ଜୀବନର ସର୍ବୋତ୍ତମ ଅନ୍ୱେଷା ତାଙ୍କୁ ତୀବ୍ର ଭାବେ ଆକ୍ରାନ୍ତ କଲାବେଳେ ଉତ୍ତର- ସତୁରି ଦଶକରେ ଭାରତୀୟ ପ୍ରଶାସନିକ ସେବା ଓଡ଼ିଶା କ୍ୟାଡରରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ସେ ଋଷିକେଶସ୍ଥିତ ଶିବାନନ୍ଦ ଆଶ୍ରମକୁ ସ୍ଥାୟୀ ଭାବେ ଚାଲିଗଲେ ସନ୍ନ୍ୟାସ ଗ୍ରହଣ କରିବାକୁ । ପ୍ରଥମେ ଦକ୍ଷିଣ ଭାରତର କେତେକ କେନ୍ଦ୍ରର ମୁଖ୍ୟ ସଂଚାଳକ ହେବାପରେ ସଂପ୍ରତି ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ହେଉଛନ୍ତି ଦିବ୍ୟଜୀବନ ସଂଘର ଆନ୍ତର୍ଜାତିକ ସ୍ତରରେ ଉପାଧ୍ୟକ୍ଷ । ଏହାର ଅଧ୍ୟକ୍ଷ ଭାବେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ନାମ ବିଶ୍ୱ ବିଶ୍ରୁତ । ଜଣେ ନମ୍ର ନିରଳସ ସାଧକ, ଗାମ୍ଭୀର୍ଯ୍ୟପୂର୍ଣ୍ଣ ବ୍ୟକ୍ତିତ୍ୱର ଅବଧାରକ, ଶ୍ରଦ୍ଧା ଓ ତ୍ୟାଗର ପ୍ରମୂର୍ତ୍ତି ପ୍ରତୀକ ସ୍ୱାମୀ ନିର୍ଲିପ୍ତାନନ୍ଦ ଦିଅନ୍ତି ଆମର ପାଞ୍ଚୋଟି ପ୍ରଶ୍ନର ଅତ୍ୟନ୍ତ ଗୁରୁଗମ୍ଭୀର ଓ ଅନ୍ତର୍ଦୃଷ୍ଟି ସମ୍ପନ୍ନ ଉତ୍ତର । ତାହାହିଁ ସୂଚାଏ ତାଙ୍କ ପ୍ରଜ୍ଞାର ଗଭୀରତା, ବ୍ୟକ୍ତିତ୍ୱର ଉତ୍ତରଣ ଓ ସାଧନାର ଏକନିଷ୍ଠତା ।
ପ୍ର : ଆଧ୍ୟାତ୍ମିକତା ସମ୍ପର୍କରେ ଆପଣଙ୍କ ଧାରଣା ଓ ଅବବୋଧ ନେଇ ଆମର ପାଠକଙ୍କୁ ସମ୍ୟକ ସୂଚନା ଦେବେ କି?
ଉ. ଆଧ୍ୟାତ୍ମିକତା ହେଉଛି ଚୈତସତ୍ତା, ଆତ୍ମା ବା ପରମ ପୁରୁଷଙ୍କ ସତ୍ତାରେ ସଂପୂର୍ଣ୍ଣ ସମର୍ପଣ ଓ ସେ ହେଉଛନ୍ତି ଏକମାତ୍ର ସତ୍ୟ- ଏହା ହିଁ ବିଶ୍ୱାସ ଓ ପ୍ରତ୍ୟୟ । ଦିବ୍ୟତା ବା ଡିଭିନିଟି ଅର୍ଥ ଭଗବାନ ବା ଭଗବତ୍ ପ୍ରାପ୍ତି । ଭଗବାନ ହେଉଛନ୍ତି ସର୍ବୋତ୍ତମ ସତ୍ତା । ଆଧ୍ୟାତ୍ମିକତା ସେଇ ସର୍ବୋତ୍ତମ ସତ୍ତା, ଦିବ୍ୟତା ବା ଭଗବାନଙ୍କ ଉପରେ ଅବିଚଳିତ ବିଶ୍ୱାସ ସ୍ଥାପନା କରିଥାଏ ।
