତଥାକଥିତ ଧର୍ମଧାରା, ଉପାସନା ମାର୍ଗ, ଧର୍ମାନ୍ଧତା, ଧାର୍ମିକ ଅସହିଷ୍ଣୁତା କଥା କହୁଥାନ୍ତି, ତେବେ ତାହା ଭିନ୍ନ ପ୍ରସଙ୍ଗ । ଏହା ମାନସିକ ବିକାର; ଏକ ସଂଗଠିତ ଦୁର୍ବଳ ମନୋଭାବାପନ୍ନ ବିକାରଗ୍ରସ୍ତ ମଣିଷ ଜାତିର ସେ ଅନ୍ଧାରି କଥା । ତେଣୁ ବିକାର ବିଦୁରିତ ହେବା ପାଇଁ ଦରକାର ସଂକଳ୍ପ, ସଂସ୍କାର; ଯେପରି ଲୁଗାର ମଇଳାକୁ ବିଶେଷ ପ୍ରକ୍ରିୟାରେ ଶୁଦ୍ଧ ଓ ନିର୍ମଳ କରାଯାଏ । ସେହିପରି ଆଧ୍ୟାତ୍ମିକ ପ୍ରୟାସ ଦ୍ୱାରା ଧାର୍ମିକ କୁସଂସ୍କାର ଦୂର ହୋଇପାରିବ । ଜୀବନକୁ ଯଦି ମନୁଷ୍ୟ ସୁନ୍ଦର, ସମୃଦ୍ଧ, ଶାନ୍ତିମୟ କରିବାକୁ ଚାହେଁ; ତେବେ ନୀତିନିଷ୍ଠ, ତ୍ୟାଗପୂତ ସଂଯତ ଜୀବନଯାପନ ସହିତ ଆଧ୍ୟାତ୍ମିକ ସାଧନା ପଥରେ ସେ ପଥିକ ହେବା ସାମ୍ପ୍ରତିକ ସମୟର ଏକ ଅନିବାର୍ଯ୍ୟ ଆବଶ୍ୟକତା ।