ଭଗବାନ ହେଉଛନ୍ତି ଏ ବିଶ୍ୱର ସ୍ରଷ୍ଟା, ପାଳକ ବା ପ୍ରଧାରକ ଏବଂ ସଂହାରକ । ସେ ସର୍ବତ୍ରବିଦ୍ୟମାନ, ସର୍ବଶକ୍ତିମାନ ଓ ସର୍ବଦର୍ଶୀ । ସେ ସର୍ବତ୍ର ବ୍ୟାପ୍ତ ଓ ସମସ୍ତ ବସ୍ତୁରେ ସ୍ଥିତ । ସେ ସମସ୍ତ ହୃଦୟରେ ଅଧିରୂଢ଼ । ସୁତରାଂ ସେ ହେଉଛନ୍ତି ସବୁ କିଛି ଏବଂ ସବୁର ନିର୍ଯାସ । ସେ ହିଁ ପରମ ବିଶୁଦ୍ଧ ସତ୍ତା, ବିଶୁଦ୍ଧ ପ୍ରଜ୍ଞା ଓ ବିଶୁଦ୍ଧ କରୁଣା ଏବଂ ତାଙ୍କୁ ଉପଲବ୍ଧି କଲେ ଆମେ ସର୍ବୋତ୍ତମ ଶାନ୍ତି, ଆନନ୍ଦ, ପରିପୂର୍ଣ୍ଣତା ଓ ପରିତୃପ୍ତି ପ୍ରାପ୍ତ ହେବା । ତେଣୁ, ଜୀବନର ସର୍ବୋକ୍ରୃଷ୍ଟ, ସର୍ବୋତ୍ତମ ଲକ୍ଷ୍ୟ ହେଉଛି ଈଶ୍ୱର ଉପଲବ୍ଧି । ଅନ୍ୟ ସବୁକିଛି ହେଉଛି ତୁଚ୍ଛ, ଅଳିକ, ସାବଲୀଳ ଭାବେ ଅନ୍ୟ ସବୁ ଦାୟିତ୍ୱ ନିର୍ବାହ କାଳରେ ପ୍ରତ୍ୟେକ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଓ କର୍ତ୍ତବ୍ୟ ହେଉଛି ଈଶ୍ୱରୋପଲବ୍ଧି ଦିଗରେ ଯତ୍ନଶୀଳ ହେବା; ଆମ ଜୀବନ ତଦନୁରୂପ ଭାବେ ଯୋଜନାବଦ୍ଧ ହେବା ଉଚିତ୍ । ଯଦି ସେତକ ଏ ଜନ୍ମରେ ସାଧିତ, ସମ୍ପାଦିତ ନହେଲା ତେବେ ଜୀବନ ବ୍ୟର୍ଥ ହୋଇଗଲା ବୋଲି ବୁଝିବାକୁ ହେବ, କାରଣ ଭଗବତ୍ ପ୍ରାପ୍ତି ବା ଉପଲବ୍ଧି କେବଳ ମଣିଷ ଜୀବନରେ ହିଁ ସମ୍ଭବ ଏବଂ ଆମେ ନିଶ୍ଚିତ ରୂପେ ଜାଣିପାରିବୁ ନାହିଁ ଯେ ପରବର୍ତ୍ତୀ ଜନ୍ମରେ ଆମେ କ’ଣ ହେବୁ । ଥରେ ଏ ମଣିଷ ଜନ୍ମରେ ସେହି ଲକ୍ଷ୍ୟ ସାଧିତ ହୋଇନପାରିଲେ ଏ ଜନ୍ମ ବୃଥା ହୋଇଗଲା ବୋଲି ବୁଝିବାକୁ ହେବ ।
ପ୍ର : ବେଦଠାରୁ ବୁଦ୍ଧ ଓ ବିବେକାନନ୍ଦଙ୍କ ଯାଏ ଋଷି ପରମ୍ପରାରେ ମଣିଷ ସର୍ବୋତ୍ତମ ସତ୍ୟ ହୋଇଥିବା ଏବଂ ଉପନିଷଦୀୟ ବର୍ଣ୍ଣନାରେ ମଣିଷ ହୃଦୟରେ ଦେବତା ଅଧିରୂଢ଼ ଥିବାବେଳେ କେଉଁ ପ୍ରକାର ସାମାଜିକ ବିକୃତି ଓ ବିଚୁ୍ୟତିରୁ ଭାରତବର୍ଷ ସାରା ଜୀଅନ୍ତା ମଣିଷକୁ ଏଡେଇ ଦେଇ ପଥର ମନ୍ଦିରମାନ ଗଢ଼ା ହେବା ଆରମ୍ଭ ହେଲା?
ଉ. ମଣିଷ ହୃଦୟରେ ଭଗବାନ ବା ସର୍ବୋତ୍ତମ ସତ୍ୟ ଅଧିରୂଢ଼ ଅଛନ୍ତି- ଏହାହିଁ ଏକାନ୍ତ ସତ୍ୟ । ମଣିଷକୁ ବା ମାନବାତ୍ମାକୁ ଅବମାନନା କରିବା, ଡେଇଁ ଯିବା ହେଉଛି ଏକ ଦୁଃଖଦ ତ୍ରୁଟି, ଏକ ବିମର୍ଷକର ପ୍ରମାଦ । ଆଜି ଆମର ସମସ୍ତ ପ୍ରକାର ସମସ୍ୟାର ଉଦ୍ଭବ ବା ଆମେ ଯେଉଁପ୍ରକାର ଅବସ୍ଥାରେ ବଞ୍ଚିଛୁ ସେସବୁ ହୋଇଛି ମଣିଷ ହୃଦୟରେ ଅବସ୍ଥିତ ଈଶ୍ୱରଙ୍କୁ ହତାଦର କରିବା ଯୋଗୁଁ ଏବଂ ଯେହେତୁ ଆମେ ବିସ୍ମରି ଯାଇଛୁ ଯେ ମଣିଷ ହେଉଛି ମୌଳିକ ଭାବେ ଦିବ୍ୟତାର ସ୍ୱରୂପ । ଆମେ ମଣିଷର ସତ୍ତାକୁ ଏଯାଏ ପର୍ଯ୍ୟାପ୍ତ ଭାବେ ଗୁରୁତ୍ୱ ଓ ସମ୍ମାନ ଦେଇପାରିନାହୁଁ । ମାତ୍ର ଈଶ୍ୱରଙ୍କ ପାଇଁ ଇଟା, ପଥରର ମନ୍ଦିର ତୋଳିବା ଏକ ବିକୃତ ପରମ୍ପରା ବୋଲି କହିବା ଠିକ୍ ହେବ ନାହିଁ । ସେସବୁ ଦୂରର କଥା, ବରଂ ମଣିଷ ପାଇଁ ସେସବୁ ମନ୍ଦିରର ମୂଲ୍ୟ ଅତ୍ୟନ୍ତ ମହାର୍ଘ, ଯେହେତୁ ସେସବୁ ସ୍ମରଣ କରାଇ ଦିଅନ୍ତି ଈଶ୍ୱର; ଉପାସନା ଓ ପ୍ରାର୍ଥନା ପାଇଁ ଦିଅନ୍ତି ସୁଯୋଗ ଏବଂ ଭଗବତ୍ ପ୍ରାପ୍ତି ମାର୍ଗରେ ଅଗ୍ରସର ହେବାରେ ଆମର ହୁଅନ୍ତି ସହାୟକ । ଆଜି ଆମର ଯେଉଁ ସାମାଜିକ ବିଚୁ୍ୟତି, ବିକୃତି, ଅବକ୍ଷୟ ହୋଇଥିବା କଥା କୁହାଯାଉଛି ସେସବୁ ମନ୍ଦିର ନିର୍ମାଣରେ ବ୍ୟାପୃତ ହେବା ଯୋଗୁ ନୁହେଁ, ଏହା ନିଶ୍ଚିତ ଭାବେ ମଣିଷ ସତ୍ତାକୁ ଏଡେଇ ଦେବାରୁ ଏବଂ ପ୍ରତି ମଣିଷ ହୃଦୟରେ ଭଗବତ୍ ଉପସ୍ଥିତିକୁ ଅସ୍ୱୀକାର କରିବା ଯୋଗୁ ଘଟିଛି । ଧର୍ମର ନିର୍ଯାସ ଓ ସତ୍ୟକୁ ବୁଝିବାରେ ଆମର ଅକ୍ଷମତା ହେତୁ ଘଟୁଛି । ସମାଜର ଉଚ୍ଚ ଆସନ ବା ପ୍ରଭାବଶାଳୀ ପଦବୀରେ ଅବସ୍ଥିତ ମଣିଷମାନଙ୍କ ଭିତରେ କୁଟିଳତା, ଅହଂକାର ଓ ସ୍ୱାର୍ଥାନ୍ଧତା ଭଳି ଅସଦାଚାରର ପ୍ରାବଲ୍ୟ; ଧର୍ମର ମୌଳିକ ସତ୍ୟକୁ ଭୁଲିଯାଇ, ଅନ୍ଧ ଭାବେ ନିହାତି ଗୌଣ ଅପାଂକ୍ତେୟ ଉପାସନା ପଦ୍ଧତିଗୁଡ଼ିକୁ ଆଚରିବା ହେତୁ ଘଟୁଛି । ଜଣେ ମଣିଷକୁ ଅନ୍ୟଜଣକର ଶୋଷଣ; ଧର୍ମ ଆଚରଣ ନ କରି କେବଳ ପ୍ରଚାର କରିବା ଏବଂ ଧାର୍ମିକ ନୀତି ଓ ଆଦର୍ଶର ନିଷ୍ଠାପର ଅନୁସରଣକାରୀଙ୍କ ଅଭାବରୁ ଏସବୁ ବିମର୍ଷକର ସାମାଜିକ ବିଚୁ୍ୟତି, ଅବକ୍ଷୟ ଓ ବିପର୍ଯ୍ୟୟମାନ ଘଟୁଛି । ସାଂପ୍ରତିକ ସମୟରେ ଧର୍ମର ଔପଚାରିକ ପଦ୍ଧତି ଓ ବାହ୍ୟରୂପ ଉପରେ ଏତେ ଗୁରୁତ୍ୱ ଦିଆଯାଉଛି ଯେ ମଣିଷ ହିଁ ଦିବ୍ୟ ସତ୍ୟ ଓ ପରମପୁରୁଷଙ୍କ ଅଂଶବିଶେଷ- ଧର୍ମର ଏହି ମୂଳ ତତ୍ତ୍ୱ ଓ ସତ୍ୟକୁ ଆମେ ଅସ୍ୱୀକାର କରୁଛୁ ଏବଂ ତାରି ଉପରେ ଆମର ଆଚରଣ ଓ ଅଭ୍ୟାସକୁ ବଳବତ୍ତର ରଖିଚାଲିଛୁ ।
ପ୍ର : ଆପଣଙ୍କର ନିଜସ୍ୱ କିଛି ଆଧ୍ୟାତ୍ମିକ ଉପଲବ୍ଧି ଅଛି କି କିମ୍ବା ସେ ଦିଗରେ କୌଣସି ପ୍ରୟାସ?
ଉ. ଆତ୍ମ ଉପଲବ୍ଧି ମୋର ହୋଇଛି କି ନାହଁ ପ୍ରଶ୍ନଟି ସଂପୂର୍ଣ୍ଣ ବ୍ୟକ୍ତିଗତ ହୋଇଥିବାରୁ ଏହାର ଉତ୍ତର ଅନ୍ୟମାନଙ୍କ ପାଇଁ ବିଶେଷ ଉପଯୋଗ ହେବ ନାହିଁ । ଭଲ ହେବ, ଏହାର ଉତ୍ତର ନଦେବା ପାଇଁ ପ୍ରୟାସ କରିବା । ମାତ୍ର, ଏହା ସତ୍ୟ ଯେ ଲକ୍ଷ୍ୟ ହାସଲ ଦିଗରେ ମୋର ପ୍ରଚେଷ୍ଟା ଓ ଉଦ୍ୟମ ଅବ୍ୟାହତ ଅଛି ।
ପ୍ର :ଆପଣ ନିଜେ କୌଣସି ଧର୍ମରେ ଦୀକ୍ଷିତ କି ଓ କାହିଁକି ? ଧର୍ମ ଓ ଆଧ୍ୟାତ୍ମିକତା ଭିତରେ ଆପଣ କେଉଁ ପ୍ରକାର ମୌଳିକ ପ୍ରାର୍ଥକ୍ୟ ଦେଖନ୍ତି?
ଉ. ବୈଦିକ ସନାତନ ଧର୍ମ ବା ହିନ୍ଦୁ ଧର୍ମ ରୂପେ ବର୍ଣ୍ଣିତ ଧର୍ମର ମୁଁ ଅନୁଗାମୀ- ମୋର ପିତାମାତା ସେ ଧର୍ମରେ ଦୀକ୍ଷିତ ହେତୁ ମୁଁ ପିଲାବେଳୁ ସେହି ଧର୍ମରେ, ମୋର ଚେତନାକୁ ପରିତୃପ୍ତ କରୁଥିବାରୁ ମୁଁ ମଧ୍ୟ ସେହି ବୈଦିକ ସନାତନ ଧର୍ମରେ ବିଶ୍ୱାସ କରେ ଓ ତାହାର ପ୍ରଚାର କରେ । ଅନ୍ୟଥା, ମୋର ବିଶ୍ୱାସ ଯେ ବିଶ୍ୱର ସମସ୍ତ ଧର୍ମ ସମାନ ଭାବେ ସତ୍ୟ ଓ ଯୁକ୍ତିଯୁକ୍ତ ପନ୍ଥା ଅନୁସାରୀ । ମୋର ମଧ୍ୟ ବିଶ୍ୱାସ ଯେ ସବୁ ଧର୍ମର ମୌଳିକ ନୀତି ବା ନିର୍ଯାସ ହେଉଛି ସମାନ ଏବଂ କଲ୍ୟାଣକର; ସେଥିପାଇଁ ମୋର ସବୁ ଧର୍ମ ପ୍ରତି ସମ୍ମାନ ଓ ଶ୍ରଦ୍ଧା ରହିଛି । ଭଗବାନ ଗୋଟିଏ । ସେଇ ଭଗବାନ ହେଉଛନ୍ତି, ସବୁ ଧର୍ମର ଚରମ, ଅନ୍ତିମ ଉତ୍ସ । ଭିନ୍ନ ଭିନ୍ନ ଧର୍ମର ଅବତାରଗଣ ହେଉଛନ୍ତି ସେଇ ଏକ ହିଁ ଭଗବାନଙ୍କ ବାର୍ତ୍ତାବହ- ଦେବଦୂତ । ଆମେ ସେଇ ଗୋଟିଏ ଭଗବାନଙ୍କୁ ଭିନ୍ନ ଭିନ୍ନ ନାମରେ ଡାକୁ । ପ୍ରତି ଧର୍ମର ବାହ୍ୟ ରୂପ ଏବଂ ପୂଜା ପଦ୍ଧତିରେ କେବଳ ପ୍ରାର୍ଥକ୍ୟ ଥାଏ, ଯାହା ସବୁଧର୍ମର ଅନାବଶ୍ୟକ ଦିଗ ।
ମୋ ଦୃଷ୍ଟିରେ, ଧର୍ମ ହେଉଛି ବିଶ୍ୱାସ, ନିଷ୍ଠା, ଶ୍ରଦ୍ଧା ଓ ଉପାସନାର ଏକ ନିର୍ଦ୍ଦିଷ୍ଟ ପଦ୍ଧତି ବା ଧାରା ଏବଂ ସେହି ପ୍ରତ୍ୟୟର ଔପଚାରିକ ବା ଆନୁଷ୍ଠାନିକ ଅଭିବ୍ୟକ୍ତି । ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଓ ମଣିଷ ସମାଜର ନିୟନ୍ତା ରୂପେ ଏକ ଆଧିଭୌତିକ ବା ଅତି ମାନବୀୟ ଶକ୍ତି ପ୍ରତି ଏହା ସ୍ୱୀକୃତି ଓ ସମ୍ମାନ । ସୁତରାଂ ସେହି ପରମ ନିୟନ୍ତା ଭଗବାନଙ୍କ ସ୍ଥିତିରେ ବିଶ୍ୱାସ, ତାଙ୍କ ପାଖରେ ସମର୍ପଣ ଓ ତାଙ୍କର ଉପାସନା ହିଁ ଧର୍ମ । ବ୍ୟକ୍ତି ସତ୍ତା, ବିଶ୍ୱ ଓ ବିଭୁଙ୍କ ମଧ୍ୟରେ ସଂଯୋଗକୁ ସୂଚାଇଥାଏ ଧର୍ମ । ବାସ୍ତବ ଧର୍ମ ଶିଖାଇଥାଏ ଅନ୍ୟ ପ୍ରତି ସଦାଚରଣ, ସମସ୍ତଙ୍କ ପ୍ରତି ଶ୍ରଦ୍ଧା, ସମ୍ବେଦନ ଓ ଶୁଦ୍ଧତା ପ୍ରଦର୍ଶନ ହେଉଛି ମଣିଷର ପରମ କର୍ତ୍ତବ୍ୟ । ଈଶ୍ୱରଙ୍କ ନିକଟରେ ପହଞ୍ଚିବା ପାଇଁ ଅତ୍ୟନ୍ତ ଶୃଙ୍ଖଳିତ ଓ ସୁଗମ ମାର୍ଗର ସନ୍ଧାନ ଦେଇଥାଏ ଧର୍ମ ଏବଂ ଆମକୁ ସେହି ମାର୍ଗରେ ନେବାକୁ ସମର୍ଥ କରିଥାଏ ।
ଅନ୍ୟପକ୍ଷରେ, ଆଧ୍ୟାତ୍ମିକତା କହିଥାଏ ପରମାତ୍ମା ବା ଈଶ୍ୱର ହେଉଛନ୍ତି ଅଦ୍ୱିତୀୟ ସତ୍ୟ, ଏକମାତ୍ର ଶାଶ୍ୱତ ବାସ୍ତବତା- ସେ ବସ୍ତୁଠାରୁ ଭିନ୍ନ, ସ୍ୱତନ୍ତ୍ର ଓ ସୁସ୍ପଷ୍ଟ । ଏହା ମଧ୍ୟ ବିଶ୍ୱାସ ଯେ ଆଧ୍ୟାତ୍ମିକତାର ଆଶ୍ରୟ ନେଇ ବା ଆଧ୍ୟାତ୍ମିକ ନୀତି, ଶୃଙ୍ଖଳା ଭିତ୍ତିକ ଜୀବନ ନିର୍ବାହ କରି ଜଣେ ଅବଶେଷରେ ପରମାତ୍ମାଙ୍କ ନିକଟରେ ପହଞ୍ଚି ପାରିବ । ଜୀବନରେ ଈଶ୍ୱର ହିଁ ଏକମାତ୍ର ଧ୍ୟେୟ, କାମ୍ୟ ଏବଂ ସର୍ବୋତ୍ତମ ଆଶ୍ରୟ । ସେହି ନୀତି ଦର୍ଶନରେ ଜୀବନକୁ ଘଷି ମାଜି ପ୍ରସ୍ତୁତ କରିବାକୁ ପଡ଼ିବ । ସେଇ ବିଶ୍ୱାସବୋଧ ନେଇ ଜୀବନ ନିର୍ବାହ କରିବାକୁ ପଡ଼ିବ- ଏପରିକି କୌଣସି ଧର୍ମରେ ଦୀକ୍ଷିତ ନହୋଇ ବା କୌଣସି ଧର୍ମବିଶ୍ୱାସ ନରଖି ଜଣେ ଅଚିରେ ଆଧ୍ୟାତ୍ମିକ ହୋଇପାରିବ । ଆଧ୍ୟାତ୍ମିକତା ଅଳ୍ପ ବହୁତେ ହେଉଛି ବ୍ୟକ୍ତି ସର୍ବସ୍ୱ ତଥା ଅନ୍ତର୍ମୁଖୀ ବା ଆତ୍ମିକ ପ୍ରୟାସ ଓ ଅଲୌକିକ ଅନୁଭବ; ହେଲେ ଧର୍ମ ହେଉଛି ଏକ ବହିର୍ମୁଖୀ ତଥା ସାମାଜିକ ବିଭବ- ଅଧିକନ୍ତୁ ଜଣେ ବ୍ୟକ୍ତିଗତ ଭାବେ ଓ ଆତ୍ମିକ ଅବବୋଧ ରୂପେ ଏହାକୁ ଆଚରଣ କରିପାରେ ।
ପ୍ର : ପୃଥିବୀରେ କୌଣସି ଧର୍ମ ନରହିଲେ କ’ଣ କିଛି ଅସୁବିଧା ହେବ? ପ୍ରତ୍ୟେକ ମଣିଷ କ’ଣ ସହଜ ଭାବେ ଆଧ୍ୟାତ୍ମିକ ଜୀବନ ବିତେଇ ପାରିବେ ନାହିଁ?
ଉ. ସମାଜର ଏକାନ୍ତ ମୌଳିକ ଭିତ୍ତି ବା ମୂଳଦୁଆ ପକାଇଥାଏ ଧର୍ମ । ମଣିଷ ସମାଜର ସମସ୍ତ ପ୍ରକାର ଉକ୍ରର୍ଷ ଓ ଆନନ୍ଦର ଏହା ଉତ୍ସ । ବ୍ୟକ୍ତିସତ୍ତାର ସଦ୍ଗୁଣ ଓ ସମୃଦ୍ଧିର ଏହା ମୂଳ । ତେଣୁ ଏହା ରାଷ୍ଟ୍ର ଓ ସମଗ୍ର ମାନବ ସମାଜର ଅପରିହାର୍ଯ୍ୟ ସୂତ୍ର ବା ନିର୍ମାତା । ମଣିଷଠାରୁ ଏହା ଦୂରେଇ ଦିଏ ପାର୍ଥିବ ଜୀବନର ଅସତ୍ ଓ ଆସୁରିକ ପ୍ରବୃତ୍ତି, ଅଶୁଦ୍ଧତା, ସ୍ୱାର୍ଥପରତା ଓ ବସ୍ତୁସର୍ବସ୍ୱ ପ୍ରବଣତା ବା ଅଭିରୁଚି । ମଣିଷକୁ ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତ କରେ । ପ୍ରେମ, ଭକ୍ତି, ଶାନ୍ତି ଓ ହର୍ଷୋତ୍ଫୁଲ୍ଲତା ଭଳି ସୂକ୍ଷ୍ମ, ସ୍ୱଚ୍ଛ ସଦ୍ଗୁଣାବଳୀରେ ଏହା ମଣିଷର ମନକୁ ପ୍ଲାବିତ, ଉଦ୍ଭାସିତ କରେ । ଘୋର ସାଂସାରିକ ବା ପାର୍ଥିବ ଦୁଃସ୍ଥିତିରେ ପୀଡିତ ମଣିଷ ପାଇଁ ଧର୍ମ ହେଉଛି ଆଶ୍ୱାସନା ଓ ଆଶ୍ୱସ୍ତିର ଚିରନ୍ତନୀ ଉତ୍ସ । ଈଶ୍ୱର ପ୍ରାପ୍ତି ପାଇଁ ପ୍ରୟାସର ପ୍ରୟୋଜନୀତା ଦର୍ଶାଇ ଥାଏ ଧର୍ମ, ଈଶ୍ୱରଙ୍କ ପାଖରେ ପହଞ୍ଚିବାର ପଥ ମଧ୍ୟ ଦେଖାଏ ଏବଂ ମଣିଷକୁ ଈଶ୍ୱରଙ୍କ ପାଖକୁ ନେଇଯାଏ । ତେଣୁ, ମଣିଷ ସମାଜ ପାଇଁ ଧର୍ମ ହେଉଛି ଅନତିକ୍ରମଣୀୟ ଅପରିହାର୍ଯ୍ୟତା । ଧର୍ମବିହୁନେ ଅବସ୍ଥା ହେବ ଆହୁରି ସଂକଟାପନ୍ନ, ବିମର୍ଷକର ଏବଂ ମଣିଷ ପାଲଟିବ ପଶୁ; ଆବାହନ କରିବ ନିଜର ଧ୍ୱଂସ, ବିପର୍ଯ୍ୟୟ ।
ମାତ୍ର ଧାର୍ମିକ ମତାନ୍ଧତା ଓ ବିଦ୍ୱେଷର ଧର୍ମସହ କୌଣସି ସ୍ଥାନ ନାହିଁ । ସେଗୁଡ଼ିକ କେବଳ ଅନାବଶ୍ୟକ ଓ ଅଯୌକ୍ତିକ ନୁହଁନ୍ତି, ନିଶ୍ଚିତ ରୂପେ ସେଗୁଡ଼ିକ ବ୍ୟକ୍ତି ପାଇଁ ଓ ସାମଗ୍ରିକ ଭାବେ ମାନବ ସମାଜ ପାଇଁ ଭୟଙ୍କର ଓ ମାରାତ୍ମକ । ଜଣେ ଯଦି ନିଜ ଧର୍ମକୁ ସଠିକ୍, ନିର୍ଭୁଲ ଭାବେ ହୃଦୟଙ୍ଗମ କରେ ତେବେ ଅନୁଭବ କରିବ ଯେ ସବୁ ଧର୍ମର ମୂଳ ନୀତି ହେଉଛି ସମାନ ଏବଂ ଗୋଟିଏ ଧର୍ମ ଆଉ ଅନ୍ୟ ଧର୍ମ ଭଳି ମଙ୍ଗଳପ୍ରଦ ଶୁଭଙ୍କର । ଅନ୍ୟ ଧର୍ମରେ ବିଶ୍ୱାସୀ ବା ଅନୁଗାମୀଙ୍କ ପ୍ରତି ତା’ର ରହିବ ଅମାପ ଶ୍ରଦ୍ଧା ଓ ବନ୍ଧୁତ୍ୱଭାବନା । ତା’ ଭିତରେ ସମ୍ବର୍ଦ୍ଧିତ ହେବ ଅବିଚଳିତ ସହିଷ୍ଣୁତା, ସମ୍ବେଦନା, ସଙ୍ଗତି ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଅବବୋଧ । ଏହାପରେ ଆଉ କୌଣସି ଧର୍ମଗତ ମତାନ୍ଧତା, ବିଦ୍ୱେଷ ରହିପାରିବ କି? ତେଣୁ ଆମକୁ କେବଳ କାର୍ଯ୍ୟରେ ନୁହେଁ; ଚିନ୍ତାରେ ମଧ୍ୟ ପରିହାର କରିବାକୁ ପଡ଼ିବ ଧାର୍ମିକ ମତାନ୍ଧତା, ଅସୂୟା, ବିଦ୍ୱେଷ ବା ଘୃଣା ଏବଂ ଦୂରେଇ ଦେବାକୁ ହେବ ଏସବୁକୁ ଭିତ୍ତିକରି ଚାଲିଥିବା ଦ୍ୱନ୍ଦ୍ୱ, କଳହ ଓ ସଂଘର୍ଷ । ଏହି ବିଦ୍ୱେଷ ଓ ମତାନ୍ଧତା ବ୍ୟତିରେକେ ଏକ ପରିପୂର୍ଣ୍ଣ ଓ ସାବଲୀଳ ଆଧ୍ୟାତ୍ମିକ ଜୀବନ ଜଣେ ସ୍ୱାଭାବିକ ଭାବେ ନିର୍ବାହ କରିପାରିବ । ବରଂ କହିବାକୁ ହେବ ଧାର୍ମିକ ମତାନ୍ଧତା ଓ ବିଦ୍ୱେଷ ହେଉଛି ଧର୍ମ ଓ ଆଧ୍ୟାତ୍ମିକତାର ସଂପୂର୍ଣ୍ଣ ପରିପନ୍ଥୀ, ଅଧର୍ମ ଓ ଅଣଆଧ୍ୟାତ୍ମିକ । ଏହା ଜଣେ ମଣିଷକୁ ଈଶ୍ୱରଙ୍କଠାରୁ ଦୂରେଇ ନିଏ ଓ ତାକୁ ଧ୍ୱଂସ ମୁହଁକୁ ଟାଣିନିଏ । ଏହା ସାମାଜିକ ଐକ୍ୟ, ସଂହତି ଓ ସମୃଦ୍ଧିର ଆଣିଥାଏ ବିରାଟ କ୍ଷୟକ୍ଷତି । ସେଥିପାଇଁ ସେହି ଧର୍ମାନ୍ଧତା ଓ ବିଦ୍ୱେଷକୁ ସର୍ବଦା ପରିହାର ଓ ନିନ୍ଦା, ଧିକ୍କାର ସେ ସବୁକୁ ସର୍ବାନ୍ତଃକରଣେ ଏଡେଇଯିବା, ବର୍ଜନ କରିବା ହିଁ ଧର୍ମ ଓ ତାହାହିଁ ଆଧ୍ୟାତ୍ମିକତା ।